ଭାରତୀୟ ବୁଦ୍ଧିଜୀବୀର ସଙ୍ଗଟ - ୫
ଲେଖକ - କିଶନ ପଟ୍ଟନାୟକ
ଏସବୁ
ଭୁଲିଯିବା ହିଁ ଭାରତୀୟ ବୁଦ୍ଧିଜୀବୀର
ଆଦର୍ଶଗତ ଦୁର୍ବଳତା । ସେ ତାହାର
ଐତିହାସିକ ସମସ୍ୟାକୁ ଭୁଲିଯାଇଛି
। ବାହାରର ନିର୍ଦ୍ଦେଶିତ
ପଥରେ ଚାଲି ସେ କେବେ ହେଲେ ନିଜତ୍ୱ
ଉପଲବ୍ଧି କରିପାରିବ
ନାହିଁ । ଦେଶରେ ତା’ର
ଆଦର ହୋଇପାରିବ ନାହିଁ କିମ୍ବା
ବିଦେଶରେ ପ୍ରତିଷ୍ଠା ହୋଇପାରିବ
ନାହିଁ । ସ୍ଥାନୀୟ ଅନୁଭୂତି,
ସ୍ଥାନୀୟ
ସମସ୍ୟା,
ସ୍ଥାନୀୟ
ଭାଷା ସାହାଯ୍ୟରେ ସେ ଯଦି କାମ
କରିବ ତାହା ହେଲେ
ସ୍ୱଦେଶରେ ପ୍ରତିଷ୍ଠା ଓ ପ୍ରଭାବ
ବଢ଼ିବା ନିଶ୍ଚିତ । ସେଇ
ପ୍ରତିଷ୍ଠା ଓ ପ୍ରଭାବ
ଏକ ନୂଆ ଯୁଗର ଦ୍ୟୋତକ ହୋଇପାରେ
। ବିଦେଶର ଲୋକେ ବଳେ
ବଳେ ତା'
ପ୍ରତି
ଆକୃଷ୍ଟ ହେବେ । କିନ୍ତୁ ଏଥିପାଇଁ
ଧୈର୍ଯ୍ୟ ଓ ସତ୍ ସାହସ ଦରକାର ।
ଏତିକି କଷ୍ଟ ତାକୁ ବରଣ କରିବାକୁ
ହେବ ।
ଆଦର୍ଶଗତ
ଦୁର୍ବଳତା କହିଲେ ବୁଝାଉ ନାହିଁ
ଯେ କୌଣସି ଏକ ନିର୍ଦ୍ଦିଷ୍ଟ
ଆଦର୍ଶବାଦକୁ ସେ ଗ୍ରହଣ କରୁ ।
ତା’ର ଆଦର୍ଶବାଦ କ’ଣ ହେବା ଉଚିତ,
କେଉଁ
ଦର୍ଶନ, କେଉଁ
ରାଜନୀତି,
କେଉଁ
ଅର୍ଥନୀତି ଦ୍ୱାରା ସେ ଚାଳିତ
ହେବ, ତାହାର
ପୂର୍ଣ୍ଣ ଉତ୍ତର
ବର୍ତ୍ତମାନ ମିଳି
ନପାରେ । ମିଳିବା
ଆବଶ୍ୟକ ମଧ୍ୟ ନୁହେଁ । ସେ ଆରମ୍ଭ
କରିବ ଦୈନନ୍ଦିନ ଜୀବନର,
ନିଜ
ପରିପାର୍ଶ୍ୱର ସୁଖ,
ଦୁଃଖ,
ଅଭାବ,
ଇଚ୍ଛା
ଓ ସମସ୍ୟାର ସମାଧାନଠାରୁ
। ଯେଉଁଠି ଭୁଲ୍ ହେଉଛି,
ଯେଉଁଠି
ଦୁର୍ନୀତି ହେଉଛି,
ଯେଉଁଠି
ମଇଳା ଅନ୍ଧକାର ବ୍ୟାପିଛି,
ସେଇଠି
ଚେତନଶୀଳ ହେଲେ ତା’ର ଅନ୍ତରର
ବୀଣା ଝଙ୍କୃତ ହୋଇଉଠିବ ।
ସେଇ ଝଙ୍କାରର ଉତ୍ତରୋତ୍ତର
ବ୍ୟାପକତାରେ ସ୍ଥାନୀୟ ଅନୁଭୂତି
କ୍ରମେ ବିଶ୍ୱ ଅନୁଭୂତିରେ ପରିଣତ
ହେବ । ଖଣ୍ଡ ସମସ୍ୟାର ସମାଧାନ
ପାଇଁ ଚେଷ୍ଟା କଲେ,
ଖଣ୍ଡଇଚ୍ଛା
ଓ ଅଭିଳାଷର ପରୀକ୍ଷା କରି ତାହାର
ସନ୍ତୋଷ ଖୋଜିଲେ,
ତାହା
ଭିତରୁ ଏକ ସମ୍ପୂର୍ଣ୍ଣ ଆଦର୍ଶ
ଓ ସମ୍ପୂର୍ଣ୍ଣ ଦୃଷ୍ଟିର ଆବିର୍ଭାବ
ହେବ ।
ଭାରତୀୟ
ବୁଦ୍ଧିଜୀବୀ ଆରୋପିତ ଅନୁଭୂତି
ଓ ସମସ୍ୟାକୁ ଛାଡ଼ି ନିଜର ପ୍ରାକୃତିକ
ଅନୁଭୂତି ଓ ସମସ୍ୟା ପ୍ରତି ସଜାଗ
ହେଲେ ନୂତନ ଆଦର୍ଶର ଇନ୍ଦ୍ରଧନୁ
ତା’ର ମନର ଆକାଶରେ ସାରିତ ହେବ ।
ଏ ସମ୍ପର୍କରେ ବଙ୍ଗଳାର ଜଣେ
ଶ୍ରେଷ୍ଠ ଆଧୁନିକ କବି ଓ ସାହିତ୍ୟିକଙ୍କର
ଉଦାହରଣ ଦେବା ଅପ୍ରାସଙ୍ଗିକ ହେବ
ନାହିଁ । ତାଙ୍କୁ ଯେତେବେଳେ ପଚରା
ଗଲା ଯେ ଭାରତୀୟ ସାହିତ୍ୟରେ
କାହିଁକି ଉଚ୍ଚ ଧରଣର ସୃଷ୍ଟି
ହୋଇପାରୁ ନାହିଁ,
ସେ
କହିଲେ ଆମ ଦେଶର ଲୋକେ କୌଣସି
ବିରାଟ ଦୁଃଖ ଭିତର ଦେଇ ଗତି
କରିନାହାନ୍ତି । ୟୁରୋପ୍ ର ଯୁଦ୍ଧ,
ଏକଛତ୍ରବାଦର
ତୀବ୍ର ଯାତନା ଭିତରୁ ତାଙ୍କର
ମହାନ ଉପନ୍ୟାସମାନ ରଚିତ ହୋଇଛି
। ଏଭଳି କହୁଥିବା ଜଣେ ପ୍ରସିଦ୍ଧ
ବୁଦ୍ଧିଜୀବୀଙ୍କ ଉପରେ ହଠାତ୍
ରାଗି ନଯାଇ ଭାବିବା ଉଚିତ ଯେ ଏପରି
ଆଶ୍ଚର୍ଯ୍ୟଜନକ ମୁର୍ଖତା କିପରି
ସମ୍ଭବ ହୋଇପାରେ?
ଭାରତରେ
ଯଦି ଦୁଃଖ ଯାତନା ନାହିଁ,
ଭାରତର
ଗତ ଦେଢ଼ଶହ ବର୍ଷର ଇତିହାସରେ ଯଦି
ଏକଛତ୍ରବାଦ ନଥିଲା,
ତାହାହେଲେ
ଏ ଶବ୍ଦଗୁଡ଼ିକର ତାତ୍ପର୍ଯ୍ୟ କ’ଣ
? ସ୍ୱାଧୀନତା
ସଙ୍ଘର୍ଷ ବେଳର
ଅତ୍ୟାଚାର,
ଉତ୍ପୀଡ଼ନ
ଓ ଆକାଂକ୍ଷାକୁ ଲେଖକମାନେ ଏତେ
ଶୀଘ୍ର ଭୁଲିଗଲେ ?
ୟୁରୋପରେ
ମହାଯୁଦ୍ଧ ଚାଲିଥିବାବେଳେ ଭାରତରେ,
ବିଶେଷକରି
ବଙ୍ଗଳାରେ,
ଦୁର୍ଭିକ୍ଷରେ
ଲକ୍ଷ ଲକ୍ଷ ଲୋକ ମଲେ । ତାଙ୍କର
ଯୁଦ୍ଧ ସରିଲାପରେ ଆମର ହିନ୍ଦୁ-ମୁସଲମାନ୍
ବିଭେଦରେ କୋଟି କୋଟି ନରନାରୀ,
ଶିଶୁ,
ବୃଦ୍ଧ,
ଗୃହଶୂନ୍ୟ,
ଅବଲମ୍ବନ
ଶୂନ୍ୟ ହେଲେ । ଲକ୍ଷ
ଲକ୍ଷ ଲୋକ ପଡ଼ୋଶୀର ଛୁରୀ ଓ ଅତ୍ୟାଚାରରେ
ପ୍ରାଣ ହରାଇଲେ । ଏସବୁ ବ୍ୟତୀତ
ୟୁରୋପୀୟ ଲୋକ ବ୍ୟକ୍ତିଗତ ଜୀବନର
ଯେଉଁ ଦୈନନ୍ଦିନ ଦୁର୍ବହ ଯନ୍ତ୍ରଣାକୁ
କଳ୍ପନା କରିପାରିବ ନାହିଁ,
ତାହା
ଏଠାରେ ଶତକଡ଼ା ନବେ ଜଣଙ୍କର
ଭାଗ୍ୟଲିଖନ । ତଥାପି ଏପରି ଭାବିବାର
କାରଣ କେବଳ ଦୁଇ ପ୍ରକାର ହୋଇପାରେ;
ଓ
ଏଠାରେ ଉଭୟ ପ୍ରଯୁଜ୍ୟ । ଭାରତୀୟ
ବୁଦ୍ଧିଜୀବୀ ଏତେ ଅନୁକରଣ ପ୍ରିୟ
ଯେ ସେ ବଡ଼ ସାହିତ୍ୟ ଲେଖିବା ପାଇଁ
ୟୁରୋପୀୟ ସାହିତ୍ୟରେ ଯେଭଳି
ଦୁଃଖ ଓ ଯନ୍ତ୍ରଣାର
ବର୍ଣ୍ଣନା ଅଛି,
ସେ
ଠିକ୍ ସେହିଭଳି
ଦୁଃଖଯନ୍ତ୍ରଣା ଦେଖିବାକୁ ଚାହେଁ
। ଅନ୍ୟ ରକମର ଦୁଃଖ ଯନ୍ତ୍ରଣା
ଅନୁଭୂତିରୁ ଉଚ୍ଚକୋଟିର ସାହିତ୍ୟ
ସମ୍ଭବ ହେବ କିପରି ?
ଦ୍ୱିତୀୟତଃ,
ଭାରତରେ
ଯାହା କୋଟି କୋଟି ଲୋକଙ୍କର ଅନୁଭୂତି,
ତାହାର
ସେହି ଅନୁଭୂତି ନାହିଁ କିମ୍ବା
ସହାନୁଭୂତି ମଧ୍ୟ ନାହିଁ । ଗୋରା
ଜାତିର ଲୋକ ମଲେ ଯେତିକି କଷ୍ଟ,
ଭାରତର
ହରିଜନ ଆଦିବାସୀ ଅତ୍ୟାଚାରିତ
ବା ନିହତ ହେଲେ ସେତିକି କଷ୍ଟ
ଜଣାପଡ଼େ ନାହିଁ ।
ଭାରତୀୟ
ଜାତି ପ୍ରଥା ମଣିଷ ଭିତରେ ଏପରି
ଏକ ଅତୁଳନୀୟ ପ୍ରତିବନ୍ଧକ ହୋଇ
ଠିଆ ହୋଇଛି ଯେ କୋଟି କୋଟି ଲୋକଙ୍କର
ଅନୁଭୂତି ସମାଜର ବୁଦ୍ଧିଜୀବୀମାନଙ୍କର
ଅନୁଭୂତି ହୋଇପାରୁ ନାହିଁ ।
ସେମାନଙ୍କର ସମସ୍ୟା ଓ ଆବଶ୍ୟକତା
ବୁଦ୍ଧିଜୀବୀମାନଙ୍କର ସମସ୍ୟା
ଓ ଆବଶ୍ୟକତା ନୁହେଁ । ଦୁର୍ଭିକ୍ଷ
ପଡ଼ିଲେ,
ହାଣକାଟ
ହେଲେ ଏଇ ଲକ୍ଷ ଲକ୍ଷ ଲୋକ ଯନ୍ତ୍ରଣା
ଭୋଗନ୍ତି,
ଯେଉଁମାନଙ୍କ
ସଙ୍ଗେ ଏକା ଘରେ,
ବା
ପଡ଼ୋଶୀ ହୋଇ ବା ସମ୍ପର୍କୀୟ ଭାବେ
ରହିବାର ସୁଯୋଗ ବୁଦ୍ଧିଜୀବୀର
ଆଦୌ ନଥାଏ । ଶହ ଶହ ବର୍ଷ ଧରି
ସେମାନଙ୍କର ରକ୍ତ ଓ ମାଂସର ସମ୍ବନ୍ଧ
ଭାରତୀୟ ବୁଦ୍ଧିଜୀବୀ ଶ୍ରେଣୀର
ରକ୍ତମାଂସଠାରୁ ବିଚ୍ଛିନ୍ନ
ହୋଇଯାଇଛି । ତେଣୁ
ତାହାର ଫଳଶୃତି ଅନୁଭୂତି
ଓ ସହାନୁଭୂତିର ଏ ଦୁର୍ଭିକ୍ଷ ।
ଅନୁଭୂତିର ଏହି ଦାରିଦ୍ର୍ୟ ଓ
ସହାନୁଭୂତିର ଅଭାବକୁ ମନର ଜୋରରେ
ଭାଙ୍ଗିବାକୁ ହେବ । ସେମାନଙ୍କର
ଅନୁଭୂତିକୁ ସହାନୁଭୂତି ଦ୍ୱାରା
ଗ୍ରହଣ କରି ତାଙ୍କର ସମସ୍ୟାରେ
ଜଡ଼ିତ ହେବାକୁ ପଡ଼ିବ । ନହେଲେ,
ଅପୂର୍ବ
ସୃଷ୍ଟିର ମୂଳସ୍ରୋତ ଯେଉଁ ଅନୁଭୂତିର
କଥା ବଙ୍ଗାଳୀ ସାହିତ୍ୟିକ
କହିଲେ, ସେ
ଅନୁଭୂତି ଆମ ବୁଦ୍ଧିଜୀବୀଙ୍କ
ଭାଗ୍ୟରେ ଘଟିବ ନାହିଁ ।
ଅନୁଭୂତିର
ବିଚ୍ଛିନ୍ନତାକୁ ବଢ଼େଇବା ପାଇଁ
ନାନାରକମର କୃତ୍ରିମ ସୁବିଧା ଆମର
ବୁଦ୍ଧିଜୀବୀ ଶ୍ରେଣୀକୁ ଦେଶର
ଯୋଜନା ଜରିଆରେ ମିଳୁଛି । ଏ ଯୋଜନା
ଏକ ଅନୁକୃତ ଯୋଜନା । ପାଶ୍ଚାତ୍ୟ
ଜୀବନ ପ୍ରଣାଳୀର ଆଦର୍ଶରେ
ଅନୁପ୍ରାଣିତ ଏହି ଯୋଜନା ସମାଜର
ଥୋକେ ଲୋକଙ୍କୁ ସେଭଳି ଜୀବନସ୍ତରକୁ
ନେଇଯିବାରେ ସାହାଯ୍ୟ କରୁଛି ।
ଋଣ ସୂତ୍ରରେ ଲବ୍ଧ ଅଜସ୍ର ଧନ ବ୍ୟୟ
ଫଳରେ ଦେଶର ବିଜ୍ଞାନ,
ଶିକ୍ଷା,
ଶିଳ୍ପ
ବା ସାହିତ୍ୟ ପାଶ୍ଚାତ୍ୟ ସ୍ତରକୁ
ଉଠୁନାହିଁ । କିନ୍ତୁ
ଏପରି ବହୁତ ଦ୍ୱୀପ ତିଆରି ହେଉଛି
ଯେଉଁଠି ପାଶ୍ଚାତ୍ୟର ବୈଭବ ଦ୍ୱାରା
ଅନୁପ୍ରାଣିତ କୋଠା,
ବଗିଚା,
ମଟର
ଓ ହୋଟେଲ୍ ଗଢ଼ିଉଠୁଛି । ବଡ଼ ବଡ଼
ଅଟ୍ଟାଳିକା ବିଜ୍ଞାନାଗାର ନାମରେ
ନିର୍ମିତ ହେଉଛି । ଯଦିଓ ଉଦ୍ଭାବନ
କିଛି ନାହିଁ । କାଳିଦାସଙ୍କ ନାମରେ
ବିରାଟ ଗବେଷଣା ମନ୍ଦିର ଲକ୍ଷ
ଲକ୍ଷ ଟଙ୍କା ବ୍ୟୟରେ ତୋଳା ହେଉଛି
। ଯଦିଚ କାଳିଦାସ
ସମାରୋହରେ ଭାରତୀୟ ସାହିତ୍ୟିକଙ୍କ
ମୁଖରୁ ଇଂରାଜୀ ଭାଷାରେ
ବକ୍ତୃତା ଶୁଣି କାଳିଦାସଙ୍କ
ସାହିତ୍ୟ ଅଧ୍ୟୟନ କରିଥିବା
ସୋଭିୟତ୍ ରୁଷୀୟ
ବିଦ୍ୱାନ ଘୃଣାରେ ସଭା ତ୍ୟାଗ
କରୁଛନ୍ତି । ଏନ୍ସାଇକ୍ଲୋପେଡ଼ିଆ
ନାମରେ ଦେଶୀ ଭାଷାରେ ବିଶ୍ୱଜ୍ଞାନ
ସଂଗ୍ରହ କରିବା ଉଦ୍ଦେଶ୍ୟରେ
ମୋଟା ଦରମାର ଚାକିରି ଖୋଲାଯାଉଛି
। ଠିକ୍ ସେହି ସମୟରେ
ଦେଶୀ ଭାଷା ଗୁଡ଼ିକୁ
ବିଦ୍ୟାଳୟ ଓ ମହାବିଦ୍ୟାଳୟ
ସ୍ତରର ପାଠର ମାଧ୍ୟମରୂପେ
ସ୍ୱୀକାର କରାଯାଉ ନାହିଁ । ଏସବୁ
ଭିତରେ ପଶି ଭାରତୀୟ ବୁଦ୍ଧିଜୀବୀର
ଅନୁଭବ କରିବାର ଶକ୍ତି ଆହୁରି
କମିଯାଉଛି । ଶୀତତାପ ନିୟନ୍ତ୍ରିତ
ରୂପେଲୀ ମିନାରରେ ରହି ସେ ସାରା
ଦେଶର ଖରା ଓ ଶୀତକୁ ଭୁଲିଯାଉଛି
। ଏହି ଅନୁଭୂତିର ବିଚ୍ଛିନ୍ନତାକୁ
କାଟିବା ପାଇଁ ସତ୍ ସାହସ ଦରକାର
। ତ୍ୟାଗ ଓ ବିଦ୍ରୋହ ଆବଶ୍ୟକ ।
ଏହି
ବିଚ୍ଛିନ୍ନତାକୁ କାଟି,
ପାଶ୍ଚାତ୍ୟ
ସଭ୍ୟତାର ପ୍ରତିଷ୍ଠା ଆଗରେ କୌଣସି
ଆତ୍ମନ୍ୟୁନତା ବୋଧ
ନକରି, ନିଜ
ଦେଶର ଅଶିକ୍ଷିତ ଲୋକ,
ପଛୁଆ
ଅର୍ଥନୀତି ଓ ଅବିକଶିତ ଭାଷା ଲାଗି
ଲଜ୍ଜାବୋଧ ନକରି,
ଭାରତୀୟ
ବୁଦ୍ଧିଜୀବୀ ଯଦି ନିଜର ପରିପାର୍ଶ୍ୱ
ସଙ୍ଗରେ ନିବିଡ଼ ସୂତ୍ରରେ ବାନ୍ଧି
ହେବ, ତାହାହେଲେ
ସଙ୍ଗେ ସଙ୍ଗେ ତାକୁ ଏକ ନୂତନ ଜଗତ
ଦେଖାଯିବ । ସେ ଜାଣିବ ଯେ ପ୍ରତିଷ୍ଠିତ
ପାଶ୍ଚାତ୍ୟ ସଭ୍ୟତାର ମାନଦଣ୍ଡ,
ପ୍ରସଙ୍ଗ
ଓ ସମସ୍ୟାକୁ ନିଜ ଉପରେ ଆରୋପିତ
କରି, ତା’ର
ପ୍ରଶଂସା ଖୋଜି ନ୍ୟୁନ
ହେବା ତାହାର ଭାଗ୍ୟ ନୁହେଁ ।
ତାହାର ଭବିତବ୍ୟ ନୂଆ
ନୂଆ ପ୍ରସଙ୍ଗ ନେଇ ନୂଆ ସଂସ୍କୃତିର
ସ୍ଥାପନ କରିବା । ଏଠାରେ ରାଜନୀତିର
ସମସ୍ୟାଗୁଡ଼ିକ ନୂଆ,
ଏଠାରେ
ଅର୍ଥନୀତିର ସମସ୍ୟାଗୁଡ଼ିକ ବି
ନୂଆ । କାରଣ ପାଶ୍ଚାତ୍ୟ
ଜଗତର ରାଜନୀତି ଶାସ୍ତ୍ର ଓ
ଅର୍ଥବିଜ୍ଞାନ ତିଆରି ହେଲାବେଳେ
ସମସ୍ୟା ସ୍ଥାନୀୟ ଦୃଷ୍ଟିରୁ
ଲେଖାଯାଇଛି । ତାକୁ ଏକ ବିଶ୍ୱଦୃଷ୍ଟିରୁ
ଲେଖିବାର ଦରକାର ହେଲାଣି,
ଅଥବା
ଅତି କମ୍ ରେ,
ବର୍ତ୍ତମାନ
ପାଇଁ ପୃଥିବୀର ଅଧିକତର ଜନସଂଖ୍ୟା,
ଅର୍ଥାତ୍
ଏସିଆ, ଆଫ୍ରିକା
ଓ ଦକ୍ଷିଣ ଆମେରିକାର,
ଦୃଷ୍ଟିରୁ
ଲେଖିବାକୁ ପଡ଼ିବ । ସେହିପରି
ଦର୍ଶନର ସମସ୍ୟାରେ,
ବା
ସାହିତ୍ୟର ଗଠନ ଓ ଶୈଳୀରେ,
ନୂଆ
ମାନର ସୃଷ୍ଟି ହେବା ଆବଶ୍ୟକ ।
ସାହିତ୍ୟରେ ଯେଉଁ ଢଙ୍ଗ,
ଯେଉଁ
ରୂପ ଓ ଉପନ୍ୟାସ ତଥା
କବିତାର ଯେଉଁ ଶୈଳୀ ପାଶ୍ଚାତ୍ୟ
ସମାଜରେ ବର୍ତ୍ତମାନ
ଠିକ୍ ବୋଲି ମନେ ହେଉଛି,
ଆମ
ସମାଜରେ ସେସବୁ ପୂର୍ଣ୍ଣଭାବରେ
କାଟୁ କରୁନାହିଁ । କେବଳ ବିଶେଷଜ୍ଞ
ଦଳ ଭିତରେ ତାହା ଆବଦ୍ଧ
ହୋଇଯାଉଛି । ଏହିସବୁ
ବିଷୟରେ ନୂତନ ପ୍ରୟୋଗର ଅବକାଶ
ରହିଛି । ଭାରତର ପରିବେଶକୁ ନେଇ
ଏଭଳି ଯେତେ ନୂଆ ପ୍ରୟୋଗ ହେବ ତାହା
ପ୍ରାନ୍ତୀୟତାର ସୂଚକ ହେବନାହିଁ
। ବରଂ ଏପରି ପରୀକ୍ଷାନିରୀକ୍ଷା
ଭବିଷ୍ୟତର ବିଶ୍ୱର ମାନଦଣ୍ଡ
ହେବାର ପ୍ରଚୁର ଆଶା ରହିଛି ।
ଅତଏବ,
ମୂଳତଃ
ଦେଖିବାକୁ ଗଲେ ଭାରତୀୟ ବୁଦ୍ଧିଜୀବୀକୁ
ଚେରହୀନ,
ଦ୍ୱିଧାଯୁକ୍ତ
ବା ପରନିର୍ଭରଶୀଳ କହିବା ସତ୍ୟ
ହେଲେ ସୁଦ୍ଧା,
ସତ୍
ସାହସର ଅଭାବ ଓ ଆଦର୍ଶହୀନତା ଫଳରେ
ହିଁ ସେ ଏତେ ଗୌଣ ଓ ଅନୁତ୍ପାଦକ
ହୋଇ ରହିଛି । ନୂଆ ସୃଷ୍ଟି ନିମନ୍ତେ
ତା’ର ଦୂରନ୍ତ ଅଭିଳାଷ ନାହିଁ ।
ପରସୃଷ୍ଟିର ସମକକ୍ଷ ହେବା ପାଇଁ
ଅଛି ଏକ ବିକଳ ଭାବ ।
ଆଦର୍ଶ ଓ ଚରିତ୍ର ମଧ୍ୟରୁ କେଉଁଟି
ପ୍ରଥମେ ଆସିବ ?
ଗୋଟିଏ
ଭାବରେ କହିବାକୁ ଗଲେ,
ଆଦର୍ଶ
ସେ ନିଜେ ସୃଷ୍ଟି କରିପାରିବ ନିଜର
ଅନୁଭୂତିରୁ । ତେଣୁ ଚରିତ୍ରର
ଆବଶ୍ୟକତା ପ୍ରଥମ । ସେ ଯଦି ନିଜର
ପେଶା ପ୍ରତି ସତ୍ୟନିଷ୍ଠ ହୋଇ
ସ୍ୱାଧୀକାର ଘୋଷଣା କରିବ ଓ
ସମାଜର ସବୁ ଅମଙ୍ଗଳ ଓ ଅନ୍ଧକାର
ବିରୁଦ୍ଧରେ ବଳିଷ୍ଠ ଭାବରେ
ପ୍ରତିକ୍ରିୟା ପ୍ରକାଶ
କରିବ, ତାହା
ହେଲେ ଆପେ ଆପେ ନୂତନ ଆଦର୍ଶର
ଅରୁଣାଲୋକରେ ତା’ର ସୃଷ୍ଟି ବଳିଷ୍ଠ
ଓ ସ୍ୱାଭାବିକ ହେବ । ଏହା କରିବା
ପାଇଁ ତାକୁ ନିଜ ସମାଜର
ପରିବେଷ୍ଟନୀ,
ଜଳବାୟୁ
ଓ ଭାଷାଠାରୁ ଅଲଗା ହୋଇ ରହିଲେ
ଚଳିବ ନାହିଁ । ଯେ ପର୍ଯ୍ୟନ୍ତ
ସେ ଏହି ଅଭାବର ଭାବ କାଟି ପାରିନାହିଁ,
ସେ
ଅନ୍ଧ; କିଛି
ଦେଖିପାରିବ ନାହିଁ ।
ସାଧାରଣ
ସମ୍ମାନ,
ସାଧାରଣ
ଉନ୍ନତି,
ସାଧାରଣ
ପ୍ରଭାବର ଅଧିକାରୀ ହେବା ଭାରତୀୟ
ବୁଦ୍ଧିଜୀବୀର ଐତିହାସିକ ଭାଗ୍ୟ
ନୁହେଁ । ହୁଏତ ସେ ସାଧାରଣ ଆରାମ
ଓ ସମ୍ମାନର ମୋହରେ ନିଜକୁ ବିରାଟ
ଐତିହାସିକ ଦାୟିତ୍ୱରୁ ବଞ୍ଚିତ
କରି ଇତିହାସର ରଥଚକ୍ର ତଳେ ଧୂଳିରେ
ମିଶିଯିବ,
ଅବା
ଇତିହାସର ସାରଥି ହୋଇ ନୂତନ ଯୁଗର
ଆବାହକ ହେବ । ଏ ଦୁଇଟିରୁ କୌଣସି
ଗୋଟିଏକୁ ବାଛିନେବାକୁ ହେବ ।
ପୃଥିବୀରେ ନୂଆ ସଭ୍ୟତା ଓ ସଂସ୍କୃତି
ପାଇଁ ପ୍ରୟୋଗର ଜରୁରୀ ଆବଶ୍ୟକତା
ରହିଛି । ତାହା ପୂରଣ କରିବାର
ବିରାଟ ଆକାଂକ୍ଷା ହିଁ ଭାରତୀୟ
ବୁଦ୍ଧିଜୀବୀର ଉତ୍ଥାନର ଏକମାତ୍ର
ବାଟ । (୧୯୬୦)
No comments:
Post a Comment