ଖଲିଲ୍ ଜିବ୍ରାନଙ୍କ କବିତା - 'ପାଗଳ'
ଅନୁବାଦକ - ଜ୍ୟୋତି ନନ୍ଦ
![]() |
ଖଲିଲ ଜିବ୍ରାନଙ୍କର ପନ୍ଦର ବର୍ଷ ବୟସର ଆଲୋକଚିତ୍ର (୧୮୯୮ ମସିହା) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
କ'ଣ କହିଲେ, କେମିତି ପାଗଳ ହେଲି ?
କହୁଚି, ଶୁଣିବା ହେଉ ।
ଦେବତାମାନଙ୍କ ଜନ୍ମର ଢେର୍ ଆଗେ,
ଦିନକର କଥା ।
ନିଦ ଭାଙ୍ଗିଗଲା,
ଦେଖିଲି,
ଚୋରି ହୋଇ ଯାଇଛି
ସବୁତକ ସଙ୍ଗୃହିତ ମୁଖା ।
ମୁଁ ଏବେ କରିବି କ'ଣ ?
ମୁଖାହୀନ ହୋଇ ପ୍ରକାଶ୍ୟ ରାସ୍ତାରେ ମୁଁ,
ଭାରି ଭୀଡ଼ଭାଡ଼;
ଚିତ୍କାର କଲି, ଚୋର ଚୋର ।
ଅବଧାନେ,
ମୋର ସର୍ବସ୍ୱ ଚୋରି ହୋଇ ଯାଇଛି
ଗଲା ରାତିରେ,
ଗାଢ଼ ନିଦରେ ଶୋଇବା କ'ଣ ଭୁଲ ?
ବିଚାର କରନ୍ତୁ ।
କ'ଣ କହିବି ଆଉ,
ତାହା ପରେ ରାସ୍ତା ସାରା ଲୋକଙ୍କର
ସେ ଯେଉଁ ହସ !
କିଏ କିଏ ଚୋରି ଭୟରେ ଘରେ ପଶି କିଳି ଦେଲେ
ନିଜନିଜର କବାଟ ।
ଠିକ୍ ଦେଖିଛି, ଛାତ ଉପରୁ ପିଲାଟିଏ, ହଁ,
କହିଲା, ଏ ଲୋକଟା ପାଗଳ ।
ମୁଁ ଉପରକୁ ଚାହିଁ ଦେଖି ଥିଲି ପ୍ରକୃତରେ
କ'ଣ ହୋଇ ପାରେ କଥାଟି ?
ସେଇ ପ୍ରଥମ, ହଁ ସୂର୍ଯ୍ୟ, ମୋ ମୁହଁରେ
ଦେଲା ଚୁମାଟିଏ ।
ମୋର ମନ ଉଚ୍ଚାଟ
ସୂର୍ଯ୍ୟ ହିଁ ମୋର ପ୍ରେମ
ଆଉ କାହିଁକି ଲୋଡ଼ି ବସିବି ଅପହୃତ ମୁଖା ?
ମୁଁ ବସିଗଲି ସ୍ୱପ୍ନ ଦେଖିବାକୁ ।
ମୋର ଶରୀରସାରା ବେପଥୁ, ଆଚ୍ଛନ୍ନ ମୁଁ;
କହି ଥିଲି, ଭଲ ଥାଅ,ବେଶ୍ ଭଲ ଥାଅ
ଯିଏ ଯେଉଁଠି ଅଛ
ମୋର ପ୍ରିୟ ଚୋରମାନେ !
ଏଇମିତି ହୋଇ ଗଲି ପାଗଳ, ଆଉ କ'ଣ ?
ଗୋଟିଏ ହାତରେ ଛୁଇଁଲି ମୁକ୍ତିର ଏକାକୀତ୍ୱ,
ଆଉ ଆର ହାତରେ ଟିକିଏ ଆଗରୁ ମୁକ୍ତ ଚେତନାର
ତଣ୍ଟି ଚିପି ମାରି ସାରିବା ପରେ ଲାଶ୍କୁ
ଠିକଣା ଲଗାଇ ଦେଇଛି ବଜାରରେ, ବିକ୍ରି କରିଛି ମୁଁ
ଚକା ପାରି ବସି ସାମ୍ନାରେ ତାହାକୁ ସଜାଡି ଶାଳ ଦନାରେ,
ବଦଳ କରି ଅନେକ କ୍ରେତାଙ୍କ
ଅଳିକ ଖରାର ନିରାପତ୍ତା ସହ,
ଯାହା ମୋତେ କ୍ରୀତଦାସ କରି ରଖି ଥିଲା ଏ ଯାଏଁ ।
ଜେଲ୍ ଭାଙ୍ଗି ଆସିବା ପରେ
ମୁଁ ଆଉ ନିରାପଦରେ ନାହିଁ,
ମୁଁ ଜାଣେ ।
ଯେତିକି ଜାଣିଛି,
ଜେଲଖାନାରେ ରହିଛନ୍ତି ଯେତେ ସବୁ ଚୋର,
ଭାରି ନିରାପଦରେ ଅଛନ୍ତି
ଅନ୍ୟ ଚୋରମାନଙ୍କଠାରୁ,
ଅବଧାନେ !
![]() |
ଲେବାନନର ବେଶାରେ ସହରସ୍ଥ ଜିବ୍ରାନ ପରିବାରର ଘର (ୱିକିମିଡିଆ କମନ୍ସ୍) |
(ଆତ୍ମ ପକ୍ଷ: ଯଦି ଜଣେ କେବଳ ଖଲିଲ୍ ଜିବ୍ରାନଙ୍କୁ ପଢ଼ିବାରେ ଆଉ ଅନୁସୃଜନ କରିବାରେ ନିଜ ଜୀବନକୁ ବିତାଇ ଦିଏ, ତେବେ ସେଇ ଜୀବନଟିକୁ ସେ ଖୁବ୍ ଭଲ ଭାବରେ ଆନନ୍ଦରେ ବଞ୍ଚି ପାରିଛି ବୋଲି ଉପସ୍ଥିତ ଲେଖକର ମନ୍ତବ୍ୟ । କିନ୍ତୁ ଛୋଟ ଛୋଟ ସିଡ଼ି, ଛୋଟ ଛୋଟ ଅହଙ୍କାର ଆଉ କାଳକୁ କବଳିତ କରିବାର ଦୁରାଶା ଯୋଗୁଁ ଆମେ ଲେଖୁ । ଆମର ନିଜର ଲେଖନ ପଛରେ ଏକମାତ୍ର ସଦର୍ଥକ ବଳିଷ୍ଟ ଯୁକ୍ତି ହେଉଛି, ଗୋଟିଏ ପିମ୍ପୁଡିଧାରରେ ଗୋଟିଏ ପିମ୍ପୁଡି ଆଉ ଗୋଟିଏ ପିମ୍ପୁଡିକୁ ନିଜ ଶୁଣ୍ଢରେ କୌଣସି ସନ୍ଦେଶ ଦେଲା ପରେ ଉଭୟେ ଏକାଠି କୌଣସି ଲକ୍ଷ୍ୟରେ ଆଗେଇ ଚାଲିବା ଭଳି ଶ୍ରମ କଥା । ଆମର ମହାନ ସାରସ୍ୱତ ସାଧକମାନଙ୍କୁ ପିମ୍ପୁଡି ସହ ତୁଳନା କରୁଛି ବୋଲି ଦୋଷ ଘେନିବେ ନାହିଁ । କେବଳ ଆମମାନଙ୍କ ଭଳି ଯେତେ ସାଧାରଣ ଲେଖକ ଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଏଇ କଥା । ପୃଥିବୀରେ ପିମ୍ପୁଡ଼ିମାନେ ଯେମିତି ଅଛନ୍ତି, ସେମିତି ରହିଛନ୍ତି ମହାକାଳର ଆମର ସାମୂହିକ ଆର୍ତ୍ତିର ନଳିନୀବନକୁ ଦଳନ କରି ଚାଲିଥିବା ମହାନ ଗଜରାଜମାନେ । ସେମାନେ ଆମର ହରିତାଳିକାରେ ଅବଧାନେ । କାଳକାଳର ଅବଧାନ । ସେମାନେ ଆମ ଜୀବନର ସିଲଟ ଉପରେ ଯେଉଁ ଶ୍ରୀ ବୋଲି ଅକ୍ଷରଟିମାନ ଲେଖି ଯାଇଛନ୍ତି ଆମେ ତାହାକୁ କେବଳ ମୁଣ୍ଡଳି ବୁଲାଉଛୁ । ମୁଣ୍ଡଳି ବୁଲାଇବାଠୁ ବଡ ଆନନ୍ଦର କାମ ଆଉ କିଛି ନାହିଁ । ତମେ ମୁଣ୍ଡଳୀ ବୁଲଉଛ, ତାହା ସହିତ ଏଣେ ତମେ ଅନ୍ୟ ଯାହା କିଛି କରିବା ପାଇଁ ସ୍ୱତନ୍ତ୍ର ରହିଛ, ଅବଶ୍ୟ କିଛି ଶାରୀରିକ ନିତ୍ୟକର୍ମକୁ ବାଦ ଦେଇ । ଏଇମିତି ସ୍ୱାଧୀନତା ଆଉ କେଉଁଠୁ ପାଇବ ଜଣେ ? ତାହା ଛଡ଼ା ଅନ୍ୟ କୌଣସି କାରଣ ପାଇଁ ମହାପ୍ରଳୟ ଆସି ପାରେ । ମାତ୍ର, କାଳିକଲମର ରସଘନ ମୁହୂର୍ତ୍ତ ଯୋଗୁ ପୃଥିବୀରେ କେବଳ ଆନନ୍ଦ ହିଁ ଆନନ୍ଦ । ଏ ପ୍ରସଙ୍ଗରେ ଗୋଟିଏ ବିଷାଦର କଥା । ଆମର ପଢ଼ିବା ପାଇଁ ଖଲିଲ୍ ଜିବ୍ରାନ ଅଛନ୍ତି । ହେଲେ ବିଚରା ଖଲିଲ ଜିବ୍ରାନ ? ତାହାର ପଢ଼ିବା ପାଇଁ ତ ଖଲିଲ୍ ଜିବ୍ରାନ୍ଟିଏ ନ ଥିଲା । ବିଚରା !)
No comments:
Post a Comment