Showing posts with label ସମୀକ୍ଷା. Show all posts
Showing posts with label ସମୀକ୍ଷା. Show all posts

Monday, July 09, 2018

ଆର୍ସିର ଗପ ଓ ଗପର ଆର୍ସି

କେଦାର ମିଶ୍ର


ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ


ଗୋଟେ ଗପ ଦେଖିଲେ କେମିତି ଲାଗିବ ? ଗପ ନୁହଁ ତ କିଛି କଥା । ଗୋଟେ ଅଦ୍ଭୁତ ଗପୁଡ଼ି ଝିଅ ଓ ଗୋଟେ ଅଚିହ୍ନା ପୁଅର କଥା । ହଁ, ତା ଭିତରେ ଅଛି ଗୋଟେ ରାସ୍ତା, ଅନେକ କୋଳାହଳ ଓ ଧୂସର ଜୀବନର ଗୋଟେ ଅସଜଡ଼ା ମାନଚିତ୍ର । ଗୋଟେ ଗପକୁ ଦେଖିବା ଓ ସେ ଗପର ପ୍ରେମରେ ପଡ଼ିଯିବା, ଗୋଟେ ପ୍ରକାର କୁହୁକ ଅନୁଭବ ହୋଇପାରେ । 

ପ୍ରାୟ ଦେଢ଼ ଘଣ୍ଟା ଧରି ଏ ଯେଉଁ ଗପଟିକୁ ମୁଁ ଦେଖିଲି ( ଗପ ଦେଖିଲି, ଶୁଣି ନାଇଁ) ସେ ଗପର ଲେଖକ କିଏ ? ବିଶ୍ଵାସ କରନ୍ତୁ ଫ୍ରାଞ୍ଜ କାଫକା ଯଦି ଓଡ଼ିଆ ଜାଣିଥା'ନ୍ତେ, ସେ ଗପଟିକୁ ଠିକ ଏମିତି ଇ ଲେଖିଥା'ନ୍ତେ । କିମ୍ବା ବୋରହେସ, ନିର୍ମଳ ବର୍ମା କି ମଣ୍ଟୋ, ହୋଇ ପାରେ ଆମର ଜଗଦୀଶ ମହାନ୍ତି କି ସତ୍ୟ ମିଶ୍ର । ନା, ଏ ଗପ ଅକ୍ଷରରେ ଲେଖା ହୋଇନାହିଁ, ଲେଖା ହୋଇଛି ଦୃଶ୍ୟରେ ।

ଦୃଶ୍ୟ ପରେ ଦୃଶ୍ୟ ଦେଇ ଗପଟି ଗତିଶୀଳ ହେଉଛି । ଝିଅଟି ଗପୁଛି, ପୁଅଟି ଶୁଣୁଛି ।

ଦୁଇଟି ବୋଲି ଚରିତ୍ର । ମଝିରେ ପାଞ୍ଚ ମିନିଟ ଲାଗି ଆଉ ଗୋଟେ ଚରିତ୍ର ଆସୁଛନ୍ତି ଓ ମିଳେଇ ଯାଉଛନ୍ତି ।

ତେବେ ଏ ଗପରେ ସବୁଠୁ ବଡ ଚରିତ୍ର ହେଉଛି ରାସ୍ତା । ରାସ୍ତାର କୋଳାହଳ, ଡ୍ରୋଜର, କ୍ରେନ, ରୋଲର, ଟ୍ରକ, ବସ, ଟ୍ରେନ ଇତ୍ୟାଦିର କାନଫଟା ଚିତ୍କାର ଏ ଗପରେ ବହୁତ ବଡ଼ ଜାଗା ମାଡ଼ି ବସିଛନ୍ତି । କଥା ଅପେକ୍ଷା କୋଳାହଳ ବେଶୀ ଅର୍ଥପୂର୍ଣ୍ଣ ଲାଗୁଛି । ତା'ରି ଭିତରେ ଅଛି ଗୋଟେ ଅଚିହ୍ନା ଚଢ଼େଇର କାକଳି । ଅଛି ମୋବାଇଲ ଗେମ୍‌ର ଟିକ୍ ଟିକ୍ ମୋନୋଟୋନି । ଏ ଗପର ବଡ଼ ଚରିତ୍ର ହେଉଛି ରାସ୍ତା ।ଗୋଟେ ଜାଗାରେ ସେ ଗପୁଡ଼ି ଝିଅ କହୁଛି - “ଏ ରାସ୍ତା ଦିନକୁ ଦିନ ମୋଟା ହୋଇଯାଉଛି ଓ ଯେମିତି ଅନେକଙ୍କୁ ଗିଳି ପକାଉଛି।"

ଏଇଟା ରାସ୍ତାର ଗପ । ଯେମିତି କି, ଏ' ରାସ୍ତା ଇ ତିଆରି କରିଛି ଏହାର ସାମାଜିକ ଇତିହାସ । ରାସ୍ତା ବାରମ୍ବାର ଜୀବନ ପରି ଲମ୍ବି ଯାଉଛି ଗୋଟେ ଅଚିହ୍ନା ସହର ଆଡ଼କୁ । ରାସ୍ତା ଆମକୁ କହୁଛି, ଗୋଟେ ଯାଯାବର ଜୀବନ କାହାଣୀ ।

ଓଡ଼ିଆ ଭାଷାରେ ଏମିତି ଗୋଟେ ଗପ ଆପଣ ହୁଏତ ଦେଖି ନ ଥିବେ । ସାହିତ୍ୟ ତୁଳନାରେ ଗୋଟେ ଦୃଶ୍ୟ-ମାଧ୍ୟମ ଭାଷାର ପ୍ରୟୋଗକୁ କେତେ ଅଧିକ ଶକ୍ତିଶାଳୀ କରିପାରେ, ତାର' ଅନୁଭବ ଆମ ପାଖରେ ବହୁତ କମ । ନିହାତି ଶସ୍ତା ଓ ଧାରକରା ସିନେମାର ପ୍ରଭାବହୀନ ପରମ୍ପରା ସହିତ ଅଭ୍ୟସ୍ତ ଓଡ଼ିଆ ଦର୍ଶକ ଲାଗି ଏଇଟା ଗୋଟେ ଅଭିନବ ଅନୁଭବ ।

ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

'ହେଲୋ ଆର୍ସି' ବୋଲି ଗୋଟେ ସିନେମା ଦେଖି ସାରିଲା ପରେ ମୋତେ ଲାଗିଲା, ମୋ' ଭାଷାର ସାମର୍ଥ୍ୟ କେତେ । କେତେ ଦମଦାର ଓ ଓଜନଦାର ହୋଇପାରେ ଓଡିଆ ଭାଷାର ପ୍ରାଣଶକ୍ତି । ଏଇ ସିନେମାରେ ଓଡିଆ ଭାଷାର ସର୍ବାଧିକ ଶକ୍ତି ଓ ସୃଜନଶୀଳତା ଫୁଟି ଉଠିଛି । ଗୋଟେ ସିନେମା, ବହୁ ଦିନ ପରେ ମୋତେ ସ୍ଥିର ଓ ଅବାକ କରିଦେଲା । ମୁଁ ସେ ରାସ୍ତାରେ ଏବେ ବି ଅଛି ଯେମିତି । ମୁଁ ଏବେ ବି ଘାରି ହେଉଛି, ସେ ଆର୍ସି ବୋଲି ଝିଅଟା କିଏ ? ସେ କଣ ରାଉରକେଲା-ରାଜଗାଙ୍ଗପୁର ରାସ୍ତାରେ ଗରାଖ ଖୋଜୁଥିବା ଗୋଟେ ଝିଅ ନା ଶିଳ୍ପାୟନର ଦାନବ ପଞ୍ଝାରେ ନିଜର ଅସ୍ତିତ୍ଵ ହରାଇଥିବା ଗୋଟେ ଯାଯାବର ଆତ୍ମା । ସେମିତି ସେ ହତାଶିଆ ହସ ହସୁଥିବା ପୁଅଟି କିଏ ? ସେ ବି କଣ ଆର୍ସିର ମାତ୍ର ଗୋଟିଏ ରାତିର ପ୍ରେମିକ କି ଗରାଖ ? ନା ସେ ବି ଠିକଣା ହଜେଇ ଦେଇଥିବା ଗୋଟେ ଉଦବାସ୍ତୁ ଗାଁ'ର ପ୍ରାଣ ? ଅଦ୍ଭୁତ ଘଟଣାକ୍ରମ ଓ ଏକ ଶେଷହୀନ ପରିଣତି ଥିବା ଏ' ସିନେମାର କାହାଣୀ, ଆମ ସମୟର ଓଡିଆ ଭାଷାକୁ ମେଞ୍ଚାଏ ଖୋଲା ପବନ ଦେଇଛି । ଆପଣ କହି ପାରନ୍ତି, ଏଇଟା ଆଧୁନିକ ଓଡିଆ ଭାଷାର ଗରିମା । ଏଇଟା ଇ ସମକାଳୀନ ଓଡିଆ ଜୀବନର ପ୍ରତିଛବି । ଆମ ପିଲା ଏଇ ଭାଷା, ଏଇ ଜୀବନବୋଧ, ଏଇ ଯାଯାବର ଲକ୍ଷ୍ୟହୀନତା ଓ ଏଇ ପ୍ରକାର ସ୍ଵାଧୀନତାକୁ ନେଇ ବଞ୍ଚୁଛନ୍ତି । ଦୁର୍ଭାଗ୍ୟକ୍ରମେ ଆମର କଳା ଓ ସାହିତ୍ୟ ଏ ପ୍ରକାର ଭାଷାକୁ ବୁଝିବାରେ ଏକ ପ୍ରକାର ଅସମର୍ଥ ।

ଆର୍ସି ବୋଲି ଏ ଯେଉଁ କୋଡ଼ିଏ-ଏକୋଇଶ ବର୍ଷର ଝିଅଟି ନିଜ କଥା ଗପି ଚାଲିଛି, ସେ ନିଜ ଜୀବନ ସଙ୍ଘର୍ଷର କଥା କହୁଛି । ତା' ସହିତ ସେ ନିଜ ସ୍ଵାଧୀନ ଜୀବନର ରାହା ବିଷୟରେ ମଧ୍ୟ ସଚେତନ । ଠୋ ଠୋ କଥା, ବେପରୁଆ ଚାହାଣୀ, ନୈତିକତା ଓ ସାମାଜିକ ଅଙ୍କୁଶକୁ ଫୁଃ କରି ଉଡ଼େଇ ଦେବାର ସାହସ ଓ ଜୀବନକୁ ନିଜ ସର୍ତ୍ତରେ ବଞ୍ଚିବାର ଦୃଢ଼ତା ଆର୍ସିକୁ ଅଲଗା କରି ଗଢ଼ିଛି । ସିନେମାରେ ସେ କେବଳ ନାୟିକା ନୁହଁ, ସେ ଆମ ସମୟ ଓ ସମାଜର ଗୋଟେ ଅନମନୀୟ ଅଂଶ । ଗତ ପଚିଶ–ତିରିଶ ବର୍ଷ ଭିତରେ କୌଣସି ଓଡ଼ିଆ ସିନେମା ଏତେ ଗହନକୁ ଯାଇ ନିଜ ସମୟର କଥା କହିଥିବାର, ମୁଁ କାଇଁ ଦେଖିନି ।

ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

ଏ ସିନେମାରେ କୌଣସି ପ୍ରଶ୍ନର ଉତ୍ତର ନାଇଁ । ପ୍ରଶ୍ନ ପରେ ପ୍ରଶ୍ନର ବୋଝ ଲଦି ଆପଣ ବି ପାଲଟି ଯାଇ ପାରନ୍ତି, ଏ' ରାସ୍ତାର ଗୋଟେ ଅସହାୟ ଚରିତ୍ର । ଓଡିଆ ସିନେମାରେ ବହୁ ଦିନ ପରେ କିଛି ଗୋଟେ ଆଚ୍ଛନ୍ନ କଲା । ନିଜ ଭିତରର ଆତ୍ମାକୁ କିଛି ସମୟ ଲାଗି ଝୁଣିଝାଣି ଦେଇଗଲା ଆର୍ସି । ସିନେମାରେ ଆଉ କଣ ଅଛି, କହିବା ଦରକାର ନାଇଁ । ସିନେମାରେ ଗୋଟେ ପାଗଳ କଲା ପରି ଗପ ଅଛି । ପ୍ରବଳ ଉତ୍କଣ୍ଠା ଅଛି । ପ୍ରତ୍ୟେକ ସଂଳାପ ଭାଷା ଓ ଭାବକୁ ସାବଲୀଳ ଭାବରେ ଯୋଡ଼ିବାରେ ସଫଳ ହେଉଛନ୍ତି । ଦୃଶ୍ୟ, ଶବ୍ଦ, ଭାଷା ଓ ଭାବ - ଏଇ ଚାରୋଟି ଯାକ ବିଭବ ମିଶି ଗୋଟେ ଜମାଣିଆଁ ମୂର୍ଚ୍ଛନା ତିଆରି କରିଛନ୍ତି ଏ ସିନେମାରେ ।

ପ୍ରାୟ ଦୃଶ୍ୟ ସ୍ପଷ୍ଟ ଓ କ୍ୟାମେରାର ଦୃଷ୍ଟି ଏକ ପ୍ରକାର ସ୍ଥିର । ଯେମିତି କ୍ୟାମେରା ଗୋଟେ ଜାଗାରେ ଗପ ଦେଖିବାକୁ ଅଟକି ଯାଇଛି । ଏ ସିନେମାରେ କ୍ୟାମେରାମେନ ବି ଗୋଟେ କବି । ଧୂସର ଓ ବିବର୍ଣ୍ଣ ଉପତ୍ୟକାର କବି । ଚିତ୍ର ଓ ଶବ୍ଦର ଏତେ ଚମତ୍କାର ସଙ୍ଗମ, କେଉଁ ଓଡିଆ ସିନେମାରେ ମୁଁ ଶେଷ ଥର ଲାଗି ଦେଖିଥିଲି, ମୋର ମନେ ନାହିଁ । ଏ ସିନେମାର ପ୍ରଭାବ ନିଜ ରକ୍ତରେ ବହୁ ଦିନ ଧରି ଅନୁଭବ କରିବାକୁ ଜଣେ ସମ୍ବେଦନଶୀଳ ଦର୍ଶକ ବାଧ୍ୟ ହେବ । ଅଭିନୟରେ ମୁଁ ତ କେବେ କଳ୍ପନା କରି ନ ଥିଲି, ପ୍ରକୃତି ମିଶ୍ର ଏମିତି କିଛି କରି ପାରିବେ । ସେମିତି ପାର୍ଥ, ନୂଆ ଅଭିନେତା । ହେଲେ ଅଭିନୟରେ ଗୋଟେ ଗାମ୍ଭୀର୍ୟ ଅଛି । ମୁହଁରେ ହସ ଓ ବିଷାଦଭରା ଗୋଟେ ବିରଳ ମାନଚିତ୍ର ତିଆରି କରିଛନ୍ତି ପାର୍ଥ । ଏଠି ଅଭିନୟର ଗୋଟେ ଅଲଗା ଇଲାକା ତିଆରି ହୋଇଛି । ନାଟକ ନାଇଁ କି ସଂଳାପରେ ଅଯଥା ଉତ୍ତେଜନା ନାଇଁ । କେବଳ ସଠିକ ଭାବରେ, ସଠିକ ସମୟରେ କଥା କହିପାରିବାର ଯାଦୁକରୀ ଇ, ଏ' ସିନେମାର ସବୁଠୁ ସାର୍ଥକ ଅଭିନୟ । ତିନୋଟି ଯାକ ଚରିତ୍ର ଏତେ ସ୍ଵାଭାବିକ ଓ ସହଜ ଯେ, ସେମାନେ ଏଠି, ସେଠି, ସବୁଠି ଆମ ସହ କଥା ହୋଇ ପାରିବେ ।

ଏତେ ସବୁ ଯାଦୁକରୀ ଦେଖେଇଥିବା ସେ ଅସଲ କଥାକାରଟି କାଇଁ ? ଏତେ ସବୁକୁ ସାର୍ଥକ ଓ ସଫଳ ଭାବରେ ତୁଲାଇ ପାରିଥିବା ଏ ସିନେମାର ଅସଲ ନାୟକ କେଉଁଠି ? ଆଃ, ସେ ବହୁ ଦୂର ଆକାଶରେ ଏବେ ଗୋଟେ ଅସ୍ପଷ୍ଟ ତାରା । ସେଇ ଆକାଶରେ ଥାଇ ସେ ଆମକୁ ଆର୍ସିର ଗପ ଦେଖାଉଛନ୍ତି । “ହେଲୋ ଆର୍ସି” ର ସଂଳାପକାର ଓ ନିର୍ଦ୍ଦେଶକ ସ୍ଵର୍ଗତ ସମ୍ବିତ ମହାନ୍ତି, ହଜି ଯାଇଥିବା ଗୋଟେ ଜିନିୟସ । ଏତେ ଚମତ୍କାର ସିନେମା ଗଢ଼ିଥିବା ଲୋକଟା ସିନେମା ସରିଲା ପରେ ଆଉ ଏ ପୃଥିବୀରେ ନାଇଁ । ମରିବା ଆଗରୁ ଏଇଟା ସମ୍ବିତଙ୍କର ପ୍ରଥମ ଓ ଅନ୍ତିମ ସିନେମା । କଳାର ଇତିହାସରେ ଅନେକ ବିସ୍ମୟ ତିଆରି ହୁଏ । ଓଡିଆ ଦୃଶ୍ୟକଳାର ଇତିହାସରେ ସମ୍ବିତ ମହାନ୍ତି ସେମିତି ଏକ ବିସ୍ମୟ ।

'ହେଲା ଆର୍ସି' ଚଳଚିତ୍ରର ନିର୍ଦ୍ଦେଶକ ସମ୍ବିତ ମହାନ୍ତି
ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

ମୁଁ ଯଦି ଏ ସିନେମାକୁ ଏତେ ଚମତ୍କାର ଓ ସୁନ୍ଦର ବୋଲି କହୁଛି, ତା' ହେଲେ ଏହାକୁ ଦେଖିବା ଲାଗି ସିନେମା ହଲରେ ଭିଡ଼ ହେବ ନାହିଁ କାହିଁକି ? ଆମ ସମୟରେ ଏ ପ୍ରଶ୍ନ ସବୁଠୁ ମାରାତ୍ମକ । ଭଲ ସିନେମା ଓ ଲୋକପ୍ରିୟ ସିନେମା ଭିତରେ ସମୟକ୍ରମେ ଗୋଟେ ବଡ଼ ଖାଇ ତିଆରି ହୋଇ ଯାଇଛି । ଭଲ ସିନେମା ପୁରଷ୍କାର ପାଇବ, ସମୀକ୍ଷକମାନଙ୍କର ଆଦର ପାଇବ, ହେଲେ ତାକୁ ଟିକେଟ କିଣି କେହି ଦେଖିବାକୁ ଯିବେ ନାହିଁ । କାରଣ କଣ ? ଆମ ସମୟରେ ଚାଲୁ ଓ ଶସ୍ତା ନିଶାର ପ୍ରଭାବ ଆପେ ଆପେ ତିଆରି ହୋଇ ନାହିଁ । କିଛି ବେପାରୀ ଜାଣିଶୁଣି ଶସ୍ତା ନିଶା ସହିତ ଆମ ସମାଜକୁ ଅଭ୍ୟସ୍ତ କରିଛନ୍ତି । ସେମାନଙ୍କ ଫାନ୍ଦ କାଟି ନୂଆ କିଛି କରିବା ସହଜ ନୁହେଁ ।

ସମ୍ବିତ ମହାନ୍ତିଙ୍କ ପରି ସିନେମା ନିର୍ମାତାମାନେ ଗୋଟେ ପ୍ରକାର ବିକଳ୍ପ ତିଆରି କରନ୍ତି । ଚାଲୁ ଓ ଶସ୍ତା ମନୋରଞ୍ଜନର ଏଇ କଳାତ୍ମକ ବିକଳ୍ପକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ଵ ଆମେ ନେଇ ପାରିବା କି ? ଗୋଟେ ଭଲ ସିନେମା ଲାଗି ସମଝଦାର ଦର୍ଶକ ହେବାର ସାମାଜିକ କର୍ତ୍ତବ୍ୟ ତୁଲାଇବାରେ ଆମେ ଟିକେ ଆଗୁସାର ହେବା କି ? ଭଲ ସିନେମା ତିଆରି ହେବା ଯେତିକି ଜରୁରୀ, ଭଲ ସିନେମାକୁ ନିଜର କରିବାର ଆଗ୍ରହ ମଧ୍ୟ ସେତିକି ଆବଶ୍ୟକ । 'ହେଲୋ ଆର୍ସି' ଆମ ଆଗରେ ଗୋଟେ ଭଲ ବିକଳ୍ପ ଠିଆ କରେଇଛି । ତାକୁ ଭଲ ପାଇବା ଓ ତାକୁ ଆଗକୁ ବଢ଼ାଇବାର ଦାୟିତ୍ଵ ଆମର ।

ଶେଷରେ ଏତିକି କହିବି, ସମ୍ବିତ ମହାନ୍ତିଙ୍କ ‘ହେଲୋ ଆର୍ସି’ ଆମ ସମୟର ଇତିହାସରେ ଗୋଟେ ମାଇଲଖୁଣ୍ଟ ହୋଇ ଠିଆ ହୋଇଥିବ ଆଗାମୀ ବହୁତ ବହୁତ ବର୍ଷ ଧରି । ହୁଏତ ସମ୍ବିତ ମହାନ୍ତି ବଞ୍ଚିଥିଲେ, ତାଙ୍କଠୁ ଆଉ କିଛି ଭଲ ସିନେମା ଆମେ ଆଶା କରିଥା'ନ୍ତେ । ହେଲେ ଏ ସିନେମା, ପୁଣି ଥରେ ଭଲ ସିନେମାର ବାଟ ଫିଟାଇବାରେ ସହାୟକ ହେବ ବୋଲି ଆମେ ଆଶା କରିବା ।

Wednesday, November 01, 2017

ଚିତ୍ର ପୁରାଣ

ଶୈଲେନ ରାଉତରାୟ

ଅନୁବାଦ – ବିଶ୍ୱଜିତ ଆପଟ


ଚିତ୍ର - ବୁଢ଼ିଆଣୀ ସହ ଲ୍ୟାଣ୍ଡସ୍କେପ୍ (୧୯୮୮)
ଚିତ୍ରକର - ଜନଗଢ଼ ସିଂ ଶ୍ୟାମ (୧୯୬୨-୨୦୦୧)
ଶ୍ୟାମ ଆଧୁନିକ ଗଣ୍ଡ ଟିତ୍ରକଳାର ଜନକ 

ପୁସ୍ତକ : ‘ଏ ଗାର୍ଡନର୍ ଇନ୍ ଦ ୱେଷ୍ଟଲାଣ୍ଡ୍’ । ୨୦୧୧ । ଲେଖକ: ଶ୍ରୀବିଦ୍ୟା ନଟରାଜନ ତଥା ଅପରାଜିତା ନିନାନ୍ । ପ୍ରକାଶକ: ନବୟାନ, ନୂଆ ଦିଲ୍ଲୀ । ପୃଷ୍ଠା : ୧୨୮ । ମୂଲ୍ୟ: ୨୨୦ ଟଙ୍କା ।

 ପୁସ୍ତକ : ‘ଭୀମୟାନ : ଏକ୍ସପେରିଏନସେସ୍ ଅଫ୍ ଅନଟଚେବିଲିଟି’ । ୨୦୧୧ । ଲେଖକ: ଦୁର୍ଗାବାଇ ବ୍ୟାମ, ସୁଭାଷ ବ୍ୟାମ୍, ଶ୍ରୀବିଦ୍ୟା ନଟରାଜନ ଓ ଏସ୍. ଆନନ୍ଦ । ପ୍ରକାଶକ: ନବୟାନ, ନୂଆ ଦିଲ୍ଲୀ । ପୃଷ୍ଠା : ୧୦୬ । ମୂଲ୍ୟ: ୩୯୫ ଟଙ୍କା ।

ସମୀକ୍ଷାର ପରିସରରେ ଥିବା ଉଭୟ ପୁସ୍ତକ ଚିତ୍ରାତ୍ମକ ଅଟନ୍ତି । ଉଭୟ ପୁସ୍ତକ ଦିଲ୍ଲୀସ୍ଥିତ ପ୍ରକାଶନ ସଂସ୍ଥା ନବୟାନ ଦ୍ୱାରା ପ୍ରକାଶିତ ତଥା ଐତିହାସିକ ବ୍ୟକ୍ତିତ୍ୱମାନଙ୍କ ଉପରେ ପର୍ଯ୍ୟବେସିତ । ଏହି ବ୍ୟକ୍ତି ଦୁଇ ଜଣ ହେଲେ ଜ୍ୟୋତିରାଓ ଫୁଲେ ଓ ଭୀମରାଓ ଆମ୍ବେଦକର । ଦୁହେଁ ଔପନିବେଶିକ ଓ ଉତ୍ତର-ଔପନିବେଶିକ ଭାରତରେ ଜାତି ସମ୍ବନ୍ଧୀୟ ଚିନ୍ତନ ଓ କାର୍ଯ୍ୟକଳାପ ଗୁଡିକୁ ପ୍ରଭାବିତ କରିଥିଲେ ।
‘ଏ ଗାର୍ଡନର୍ ଇନ୍ ଦ ୱେଷ୍ଟଲାଣ୍ଡ୍’ (ଏଗାଇଦୱେ) ମହାରାଷ୍ଟ୍ରର ମହାନ ସମାଜ ସଂସ୍କାରକ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କର ଜାତିପ୍ରଥା ବିରୋଧୀ ପୁସ୍ତକ ‘ଗୁଲାମଗିରି’ ଉପରେ ପର୍ଯ୍ୟବେସିତ ଅଟେ । ‘ଭୀମୟାନ’ ହେଉଛି ଦଳିତ ଦିଗଦ୍ରଷ୍ଟା, ଚିନ୍ତାନାୟକ, ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ, ଭାରତୀୟ ସମ୍ବିଧାନର ଚିଠା ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୀବନର କେତେକ ମହତ୍ତ୍ୱପୂର୍ଣ୍ଣ ଘଟଣାର ଏକ ଚିତ୍ରାତ୍ମକ ପୁନର୍କଥନ ।

'ଭୀମୟାନ'ର ମଲାଟ

ବୋଧହୁଏ ଆମ୍ବେଦକରଙ୍କ ଜୀବନ ଉପରେ ‘ଭୀମୟାନ’ ହେଉଛି ପ୍ରଥମ ଏପରି ବହି । ବସନ୍ତ ମୁନଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକମାଳା ‘ବାବାସାହେବ ଆମ୍ବେଦକର : ରାଇଟିଙ୍ଗସ୍ ଆଣ୍ଡ ସ୍ପିଚେସ୍ ‘ ର ୧୨ତମ ଭାଗରେ “ୱେଟିଙ୍ଗ ଫର୍ ଏ ଭିଜା” ଶୀର୍ଷକ ଲେଖାଟିଏ ରହିଛି । ଏହି ଲେଖାରୁ ଆମ୍ବେଦକରଙ୍କ ଜୀବନର କେତେକ ମହତ୍ତ୍ୱପୂର୍ଣ୍ଣ ଘଟଣା ସଙ୍ଗ୍ରହ କରି ‘ଭୀମୟାନ’ରେ ସ୍ଥାନିତ କରାଯାଇଛି । ‘ଭୀମୟାନ’ ର ପ୍ରଥମ ଭାଗରେ ଆମେ ପାଣି ସମ୍ବନ୍ଧୀୟ କେତୋଟି କାହାଣୀ ପଢ଼ୁ । ଭାରତରେ ଦଳିତମାନେ ତାଙ୍କ ପ୍ରତି ହେଉଥିବା ଭେଦଭାବକୁ କିପରି ଅନୁଭବ କରୁଥିଲେ, ଏହି କାହାଣୀଗୁଡିକ ମାଧ୍ୟମରେ ଆମେ ଜାଣିବାକୁ ପାଉ ।
ପ୍ରଥମ କାହାଣୀରେ, ବାଳକ ଭୀମ ଅନେକ ସମୟରେ ବିଦ୍ୟାଳୟରେ ଶୋଷିଲା ରହିଯାଆନ୍ତି । କାରଣ ସେ ଯେଉଁ ବିଦ୍ୟାଳୟରେ ପଢୁଥିଲେ ସେଠାକୁ ବିଭିନ୍ନ ଜାତିର ପିଲା ଆସନ୍ତି । ଭୀମ ଯେହେତୁ “ଅସ୍ପୃଶ୍ୟ”, ତାଙ୍କୁ ନିଜେ ଯାଇ ପାଣି ପିଇବାର ଅନୁମତି ନଥାଏ । ଏଣୁ ବିଦ୍ୟାଳୟ ପରିଚାରକଙ୍କୁ ଭୀମ ପାଇଁ ଝରଣାରୁ ପାଣି ଆଣିବାକୁ ପଡେ ।   
ଦ୍ୱିତୀୟ କାହାଣୀରେ, ଭୀମ ନିଜ ପରିବାର ସହ ମୁମ୍ୱାଇ ନିକଟସ୍ଥ ଗୋରେଗାଁଓ ବୋଲି ଏକ ଜାଗାକୁ ଯାଉଥାଆନ୍ତି । ସେଠି କାମ କରୁଥାଆନ୍ତି ତାଙ୍କ ବାପା । ଯାତ୍ରାର କିଛି ବାଟ ପାଇଁ ତାଙ୍କୁ ଏକ ଟୋଙ୍ଗା ଦରକାର ହୁଏ । କିନ୍ତୁ ତାଙ୍କ ପରିବାର ଲୋକେ ଟୋଙ୍ଗା ଗାଡିଟିଏ ପାଆନ୍ତି ନାହିଁ । କାରଣ, କୌଣସି ଟୋଙ୍ଗା ଚାଳକ ଅସ୍ପୃଶ୍ୟମାନଙ୍କୁ ବସାଇବା ପାଇଁ ରାଜି ହୁଅନ୍ତି ନାହିଁ । ଏହି ଯାତ୍ରାରେ ସେମାନଙ୍କୁ ପାଣି ଓ ଖାଇବା ମଧ୍ୟ ଜୁଟେ ନାହିଁ । କାରଣ କେହି ହେଲେ ସେମାନଙ୍କୁ ପାଣି ଦେବାକୁ ଇଚ୍ଛୁକ ହୁଅନ୍ତି ନାହିଁ । ବାଟ ପାଇଁ ଭୀମଙ୍କ ମାଉସୀ ସେମାନଙ୍କ ନିମନ୍ତେ ଯେଉଁ ମସଲିଆ ଖାଦ୍ୟ ବାନ୍ଧି ଦେଇଥିଲେ, ତାକୁ ବିନା ପାଣିରେ ଖାଇବା କଷ୍ଟକର ହୋଇଥାଆନ୍ତା ।
ଅନେକାଂଶରେ ପାଣି, ମଣିଷ ଓ ଭେଦଭାବକୁ ନେଇ ‘ଭୀମୟାନ’ ର କଥା ସବୁ ରୂପ ପାଇଛି । ବହିଟିର ଅନେକ ପୃଷ୍ଠା ମାଛମାନଙ୍କ ଦ୍ୱାରା ଜୀବନ୍ତ ହୋଇଉଠିଛି । ଯେମିତିକି, ୫୪ ପୃଷ୍ଠାରେ ଦଳିତମାନଙ୍କ ପାଇଁ ନିଷିଦ୍ଧ ପୋଖରୀଟିଏ ଏକ ବିଶାଳ ମାଛର ରୂପ ନେଉଛି । ଏ ଚିତ୍ରଟି ରାଜସ୍ଥାନର ଚକୱାରା ଗ୍ରାମରେ ଦଳିତମାନଙ୍କ ପାଇଁ ସାର୍ବଜନୀନ ପୋଖରୀର ପାଣି ନିଷିଦ୍ଧ ହେବାର କାହାଣୀ କହେ । ୨୦୦୮ ରେ ତେହେଲକା ପତ୍ରିକାରେ ପ୍ରକାଶିତ ଖବରରୁ ଏ କାହାଣୀ ଆସିଛି । ବହିଟି ଅତୀତ ଓ ବର୍ତ୍ତମାନ ମଧ୍ୟରେ ଦୋଳାୟମାନ - ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ୍ ଓ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ଆମ୍ବେଦକର ଜଣେ ଦଳିତ ଭାବେ ଭୋଗିଥିବା ଅପମାନ ଓ ଏବେ ଯାଏଁ ଭାରତରେ ଚାଲିଆସିଥିବା ଦଳିତ ବିରୋଧୀ ହିଂସା ଓ ଭେଦଭାବ ମଧ୍ୟରେ ବହିଟି ଗତି କରେ ।

ପତ୍ନୀ ସବିତାଙ୍କ ସହ ବାବାସାହେବ ଆମ୍ବେଦକର (୧୯୪୮)

ଦୁର୍ଗାବାଇ ବ୍ୟାମ ଓ ସୁଭାଷ ବ୍ୟାମଙ୍କ ପତିପତ୍ନୀ ଯୁଗଳବନ୍ଦୀ ବହିର କାହାଣୀଗୁଡିକୁ ନିଜ ଚିତ୍ରକଳା ମାଧ୍ୟମରେ ଚମତ୍କାର ଭାବେ ବ୍ୟାଖ୍ୟା କରିଛନ୍ତି । ସେମାନେ ଭାରତର ‘ପ୍ରଧାନ ଗଣ୍ଡ’ ସମ୍ପ୍ରଦାୟର ଲୋକ । ‘ଭୀମୟାନ’ ର ଚିତ୍ରକଳା ଗଣ୍ଡ କଳା ପରମ୍ପରାର ଅନ୍ତର୍ଭୁକ୍ତ । କଳାକାର ଜନଗଣ ସିଂହ ଶ୍ୟାମ (୧୯୬୦-୨୦୦୧) ଯାହାଙ୍କୁ ଆଧୁନିକ ଭାରତୀୟ କଳାର “ଜନଗଣ କଲାମ” ର ଜନକ କୁହାଯାଇପାରେ, ତାଙ୍କୁ ଏ ବହି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
‘ଭୀମୟାନ’ ର ପଞ୍ଚମ ପୃଷ୍ଠାରେ ବହିର ପ୍ରଥମ ଚିତ୍ରକଳା ଦେଖିବାକୁ ମିଳେ ଓ ଏହା ହେଉଛି ଶ୍ୟାମଙ୍କର ଗୋଟିଏ ପୃଷ୍ଠାବ୍ୟାପୀ ଚିତ୍ର । ଜନଗଣ କଲାମ ଶୈଳୀରେ ଅଙ୍କିତ ଏହି ଚିତ୍ରରେ ଶ୍ୟାମଙ୍କ କାନ୍ଧଗୁଡିକରେ ବଳଦ ଦୌଡୁଛନ୍ତି, ଦେହରେ ପହଁରୁଛନ୍ତି ମାଛ । ତାଙ୍କର ଗୋଡ ଦୁଇଟିରେ ଅଙ୍କା ହୋଇଛି ଚଢେଇଟେ ଓ ହରିଣଟିଏ । ସାଧାରଣତଃ ଆମେ ପଢ଼ୁ ଯେ “କଳାକାରଙ୍କର କୃତିରେ ତାଙ୍କ ବ୍ୟକ୍ତିତ୍ୱ” ଫୁଟିଉଠେ । ‘ଭୀମାୟନ’ରେ ଆମେ ଏହି ପରମ୍ପରାର ଠିକ ବିପରୀତ କାମ ଦେଖିବାକୁ ପାଉ, ଯେମିତି  ବହିଟିର ପଞ୍ଚମ ପୃଷ୍ଠାର ଏହି ଚିତ୍ରରେ । ଆମେ କଳାକାରଙ୍କର ପୋଟ୍ରେଟ ଭିତରେ ଦେଖୁ ତାଙ୍କର ସାମାଜିକ ପରିବେଶ ଓ ତାଙ୍କ କଳା ଜଗତ । ଏପରି କରିବା ଚିତ୍ରକର୍ମ ବିଷୟକୁ ନେଇ ପାଶ୍ଚାତ୍ୟ ସୌନ୍ଦର୍ଯ୍ୟବୋଧ ଓ ସାଧାରଣ ଜ୍ଞାନକୁ ଓଲଟାଇ ଦିଏ  । କଳାକାରଙ୍କ କଳାକୃତିରେ ତାଙ୍କୁ ଭେଟିବା ପରିବର୍ତ୍ତେ ଆମେ ଆକ୍ଷରିକ ଅର୍ଥରେ ତାଙ୍କ ଭିତରେ, ଏ କ୍ଷେତ୍ରରେ ତାଙ୍କ ଚିତ୍ର ଭିତରେ, ତାଙ୍କର କଳାକୃତିଗୁଡିକୁ ପାଉ ।    

ରାଜେନ୍ଦ୍ର ପ୍ରସାଦଙ୍କୁ ଆମ୍ବେଦକର ସମ୍ବିଧାନର ଶେଷ ଡ୍ରାଫ୍ଟ ଅର୍ପଣ କରିବାର ଦୃଶ୍ୟ
(୨୫ ନଭେମ୍ବର ୧୯୪୯)

ପାଶ୍ଚାତ୍ୟ ଗ୍ରାଫିକ ପୁସ୍ତକ ରଚନା ବିଧିର ଏପରି ଅନାଦର ଓ ଚପଳ ବୈପରିତ୍ୟ ‘ଭୀମୟାନ’ରେ ଅନେକ ଜାଗାରେ ଦେଖିବାକୁ ମିଳେ । କଥନିକାଟି ପୃଷ୍ଠାରେ ଗାର କାଟି, ପାନେଲ ଭିତରେ ଦିଆଯାଇନାହିଁ । ଗଣ୍ଡ ଚିତ୍ରକଳାର ଦିଗ୍ନ ରୂପାଙ୍କନକୁ ବ୍ୟବହାର କରି ପୃଷ୍ଠା ଭିତରେ କାହାଣୀର ଗତିଶୀଳତାକୁ ଦର୍ଶାଯାଇଛି । ଶୂନ୍ୟ ସ୍ଥାନଗୁଡିକୁ ଭରିବା ପାଇଁ ଚାଉଳ, ସୋରିଷ, ମୋଆ ଘାସର ପ୍ୟାଟର୍ଣ୍ଣମାନ ବ୍ୟବହୃତ ହୋଇଛି । ଅଧ୍ୟାୟ କ୍ରମାଙ୍କ ଥିବା ଶୀର୍ଷକଗୁଡିକ ମୂଷା, ସାପ ଓ ଅନ୍ୟାନ୍ୟ ଜନ୍ତୁଙ୍କର ରୂପ ନେଇଛନ୍ତି । 
ଗଣ୍ଡୀୟ କଳାର ସାମାଜିକ ପରିବେଶର ପ୍ରତିବିମ୍ବ ସ୍ୱରୂପ ରେଳଗାଡିଗୁଡ଼ିକ ପାଲଟି ଯାଇଛନ୍ତି ସାପ । ପୋଖରୀଗୁଡିକ ମାଛ ହୋଇଯାଇଛନ୍ତି । ଆମ୍ବେଦକରଙ୍କୁ ସ୍ୱାଗତ କଲାବେଳେ ଚାଲିଶଗାଁଓର ଲୋକଙ୍କ ହୃଦୟର ଆନନ୍ଦ ଦର୍ଶାଉଛନ୍ତି ମୟୁରମାନେ । ୧୯୫୬ରେ ତାଙ୍କ ନେତୃତ୍ୱରେ ମଣିଷ ଇତିହାସର ସମ୍ଭବତଃ ସବୁଠାରୁ ବଡ ଧର୍ମ ପରିବର୍ତ୍ତନ (ହିନ୍ଦୁରୁ ବୌଦ୍ଧ ଧର୍ମ) ସମାବେଶରେ ପାଞ୍ଚ ଲକ୍ଷ ଲୋକଙ୍କ ସହ ହାତୀ ଓ ଗାଈମାନେ ମଧ୍ୟ ଆସିଛନ୍ତି ।
ଏହି ବହି ଆମ୍ବେଦକରଙ୍କର ସ୍ମୃତିର ପୁନରୁଦ୍ଧାର ଓ ପୁନର୍ସ୍ଥାପନରେ ବ୍ରତୀ । ଆମ୍ବେଦକରଙ୍କ ସହ ତୁଳନୀୟ ଅନ୍ୟ ଭାରତୀୟ ଯଥା ଗାନ୍ଧୀ ଓ ନେହେରୁଙ୍କ ପ୍ରତିମୂର୍ତ୍ତି ସଂଖ୍ୟା ତୁଳନାରେ ଆମ୍ବେଦକରଙ୍କ ଅଧିକ ସଂଖ୍ୟକ ପ୍ରତିମୂର୍ତ୍ତି ଉନ୍ମୋଚିଚ ହୋଇଛି । ତଥାପି ସେ ଜଣେ ଦଳିତ ଆଦର୍ଶ ହୋଇ ରହିଛନ୍ତି, ଜାତୀୟ ଆଦର୍ଶ ନୁହେଁ । ଯଦିଓ ସେ ସାର୍ବଜନୀନ ସିଦ୍ଧାନ୍ତଗୁଡିକ ବଳରେ ଅସ୍ପୃଶ୍ୟତା ଓ ଜାତିଭେଦ ବିରୋଧରେ ନିଜ ସଙ୍ଗ୍ରାମ ଲଢିଥିଲେ, ତାଙ୍କୁ ଜଣେ ଦଳିତ ବୁଦ୍ଧିଜୀବୀ ଭାବେ ହିଁ ଦେଖାଯାଇଛି । ଅଦ୍ଭୁତ ଭାବରେ ଗଣ୍ଡ କଳାର ଗ୍ରାମ୍ୟ ରୀତି ଆମ୍ବେଦକରଙ୍କୁ ତାଙ୍କ ସମ୍ପ୍ରଦାୟର ଜୀବନ ଓ ଯନ୍ତ୍ରଣାରୁ ବାହାରେ ନ ରଖି,  ସ୍ୱାଧୀନତାର ସାର୍ବଜନୀନ ବର୍ଣ୍ଣନାରେ ତାଙ୍କୁ ପୁନର୍ସ୍ଥାପିତ କରିଛି ।
‘ଏଗାଇଦୱେ’ ‘ମଧ୍ୟ ଏକ ସୁନ୍ଦର ବହି । ଅନେକ ପ୍ରକାରରେ ଏ ବହିଟି ମଧ୍ୟ ଗୋଟିଏ ସାମାଜିକ ଆନ୍ଦୋଳନ ତଥା ତାହାର ନାୟକ ନାୟିକା, ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେଙ୍କର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଚେଷ୍ଟିତ । ‘ଗୁଲାମଗିରି’ରେ ବିବାଦଟି ଯଦିଓ ଜ୍ୟୋତିବା ଓ ତାଙ୍କ ସାଙ୍ଗ ଧୋନ୍ଦିବା ମଧ୍ୟରେ ରହିଛି, ‘ଏଗାଇଦୱେ’  ଜୋତିବାଙ୍କ ପତ୍ନୀ ସାବିତ୍ରୀବାଇ ଫୁଲେଙ୍କ ଜୀବନକୁ ଭାରତୀୟ ଇତିହାସର ବିସ୍ମୃତିରୁ ଉଦ୍ଧାର କରିବାର ଚେଷ୍ଟା କରେ । ଫୁଲେଙ୍କ ଜାତିପ୍ରଥା ବିରେଧୀ ସଙ୍ଗ୍ରାମରେ ସାବିତ୍ରୀବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ନିଜ ସ୍ୱାମୀଙ୍କର ବିଚାର ନିର୍ମାଣର ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥିଲେ । ‘ଭୀମୟାନ’  ଭଳି ‘ଏଗାଇଦୱେ’ ମଧ୍ୟ ଏକ ଅଗ୍ରଣୀ କାମ । ବହିର ପ୍ରଶସ୍ତିରେ ଯେପରି ଲେଖା ହୋଇଛି, ଏହି ବହିଟି ସମ୍ଭବତଃ ଭାରତରେ ପ୍ରଥମ ବହି ଯେଉଁଥିରେ କି ଐତିହାସିକ ବହିକୁ ଆଲେଖୀ ରୂପ ଦିଆଯାଇଛି ।  

'ଏ ଗାର୍ଡେନର ଇନ୍ ଦ ୱେଷ୍ଟଲ୍ୟାଣ୍ଡ୍' ବହିର ମଲାଟ

‘ଏଗାଇଦୱେ’ ବହିର ଶୀର୍ଷକରେ ଉଲ୍ଲିଖିତ ‘ୱେଷ୍ଟଲାଣ୍ଡ’ ବା ପତିତ ଭୂମି ଜାତିପ୍ରଥାର ପତିତ ଭୂମିକୁ ସୂଚାଏ ଯେଉଁଥିରେ ମାଳି ସାଜିଛନ୍ତି ଜ୍ୟୋତିବା ଫୁଲେ । ଊନବିଂଶ ଶତାବ୍ଦୀର ସମାଜ ସଂସ୍କାରକମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ । ସେ ଦୃଢ ଭାବରେ ଜାତିପ୍ରଥା ଓ ହିନ୍ଦୁ ଶାସ୍ତ୍ର ପୁରାଣର ବିରୋଧ କରୁଥିଲେ । ଏକ ସାମ୍ୟବାଦୀ ସମାଜ ଗଠନ ଦିଗରେ ଏବଂ ଜାତିଗତ ଭେଦଭାବ ଓ ପୂର୍ବାଗ୍ରହଗୁଡିକୁ ରୋକିବା ପାଇଁ ବ୍ୟାପକ ସମାନ ବିଦ୍ୟାଳୟ ଶିକ୍ଷା ଯେଉଁ ଭୂମିକା ନିର୍ବାହ କରିପାରେ ତାହା ଫୁଲେ ସେତେବେଳୁ ଜାଣିପାରିଥିଲେ ।  
ବହିଟିରେ ଅଳ୍ପ କେତୋଟି କଳାକୃତି ରହିଛି କିନ୍ତୁ ସବୁଗୁଡିକ ନିପୁଣ ହାତରେ ସୁନ୍ଦର ଭାବେ ଅଙ୍କାଯାଇଛି । ହାଲୁକା ଭାବେ କହିଲେ, ବହିଟି ସହ ମୋର ଗୋଟିଏ ଅସୁବିଧା ଅବଶ୍ୟ ରହିଛି । ସେଇଟି ମଣିଷମାନଙ୍କ ଲୋମ ସମ୍ପର୍କିତ । ଯେଉଁ ଲୋକଙ୍କୁ ପ୍ରାୟ ସଭିଏଁ ନାପସନ୍ଦ କରିବେ, ବହିରେ ସେ ସମସ୍ତଙ୍କର ଦେହରେ ଅତିଶୟ ଲୋମ ରହିଛି । ଏପରି କାହିଁକି ଯେ?  
ଏ ଦୁଇଟି ପୁସ୍ତକ ପ୍ରକାଶନ କରିଥିବାରୁ ନବୟାନ ନିଶ୍ଚିତ ରୂପେ ଅଭିନନ୍ଦନର ପାତ୍ର । ଉଭୟ ବହିକୁ ବହୁ ଲୋକ ପଢିବା ଉଚିତ । ଗ୍ରାଫିକ ବହି ପ୍ରକାଶନ କ୍ଷେତ୍ରରେ ଏ ପୁସ୍ତକଦ୍ୱୟ ଭାରତରେ ଏକ ନୂଆ ମାନକ ପ୍ରତିଷ୍ଠା କରିଛନ୍ତି ।

ମହାତ୍ମା ଜ୍ୟୋତିବା ଫୁଲେ (୧୮୨୭-୧୮୯୦)

ବି.ଦ୍ର. - ଏହି ଲେଖାଟି ପ୍ରଥମେ ୫ ଜୁନ ୨୦୧୨ରେ, ‘ହାର୍ଡ୍ ନ୍ୟୁଜ୍’ ଇଂରାଜୀ ମାସିକରେ, ‘ଏପିକ୍ ଗ୍ରାଫିକ୍’ ଶୀର୍ଷକରେ ପ୍ରକାଶିତ ହୋଇଥିଲା । ପରେ ଏହା ବିଶ୍ୱଜିତ ଆପଟଙ୍କ ଦ୍ୱାରା ଅନୁଦିତ ହୋଇ ଦୈନିକ ସଞ୍ଚାରର ୨୯ ସେପ୍ଟେମ୍ବର, ୨୦୧୭ର ସାପ୍ତାହିକ ସାହିତ୍ୟ ପୃଷ୍ଠାରେ ସ୍ଥାନ ପାଇଥିଲା ।

Sunday, April 02, 2017

ମଞ୍ଚ ଓ ବିଦ୍ୟାଳୟ ରୂପେ କଲିକତା : ଏକ ‘ବଙ୍ଗାଳୀ’ ସହରରେ ଓଡିଆ ଜୀବନ


ଅନୁବାଦକ - ବିଶ୍ୱଜିତ ଆପଟ


କଲିକତାର ଚଉରଙ୍ଗି ଛକ (୧୯୪୫ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନାୟକ, ଯତୀନ୍ଦ୍ର କୁମାର (ସମ୍ପାଦକ) । ୨୦୧୦ । ଏ ୱାର୍ଲଡ୍ ଏଲ୍ସହ୍ୱେର୍ : ଇମେଜେସ୍ ଅଫ୍ କୋଲକାତା ଇନ୍ ଓରିଆ ଅଟୋବାୟୋଗ୍ରାଫିଜ୍ । ଭୁବନେଶ୍ୱର : ସ୍ନାତକୋତ୍ତର ଇଂରାଜୀ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗ୍ରାସରୁଟସ୍ ସହାୟତା ସହ । ୩୯୫ ଟଙ୍କା । ୧୮୬ ପୃଷ୍ଠା ।

ବହୁ ସଙ୍ଖ୍ୟକ ଓଡିଆଙ୍କ ପରି ମୋର ମଧ୍ୟ କଲିକତା ସହ ଏକ ବ୍ୟକ୍ତିଗତ ସମ୍ପର୍କ ରହିଛି । ଓଡିଆମାନେ ସବୁବେଳେ ହିଁ କାଲ୍କାଟା ବା କୋଲ୍କାତା ପରିବର୍ତ୍ତେ କଲିକତା ବୋଲି ହିଁ ଉଚ୍ଚାରଣ କରିଆସିଛନ୍ତି । କଲିକତା ଯେତିକି ବଙ୍ଗାଳୀ ବା ମାରୱାଡି ସହର, ସେତିକି ଓଡିଆ ସହର ମଧ୍ୟ । ତେଣୁ ପୀଢି ପରେ ପୀଢି ଓଡ଼ିଆମାନେ, ସେ ପ୍ରବାସୀ ହୁଅନ୍ତୁ ବା ଆଉ କେହି, ଏ ସହରକୁ ଯେଉଁ ନାମ ଦେଇଛନ୍ତି ମୁଁ ବି ସେଇ ନାମଟି ଏଠି ବ୍ୟବହାର କରିବି । ଏହି ଅଧମର ପ୍ରପିତାମହ, ଶ୍ରୀ ବାଳକୃଷ୍ଣ ରାଉତରାୟ, କଟକ ଜିଲ୍ଲାର ବଳଭଦ୍ରପୁର ଗାଁ’ର ନିବାସୀ ଥିଲେ । ସେ ଜଣେ କ୍ଷୁଦ୍ର ବ୍ୟବସାୟୀ ଥିଲେ ଓ କଲିକତାରେ କେଉଁଠାରେ ତାଙ୍କର ଗୋଟିଏ ଡାଲି ଚାଉଳ ଦୋକାନ ଥିଲା । କଲିକତାରେ ଠିକ କେଉଁଠାରେ ସେ ଦୋକାନଟି ଥିଲା, ତାହା ଅବଶ୍ୟ ମୋତେ ଜଣା ନାହିଁ । କାରଣ ମୁଁ ଛୋଟ ଥିଲା ବେଳୁ ହିଁ ମୋ ଜେଜେ ବାପା ସ୍ୱର୍ଗବାସୀ ହେଲେ, ଆଉ ମୋ ବୟସ୍କ ଜେଜେମାଆଙ୍କୁ ଏ କଲିକତା ବେପାର ବିଷୟରେ ମୋ ହେତୁ ହେଲା ବେଳକୁ ଆଉ ବିଶେଷ କିଛି ମନେପଡୁନଥିଲା । ସେ ଯାହା ହେଉ, ସ୍ୱାଧୀନତା ସମୟରେ ସେ ବେପାର ମାନ୍ଦା ପଡିଗଲା ଓ ମୋ ପରିବାର ପୁଣି ଫେରି ପୁରାପୁରି ଚାଷବାସରେ ହିଁ ମନ ଦେଲେ ।

ମୋ ପରିବାର କିଛି ସ୍ୱତନ୍ତ୍ର ନୁହେଁ । ଏବେ ଯେମିତି ପ୍ରାୟ ପ୍ରତ୍ୟେକ ମଧ୍ୟବିତ୍ତ ଓଡ଼ିଆ ପରିବାରର କେହି ଜଣେ ସଦସ୍ୟ ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର ବା ମାଡ୍ରାସ ପରି କୌଣସି ଏକ ମହାନଗରରେ କାମ କରୁଛନ୍ତି, ଊନବିଂଶ ଓ ବିଂଶ ଶତାବ୍ଦୀ ବ୍ୟାପୀ ଅତି କମରେ ଛଅ ପୀଢିର ଓଡିଆଙ୍କ ପାଇଁ କଲିକତା ଥିଲା ଭାଗ୍ୟ ବଦଳେଇବାର ଏକ ସୁଯୋଗ । ସେ କାମଧନ୍ଦା ପାଇଁ ହେଉ ବା ଶିକ୍ଷାଲାଭ ପାଇଁ, ଓଡିଶାର ଶାନ୍ତ ଓ ସୁପ୍ତ ଗାଁ ଓ ସହରମାନଙ୍କରୁ ମୁକୁଳିବାର ବାଟ ଥିଲା କଲିକତା । କଲିକତା ଥିଲା ଔପନିବେଶିକ ମହାନଗରର ଏକ ଆଦ୍ୟରୂପ । ୧୯୧୧ ଯାଏଁ ଏହା ଥିଲା ବ୍ରିଟିଶ ସରକାରଙ୍କ ରାଜଧାନୀ ଓ ବ୍ରିଟିଶ ସାମ୍ରାଜ୍ୟର ଦ୍ୱିତୀୟ ସହର, ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ଯାଉ ନଥିଲା । କଲିକତାର ଗହଳ ଚହଳ ଓ ଚଞ୍ଚଳ ପରିବେଶ ଅନେକ ଓଡିଆଙ୍କ ପାଇଁ ବହୁ ଦିନ ଧରି ଆଧୁନିକତାର ସଂସ୍ପର୍ଶରେ ଆସିବାର ଉତ୍ସ ହୋଇ ରହିଥିଲା । ତେଣୁ ଓଡିଶାରେ ଆଧୁନିକ ବ୍ୟକ୍ତିତ୍ୱ ସୃଷ୍ଟିରେ ଏକ ବଙ୍ଗୀୟ ଛାପ ରହିଗଲା ।

ଏହି ସନ୍ଦର୍ଭରେ, ଆମ ସମୀକ୍ଷା ପରିସରକୁ ଆସିଥିବା ବହିଟି ଅନେକ ଗୁରୁତ୍ୱପୂର୍ଣ୍ଣ । ଏହି ବହି ହେଉଛି କଲିକତାର ବର୍ଣ୍ଣନା ଯୋଗାଉଥିବା ଓଡିଆ ଆତ୍ମଜୀବନୀଗୁଡିକର କେତେକ ଉଦ୍ଧୃତାଂଶର ଇଂରାଜୀ ଅନୁବାଦର ଏକ ସଙ୍କଳନ । ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଟ୍ରାନସଲେଟିଙ୍ଗ ଓଡିଶା’ ଶୀର୍ଷକ ପ୍ରକଳ୍ପ ଅନ୍ତର୍ଭୁକ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯାହାର ଫଳଶ୍ରୁତି ହେଉଛି ଏହି ବହି । ବହିଟିରେ ଓଡିଆ ଆତ୍ମଜୀବନୀରୁ ପନ୍ଦରଟି ଉଦ୍ଧୃତାଂଶ ସ୍ଥାନ ପାଇଛି, ଯେଉଁଗୁଡିକ ମୁଖ୍ୟତଃ ବିଂଶ ଶତାବ୍ଦୀର କଲିକତାର ଏକ ଚିତ୍ରମାଳା ପରିବେଷଣ କରନ୍ତି । ଆତ୍ମଜୀବନୀ ଗୁଡିକ ମଧ୍ୟ ସତର୍କତାର ସହ ଚୟନ କରାଯାଇଛି । ଏଗୁଡିକର ଲେଖକମାନେ ମଧ୍ୟ ବିବିଧ: ରାଜନେତା, ଛାତ୍ର, ଜଣେ ନାଟକ ସହ ସମ୍ପୃକ୍ତ ତ ଆଉ ଜଣେ ପୁସ୍ତକ ଅନୁରାଗୀ । ଫଳସ୍ୱରୂପ କଲିକତାରେ ଥିବା ଓଡିଆଙ୍କର ବହୁବିଧ ଅନୁଭବମାନ ଆମ ଆଗକୁ ଆସିଛି ।

ସବୁଠାରୁ ରୋଚକ ଉଦ୍ଧୃତାଂଶଟି ପ୍ରସିଦ୍ଧ ଓଡିଆ ନାଟକ କଳାକାର ବୈଷ୍ଣବ ପାଣିଙ୍କ ଆତ୍ମଜୀବନୀରୁ ସଙ୍ଗୃହିତ ଓ ଜ୍ୟୋତିର୍ମୟୀ ମିଶ୍ର ଏହାକୁ ସୁନ୍ଦର ଭାବେ ଅନୁବାଦ କରିଛନ୍ତି । ଏଥିରେ ସହରଟିକୁ ଏକ ମଞ୍ଚ ରୂପେ ବର୍ଣ୍ଣନା କରାଯାଇଛି । ନାଟ୍ୟ ଜଗତର ଆଉ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଗୋପାଳ ଦାଶଙ୍କ ସହ ବୈଷ୍ଣବ ପାଣିଙ୍କର ଭେଟ ହୁଏ ଓ ସେ ଶ୍ରୀଯୁକ୍ତ ଦାଶଙ୍କ ସହ ଏକ ପ୍ରତିସ୍ପର୍ଦ୍ଧାତ୍ମକ ପ୍ରଦର୍ଶନରେ ମାତି ଯାଆନ୍ତି । କିଛି ଦିନ ଭିତରେ ହିଁ ଶ୍ରୀଯୁକ୍ତ ଦାଶଙ୍କର ମୃତ୍ୟୁ ହୁଏ । କିନ୍ତୁ ଲେଖାଟି ପଢିବା ପରେ ମଞ୍ଚରୂପୀ ସହରର ଛବି ମନରେ ଲାଖିଯାଏ, ଯେଉଁଠାରେ ପ୍ରତିଦିନ ଲୋକେ ଯଶ ଓ ଖ୍ୟାତି ଅର୍ଜନ କରନ୍ତି, ତଥା ପ୍ରତିଦିନ ହିଁ ଲୋକଙ୍କର ପ୍ରତିଷ୍ଠା ଚୁରମାର ହେଉଥାଏ । ଅନ୍ୟ ଆତ୍ମଜୀବନୀଗୁଡିକରୁ ଉଦ୍ଧୃତାଂଶମାନଙ୍କରେ ମଧ୍ୟ ମୁଖାପିନ୍ଧା ଜୀବନର କଥା ଦେଖିବାକୁ ମିଳେ । ସ୍ୱାଧୀନତା ସଙ୍ଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ନିଜ ରାଜ୍ୟର ସରକାରୀ ଅଧିକାରୀଙ୍କ ଦ୍ୱାରା ଗିରଫ ହେବାରୁ ବର୍ତ୍ତିବା ପାଇଁ ଓଡିଶାରୁ ବଙ୍ଗଳା ଚାଲିଯାଆନ୍ତି ଓ କଲିକତାରେ ନିଜ ଉପସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଛାତ୍ରର ବେଶ ଧାରଣ କରନ୍ତି । ପବିତ୍ର ମୋହନ ପ୍ରଧାନଙ୍କ କ୍ଷେତ୍ରରେ ଆହୁରି ମୌଳିକ ରୂପାନ୍ତର ଘଟେ । ସମାନ କାରଣ ପାଇଁ ସେ ଏକ ଘରୋଇ ଚାକର ହୋଇ କଲିକତାରେ ରହନ୍ତି ଓ ଏହି ପ୍ରଦର୍ଶନରେ ଅନେକାଂଶରେ ସଫଳ ମଧ୍ୟ ହୁଅନ୍ତି ।

ଅନେକ ଓଡିଆଙ୍କ ପାଇଁ କଲିକତା ଏକ ଶୈକ୍ଷଣିକ ଭୂମି ସାଜିଥିବା ପରି ମନେ ହୁଏ । ଗୋବିନ୍ଦ ଦାସଙ୍କ ପାଇଁ ତ ଏହା ସ୍ପଷ୍ଟ । କଲିକତାର ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଥିବା ଗୋବିନ୍ଦ ଦାସଙ୍କ ପାଇଁ ଏହା ସମ୍ଭ୍ରାନ୍ତ ବର୍ଗଙ୍କ ସାଂସ୍କୃତିକ ଓ ଶୈକ୍ଷଣିକ ଅଭ୍ୟାସବଳୀ ଶିଖିବାର ଏକ ସୁଯୋଗ ଥିଲା । ଅନ୍ୟ ଉଦ୍ଧୃତାଂଶଗୁଡିକରେ ଛାତ୍ରାବାସ ଓ ‘ମେସ୍’ ପରି ଅନୁଷ୍ଠାନଗୁଡିକ କେନ୍ଦ୍ରରେ ଥିବା ଦେଖିବାକୁ ମିଳେ । ପ୍ରଖ୍ୟାତ ସ୍ୱାଧୀନତା ସଙ୍ଗ୍ରାମୀ ତଥା ଶିକ୍ଷାବିତ ଗୋଦାବରୀଶ ମିଶ୍ର ଏ ବିଷୟ ଉପରେ କିଛି ଆଭାସ ଦିଅନ୍ତି । କଲିକତା ସହରର ଏକ ଶୂନଶାନ ଗଳିରେ (ପୃ. ୧୭) ଥିବା ଘର ନମ୍ବର ନଅରେ ଚାଲୁଥିବା ମେସ୍ ରେ ରହି ଅନେକ ଓଡିଆ ସାମୁହିକ ସୀବନ ଓ ଜାତୀୟ ଜୀବନ ଉପରେ ତାଲିମ ପାଇଥିଲେ । କିନ୍ତୁ ଏପରି ଶୈକ୍ଷିକ ଅନୁଷ୍ଠାନ ଓ ଆବାସିକ ସ୍ଥାନରେ ଜାଗା ପାଇବା ବି ସହଜ କଥା ନଥିଲା । ଚିକିତ୍ସା ବିଜ୍ଞାନର ଛାତ୍ର ତଥା ସାହିତ୍ୟିକ ବିକ୍ରମ ଦାସ ଉଭୟ କଲେଜ ଓ ଛାତ୍ରାବାସରେ ସ୍ଥାନ ପାଇବାର ଯନ୍ତ୍ରଣା କଥା ବର୍ଣ୍ଣନା କରିଛନ୍ତି । ଏହି କଥନିକାଗୁଡିକ ମୋଟାମୋଟି ଭାବେ ଆତ୍ମ-ନିର୍ମାଣର କଥା କୁହନ୍ତି । ଓଡିଆ କଳାକାର ଅସୀମ ବସୁ ‘ତରଙ୍ଗ’ ପତ୍ରିକାର ଚିତ୍ରକର ହେବାବେଳର ଅନୁଭବ ବଖାଣିଛନ୍ତି ଓ ଏହା କିପରି ତାଙ୍କ କଳାତ୍ମକ ବ୍ୟକ୍ତିତ୍ୱ ନିର୍ମାଣରେ ସହାୟକ ହେଲା, ତାହା ବର୍ଣ୍ଣନା କରିଛନ୍ତି । କଣ୍ଡୁରି ଚରଣ ଦାସ କିପରି ବାଳୁତ ଅବସ୍ଥାରେ କଲିକତା ଆସି ଧୀରେ ଧୀରେ ଜଣେ ସମ୍ପାଦକ ଓ ଜନପ୍ରିୟ ଉପନ୍ୟାସ ଲେଖକ ହେଲେ ତାହା ଦେଖାଇଛନ୍ତି ।
ସମୀକ୍ଷା ପରିସରରେ ଥିବା ବହିଟିର ଉପକ୍ରମଣିକା ଏକ ଅନୁଭବୀ ଲେଖା ଯେଉଁଥିରେ ସମ୍ପାଦକ ଡ. ନାୟକ ଓଡିଆଙ୍କର ଓ ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ କଲିକତାର ମହତ୍ତ୍ୱ ଆଲୋତନା କରିଛନ୍ତି । ସହରଟି ପ୍ରତି ଓଡିଆଙ୍କର ଅବଦାନ ମଧ୍ୟ ସେ ସୂଚାଇଛନ୍ତି, ଯଦିଓ ସେତେ ବିଶଦ ଭାବରେ ନୁହେଁ । ଶ୍ରୀ କେ.କେ. ମହାପାତ୍ର ଏହି ବହିଟିର ଏକ ଅନ୍ତରଙ୍ଗ ଅନ୍ତକଥନରେ ଏଥିରେ ନିଆଯାଉଥିବା କଥନିକାଗୁଡ଼ିକୁ ଦେଖିବା ପାଇଁ ଆମ ନିମନ୍ତେ ଏକ ଢାଞ୍ଚା ନିର୍ମାଣ କରନ୍ତି । 

ଲେଖକମାନଙ୍କ ପରିଚୟ ଖୁବ ସଂକ୍ଷିପ୍ତରେ ଦିଆଯାଇଛି । ଅନୁବାଦ କରାଯାଇଥିବା ଆତ୍ମଜୀବନୀ ଗୁଡିକର ଲେଖକମାନଙ୍କ ମଧ୍ୟରୁ ଅଧିକାଂଶ ଓଡିଶାର ସମାଜ ଓ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଯେଉଁ ପାଠକମାନେ ଓଡିଶାର ସାମାଜିକ ଓ ସାଂସ୍କୃତିକ ପରିବେଶ ସହ ପରିଚିତ ନୁହଁନ୍ତି, ତାଙ୍କ ପାଇଁ ବିସ୍ତୃତ ଲେଖକ ପରିଚୟ ଖୁବ ସହାୟକ ହୋଇଥାଆନ୍ତା । ଏହାକୁ ବାଦ ଦେଲେ ବହିଟି ଅତି ଶ୍ରଦ୍ଧାର, ସହ ଖୁବ ସୁନ୍ଦର ଭାବେ ସମ୍ପାଦିତ ହୋଇ ପ୍ରସ୍ତୁତ କରାଯାଇଛି । ଏହା ବହୁ ଲୋକଙ୍କ ଦ୍ୱାରା ପଠନ ଓ ଆଲୋଚନା ଯୋଗ୍ୟ ।

ସମୀକ୍ଷାର ପରିସରରେ ଥିବା ବହିଟି ପରି ବହିଗୁଡିକରୁ ଜଣାପଡେ କେଉଁଭଳି ପରିବେଶ ଗୁଡିକରୁ ଆଧୁନିକ ଓଡିଆ ଭାଷା ବିଗତ କେତୋଟି ଶତାବ୍ଦୀରେ ନିଜର ସ୍ଥାପତ୍ୟ ଅର୍ଜନ କରିଛି । କିନ୍ତୁ ବିଂଶ ଶତାବ୍ଦୀରେ ବାଙ୍ଗାଲୋର ବା ସୁରତ, ମାଡ୍ରାସ, ବମ୍ବେ ଇତ୍ୟାଦି ନଗରରେ ରହୁଥିବା ଓଡିଆ ଭାଷୀଙ୍କ ଜୀବନ ଓ ଭାଷା କେଉଁ ରୂପରେ ପ୍ରସ୍ଫୁଟିତ ହୋଇଛି, ତାହାର ବିବରଣୀ ଓଡିଆ ଭାଷାରେ ଏଯାବତ ଲେଖାଯାଇ ନାହିଁ । ଏବେ ଆମକୁ ଆମର ଭାଷାଗତ କଳ୍ପନାକୁ ଭୌଗଳିକ ପରିକଳ୍ପନାରୁ ପୃଥକ କରିବାକୁ ହେବ, ଓ ଭାରତୀୟ ରାଜ୍ୟ ଓଡିଶାର ବାହାରେ, ପୃଥିବୀ ଯାକ ଓଡିଆ ଭାଷା ଓ ଓଡିଆ ଭାଷୀଙ୍କ ଜୀବନ ଯେଉଁ ସବୁ ଅବତାର ଗ୍ରହଣ କରିଛି ସେସବୁକୁ ଆଲୋଚନାଭୁକ୍ତ କରିବାକୁ ହେବ । ସମୀକ୍ଷା ପରିସରରେ ଥିବା ବହିଟି ଏପରି ଏକ ସମ୍ଭାବିତ ପ୍ରକଳ୍ପର ପ୍ରଥମ ମାଇଲଖୁଣ୍ଟ । ଯଦି ଏହି ବହି ଓଡିଆ (ଆତ୍ମ)ଜୀବନୀ ସାହିତ୍ୟ ଉପରେ ଆମକୁ ପୁନଃକେନ୍ଦ୍ରିତ କରିବାରେ ସହାୟକ ହୁଏ ତେବେ ପୁସ୍ତକ ପ୍ରକାଶନ ଜନିତ ଶ୍ରମର ଉଚିତ ପ୍ରତିଦାନ ମିଳିବ ।

ବି.ଦ୍ର. - ଏହି ସମୀକ୍ଷାଟି ପ୍ରଥମେ ୨୦୧୪ ମସିହାରେ 'ମାର୍ଗ ଏସିଆ' ଇଂରାଜୀ ପତ୍ରିକାର ଦ୍ୱିତୀୟ ଖଣ୍ଡର ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇଥିଲା । 

Thursday, March 30, 2017

ଇତିହାସ ଓ ସ୍ମୃତି ମଧ୍ୟରେ: ରବୀନ୍ଦ୍ର କୁମାର ସ୍ୱାଇଁଙ୍କ କବିତା


ସମୀକ୍ଷାତ୍ମକ ପ୍ରବନ୍ଧଟିର ଅନୁବାଦକ - ବିଶ୍ୱଜିତ ଆପଟ



ରବୀନ୍ଦ୍ର କୁମାର ସ୍ୱାଇଁ । ୨୦୦୮। 'ସୁସୁରଶ୍ ଇନ୍ ଦ ସ୍କଲ୍' । ନୂଆ ଦିଲ୍ଲୀ: ଅଥର୍ସ୍ ପ୍ରେସ୍ । ପୃଷ୍ଠା: ୬୮ । ମୂଲ୍ୟ: ୧୦୦ ଟଙ୍କା ।

 

ରବୀନ୍ଦ୍ର କୁମାର ସ୍ୱାଇଁ । ୨୦୦୨ । 'ସିିଭିଅର୍ଡ୍ କର୍ଡ୍' । ନୂଆ ଦିଲ୍ଲୀ: ଇଣ୍ଡିଆଲୋଗ୍ ପବ୍ଲିକେଶନ୍ସ୍ ପ୍ରା. ଲି. । ପୃଷ୍ଠା ସଙ୍ଖ୍ୟା ୭୦ । ମୂଲ୍ୟ: ୧୨୦ ଟଙ୍କା ।



ଆମ ଦେଶରେ ଇଂରାଜୀରେ କାହାଣୀ ଓ ଉପନ୍ୟାସ ଲେଖୁଥିବା ଭାରତୀୟ ଲେଖକମାନେ ପ୍ରାୟତଃ ସମୀକ୍ଷକୀୟ ଓ ପାଠକୀୟ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୁଅନ୍ତି । ଏଭଳି ଅବସ୍ଥାର ଫଳ ସ୍ୱରୂପ ଇଂରାଜୀରେ କବିତା ଲେଖୁଥିବା ଭାରତୀୟ ଲେଖକମାନେ ଅପେକ୍ଷାକୃତ ଭାବେ ଅଣଦେଖା ହୋଇ ରହିଯାଇଛନ୍ତି । ଦଳେ ସାହିତ୍ୟିକଙ୍କୁ ଆଉ ଦଳେ ସାହିତ୍ୟିକଙ୍କ ସହ ଯୁଝାଇବା ପାଇଁ ଏ କଥା ଆମେ କହୁନାହୁଁ । ଅନେକ ସମୟରେ ଜଣେ ସାହିତ୍ୟିକଙ୍କର ଗଳ୍ପ ଓ ଉପନ୍ୟାସକୁ ନେଇ ପାଠକ ତଥା ପଣ୍ଡିତ ମହଲରେ ଉତ୍ସବ ଚାଲିଥିଲା ବେଳେ ତାଙ୍କର କାବ୍ୟିକ ରଚନା ଉପେକ୍ଷିତ ହେଉଥାଏ । ଉଦାହରଣ ସ୍ୱରୂପ, ସମ୍ପୂର୍ଣ୍ଣ ଚାଟାର୍ଜୀ ଓ ଅଞ୍ଜୁମ ହସନଙ୍କ ଭଳି ସାହିତ୍ୟିକ ସେମାନଙ୍କର ପ୍ରଥମ ଉପନ୍ୟାସ ପ୍ରକାଶନ ପରେ ହିଁ ଲୋକଲୋଚନକୁ ଆସିଛନ୍ତି ( ଯଦି ନୈଷ୍ଠିକ କବିତାପ୍ରେମୀଙ୍କୁ ବାଦ ଦିଆଯାଏ) ।

ଭାରତୀୟ ଇଂରାଜୀ କବିତା ତ ସାଧାରଣତଃ ଉପେକ୍ଷିତ । କିନ୍ତୁ ଓଡିଶା ପରି ଅଞ୍ଚଳରୁ ଆସୁଥିବା କବିମାନେ ବିବିଧ ଐତିହାସିକ ଓ ସମାଜତାତ୍ତ୍ୱିକ କାରଣ ଯୋଗୁଁ ପାଠକୀୟ ଧ୍ୟାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏମିତି ଜଣେ କବି ହେଉଛନ୍ତି ରବୀନ୍ଦ୍ର କୁମାର ସ୍ୱାଇଁ, ଯାହାଙ୍କର କବିତାର ଉଚିତ ଚର୍ଚ୍ଚା ହୋଇପାରି ନାହିଁ । ତାଙ୍କ କବିତାର ଚର୍ଚ୍ଚା କେବଳ ଆଞ୍ଚଳିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏ ସମୀକ୍ଷାର ପରିସରଭୁକ୍ତ ବହି ଦୁଇଟି ପ୍ରମାଣ କରନ୍ତି ଯେ, ତାଙ୍କ ପରି କବିଙ୍କର କବିତାର ଚର୍ଚ୍ଚା ଭାରତୀୟ ଇଂରାଜୀ କବିତା ଓ ଏହାର ସମୀକ୍ଷା ସାହିତ୍ୟକୁ ଋଦ୍ଧିମନ୍ତ କରିବ ।

ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ସବୁଠାରୁ ବେଶୀ ମର୍ମଭେଦୀ ଦିଗଟି ହେଉଛି ତାଙ୍କ ନିଜ ସାମାଜିକ ଓ ସାଂସ୍କୃତିକ ପରିବେଶକୁ ନେଇ ଏକ ସହଜ ଓ ସରଳ ଦୃଷ୍ଟିଭଙ୍ଗୀ । ଏ ଜଗତଟି ଯେ ଉପାନ୍ତ, ତାହାକୁ ନେଇ ସେ କେବେ ବି ଗମ୍ଭୀର ନୁହଁନ୍ତି । ଏଣୁ ତାଙ୍କ କବିତାରେ ତାଙ୍କର ଦୁନିଆ ଏକ ସ୍ୱଚ୍ଛନ୍ଦ ସ୍ୱପ୍ନ ପରି ଦୃପ୍ତ ପାହୁଣ୍ଡ ପକାଇ ଉତୁରି ଆସେ । ଯେମିତିକି ତାଙ୍କର ‘ଦ ପ୍ଲାଇଟ୍ ଅଫ୍ ଗଡସ୍’ କବିତାରେ ଆମେ ‘ଭକ୍ତି’ ର ଏକ ମଧୁର ଶ୍ଲେଷାତ୍ମକ ବର୍ଣ୍ଣନା ପାଉ ।

କାରଣ, ଯେତିକି ବା ଜଣା ଅଛି
ଜଣେ ନିଜ ଆଖି ଦୁଇଟିରୁ ଗୋଟିଏ
ତାଡି ଯାଚି ଦେଇଥିଲେ
ଗୋଟିଏ ପଦ୍ମ ଅଭାବ ହେବାରୁ
ପୂଜା ପାଇଁ ଲୋଡାଥିବା
ଶହେ ଆଠ ପଦୁଅଁ ଭିତରୁ । 
(ସ୍ୱାଇଁ ୨୦୦୮: ୧୨)

ଏ ପରିପ୍ରେକ୍ଷୀରେ ନହେଲେ ‘ସିଭିଅର୍ଡ଼୍ କର୍ଡ଼୍’ ଶୀର୍ଷକ କବିତାର ଏହି ଅଂଶ ପଢନ୍ତୁ ଯେଉଁଥିରେ ପୁରୀରୁ ଫେରୁଥିବା ଜଣେ ତୀର୍ଥଯାତ୍ରୀର ଅନୁଭବ ବର୍ଣ୍ଣନା କରାଯାଇଛି -

ଘରେ ପହଞ୍ଚି,
ତୁମେ ମୁହଁପୋତି ଜଣାଅ,
ଭଗବାନ ପୁରୀରେ ଦିଶିଲେ ନାହିଁ,
ବରଂ, ଦିଶିଲା
କଖାରୁ ଲଟାରେ ଘୋଡି ହୋଇଥିବା
ଛପର ଓ ଛାତ
ଆଉ ଏକର ଏକର
ପଡିଆ ପଡିଥିବା ଜମି । 
(ସ୍ୱାଇଁ ୨୦୦୨: ୧୯)

କାବ୍ୟିକ ପଦ ସବୁ ଯୋଡି କୌଣସି ବିଚିତ୍ର ଦେଶୀପଣ ସୃଷ୍ଟି କରିବାର ଅପଚେଷ୍ଟା ନାହିଁ । କିନ୍ତୁ କବିତାରେ କୌଣସି ନିର୍ଦ୍ଦିଷ୍ଟ ଦେଶୀୟ, ସାଂସ୍କୃତିକ ଅନୁଭବ ଉପୁଜାଉଥିବା ଯାହା କିଛି ପ୍ରଭେଦଗୁଡ଼ିକ ରହିଛି, ସେସବୁଥିରୁ ମଧ୍ୟ କବି ଦୂରେଇ ଯିବାକୁ ଅଭିଳାଷୀ ନୁହଁନ୍ତି । ବୋଧହୁଏ ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତ୍ୱର ଏହା ହିଁ ସବୁଠାରୁ ଆକର୍ଷକ କଥା ।

ଏ ଦୁଇଟି ବହିରେ ସ୍ଥାନିତ କବିତାଗୁଡିକର ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ହେଲା କବିତାଗୁଡିକ ସମୟ, ସ୍ମୃତି ଓ ଇତିହାସ ମନସ୍କ । ଭାରତରେ ଇତିହାସକୁ ନେଇ ଯେଉଁ ବିଚାର-ବିମର୍ଶ ରହିଛି ତାହା ସବୁବେଳେ ‘ବର୍ଣ୍ଣନା’ ବନାମ ‘ତତ୍ତ୍ୱ’ର ଢାଞ୍ଚା ନେଇଛି । ଶ୍ରୀଯୁକ୍ତ ସ୍ୱାଇଁ ନିଜ କବିତାରେ ଆମର ଅତୀତକୁ ବୁଝିବାର ପ୍ରକ୍ରିୟାକୁ ‘ଇତିହାସ’ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି ଓ ଆମର ସମସାମୟିକତାକୁ ଆମର ସାମୂହିକ ଅତୀତର ଏକ ସାକ୍ଷୀ ରୂପେ ବ୍ୟବହାର କରିଛନ୍ତି । ‘ଆନ୍ ଏମୋଫର୍ସ୍ ଟାଇମ୍’ ଶୀର୍ଷକ କବିତାର ନିମ୍ନଲିଖିତ ଏହି କେତୋଟି ଧାଡିକୁ ବିଚାରକୁ ନିଅନ୍ତୁ - 

ଆସନ୍ତା କାଲି ହୁଏତ
ଆଉ ଏକ ପିଲା ଲମ୍ଫ ଦେଇପାରେ
ତା’ ବାପା ତୋଳିଥିବା ଦେଉଳ ଉପରୁ ।

ଘୁଞ୍ଚି ଚାଲିଥିବା ସମୁଦ୍ରକୁ ଓ
ତା’ ମୃତ୍ୟୁର କୋଳକୁ,
ପ୍ରମାଣ କରିବା ପାଇଁ
ତା’ ବାପା ଯାହାକିଛି କରିଗଲେ,
ବୃଥା ନଥିଲା ।

କିଛି ନହେଲେ ବି ଏହା ଟାଣି ନେଲା ତାକୁ
ବାପାଙ୍କ ପାଖକୁ;
ନିଜ ଆଖିରେ ଦେଖିବା ପାଇଁ
ଏକ ବାଳକର ଉଚ୍ଚତାରୁ
କୀର୍ତ୍ତିର ତେଜ ।

ମୂଲ୍ୟ, ଆଦର୍ଶ ଓ ବର୍ତ୍ତମାନ ବୋଲି ଉତ୍ତରାଧିକାରରେ ପାଇଥିବା 
ଜିନିଷ ସବୁ ଗହଣରେ କଳଙ୍କର ଆଭାସ
ଓ ବଞ୍ଚିବାକୁ
ଯାହା ଯେମିତି ମିଳିଥିବା ଜୀବନ ତା’ର ।
ଆଉ ଶେଷରେ, 
ସନ୍ତୋଷରେ ତେଜିବାକୁ ଜୀବନ,
ବାପାଙ୍କର ଉପଯୁକ୍ତ ଦାୟାଦଟିଏ ହୋଇ । 
(ସ୍ୱାଇଁ ୨୦୦୨: ୪୯)

ଏହି ଧାଡିଗୁଡ଼ିକ ବାଳକ ଧର୍ମପଦର ବଳିଦାନର କଥା କୁହନ୍ତି । ସେ କୋଣାର୍କରେ ସୂର୍ଯ୍ୟ ମନ୍ଦିର ଗଢିଥିବା ତା’ର ବାପା ଓ ଅନ୍ୟ ଶିଳ୍ପୀଙ୍କ ପ୍ରାଣ ରକ୍ଷା ପାଇଁ ବଙ୍ଗୋପ ସାଗରକୁ ଡେଇଁ ପଡିଥିଲା । ଆମ ଆଲୋଚନାର ସନ୍ଦର୍ଭରେ କଥା ହେଲା, ଏ ଧାଡିଗୁଡିକ ସମସାମୟିକ ଘଟଣାବଳୀର ସାକ୍ଷ୍ୟ ବହନ କରୁଥିବା ଏକ କବିତାର ଶେଷ ଅଂଶ ।  

ତାଙ୍କ କବିତା ଦୈନନ୍ଦିନ ଓ ବ୍ୟକ୍ତିଗତ କଥାଗୁଡିକୁ ବର୍ଣ୍ଣନ କରେ । ବର୍ଣ୍ଣନାକାର (ଯିଏ କି ଅନେକ ସମୟରେ କବି ନିଜେ ହିଁ) ସେତେବେଳେ ସଫଳ ହୁଅନ୍ତି, ଯେତେବେଳେ ସେ ସାଜନ୍ତି ପୀଢିମାନଙ୍କ ଭିତରେ ସେତୁ, ଆଉ ଏପରି ଏକ ଉପସ୍ଥିତି ଯେଉଁଥିରେ ଅତୀତ ଓ ଭବିଷ୍ୟତ ଏକାଠି ହୁଅନ୍ତି । ନିମ୍ନରେ ଦିଆଯାଇଥିବା ଉଦ୍ଧୃତିଗୁଡିକ ଏହାର ଉଦାହରଣ ଭାବରେ ଦେଖାଯାଇପାରେ ।

ଭସେଇବା ପାଇଁ ପୁଅମାନଙ୍କର କାଗଜ ନାଆ
ବର୍ଷା ପାଣିକ କାଦୁଆ ସୁଅରେ
ଗାଁ ରାସ୍ତାରେ
ବାପାମାନେ ସଦାକାଳେ ଗରିବ ହୋଇ ରହିଥିବେ । 
(ସ୍ୱାଇଁ ୨୦୦୨: ‘ସନସ୍ ଆଣ୍ଡ୍ ଫାଦର୍ସ୍’, ୧୬)


ବାପା, ଦୁଇ ବର୍ଷ ବିତିଲାଣି
ତୁମେ ଗଲା ଦିନୁଁ,
ଆଉ ମୋ ରାତିଗୁଡା ଏବେବି
ତୁମ ଉଜ୍ଜ୍ୱଳ ମୁହଁରେ ଆଲୋକିତ ।
ମୁଁ ଏବେ ଯାଏଁ ପଚାରି ନାହିଁ ନିଜକୁ
ଏଇଟା ମୋ ଅପରାଧର ଜୁଳୁଜୁଳିଆ ପୋକ ନା
ତୁମ ସ୍ନେହର ବତୀଘର ।
ମୋ ଝିଅ ଭଲଭାବେ ଜାଣେ ତୁମକୁ
ହେଲେ ମନେପକାଇ ପାରେନା ତୁମ ମୁହଁ ।

ତା’ ଦ୍ୱନ୍ଦ ମୋ’ଠାରେ ନାହିଁ ନିଶ୍ଚୟ,
ହେଲେ ତା’ ପ୍ରଶ୍ନ,
‘ତୁମେ ତାଙ୍କଠାରୁ କ’ଣ ଶିଖିଥିଲ?’
ମୋ ପାଇଁ ଏକ ଦର୍ପଣ
ମୁହଁର ଏତେ ପାଖରେ ଯେ
କିଛି ଦିଶୁ ନାହିଁ । 
(ସ୍ୱାଇଁ ୨୦୦୮ : ‘ମିରର୍ ଠୁ କ୍ଲୋଜ ଟୁ ଦ ଫେସ୍’, ୧୭)

ଶ୍ରୀଯୁକ୍ତ ସ୍ୱାଇଁଙ୍କର କବିତାବଳୀ ପ୍ରକୃତ ପକ୍ଷେ କବିତା ଲିଖନ ଉପରେ ଆତ୍ମମନନଶୀଳ । ଏହାର ମାନେ ନୁହେଁ ଯେ ଏ ବହି ଦ୍ୱୟରେ ଥିବା କବିତାଗୁଡିକ କେବଳ କବିତା ଲିଖନର କଳା ଉପରେ ହିଁ ଧ୍ୟାନରତ । କବିତା ଲେଖିବା ଓ ପଢିବାର ଅନୁଭବକୁ ଆମ ଜୀବନର ବିଭିନ୍ନ ଦିଗକୁ ବୁଝିବାର ଏକ ମାଧ୍ୟମ ରୂପେ କବି ବ୍ୟବହାର କରନ୍ତି । ପାଠକଙ୍କର ବିଚାର ପାଇଁ କେତୋଟି ଧାଡି ଦିଆଗଲା:

ସେମାନେ ନିଦରେ ଚିରୁଥିବେ ରାତିକୁ
ସତେକି ଏହା ଏକ
ସେମାନଙ୍କୁ ଭଲ ନଲାଗୁଥିବା କବିତା । 
(ସ୍ୱାଇଁ ୨୦୦୮: ‘ଅଲ୍ ଦ କ୍ରେଭିଙ୍ଗସ୍’, ୨୫)


ତୁମକୁ ନ ଡାକି ଚାଲିଆସନ୍ତି ସେମାନେ:
ଗଛରେ ଫୁଲମାନେ,
ବାକ୍ୟ ମଝିରେ ବିରାମ,
ଆଉ ବେଳେ ବେଳେ
ଲମ୍ବା ଲମ୍ବା ଅପ୍ରାସଙ୍ଗିକ ବାକ୍ୟମାନେ
ଓ ଏକ ଅବୁଝା ସ୍ତ୍ରୀ । 
(ସ୍ୱାଇଁ ୨୦୦୨: ‘ଦ ୱାଟର କୋର୍ସ’, ୨୪)


କେବେ ଦିନେ ଜଣକୁ ଘୋଷଣା କରିବାକୁ ହେବ,
ସେ ଗୋଟେ ଅନାଥ କବିତାର ଏକାକୀ ପିତା । 
(ସ୍ୱାଇଁ ୨୦୦୨: ‘ୱାନ୍ ଡେ’, ୫୨)

ଏହି ଉଦ୍ଧୃତାଂଶଗୁଡିକ ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ଅନ୍ୟ ଏକ ବିଶେଷ ଦିଗ ପ୍ରତି ଆଲୋକପାତ କରନ୍ତି । ସେଇଟି ହେଲା ଏପରି ଧାଡିମାନ ରଚିବାର ତାଙ୍କ କୌଶଳ ଯେଉଁ ଧାଡିଗୁଡିକ ଶୀରକେନ୍ଦ୍ର ଦେଇ ଦେହରେ ପ୍ରବେଶ କରିଯାଆନ୍ତି ଓ ମୁଣ୍ଡ ଭିତରେ ବସା ବାନ୍ଧନ୍ତି । ଏଠି କେତୋଟି ଉଦାହରଣ ଦେଖିବା ଚାଲନ୍ତୁ ।

ଅନ୍ଧକାରରେ ହିଁ
ତୁମେ ତୁମ ନିଜ ଜାତିର ଆଲୋକ ଖୋଜ,
ଯେପରି ଗୋଟିଏ ଅଜନ୍ମା ଶିଶୁର ଗର୍ଭରେ ।
(ସ୍ୱାଇଁ ୨୦୦୨: 'ଗ୍ରେସ ଅଫ୍ ଡାର୍କ୍ନେସ୍', ୧୫)


.... ଯେମିତି ତୁମେ ମୋତେ ଚାହିଁଲ
ମନେ ହେଲା ମୁଁ ହେଉଛି ବାସ୍ତବତା
ଓ ତୁମ ଚାହାଣୀ ଏହାକୁ ଦେଖିବାର
ଅନ୍ୟତମ ବାଟ । 
(ସ୍ୱାଇଁ ୨୦୦୮: ‘ମାଇ ୱେଡିଙ୍ଗ୍ ନାଇଟ୍’, ୪୭)


ଇନ୍ଦ୍ରଧନୁଗୁଡା ପିଲାଙ୍କ ପ୍ରାର୍ଥନା ଅଟନ୍ତି...
ପିଲାମାନେ ଯଦି କେବେ କାହା ପକ୍ଷରେ,
ତେବେ ସେମାନେ ଦେବତାଙ୍କ ପକ୍ଷଭୁକ୍ତ:
କାରଣ ଦେବଗଣ ସଦାକାଳେ ବାଳୁତ । 
(ସ୍ୱାଇଁ ୨୦୦୮ : ‘ଚିଲଡ୍ରେନ୍ସ ସିକ୍ରେଟସ୍’, ୬୬)


ଅବଶ୍ୟ ଏହି କବିତାଗୁଡ଼ିକରେ କିଛି ବିସଙ୍ଗତି ମଧ୍ୟ ରହିଛି । ଗୋଟିଏ ବା ଦୁଇଟି ଜାଗାରେ ପଦ ରଚନା ଉପରେ କବିଙ୍କ ନିୟନ୍ତ୍ରଣ ଟିକେ ଢିଲା ମନେ ହୁଏ । ଯେତେବେଳେ ଶ୍ରୀଯୁକ୍ତ ସ୍ୱାଇଁ ସମସାମୟିକ ଘଟଣା ଉପରେ ସିଧା କିଛି କହୁଛନ୍ତି (ଯେପରିକି ୧୯୯୯ ଅକ୍ଟୋବରରେ ଓଡିଶା ଉପକୂଳକୁ ମାଡିଆସିଥିବା ମହାବାତ୍ୟା ବିଷୟରେ), କବିତାଗୁଡିକ ପଥହରା ହୋଇଯାଇଛନ୍ତି ଓ ଏଣେତେଣେ ଧାଇଁଛନ୍ତି । କିନ୍ତୁ ସେମିତି କବିତା ମାତ୍ର ଅଳ୍ପ କେତୋଟି ଯେ ଦୁଇ ହାତରେ ଗଣିଦେଇ ହେବ । ମୋଟାମୋଟି କହିବାକୁ ଗଲେ ବହି ଦୁଇଟିର କବିତାଗୁଡିକ ଖୁବ ସୁନ୍ଦର ଭାବେ ଆମ ଅନୁଭବର କଥା କହିଛନ୍ତି । ଇଣ୍ଡିଆଲୋଗ୍ ଓ ଅଥର୍ସ୍ ପ୍ରେସ୍ ଏ ଦୁଇଟି ବହିର ପ୍ରକାଶନ ପାଇଁ ଅଭିନନ୍ଦନର ପାତ୍ର, ଯଦିଓ ‘ସୁସୁରଶ୍ ଇନ୍ ଦ ସ୍କଲ୍’ ବହିଟିର ମଲାଟ ବହିରେ ଥିବା କବିତାମାନଙ୍କ ପ୍ରତି ନ୍ୟାୟ କରିପାରିନାହିଁ ।

ବି.ଦ୍ର. ଏହି ଲେଖାଟି ପ୍ରଥମେ ଇଂରାଜୀ ଅନ୍ଲାଇନ୍ ସାହିତ୍ୟ ପତ୍ରିକା 'ମ୍ୟୁଜ୍ ଇଣ୍ଡିଆ'ର ୨୮ ନମ୍ବର ସଂଖ୍ୟାରେ ୨୦୦୯ ମସିହାରେ ଛପାଯାଇଥିଲା ।