Showing posts with label ନାନାଦି. Show all posts
Showing posts with label ନାନାଦି. Show all posts

Sunday, July 01, 2018

ଲାଲୋନ୍ ଫକୀରଙ୍କର ଗୋଟିଏ ଗୀତ

ଉପସ୍ଥାପନା ଓ ଟୀକା - ଜ୍ୟୋତି ନନ୍ଦ

ଗାୟନ - ଅନୁଶେଃ ଆନାଦିଲ

ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=DDHaR_hrxt8


ଲାଲୋନ ଶାହ (୧୭୭୨-୧୮୯୦) ଙ୍କର ଏକ ଚିତ୍ର (୧୮୮୯ ମସିହାରେ ଅଙ୍କିତ)
ଚିତ୍ରକର - ଜ୍ୟୋତିରିନ୍ଦ୍ରନାଥ ଠାକୁର (୧୮୪୯-୧୯୨୫)

ତୋମାର ଘରେ ବାସ୍ କରେ କାରା
ଓ ମନ୍ ଜାନ ନା
ତୋମାର୍ ଘରେ ବସତ୍ କରେ କୟ ଜନା
ମନ୍ ଜାନ ନା
ତୋମାର୍ ଘରେ ବସତ କରେ କୟ ଜନା ?

ଏକ ଜନାୟ ଛବି ଆଙ୍କେ ଏକ ମନେ
ଓ ରେ ମନ
ଆରେକ ଜନାୟ ବସେ ବସେ ରଙ୍ଗ ମାଖେ
ଓ ଆବାର ସେଇ ଛବିଖାନା ନଷ୍ଟୋ କରେ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ଏକ ଜନାୟ ସୁର୍ ତୋଲେ ଏକ ତାରେ
ଓ ମନ, ଆରେକ ଜନ ମନ୍ଦିରାତେ ତାଳ ତୋଲେ
ଓ ଆବାର ବେସୁରା ସୁର୍ ଧରେ ଦେଖୋ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ରସ ଖାଇୟା ହଇୟା ମାତ୍, ଏ ଦେଖୋ
ହାତ୍ ଫସକେ ଯାୟ ଘୋଡ଼ାର ଲାଗାମ୍
ସେଇ ଲାଗାମ ଖାନା ଧରେ ଦେଖୋ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ଟୀକା - ଲାଲୋନ୍ ଫକୀର ବା ମହାତ୍ମା ଲାଲୋନ ପ୍ରତିବେଶୀ ରାଜ୍ୟର ଜଣେ ରହସ୍ୟବାଦୀ ବାଉଲ କବି । ତାଙ୍କର ସମୟକାଳ ହେଉଛି ୧୭୭୨ ଖ୍ରୀଷ୍ଟାବ୍ଦରୁ ୧୮୯୦ ଖ୍ରୀଷ୍ଟାବ୍ଦ । ଲାଲୋନ ଫକୀର ରବୀନ୍ଦ୍ରନାଥ, କାଜି ନଜରୁଲ୍‌ଙ୍କ ଲେଖାକୁ ବିଶେଷ ଭାବରେ ପ୍ରଭାବିତ କରିଛନ୍ତି । ଆମେରିକୀୟ କବି ଆଲେନ୍ ଜିନସବର୍ଗ ଲାଲୋନ୍ ଫକୀରଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି । ଲାଲୋନଙ୍କ ଗୀତ ଉଭୟ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସମାନ ପରିମାଣରେ ଅଦ୍ଭୁତ ଭାବରେ ଲୋକପ୍ରିୟ । ସେଠାରେ ବର୍ତ୍ତମାନ ପ୍ରଜନ୍ମର ଲୋକଗୀତି ଶିଳ୍ପୀମାନେ ତଥା ଏ ଦିଗରେ ପ୍ରସ୍ତୁତ ବ୍ୟାଣ୍ଡ୍‌ମାନେ ସେମାନଙ୍କର ପରିବେଷଣରେ ଲାଲୋନ-ଗୀତିକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଲାଲୋନ-ଗୀତି ନିଶ୍ଚିତ ଭାବରେ ଶ୍ରୁତି ମଧୁର କିନ୍ତୁ ଯଦି ତାହାକୁ ଆମେ ଖାଲି କବିତା ଆକାର ପଢ଼ିବା, ତେବେ ଲାଗିବ ଯେମିତି ଲାଲୋନ ଫକୀର ଆମ ସମୟର ପ୍ରବୀଣ ମରମି କବିଟିଏ । ଏହାର ମାଧୁର୍ଯ୍ୟକୁ ଅବିକଳ ରଖିବା ପାଇଁ ଅନୁବାଦ କରିବାରୁ କ୍ଷାନ୍ତ ରହୁଛି । ଆଶା ଆପଣଙ୍କୁ ବଙ୍ଗଳାଭାଷାର ଏଇ ଗୀତଟିକୁ ବୁଝିବାରେ ସେମିତି କଷ୍ଟ ହେବନାହିଁ  ।

Sunday, April 15, 2018

ପ୍ରାଦେଶିକତା 

(କୁଙ୍କୁମ ପୃଷ୍ଠାରୁ ଏକ ସମ୍ପାଦକଙ୍କୁ ଚିଠି)

ମଧୁସୂଦନ ପଟ୍ଟନାୟକ (କଲିକତା)


ଭାରତର ହାଇଦ୍ରାବାଦ ରାଜ୍ୟ ଦଖଲ ପରେ ସମର୍ପଳ ପର୍ବ (ୱିକିମିଡିଆ କମନ୍ସ୍) 

କିଛିଦିନ ପୂର୍ବରୁ ଅର୍ଥାତ୍ ହାଇଦ୍ରାବାଦର ଦଖଲର ଠିକ୍ ପରେପରେ ଭାରତର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । 

ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଡାକ୍ତର ବି. ସି. ରାୟ କହିଥିଲେ ଯେ ସେ ଖୁବ ଗର୍ବ ଅନୁଭବ କରୁଚନ୍ତି କାରଣ ହାଇଦ୍ରାବାଦ ଅଭିଯାନର ସଫଳତା ଭିତରେ ବଙ୍ଗାଳୀ ମେଜର୍ ଜେନେରାଲ୍ ଚୌଧୁରୀ, ମେଜର୍ ଜେନେରାଲ୍ ରୁଦ୍ର ଓ ଏଆର ଭାଇସମାର୍ସାଲ ମୁଖାର୍ଜି ନିହିତ ଅଛନ୍ତି । 

ଜଣେ କଙ୍ଗ୍ରେସ ପ୍ରଧାନମନ୍ତ୍ରୀଙ୍କର ଏପରି ଶସ୍ତା, ପ୍ରାଦେଶିକ ଅଭିମତରେ ମୁଁ ଦୁଃଖ ପ୍ରକାଶ କରୁଛି । ଆମର ସୈନ୍ୟ ବିଭାଗ କୌଣସି ଗୋଟିଏ ପ୍ରଦେଶର ନୁହେଁ, ସମୁଦାୟ ଭାରତର ।    

ବି.ଦ୍ର. - ସୃଜନିକା ଅନୁଷ୍ଠାନ ଦ୍ୱାରା ଡିଜିଟାଲକରଣ ହୋଇଥିବା ହାତଲେଖା ପତ୍ରିକା 'କୁଙ୍କୁମ'ର ପ୍ରଥମ ବର୍ଷର ଦ୍ୱିତୀୟ ସଙ୍ଖ୍ୟା (ନଭେମ୍ବର ୧୯୪୮)ରୁ ଆହୃତ । ପତ୍ରିକାଟି ବମ୍ବେରୁ ପ୍ରକାଶିତ ହେଉଥିଲା । ସମ୍ପାଦକ ଥିଲେ ଦେବ ମହାପାତ୍ର । ପରିଚାଳନା ସମ୍ପାଦକ ଥିଲେ ଧୀରେନ୍ ଦାଶ ।

Wednesday, April 11, 2018

ସାପ୍ତାହିକ ସମ୍ବାଦ (ଉତ୍କଳ ଦୀପିକା ପୃଷ୍ଠାରୁ)


ପେଣ୍ଟନଭିଲ ଜଇଲର ଚିତ୍ର (ୱିକିମିଡିଆ କମନ୍ସ୍)

ଏ ସପ୍ତାହ ମଧ୍ୟରେ କଟକ ସହରରେ ଗୋଟିୟେ ଦୁର୍ଘଟଣା ହୋଇଅଛି । ଲୁଣିଆସାହୀ ନିବାସୀ ରଘୁରାଜ ନାମକ ଏ ବ୍ୟକ୍ତିର ନାତିକୁ କେହି ଦୁରତ୍ମା ହତ୍ୟାକରି ପାଣସାହୀ ପୋଖରୀରେ ପକାଇ ଦେଇଥିଲା । ପିଲାର ବୟସ ଅନ୍ଦାଜ ବ୮ର୍ଷ । ଲାସ ତଦାରଖରେ ଦେଖାଗଲା ଯେ ତାହା ବେକ ମୁଣ୍ଡରେ ଅସ୍ତ୍ରର ଚିହ୍ନମାନ ଅଛି । ଓ ତାହାର ହାତରେଥିବା ଟ୧।ଅଣା ମୂଲ୍ୟର ଖଡ଼ୁ ବାହାର କରିନେଇ ଅଛି । ମକଦ୍ଦମା ପୁଲିସ ଦ୍ୱାରା ଅନୁସନ୍ଧାନ ହେଉଅଛି ମାତ୍ର ଆସାମିର କିଛିମାତ୍ର ସନ୍ଧାନ ପାୟାଯାଇ ନାହିଁ । ହଏ ! ଟ୧। ପାଇଁ ନରହତ୍ୟା ! ଏଥିରୁ ଆଉ ଅଧିକ ଦୁଷ୍କର୍ମ କି ଅଛି । ଅଥବା ଦୁର୍ଭିକ୍ଷ ଇତର ମନ୍ୟୁଷଙ୍କୁ କି ପର୍ଯ୍ୟନ୍ତ କାତର କରିଅଛି । ଏ ଭୟାନକ ଘଟଣା ସେଥିର ପରିଚୟ ମାତ୍ର ଦେଉଅଛି ।

ସମ୍ପାଦକୀୟ ଟୀକା - ଏହି ଅପରାଧ ଖବରଟି 'ଉତ୍କଳ ଦୀପିକା' ୧୮୬୬ ମସିହାର ସେପ୍ଟେମ୍ବର ଆଠ ତାରିଖରେ ପ୍ରକାଶିତ ସଙ୍ଖ୍ୟାରେ ଛପାଯାଇଥିଲା । ଉତ୍କଳ ଦୀପିକାର ଏହି ପ୍ରତିଟି ପାଇଁ ଆମେ ସୃଜନିକା ସଂସ୍ଥା ନିକଟରେ କୃତଜ୍ଞ ।

Thursday, February 15, 2018

ପ୍ରେସ ବିଜ୍ଞପ୍ତି : ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ’ର ସମ୍ପ୍ରସାରିତ କାର୍ଯ୍ୟକାରୀ ସମିତିର ସଭାରେ ନିଷ୍ପତ୍ତି

ତାରିଖ : ୧୦ ଫେବୃଆରୀ, ୨୦୧୮



ଜାଗତିକ ମାନବ ଅଧିକାର ଘୋଷଣାପତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡିଶା’ ଦାବି କରେ କି ସମ୍ବିଧାନ ପ୍ରଦତ୍ତ ସାଧାରଣ ଲୋକଙ୍କର ସମସ୍ତ ଅଧିକାରକୁ ସରକାର ସମ୍ମାନ ଜଣାଇବା ସହିତ ଓଡିଶାରେ ଅର୍ଦ୍ଧସାମରିକ ବାହିନୀକୁ ପ୍ରତ୍ୟାହାର ସାଙ୍ଗକୁ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ପାଇଁ ସ୍ଥାନୀୟ ପୁଲିସ ଉପରେ ଭରସା ସ୍ଥାପନ କରାଯାଉ; ଯେଉଁଭଳି ବିଚାରାଧୀନ କଏଦୀଙ୍କର ସଙ୍ଖ୍ୟା ବଢିବାରେ ଲାଗିଛି, ସେଥିପାଇଁ ବର୍ଷକରୁ ଅଧିକ କାଳ ବିଚାରାଧୀନ କଏଦୀ ଭାବରେ ବିତାଇ ଥିବା ସମସ୍ତ ‘ଅପରାଧୀ’ଙ୍କୁ ମୁକ୍ତ କରାଯାଉ; ତଥା, ସମସ୍ତ ସ୍ତରର କୋର୍ଟର ବିଚାର ପ୍ରକ୍ରିୟାକୁ ଏକ ବର୍ଷ ମଧ୍ୟରେ ସମାପ୍ତ କରାଯାଇ ଦୋଷୀ ଅପରାଧୀକୁ ଦଣ୍ଡିତ କରାଯାଉ ଓ ନିର୍ଦ୍ଦୋଷଙ୍କୁୁ ମୁକ୍ତ କରାଯାଉ । ଗଲା ୧୦ ଫେବୃଆରୀ, ୨୦୧୮ ଦିନ ଭୁବନେଶ୍ଵର ସ୍ଥିତ ନେହେରୁ ଯୁବ ପ୍ରତିଷ୍ଠାନ ଠାରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ’ର ସମ୍ପ୍ରସାରିତ କାର୍ଯ୍ୟକାରୀ ସମିତିର ସଭା ଅନୁଷ୍ଠିତ ହେବା ଅବସରରେ ସରକାରଙ୍କ ଉପରେ ଏହି ଦିଗରେ ଚାପ ପ୍ରୟୋଗ ଲାଗି ନିଷ୍ପତ୍ତି ନିଆଯାଇଛି । ଡାକ୍ତର ଫକିର ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସଙ୍ଗଠନର ଆଠଟି ଜିଲ୍ଲାର ପ୍ରତିନିଧି ଯୋଗ ଦେଇଥିଲେ ।          

ସାଧାରଣ ସମ୍ପାଦକ ଦେବ ରଞ୍ଜନଙ୍କ ଦ୍ଵାରା ଗଲା ବର୍ଷକର ବିବରଣୀ ପାଠ ଉପରେ ଆଲୋଚନା ହୋଇ ସ୍ଥିରୀକୃତ ହେଲା ଯେ ରାଜ୍ୟର ଯୁବ ବର୍ଗଙ୍କ ଭିତରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ ଓ ରାଜ୍ୟକୁ ସାମ୍ପ୍ରଦାୟିକ ଶକ୍ତିଙ୍କର ବିଭାଜନକାରୀ ଚାଲବାଜିରୁ ମୁକ୍ତ ରହିବା ପାଇଁ ସଙ୍ଗଠନ କାମ କରିବ । ଏଥିରେ ନିଆଯାଇଥିବା ଅନ୍ୟ କେତେକ ନିଷ୍ପତ୍ତି କ୍ରମେ ସଙ୍ଗଠନ ଦାବୀ କରେ କି,                      
  • ରାଜ୍ୟ ସରକାର ଅର୍ଦ୍ଧସାମରିକ ବଳ ପାଇଁ ଉଦ୍ଦିଷ୍ଟ ବଜେଟକୁ ସାଧାରଣ ଲୋକଙ୍କ ଜମିରେ ଜଳସେଚନ, ଶୀତଳ ଭଣ୍ଡାର ସ୍ଥାପନ, ସମବାୟ ସମିତି ସ୍ଥାପନ, ଉନ୍ନତ ଚିକିତ୍ସା ଓ ଶିକ୍ଷା ଲାଗି ଭିତ୍ତିଭୂମି ସ୍ଥାପନ ଇତ୍ୟାଦି ଦିଗରେ ଖର୍ଚ୍ଚ କରନ୍ତୁ । 
  • ଅଧିକାଂଶ କ୍ଷେତ୍ରରେ ଆଦିବାସୀ ଓ ଦଳିତ ବର୍ଗର ଲୋକେ ହାଜତ ମୃତ୍ୟୁ ଭଳି ପୁଲିସର ଅଘୋଷିତ ଦମନର ଶିକାର ହେଉଛନ୍ତି । ଏ କ୍ଷେତ୍ରରେ ପୁଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରି ଫାଷ୍ଟଟ୍ରାକ କୋର୍ଟରେ ଏହାର ବିଚାର କରାଯାଉ । 
  • ଆଦିବାସୀ, ଦଳିତ, ଚାଷୀ, ଶ୍ରମିକ ଓ ନିଜ ଅଧିକାରର ସୁରକ୍ଷାର ଆନ୍ଦୋଳନରେ ସମ୍ପୃକ୍ତ କର୍ମୀଙ୍କୁ ରାଜନୈତିକ କର୍ମୀର ମାନ୍ୟତା ଦିଆଯିବା ଓ ରାଜନୈତିକ ବନ୍ଦୀଙ୍କ ବିଚାର ତ୍ଵରିତ ହେବା ତଥା ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ସରକାର ତାହାର କ୍ଷତିପୂରଣ ଓ ପେନସନ ବ୍ୟବସ୍ଥା ପାଇଁ ଏକ ନୂତନ ଆଇନ ସରକାର ଆଣିବାକୁ ସଙ୍ଗଠନ ଦାବୀ କରିବ ।
  • କେନ୍ଦ୍ର ସରକାର ଭାରତୀୟ ପିଙ୍ଗଳ ସଂହିତାର ଧାରା ୧୨୪ – (କ) ବା ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରନ୍ତୁ । 
  • ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରଗୁଡ଼ିକୁ ସମ୍ମାନ ଜଣାଇ ଓ ଜନସାଧାରଣଙ୍କ ଦୀର୍ଘ ଆନ୍ଦୋଳନ ହେତୁ କେତେକ ଲୋକାଭିମୁଖୀ ଆଇନ ସଂସଦରେ ପାସ ହୋଇପାରିଛି ଯଥା ଜଙ୍ଗଲ ଅଧିକାର ଆଇନ ୨୦୦୮; ତଥ୍ୟ ଜାଣିବାର ଅଧିକାର, ଏସସି ଆଣ୍ଡ ଏସଟି (ପ୍ରିଭେନସନ ଅଫ ଆଟ୍ରୋସିଟି) ଆକ୍ଟ, ୧୯୮୯ ଇତ୍ୟାଦି । ସେଗୁଡ଼ିକୁ ଲାଗୁ କରାଯାଉ ଓ ଶ୍ରମ ଆଇନର ପ୍ରସ୍ତାବିତ ସଂଶୋଧନକୁ ବନ୍ଦ କରାଯାଉ ।
  • ସମସ୍ତ ଏନକାଉଣ୍ଟର କ୍ଷେତ୍ରରେ ସୁପ୍ରିମକୋର୍ଟର ଆର.ଏମ. ଲୋଧା ଓ ରୋହିନ୍‌ଟନ୍ ନାରୀମ୍ୟାନ୍‌ଙ୍କ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶାବଳୀକୁ  ଲାଗୁ କରାଯାଉ ।           

ଏହି ଆଲୋଚନାରେ ପ୍ରଫେସର ବିରେନ୍ଦ୍ର ନାୟକ, ଆଡଭୋକେଟ ଏନ. ଅହମ୍ମଦ, ଜ୍ଞାନରଞ୍ଜନ, କାର୍ତ୍ତିକ ସାହୁ ଓ ପଞ୍ଚାନନ ପରିଡ଼ାଙ୍କ ସମେତ ଦେବୀ ପ୍ରସନ୍ନ, ସୁରେନ୍ଦ୍ର, ବିଦେଶୀ, ସୁନାକର ବଳ, ନୀହାର ଦାଶ, ପ୍ରତାପ ଚିନାରା, ବିଜୟ ସାହୁ ଇତ୍ୟାଦି ଯୋଗଦେଇଥିଲେ । ଶେଷରେ ଆବାହାକ ବ୍ରଜେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 

Monday, November 06, 2017

କୁନ୍ଦୁଲି ନାବାଳିକା ବଳାତ୍କାର ଘଟଣା ସମ୍ପର୍କରେ ପ୍ରେସ ବିଜ୍ଞପ୍ତି 

କୋରାପୁଟ, ୨୫.୧୦.୧୭


କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ରେଳଷ୍ଟସନର ଦୃଶ୍ୟ
ଫଟୋ କ୍ରେଡ଼ିଟ -  ୱିକିମିଡିଆ କମନ୍ସ୍


ଅକ୍ଟୋବର ମାସର ଦଶ  ତାରିଖ ଦିନ କୁନ୍ଦୁଲି ଅଞ୍ଚଳରେ ଜଣେ ନାବାଳିକା ପ୍ରତି ଯବାନମାନଙ୍କ ଦ୍ୱାରା ଗଣ ବଳାତ୍କାର ହୋଇଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକାରିଣୀ ଜଣେ ଦଳିତ ବର୍ଗର ନାବାଳିକା ଏବଂ ତାଙ୍କ ଅଭିଯୋଗ ଅନୁସାରେ ଅପରାଧକର୍ତ୍ତା ୟୁନିଫର୍ମ ପିନ୍ଧା ଓ ବନ୍ଧୁକଧାରୀ ଚାରିଜଣ ଯବାନ ହୋଇଥିବାରୁ ଘଟଣାର ଯଥେଷ୍ଟ ଗୁରୁତ୍ୱ ରହିଛି । ଘଟଣାର ପ୍ରତିବାଦରେ ଅଞ୍ଚଳବାସୀ ରାସ୍ତାରୋକୋ ସମେତ ବିଭିନ୍ନ ଭାବରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏ ଅଞ୍ଚଳରେ ବହୁସଙ୍ଖ୍ୟାରେ ଦୀର୍ଘଦିନ ଧରି ଯବାନମାନଙ୍କୁ ମୁତୟନ କରାଯାଇଛି । ପୂର୍ବରୁ ବିଭିନ୍ନ ସମୟରେ ସେମାନଙ୍କ ଦ୍ୱାରା ସାଧାରଣଲୋକଙ୍କ ଅଧିକାର ଉଲ୍ଲଙ୍ଘନ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି ।  

ଏ ପରିପ୍ରେକ୍ଷୀରେ କୁନ୍ଦୁଲି ଘଟଣାର ଗୁରୁତ୍ୱ ଉପଲବ୍ଧି କରି, ମାନବିକ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ଓଡ଼ିଶାର ତିନୋଟି ସଙ୍ଗଠନ ଯଥା, ପିୟୁସିଏଲ୍, ମିଥ୍ୟା ମକଦ୍ଧମା ବିରୋଧୀ ଅଭିଯାନ ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନର ପ୍ରତିିନିଧିମାନେ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ତା୨୩ ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଅନୁସନ୍ଧାନ କରିଥିଲେ । ପ୍ରତିିନିଧିମାନେ ପୀଡ଼ିତା ନାବାଳିକା, ତାଙ୍କର ପରିବାରବର୍ଗ, ଗ୍ରାମବାସୀ, ଜେରା କରାଯାଉଥିବା ଦୁଇ ଜଣ ନାବାଳକଙ୍କ ସମେତ, ଗାଁର ଚାରି ଜଣ ଯୁବକ, କୁନ୍ଦୁଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପଟାଙ୍ଗୀ ଥାନା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଡି.ଏସ୍.ପି. ଏଚ୍.ଆର୍.ପି.ସି. ଇତ୍ୟାଦିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ବୁଝିଥିଲେ । ତାହା ସହିତ ଗଣମାଧ୍ୟମରେ ଲଗାତାର ଭାବେ ପ୍ରକାଶିତ ସମ୍ବାଦର ଅନୁଧ୍ୟାନ ମଧ୍ୟ କରିଥିଲେ । ଦଳ ତାହାର ପ୍ରାଥମିକ ଅନୁସନ୍ଧାନର ଆଧାରରେ ନିମ୍ନଲିଖିତ  ବିଷୟ ଉପସ୍ଥାପନ କରୁଅଛି ।

ପୀଡ଼ିତାର ସ୍ଥିତି ସମ୍ପର୍କରେ


୧. ପୀଡ଼ିତା ଏବେ ମଧ୍ୟ ଗମ୍ଭୀର ମାନସିକ ଅସ୍ଥିରତା, ଉଦବେଗ ଓ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ସମୟରେ ତାଙ୍କୁ ଉପଯୁକ୍ତ ତଥା ସମ୍ବେଦନଶୀଳ ଯତ୍ନ ଆବଶ୍ୟକ । ଏବେ ପନ୍ଦର ଦିନ ହେଲା ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି । ଅନେକ ଦିନ ଧରି ତାଙ୍କୁ ପ୍ରସୂତି ୱାର୍ଡ୍ ରେ ରଖାଯାଇଥିଲା, ଯାହା ବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକା ପାଇଁ ଏକ ଦଣ୍ଡ ଅଟେ ।

୨. ପୀଡ଼ିତାର ଶାରୀରିକ ସ୍ଥିତି ଏବଂ ଚିକିତ୍ସା ବିଷୟରେ ତାଙ୍କୁ କିମ୍ବା ତାଙ୍କର ପରିବାରଙ୍କୁ ବିଶ୍ୱାସକୁ ନିଆଯାଇ ସମସ୍ତ ସୂଚନା ଦିଆଯାଉ ନାହିଁ ।

୩. ପୀଡ଼ିତାଙ୍କର ପରିବାର ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର । ଘଟଣା ପରେ ସେମାନେ ମଧ୍ୟ ସବୁ ଦିଗରୁ ପ୍ରଭାବିତ ଏବଂ ଘୋର ମାନସିକ ଓ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଛନ୍ତି ।

ତଦନ୍ତର ଦିଗ ସମ୍ପର୍କରେ


୧. ପୀଡ଼ିତାଙ୍କର ଅଭିଯୋଗ ଅନୁସାରେ ଯେଉଁ ସବୁ ଦିଗଗୁଡ଼ିକ ତଦନ୍ତର ପରିସରଭୁକ୍ତ ହେବା କଥା, ସେ ସମସ୍ତ ଦିଗ ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉ ନାହିଁ । ବରଂ, ଅଭିଯୋଗରେ ଉଲ୍ଲେଖ ନଥିବା ଗାଁ ପିଲାମାନଙ୍କ ଉପରେ ତଦନ୍ତର ଧ୍ୟାନ କେନ୍ଦ୍ରିତ କରାଯାଇଛି ।

୨. ସବୁଠାରୁ ଉଦବେଗର ବିଷୟ ହେଉଛି ଯେ, ତଦନ୍ତ ଆଳରେ କିଶୋର ନ୍ୟାୟ ବ୍ୟବସ୍ଥାର ବିଭିନ୍ନ ଆଇନକାନୁନ ଉଲଙ୍ଘନ କରାଯାଇ, ଦୁଇ ନାବାଳକଙ୍କୁ ବିଭିନ୍ନ ଭାବରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଛି । ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ବିଭିନ୍ନ ଭାବରେ ହଇରାଣ ହରକତ କରାଯାଉଛି । ବାରମ୍ବାର କୋରାପୁଟ ଏସ୍.ପି. ଅଫିସକୁ ଡାକି ଗାଁର ଅନ୍ୟ ଦୁଇ ଯୁବକ ଓ ନାବାଳକଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିବା, ମାଡ଼ ଦେବା, ରାତିରେ ନାବାଳକକୁ ନେଇ ପୀଡ଼ିତା ସହିତ ମୁହାଁମୁହିଁ କରେଇବା, ରାତିରେ ପୁଲିସ ଫୋର୍ସ ନେଇ ଗାଁ ତନଖି କରିବା, ନାବାଳକର ମିଛ ଧରା ପରୀକ୍ଷା କରେଇବା ଇତ୍ୟାଦି ଭାବରେ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି ।

୩. ଅପର ପକ୍ଷେ, ପୀଡ଼ିତା ଅଭିଯୋଗରେ ଉଲ୍ଲେଖ କରିଥିବା ‘ଯବାନ’ମାନଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତକୁ ସେଭଳି ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ୁ ନାହିଁ - ଯେପରି କି, ସନ୍ଧାନୀ କୁକୁରର ବ୍ୟବହାର ନ କରିବା, ବୟାନ ଅନୁଯାୟୀ ସନ୍ଦିଗ୍ଧ ଅପରାଧୀର ସ୍କେଚ୍ ଜାରି ନ କରେଇବା, ସମ୍ପୃକ୍ତ ଅଞ୍ଚଳକୁ କୁମ୍ବିଂ ପାଇଁ ଆସୁଥିବା ଆନ୍ଧ୍ର-ଓଡ଼ିଶା ମିଳିତ ସୁରକ୍ଷା ବଳକୁ ତଦନ୍ତ ପରିସରଭୁକ୍ତ ନ କରିବା, ଟେଲିଫୋନ୍ ସିଡ଼ିଆର୍ କୁ ତଦନ୍ତରେ ଅନ୍ତର୍ଭୁକ୍ତ ନ କରିବା ଇତ୍ୟାଦି ।

ସୁପାରିଶ


୧. ପୀଡ଼ିତାଙ୍କର ମାନସିକ ସ୍ଥିତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର । ସେ ପୁଣି କେମିତି ସ୍କୁଲ ଯାଇ ପାରିବେ ତଥା ଏକ ସ୍ୱାଭାବିକ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବିତେଇପାରିବେ, ସେହି ବ୍ୟବସ୍ଥା କରାଯିବା ଦରକାର ।

୨. ତଦନ୍ତ ନାମରେ ଗ୍ରାମବାସୀ, ଯୁବକ ତଥା ନାବାଳକମାନଙ୍କୁ ମାନସିକ ବା ଶାରୀରିକ ନିର୍ଯ୍ୟାତନା ଦିଆ ନ ଯାଉ ।

୩. ପୀଡ଼ିତାଙ୍କର ଅଭିଯୋଗପତ୍ର ଆଧାରରେ ସମସ୍ତ ଦିଗକୁ ତଦନ୍ତ କରାଯାଉ ।

ପ୍ରମୋଦିନୀ ପ୍ରଧାନ, ଶରନ୍ୟା ନାୟକ - ପିପୁଲସ୍ ୟୁନିଅନ ଫର୍ ସିଭିଲ୍ ଲିବର୍ଟିଜ୍ (ପିୟୁସିଏଲ୍), ଓଡ଼ିଶା
ନରେନ୍ଦ୍ର ମହାନ୍ତି - ମିଥ୍ୟା ମକଦ୍ଧମା ବିରୋଧୀ ଅଭିଯାନ, ଓଡ଼ିଶା
ଦେବ ରଞ୍ଜନ - ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା 

Friday, October 13, 2017

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡିଶାଙ୍କର ପ୍ରେସ ବିଜ୍ଞପ୍ତି


ତାରିଖ : ୧୧/୧୦/୨୦୧୭


ସ୍ପେନୀୟ ଭାଷାରେ ବୈଶ୍ୱିକ ମାନବ ଅଧିକାର ଘୋଷଣାନାମା ସହ ଏଲିନର ରୁଜଭେଲ୍ଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଜାତିସଙ୍ଘ ଦ୍ଵାରା ସ୍ଥିରୀକୃତ ସାରା ବିଶ୍ୱରେ ଅକ୍ଟୋବର ୧୧ ତାରିଖରେ ଆନ୍ତର୍ଜାତୀୟ ବାଳିକା ଦିବସ ବାଳିକାଙ୍କ ଅଧିକାରର ସୁରକ୍ଷା ଓ ଉପଯୁକ୍ତ ସମ୍ମାନ ଦେବା ଉପଲକ୍ଷେ ପାଳନ କରାଯାଉଥିଲା ବେଳେ, ଓଡିଶାର କୋରାପୁଟ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ସମ୍ପୃକ୍ତ ଚାରି ଜଣ ସୁରକ୍ଷା ଯବାନମାନଙ୍କ ଦ୍ଵାରା ଏକ ଆଦିବାସୀ ବାଳିକା ଗଣଧର୍ଷଣ ହେବା ପରେ ମଧ୍ୟ, ରାଜ୍ୟ ସରକାର ସମ୍ପୃକ୍ତ ଯବାନମାନଙ୍କୁ ଗିରଫ ନକରି ତଥା  ନିଜର ଦାୟିତ୍ତ୍ୱକୁ ଭୁଲି ଅନ୍ୟକୁ ଦୋଷ ଦେଉଛନ୍ତି । ସରକାରଙ୍କ ଏହି ଆଦିବାସୀ ବିରୋଧୀ ମନୋଭାବ ବିରୁଦ୍ଧରେ, ଯବାନଙ୍କ ଦୁଷ୍କର୍ମ ଅପରାଧକୁ ଘୋଡାଇବା ଉଦ୍ୟମ ବିପକ୍ଷରେ ଓ ଉକ୍ତ ବାଳିକାକୁ ଉପଯୁକ୍ତ ଚିକିତ୍ସା ତଥା ସୁରକ୍ଷା ଦାବୀରେ ଏକ ଗଣ ବିକ୍ଷୋଭ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ନିକଟରେ ଆୟୋଜିତ ହୋଇଥିଲା । ଏଥିରେ ଅଖିଳ ଭାରତ ଜନମଞ୍ଚ, ସିପିଆଇ (ଏମ.ଏଲ.) ଲିବେରେସନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଇନସାଫ, ଏନ.ଏ.ପି.ଏମ. ଇତ୍ୟାଦି ସଙ୍ଗଠନର ସଦସ୍ୟ ତଥା ବହୁ ମାନବିକ ଅଧିକାର କର୍ମୀ ମାନେ ଯୋଗ ଦେଇଥିଲେ । ସୁରକ୍ଷା କର୍ମୀଙ୍କର ନିଲମ୍ବନ ଓ ବାଳିକାର ପରିବାରଙ୍କୁ ସୁରକ୍ଷା ସାଙ୍ଗକୁ ୟୁ.ଏ.ପି.ଏ. ଆଇନ ପ୍ରତ୍ୟାହାର ଦାବୀରେ ଅନୁଷ୍ଠିତ ଏହ ଗଣ ବିକ୍ଷୋଭରେ ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡା, ବିଶ୍ଵପ୍ରିୟ କାନୁନଗୋ, ସତୀଶ ମିଶ୍ର, ଅମିୟ ପାଣ୍ଡବ, ଦେବ ରଞ୍ଜନ, ପ୍ରଦୀପ୍ତ ନାୟକ ସମେତ ବହୁ ମାନବିକ ଅଧିକାର କର୍ମୀ ଯୋଗ ଦେଇଥିଲେ ।
ଏହା ପୂର୍ବରୁ ପାଞ୍ଚ ଜଣିଆ ମାନବିକ ଅଧିକାର କର୍ମୀଙ୍କର ଏକ ଦଳ ରାଜ୍ୟ ମାନବିକ ଅଧିକାର କମିଶନ, ଭୁବନେଶ୍ଵରଙ୍କ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଗ୍ରହଣ କରି କମିଶନ ତୁରନ୍ତ ଘଟଣାର ସବିଶେଷ ତଦନ୍ତ ଆଇ.ଜି. ଅଫ ପୋଲିସ, କଟକ ଓ ଅନୁସୁଚିତ ଜାତି ଓ ଜନଜାତି ଆୟୋଗର କମିଶନର-ସମ୍ପାଦକ ଙ୍କୁ ନିଜେ ଘଟଣାସ୍ଥଳକୁ ଯାଇ ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବାଳିକାର ଚିକିତ୍ସା ଲାଗି ସର୍ବୋତ୍ତମ ବ୍ୟବସ୍ଥା କରିବା ଓ ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ମଧ୍ୟ ନେବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ, କୋରାପୁଟଙ୍କୁ ନିର୍ଦ୍ଦେଶ ଦେବା ସହିତ, ସ୍ୱାସ୍ଥ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସାତଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୁରକ୍ଷା କର୍ମୀଙ୍କ ଦ୍ଵାରା ଏପରି ନାରାକୀୟ କାଣ୍ଡ ହେବା ଆଦୌ ନୂଆ ନୁହେଁ । ଅତୀତରେ ଯଦି ସରକାର ଅଥବା କମିଶନ ଘଟଣାକୁ ଗୁରୁତ୍ତ୍ୱର ସହିତ ନେଇଥାଆନ୍ତେ ତେବେ ଆଜି ଉକ୍ତ ବାଳିକା ଏଭଳି ଦୁଷ୍କର୍ମର ଶିକାର ହୋଇନଥାନ୍ତେ । ରାଜ୍ୟ ସରକାର ଅନ୍ୟ ଉପରେ ଦୋଷ ଲଦିବା ଛାଡି ଯବାନଙ୍କୁ ଗିରଫ କରିବା ଓ ମାନବିକ ଅଧିକାର କମିଶନ ଏହାକୁ ଗୁରୁତ୍ତ୍ୱର ସହିତ ନେଇ ଦାୟୀ ଅଫିସର ମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବେ ଲାଗି ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ ଦାବୀ ଜଣାଉଛି ।
ଦେବ ରଞ୍ଜନ,
ସାଧାରଣ ସମ୍ପାଦକ,

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡିଶା

ବି.ଦ୍ର. - ଏହା ଦେବରଞ୍ଜନ ଯୋଗାଇଥିବା ପ୍ରେସ ବିଜ୍ଞପ୍ତିର ସମ୍ପାଦିତ ଅଂଶ ।

Thursday, August 10, 2017

ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଶ୍ରମିକ ଓ ମାନବ ଅଧିକାର ହନନ ବିରୁଦ୍ଧରେ ପ୍ରେସ୍ ବିଜ୍ଞପ୍ତି

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ


କାନାଡ଼ାର ୟୁକନ୍ ପ୍ରଦେଶରେ ସମ୍ଭାବ୍ୟ କ୍ରୋମାଇଟ ଖଣି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳର ଦୁଇ ଶ୍ରମିକ ରବି ମୁର୍ମୁ ଓ ଅଭିମନ୍ୟୁ ମହାନ୍ତଙ୍କୁ ନିଜର କାର୍ଯ୍ୟରୁ ନିଲମ୍ବନ ବିରୁଦ୍ଧରେ ତଥା ଶ୍ରମିକମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ଖଣି ମ୍ୟାନେଜମେଣ୍ଟ ସମୁଖରେ ସଙ୍ଗଠିତ ଭାବରେ ଦାବି ରଖିବା ଓ ନିଜ ସଙ୍ଘର ନେତୃବୃନ୍ଦକୁ ଶ୍ରମିକ ବିରୋଧୀ କାର୍ଯ୍ୟର ଜବାବ ମାଗିବା ହେତୁ, ଉଭୟଙ୍କୁ “ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା”, “ଦେଶ ଦ୍ରୋହ”, “ଦଙ୍ଗା” ତଥା ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସ୍ନ୍ ଆକ୍ଟ୍ (ଇଉ.ଏ.ପି.ଏ.) ଅଧିନରେ 'ମାଓବାଦୀ' ମିଥ୍ୟା ଆରୋପରେ ଗିରଫଦାରିକୁ “ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା” ନିନ୍ଦା କରୁଛି ।
"ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା"ର ଏକ ଚାରିଜଣିଆ ତଥ୍ୟାନୁସନ୍ଧାନକାରୀ ଦଳ କମର୍ଦ୍ଦା ଖଣି ଅଞ୍ଚଳକୁ ଯିବା ସହିତ "ଅଭିଯୁକ୍ତ" ରବି ମୁର୍ମୁଙ୍କ ପରିବାର ସଦସ୍ୟ, ସାଥି ଖଣି ଶ୍ରମିକ, ଶ୍ରମିକ ନେତୃବୃନ୍ଦ, ଓକିଲ ତଥା ସାମ୍ବାଦିକ ମାନଙ୍କୁ ଭେଟିବା ସହିତ ଯାଜପୁର ଉପ-କାରାଗର ଗସ୍ତ କରିଥିଲେ । ସମସ୍ତ ତଥ୍ୟର ଆଧାରରେ ଘଟଣା ସମ୍ପର୍କରେ ଉଲ୍ଲେଖ କରିବାକୁ ଚାହୁଁଛୁ ଯେ, ଯାଜପୁର ଜିଲ୍ଲା କାଲିଆପାଣି ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ଆଦିବାସୀ ଯୁବକ ରବି ମୁର୍ମୁ ଜଣେ ଶ୍ରମିକ ସୁପରଭାଇଜର ଭାବରେ "ଓଡ଼ିଶା ଖଣି ନିଗମ" ଅଧିନସ୍ଥ ବି.ସି. ମହାନ୍ତି ଆଣ୍ଡ ସନ୍ସ୍ ପ୍ରାଇଭେଟ ଲିମିଟେଡ୍ ଅଧୀନରେ କାମ କରୁଥିଲେ । କାଲିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ରାଗଦା ଗ୍ରାମର ଅଭିମନ୍ୟୁ ମହାନ୍ତ, ଜଣେ ଲୋଡିଙ୍ଗ୍ ଖାତାଦାର ଭାବରେ "ଓଡ଼ିଶା ଖଣି ନିଗମ" ଅଧିନରେ ଥିବା ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ।
ଉଭୟ ରବି ମୁର୍ମୁ ଓ ଅଭିମନ୍ୟୁ ମହାନ୍ତ ଶାସକ ବିଜୁ ଜନତା ଦଳ ସମର୍ଥିତ (ତଥା ନିର୍ବାଚିତ ବିଧାନସଭା ସଦସ୍ୟ ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ସଭାପତିତ୍ଵରେ ପରିଚାଳିତ) "ସୁକିନ୍ଦା ଅଞ୍ଚଳ କ୍ରୋମାଇଟ ଖାଦାନ ମଜଦୁର ସଙ୍ଘ"ର ସଦସ୍ୟ ମଧ୍ୟ ଥିଲେ । ମାତ୍ର ଖଣି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଓ ନିଜ ମଜଦୁର ସଙ୍ଘର ଉଦ୍ଦେଶ୍ୟ ମୂଳକ ନୀରବତା ବିରୁଦ୍ଧରେ ପ୍ରତିବାଦ କରିବା ଓ ସାଥି ଶ୍ରମିକମାନଙ୍କୁ ସ୍ଵତନ୍ତ୍ର ଭାବରେ ସଙ୍ଗଠିତ କରିବା ହେତୁ, ଉଭୟ ଏବେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୨୧ (ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା), ୧୨୪କ (ଦେଶ ଦ୍ରୋହ), ୧୪୭ (ଦଙ୍ଗା), ୧୪୮ (ମାରଣାସ୍ତ୍ର ଧରି ଆକ୍ରମଣ) ତଥା  ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସ୍ନ୍ ଆକ୍ଟ୍ (ଯାହାକୁ 'ମାଓବାଦୀ' ଧାରା କୁହାଯାଉଛି)ର ଧାରା  ୧୮ ଓ ୨୦ ତଥା ଆର୍ମସ ଆକ୍ଟ  ୨୫ ଓ ୨୭ ଅପରାଧରେ ଗଲା ଜୁନ ୧୨, ତାରିଖରୁ ଯାଜପୁର ଉପ-କାରାଗରରେ ବନ୍ଦୀ ଜୀବନ କାଟୁଛନ୍ତି ।
"ଓଡ଼ିଶା ଖଣି ନିଗମ" ଠାରୁ ଲିଜ୍ ନେଇ କାମକରୁଥିବା ଠିକାଦାରମାନେ ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରୀ ନଦେବା ଓ ମାସ ମାସ ଧରି ମଜୁରି ବାକିଆ ରଖିବା, ଆନୁଷଙ୍ଗିକ ସୁବିଧା ଯୋଗାଇ ନଦେବା ଓ ସମସ୍ତ ଯୋଗ୍ୟତା ସତ୍ଵେ ଅଣକୁଶଳୀ ଶ୍ରମିକ ଭାବରେ ଦୀର୍ଘ ଦିନ ଧରି ଖଟାଇବା, ବି-ରେଜିଷ୍ଟ୍ରେଶନ ପାଇଁ ପୁଲିସ ଅନୁମତି ଜରୁରୀ କରେଇବା, ଶ୍ରମିକର ସ୍ୱାସ୍ଥ୍ୟ ଦିଗରେ କୌଣସି ଧ୍ୟାନ ନଦେବା, ପରିବେଶ ପ୍ରଦୁଷଣଜନିତ କ୍ଷୟକ୍ଷତି ଦିଗରେ ଆଦୌ ଧ୍ୟାନ ନଦେବା, ଶ୍ରମିକ ଅଶାନ୍ତି ଦେଖିଲେ "ଓଡ଼ିଶା ଖଣି ନିଗମ" ଠିକାଦାରକୁ ବଦଳେଇଦେବା, ତଥା ପୁରୁଣା ଠିକାଦାର ଶ୍ରମିକଙ୍କ ବାକିଆ ପାଉଣା ନଦେଇ ପଳେଇବା - ଏ ସମସ୍ତ ଅଭିଯୋଗ ସତ୍ଵେ "ସୁକିନ୍ଦା ଅଞ୍ଚଳ କ୍ରୋମାଇଟ ଖାଦାନ ମଜଦୁର ସଙ୍ଘ" ନୀରବ ରହିବାର ଅଭିଯୋଗ ହୋଇଆସୁଥିଲା ।
ନିଜ ମଜଦୁର ସଙ୍ଘର ନୀରବତାରେ ଅତିଷ୍ଠ ରବି ମୁର୍ମୁ ଓ ଅଭିମନ୍ୟୁ ମହାନ୍ତ ଶ୍ରମିକମାନଙ୍କୁ ନେଇ ପ୍ରତିବାଦ କରିବା ହେତୁ, ରବି ମୁର୍ମୁଙ୍କର ଚାକିରି ବି.ସି. ମହାନ୍ତି ଆଣ୍ଡ ସନ୍ସ ପ୍ରାଇଭେଟ କମ୍ପାନୀ ଦ୍ଵାରା ନିଯୁକ୍ତ ନୂଆ ଠିକାଦାର ‘କରନେସନ’ କମ୍ପାନୀ ଆସିବା ପରେ ମଧ୍ୟ ନବୀକରଣ କରିନଥିଲା । ଏହା ମୂଳ କମ୍ପାନୀ ଓ ଶାସକ ଦଳର ମଜଦୁର ସଙ୍ଘର ପ୍ରରୋଚନାରେ କରାଯାଇଥିବା ଅଭିଯୋଗ ହୁଏ । ନିଜର ବି-ରେଜିଷ୍ଟ୍ରେଶନ ପାଇଁ ରବି ମୁର୍ମୁଙ୍କୁ ବାରମ୍ବାର କାଲିଆପାଣି ପୁଲିସ ଥାନା ଅଧିକାରୀଙ୍କ ଦ୍ଵାରସ୍ଥ ହେବାକୁ ପଡ଼ିଛି । ପ୍ରତ୍ୟେକ ଯାଜପୁର ବାସିନ୍ଦାଙ୍କ ପାଇଁ ବି-ରେଜିଷ୍ଟ୍ରେଶନ ସମୟରେ ପୁଲିସ ଅନୁମତି ବାଧ୍ୟତାମୂଳକ କରାଯିବା ଅଗଣତାନ୍ତ୍ରିକ । କାଲିଆପାଣି ପୁଲିସ ଥାନା ଅଧିକାରୀ ରବି ମୁର୍ମୁକୁ ପୁଲିସ ଅନୁମତି ନଦେଇ ସମୟ ଗଡ଼େଇ ଚାଲିବା ଅଭିଯୋଗ ହୋଇଥିଲା ଓ ସେଥିପାଇଁ ରବି ଖଣିରେ କାମ ପାଇନଥିଲା ।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ଅନ୍ତର୍ଗତ ରାଗଦା ଗ୍ରାମର ଅଭିମନ୍ୟୁ ମହାନ୍ତ ‘ଓଡିଶା ଖଣି ନିଗମ’ ଅଧିନସ୍ଥ କମର୍ଦ୍ଦା କ୍ରୋମାଇଟ ଖଣିରେ ଜଣେ ଲୋଡିଙ୍ଗ୍ ଖାତାଦର ଭାବରେ ୨୦୦୯ ମସିହାରୁ କାର୍ଯ୍ୟରତ । ତାଙ୍କୁ ଦିଆଯାଇଥିବା ପରିଚୟ ପତ୍ର ଅନୁସାରେ, ସେ ଜଣେ ଅଣ-କୁଶଳୀ ଅସ୍ଥାୟୀ ଶ୍ରମିକ ଭାବରେ "ଓଡିଶା ଖଣି ନିଗମ" ଅଧିନସ୍ଥ ଦକ୍ଷିଣ କାଲିଆପାଣି କ୍ରୋମାଇଟ ଖଣିରେ କାମ କରୁଥିଲେ । ତାଙ୍କର ବି-ରେଜିଷ୍ଟ୍ରେଶନ କ୍ରମିକ ନମ୍ବର ହେଲା ଓ.ଏମ୍.ସି./ଏଲ୍./ଜି.ସି.ଏମ୍./୫୭୬ । ତାଙ୍କର ପରିଚୟ ପତ୍ର ପ୍ରତିବର୍ଷ ନବୀକରଣ ହେଉଛି ଓ ଗଲା ବର୍ଷ ଏହା ୦୭/୧୦/୨୦୧୫ ରୁ ୩୦/୦୯/୨୦୧୬ ପର୍ଯ୍ୟନ୍ତ ନବୀକୃତ ହୋଇଥିଲା । ପୁଣି ତାହା ନବୀକୃତ ହୋଇ ୦୧/୧୦/୨୦୧୬ ରୁ ୩୦/୦୯/୨୦୧୭ ପର୍ଯ୍ୟନ୍ତ ଖଣି ମଧ୍ୟରେ ପ୍ରବେଶ କରିବା ଓ କାମ କରିବା ପାଇଁ ଅନୁମତି ଦିଆ ଯାଇଥିଲା । ତାଙ୍କର ଭବିଷ୍ୟନିଧି କୋର୍ଡ ନମ୍ବର ଓ.ଆର./୧୭୫୯ ଅଟେ । ମାତ୍ର ହଠାତ ତାଙ୍କୁ କୌଣସି କାରଣ ନଦର୍ଶାଇ ଖଣି କର୍ତ୍ତୁପକ୍ଷ ଗଲା ୧୯/୦୫/୨୦୧୭ ତାରିଖରୁ, ତାଙ୍କର ଅନୁମତି ସେପ୍ଟେମ୍ବର ୨୦୧୭ ପର୍ଯ୍ୟନ୍ତ ଥାଇ ମଧ୍ୟ, ଖଣି ମଧ୍ୟକୁ ଯିବା ଓ କାମ କରିବା ବନ୍ଦ କରିଦେଲେ । ଏହାର ବିପକ୍ଷରେ ସେ ଆଇନର ଆଶ୍ରୟ ନେବା ପାଇଁ ଗଲା ଜୁନ ୦୨, ୨୦୧୭ ତାରିଖରେ ଖଣି କର୍ତ୍ତୁପକ୍ଷଙ୍କୁ କାରଣ ଦର୍ଶାଇବା ପାଇଁ ଚିଠି ଲେଖିଥିଲେ ।


ଉଭୟ ଶ୍ରମିକ ରବି ମୁର୍ମୁ ଓ ଅଭିମନ୍ୟୁ ମହାନ୍ତ କମର୍ଦ୍ଦା କ୍ରୋମାଇଟ ଖଣି ସାମ୍ନାରେ ଅନ୍ୟ ଶ୍ରମିକ ମାନଙ୍କୁ ସଂଗଠିତ କରି ସ୍ଵତନ୍ତ୍ର ଭାବରେ କମ୍ପାନୀକୁ ଦାବୀ ପତ୍ର ଦେବା ଉଦ୍ଦେଶ୍ୟରେ ଏକାଠି ହୋଇଥିଲା ବେଳେ ଗଲା ଜୁନ ୧୨, ୨୦୧୭ ତାରିଖରେ ପୁଲିସ ଦ୍ଵାରା "ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା", “ଦେଶଦ୍ରୋହ” ଓ "ଇଉଏପିଏ" କେସରେ ଗିରଫ ହୋଇଛନ୍ତି । ଉଭୟ ରବି ଓ ଅଭିମନ୍ୟୁ କମର୍ଦ୍ଦା ଖଣିର ଜୋରଜବରଦସ୍ତି ଆଦିବାସୀ ଜମି ଅକ୍ତିଆରକୁ ମଧ୍ୟ ବିରୋଧ କରୁଥିଲେ । କାଲିଆପାଣି ଥାନା ଅନ୍ତର୍ଗତ ମାସେସାହି ଗ୍ରାମର ଆଦିବାସୀମାନଙ୍କୁ କୌଣସି କ୍ଷତିପୂରଣ ନଦେଇ ଏପରିକି ସେମାନଙ୍କ କୌଣସି ଜୀବିକାର ସୁରକ୍ଷା ନକରି ‘ଓଡିଶା ଖଣି ନିଗମ’ କର୍ତ୍ତୁପକ୍ଷ ଜମି ନେଇଯାଉଥିବାକୁ ଉଭୟ ବିରୋଧ କରିବା ସେମାନଙ୍କ ପାଇଁ ବିପଦ ଆଣିଦେଲା ।

ପୁଲିସ ଦ୍ଵାରା ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ କୁଞ୍ଜବାହଲ ଗ୍ରାମର ରମେଶ ମାଝି ଆଦୌ ସୁକିନ୍ଦା ଅଞ୍ଚଳର ନୁହଁନ୍ତି ଓ ସେ ସେଠାକାର ଶ୍ରମିକ ମଧ୍ୟ ନୁହଁନ୍ତି । ସେ ରବି ମୁର୍ମୁର ସମ୍ପର୍କୀୟ । ଘଟଣା ଦିନ କମର୍ଦ୍ଦା ଖଣି ସାମ୍ନାରେ ଧାରଣାରତ ଥିବା ସମୟରେ ରବି ମୁର୍ମୁ, ଅଭିମନ୍ୟୁ ସାମନ୍ତଙ୍କ ସହିତ ପୁଲିସ ରମେଶଙ୍କୁ ମଧ୍ୟ ଗିରଫ କରିଛି ବୋଲି ସ୍ଥାନୀୟ ଗ୍ରାମବାସୀ ଓ ରବିଙ୍କ ପରିବାର ସଦସ୍ୟ କୁହନ୍ତି । ପୁଲିସ ଦେଇଥିବା ଏଫ.ଆଇ.ଆର. ଅନୁସାରେ, “ପରେଶ ମହାନ୍ତ ଓ ଅନ୍ୟ ମାନେ” ଘଟଣା ଦିନ “ଖସିଯାଇଥିଲେ” । ପରେଶ ମହାନ୍ତ ସମେତ ଅନ୍ୟ କାହାରି କୌଣସି ନିର୍ଦ୍ଦିଷ୍ଟ ଠିକଣା ନଦେଇ ଆଗାମୀ ଦିନରେ ଅଧିକ ଲୋକଙ୍କୁ ଗିରଫ କରିବା ପୁଲିସର ଉଦ୍ଦେଶ୍ୟ ଥାଇପାରେ ବୋଲି ଜନମତରୁ ପ୍ରକାଶ ।

ଖଣି ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଭାରତର ୯୯% କ୍ରୋମାଇଟ୍ କେବଳ ଓଡିଶାରେ ଅଛି । ସେଥିମଧ୍ୟରୁ କେବଳ ସୁକିନ୍ଦା ଅଞ୍ଚଳରେ ୯୦% କ୍ରୋମାଇଟ ରହିଛି । ଇଷ୍ପାତ ଉତ୍ପାଦନ ପାଇଁ କ୍ରୋମାଇଟ ଏକ ଜରୁରୀ ଖଣିଜ ଦ୍ରବ୍ୟ । ଏବେ ସୁକିନ୍ଦା ଅଞ୍ଚଳରେ ୧୨ଟି ବୃହତ କମ୍ପାନିର ୧୩ କ୍ରୋମାଇଟ ଖଣି ସକ୍ରିୟ ଅଛି । ସେହି ସବୁ କମ୍ପାନିଗୁଡିକ ହେଲେ ଫାକର୍ ଟାଟା, ଜିନ୍ଦଲ କ୍ରୋମାଇଟ୍, ବିର୍ଲା ଗୋଷ୍ଠୀର କମ୍ପାନି ବାଲେଶ୍ଵର ଆଲୟେଜ୍ ଲିମିଟେଡ, ଇମ୍ଫା, ରାଜ୍ୟ ସରକାରଙ୍କ ନିଜସ୍ଵ ଉଦ୍ୟୋଗ ଓଏମସିର ସୁକିନ୍ଦା ମାଇନ୍ସ୍, ଓ ବି.ସି. ମହାନ୍ତି ଆଣ୍ଡ୍ ସନ୍ସ୍ କ୍ରୋମାଇଟ୍ ମାଇନ୍ସ୍ ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ହରିଚନ୍ଦନପୁର ତେଲକୋଇ ସରଂକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ ନଗଡ଼ା ଗ୍ରାମମାନଙ୍କରେ ଅପପୁଷ୍ଟି ହେତୁ ଗଲା ଜୁଲାଇ ୨୦୧୬ ମାସରୁ ଶିଶୁମୃତ୍ୟୁ ହୋଇଚାଲିବା ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ କିଛି ଦିନ ଚର୍ଚ୍ଚିତ ବିଷୟ ହୋଇସାରିଥିଲା । ସେଥିରୁ ଏହି ସବୁ କମ୍ପାନୀ କେବେ ବି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କିଛି କରି ନଥିବା ପ୍ରମାଣିତ ହେଉଥିଲା ବେଳେ, ଏବେ ସମାନ ଅଞ୍ଚଳରେ ଶ୍ରମିକ ଶୋଷଣ ଓ ଦାବୀ ହାସଲ ପାଇଁ ଧାରଣା ଦେଉଥିବା ସ୍ଥାନୀୟ ଆଦିବାସୀ ଓ ଠିକା ଶ୍ରମିକଙ୍କୁ ମିଥ୍ୟା ଆରୋପ ଲଗାଇ ଗିରଫ କରିବାର ଦେଖାଯାଉଛି । 

‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ’, ଓଡିଶାର ଏକ ଛ’ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଲା ଫେବୃଆରୀ ୦୪, ୨୦୧୭ ତାରିଖ ଦିନ ଚିଙ୍ଗୁଡିପାଳ ପଞ୍ଚାୟତର ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ା ଗ୍ରାମକୁ ଯାଇ ସରକାରୀ ଅବହେଳାର ପ୍ରତ୍ୟକ୍ଷ ବିବରଣୀ ପ୍ରକାଶ କରିଥିଲେ । ଆଜି ସେହି ପାଖାପାଖି ଅଞ୍ଚଳରେ ଶ୍ରମିକମାନେ ମିଥ୍ୟା “ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା”, “ଦେଶଦ୍ରୋହ” ଓ “ଇଉ.ଏ.ପି.ଏ.” କେସରେ ଗିରଫ ହୋଇଛନ୍ତି । ଏହି ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସ୍ନ୍ ଆକ୍ଟ୍ ଯେ କିଭଳି ଦୁରୂପୋଯୋଗ ହେଉଛି ତାହାର ଏହା ପ୍ରମାଣ ଦିଏ ।

ଏଠାରେ ଆମ୍ଭେମାନେ ଦାବୀ କରୁ କି, ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସ୍ନ୍ ଆକ୍ଟ୍ ବା 'ମାଓବାଦୀ' ଆଇନକୁ ପ୍ରତ୍ୟାହାର କରାଯାଉ । 

ରବି ମୁର୍ମୁ, ଅଭିମନ୍ୟୁ ସାମନ୍ତ ଓ ରମେଶ ମାଝୀଙ୍କ ବିରୁଦ୍ଧରେ ଲାଗିଥିବା “ଦେଶଦ୍ରୋହ” ଓ “ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା” ଦଫାଗୁଡ଼ିକୁ ପ୍ରତ୍ୟାହାର କରାଯାଉ ଓ ସେମାନଙ୍କୁ ଖଲାସ କରାଯାଉ।

ସମସ୍ତ ଶ୍ରମିକଙ୍କ ପ୍ରାପ୍ୟ ଆଇନ ଅନୁସାରେ ପ୍ରଦାନ କରିବା ସହିତ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ ଅଣ-କୁଶଳୀ ଶ୍ରମିକରୁ କୁଶଳୀ ଶ୍ରମିକ ରୂପେ ପଦୋନ୍ନତି ଦିଆଯାଉ ।

ପରିବେଶର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉ ।

ଡକ୍ଟର ଗୋଲାକ ବିହାରୀ ନାଥ, ସଭାପତି,
ତଥା କାର୍ତ୍ତିକ ଚନ୍ଦ୍ର ସାହୁ, ଆବାହକ, ଯାଜପୁର ଶାଖା,
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା
ତାରିଖ : ୭ ଅଗଷ୍ଟ ୨୦୧୭

Tuesday, June 13, 2017

ଭଦ୍ରକ ସାମ୍ପ୍ରଦାୟିକ ଦଙ୍ଗା, ୨୦୧୭


‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ'ର ତଥ୍ୟ ଅନୁସନ୍ଧାନ ରିପୋର୍ଟ



ଭଦ୍ରକ ସହରର ଏକ ମାନଚିତ୍ର
ମାନଚିତ୍ର ଅଙ୍କନ - ବିଶ୍ୱଜିତ ଆପଟ


ଗଲା ଏପ୍ରିଲ ୬ ତାରିଖ ଦିନ ଦୁଇ ବନ୍ଧୁ ଅଙ୍କିତ ଓ ଅସିଫ ଅଲ୍ଲି ଖାଁଙ୍କର ନିଜସ୍ୱ ବିବାଦ ଓ ପରେ ପରେ ସୋସିଆଲ୍ ମିଡ଼ିଆରେ କଦର୍ଯ୍ୟ ଆଳାପ ସାଙ୍ଗକୁ ଏପ୍ରିଲ ୭ ତାରିଖରେ ଶୋଭାଯାତ୍ରା ଭଦ୍ରକ ସହରର ପରିବେଶକୁ ଅଶାନ୍ତ କରିଦେଇଥିଲା । ଏଥିରେ ଏପ୍ରିଲ୍ ୬ ତାରିଖରେ ଭଦ୍ରକ ସହରର ଜାତୀୟ ରାଜପଥ କଡ଼ରେ ୨୩ଟି ଦୋକାନ ଓ ପରେ ଏପ୍ରିଲ୍ ୭ ତାରିଖରେ ସନ୍ଧ୍ୟା ୬ଟାରୁ ୯ଟା ମଧ୍ୟରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଅନେକ ଦୋକାନ, ଗୋଦାମ ଗୃହ ଓ ବେଶ କିଛି ଗାଡ଼ି ଜଳିପୋଡ଼ି ଧ୍ୱଂସ ପାଇଯାଇଥିଲା । ଭଦ୍ରକ ଏକ ଭାଇଚାରାର ସହର ଭାବରେ ଆଗରୁ ଜଣାଶୁଣା ଥିଲେ ମଧ୍ୟ, ତାହା କିଛି ସମୟ ପାଇଁ ‘ସାମ୍ପ୍ରଦାୟିକ ହିଂସା ଓ ଘୃଣାର ସହର’ ପାଲଟି ଯାଇଥିଲା । ଏହାର କାରଣ ଓ ଭବିଷ୍ୟତରେ ଏହାର ପ୍ରତିକାର ଉଦ୍ଦେଶ୍ୟ ରଖି ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଲା ମଇ ୧୬ ଓ ୧୭ ତାରିଖରେ ଭଦ୍ରକ ଯାଇଥିଲେ । ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ’ର ବାଲେଶ୍ୱର ଶାଖା ଓ ଭୁବନେଶ୍ୱର ଶାଖାର ସମୁଦାୟ ଚାରି ଜଣ ସଦସ୍ୟ ଉକ୍ତ ଦଳରେ ଯାଇ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର କ୍ଷତିଗ୍ରସ୍ତ ଦୋକାନୀ ଓ ସେମାନଙ୍କ ପରିବାର ସଦସ୍ୟ, ମୁସଲମାନ ସଙ୍ଗଠନ ଓ ହିନ୍ଦୁ ସଙ୍ଗଠନର କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ, ଟାଉନ ଥାନାର ପୁଲିସ ଅଧିକାରୀ ଓ ଜିଲ୍ଲା ଏସ୍.ପି. ତଥା ଶାନ୍ତି ପ୍ରକ୍ରିୟାରେ ସାମିଲ ଥିବା ସର୍ବୋଦୟ କର୍ମୀମାନଙ୍କୁ ଭେଟିଥିଲେ ।

ତଥ୍ୟାନୁସନ୍ଧାନ ସମୟରେ ତିନୋଟି ପ୍ରଶ୍ନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେଗୁଡ଼ିକ ହେଲା, (କ) ଦଙ୍ଗା ଅଥବା ସାମ୍ପଦାୟିକ ହିଂସାର କାରଣ (ଖ) କ୍ଷତିଗ୍ରସ୍ତ ଲୋକଙ୍କ ସ୍ଥିତି (ଗ) ପ୍ରଶାସନ ଓ ପୁଲିସର ଭୂମିକା ।

ପୃଷ୍ଠଭୂମି : ଭଦ୍ରକ ସହରରେ ଏଥର ସାମ୍ପ୍ରଦାୟିକ ହିଂସା ବ୍ୟାପିବା ସହର ପାଇଁ ନୂଆ ନଥିଲା । ଏହା ପୂର୍ବରୁ ୧୯୯୧ ମାର୍ଚ୍ଚ ୨୪ ତାରିଖରେ ଏହି ରାମ ନବମୀ ପୂଜା ଅବସରରେ ଦଙ୍ଗା ହୋଇଥିଲା, ତାହା ରାମ ନବମୀ ପୂଜାର ପ୍ରଥମ ବର୍ଷ । ୨୦୧୭ ମସିହାରେ ଏହି ରାମନବମୀ ପୂଜାର ରୌପ୍ୟ ଜୟନ୍ତୀ ପାଳନ କରାଗଲା ଓ ଏହାର ତିନି ଦିନ ପରେ ସାମ୍ପ୍ରଦାୟିକ ହିଂସା ଭଦ୍ରକ ସହରକୁ କବ୍ଜା କରିଥିଲା । ରାମନବମୀ ସମୟରେ ଯେଉଁ ଶୋଭାଯାତ୍ରା ହୋଇଥାଏ ତାହା ଅଳ୍ପସଂଖ୍ୟକ ଗୋଷ୍ଠୀ ମଧ୍ୟରେ ଭୟ ଆଣିଦେଇଥାଏ । ଏହାକୁ ଆଖିରେ ରଖି ଚଉଦ ମୋହଲ୍ଲା ମୁସ୍ଲିମ୍ ଜାମାତ୍ ପ୍ରାୟ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ଶୋଭାଯାତ୍ରା ଅତିକ୍ରମ କରିବାକୁ ଥିବା ଛକମାନଙ୍କରେ ନିଯୁକ୍ତ କରିଥାଏ । ସେହି ସ୍ୱେଚ୍ଛାସେବୀମାନଙ୍କର କାମ ହେଲା ଯେ ସେମାନେ ରାମନବମୀ ଶୋଭାଯାତ୍ରାରେ ଦିଆଯାଉଥିବା ମୁସଲମାନ ବିରୋଧୀ ସ୍ଲୋଗାନରେ ଉତ୍ତେଜିତ ହୋଇ ନିଜ ସମ୍ପ୍ରଦାୟର ଯୁବକମାନେ ଯେପରି କୌଣସି ଅପ୍ରୀତିକର କାର୍ଯ୍ୟ କରି ନ ବସନ୍ତି ତାହାକୁ ଦେଖିବା ।

ଯଦିଓ ଓଡ଼ିଶାରେ ମୁସଲମାନଙ୍କ ସଙ୍ଖ୍ୟା ସମୁଦାୟ ଜନସଂଖ୍ୟାର ୨.୧%, ମାତ୍ର ଭଦ୍ରକ ସହରରେ ସମୁଦାୟ ହିନ୍ଦୁଙ୍କ ସଂଖ୍ୟା ୬୦% ହେଲେ ମୁସଲମାନଙ୍କ ସଂଖ୍ୟା ୩୯% (୨୦୧୧ ଜନଗଣନା) । ଓଡ଼ିଶାର କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ମୁସଲମାନ ବହୁଳ ଜିଲ୍ଲା ଭାବରେ ପରିଚିତ । ଭଦ୍ରକ ସହରରେ ହିନ୍ଦୁ ଓ ମୁସଲମାନ ପରିବାରର ମୁଖ୍ୟ ଜୀବିକା ହେଲା ବ୍ୟବସାୟ । ଏଠାରେ ମହିଳା ଓ ପୁରୁଷଙ୍କ ଅନୁପାତ ପ୍ରାୟ ସମାନ, ଶିକ୍ଷାହାର ପୁରୁଷଙ୍କ ମଧ୍ୟରେ ୮୪% ହେଲେ ମହିଳାଙ୍କ ମଧ୍ୟରେ ୭୫% ।

ଭଦ୍ରକ ଯେମିତି ସାମ୍ପ୍ରଦାୟିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ସ୍ଥାନ, ସେମିତି ମୁସ୍ଲିମ୍ ବିଚାର ଦୃଷ୍ଟିରୁ ଋଢ଼ୀବାଦୀ ପ୍ରତିକ୍ରିୟାଶୀଳ ସ୍ଥାନ । ୨୦୦୩ ମସିହା ଜୁଲାଇ ତିନ ତାରିଖରେ ଭଦ୍ରକ ଜିଲ୍ଲାର କଣ୍ଟାବଣିଆ ଗ୍ରାମର ମୁସଲମାନ ବିବାହିତ ମହିଳା ନଜମାଙ୍କୁ ତାଙ୍କର ସ୍ୱାମୀ ଶେର ମହମ୍ମଦ (ଶେରୁ) ମଦ ନିଶାରେ ତିନି ତଲାକ ଦେଇଥିଲେ । ହେଲେ ପରଦିନ ନିଜର ଭୁଲ ସ୍ୱୀକାର କରି ସେ ଏହାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ମୌଲବୀଙ୍କ ଆଶ୍ରିତ ହୋଇଥିଲେ । ହେଲେ ‘ଚଉଦ ମୋହଲ୍ଲା ମୁସଲିମ୍ ଜାମାତ’ ଶେରୁଙ୍କୁ ବିରୋଧ କରି ତଲାକକୁ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟ କରିଥିଲା । ନଜମା ଯେତେବେଳେ ଜାମାତ ବିରୁଦ୍ଧରେ ଜାତୀୟ ମହିଳା କମିଶନର ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ “ବାହାର ସଂସ୍ଥାମାନଙ୍କର ହସ୍ତକ୍ଷେପ” ପ୍ରତିବାଦରେ ପ୍ରାୟ ୧୦,୦୦୦ ଯୁବକ ନଜମାଙ୍କ ବିରୁଦ୍ଧରେ ଏକ ବିରାଟ ପଟୁଆର ଜୁନ୍ ୦୩, ୨୦୦୪ରେ ଭଦ୍ରକ ସହରରେ ବାହାର କରିଥିଲେ ।  ଏହି ପଟୁଆରରେ ବର୍ତ୍ତମାନର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ ଯୋଗ ଦେଇଥିଲେ । ଯେତେବେଳେ ଡେନମାର୍କର ଏକ ଖବରକାଗଜ “ମହମ୍ମଦଙ୍କ ମୁହଁ” ନାମକ ଏକ ଫଟୋ ପ୍ରକାଶ କରିଥିଲା, ତାହାର ପ୍ରତିବାଦରେ ବିଶ୍ୱର ବହୁସ୍ଥାନରେ ଦଙ୍ଗା ହୋଇଥିଲା । ଏହାର ପ୍ରତିକ୍ରିୟା ମଧ୍ୟ ଭଦ୍ରକ ସହରରେ ଦେଖିବାକୁ ମିଳିଥିଲା ।

ଭଦ୍ରକର ହିନ୍ଦୁ ବ୍ୟବସାୟୀ ଗୋଷ୍ଠୀ ନିଜର ଅଦ୍ଭୁତ ଲାଭ ଓ ବିରାଟ ବ୍ୟବସାୟର ସୁରକ୍ଷା ପାଇଁ “ହିନ୍ଦୁ ଏକକୀକରଣ”ର ସ୍ଲୋଗାନ୍ ଦେଇ ଚାଲିଛନ୍ତି । ଦଳିତଙ୍କ ଉପରେ ହେଉଥିବା କୌଣସି ଅତ୍ୟାଚାର ବିରୁଦ୍ଧରେ କେବେବି “ହିନ୍ଦୁ ଏକକୀକରଣ”ର କଥା କହୁଥିବା ଲୋକ ମୁହଁ ଖୋଲନ୍ତି ନାହିଁ । ହିନ୍ଦୁ ଏଠାରେ ଅସୁରକ୍ଷିତ ଏହିକଥା ବାରମ୍ବାର କହୁଥିବା ‘ହିନ୍ଦୁ ସୁରକ୍ଷା ମଞ୍ଚ’ର ବିଦ୍ୟାଧର ସାହୁ ଗଲା ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଟିକେଟରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଲଢ଼ିଥିଲେ । ସେ ଥରେ ବିଜେପିର ଟିକେଟରେ କାଉନସିଲର ହୋଇଥିଲେ ଓ ଆଉ ଥରେ ହାରିଥିଲେ । ସିଏ କିନ୍ତୁ କୌଣସି ପ୍ରକାରରେ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ରାମନବମୀ ଶୋଭାଯାତ୍ରା ସାମ୍ପ୍ରଦାୟିକ ହିଂସାକୁ ବଢ଼ାଇବାରେ ସାହାଯ୍ୟ କରୁଛି । ସହରର ରାମନବମୀ କମିଟିର ସଭାପତି ଅଟନ୍ତି ଓକିଲ ରାୟ ରାମାନନ୍ଦ ମହାପାତ୍ର, ଯିଏ କି ବିଜେପିର ପୂର୍ବତନ ଜିଲ୍ଲା ସଭାପତି । ଏହି ରାମନବମୀ କମିଟିର ଅନ୍ୟ କର୍ମକର୍ତ୍ତାମାନେ ହେଲେ ବିଜେପିର ପୂର୍ବତନ ବିଧାନସଭା ସଦସ୍ୟ ବିଷ୍ଣୁ ସେଠୀ ଓ ରାଷ୍ଟ୍ରିୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ମୁଖ୍ୟ ଦୁର୍ଗା ମହାପାତ୍ର । ଏହି କମିଟିର ସଭାପତି ଭାବରେ ଗଲା ବେଶ କିଛି ବର୍ଷ ବିଜେପିର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଥିଲେ । ଗଲା ୨୦୦୮ ମସିହା ଅଗଷ୍ଟ ମାସରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ହେତୁ ଯେଉଁ ଖ୍ରୀଷ୍ଟିଆନ ବିରୋଧୀ ହିଂସା ଓଡ଼ିଶାରେ ଦେଖା ଦେଇଥିଲା, ସେହି ସମୟରେ ଭଦ୍ରକ ସହରର କାର୍ମେଲ୍ ଇଂରାଜୀ ମିଡ଼ିୟମ୍ ସ୍କୁଲରେ ଭଙ୍ଗାରୁଜା କରାଯାଇଥିଲା ।

ଯଦିଓ ଭଦ୍ରକ ସହରର ‘ଭାଇଚାରା’ ସମ୍ପର୍କରେ ବହୁ କାହାଣୀ ଶୁଣିବାକୁ ମିଳେ ଯେମିତିକି ବରଦାରେ ମନସୁର ବାବାଙ୍କ ମଝ୍ଜାର କମିଟିର ସଦସ୍ୟ ହିନ୍ଦୁମାନେ ଅଟନ୍ତି ମାତ୍ର ସାଧାରଣ ଜନମାନସକୁ ତାହା ଛୁଇଁପାରୁନାହିଁ । ଦିନକୁ ଦିନ ଏହି ବ୍ୟବଧାନ ବଢ଼ିବାରେ ଲାଗିଛି । ଭଦ୍ରକ ସହରରେ ଦୁଇ ସମ୍ପ୍ରଦାୟର ଲୋକ ମିଶିକରି ଅଛନ୍ତି । କେଉଁଠି ହିନ୍ଦୁଙ୍କ ସଂଖ୍ୟା ଅଧିକ ରହିଛି ତ ଅନ୍ୟ କେଉଁଠି ମୁସଲମାନ ମତାବଲମ୍ବୀଙ୍କ ସଂଖ୍ୟା ଅଧିକ ରହିଛି । ବିଡ଼ମ୍ବନା ଯେ ଅନୁ୍ୟନ ପ୍ରତି ୫୦ରୁ ୧୦୦ ମିଟର ମଧ୍ୟରେ ଏକ ମନ୍ଦିର (ଗଣେଶ, ଶନି ଓ ହନୁମାନ) ଓ ଏକ ମସ୍ଜିଦ୍ ରହିଛି । ମନ୍ଦିର/ମସ୍ଜିଦ୍ର କାର୍ଯ୍ୟକଳାପ ରୀତିନୀତିର ତଦାରଖ ପାଇଁ ଯେଉଁ ସ୍ଥାନୀୟ କମିଟି ରହିଛି ସେହି କମିଟିର ସଦସ୍ୟମାନେ ନିଜ ନିଜ ଧର୍ମର ଋଢ଼ିବାଦୀ ପ୍ରକ୍ରି୍ରୟାକୁ ଧରି ରଖିବାର ପ୍ରୟାସ ଅବଶ୍ୟ କରୁଛନ୍ତି । ସାଧାରଣ ଏଠାରେ ମୁଖ୍ୟତଃ ତିନୋଟି ପରିଚୟ ଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହେଉଛନ୍ତି । ସେହି ତିନୋଟି ପ୍ରକାର ଦେଲା ‘ଓଡ଼ିଆ’, ‘ପଠାଣ’ ଓ ‘ମାରୱାଡ଼ି’ । ଯଦିଓ ଏହି ତିନି ପ୍ରକାରର ଲୋକ ପିଢ଼ି ପିଢ଼ି ଧରି ଭଦ୍ରକ ସହରର  ବାସିନ୍ଦା ହୋଇଛନ୍ତି ତଥାପି ଏପରି ନାମକରଣ ପ୍ରଚଳିତ ହୋଇଆସୁଛି ।

ଦଙ୍ଗାର କାରଣ


ଯେତେବେଳେ ଦୁଇ ଇଞ୍ଜିନିୟରିଂ ଛାତ୍ର ଅଙ୍କିତ ଓ ଅସିଫ ଅଲ୍ଲି ଖାଁଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହେଲା, ସେମାନେ ସୋସିଆଲ  ମିଡ଼ିଆର ସହାୟତାରେ ପରସ୍ପରର ଧର୍ମକୁ ନେଇ ଆକ୍ଷେପ ଓ ପ୍ରତିଆପେକ୍ଷ କରିଚାଲିଲେ । ଅଙ୍କିତ ଇସ୍ଲାମ ଧର୍ମକୁ ନେଇ ବିକୃତ ଟିପ୍ପଣୀ ଦେଇଥିଲେ ଓ ଏହାର ପ୍ରତିକ୍ରିୟାରେ ଅସିଫ ହିନ୍ଦୁ ଧର୍ମକୁ ନେଇ ବିକୃତ ଟିପ୍ପଣୀ ଦେଲେ । ଏହାକୁ ଅଙ୍କିତ ନିଜର ହିନ୍ଦୁତ୍ୱ ସଙ୍ଗଠନର ସାଥିମାନଙ୍କ ମଧ୍ୟରେ ପ୍ରସାରିତ କରିଥିଲେ । ଏଥିରେ ବଜରଙ୍ଗ ଦଳର ଅଜିତ କୁମାର ପଡ଼ିଆରୀଙ୍କୁ ମଧ୍ୟ ସଂଲଗ୍ନ କରାଯାଇଥିଲା । ୬ ତାରିଖ ଦିନରେ ହିନ୍ଦୁତ୍ୱ ସଙ୍ଗଠନର ବେଶ୍ କିଛି କର୍ମକର୍ତ୍ତା ଭଦ୍ରକ ସହର ଥାନା ଅଧିକାରୀଙ୍କୁ ଅସିଫକୁ ସାଇବର କ୍ରାଇମ୍ ଦଫାରେ ଗିରଫ କରିବା ପାଇଁ ଚାପ ସୃଷ୍ଟି କରିଥିଲେ । ଅସିଫ ଶାସକ ଦଳର ଜଣେ ପୂର୍ବତନ କାଉନସିଲରଙ୍କ ପୁଅ ହୋଇଥିବା ହେତୁ ପୁଲିସ ତୁରନ୍ତ ଅସିକଙ୍କୁ ଗିରଫ କରି ନଥିବାର ଅଭିଯୋଗ ହୁଏ । ସେହି ୬ ତାରିଖ ଦିନ ସନ୍ଧ୍ୟାରେ ପୁଲିସ ନିଷ୍କ୍ରିୟତାର ପ୍ରତିବାଦରେ ବନ୍ତ ଛକରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ର ୨୩ଟି ଦୋକାନକୁ ପୋଡ଼ି ଦିଆଗଲା । ଏହା ମୁଖ୍ୟତଃ ମୁସଲମାନ ଯୁବକମାନଙ୍କର ଛୋଟ ଚିକେନ ସେଣ୍ଟର, ସେଲୁନ ଓ ଷ୍ଟସନାରୀ ଦୋକାନ ଥିଲା । ସେହିଦିନୁ ବଜରଙ୍ଗ ଦଳର କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଜିଲ୍ଲା ପ୍ରଶାସନରେ ଜିଲ୍ଲାପାଳଙ୍କ ଅବସର ହେତୁ ସ୍ଥାନୀୟ ଉପ-ଜିଲ୍ଲାପାଳ ସହରରେ ୧୪୪ଧାରା ଜାରୀ କରିବା ସହିତ ଶାନ୍ତି କମିଟିର ସଭା ପାଇଁ ଟେଲିଭିଜନରେ ଘୋଷଣା କରିଥିଲେ । ଏହି ଶାନ୍ତି କମିଟିରେ ଚଉଦ ମହଲ୍ଲାର ମୁଖ୍ୟ ତଥା ୨୦୧୧ ମସିହାରେ ସାମ୍ପ୍ରଦାୟିକ ସଦ୍ଭାବନା ପୁରସ୍କାର ପାଇଥିବା ଅବ୍ଦୁଲ୍ ବାରୀ (୭୭ ବର୍ଷ)ଙ୍କ ସମେତ ଉଭୟ ସମ୍ପ୍ରଦାୟ ଓ ସଙ୍ଗଠନର ଅନେକ ସଦସ୍ୟ ତଥା ସ୍ଥାନୀୟ ଏମଏଲଏ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ବେଶ୍ କିଛି ମୁସଲମାନ ଯୁବକ ଅବଶ୍ୟ ଶାନ୍ତି କମିଟି ବାହାରେ ଏକାଠି ହୋଇଥିଲେ । ଶାନ୍ତି କମିଟିରେ କୌଣସି ନିଷ୍ପତ୍ତି ହୋଇ ପାରିନଥିଲା ଓ କମିଟିର ବାହାରେ ଥିବା ପ୍ରାୟ ୧୦୦ ଜଣ ମୁସଲମାନ୍ ଯୁବକ ପ୍ରାୟ ୪୦ଟି ମଟର ସାଇକେଲରେ ‘ବାଇକ୍ ପଟୁଆର’ ଆରମ୍ଭ କରିଥିଲେ । ସହରରେ ଧାରା ୧୪୪ ଲାଗୁ ହୋଇଥିଲା ବେଳେ ଏପରି ପଟୁଆରକୁ କିପରି ଅନୁମୋଦନ ଦିଆଗଲା ? ତାହା ପୁଣି ବିଧାୟକ, ପୁଲିସ ଏସପି ଇତ୍ୟାଦିଙ୍କ ଉପସ୍ଥିତିରେ ? ତିନୋଟି ପିସିଆର୍ ଭ୍ୟାନ୍ ସେମାନଙ୍କ ଅନୁସରଣ କରିଥିବା କଥା ପୁଲିସ ଥାନା ଅଧିକାରୀ ଆମର ଦଳ ନିକଟରେ ସ୍ୱୀକାର କରନ୍ତି । ସେ କୁହନ୍ତି “ପୁଲିସ ପାଖରେ ଆବଶ୍ୟକୀୟ ସଶସ୍ତ୍ର ବଳ ନଥିଲେ । ମାତ୍ର ହିନ୍ଦୁ ସଙ୍ଗଠନମାନେ ସହରର ଅନ୍ୟ ଦିଗରେ ଏକାଠି ହେଉଥିଲେ । ଏପରି କ୍ଷେତ୍ରରେ କେବଳ ମୁହାଁମୁହିଁ ନ ହେବା ପାଇଁ ପୁଲିସ ସେମାନଙ୍କର ପିଛା କରିଥିଲା ।” ମାତ୍ର ଆମର ଦଳକୁ ଏହି ତର୍କ ଯୁକ୍ତିଯୁକ୍ତ ଲାଗିନଥିଲା ।

ଏହି ବାଇକ୍ ପଟୁଆରକୁ ଅନୁମତି ଦେବା ପ୍ରତିବାଦରେ ହିନ୍ଦୁ ସଙ୍ଗଠନର ସଦସ୍ୟମାନେ ଦୋକାନ ଜାଳିବା ଆରମ୍ଭ କଲେ । ଗୋଟେ ପଟରେ ନିଜର ଦୋକାନ ପୋଡ଼ା ଯାଉଥିବା ଖବର ପାଇ ମୁସଲମାନ ଯୁବକମାନେ ନିଜ ଅଞ୍ଚଳର ହିନ୍ଦୁଙ୍କ ଦୋକାନକୁ ପୋଡ଼ିବା ଆରମ୍ଭ ମଧ୍ୟ କରିଥିଲେ । ସହରର ବନ୍ତ ଛକ, ନୂଆ ବଜାର, କଚେରୀ ରୋଡ୍, ଚରମ୍ପା, କୋର୍ଟ ପାଖରେ ଅଧିକ ମୁସଲମାନ ଯୁବକଙ୍କ ଦୋକାନ ଜଳାଯାଇଥିଲା ବେଳେ ହିନ୍ଦୁମାନଙ୍କର ପାନଅଡ଼ ଛକର ଅଧିକ ଦୋକାନ, ଲାହାପଟିର ରାଧାକୃଷ୍ଣ ମନ୍ଦିରର ସମ୍ମୁଖ ଭାଗ ଓ ବେଶ୍ କିଛି ଦୋକାନ ତଥା ଚନ୍ଦନ ବଜାରର ୮ରୁ ୧୦ଜଣ ମାରୱାଡ଼ି ବ୍ୟବସାୟୀଙ୍କ ଗୋଦାମ ଲୁଟ୍ ହେବା ସହିତ ନିଅାଁ ଲଗାଯାଇଛି । ସରକାରୀ ହିସାବରେ ୪୦୦ରୁ ଉର୍ଦ୍ଧ୍ୱର ଦୋକାନ, ଗୋଟିଏ ମନ୍ଦିର ଓ ଏକ ମସଜିଦର ସମ୍ମୁଖ ଭାଗ ଓ ଟ୍ରକ୍, ଅଟୋ ତଥା ସ୍କୁଟି କ୍ଷତିଗ୍ରସ୍ତ ହୋଇଛି । ସରକାରୀ ତଥ୍ୟ ଅନୁସାରେ ଭଦ୍ରକ ମୁନିସିପାଲିଟି ଅଞ୍ଚଳରେ ୨୭ଟି ୱାର୍ଡ଼ରେ ପ୍ରାୟ ୪୫୦ଟି ବ୍ୟବସାୟ ଅନୁଷ୍ଠାନର ନଅ କୋଟି ଟଙ୍କାର କ୍ଷତି ହୋଇଛି । ଏଥିରେ ତିନୋଟି ଧାର୍ମିକ ଅନୁଷ୍ଠାନ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା କଥା ଜିଲ୍ଲା ପ୍ରଶାସନ କୁହେ ।

ଆମର ଦଳ ସ୍ଥାନୀୟ ଟାଉନ୍ ଥାନା ଅଧିକାରୀଙ୍କୁ ଭେଟିଥିଲା ବେଳେ ଜାଣିଲା ଯେ ସହରରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ପୋଡ଼ା ଜଳା ହୋଇଛି । ପରେ ରାତି ୯ଟା ବେଳକୁ ଅଧିକ ପୁଲିସ ସଶସ୍ତ୍ର ଯବାନ ଆସି ଫ୍ଲଗମାର୍ଚ୍ଚ କରିବା  ତଥା “ଦେଖିବା ମାତ୍ରେ ଗୁଳି କର” ନିର୍ଦ୍ଦେଶକୁ ଘୋଷଣା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ୧୯୯୧ ମସିହାର ଦଙ୍ଗା ସମୟରେ ୪୫ ଦିନ ଧରି ସହରରେ କର୍ଫ୍ୟୁ ଜାରି ରହିଥିଲା । ଅନୁରୂପ ଭାବରେ ୨୦୧୭ ମସିହାରେ ୩୬ ଦିନ କର୍ଫ୍ୟୁ ଲାଗି ରହିଥିଲା । ଆମର ଦଳ ଜିଲ୍ଲା ଏସ୍ପିଙ୍କୁ ଭେଟିଥିବା ସମୟରେ ତଥ୍ୟ ପାଇଥିଲା ଯେ ୯୮ଟି  ଏଫଆଇଆର ପଞ୍ଜିକୃତ ହୋଇଛି (୧୬.୫.୨୦୧୭ ତାରିଖ ସୁଦ୍ଧା) ଓ ୨୭୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଭଦ୍ରକ, ସୋର, ନୀଳଗିରି, ବାଲେଶ୍ୱର, ବାରିପଦା ଓ ଆନନ୍ଦପୁର ଜେଲରେ ରଖାଯାଇଛି । ଦଙ୍ଗାକୁ ପରିଚାଳିତ କରିବା ଅଭିଯୋଗରେ ଶାସକ ଦଳର ୧୫ ନମ୍ବର ୱାର୍ଡର କାଉନସିଲର ଶୁଭଙ୍କର ମହାପାତ୍ର, ବଜରଙ୍ଗ ଦଳ ଜିଲ୍ଲା ସଞ୍ଜୋଜକ ମାନସ ରଞ୍ଜନ ମହାନ୍ତି, ବିଜେପି ଯୁବମୋର୍ଚ୍ଚାର ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକ ବିକାଶ ଶ୍ରେଷ୍ଠ ଓ କଙ୍ଗ୍ରେସ ଯୁବ ମୋର୍ଚ୍ଚାର ଅସିମ ପରିଡ଼ାଙ୍କୁ ଗିରଫ କରାଯାଇଛି । 

କ୍ଷତିଗସ୍ତ ବ୍ୟକ୍ତିଙ୍କର ବକ୍ତବ୍ୟ 


ମୁବାରକ୍ ଖାଁ (୪୦ ବର୍ଷ) ମୁନିସିପାଲିଟି ଅଫିସ ପାଖରେ ନିଜର ଷ୍ଟେସନାରୀ ଦୋକାନ କରିଛନ୍ତି । ତାଙ୍କର କହିବାନୁସାରେ, ୭ ତାରିଖ ସନ୍ଧ୍ୟାରେ ପ୍ରାୟ ୧୦୦ରୁ ୧୫୦ ଲୋକ ‘ଜୟ ଶ୍ରୀରାମ’ ସ୍ଲୋଗାନ୍ ଦେଇ ଆସିଲେ । ସେମାନେ ପ୍ରଥମେ ଦୋକାନର ସଟରକୁ ଭାଙ୍ଗିବା ପରେ ଲୁଟ୍ କଲେ ଓ ପରେ ନିଅାଁ ଲଗାଇଦେଲେ । ଏଥିରେ ତାଙ୍କର ପ୍ରାୟ ଏକ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଘରେ ତାଙ୍କର ୪/୫ ଜଣ ସଦସ୍ୟ ତାଙ୍କ ଉପରେ ନିର୍ଭରଶୀଳ । ଏବେବି ଦୋକାନକୁ ମରାମତି କରିପାରି ନାହାନ୍ତି । ପ୍ରଶାସନ ମାତ୍ର ୪୦,୦୦୦ ଟଙ୍କା ଅନୁକମ୍ପା ରାଶି ଦେଇଛି ।

ଶେକ୍ ଅବଦୁଲ୍ ହକ ଙ୍କର ବନ୍ତ ସାହି ଛକରେ ସିଲାଇ ମେସିନ୍ ସଜାଡ଼ିବା ଦୋକାନ ଅଛି । ପ୍ରାୟ ସନ୍ଧ୍ୟା ୬ଟାରୁ ୬.୩୦ ମଧ୍ୟରେ ୨୫ ରୁ ୩୦ ଜଣ ଲୋକ ତଲୁଆର ଧରି ଆସିଲେ । ସେମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଦେଇଥାନ୍ତି । ଯଦିଓ ଛକ ଉପରେ ମୁଷ୍ଟିମେୟ ପୁଲିସ ଥିଲେ ମାତ୍ର ସେମାନେ କିଛି କଲେ ନାହିଁ । ନିଜେ ଶେକ୍ ଅବଦୁଲ୍ ଦୂରରେ ଥାଇ ଦେଖଛନ୍ତି । ତାଙ୍କ ମତରେ, କିଛି ଲୋକ ‘ଜୟ ଶ୍ରୀରାମ’ ସ୍ଲୋଗାନ୍ ଦେଇ ଓ ମୁଣ୍ଡରେ ରାମନବମୀର ଗେରୁଆ ପତାକା” ମାରି, ତାଙ୍କର ଦୋକାନ ସମେତ ପାଖାପାଖି ପାଞ୍ଚଟି ଦୋକାନରୁ ଲୁଟ୍ କଲେ ଓ ପରେ ନିଅାଁ ଲଗାଇ ଦେଲେ । ଏଥିରେ ତାଙ୍କର ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଗଲା । ସରକାର ମାତ୍ର ୬୦,୦୦୦ ଟଙ୍କା ଦେଇଛନ୍ତି । ଘରେ ତାଙ୍କ ଉପରେ ପାଞ୍ଚ ଜଣ  ଲୋକ ନିର୍ଭର କରନ୍ତି । ଘଟଣାର ୪୦ ଦିନ ପରେ ବି ସେ ଠିକ୍ ରେ ଦୋକାନ ଆରମ୍ଭ କରିପାରି ନାହାନ୍ତି ।

ଜହୁର ହୁସେନ୍ ଖାଁଙ୍କର ବନ୍ତସାହି ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ମୋବାଇଲ ମରାମତି ଦୋକାନ ଅଛି । ଦଙ୍ଗାକାରୀମାନେ ଶାବଳରେ ସଟରଟିକୁ ତାଡ଼ିଦେଲେ ଓ ଦୋକାନ ମଧ୍ୟରେ ମରାମତି ପାଇଁ ଥିବା ୨୦୦ ମୋବାଇଲ ସେଟ୍ ନେଇଗଲେ । ପ୍ରାୟ ୪ ଲକ୍ଷ ଟଙ୍କାର ସାମଗ୍ରୀ ତାଙ୍କର ଲୁଟ୍ ହୋଇଛି । ଏବେ କ୍ଷତିପୂରଣ ମାତ୍ର ୬୦,୦୦୦ ଟଙ୍କା ମିଳିଛି । ସେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଅନୁସନ୍ଧାନକାରୀ ଅଫିସର ତାଙ୍କ ଦୋକାନକୁ ଆସିନାହାନ୍ତି । 

ଅଶୋକ କୁମାର ଲାହା (୫୫ ବର୍ଷ)ଙ୍କର ବଡ଼ ଶଙ୍କରପୁର ଲାହାପଟିର ବୃନ୍ଦାବନ ଚନ୍ଦ୍ର ମନ୍ଦିର ପାଖରେ ଏକ ତେଜରାତି ଦୋକାନ ରହିଛି । ୭ ତାରିଖ ସନ୍ଧ୍ୟାରେ ବେଶ୍ କିଛି ମୁସଲମାନ ଯୁବକ ଉଭୟ ଚନ୍ଦନ ବଜାର ଓ ଫକୀର ସାହି ପଟରୁ ଖଣ୍ଡା ତଲୁଆର ଧରି ଆସିଲେ । ସେମାନେ ମନ୍ଦିର ସମ୍ମୁଖରେ ଥିବା ସିଂହ ମୂର୍ତ୍ତିକୁ ଭାଙ୍ଗିବା ସହିତ ତାଙ୍କର ଦୋକାନ, ନିକଟରେ ଥିବା ନିମାଇଁ ଚରଣ ଲାହାଙ୍କ ଧୂପକାଠି ଗୋଦାମରେ ନିଅାଁ ଲଗେଇ ଦେଲେ । ଅଶୋକ କୁମାର ଲାହାଙ୍କର ପ୍ରାୟ ଚାରି ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଗଲା । ପ୍ରଶାସନ ମାତ୍ର ୬୦,୦୦୦ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦେଇଛି ।

ସୁନ୍ଦର ଲାଲ ଗୁପ୍ତା (୭୭ ବର୍ଷ)ଙ୍କର ଚନ୍ଦନବଜାର ଅଞ୍ଚଳରେ ‘ବିଶ୍ୱମ୍ବର ଦୟାଲ ସୁନ୍ଦରଲାଲ’ ନାମରେ ଏକ ବିରାଟ ତେଜରାତି ଦୋକାନ ଅଛି । ଦଙ୍ଗାକାରୀମାନେ ସନ୍ଧ୍ୟା ସମୟରେ ଦୁଇପଟରୁ ଆସି ଗୋଦାମ ଘର ଲୁଟ୍ କରିବା ସହିତ ଗୋଦାମଘରେ ନିଅାଁ ଲଗେଇ ଦେଇଥିଲେ । ସୁନ୍ଦର ଲାଲ ଏଫଆଇଆରରେ ଯଦିଓ କ୍ଷତିପରିମାଣ ଦଶଲକ୍ଷ ଟଙ୍କା ଉଲ୍ଲେଖ କରିଛନ୍ତି ମାତ୍ର ପ୍ରକୃତ କ୍ଷତି ଏକକୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି କୁହନ୍ତି । ଆମର ଦଳ ତାଙ୍କୁ ଭେଟିବା ସମୟରେ ସେ ବାରମ୍ବାର କ୍ଷୋଭ ପ୍ରକାଶ କରି କହୁଥାନ୍ତି, “ଆମର ଏଠାରେ ହିନ୍ଦୁମାନେ ଆଦୌ ଏକାଠି ନୁହନ୍ତି ।” ସେ ଏକଥାକୁ ସ୍ୱୀକାର କରନ୍ତି ଯେ ସେ ପ୍ରଥମେ ଭଦ୍ରକ ସହରରେ ଆରଏସ୍ଏସ୍ର ଶାଖା ଆରମ୍ଭ କରିଥିଲେ । ମାତ୍ର ଜରୁରୀକାଳୀନ ପରିସ୍ଥିତି ସମୟରେ ଅଧିକ ଧରପଗଡ଼ ହେବା ହେତୁ ତା’କୁ ସେ ବନ୍ଦ କରିଦେଇଥିଲେ । ସେ ଏକଥା ମଧ୍ୟ ବ୍ୟସ୍ତତାର ସହିତ କହୁଥାନ୍ତି ଯେ ପାକିସ୍ତାନରେ ତାଙ୍କଭଳି ହିନ୍ଦୁମାନେ ଆଦୌ ସୁରକ୍ଷିତ ନୁହନ୍ତି । ସୁନ୍ଦରଲାଲ ଭାବୁଛନ୍ତି ସହରରେ ପୁଲିସ ମୁତାୟନ ଥିବା ହେତୁ ଶାନ୍ତି ଆସିଛି । ପୁଲିସ ଚାଲିଗଲେ ପୁଣି ପରିସ୍ଥିତି ଅଶାନ୍ତ ହୋଇପାରେ । 

ପୁଲିସର ମାତ୍ରାଧିକ କାର୍ଯ୍ୟ ଅଭିଯୋଗ


ଏପ୍ରିଲ ୭ ତାରିଖ ରାତି ୯ଟା ପରେ ପୁଲିସ ସଶସ୍ତ୍ର ବାହିନୀ ସମଗ୍ର ଭଦ୍ରକ ସହରକୁ ନିଜ ଅକ୍ତିଆରକୁ ନେଇଗଲେ ଓ ଫ୍ଲାଗ ମାର୍ଚ୍ଚ କଲେ । ସେହି ସମୟରେ କର୍ଫ୍ୟୁ ରହିଥାଏ । ଆଠ ତାରିଖ ରାତି ୩ଟାରୁ ପୁଲିସ ଦଙ୍ଗାକାରୀମାନଙ୍କୁ ଗିରଫ କରିବା ଆରମ୍ଭ କରିଥାଏ । ମୁଖ୍ୟତଃ ୬ ତାରିଖର ଭିଡ଼ିଓ ଫୁଟେଜ୍ ଓ ୭ ତାରିଖର ବିଭିନ୍ନ ଗଣମାଧ୍ୟମର ଭିଡ଼ିଓ ଫୁଟେଜକୁ ଦେଖି ବ୍ୟକ୍ତିକୁ ଚିହ୍ନଟ କରିବା ଆରମ୍ଭ କରିଥାଏ । ମାତ୍ର ସେହି ୮ ତାରିଖ ଭୋର ସମୟରେ ଯେଉଁମାନଙ୍କୁ ଗିରଫ କରାଯାଇଥାଏ, ସେଥିରୁ ବେଶ୍ କିଛି ଲୋକ ନିରୀହ ବୋଲି ଅଭିଯୋଗ ହୋଇଆସୁଥିଲା । ଆମର ଦଳ ଏପରି କିଛି ମହିଳାଙ୍କୁ ଭେଟିବାର ସୁଯୋଗ ପାଇଲା ଯେଉଁମାନଙ୍କ ପରିବାରର ପୁରୁଷ ସଦସ୍ୟ ମାନଙ୍କୁ ପୁଲିସ ରାତି ଅଧିଆ ଗିରଫ କରିଛି ।

ତାରାନୁମ୍ ବିବି ଅଭିଯୋଗ କରନ୍ତି ଯେ ତାଙ୍କ ସ୍ୱାମୀ ଶେଖ୍ ସବିର୍ (୪୦ ବର୍ଷ) ସାନ ଶଙ୍କରପୁର ଅଞ୍ଚଳରେ ମାଛ ବ୍ୟବସାୟ କରନ୍ତି । ଏପ୍ରିଲ ଆଠ ତାରିଖ ରାତି ତିନିଟା ସମୟରେ ବେଶ୍ କିଛି ସଶସ୍ତ୍ର ପୁଲିସ ତାଙ୍କର ଦୁଆର ଜୋରରେ ବାଡେ଼ଇବାରେ ଲାଗିଲେ । ଦୁଆର ଭାଙ୍ଗିଯିବା ଡରରେ ସେ ଖୋଲି ଦେବାରୁ ପୁଲିସ ବାହିନୀ ଘରେ ପଶି ତାଙ୍କର ସ୍ୱାମୀକୁ ସେହିଠାରେ ବହୁତ ମାରିଲେ । ତାଙ୍କର ଲୁଙ୍ଗି ରକ୍ତାକ୍ତ ହୋଇଯାଇଥିଲା । ପରେ ତାଙ୍କୁ ନୀଳଗିରି ଜେଲକୁ ପଠାଯାଇଥିଲା । ତାରାନୁମ୍ ନୀଳଗିରି ଯାଇ ଜେଲରେ ତାଙ୍କୁ ସାକ୍ଷାତ କଲା ବେଳେ ଦେଖିଲେ ଯେ ତାଙ୍କର ହାତରେ ପ୍ଲାଷ୍ଟରିଂ ହୋଇଛି । ହାତ ଭାଙ୍ଗିଯିବା ଦେଖି ପୁଲିସ ଏପରି କରିଥିବା ସେ କହିଲେ ।

ହାଜି ସିରିବିବି ଅଭିଯୋଗ କରନ୍ତି ଯେ ତାଙ୍କ ସ୍ୱାମୀ ଶେଖ୍ ହାଜି ଶେଖ (୬୦ ବର୍ଷ) ଓ ତାଙ୍କର ଦୁଇପୁଅ ଶେଖ ଅବହାୟତ (୩୦) ଓ ଶେଖ ତୈମୁର (୨୮)କୁ ପୁଲିସ ଜବରଦସ୍ତି ଗିରଫ କରିଛି ।

ସାୟଦା ଖାତୁନ୍ ଅଭିଯୋଗ କରନ୍ତି ଯେ ତାଙ୍କର ବାପା ଶେଖ ସାଜିକ୍ (୪୫)ଙ୍କୁ ଏହିପରି ଭୁଲରେ ଗିରଫ କରଯାଇଛି । ଆଠ ତାରିଖ ସକାଳେ ପ୍ରାୟ ୧୫ ଜଣ ପୁଲିସ ଅଫିସର ଓ ଅନେକ ସଶସ୍ତ୍ର ଯବାନ ତାଙ୍କ ଘର ଘେରିଯାଇ ତାଙ୍କ ବାପାଙ୍କୁ ଜବରଦସ୍ତ ଉଠାଇନେଲେ । ବାପା ତାଙ୍କର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ଏବେ ଘରେ ତାଙ୍କର ଚଳିବା ଅସୁବିଧା ହୋଇଯାଉଛି ।

ଏକଥା ଏଠାରେ ଉଲ୍ଲେଖ କରିବାକୁ ଚାହୁଁ ଯେ ପୁଲିସ ଦ୍ୱାରା ଗିରଫ ହୋଇଥିବା ୨୭୦ ଜଣ ବ୍ୟକ୍ତି (ତା ୧୬.୫.୨୦୧୭ ସୁଦ୍ଧା)ଙ୍କ ମଧ୍ୟରେ ଅନେକ ହିନ୍ଦୁ ସମ୍ପ୍ରଦାୟର ମଧ୍ୟ ଅଛନ୍ତି । ସେହି ପରିବାରମାନଙ୍କର ଅନୁରୂପ ଅଭିଯୋଗ ମଧ୍ୟ ଆମର ଦଳ ପାଇଥିଲା । ହେଲେ କୌଣସି ନିର୍ଦ୍ଧିଷ୍ଟ ସାକ୍ଷାତକାର ପାଇନଥିଲା । ଏହି ଅଯଥା ଗିରଫଦାରୀ ସମ୍ପର୍କରେ ଆମର ଦଳ ଭଦ୍ରକ ଜିଲ୍ଲା ଏସ୍ପିଙ୍କୁ ଭେଟିବା ସମୟରେ ଏ ସମ୍ପର୍କରେ ପଚାରିଥିଲା । ଭିଡ଼ିଓ ଫୁଟେଜକୁ ପ୍ରମାଣ ସଙ୍ଗ୍ରହ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା କଥା ସେ ଦୋହରାଇଥିଲେ । ସେ କହିଥିଲେ ଯେ, ପରିସ୍ଥିତିକୁ ଶାନ୍ତ କରିବା ପାଇଁ କିଛି କାର୍ଯ୍ୟାନୁଷ୍ଠାନ ହୁଏତ ହୋଇଥାଇପାରେ । ମାତ୍ର ଜିଲ୍ଲାର ଏସ୍ପି ବଦଳି ହୋଇ ପୁଣି ୧୪.୪.୨୦୧୭ ତାରିଖ ପରଠାରୁ ନୂତନ ଏସ୍ପି ଆସିବା ପରେ ପ୍ରତ୍ୟେକ ଗିରଫ ପଛରେ ଦୃଢ଼ ପ୍ରମାଣ ସଙ୍ଗ୍ରହ କରି ଗିରଫ କରାଯାଉଥିବା କଥା ସେ ପ୍ରକାଶ କରନ୍ତି ।

ତଥ୍ୟ ଅନୁସନ୍ଧାନକାରୀ ଦଳର ନିଜସ୍ୱ ମନ୍ତବ୍ୟ


ଭଦ୍ରକ ସହରର ଏପରି ଅଶାନ୍ତ ପରିବେଶକୁ ଦେଖିଲା ପରେ ଦଳର ସଦସ୍ୟମାନେ ବ୍ୟସ୍ତ ହୋଇପଡ଼ିଥିଲେ । ସେମାନଙ୍କୁ କନ୍ଧମାଳର ବିଭତ୍ସତା ମନେପଡ଼ିଥିଲା, ଫରକ ହେଲା ଯେ ସରକାରୀ ପ୍ରୋତ୍ସାହନରେ କନ୍ଧମାଳରେ ଯେଉଁ ଦଙ୍ଗା ଦୀର୍ଘ ଦୁଇ ମାସ ଧରି ଚାଲିଥିଲା ଓ ସିଆରପିଏଫ୍ ଓ ରାପିଡ୍ ଆକ୍ସନ ଫୋର୍ସକୁ ଜାଣି ଜାଣି ନିଷ୍କ୍ରିୟ କରିଦିଆଗଲା । ଭଦ୍ରକ ସହରରେ କିନ୍ତୁ ମାତ୍ର କେତେ ଘଣ୍ଟା ମଧ୍ୟରେ ପୁଲିସ ସକ୍ରିୟ ହୋଇଉଠିଲା । ଏହି ହେତୁ ୮ ତାରିଖ ପରଠାରୁ ଆଉ ଦଙ୍ଗା ହୋଇନାହିଁ । ୧୯୯୧ରେ ଭଦ୍ରକ ଦଙ୍ଗା ଗ୍ରାମାଞ୍ଚଳକୁ ବ୍ୟାପିବା ସହିତ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ମାତ୍ର ୨୦୧୭ ମସିହାରେ ଭଦ୍ରକ ସହରର ଦୃଶ୍ୟ କେବଳ କେତେକ ଦୋକାନ ପୋଡ଼ି ମଧ୍ୟରେ ସୀମିତ ରହିପାରିଥିଲା । 

ଏହାର ଆଉ ଏକ କାରଣ ମଧ୍ୟ ହେଲା ଯେ ଭଦ୍ରକର ୧୯୯୧ର ପୁନରାବୃତ୍ତି ନକରାଇ ଦେବା ପାଇଁ ବେଶ୍ କିଛି ଧର୍ମ ନିରପେକ୍ଷବାଦୀଙ୍କୁ ନିଜ ଭିତରେ ପ୍ରସ୍ତୁତ କରାଇଦେଲା । ସେମାନେ ରାସ୍ତା ଉପରକୁ ଆସି ନିଜ ଅଞ୍ଚଳରେ କୌଣସି ପୋଡ଼ାଜଳା କରାଇ ନ ଦେବା ପାଇଁ ନିଜର ଲୋକକୁ ଏକାଠି କଲେ ଓ ସଫଳ ମଧ୍ୟ ହୋଇଥିଲେ । ସେମାନଙ୍କ ଲୋକସମ୍ପର୍କ ନିଶ୍ଚିତ ରୂପେ ନିଜ ଅଞ୍ଚଳକୁ ବଞ୍ଚାଇବାରେ ସାହାଯ୍ୟ କରିଥିଲା । ସେହିପରି କିଛି ବ୍ୟକ୍ତିକୁ ମଧ୍ୟ ଆମର ଦଳ ଭେଟିଥିଲା । ସେମାନଙ୍କ ମଧ୍ୟରେ ହେଲେ ବରିଷ୍ଠ ଓକିଲ ନିରାକାର ଜେନା, ଓକିଲ ସଚ୍ଚିଦାନନ୍ଦ ମହାନ୍ତି, ଓକିଲ ଇସ୍ତାଦାର, ଦୋକାନୀ ଦୀପକ ସାହୁ, ହରିପ୍ରସାଦ ନନ୍ଦି, ଜମିର ଅଖ୍ତର ଖାଁ, ମୁସ୍ତାକ ଗବ୍ୱର, ଅଧ୍ୟାପିକା ରାଧାରାଣୀ ମହାପାତ୍ର ପ୍ରମୁଖ । ଏତଦବ୍ୟତୀତ ଦଳ ଏକଥା ମଧ୍ୟ ଅନୁଭବ କଲା ଯେ,

ରାମନବମୀ ପାଳନର ଠିକ୍ ପରଦିନ ଏପରି କାଣ୍ଡ ହୋଇଛି । ଏହାକୁ ଜିଲ୍ଲା ପ୍ରଶାସନ ଅନୁମାନ ନକରିପାରିବା ପ୍ରଶାସନର ଦୁର୍ବଳତା ଅଟେ । ଯଦି ତ୍ୱରିତ ପଦକ୍ଷେପ ନେବା ସହିତ ଧାରା ୧୪୪କୁ ବଳବତ୍ତର କରାଯାଇଥାନ୍ତା ତେବେ ଏପରି ହିଂସା ଘଟିନଥାନ୍ତା ।

ରାମନବମୀ ପୂଜାର ପରିବେଶ କୌଣସି ପ୍ରକାରରେ ଧାର୍ମିକ ଅଥବା ଶାନ୍ତ ପରିବେଶ ସୃଷ୍ଟି କରିବା ବଦଳରେ ଘୃଣା ସୃଷ୍ଟି କରୁଛି । ଧାର୍ମିକ ଶୋଭାଯାତ୍ରା ସର୍ବଦା ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ।

ଦଙ୍ଗା ସମୟରେ ଅନେକ ଗୁଜବକୁ ସୋସିଆଲ ମିଡ଼ିଆ ଫେସବୁକ ମାଧ୍ୟମରେ ପ୍ରଚାରିତ କରାଯାଇଛି । ବଙ୍ଗଳା ଦେଶର ଢାକା ସହରର ଇଦ ପାଳନର ଛବିକୁ ଭଦ୍ରକ ସହରର ଛବି ଦର୍ଶାଇ ଫେସବୁକରେ ପୋଷ୍ଟିଂ କରାଯାଇଛି । ମାତ୍ର ପୁଲିସ ସାଇବର ଅପରାଧ ଭାବରେ ଏକମାତ୍ର କେଶ୍ ଅଙ୍କିତଙ୍କ ଠାରୁ ଗ୍ରହଣ କରି ଅସିଫ ଖାଁ ଙ୍କୁ ଗିରଫ କରିଛି ।

ସରକାରଙ୍କ ଦ୍ୱାରା ଦିଆଯାଉଥିବା କ୍ଷତିପୂରଣ ରାଶି ଯଥେଷ୍ଟ ନୁହେଁ । ସରକାରୀ ତଥ୍ୟ ଅନୁସାରେ ୪୪୩ ଜଣଙ୍କୁ ୧୫୦୦୦ ଟଙ୍କାରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାର ନିଷ୍ପତ୍ତି ହୋଇଛି । ଯେଉଁମାନଙ୍କ ଘର ଓ ଦୋକାନ ଉଭୟ ଜଳିଯାଇଛି ସେମାନଙ୍କୁ କେବଳ ଦୁଇ ଲକ୍ଷ ଟଙ୍କା ଦିଆଯିବ ବୋଲି ସରକାର କହୁଛନ୍ତି । ସରକାରଙ୍କ ତରଫରୁ ଦିଆଯାଉଥିବା ସମୁଦାୟ ୯ କୋଟି ଟଙ୍କା ଲୋକଙ୍କ କ୍ଷତି ଅନୁସାରେ ଯଥେଷ୍ଟ ନୁହେଁ ।

ଦଙ୍ଗାରେ ଲିପ୍ତ ଥିବା ଅଭିଯୋଗରେ ପୁଲିସ ଯେଉଁ ୨୭୦ ଜଣଙ୍କୁ ଗିରଫ କରିଛି, ସେଥିରୁ କେତେକ ନିରୀହ ଅବଶ୍ୟ ହୋଇଥାଇ ପାରନ୍ତି । ମାତ୍ର ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦଙ୍ଗାକୁ ପ୍ରଶମିତ କରିବାରେ ସାହାଯ୍ୟ କରିଛି । ହେଲେ ପୁଲିସ ଏକମାତ୍ର ଭୁଜାଲି, ତିନୋଟି ପଲଙ୍କ ଓ କେତେକ ରଙ୍ଗ ଡବା ଜବତ କରିଥିବା ଜିଲ୍ଲା ଏସ୍ପି କହିଛନ୍ତି । ଏତିକି ତଥ୍ୟ କଅଣ ଦଙ୍ଗାକାରୀଙ୍କୁ ଦୋଷୀ ପ୍ରମାଣିତ କରିବା ପାଇଁ କୋର୍ଟରେ ଯଥେଷ୍ଟ ହେବ ? ଦଳ ଏକଥା ପଚାରି ବୁଝିଥିଲା ଯେ, ୧୯୯୧ ମସିହାର ଦଙ୍ଗାର କୌଣସି ବି ମାମଲାରେ କାହାରିକୁ ଦଣ୍ଡିତ କରାଯାଇପାରିନାହିଁ । ସେଠାରେ ଅଭିଯୋଗକାରୀଙ୍କ ଅବହେଳା ଓ ପୁଲିସର ନିଷ୍କ୍ରିୟତା ହେତୁ ଦୋଷ ପ୍ରମାଣିତ ହୋଇପାରିଲାନାହିଁ । ତାହାର ପୁନରାବୃତ୍ତି ୨୦୧୭ ମସିହାର ଘଟଣାରେ ମଧ୍ୟ ହୋଇପାରେ ।

ଜିଲ୍ଲା ପ୍ରଶାସନ ଏବେ ବି ଦ୍ୱିତୀୟ ଥର ପାଇଁ ଶାନ୍ତି କମିଟିର ସଭା ଡାକିବାରେ ଅସମର୍ଥ ହୋଇଛି । ଗିରଫ କରିବା ଓ କ୍ଷତିପୂରଣ ରାଶି ବାଣ୍ଟିବା ମଧ୍ୟରେ ସରକାରୀ କାର୍ଯ୍ୟ ସୀମିତ ରହିଛି ।

ଆମର ଦାବୀ


ଯେଉଁ ସାଇବର ଅପରାଧ ମାମଲାରେ ଅସିଫ୍ ଅଲ୍ଲିଙ୍କୁ ଗିରଫ କରାଗଲା ସେହିପରି ପୁଲିସ ନିଜଆଡ଼ୁ ସାଇବର ମାମଲା ରୁଜ୍ଜୁ କରି ଅଙ୍କିତ ନାମକ ଛାତ୍ରଙ୍କୁ ମଧ୍ୟ ଗିରଫ କରନ୍ତୁ ।

ଜିଲ୍ଲା ପ୍ରଶାସନଙ୍କର ଅବହେଳା ହେତୁ ଏପରି ଘଟିଲା । ତେଣୁ କେବଳ ସାମୟିକ ବଦଳି କରି ପରିସ୍ଥିତି ନିୟନ୍ତ୍ରଣ ଅଣାଯିବା ବଦଳରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜରୁରୀ ।

କ୍ଷତିପୂରଣ ରାଶି ଯଥେଷ୍ଟ ହେଉ ନଥିବା ହେତୁ ଏହାକୁ ଅଧିକ କରାଯାଉ ।

ସାମ୍ପ୍ରଦାୟିକ ଉତ୍ତେଜନାକାରୀ ଯେ କୌଣସି ଧାର୍ମିକ ଶୋଭାଯାତ୍ରାକୁ ସରକାର ଅନୁମତି ଦିଅନ୍ତୁ ନାହିଁ ।

ପ୍ରକୃତ ଦଙ୍ଗାକାରୀଙ୍କୁ ଚିହ୍ନିତ କରି ଉପଯୁକ୍ତ ତଥ୍ୟ ଆଧାରରେ ଗିରଫ କରାଯାଉ, ଯାହା ଦ୍ୱାରା ଦଙ୍ଗାକାରୀ ଆଇନରେ ଥିବା ଫାଙ୍କରେ ଖସି ନ ଯାଆନ୍ତୁ । ଏଥିପାଇଁ ଅଧିକ ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ସରକାର ପ୍ରସ୍ତୁତ କରନ୍ତୁ ।

ଦଙ୍ଗା ସମ୍ପର୍କିତ ସମସ୍ତ ବିଚାର ‘ଫାାଷ୍ଟ ଟ୍ରାକ୍ କୋର୍ଟ୍'ରେ କରାଯାଉ ।

ଭଦ୍ରକରେ ଏହା ଥିଲା ୧୯୯୧ ପରର ପ୍ରଥମ ଥର ଦଙ୍ଗା । ହୁଏତ ପୂର୍ବର ବିଭତ୍ସତା ଏଥର ନ ଥିଲା । ହୁଏତ ଏଥର କୌଣସି ମଣିଷଙ୍କର ଜୀବନ ଯାଇନାହିଁ । ମାତ୍ର ଆଗକୁ ଯେ ଏପରି ନହେବ ତାହା କହିହେବ ନାହିଁ । ସାମ୍ପ୍ରଦାୟିକ ସଦ୍ଭାବନାକୁ ଫୋରାଇ ଆଣିବା ପାଇଁ ସର୍ବୋଦୟ ଓ ରାଷ୍ଟ୍ରୀୟ ଯୁବ ସଙ୍ଗଠନର ବେଶ କିଛି ସାଥି ଦଙ୍ଗା ପରଠାରୁ ସହରରେ ରହି ଶାନ୍ତି ପାଇଁ କାମ କରିଚାଲିଛନ୍ତି । ସେମାନଙ୍କ ଦ୍ୱାରା ତିଆରି ପଥପ୍ରାନ୍ତ ନାଟକ ‘ଗୋଟିଏ ଅଚିହ୍ନା ଶବ’ ସମସ୍ତଙ୍କୁ ଛୁଇଁଛି । ତେବେ ଧାର୍ମିକ ମୌଳବାଦୀ ଶକ୍ତିର ଅପପ୍ରଚାରକୁ ରୋକିବା ଓ ସେମାନଙ୍କ ଉଦ୍ଦେଶ୍ୟରୁ ଆମର ସମାଜକୁ ମୁକ୍ତ ରଖିବା ପାଇଁ ଏତିକି ଉଦ୍ୟମ କଦାପି ଯଥେଷ୍ଟ ଜଣାପଡ଼ୁନାହିଁ । ଏଥିପାଇଁ ମାନବିକ ଅଧିକାର ଓ ସମାନତା ଉପରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ବ୍ୟକ୍ତି ଓ ଗୋଷ୍ଠୀ ମିଳିତ ହୋଇ କାର୍ଯ୍ୟ କରିବା ଜରୁରୀ ।

୩୧.୫.୨୦୧୭,  ସଭାପତି, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା