Showing posts with label ପିଲାଙ୍କ ପାଠ. Show all posts
Showing posts with label ପିଲାଙ୍କ ପାଠ. Show all posts

Wednesday, July 19, 2017

ଗ୍ରାମର ସ୍ୱାସ୍ଥ୍ୟ


ଗୋପୀନାଥ ମହାନ୍ତି 


କେରଳ ରାଜ୍ୟର କୂଅ

ଗ୍ରାମ-ସଙ୍ଗଠନକାରୀମାନେ ଗ୍ରାମର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେଲେ । ଗ୍ରାମର ଲୋକେ ଅଶିକ୍ଷା ଓ ଅଯତ୍ନ ଫଳରୁ ରୋଗ କବଳରେ ପଡ଼ୁଛନ୍ତି । ସ୍ୱାସ୍ଥ୍ୟରକ୍ଷା ବିଷୟରେ ସେମାନଙ୍କର ସାଧାରଣ ଜ୍ଞାନ ମଧ୍ୟ ଅଭାବ । ପରିଷ୍କାର ପରିଛନ୍ନ ନ ରହି, ଖାଦ୍ୟ, ବାସଗୃହ ପ୍ରଭୃତିକୁ ଅବହେଳା କରି ସେମାନେ ରୋଗକୁ ନିମନ୍ତ୍ରଣ କରୁଛନ୍ତି । ରୋଗ ହେଲେ ପ୍ରଥମେ ଚିକିତ୍ସା ନ କରାଇ ଶେଷ ଅବସ୍ଥାରେ ରୋଗ ଅସାଧ୍ୟ ହୋଇଗଲେ ସତର୍କ ହେଉଛନ୍ତି । ତେଣୁ ସେମାନଙ୍କୁ ପ୍ରଥମ ଉପଦେଶ, “ସାମାନ୍ୟ ଯତ୍ନ କଲେ ଅକାଳରେ ମରିବାର ଭୟ ରହିବ ନାହିଁ । ରୋଗରେ ମର ନାହଁ ବଞ୍ଚି ରହିବାକୁ ଚେଷ୍ଟା କର; ଆପେ ବଞ୍ଚିଲେ ବାପର ନାମ ।”

କିନ୍ତୁ ଗ୍ରାମବାସୀଙ୍କର ସବୁଥିରେ ଅବହେଳା । ଯଦିବା କେହି ନିଜ ଘରକୁ ପରିଷ୍କାର ରଖିବାକୁ ମନ ବଳାଏ, ନିଜର ଆଖ ପାଖକୁ ଓ ଗ୍ରାମକୁ ପରିଷ୍କାର ରଖିବାକୁ କେହି ଚେଷ୍ଟା କରେ ନାହିଁ । ଗ୍ରାମର ଅପରିଷ୍କୃତ ପରିସ୍ଥିତିରୁ ଯେଉଁ ରୋଗ ଜୀବାଣୁ ଜନ୍ମ ହେବେ, ସେମାନେ ସମସ୍ତଙ୍କୁ ଗ୍ରାସିବେ । ଗ୍ରାମର ଜଳାଭୂଇଁରେ ଯେଉଁ ମଶା ଜନ୍ମିବେ, ସେମାନେ ସମସ୍ତଙ୍କୁ ମ୍ୟାଲେରିୟା ଜ୍ୱର ଭୋଗାଇବେ; କିନ୍ତୁ ଯାହା ସମସ୍ତଙ୍କର କାମ,ତାହା ଯେପରି କାହାରି ଜଣକର କାମ ନୁହେଁ ।

ପ୍ରତ୍ୟେକ ଗ୍ରାମରେ ପହଞ୍ଚିଲେ ଦେଖାଯାଏ ଯେ, ଗ୍ରାମର ଲୋକାଳୟ ନିକଟରେ ବନ୍ଧ କଡ଼ରେ ବା ଅରମାରେ ଲୋକେ ଝାଡ଼ା ଫେରୁଛନ୍ତି । ଏହାଦ୍ୱାରା କେବଳ ଯେ ମଫସଲର ଅଶିକ୍ଷା ଓ ଅଭଦ୍ରତା ପଦାକୁ ଫୁଟି ବାହାରେ ତାହା ନୁହେଁ, ଦୁର୍ଗନ୍ଧ ହୋଇ ବାୟୁ ଦୂଷିତ ହୁଏ । ମାଛିମାନେ ମଇଳା ଉପରେ ବସି ଉଡ଼ିଯାଇ ପୁଣି ମନୁଷ୍ୟ ଖାଦ୍ୟ ଉପରେ ବସନ୍ତି । ପାଣି ଚାରିଆଡ଼କୁ ଗଡ଼ିଯାଇ ମଇଳା ବ୍ୟାପି ଯାଏ, ରୋଗ ବଢେ଼ । ତେଣୁ ଗ୍ରାମବାସୀଙ୍କୁ ଶିକ୍ଷା ଦିଆ ହେଲା ଯେ, ସେମାନେ ଲୋକାଳୟଠାରୁ ଦୂରକୁ ଯାଇ ସେଠି ଗାତ ଖୋଳି ତହିଁରେ ଝାଡ଼ା ଫେରିବେ ଓ ଗାତକୁ ମାଟି ପାଉଁଶରେ ପୋତି ଦେଇ ଆସିବେ । ତାହା ହେଲେ ମଇଳା ଚାରିଆଡେ଼ ବ୍ୟାପିବ ନାହିଁ ବା ଦୁର୍ଗନ୍ଧ ହେବ ନାହିଁ; ମଇଳା ମାଟିରେ ମିଶିଯିବ, ମାଟି ଉର୍ବର ହେବ ।
ଗ୍ରାମର ପୋଖରୀପାଖେ ପହଞ୍ଚିଲେ ଦେଖାଯାଏ, ସତେ ଯେପରି ଲୋକେ ଏକମନ ହୋଇ ଆତ୍ମହତ୍ୟା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି । କାରଣ ଏ ଅପରିଷ୍କୃତ ପୋଖରୀରୁ ଗରା ମାଠିଆ ପୂର୍ଣ୍ଣ ହୋଇ ପିଇବା ପାଇଁ ପ୍ରତି ଘରକୁ ପାଣି ଯାଉଛି; ଅଥଚ ଏଠି ମନୁଷ୍ୟ, ଗାଈ ଓ ମଇଁଷି ଗାଧୋଉଛନ୍ତି, ଧୋବା ଲୁଗା କାଚୁଛି, କେହି କେହି ନିତ୍ୟକର୍ମ କରୁଛନ୍ତି । ଗ୍ରାମରେ କାହାରିକୁ ଅମାଶୟ, ଆନ୍ତ୍ରିକ ଜ୍ୱର ବା ହଇଜା ହେଲେ ରୋଗ ଜୀବାଣୁ ତାହାର ଲୁଗାପଟାରୁ ଏ ପୋଖରୀକୁ ଓ ଏଠୁ ଗ୍ରାମର ପ୍ରତିଘରକୁ ଚାଲିଯାଆନ୍ତି ।

କୂଅର ଅବସ୍ଥା ମଧ୍ୟ ସେହିପରି । କୂଅ ଚାରିପାଖ ଅସନା କଲେ ଅସନା ପାଣି ମାଟି ଭିତରକୁ ଭେଦି ଶେଷରେ କୂଅ-ଝରରେ ମିଶେ ତଥାପି ଲୋକେ କୂଅ ପାଖେ ଗାଧୋଉଛନ୍ତି, ଳୁଗା ଧୋଉଛନ୍ତି । ବାସନ ମାଜୁଛନ୍ତି ଓ ଅପରିଷ୍କାର କରୁଛନ୍ତି । ଲୋକଙ୍କୁ ଏହାର ଅପକାରିତା ବୁଝାଇ କୂଅରେ ଚୂନ ଓ ବ୍ଳିଚିଂ ପାଉଡ଼ର ପକାଇ ସଫା କରାଗଲା; କୂଅ ଚାରିପାଖ ପରିଷ୍କାର ରଖାଗଲା ।

ଅତିଶୟ ସ୍ୱାସ୍ଥ୍ୟକର ଓ ନିରାପଦ ପିଇବା ପାଣି ବ୍ୟବହାର କରିବାକୁ ସମସ୍ତଙ୍କ ଚାନ୍ଦାରେ ଗୋଟିଏ ନଳ-କୂଅ ବସାଗଲା । ଏକଶହ ଅଶୀ ଫୁଟ ଗଭୀରକୁ ଗୋଟିଏ ଲୁହା ନଳ ପୋତା ହେଲା । ତହିଁରେ ଗୋଟିଏ ପମ୍ପ୍ ଲାଗିଥାଏ; ଉପରେ ଦାବିଲେ ପାଣି ଝରେ । ଏ ପାଣି ଅତି ନୀରୋଗ ।

ତାହା ଉତ୍ତାରୁ ବାସଗୃହ ସଂସ୍କାର । ଗ୍ରାମରେ ଫରଚା ଫରଚା ଛାଡ଼ି ଛାଡ଼ି ଘର କରିବାକୁ ସ୍ଥାନର ଅଭାବ ନାହିଁ; କିନ୍ତୁ ଲୋକେ ଏତେ ରକ୍ଷଣଶୀଳ ଯେ ପୁରୁଷକୁ ପୁରୁଷ ନିଜର ସଂଖ୍ୟା ବଢ଼ୁଥିଲେ ସୁଦ୍ଧା ସେମାନେ ପୁରୁଣା ଗୃହ ଛାଡ଼ି ଯିବାକୁ ଅନିଛୁକ । ସେମାନଙ୍କ ଘର ସବୁ ଏକାଠି ଲଗାଲଗି,ସଙ୍କୀର୍ଣ୍ଣ, ପାରାଖୋପ ପରି ଛୋଟ ଛୋଟ ଆଡ଼ ଉଢ଼ାଳକୁ ଜଗି ଝରକା ଫିଟା ହୋଇନାହିଁ, ପବନ ଓ ଆଲୁଅ ଯିବାକୁ ସୁବିଧା ନାହିଁ, ତେଣୁ ଘର ସବୁ ସନ୍ତସନ୍ତିଆ । ଶୋଇବା ଘର, ରୋଷାଇ ଘର ଓ ଗୁହାଳ ଘର ଏକାଠି ଲଗାଲଗି । ଏ ଅନ୍ଧାର ଓ ଦୁଷିତ ପବନରେ ରୋଗର ଜୀବାଣୁ ଜନ୍ମନ୍ତି ପବନର ଦୁଷିତ ଅଂଶ ରକ୍ତରେ ରହିଯାଇ ଅପକାର କରେ । ନୁଆ ବୋହୁମାନଙ୍କୁ ଏ ସଙ୍କୀର୍ଣ୍ଣ ଘରେ ଓଢ଼ଣା ପକାଇ କବାଟ କଣରେ ଲୁଚି ଲୁଚି ଚଳିବାକୁ ହୁଏ, ତେଣୁ ସେମାନଙ୍କର ସତେଜ ଦେହ ବୋହୁପଣିଆ କରି ଭାଙ୍ଗି ପଡେ଼ ।

ଗ୍ରାମର ଘରମାନଙ୍କରେ ବଡ଼ ବଡ଼ ଝରକା ଖୋଲାହେଲା, ଅନ୍ଧାର କରୁଥିବା କାନ୍ଥ ଓ ଅଧାକାନ୍ଥି ଭାଙ୍ଗି ଦିଆ ହେଲା । ଯେ ନୁଆ ଘର ତୋଳୁଥିଲେ ତାଙ୍କୁ ପ୍ରବର୍ତ୍ତାଇ ନୁତନ ଧରଣର ଆଦର୍ଶ ଘର ତୋଳା ହେଲା । ନିଗିଡ଼ା ମାଟି ଓ ଢ଼ିପ ଭୂଇଁ ଦେଖି ଏ ସବୁ ଘର ତିଆରି କରାଗଲା । ଏଥିରେ ବଡ଼ ବଡ଼ ଝରକା, ଫର୍ଚ୍ଚା କବାଟ, ବଡ଼ ବଡ଼ କୋଠରୀ ଓ ଚଉଡ଼ା ଦ୍ୱାର । ରୋଷାଇ ଘର ଶୋଇବା ଘରଠାରୁ ଦୁରରେ । ଗୁହାଳ ଘର ଖଞ୍ଜାର ପଦାରେ ଓ ଶୋଇବା ଘରଠାରୁ ଦୁରରେ । ସେ ଖୁବ ପରିଷ୍କୃତ ପରିଛନ୍ନ, ତଳେ କାଦୁଅ ବା ଅସନା ନାହିଁ, ପାଣି ଓ ମୂତ ବୋହିଯିବା ପାଇଁ ପଦାକୁ ନାଳି କଟା ହୋଇଛି । ଶୋଇବା ଘର ଖୁବ ଖୋଲା ଖୋଲା । ସେଠି ଜିନିଷ ପତ୍ର ଖୁନ୍ଦା ଖୁନ୍ଦି ହୋଇନାହିଁ କାରଣ ତାହା ହେଲେ ମାଛି, ମଶା ଓ ମୁଶା ପ୍ରଭୃତି ରୋଗବାହକ ଜନ୍ତୁ ହେବେ । ଦୁଆରଟି ବାଲି ଓ ପଥର ପଡ଼ି ଚଉରସ ହୋଇଛି । ନାଳିବାଟେ ପାଣି ବୋହିଯାଉଛି । ଫିନାଇଲ ଓ ଚୁନ ପକାଇ ରୋଗ ଜୀବାଣୁ ଧ୍ୱଂସ କରାହେଉଛି । ଚାରିଆଡେ଼ ପରିଷ୍କୃତ ପରିଛନ୍ନ ।

ଏଠି ଖଟ ଉପରେ ମସାରି ପକାଇ ଝରକା ଖୋଲି ସମସ୍ତେ ଶୁଅନ୍ତି । ଘରେ ଝୁଣା ଧୂଆଁ ଦିଆଯାଏ । 

ଗ୍ରାମରେ ଚିକିତ୍ସାର ସୁବିଧା ପାଇଁ ଜଣେ ହୋମିଓପ୍ୟାଥି ପାଶ୍ କରିଥିବା ନୁଆ ଡ଼ାକ୍ତରଙ୍କୁ ବ୍ୟବସାୟରେ ଉନ୍ନତି ହେବ ବୋଲି ଭରଷା ଦିଆହୋଇ ଗ୍ରାମରେ ଅଣାଇ ରଖାହେଲା ଓ ତାଙ୍କର ସବୁ ସୁବିଧା କରିଦିଆହେଲା । ହେମିଓପ୍ୟାଥି ଓୌଷଧ ଅତି ଶସ୍ତା ଓ ଏଥିରେ ରୋଗ ନିର୍ମୁଳ ହୁଏ । ରୋଗ ଠିକ କରି ଓୌଷଧ ଦେଇପାରିଲେ ଏପରି ସୁନ୍ଦର ଓୌଷଧ ଆଉ ନାହିଁ । ବୁଦ୍ଧିମାନ ଡ଼ାକ୍ତର ଗ୍ରାମର ଗୋଟିଏ ଆଶ୍ରା ହୋଇ ରହିଲେ । ଆଖପାଖ ଦଶଖଣ୍ଡି ମୌଜାର ଉପକାର ହେଲା । ବସନ୍ତ ରୋଗ ଆରମ୍ଭ ହେଲେ ସମସ୍ତଙ୍କୁ ବସନ୍ତ ପ୍ରତିଶେଧକ ଓୌଷଧ ଦିଆଯାଏ ।  ଥରେ ଖାଇଲେ ବର୍ଷେ ପର୍ଯ୍ୟନ୍ତ ଆଉ ଚିନ୍ତା ନାହିଁ । ଟିକା ଘେନିବା ଅପେକ୍ଷା ଏହାର ଗୁଣ ଅଧିକ ଅବ୍ୟର୍ଥ ।

ନିଖିଳ ଉକ୍ରଳ ଗ୍ରାମ ସଙ୍ଗଠନ ସଙ୍ଘର କର୍ମିମାନେ ସରକାରୀ ଏପି଼ଡେମିକ୍ ଡ଼ାକ୍ତର ଓ ସ୍ୱାସ୍ଥ୍ୟ ପରିଦର୍ଶକମାନେ ଆସି ସ୍ଥିର ବାଇସ୍କୋପ ଛବି ଦେଖାଇ ବକ୍ତୃତା କରି ଭିନ୍ନ ଭିନ୍ନ ରୋଗ ଓ ସାଧାରଣ ସ୍ୱାସ୍ଥ୍ୟରକ୍ଷା ବିଷୟରେ ଥରକୁ ଥର ବୁଝାଇ ଦେଇଯାଆନ୍ତି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

Wednesday, July 12, 2017

ଚାଷୀ ଭାଇର ସଙ୍ଘ ଓ ସମବାୟ


ଗୋପୀନାଥ ମହାନ୍ତି 


ପୁଷ୍କର ନଗରର ତେଜରାତି ଦୋକାନ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ପରି ବାବୁ କହିଲେ, “ଜଣେ ଲୋକର ନିଜର ଟଙ୍କା ନାହିଁ ବୋଲି ଯେ ସେ ବଡ଼ କାମ କରିପାରିବ ନାହିଁ, ଏପରି ଭାବିବା ଅତି ଭୁଲ । କାରଣ ସମସ୍ତଙ୍କର ସାମାନ୍ୟ ପୁଞ୍ଜି ଏକାଠି କଲେ ଅନେକ ଟଙ୍କା ହୋଇଯିବ; ତହିଁରେ ବଡ଼ କାରବାର ଚଳିପାରିବ । ଏକମନ ହୋଇ ପରିଶ୍ରମ କଲେ ହେଲା ।”

ତେଣୁ ସମସ୍ତଙ୍କୁ ବୁଝାଇ ଶୁଝାଇ ସମବାୟ-ସମିତି ଗଢ଼ା ହେଲା । ଗ୍ରାମ ଲୋକଙ୍କର ଅନେକ ସମୟରେ ଅନେକ ଟଙ୍କା ଦରକାର ପଡେ଼ । ସେମାନେ ଅତି ବେଶୀ ସୁଧରେ ମହାଜନଠାରୁ ଟଙ୍କା କରଜ ନେଇଥାନ୍ତି । ତାହା ଅପେକ୍ଷା ନିଜେ ଗୋଟିଏ ପାଣ୍ଠି କରି ଦରକାର ବେଳେ ତହିଁରୁ ଟଙ୍କା କରଜ ନିଆଯାଇ ପାରନ୍ତା । ତେଣୁ ସମସ୍ତେ ଏକମନ ହୋଇ ଲାଗିପଡ଼ିଲେ ।

ଗୋଟିଏ ଖାତା ତିଆରି ହେଲା । ଯେ ଯାହା ପରିଲା ତାହା ସମିତିରେ ପକାଇ ସମିତିର ସଭ୍ୟ ହେଲା । କିଏ ଚାର’ଣା,କିଏ ଆଠଣା, କିଏ ଟଙ୍କାଏ --- ଯେ ଯାହା ପାରିଲା ଦେଲା । ଅତି ଗରିବ ମାଧିଆ ମା ସୁଦ୍ଧା ଧାନ କୁଟା ପଇସାରୁ ଅଣାଏ ପଇସା ବାହାର କରି ଦେଲା । ପରି ବାବୁଙ୍କ ପାଖେ ଟଙ୍କା ଜମା ରହିଲା । କ୍ରମେ ପଚାଶଟି ଟଙ୍କା ଠୁଳ ହେଲା । ଗରିବ ଗ୍ରାମବାସୀମାନେ ଆଉ ବେଶୀ କେଉଁଠୁ ଦେଇ ପାରନ୍ତେ ?

ସେ ଟଙ୍କାରୁ କିିଛି ମୂଳପାଣ୍ଠି ବାବଦ ରଖିଦେଇ ଅନ୍ୟ ଟଙ୍କାରେ ସାମାନ୍ୟ କାରବାର ଆରମ୍ଭ ହେଲା । ଗ୍ରାମବାସୀଙ୍କର ଳୁଗା ଦରକାର । ସହରରୁ ଲୁଗା କିଣା ହୋଇ ଆସି ଗ୍ରାମରେ ବିକ୍ରୀ ହେଲା, ଲୋକେ ଶସ୍ତାରେ ଭଲ ପଦାର୍ଥ ପାଇଲେ । ସମବାୟ ସମିତିର ମଧ୍ୟ କିଛି ଲାଭ ହେଲା । ଏହିପରି ଅନ୍ୟାନ୍ୟ ବ୍ୟବସାୟ ହେଉ ହେଉ ସମିତିର ଗ୍ରାମରେ ଗୋଟିଏ ଛୋଟ ଦୋକାନ ଖୋଲାହେଲା । ସେ ଦୋକାନରେ କାର୍ଯ୍ୟ କରିବା ପାଇଁ ବେତନ ପାଇ ଜଣେ ଲୋକ ବନ୍ଦୋବସ୍ତ ହେଲା; ତେଣୁ ତାହାର ଭରଣ ପୋଷଣର ବ୍ୟବସ୍ଥା ମଧ୍ୟ ହୋଇଗଲା ।

ପରି ବାବୁ କହିଲେ, “ଏତିକି କଣ ଦେଖୁଛ ? ଆମ ସମବାୟ ସମିତିର ଉନ୍ନତି ହେଲେ, ଭବଷ୍ୟତରେ ଆହୁରି କେତେ ଲୋକ ଏଥିରେ ନିଯୁକ୍ତ ରହିବେ ।”

ଯେତେବେଳେ ମଞ୍ଜି କିଣିବା ଦରକାର ହୁଏ, ସମବାୟ ସମିତି ପକ୍ଷରୁ ଏକାଠି ପେଣ୍ଠସ୍ଥାନରୁ ମଞ୍ଜି କିଣା ହୋଇ ଆସେ,ଗ୍ରାମରେ ବିକ୍ରୀ ହୁଏ, ଲୋକେ ଶସ୍ତାରେ ପାଆନ୍ତି, ଏଣେ ଲାଭ ଅଂଶ ସମିତିର ପାଣ୍ଠିକୁ ଯାଏ । ପ୍ରତି ଲୋକର ଚାନ୍ଦା ଅଂଶ ଉପରେ ସୁଧ ବସା ହୋଇ ଲେଖାଥାଏ । କାଳେ କିଏ ଭବିଷ୍ୟତରେ ନାମ କଟାଇନେଲେ ତାକୁ ଫେରସ୍ତ ଦିଆହେବ ବୋଲି ।

ଏଣେ ଦୋକାନର କାରବାର ଚାଲିଥାଏ । ଗ୍ରାମର ସମସ୍ତେ ସେଠୁ ଆବଶ୍ୟକ ଦ୍ରବ୍ୟ କିଣନ୍ତି ।

ଅତିଶୟ ଅଭାବ ନ ଥିଲେ କାହାରିକୁ ସହଜରେ କାଳି ଦିଆ ହୁଏ ନାହିଁ; ଲୋକଙ୍କୁ ବୁଝାଇ ଦିଆଯାଏ, “ଯଦି ତୁମେ ସହଜରେ କାଳି ପାଇପାରିବ, ତାହା ହେଲେ ଅନେକ କରଜ କରି ପକାଇବ, ଶୁଝି ପାରିବ ନାହିଁ ।” କାହାରିକୁ କାଳି ଦେଲେ ତାର ଶୁଝିପାରିବା ଅବସ୍ଥାକୁ ଦେଖି ଦିଆଯାଏ । 

ଲୋକେ ସମିତିରୁ ଟଙ୍କା ଉଧାର ଦେବାକୁ ଆସନ୍ତି । ଯେଉଁଠି ଉଧାର ଦେଲେ ଲୋକ ବ୍ୟବସାୟ କିମ୍ବା ଫସଲ କରି ଟଙ୍କାକ ଦୁଇଟଙ୍କା କରିପାରିବ, ସେଠି ତାର ଜିନିଷ ବା ଜମିଜମା ବନ୍ଧକ ରଖି ଟଙ୍କା ଉଧାର ଦିଆଯାଏ । ଯେଉଁଠି କେହି ଲୋକ ପୂଜା ପାର୍ବଣ, ବ୍ରତ, କାନଫୋଡ଼ା, ଶ୍ରାଦ୍ଧ ବା ବିଭାଘର ପାଇଁ ଟଙ୍କା କରଜ ମାଗେ, ତାକୁ ସମିତି କୁଣ୍ଠିତ ହୋଇ ଟଙ୍କା ଦିଏ । ପରି ବାବୁ ବୁଝାଇ ଦିଅନ୍ତି :-

“ତୁମ ନିଜ ପାଖେ ଯଦି ଟଙ୍କା ନାହିଁ, ତେବେ ଖାଲି ଆଡ଼ମ୍ବର କରିବା ପାଇଁ କରଜ କର ନାହିଁ । ଯାହା ନ ହେଲେ ନ ହେବ ତାହା ହିଁ କର । ବିଭାଘରକୁ ବାଣ ରୋସନି କରିପାରିବ ନାହିଁ ବୋଲି ମନ ଉଣା କରୁଛ, ମାତୃଶ୍ରାଦ୍ଧକୁ ଅଧିକ ବ୍ରାହ୍ମଣ ନିମନ୍ତ୍ରଣ କରିପାରୁନାହଁ ବୋଲି ଦୁଃଖିତ ହେଉଛ; କିନ୍ତୁ ଭାବି ଦେଖିଲ, ବର୍ତ୍ତମାନ ଆଡ଼ମ୍ବର କରି ପଇସା ଖର୍ଚ୍ଚ କରିଦେଲେ, ପରେ ଯେତେବେଳେ ମହାଜନ ଘରବାଡ଼ି ନିଲାମ କରି ତମକୁ ଖପରାରେ ଖୁଆଇବ, ସେତେବେଳେ ଲୁହ ପୋଛି ପୋଛି ଦିନ ସରିବ ନାହିଁ । ସବୁ ଦିନ ସମାନ ଯାଏ ନାର୍ହି । ଅଭାବର ଦିନ ମଧ୍ୟ ଆସେ, ସେତେବେଳକୁ ପ୍ରସ୍ତୁତ ହୋଇ ଖର୍ଚ୍ଚ କରୁଥାଅ ।”

ନିଜେ ଆଗୁସାର ହୋଇ ପରି ବାବୁ ଓ ମାଷ୍ଟରେ ବିଭାଘର ପ୍ରଭୃତିର ଖର୍ଚ୍ଚ କମ କରିଦେଲେ । ଦୋଳ ସମୟରେ ଅନ୍ୟ ଗ୍ରାମ ସହିତ ପ୍ରତିଦ୍ୱନ୍ଦିତା କରି ଗ୍ରାମବାସୀଏ ଯେତେବେଳେ ଠାକୁରଙ୍କ ପାଇଁ ମେଳଣକୁ ଯିବାଲାଗି ବଡ଼ ରୋସନି ବନ୍ଦୋବସ୍ତ କଲେ, ସେତେବେଳେ ପରି ବାବୁ କହିଲେ, “ତୁମର ଅନ୍ୟ ଗ୍ରାମ ଉପରେ ଟେକ ରହିପାରିବ, ---ଯଦି ପ୍ରକୃତରେ ତୁମେ ଗ୍ରାମର ଉନ୍ନତି କରିପାରିବ । ଦିନିକିଆ ବଡ଼ଲୋକି କୌଣସି କାର୍ଯ୍ୟରେ ଲାଗିବ ନାହିଁ । ଠାକୁରଙ୍କୁ ବେଶ କରି ପଇସା ଖର୍ଚ୍ଚ କରିବା ଅପେକ୍ଷା ନିଜର ଦରିଦ୍ରତା ଦୂର କର, ସେଥିରେ ଠାକୁରେ ବେଶୀ ଖୁସି ହେବେ ।” ତେଣୁ ଦୋଳ ଭେଦାରୁ ଅନେକ ଟଙ୍କା ଦାତାମାନଙ୍କ ଭାଗ ସ୍ୱରୁପ ସମବାୟ ସମିତିରେ ଜମା ହେଲା । କାହାରି କୌଣସି ଉତ୍ସବ ହେଲେ ସେ ଗ୍ରାମ ସମବାୟ ପାଣ୍ଠିକୁ କିଛି ଦିଏ ।

ଏ ପାଣ୍ଠିରୁ ଅନ୍ୟାନ୍ୟ ବ୍ୟବସାୟ ବ୍ୟତୀତ ଦରିଦ୍ରମାନଙ୍କୁ ସାହାଯ୍ୟ ଦେବା, ସ୍କୁଲ ଘରର ଉନ୍ନତି କରିବା ପ୍ରଭୃତି ଅନେକ ଲୋକ ହିତକର କାର୍ଯ୍ୟ ହେଲା । ଚାଷୀମାନଙ୍କ ହଳ, ବଳଦ, ସାର ଓ ବିହନ କିଣିବା ପାଇଁ ଟଙ୍କା ବରାବର ଧାର ଦିଆଯାଉଥାଏ । ଯେତେବେଳେ ପ୍ରତ୍ୟେକେ ପୃଥକ ପୃଥକ ହୋଇ ଫସଲ ଓ ଶିଳ୍ପ କାର୍ଯ୍ୟ ବିକ୍ରୀ କରିବା ପାଇଁ ଉଦଯୋଗ କଲେ, ସେତେବେଳେ ସେମାନଙ୍କୁ କୁହାଗଲା, “ଆସ, ଆମେ ସମସ୍ତେ ଯେପରି ଏକାଠି ହୋଇ କିଣା କିଣି କରୁଥାଇଁ, ସେହିପରି ଏକାଠି ହୋଇ ବିକ୍ରୀ କରିବା । ତହିଁରେ ମୂଳ ବେପାରିମାନେ ସିଧା ଆମଠାରୁ କିଣି ନେବେ;ଆମର ଲାଭ ବଢ଼ିବ, ଯାହାହେବ, ତାହା ଭାଗ ଅନୂସାରେ ବାଣ୍ଟିନେବା ।”

ଏ ଉପାୟରେ ଲାଭ ବେଶୀ, ଠକିବାର ଭୟ ଅଳ୍ପ । ସହରରେ କିଣାଳି ବନ୍ଦୋବସ୍ତ କରିସାରି ଗ୍ରାମର ଦ୍ରବ୍ୟ ସେଠି ବିକ୍ରୀ କରି ଦିଆହୁଏ । ମଝି ବେପାରିମାନେ ଜଣ ଜଣ କରି ଶସ୍ତାରେ ଯେପରି କିଣି ନେଉଥିଲେ, ସେପରି ଆଉ ହେଲା ନାହିଁ । ମୂଳ ପଦ୍ଧତି ରହିଲା,---ଆମଦାନି କଲା ଲୋକଙ୍କଠାରୁ ବ୍ୟବହାର କରିବା ଲୋକେ ପଦାର୍ଥକୁ ସିଧା କିଣିବେ । ତଦ୍ଧ୍ୱାରା ଦୁଇ ପକ୍ଷର ଲାଭ, କିଣାଳିଙ୍କୁ ଶସ୍ତା ପଡ଼ିଲା, ବିକାଳିଙ୍କୁ ପୂର୍ବ ଅପେକ୍ଷା ଅଧିକ ଲାଭ ପଡ଼ିଲା ।

ଏଣେ ଗ୍ରାମ ସମବାୟ ସମିତି ଉନ୍ନତିରୁ ଉନ୍ନତିକୁ ଡେ଼ଇଁ ଡେ଼ଇଁ ଚାଲିଲା । କ୍ରମେ ତାହାର ନିଜର ଜମି, ନିଜର ଘର ହେଲା, କମ୍ପାନୀ ସରକାରୀ-ରେଜିଷ୍ଟ୍ରି ହୋଇ ରହିଲା, ସରକାରୀ ସମୀକ୍ଷକ ଆସି ଟଙ୍କା ପଇସାର ହିସାବ ତଦାରଖ କରିଗଲେ । ଏହାର ଦୁଇଟି ଶାଖା ହୋଇଗଲା---ଗୋଟିଏ ବ୍ୟବସାୟ; ଧାର, ଆରଟି ଗ୍ରାମର ଉନ୍ନତି କରିବା ପାଇଁ । ଦ୍ୱିତୀୟ ପାଣ୍ଠିରେ ଯେତେ ଚାନ୍ଦା ହୁଏ, ତହିଁରେ ଦାନ ଖଇରାତ ଓ ଖର୍ଚ୍ଚ ଭାଗ ବେଶୀ । ଦରିଦ୍ର ଲୋକେ ତହିଁରୁ ସାହାଯ୍ୟ ପାଆନ୍ତି । ତହିଁରେ ଗ୍ରାମର ଖଣ୍ଡିଏ ପୁସ୍ତକାଗାର ହେଲା । କାରଣ ଗ୍ରାମର ଶିକ୍ଷା ବିସ୍ତାର ହେବା ସଙ୍ଗେ ସଙ୍ଗେ ପୁସ୍ତକର ଆବଶ୍ୟକ ବଢ଼ିଲା । ଏ ପୁସ୍ତକାଗାରରେ କୃଷି, ଶିଳ୍ପ, ଗ୍ରାମ ସଙ୍ଗଠନ, ପଶୁପାଳନ, ସାଧାରଣ ବ୍ୟାଧି ଏହି ସମ୍ପର୍କୀୟ ପୁସ୍ତକ ଅଧିକ । ରାତ୍ରି ବିଦ୍ୟାଳୟ ପରେ ଅନେକ ସମୟରେ ଏଠି ସେସବୁ ବିଷୟ ଚର୍ଚ୍ଚା ହୁଏ । “ନିଖିଳ-ଉକ୍ରଳ ଗ୍ରାମ ସଙ୍ଗଠନ ସଙ୍ଘ” ପ୍ରଭୃତିରୁ ବିଶାରଦମାନେ ଆସି ଲୋକଙ୍କୁ ବୁଝାଇଯାଆନ୍ତି ଓ ପୁସ୍ତକ ଦାନ କରି ଯାଆନ୍ତି ।

ଏହା ଛଡ଼ା ଅନ୍ୟାନ୍ୟ ପୁସ୍ତକ ମଧ୍ୟ ଏଠି ରହିଲା । ବଡ଼ ବଡ଼ ଲେଖକମାନଙ୍କଠାରୁ ସେମାନଙ୍କ ପୁସ୍ତକ ସବୁ ଅଣାହେଲା । କ୍ରମେ ଦେଖାଗଲା, ଗ୍ରାମର ଚାଷୀ ଭାଇମାନଙ୍କ ମଧ୍ୟରୁ କେତେକ ଲୋକ ରାତ୍ରି ସ୍କୁଲର ବିଦ୍ୟା ଶେଷ ପରେ ନିଜର ଅବସ୍ଥାର ଉନ୍ନତି କରିବା ପାଇଁ ଜ୍ଞାନ ଅର୍ଜନ କରିବାକୁ ମନ ଦେଉଛନ୍ତି ।

ବି.ଦ୍ର. -  ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଉଦ୍ଧୃତ ।

Friday, July 07, 2017

ଚିଲିକାର ବିଭବ - ୭


ଦୁର୍ଗାଚରଣ ପଣ୍ଡା



ଚିଲିକା ଷ୍ଟେସନ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

୮ ଚିଲିକା କୂଳେ ବିଜ୍ଞାନାଗାର 


ଏ ବିଜ୍ଞାନ ଯୁଗରେ ଭାରତର ଅନ୍ୟ ସବୁ ପ୍ରାଦେଶିକ ସରକାର ନିଜ ନିଜ ଅଞ୍ଚଳରେ ବିଦ୍ୟୁତ ସାହାଯ୍ୟରେ ବହୁତ କାରଖାନା ଖୋଲିଛନ୍ତି କିନ୍ତୁ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ନୀରବ ଅଛନ୍ତି ।

ଯୁଦ୍ଧୋତ୍ତର ପୁନର୍ଗଠନ କାର୍ଯ୍ୟନେଇ ଆମ ସରକାର ଏଇ ଚିଲିକା କୂଳରେ କେତୋଟି କାରଖାନା କରିବା ଆଶା କରାଯାଏ । ତନ୍ମଧ୍ୟରୁ ଗୋଟିଏ ବଡ଼ ଦରର 'ବରଫକଳ' ଏବଂ ମାଛକୁ ସିଦ୍ଧକରି ବାଷ୍ପଶୂନ୍ୟ ଟିଣରେ ରଖିବାପାଇଁ ଆବଶ୍ୟକୀୟ ଯନ୍ତ୍ର ସ୍ଥାପନ ପ୍ରଧାନ ହେବା ଦରକାର, ମାଛ ବିଦେଶକୁ ପଠାଇବା ପାଇଁ ପ୍ରଚୂର ବରଫ ଦରକାର । ଏକ୍ଷଣି କାଳୁପଡ଼ା ନାମକ ସ୍ଥାନରେ ଗୋଟିଏ ବରଫ କଳ ଅଛି କିନ୍ତୁଏଠାରେ ଅତିକମ୍ ପରିମାଣ ତିଆରି ହୁଏ । ମାଛକୁ ଶୁଖୁଆ କରିବା ଏବଂ ଗ୍ରୀଷ୍ମ ଦିନରେ ଯେଉଁ ଚିଙ୍ଗୁଡ଼ି ମିଳେ ତାହାକୁ ସିଦ୍ଧକରି ତହିଁରୁ ରସ ବାହାରକରିବାପାଇଁ କେତେକ ଯନ୍ତ୍ରପାତି ଦରକାର, ଏହି ରସ ବ୍ରହ୍ମଦେଶ ବାସୀଙ୍କପାଇଁ ରପ୍ତାନୀ ହୁଏ ।

ଏ ପର୍ଯ୍ୟନ୍ତ କେବଳ କଳେ ବଳେ କୌଶଳେ ଚିଲିକାରୁ ମାଛ ଧରି ତାକୁ ଖାଇବା ଓ ବିକ୍ରିକରିବା ବ୍ୟତିତ ଏହି ମାଛର ପରିମାଣ କିପରି ବୃଦ୍ଧିହେବ ସେ ଦିଗରେ କେହିହେଲେ ଯତ୍ନବାନ କରିନାହାନ୍ତି । ମାଛ ଛାଣି ନେବା ସଙ୍ଗେ ସଙ୍ଗେ ଏଠାର ଜଳବାୟୁରେ ଅଧିକ ପରିମାଣ ମାଛ କିପରି ଜାତହେବ ସେ ଦିଗରେ ମଧ୍ୟ ଆୟୋଜନ କରିବାକୁ ହେବ ---ତା' ନହେଲେ କ୍ରମେ ଚିଲିକାରୁ ମାଛ ପରିମାଣ କମିଯିବା ଅସମ୍ଭବ ନୁହେଁ । ଏଣୁ ନିକଟରେ ଏଠାରେ [ବାଲୁଗାଁ] ଗୋଟିଏ ବିଜ୍ଞାନାଗାର ଖୋଲାଯାଇ ଚିଲିକାର ମତ୍ସଶିଳ୍ପ ଉନ୍ନତ କରାଯିବା ଯୋଗାଡ଼ ଚାଲିଛି । (କ୍ରମଶଃ)

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Thursday, July 06, 2017

ଚିଲିକାର ବିଭବ - ୬


ଦୁର୍ଗାଚରଣ ପଣ୍ଡା



ଚିଲିକାର ମୁହାଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୬ ଦଳ


ଚିଲିକା ପାଣିରେ ଅନେକ ଶ୍ରେଣୀର ଦଳ ଜାତହୁଏ । ତନ୍ମଧ୍ୟରୁ ଚିଙ୍ଗୁଡ଼ିଆ ଦଳରୁ "ଆଓଡେନ" [ଡାକ୍ତରୀ ଔଷଧ] ତିଆରିହେବା ସମ୍ଭବ ଦେଖାଯାଏ । ଏ ଦିଗରେ ବିଶେଷ ଅନୁସନ୍ଧାନକରିବା ଦରକାର । ଏଇ ଦଳରେ ଭଲ ଗଦି ଓ ସାହେବ ଟୋପି ତିଆରି ହୁଏ । ଦଳକୁ ଉତ୍ତମ ରୂପେ ସିଦ୍ଧ କଲେ ଏକ ପ୍ରକାର ସରୁ ସୁତା ଆଦାୟ ହୁଏ । ଏଇ ସୁତାରେ ଏକପ୍ରକାର ପାଟ ମଧ୍ୟ ତିଆରି ସମ୍ଭବ । ଏ ସବୁ ଦିଗରେ ଅନୁସନ୍ଧାନ କରିବାକୁ ହେବ । 

୭ ସ୍ୱାସ୍ଥ୍ୟ ନିବାସ 


ଚିଲିକା ପାଣିରେ ପ୍ରଚୁର ପରିମାଣ ଲବଣାଂଶ ଅଛି । ଏଣୁ ଏଠାର ଜଳବାୟୁ ସ୍ୱାସ୍ଥ୍ୟ ପକ୍ଷରେ ହିତକର ଅଟେ । ଚିଲିକାର କେତେକ ଦ୍ୱୀପପୁଞ୍ଜରେ ଏବଂ କୁଳର କେତେକ ସ୍ଥାନରେ ଉତ୍ତମ ସ୍ୱାସ୍ଥ୍ୟ ନିବାସମାନ ତିଆରିକଲେ ଏଠାରେ ରୋଗୀମାନେ ରହି ନିଜର ସ୍ୱାସ୍ଥ୍ୟ ଲାଭ କରିବା ସମ୍ଭବ ଦେଖାଯାଏ । ଏ ଦିଗରେ ଓଡ଼ିଶା ସରକାର ତଥା ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ପଡ଼ିବା ଦରକାର । 

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Tuesday, July 04, 2017

ଅନ୍ୟାନ୍ୟ କୂଟୀର ଶିଳ୍ପ


ଗୋପୀନାଥ ମହାନ୍ତି 


ବୁର୍ଗୁଣ୍ଡିର ରାଣୀ ବେର୍ଥା ବାଳିକାମାନଙ୍କୁ ଫ୍ଲାକ୍ସ ବୁଣିବା ଶିଖାଉଥିବାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗ୍ରାମର ଚାଷୀ ଚେତି ଉଠି ଦେଖିଲା, ସେ ନିଜର ଅବସ୍ଥାକୁ ନିଜ ଚେଷ୍ଟାରେ ଅନେକ ଅଂଶରେ ବଦଳାଇ ପାରୁଛି । 

ଚାଷର ଉନ୍ନତି ଘଟିଛି । ଚାରିଆଡେ଼ ପ୍ରଚୁର ବାରିବଗିଚା, ଘରେ ଘରେ ଅରଟ । କେହି କେହି ଏଣ୍ଡି ଚାଷ ଆରମ୍ଭ କରି ଦେଲେଣି ।

ବଢେ଼ଇ ଓ କମାରଶାଳରେ ବେଶୀ ଲୋକ ଜମା, କେବଳ ଦେଖିବାକୁ ନୁହେଁ, ଶିଖିବାକୁ । କେବଳ ଜାତି ବଢ଼େଇ ନ ହେଲେ ବଢ଼େଇ କାମ କରିବା ଉଚିତ ନୁହେଁ କିମ୍ବା କେବଳ ଜାତି ଅନୂସାରେ କର୍ମବିଭାଗ,---ଏପରି ଧାରଣା ଲୋକଙ୍କ ମନରୁ କ୍ରମେ ଗଲାଣି । ସେମାନେ ଶିଖୁଛନ୍ତି, “ପେଟ ପୋଷ, ନାହିଁ ଦୋଷ” । କାହାରିକୁ ଠକିବା ଉଚିତ ନୁହେ କିମ୍ବା କୌଣସି କାମକୁ ଛୋଟ ବୋଲି ଭାବିବା ଉଚିତ ନୁହେଁ । ଯେଉଁ ଉପାୟରେ ସାଧୂ ଭାବରେ ଦୁଇ ପଇସା ଆସି ପାରିବ,ତାର ବ୍ୟବସ୍ଥା କରିବା ଉଚିତ ।

ଏ ଗ୍ରାମରେ ପୂର୍ବେ ଯେପରି ଛୋଟ ଜାତିମାନଙ୍କ ପ୍ରତି ଘୃଣା ବିଦ୍ୱେଷ ଥିଲା, ତା ଯେପରି କ୍ରମେ କ୍ରମେ ଲୋପ ହୋଇଯାଉଛି । କାରଣ ସମସ୍ତେ ବୁଝିଲେଣି, ନିଜର ଦୁର୍ଦ୍ଦଶା ହୋଇଛି । ନିଜର ଅବସ୍ଥାର ଉନ୍ନତି କରିବାକୁ ହେଲେ ସମସ୍ତଙ୍କର ସମ୍ମିଳିତ ଉଦଯୋଗ ଦରକାର ।

ବାଉଁଶ ଓ ବେତ କାମ ଚାଲିଛି । ବେତ କାମ ଶିଖାଇବା ପାଇଁ ଗ୍ରାମ-ସଙ୍ଗଠନ ସଙ୍ଘରୁ ଜଣେ ଶିଖାଳି ଆସିଛି । ବେତର ଚଉକି, ଟେବୁଲ ପ୍ରଭୃତି ତିଆରି ହୋଇ ସହରକୁ ବିକ୍ରି ପାଇଁ ପଠା ଯାଉଛି । ବେତ କାମରେ ପ୍ରଚୁର ଲାଭ; ତେଣୁ ଗ୍ରାମର ବେତ ବ୍ୟବସାୟଟି କ୍ରମେ ବଡ଼ ହୋଇ ଉଠୁଛି । ଏଥିରେ ବାଉରିମାନେ ବିଶେଷ ଉଦଯୋଗ ଦେଖାଉଛନ୍ତି ।

ଏ ଗ୍ରାମ ଓ ତାର ଆଖପାଖରେ ଲୋକସମାଗମ ଯେପରି ବଢ଼ୁଛି, ଉନ୍ନତି ମଧ୍ୟ ସେହିପରି ପରିଷ୍କାର ଆଖିରେ ପଡ଼ୁଛି । କେଉଁଠି ହେଁସ ବୁଣା, କେଉଁଠି ବେତ ବୁଣା, କେଉଁଠି ନାନାପ୍ରକାର ମାଟିକାମ ଓ କଣ୍ଢେଇ ତିଆରି, କେଉଁଠି ଲୁଗା ବୁଣା,କେଉଁଠି ମଠା ବୁଣା, କେଉଁଠି ଶସ୍ତାରେ ଦଉନା-ଖଟ ତିଆରି, କେଉଁଠି ବା ବଢେ଼ଇ କାମ । ହଠାତ ହୋଇ ଏଥିରେ ବେଶୀ ଟଙ୍କା ଲଗାଇ ଦିଆ ହୋଇ ନାହିଁ; କିନ୍ତୁ ଅଳ୍ପ ଧନରେ ବ୍ୟବସାୟ କ୍ରମେ ବଢ଼ୁଛି ।

ପୂର୍ବେ ଏ ଅଞ୍ଚଳରେ ଲୋକେ ସାବୁନ୍ ବ୍ୟବହାର କରୁ ନ ଥିଲେ । ବର୍ତ୍ତମାନ ଗ୍ରାମର ବ୍ୟବହାର ଲାଗି ସାବୁନ୍ ତିଆରି ହୋଇ ପାରୁଛି । କେବଳ ତେଲ, କଷ୍ଟିକ ସୋଡ଼ା ଓ ପାଣି ମିଶାଇ ଆଉଟିଲେ ବା ସେହିପରି ଏକାଠି ରଖି ଘାଣ୍ଟିଲେ ସାବୁନ ହେଲା । ସେଥିରେ ବୁନ୍ଦାଏ ନେଇ ପାଣିରେ ପକାଇଦେଲେ ଯଦି ବୁଡ଼ିଯିବ, ତେବେ ଜଣା ପଡ଼ିବ, ସାବୁନ ଠିକ ହେଲାଣି । ତା ପରେ ଶୁଖିଗଲେ ବ୍ୟବହାରରେ ଲାଗିଲା । କଷ୍ଟିକ୍-ସୋଡ଼ା ସହରର ଦୋକାନମାନଙ୍କରେ ମିଳେ । ସାବୁନ ତିଆରି କରିବା ଅତି ସହଜ । ଯେତେ ଶସ୍ତାରେ ବିକିଲେ ମଧ୍ୟ ଲାଭ ଉଠିବ । ଗାଁରେ ଲୋକେ ସାଧାରଣତଃ ପରିଷ୍କାର ପରିଛନ୍ନତା ପାଇଁ ଆଦୌ ନିଘା କରନ୍ତି ନାହିଁ; କିନ୍ତୁ କ୍ରମେ ଯେତେବେଳେ ସେମାନେ ବୁଝିଲେ, ପିନ୍ଧା ଲୁଗାଟି ଛିଣ୍ଡାହେଲେ ସୁଦ୍ଧା ଦୋବ ଧାଉଳିଆ ଥିଲେ ତହିଁରେ କେତେ ଆନନ୍ଦ ଓ କେତେ ଗୌରବ ଓ ଯେତେବେଳେ ଦେଖିଲେ ଯେ, ନିଜ ଘରେ ନିଜର ବ୍ୟବହାର ଲାଗି ସାବୁନ ତିଆରି ହୋଇପାରେ କିମ୍ବା ଗାଁ-ତିଆରି ସାବୁନ ଶସ୍ତାରେ କିଣାଯାଇ ପାରେ, - ସେମାନେ ତହିଁରେ ପଛଘୁଞ୍ଚା ଦେଲେ ନାହିଁ ।

ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।

Friday, June 30, 2017

ଚିଲିକାର ବିଭବ - ୫


ଦୁର୍ଗାଚରଣ ପଣ୍ଡା



ଚିଲିକାର ୧୯୫୮ ମସିହାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୪ ଲୁଣମରା 


ଇଂରାଜୀ ଅଧିକାରର ବହୁ ଆଗରୁ ଚିଲିକା ମଧ୍ୟସ୍ଥ ଦ୍ୱୀପ ପୁଞ୍ଜରେ ଭାରତର ଅତି ଉତ୍କୃଷ୍ଟ ଲୁଣ ଆଦାୟ ହେଉଥିଲା । ଏକ ସମୟରେ ଗୋଟିଏ ବର୍ଷରେ ପ୍ରାୟ ଦୁଇଲକ୍ଷ୍ୟ ମହଣ ଲୁଣ ତିଆରି ହେବାର ଜଣାଯାଏ, ଏଇ ଲୁଣ ଯୋଗୁଁ ଚିଲିକାରେ ଭଲ ବୋଇତ ବାଣିଜ୍ୟ ମଧ୍ୟ ଚାଲୁ ହେଉଥିଲା କିନ୍ତୁ ଇଂରାଜୀ ମାନଙ୍କ ନିଷ୍ଠୁର ନୀତି ଯୋଗୁଁ ଏଇ ବ୍ୟବସାୟ ବନ୍ଦ ହେବାରୁ ଏଠାଲୋକେ ଭୋକ ଓପାସେ ଦିନ କାଟନ୍ତି !

ଏବେ କେତେବର୍ଷ ହେଲା ଏ ବ୍ୟବସାୟର ପୁନରୁଦ୍ଧାର କରାଯାଇଛି । କିନ୍ତୁ ଏକ୍ଷଣି ମାନ୍ଦ୍ରାଜ ଅଞ୍ଚଳରୁ ଅତି ଶସ୍ତାଲୁଣ ଆସି ଓଡ଼ିଶା ବଜାରରେ ବିକ୍ରୀ ହେଉଥିବାରୁ ଆମର ଏଠା ଦେଶୀଲୁଣର ଆଦର ଓଡ଼ିଶାରେ ନାଇଁ ! ସେଥିପାଇଁ ଏଠା ବ୍ୟବସାୟ ମଧ୍ୟ ମୁଣ୍ଡ ଟେକିପାରୁନି !

୫ ଶିପ, ଶାମୁକା ଓ ଚୁନଗୋଡ଼ି 


ଚିଲିକାର ଦ୍ୱୀପପୁଞ୍ଜ ଗୁଡ଼ିକରେ ବହୁସ୍ଥାନରୁ ଭୂଗର୍ଭରୁ ଶିପ ଓ ଶାମୁକା ପ୍ରଚୁର ପରିମାଣରେ ମିଳେ । ବହୁକାଳ ପୂର୍ବେ ଚିଲିକା ବଙ୍ଗୋପସାଗର ସଙ୍ଗେ ସମ୍ପୂର୍ଣ୍ଣରୂପେ ମିଶିଥିବାରୁ ଏବଂ କାଳକ୍ରମେ ଚିଲିକା ଓ ସମୁଦ୍ର ମଧ୍ୟରେ ଏକ ବାଲିବନ୍ତ ସୃଷ୍ଟି ହେବାରୁ ଏଠା ଦ୍ୱୀପଗୁଡ଼ିକ ମୁଣ୍ଡ ଟେକିପାରିଥିଲା ।  ଏଇ ପୋତା ସ୍ଥାନଗୁଡ଼ିକରେ ଭୂଗର୍ଭରେ ସ୍ତର ସ୍ତର ହୋଇ ଶିପ ଓ ଶାମୁକା ପୋତି ହୋଇ ରହିଛି । ଏଗୁଡ଼ିକୁ ଖୋଳି କାଢ଼ି ଚୁନପାଇଁ ପୋଡ଼ିବା ବ୍ୟବସାୟ କେତେକ ଲୋକ କରନ୍ତି । ସ୍ଥାନୀୟ ଜମୀଦାର ମାନେ ଏ ସ୍ଥାନଗୁଡ଼ିକୁ ପଟ୍ଟାଦେଇ ବାର୍ଷିକ କିଛି ଟଙ୍କା ପାନ୍ତି --- ଏବଂ ଯେଉଁମାନେ ପଟ୍ଟାକରି ନିଅନ୍ତି ସେମାନେ ଏଇ ଶିପ ଓ ଶାମୁକାକୁ ଼଼ଡଙ୍ଗାରେ ରପ୍ତାନୀ କରି ଲାଭବାନ ହୁଅନ୍ତି । 

ଚିଲିକା ମଧ୍ୟସ୍ଥ ପାହାଡ଼ିଆ ଅଞ୍ଚଳରେ ବିଶେଷତଃ, ଜଟିଆ ଓ ଦୀପ ଆଡ଼ିଆ ପାହାଡ଼ ଗୁଡ଼ିକରୁ ଚୁନ ଗୋଡ଼ି ମଧ୍ୟ ମିଳେ । ଏ ଗୋଡ଼ି ଆଣି କେତେକ ବ୍ୟବସାୟୀ ଚୁନ ତିଆରି କରି ଲାଭବାନ୍ ହୁଅନ୍ତି । ଏ ଅଞ୍ଚଳର ଚୁନ ପୁରୀ, କଟକ ଓ ବ୍ରହ୍ମପୁର ଯାଏ ରପ୍ତାନୀ ହୁଏ ।

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Thursday, June 29, 2017

ଚିଲିକାର ବିଭବ - ୪


ଦୁର୍ଗାଚରଣ ପଣ୍ଡା


ବାଲୁଗାଁଠାରେ ଚିଲିକାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୩ ଚିଲିକାରେ ଜଳଜୀବ


ବର୍ଷା ଆରମ୍ଭ ଓ ଶୀତ ଶେଷ - ଅର୍ଥାତ୍ ପ୍ରତିବର୍ଷର ଆଷାଢ଼ ମାସଠାରୁ ମାଘ ଶେଷ ପର୍ଯ୍ୟନ୍ତ ଚିଲିକାରେ ଯେତେ ଜାତି ଓ ବର୍ଣ୍ଣର ପକ୍ଷୀ ଦେଖାଯାନ୍ତି ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ସେପରି ଦେଖିବାକୁ ମିଳେ କି ନାହିଁ ସନ୍ଦେହ । ବିଶେଷତଃ, ମାର୍ଗଶୀର ଓ ମାଘମାସ ମଧ୍ୟରେ ଏଗୁଡ଼ିକର ସ‌ଂଖ୍ୟା ଗଣନାତୀତ ହୁଏ । ଠିକ ଏହି ସମୟରେ ବହୁସଙ୍ଖ୍ୟକ ଶିକାରୀ ଭାରତର ବିଭିନ୍ନ ସ୍ଥାନରୁ ଆସି ଏଇ ନିରୀହ ପକ୍ଷୀଗୁଡିକୁ ବନ୍ଦୁକ ଚୋଟରେ ମାରିଖାନ୍ତି !

ପ୍ରାୟ ୧୫୦ ଶ୍ରେଣୀର ମାଛ ଚିଲିକା ପ୍ରାଣୀରେ ରହନ୍ତି, ସାଧାରଣ ଚିଙ୍ଗୁଡ଼ି, ଇଲିସୀ, ଓ ପାତୁଆ ଠାରୁ ଆରମ୍ଭ କରି ଅତିବଡ଼ ଖଙ୍ଗା, ଭେକେଟା, ଭୁଆଷୁଣୀ ଓ ମଗର ମଧ୍ୟ ଏଠାରେ ଦେଖାଯାନ୍ତି ।  ଗୋଟିଏ ଗୋଟିଏ ଭେକେଟା ଶଗଡ଼ରେ ବୁହାହୁଅନ୍ତି । ଭୁଆଷୁଣୀ ଓ ମଗର ମାଛ ଗୁଡ଼ିକ ଗୋଟିଏ ଗୋଟିଏ ମନୁଷ୍ୟକୁ ଗିଳିବାଭଳି ଦେଖାଯାନ୍ତି । ସାଙ୍କୁଚ, ଚିଲ୍ଲି ଓ କାଉନ୍ଦା ପ୍ରଭୃତି ବିଷାକ୍ତ ଜୀବ ମଧ୍ୟ ଚିଲିକାରେ ଦେଖାଯାନ୍ତି । ଏଗୁଡ଼ିକ କ୍ଷତ କଲେ ଲୋକମାନେ ବିଶେଷ ଯନ୍ତ୍ରଣା ଭୋଗନ୍ତି ।

କେବଳ ମାଛଧରି ନିଜର ଜୀବନ ବଞ୍ଚାଉଥିବା ପ୍ରାୟ ୧୦ ହଜାର ମତ୍ସ୍ୟଜୀବି ଜାତି ଚିକିଲା ମଧ୍ୟସ୍ଥ ଦ୍ୱୀପପୁଞ୍ଜରେ ଏବଂ ଏହାର ଚତୁର୍ଦିଗସ୍ତ କୂଳ ଗ୍ରାମ ଗୁଡ଼ିକରେ ବାସ କରନ୍ତି । ପ୍ରତିଦିନ, ନିଶାରାତିରେ ଏବଂ ବଡ଼ିଭୋର କିମ୍ବା ମଧ୍ୟାହ୍ନ ସମୟରେ ଗହୀର ଚିଲିକାରୁ ମାଛ ଧରି ଆଣି ତାକୁ ବିକ୍ରି କରି ସେଇ କଞ୍ଚା ପଇସାରେ ନିଜର ପେଟ ପୋଷିବାହିିଁ ଏଠା ମତ୍ସ୍ୟଜୀବିଙ୍କର ପ୍ରଧାନ ବ୍ୟବସାୟ । ପ୍ରତିବର୍ଷ ସମଗ୍ର ଚିଲିକାରୁ ପ୍ରାୟ ତିନି ଲକ୍ଷ ଟଙ୍କାର ମାଛ ଧରାଯାଏ । ଏଥିରୁ ଅଧିକାଂଶ ମାଛ ରେଳରେ କଲିକତାକୁ ରପ୍ତାନୀ ହୁଏ । ଯେଉଁମାନେ ଏଠା ମାଛ ରପ୍ତାନୀ କରନ୍ତି, ସେଥିରୁ ଅଧିକାଂଶ ମହାଜନ ବିଦେଶୀ ଅଟନ୍ତି । ଏହି ବିଦେଶୀମାନେ ମତ୍ସଦିଆଙ୍କୁ ଆଗତୁରା ଟଙ୍କା ଦେଇ ଅଳ୍ପ ମୂଲ୍ୟରେ ମାଛ ନିଅନ୍ତି ଏବଂ କଲିକତାରେ ବହୁ ମୂଲ୍ୟରେ ବିକ୍ରି କରି ଲାଭବାନ ହୁଅନ୍ତି ! ଗତ କୋଡ଼ିଏ ବର୍ଷ ମଧ୍ୟରେ ଅନେକ ମହାଜନ ଲକ୍ଷାଧିକ ଟଙ୍କା ଏ ପ୍ରଣାଳୀରେ ସଞ୍ଚୟ କରିଛନ୍ତି । କିନ୍ତୁ ଯେଉଁ ଗରିବ ମଳିମୁଣ୍ଡିଆ ମାଛଧରା ହାଡ଼ଭଙ୍ଗା ପରିଶ୍ରମ କରେ ତାର ଘର ଛପର ନହେଇ ପଡ଼ିଛି । ତା ଦେହ ଘୋଡାଇବାକୁ କନା ନାଇଁ କି ପେଟ ପୁରିବାକୁ ଦାନାମିଳୁନି ! ଏଇ ଗରିବଙ୍କ ଦୁରବସ୍ଥା ଦୂର କରିବା ଦିଗରେ କୌଣସି ମହାଜନ କେବେ ଚିନ୍ତିତ ଥିବାର ଦେଖାଯାନ୍ତି ନାଇଁ, ଏହାକି କମ୍ ଚିନ୍ତାର ବିଷୟ ? [କ୍ରମଶଃ]

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Wednesday, June 28, 2017

ଚାଷୀ ଭାଇର ଉପୂରି ଦି’ ପଇସା


ଗୋପୀନାଥ ମହାନ୍ତି 


ନଅରର ମହିଳାମାନେ ରେଶମ ଆହରଣ କରିବାର ଦୃଶ୍ୟ
କଳାକାର ସଙ୍ଗ ବଂଶର ଚୈନୀକ ସମ୍ରାଟ ହୁଇଜଙ୍ଗ୍ (୧୦୮୨-୧୯୩୫)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପରି ବାବୁ, ମାଷ୍ଟରେ ଓ ପିଲାଏ ନିଜ ହାତରେ ‘କୋଡ଼ି’ ଧରି ସ୍କୁଲ ଘରର ଛୋଟ ହତାଟିକୁ ନନ୍ଦନ-କାନନ ପରି ଭଲ ଭଲ ଗଛରେ ପୂର୍ଣ୍ଣ କରି ଦେଲେ । ଅନ୍ୟ ଲୋକଙ୍କର ଏହା ଦେଖା ଦେଖି ଝୁଙ୍କ ଲାଗିଗଲା । ଚାରିଆଡେ଼ ଲୋକେ ନାନାପ୍ରକାର ଫଳ ଲଗାଇବାକୁ ଅଣ୍ଟା ଭିଡ଼ି ଲାଗି ପଡ଼ିଲେ । ଗାଁ ଲୋକେ ଲେଖା ଲେଖି କରି ଫାରମରୁ ଚାଷବିଦ୍ୟା ଶିଖାଇବାକୁ ମଣିଷ ମଗାଇ ଆଣିଲେ । ଘମା ଘୋଟ କାମ ଚାଲିଲା ।

ଘରେ ଘରେ ଲୋକଙ୍କୁ ବୁଝାଇ ଶୁଝାଇ ଅରଟ ଚଳାଇବାକୁ କୁହାଗଲା । ପରି ବାବୁ ଲୋକଙ୍କୁ ବୁଝାଇ ଦେଲେ, “ଆମ ଗାଁରେ ଲୁଗା କିଣା ହେବ ନାହିଁ । ସମସ୍ତେ ସୂତା କାଟ, ଫୁରସତ ବେଳେ ସୂତା କାଟି ଜମାଇ ରଖି ସେଥିରେ ଲୁଗା ବୁଣାଇ ଆଣିବା ।”

ଲୋକେ ଲାଗିପଡ଼ି ସୂତା କାଟିଲେ । ଯାହାର ଯେତେବେଳେ କିଛି କାମ ନ ଥାଏ, ସେ ସେତେବେଳେ ଅରଟ ଧରି ବସେ । ସେପରି କଲାରୁ ଲୋକଙ୍କୁ ଲୁଗା ପାଇଁ ଆଉ ବେଶୀ ପଇସା ଦେବାକୁ ପଡ଼ିଲା ନାହିଁ ।

ତା ପରେ ଝୁଙ୍କ ପଡ଼ିଲା ଏଣ୍ଡିଚାଷ ଉପରେ । ପ୍ରଥମେ ଏଣ୍ଡିପୋକର ଅଣ୍ଡାକୁ ଆଣି କନା ପୁଡ଼ିଆରେ ରଖାହୁଏ । ଶୀତଦିନେ ଅଣ୍ଡା ଏଗାରରୁ ଏକୋଇଶ ଦିନରେ ଫୂଟେ, ଅନ୍ୟାନ୍ୟ ଦିନେ ସାତ ଦିନରେ ଫୁଟେ । ଅଣ୍ଡା ଫୁଟିଲେ କିଛି କଅଁଳିଆ ଗବପତ୍ର କନା ଭିତରେ ପକାଇଦେଲେ ପୋକମାନେ ତହିଁରେ ଚଢ଼ି ଯାଆନ୍ତି । ତା ପରେ ପତ୍ରଗୁଡ଼ିକୁ ବହଳଭାବେ ଗୋଟିଏ ଡ଼ାଲାରେ ରଖାହୁଏ । ସବୁଦିନେ ନୂଆ ପତ୍ର ଖାଇବାକୁ ଦେଇ ଡ଼ାଲାକୁ ସଫା କରାହୁଏ; କିନ୍ତୁ ତୃତୀୟ, ପଞ୍ଚମ, ଅଷ୍ଟମ ଓ ଏକାଦଶ ଦିନରେ ପୋକମାନେ ମଲା ପରି ପଡ଼ି ରହନ୍ତି, କିଛି ଖାଆନ୍ତି ନାହିଁ; ତେଣୁ ସେ ଦିନ ଡ଼ାଲା ସଫା ହୁଏ ନାହିଁ । ଜନ୍ମ ଦିନଠାରୁ ଅଠର ଦିନରେ ପୋକମାନେ ପାକଳ ହୁଅନ୍ତି । ସେତେବେଳେ ଏମାନଙ୍କ ପିଠିରେ ଅଙ୍ଗୁଳି ଚଳାଇଲେ ଗୋଟିଏ ଶବ୍ଦ ବାହାରେ ।

ଟୋକେଇରେ ପ୍ରସ୍ତ ପ୍ରସ୍ତ ଆମ୍ବପତ୍ର ଦେଇ ପୋକମାନଙ୍କୁ ତହିଁରେ ରଖି ଉପର ଢ଼ାଙ୍କି ଦିଆଯାଏ । ସନ୍ଧ୍ୟା ପରେ ସେମାନେ ମୁହଁରୁ ସୂତା ବାହାର କରି ଗୋଟିଏ ଆବରଣ ବୁଣିବାରେ ଲାଗି ପଡ଼ନ୍ତି । ଏହିପରି ଚାରି ପାଞ୍ଚଦିନ ଚାଲିଯାଏ । ଶୀତଦିନେ ଆଠ ଦିନ ପରେ ଓ ଅନ୍ୟ ଦିନେ ପାଞ୍ଚଦିନ ପରେ ଆମ୍ବ ପତ୍ରରୁ ଛଡ଼ାଇ ନେଇ କୋଷାଗୁଡ଼ିକୁ ଡ଼ାଲାରେ ସଜାଇ ରଖନ୍ତି । ଶୀତଦିନେ ୪୦ ଦିନେ ଓ ଅନ୍ୟ ଦିନରେ ୧୮ ଦିନେ କୋଷା କଣା କରି ପ୍ରଜାପତି ବାହାରନ୍ତି ।

କୋଷାକୁ ସିଝାଇ ମଲା ପୋକମାନଙ୍କୁ ଫୋପାଡ଼ି ଦିଆଯାଏ । କୋଷା ସିଝିଲେ ତହିଁରୁ ସୂତା ବାହାରେ, ସେହି ସୂତା ରେଶମ ସୂତା । ପିମ୍ପୂଡ଼ି, ଜନ୍ଦା, ମୂଷା, ଝିଟିପିଟି, କାଉ---ଏମାନେ ଏଣ୍ଡିପୋକର ଶତ୍ରୁ । ତେଣୁ ସେମାନଙ୍କଠାରୁ ନିସ୍ତାର ପାଇବା ପାଇଁ ଘରର ଗୋଟିଏ କୋଣରେ ତଳେ ଜଳଯନ୍ତ୍ର କରି ବା କିରାସିନି କନା ଗୁଡ଼ାଇ ଏମାନଙ୍କୁ ରଖନ୍ତି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଉଦ୍ଧୃତ ।

Tuesday, June 27, 2017

ଗାଁର ଚାଷ


ଗୋପୀନାଥ ମହାନ୍ତି 


କୋବି ଅମଳର ଦୃଶ୍ୟ
ପଞ୍ଚଦଶ ଶତାବ୍ଦୀର ସ୍ୱାସ୍ଥ୍ୟ ଶାସ୍ତ୍ର 'ଟାକୁଇନମ୍ ସାନିଟାଟିସ୍'ରୁ ଆହୃତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଗ୍ରାମ ସଙ୍ଗଠନ କାମ ଘମାଘୋଟ ଚାଲିଲା । ପଦାରୁ ଫାରମରୁ ଲୋକ ଆସି ଚାଷବାସ ବିଷୟରେ ଅନେକ କଥା ଶିଖାଇ ଦେଇଗଲେ । ସବୁଠାରୁ ବଡ଼ କଥା ହେଉଛି, କେଉଁ ଫସଲ ପରେ କେଉଁ ଫସଲ ଲଗାଇଲେ ଫସଲ ଭଲ ହେବ, ଜମି ପଡ଼ିଆ ପଡ଼ିବ ନାହିଁ, ଅଥଚ ଜମି ଉର୍ବର ହେବ । ଏ କଥା ସେମାନଙ୍କୁ ଖୁବ୍ ଭଲକରି ବୁଝାଇ ଦିଆହେଲା । ସେହି ଅନୁସାରେ ଚାଷ କାର୍ଯ୍ୟ ଚାଲିଲା ।

ଡ଼ିହ ଜମି :- ଜ୍ୟେଷ୍ଠ ଅଧରୁ ଭାଦ୍ରବ ଅଧ ପର୍ଯ୍ୟନ୍ତ ନଳିତା, ବିଆଳି ଧାନ, ମାଣ୍ଡିଆ, କୋଳଥ କିମ୍ବା ମକା । ଭାଦ୍ରବ ଶେଷରୁ ମାର୍ଗଶିର ଅଧା ବିରି । କାର୍ତ୍ତିକଠାରୁ ଫାଲଗୁନ ଅଧ ପର୍ଯ୍ୟନ୍ତୁ ବିଲାତି ଆଳୁ ବା ଶୀତଦିନିଆ ପନିପରିବା,ଫାଲଗୁନ ଅଧରୁ ବୈଶାଖ ଶେଷ ପର୍ଯ୍ୟନ୍ତ ଖରାଦିନିଆ ପିଆଜ । ନୋହିଲେ ଜ୍ୟେଷ୍ଠ ଶେଷରୁ କାର୍ତ୍ତିକ ଅଧ ଚିନାବାଦାମ ।

ଲଘୁଧାନ ଜମିରେ ଜ୍ୟେଷ‌୍ଠରୁ କାର୍ତ୍ତିକ ଶେଷ ଲଘୁଧାନ, କାର୍ତ୍ତିକ ମାର୍ଗଶିର ମାସରେ ଆଖୁ ହୁଏ ।

ଖାଲ ଜମି :- ଖାଲ ଜମିରେ ଜ୍ୟେଷ୍ଠ ଅଧରୁ ଭାଦ୍ରବ ଅଧ ନଳିତା, ଭାଦ୍ରବ ଅଧରୁ ପୌଷ ଶେଷ ଧାନ, ମାଘ ଅଧରୁ ବୈଶାଖ ଶେଷ ମୁଗ କରନ୍ତି ।

ପ୍ରଥମ କଥା ହେଉଛି, ସାର ଓ ଖତ କଥା । ସମସ୍ତେ ଗୁହାଳ ପାଖେ ଗୋଟିଏ ଖାତ କରନ୍ତି, ଗୁହାଳରୁ ନାଳି କାଟି ଦିଅନ୍ତି, ଯେପରି ଗୋରୁ ମୂତ ପ୍ରଭୃତି ଯାହା କିଛି ସବୁ ଗଡ଼ିଯାଇ ଗାତ ଭିତରେ ପଡ଼ିବ । ଏଣେ ଘର ଓଳେଇ ଅଳିଆ,ଗୋବର ସବୁ ପକାଇ ଦିଅନ୍ତି ସେ ଗୋବର ଖାତରେ । ତା ଉପରେ ଗୋଟାଏ ଘୋଡ଼ଣି ଘୋଡ଼ାଇ ଦିଆଯାଏ । ଏହିପରି ଗୋବର ସବୁ ଜମାଇ ଏକାଠି ବହୁତ ଦିନ ସଢ଼ିଗଲେ ସେଠୁ ଉଠାଇ ନେଇ ଜମିରେ ପକାଇ ଦଅନ୍ତି ।

ଫାରମ୍ ଲୋକଙ୍କ ଶିକ୍ଷାରେ ଅନେକ ନୂଆ ନୂଆ ଉପକାରୀ ସାର ବ୍ୟବହାର କରାଗଲା, ଯାହାର ଗୁଣ ଗୋବର ଖତ ପରି । ଜମିରେ ଫସଲ ହେବାର ଏକମାସ ପୂର୍ବରୁ ସେଠି ଧଣ୍ଡିଚା ବା ଛଣପଟ ବୁଣି ଗଛ ଦେଢ଼ଫୁଟ ଉଚ୍ଚ ହୋଇଗଲେ ତାକୁ ଲଙ୍ଗଳ ଓ ମଇ ଦେଇ ଜମିରେ ସଢ଼ାଇଦିଅନ୍ତି । ଧାନ ରୋଇବା ପାଇଁ ବୈଶଖ ଜ୍ୟେଷ୍ଠରେ ଧଣ୍ଡିଚା ବୁଣି ଏକ ମାସ ପରେ ତାକୁ ଚଷି ସଢ଼ାଇଦିଅନ୍ତି । ସାତ ଆଠ ଦିନ ପାଣିରେ ସଢ଼ିଗଲେ ହଳ ଓ ମଇ ଦେଇ ଧାନ ରୁଆ ହୁଏ ।

ଯେଉଁ ଜମିରେ ସାର କମିଯାଇଥାଏ, ସେଠି ଚିନାବାଦାମ, ମୁଗ, ବରଗୁଡ଼ି ଚାଷ କରନ୍ତି । କାରଣ ତାହା ଦ୍ୱାରା ଜମିର ଉର୍ବରା ଶକ୍ତି ବଢେ଼ ।

ଫାର୍ମ ଲୋକେ ଘର ଘର କରି ବୁଝାଇଲେ, ଅଳିଆକୁ ଫୋପାଡ଼ି ଦିଅ ନାହିଁ । କାରଣ ଅଳିଆ ଅତି ସୁନ୍ଦର ସାର । ପ୍ରତ୍ୟେକ ଗୃହସ୍ଥ ଦଶ ହାତ ଲମ୍ବା, ପାଞ୍ଚହାତ ଚୌଡ଼ା, ଦୁଇହାତ ଗଭୀର ଗାତ ଖୋଳି ରଖନ୍ତି । ତହିଁରେ ଘାସ, ଅଳିଆ,ପଚାପତ୍ର, ନଡ଼ା ପ୍ରଭୃତି ଯାହା କିଛି ସବୁ ପ୍ରତିଦିନ ପକାଇଦିଅନ୍ତି । ଦୁଇ ତିନି ଫୁଟ ଉଚ୍ଚ ହେଲେ ତାକୁ ଚୌରସ କରି ଦେଇ ତା ଉପରେ ଗୋରୁମୂତ ଓ ଗୋବର ପାଣି ଛିଞ୍ଚି ଦିଅନ୍ତି । ପୁଣି ଅଳିଆ ଜମା ହୁଏ । ତିନି ଚାରି ମାସ ରହି ସଢ଼ିଲା ପରେ ସେ ଖତକୁ ଆଖୁ, ଆଳୁ ଚାଷ ପ୍ରଭୃତିରେ ଦିଅନ୍ତି ।

ଗାଁରେ ପନିପରିବା ପୂର୍ଣ ହୋଇଗଲା । ଯେ ଯେଉଁଠି ବାରିସବୁ ପଡ଼ିଆ ପକାଇ ରଖିଥିଲେ, ସମସ୍ତେ ନୂଆ ଉତ୍ସାହରେ ଲାଗି ପଡ଼ିଲେ ।

ବାଲିଆ ଅଥଚ ଉର୍ବରା ମାଟି ଓ ପୋଖରୀ ହୁଡ଼ା ଦେଖି କଦଳୀ ଗଛମାନ ପଡ଼ିଗଲା । କାର୍ତିକ ଓ ଜ୍ୟେଷ୍ଠ ମାସରେ ସାତହାତ ଛାଡ଼ି ହାତେ ଗହୀର ଗାତ ସବୁ ଖୋଳା ହୁଏ । ତହିଁରେ ପାଉଁଶ, ଖତରା ମାଟି ଓ ଚଷୁ ପ୍ରଭୃତି ଦେଇ କଦଳୀପୁଆ ପକାନ୍ତି । ଗଛ ବଡ଼ ହୋଇଗଲେ ତଳେ ବେଶୀ ପୁଆ ରଖାଇ ଦିଅନ୍ତି ନାହିଁ ।

ପୂର୍ବେ ଏ ଗାଁରେ କୋବି କୋବି ଚାଷ ପ୍ରାୟ ଦେଖା ନ ଥିଲା, ଅଥଚ କୋବିରୁ ବେଶୀ ଲାଭ ମିଳେ । ଏଥର ପ୍ରଚୁର କୋବି-ଚାଷ ଆରମ୍ଭ ହେଲା । ଶ୍ରାବଣ ଶେଷ ଓ ଭାଦ୍ରବ, ଆଶ୍ୱିନ ମାସରେ ହାଣ୍ଡିମାନଙ୍କରେ ମାଟି ପୂରାଇ ତହିଁରେ ହୁଙ୍କାମାଟି, ଖତ ଓ ପିଡ଼ିଆ ମିଶାଇ ଦେଇ ମଞ୍ଜି ବୁଣନ୍ତି ଓ ତାହା ଉପରେ କିଛି ଗୁଣ୍ଡିମାଟି ଛିଞ୍ଚିଦେଇ ପାଣି ଛିଞ୍ଚନ୍ତି । ତିନି ଚାରି ଦିନ ପରେ ଅନ୍ୟ ସ୍ଥାନକୁ ତଳିଗୁଡ଼ିକୁ ଉଠାଇ ନିଅନ୍ତି । ତା ନ କଲେ ବର୍ଷାପାଣିରେ ଚାରା ନଷ୍ଟ ହୋଇଯିବ । ଯେତେ କାକର ପଡେ଼, ଚାରା ସେତେ ବଢେ଼ । ଚାରା ମୂଳରେ ପିମ୍ପୁଡ଼ି ହେଲେ ପାଉଁଶ ପକାନ୍ତି । ମଞ୍ଜି ବୁଣିବାର ମାସେ ପରେ ଚାରାକୁ କ୍ଷେତକୁ ଉଠାଇ ଦିଅନ୍ତି । କ୍ଷେତରେ ଖତ, ପିଡ଼ିଆ ଓ ସାର ଦିଆ ହୋଇଥାଏ । ଗଛ ବଡ଼ ହେଲେ ପିଡ଼ିଆ, ଛେଳିଲଣ୍ଡି ଓ ପାରାଗୁହ ସଢ଼ାଇ କରି ଦିଅନ୍ତି । ଫୁଲ ଓ ବନ୍ଧାକୋବି ଦୁଇ ଦୁଇ ଫୁଟ ଦୂରରେ ଓ ଓଲକୋବି ଫୁଟେ ଲେଖାଁଏ ଦୂରରେ ଲଗାନ୍ତି । ରୋଇବା ପରେ ଅଳ୍ପ ଅଳ୍ପ ପାଣି ଦିଆହୁଏ । ରୋଇବା ପରଦିନଠାରୁ ଚେର ଧରିବା ପର୍ଯ୍ୟନ୍ତି ଚାରାକୁ ବଡ଼ ବଡ଼ ପତ୍ର ବା ଖରାରେ ଖରାବେଳେ ଢ଼ାଙ୍କିଦିଅନ୍ତି । ପାଣି ମଡ଼ାଇ କାର୍ତିକ ମାସରେ ପିଡ଼ିଆ ଦେଇସାରି ହୁଡ଼ା ଟେକିଦିଅନ୍ତି । ପ୍ରୟୋଜନ ଅନୂସାରେ ପାଣି ଦିଆଯାଏ । ଲଗାଇବା ଦିନଠାରୁ ତିନି ଚାରି ମାସରେ କୋବି ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯାଏ ।

ଯେଉଁ ଫୁଲକୋବି ମଞ୍ଜି ରଖାଟାଏ, ତାକୁ ଫୁଲ ଫୁଟିବାର କିଛିଦିନ ପୂର୍ବରୁ କ୍ଷେତରୁ ଓପାଡ଼ି ନେଇ ଭଲ ସାରମାଟି ଦେଇ ଅନ୍ୟ ସ୍ଥାନରେ ଲଗାଇଦିଅନ୍ତି । ତହିଁରୁ ଯେଉଁ ବିହନ ହୁଏ, ତାହା ଭାରି ସତେଜ ।

ଗାଁରେ ଆହୁରି ଗୋଟିଏ ନୂଆ ଫସଲ ହେଲା । ତାହା ହେଉଛି ପୋଟଳ । ଫାରମରୁ ପୋଟଳ ଚେର ଅଣାହୋଇ ବଣ୍ଟାହେଲା । ଆଶ୍ୱିନ, କାର୍ତ୍ତିକ ମାସରେ ଚାରି ଚାରି ହାତ ଛାଡ଼ି ହାତେ ଓସାର ଓ ହାତେ ଗହୀର ଗାତରେ ଚାରି ପାଞ୍ଚଖଣ୍ଡ ପୁରୁଣା ଗଛର ସରୁ ଡ଼ଙ୍କ ପୋତି ମାଟି ଘୋଡ଼ାଇଦିଅନ୍ତି ଓ ଚେର ଉଷୁମ ପାଇବ ବୋଲି ଉପରେ କୁଟା ଢ଼ାଙ୍କି ଦିଅନ୍ତି । କୁଟା ଉପରେ ପାଣି ଢ଼ଳାଯାଏ । ପନ୍ଦର କୋଡ଼ିଏ ଦିନ ପରେ ଯେତେବେଳେ ଗଛ ବାହାରେ, ସେତେବେଳେ କୁଟା କାଢ଼ିନିଅନ୍ତି ଓ ହୁଡ଼ା କରିଦିଅନ୍ତି । ପୋଟଳ ଭୁଇଁରେ ବି ମାଡେ଼, ରଞ୍ଜାରେ ବି ଲଟାଏ । ତଳୂ ଯତ୍ନକରି ଘାସ ଓପାଡ଼ି କିଆରୀକୁ ସଫା ରଖନ୍ତି । ଡ଼ଙ୍କ ବହଳ ହେଲେ କଅଁଳ ଡ଼ାଳକୁ ଭାଙ୍ଗିଦେଇ ମୂଳ ନାଳକୁ ବଢ଼ିବାକୁ ଦିଅନ୍ତି, ନ ହେଲେ ଫଳ ଝଡ଼ିପଡ଼ିବ । ଚୈତ୍ର ମାସରେ ଫଳ ଫଳେ । ପୋଟଳ ଗଛ ତିନି ଚାରି ବର୍ଷ ପର୍ଯ୍ୟନ୍ତ ରହେ । ଏଥିରେ ଯାହା ଖର୍ଚ୍ଚ ହୁଏ, ତାହାର ଚାରି ପାଞ୍ଚ ଗୁଣ ଲାଭ ହୁଏ । ଗାଁରେ ଯେଉଁଠି ଉର୍ବର ମାଟି, ସେଠି ପୋଟଳ ଚାଷ ହେଲା ।

ଅଙ୍ଗୁର ଡ଼ାଳ ପୋତିଲେ ଗଛ ହୁଏ । ଶୀତଦିନେ ନାଳକୁ କାଟି ଲଗାଯାଏ; ଚେର ହେଲେ ବର୍ଷା ପୂର୍ବରୁ ଜମିରେ ଲଗାଯାଏ । ଭାଡ଼ି କରାଯାଏ । ଚୈତ୍ରଠାଣୁ ଆଷାଢ଼ ପର୍ଯ୍ୟନ୍ତ ଏହାର ଫଳ ମିଳେ । ମାର୍ଗଶିର ଓ ପୌଷମାସରେ ଅଙ୍ଗୁର ଗଛର ଚେର କାଟି କୋଡ଼ିଏ ଏକୋଇଶ ଦିନ ମୂଳକୁ ଖୋଲା ପକାନ୍ତି । ପରେ ଶୁଖୁଆସାର ପ୍ରଭୃତି ଦେଇ ଗାତକୁ ବନ୍ଦ କରିଦିଅନ୍ତି । ପ୍ରୟୋଜନ ଅନୁସାରେ ଡ଼ାଳ ଓ ଚେର ଛାଣ୍ଟି ଦିଆଯାଏ । ଗାଁରେ ଅନେକ ଅଙ୍ଗୁର ଗଛ ଲଗାହେଲା ।

ଛାଇତଳ ବାରିରେ ସପୁରି ଲଗାହେଲା । ଜ୍ୟେଷ୍ଠ ଆଷାଢ଼ ମାସରେ ପୁଆ ପୋତାହୁଏ । ମାର୍ଗଶିର ମାସରେ ଗଛ ମୂଳ କୋଳି ସଢ଼ା ଗୋବର ଦିଆଯାଏ । ଫଳ ଉପରେ ଥିବା ପୁଆ ଅପେକ୍ଷା ଗଛମୂଳରେ ଥିବା ପୁଆ ବେଶୀ ଲଗାହେଲା । କାରଣ ତହିଁରେ ଶୀଘ୍ର ଫଳ ଫଳେ ।

କେହି କେହି ଡ଼ାଳିମ୍ବ ବଗିଚା କଲେ । ଜମିରେ ଚୂନ ମିଶାଇ ଦିଅନ୍ତି ଓ ଗୋବରଖତ, ପିଡ଼ିଆ ଦିଅନ୍ତି । ଗଛଗୁଡ଼ିକୁ ଛାଡ଼ି ଛାଡ଼ି ଲଗାଇଥାନ୍ତି ।

ଅନେକ ମିଠାଲେମ୍ବୁ ଳଗାଇଲେ । ଶୀଘ୍ର ଫଳିବ ବୋଲି ଗଛଗୋଟିକ ଟ୦.୧ ଠାରୁ ଟ ୦.୫ ପର୍ଯ୍ୟନ୍ତ ଦେଇ ଫାରମରୁ କଲମିଗଛ କିଣି ଆଣିଲେ । ଦୋରସା ମାଟିରେ ନିଗଡ଼ା ଭୂଇଁରେ ଲେମ୍ବୁ ଲାଗିଲା । ମାଟିରେ ଚୂନ ମିଶାହେଲା । ଦଶପନ୍ଦର ହାତ ଛାଡ଼ି ଛାଡ଼ି ଦୁଇ ହାତ ଚଉଡ଼ା ଦୁଇ ହାତ ଗହୀର ଗାତ ସବୁ ଖୋଳାହେଲା । ଗାତ ଭିତର ଘସି-ନିଆଁରେ ପୋଡ଼ା ହେଲା । କାରଣ ଏଥିରେ ଉଇରୁ ରକ୍ଷା ମିଳିପାରିବ । ପରେ ବାଲି ଓ ଖାରମାଟି, ପୁରୁଣା ଗୋବରଖତ ଓ ଛେଳିଲଣ୍ଡି ମିଶାଇ ମାଟି ପୂରାଇ ଦିଆହେଲା । ବର୍ଷା ପୂର୍ବରୁ ଗାତ ଖୋଳା ହୋଇ ରହିଥାଏ । ଯେପରି କି ତହିଁରେ ଥିବା ମାଟି ଦବିଯିବ । ତା ପରେ ଆଶ୍ୱିନ କାର୍ତ୍ତିକରେ ତହିଁରେ କଲମି-ଗଛ ଲଗା ହୁଏ । ବର୍ଷକ ପରେ ଗଛ ଚାରିପାଖ ଖୋଳି ସଢ଼ା ଗୋବରଖତ ଓ ଆମୋନିଆ ସାର ଦିଆ ହୁଏ । ପୁଣି ଦୁଇ ବର୍ଷରେ ଫସପେଟ୍ ସାର, ଶୁଖୁଆସାର ଓ ଗୋବରଖତ ଦିଆହୁଏ । ବର୍ଷାଦିନେ ପାଣି ଯିବା ପାଇଁ ମନ୍ଦାରୁ ନାଳି କଟା ହୁଏ ।

ଖରାଦିନେ ଗଛମୂଳ ଖୁସାଇ ପାଳ ବା ଶୁଖିଲା ପତ୍ର ବିଛାଇ ଦେଲେ ମାଟିରୁ ଶୀଘ୍ର ବତର ଚାଲିଯାଏ ନାହିଁ । ନାଗପୁର ଲେମ୍ବୁ ସାଧାରଣତଃ ବର୍ଷକେ ଦୁଇଥର ଫଳେ; ଥରେ ମାଘ ଫାଲଗୁନରେ ଫୁଲ ଧରେ, ପୁଣି ଥରେ ଜ୍ୟେଷ୍ଠ ଆଷାଢ଼ରେ । ମାଘ ଫାଲଗୁନର ଫୁଲରୁ ଯେଉଁ ଫଳ ହୁଏ, ତାହା ଖରା ଲାଗି ଝଡ଼ି ପଡ଼ିବାର ଦେଖିଲେ, ଗଛ ମୂଳରେ ଅଧିକ ପାଣି ଦିଆ ହୁଏ ଓ ପିଚକାରୀରେ ଉପରକୁ ପାଣି ଫୋପଡ଼ା ହୁଏ । ବର୍ଷା ସମୟରେ ଯେଉଁ ଫୁଲ ହୁଏ ତାର ଫଳ ମାଘଠାରୁ ଚୈତ୍ରମାସ ଭିତରେ ପାଚେ । ଏ ଫଳ ଅଧିକ ମିଠା ହୁଏ ।

ଚାଷର ଉନ୍ନତି ସଙ୍ଗେ ସଙ୍ଗେ ଗୋ-ଜାତିର ଉନ୍ନତି ଦିଗରେ ମଧ୍ୟ ଚେଷ୍ଟା ହେବାକୁ ଲାଗିଲା ।

ଗୋରୁର ଖାଦ୍ୟ ବଢ଼ାଇବା ପାଇଁ ଯତ୍ନ କରାହେଲା । ଫାରମରୁ ବଡ଼ ଘାସର ମଞ୍ଜି ଅଣାହୋଇ ଲଗା ହେଲା । 

ଏଥିପୂର୍ବରୁ ଲୋକଙ୍କର ଧାରଣା ନ ଥିଲା ଯେ, ଘାସ ଚାଷ କରା ହୋଇପାରେ । ଖରାଦିନେ ଘାସ ଉଣା ହୋଇ ଗୋରୁଙ୍କର ବଡ଼ କଷ୍ଟ ହୁଏ । ତେଣୁ ଫାର୍ମ ଲୋକଙ୍କ ଶିକ୍ଷାରେ ପୂର୍ବରୁ ଘାସକୁ ଗାତରେ ଖଣି ପଖାଇ ଢ଼ାଙ୍କି ସାଇତି ରଖାହୁଏ । ତାହା ଛଡ଼ା ଗୋରୁମାନଙ୍କୁ ପ୍ରଚୁର ପରିମାଣରେ ଭୁଷି, ପିଡ଼ିଆ, କୋଳଥ, କୁଳୁଚି ଓ କପାମଞ୍ଜି ଦିଆହୁଏ । ଏହିପରି ସମସ୍ତେ ଗୋଜାତି ପ୍ରତି ଦୃଷ୍ଟି ଦେଲେ ।

ବି.ଦ୍ର. - ଏହି ଲେଖାଟି ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।