Wednesday, November 14, 2018

ଗୌରୀପୁତ୍ରର ସାଂସ୍କୃତିକ ବ୍ରତକଥା

ଜ୍ୟୋତି ନନ୍ଦ


ବ୍ରୁକ୍ଲିନ୍ ସଙ୍ଗ୍ରହଳାୟସ୍ଥ ଗଣେଶଙ୍କର ଏକ ଚିତ୍ର (୧୭୯୦ରୁ ୧୮୨୫ ମସିହା ମଧ୍ୟରେ ଅଙ୍କିତ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାର୍ କିଛି ଦିନ ତଳେ ଥିଲା ଆପଣଙ୍କ ଜନ୍ମଦିନ । ଆପଣ ତ ଭାରି ବ୍ୟସ୍ତ ଥିଲେ । ତେଣୁ ଆଜି ଶୁଭେଚ୍ଛା ଜଣାଉଛି । ଆଉ ଅଧିକ କ'ଣ କହି ପାରିବାର ସାମର୍ଥ୍ୟ ଅଛି ? ଖାଲି କହି ପାରିବି, ବିଲେଟେଡ୍ ହାପି ବାର୍ଥ ଡେ ଟୁ ୟୁ । (ବିଶ୍ୱାସର ଜନ୍ମବ୍ରତ କଥା ଭିନ୍ନ । କାହାର ବିଶ୍ୱାସକୁ ଆହତ କରିବାର ସାମାନ୍ୟତମ ଅଭିପ୍ରାୟ ନାହିଁ ଉପସ୍ଥିତ ଲେଖକର ।ଏହା ମୂଳତଃ ଏକ ବିବର୍ତ୍ତନ ମୂଳକ ସାଂସ୍କୃତିକ ବ୍ରତକଥା । ଦୟା କରି ଆମର ଏହି ପ୍ରିୟତମ ଦେବତାର ବିବର୍ତ୍ତନକୁ ସହ୍ୟ କରି ନେବେ ବୋଲି ଆଶା।)

ସାର୍ ଆପଣମାନଙ୍କ ଭଳି ଇଲିଟ୍‌ମାନେ କାଳର ଗଣନା ବୋଲି ଯାହା କରା ଯାଏ, ସେମିତି ଗଣନାର ବାହାରେ ରହୁ ଥିବାରୁ ଜିଓ ହଜାର ସାଲ୍ ବୋଲି କହିଲେ ଆପଣମାନେ ମୁଁହ ଚୁହାଁଚୁହିଁ ହୋଇ ଖାଲି ହସିବେ । ଆପଣମାନଙ୍କଠୁ ପରା ଆମେ ଜନ୍ମଦିନ ପାଳନ ଶିଖିଲୁ । ଜନ୍ମରେ ସଭିଏଁ ସାଧାରଣ । ଜନ୍ମଦିନ ପାଳିବା ଭଳି ଗୋଟିଏ ବିଶେଷ ଯୋଗ୍ୟତା ଆମ ମଣିଷଙ୍କର ଜନ୍ମଦିନରେ ଆଦୌ ନ ଥାଏ । ଗୋଟିଏ ବିଶେଷ ମଣିଷପଣର ଯୋଗ୍ୟତା ମଣିଷ କ୍ରମଶଃ ଅର୍ଜନ କରି ଥାଏ, ଆଉ କହିବାକୁ ଗଲେ ମଣିଷର ମରଣରେ ହିଁ ତାହାର ବିଶେଷ ମଣିଷପଣର ଯୋଗ୍ୟତାକୁ ଆମେ ପରିଷ୍କାର ଦେଖୁ ଆଉ ଝୁରି ହେଉ । ସେଇଥି ପାଇଁ ଜଣେ ମଣିଷ ସମସ୍ତ ମଣିଷସୁଲଭ ପାକେଜିଂ ମରଣରେ ଥାଏ ବୋଲି ଆମେ ମରଣଦିବସକୁ ହିଁ ପାଳୁଥିଲୁ ପ୍ରଥମେ । 

ଆପଣମାନଙ୍କର ତ ମରଣ ନାହିଁ । ଆମର ପାର୍ଥୀବ ଜୀବନର ଖରାବର୍ଷାକୁ ଆଢ଼ୁଆଳ କରି ରଖିବା ପାଇଁ ଗିରିଗୋବର୍ଦ୍ଧନ ଭଳି ଛତାର ଛତାଧାରୀ ହିସାବରେ ଆପଣମାନଙ୍କୁ ଆମର ବିଶ୍ୱାସରେ ଢେର୍ ପ୍ରୟୋଜନ ରହିଛି । ଆମେ ତେଣୁ ଆପଣମାନଙ୍କୁ ଆବାହନ କଲୁ ।ଆପଣମାନଙ୍କ ପାଇଁ ତିଥିବାରନକ୍ଷତ୍ରର ଶୁଭମୁହୂର୍ତ୍ତଟିଏ ଗଢ଼ି ଆପଣମାନଙ୍କ ମାନବିକ ଜନ୍ମକାହାଣୀ ଲେଖିବାରେ ଆମର ଭାରି ଶ୍ରଦ୍ଧା ।ସେହି ଶ୍ରଦ୍ଧା ଆମ ଭିତରେ ପ୍ରତ୍ୟୟ ଦିଏ ଯେ, ଆମେ ଦେଖି ପାରୁନୁ ସିନା, ଆପଣମାନେ ଏଇ ଆଖପାଖରେ କେଉଁଠି ବରାଭୟ ମୁଦ୍ରାରେ ବିରାଜମାନ ହୋଇ ରହିଛନ୍ତି । ସେଇଥି ପାଇଁ ସେହି ଶ୍ରଦ୍ଧାର ଆବାହନ କାହାଣୀକୁ ଆପଣମାନଙ୍କ ଜନ୍ମଦିନରେ ବ୍ରତକଥା ଭଳି ଶୁଦ୍ଧପୂତ ହୋଇ ଆମେ ଗାଉ । 

ଆପଣମାନଙ୍କୁ ସବୁବେଳେ ଆମମାନଙ୍କ ଭିତରୁ ସବୁଠୁ ବେଶି ଯଦି କିଏ ଅନୁକରଣ କରୁଥାଏ, ତେବେ ସେ ତ ଆମର ରଜା । ରଜା ଆପଣମାନଙ୍କୁ ଦେଖି ନିଜର ଜନ୍ମଦିନ ପାଳିଲା, ଆଉ ତାହା ପରେ ସେଇ କ୍ଷମତାଧର ରଜାଟିର ତ ଆମେ ଉପସ୍ଥିତ ଏକମାତ୍ର ଅନୁଗତ ଅନୁସରଣକାରୀ; ତେଣୁ ଆମେ ରଜାକୁ ଅନୁକରଣ କରି ନିଜ ନିଜର ଜନ୍ମଦିନ ପାଳି ଆସିଲୁ । ଆଉ ଆଗ ଭଳି ମଣିଷର ଯେଉଁ ସାମଗ୍ରିକ ମାନବିକ କୃତିତ୍ତ୍ୱର ପାଳନ ହେଉ ଥିଲା, ତାହାର ଜନ୍ମଦିନରେ ତାହା ସହିତ ଏବେ ଯେଉଁ ଜନ୍ମଦିନର ପାଳନ ହେଲା, ତାହା ଆବାହନର । କେବଳ ଶ୍ରଦ୍ଧାର ସହ ଆବାହନର ।

ଆପଣଙ୍କ ଜନ୍ମଦିନ ବଡ ବିଚିତ୍ର । ଭାରି ଘଟଣାବହୁଳ ।
ଭାରତତତ୍ତ୍ୱର ପ୍ରଖ୍ୟାତ ବିଦୂଷୀ ପ୍ରଫେସର୍ ସୁକୁମାରୀ ଭଟ୍ଟାଚାର୍ଯ୍ୟ (ଯାହାଙ୍କର ମହାପ୍ରୟାଣରେ ଏକ ଶୋକସନ୍ଦେଶ ପଢ଼ି ଉପସ୍ଥିତ ଲେଖକ ଜାଣିଲା ଯେ, ପ୍ରଫେସର୍ ଭଟ୍ଟାଚାର୍ଯ୍ୟ ଜଣେ ଖ୍ରୀଷ୍ଟାନ୍ ଧର୍ମାବଲମ୍ବୀ)ଙ୍କ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ "ଭାରତୀୟ ଦେବତତ୍ତ୍ୱ" ଅନୁସାରେ ଆମଗ୍ର ସମଗ୍ର ଭାରତୀୟ ଦେବଦେବୀ ହୁଏତ ବିଷ୍ଣୁଅଂଶୀ ବା ରୁଦ୍ରଅଂଶୀ । ଆପଣଙ୍କ ଜନ୍ମଜାତକରେ ବିଷ୍ଣୁଭାଗ ଓ ରୁଦ୍ରଭାଗ ସମନ୍ୱିତ ।ବ୍ରହ୍ମବୈବର୍ତ୍ତ ପୁରାଣରେ ଆପଣଙ୍କ ଜନ୍ମର ବାରମ୍ବାର ମୋଡ଼ ବଦଳୁ ଥିବା କାହାଣୀର କଥା ସମସ୍ତେ ଜାଣନ୍ତି । 

ଗୌରୀ ଏକ ପୁତ୍ରର କାମନାରେ ଯଜ୍ଞାନୁଷ୍ଠାନ କଲେ । ସେଇ ଯଜ୍ଞଟିର ନାଁ ପୁଣ୍ୟକ ଆଉ ତାହାର ଆରାଧ୍ୟ ହେଉଛନ୍ତି ବିଷ୍ଣୁ । ବିଷ୍ଣୁଙ୍କ ଭଳି ସୁନ୍ଦର ଓ ପରାକ୍ରମଶାଳୀ ସନ୍ତାନରେ ମତି ଗୌରୀଙ୍କର । ଗୌରୀଙ୍କ ଏହି ଯଜ୍ଞାନୁଷ୍ଠାନରେ ପୁରୋହିତ କାର୍ଯ୍ୟ ସମ୍ପାଦନ କରି ଥିଲେ ସନତକୁମାର । ବିଷ୍ଣୁ ପ୍ରସନ୍ନ ହୋଇ ଗୌରୀଙ୍କୁ ତାଙ୍କ ଭଳି ଏକ ସନ୍ତାନର ବର ପ୍ରଦାନ କରିବା ସହିତ ସନତକୁମାର ଏହି ପୁଣ୍ୟକ ଯଜ୍ଞରେ ପୁରୋହିତର ଦକ୍ଷିଣା ସ୍ୱରୂପ ସ୍ୱୟଂ ଶିବଙ୍କୁ ପ୍ରାପ୍ୟ ଆକାର ଦାବୀ କରିବା କାରଣରୁ ଯେଉଁ ଅସୁବିଧା ହେଲା, ତାହାର ସମାଧାନ ବି କରି ଥିଲେ ।
ତେଣୁ ଆପଣ ଜନ୍ମ ନେଲେ ବିଷ୍ଣୁଙ୍କ ଅନିନ୍ଦ୍ୟ ରୂପକାନ୍ତି ସହ । ମାତ୍ର ଆପଣ ଜଣେ ଅଯୋନୀସମ୍ଭୂତ, ମାନସପୁତ୍ର ଓ ଗୌରୀପୁତ୍ର ।ଆପଣଙ୍କ ଜନ୍ମକାହାଣୀକୁ ପରେ ପ୍ରବେଶ କଲେ ଗ୍ରହରାଜ ଶନି, ଘଟିଗଲା ଇନ୍ଦ୍ରଙ୍କ ଐରାବତର ମସ୍ତକ ଛେଦନ, ଆପଣ ଗଜମସ୍ତକ ଧାରୀ ହେଲେ, ବିଘ୍ନବିନାଶକ ଭାବରେ ଅଗ୍ରପୂଜ୍ୟ ହେଲେ । ଏହି ସମସ୍ତ ଚମତ୍କାର ପୁରାଣକାହାଣୀର ପ୍ରଚୁର ପାଠକୀୟତାର ବାଙ୍କ ବୁଲାଣିରେ ଆପଣଙ୍କ ଜନ୍ମ ରହସ୍ୟର ଅସଲ ମଞ୍ଜୁଷାଟି ରହିଛି ।

ଆରମ୍ଭରୁ କେତୋଟି ସଙ୍କେତକୁ ବିଚାରକୁ ନିଆ ଯାଉ । ଆପଣ ଅଯୋନୀସମ୍ଭୂତ ଗୌରୀପୁତ୍ର, ଯେଉଁ କାହାଣୀରୁ ପ୍ରାଥମିକ ଭାବରେ ଶିବ ଭଳି ପିତାକୁ ଦୂରେଇ ରଖା ଯାଇଛି । ସାର୍ ଆପଣ ଜାଣନ୍ତି, ପୁରାଣ କାହାଣୀମାନଙ୍କରେ ବରଦାନ ଆଉ ଅଭିଶାପକୁ ସୁସମାହିତ କରି ପୁରାଣକାହାଣୀକାରମାନେ କାହାଣୀକୁ ଗତିଶୀଳ କରି ଥାଆନ୍ତି । ତେଣୁ, ଅଭିଶାପ ଆଉ ବରଦାନ ଏହି କାହାଣୀଗୁଡିକରେ ପ୍ରକୃତ, ଯାହାକୁ ଆମର ଗଳ୍ପକର୍ମରେ କହନ୍ତି, ଷ୍ଟୋରିପଏଣ୍ଟ୍ ବା କାହାଣୀର ଦିଗବାରେଣୀ । 

ସେହି ଦୃଷ୍ଟିରୁ ଏକରେ ଆପଣ ଅଯୋନୀସମ୍ଭୂତ ଗୌରୀପୁତ୍ର ହୋଇଥିବା କାରଣରୁ ମାତୃକୈନ୍ଦ୍ରିକ ବ୍ୟବସ୍ଥାପନାର ପୂର୍ଣ୍ଣତଃ ଉପଜ । ଆଉ ଏହା ସହିତ ସାମାଜିକ ଉଦ୍ଭବର ଇତିହାସରେ ମାତୃକୈନ୍ଦ୍ରିକତାକୁ ପ୍ରାଚୀନତା ବା ପ୍ରିମିଟିଭିଟି ସହ ଯୋଡ଼ା ଯାଇଥିବା କାରଣରୁ, ଆପଣ ପ୍ରାଚୀନତାର ଏକ ସ୍ୱୟମ୍ଭୂ ପ୍ରତୀକ । ଦୁଇରେ ଆପଣଙ୍କୁ ବିଘ୍ନରାଜ ବା ବିଘ୍ନ ବିନାଶନକାରୀ ବୋଲି ପ୍ରାଥମିକ ସମ୍ବୋଧନ କରିବା କାରଣରୁ ଅର୍ଥାତ୍ ଗୋଟିଏ ସ୍ୱୟମ୍ଭୂ ପ୍ରତୀକକୁ ସାର୍ବଜନୀନ ଭାବରେ ନିର୍ମାଣ କରି କୌଣସି ବିଘ୍ନକୁ ବିନାଶନ ପାଇଁ ଶକ୍ତିମନ୍ତ କରିବା ପଛରେ ସାଧାରଣତଃ କାହାର ବ୍ୟକ୍ତିପରକ ବିଘ୍ନର ବିନାଶନ ଅପେକ୍ଷା ସମଷ୍ଟିଗତ ବିଘ୍ନର ଦୂରୀକରଣର ପ୍ରାଥମିକ ଅପରିହାର୍ଯ୍ୟ କାରଣ ରହି ଥିବା ଅଧିକ ପ୍ରାସଙ୍ଗିକ । ତିନିରେ, ଆପଣଙ୍କ ନାଆଁ ଗଣନାଥ ବା ଗଣେଶ, ଯାହାର ସହଜ ଅର୍ଥ ହେଉଛି ଗଣର ନାଥ ବା ଗଣର ଇଶ, ଅର୍ଥାତ୍ ଗଣର ଦେବତା । ସମାଜତତ୍ତ୍ୱରେ 'ଗଣ'ର ଗୋଟିଏ ବିଶେଷ ଲୌକିକ ପରିଭାଷା ରହିଛି । ଏଇ ତିନୋଟି ଆଦ୍ୟ ସଙ୍କେତରୁ ଆପଣଙ୍କ ଜନ୍ମବ୍ରତକଥା ଆରମ୍ଭ ହେଉ ।

ସାର୍, ତାହା ପୂର୍ବରୁ ଏକଥା କହି ଦେଲେ ସ୍ପଷ୍ଟ ହେବ ଯେ, ବିଷ୍ଣୁଙ୍କ ନରସିଂହ ଅବତାରକୁ ବାଦ ଦେଲେ ଆପଣ ହେଉଛନ୍ତି ଏକମାତ୍ର ଆଗଧାଡ଼ିର ଦେବତା, ଯିଏ ଦେବାଙ୍ଗରେ ପଶୁ ଓ ମଣିଷର ସମନ୍ୱୟ ।

ଆପଣ ସାମାଜିକ ସମନ୍ୱୟର ଏକ ଐତିହାସିକ ପ୍ରତୀକ ବିଶେଷ । ଏହି ମୂଖ୍ୟ ବିଭାବ ଉପରେ ଆପଣଙ୍କ ଜନ୍ମର ବ୍ରତକଥାଟି ଆଧାରିତ । ପ୍ରଖ୍ୟାତ ଐତିହାସିକ ରୋମିଲା ଥାପର୍‌ଙ୍କ ମତରେ, ଭାରତର ଆଦ୍ୟ ସାମାଜିକ ସଂରଚନାରେ ବ୍ରାହ୍ମଣତାନ୍ତ୍ରିକ ରାଷ୍ଟ୍ରବ୍ୟବସ୍ଥାରେ ସମତଳ ଅଞ୍ଚଳରେ ରାଜତନ୍ତ୍ର ରହି ଥିଲା, ତଥା ଏହି ରାଜତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଯେଉଁମାନେ ସନ୍ତୁଷ୍ଟ ନ ଥିଲେ, ସମ୍ପତ୍ତିର ଅଧିକାରଗତ କି ନ୍ୟାୟ ବିଚାର କି ପ୍ରଥାଗତ କି ବିବାହଗତ କାରଣରୁ, ସେମାନେ ବନାଞ୍ଚଳରେ ସଂକ୍ଷିପ୍ତ ଗଣତନ୍ତ୍ର ପ୍ରଚଳିତ ରାଜ୍ୟମାନ ଗଠନ କରିଥିଲେ । ବନାଞ୍ଚଳର ଏହି ରାଜ୍ୟ ଗୁଡିକ ବ୍ରାହ୍ମଣତାନ୍ତ୍ରିକ ରାଜତନ୍ତ୍ରର ପ୍ରତିକ୍ରିୟା ଓ ପ୍ରତିବାଦ ଥିଲା । ଏହାକୁ ପ୍ରଫେସର୍ ଥାପର୍ 'ବୈଦିକ ଋଢ଼ିବାଦର ବିଚ୍ୟୁତାତ୍ମକ ସମ୍ପୃକ୍ତି' ବା 'ପାର୍ଟିଙ୍ଗ୍ କମ୍ପାନୀ ଅଫ୍ ବେଦିକ୍ ଅର୍ଥୋଡକ୍ସି' ବୋଲି କହିଛନ୍ତି।  ତାହାର ଅର୍ଥ ହେଲା, ଏହି ଗଣରାଜ୍ୟଗୁଡ଼ିକ ନିଜ ସହ କିଛି ବୈଦିକ ଋଢ଼ିବାଦକୁ ଧରି ଚାଲି ଥିଲେ ଏବଂ ପରେ ଏହି ଋଢ଼ିବାଦ ଯୋଗୁ ଗଣରାଜ୍ୟମାନେ କ୍ରମଶଃ ସମତଳ ଅଞ୍ଚଳର ରାଜତନ୍ତ୍ର ସହ ପରେ ଏକୀଭୂତ ହୋଇ ଗଲେ ।
ଆପଣ ପ୍ରାଥମିକ ଭାବରେ ସେହି ଭଳି ଏକ ସଂକ୍ଷିପ୍ତ ଗଣତନ୍ତ୍ର ପ୍ରଚଳିତ ବନାଞ୍ଚଳ ପରିବେଷ୍ଟିତ କୌଣସି ଗଣରାଜ୍ୟର ଉପାସ୍ୟ ଦେବତା ଥିଲେ, ଯାହାର ମୂଖ୍ୟ ଟୋଟେମ୍ ବା ପବିତ୍ର ବସ୍ତୁ ଥିଲା ହାତୀ । ସେହି ଗଣରାଜ୍ୟମାନଙ୍କରେ ସମତଳ ଅଞ୍ଚଳର ରାଜତନ୍ତ୍ରରେ ପୂଜିତ ସୃଷ୍ଟିକର୍ତ୍ତା ଅର୍ଥାତ୍ ପ୍ରଜାପତି, ପାଳନକର୍ତ୍ତା ଅର୍ଥାତ ବିଷ୍ଣୁ ଏବଂ ସଂହାରକର୍ତ୍ତା ଅର୍ଥାତ୍ ରୁଦ୍ରଙ୍କ ବିକଳ୍ପ ଦେବତାମାନଙ୍କୁ ଟୋଟେମ୍ ବା ପବିତ୍ର ବସ୍ତୁରେ ସନ୍ଧାନ କରା ଗଲା । ତେଣୁ ଗଣରାଜ୍ୟମାନଙ୍କରେ ଯେଉଁ ଦେବତା ମାନେ ପୂଜା ପାଇଲେ, ସେମାନେ ପଶୁ, ବୃକ୍ଷ, ପାହାଡ଼ ଓ ପର୍ବତ ଭଳି ଅଣମାନବ ପଦାର୍ଥରେ ନିର୍ମିତ ହେଲେ । ସେହି ଗଣ ରାଜ୍ୟମାନ ଯାହା ସବୁ ବେଳେ ଆକାରରେ ଛୋଟ, ତାହାକୁ ବାହାର ଆକ୍ରମଣରୁ ରକ୍ଷା କରିବା, ଏଇ ଟୋଟେମ୍ ଦେବତାମାନଙ୍କର ଏକମାତ୍ର କାର୍ଯ୍ୟ ଥିଲା ।

ସାର୍ ସେହି ଭଳି କୌଣସି ଗଣ ବା ଗୋଷ୍ଠୀ ବା ଟ୍ରାଇବ୍ ର ଉପାସ୍ୟ ଦେବତା ହେତୁ ଆପଣ ଗଣପତି । ଏବଂ ଆପଣ ସେତେ ବେଳେ ସେହି ଭଳି ବିଭିନ୍ନ ଛୋଟ ଛୋଟ ରାଜ୍ୟରେ ପୂଜିତ ହେଉ ଥିବା କାରଣରୁ, ଆପଣଙ୍କର ଭିନ୍ନ ଭିନ୍ନ ରୂପରେ ସଂରଚନା କରା ଯାଇ ଥିଲା । ଆପଣଙ୍କ ଭଳି ଏତେ ବେଶଧାରୀ ଦେବତାର ପାଖାପାଖି କେବଳ ଜଣେ ଦେବତା (ହୁଏତ ଜଣେ କହିବା ଠିକ୍ ହେବ ନାହିଁ । ସେମାନେ ତିନି ଜଣ )ହେବେ, ସେ ଆମର ଜଗନ୍ନାଥ । ଆପଣ ସେହି ଗୋଷ୍ଠୀମାନଙ୍କର ବିଘ୍ନ ବିନାଶକ ହୋଇଥିବାରୁ ଆପଣ ବିଘ୍ନେଶ । ବ୍ରାହ୍ମଣ ସଂସ୍କୃତି ବହିର୍ଭୂତ ଏହା ଆପଣଙ୍କ ଆଦ୍ୟକାଳ ।

ତାହା ପରେ ଛୋଟ ଛୋଟ ଗଣରାଜ୍ୟଗୁଡ଼ିକ ନିଜର ସୁରକ୍ଷା ଓ ଆଧୁନିକ ହେବାର ରାଷ୍ଟ୍ରାୟତ୍ତ ଲୋଭରେ ଯେତେ ବେଳେ ସମତଳ, ରାଜତନ୍ତ୍ର ଓ ବ୍ରାହ୍ମଣତନ୍ତ୍ରରେ ନିଜର ବିଲୟ ଘଟିବା ଅପରିହାର୍ଯ୍ୟ ବୋଲି ଦେଖିଲେ, ସେତେ ବେଳେ ସେମାନେ ନିଜର ଏହି ଟୋଟେମ୍‌ମାନଙ୍କୁ ବ୍ରାହ୍ମଣତନ୍ତ୍ରରେ ସୁବିନ୍ୟସ୍ତ କରି ନିଜର ଏକଦା ଅତୀତକୁ ଭୋଗିବାର ସୁଖଟିକୁ କାମନା କରୁ ଥିଲେ । ଅନ୍ୟ ପକ୍ଷରେ ବ୍ରାହ୍ମଣତନ୍ତ୍ର ସେଇ ଟୋଟେମ୍‌ମାନଙ୍କୁ ନିଜର ଧାର୍ମିକ ବ୍ୟବସ୍ଥାର ଅନୁସଙ୍ଗ କରି ପ୍ରାଚୀନତା ବା ପ୍ରିମିଟିଭିଟି ସହ ଏକ ପ୍ରକାର ସାଂସ୍କୃତିକ ସାଲିସ୍ କରିବା ରାଷ୍ଟ୍ର ପକ୍ଷରେ ମଙ୍ଗଳକର ବୋଲି ନୀତିଗତ ନିର୍ଣ୍ଣୟ କଲେ । ଏଇ ସମନ୍ୱୟର ବ୍ୟବସ୍ଥା ସ୍ୱରୂପ ଆପଣ ଅଯୋନୀସମ୍ଭୂତ ଗୌରୀପୁତ୍ର ପିତାର ସାନ୍ନିଧ୍ୟ ପାଇଲେ ଏବଂ ଶିବ ଭଳି ପିତାର ପ୍ରିୟତମ ପୁତ୍ର ପାଲଟି ଗଲେ । 

ଆଉ ଆପଣଙ୍କ ପିତା ଶିବ ହେଉଛନ୍ତି ହରପ୍ପା ସିଲମୋହରର ସେହି ପଶୁବେଷ୍ଟିତ ପଶୁପତି, ଅନାର୍ଯ୍ୟ ଅବସ୍ଥାରୁ ଉନ୍ନିତ ଏକ ଆର୍ଯ୍ୟ ଦେବ । ତେଣୁ ତାଙ୍କର ପ୍ରିୟତମ ପୁତ୍ର ହିସାବରେ ଆପଣଙ୍କୁ ଯୋଡ଼ିବା ପାଇଁ ଆମର ପୁରାଣକାରମାନଙ୍କୁ ଅଳ୍ପ ପରିଶ୍ରମ କରିବାକୁ ପଡ଼ିଛି । ପୁରାଣ କାହାଣୀରେ ଗ୍ରହରାଜ ଶନି ବା ସ୍ୱୟଂ ଶିବଙ୍କ ମାର୍ଫତ୍‌ରେ ଆପଣଙ୍କର ସୁନ୍ଦର ମଣିଷ ମୁଣ୍ଡଟି ସ୍ଥାନରେ ଗଜରାଜର ମୁଣ୍ଡଟିକୁ ରୋପଣ କରିବାକୁ ପଡ଼ିଛି । ଠିକ୍ ଯେମିତି ବଣମୂଲକର କନ୍ୟା ଶକୁନ୍ତଳାର ଗର୍ଭସ୍ଥ ସନ୍ତାନ ଭରତକୁ ସମତଳ ଅଞ୍ଚଳର ସ୍ୱୀକୃତି ମିଳିବା ପାଇଁ ଏକ ଅପହୃତ ମୁଦିର କାହାଣୀ ନିର୍ମାଣ କରିବାକୁ ପଡ଼ିଛି ଆମ ପୁରାଣକାରମାନଙ୍କୁ ।

ପ୍ରାଚୀନତା ତଥା ପ୍ରିମିଟିଭିଟି ଆମ ବ୍ୟବସ୍ଥା ଆଦ୍ୟଭାଗ ହୋଇଥିବା କାରଣରୁ ଆପଣଙ୍କୁ ଅଗ୍ରପୂଜ୍ୟ କରି ରଖା ଗଲା ଆମର ପରିବର୍ତ୍ତିତ ବ୍ରାହ୍ଣଣତାନ୍ତ୍ରିକ ସମାଜ ବ୍ୟବସ୍ଥାରେ । ଆମେ କୌଣସି ସମୟରେ ଯେତେ ଆଧୁନିକ ହେଲେ ବି, ଆମର ପ୍ରାଚୀନତମ ଉତ୍ସକୁ ଅସ୍ୱୀକାର କରି ପାରିବୁ ନାହିଁ । ଠିକ୍ ସେହି କାରଣରୁ ଆପଣ ଉତ୍ସର ଦେବତା । ଏବଂ ଆମର ଉତ୍ସ ଅନୁରାଗ କାରଣରୁ ଆପଣ ଆମର ପ୍ରିୟତମ ଦେବତା । ଆପଣ ଆଗରୁ କ୍ଷୁଦ୍ର ଗଣରାଜ୍ୟଗୁଡ଼ିକର ବିଘ୍ନ ବିନାଶକ ଥିଲେ ଏବେ ଆପଣ ଏକ ବ୍ୟାପକ କ୍ଷେତ୍ରରେ ବିଘ୍ନରାଜ ହେବା ସହ ଆମର ମଙ୍ଗଳବିଧାନ ନିମନ୍ତେ ମଙ୍ଗଳମୂର୍ତ୍ତି ହୋଇ ବିରାଜିତ ହେଲେ । 

ସିଦ୍ଧମ୍ ଶବ୍ଦର ପ୍ରାଚୀନତମ ଅର୍ଥ ହେଉଛି ଅକ୍ଷର । ତେଣୁ ନିଜର କଥିତ ଭାଷାକୁ ସଂରକ୍ଷିତ କରିବା ପାଇଁ ଲିପିର ପ୍ରୟୋଜନ ହେବା କାରଣରୁ ଆପଣଙ୍କୁ ତାହାର ଆରାଧ୍ୟ ଦେବତା କରା ଗଲା । ଆପଣଙ୍କ ସହିତ ଦୁଇଟି ନାରୀ ଚରିତ୍ର ଜଡ଼ିତ ହୋଇ ପଡ଼ିଲେ, ସେମାନେ ହେଲେ ସିଦ୍ଧି ଆଉ ବୁଦ୍ଧି ।

ଏସବୁ କେବଳ ଆପଣଙ୍କ ଜନ୍ମର ଆଦ୍ୟକ୍ରମଟିକୁ ବୁଝିବାର ପ୍ରୟାସ । ଆପଣ ଆମର ମୂଳାନୁଗ ଦେବ ।

କୋଲକାତାର ଦକ୍ଷିଣ ଚବିଶ ପ୍ରଗଣା ଇଲାକାରେ ଲୋକ ପୁରାଣରେ ଆପଣଙ୍କ ଅପହୃତ ମଣିଷ ମୁଣ୍ଡର ପ୍ରସଙ୍ଗ ରହିଛି । ଆପଣଙ୍କର ସେହି ମଣିଷମୁଣ୍ଡକୁ ସେହି ଅଞ୍ଚଳରେ ବାରାଠାକୁର୍ ବା ବଡ଼ଠାକୁର ବୋଲି ଅତ୍ୟନ୍ତ ଶ୍ରଦ୍ଧାର ସହ ଉପାସନା କରିଥାନ୍ତି ।
ଏଇ ସମସ୍ତ କଥା ଆପଣଙ୍କୁ ଆର୍ଯ୍ୟ ଓ ଅନାର୍ଯ୍ୟର ଏକ ଦୈବିକ ମିଳନବିନ୍ଦୁରେ ଏକାଠି କରିବାର ପ୍ରଚେଷ୍ଠା ।
ଆପଣଙ୍କ ଜନ୍ମରହସ୍ୟ ଉପରେ ସବୁଠାରୁ ଚମତ୍କାର କାହାଣୀଟିଏ ପାଇଲି ଦୁର୍ଗାଷଷ୍ଠୀବ୍ରତ କଥାରୁ । ଥରେ କୁଆଡ଼େ ପ୍ରଭୂ ନାରାୟଣଙ୍କର ମା' ଦୁର୍ଗାଙ୍କର ସ୍ତନ୍ୟପାନ କରିବାର ଇଚ୍ଛା ହେଲା । ତେଣୁ ପ୍ରଭୂ ନାରାୟଣ ପ୍ରବେଶ କଲେ ମାଆ ଦୁର୍ଗାଙ୍କ ପ୍ରତିମା ଭିତରକୁ । ଆଉ ସଂସାରରେ ତାହା ପରେ ଏକ ଅଲୌଲିକ ଘଟଣା ଘଟି ଗଲା, ସେହି ଦୁର୍ଗା ପ୍ରତିମା ଓ ନାରାୟଣଙ୍କ ଜୀବନ୍ତ ସତ୍ତା ମିଶି ରୂପବନ୍ତ ହୋଇ ଗଲା ।

ସେହି ରୂପବନ୍ତ ଆପଣ । ସାର୍ ଆପଣ ।
ଏଇ ମାତୃକାହାଣୀର ଦ୍ୟୋତକ ଆପଣଙ୍କୁ ପ୍ରଣାମ । ଏଇ ଅକିଞ୍ଚନକୁ ଆପଣଙ୍କ ଜନ୍ମବୃତ୍ତାନ୍ତ ବଖାଣ କରିବାକୁ ଅନୁମତି ସହ ସର୍ବଦା ନିୟନ୍ତ୍ରିତ କରୁଥିବାରୁ ଧନ୍ୟବାଦ ।

No comments:

Post a Comment