ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ୪
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
ଖେଡ଼ା ସତ୍ୟାଗ୍ରହ (୧୯୧୮) ସମୟର ଗାନ୍ଧିଜୀ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଏହି
ସ୍ଥାୟୀତ୍ୱର କାରଣ ବ୍ରିଟିଶ୍
ପାର୍ଲିଆମେଣ୍ଟ୍ ର ଛାଞ୍ଚରେ ଗଢ଼ା ଯାଇଥିବା
ସମ୍ବିଧାନ ନୁହେଁ । ଭାରତ ସ୍ୱାଧୀନ
ହେବାର ଓ ସମ୍ବିଧାନ ପ୍ରଣୟନ ହେବାର
ବହୁତ ପୂର୍ବରୁ,
ଭାରତର
ସ୍ୱାଧୀନତା ଆନ୍ଦୋଳନ ସମୟରୁ
ହିଁ ଗଣତନ୍ତ୍ରର ମୂଳଦୁଆ ପଡ଼ିସାରିଥିଲା ।
୧୯୫୦ରେ ଯେଉଁ ସମ୍ବିଧାନ ଲାଗୁ
ହେଲା,
ତାହା
ଯେ ଗଣତାନ୍ତ୍ରିକ ହେବ ଏହା ସମସ୍ତେ
ଜାଣିସାରିଥିଲେ । ତାହା କେତେ
ମୌଳିକ ହେବ,
କେତେ
ଲୋକାଭିମୁଖୀ ହେବ ଓ ଲୋକାଧିପତ୍ୟର
କେଉଁ ସଂସ୍ଥା ରହିବ,
ତାହାହିଁ
ସନ୍ଦେହର ବିଷୟ ଥିଲା । କାରଣ ଭାରତର
ସମ୍ବିଧାନ ରଚନା ବେଳେ ତିନି
ପ୍ରକାରର ଲୋକ ଥିଲେ । ଯେଉଁମାନେ
ପାଶ୍ଚାତ୍ୟ ଶିକ୍ଷା ପ୍ରାପ୍ତ
ହୋଇ ପେଶାଦାର ଆଇନଜ୍ଞ ହୋଇଥିଲେ; ଯେଉଁମାନେ
ଗାନ୍ଧୀଙ୍କର ସ୍ୱାୟତ୍ତତା, ‘ଗ୍ରାମ
ସ୍ୱରାଜ’ ଓ ସମାନତାର ନୀତିକୁ
ମାନୁଥିଲେ; ତଥା, ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧୀଙ୍କର ଅନୁଗାମୀ ହେଲେ
ମଧ୍ୟ ୟୁରୋପୀୟ ଲୋକ କଲ୍ୟାଣକାରୀ
ଗଣତନ୍ତ୍ରକୁ ଆଦର୍ଶ ରୂପେ ମାନୁଥିଲେ ।
ସମ୍ବିଧାନ ନିର୍ମାଣରେ ଗାନ୍ଧୀଙ୍କର
ନୀତିର ବଳିଷ୍ଠ ପ୍ରତିନିଧିତ୍ୱ
କରିବା ପାଇଁ କେହି ନଥିଲେ ।
ଆଇନଜ୍ଞମାନେ ପ୍ରଭାବଶାଳୀ ଥିଲେ । ନେହେରୁଙ୍କ ଭଳି ନେତାମାନେ
ଲୋକ କଲ୍ୟାଣକାରୀ ରାଜ୍ୟରେ
ବିଶ୍ୱାସ କରୁଥିଲେ ମଧ୍ୟ ସେମାନଙ୍କର
କୌଣସି ମୌଳିକ ଚିନ୍ତା ନଥିବାରୁ
ଆଇନଜ୍ଞମାନଙ୍କ ଉପରେ ବେଶୀ କାମ
ଛାଡ଼ି ଦେଇଥିଲେ । ସେ ଯାହା ହେଉ, ଗଣତନ୍ତ୍ରର କୌଣସି ବିରୋଧ ନଥିଲା ।
କାରଣ ରାଜନୀତି ଓ ଜନସାଧାରଣ
ଗଣତାନ୍ତ୍ରିକ ହୋଇସାରିଥିଲେ ।
ସାମ୍ରାଜ୍ୟବାଦ ବିରୋଧୀ ସଙ୍ଘର୍ଷକୁ
ଅହିଂସା ନୀତିରେ ଚଳାଇବା ଦ୍ୱାରା
ଭାରତର ରାଜନୀତି ସ୍ୱାଧୀନତା
ଆଗରୁ ଗଣତାନ୍ତ୍ରିକ ହୋଇସାରିଥିଲା ।
ନେତାମାନଙ୍କର ନିର୍ବାଚନ,
ଆନ୍ଦୋଳନର
ନିଷ୍ପତ୍ତି ଓ ପରିଚାଳନା, ଗଣତାନ୍ତ୍ରିକ
ବିଧିରେ ହେଉଥିଲା। ସେମାନଙ୍କର
ମତଭେଦ,
କଳହ,
ଭୁଲ୍, ତ୍ରୁଟି, ସବୁ କଥା ଲୋକେ ଜାଣିପାରୁଥିଲେ । ତେଣୁ, ଲୋକମାନେ ନେତାମାନଙ୍କର ଓ ସଙ୍ଗଠନର
ଅନେକ କଥାରେ ମତ ପ୍ରକାଶ କରୁଥିଲେ ।
ଅତଏବ, ରାଜନେତା ଓ ଜନତା, ଉଭୟଙ୍କର, ଜନତନ୍ତ୍ରରେ ଦୀକ୍ଷା ହୋଇସାରିଥିଲା ।
ଯେତେବେଳେ ଆନ୍ଦୋଳନରେ
ସତ୍ୟାଗ୍ରହୀମାନେ ଜେଲ ଦଣ୍ଡ
ଭୋଗୁଥିଲେ,
ସେତେବେଳେ
ଜଣାପଡ଼ୁଥିଲା ଯେ ଭାରତ ଗଣତାନ୍ତ୍ରିକ
କିନ୍ତୁ ବ୍ରିଟେନ୍ ଅଗଣତାନ୍ତ୍ରିକ ।
ଭାରତୀୟ
ସ୍ୱାଧୀନତା ଆନ୍ଦୋଳନରେ ହିଂସା
ବା ଶସ୍ତ୍ରକୁ ସମ୍ପୂର୍ଣ୍ଣ ଭାବରେ
ପରିତ୍ୟାଗ କରିବାରେ ଗୋଟିଏ ସୁଫଳ
ହେଲା ଯେ, ଏ ଦେଶରେ ସେନାବାହିନୀର
କୌଣସି ରାଜନୈତିକ ଗୁରୁତ୍ୱ ରହିଲା
ନାହିଁ । ଯୁଦ୍ଧ ବା ସଙ୍କଟର ସ୍ଥିତି
ମାନଙ୍କରେ ମଧ୍ୟ ଭାରତର ସେନା
ଭିତରେ ରାଜନୀତିରେ ହସ୍ତକ୍ଷେପ
କରିବାର ପ୍ରବୃତ୍ତି ଦେଖାଯାଏ ନାହିଁ ।
ରାଜନୀତିରେ ସେନାବାହିନୀର
ହସ୍ତକ୍ଷେପ ବହୁଦେଶର ରାଜନୀତିକୁ
କଳଙ୍କିତ କରୁଛି । ଗଣତନ୍ତ୍ରକୁ
ଭାଙ୍ଗି ଦେଉଛି। ପଡ଼ୋଶୀ
ଦେଶ ପାକିସ୍ତାନ୍ ଏହାର ଏକ
ଦୃଷ୍ଟାନ୍ତ।
ଗଣତନ୍ତ୍ରର
ଆଉ କେତେକ ଅଭିନବ ଦିଗ ଭାରତର
ରାଷ୍ଟ୍ରୀୟ ଆନ୍ଦୋଳନକୁ ଗୌରବାନ୍ୱିତ
କରିଥିଲା । ସ୍ୱାଧୀନତା ଆନ୍ଦୋଳନ
ବେଳୁ ହିଁ ଭାରତର ବିବିଧତାକୁ
ନିଷ୍ଠାପର ଭାବରେ ସ୍ୱୀକାର
କରାଯାଇଥିଲା । ଲୋକେ ଅନୁଭବ କରୁଥିଲେ ଯେ, ଭାରତୀୟ ଗଣତନ୍ତ୍ର ନିମନ୍ତେ ଭାଷାମାନଙ୍କୁ
ସ୍ୱାୟତତ୍ତା ଦେବା,
ସବୁ
ଧର୍ମକୁ ସମାନ ଭାବରେ ସମ୍ମାନ
କରିବା,
ଗ୍ରାମମାନଙ୍କର
ରାଜନୈତିକ କ୍ଷମତାକୁ ସ୍ୱୀକାର
କରିବା ଓ ତାହାର
ସ୍ୱାବଲମ୍ବୀ ଅର୍ଥନୀତିକୁ ଏକ
ନୂଆ ଗତିଶୀଳତା ପ୍ରଦାନ କରିବା, ତଥା, ସର୍ବୋପରି ଭୋଗବାଦକୁ
ତ୍ୟାଗ କରି ଆର୍ଥିକ ସମାନତାର
ମୂଳଦୁଆ ପକାଇବା ଇତ୍ୟାଦି ହେଉଛି ଅପରିହାର୍ଯ୍ୟ ଅଙ୍ଗ ।
ଜବାହାରଲାଲ୍
ନେହେରୁ,
ସର୍ଦ୍ଦାର୍ ପଟେଲ୍ ଓ ଡା.
ରାଜେନ୍ଦ୍ର
ପ୍ରସାଦଙ୍କ ପରି ନେତାମାନେ ଗାନ୍ଧୀଙ୍କ
କଥାର ବିରୋଧ କରୁନଥିଲେ ହେଁ ଏସବୁ
କଥାକୁ -
ଭାଷାର
ସ୍ୱାୟତତ୍ତା,
ଗ୍ରାମର
ସ୍ୱରାଜ,
ଶାରୀରିକ
ଶ୍ରମର ଅନିର୍ବାର୍ଯ୍ୟତା,
ଭୋଗବାଦ ଓ ତଦ୍-ଜନିତ ବିଷମତାର ବିନାଶ
- ଏସବୁକୁ
ଗଣତନ୍ତ୍ରର ମୌଳିକ ତତ୍ତ୍ୱ ବୋଲି
ଭାବୁ ନଥିଲେ । କାରଣ, ପାଶ୍ଚାତ୍ୟ ଗଣତନ୍ତ୍ରର ଅବଧାରଣାରେ
ଏସବୁ ଅଙ୍ଗୀଭୂତ ନୁହନ୍ତି । ତେଣୁ
ଏମାନଙ୍କ ଦ୍ୱାରା ନିର୍ମିତ
ସମ୍ବିଧାନରେ ଆର୍ଥିକ ବୈଷମ୍ୟ
ଓ ଭୋଗବାଦକୁ ରୋକିବା ନିମନ୍ତେ
ଓ ଗ୍ରାମ ତଥା ଅଞ୍ଚଳକୁ ସ୍ୱାୟତତ୍ତା ଦେବା
ନିମେନ୍ତ କୌଣସି ବ୍ୟବସ୍ଥା ନାହିଁ ।
ସବୁ କ୍ଷମତା କେନ୍ଦ୍ରିତ ହୋଇଛି
ରାଜଧାନୀରେ - ସଙ୍ଘ
ଓ ରାଜ୍ୟର ରାଜଧାନୀରେ । ସେଇ
ରାଜଧାନୀ ଦ୍ୱାରା ନିଯୁକ୍ତ
ଅମଲାମାନେ ଲକ୍ଷ ଲକ୍ଷ ଗ୍ରାମ ଓ
ଅଞ୍ଚଳକୁ ଶାସନ କରୁଛନ୍ତି । ସରକାରିଆ
କମିଶନ ସଙ୍ଘର ଅଧିକାରକୁ କମେଇ
ରାଜ୍ୟର ଅଧିକାର ବଢ଼େଇଦେଲେ
ଅମଲାତନ୍ତ୍ରର ଗଣତାନ୍ତ୍ରିକ
ଚରିତ୍ର ବଦଳିବ ନାହିଁ । ରାଜ୍ୟର
ଶାସନ କହିଲେ ମୁଖ୍ୟ ସଚିବ,
ଜିଲ୍ଲା
କଲେକ୍ଟର ଓ ପୋଲିସି ସାହେବ
ଏସ୍.ପି.ଙ୍କର
ଶାସନ।
No comments:
Post a Comment