Living in Bhubaneswar
Thursday, March 24, 2016
ଜଗନ୍ନାଥ ଭଜନ - ନ ଗଲୁ ମନ କ୍ଷେତ୍ରସ୍ଥଳକୁ
କବି - ଭିକାରୀ
ଗାୟକ - ଭିକାରୀ ବଳ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=p5O_IoHgqCY
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ନ ଗଲୁ ମନ କ୍ଷେତ୍ରସ୍ଥଳକୁ
ଧନ ଦାରାସୁତ ଆବୋରି ବସିଛୁ
କେହି ନୋହେ ସଙ୍ଗ ଗଲାବେଳକୁ ।।
ତୁଳସୀ ଚଉରା ଠାରେ ନୃତ୍ୟଲୀଳା ପ୍ରଦକ୍ଷିଣ କର ଯୋଡ଼ି କରକୁ ।
ମଧ୍ୟେ ପଞ୍ଚକୋଶୀ ପ୍ରଭୁଛନ୍ତି ବସି ସେଠାରୁ ଦେଖ ତୁ ନୀଳଚକ୍ରକୁ ।
ଧ୍ୱଜାଖଣ୍ଡକୁ ଚାହାଁ ଆଗକୁ ଚଉକିଛନ୍ତି ଅଠର ନଳାକୁ ।୧।
ସେ ଅଠର ନଳା ପଶ୍ଚିମରୁ ଜଳା ବହିଯା'ନ୍ତେ ପଥ ପୂର୍ବ ଭାଗକୁ ।
ଜନକପୁର ବାଲି ଆପେ ହରି ଚାଲି ସେ ରେଣୁ ନ ମିଳେ ବ୍ରହ୍ମା ଶିବଙ୍କୁ ।
ଧ୍ୟାୟି ତାହାଙ୍କୁ ଚଉବାହାକୁ ବଜାଏ ଡମ୍ବରୁ ଚଢ଼ି ଷଣ୍ଢକୁ ।୨।
ଧନ୍ୟ ବଡ଼ ଦାଣ୍ଡ ସର୍ବ ପାପ ଖଣ୍ଡ ସକଳ ତୀର୍ଥ ସେବନ୍ତି ତାହାକୁ ।
ଗୋରୁ ବିପ୍ର ମାରି ଗୁରୁ ପତ୍ନୀ ହରି ସେ ଠାବକୁ ଗଲେ ବହେ ପାପକୁ ।
ତଳେ ହସ୍ତକୁ ଦେଇ ମସ୍ତକୁ ଗଡ଼ଘାଲି ଶୁଅ ବଡ଼ ଦାଣ୍ଡକୁ ।୩।
ଛଣ ପୋତି ସାଧୁ ବୈଷ୍ଣବ ମହନ୍ତ କରୁଛନ୍ତି ଲୀଳା ଗାଇ ନାମକୁ ।
ଗଡ଼ୁଆ ଗଞ୍ଜାଇ ବିଡ଼ା ବିଡ଼ା ଖାଇ ଡାକୁଛନ୍ତି ସେ ମୁକତି ଧାମକୁ ।
ଚଉବାହାକୁ ଧ୍ୟାୟି ତାହାଙ୍କୁ ମିଳୁଛି ଅବଢ଼ା ଛେକ ବେଳକୁ ।୪।
ସେ ଅରୁଣ ସ୍ତମ୍ଭ ମେରୁ ସରି ଦମ୍ଭ ଦେଖ ସିଂହଦ୍ୱାରେ ଗଜସିଂହକୁ ।
ବାଇଶ ପାବଚ୍ଛ ଲଗା ତହିଁ ହସ୍ତ କୈବଲ୍ୟ ପସରା ବେନି ପାଶକୁ ।
ଚାହାଁ ଆଗକୁ ବିକାକିଣାକୁ ବହି ନେଉଛନ୍ତି ବଡ଼ଦାଣ୍ଡକୁ ।୫।
ସେଠାବରୁ ଧୀରେ କଳ୍ପବଟ ମୂଳେ ଦେଖ ବଟପୁଟଶାୟୀ ପ୍ରଭୁଙ୍କୁ ।
ପଦାଙ୍ଗୁଳି ନେଇ ବଦନରେ ଦେଇ ହସୁଛନ୍ତି ଚାହିଁ ମାତା ମୁଖଙ୍କୁ ।
ତହିଁ ଆଗକୁ ଦକ୍ଷଭାଗକୁ ପାହାରୀ ରଖିଛି ଗଜମୁଖକୁ ।୬।
ମୁକତି ମଣ୍ଡପେ ବସିଛନ୍ତି ବିପ୍ରେ ପଢ଼ୁଛନ୍ତି ବେଦ ସ୍ମୃତି ଶାସ୍ତ୍ରକୁ ।
ସେ ରୋହିଣୀ କୁଣ୍ଡ ସର୍ବ ପାପ ଖଣ୍ଡ କାକ ପଡ଼ି ହେଲା ଚତୁର୍ଭୁଜକୁ ।
ଗଲା ସ୍ୱର୍ଗକୁ ଯାଅ ଆଗକୁ ବିମଳା ଦେଖ ପଶ୍ଚିମ ଭାଗକୁ ।୭।
ସେଠାରେ ହିରଣ୍ୟ କୋପେ ନାରାୟଣ ଚିନ୍ତା କର ବାରେ ହୃଦେ ତାହାଙ୍କୁ ।
ମାତା ସରସ୍ୱତୀ ତହିଁ ଆଗେଛନ୍ତି ନମସ୍କାର କର ତାଙ୍କ ପାଦକୁ ।
ତହିଁ ଆଗକୁ ଉତ୍ତର ଦିଗକୁ ମାତା ମହାଲକ୍ଷ୍ମୀ ଦେଖ ତାହାଙ୍କୁ ।୮।
ସେଠାବରୁ ଏକ କୁଣ୍ଡ ଯାଇ ଦେଖ ତହିଁ ନେଇ କ୍ଷେପ ବୀଜ ଗର୍ଭକୁ ।
ପର ପ୍ରାୟ ପ୍ରଭୁ ଫିଙ୍ଗି ଦେଉଅଛ ଏ ନିନ୍ଦା ହୋଇବ ଆଉ କାହାକୁ ।
ଚଉବାହାକୁ ଚାହାଁ ଉର୍ଦ୍ଧ୍ୱକୁ ଉଡୁଛି ପତକା ତିନିପୁରକୁ ।୯।
ଜଗମୋହନରେ ପଶି ଯାଅ ଥରେ ଆଲିଙ୍ଗନ କର ପକ୍ଷୀରଜକୁ ।
ରତ୍ନବେଦୀ ପରେ ଚାହିଁ ଦିଅ ଥରେ ଦେଖ କଳାଧଳା ମୁଖ ଶୋଭାକୁ ।
ପାଦ ତଳକୁ ଲଗା ଶିରକୁ ପରିକ୍ରମା କର ରତ୍ନବେଦୀକୁ ।୧୦।
ଆଗେ ରତ୍ନଦୀପ ଜଳେ ଦପଦପ ଥୟ ହୋଇ ଲୟ କର ତାହାକୁ ।
କହଇ ଭିକାରୀ ସାହା କେହି ନାହିଁ ଦଣ୍ଡେ ନ ଛାଡଇ ରହି ଧନ୍ଦାକୁ ।
ଧରି ନାମକୁ ଡାକେ ତୁମ୍ଭକୁ ଅନ୍ତେ ନୋହୁ ଗତି ଯମପୁରକୁ ।୧୧
।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment