Living in Bhubaneswar
Tuesday, March 29, 2016
ଜଗନ୍ନାଥ ଭଜନ - ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ
କବି - ନିତ୍ୟାନନ୍ଦ ଦାସ
ଗାୟକ - ନିମାଇଁଚରଣ ହରିଚନ୍ଦନ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=kmwXNlSW7LA
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ
ବୁଡିଲି ବିପଦ ଜଳେ ।
ଏତେ ବେଳେ ପ୍ରଭୁ ଡାକ ନ ଶୁଣୁଛ
ଯେତେ ଡାକିଲେ ବିକଳେ ।
ମହାପ୍ରଭୁ ହେ ।୧।
ଜଳମୀନ ଯେହ୍ନେ ମିହିର ତେଜରେ
ତେମନ୍ତ ହେଲାଣି ଦଶା ।
ଏଥିରେ କିଞ୍ଚିତେ କରୁଣା ନୋହୁଛି
ମୁଁ ଯେ କରିଛି ଭରସା ।
ମହାପ୍ରଭୁ ହେ ।୨।
ବିପଦ ଧାଡ଼ି ଯେତେ ମାଡ଼ି ପଡ଼ୁଛି
କେତେ ହେଁ କହିବି ମନେ ହେଜି ।
ସିଂହ ମୃଗ ଆଗେ ପରାୟେ ତରଙ୍ଗେ
ଧଇର୍ଯ୍ୟ ବନ୍ଧ ଯାଉଛି ଭାଜି ।୩।
ଯେତେ ରୂପେ ଦଣ୍ଡ ଦୁଃଖ ଦେଉଅଛ
କହିବାକୁ ମୋତେ ଆସୁନାହିଁ ।
ଯେତେ ଥିଲା ଆଶ ଆହେ ପୀତବାସ
ଏମ୍ଭେ ତୁମ୍ଭ ନିରାଶକୁ ଚାହିଁ ।୪।
ପ୍ରଭୁ ହୋଇ କୃପା ନ କରୁଛ କିମ୍ପା
ଦୀନ ପତିତ ଜନଙ୍କ ଠାରେ ।
ଅତି ହିଁ ନିରାଶପଣ କରିବାରେ
ଭାସିଗଲି ଶୋକନଦୀ-ଧାରେ ।୫।
ଥାଉଁ ପ୍ରଭୁପଣ କରୁଣା କୃପଣ
ହେବାରୁ ନୀତି କି ନ ଆସଇ ।
ବୁଡୁଥିଲେ ଭେଳା ତହିଁ କଲେ ହେଳା
ଦାରୁଣପଣ କି ନ ହୁଅଇ ।୬।
କରୁଣା-ନାବିକ-ନାବ ଥାଉଁ କୂଳେ
ଖେଦ ଜଳଧିରେ ଗଲି ବୁଡ଼ି ।
ତରଳ-ତରଙ୍ଗ-ଭଉଁରୀ-ପ୍ରଖର
ଏମନ୍ତ ନଦୀରେ ଦେଇ ଛାଡ଼ି ।୭।
ମୁଁ ଯେ ମଲେ ମଲି ଭାସିଗଲେ ଗଲି
ତୁମ୍ଭକୁ ସିନା ଏ ଅସୁନ୍ଦର ।
ତୁମ୍ଭ ନାମ ଧରି ହେବା ଏତେ ସରି
ଜଗତେ କିବା ବୋଲିବେ ନର ।୮।
ମୋର ଏ ଦୁର୍ଗତି ଯେତେ ନ ବାଧଇ
ତୁମ୍ଭ ନିନ୍ଦା-ଲାଜେ ମରୁଅଛି ।
ପୂର୍ବର କରୁଣା ଏବେ ଦେଖି ଉଣା
ଦିବା ନିଶି ମନେ ଗୁଣୁଅଛି ।୯।
ନାନା ରୂପେ ଶାସ୍ତି ଦେଇ ଦୁଃଖ ହସ୍ତୀ
ଦନ୍ତରେ ଗୁନ୍ଥିବା ମନ କଲା ।
ବିପତ୍ତି-କରୀ-ନାଶନ ତୁମ୍ଭ ବାନା
କିମ୍ପାଇ ନୀଳାଦ୍ରି ସିଂହ ହେଲା ।୧୦।
ଧଇର୍ଯ୍ୟ-କମଳ-ବନକୁ ମୋହର ଼
ଧ୍ୱଂସି ପକାଉଛି ପ୍ରବଳରେ ।
ରଖ ରଖ ପ୍ରଭୁ ପ୍ରମତ୍ତ କେଶରୀ
ବୋଲି ଜଣାଉଛି ବିକଳରେ ।୧୧।
କେବେ ହେଁ କରୁଣା ନଦୀ ନ ବହିଲା
ବଢ଼ିଲା ସଙ୍କଟ ଗିରିବର ।
କହେ ନିତ୍ୟାନନ୍ଦ କର୍ମହୀନ ମନ୍ଦ
ସଦୟ-କୁଳିଶେ ନାଶ କର ।୧୨
।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment