ନଗଡା ଓ ଗୁମୁଡୁମାହା: ବିକାଶର ଦୁଇଟି ଫଟୋଗ୍ରାଫ
କେଦାର ମିଶ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯେଉଁମାନେ
ଓଡିଶାର ଅର୍ଥନୀତି ବିଷୟରେ ଅଧ୍ୟୟନ
କରନ୍ତି,
ସେମାନଙ୍କ
ପାଇଁ ରାଜ୍ୟଟି ଏକ ଅର୍ଥନୈତିକ
ବିସ୍ମୟ । ପ୍ରାକୃତିକ
ଓ ମାନବ ସମ୍ବଳ କ୍ଷେତ୍ରରେ ରାଜ୍ୟର
ପ୍ରାଚୁର୍ଯ୍ୟ ରହିଥିବାବେଳେ, ମୂଳତଃ
ଆମେ ଦରିଦ୍ର ଓ ପଛୁଆ ରାଜ୍ୟର ଅପଯଶ
ପାଇ ଆସିଛୁ ।
ରାଜନୈତିକ ଅସ୍ଥିରତା ଓ ଅର୍ଥନୈତିକ
ଯୋଜନା ରୂପାୟନରେ ରାଜନୈତିକ
ଇଛାଶକ୍ତିର ଅଭାବ ଯୋଗୁଁ ଦେଶର
ଅଷ୍ଟମ ପଞ୍ଚବାର୍ଷିକ ଯୋଜନା ଯାଏଁ
ଆମର ଅଭିବୃଦ୍ଧି ହାର ହାରାହାରି ଶତକଡ଼ା ଚାରି ଭାଗ ମଧ୍ୟରେ
ସୀମିତ ରହିଥିଲା । ନବମ
ପଞ୍ଚବାର୍ଷିକ ଯୋଜନାରୁ ଆଜି
ପର୍ଯନ୍ତ ନିରନ୍ତର ଭାବରେ ଓଡିଶାର
ବିକାଶ କ୍ଷେତ୍ରରେ ଅଭିବୃଦ୍ଧିର ମାତ୍ରା ତୀବ୍ରତର ହୋଇଛି ବୋଲି
ଆମ ପାଖରେ ତଥ୍ୟ ରହିଛି ।
୧୯୯୭ ପରେ ଆରମ୍ଭ ହୋଇଥିବା ଏହି
ବିକାଶ ପର୍ବ ସହିତ ଓଡିଶାର ରାଜନୈତିକ
ସ୍ଥିରତା ଓ ମଜବୁତ ନେତୃତ୍ୱ ଦାୟୀ ବୋଲି କୁହାଯାଉଛି ।
ନବମ ରୁ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା
ଯାଏଁ ନବୀନ ପଟ୍ଟନାୟକ ଓଡିଶାର
ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ
ଆସୁଛନ୍ତି । ପାରମ୍ପରିକ ଅର୍ଥନୈତିକ
ତଥ୍ୟ ଆଧାରରେ ଏହି ସମୟରେ ଓଡିଶାର
ବିକାଶ ହାର ଆଖିଦୃଶିଆ ଭାବରେ
ଆଗକୁ ବଢିଛି ।
ତେବେ ରାଜ୍ୟରେ ଗଚ୍ଛିତ ଥିବା ସମ୍ବଳ
ଓ ସମ୍ଭାବନା ତୁଳନାରେ ଅଭିବୃଦ୍ଧିର
ହାର ସେତେବେଶୀ ଉତ୍ସାହଜନକ ନୁହେଁ । ଏହି ସମୟ ଖଣ୍ଡରେ ଦେଶର
ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାର
ସ୍ଥାନ ଖୁବ ବେଶୀ ଆଗୁଆ ମଧ୍ୟ
ନୁହେଁ ।
ଦେଶର
ମୋଟ ଜଳସମ୍ପଦର ଶତକଡ଼ା ଏଗାର ଭାଗ ଓଡିଶାରେ
ରହିଥିବା ବେଳେ ଖଣିଜ ସମ୍ପଦର ଏକ
ବହୁତ ବଡ ଅଂଶ ଓଡିଶାରେ ରହିଛି ।
ବର୍ଷ ବର୍ଷ ଧରି ଓଡିଶା ସରକାର
ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱକୁ
ଓଡିଶାର ଏକମାତ୍ର ସମ୍ପତ୍ତି
ବୋଲି ବିବେଚନା କରି ଆସିଛନ୍ତି
।
ରାଜ୍ୟର ଖଣିଜ ସମ୍ପଦ ଅନ୍ୟ ରାଜ୍ୟକୁ
ବା ଦେଶକୁ ରପ୍ତାନୀ ହୋଇ ଯାଉଥିବା
ବେଳେ ଓଡିଶାରେ ଶିଳ୍ପର ବିକାଶ
ଯଥେଷ୍ଟ ପଛରେ ରହିଛି ।
ତେବେ ବିକାଶର ଧାରା ବିଶ୍ଲେଷଣ
କରିବା ଆମର ଉଦ୍ଦେଶ୍ୟ ନୁହେଁ ।
ଗତ ପଚିଶ ବର୍ଷ ଭିତରେ ଓଡିଶାରେ
ଯେଉଁ ଅର୍ଥନୈତିକ ପ୍ରଗତିର ଚିତ୍ର
ଆମକୁ ଦେଖାଯାଉଛି ଓ ସରକାରୀ
ତଥ୍ୟରେ ଯାହା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି, ତାହାର
ବାସ୍ତବତା ଖୋଜି ବାହାର କରିବା
ଲାଗି ଆମେ ଚେଷ୍ଟା କରୁଛୁ ।
ଅର୍ଥନୈତିକ ପରିସଂଖ୍ୟାନ ଅନେକ
ସମୟରେ ଯାହା ଦେଖାଏ, ଜୀବନ ଓ ଜୀବିକା
କ୍ଷେତ୍ରରେ ତାହାର ପ୍ରତିଫଳନ ଦେଖିବାକୁ ମିଳେ
ନାହିଁ । ତେଣୁ
ପରିସଂଖ୍ୟାନ ଅନେକ ସମୟରେ ଏକ
ନଥିବା ପ୍ରଗତିର ସୂଚକ ବୋଲି ମଧ୍ୟ
କୁହାଯାଏ ।
ଓଡିଶାର ଜିଡିପିକୁ କୃଷି ଓ
ପଶୁପାଳନରୁ ବଡ ଅବଦାନ ମିଳେ । ଅଥଚ
ରାଜ୍ୟରେ କୃଷିର ସ୍ଥିତି ଦିନକୁ
ଦିନ ବିଗିଡିବାରେ ଲାଗିଛି । ରାଜ୍ୟରେ
ଚାଷଯୋଗ୍ୟ ଜମି କମିବା ଓ ଅଧିକରୁ
ଅଧିକ କୃଷକ ସହର ଅଭିମୁଖୀ ହେବା
ତାହାର ଏକ ଉଦାହରଣ ।
ଓଡିଶାର
ବିକାଶକୁ ନେଇ ତଥ୍ୟ ଓ ବାସ୍ତବତାର
ଏକ ସରଳ ସମୀକରଣ ଆମ ଆଖି ଆଗରେ ଏବେ
ଝୁଲୁଛି ।
ଗତ ସପ୍ତାହରେ ଓଡିଶାର ଦୁଇଟି
ଗାଁର ଚିତ୍ରରୁ ଓଡିଶାର ବିକାଶ
ତଥା ପ୍ରଗତିର ଚିତ୍ରକୁ ଆମେ
ବିଶ୍ଲେଷଣ କରିବା । ଅନେକ
ଦିନ ପରେ ଓଡିଶାର ଗଣମାଧ୍ୟମରେ
ଆମେ ଗାଁ' ର ଛବି ଦେଖିବାକୁ ପାଇଲୁ
। ଦେଶ
ବା ରାଜ୍ୟ କହିଲେ କେବଳ ସହରକୁ
ବୁଝୁଥିବା ଆମ ସାମ୍ବାଦିକ ମାନେ
ଗାଁ' କୁ ଟିକେ ପ୍ରାଧାନ୍ୟ ଦେଇ
କେତୋଟି ଚିତ୍ର ଆମକୁ ଦେଖେଇଲେ । ଅବଶ୍ୟ
ଏହା ଆଗ୍ରହଜନିତ ଅଥବା ଆବଶ୍ୟକତାର ଚାପରୁ ଆସିଛି,
ତାହା ଏକ ଭିନ୍ନ ପ୍ରସଙ୍ଗ । ଏବେ
ସେହି ଗାଁ ଦୁଇଟିକୁ ଏବେ ଆସିବା ।
ପ୍ରଥମ ଗାଁ ଟି ଗୁମୁଡୁମାହା।
କନ୍ଧମାଳ ଜିଲା ର କୁର୍ତମଗଡଠୁ
ମାତ୍ର କେଇ କିଲୋମିଟର୍ ଦୂରରେ
ଏହି ଗାଁ' ଏବେ ଦେଶ ସାରା ଚର୍ଚ୍ଚାର କାରଣ ପାଲଟିଛି।
ଏହି ଗାଁ'ର ପାଞ୍ଚ ଜଣ ନିରୀହ ଲୋକ
ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ।
ପୋଲିସ ଓ ମାଓବାଦୀଙ୍କ ମଧ୍ୟର ସଙ୍ଘର୍ଷର
ଅସହାୟ ଶୀକାର ଭାବରେ ଏହି ନିରୀହ
ଆଦିବାସୀ ଓ ଦଳିତ ଲୋକମାନେ ନିଜ
ଜୀବନ ହରାଇଛନ୍ତି ।
ମାନବୀୟ
ଅଧିକାର ପ୍ରସଙ୍ଗକୁ ନେଇ ଏଇ ଗାଁ' ବିଷୟରେ ଚର୍ଚା କଲାବେଳେ ଆଉ ଗୋଟେ
ଦୃଶ୍ୟ ଆମକୁ ବିଚଳିତ କରୁନାହିଁ
।
ଦୃଶ୍ୟଟି ହେଉଛି କୁର୍ତମଗଡ ଓ
ଗୁମୁଡୁମାହା ଗାଁ'କୁ ସଞ୍ଜୋଗ କରୁଥିବା ରାସ୍ତା ।
ଏହାକୁ ରାସ୍ତା ବୋଲି ନକହି ଖାଲଢିପ
ଓ କାଦୁଅ ପଚପଚ ଗୋଟେ ଧରସା ବୋଲି
ଆମେ କହିପାରିବା ।
ଜନଗଣନା ତଥ୍ୟ ଅନୁଯାୟୀ ଏହି ଗାଁ'ର ଲୋକ ସଂଖ୍ୟା ୨୦୭ ଯାହା ମଧ୍ୟରୁ ୧୦୧ ଜଣ ପୁରୁଷ ଓ ୧୦୭ ଜଣ ମହିଳା । ଏହା ବ୍ୟତୀତ ୩୩ ଜଣ ପିଲା ଅଛନ୍ତି
ଯେଉଁ ମାନଙ୍କ ବୟସ ୦-୬ ବର୍ଷ ଭିତରେ ।
ରାଜ୍ୟର ସାକ୍ଷରତା ହାର ଶତକଡ଼ା ୭୨.୭୮
ହୋଇଥିବାବେଳେ, ଗୁମୁଡୁମାହା ଗାଁ'ର ସାକ୍ଷରତା ହାର ମାତ୍ର ୩୦.୮୬
%।
ଗାଁ'ରେ ମାତ୍ର ୨୦ ଜଣ କୃଷି ଶ୍ରମିକ
ହୋଇଥିବା ବେଳେ ବାକି ମାନେ ଅନ୍ୟ
ଉପରେ ଆଶ୍ରିତ ଶ୍ରମିକ ।
ପୂରା ଗାଁ' ଲୋକଙ୍କ ପାଖରେ ରୋଜଗାରର
ସ୍ଥାୟୀ ପନ୍ଥା ନାହିଁ
।
ଗାଁ'କୁ ବିଜୁଳି ନାହିଁ କିମ୍ବା
ଆଖ ପାଖରେ ସ୍କୁଲ କି ଡାକ୍ତରଖାନା
ନାହିଁ ।
ଏହି ଗାଁ'କୁ ବିକାଶ ପହଞ୍ଚିବାକୁ ଆଉ
କେତେ ବର୍ଷ ଲାଗିବ, ତାହାର
ଉତ୍ତର କିଏ ଦେବ ?
ଯେଉଁ
ଗାଁ କୁ ସଡକ,
ପାଣି,
ବିଜୁଳି,
ଖାଦ୍ୟ,
ଶିକ୍ଷା
ଓ ସ୍ବାସ୍ଥ୍ୟ ସେବା ପହଞ୍ଚି
ପାରୁନାହିଁ,
ସେ
ଗାଁ'କୁ ପୋଲିସ ଅତି ସହଜରେ ପହଞ୍ଚି
ଲୋକଙ୍କୁ ମାରିପାରୁଛି।
ବିକାଶ ଠାରୁ ବହୁ ଦୂର ଅନ୍ଧାରରେ
ରହିଥିବା ଗୁମୁଡୁମାହା ଭଳି ଆହୁରି
ଶହ ଶହ ଗାଁ'ରେ ଏବେ ମାଓବାଦୀ ଓ
ପୋଲିସର ସଙ୍ଘର୍ଷ ଭୂମି ପାଲଟି
ଥିବା ବେଳେ, ବିକାଶ ସେଠି ବାଟ ଭୁଲି
କେଉଁଠି ଗୋଟେ ଅଟକି ଯାଇଛି।
ସେହିପରି
ଚର୍ଚ୍ଚା ରେ ଥିବା ଆଉ ଏକ ଗାଁ' ହେଉଛି
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ନଗଡା ଗାଁ' ।
ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ
କନ୍ଧମାଳ ନୁହେଁ । ଯଦିଓ, ଏହି ଗାଁ'ରେ ଜୁଆଙ୍ଗ ଆଦିବାସୀମାନେ ବସବାସ କରନ୍ତି ।
ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର ଆଗୁଆ ସୁକିନ୍ଦା ଅଞ୍ଚଳର ଏହି ଗାଁ' ରେ ଗତ ଛଅ ମାସ ଭିତରେ ଉଣେଇଶି ଜଣ ଶିଶୁ
ଅପପୁଷ୍ଟି,
ଅଖାଦ୍ୟ
ଓ ଚିକିତ୍ସା ଅଭାବରୁ ପ୍ରାଣ
ହରାଇଲେଣି ।
ଓଡିଶା ସରକାର ଜଙ୍ଗଲ ପାହାଡ ଘେରା
ଗୁମୁଡୁମାହାକୁ ରାସ୍ତା ସଞ୍ଜୋଗ
କରିବାରେ ସିନା ବିଫଳ ହେଲେ । ହେଲେ ଶିଳ୍ପ
ନଗରୀ କଳିଙ୍ଗ ନଗରଠାରୁ ମାତ୍ର
ପଚାଶ କିଲୋମିଟର ଦୂର ନଗଡାକୁ ରାସ୍ତା ତିଆରି କରିବାରେ କଅଣ ସମସ୍ୟା
ରହିଲା, ତାହା ବୁଝି ହେଉନାହିଁ ।
ସୁକିନ୍ଦା ବ୍ଲକର କୁହିକା ଠାରୁ ନଗଡା ଯିବାକୁ ପାଦ ଚଲା ବାଟରେ ଦୁଇ ଘଣ୍ଟା ସମୟ ଲାଗେ । ଏହି ଦୁର୍ଗମ ପଥ ଦେଇ ଗାଁ'ରେ ପହଞ୍ଚିବା ଆଦୌ ସମ୍ଭବ ନୁହଁ । ଏକଥା ଆମେ କହୁନୁ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଗତ ତେର ଜୁଲାଇରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ସେଥିରୁ ଏହି ତଥ୍ୟ ମିଳୁଛି । ଆରତି ଆହୁଜାଙ୍କ ଚାରି ପୃଷ୍ଠାର ଏହି ଛୋଟିଆ ରିପୋର୍ଟଟି ଗୋଟିଏ ବଡ ସମସ୍ୟା ବିଷୟରେ ଆମକୁ ଚିନ୍ତିତ କରାଇ ଦେଉଛି । ଯେଉଁମାନଙ୍କ ସମ୍ପତ୍ତିକୁ ଖଣିରୁ ଖୋଳି ଆମେ ବିକାଶର ଇମାରତ ଗଢିଲୁ, ସେମାନଙ୍କୁ ଆମେ ଦେଇଛୁ କଅଣ ? ଉପର, ତଳ ଓ ମଝି ନଗଡା ଗାଁ'ରେ ମୋଟ ୩୮ ଟି ପରିବାରର ୨୯୫ ଜଣ ଲୋକ ରୁହନ୍ତି । ଏହା ସହିତ ଗୁହିଆଶାଳ ଗାଁ'ରେ ୨୬ ଟି ପରିବାରର ୨୪୮ ଜଣ ବାସିନ୍ଦା ଅଛନ୍ତି । ଏମାନଙ୍କ ଗାଁ'କୁ ରାସ୍ତା, ପାଣି, ବିଜୁଳି, ରାସନ ଇତ୍ୟାଦିର କୌଣସି ବ୍ୟବସ୍ଥା ନାହିଁ । ପ୍ରାୟ ୮-୧୦ କିଲୋମିଟର ଚାଲି ଚାଲି ଆସିଲେ ଯାଇ ଏମାନେ ଖାଦ୍ୟ କିଣି ପାରିବେ । ତେଣୁ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ । ଗତ ଜୁନ ମାସରେ ମୃତ୍ୟୁବରଣ କରିଥିବା ଛଅ ଜଣ ଶିଶୁ ଅପପୁଷ୍ଟି କାରଣରୁ ହିଁ ମୃତ୍ୟୁ ବରଣ କରିଛନ୍ତି ବୋଲି ଡାକ୍ତରୀ ରିପୋର୍ଟ କହୁଛି ।
ଓଡିଶା ସରକାର ଜନମଙ୍ଗଳ ଯୋଜନା ମାଧ୍ୟମରେ ବାରମ୍ବାର ଲୋକଙ୍କ ଆସ୍ଥା ଭାଜନ ହେଉଛନ୍ତି ବୋଲି କୁହାଯାଉଛି । ଜନନୀ ସୁରକ୍ଷା ଯୋଜନାଠୁଁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥାତ ପିଲା ଜନ୍ମଠୁଁ ମୃତ୍ୟୁ ପର୍ଯନ୍ତ ସବୁ କ୍ଷେତ୍ରରେ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର କହି ଆସୁଛନ୍ତି । ନଗଡା ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକର ବିଫଳତାକୁ ପଦାରେ ପକାଇଦେଇଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତଥା ପୁଷ୍ଟି ଜନିତ ସଚେତନତା ସୃଷ୍ଟି ପାଇଁ ମମତା ଯୋଜନା, ପୁଷ୍ଟି ସହାୟତା ଓ ସଚେତନତା ଯୋଜନା, ଟୀକାକରଣ, ସ୍ବାସ୍ଥ୍ୟ ପରୀକ୍ଷା ସମେତ କନ୍ୟା ସନ୍ତାନ ପାଇଁ ଆହୁରି ଅନେକ ଯୋଜନାର ଘୋଷଣା କରାଯାଇଛି । ପ୍ରତି ମାସର ୧୫ ତାରିଖକୁ ରାଜ୍ୟ ସରକାର ପୁଷ୍ଟିକର ଦିବସ ଭାବରେ ପାଳନ କରି ଆସୁଛନ୍ତି । ଏହି ଦିନ ପ୍ରତି ଜିଲ୍ଲା, ବ୍ଲକ୍, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମାନକ ଅନୁଯାୟୀ ପ୍ରତି ଶିଶୁର ପୁଷ୍ଟି ପରୀକ୍ଷା ହେବା କଥା । ନଗଡା ସମେତ ରାଜ୍ୟର ଆଦିବାସୀ ବହୁଳ ଗାଁ'ଗୁଡିକରେ ଏହା ବିଲକୁଲ କାର୍ଯ୍ୟ କରୁନାହିଁ ।
ନଗଡା ଗାଁ'ର ଏହି ଦୁର୍ଦ୍ଦିନ ସହିତ ଓଡିଶାର ବିକାଶ ତଥା ଅଭିବୃଦ୍ଧିକୁ କେମିତି ବିଶ୍ଲେଷଣ କରାଯିବ ? ରାଜନୀତିରେ ସୁକିନ୍ଦାର ପ୍ରଭାବଶାଳୀ ନେତୃତ୍ୱ ରହିଆସିଛି । ସୁକିନ୍ଦାର ବିଧାୟକ ଓଡିଶାର ଅନ୍ୟତମ ଶକ୍ତିଶାଳୀ ନେତା । ପୂର୍ବତନ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏହି ଅଞ୍ଚଳକୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ୱ କରି ଆସୁଥିଲେ । ଏଠାରେ ଟାଟା କମ୍ପାନୀ ବର୍ଷ ବର୍ଷ ଧରି ଖଣି ପକେଇ ବସିଛି । ଦ୍ୱିତୀୟ ଶିଳ୍ପ ବିପ୍ଳବ ପାଇଁ ଯାଜପୁର ଜିଲାର କଳିଙ୍ଗ ନଗରକୁ ପ୍ରମୁଖ ଭୂମିକା ଦିଆ ଯାଇଛି । ସରକାରୀ ଯୋଜନା ସମେତ ବେସରକାରୀ କର୍ପୋରଟ ସାମାଜିକ ଉତ୍ତର ଦାୟିତ୍ୱ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।
ତଥାପି ନଗଡାର ଏହି ଅବସ୍ଥା କାହିଁକି ? ଏହାର ଉତ୍ତର କିଏ ଦେବ ? ଓଡିଶାରେ ବିକାଶର ଏହି ଯେଉଁ ଦୁଇଟି ଫୋଟୋଗ୍ରାଫ ଆମେ ଦେଖିଲେ ତାହା କେବଳ ସଙ୍କେତ ମାତ୍ର । ଏମିତି ଶହ ଶହ ନଗଡା ଓ ଗୁମୁଡୁମାହା ଓଡିଶା ସାରା ରହିଛି । ସଡକ, ବିଜୁଳି, ପାଣି, ରାସନ, ସ୍ୱାସ୍ଥ୍ୟ ସେବା ଭଳି ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ଆମର ବିଫଳତାକୁ ଏହି ଗାଁ'ଗୁଡିକ ଆମକୁ ଓଡିଶାର ଅସଲ ଚିତ୍ର ଦେଖାଉଛନ୍ତି । ତେବେ ଦୁର୍ଭାଗ୍ୟ ହେଉଛି, ଆମର ରାଜନୀତି ଏ ସବୁକୁ ନିରନ୍ତର ଗାଲିଚା ତଳକୁ ଫୋପାଡି ଅନାବଶ୍ୟକ ପ୍ରସଙ୍ଗ ଉପରେ ଅଧିକ ସମୟ ସାରୁଛି । ଓଡିଶାର ଗଣମାଧ୍ୟମ ମଧ୍ୟ ଏହି ସବୁ ପ୍ରସଙ୍ଗକୁ ନେଇ ବେଶୀ ସଚେତନ ନୁହନ୍ତି । ପ୍ରସଙ୍ଗକୁ ନେଇ ଆଜି ହୁଏତ ଗୁମୁଡୁମାହା କି ନଗଡା ଗାଁ'ର କଥା ଆମେ କହୁଛୁ । ଆଉ ଅଳ୍ପ ଦିନ ପରେ ଆମେ ଏହାକୁ ଭୁଲି ପୁଣି କେଉଁ କାଷ୍ଟିଂ କାଉଚ ବା ମନ୍ଦିର ଅବ୍ୟବସ୍ଥା ଖବର ପଛରେ ଧାଇଁବୁ । ଓଡିଶାର ସାଧାରଣ ଶିଶୁ ସ୍ୱାଧୀନତାର ସତୁରୀ ବର୍ଷ ପରେ ବି ଖାଇବାକୁ ନପାଇ, ଅଖାଦ୍ୟ ଖାଇ ମରୁଥିବା ବେଳେ, ଆମେ ଆମର ଅର୍ଥନୈତିକ ଅଭିବୃଦ୍ଧିର ମିଛ ପରିସଂଖ୍ୟାନକୁ ଦେଖାଇ ଆତ୍ମତୃପ୍ତି ପାଉଥିବୁ ।
No comments:
Post a Comment