ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୯
କିଶନ ପଟ୍ଟନାୟକ
କପିରାଇଟ - ବାଣିମଞ୍ଜରୀ ଦାସ
ଚୀନ ଦେଶର ଗୁଆଙ୍ଗଝୋ ସହରର ସାର୍ବଜନୀନ ବସ ବ୍ୟବସ୍ଥା ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଏହିପରି
ଚତୁର୍ଦିଗ ରୁ ଯଦି ପ୍ରଯୁକ୍ତିବିଦ୍ୟାର
ସମୀକ୍ଷା ନକରାଯାଏ,
ତାହେଲେ
କେବଳ ପରିବେଶ ବିଷୟରେ ଚିନ୍ତା
ବ୍ୟକ୍ତ କରି ପରିବେଶକୁ ମଧ୍ୟ
ସୁରକ୍ଷିତ କରାଯାଇପାରିବ ନାହିଁ
। ମୋଟରଗାଡ଼ିର ବର୍ତ୍ତମାନ ସଂଖ୍ୟାକୁ
କମେଇବାର ବା ଅଧା କରିବାର ସ୍ପଷ୍ଟ
ନୀତି ଗ୍ରହଣ ନକଲେ ଦିଲ୍ଲୀର
ପ୍ରଦୂଷଣକୁ ରୋକିହେବ ନାହିଁ ।
କେତେ ପ୍ରକାରର ଯନ୍ତ୍ର ଅଛି ଯାହାର
ବହୁଳତା ହେଉଛି ବିନାଶକାରୀ ଓ ସ୍ୱଳ୍ପତା ନିରାପଦ । ମୋଟରଗାଡ଼ିକୁ
ହିଁ ଧରାଯାଉ । ମନୁଷ୍ୟ ଓ
ପ୍ରଯୁକ୍ତିବିଦ୍ୟାର ଗୋଟିଏ
ଅନୁପାତ ରହିବା ଦରକାର । ଦଶହଜାର
ଲୋକଙ୍କ ବସତିରେ ଦୁଇ ତିନୋଟି
ମୋଟର କାର ଯଥେଷ୍ଟ ହେବା ଉଚିତ ।
ଏହା ପଞ୍ଚାୟତ ଅଧିନରେ ରହିବ ଓ ବିଶେଷ ପରିସ୍ଥିତିରେ ଲୋକେ ଏହାକୁ
ବ୍ୟବହାର କରିବେ । ଲୋକଙ୍କର
ସାଧାରଣ ଦୈନନ୍ଦିନ କାର୍ଯ୍ୟ
ପାଇଁ ସେମାନେ ବସ ଓ ସାଇକେଲ
ବ୍ୟବହାର କରିବେ । ଉଚ୍ଚଶ୍ରେଣୀର
ଲୋକେ କାହିଁକି ବସରେ ଯାତ୍ରା
କରିବେ ନାହିଁ ?
ସେମାନେ
ଯଦି କରିବେ ତାହେଲେ ବସର ବ୍ୟବସ୍ଥା
ବଢ଼ିଆ ହୋଇଯିବ ।
ପଚାଶ ବର୍ଷ ଧରି ଚୀନରେ ଏହିପରି ବ୍ୟବସ୍ଥା ଥିଲା, ଏବେ ମଧ୍ୟ ଆଂଶିକ ଭାବରେ ରହିଛି । ଏଥିପାେଇଁ ଚୀନ ଭାରତଠାରୁ ବେଶୀ ସମୃଦ୍ଧ ହୋଇଛି । ଗତ ପଚାଶ ବର୍ଷ ଭିତରେ ଚୀନର ପ୍ରଯୁକ୍ତିବିଦ୍ୟା ନୀତି ଭାରତର ପ୍ରଯୁକ୍ତିବିଦ୍ୟା ନୀତିଠାରୁ ବିଲକୁଲ ଭିନ୍ନ ଥିଲା । ପ୍ରଫେସରମାନ ବିଶ୍ୱବିଦ୍ୟାଳୟକୁ ଓ ବଜାରକୁ ବସରେ ଯାଉଥିଲେ । ସେଥିପାଇଁ ଚୀନରେ ଭାରତ ଅପେକ୍ଷା ଶିକ୍ଷାର ପ୍ରସାର ବେଶୀ ହୋଇଛି । ପଞ୍ଚମ ବେତନ କମିଶନ ପରେ ଦିଲ୍ଲୀର ସବୁ ପ୍ରଫେସର ନୂଆ କାର କିଣିଲେଣି । ତେଣୁ ଭାରତରେ ଆଉ ଶିକ୍ଷାର ପ୍ରସାର ଘଟିବ ନାହିଁ ।
ଯଦି ଅଳ୍ପ
କାର ରହିବ ତାହାର ପ୍ରଯୁକ୍ତିବିଦ୍ୟା
ଅଲଗା ହେବ । ସେଥିରେ
ଚାରିଜଣ ଆରାମରେ ବସିପାରିବେ ଓ
ଗ୍ରାମ୍ୟ ସଡ଼କରେ ଚାଲିପାରିବ
। ଛୋଟ ମାରୁତି ଗାଡ଼ି ହେଲା ଜଣକିଆ
ମୋଟରଗାଡ଼ି । ଏହାର ଦର୍ଶନ ହେଉଛି
ଜଣଙ୍କ ପାଇଁ ଗୋଟିଏ ଗାଡ଼ି ।
ୟୁରୋପ-ଆମେରିକାରେ
ଜଣ ପ୍ରତି ବା ଦୁଇ-ତିନିଜଣରେ
ଗୋଟିଏ ଗାଡ଼ି ସମ୍ଭବ ହୋଇପାରୁଛି
। କିନ୍ତୁ ବିକାଶଶୀଳ ଦେଶମାନଙ୍କରେ
ଏହା ବିଷମତା ସୃଷ୍ଟି କରେ । ଘରୁଆ
ଡ୍ରାଇଭର ରଖି ବଡ଼ଗାଡ଼ିରେ
ବସିବା ଧନୀ ଓ ମଧ୍ୟବିତ୍ତ ମଧ୍ୟରେ
ବିଷମତା ସୃଷ୍ଟି କରେ । ଜଣକିଆ
ଗାଡ଼ି ଉଚ୍ଚମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ମଧ୍ୟରେ ବିଷମତା ସୃଷ୍ଟି କରେ ।
ଏହା ତୁଳନାରେ ଟାକ୍ସି କମ ବିଷମତା
ସୃଷ୍ଟି କରେ । ଏସବୁ ଅଲଗା ଅଲଗା
ପ୍ରଯୁକ୍ତିର ଢାଞ୍ଚା ।
ପଣ୍ଡିତ
ନେହେରୁଙ୍କ ସମୟରେ ଛୋଟ ମୋଟର
ଗାଡ଼ି କଳ୍ପନା ଥିଲା । ଏହି ଯୋଜନାକୁ
ଲୋକପ୍ରିୟ କରିବା ପାଇଁ କୁହାଗଲା
ଯେ ପ୍ରଯୁକ୍ତିବିଦ୍ୟାରେ ସୁଧାର
କରି ଛୋଟ ଓ ଶସ୍ତା ଗାଡ଼ି ଭାରତରେ
ପ୍ରଚଳନ କରାଯିବ,
ଏହା
ହେବ ଜନତା ଗାଡ଼ି (ପିପୁଲସ କାର)
।
ସେହି ଯୋଜନାରୁ ବାହାରିଲା ମାରୁତି
କାର । ଏହାକୁ ଜନତା ଗାଡ଼ି କହିବା,
କିମ୍ବା
ଅଳ୍ପ ଆୟବାଲାଙ୍କ କାର କହିବା
ଭାରତର ଜନସାଧାରଣଙ୍କ ପ୍ରତି
ଉପହାସ ।
ଇଞ୍ଜିନ
ଚାଳିତ ସବୁ ଗାଡ଼ିକୁ ଅଟୋମୋବିଲ
କୁହାଯାଏ । କିନ୍ତୁ ଯନ୍ତ୍ରର
ଡିଜାଇନ୍ଗୁଡ଼ିକ ଅଲଗା ହେଉଥିବାରୁ
ସୂକ୍ଷ୍ମ ଅର୍ଥରେ ସେଗୁଡ଼ିକୁ
ଅଲଗା ଅଲଗା ପ୍ରଯୁକ୍ତିବିଦ୍ୟା
ବୋଲି ମଧ୍ୟ କୁହାଯାଏ । ପ୍ରତ୍ୟେକର
ଅଲଗା ‘ପେଟେଣ୍ଟ’ ହୁଏ । ଆମେ ଯେତେ
ପ୍ରକାରର ଗାଡ଼ିର ଉଲ୍ଲେଖ କଲୁ,
ସେଗୁଡ଼ିକର
ଅଲଗା ଅଲଗା ସାମାଜିକ ପ୍ରଭାବ
ଅଛି । ବସ,
ଟାକ୍ସି
ଓ ମାରୁତି କାର ସମାଜକୁ ଭିନ୍ନ
ଭିନ୍ନ ଭାବରେ ପ୍ରଭାବିତ କରନ୍ତି
। ବସ ସର୍ବସାଧାରଣଙ୍କର ବାହନ
ହୋଇପାରିବ । ଏହା ବିଷମତା ସୃଷ୍ଟି
କରେନାହିଁ । ମାରୁତି କାର ବା
ବ୍ୟକ୍ତି କିମ୍ବା ପାରିବାରିକ
ମାଲିକାନା ଉଦ୍ଦେଶ୍ୟରେ ତିଆରି
ଗାଡ଼ି ବେଶୀ ବିଷମତା ସୃଷ୍ଟି
କରେ । ଟାକ୍ସି ଉଦ୍ଦେଶ୍ୟରେ ତିଆରି
ମୋଟର ଗାଡ଼ି ଅପେକ୍ଷାକୃତ କମ ବିଷମତା ସୃଷ୍ଟି କରିବ । ଉପରୋକ୍ତ
ତିନୋଟି ଯାକର ମୂଳ ବୈଜ୍ଞାନିକ
ସୂତ୍ର ଏକ ରକମର ହେଲେ ମଧ୍ୟ ସାମାଜିକ
ଓ ବ୍ୟାପାରିକ ଉଦ୍ଦେଶ୍ୟ ଅଲଗା
ରକମର ।
ତେଣୁ ପ୍ରଯୁକ୍ତିବିଦ୍ୟା
କହିଲେ କେବଳ ବିଜ୍ଞାନକୁ ବୁଝାଏ
ନାହିଁ । ବୈଜ୍ଞାନିକ
ନିୟମକୁ କେଉଁ ସାମାଜିକ ବା
ବ୍ୟାପାରିକ ଉଦ୍ଦେଶ୍ୟରେ ବ୍ୟବହାର
କରାଯିବ ତାକୁ ନେଇ ଏହା ଅଲଗା ଅଲଗା
ହୋଇଯାଏ । ଯାତ୍ରୀବାହୀ ବସ ଓ ମାରୁତି କାର ଦୁଇଟି ଭିନ୍ନ ଜିନିଷ
। ପରମାଣୁ ବୋମା ଓ ପରମାଣୁ ବିଦ୍ୟୁତର ଉତ୍ପାଦନ
ପ୍ରଣାଳୀରେ ବହୁତ ସାମଞ୍ଜସ୍ୟ
ଅଛି । ତେଣୁ ଗୋଟିଏ ଦେଶ ଯଦି ପରମାଣୁ
ବିଜୁଳି ଉତ୍ପାଦନ
କରୁଛି ତାହା ବିଷୟରେ ସନ୍ଦେହ ହୁଏ
ଯେ ପରମାଣୁ ବୋମା ତିଆରି ମଧ୍ୟ
ଚାଲିଥିବ । ବୋମା ଓ ବିଜୁଳି ଦୁଇଟି
ଭିନ୍ନ ପ୍ରଯୁକ୍ତିବିଦ୍ୟା ।
ଅବଶ୍ୟ ଏ କ୍ଷେତ୍ରରେ କହିହେବ
ନାହିଁ ଯେ ବୋମା ଧ୍ୱଂସକାରୀ ଓ
ବିଜୁଳି ନିର୍ଦ୍ଦୋଷ । ପରମାଣୁ
ବିଜୁଳି ଗୋଟିଏ ଅସ୍ତ୍ର ନୁହେଁ । ହେଲେ ତାହାର ଉତ୍ପାଦନ
ପ୍ରଣାଳୀ ଏତେ ବିଷାକ୍ତ ଯେ
ଶିଳ୍ପୋନ୍ନତ ଦେଶମାନେ ମଧ୍ୟ
ଏହାକୁ ବନ୍ଦ କରିଦେବା ପାଇଁ
ଚିନ୍ତା କରୁଛନ୍ତି ।
No comments:
Post a Comment