ପିଲାଙ୍କ ଗୀତ - 'ପ୍ରଭାତ'
ରେବା ରାୟ (୧୮୭୬ - ୧୯୫୭)
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଉଠ ଉଠ ଜାଗ ବାଳକେ
ଦେଖ ଫେଡ଼ି ନୟନ
ପାହିଛି ଅନ୍ଧାର ରଜନୀ
ଧୀରେ ଉଇଁ ତପନ ।
ନବୀନ ଆଶାର ଆଲୋକେ
ଆଙ୍କି ନୂତନ ଛବି
ପ୍ରକାଶେ ବିଭୁଙ୍କ ମହିମା
ସେହି ପରମ କବି ।
ବିହଙ୍ଗ ମଧୁର କଣ୍ଠରେ
ମୋହି ହୃଦୟ ମନ
ଡାକଇ ଆଦରେ, "ବାଳକେ
ଜାଗଜାଗ ବହନ ।"
ପ୍ରଭାତ ସମୀରେ ଦୋହଲି
ମଲ୍ଲି ଗୋଲାପ ଯୂଇ
ସୁରଭି ଆଘ୍ରାଣେ ଡାକନ୍ତି
"ଜାଗ ଜନନୀ ଭାଇ ।
ନିଜ ନିଜ କାର୍ଯ୍ୟେ ବାଳକେ
ଏବେ ହୁଅ ତତ୍ପର
ଦେଖ ସ୍ରୋତସ୍ୱିନୀ ବେଗରେ
କାଳ ଧାଇଁଛି ଖର ।
ଏହି ରୂପେ ପ୍ରତି ପ୍ରଭାତେ
ତବ ଜୀବନ-ମନ
ନିଜ ନିଜ କାର୍ଯ୍ୟେ ବାଳକେ
କର କର ଅର୍ପଣ ।
ଏହି ରୂପେ କରି ସମ୍ବଳ
ଜ୍ଞାନ, ପୂଣ୍ୟ-ବିଭବ
ଅକ୍ଷୟ ସମ୍ପଦ ସମ୍ପାଦି
ନିତି ଜୀବନେ ତବ ।"
ଏହି କବିତାଟି ଓଡ଼ିଶାର ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା 'ପ୍ରଭାତ' (୧୯୦୯)ର ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ପତ୍ରିକାର ସମ୍ପାଦିକା ଥିଲେ ଏହି କବିତାର ଲେଖିକା ଶ୍ରୀମତି ରେବା ରାୟ । ଏହି ଶିଶୁ ପତ୍ରିକା ଛଡ଼ା ସେ ପ୍ରଥମ ଓଡ଼ିଆ ନାରୀ ପତ୍ରିକା 'ଆଶା'ର ମଧ୍ୟ ସମ୍ପାଦିକା ଥିଲେ । ସମ୍ପାଦନା ଛଡ଼ା ସେ ଜଣେ ଲେଖିକା ଭାବରେ ମଧ୍ୟ ନିଜର ସାକ୍ଷର ଛାଡ଼ି ଯାଇଛନ୍ତି । ତାଙ୍କର ସାହିତ୍ୟକୃତି ମଧ୍ୟରୁ ଗପବହି 'ଅଞ୍ଜଳି' ଓ କବିତା ବହି 'କବିତା ସଙ୍ଗ୍ରହ' ଅନ୍ୟତମ । ସେ କଟକରେ ଆଦର୍ଶ ହିନ୍ଦୁ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା । କଟକ ସହରରେ ଜନ୍ମିଥିବା ଏହି ମହିୟସୀ ମହିଳା, କବି ମଧୁସୂଦନ ରାୟଙ୍କର ଝିଆରୀ ଅଟନ୍ତି ।
ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।
No comments:
Post a Comment