ଯୀଶୁଖ୍ରୀଷ୍ଟ ରଥ
ଶ୍ରୀ ଦୀନାନାଥ ପାଠୀ ଫଟୋ କ୍ରେଡ଼ିଟ୍ - ଓଡ଼ିଶାଡାଏରୀ ଡଟ୍ କମ୍ |
“ମାରେ ତାଳି, ତା ପଡ଼ିଶା ବନମାଳୀ
ବନମାଳୀ ବିକେ ଉପମା
ତା ପଡ଼ିଶା ମଣ୍ଡିସୁମା”
---- ଶ୍ୟାମ ପାଠୀ, ପୁଞ୍ଜିକୟାଁର ଫକୀର, ଦୀନାନାଥ ପାଠୀଙ୍କ ନନା
ଭାରତର ସମସାମୟିକ ସଂସ୍କୃତିକୁ ରଥ ସଂସ୍କୃତି ବୋଲି କୁହା ଯାଇପାରେ ।
ନେତାମାନେ ଲୋକମାନଙ୍କୁ ଧର୍ମ ନାମରେ ଉତ୍ତେଜିତ କରି ଭୋଟ ଗୋଟେଇବା ପାଇଁ, ଅଭିନେତା ମାନେ
ପ୍ରଚାର ନିମନ୍ତେ, ଅବସର ପ୍ରାପ୍ତ ଅମଲାମାନେ ନୂଆ ଠାକୁରମାନଙ୍କୁ ଜନଜୀବନ ଭିତରକୁ ନିଜର
ସ୍ୱାର୍ଥସାଧନ ପାଇଁ ଧସେଇ ପଶାଇବା ପାଇଁ, ରଥ ବୁଲାଉଛନ୍ତି – ମାଳମାଳ, ଅବିରତ । ଅବଶ୍ୟ ଆମର
ଠାକୁର ଠାକୁରାଣୀମାନେ ଆଗରୁ ମଧ୍ୟ ରଥରେ ଯାତରା କରୁଥିଲେ । ମାତ୍ର ସେ ସଂସ୍କୃତି ଓ ଏ ନୂଆ
ସଂସ୍କୃତି ଭିତରେ କଅଣ କଅଣ ସାମ୍ୟ ଓ ଭିନ୍ନତା ରହିଛି ତାହା ବୋଧେହୁଏ ତତ୍ତ୍ୱବିତ୍ ସମାଜବେତ୍ତା
ମାନେ କହିପାରିବେ । ଏ ଅଧମ ଲେଖକ ନୁହେଁ । କିନ୍ତୁ ଓଡ଼ିଶାରେ କେବେ ଯୀଶୁଖ୍ରୀଷ୍ଟ ରଥ ବୁଲିବାର
ଆପଣ ଶୁଣିଥିଲେ ? ଚିତ୍ରଶିଳ୍ପୀ, ଗବେଷକ ତଥା ଲେଖକ
ଶ୍ରୀ ଦୀନାନାଥ ପାଠୀଙ୍କର ଆତ୍ମଜୀବନୀମୂଳକ ବହି 'ପୁଞ୍ଜିକୟାଁର ଫକୀର'ର ଏକ ଅଧ୍ୟାୟରେ ଆମେ ଭେଟୁ ଏହି ସୁନ୍ଦର ପରିକଳ୍ପନାକୁ । ଏବେକୁ ପାଖାପାଖି ନବେବର୍ଷ
ତଳେ ଗଞ୍ଜାମର ଦିଗପହଣ୍ଡିର ଜଣେ ବ୍ରାହ୍ମଣ - ଶ୍ୟାମ ପାଠୀ - ବାହାର କରିଥିଲେ ଠାକୁରାଣୀ
ଯାତ୍ରାରେ ଯୀଶୁଖ୍ରୀଷ୍ଟ ରଥ ।
ଶ୍ୟାମ ପାଠୀ ବାହ୍ମୁଣ ବଉଁଶର ହେଲେ ମଧ୍ୟ ପାଇଟି ପାଇଁ କରୁଥିଲେ
ଚିତ୍ରକରର ବୃତ୍ତି । ଏହି କାମ ଯୋଗୁଁ ପରିବାରକୁ ରାଜକୃପା ଯେତେ ପରିମାଣରେ ମିଳିବା କଥା, ମିଳୁନଥିଲା ।
ଶ୍ୟାମ ପାଠୀ ଆଶୁ କବି ଥିଲେ । ଥିଲେ ମଧ୍ୟ ଜଣେ ପକ୍କା ହନୁମାନ ଭକତ । ଗୀତ ବୋଲୁଥିଲେ । ତା
ସହିତ କାଠ କଣ୍ଢେଇ ଗଢ଼ୁଥିଲେ । ବଡ଼ ପୁଅ ‘ଲୋକା’ ଆଉ ସାନ ‘ଦିନ୍ନାଥ’, ଉଭୟ ମାତୁଥିଲେ ଚିତ୍ରକରର ନାନା ଅଛିଣ୍ଡା କାମରେ – ମୁଖା ଓ
ଡ୍ରାମା ପୋଷାକ ତିଆରି, ଠାକୁର ଦିଅଁ ବନକ, ବିଭା ବରତ ନିମନ୍ତେ କାନ୍ଥରେ ଚିତ୍ର, ସାଇନ୍ ବୋଡ୍
ଲେଖା, ବହି ବନ୍ଧେଇ, ଇତ୍ୟାଦି ନାନା ଚିତ୍ରାଙ୍ଗି କାମ ତାଙ୍କ ପରିବାର ଚଳାଉଥିବା ‘ଶିଳ୍ପକଳା ମନ୍ଦିର’ରେ
ହେଉଥିଲା । ଏହି ପରିବାରର ମଉଡ଼ମଣି ଶାମ ପାଠୀ
ନିଜ ଗାଁର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁଖ୍ରୀଷ୍ଟ ରଥ । ସେତେବେଳେ ଗାଁରେ ରଥ ନ
ଗଡ଼ିଲେ ଠାକୁରାଣୀ ଯାତ ହେବା ସମ୍ଭବ ନଥିଲା । ଏହି ପରମ୍ପରା ପାଠୀ ଆଜ୍ଞାଙ୍କ ଗାଁରେ ଆଉ ନାହିଁ
। ମାତ୍ର ବରମ୍ପୁର୍ ସହରରେ ଏବେ ବି ଅଛି ।
ପାଠୀଙ୍କ ଗାଁରେ ରଥ ତିଆରୁଥିଲେ ସାଆନ୍ତରା ସାହିର ଚିତ୍ରକର
ପରିବାର । ମାତ୍ର ସେମାନେ ଥିଲେ ନିତାନ୍ତ ପାରମ୍ପରିକ । କିଛି ନୂଆ କଥା କରିବା ସେମାନଙ୍କ
ମଗଜକୁ ଢୁକୁନଥିଲା । ଠାକୁରାଣୀ ଯାତ୍ରା ଆୟୋଜନ କରୁଥିବା ବେଲମା ସାଇର ଗଜାଟୋକାଙ୍କୁ ବରଷେ ଏ ମରହଟ୍ଟିଆ
ଛାଞ୍ଚ ନ ରୁଚିବାରୁ ସେମାନେ ଆଧୁନିକ କିଛି ଚାହିଁଲେ । ବାମୁଣ ସାଇର ଶ୍ୟାମ ପାଠୀ ସାନ୍ତରା ସାଇର
ଚିତ୍ରକରମାନଙ୍କ ସହିତ ମିଶି ନୂଆ କିଛି କରିବାର ପ୍ରତିଶୃତି ଦେଲେ । ଠିକ୍ ହେଲା ଘନଶ୍ୟାମ
ମହାପାତ୍ର ନିଜେ ସ୍ୱଦେହରେ ନିଶଦାଢ଼ି ଲଗାଇ, ଉପଯୁକ୍ତ ଜାମାଯୋଡ଼ ପିନ୍ଧି ଯୀଶୁଖ୍ରୀଷ୍ଟ
ଭୂମିକାରେ ରଥାୠଢ଼ ହୋଇ ଅବତୀର୍ଣ୍ଣ ହେବେ ।
ଠାକୁରାଣୀ ଯାତ୍ରାର ସମୟ ଆସିଲା । କ୍ରୁସକାଠ ରଥ ଉପରେ ବନ୍ଧା
ହେଲା । ମହାପାତ୍ରଙ୍କୁ ବେଶଭୂଷା କରି ରଥ ଉପରେ କ୍ରୁଶ ସହ ବାନ୍ଧି ଦିଆଗଲା । ଦୁଇ ହାତ ଦୁଇ
ଆଡ଼କୁ ମେଲା କରି ବେଡ଼ି ଦଉଡ଼ିରେ ବନ୍ଧା ହେଲା । ଗୋଡ଼ ଦିଓଟିକୁ ଏକାଠି କରାଗଲା । ତାକୁ
ନଳିଗଣ୍ଠା ପରି ଆଉ ସେରିଏ ବନ୍ଧା ଗଲା । ଅଣ୍ଟାକୁ କ୍ରୁସ କାଠ ସହିତ ଗାମୁଛା ସହିତ ଯୋଡ଼ି ଆଣ୍ଟ
କରି ଛନ୍ଦି ଦିଆଗଲା । ମହାପାତ୍ରେ ପିନ୍ଧିଥାଆନ୍ତି ଫାଲଟାମରା ଗାମୁଛା ଖଣ୍ଡିଏ । ବିନା
ଅନ୍ତର୍ବସ୍ତ୍ରରେ । ରଥ ବଡ଼ଦାଣ୍ଡକୁ ଆସିଲା ପରେ ରଥର ଘୋଡଣି ଖୋଲି ଦିଆଗଲା । ଲୋକେ ଏ ନୂଆ
କାଣ୍ଡକାରଖାନା ଦେଖି ଅସମ୍ଭାଳ ହେଲେ । ଯୀଶୁଙ୍କ ମହିମା ବିଷୟରେ ଶୁଣିଥିବା ଲୋକେ ହାତ ଟେକି
ଶରଣାଗତି ମୁଦ୍ରାରେ କୃପାଭିକ୍ଷା କଲେ । ରଥାୠଢ଼ ଯୀଶୁଙ୍କର ମହିମା ବିଷୟରେ ବେଲମା ସାହିର କିଛି
ପିଲା ସାଙ୍ଗେ ସାଙ୍ଗେ ପ୍ରଚାର ଆରମ୍ଭ କଲେ । ଜାଗିଲି ସାହିର କିଛି ମାଇପେ ଜବର ହୁଳୁହୁଳି ମଧ୍ୟ
ପକାଇବା ଆରମ୍ଭ କରିଦେଲେ । ହୁଳୁହୁଳିର କାରଣ ପଚାରିବାରୁ ଉତ୍ତର ମିଳିଲା – ‘ଯିଏ ରଥରେ ବିଜେ କଲା ସିଏ ରଜା ନ ହେଲେ ଠାକୁର’ । ରଥ ରଚନା ଓ ତାହାର ସଜାକୁ ନେଇ ଗାଁରେ ଏ ପର୍ଯ୍ୟନ୍ତ
ଆଖ୍ୟାୟିକାଟିମାନ ବିଛାଡ଼ି ହୋଇ ପଡ଼ିଛି । ଆଉ ପ୍ରାୟ ଆଖ୍ୟାୟିକାର ମଝିରେ ଅଛନ୍ତି ଜଣେ ଲୋକ –
ଶ୍ୟାମ ପାଠୀ । ଏବେ କିଛି ଯାଗାରେ ‘ଆର୍ଟ୍ ଅନ୍ ହ୍ୱିଲ୍ସ୍’ ର କଥା
ଉଠୁଛି । ପାଠୀ ମହାଶୟଙ୍କର ଯୀଶୁଖ୍ରୀଷ୍ଟ ରଥ ବୋଧେହୁଏ ଥିଲା ଓଡ଼ିଶାର ପ୍ରଥମ ‘ଆର୍ଟ୍ ଅନ୍ ହ୍ୱିଲ୍ସ୍’ –
ଅର୍ଥାତ୍ ରଥକଳା ।
ଶ୍ରୀ ଦୀନନାଥ ପାଠୀଙ୍କର ଆତ୍ମଜୀବନୀ ‘ପୁଞ୍ଜିକୟାଁର ଫକୀର’ରୁ ସଙ୍ଗୃହିତ ।
ଶ୍ରୀ ଦୀନନାଥ ପାଠୀଙ୍କର ଆତ୍ମଜୀବନୀ ‘ପୁଞ୍ଜିକୟାଁର ଫକୀର’ରୁ ସଙ୍ଗୃହିତ ।
No comments:
Post a Comment