Monday, July 10, 2017

ଦିଅଁ ଦେଖା - ୧

ଜ୍ୟୋତି ନନ୍ଦ 


ଗଙ୍ଗ ବଂଶୀୟ ନରସିଂହ ଦେବ ଜଗନ୍ନାଥ ଉପାସନରତ

ଆମ କଥା ନଶୁଣିଲେ ଆମେ କହୁ ସେମାନେ ଖାଲି କାଠ ଆଉ ପଥର ।
ସେମାନେ ମୂଳତଃ କାଠ ଆଉ ପଥର । ସେଇଥିରେ ହିଁ ଆମେ ତାଙ୍କୁ ଗଢିଥାଉ । ଗଢି ସାରି ଦିଅଁ ବୋଲି ପୂଜା କରୁ । ଆମର ଆରତର ନଳିନୀବନ ମାନଙ୍କୁ ଦଳନ କରିବା ପାଇଁ ଦରକାର ହେଉଥିବା ମତ୍ତ ବାରଣଟିଏ ହେବାପାଇଁ କରପତ୍ର ଯୋଡି ଲୁହ ଧାରଧାର ଆଖିରେ ଜଣାଣ କରୁ । ଆମ ଜଣାଣର ସୁର ଆମ ଦୁଃଖରେ ଜୁଡୁବୁଡୁ, ଖୁବ୍ ମିଠା । ଯିଏ ଶୁଣିବ ଘଡିଏ କାନ ଡେରିବା କଥା ଥୟ ।
ଏଇଠି ଦିଅଁଙ୍କ କାନ ବୋଲି କଥା । ଆମେ ତାହାର ସଠିକ ଉଦନ୍ତ ବଖାଣ କରିବାକୁ ଭାଜନ ନୋହୁଁ ।
ଆମେ ବିଶ୍ୱାସ କରୁ ଆମ ସାମନ୍ତ ପରି ସାମନ୍ତ ନାହିଁ । ନଖ ଠାରୁ ଶିଖା ପର୍ଯ୍ୟନ୍ତ ଦୁଃଖି ଜନଙ୍କର କରୁଣାବାରିଧି ସେଇ ନୀଳାଦ୍ରୀକେଶରୀର ସରି ହେବାର ଆଉ କେହି ନାହିଁ ।
ସେଇଥିପାଇଁ ଆମ ଦୁଃଖର ରୋଷଘରୁ ତିଆରି ହୁଏ ଲକ୍ଷ ଲକ୍ଷ କୁଡୁଆର ଆର୍ତ୍ତି, ଜଣାଣ, ଯାହାକୁ ଆମେ ନିଷ୍ଟାର ସହ ବାଢି ଦେଉ ଆମର ଭୋଜନପ୍ରିୟ ଦିଅଁକୁ ।

ତେଣୁ ଜଣାଣରେ ବିସ୍ୱାଦ ନାହିଁ । ବେସୁରା ବୋଲି କିଛି ନାହିଁ ।
ସବୁଠି ଛଳଛଳ ପହଣ୍ଡି ।
ଆମ ଦିଅଁ କାଠର । ପଥରର ବି ।
ଏଇଠେ ତିନୋଟି ପଥର ଦିଅଁଙ୍କୁ ଦେଖିବେ ।
ପ୍ରଥମଟି ଗଙ୍ଗ ବଂଶର ରାଜା ନରସିଂହ ଦେବ ପ୍ରଭୂ ଜଗନ୍ନାଥଙ୍କୁ ଆରାଧନା କରୁଥିବାର ଦୃଶ୍ୟ ରହିଛି । ଏହା କୋଣାର୍କ ମନ୍ଦିରରୁ ସଙ୍ଗୃହିତ ଓ ଏହାର ସମୟ କାଳ ବାରଶହ ଶତାବ୍ଦୀ ।

ଦ୍ୱିତୀୟ ଓ ତୃତୀୟ ଛବି ହେଉଛି ତ୍ରିମୂର୍ତ୍ତୀଙ୍କର, ଷ୍ଟିଆଟାଇଟ୍ ନାମକ ପଥରରେ ତିଆରି ଯାହାର ସମୟକାଳ ୧୮-୧୯ ଶତାବ୍ଦୀ । ବର୍ତ୍ତମାନ ଏହା ବ୍ରିଟିଶ ମ୍ୟୁଜିୟମ ରେ ସଂରକ୍ଷିତ ରହିଛି ।
ଏଇ ପ୍ରସଙ୍ଗରେ ଓଡିଶା ଇତିହାସର ଜଣେ ନିହାତି ଦୁର୍ବଳ ଛାତ୍ର ହିସାବରେ ମୋର ଗୋଟିଏ ଅନୁସନ୍ଧିତ୍ସା ରହିଛି ।
ଏହା ତର୍କର କଥା,ବିଶ୍ୱାସର ନୁହଁ। ଏମିତିରେ ସବୁ ଲୋକଙ୍କର କଲିଜା ମିଠା ଜାମୁକୋଳିରେ ତିଆରି । ମାତ୍ର ସଂସାର ମହାର୍ଣ୍ଣବକୁ ଆସ୍ଥାର କୁମ୍ଭୀର ପିଠିରେ ସବାର ହୋଇ ପାର ହେଉଥିଲା ବେଳେ ସେମାନଙ୍କ ଭିତରୁ କିଛି ନିଜ କଲିଜା ସହିତ ରହିପାରି ନଥାନ୍ତି ।
ଏହା ସେଇଭଳି ଜଟିଳ ବାନର ମାନଙ୍କ କଥା।


କୌଣସି ମୂର୍ତ୍ତିର ସ୍ଥାୟୀତ୍ୱ ଦୃଷ୍ଟିରୁ ସଚରାଚର ଦେବତା ମାନେ ପଥରରେ ନିର୍ମାଣ କରାଯାଇ ପୂଜିତ ହେଉଥିଲା ବେଳେ, ଆମର ଏଠାରେ କାଠର ଦେବତା ଆଉ ତାଙ୍କର ଶ୍ରୀଅଙ୍ଗର ସୁରକ୍ଷା ତଥା ରକ୍ଷଣାବେକ୍ଷଣର ବିଧାନ ସ୍ୱରୂପ ବାର୍ଷିକ ଅଣସରର ଆଢୁଆଳ ଓ ନବକଳେବରର ବିଧାନ ନିଶ୍ଚିତ ଏକ ସାଂସ୍କୃତିକ ଉଦ୍ଭବର ଉତ୍ପାଦ ନୁହଁ । ଆରମ୍ଭଟି ନିଶ୍ଚିତ କୌଣସି ରାଜାଜ୍ଞା ବ୍ୟତିରେକେ ସମ୍ଭବ ନୁହେଁ । କିନ୍ତୁ ସେଇ ପ୍ରସଙ୍ଗରେ ଯେଉଁ ରାଜକାହାଣୀଟି ସହିତ ଆମେମାନେ ପରିଚିତ, ତାହା ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ କାହାଣୀ, ଯେଉଁମାନଙ୍କର ପୌରାଣିକ ଅବସ୍ଥାନ ରହିଛି, ମାତ୍ର ସେମାନଙ୍କର ଐତିହାସିକ ସ୍ଥିତି ସେତେ ସୁଦୃଢ ନୁହଁ । ସେମାନଙ୍କୁ ସ୍ଥାପନା କରିବା ପାଇଁ ଆମେ ଯେଉଁ ନୀଳାଦ୍ରୀ ମହୋଦୟ ବା ମାଦଳାପାଞ୍ଜି ଆଦିକୁ ନଜିର୍ ହିସାବରେ ଦେଖାଇ ଥାଉ, ତାହା ପୋଥି ମାତ୍ର । ଆଉ ସେଇ ପୋଥିମାନଙ୍କର ସର୍ବପ୍ରାଚୀନ ସଂସ୍କରଣର ପ୍ରାମାଣିକତାକୁ ଆମେ ସଠିକ ଉପସ୍ଥାପନା କରିପାରିନାହୁଁ । ପୋଥିମାନଙ୍କର ବ୍ୟତୀତ ଆମର ଏଇ ଅତ୍ୟନ୍ତ ପରିଚିତ ରାଜାରାଣୀଙ୍କର କୌଣସି ଅଭିଲେଖ କି ମୁଦ୍ରାରେ ଉଲ୍ଲେଖ ନାହିଁ । ଇତିହାସରେ ପୋଥି ମାନଙ୍କର ବୟାନ ଏକ ପ୍ରମାଣ ,ମାତ୍ର ତୃଟିଶୂନ୍ୟ ପ୍ରମାଣ ନୁହଁ ।
ତେଣୁ ଯେଉଁ ରାଜାଦେଶରେ ଦିଅଁ କାଠର ଦିଅଁ ହେଲେ ଆଉ ଗର୍ଭଗୃହରୁ ଆସି ନବଦିବସ ବାହାରେ ରହି ଲୀଳାଖେଳା କରୁଛନ୍ତି, ସେଇ ରାଜାଟିର ସ୍ପଷ୍ଟ ଐତିହାସିକ ଉଦ୍ଧାର ମୋର କାମନା ।

No comments:

Post a Comment