Monday, February 08, 2016

ଚରକ ଓ ଆୟୁର୍ବେଦ ବିଜ୍ଞାନ


ଉତ୍ସ - ଜୀବନର ଜୀବନୀ

ଲେଖକ -  ଡା. ରବିନାରାୟଣ ରଥ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଭାରତବର୍ଷ ବହୁ ପ୍ରାଚୀନ କାଳରୁ ମାନବ ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଥିଲା । ଖ୍ରୀଷ୍ଟ ଜନ୍ମର ଅନେକ ବର୍ଷ ପୂର୍ବରୁ, ଧର୍ମ, ଦର୍ଶନ, କଳା, ସଂସ୍କୃତି, ବିଜ୍ଞାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶ ଉତ୍କର୍ଷତାର ଚରମ ସୀମା ସ୍ପର୍ଷ କରିଥିଲା । ବେଦ, ଉପନିଷଦ, ରାମାୟଣ, ମହାଭାରତ, ତଥା ଗୀତା ଆଦି ପୁରାତନ ଗ୍ରନ୍ଥମାନେ ଏହାର ମୁକସାକ୍ଷୀ ରୂପେ ଏବେ ବି ବିଦ୍ୟମାନ । କିନ୍ତୁ ଉପଯୁକ୍ତ ପୃଷ୍ଠପୋଷକତାର ଅଭାବ ଯୋଗୁଁ ତଥା ବିଦେଶୀ ଶାସକ ମାନଙ୍କର ବାରମ୍ବାର ଆକ୍ରମଣ ଫଳରେ ଏ ଦେଶର ସଂସ୍କୃତି ଧୀରେ ଧୀରେ ଲୁପ୍ତ ହୋଇଯାଇଛି ।

ଭାରତୀୟ ଚିକିତ୍ସା ଶାସ୍ତ୍ର ବା ଆୟୁର୍ବେଦ ବିଜ୍ଞାନର ଇତିହାସ ମଧ୍ୟ ଏତେ ପ୍ରାଚୀନ ଓ ଏତେ ମହାନ ଯେ, ବର୍ତ୍ତମାନ ତାହାର ଦୟନୀୟ ଅବସ୍ଥା ଦେଖିଲେ ଦୁଃଖିତ ତଥା ଲଜ୍ଜିତ ହେବାକୁ ପଡ଼େ । ଆଜକୁ ପ୍ରାୟ ତିନିହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଆମଦେଶରେ ଏହି ବିଦ୍ୟାର ପ୍ରଚଳନ ଆରମ୍ଭ ହୋଇଛି । ଅତୀତରେ ଯେଉଁ ମହାନ ଆୟୁର୍ବେଦ ବିଜ୍ଞାନୀଗଣ ସେମାନଙ୍କ ଅଲୌକିକ ପ୍ରତିଭା ବଳରେ ଭାରତୀୟ ଚିକିତ୍ସା ବିଜ୍ଞାନର ଉତ୍କର୍ଷତା ସାଧନ କରି ପାରିଥିଲେ ସେମାନଙ୍କ ମଧ୍ୟରେ ଆତ୍ରେୟ, ଚରକ, ଶୁଶୃତ, ବାଗଭଟ୍ଟ ଆଦି ୠଷିମାନେ ଅନ୍ୟତମ ।

କଥିତ ଅଛି ଯେ ସୃଷ୍ଟିକର୍ତ୍ତା ବ୍ରହ୍ମା ଚିକିତ୍ସା ବିଷୟ ଦକ୍ଷ-ପ୍ରଜାପତିଙ୍କୁ ବର୍ଣ୍ଣନା କରିଥିଲେ । ମର୍ତ୍ତ୍ୟମଣ୍ଡଳରେ ଯେତେବେଳେ ମାନବଗଣ ବିଭିନ୍ନ ରୋଗ କବଳରେ ପଡ଼ି ଅସହ୍ୟ ଯନ୍ତ୍ରଣା ଭୋଗକଲେ, ସେମାନେ ହିମାଳୟରେ ତପସ୍ୟା କରୁଥିବା ଭରଦ୍ୱାଜ ୠଷିଙ୍କ ନିକଟରେ ଶରଣ ପଶିଲେ । ଧ୍ୟାନ ବଳରେ ଭରଜ୍ୱାଜ ଜାଣିପାରିଲେ ଯେ, ଦେବରାଜ ଇନ୍ଦ୍ରଙ୍କ ଦରବାରରେ ହିଁ ଦକ୍ଷ ପ୍ରଜାପତିଙ୍କ ଠାରୁ ଏହି ଚିକିତ୍ସା ଶାସ୍ତ୍ର ଶିକ୍ଷା କରିପାରିଲେ ମହୀମଣ୍ଡଳର ଉପକାର ସାଧିତ ହେବ । ତେଣୁ ସେ ତାଙ୍କ ସ୍ଥୂଳ ଶରୀର ତ୍ୟାଗକରି ସ୍ୱର୍ଗକୁ ଯାଇ ସେଠାରେ ଏହି ଶାସ୍ତ୍ର ଅଧ୍ୟୟନ କଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରି ସେ ଆତ୍ରେୟ ୠଷିଙ୍କୁ ଏହି ଶାସ୍ତ୍ରଜ୍ଞାନ ଦେଲେ । ଖ୍ରୀଷ୍ଟ ଜନ୍ମର ପ୍ରାୟ ଏକ ହଜାର ବର୍ଷ ପୂର୍ବେ ଆତ୍ରେୟ ୠଷି ପ୍ରଥମେ ଆୟୁର୍ବେଦ ଶାସ୍ତ୍ର ରଚନା କଲେ । ଏହା ଆତ୍ରେୟ ସଂହିତା ନାମରେ ପ୍ରଖ୍ୟାତ । ଆତ୍ରେୟ ଯେଉଁମାନଙ୍କୁ ଏହି ଶିକ୍ଷାଦାନ କରିଥିଲେ ସେମାନଙ୍କ ମଧ୍ୟରେ ଚରକ ୠଷି ଅନ୍ୟତମ । ଆୟୁର୍ବେଦ ଶାସ୍ତ୍ର ଚରକଙ୍କ ଦ୍ୱାରା ପୁନର୍ଲିଖିତ ହେଲା । ତେଣୁ ଚରକଙ୍କୁ ପ୍ରକୃତ ଆୟୁର୍ବେଦ ବିଜ୍ଞାନର ଜନ୍ମଦାତା ବୋଲି କୁହାଯାଏ ।

     © ଶ୍ରୀମତି ଝରଣା ରଥ 

No comments:

Post a Comment