Saturday, February 13, 2016

ନିଶାକର ବାବୁଙ୍କ ପିଲାଦିନ - ସିଂହପୁରରେ ଖିଆପିଆ

ନିଶାକର ବାବୁଙ୍କର ଆତ୍ମଜୀବନୀ - ଖରସୁଆଁରୁ କୁଲାବିରିରୁ ସଂଗୃହିତ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍

ସେତେବେଳେ ସିଂହପୁରରେ ସମସ୍ତଙ୍କ ଘରେ ମାଟି ହାଣ୍ଡିରେ ରନ୍ଧା ହେଉଥିଲା । କଂସା ତାଟିଆଟିରେ ପରସା ହୁଏ ଯାହା । ଏମିତିରେ ବାଢିବା ପାଇଁ ମଧ୍ୟ ମାଟିର ପରଶୁଣି ବ୍ୟବହାର ହେଉଥିଲା, ବିଶେଷରେ ପଖାଳ ଇତ୍ୟାଦି ପରଶିବା ପାଇଁ । ସେତେବେଳେ ବିଲରେ ବଢ଼ି ବେଳେ ପଟୁ ମାଡ଼ୁଥିଲା । ପଟୁମାଟି ମାଡ଼ି ଯାହା ଚାଉଳ ଗଣ୍ଡିଏ ହେଉଥିଲା, ତାହା ଏତେ ସୁଆଦିଆ ଥିଲା ଯେ ଲୁଣନଙ୍କା ଲଗେଇ ତାର ଭାତ ଖାଇବାକୁ ଭାଆରି ସୁଆଦିଆ ଲାଗୁଥିଲା । ସେ ଚାଉଳର ଭାତ ଖାଇ ଲୋକେ ମଧ୍ୟ ଦମ୍ଭ ରହୁଥିଲେ । ସେ ସମୟରେ ପାଣ ବୈଷ୍ଣବ ଜାତିର ଲୋକେ ପାଣ ଲୋକଙ୍କ ଘରେ ପୁରୋହିତ କର୍ମ କରିବାକୁ ଗଲେ ତାଙ୍କ ହାତ ରନ୍ଧା ଭାତ ତୁଣ ଖାଆନ୍ତି ନାହିଁ । ସେତେବେଳେ କଡ଼େଇ ଇତ୍ୟାଦି ନଥିଲା ।  ନୂଆ ମାଟି ଆଟିକା ବା ପିତଳର ଛୋଟ ଆଟିକା ଥିଲେ ସେଥିରେ ସଞ୍ଜା ଆଣି ନିଜେ ରାନ୍ଧି ହାତ ରନ୍ଧା ଖାଇବା ଦରବ ଭୋଜନ କରନ୍ତି । ପାଣ ବୈଷ୍ଣବମାନେ  ସେତେବେଳେ ତଥାକଥିତ ସବର୍ଣ୍ଣମାନଙ୍କ ଘରେ ବା ସେମାନଙ୍କ ବିବାହ ବ୍ରତ ଇତ୍ୟାଦିରେ ମଧ୍ୟ ଖାଉନଥିଲେ । କାରଣ ସେମାନେ ଛେଳି, କୁକୁଡ଼ା ଆଦି ଖାଉ ନ ଥିଲେ, କି ଯେଉଁମାନେ ଏସବୁ ଆମିଷାଦି ଦରବ ଖାଉଥିଲେ ସେମାନଙ୍କ ଘରେ ଭୋଜନ କରୁନଥିଲେ । ସବର୍ଣ୍ଣମାନେ କୁକୁଡ଼ା ଓ ଛେଳି ଇତ୍ୟାଦି ଖାଉଥିବାରୁ ପାଣ ବୈଷ୍ଣବମାନେ ସେମାନଙ୍କୁ ଘୃଣା କରୁଥିଲେ ଓ ସେମାନଙ୍କ ଘରେ ଖାଉନଥିଲେ । ବୈଷ୍ଣବମାନେ ଓ ବିଶେଷତଃ ପାଣ ବୈଷ୍ଣବମାନେ କେବଳ ମାଛ ଓ ଶୁଖୁଆ ଖାଉଥିଲେ । କୁକୁଡ଼ା, ଅଣ୍ଡା, ଅନ୍ୟ କୌଣସି ପ୍ରକାରର ମାଂସ ଓ ଅନ୍ୟାନ୍ୟ ଆମିଷାଦି ତାଙ୍କ ଜାତିର ଲୋକେ (ଅର୍ଥାତ୍ ପାଣ ବୈଷ୍ଣବମାନେ) ଖାଉ ନଥିବାରୁ  ନିରାକାର ବାବୁ ମାଛ ଓ ଶୁଖୁଆ ଛଡ଼ା ମାଂସ ଓ  ଅଣ୍ଡା ଇତ୍ୟାଦି କେବେ ନିଜ ଜୀବନରେ ଭକ୍ଷଣ କରି ନାହାନ୍ତି ।


ପିଲାବେଳେ ସଙ୍ଗଦୋଷରୁ ପିଂକା, ବିଡ଼ି, ପାନ, ଚୂନ, ଦୋକତା ଇତ୍ୟାଦିର ଅଭ୍ୟାସ ଥିଲା । ମାତ୍ର ପରେ ସର୍ବୋଦୟ ଆନ୍ଦୋଳନରେ ମିଶିଲା ପରେ ଏ ଅଭ୍ୟାସ ଛାଡ଼ି ଗଲା । ମାତ୍ର ସେ କେବେ ମଦ, ହାଣ୍ଡିଆ, ସଳପ, ଗଞ୍ଜେଇ, ଚାହା, କଫି ଇତ୍ୟାଦି ନିଶା ଦରବ ସେବନ କରି ନାହାନ୍ତି । ରାନ୍ଧିବା ପାଇଁ ଓ ପିଇବା ପାଇଁ ଗାଁ ପାଖର ଖରସୁଆଁ ନଇର ପାଣିକୁ ବ୍ୟବହାର କରିବାକୁ ପଡ଼େ । ବର୍ଷାଦିନେ ନଇରେ ବହେ ଗୋଳିଆ ପଟୁମାଟି । ନଇ ବଢ଼ିଲେ ସେଥିରେ ଭାସନ୍ତି ମଲା ମଣିଷ ଓ ଗୋରୁଗାଇ । ଗାଁ ଲୋକଙ୍କୁ ସେହି ପାଣି ବ୍ୟବହାର କରିବାକୁ ପଡ଼େ । ଲୋକେ ମାଠିଆ ଗରିଆ ଇତ୍ୟାଦିରେ ସେହି ପାଣିକୁ ନେଇ ଥିର କରି ବସେଇ ରଖନ୍ତି । ପଟୁ ଓ ମସିଆ ଇତ୍ୟାଦି ବସିଗଲେ ସେହି ପାଣିକୁ ପିଇବା ପାଇଁ ଓ ରାନ୍ଧିବା ପାଇଁ ବ୍ୟବହାର କରନ୍ତି । ନିଶାକର ବାବୁଙ୍କ ଘର ପାଖରେ ଏକ ତଥାକଥିତ ଉଚ୍ଚ ଜାତିର କୂଅଟିଏ ଥିଲା । ମାତ୍ର ନିଶାକର ବାବୁଙ୍କର ପରିବାରକୁ ତାହା ଛୁଇଁବାର ମଧ୍ୟ ଅଧିକାର ନଥିଲା । କୂଅର ମାଲିକ ପାଣି କାଢ଼ି ତାଙ୍କ ପରିବାରର ଗରିଆ ବା ମାଠିଆକୁ ନଛୁଇଁ ପାଣି ସେଥିରେ ଢ଼ାଳି ଦିଅନ୍ତି । ସେହି ପାଣିକୁ ତାଙ୍କ ଘର ଲୋକେ ପିଇବା ଓ ରାନ୍ଧିବା ପାଇଁ ବ୍ୟବହାର କରୁଥିଲେ ।  ସେତେବେଳେ କୂଅର ସଂଖ୍ୟା ହାତଗଣତି ଥିଲା । ପ୍ରାୟତଃ ଲୋକେ ନଦୀର ପାଣି ବ୍ୟବହାର କରୁଥିଲେ ।


ନିଶାକର ବାବୁଙ୍କର ପରିବାର ବହୁତ ଗରୀବ ଥିଲା । ବେଳେ ବେଳେ ଲୁଣ ନଙ୍କା ନଗେଇ ଅଳ୍ପ ଭାତ ଖାଇ ଓ ପେଟେ ତୋରାଣି ପିଇ ଚଳେଇନେବାକୁ ପଡ଼ୁଥିଲା । ସକାଳେ ଓ ଖରାବେଳେ ପଖାଳ । ରାତିରେ ଗରମ ଭାତ ଓ ଚାଉଳ ନ ଥିଲେ ପିଠା । କେବେ କେବେ ଶାଗ ଭଜା ଓ ଶୁଖୁଆପୋଡ଼ା ସହିତ ପଖାଳଭାତ ଖିଆଯାଏପୌଷମାସରେ ନିଶାକର ବାବୁଙ୍କର ମା ଖରସୁଆଁ ନଇ ସେପାରିକୁ ବିରି ଓପାଡ଼ି ଯାଆନ୍ତି । ମଜୁରୀରେ ଟଙ୍କା ନ ମିଳି, ମିଳେ ବିରି ଗଛ । ବିରିଡାଲିକୁ ଶୁଖାଇ, ରଗଡ଼ି, ଡାଲି ବା ଜାଉ ଭାବରେ, ନହେଲେ ପିଠା ଭାବରେ ଖିଆ ଯାଏ । ବର୍ଷା ଦିନେ ବିଲରୁ ମା ସୁଆଁ ଆଣନ୍ତି । କଳମ୍ବ, ମଦରଙ୍ଗା ଇତ୍ୟାଦି ଶାଗ ମଧ୍ୟ ଆଣନ୍ତି ।  ପୁରୋହିତ କର୍ମ କରି ଗଲେ ଚୁଡ଼ା, ମୁଢି, ହୁଡ଼ୁମ୍ବ ଇତ୍ୟାଦି ମିଳେ । ତାହା ମଧ୍ୟ ଜଳଖିଆ ଭାବରେ ଖିଆଯାଏ । ଘରେ କିଛି ଦିନ ଅଧିଆରୀରେ ଗାଇ ଗୋଟିଏ ଥିଲା । ମାତ୍ର କ୍ଷୀର, ଦହି, ଘିଅ ବିକି ଘରର ଆୟ ବଢ଼େ । ପିଲାମାନେ ତାକୁ ପ୍ରାୟତଃ ଖାଆନ୍ତି ନାହିଁ । ଚଣା ସମୟରେ ଗାଁ ଲୋକଙ୍କ ବିଲରୁ ଚଣା ଛିନି ଖିଆ ଯାଏ । ବେଳେବେଳେ ନିଶାକର ବାବୁ ଖାଦ୍ୟାଭାବରେ ଓ ମାଡଗାଳି ଭୟରେ ଜାମୁକୋଳି ଖାଇ ଦିନସାରା ରହନ୍ତି । 

No comments:

Post a Comment