Wednesday, August 05, 2015

ବିଚାରମାଳା


ମାର୍କସ୍ ଅରିଲସ୍


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ପ୍ରଥମ କାଣ୍ଡ


୧.  ମୋର ପିତାମହ ଭେରସ୍ ଙ୍କଠାରୁ ମୁଁ ପ୍ରଥମେ ଶିଖିଲି ସୌଜନ୍ୟ, ଶିଷ୍ଟାଚାର ଓ ସମଚିନ୍ତନ ।

୨.  ମୁଁ ମୋ ପିତାଙ୍କଠାରୁ ଯାହା ଶୁଣିଛି ଏବଂ ସେଥିରୁ ଯାହା ମନେ ରଖିଛି, ସେଥିରୁ ମୁଁ ବିନା  ଆଡମ୍ବରରେ କିପରି ନିଜର ପୌରୁଷତ୍ୱ ପ୍ରତିପାଦିତ କରାଯାଏ, ସେ ବିଷୟରେ ଶିଖିଲି । 

୩.  ମୋର ମାତା ନିଜର ଉଦାହରଣ ଦ୍ୟାରା ମୋତେ ଶୀଳ, ସାଧୁତା ଓ ଔଦାର୍ଯ୍ୟ ଶିଖାଇଲେ । ସେ ମୋତେ କାର୍ପଣ୍ୟଠାରୁ ଦୁରରେ ରହିବା ମଧ୍ୟ ଶିଖାଇଲେ । ତାଙ୍କଠାରୁ ମୁଁ ଚିନ୍ତା ଓ ଆଚରଣରେ ସରଳତା ଶିଖିଲି, ଯାହା ଧନୀମାନଙ୍କର ସାଧାରଣ ଅଭ୍ୟାସଠାରୁ ଭିନ୍ନ ଅଟେ। 

୪.  ମୋ ପ୍ରପିତାମହଙ୍କଠାରୁ ମୁଁ ଏହି ଶିକ୍ଷା ପାଇଲି ଯେ, ବିଦ୍ୟାଳୟଗୁଡିକରେ ଶିକ୍ଷା ପରିତ୍ୟାଗକରି, ଗୃହରେ ଉତ୍ତମ ଶିକ୍ଷକମାନଙ୍କୁ ନିଯୁକ୍ତ କରିବା କଥା, ଏବଂ ଏଥିପାଇଁ ଖର୍ଚ୍ଚରେ କାର୍ପଣ୍ୟ କରିବା ଅନୁଚିତ । 

୫. ମୋର ଗୃହଶିକ୍ଷକ ମୋତେ ରଥ ଦଉଡା, ମୁଷ୍ଟିଯୁଦ୍ଧ  ଇତ୍ୟାଦିରେ ଆଗ୍ରହ ବିକଶିତ କରିବାରୁ ବାରିତ କଲେ । ସେ ମୋତେ କର୍ମଭୀରୁ ନ ହେବା ପାଇଁ,  ନିଜର ଚାହିଦାକୁ ସିମିତ ରଖିବା ପାଇଁ, ନିଜର ଆବଶ୍ୟକତାଗୁଡିକ ବିଷୟରେ ନିଜେ ଧ୍ୟାନ ଦେବା ପାଇଁ, କେବଳ ନିଜ କାମରେ ମନୋନିବାଶ କରିବାପାଇଁ, ଓ ପରଚର୍ଚ୍ଚା କେବେ ନ ଶୁଣିବା ପାଇଁ ଉତ୍ସାହ ଯୋଗାଇଲେ ।

ବି.ଦ୍ର. ଆଜିଠାରୁ ଏହି ବ୍ଲଗରେ ରୋମ୍ ର ୧୬ତମ ସମ୍ରାଟ୍ ଓ ଷ୍ଟଇକ୍ ଦର୍ଶନଶାସ୍ତ୍ରୀ ମାର୍କସ୍ ଅରିଲସ୍ ଙ୍କର ଗ୍ରନ୍ଥ ମେଡିଟେସନସ୍  ର ଓଡିଆ ଅନୁବାଦ ବିଚାରମାଳା ଶୀର୍ଷକରେ ପ୍ରକାଶିତ ହେବ । 

Tuesday, August 04, 2015

ଅନନ୍ତ ବାସୁଦେବ ମନ୍ଦିରର ଅବଢା

ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ





ଓଲ୍ଡ୍ ଟାଉନର ଅନନ୍ତ ବାସୁଦେବ ମନ୍ଦିରର ଅବଢା ଖାଇ ନଥିବେ, ଭୁବନେଶ୍ୱରରେ ଏପରି ଲୋକଙ୍କର ସଂଖ୍ୟା ନିଶ୍ଚିତ ଭାବରେ ହାତଗଣତି । ପୁରୀର ମହାପ୍ରସାଦ ଛଡା ବୋଧେହୁଏ ଅନନ୍ତ ବାସୁଦେବ ମନ୍ଦିରର ପ୍ରସାଦ ସବୁଠାରୁ ପ୍ରସିଦ୍ଧ । ସୁଆଦ ମଧ୍ୟ ଭଲ । ବ୍ରତଘର, ଶୁଧଘର ସବୁଥିରେ ଭୁବନେଶ୍ୱରିଆମାନେ ଏହାକୁ ଖାଇବା ପାଇଁ ଆଉ ଖୁଏଇବା ପାଇଁ ଭଲ ପାଆନ୍ତି । ଆମେ ମହାପ୍ରସାଦର ଚାରିପଟେ ଘଟୁଥିବା ପୁରୁଣା ଭୁବନେଶ୍ୱରର କିଛି ଘଟଣାବଳୀର ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ ନେଇଥିବା କିଛି ଫଟୋର ଭିତ୍ତିରେ ଏକ ଫଟୋ ଏସେ ଏଠାରେ ଦିଆଗଲା । 





















Monday, August 03, 2015

 ସାହିତ୍ୟିକ ଶ୍ରୀ ଭାରତ ମାଝୀଙ୍କ ସହ ଏକ ସାକ୍ଷାତକାର


ଶ୍ରୀ ଭାରତ ମାଝୀଙ୍କର ଜନ୍ମ ୧୯୭୨ ମସିହାରେ କଳାହାଣ୍ଡି ଜିଲ୍ଲାର ଏକ ଛୋଟ ଗାଁରେ । ଅଗାଧୁ ଦୁଆରୀ  ଶୀର୍ଷକରେ ପ୍ରଥମ କବିତା ସଙ୍କଳନ ୧୯୯୮ ମସିହାରେ ଛପା ହେଲାପରେ, ଏ ପର୍ଯ୍ୟନ୍ତ ତାଙ୍କର ଆଠଟି କବିତା ବହି ପ୍ରକାଶିତ । ସେ କବି ଜୟନ୍ତ ମହାପାତ୍ରଙ୍କର ଦୀର୍ଘ ଇଂରାଜୀ କବିତା ରିଲେସନ୍ସିପ୍ ର ଓଡିଆ ଅନୁବାଦ ମଧ୍ୟ କରିଛନ୍ତି । ସେ ଏବେ ଓଡିଆ ଖବର ଚ୍ୟାନେଲ୍ ଫୋକସ୍ ଓଡିଶା ରେ କାର୍ଯ୍ୟରତ ।


ଏକ ତରା, ଦୁଇ ତରା 

କବି ଭାରତ ମାଝୀଙ୍କର ସଙ୍କଳନ ଭାରତ ମାଝୀ ଡଟ୍ କମ୍ ରୁ  ଏକ କବିତା )

ଏକ ତରା, ଦୁଇ ତରା
ସେ ତରା ଗଲା ପାଇକପଡା ।
ପାଇକପଡାରେ ବର୍ଷା ନାଇଁ 
ଖଲିଆ ମାଟିରେ ଧଙ୍ଗରା ବାଇ । 

ପୀରତି ବୋକା, ଭକତି ବୋକା
କିଲେ ଆଳୁକୁ ଚାଳିଶ ଟଙ୍କା । 
ଟଙ୍କା ଧରି ପୁଅ ବଣିଜ ଗଲା 
ବଡ ବେପାରିକି ସୁଧ ଗଣିଲା । 

ଚୁଲିର କବାଟ ସବୁଠି ମେଲା 
ଭୋକ ଏକ୍, ଦୁଇ, ଅଠରନଳା ।
ନଳାରେ ପଡିଛି ନିଲାମୀ ପଟ୍ଟା
ଅଷ୍ଟିଅଙ୍ଗେ ମୋର ଗୋଲାମୀ ଅଠା ।

ଅଚାବୁଆ ହୋଇ ଦଉଡେ ବାଟ
ଅଣକିଳି ଖୋଲି ନେଲାଣି ରାଟ,
ରାଟ ବସି ଛାଣେ ଡଳେ ଡଲାର
ଜମି, ଖଣି, ପାଣି ସବୁ ତାହାର ।

ଏକ୍  ତରା, ଦୁଇ ତରା
ତରା ଗଣିଗଲି ଆକାଶ ସାରା,
ସାରା ସଉଦାର ଗୋଟିଏ ଭାବ
ଜଗତ ହାଟକୁ ଲାଭ ଇ ଲାଭ । 

ସାକ୍ଷାତକାର 


ଲିଭିଙ୍ଗ୍ ଇନ୍ ଭୁବନେଶ୍ୱର - ଆପଣଙ୍କର ପୂର୍ବ ପ୍ରଜନ୍ମର ପ୍ରସିଦ୍ଧ ଓ ପ୍ରଭାବଶାଳୀ ଓଡିଆ କବିମାନଙ୍କ ମଧ୍ୟରୁ ଅନେକଙ୍କର ଶିକ୍ଷା ଇଂରାଜୀ ସାହିତ୍ୟରେ ଥିଲା । ସେମାନଙ୍କ ଭିତରୁ ଅନେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଫିସର୍ ବା ଅଧ୍ୟାପକ ଥିଲେ । ହେଲେ ଆପଣଙ୍କ ପୁରୁଷର ଓଡିଆ ଭାଷାର କବି ମାନଙ୍କର ଏକାଡେମିକ୍ ଟ୍ରେନିଙ୍ଗ୍ ଓ କର୍ମ ଜୀବନରେ ଅଧିକ ବିଭିଦତା ଅଛି । ଏ ବିଷୟରେ ଆପଣ କଣ କହିବେ ? 

ଭାରତ ମାଝୀ - ତୁମେ ଯେଉଁ ପୁରୁଷର କବିମାନଙ୍କ କଥା କହୁଛ, ସେମାନଙ୍କ ଭିତରୁ ଅଧିକାଂଶ ଉଚ୍ଚଜାତିର ଓ ଉଚ୍ଚମଧ୍ୟବିତ୍ତ ପରିବାରମାନଙ୍କରୁ ଆସିଥିଲେ । ହେଲେ ୪୫ ବର୍ଷ ବୟସରୁ କମ ବୟସର ଅଧିକାଂଶ କବିମାନେ ନିମ୍ନ ମଧ୍ୟବିତ୍ତ ବା ମଧ୍ୟବିତ୍ତ ପୃଷ୍ଠଭୂମିର । ଏଣୁ ସାହିତ୍ୟିକ ଆଧୁନିକତାରେ ଆମର ପ୍ରବେଶ ଇଂରାଜୀ ସାହିତ୍ୟର ଫାଟକ ଦେଇ ନୁହେଁ । ଏଣୁ ଓଡିଆ ଜନଜୀବନର ଛନ୍ଦ ଓ ସ୍ପନ୍ଦନ ତୁମେ ଆମର ଗପ ଓ କବିତା ମାନଙ୍କରେ ଦେଖିବାକୁ ପାଇବ । ଉଦାହରଣ ସ୍ୱରୂପ ମୋର ପ୍ରଥମ ପଦ୍ୟ ରଚନା ଥିଲା ନିଜ ଗାଁର ଘୁମୁରା ଦଳ ପାଇଁ । ହେଲେ ମୁଁ ଧିରେଧିରେ ଆଧୁନିର ଗଦ୍ୟ କବିତା ଲେଖିବାକୁ ଆରମ୍ଭ କଲି ଆଉ ପାରମ୍ପରିକ ରଚନାରୁ ଦୂରେଇଗଲି । ଏପରି ଏକ ଟ୍ରାଜେକ୍ଟରୀ ମୋ ପୁରୁଷର ଅନେକଙ୍କ ପାଇଁ ସତ । ଲୋକ ସାହିତ୍ୟରେ ଆମର ଚେର ଥିବାରୁ ଆମ ପୁରୁଷର କାମ ଓଡିଆ କବିତାର ଆଙ୍ଗିକତାକୁ ଅନେକ ଭାବରେ ବଦଳାଇଦେଇପାରିଛି । ଏହା ଆମର ପୂର୍ବ ପ୍ରଜନ୍ମର କବିମାନଙ୍କୁ ଏବେ ପ୍ରଭାବିତ ମଧ୍ୟ କରୁଛି । ଆମ କବିତାର ଆଉ ଗୋଟିଏ ପ୍ରଭାବ ହେଲା ଯେ ତିନି ଚାରି ପୁରୁଷ ତଳ ପର୍ଯ୍ୟନ୍ତ ଯେଉଁ ବୈପ୍ଳବିକ ଆଧ୍ୟାତ୍ମିକତା ଓଡିଆ କାବ୍ୟ ମାନସର ମୂଳଭିତ୍ତି ଥିଲା, ଆମେ ଓଡିଆ କବିତାକୁ ଅନେକ ଭାବରେ ସେଠାକୁ ଫେରାଇ ଆଣିବାରେ ସକ୍ଷମ ହୋଇଛୁ । 

ଲିଭିଙ୍ଗ୍ ଇନ୍ ଭୁବନେଶ୍ୱର - ଏହି ସନ୍ଦର୍ଭରେ ତାହେଲେ ଆପଣ ବ୍ରହ୍ମୋତ୍ରୀ ମହାନ୍ତିଙ୍କର କବିତା ବିଷୟରେ କଣ କହିବେ ?

ଭାରତ ମାଝୀ - ତାଙ୍କର ପ୍ରଥମ କେତୋଟି କବିତା ବହି ଅଗ୍ନିଗର୍ଭା । ହେଲେ ପରେ ତାଙ୍କର କବିତାର ଧାର ଟିକେ ମରିଗଲା । କିନ୍ତୁ ଏହା ଏକ ବୃହତ୍ତର ପରିବର୍ତ୍ତନର ଅଂଶ । ଓଡିଆ ସମାଜର ଆଧ୍ୟାତ୍ମିକତାକୁ ପୁଞିବାଦ ପୋଷା ମଣେଇଦେଇଥିଲା ଭଳି ଜଣାଯାଏ । ପ୍ରତିବାଦ ଓ ମୁକ୍ତି ପାଇଁ ଏହାର କେତେ ଶକ୍ତି ଅଛି ତାହା ଜଣାନାହିଁ । 

ଲିଭିଙ୍ଗ୍ ଇନ୍ ଭୁବନେଶ୍ୱର - ଆମେ ଯଦି ବୃହତ୍ତର ପରିବର୍ତ୍ତନର କଥା ହେଉଛେ, ତାହେଲେ ଗତ କୋଡିଏ ବର୍ଷ ଖଣ୍ଡେ ଭିତରେ ଓଡିଆ କବିତା ଓ ସାହିତ୍ୟରେ କଣ କଣ ଭଲ ପରିବର୍ତ୍ତନ ଓ କଣ ଖରାପ ପରିବର୍ତ୍ତନ ଆସିଛି ବୋଲି ଆପଣ କହିବେ ?

ଭାରତ ମାଝୀ - ଆମର ଥିମ୍ ର ସଂଖ୍ୟା ବଢିଛି । ଓଡିଆ ଭାଷାର କବି ଓ ଲେଖକ ମାନେ ଆମର ସମସାମୟିକ ଦୁନିଆ ଓ ଅବସ୍ଥା ବିଷୟରେ ବର୍ତ୍ତମାନ ଅଧିକ ସଚେତନ । ଭାଷାକୁ ନେଇ ଅଧିକ ପରୀକ୍ଷା ନୀରିକ୍ଷା ହେଉଛି । ଆଗରୁ ଓଡିଆ ସାହିତ୍ୟର ଭାଷା ସଂସ୍କୃତାଶ୍ରୟୀ ଥିଲା । ନ ହେଲେ ଉପକୂଳ ଓଡିଶାର ଗାଉଁଲି ଭା।ଷାର ବ୍ୟବହାର ହେଉଥିଲା । ଏବେ ଓଡିଆ ଭାଷାର ଅନେକ ରୂପ ଓ ବୋଲି ସାହିତ୍ୟରେ ବ୍ୟବହୃତ ହେଉଛି। 

ହେଲେ ଏବେର ଅନେକ କବି କୋରସ୍ ରେ ଗାଉଛନ୍ତି । ଅନେକଙ୍କର ପ୍ରାକ୍ - ଆଧୁନିକ ଓଡିଆ କାବ୍ୟଜଗତ ସହିତ କିଛି ପରିଚୟ ନାହିଁ। ପଢାପଢି, ଗବେଷଣା, ମନନ, ଚିନ୍ତନ, ଓ ଲେଖାଲେଖିର କାରୁକଳା ସହିତ ସମ୍ପୃକ୍ତି କମିଛି । ଏସବୁ ଚିନ୍ତାର ବିଷୟ । 

ଲିଭିଙ୍ଗ୍ ଇନ୍ ଭୁବନେଶ୍ୱର - ଆମେ ଚିକେ ବର୍ତ୍ତମାନ ସାକ୍ଷାତକାରର ଆରମ୍ଭର ପ୍ରଶ୍ନକୁ ଫେରିଯିବା । ମୋତେ ଯାହା ଲାଗୁଛି, ଆପଣଙ୍କ ପ୍ରଜନ୍ମର କବିମାନେ ଓଡିଆ ଆଧୁନିକତାର, ବିଶେଷତଃ ଆପଣଙ୍କର ପୂର୍ବ ପୁରୁଷର ଥିମାଟିକ୍ ସିମିତତାକୁ ସଫଳତାର ସହିତ ଚ୍ୟାଲେଞ୍ ଦେଇଛନ୍ତି । ହେଲେ ଓଡିଆରେ ଭାଷା ଓ ଜନ୍ରା ର ବ୍ୟବହାରର ବୃହତ୍ତର ଢାଁଚାଟିକୁ ଯଥା ପୂର୍ବମ୍ ତଥା ପରମ୍ ଛାଡି ଯାଇଛନ୍ତି । ଏ ବିଷଯରେ ଆପଣ କଣ କହିବେ ?

ଭାରତ ମାଝୀ - ତୁମେ ଭୁଲ୍ କହୁନାହଁ । ହେଲେ ଏଥିପାଇଁ ଆମେ ଏ ପର୍ଯ୍ୟନ୍ତ ଯେତିକି ପରିଶ୍ରମ କରିପାରିଛୁ, ତାଠାରୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡିବ । ଏପରି ଅବସ୍ଥା ପାଇଁ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଦାୟୀ । ମୁଁ ଅଳସୁଆ । ହେଲେ ଭବିଷ୍ୟତର ଯୋଜନାରେ ଏହା ଅଛି । ଧୈର୍ଯ୍ୟ ଧର ବନ୍ଧୁ । 

ବି.ଦ୍ର. ଏହି ସାକ୍ଷାତକାର ର ଏକ ଅପେକ୍ଷାକୃତ ବୃହତ୍ତର ରୂପ କନ୍ନଡ ଦୈନିକ ପ୍ରଜାବାଣୀ ରେ କିଛି ବର୍ଷ ଆଗରୁ ଛପାଯାଇଥିଲା । ସାକ୍ଷାତକାର କରିଥିଲେ ଶୈଲେନ୍ ରାଉତରାୟ । 

Sunday, August 02, 2015

 ରମଣ ମହର୍ଷି କୃତ ଉପଦେଶ ସାର ଶ୍ଲୋକ - ୩


ଶ୍ଲୋକ

ଇଶ୍ୟାରାର୍ପିତଂ ନେଚ୍ଛୟା କୃତମ୍ ।
ଚିତ୍ତଶୋଧକଂ ମୁକ୍ତି ସାଧକମ୍ ।।

ପଦଚ୍ଛେଦ

ଇଶ୍ୟାରାର୍ପିତଂ - ଇଶ୍ୱରଙ୍କୁ ଅର୍ପିତ ହୋଇଥିବା
ନେଚ୍ଛୟା  - ବିନା ଇଚ୍ଛାରେ ବା ଆସକ୍ତିରେ
କୃତମ୍ - କରାଯାଇଥିବା
ଚିତ୍ତଶୋଧକମ୍ - ଚିତ୍ତର ଶୋଧକାରକ
ମୁକ୍ତି ସାଧକମ୍ - ମୁକ୍ତିର ସାଧନକାରକ

ପଦ୍ୟାନୁବାଦ

ଆସକ୍ତି ରହିତ ଭାବରେ ।
ଇଶ୍ୱରେ କର୍ମ ଅରପିଲେ ।।
ଚିତ୍ତର କରଇ ଶୋଧନ ।
ମୁକତି ହୁଅଇ ସାଧନ ।।

Saturday, August 01, 2015

ଭଜନ - 'ଜୟ ଜୟ ଜଗନ୍ନାଥ କରୁଣା ସାଗର' 


ଭଜନକାର - ସିଲୁ ରାଉତ



ଜୟ ଜୟ ଜଗନ୍ନାଥ କରୁଣା ସାଗର ।
ଜୟ ନୀଳଗିରିନାଥ କମଳାର ବର । ।

ପତିତପାବନ ବାନା ଅଧିକାରୀ ସେହି ।
ଯେହୁ ନେତ ଦରଶନେ ପାପ ଯାଏ ଦହି । ।

ଆଦିଗନ୍ତ ଚରାଚର ମାନଚିତ୍ର ଯାର ।
ସେହି ପ୍ରଭୂ ପୟରରେ ଅଟେ ମୁଁ କିଙ୍କର । ।

ନ ଯିବି ଶିରିଡି, ନ ଗମିବି ତିରୁପତି ।
ଏକା ଶିରୀକ୍ଷେତ୍ର ଅ଼଼ଟେ ଅଗତିର ଗତି । ।

ସେହି ଦୁର୍ଗା, ହର, ଗଣପତି, ଦିବାକର ।
ତାକୁ ଅରପିଲେ ପୂଜା ପାନ୍ତି ସର୍ବ ସୁର । ।

ମାଗଇ ସିଲୁ ରାଉତ ବେନି କର ଯୋଡି ।
ଓଡିଶା ଦେଶର ସବୁ କ୍ଲେଶ ଯାଉ ଛିଡି । । 

Friday, July 31, 2015

ଓଡିଆ ବାବା 



ପୂଜ୍ୟ ସ୍ୱାମୀଜୀ ଶ୍ରୀ ଓଡିଆ ବାବା (୧୮୭୫ - ୧୯୪୮) ବିଂଶ ଶତାବ୍ଦୀର ସବୁଠାରୁ ମହତ୍ତମ ଅଦ୍ୱେତ ବେଦାନ୍ତର ସନ୍ୟାସୀମାନଙ୍କ ମଧ୍ୟରୁ ଜଣେ ।  ଏଣୁ ନିଜର ଇହଲୀଳା ଦୃଷ୍ଟିରୁ  ସେ ରମଣ ମହର୍ଷିଙ୍କର ସମସାମୟିକ ଥିଲେ । ଜଣେ ବ୍ରହ୍ମନିଷ୍ଠ ପରମହଂସ ଭାବରେ ସେ ଉତ୍ତର ଭାରତରେ ଖ୍ୟାତ ଥିଲେ - ସେ ଥିଲେ ଜ୍ଞାନୀଙ୍କର ଜ୍ଞାନୀ । ହେଲେ ବୋଧେ ହୁଏ ଏହି ବ୍ଲଗର ଅଧିକାଂଶ ପାଠକ ଓ ଅନ୍ୟ ଶିକ୍ଷିତ ଓଡିଆ ମାନେ ଓଡିଆ ବାବା କିଏ ଜାଣି ନ ଥିବେ । ଓଡିଆ ମାନଙ୍କ ପାଇଁ ଗାଁ କନିଆଁ ସିଙ୍ଗାଣାନାକି । 

ଯଦିଓ ସେ ଓଡିଆ ବାବା ଭାବରେ ଖ୍ୟାତ ଥିଲେ, ତାଙ୍କର ସନ୍ୟାସାଶ୍ରମର ନାମ ଥିଲା ଶ୍ରୀ ପୂର୍ଣାନନ୍ଦ ତୀର୍ଥ ମହାରାଜଜୀ । ତାଙ୍କର ପିତୃଦତ୍ତ ନାମ ଥିଲା ଶ୍ରୀ ଆର୍ତ୍ତତ୍ରାଣ ମିଶ୍ର । ତାଙ୍କର ଜନ୍ମ ପୁରୀର ରାଜଗୁରୁ ବଂଶର ଏକ ଓଡିଆ ବ୍ରାହ୍ମଣ ପରିବାରରେ । ସ୍ୱାମୀଜୀଙ୍କର ଜଣେ ପୂର୍ବଜ ଶ୍ରୀକାଶୀ ମିଶ୍ର ଚୈତନ୍ୟ ମହାପ୍ରଭୂଙ୍କର ଅନ୍ତରଙ୍ଗ ଥିଲେ । ସ୍ୱାମୀଜୀଙ୍କର ପିତାଙ୍କର ନାମ ଥିଲା ଶ୍ରୀ ବୈଦନାଥ ମିଶ୍ର, ମାତାଙ୍କର ନାମ ଶ୍ରୀମତି ଲକ୍ଷ୍ମୀଦେବୀ । ତାଙ୍କର ଜନ୍ମ ଜନ୍ମାଷ୍ଟମୀ ଦିନ ।  


ବ୍ରତପୋନୟନ ପରେ ସେ ଘରେ ବିଦ୍ୟାଧ୍ୟୟନ କଲେ । ଏହାପରେ ଶିକ୍ଷାଲାଭ ପାଇଁ ସେ ମୟୁରଭଞ ଯାତ୍ରା କଲେ । ମାତ୍ର ମୟୁରଭଞରେ  ବେଶୀ ଦିନ ନ ରହି ସେ ବାଲ୍ୟାୱେଡାରେ ଅଧ୍ୟୟନ ଆରମ୍ଭ କଲେ । ଅଧ୍ୟୟନ ସମୟରେ ଜଣେ ଘନିଷ୍ଠ ବନ୍ଧୁ ଗଙ୍ଗାଧର ମିଶ୍ରଙ୍କର ଆକସ୍ମିକ ମୃତ୍ୟୁପରେ ତାଙ୍କର ବୈରାଗ୍ୟ ଜାତ ହେଲା । ମାତ୍ର ସେ ନିଜର ଅଧ୍ୟୟନ ଜାରୀ ରଖିଲେ, ଓ କାବ୍ୟତୀର୍ଥ ଉପାଧି ଲାଭ କରି ଘରକୁ ଲେଉଟି ଆସିଲେ । ଏହି ସମୟରେ ଓଡିଶାରେ ପଡିଥିବା ଦୁର୍ଭିକ୍ଷରୁ ଲୋକଙ୍କୁ ରକ୍ଷା କରିବା ପାଇଁ  ଅକ୍ଷୟପାତ୍ର ଲାଭ କରିବା ନିମନ୍ତେ ସେ ଆସାମର କାମାକ୍ଷାଠାରେ ସାଧନାରତ ଥିବା ସମୟରେ ତାଙ୍କର ନିଷ୍କାମଭକ୍ତି ଜାତ ହେଲା । ସେ ଏହା ପରେ ମୟୁରଭଞରେ କିଛିଦିନ ରହି କାଶୀ ଯାତ୍ରା କଲେ । ଏହାପରେ ପୁରୀକୁ ଫେରି ଆସି, ସେ ପୁରୀର ଶଙ୍କାରାଚାର୍ଯ୍ୟ ସ୍ୱାମୀ ମଧୁସୂଦନ ତୀର୍ଥଙ୍କଠାରୁ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ ଦିକ୍ଷା ଗ୍ରହଣ କଲେ ଓ ବ୍ରହ୍ମଚାରୀ ବାସୁଦେବ ସ୍ୱରୂପ ନାମ ଗ୍ରହ‌ଣ କଲେ । ଜଣେ ସିଦ୍ଧଗୁରୁଙ୍କୁ ଖୋଜୁଥିବା ସମୟରେ, ଅନେକ ସାଧନା ପରେ, ବତିଶି ବର୍ଷ ବୟସରେ ସ୍ୱାମୀ ମଧୁସୂଦନ ତୀର୍ଥଙ୍କଠାରୁ ହିଁ ସେ ସନ୍ୟାସ ଦିକ୍ଷା ଗ୍ରହଣ କଲେ । 

ସନ୍ୟାସ ଦିକ୍ଷା ଗ୍ରହଣ ପରେ, ସେ ମୂଖ୍ୟତଃ ଉତ୍ତର ଭାରତରେ ଏକ ପରିବ୍ରାଜକ ରୂପେ ଜୀବନ ଅତିବାହିତ କଲେ । ସେ ୧୯୩୮ ମସିହାରେ ବୃନ୍ଦାବନଠାରେ ଶ୍ରୀକୃଷ୍ନ ଆଶ୍ରମର ସ୍ଥାପନା କଲେ ।  ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ  ସ୍ୱାମୀ ଅଖଣ୍ଡାନନ୍ଦ ସରସ୍ୱତୀ ବୋଧେହୁଏ ସର୍ବପ୍ରସିଦ୍ଧ ।  ସେ ୧୯୪୮ ମସିହାରେ ଇହଲୀଳା ସମ୍ବରଣ କଲେ । 

Thursday, July 30, 2015

ଶ୍ରୀ ରମଣ ମହର୍ଷି କୃତ 'ଉପଦେଶ ସାର': ଶ୍ଲୋକ - ୨



ଶ୍ଲୋକ 


କୃତି ମହୋଦଧୌ ପତନ କାରଣମ୍ ।
ଫଳମଶାଶ୍ୱତମ୍ ଗତି ନିରୋଧକମ୍ ।।

ପଦ ଚ୍ଛେଦ


କୃତି - କର୍ମ 
ମହୋଦଧୌ - ମହାସାଗରରେ
ପତନ କାରଣମ୍ - ପତନର କାରଣ
ଫଳମ୍ - ଫଳ 
ଅଶାଶ୍ୱତମ୍ - ଅଶାଶ୍ୱତ 
ଗତି - ଗତି 
ନିରୋଧକମ୍ - ନିରୋଧକ 

ପଦ୍ୟାନୁବାଦ


ସଂସାର ମହାସାଗରରେ ।
କର୍ମର ଯୋଗୁଁ ଜୀବ ପଡେ ।।
କର୍ମର ଫଳ ଅଶାଶ୍ୱତ।
ପ୍ରଗତି କରଇ ବାରିତ ।