Thursday, March 30, 2017

ଲଣ୍ଡନ ସେତୁ ଭୂମିଗତ: ଏକ ଆଗାମୀ ମୃତ୍ୟୁର ରାଜକୀୟ ନକ୍ସା

ଜ୍ୟୋତି ନନ୍ଦ


ଲଣ୍ଡନ ସେତୁର ଗୋଟିଏ ଚିତ୍ର (୧୬୮୨)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସେହି ଦିନଟି କେବଳ ଈଶ୍ବରଙ୍କୁ ଗୋଚର । ସେହିଦିନ ଗୋଟିଏ ରାଜକୀୟ ମହାମୃତ୍ୟୁ ଘଟିବ । ସେଇଦିନର ତଥା ପରବର୍ତ୍ତୀ କାଳର ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ ବାକ୍ୟଟି ହେବ,
"ଲଣ୍ଡନ ସେତୁ ଭୂମିଗତ" ବୋଲି ବାକ୍ଯଟି ସ୍ଥିରୀକୃତ ହୋଇଛି ନିଜ ଜୀବନରେ ନବେ ବୟସ ଅତିକ୍ରାନ୍ତ କରିଥିବା ବର୍ତ୍ତମାନ ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସମ୍ଭାବ୍ୟ ମୃତ୍ୟୁ ଘୋଷଣାର କୋଡ୍ ବାର୍ତ୍ତା ହିସାବରେ । ମହାମୃତ୍ୟୁର ସେଇ ଘଟଣା ପରେ ୱେଷ୍ଟମିନିଷ୍ଟର ଆବେ ସ୍ଥିତ ସଂସଦର ଉଭୟ କକ୍ଷରେ ବସିବ ଅଧିବେଶନ ।
ସାଧାରଣ ମଣିଷ ସେଦିନ ନିଜ ନିଜ କାମରୁ ଟିକିଏ ଆଗରୁ ଛୁଟି ପାଇ ଘରକୁ ଫେରିବେ । ଉଡାଜାହାଜର ପାଇଲଟମାନେ ସେମାନଙ୍କର ବିମାନର ଯାତ୍ରୀମାନଙ୍କୁ ଏଇ ଶୋକ ସନ୍ଦେଶ ଦେବେ । ନୂତନ ରାଜା ହିସାବରେ ଦାୟିତ୍ୱ ନେବେ ପ୍ରିନ୍ସ ଚାର୍ଲସ୍ ।ରାଜକୀୟ ଘୋଡସବାରମାନେ ଚାରିଆଡେ ଛୁଟିବେ ରାଣୀଙ୍କ ମୃତ୍ୟୁର ସମ୍ବାଦ ନେଇ । ସମସ୍ତ ଜନତାଙ୍କ ନିକଟରେ ପହଞ୍ଚାଇ ଦିଆଯିବ ଏଇ ମୃତ୍ୟୁ ବାର୍ତ୍ତା ।  ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲା ପରେ ସମଗ୍ର ବିଶ୍ୱ ମିଡିଆକୁ ଏକ ସମୟରେ ଏଇ ଖବରଟି ଦିଆଯିବ ।
ଆହୁରି ଅନେକ କିଛି ଘଟିବ ବ୍ରିଟେନର ରାଣୀଙ୍କ ଠିକ୍ ମୃତ୍ୟୁ ପରେ, ଯାହାର ଏକ ଆଗାମୀ ନକ୍ସା ବଙ୍କିମହାମ ଉଆସ ପ୍ରସ୍ତୁତ କରିଛି ଯଥେଷ୍ଟ ଆଗରୁ । ଏବଂ ଏହି ଖସଡାର ଏକ ପ୍ରସ୍ତୁତିମୂଳକ ପୂର୍ବାଭ୍ୟାସ ବି ଶେଷ ହୋଇ ଯାଇଛି ଏବେ ।
ନବେ ବର୍ଷ ଅତିକ୍ରମ କରିଥିବା ରାଣୀ ଯଥେଷ୍ଟ ସୁସ୍ଥ ଅଛନ୍ତି ସମ୍ପ୍ରତି । ତଥାପି ଏହା ରାଜପ୍ରାସାଦର ଏକ ପ୍ରଚଳିତ ରୀତି । ସୁତରାଂ ଏବେଠୁ ଠିକ୍ କରା ଯାଇଛି ଯେ ରାଣୀଙ୍କ ମୃତ୍ୟୁର ପରେ ସେଇ ଖବରଟି ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ଜଣାଇବେ ରାଣୀଙ୍କ ବ୍ୟକ୍ତିଗତ ସଚିବ ସାର୍ ଖ୍ରୀଷ୍ଟୋଫର୍ ଗିଟ୍ । ଏଥର କିନ୍ତୁ ଖବରଟିକୁ ପ୍ରଥମେ ପ୍ରଚାର କରିବାର ସୁଯୋଗ ବିବିସିକୁ ଦିଆଯିବ ନାହିଁ । ପ୍ରଥମେ ଖବର ଜାରୀ କରିବେ ପ୍ରେସ୍ ଆସୋସିଏସନ୍ । ଦୀର୍ଘ ବର୍ଷର ଏକାଧିପତ୍ତ୍ୟ ଭାଙ୍ଗିଯିବ ।
ଆଗରୁ ରାଜା ପଞ୍ଚମ ଜର୍ଜ ଯେତେବେଳେ ମୃତ୍ୟୁପଥଯାତ୍ରୀ, ସେତେବେଳେ ସମଗ୍ର ଜାତି ଆଗରେ ସେକଥା ଘୋଷଣା କରିଥିଲେ ଚିକିତ୍ସକ ଲର୍ଡ ଡସନ୍ । ସମୟ ଥିଲା ୧୯୩୬ ମସିହା ଜାନୁଆରୀ ମାସର ୨୦ ତାରିଖ ରାତି ସାଢେ ନଅଟା । ସେ ରାତିରେ ଡସନ୍ ଜଣାଇଲେ, ରାଜାଙ୍କର ଜୀବନ ଅତି ମନ୍ଥର ଗତିରେ ଶାନ୍ତିମୟ ଅନ୍ତ ଆଡକୁ ଅଗ୍ରସର ହେଉଛି ।  ତାହାର କିଛି ସମୟ ପରେ ୭୫୦ ମିଲିଗ୍ରାମ ପରିମାଣର ମର୍ଫିନ୍ ଆଉ ପୁରା ଏକ ଗ୍ରାମ୍ ର କୋକେନ୍ ମିଶାଇ ରାଜାଙ୍କ ଶରୀରରେ ଇଞ୍ଜେକ୍ଟ୍ କରିଦେଲେ ସେଇ ମହାନ ଚିକିତ୍ସକ ଡସନ୍ । ଗୋଟିଏ ନିଶ୍ଚିତ ମୃତ୍ୟୁ ପାଇଁ ଯେତିକି ପ୍ରୟୋଜନ, ତାହାର ଦୁଇଗୁଣରୁ ଅଧିକ ଚେତନାନାଶକ ରାଜାଙ୍କ ଶରୀର ରେ ପ୍ରବେଶ କରାଇଥିଲେ ସେ । ଯାହା ଫଳରେ ସମସ୍ତ କଷ୍ଟର ଅନୁଭୂତି ଭୂଲି ରାଜା ଶାନ୍ତିମୟ ମୃତ୍ୟୁର ଅତଳ ଗହ୍ର୍ୱରକୁ ଯାତ୍ରା କରିପାରିବେ । ଅନ୍ୟ ଏକ ଦୃଷ୍ଟିରୁ ରାତିଟି ଶ୍ରେଷ୍ଠ, ଗୋଟିଏ ମୃତ୍ୟୁର ସମ୍ବାଦ ଓ ଆନୁସଙ୍ଗିକ କାମକୁ ଠିକ୍ ଭାବରେ ପ୍ରସ୍ତୁତ କରିବା ପାଇଁ।
ଏଇ ମାର୍ଚ୍ଚ ମାସ ୧୭ ତାରିଖର "ଦି ଗାର୍ଡିଆନ୍" ଏଇ ସମ୍ଭାବ୍ୟ ମୃତ୍ୟୁର ଆଗାମୀ ପ୍ରସ୍ତୁତି ସମ୍ପର୍କ ରେ ଏକ ବିସ୍ତୃତ ପ୍ରତିବେଦନ ପ୍ରକାଶ କରିଛି । ସେଇଥିରେ କୁହାଯାଇଛି ଯେ ବଙ୍କିମହାମ୍ ପ୍ରାସାଦରେ ଏଇଭଳି ଅନେକ ଘଟଣା ପାଇଁ ସମ୍ଭାବିତ ଗୋପନ ନକ୍ସାର ଚିଠା ପ୍ରସ୍ତୁତ ହୋଇ ରହିଛି । ବ୍ରିଟେନ୍ ଯେତେବେଳେ ସେଇଭଳି ଏକ ବିୟୋଗାତ୍ମକ ଘଟଣାର ସମ୍ମୁଖୀନ ହେବ ସେତେବେଳେ ସେଇ ପୂର୍ବ ନିର୍ଦ୍ଧାରିତ ନକ୍ସା ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ କରାଯିବ ।
ବିଶ୍ୱନିୟନ୍ତାଙ୍କୁ ଗୋଚର ଥିବା ସେଇ ଦିନଟି ଯେତେବେଳେ ଆସିବ ସେତେବେଳେ ରାଣୀଙ୍କ ଶଯ୍ୟା ପାଖରେ ରହିବେ ଜଣେ ପାକଅନ୍ତ୍ରବିଶେଷଜ୍ଞ । ତାଙ୍କ ନାମ ପ୍ରଫେସର୍ ହୁଓ ଥମାସ୍ । ଚିକିତ୍ସାର ସବୁ ଦାୟିତ୍ୱ ତାଙ୍କର । ସେ ସମୟରେ ରାଣୀଙ୍କ କକ୍ଷକୁ ଯିବାର ସୁଯୋଗ କେଉଁମାନଙ୍କର ରହିବ, ତାହା ସେ ନିୟନ୍ତ୍ରଣ କରିବେ । ଆଉ ସେ ସମୟର କେତେ ପରିମାଣର ତଥ୍ୟ ବାହାର ଜନତାକୁ ଉପଲବ୍ଧ କରାଯିବ, ତାହା ସେ ନିର୍ଦ୍ଧାରଣ କରିବେ ।
ସର୍ବଶେଷ ରାଜାଙ୍କର ମୃତ୍ୟୁ ସମ୍ବାଦ ବଙ୍କିମହାମ୍ ପ୍ରାସାଦ ତରଫରୁ କୁହାଯାଇଥିଲା ପଞ୍ଚଷଠି ବର୍ଷ ତଳେ । ତାହା ହେଉଛି ରାଜା ଷଷ୍ଠ ଜର୍ଜଙ୍କର ମୃତ୍ୟୁ ସମ୍ବାଦ । ସେହି ସମୟର କୋଡ୍ ବାର୍ତ୍ତାକୁ କୌଣସି ସ୍ୱିଚ୍ ବୋର୍ଡ ଅପରେଟର୍ ବୁଝି ପାରିନଥିଲେ । ସେ ସମୟର କୋଡ୍ ବାର୍ତ୍ତା ଥିଲା,"ହାଇଡ୍ ପାର୍କ କର୍ନର"।
ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପାଇଁ ଏହା," ଲଣ୍ଡନ ବ୍ରିଜ୍ ଇଜ୍ ଡାଉନ୍"।
ରାଣୀ ଏଲିଜାବେଥଙ୍କ ପରେ ରାଜା ହେବେ ଚାର୍ଲସ୍ । ତାଙ୍କର ସିଂହାସନ ଆରୋହଣ ପର୍ବଟି ରାଣୀଙ୍କ ମୃତ୍ୟୁର ଚବିଶ ଘଣ୍ଟା ମଧ୍ୟରେ ସମାପ୍ତ ହେବ । ମାଆର ମୃତ୍ୟୁବରଣ କରିବାର ପ୍ରଥମ ସନ୍ଧ୍ୟାରେ ସେ ରାଜା ହିସାବରେ ଜାତି ଉଦ୍ଦେଶ୍ୱରେ ପ୍ରଥମ ଭାଷଣ ଦେବେ।
ରାଣୀଙ୍କ ମୃତ୍ୟୁର ଦ୍ୱିତୀୟ ଦିନ ରାଜା ହିସାବରେ ଚାର୍ଲସ ସକାଳ ଏଗାରଟା ବେଳେ ଘୋଷିତ ହେବେ । ଜଣେ ଉଚ୍ଚପଦସ୍ଥ କର୍ମକର୍ତ୍ତା ରିଚାର୍ଡ୍ ଟିଲବ୍ରୁକ୍ ଗୋଟିଏ ଘୋଷଣାପତ୍ର ପାଠ କରିବେ, "ସର୍ବଶକ୍ତିମାନ ଈଶ୍ୱର ଆନନ୍ଦର ସହିତ ଆମର ମହାମାନ୍ୟା ରାଣୀ ଦ୍ୱିତୀୟ ଏଲିଜାବେଥଙ୍କୁ ତାଙ୍କର ନିକଟକୁ ଡାକି ନେଇଛନ୍ତି..."। ଏହାପରେ ନିରାପତ୍ତା ରକ୍ଷୀମାନଙ୍କ ଭିତରୁ କିଛି ରାଜପ୍ରାସାଦର ବାରଣ୍ଡାକୁ ଆସିବେ ଓ ତିନୋଟି ବାଣ ଫୁଟାଇବେ । ତାହାପରେ ଥମାସ୍ ଉଡ୍କକ୍ ବୋଲି ଜଣେ ଜିନିଲୋଜିଷ୍ଟ ଯାହାଙ୍କର ମାସିକ ବେତନ ମାତ୍ର ୪୯.୦୭ ପାଉଣ୍ଡ ଏବଂ ଯାହା ୧୮୩୦ ସାଲଠାରୁ ପରିବର୍ତ୍ତିତ ହୋଇ ନାହିଁ, ସେ ସେହି ପ୍ରସିଦ୍ଧ ଗାର୍ଟର କିଙ୍ଗ୍ ଅଫ୍ ଆର୍ମ୍ସ୍ ର ବାଲକୋନୀରେ ଠିଆ ହେବେ, ଓ ରାଜା ତୃତୀୟ ଚାର୍ଲଙ୍କୁ ରାଜା ହିସାବରେ ଘୋଷିତ କରିବେ।
ତାହାପରେ ଆଉ କିଛି ଘୋଡସବାର ଟ୍ରାଫଲ୍ଗାର୍ ଚଉକର ରାଜା ଚାର୍ଲସଙ୍କ ମୂର୍ତ୍ତି ନିକଟକୁ ଯାଇ ନୂତନ ରାଜାର ଘୋଷଣା ପାଠ କରିବେ । ତାହାପରେ ହାଇଡ୍ ପାର୍କ ରୁ ପ୍ରାୟ ସାତ ମିନିଟ ଧରି ୪୧ ଥର ତୋପଧ୍ୱନୀ ହେବ । ସିଟି ଅଫ୍ ଲଣ୍ଡନର ପୁରୁଣା କାନ୍ଥରେ ଗୋଟିଏ ଲାଲ୍ ଫିତା ଝୁଲାଇ ଦିଆଯିବ । ଗୋଏନ୍ଦା ପ୍ରମୁଖ ଫିଲିପ୍ ଜର୍ଡାନ୍ ନିଜେ ତାହାପରେ ଅଶ୍ୱାରୋହୀ ହୋଇଥିବେ ଏବଂ ସମସ୍ତ ଅଶ୍ୱାରୋହୀ ଙ୍କୁ ନିର୍ଦ୍ଦେଶ ଦେବେ ରାଜ୍ୟ ସାରା ରାଜା-ପରିବର୍ତ୍ତନର ବାର୍ତ୍ତାର ପ୍ରଚାର ପାଇଁ ।
ଏହାପରେ ରାଜା ଚାର୍ଲସ ରାଜ୍ୟ ଭ୍ରମଣରେ ବାହାରିବେ। ସେ ଭ୍ରମଣ କରିବେ ଏଡିନବରା, ବେଲଫାଷ୍ଟ୍ ଓ କାର୍ଡିଫ୍ । କର୍ମକର୍ତ୍ତାଙ୍କ ସହ କଥା ହେବେ । ପ୍ରଥମ ଦିନରୁ ସାଧାରଣ ମଣିଷ ହେବା ହିଁ ରାଜପ୍ରକ୍ରିୟାର ଅଂଶ । ନୂଆ ରାଜା ଅନେକ କ୍ଷେତ୍ରରେ ଗାଡି ଚଢିବେ ନାହିଁ, ପାଦରେ ଚାଲି ଚାଲି ରାଜ୍ୟ ବୁଲିବେ।
ଯେଉଁଠାରେ ମୃତ୍ୟୁବରଣ କଲେ ବି ରାଣୀଙ୍କ ଶରୀର ଅଣାହେବ ବଙ୍କିମହାମ୍ ପ୍ରସାଦକୁ ।
ବିଶ୍ୱନିୟନ୍ତାଙ୍କୁ ଗୋଚର ଥିବା ସେହି ରାଜକୀୟ ମହାମୃତ୍ୟୁଟି ଘଟିବା ପରେ ବିଶ୍ୱବ୍ୟାପୀ ସେଇ ଗୁରୁତ୍ୱପୂର୍ଣ୍ଣ ସମ୍ବାଦଟି ସର୍ବତ୍ର ପ୍ରଚାରିତ ହେଉଥିବା ସମୟରେ ବଙ୍କିମହାମ୍ ରାଜପ୍ରାସାଦର ଅଳିନ୍ଦରୁ ଧିର ପାଦରେ ଓହ୍ଲାଇ ଆସିବେ ଶୋକର କଳା ପୋଷାକ ପରିବୃତା ଜଣେ ତରୁଣୀ । ପ୍ରାସାଦର ମୂଳ ଫାଟକରେ ଝୁଲାଇଦେବେ ଗୋଟିଏ ନୋଟିସ୍ ।
ଶତାବ୍ଦୀ ଶତାବ୍ଦୀ ଧରି ଅନୁସୃତ ହୋଇ ଆସୁଥିବା ଚାରିପଟ କଳାଗାର ରେ ରେଖାଙ୍କିତ ସେଇ ନୋଟିସ୍ ପରି ଗୋଟିଏ ନୋଟିସ୍ ଟିରେ ରହିଥିବ ପୃଥିବୀର ସବୁଠାରୁ ବିଶ୍ୱାସ ଯୋଗ୍ୟ ରାଜକୀୟ ମୃତ୍ୟୁ ସମ୍ବାଦ ।

ତଥ୍ୟ ସୂତ୍ର: 'ଦି ଗାର୍ଡିଆନ୍' ଖବର କାଗଜ

ଦଳିତ ଲୋକଗୀତ (ଚିତାକୁଟା ଗୀତ - ୩)


ଜାପାନୀ ମହିଳା ଚିତାକୁଟାଉଥିବାର ଚିତ୍ର (୧୮୮୮ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆସ ଗୋ
ବ୍ରଜବାଳୀ
ବେଗେ ଚଳି ।
ଚିତା କୁଟି ଦେବି
ନାନା ଭଳି ।
ମୋର ଚିତାକୁଟା
ସଂସାରୁ ସାର ।
ଅସୁନ୍ଦରୀ ନାରୀ
ଦିଶେ ସୁନ୍ଦର ।
ମନ ଜାଣି
ଚିତା କୁଟିଦେବି
ଦେଖିବ
ଗୋପ ଗୁଆଳୀ ।
ଆସ ଆସ ଗୋ
ଗୋପବାଳୀ
ବେଗେ ଚଳି ।
କେଳୁଣୀ କି
ଦାଣ୍ଡେ ଦେଖି
ଚକିତ ହୋଇଣ
ସକଳ ସଖି ଗୋ
ବାରମ୍ବାର
ଚାହାନ୍ତି ନିରେଖି ।
ସଜନୀ ଗୋ
କେ ବୋଲାଇ
କମଳୁଣୀ
ଆସିଅଛି ହୋଇ
ମାୟା କେଲୁଣୀ ଗୋ
ଆମ ମନ ନେଇ
ଅଛି କିଣି
ମିତଣୀ  ଗୋ ।

ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' ।୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା । 

Wednesday, March 29, 2017

 'ଅମୀର ଖୁସ୍‌ରୁଙ୍କ କବର' 

କବି - ଓକ୍ଟାଭିଓ ପାଜ୍ (୧୯୧୪-୧୯୯୮)

ଅନୁବାଦ - ଗୋର୍ବାଚୋଭ୍


ଶିଷ୍ୟମାନଙ୍କ ସହ ଅଧ୍ୟାପନାରତ ଅମୀର ଖୁସ୍ରୋ (ଷୋଡ଼ଶ-ସପ୍ତାଦଶ ଶତାବ୍ଦୀ)
   ହୁସେନ ବେକରା ଙ୍କ କୃତ 'ମଜଲିସ ଅଲ-ଉସାକ' ପାଣ୍ଡୁଲିପିରୁ ଆହୃତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚଢ଼େଇର ଭାରରେ ନତ ଗଛଗୁଡ଼ିକ
ସେମାନଙ୍କ ହାତରେ ତୋଳି ଧରିଛନ୍ତି ଅପରାହ୍ନକୁ ।
ଖିଲାଣ ଏବଂ ଅଗଣା ।
ନାଲି ପାଚେରୀର ମଝିରେ
ବିଷ –
ସବୁଜ ପାଣିର ପୋଖରୀ ।

ଅଳିନ୍ଦଟେ ଲମ୍ବି ଯାଇଛି ସମାଧି ଆଡ଼କୁ:
କିଛି ଭିକାରୀ, ଫୁଲ, କୁଷ୍ଠ ରୋଗୀ ଆଉ ମାର୍ବଲ ।

ଦୁଇଟି କବର, ଦୁଇଟି ନାମଫଳକ,
ସେମାନଙ୍କର କାହାଣୀ:
ନିଜାମ୍‌ ଉଦ୍ଦୀନ୍‌, ପରିବ୍ରାଜକ ବ୍ରହ୍ମଜ୍ଞାନୀ;
ଅମୀର ଖୁସ୍‌ରୁ, ଶୁଆ ପକ୍ଷୀର ସ୍ୱର ।

ସାଧୁ, ପୁଣ୍ୟାତ୍ମା ଏବଂ କବି ।

ଗମ୍ବୁଜ ଉପରୁ ଗଜୁରି ଉଠିଛି 
ଗୋଟିଏ ନିଷ୍ପ୍ରଭ ବିକଳ ତାରା ।

ଗାଡ଼ିଆ ଭିତରେ ଝଟକୁଛି ପଙ୍କ ।

ଅମୀର ଖୁସ୍‌ରୁ: ଶୁଆ ନା ଡାହୁକ
ପ୍ରତିଟି ମୁହୂର୍ତ୍ତ ଦୁଇଟି ଭାଗ, ଦୁଇଟି ଦିଗ
ପଙ୍କିଳ ଦୁଃଖ ଏବଂ ଆଲୁଅର ଓଁକାର
ପଦାଂଶ ତ ବାରବୁଲା ନିଆଁ ଝୁଲ,
ଚଳନ୍ତି ସ୍ଥାପତ୍ୟ:
ପ୍ରତ୍ୟେକ କବିତା ପୁଣି କାଳର ରୂପ
ଖାଲି ଜଳେ,
ଜଳୁଥାଏ ।।

ଦଳିତ ଲୋକଗୀତ (ଚିତାକୁଟା ଗୀତ - ୨)


ନିଉଜିଲାଣ୍ଡର ମାଓରି ପୁରୁଷଙ୍କର ଚିତା (୧୭୮୪ରେ ପ୍ରକାଶିତ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆସଲୋ 
କିଏ ଚିତା କୁଟାଇବ
ସୁନ୍ଦରୀ ମା
ଡରନା ଜମା
ଏଇ ଲୁହା ଛୁଞ୍ଚି
ସୂତାରେ ଗୁରା
ବନ୍ଧା ହେଇଛି
କଳା ଦିଆ ହେଇ
କୁଟା ହେଉଛି
ଯମ ଯନ୍ତ୍ରଣାରୁ ମୁକତି ମିଳିବ
ହସିଦେ
ଝିଅ ହସିଦେ
ମା ହସିଦେ
ମନ ମାରିଦେ
ଗାଣ୍ଡି ପାରିଦେ ।

ଚାଉଳ ଭଜା
ମନକୁ ମଜା
କାକଦର ପୁର
ନିଇତି ପୂଜା
ଝିଅକୁ ମୋର କାଟନା
କୁଟନା
କାଠ କରିଦେ
ମନ ମାରିଦେ
ଉଷୁନାଧାନ ଚଷୁ
ଘଇତା ଦେଖିଲେ 
ବଣରେ ପଶୁ
ଦିଅର ଦେଖିଲେ ହସୁ ।

ଲେଉଟିଆ ଶାଗ
ଖୁଣ୍ଟି ଖାଇବୁ
ଦେଢ଼ଶୁରକୁ
ତୁ ଲୁଚି ରହିବୁ
ଛି ଆଲୋ ଛତୁ
ମେଘ ବରଷିଲେ
କେତେ ତୁ ମାତୁ ।

ମୋ ନାଁ 
ମାଲୁଣୀ ସୁନ୍ଦରୀ
ଚିତା କୁଟାରେ ମୁଁ
ବଡ଼ ହୁନ୍ଦରୀ ଗୋ
ଆଜି ଠାରୁ ହେବୁ ଝୁରି ।

ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' ।୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା । 

Tuesday, March 28, 2017

ଜଣେ ଥିଲେ କବି


ଜ୍ୟୋତି ନନ୍ଦ


ଏପିକ୍ କାବ୍ୟକଳାର ମ୍ୟୁଜ୍ କାଲିଓପିଙ୍କର ସହ ମହାକବି ହୋମର୍
ଲକ୍ସମ୍ବର୍ଗର ଭିଖ୍ତେନଠାରେ ସ୍ଥିତ ରୋମୀୟ ମୌଜାଗୀ (୨୪୦ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସେ ସମୟର କଥା ।

ସେତେବେଳେ କେହି ନଥିଲେ । ନା କୌଣସି ଲୋକବାକ କି କେଉଁ ପ୍ରେତାତ୍ମା ? ଥିଲେ କେବଳ ବାର୍ତ୍ତାଳାପ କରିପାରୁନଥିବା କିଛି ମୂକ ପଥର; ତାଙ୍କର ଚିରକାଳର ବନ୍ଦୀତ୍ୱର ଅସହାୟତାରୁ ବାହାରି ଆସୁଥିବା ଦୀର୍ଘଶ୍ୱାସ ସହ ପରିବେଶଟିକୁ ଅଧିକତର କାରୁଣ୍ୟରେ ପରିମାର୍ଜିତ କରିଦେଇ ନିଜନିଜକୁ ନିଜ ଭିତରେ ସଜାଡି ନେବାର ଅସଫଳ ପ୍ରୟାସରେ । ଏହା ବ୍ୟତୀତ ସେହି ଦୀର୍ଘ ଶ୍ୱାସ ସବୁକୁ ନିଜନିଜ ଦେହରେ ଆଚ୍ଛାଦିତ କରିବାର ଲୋମଶ ଅନୁଭବ ସହିତ ସେଠାରେ ଉପସ୍ଥିତ ଥିଲେ କେତୋଟି ଶାନ୍ତ ମେଷ ପ୍ରଜାତି ।ସେମାନଙ୍କର ଆଖିରେ ଜଡିରହିଥିଲା ସେ ସମୟର ସମସ୍ତ ଉପସ୍ଥିତ କାରୁଣ୍ୟ । ସେମାନେ ଖୋଜୁଥିଲେ ଶ୍ୟାମଳ ତୃଣରାଜି, ଜୀବନ ଧାରଣ ନିମନ୍ତେ ।
ସେଇ ପଥର ଆଉ କେତୋଟି ମେଷ ପ୍ରଜାତିଙ୍କ ଅସହାୟତା ପାଖରେ କାହାଣୀର ଅନ୍ତ ବି ହୋଇପାରିଥାନ୍ତା । ଅନ୍ତ ପାଇଁ ଏମିତିରେ ଦେଖିଲେ କୌଣସି ନିର୍ଦ୍ଧିଷ୍ଟ ସମୟ ଲୋଡା ନାହିଁ । ଯେ କୌଣସି ସମୟ ଅନ୍ତର ସମୟ ,ଆଉ ଆରମ୍ଭର ବି ।
ସବୁବେଳେ ସମଗ୍ର ସସାଗରା ଧରାର ସମସ୍ତ ଚରିତ୍ରାବଳୀ ଲକ୍ଷଲକ୍ଷ ସ୍ଥିର ମୁହୂର୍ତ୍ତରେ ବନ୍ଧା ହୋଇ ଅପେକ୍ଷାରତ ଅଛନ୍ତି କୌଣସି କବିକୁ । କବିଟି ସେମାନଙ୍କୁ ମୁକ୍ତ କରି ପାରିବ । ଅବଶ୍ୟ କବିଟିକୁ ବେଶି କିଛି କାମ କରିବା ପାଇଁ ସେମାନେ ବରାଦ କରି ନାହାଁନ୍ତି । କେବଳ କବିଟି ସେମାନଙ୍କୁ ଥରଟିଏ ଚାହିଁ ଦେଲେ ହେଲା । ଶ୍ରୋଡିଙ୍ଗରଙ୍କ ବିରାଡି ଭଳି ସେମାନେ ଏହାପରଠାରୁ ଗତି ପ୍ରାପ୍ତ ହେବେ ।ସେମାନଙ୍କର ସମୟ-ନ୍ୟାସ ହୋଇଯିବ ।
କବି ଆସିଲେ । ସେ ଦୃଷ୍ଟିହୀନ । ସେ ଦେଖିଲେ ଅସ୍ତିତ୍ୱ ନଥିବା ଏକ ଉଜ୍ଜ୍ୱଳ ବିରାଟ ନଗର; ମେଘନାଦ ପାଚେରି ଭିତରେ ସୁରକ୍ଷିତ । ନିକଟରେ ପର୍ବତମାଳା ଓ ସମୁଦ୍ର ।
କବି ଶୁଣି ପାରିଲେ ହଠାତ୍ ଯୁଦ୍ଧୋଲ୍ଲାସ ଓ ରଣହୁଙ୍କାର ।
କବି ଗୀତ ଗାଇବାକୁ ଆରମ୍ଭ କଲେ। କବିଙ୍କ ସ୍ୱର ମଧୁର, କିନ୍ତୁ ସେଥିରେ ରହିଥିଲା ଯୁଦ୍ଧଜନିତ ନରସଂହାରର ସମଷ୍ତ ବିଭିଷୀକା ଆଉ କର୍କଶତା ।
ପ୍ରାୟ ଚାରିଶହ ପଚାଶ ବର୍ଷ ପରେ ପୁନର୍ଜୀବିତ ହେଲା ଗୋଟିଏ ରାଜ୍ୟ । ନାଆଁ ତାହାର ଟ୍ରୟ । କାଳ କବଳିତ ସାଧାରଣ ଯୁଦ୍ଧଟିଏ ପୁଣି ଥରେ ପୁନର୍ବିନ୍ୟାସ ପାଇଲା; ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଲା ପରବର୍ତ୍ତି କାଳର ଇତିହାସରେ । ଯୁଦ୍ଧଟି ହେଉଛି ଟ୍ରୋଜାନ୍ ଯୁଦ୍ଧ।
ବୈଜ୍ଞାନିକ କଥାକାର ମାନେ ତାଙ୍କର ଐତିହାସିକ ପ୍ରବଚନରେ ଯାହା କୁହନ୍ତୁ ପଛକେ, ବିଜ୍ଞାନ-ଅଜ୍ଞାନୀ ଇତିହାସ ପଣ୍ଡିତ (ଇତିହାସରେ ପୁଣି ପଣ୍ଡିତ,ପୁଣି ଓଡିଶାରେ?)ମାନଙ୍କ ଦୃଷ୍ଟିରେ ଇତିହାସରେ ସବୁ ଯୁଦ୍ଧର ମୂଖ୍ୟ କାରଣ ହେଉଛି ଗୋଟିଏ ରାଜ୍ୟର ନିଷ୍କଣ୍ଟକ ବାଣିଜ୍ୟିକ ପ୍ରତିଷ୍ଠା ସ୍ଥାପନର ଉଦ୍ଦେଶ୍ୟ । ଟ୍ରୋଜାନ୍ ମାନେ କୃଷ୍ଣସାଗରକୁ  ନିଜର କରାୟତ୍ତ କରି ରଖିଥିଲେ ଓ ସେଇ ବାଟ ଦେଇ ଯାଉଥିବା ଜାହାଜ ମାନଙ୍କଠାରୁ ଯଥେଷ୍ଟ ଅଧିକ ମାହାସୁଲ ଆଦାୟ କରୁଥିଲେ । ତେଣୁ ଗ୍ରୀକ୍ ମାନଙ୍କର ପ୍ରାଚ୍ୟ ଦେଶଗୁଡିକ ସହିତ ଆକର୍ଷଣୀୟ କାର୍ପାସ ଓ ମସଲା ର ଲୋଭନୀୟ ବ୍ୟାପାର ବାଧାପ୍ରାପ୍ତ ହେଉଥିଲା । ଠିକ୍ ଯେପରି ଗଙ୍ଗା ଆଉ ଶୋଣ ନଦୀ ପରିବେଷ୍ଟିତ ଜଳଦୁର୍ଗ ବୋଲି କଥିତ ମୌର୍ଯ୍ୟ ରାଜ୍ୟ ପାଟଳିପୁତ୍ରରୁ ବାଣିଜ୍ୟିକ ସରବରାହ ଗଙ୍ଗା ନଦୀରେ ଆସି ତାମ୍ରଲିପ୍ତି ବନ୍ଦର ଦେଇ ବଙ୍ଗୋପସାଗରରେ ଦକ୍ଷିଣକୁ ଯାତ୍ରା କରୁଥିଲା । ଏହି ଲୋଭନୀୟ ଜଳପଥରେ ଗୋଟିଏ ସ୍ୱାଧୀନ ରାଜ୍ୟ କଳିଙ୍ଗର ସ୍ଥିତି କୁ ସେମାନେ ବାଣିଜ୍ୟିକ କାରଣରୁ ଠିକ୍ ରେ ଦେଖୁନଥିଲେ । ତେଣୁ କଳିଙ୍ଗ ଯୁଦ୍ଧ ସଙ୍ଗଠିତ ହେଲା । କଳିଙ୍ଗକୁ ଅଧିକାର କରାଗଲା । ଠିକ୍ ସେହିଭଳି ଗ୍ରୀକ୍ ମାନେ ଟ୍ରୟ ଅଧିକାର କରିଥିଲେ ।
ଏହିଭଳି ଗୋଟିଏ ପାଠ୍ୟକ୍ରମ ଭିତ୍ତିକ ଯୁଦ୍ଧକୁ କେହି କାହିଁକି ମନେ ରଖିବ ? ଯୁଦ୍ଧର କାରଣଗୁଡ଼ିକ ରସାଳ ହେଲେ, ସେଥିରେ ବିଚିତ୍ର ଘଟଣାର ଅବତାରଣା ଘଟିଲେ ଯୁଦ୍ଧଟି ଆମ ମନରେ ବସା ବାନ୍ଧି ରହିପାରେ ।
ଏମିତିରେ କହିବାକୁ ଗଲେ ଆମେ ଯୁଦ୍ଧ ସବୁକୁ ଯୁଦ୍ଧ କାହାଣୀରୁ ମନେ ରଖାଥାଉ । ପଥର ସବୁ କେବଳ ପଥର ବୋଲି ଆମେ ଦେଖୁ । କିନ୍ତୁ ସେମାନେ ନିୟତି ଦ୍ୱାରା ଏମିତି ପଥର ହୋଇ ପଡିରହିଛନ୍ତି ବୋଲି କେବଳ କବିଟିଏ କହିପାରେ ।
ସେଇଥି ପାଇଁ ପ୍ରତ୍ୟେକ ଯୁଦ୍ଧ ପଛରେ ଆମ ଆଖି ଖୋଜିବୁଲୁଥାଏ କବିଟିକୁ, ତାହାର କୁହୁକରେ ଭରା ବର୍ଣ୍ଣନାକୁ । ଅତୀତର ସେଇ ଯୁଦ୍ଧର ରୋମାଞ୍ଚକୁ ଉପଭୋଗ କରିବା ଆମର ଭାଗ୍ୟରେ ଜୁଟିନାହିଁ । କିନ୍ତୁ ଆମେ କାହାଣୀରୁ ଅନ୍ତତଃ ପକ୍ଷେ ସେଇ ଆନନ୍ଦତକ ନିଜ ନିଜ ବାଟରେ ତ ଉପଭୋଗ କରି ପାରିବା ।
(ସେଇଥି ପାଇଁ କଳିଙ୍ଗ ଯୁଦ୍ଧର ଏକମାତ୍ର ଐତିହାସିକ ପ୍ରାମାଣ୍ୟ ଦଲିଲ ପ୍ରସ୍ତର-ରାଜାଜ୍ଞା ସଂଖ୍ୟା - ୧୩ ରେ ସାମାନ୍ୟତମ ସୂଚନା ନଥିବା କଳିଙ୍ଗର କୌଣସି ସୌନ୍ଦର୍ଯ୍ୟମୟୀ ରାଣୀ କାରୁବାକୀ, କଳିଙ୍ଗ ଯୁଦ୍ଧର ମୂଖ୍ୟ କାରଣ ହୋଇ ଆମର ଚିନ୍ତା ଜଗତରେ ଚିରକାଳ ଆସ୍ଥାନ ବିସ୍ତାର କରି ରହିଅଛନ୍ତି ।
ସେଇଭଳି "ଭାରତର ଶୁଆ" ବୋଲି ପ୍ରସିଦ୍ଧି ଲାଭ କରିଥିବା ଜଣେ ବିଶିଷ୍ଟ କବି ଅମିର ଖୁସ୍ରୁ ଙ୍କ ସାହଚର୍ଯ୍ୟରେ ଜୀବନ ବିତାଉ ଥିବା ସୁଲତାନ ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ଜୀବନର ଗୋପନୀୟ ରାଜପୁତ୍ ରମଣୀ ପଦ୍ମିନୀ-ପ୍ରେମ ର ସାମାନ୍ୟତମ ସୂଚନା ସେହି ହିନ୍ଦଭୀ ଭାଷାର କବିଙ୍କର ଅଜ୍ଞାତ ଥିଲା । ଏହାକୁ ଆବିଷ୍କାର କରାଯାଇପାରିଲା ଘଟଣାର ପ୍ରାୟ ଅଢେଇଶହ ବର୍ଷ ପରେ । ଆବିଷ୍କାରକ ଜଣକ ପୁଣି ଜଣେ କବି, କୌଣସି ଐତିହାସିକ ନୁହଁନ୍ତି । ସେଇ କବିଙ୍କ ନାଁ ମାଲିକ୍ ମହମ୍ମଦ ଜୟସୀ ଆଉ କାବ୍ୟଟିର ନାମ "ପଦ୍ମାଭତ"।
କବି,ଐତିହାସିକ ଏବଂ ଇତିହାସ-ପ୍ରବଚକ ମାନଙ୍କ ମଧ୍ୟରେ କୌଣସି ଘଟଣାର ପ୍ରାମାଣିକରଣକୁ ନେଇ ପାର୍ଥକ୍ୟ ରହିଛି । ସୁନ୍ଦର ଭାବରେ କହି ପାରିଲେ ମିଛଟିଏ କିଛି ସମୟ ପର୍ଯ୍ୟନ୍ତ ସତ ହୋଇ ରହିପାରେ । ସବୁକାଳ ପାଇଁ ନୁହେଁ ।
କବିଟିଏ ଯୁଦ୍ଧ ସହ ନାୟକତ୍ୱ ଓ ସୌନ୍ଦର୍ଯ୍ୟ କୁ ଯୋଡିପାରେ । ବୀରତ୍ୱ ସହ ସବୁ ସମୟରେ ଆମର ନାୟକ ମାନେ ନିଜ ପ୍ରେମକୁ ପ୍ରତିଷ୍ଠିତ କରିଛନ୍ତି । ଆଉ ନାୟକ ନଥିଲେ ଆମର କବିଟି ଅସାର । ଏବଂ କବିଟି ନଥିଲେ ନାୟକର ଜନ୍ମ ଘଟିବା କଷ୍ଟ ।
ସେଇଥିପାଇଁ ବାରଶହ ଜାହାଜ ପଞ୍ଚିଗଲା ଅପୂର୍ବ ସୁନ୍ଦରୀ ରାଣୀ ହେଲେନଙ୍କୁ ଉଦ୍ଧାର କରିବା ପାଇଁ, ଯାହାଙ୍କର ଜନ୍ମ ମଣିଷଯୋନିରୁ ନୁହଁ । ହେଲେନଙ୍କର ଜନ୍ମ ଗୋଟିଏ ହଂସର ଅଣ୍ଡାରୁ ।
ସେଇଥିପାଇଁ ଆଚିଲାସ୍ ନିଜ ରଥ ପଛରେ ବାନ୍ଧି ଘୋଷାଡି ନେଲା ପରାସ୍ତ ହେକ୍ଟରକୁ ।
ସେଇଥିପାଇଁ ଆଫ୍ରୋଡାଇଟ୍ ଜାଦୁକରୀ କୁହୁଡିର ସୃଜନ କଲେ ଆଚିଲାସ୍ ର ବିଜୟକୁ ସୁଗମ କରିବା ପାଇଁ ।
ସେଇଥିପାଇଁ ଓଡିସିଅସ୍ ତିଆରି କଲେ କାଠର ସୁଉଚ୍ଚ ଘୋଡା ଟ୍ରୋଜାନ୍ ମାନଙ୍କୁ ପ୍ରତାରିତ କରିବା ପାଇଁ ।
ସେଇଥିପାଇଁ ସମସ୍ତ ମଣିଷ, ନରନାରୀ ଦେବାଦେବୀ ଆମ ଭଳି ଦେଖାଗଲେ ଏଇ ଯୁଦ୍ଧରେ, ସେମାନଙ୍କର ଦୃଶ୍ୟମାନ ଈର୍ଷାରେ, ପ୍ରତିହିଂସାରେ, ବିଭିଷିକାରେ ।
କିଏ ଜାଣେ ସେମାନେ ସେକାଳରେ ଥିଲେ କି ନଥିଲେ ? କିନ୍ତୁ ଆମର ପ୍ରିୟ ଦୃଷ୍ଟିହୀନ କବି ହୋମର ସେ ସମସ୍ତଙ୍କୁ ଏକାଠି ଦେଖିଛନ୍ତି ।ତାହା ଆମର ସୌଭାଗ୍ୟ ।

ଓଡ଼ିଆ ସିନେମା ଗୀତ - 'ରାମ ହେଲେ ବନବାସୀ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=sORQxJZKxmw


ମାଟିର ମଣିଷ ଚଳଚିତ୍ରର ନିର୍ଦ୍ଦେଶକ ମୃଣାଳ ସେନ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍





Monday, March 27, 2017

ଦଳିତ ଲୋକଗୀତ (ଚିତାକୁଟା ଗୀତ - ୧)


ଜାପାନ ଦେଶର ପୁରୁଷଙ୍କର ଚିତା (୧୮୭୫)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଛି କରିଦେ 
ମନ ମାରିଦେ
ପିଚା ପାରିଦେ ।

ଆଲୋ ସରଦୀ
ଗେରସ୍ତ ମାରଇ 
ପାଞ୍ଚଣ ବାଡ଼ି ।
ନାକ ଫୁଲଗୁଣା 
ଯାଉଛି ଉଡ଼ି ।

ଭାସି ଯାଉଥିଲୁ 
ମଝି ନଈରେ
ଧରି ଆଣିଥିଲି ତୋତେ
ଟାକୁଆ ଗାଲରେ
ମାଉଁସ ଲାଗିଲା
ଜବାବ ଦେଉଛୁ ମୋତେ ।

ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' ।୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା ।