ଚଉପଦୀ - 'ଚାନ୍ଦ ସୁନ୍ଦରମୁଖୀରେ'
କବି - ବଳଦେବ ରଥ
ଗାୟକ - ଅକ୍ଷୟ ମହାନ୍ତି
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=kl1lLzWY1j4
![]() |
ଗଞ୍ଜପା ଖେଳର ସାର (ୱିକିମିଡିଆ କମନ୍ସ୍) |
ଚାନ୍ଦସୁନ୍ଦରମୁଖୀରେ
ବୃନ୍ଦ ବୃନ୍ଦ କନ୍ଦର୍ପ ଶରମୟ ସର୍ପ ନ ଦିଏ ମୋ ଦର୍ପ ରଖିରେ ।ପଦ।
ରସାଇ ସାରସଦୃଶା ଲସା ମୋ ଦୁର୍ଦ୍ଦଶାରେ
ଦଶାରେ ତୋ ଲାଭ ମୋ ଭରସା ରସାଳସାରେ ।
ନିଶାରମଣକର, ବିଶାଳମଦହର,
ହସା ବିଭବହର, ମିଶା ମଧୁରତର,
ପ୍ରସାଦ ପରିହର, ରୁଷାରୁତ ନ କର,
ତୃଷା ମୋହର ହର କୃଶାନୁବର ରେ ।୧।
ବଳାହକବିଜୟି କୁନ୍ତଳା ଲୀଳାବତୀରେ
ଝଳାଅ କୁଞ୍ଜରକୁମ୍ଭସ୍ଥଳାକୃତି ଛାତିରେ
ଗଳା ନବରତନ, କଳାପ ଅନୁଦିନ,
ଚଳାଚଳ ନୟନ, ଢଳା ରସକୁ ମନ,
ବଳାଅ ରେ ମଦନ, କଳାନିଧି ବହନ,
ବଳାପହକଦନ, ପଳାଉ ଧନ ରେ ।୨।
ଚରାଚର ବିଭୂଷଣା ଧରାଧରସ୍ତନା ରେ,
ପରାଣ ଅଛି ତୁ ଦେବା, କରାକରୁ ସିନାରେ,
ଧରା ତଳେ ମୋ ଗତି, ପରା ତୁ ଗଜଗତି,
ହରାରିଶରେ ନିତି ମରାଇ ଅକୀରତି,
ପରାଗରେ ଜଗତି, କରାଉଛୁ ଭରତି,
ଅରାଳଭୂରୁତତି, ଝରା ସୁଦତି ରେ ।୩।
କହେ ଅଷ୍ଟଦୁର୍ଗନାଥ ସ୍ନେହେ ତୁ ଅଧୀନାରେ,
ଅହେତୁକ ରୋଷ ଛାଡ଼ ମହେଶମୋହନାରେ,
ବହେ ଅନବରତ, ଦହେ ମୃଦୁ ମରୁତ,
ସହେମ ମରକତ, ଗୃହେ ହୋଇ ମିଳିତ,
ତୁ ହେବୁ ରସରତ, ଦୁହେଁ ହେବା ସଙ୍ଗତ,
ମୁଁ ହେବି ମହୀଗତ, ମହେନ୍ଦ୍ରବ୍ରତ ରେ ।୪।
No comments:
Post a Comment