Thursday, September 28, 2017

ଅସିଆ କାଳର ବାମୁଣ ବାହାଘର


ସୌଗନ୍ଧିକ ପରିଣୟ (୧୮୨୧)
ଚିତ୍ରକର - ମୁମ୍ମଦି କୃଷ୍ଣରାଜ ୱାଡେୟାର


ବିଦ୍ୟାଧର ମିଶ୍ର ଓଡ଼ିଶାର ବୌଦ୍ଧିକ ଜଗତରେ ଏକ ଜଣାଶୁଣା ନାମ । ଉପକୂଳବର୍ତ୍ତୀ ଓଡ଼ିଶାର ଏକ ପଲ୍ଲୀ ଗ୍ରାମରୁ ବାହାରି, ବିଲାତରେ ପ୍ରଶିକ୍ଷିତ ହୋଇ, ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଶିକ୍ଷାର ମୂଳଦୁଆ ପକାଇଥିଲେ । ପରେ ସେ ସେଠାରେ କୁଳପତି ଭାବରେ ମଧ୍ୟ କାମ କରିଥିଲେ । ହେଲେ ତାଙ୍କର ବାହାଘର ପୁରୁଣା ପରମ୍ପରା ଅନୁସାରେ ଘଟିଥିଲା ସେ ଯେବେ ମାଇନର ପଢ଼ୁଥିଲେ, ତେବେ । ବୋଧେହୁଏ ଗତ ଶତାବ୍ଦୀର ୧୯୩୦ର ଦଶକରେ ।

ବରଘରୁ କନ୍ୟାଘର ପନ୍ଦର କିଲୋମିଟର ଖଣ୍ଡେ ହେବ । ବରଘର ଶାସନ ଗାଁରେ । ବହୁକୁଟମ୍ବୀ ଘର, ଯୌଥ ପରିବାର । ଖାନଦାନି ଘର । ଅପର୍ଯ୍ୟାପ୍ତ ସମ୍ପତ୍ତିବାଡ଼ି । ଚାଷ ଜମି ଛଡ଼ା ତୋଟା ବଗିଚା ଇତ୍ୟାଦି ମଧ୍ୟ ଥାଏ । ପାତ୍ରକୁ ଚଉଦ ବର୍ଷ ବୟସ । ମାଇନର ସ୍କୁଲରେ ପାଠପଢ଼ା ଚାଲିଥାଏ । ଝିଅକୁ ନଅ ବରଷ । ଝିଅ ଘର ଲକ୍ଷାଧିକ ଟଙ୍କାର ମହାଜନୀ କାରବାର ଥାଏ । ବାପ ତେଜରାତି ଦୋକାନ ଓ ଲୁଗା ଦୋକାନର ମାଲିକ । ଶହେ ମାଣରୁ ବେଶୀ ଚାଷଜମି । ଘରେ ଓ ସିରସ୍ତାରେ କୋଡ଼ିଏରୁ ବେଶୀ ଚାକରବାକର ।

ବିଭାଘର ତିଥି ଥିଲା ଫଗୁଣ ମାସର ଶୁକ୍ଳ ପକ୍ଷ ଦଶମୀ । ଶୀତ ବିଦାୟ ନେଇଯାଇଥିଲେ ବି ଗ୍ରୀଷ୍ମର ଆଗମନ ଘଟିନଥାଏ । ମଙ୍ଗନ ଦିନ ବରଧରା ଆସି ପହଞ୍ଚିଲା ପରେ ହାଡ଼ିବାଜା ଓ ତେଲିଙ୍ଗିବାଜା ଶବଦରେ ଥାଟପଟାଳି ପଡ଼ିଲା । ଶାସନ ଲୋକେ ଓ ନିମନ୍ତ୍ରିତ ଭଦରନୋକେ ଠା’କୁ ପଙ୍ଗତରେ ବସିଲେ । ତା’ ପରଦିନ, ଅର୍ଥାତ ବାହାଘର ଦିନ ବରଯାତ୍ରୀ ପ୍ରାୟତଃ ଚାଲିଚାଲି କନ୍ୟାଘର ଗାଁକୁ ଗଲେ । ଗୁରୁଜନ, ବୟସ୍କ ଲୋକ ଖାଲି ଯାହା ଗଲେ ବଳଦଗାଡ଼ିରେ ଓ ବରବାବୁ ଗଲେ ପାଲିଙ୍କିରେ । ବର ମହାଶୟ ସକାଳ ନଅଟାରୁ ବାହାରିଗଲେ । ସନ୍ଧ୍ୟା ପୂର୍ବରୁ କାମ ତମାମ କରିବାକୁ ପଡ଼ିବ ଯେ ।

ସେତେବେଳେ ଗାଁମାନଙ୍କରେ ବ୍ୟାଣ୍ଡ୍ ବାଜା ଇତ୍ୟାଦିର ପ୍ରଚଳନ ନ ଥାଏ । କନ୍ୟାଘରର ଦେଢ଼ କିଲୋମିଟର ଖଣ୍ଡେ ଦୂରରୁ ବରର ଶୋଭାଯାତ୍ରା ଆରମ୍ଭ ହେଲା । ବଡ଼ ବାଜା, ଢୋଲ, ମହୁରୀ, ତେଲିଙ୍ଗିବାଜା ଇତ୍ୟାଦି ବାଜିଲା । ବର ପହଞ୍ଚିବା କ୍ଷଣି ବାହାଘରର କର୍ମକର୍ମାଣିର ଶୁଭାରମ୍ଭ ଚାରିଟା ଖଣ୍ଡେ ବେଳକୁ ହେଲା । ବୈଦିକ ରୀତି ଅନୁସାରେ ଲବଣଚାମରୀ, ନାନ୍ଦୀମୁଖ ଶ୍ରାଦ୍ଧ, ବରଙ୍କର ଅଳତା ସିନ୍ଦୁର, କନ୍ୟା ଦାନ, ହାତଗଣ୍ଠି, ଲାଜା ହୋମ, ଅଗ୍ନି ପରିକ୍ରମା ଇତ୍ୟାଦି ସବୁ କର୍ମ ସମ୍ପାଦିତ ହେଲା । କନ୍ୟାକୁ ବାରିକିଆଣି ଜଣେ ବେଦୀ ଉପରକୁ କାଖ କରି ନେଇଆସନ୍ତି । କର୍ମ ବଢ଼ିଲେ ନେଇଯାଆନ୍ତି ।

ଇଆଡ଼େ ବାହାଘର ଆରମ୍ଭ ହେବା ବେଳକୁ ବରଯାତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ଆଳିପଣା ସେବନରେ ମାତିଲେ । ବାହାଘର କାମ ବଢ଼ିଲା ବେଳକୁ, ଆଳିପଣା ଖାଇବା ଶେଷ । ଫୁଲ ସଭା ବସିଲା ଯାଇଁ ରାତ୍ର ଦଶ ଘଟିକାରେ । ସେ ଯୁଗରେ ଫୁଲସଭା ବିଧିମତ ହେଉଥିଲା । ଉଭୟ ପକ୍ଷ ନିମନ୍ତ୍ରିତ କରିଥାଆନ୍ତି ସଂସ୍କୃତପଣ୍ଡିତମାନଙ୍କୁ । ଦୁଇ ପକ୍ଷ ଭିତରେ ଚାଲିଲା ସଂସ୍କୃତ ଶ୍ଲୋକର ବାଦବୁଦିଆ । ସେଇ ଫୁଲସଭାରେ ସେଦିନ ବରପକ୍ଷରୁ ମୁଣ୍ଡିଆଳ ଥାଆନ୍ତି ମୟୁରଭଞ୍ଜ ରାଜ୍ୟର ସଭାପଣ୍ଡିତ ପ୍ରାଣକୃଷ୍ଣ ଆଚାର୍ଯ୍ୟ । କନ୍ୟା ପକ୍ଷର ନେତା ଥାଆନ୍ତି ଖଡ଼ଗପୁର ମଠ ଟୋଲର ପ୍ରଧାନ ପଣ୍ଡିତ କୃପାସିନ୍ଧୁ ଆଚାର୍ଯ୍ୟ ।

ଶାସ୍ତ୍ରାର୍ଥ ପରେ ଅନ୍ନଭୋଜନର ବ୍ୟବସ୍ଥା ହେଲା । ମାଛ, ଦହି, ଖିରି, ପିଠା, ଯାହାକୁ ଯେତେ । ସେବେ ରାତିରେ ବର କନ୍ୟାକୁ ଶଙ୍ଖା ପିନ୍ଧାଇ ଦେବାର ପ୍ରଚଳନ ଥିଲା । ସେତେବେଳକୁ ରାତି ପାହିଲାଣି । ଶଙ୍ଖା ପିନ୍ଧାଇବା ସହିତ ବାହାଘର କର୍ମକର୍ମାଣି ସରିଲା । ପରଦିନ ସକାଳେ ବରପକ୍ଷ ଓ କନ୍ୟାପକ୍ଷ ଉଭୟଙ୍କୁ ମିଶାଇ ଗୋଟିଏ ସାନ ସଭା ଅନୁଷ୍ଠିତ ହେଲା । କନ୍ୟା ସଭାକୁ ଆସି ଓଢ଼ଣା ଟାଣି ବସିଲେ । ଓଢ଼ଣି ଟେକି ବରପକ୍ଷ କନ୍ୟାର ମୁଖଦର୍ଶନ କଲେ, ସାମର୍ଥ୍ୟ ଅନୁସାରେ ଉପହାର ଦେଲେ ତଥା ତାହା ପରେ ବରଘର ଗାଁକୁ ବାହୁଡ଼ି ଗଲେ । ପଛରେ ବାରିକ ପିଲାଟିଏ ସହିତ ରହିଗଲେ ବର ମହାଶୟ, ଶ୍ରୀ ବିଦ୍ୟାଧର ମିଶ୍ର । କାରଣ ସେତେବେଳେ ଅଷ୍ଟମଙ୍ଗଳା ନ ସରିବା ପର୍ଯ୍ୟନ୍ତ ବାମୁଣ ବର କନ୍ୟା ଘରେ ରହିବାର ପରମ୍ପରା ଥିଲା । ସେହି ଆଠ ଦିନ ଯାକ ଯେ କଅଣ ହେଲା, ତାହା ଆଉ ଏକ କାହାଣୀ ।

ବିଶେଷ ଦ୍ରଷ୍ଟବ୍ୟ


ଏହି ଲେଖାଟି ଆଗରୁ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ । ଲେଖାଟିରେ ବ୍ୟବହୃତ                 ତଥ୍ୟ ବିଦ୍ୟାଧର ମିଶ୍ର ନିଜ ସ୍ତ୍ରୀ ଚାନ୍ଦନାଙ୍କ ଉପରେ ଲେଖିଥିବା ବହି ‘ନାନୀ’ରୁ ସଙ୍ଗୃହିତ । ବହିଟିର ସମ୍ପୂର୍ଣ୍ଣ ପ୍ରକାଶକୀୟ ବିବରଣୀ ହେଲା -  ବିଦ୍ୟାଧର ମିଶ୍ର । ୨୦୦୬ (ପ୍ରଥମ ପ୍ରକାଶନ ୧୯୯୨) । ‘ନାନୀ’ । କଟକ : ବିଦ୍ୟାପୁରୀ ।

No comments:

Post a Comment