Thursday, April 20, 2017

ଏକ ମତ୍ତ ପାନୀୟର ବୈଦିକ ବ୍ୟାଖ୍ୟାନ-୧


ଜ୍ୟୋତି ନନ୍ଦ 


ସୋମ ଦେବ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସମସ୍ତ ସ୍ତ୍ରୋତ୍ର ଆନନ୍ଦର, ଆବାହନର ଓ ଉତ୍ସବର ।

ଏହି ବ୍ୟାଖ୍ୟାନଟି ବୈଦିକ ଯେତେବେଳେ, ଗୋଟିଏ ସ୍ତ୍ରୋତ୍ର ରୁ ଆରମ୍ଭ ରୁ ହେଉ ପ୍ରସଙ୍ଗ ।

କିନ୍ତୁ ତାହା ପୂର୍ବରୁ ଟିକିଏ କହିବା ଦରକାର ପଡୁଛି । କାରଣ କଥାଟି ସୋମରସ ଉପରେ ହୋଇଥିବାରୁ ଆମକୁ ପ୍ରଥମରୁ ସତର୍କ ରହିବା ଆବଶ୍ୟକ । ଆଜିକାଲି ଆମେମାନେ ପ୍ରତି କଥାରେ ଯେତିକି ଦରକାର ତାହାଠାରୁ ଅଧିକ ପରିମାଣରେ ସମ୍ବେଦନଶୀଳ ହୋଇ ଉଠୁଛୁ । ପ୍ରୟୋଜନ ନଥିଲେ ବି ଆମେ ମାନେ ଅନେକ ସମୟରେ ମାରମୁଖା । ତେଣୁ ଆମକୁ ଦଶ ପାହୁଣ୍ଡ ମାପି ସାରିଲା ପରେ ପାଦଟିଏ ଚାଲିବାର ଅଭ୍ୟାସ କରିନେବାକୁ ପଡିବ ।

ସୋମରସ ବୋଲି ଶବ୍ଦଟି ସହିତ ପ୍ରାୟ ସମସ୍ତେ ପରିଚିତ ଥିବେ । ଆମେମାନେ କେତେ ଜଣ ତ ଏଇ ଶବ୍ଦଟି ସହ ଖୁବ ଅଧିକ ପରିଚିତ । କିନ୍ତୁ ବୟସ ବୃଦ୍ଧି ଆଉ ଶରୀର ଅସୁଖ ଆମକୁ ଏଇ ଶବ୍ଦଟିକୁ ଝୁଲାଇ ରଖିଛି ଜିଲାପି ଦଉଡ଼ରେ ଜିଲାପି ଭଳି; ଆଉ ଏଣେ ଆମର ମକଚା ପାଦ, ନା ଡେଇଁ ପାରିବୁ ନା ଦୌଡ ? ଖାଲି ହମ ହମ ହୋଇ ସଂସାରରେ କାଳକ୍ଷେପଣ କରି ରହିବା ହିଁ ସାର ।

ଅବଶ୍ୟ ସୋମରସ ବୋଲି ଯେଉଁ ପ୍ରିୟ ଶବ୍ଦଟି ଆମର ପରିଚିତ ବାସ୍ତବରେ ତାହା ଆମ ପାଇଁ ଏକ ନିର୍ଦ୍ଦିଷ୍ଟ ଅର୍ଥ ବହନ କରିଥାଏ ।କିନ୍ତୁ ଆମେ ତାହାକୁ ପ୍ରକୃତ ଅର୍ଥର ବାହାରେ ଏକ ସମସାମୟିକ କାର୍ଯ୍ୟକ୍ରମକୁ ସାମଗ୍ରୀକ ପୌରାଣିକ ଆଭିଜାତ୍ୟ ପ୍ରଦାନ କରିବାରେ ବ୍ୟବହାର କରିଥାଉ । ସରଳ ଭାବରେ କହିଲେ ବୈଦିକ ସୋମରସ ଆଉ ସାମ୍ପ୍ରତିକ ସୋମରସ ଏକା ନୁହଁ । ମାତ୍ର ଆମେ ତାହାକୁ ମଦ ବୋଲି ଧରି ନେଇଛୁ ।

ସୋମରସ ବୈଦିକ ଯୁଗରେ ବର୍ତ୍ତମାନର "ବିଅର" ଭଳି ଏକ ଅଳ୍ପ ନିଶାଯୁକ୍ତ ପାନୀୟ ଆଉ ବର୍ତ୍ତମାନର ସୋମରସ ହେଉଛି "ବିଅର" ସମେତ ଯେତେ "ସ୍ପିରିଟ" ଯୁକ୍ତ ଉଗ୍ର ନିଶାଯୁକ୍ତ ପାନୀୟ ଅଛି, ସେ ସବୁକୁ ଏକାଠି ଗୋଟିଏ ଇଙ୍ଗିତରେ କହିବାର କଥା ।

ବେଦରେ ମଦ ବୋଲି କହିଲେ କିଛି ଶୁଦ୍ଧତାବାଦୀଙ୍କ ଦେହର ଚିଆଁ ଲାଗିଯାଇପାରେ । ଯୁଗର ଏକ ପୌରାଣିକ ବିଭାଜନ କରି, ଆମେ ବର୍ତ୍ତମାନ ସମୟର ବିଫଳତାକୁ ଏଡାଇ, ଏକ ସ୍ୱପ୍ନିଳ ଅତୀତରେ ମସଗୁଲ ହୋଇ କାଳ୍ପନିକତାରେ ରହିବାକୁ ଅଧିକ ପସନ୍ଦ କରୁ । କିନ୍ତୁ ସବୁ ଯୁଗରେ ଭଲ ଆଉ ମନ୍ଦ ର ରାମ-ରାବଣ ଯୁଦ୍ଧ ଚାଲିଥାଏ । ସବୁ ଯୁଗରେ ସତର ବିଜୟ ହୁଏ । ମାନସିକ ସ୍ତରରେ ସବୁ ଯୁଗରେ ବିଶ୍ୱାସ ଆଉ ବିଚାରର ଦ୍ୱନ୍ଦ୍ୱ ଅସମାହିତ ହୋଇ ରହିଥାଏ । ଏଇ ଦୃଷ୍ଟିରୁ ସବୁ ଯୁଗର ସଭ୍ୟ ଜୀବନ ଉଣା ଅଧିକେ ସମାନ । ଖାଲି ଅତୀତ ଆମକୁ ଏକ ସମ୍ଭ୍ରାନ୍ତ ବୁନିଆଦୀ ପ୍ରଦାନ କରେ ବୋଲି ଆମର ଅତୀତପ୍ରବଣତା ବଜାୟ ରହିଛି । ଏଇ ଜାଗାରେ ଗୋଟିଏ ବନ୍ଧନୀ ଦେବା ନିହାତି ଜରୁରୀ । (ପ୍ରତ୍ୟେକ ମଦ୍ୟପାନକାରୀ ସବୁବେଳେ କିଛି ନା କିଛି ବାହାନା ଦରକାର କରନ୍ତି । ଦୟାକରି ଏଇ ବୈଦିକ ପ୍ରସଙ୍ଗକୁ ନିଜ ବାହାନା ହିସାବରେ କେହି ବ୍ୟବହାର ନ କରିବାକୁ ବିନମ୍ର ଅନୁରୋଧ ।)

ନିମ୍ନୋକ୍ତ ସ୍ତ୍ରୋତ୍ରଟି ଋକ୍ ବେଦରୁ ଉଦ୍ଧୃତ । ଏହି ସ୍ତ୍ରୋତ୍ରଟିରେ ମହିମା ବର୍ଣ୍ଣନ କରାଯାଇଛି ସୋମରସର । ସୋମରସ କହିଲେ ବୈଦିକ ଯୁଗର ଏକମାତ୍ର ଓ ପ୍ରସିଦ୍ଧ ମଦିରା ଜାତୀୟ ପାନୀୟ । ଏହି ପ୍ରକାର ପାନୀୟର ସବିଶେଷ ବିବରଣୀ ଆମେ ପୃଥିବୀର ପ୍ରାଚୀନତମ ଗ୍ରନ୍ଥ ଆମର ଋକ୍ ବେଦରୁ ପାଇଥାଉ ।

"ଯେଉଁଠି ଚିରନ୍ତନ ଆଲୋକ ବିଦ୍ୟମାନ; ଯେଉଁ ବ୍ରହ୍ମାଣ୍ଡରେ ସୂର୍ଯ୍ୟଙ୍କ ଅବସ୍ଥାନ, ସେଇ ଅମର ଅକ୍ଷୟ ବ୍ରହ୍ମାଣ୍ଡ ରେ, ହେ ସୋମ, ମୋତେ ସ୍ଥାପନ କର । ତୁମେ ଇନ୍ଦ୍ରଙ୍କ ପାଇଁ ପ୍ରବାହିତ ହୁଅ । ଯେଉଁ ସ୍ଥାନରେ ବିବସ୍ୱତଙ୍କ ପୁତ୍ରମାନେ ରାଜତ୍ୱ କରନ୍ତି, ଯେଉଁଠି ସ୍ୱର୍ଗର ଗୋପନ ସ୍ଥାନ ଅବସ୍ଥିତ, ଯେଉଁଠି ବଳବାନ ଜଳଧାରା ବିଦ୍ୟମାନ, ସେଠାରେ ମୋତେ ଅମର କର । ତୁମେ ଇନ୍ଦ୍ରଙ୍କ ପାଇଁ ପ୍ରବାହିତ ହୁଅ । ଯେଉଁଠି ସ୍ୱର୍ଗ ସମୂହର ଜୀବନ ଅବାଧ, ଯେଉଁଠି ବ୍ରହ୍ମାଣ୍ଡ ସବୁ ଉଜ୍ଜଳ, ସେଠାରେ ମୋତେ ଅମର କର । ତୁମେ ଇନ୍ଦ୍ରଙ୍କ ପାଇଁ ପ୍ରବାହିତ ହୁଅ । ଯେଉଁଠି କାମନା-ବାସନା ଅଛି, ଉଜ୍ୱଳ ସୋମର ପାତ୍ର ରହିଛି, ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ରହିଛି, ସେଠାରେ ମୋତେ ଅମର କର । ତୁମେ ପ୍ରବାସିତ ହୁଅ । ଇନ୍ଦ୍ରଙ୍କ ପାଇଁ ଯେଉଁଠି ରହିଛି ସୁଖ ଓ ପରିତୃପ୍ତି, ଯେଉଁଠି ଆନନ୍ଦ ଓ ପ୍ରମୋଦ ବାସ କରେ, ଯେଉଁଠି ପରମ ଅଭୀଷ୍ଟ ସିଦ୍ଧ ହୁଏ, ସେଇଠି ମୋତେ ଅମର କର । ତୁମେ ଇନ୍ଦ୍ରଙ୍କ ପାଇଁ ପ୍ରବାହିତ ହୁଅ ।"(ଋକ୍ ବେଦ, ୯.୧୧୩)

ଋକ୍ ବେଦ ଏହିଭଳି ଯେଉଁ ପାନୀୟର ମହିମା ବର୍ଣ୍ଣନ ରେ ଅମରତ୍ୱ ପ୍ରଦାନ କରିପାରିବାର ଆଲୋକଜ୍ଜଳ କ୍ଷମତା ଦେଖିପାରିଛନ୍ତି, ସେଇ ସୋମ ରସଟି ପ୍ରକୃତରେ କ'ଣ ? ବୈଦିକ ସୋମରସଟି ହେଉଛି ସେ କାଳର ପ୍ରଧାନ  ମତ୍ତତା-ସୃଷ୍ଟିକାରୀ ପାନୀୟ । ଆମର ଜୀବନରେ ଜଳ ହେଉଛି ଏକମାତ୍ର ପାନୀୟ ଯାହା ବିନା ଆମେ ଜୀବନ ଧାରଣ କରିବା ଅସମ୍ଭବ । ଆମେ ହୁଏତ ବିନା ଖାଦ୍ୟରେ କିଛି ଦିନ ବଞ୍ଚିଯାଇ ପାରୁ । କିନ୍ତୁ ବିନା ଜଳରେ ସେତିକି ଦିନ ବଞ୍ଚିବା ସମ୍ଭବ ନୁହଁ । ଆମ ଶରୀରର ଜଳୀୟ ଅଂଶର ସନ୍ତୁଳନ ସବୁବେଳେ ଠିକ୍ ରହିବା ଦରକାର । ତେଣୁ ମଣିଷ ଜଳର ଉତ୍ସ ନିକଟରେ ବସତି ବାନ୍ଧିଛି ସଭ୍ୟତାର ପ୍ରାକ୍ କାଳରୁ ଆଉ ଜଳକୁ ସଂରକ୍ଷଣ କରିବା ପାଇଁ ଆଉ ପିଇବା ପାଇଁ ପ୍ରଥମେ ବିକଶିତ କରିଛି ତାହାର ବୈଷୟିକ ଜ୍ଞାନ । କହିବାର କଥା ହେଉଛି ଜଳ ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବାର ଏକମାତ୍ର ପାନୀୟ । ବାକି ସବୁ ପାନୀୟ ସହାୟକ ତାଲିକାରେ ଆସିବେ । ସେହି ସବୁ ପାନୀୟର ଆବଶ୍ୟକତା ଆନନ୍ଦ ପାଇଁ, ଉତ୍ସବ ଓ ବ୍ୟସନ ନିମନ୍ତେ । ମତ୍ତତା ତାହା ଭିତରେ ଆସିବ । ନିଜର ଚିରାଚରିତ ପୃଥିବୀକୁ ଟିକିଏ ଅଲଗା ଭାବରେ କାଳ୍ପନିକ ରୂପ ରେ ଦେଖିବା ପାଇଁ ଆମର ମତ୍ତ ଭାବ ଲୋଡା । ସେଇଥିପାଇଁ ଆମର ସହାୟକ ପାନୀୟ ମାନେ କ୍ରମଃବିବର୍ତ୍ତନ ହୋଇ ଆସିଛନ୍ତି ।

ଗୋଟିଏ ବହିର ନାଆଁ ଏଠାରେ ଉଲ୍ଲେଖ କରିବାର ଲୋଭ ସମ୍ବରଣ କରି ପାରୁନାହିଁ । ବହିଟି ହେଉଛି ଟମ୍ ଷ୍ଟାଣ୍ଡଏଜ୍ ଙ୍କ ବହି "ଏ ହିଷ୍ଟ୍ରୀ ଅଫ୍ ଦି ୱାର୍ଲଡ୍ ଇନ୍ ସିକ୍ସ୍ ଗ୍ଲାସେସ୍" । ଟମ୍ ଷ୍ଟାଣ୍ଡଏଜ୍ ଏହି ବହିଟିରେ ପୃଥିବୀର ସମଗ୍ର ଇତିହାସର ବିବର୍ତ୍ତନକୁ ଛଅ ପ୍ରକାରର ଗ୍ଲାସ୍ ଅର୍ଥାତ୍ ପାନୀୟରେ ଭିତରେ ପ୍ରତିଫଳିତ କରିବାର ଅଭିନବ ପ୍ରୟାସ କରିଛନ୍ତି । ସେ ଅତ୍ୟନ୍ତ ରୋଚକ ଶୈଳୀରେ ବର୍ଣ୍ଣନା କରିଛନ୍ତି ସେହି ପାନୀୟମାନଙ୍କର ଇତିହାସ । ମାନବ ଜାତିର ଇତିହାସରେ ସେଇ ପାନୀୟ ମାନେ ତୃଷା ନିବାରଣ ବ୍ୟତୀତ ଅନେକ କିଛି କରିଛନ୍ତି । କେତେବେଳେ ସେମାନେ ମୁଦ୍ରା (ଗୋଟିଏ ସୁମେରୀୟ ମନ୍ଦିରରେ "ବିଅର୍"କୁ ଦରମା ଆକାରରେ ଦିଆଯିବାର କୁନେଇଫର୍ମ ଲେଖାର ମୃତ୍-ଫଳକଟିଏ ମିଳିଛି, ଯାହାକୁ ପୃଥିବୀର ପ୍ରାଚୀନତମ "ପେ ରିସିପ୍ଟ" ବା ଦରମା ରସିଦ ବୋଲି କୁହାଯାଉଛି । ଏବେ "ଜାକ୍ ଦାନିଏଲ୍" ବୋଲି ଏକ ବିଶ୍ୱ ପ୍ରସିଦ୍ଧ ହ୍ୱିସ୍କିର ନିର୍ମାତା ତାଙ୍କ କର୍ମଚାରୀମାନଙ୍କୁ ପ୍ରତି ମାସରେ ଦରମା ସହିତ ଗୋଟିଏ ଗୋଟିଏ "ଜାକ୍ ଡାନିଏଲ୍" ହ୍ୱିସ୍କି ବୋତଲ ଦେଉଛନ୍ତି । କେବଳ କାମ ପାଇଁ ଦରମା ସହ ଯେଉଁ ପ୍ରୋତ୍ସାହନ ମିଳିଥାଏ, ତାହା ଯାହା ଯେପରି ହୋଇଥାଉ ପଛକେ, ତାହା ଦରମା ହିଁ ।), ତ କେତେବେଳେ ସେମାନେ ଧାର୍ମିକ ଉପଲକ୍ଷ୍ୟ । ପୁଣି କେତେବେଳେ ସେମାନେ ରାଜନୈତିକ ପ୍ରତୀକ, ଦର୍ଶନର ଉତ୍ସ ବା କଳାକାରର ପ୍ରେରଣା ଶକ୍ତି । ଏହା କେତେବେଳେ ଶାସକର ଶକ୍ତି ପ୍ରଦର୍ଶକ ତ କେତେବେଳେ ନିମ୍ନ ବର୍ଗକୁ ଦମନ ବା ସନ୍ତୁଷ୍ଟ କରିବାର ମାଧ୍ୟମ ।

ପାନୀୟ ଭଳି ମଣିଷର ସମ୍ପୃକ୍ତି ଥିବା ଯେ କୌଣସି ଆବଶ୍ୟକୀୟ ବସ୍ତୁ, ଯେ କୌଣସି ମାନବିକ ଆବେଗ ଆଉ ଗତିବିଧିକୁ ଅବଧାରଣା ରୂପରେ ଭିତ୍ତି କରି ଇତିହାସ ରଚନା କରାଯିବାକୁ ବର୍ତ୍ତମାନ ସମୟର ବିକଳ୍ପ-ଇତିହାସ ରଚନାର ସ୍ଵର୍ଣ୍ଣିମ ସମୟ ବୋଲି କୁହାଯାଇପାରେ । କେହି କେହି ଏହାକୁ ଅବଧାରଣା-ଇତିହାସ ବା "କନସେପ୍ଟ ହିଷ୍ଟୋରୀ" ବୋଲି କହୁଛନ୍ତି । ଦୁଃଖର କଥା ଏଇ ସବୁ ବହି ଦେଖିଲେ ନିଜକୁ ଭାରି ବୁଢା ଲାଗେ । ଆମେ ମାନେ ଏଇ ସମୟରେ ତରୁଣ ହେବାର ଥିଲା ।

ଟମ୍ ଷ୍ଟାଣ୍ଡଏଜ୍ ଯେଉଁ ଛଅଟି ପାନୀୟର କଥା କହିଛନ୍ତି ତାହା ହେଲା, ବିଅର୍, ୱାଇନ୍, ସ୍ପିରିଟ୍, କଫି, ଚା ଏବଂ କୋକାକୋଲା ।ପୃଥିବୀରେ ସଭ୍ୟତାର ଯୁଗ ଗୁଡିକ ବିଅର୍ ଜାତୀୟ ପାନୀୟରୁ ଆରମ୍ଭ ହୋଇ ବର୍ତ୍ତମାନର କୋକାକୋଲାରେ ଛିଡିଛି ।

ବୈଦିକ ସୋମରସଟି ହେଉଛି ଏକ ପ୍ରକାରର ବିଅର୍ । ଏହା ସୋମ ଲତା ବୋଲି ଏକ ଲତାର ଜାରିତ କରା ଦୁଧିଆ ରସ ବିଶେଷ ।ସୋମ ଲତାଟିକୁ ସଠିକ ଶନାକ୍ତ କରାଯାଇ ପାରି ନଥିଲେ ମଧ୍ୟ, ଏହା ସାର୍କୋଷ୍ଟେମା ବିମିନାଲିସ୍ ବା ଏସକ୍ଲେପିୟାସ୍ ଏସିଡା ବା ସେମେଟିକ୍ ଜେନିୟା ଜାତିର ଲତା ବୋଲି ଅନୁମାନ କରାଯାଏ । ଜୋରୋଷ୍ଟ୍ରିଆନ୍ ମାନଙ୍କର ଧର୍ମଗ୍ରନ୍ଥ 'ଜେନ୍ଦ୍ ଆଭେସ୍ତା'ରେ ସୋମଲତାର ସର୍ବରୋଗ ଅପହରଣର କ୍ଷମତା ରହିଛି ବୋଲି ଉଲ୍ଲେଖ ରହିଛି । ଆମର ଚରକ ସଂହିତାରେ "ସୋମଃ ନାମ ଔଷଧିରାଜଃ ପଂଚଦଶପର୍ଣ୍ଣଃ ସଃ ସୋମଃ ଇବ ହୀୟତେ ବର୍ଦ୍ଧତେ ଚ" ବୋଲି ପନ୍ଦର ଗୋଟି ପତ୍ର ବିଶିଷ୍ଟ ଏକ ଲତା କୁ ସୋମ ଲତା ଆଉ ଏହା ଔଷଧିରାଜ ବୋଲି କୁହାଯାଇଛି । ଋକ୍ ବେଦ ଅନୁସାରେ ମୂଜବାନ ପର୍ବତ, ଶର୍ଯନାବତ ନାମକ ସରୋବର ବା ଶର୍ଯନାବତୀ ନାମକ ନଦୀ କୂଳ, ଅର୍ଜୀକ ଦେଶର ଅର୍ଜୀକିୟା ନଦୀ କୂଳ ଓ କୃତ୍ୱ ଦେଶର ସରସ୍ୱତୀ ନଦୀ କୂଳରେ ଏହି ସୋମ ଲତା ମିଳିଥାଏ । ଏଇ ସ୍ଥାନ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ଖାଲି ଗୋଟିଏ ଗୋଟିଏ ନାଆଁ ହୋଇ ରହିଛି । ତାହାର ଭୂଗୋଳ ଏ ଯାଏଁ ଅନାବିଷ୍କୃତ ।

ସୋମ ଲତାର ରସ ଅର୍ଥାତ୍ ସୋମରସ ଦେଖିବାକୁ କେତେବେଳେ ପିଙ୍ଗଳ, କେତେବେଳେ ଲୋହିତ ଆଉ କେତେବେଳେ ଶୁଭ୍ର ।ସୋମଲତା ର ଯେଉଁ ବର୍ଣ୍ଣନା ଦେଖିବାକୁ ମିଳେ, ତାହା ଅନୁସାରେ ଲତାଟି ଶାଖା ଯୁକ୍ତ । ଦେଖିବାକୁ ସୁନେଲି ଏଇ ଲତାଟିର ମୂଳରେ ଅନେକ ଗଣ୍ଠି । ପ୍ରାୟ ବେତ ଗଛ ପରି ଏହି ଲତାର ବକଳରେ ଥାଏ ପ୍ରଚୁର ପରିମାଣର ଦୁଧିଆ ରସ, ଚାଖିଲେ ଖଟା ଆଉ ସାମାନ୍ୟ କଷା । ସୋମଲତାର ଏଇ ରସକୁ ନିଷ୍କାସିତ କରି ଅନ୍ୟାନ୍ୟ ପଦାର୍ଥ ସହିତ ମିଶାଇ ଜାରଣ କରାଯାଏ । ଜାରଣ ପରେ ପ୍ରସ୍ତୁତ ହୋଇଥାଏ ମତ୍ତତା ସୃଷ୍ଟିକାରୀ ଯଜ୍ଞ-ପାନୀୟ ସୋମରସ ।

ୱିଣ୍ଡିସମ୍ୟାନ୍ ତାଙ୍କର "ବେଦିକ୍ ଇଣ୍ଡିଆ" ବହିରେ ସୋମରସ ପ୍ରସ୍ତୁତିର ଏକ ସବିଶେଷ ବିବରଣୀ ଦେଇଛନ୍ତି । ତାଙ୍କ ଅନୁସାରେ, ସୋମଲତା ଗୁଡିକୁ ଚନ୍ଦ୍ରାଲୋକରେ ମୂଳ ସମେତ ଓପାଡି ନେଇ ପାହାଡ ଉପରେ ସଙ୍ଗ୍ରହ କରି ରଖାଯାଏ । ସେଇଠୁ ଚନ୍ଦ୍ରାଲୋକ ଥାଉ ଥାଉ ଛେଳି ଟଣା ଗାଡିରେ ସୋମଲତା ଗୁଡିକୁ ବଳିଦାନ ସ୍ଥଳକୁ ନିଆଯାଏ । ବଳିଦାନ ସ୍ଥଳଟି ଘାସ ଆଉ କଅଁଳ ପତ୍ର ଘେରା ହୋଇଥିବା ଏକ ଜାଗା । ସେହିଠାରେ ପୁରୋହିତ ଅାନିତ ସୋମଲତାଗୁଡିକୁ ପଥରରେ ଛେଚି ଗୋଟିଏ ପଶମରେ ବୁଣା ବଡ ଚାଲୁଣିରେ ପକାନ୍ତି । ଚାଲୁଣିକୁ ଚଲାଇ ରସ ବାହାର କରନ୍ତି । ଆଉ ତାହା ଏକ ପଥର ପାତ୍ରରେ ସଙ୍ଗୃହିତ ହୁଏ । ସେହି ରସ ସହିତ ମିଠା ଦୁଧ ଓ ଦହି ଆଉ କିଛି ଗହମଜାତ ପଦାର୍ଥ, ମଇଦା ଆଦିକୁ ମିଶାଇ ଜାରଣ କରାଯାଏ । ଏଇ ଜାରଣ ପ୍ରକ୍ରିୟା ନଅ ଦିନ ଧରି ଚାଲେ । ଯେହେତୁ ଏହା ଏକ ଦୈବିକ ପାନୀୟ ଓ ଏହା ସହିତ ଅମରତ୍ୱ ଜଡିତ ଅଛି, ସେ ଦୃଷ୍ଟିରୁ ଏହାକୁ ନିହାତି ଗୋପନୀୟ ତଥା ଶୁଦ୍ଧପୂତ ଭାବରେ ପ୍ରସ୍ତୁତ କରାଯାଇଥାଏ ।

ନିଜର ଶୁଦ୍ଧ ସୁବର୍ଣ୍ଣର ଡେଣା ହଳକ ଝପଟାଇ ଗୋଟିଏ ଅଲୌକିକ ଛଞ୍ଚାଣ ସ୍ୱର୍ଗ ରାଜ୍ୟରୁ ସୋମରସକୁ ନିଜ ଚଞ୍ଚୁରେ ଧରି ପ୍ରଥମ ଥର ପହଞ୍ଚି ଥିଲା ଏଇ ପୃଥିବୀରେ । ଋକ୍ ବେଦରେ ସେହି ବାଜ ପକ୍ଷୀର କଥା ରହିଛି । କିନ୍ତୁ ତାହା ପାଇଁ ନାଆଁଟିଏର ବିଧାନ କରିନାହାନ୍ତି ଆମର ବେଦକାର ମହର୍ଷିଗଣ । ଆମର ପୁରୁଣା ଅଭ୍ୟାସ, ଯେତେ ସବୁ ସୁନ୍ଦର ଜିନିଷ ସ୍ୱର୍ଗରାଜ୍ୟରୁ ଚୋରି କରି ଆଣି ଆମ ପୃଥିବୀକୁ ସେଥିରେ ଶୋଭାବନ୍ତ କରିବାରେ । ଏହା ଠିକ୍ ପ୍ରମେଥିଅସ୍ ଙ୍କ ସ୍ୱର୍ଗରାଜ୍ୟରୁ ନିଆଁ ଚୋରି କରି ଆଣିବା ଭଳି କଥା ।ତାହା ପରଠାରୁ ଦେବତା ମାନେ ସ୍ୱର୍ଗରେ ଅପେକ୍ଷା କରି ରହିଛନ୍ତି, ଏଇ ଅମୃତକଳ୍ପ ପାନୀୟ ସୋମରସ ପାଇଁ ।

ଋକ୍ ବେଦରେ ରହିଛି ଦଶଟି ମଣ୍ଡଳ । ତାହା ଭିତରୁ ପ୍ରାଚୀନତମ ହେଉଛି ପ୍ରଥମ ଆଉ ଦଶମ ମଣ୍ଡଳ । ଋକ୍ ବେଦର ସମସ୍ତ ନବମ ମଣ୍ଡଳ ସୋମଙ୍କର ସ୍ତବରେ ପରିପୂର୍ଣ୍ଣ । ଏଥିରେ ସୋମଙ୍କ ବନ୍ଦନା ପାଇଁ ଉଦ୍ଦିଷ୍ଟ ହୋଇ ରହିଛି ଶହେ କୋଡିଏ ଗୋଟି ସୂକ୍ତ । ମୌଳିକ ଭାବରେ ଆବଶ୍ୟକ ହେଉ ନଥିବା ଗୋଟିଏ ସହାୟକ ପାନୀୟକୁ ଏଇଭଳି ଦେବତା ସୁଲଭ ଅର୍ଚ୍ଚନାର ମାନ୍ୟତା ଦେବା ପୃଥିବୀର ଅନ୍ୟ ଦେଶର ପୁରାଣରେ ଦୁଷ୍ପ୍ରାପ୍ୟ । ଏହା ପଛରେ ରହିଛି ମଣିଷର ସେ ଯୁଗରେ ସେହି ପାନୀୟ ପ୍ରତି ମାତ୍ରାତିରିକ୍ତ ଆସକ୍ତି । ନିଶା ଓ ନିଶାଖୋର ପୃଥିବୀର ସବୁ ଯୁଗରେ ବିଭିନ୍ନ ଶବ୍ଦାବଳୀରେ ରହିଥାନ୍ତି । ଆଜି କାଲି ବି ଆମେ ଧର୍ମର ଅନୁରକ୍ତିକୁ ବୁଝିବା ପାଇଁ ମଣିଷର ଅଫିମ ସମ୍ପୃକ୍ତିକୁ ଉଦାହାରଣ ଭାବରେ ବି ଉଲ୍ଲେଖ କରିଥାଉ । ଠିକ୍ ସେଇଭଳି ସୋମ ରସ ପ୍ରତି ଆମର ଉତ୍ତୁଙ୍ଗ ଆସକ୍ତିକୁ ପରିପ୍ରକାଶ କରିବା ପାଇଁ ବେଦକାର ମାନଙ୍କୁ ବିଭିନ୍ନ ଦେବତାଙ୍କର ରୂପକ ଭାଷାର ବ୍ୟବହାର କରିବାକୁ ପଡିଲା ସେମାନଙ୍କର ସ୍ତବରେ । 

ସୋମ ଶବ୍ଦଟି କ୍ରମଶଃ ପ୍ରହେଳିକା ପୂର୍ଣ୍ଣ ହୋଇଗଲା, ସୋମରସ ଆଉ ଦେବତାମାନଙ୍କର ଏକତ୍ରିକରଣରେ । ସୋମକୁ ଇନ୍ଦ୍ର, ଅଗ୍ନି, ବରୁଣ ଓ ରୁଦ୍ରଙ୍କ ସହ ପ୍ରାର୍ଥନା କରାଗଲା । ଏହି ସୋମ ହେଲେ ସର୍ବଶକ୍ତିମାନ, ସର୍ବରୋଗନାଶକ, ଧର୍ମ ଓ ରତ୍ନ ପ୍ରଦାୟକ । ଦେବତା ରୂପରେ ସୋମ ବିଦ୍ୱାନ, ସର୍ବଦର୍ଶୀ, ସହସ୍ରଚକ୍ଷୁ । ସୋମ ବୃତହା ଓ ଅମର । ସୋମଙ୍କ ଅସ୍ତ୍ରର ନାଆଁ ପାଶ । ବାୟୁ ଭଳି ତାଙ୍କର ରଥ । ଇନ୍ଦ୍ରଙ୍କ ସହିତ ସୋମ ଗୋଟିଏ ରଥରେ ରହିଥାଆନ୍ତି । ଆଉ ସେମାନଙ୍କୁ ଘେରି ରହିଥାନ୍ତି ମରୁତଗଣ । ବିନ୍ଦୁ ବିନ୍ଦୁ ରସ କ୍ଷରିତ ହୁଏ ବୋଲି ତାଙ୍କର ନାଆଁ ଇନ୍ଦୁ । ମୋଟାମୋଟି ଭାବରେ ବେଦରେ କବିମାନଙ୍କର ବକ୍ତବ୍ୟ, ସୋମ ହେଉଛି ଜୀବନରସାୟନ, ଅମୃତ, ଚନ୍ଦ୍ର ବା ଘନୀଭୂତ ସୋମରସ,ଏବଂ ଶେଷରେ ମଦ୍ୟ ।

ବୈଦିକ କବିମାନଙ୍କର ସୋମ ଏକ ପ୍ରିୟ ଶବ୍ଦ । ଏହାକୁ ନେଇ ସେମାନଙ୍କର କଳ୍ପନାରେ ଯଥେଷ୍ଟ ସ୍ୱାଧୀନତା ଥିଲା । ପୃଥିବୀରେ ସୋମରସ ପ୍ରସ୍ତୁତ ହୋଇଗଲା ପରେ ତାହାର ସମ୍ମାନରେ ଗୋଟିଏ ବଳିଦାନ-ଯଜ୍ଞ ଅନୁଷ୍ଠିତ ହୁଏ । ପ୍ରଥମେ ଦେବତାମାନଙ୍କୁ ଏହି ରସକୁ ନୈବେଦ୍ୟ ଦିଆଯାଏ । ଏହି ଯଜ୍ଞକୁ ସ୍ଥଳ ବିଶେଷରେ ସୌତ୍ରାମଣି ବା ବାଜପେୟ ବୋଲି କୁହାଯାଉଥିଲା । ଏଥିରେ ପ୍ରଚୁର ପରିମାଣର ମଦ୍ୟ ଆହୂତି ଆକାର ଦେବତା ମାନଙ୍କର ସନ୍ତୋଷ ବିଧାନ ନିମନ୍ତେ ଦିଆଯାଉଥିଲା । ମଦ୍ୟ ଏଇଥିପାଇଁ କୁହାଗଲା ଯେ ଋକ୍-ବୈଦିକ କାଳର ସୋମରସ ଠାରୁ ଆରମ୍ଭ କରି ଭାରତ ସଭ୍ୟତାରେ ଅନେକ ପାନୀୟ ଯଥା ମାଧବିକ (ଦ୍ରାକ୍ଷା ରସ), ଗୁଡି (ରମ୍) ଓ ତାଳ (ତାଡି) ପ୍ରଭୃତି ସ୍ପିରିଟ୍ ଜାତୀୟ ପାନୀୟର ଜାରଣକ୍ରିୟା ଉଦ୍ଭାବନ ହୋଇଥିଲା ଓ ଏହାର ଏକ ଧାର୍ମିକ ଅନୁସଙ୍ଗର ଆବଶ୍ୟକତା ସବୁବେଳେ ରହୁଥିଲା । ଯଜ୍ଞାନୁଷ୍ଠାନ ପରେ ପୁରୋହିତ ବର୍ଗ ଓ ସର୍ବସାଧାରଣ ସୋମରସ ପାନ କରୁଥିଲେ ।ସୋମରସକୁ ପାନ କରାଯାଇଥାଏ ଲହୁଣି, ଦହି, ଦୁଧ ଏବଂ ଭଜା ବା ଶୁଖିଲା ଖାଦ୍ୟଦ୍ରବ୍ୟର ସହିତ ।

ପରବର୍ତ୍ତି ବୈଦିକ ଯୁଗରେ ସୋମ ଶବ୍ଦଟି ଅଧିକ ପ୍ରହେଳିକା ପୂର୍ଣ୍ଣ ହୋଇଉଠିଲା । ଛଅ ପ୍ରକାରର ପାନୀୟ ଭିତ୍ତିରେ ପୃଥିବୀର ଇତିହାସ ଲେଖିଥିବା ଷ୍ଟାଣ୍ଡଏଜ୍ ଙ୍କ ମତରେ ପୃଥିବୀର "ବିଅର୍" ଯୁଗ ପରେ ଆରମ୍ଭ ହୋଇଥିଲା "ସ୍ପିରିଟ" ଯୁଗର । ଭାରତରେ "ସ୍ପିରିଟ" ଜାତୀୟ ପାନୀୟକୁ ସୁରା କୁହାଯାଏ ।

ଖାଦ୍ୟସଙ୍ଗ୍ରହକାରୀ ଆର୍ଯ୍ୟଟି ଖାଦ୍ୟ ଉତ୍ପାଦନକାରୀ ଆର୍ଯ୍ୟରେ ପରିଣତ ହୋଇଗଲା ପରବର୍ତ୍ତି ବୈଦିକ ଯୁଗରେ । ଅନେକ ଅବଧାରଣାର ପରିବର୍ତ୍ତନ ହୋଇଗଲା । ସୋମରସ ବନାମ ସୁରାର ସଙ୍ଘାତ ଆମର ସାମାଜିକ ଜୀବନକୁ ପ୍ରଭାବିତ କରିଥିଲା ।ମହର୍ଷି ମନୁ "ସୁରାପାନେ ସୁରାଧ୍ୱଜ" ବୋଲି ବିଧାନଟିଏ କରିଥିଲେ । ଆମଭଳି ସେହି ସୁରାଧ୍ୱଜ ମାନଙ୍କ କଥା ଆଉ ଟିକିଏ ପରେ ।

ବି.ଦ୍ର.: ଏଇ ଲେଖାଟି ଆମର ପ୍ରିୟ କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡାଙ୍କୁ ନିବେଦିତ । ଶ୍ରୀଯୁକ୍ତ ପଣ୍ଡାଙ୍କ ଗୋଟିଏ କାନ୍ଥ-ଲେଖ ପରେ ମୁଁ ଏହି ବିଷୟରେ କିଛି ପଢିବା ପାଇଁ ଆଗ୍ରହୀ ହୋଇଥିଲି।

No comments:

Post a Comment