ଇତିହାସ ଓ ସ୍ମୃତି ମଧ୍ୟରେ: ରବୀନ୍ଦ୍ର କୁମାର ସ୍ୱାଇଁଙ୍କ କବିତା
ସମୀକ୍ଷାତ୍ମକ ପ୍ରବନ୍ଧଟିର ଅନୁବାଦକ - ବିଶ୍ୱଜିତ ଆପଟ
ରବୀନ୍ଦ୍ର କୁମାର ସ୍ୱାଇଁ । ୨୦୦୮। 'ସୁସୁରଶ୍ ଇନ୍ ଦ ସ୍କଲ୍' । ନୂଆ ଦିଲ୍ଲୀ: ଅଥର୍ସ୍ ପ୍ରେସ୍ । ପୃଷ୍ଠା: ୬୮ । ମୂଲ୍ୟ: ୧୦୦ ଟଙ୍କା ।
ରବୀନ୍ଦ୍ର କୁମାର ସ୍ୱାଇଁ । ୨୦୦୨ । 'ସିିଭିଅର୍ଡ୍ କର୍ଡ୍' । ନୂଆ ଦିଲ୍ଲୀ: ଇଣ୍ଡିଆଲୋଗ୍ ପବ୍ଲିକେଶନ୍ସ୍ ପ୍ରା. ଲି. । ପୃଷ୍ଠା ସଙ୍ଖ୍ୟା ୭୦ । ମୂଲ୍ୟ: ୧୨୦ ଟଙ୍କା ।
ଆମ
ଦେଶରେ ଇଂରାଜୀରେ କାହାଣୀ ଓ
ଉପନ୍ୟାସ ଲେଖୁଥିବା ଭାରତୀୟ
ଲେଖକମାନେ ପ୍ରାୟତଃ ସମୀକ୍ଷକୀୟ
ଓ ପାଠକୀୟ ଧ୍ୟାନ ଆକର୍ଷଣ କରିବାରେ
ସଫଳ ହୁଅନ୍ତି । ଏଭଳି ଅବସ୍ଥାର
ଫଳ ସ୍ୱରୂପ ଇଂରାଜୀରେ କବିତା
ଲେଖୁଥିବା ଭାରତୀୟ ଲେଖକମାନେ
ଅପେକ୍ଷାକୃତ ଭାବେ ଅଣଦେଖା ହୋଇ
ରହିଯାଇଛନ୍ତି । ଦଳେ ସାହିତ୍ୟିକଙ୍କୁ
ଆଉ ଦଳେ ସାହିତ୍ୟିକଙ୍କ ସହ ଯୁଝାଇବା
ପାଇଁ ଏ କଥା ଆମେ କହୁନାହୁଁ । ଅନେକ
ସମୟରେ ଜଣେ ସାହିତ୍ୟିକଙ୍କର ଗଳ୍ପ ଓ ଉପନ୍ୟାସକୁ ନେଇ ପାଠକ ତଥା
ପଣ୍ଡିତ ମହଲରେ ଉତ୍ସବ ଚାଲିଥିଲା
ବେଳେ ତାଙ୍କର କାବ୍ୟିକ ରଚନା
ଉପେକ୍ଷିତ ହେଉଥାଏ । ଉଦାହରଣ
ସ୍ୱରୂପ, ସମ୍ପୂର୍ଣ୍ଣ
ଚାଟାର୍ଜୀ ଓ ଅଞ୍ଜୁମ ହସନଙ୍କ
ଭଳି ସାହିତ୍ୟିକ ସେମାନଙ୍କର
ପ୍ରଥମ ଉପନ୍ୟାସ ପ୍ରକାଶନ ପରେ
ହିଁ ଲୋକଲୋଚନକୁ ଆସିଛନ୍ତି (
ଯଦି
ନୈଷ୍ଠିକ କବିତାପ୍ରେମୀଙ୍କୁ
ବାଦ ଦିଆଯାଏ) ।
ଭାରତୀୟ
ଇଂରାଜୀ କବିତା ତ ସାଧାରଣତଃ
ଉପେକ୍ଷିତ । କିନ୍ତୁ
ଓଡିଶା ପରି ଅଞ୍ଚଳରୁ
ଆସୁଥିବା କବିମାନେ ବିବିଧ ଐତିହାସିକ
ଓ ସମାଜତାତ୍ତ୍ୱିକ କାରଣ ଯୋଗୁଁ
ପାଠକୀୟ ଧ୍ୟାନ ପାଇବାରୁ ବଞ୍ଚିତ
ହୋଇଛନ୍ତି । ଏମିତି ଜଣେ କବି
ହେଉଛନ୍ତି ରବୀନ୍ଦ୍ର କୁମାର
ସ୍ୱାଇଁ, ଯାହାଙ୍କର କବିତାର ଉଚିତ
ଚର୍ଚ୍ଚା ହୋଇପାରି ନାହିଁ । ତାଙ୍କ
କବିତାର ଚର୍ଚ୍ଚା କେବଳ ଆଞ୍ଚଳିକ
ପ୍ରତିନିଧିତ୍ୱ ଦୃଷ୍ଟିରୁ
ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏ
ସମୀକ୍ଷାର ପରିସରଭୁକ୍ତ ବହି
ଦୁଇଟି ପ୍ରମାଣ କରନ୍ତି ଯେ, ତାଙ୍କ
ପରି କବିଙ୍କର କବିତାର ଚର୍ଚ୍ଚା
ଭାରତୀୟ ଇଂରାଜୀ କବିତା ଓ ଏହାର
ସମୀକ୍ଷା ସାହିତ୍ୟକୁ ଋଦ୍ଧିମନ୍ତ
କରିବ ।
ଶ୍ରୀଯୁକ୍ତ
ସ୍ୱାଇଁଙ୍କ କବିତାର ସବୁଠାରୁ
ବେଶୀ ମର୍ମଭେଦୀ ଦିଗଟି ହେଉଛି
ତାଙ୍କ ନିଜ ସାମାଜିକ ଓ ସାଂସ୍କୃତିକ
ପରିବେଶକୁ ନେଇ ଏକ ସହଜ ଓ ସରଳ
ଦୃଷ୍ଟିଭଙ୍ଗୀ । ଏ ଜଗତଟି ଯେ
ଉପାନ୍ତ, ତାହାକୁ ନେଇ ସେ କେବେ ବି ଗମ୍ଭୀର ନୁହଁନ୍ତି । ଏଣୁ ତାଙ୍କ
କବିତାରେ ତାଙ୍କର ଦୁନିଆ ଏକ
ସ୍ୱଚ୍ଛନ୍ଦ ସ୍ୱପ୍ନ ପରି ଦୃପ୍ତ ପାହୁଣ୍ଡ ପକାଇ ଉତୁରି ଆସେ ।
ଯେମିତିକି ତାଙ୍କର ‘ଦ ପ୍ଲାଇଟ୍
ଅଫ୍ ଗଡସ୍’ କବିତାରେ ଆମେ ‘ଭକ୍ତି’
ର ଏକ ମଧୁର ଶ୍ଲେଷାତ୍ମକ ବର୍ଣ୍ଣନା ପାଉ
।
କାରଣ,
ଯେତିକି
ବା ଜଣା ଅଛି
ଜଣେ
ନିଜ ଆଖି ଦୁଇଟିରୁ ଗୋଟିଏ
ତାଡି
ଯାଚି ଦେଇଥିଲେ
ଗୋଟିଏ
ପଦ୍ମ ଅଭାବ ହେବାରୁ
ପୂଜା
ପାଇଁ ଲୋଡାଥିବା
ଶହେ
ଆଠ ପଦୁଅଁ ଭିତରୁ ।
(ସ୍ୱାଇଁ
୨୦୦୮: ୧୨)
ଏ
ପରିପ୍ରେକ୍ଷୀରେ ନହେଲେ ‘ସିଭିଅର୍ଡ଼୍ କର୍ଡ଼୍’ ଶୀର୍ଷକ କବିତାର ଏହି ଅଂଶ
ପଢନ୍ତୁ ଯେଉଁଥିରେ ପୁରୀରୁ
ଫେରୁଥିବା ଜଣେ ତୀର୍ଥଯାତ୍ରୀର
ଅନୁଭବ ବର୍ଣ୍ଣନା କରାଯାଇଛି -
ଘରେ
ପହଞ୍ଚି,
ତୁମେ
ମୁହଁପୋତି ଜଣାଅ,
ଭଗବାନ
ପୁରୀରେ ଦିଶିଲେ ନାହିଁ,
ବରଂ,
ଦିଶିଲା
କଖାରୁ
ଲଟାରେ ଘୋଡି ହୋଇଥିବା
ଛପର
ଓ ଛାତ
ଆଉ
ଏକର ଏକର
ପଡିଆ
ପଡିଥିବା ଜମି ।
(ସ୍ୱାଇଁ
୨୦୦୨: ୧୯)
କାବ୍ୟିକ
ପଦ ସବୁ ଯୋଡି କୌଣସି ବିଚିତ୍ର
ଦେଶୀପଣ ସୃଷ୍ଟି କରିବାର ଅପଚେଷ୍ଟା
ନାହିଁ । କିନ୍ତୁ କବିତାରେ କୌଣସି
ନିର୍ଦ୍ଦିଷ୍ଟ ଦେଶୀୟ,
ସାଂସ୍କୃତିକ
ଅନୁଭବ ଉପୁଜାଉଥିବା ଯାହା କିଛି ପ୍ରଭେଦଗୁଡ଼ିକ ରହିଛି, ସେସବୁଥିରୁ ମଧ୍ୟ
କବି ଦୂରେଇ ଯିବାକୁ ଅଭିଳାଷୀ
ନୁହଁନ୍ତି । ବୋଧହୁଏ ଶ୍ରୀଯୁକ୍ତ
ସ୍ୱାଇଁଙ୍କ କବିତ୍ୱର ଏହା ହିଁ
ସବୁଠାରୁ ଆକର୍ଷକ କଥା ।
ଏ
ଦୁଇଟି ବହିରେ ସ୍ଥାନିତ କବିତାଗୁଡିକର
ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ
ହେଲା କବିତାଗୁଡିକ ସମୟ,
ସ୍ମୃତି
ଓ ଇତିହାସ ମନସ୍କ । ଭାରତରେ
ଇତିହାସକୁ ନେଇ ଯେଉଁ ବିଚାର-ବିମର୍ଶ
ରହିଛି ତାହା ସବୁବେଳେ ‘ବର୍ଣ୍ଣନା’ ବନାମ ‘ତତ୍ତ୍ୱ’ର
ଢାଞ୍ଚା ନେଇଛି । ଶ୍ରୀଯୁକ୍ତ
ସ୍ୱାଇଁ ନିଜ କବିତାରେ ଆମର ଅତୀତକୁ
ବୁଝିବାର ପ୍ରକ୍ରିୟାକୁ ‘ଇତିହାସ’
କବଳରୁ ମୁକ୍ତ କରିବାକୁ ଚେଷ୍ଟା
କରିଛନ୍ତି ଓ ଆମର ସମସାମୟିକତାକୁ
ଆମର ସାମୂହିକ ଅତୀତର ଏକ ସାକ୍ଷୀ
ରୂପେ ବ୍ୟବହାର କରିଛନ୍ତି । ‘ଆନ୍
ଏମୋଫର୍ସ୍ ଟାଇମ୍’ ଶୀର୍ଷକ କବିତାର
ନିମ୍ନଲିଖିତ ଏହି କେତୋଟି ଧାଡିକୁ
ବିଚାରକୁ ନିଅନ୍ତୁ -
ଆସନ୍ତା
କାଲି ହୁଏତ
ଆଉ
ଏକ ପିଲା ଲମ୍ଫ ଦେଇପାରେ
ତା’
ବାପା ତୋଳିଥିବା ଦେଉଳ ଉପରୁ ।
ଘୁଞ୍ଚି
ଚାଲିଥିବା ସମୁଦ୍ରକୁ ଓ
ତା’
ମୃତ୍ୟୁର କୋଳକୁ,
ପ୍ରମାଣ
କରିବା ପାଇଁ
ତା’
ବାପା ଯାହାକିଛି କରିଗଲେ,
ବୃଥା
ନଥିଲା ।
କିଛି
ନହେଲେ ବି ଏହା ଟାଣି ନେଲା ତାକୁ
ବାପାଙ୍କ
ପାଖକୁ;
ନିଜ
ଆଖିରେ ଦେଖିବା ପାଇଁ
ଏକ
ବାଳକର ଉଚ୍ଚତାରୁ
କୀର୍ତ୍ତିର
ତେଜ ।
ମୂଲ୍ୟ, ଆଦର୍ଶ ଓ ବର୍ତ୍ତମାନ ବୋଲି ଉତ୍ତରାଧିକାରରେ
ପାଇଥିବା
ଜିନିଷ
ସବୁ ଗହଣରେ କଳଙ୍କର ଆଭାସ
ଓ
ବଞ୍ଚିବାକୁ
ଯାହା
ଯେମିତି ମିଳିଥିବା ଜୀବନ ତା’ର ।
ଆଉ
ଶେଷରେ,
ସନ୍ତୋଷରେ
ତେଜିବାକୁ ଜୀବନ,
ବାପାଙ୍କର
ଉପଯୁକ୍ତ ଦାୟାଦଟିଏ ହୋଇ ।
(ସ୍ୱାଇଁ
୨୦୦୨: ୪୯)
ଏହି
ଧାଡିଗୁଡ଼ିକ ବାଳକ ଧର୍ମପଦର ବଳିଦାନର
କଥା କୁହନ୍ତି । ସେ କୋଣାର୍କରେ
ସୂର୍ଯ୍ୟ ମନ୍ଦିର ଗଢିଥିବା ତା’ର
ବାପା ଓ ଅନ୍ୟ ଶିଳ୍ପୀଙ୍କ ପ୍ରାଣ
ରକ୍ଷା ପାଇଁ ବଙ୍ଗୋପ ସାଗରକୁ
ଡେଇଁ ପଡିଥିଲା । ଆମ ଆଲୋଚନାର
ସନ୍ଦର୍ଭରେ କଥା ହେଲା,
ଏ
ଧାଡିଗୁଡିକ ସମସାମୟିକ ଘଟଣାବଳୀର
ସାକ୍ଷ୍ୟ ବହନ କରୁଥିବା ଏକ କବିତାର
ଶେଷ ଅଂଶ ।
ତାଙ୍କ
କବିତା ଦୈନନ୍ଦିନ ଓ ବ୍ୟକ୍ତିଗତ
କଥାଗୁଡିକୁ ବର୍ଣ୍ଣନ କରେ ।
ବର୍ଣ୍ଣନାକାର (ଯିଏ
କି ଅନେକ ସମୟରେ କବି ନିଜେ ହିଁ)
ସେତେବେଳେ
ସଫଳ ହୁଅନ୍ତି, ଯେତେବେଳେ ସେ
ସାଜନ୍ତି ପୀଢିମାନଙ୍କ ଭିତରେ ସେତୁ, ଆଉ ଏପରି ଏକ ଉପସ୍ଥିତି
ଯେଉଁଥିରେ ଅତୀତ ଓ ଭବିଷ୍ୟତ ଏକାଠି
ହୁଅନ୍ତି । ନିମ୍ନରେ ଦିଆଯାଇଥିବା
ଉଦ୍ଧୃତିଗୁଡିକ ଏହାର ଉଦାହରଣ ଭାବରେ ଦେଖାଯାଇପାରେ ।
ଭସେଇବା
ପାଇଁ ପୁଅମାନଙ୍କର କାଗଜ ନାଆ
ବର୍ଷା
ପାଣିକ କାଦୁଆ ସୁଅରେ
ଗାଁ
ରାସ୍ତାରେ
ବାପାମାନେ
ସଦାକାଳେ ଗରିବ ହୋଇ ରହିଥିବେ ।
(ସ୍ୱାଇଁ
୨୦୦୨: ‘ସନସ୍
ଆଣ୍ଡ୍ ଫାଦର୍ସ୍’,
୧୬)
ବାପା,
ଦୁଇ
ବର୍ଷ ବିତିଲାଣି
ତୁମେ
ଗଲା ଦିନୁଁ,
ଆଉ
ମୋ ରାତିଗୁଡା ଏବେବି
ତୁମ
ଉଜ୍ଜ୍ୱଳ ମୁହଁରେ ଆଲୋକିତ ।
ମୁଁ
ଏବେ ଯାଏଁ ପଚାରି ନାହିଁ ନିଜକୁ
ଏଇଟା
ମୋ ଅପରାଧର ଜୁଳୁଜୁଳିଆ ପୋକ ନା
ତୁମ
ସ୍ନେହର ବତୀଘର ।
ମୋ
ଝିଅ ଭଲଭାବେ ଜାଣେ ତୁମକୁ
ହେଲେ
ମନେପକାଇ ପାରେନା ତୁମ ମୁହଁ ।
ତା’
ଦ୍ୱନ୍ଦ ମୋ’ଠାରେ ନାହିଁ ନିଶ୍ଚୟ,
ହେଲେ
ତା’ ପ୍ରଶ୍ନ,
‘ତୁମେ
ତାଙ୍କଠାରୁ କ’ଣ ଶିଖିଥିଲ?’
ମୋ
ପାଇଁ ଏକ ଦର୍ପଣ
ମୁହଁର
ଏତେ ପାଖରେ ଯେ
କିଛି
ଦିଶୁ ନାହିଁ ।
(ସ୍ୱାଇଁ
୨୦୦୮ : ‘ମିରର୍
ଠୁ କ୍ଲୋଜ ଟୁ ଦ ଫେସ୍’,
୧୭)
ଶ୍ରୀଯୁକ୍ତ
ସ୍ୱାଇଁଙ୍କର କବିତାବଳୀ ପ୍ରକୃତ
ପକ୍ଷେ କବିତା ଲିଖନ ଉପରେ ଆତ୍ମମନନଶୀଳ
। ଏହାର ମାନେ ନୁହେଁ ଯେ ଏ ବହି
ଦ୍ୱୟରେ ଥିବା କବିତାଗୁଡିକ କେବଳ
କବିତା ଲିଖନର କଳା ଉପରେ ହିଁ ଧ୍ୟାନରତ
। କବିତା ଲେଖିବା ଓ ପଢିବାର ଅନୁଭବକୁ
ଆମ ଜୀବନର ବିଭିନ୍ନ ଦିଗକୁ ବୁଝିବାର
ଏକ ମାଧ୍ୟମ ରୂପେ କବି ବ୍ୟବହାର କରନ୍ତି । ପାଠକଙ୍କର ବିଚାର ପାଇଁ କେତୋଟି
ଧାଡି ଦିଆଗଲା:
ସେମାନେ
ନିଦରେ ଚିରୁଥିବେ ରାତିକୁ
ସତେକି
ଏହା ଏକ
ସେମାନଙ୍କୁ
ଭଲ ନଲାଗୁଥିବା କବିତା ।
(ସ୍ୱାଇଁ
୨୦୦୮: ‘ଅଲ୍
ଦ କ୍ରେଭିଙ୍ଗସ୍’,
୨୫)
ତୁମକୁ
ନ ଡାକି ଚାଲିଆସନ୍ତି ସେମାନେ:
ଗଛରେ
ଫୁଲମାନେ,
ବାକ୍ୟ
ମଝିରେ ବିରାମ,
ଆଉ
ବେଳେ ବେଳେ
ଲମ୍ବା
ଲମ୍ବା ଅପ୍ରାସଙ୍ଗିକ ବାକ୍ୟମାନେ
ଓ
ଏକ ଅବୁଝା ସ୍ତ୍ରୀ ।
(ସ୍ୱାଇଁ
୨୦୦୨: ‘ଦ
ୱାଟର କୋର୍ସ’, ୨୪)
କେବେ
ଦିନେ ଜଣକୁ ଘୋଷଣା କରିବାକୁ ହେବ,
ସେ
ଗୋଟେ ଅନାଥ କବିତାର ଏକାକୀ ପିତା
।
(ସ୍ୱାଇଁ
୨୦୦୨: ‘ୱାନ୍
ଡେ’, ୫୨)
ଏହି
ଉଦ୍ଧୃତାଂଶଗୁଡିକ ଶ୍ରୀଯୁକ୍ତ
ସ୍ୱାଇଁଙ୍କ କବିତାର ଅନ୍ୟ ଏକ
ବିଶେଷ ଦିଗ ପ୍ରତି ଆଲୋକପାତ
କରନ୍ତି । ସେଇଟି ହେଲା ଏପରି
ଧାଡିମାନ ରଚିବାର ତାଙ୍କ କୌଶଳ
ଯେଉଁ ଧାଡିଗୁଡିକ ଶୀରକେନ୍ଦ୍ର ଦେଇ ଦେହରେ ପ୍ରବେଶ କରିଯାଆନ୍ତି ଓ ମୁଣ୍ଡ
ଭିତରେ ବସା ବାନ୍ଧନ୍ତି । ଏଠି କେତୋଟି ଉଦାହରଣ ଦେଖିବା ଚାଲନ୍ତୁ ।
ଅନ୍ଧକାରରେ
ହିଁ
ତୁମେ ତୁମ ନିଜ ଜାତିର ଆଲୋକ ଖୋଜ,
ଯେପରି ଗୋଟିଏ ଅଜନ୍ମା ଶିଶୁର ଗର୍ଭରେ ।
(ସ୍ୱାଇଁ ୨୦୦୨: 'ଗ୍ରେସ ଅଫ୍ ଡାର୍କ୍ନେସ୍', ୧୫)
.... ଯେମିତି
ତୁମେ ମୋତେ ଚାହିଁଲ
ମନେ
ହେଲା ମୁଁ ହେଉଛି ବାସ୍ତବତା
ଓ
ତୁମ ଚାହାଣୀ ଏହାକୁ ଦେଖିବାର
ଅନ୍ୟତମ
ବାଟ ।
(ସ୍ୱାଇଁ
୨୦୦୮: ‘ମାଇ
ୱେଡିଙ୍ଗ୍ ନାଇଟ୍’,
୪୭)
ଇନ୍ଦ୍ରଧନୁଗୁଡା
ପିଲାଙ୍କ ପ୍ରାର୍ଥନା ଅଟନ୍ତି...
ପିଲାମାନେ
ଯଦି କେବେ କାହା ପକ୍ଷରେ,
ତେବେ
ସେମାନେ ଦେବତାଙ୍କ ପକ୍ଷଭୁକ୍ତ:
କାରଣ
ଦେବଗଣ ସଦାକାଳେ ବାଳୁତ ।
(ସ୍ୱାଇଁ
୨୦୦୮ : ‘ଚିଲଡ୍ରେନ୍ସ
ସିକ୍ରେଟସ୍’, ୬୬)
ଅବଶ୍ୟ ଏହି କବିତାଗୁଡ଼ିକରେ କିଛି ବିସଙ୍ଗତି ମଧ୍ୟ ରହିଛି ।
ଗୋଟିଏ ବା ଦୁଇଟି ଜାଗାରେ ପଦ ରଚନା
ଉପରେ କବିଙ୍କ ନିୟନ୍ତ୍ରଣ ଟିକେ
ଢିଲା ମନେ ହୁଏ । ଯେତେବେଳେ
ଶ୍ରୀଯୁକ୍ତ ସ୍ୱାଇଁ ସମସାମୟିକ
ଘଟଣା ଉପରେ ସିଧା କିଛି କହୁଛନ୍ତି
(ଯେପରିକି
୧୯୯୯ ଅକ୍ଟୋବରରେ ଓଡିଶା ଉପକୂଳକୁ
ମାଡିଆସିଥିବା ମହାବାତ୍ୟା ବିଷୟରେ), କବିତାଗୁଡିକ
ପଥହରା ହୋଇଯାଇଛନ୍ତି ଓ ଏଣେତେଣେ
ଧାଇଁଛନ୍ତି । କିନ୍ତୁ ସେମିତି
କବିତା ମାତ୍ର ଅଳ୍ପ କେତୋଟି ଯେ
ଦୁଇ ହାତରେ ଗଣିଦେଇ ହେବ । ମୋଟାମୋଟି
କହିବାକୁ ଗଲେ ବହି ଦୁଇଟିର
କବିତାଗୁଡିକ ଖୁବ ସୁନ୍ଦର ଭାବେ
ଆମ ଅନୁଭବର କଥା କହିଛନ୍ତି ।
ଇଣ୍ଡିଆଲୋଗ୍ ଓ ଅଥର୍ସ୍ ପ୍ରେସ୍ ଏ
ଦୁଇଟି ବହିର ପ୍ରକାଶନ ପାଇଁ
ଅଭିନନ୍ଦନର ପାତ୍ର, ଯଦିଓ ‘ସୁସୁରଶ୍
ଇନ୍ ଦ ସ୍କଲ୍’ ବହିଟିର ମଲାଟ
ବହିରେ ଥିବା କବିତାମାନଙ୍କ ପ୍ରତି
ନ୍ୟାୟ କରିପାରିନାହିଁ ।
ବି.ଦ୍ର. ଏହି ଲେଖାଟି ପ୍ରଥମେ ଇଂରାଜୀ ଅନ୍ଲାଇନ୍ ସାହିତ୍ୟ ପତ୍ରିକା 'ମ୍ୟୁଜ୍ ଇଣ୍ଡିଆ'ର ୨୮ ନମ୍ବର ସଂଖ୍ୟାରେ ୨୦୦୯ ମସିହାରେ ଛପାଯାଇଥିଲା ।
ବି.ଦ୍ର. ଏହି ଲେଖାଟି ପ୍ରଥମେ ଇଂରାଜୀ ଅନ୍ଲାଇନ୍ ସାହିତ୍ୟ ପତ୍ରିକା 'ମ୍ୟୁଜ୍ ଇଣ୍ଡିଆ'ର ୨୮ ନମ୍ବର ସଂଖ୍ୟାରେ ୨୦୦୯ ମସିହାରେ ଛପାଯାଇଥିଲା ।
No comments:
Post a Comment