ପିଲାଙ୍କ ଗୀତ - 'ବକବନ୍ଧୁ'
ଭିକାରୀ ଚରଣ ପଟ୍ଟନାୟକ (୧୮୭୭-୧୯୬୨)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଦେଖ ଦେଖ ଭାଇ ସରୋବର ତୀରେ
ବସିଅଛି ପକ୍ଷୀ ଏକ
କେଡ଼େ ଧୀର ସ୍ଥିର ସୁଶୀଳ ମୂରତି
ଟେରି ରଖିଅଛି ବେକ ।
ଧୋବ ସରସର ସୁନ୍ଦର ଶରୀର
ଚକ୍ଷୁକାନ୍ତି ସୁନିର୍ମଳ
କେଡ଼େ ସାଧୁପଣେ ଅନାଇ ରହିଛି
ନ ହୁଅ ହଲଚଲ ।
ମୀନଗଣେ ଡାକି 'ଭାଇଭାଇ' ବୋଲି
କହୁଅଛି କଅଁଳରେ
"ଏତେ କଷ୍ଟ ସହି ବୁଡ଼ି ରହିଅଛ
କାହିଁ ପାଇଁ ଏ ଜଳରେ ?
ତୁମ୍ଭ ଦୁଃଖେ ଦୁଃଖୀ ହୋଇ ମୁଁ ଆସିଛି
ବସିଛି ତୁମକୁ ଚାହିଁ
ବନ୍ଧୁ ମୁଁ ତୁମ୍ଭର ତୁମ୍ଭ ସଙ୍ଗେ ଥରେ
ଆଲିଙ୍ଗନ ଟିକେ ପାଇଁ ।"
ମୀନଗଣ ଶୁଣି ବୋଲନ୍ତି ଉତ୍ତର
"କ୍ଷମାକର ଭାଇ ବକ,
ଜାଣୁ ଆମ୍ଭେ, ତୁମ୍ଭେ ବକ ନୁହଁ ଏକ
ଧୋବ ଧାଉଳିଆ ଠକ ।
ବସିଅଛ ତୁମ୍ଭେ ମଉନ ମୁହଁରେ
ଉପରକୁ ଟେକି ଥଣ୍ଟ
ବାବାଜୀ ବେଶଟା ଧରିଛ ତୁଚ୍ଛାକୁ
ଗୋଟିଏ ପୁରୁଣା ଖଣ୍ଟ ।
ଉପରଟି ସଫାସୁତୁରା ତୁମ୍ଭର
ଭିତରେ କୂଟ ବିଚାର
ତୁମ୍ଭ ପରି ଯେତେ ଠକଙ୍କୁ ଆମ୍ଭର
ଦୂରରୁ କୋଟି ଜୁହାର ।"
No comments:
Post a Comment