୧୯୨୦ ଦଶକରେ ମୟୁରଭଞ୍ଜର ଶୀର୍ଷା ସ୍କୁଲ୍ ମେସ୍ ର ଜୀବନ
ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସଂଗୃହିତ
ନିଜ ଗାଁ ପାନ୍ଧଡାର ପ୍ରାଥମିକ ବିଦ୍ୟାଳୟରେ
ପାଠ ପଢା ସରିଲା ; ‘ ଭୋଳା ଶତପସ୍ତି’ଙ୍କର
ପୁଅ ବସନ୍ତ ବାବୁ ଇଉ.ପି. ପରୀକ୍ଷାରେ ମୟୁରଭଞ୍ଜ ରାଜ୍ୟରେ ପ୍ରଥମ
ହୋଇ ମାସକୁ ପାଞ୍ଚ ଟଙ୍କାର ବୃତ୍ତି ପାଇଲେ । ସେ
ସମୟରେ ପାଞ୍ଚ ଟଙ୍କା କିଛି କମ୍ ନ ଥିଲା ; ମାତ୍ର ପାଠପଢା ଥିଲା ଭାରୀ ମହରଗିଆ । ଘରେ
ବିଚାର ପଡିଲା ଯେ ମାଇନର ପଢିବା ପାଇଁ ପୁତ୍ରମଣି ଯିବେ କୁଆଡେ – ଶୀର୍ଷା ନା ବାରିପଦା ।
ଶୀର୍ଷାରେ ଖରଚ ହେବ ଟଙ୍କା ସାତଟି ; ବାରିପଦାର ଇସ୍କୁଲ୍ ଟାଣିବ ଦଶ ଟଙ୍କା ମାସକୁ । ଘରର ଆର୍ଥିକ
ପରିସ୍ଥିତିକୁ ଚାହିଁ ସ୍ଥିର ହେଲା ଯେ ସେ ଯିବେ ଶୀର୍ଷା : ଇଆଡେ
ବଡମାନେ ନିଷ୍ପତ୍ତି ନେଲେ ଓ ସିଆଡେ ବୃତ୍ତିଧାରୀ ବୋବାଳି ଛାଡିବା ଆରମ୍ଭ କଲେ ।
ଏକେ ତ
ଶୀର୍ଷାରେ କେହି ଚିହ୍ନାଜଣା ନ ଥିଲେ ; ବାରିପଦାରେ ଥିଲେ ପାନ୍ଥଡାର ହରି, ଶିରୀଷ, ନାରଣ ଓ ପଦୁ
ଇତ୍ୟାଦି । ଶୀର୍ଷାର ହେଡ୍ ମାଷ୍ଟର ରଘୁନାଥ ରଣାକୁ କୁଆଡେ ଗରଭିଣୀ ଗାଇ ବାଟ ଛାଡିଦିଏ । ମାଡ ମାରିବାରେ ସେ ଓସ୍ତାଦ ଥିଲେ ; ‘ ରଣା’
ସେତେବେଳକୁ ଗୋଟାଏ ପିଲାର ମୁଣ୍ଡରେ ସିଲଟ ଭାଙ୍ଗି ଛାତ୍ରବଧ ପୂଣ୍ୟ ଅର୍ଜନ କରିସାରିଥାଏ ।
ବସନ୍ତ ବାବୁଙ୍କର ଭେମ୍ବାରଡିର ଏହାଥିଲା ପ୍ରେକ୍ଷାପଟ । ଶେଷକୁ ପାନ୍ଥଡାର ହେଡ୍ ମାଷ୍ଟରଙ୍କୁ
ପଚରାଗଲା, ସେ ମଧ୍ୟ ଶୀର୍ଷା ସପକ୍ଷରେ ମତ ଦେଲେ ।
ଅତଏବ୍, ବସନ୍ତ ବାବୁ ଉଣେଇଶି ପଚିଶି ସାଲ୍ ର ମାର୍ଚ୍ଚ୍
ଦୁଇ ତାରିଖ ଦିନ ଭିଡା ହୋଇଗଲେ ଶୀର୍ଷା : ଏହି ଦିନ ଯୁକ୍ତରାଜ୍ୟ ଆମେରିକାର ହାଇୱେ
ବ୍ୟବସ୍ଥାର ଆନୁଷ୍ଠାନିକ ଉଦ୍ଘାଟନ ହେଲା; ଯଦିଓ ବସନ୍ତ ବାବୁ, କିମ୍ବା ତାଙ୍କର
ବାପା ‘ଭୋଳା ଶତପସ୍ତି’
କିମ୍ବା ରଣା, କେହି ମଧ୍ୟ ଏ ବିଷୟରେ ଜାଣିଥିବାର ସମ୍ଭାବନା କମ୍ । ଯାତ୍ରା ନିମନ୍ତେ ସଜିଲ୍
ହୋଇଥିଲା ବାଉଁଶର ପେଡି – ପେଡିରେ ରହିଲା ମୁଢି,
ଚୁଡା, ଚେନି, ଉଇଲ୍ ପିଆଜ ଆଉ ବିଡାଏ ଶାଳ ଦାନ୍ତକାଠି । ସାଥିରେ ଗଲା କନ୍ଥାଟିଏ, ଝୋଟବୁଣା
ସତରଞ୍ଜି ଗୋଟିଏ, କଂସା ଥାଳି, ପିତଳ ବେଲା, ଗୋଟିଏ ଧୋତି ଆଉ ଦାନୁଆ ଗାମୁଛାଟିଏ । ଯାତ୍ରା
ପାଇଁ ବାବୁ ପିନ୍ଧିଥିଲେ, ତିନି ପିସ୍ତଲ୍ ମାର୍କା ବାଇଗଣୀ ଧଡିବାଲା ଛଅ-ଗଜିଆ ଧୋତି ଆଉ ତାହା
ସହିତ ବେକ-ବନ୍ଦ୍ ହାଟୁଆ, ରେଡିମେଡ୍ କୋଟ୍ ; ଗେଞ୍ଜି ନାହିଁ କି ସାର୍ଟ୍ ନାହିଁ। ହାତରେ ରୂପାର ବଳା । କାନରେ ନୀଳ ରଙ୍ଗର କାଚ ଜଡିତ
ସୁନାର ଫୁଲ । ଆଙ୍ଗୁଠିରେ ରୂପାର ମୁଦି । ପାଦ ଲଙ୍ଗଳା ।
ସ୍କୁଲ୍ ରେ ପହଞ୍ଚି ନାଁ ଲେଖେଇ ସାରିଲା ପରେ
ବାପା ଭାଇ ଘର ଛାଡି ଗଲା ବେଳକୁ ବସନ୍ତ ବାବୁଙ୍କର ଭେମ୍ବାରଡି । ସେଦିନ ରାତିର ଭୋଜନ ହେଲା
ବାରପ୍ରକାରର ମିଶାମିଶି ଚାଉଳରେ ରନ୍ଧା ଭାତ, ମଶୁରି ଡାଲି ଆଉ ମଟର ଝୋଳ । ତା ପରଦିନ ସକାଳୁ
ଉଠି ଶଉଚ ପାଇଁ ଯିବାକୁ ପଡିଲା ପାଖର ସୁବର୍ଣରେଖା ନଈକୁ । ପାଣି ଯାଇଁ ଶହେ ହାତ ତଳେ । ଗାଧୁଆ,
ଶୌଚ ଓ ବଗିଚା କାମର ପାଣି ପାଇଁ ଏଠାକୁ ଯିବାକୁ ପଡୁଥିଲା । ବସନ୍ତ ବାବୁଙ୍କର ସୌଭାଗ୍ୟକୁ ରଣା
ତାଙ୍କର ଷଷ୍ଠ ଶ୍ରେଣୀ ହୋଇଥିଲା ବେଳେ ହିଁ ବାତରୋଗରେ ମରିଗଲା ଆଉ ତାଙ୍କୁ ଗୋଗଛିଆ ମାଡ ଖାଇ
ସବୁବେଳେ ହନ୍ତସନ୍ତ ହେବାକୁ ପଡିଲା ନାହିଁ । ପିଲାଙ୍କର ଦେହ ଖରାପ ହେଲେ ହେଡ୍ ପଣ୍ଡିତ ବୈଙ୍କୁଣ୍ଠନାଥ
ମିଶ୍ର ବାପା ମାଙ୍କଠାରୁ ବଳି ସେବା ଶୁଶ୍ରୁଷା କରନ୍ତି । ଶୀର୍ଷାରେ ଭଲ ପଢୁଥିଲେ ସୁଦ୍ଧା ତଥା ସହପାଠି ଓ ଶିକ୍ଷକମାନେ ଭଲ ପାଉଥିଲେ ମଧ୍ୟ ଥରେ
ପାନ୍ଧଡା ଆସିଲେ ଶତପଥୀଏ ଆଉ ଶୀର୍ଷାକୁ ନ ଗଡନ୍ତି । ଗଲା ବେଳକୁ ବାଲିଙ୍ଗି ଦେଖେଇଲେ ବାପାଙ୍କର
ଧମକାଣ ଖାଇ ଶେଷକୁ ବିଦାୟ ନିଅନ୍ତି ।
ଶୀର୍ଷାରେ ପଢୁଥିଲା ବେଳେ ବସନ୍ତ ବାବୁ ପ୍ରଥମ
ଥର ପାଇଁ ନାଟକ ଦେଖିଲେ । ଦେଖିଥିବା ପ୍ରଥମ ନାଟକ ଦୁଇଟି ହେଲା ‘କୋଣାର୍କ’ ଓ ‘ପର୍ଶୁରାମ
ମାତୃହତ୍ୟା’। କଳ ଗାଉଣା ବି ପ୍ରଥମ ଥର ପାଇଁ ଶୁଣିଲେ । ହେଲେ ସେଠି ଖାଇବା ପିଇବାରେ ଭାରୀ
ଅସୁବିଧା । ପନିପରିବା କିଛି ମିଳେ ନାହିଁ । ଖାଲି କୁନ୍ଦୁରି,
ବାଇଗଣ ଓ ଆଳୁ । ସକାଳ ଜଳଖିଆ ହେଲା ନିରୋଳା ମୁଢି । ତାହା ପୁଣି ବାସି, ସେମେଟା, ଗନ୍ଧିଆ,
ଯାହାକୁ ବିନା ଦୁଧ ଦହିରେ ଖାଇବାକୁ ପଡେ । ସ୍କୁଲ୍ ଛୁଟି ହେଲାବେଳକୁ ଭୋକ । ହେଲେ ବାଘ ଭଳି
ଭୋକ ସହିତ ଡାଲିପାଣି ଆଉ କୁନ୍ଦୁରି ସିଝା ନଗେଇ ବଗଡା ଭାତ ଖାଇବାକୁ ମନ ଡାକେ ନାହିଁ । ଅନେକ
ସମୟରେ କିଣି ଲଙ୍କା ମରିଚ ସହ ମୁଢି ଆଉ ସୋଲା ଭଜା ଖିଆ ଯାଏ ।
ଶନିବାରେ ଓ ମଙ୍ଗଳବାରେ ଦିନ
ପରମା ଓ ରାଜୁ ଗୁଡିଆ ମିଠେଇ ପସରା ଧରି ଆସନ୍ତି । ସେ ଦିନ ଖାଇବାଟା ଟିକେ ଜମେ । ଦୁଇ ପଇସାରେ
ଯୋଡିଏ ବଡ ବଡ ଜିଲାପି ଡଳଖିଆ ଭାବରେ ଖାଇଦେଲେ ଭାତ ଖାଇଲା ବେଳ ଯାଏଁ ଟାଣି ହୋଇଯାଏ । ପାଞ୍ଚ
ଟଙ୍କା ବୃତ୍ତି ; ସେଥିରୁ ଦୁଇ ଟଙ୍କା ମେସ୍ ଖର୍ଚ୍ଚ, ଟଙ୍କାଏ ଟିଉସନ, ଆଉ
ଟଙ୍କାକର ଜିଲାପି । ମିଠା ଖାଇ ଖାଇ ଶୀର୍ଷା ଛାଡିଲା ବେଳକୁ ଦେହସାରା କାଛୁ । ମାଇନର ସରିଲା ଓ
ତା ପରେ ଶତପଥୀଏ ଯାଆନ୍ତି ବାରିପଦା ହାଇସ୍କୁଲ ପଢା ପାଇଁ । ହେଲେ ତାହା ଆଉ ଏକ ଉପାଖ୍ୟାନ ।
No comments:
Post a Comment