Thursday, September 19, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୩ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ



ଚେସ୍ ଖେଳର ଭାରତୀୟ ଆଦିରୂପ 'ଚତୁରଙ୍ଗ' (ୱିକିମିଡିଆ କମନ୍ସ୍)

ଚାଲେ ଆମ ଚେସ୍ ଖଳ ସବୁ ଦିନ କରୁଣା ପିଣ୍ଡାରେ
ଭବବଳ ଥିଲା ବାଜି, ଜିତି ଗଲି ଗୁରୁଙ୍କ କୃପାରେ ।

ଦୁଇମୁଖୀ ଚାଲ୍ ଦେଲି, ହୋଇଗଲା ରାଜା କିସ୍ତି ମାତ,
କପାଳରେ ଲେଖା ଅଛି ଏଇ ଏବେ ଜୀନପୁର ସତ ।

ଗଜବର ପ୍ରଥମରେ ଆକ୍ରମିଲା ସୈନୀକ ସମୂହ,
ରଣକ୍ଷେତ୍ରୁ ନିମିଷକେ ପାଞ୍ଚ ଜଣ ହୋଇଗଲେ ଦାହ ।

ରାଜନକୁ ଅବଶେଷେ ମନ୍ତ୍ରୀ ଦ୍ୱାରା କରି ଦେଲି ଗ୍ରାସ,
ଭବବଳ ଜିତି ଗଲି ନାହିଁ ମୋର ଆଉ କିଛି ଆଶ ।

ଗୁରୁ ଦିଏ ଜ୍ଞାନ ଆଗ କାହ୍ନୁପାଦ ଦାନ ଯେ ଚଳାଇ,
ଚଉଷଠି ବଖରା ଏଠି ସାବଧାନେ ଗଣିବ ଗୋସାଇଁ ।

Tuesday, September 10, 2019

ବାଣପୁରରେ ପିଲାଦିନ ପାଠପଢ଼ା


ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)


ଅଠର ବର୍ଷ ବୟସରେ ଗୋଦାବରୀଶ ମିଶ୍ର ନିଜର ଜାତକକୁ ଚିରି ଫୋପାଡ଼ି ଦେଇ ଥିଲେ । ଏଣୁ ତାଙ୍କୁ କେବେବି ନିଜର ପ୍ରକୃତ ବୟସ ଜଣା ନ ଥିଲା । ହେଲେ ଆନୁମାନିକ ହିସାବରେ ତାଙ୍କର ଜନ୍ମ ୧୮୮୬ ମସିହାରେ, ସେବେର ଓଡ଼ିଶା ଡିଭିଜନର ସୀମାନ୍ତ ବାଣପୁର ଅଞ୍ଚଳରେ । ଯେପରି ଜନ୍ମର ସମୟ ବିଷୟରେ ଧାରଣାର ସ୍ଥିରତା ନ ଥିଲା, ସେହିପରି ନାମର ଭିତ୍ତିଟି ମଧ୍ୟ ଥିଲା ଦୋଦୁଲ୍ୟମାନ । ୧୮୮୪ କି ୧୮୮୫ ସାଲରେ ଗୋଟିଏ ଗୋଦାବରୀ ସ୍ନାନ ଯୋଗ ପଡ଼ିଥିଲା । ତାହାରି ଅନୁସାରେ ବାପାମା ତାଙ୍କ ନାମ ରଖିଥିଲେ ଗୋଦାବରୀ । ଏଇଟି ଯେ ଗୋଟିଏ ନଦୀର ନାମ ନଦର ନୁହେଁ, ତାହା ତାଙ୍କୁ ଜଣା ନ ଥିଲା ବୋଧହୁଏ । ପରେ ସ୍କୁଲରେ ପଢ଼ିଲା ବେଳେ ପରିଦର୍ଶନ ପାଇଁ ଗୋଦାବରୀଙ୍କ ବିଦ୍ୟାଳୟକୁ ଥରେ ଆସିଥାଆନ୍ତି ମଧୁସୂଦନ ରାଓ । ସେ ହିଁ ଗୋଦାବରୀ ନାମଟିକୁ ବଦଳାଇ ଗୋଦାବରୀଶ କଲେ ।

ବ୍ରାହ୍ମଣ ହେଲେ ହେଁ ଗୋଦାବରୀଶଙ୍କ ବାପା ବଡ଼ ପଣ୍ଡିତ ନ ଥିଲେ । ହେଲେ ଜଣେ ୠଷିପ୍ରତିମ ଲୋକ ଭାବରେ ସେ ଖଣ୍ଡମଣ୍ଡଳରେ ଜଣାଶୁଣା ଥିଲେ । ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହର ଆଦର୍ଶକୁ ଗ୍ରହଣ କରି, ସେ ଆଜିର କମେଇକୁ କାଲିକୁ ରଖୁ ନ ଥିଲେ । ନୁଖୁରା ମୁଣ୍ଡରେ ଜଟା, ଦିହରେ ମୁଣ୍ଡରେ ତେଲ ବାଜେନା । ଜାମାଯୋଡ଼ ବୋଇଲେ ଧୋଇଶୁଖେଇ ପିନ୍ଧୁଥିବା ଖଣ୍ଡେ ଗେରୁଆ ଲୁଗା । ସେ ବଗଳାମୁଖୀ ମନ୍ତ୍ରରେ ଲୋକଙ୍କୁ ଝାଡ଼ି ତାଙ୍କର ଜର ଓ ବସନ୍ତ ଆଦି ବ୍ୟାଧି ଭଲ କରୁଥିଲେ ଗୋଦାବରୀଶଙ୍କ ପରିବାରରେ ବାପାଙ୍କ ଛଡ଼ା ଥିଲେ ମା ଓ ଅନ୍ଧୁଣୀ ଜେଜିମା । ଯେତେବେଳେ ଗୋଦାବରୀଶଙ୍କୁ ଦଶ ବରଷ ବୟସ, ଆଉ ଗୋଟିଏ ଛୋଟ ଝିଅଟିଏ ଯୋଡ଼ି ହେଲେ ପରିବାରରେ ।

ଘରେ ଏଣେ ସମ୍ପତ୍ତିବାଡ଼ି ବୋଇଲେ ଅଢ଼େଇ ଏକର ଚାଷ ଜମି । ଏଣେ ସବୁବେଳେ ଟାଣଟୁଣ ଅବସ୍ଥା । ଅନେକ ଦିନ ଚୁଲି ଜଳେନା । ତାହାରି ଭିତରେ ଦିନେଦିନେ ହଠାତ ବାପା କୌଣସି ଗ୍ରାମାଗତ ଅଭାବୀ ଦୂରଦେଶୀଙ୍କୁ ଘରକୁ ଖାଇବା ପାଇଁ ଡାକି ଆଣନ୍ତି । ସେଦିନ ଚୁଲି ଜଳିଥିଲେ ସୁଦ୍ଧା ଘରଲୋକଙ୍କୁ ଅର୍ଦ୍ଧାହାର ବା ଅନାହାର ରେ ରହିବାକୁ ହୁଏ । ଗାଈ ଖିର ଦେଉଥିଲେ, ଦୁହାଁ ହୋଇସାରିଲା ପରେ ଖିରଟିକକ ଗୋଦାବରୀ ପିଅନ୍ତି । ଭାତ ରନ୍ଧା ହେଲେ ତାହା ଉପରେ ପ୍ରାୟତଃ ବାପ ପୁଅ ଙ୍କର ନାଁ ଲେଖାଥାଏ । ଗୋଦାବରୀଙ୍କ ବୋଉ ଓ ଜେଜିମାଆ ପ୍ରାୟତଃ ଭାତର ପେଜ ଓ ମାଣ୍ଡିଆ ଜାଉ ଖାଆନ୍ତି । ଘରର ମହିଳାମାନଙ୍କ ଭାଗ୍ୟରେ ଅନ୍ନଭୋଜନ କରିବାର ଭାଗ୍ୟ କେବଳ ଉତ୍ସବଅନୁଷ୍ଠାନର ଦିନମାନଙ୍କରେ ଘଟେ ।

ତାଙ୍କ ନିଜ କହିବା ଅନୁସାରେ ଗୋଦାବରୀଶ ପିଲାବେଳେ ଭଲ ପଢ଼ାପଢ଼ି କରୁ ନ ଥିଲେ । ଏଣୁ ଶିକ୍ଷକଙ୍କ ଠାରୁ ଅନେକ ମାଡ଼ ମଧ୍ୟ ଖାଉଥିଲେ । ଅବଧାନଙ୍କ ପାଖରେ ବସିଲା ବେଳେ ଗୋଦାବରୀଶ ବହି ଧରି ବେଶି ସମୟ ଧ୍ୟାନ ଦେଇ ପାରନ୍ତି ନାହିଁ । ଶିକ୍ଷକଙ୍କ ମୁହଁରୁ ଯାହା ଶୁଣନ୍ତି, ସେଇତକ ହିଁ କେବଳ ଯାହା ମନେ ରହେ । ପିଲାଦିନର ଅବଧାନ ଥିଲେ ଗିରିଧାରୀ ମହାନ୍ତି । କଡ଼ା ମାଷ୍ଟର । ବେତ ବ୍ୟବହାର କରିବାରେ କୋତେଇ ନାଇଁ । ହେଲେ ଏଣେ ନଦୀରେ ପାଣି ବେଶି ଥିଲେ କାନ୍ଧରେ ବସେଇ ପାର କରାଇ ଦିଅନ୍ତି । ଖରାଦିନେ ବାଟର ବାଲି ଅଧିକ ତାତି ଗଲେ ଗୋଦାବରୀଙ୍କୁ ପିଠିରେ ଲାଉ କରି ନିଅନ୍ତି ।

ସ୍କୁଲଶିକ୍ଷା ସରିବା ପର୍ଯ୍ୟନ୍ତ ବି ତିନୋଟି ‘ସ’ ଓ ଦୁଇଟି ‘ଇ’ ବିଷୟରେ ଗୋଦାବରୀଶଙ୍କ ଜ୍ଞାନ ଥିଲା ଶଙ୍କାକୁଳ । ହେଲେ ତଥାପି ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଥିଲେ । ଯଦିଓ ଏଇ ପରୀକ୍ଷାରେ ସେ ‘କେଉଟ’ର ସ୍ତ୍ରୀଲିଙ୍ଗ ‘କେଉଟୀ’ ବୋଲି ଲେଖିଥିଲେ । ସେ ପାଠ ପଢ଼ିଲା ବେଳେ, ନିମ୍ନପ୍ରାଥମିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ତଥା ଉଚ୍ଚପ୍ରାଥମିକ ପରୀକ୍ଷା କିଛି ଅଂଶରେ ମୌଖିକ ଭାବରେ ଅନୁଷ୍ଠିତ ହେଉଥିଲା । ସେତେବେଳେ ମଧ୍ୟ-ଓଡ଼ିଆ ଓ ମଧ୍ୟ-ଇଂରାଜୀ, ଏହିପରି ଦୁଇଟି ପ୍ରକାରର ମାଧ୍ୟମିକ ବିଦ୍ୟାଳୟ ଚାଲୁଥିଲା । ମଧ୍ୟ-ଓଡ଼ିଆ ପରୀକ୍ଷା ବେଳକୁ ପ୍ରଶ୍ନ ଓ ଉତ୍ତର ଯୋଡ଼ିକ ଯାକ ହୋଇଯାଇଥିଲା ଲିଖିତ । ମଧ୍ୟ-ଓଡ଼ିଆ ପରୀକ୍ଷାରେ କିନ୍ତୁ ଗୋଦାବରୀ ଦ୍ୱିତୀୟ ଶ୍ରେଣୀ ପାଇଲେ ।

ଯେଉଁ ବର୍ଷ ଗୋଦାବରୀ ମଧ୍ୟ-ଓଡ଼ିଆ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେବେଠୁଁ ହିଁ ବାଣପୁର ମଧ୍ୟ-ଓଡ଼ିଆ ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ ହେଲା । ବାପାଙ୍କର ଇଚ୍ଛା ଥିଲା ଗୋଦାବରୀ ଇଂରେଜୀ ପାଠ ପଢ଼ି ଓକିଲ ହେବେ ଓ ପୁରୀ ସହରରେ ଓକିଲାତି କରିବେ । ସେ ସମୟରେ ଅବଶ୍ୟ ବାଣପୁରରେ ଇଂରାଜୀ ପାଠୁଆଙ୍କ ସଙ୍ଖ୍ୟା ବେଶି ନ ଥିଲା । ପୁରୀରେ ହରିହର ମିଶ୍ରେ ଥିଲେ ଏକମାତ୍ର ଓଡ଼ିଆ ଓକିଲ । ଆଉ ସେ ପର୍ଯ୍ୟନ୍ତ ପୂରା ବାଣପୁରରେ କେବଳ ଜଣେ ଲୋକ ଏଣ୍ଟ୍ରାନ୍ସ୍ (ଏବର ମାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୋରଧା କଚେରିରେ କିରାଣୀ କାମ କରୁଥାଆନ୍ତି ; ତ ତାଙ୍କର ଖାତିର କାହିଁରେ କଅଣ । ହେଲେ ଦରିଦ୍ର ବାମୁଣ ପୁଅଟି ପାଇଁ ସେତେବେଳେ ଏଣ୍ଟ୍ରାନ୍ସ ପାଇଁ ପଢ଼ା ଥିଲା, ଆକାଶ କଇଁଚ ଚିଲିକା ମାଛ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପାଯାଇଥିଲା । ଏଥି ନିମନ୍ତେ ଉପାଦାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ର କଟକସ୍ଥ ପ୍ରକାଶକ ଗ୍ରନ୍ଥମନ୍ଦିର ୨୦୧୪ ମସିହାରେ ଛାପିଥିବା ପୁନଃମୁଦ୍ରଣରୁ (୨୦୦୧ ସାଲରେ ପ୍ରକାଶିତ ପରିମାର୍ଜିତ ଦଶମ ସଂସ୍କରଣର ପ୍ରତି) ସଙ୍ଗୃହିତ ।

Thursday, August 08, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୨ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦୃଢ଼ ହସ୍ତେ ଧରା ନାଡ଼ିର ତରୁ
ବାଜେ ଅନାହତ ବୀର ଡମ୍ବରୁ ।

କାହ୍ନୁ ଯୋଗାଚାର ସାଧନ କରେ
ଏକାକାର ଘୁରେ ଦେହ ନଗରେ ।

ପାଦେ ଆଳି କାଳି ନୂପୁର ବାଜେ
ଚାନ୍ଦ ସୂରୁଜ କାନଫୁଲ ସାଜେ ।

ଭସ୍ମସାର କରି ଷଡ଼ରିପୁକୁ
ମୋକ୍ଷ ମୁକ୍ତାହାର ପିନ୍ଧେ ଗଳାକୁ ।

ମାରିଣ ଶାଶୁ ଓ ନଣନ୍ଦ ଶାଳୀ
ମାୟା ହାଣି ଦେଖ କାହ୍ନୁ କାପାଳୀ ।

Monday, August 05, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୧ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କାଳର ଶକତ ଖୁଣ୍ଟି ଓପାଡ଼ି
ବ୍ୟାପକ ବିବିଧ ବନ୍ଧନ ତାଡ଼ି ।

ସହଜ ନଳିନୀ କୁଞ୍ଜେ ପ୍ରବେଶ
ମାତାଲ କାହ୍ନୁ ଯେ ତୃପ୍ତ ହରଷ ।

ଯେଉଁ ପରି ହସ୍ତୀ ହସ୍ତୀନୀ ରମେ
କାମ କଳଧ୍ୱନୀ ଜଳ ବର୍ଷଣେ ।

ଷଡ଼ଗତି ସବୁ ସ୍ୱଭାବେ ଶୁଦ୍ଧ
ଭାବାଭାବେ କିଛି ନାହିଁ ବିରୁଦ୍ଧ ।

ଦଶଦିଶେ ରଖି ଦଶ ରତନ
ବିଦ୍ୟା-କରୀକୁ କରଇ ଦମନ ।

Sunday, July 28, 2019

ପଲ୍ କାରୁସ୍‌ଙ୍କର 'ବୁଦ୍ଧ ଗାଥା' ୮୨ - 'ଚୋର ଖୋଜୁଥିବା ଗୋଟିଏ ଦଳ'

ଅନୁବାଦକ - ସୁଜାତା ମିଶ୍ର


ଟୋକିଓସ୍ଥ ଏକ ବୌଦ୍ଧମନ୍ଦିରରେ ଉପାସନା ପାଉଥିବା ବୁଦ୍ଧଙ୍କ ପ୍ରତିମା (ୱିକିମିଡିଆ କମନ୍ସ୍)

ଶିଷ୍ୟମାନଙ୍କୁ ଆଗକୁ ପଠାଇଦେବା ପରେ ଉରୁବେଳା ନଗର ପର୍ଯ୍ୟନ୍ତ ଭଗବତ [ବୁଦ୍ଧ] ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଆନନ୍ଦରେ ବିଚରଣ କରୁଥା'ନ୍ତି ।

ଦିନେ ରାସ୍ତାରେ ବିଶ୍ରାମ ନିମନ୍ତେ ସେ ଏକ ତୋଟାରେ ବସିଗଲେ ଏବଂ ସେହି ତୋଟାରେ ଯୁବକମାନଙ୍କର ଏକ ଦଳ ନିଜ ସ୍ତ୍ରୀମାନଙ୍କ ସହ ଆନନ୍ଦ ଉପଭୋଗ କରୁଥିଲେ । ଯେତେବେଳେ ସେମାନେ କ୍ରୀଡ଼ାରେ ମଗ୍ନ ଥିଲେ ସେତେବେଳେ ସେମାନଙ୍କର କିଛି ଜିନିଷ ଚୋରୀ ହୋଇଗଲା ।

ତାହା ପରେ ଯୁବକ ମିତ୍ର ଦଳ ଚୋର ଖୋଜିବାକୁ ବାହାରିଲେ ଏବଂ ଭଗବତଙ୍କୁ ସେଠାରେ ବୃକ୍ଷ ତଳେ ବସିଥିବାର ଦେଖି ତାଙ୍କୁ ପ୍ରାଣମ କରି ପଚାରିଲେ, 'ଭଗବତ, ଆପଣ କୌଣସି ଚୋରକୁ ଆମର ଜିନିଷ ଧରି ଯିବାର ଦେଖିଲେ କି ?'

ଭଗବତ କହିଲେ, 'ତୁମମାନଙ୍କ ପାଇଁ କଅଣ ଉତ୍ତମ ହେବ ? ଚୋରକୁ ଖୋଜିବା ପାଇଁ ଯିବା ନା ନିଜକୁ ଖୋଜିବା ? ଯୁବକଗଣ ଉତ୍ତର ଦେଲେ, 'ନିଜର ସନ୍ଧାନ ପାଇଁ ଯିବା ।'

'ତେବେ ଠିକ ଅଛି । ବସିଯାଅ । ମୁଁ ତୁମମାନଙ୍କୁ ଧର୍ମ-ଉପଦେଶ ଦେଉଅଛି ।' ଭଗବତ କହିଲେ । 

ସମସ୍ତେ ବସି ଭଗବତଙ୍କ ଉପଦେଶକୁ ଉତ୍ସୁକତା ସହ ଶୁଣିବାକୁ ଲାଗିଲେ । ସତ୍ୟକୁ ବୁଝିପାରି ସେମାନେ ଧର୍ମର ଗୁଣଗାନ କରିଥିଲେ ଏବଂ ବୁଦ୍ଧଙ୍କ ଶରଣାଗତ ହେଲେ ।

ବି.ଦ୍ର - ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

Saturday, July 27, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୦ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ପୁରାତନ ମିଶର ଦେଶର କଳା (ଚତୁର୍ବିଂଶ ଶତାବ୍ଦୀ ଖ୍ରୀଷ୍ଟପୂର୍ବ ସମୟର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

ଆଲୋ ମୋ ଡୋମଣୀ ଘର କରିଅଛୁ
ସହର ବାହାରେ ଯାଇ,
ଚାହିଁ ବସିଛୁ କି ସେ ଲଣ୍ଡା ବ୍ରାହ୍ମଣ
ଦେବ କେତେବେଳେ ଛୁଇଁ ?

ମନକୁ ଘେନିଛୁ, ଜାତି ମାନେ ନାହିଁ
ତୋ ସାଥେ କରିବି ଘର,
ସ୍ତିରୀ ଆଗେ ସ୍ୱାମୀ ଲଙ୍ଗଳା ସବୁଠି
କାହ୍ନୁ ଲଙ୍ଗଳା ଫକୀର ।

ଗୋଟିଏ ପଦୁଅଁ ଫୁଟିଛି  ଧରାରେ
ଚୌଷଠି ପାଖୁଡ଼ା ଘେନି,
ଉପରେ ତାହାର ଡୋମଣୀର ନାଚ
ପଲକ କାହା ପଡ଼େନି ।

ସତ କରି ମୋତେ କହିବୁ ଡୋମଣୀ
ଛୋଟିଆ ପ୍ରଶ୍ନଟି ମୋର
ଏ ପାଖରୁ ଯାଉ ସେ ପାଖରୁ ଫେରୁ
ନାଆଟି ହେଲା କାହାର ?

ମୁଁ ଏକା ଗ୍ରାହକ ବସିଛି ଏଇଠି
ବିକୁ ଲୁଗା ତନ୍ତବୁଣା,
ତୋ ସଜଡ଼ା ପେଡ଼ି ଛୁଏଁ ନାହିଁ କାଳେ
ହୋଇଯିବି ବାଟବଣା ।

ଗଳେ ହାଡ଼ମାଳା ତୋହ ପାଇଁ ସଖୀ
ପଦ୍ମମଧୁ କରେ ପାନ,
ଡୋମଣୀ ଲୋ ମୋର ମାରିଦେବି ତତେ
ନିଶ୍ଚେ ନେବି ତୋର ପ୍ରାଣ ।

Friday, July 26, 2019

କଲେଜିଏଟ ସ୍କୁଲର ଇତିବୃତ୍ତ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନାନା ଶାଠ ଶିଖି ଶିଖି ଶେଷକୁ ୧୯୨୬ ମସିହାରେ ରାମବାବୁ ମିଡିଲ ସ୍କୁଲରୁ ଉତ୍ତୀର୍ଣ୍ଣ ହେଲେ ତାଙ୍କର ବାପା କକେଇ ମାନେ ପ୍ୟାରୀମୋହନ ଏକାଡ଼େମୀ (ଲୋକମୁଖରେ ପି.ଏମ୍. ଏକାଡ଼େମୀ ବୋଲି ଖ୍ୟାତ) ରେ ପାଠ ପଢ଼ି ଥିବାରୁ ପିଲାଏ ସେଠି ପଢ଼ିବା ପାଇଁ ସେମାନେ ଚାହୁଁ ଥିଲେ ହେଲେ ରମାନ୍ନା ଆଉ କାହ୍ନୁ କକେଇ ସେଠି ଗାର୍ଜନ ଭୂମିକା ଉଚିତ ଭାବରେ ତୁଲାଇ ପାରିବେନି ବୋଲି ତାଙ୍କର ନାମ ରେଭେନ୍ସା କଲେଜିଏଟ ସ୍କୁଲରେ ଲେଖାଇ ଦିଆ ଗଲା ତହିଁର ଅନେକ ଶିକ୍ଷକ ବି ରାମଙ୍କର ବୁଢ଼ାବାପାଙ୍କଠୁ ଓଷଦ ଖାଉଥିଲେ ଏହି ପୁରୁଣା ସମ୍ପର୍କ ଥିଲା ଆହୁରି ଏକ ଆକର୍ଷଣ କଲେଜିଏଟେରେ ଅବଶ୍ୟ ଦରମା ସେବେ ଟିକେ ବେଶି ଥାଏ, ମାସକୁ ଅଢ଼େଇ ଟଙ୍କା ବା ତାହାଠୁ ବି ବେଶି

କଲେଜିଏଟ ସ୍କୁଲ ସେତେବେଳେ ଗୋଟିଏ ଟ୍ରେନିଂ କଲେଜର ସଂଲଗ୍ନ ଥିଲା; ମହାବିଦ୍ୟାଳୟଟିର ଅଧ୍ୟକ୍ଷ ସେତେବେଳେ ଥିଲେ ହୁଇଟ୍ମୋର୍ ସାହାବ ଟ୍ରେନିଂ କଲେଜର ଅଧ୍ୟାପକମାନେ ତାଙ୍କର ଛାତ୍ରମାନଙ୍କୁ ଶିଖାଇବା ପାଇଁ କଲେଜିଏଟେର ପିଲାଙ୍କୁ ପାଠ ପଢ଼ାନ୍ତି ଯେଉଁ ଶ୍ରେଣୀରେ ରାମ ସେଇ ଇସ୍କୁଲୁରେ ପଶିଲେ, ତହିଁରେ ଦଶରୁ ଅଧିକ ମାଇନର ବୃତ୍ତିଧାରୀ ପିଲା ଥାଆନ୍ତି ମାତୃଭାଷା ଶିକ୍ଷା ପାଇଁ ଓଡ଼ିଆ, ବଙ୍ଗଳା ଉର୍ଦ୍ଦୁ, ଏହି ପରି ତିନୋଟି ଭାଷାର ବ୍ୟବସ୍ଥା ଥାଏ, ଭୂଗୋଳ ପାଠ ପାଇଁ ଥାଏ ଅଲଗା ହଲଟିଏ ସବୁ ଶ୍ରେଣୀଗୃହମାନଙ୍କରେ ଖରା ଦିନେ ହାତଟଣା ପଙ୍ଖାର ବ୍ୟବସ୍ଥା ଥାଏ

ସ୍କୁଲ ପାଖରେ ପାଣି ପିଇବା ଘରଟିଏ; ସେଥିର ଦାୟିତ୍ୱ ଥାଏ ବାଞ୍ଛା ଗୁଡ଼ିଆଙ୍କର ପିଲାମାନେ ପାଣି ପିଇବା ପାଇଁ ପହଞ୍ଚିବା କ୍ଷଣି ସେ ଗିଲାସଟିଏ ଧୋଇ ଜଳ ଗିଲାସେ ବଢ଼ାଇ ଦିଅନ୍ତି ପାଣି ଯୋଗାଇବା ସହ ଗୁଡ଼ିଆ ବ୍ୟବସାୟ ମଧ୍ୟ ଚାଲେ ଅନ୍ୟାନ୍ୟ ଜିନିଷ ସହ ସେ ଯୋଗାଉଥିବା କଞ୍ଚା ଗୋଲା ପେଡ଼ାର ନାଁଡାକ ଥିଲା ଗୋଲାଟିକର ଦାମ ଥିଲା ଗୋଟାକ ଦୁଇ ପଇସା ସେତେବେଳେ ଅନେକ ରାଜ ପରିବାର ଜମିଦାର ଙ୍କର ଦାୟାଦ କଲେଜିଏଟେରେ ପଢ଼ୁ ଥିଲେ ସେମାନେ ପାଣି ପିଇବାକୁ ଗଲେ ଦଳେ ସାଙ୍ଗସାଥି ଧରି ଯାଆନ୍ତି ବାଞ୍ଛାଙ୍କର ସେବେ ଭାରି ବଢ଼ିଆ ବେପାର ହୁଏ

ସେଇ କଲେଜିଏଟେରେ ପଢ଼ିଲା ବେଳେ ରାମ ପ୍ରଥମେ ସିନେମା ଦେଖିବା ଆରମ୍ଭ କରନ୍ତି ଡଗଲାସ୍ ଫେଆରବ୍ୟାଙ୍କ୍ ମାଷ୍ଟର ଭିଟଲ ଙ୍କର ବହି ଦେଖିବା ତାଙ୍କର ( ସେ ସମୟରେ ଅନେକଙ୍କର) ପ୍ରିୟ ଥିଲା ପରେ ପରେ ଟକିଜ୍ ଆସିଲା ଚଳଚିତ୍ର ଛଡ଼ା ମୋହଲ ଗୋସେଇଁଙ୍କର ରାସ ଦଳ, ବଳଙ୍ଗା ଆର୍ଟ ଥିଏଟର, ଯାତ୍ରାଦଳ ସର୍କସ ଆସି କଟକରେ ଲୋକଙ୍କର ମନୋରଞ୍ଜନ କରୁଥିଲେ ସେହି ସମୟରେ ସେ ନିଜ ବିଲରେ ଗୋଟିଏ ଫୁଲ୍କା ତିଆରି ରୀତିମତ ବ୍ୟାୟାମ ମଧ୍ୟ ଆରମ୍ଭ କରନ୍ତି ସ୍କୁଲ ମାଗାଜିନଛାତ୍ରବନ୍ଧୁରେ ମଧ୍ୟ ଲେଖାଲେଖିର ଶ୍ରୀଗଣେଶ ହୁଏ

ଏଇମିତି ସବୁ ଶାଠ ଭିତରେ ସ୍କୁଲ ପାଠ ମଧ୍ୟ ସରିଲା ମେଟ୍ରିକ ପରୀକ୍ଷାରେ ସେତେ ଭଲ କରି ଥାଆନ୍ତି ରାମ; ପରୀକ୍ଷା ସେତେବେଳେ ପାଟନା ବିଶ୍ୱବିଦ୍ୟାଳୟଙ୍କର କର୍ତ୍ତୃକରେ ହେଉ ଥାଏ ଇତିହାସ, ଭୂଗୋଳ ଭଲ ହେଉ ଥିବାରୁ ମନରେ ଦକା ମଧ୍ୟ ଥାଏ ଶେଷକୁ ପରୀକ୍ଷା ଫଳସର୍ଚ୍ଚ ଲାଇଟକାଗଜରେ ବାହାରିଲା ଦ୍ୱିତୀୟ ଶ୍ରେଣୀରେ ସେ ପାଶ କରି ଥାଆନ୍ତି ଯଦିଓ ରେଭେନ୍ସା କଲେଜରେ ପାଠ ପଢ଼ିବାର ଇଚ୍ଛା ଥିଲା, ଘର ଲୋକେ ମତ ଦେଲେ ଡାକ୍ତରି ପଢ଼ିବା ପାଇଁ ବଇଦ ଘର ପିଲା !

ବି.ଦ୍ର. - ଏଇ ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଏହି ଲେଖାଟିର ଉପାଦାନ ରାମଚନ୍ଦ୍ର ମିଶ୍ର (ଫତୁରାନନ୍ଦ) ଙ୍କର ଆତ୍ମଜୀବନୀମୋ ଫୁଟା ଡଙ୍ଗାର କାହାଣୀ ୨୦୦୮ ମସିହାରେ କଟକର ସୁଧାଂଶୁ ପ୍ରଧାନଙ୍କ ଦ୍ୱାରା ପ୍ରକାଶିତ ତୃତୀୟ ସଂସ୍କରଣରୁ ସଙ୍ଗୃହିତ ବହିଟିର ପ୍ରଥମ ସଂସ୍କରଣଇଷ୍ଟର୍ଣ୍ଣ ମିଡିଆପ୍ରକାଶନ ସଂସ୍ଥାଙ୍କ ଦ୍ୱାରା ୧୯୮୯ ମସିହାରେ ଛପା ଯାଇଥିଲା