Wednesday, March 27, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୩ -  ବିରୂବା

ଅନୁସୃଜନ - ଜ୍ୟୋତି ନନ୍ଦ


ଭୂବନେଶ୍ୱର ଉପକଣ୍ଠସ୍ଥ ହୀରାପୁରସ୍ଥ ଟଉଷଠି ଯୋଗିନୀ ମନ୍ଦିର (ୱିକିମିଡିଆ କମନ୍ସ୍)

ଥିଲା ଏକ ଶୁଣ୍ଢିଆଣୀ କାମସାଜେ ପ୍ରବେଶିଛି ଘର ଗୋଟା ଦୁଇ,
ସୁସଞ୍ଚ ଗଛରୁ ଘେନା ବକଳେ ସେ ଗୁପତରେ ମଦିରା ରାନ୍ଧଇ ।

ସହଜ ସ୍ଥିତଧୀ ଯେହୁ ଅବିଳମ୍ବେ କରୁଥାଇ ମଦିରା ସେବନ,
ଅଜର ଅମର ହୁଏ, ହୁଏ ଦୃଢ଼ ତା'ର ସମ କେହୁ ବଳବାନ ।

ଗରାଖ ସେ ଦେଖେ ଯେବେ ପ୍ରିୟତମଚିହ୍ନ ଲେଖା ଦଶମଦ୍ୱାରର,
ବାଧାବିଘ୍ନ ତେଜ୍ୟା କରି ଗୁଣବନ୍ତ ନିଜେ ହୁଏ ଆପେ ଆଗୁସାର ।

ଚଉଷଠି ଘଟ ଭରି ବସିଅଛି ଚଉକତି ବିଚିତ୍ର ପସରା,
ସବୁ ଅଛି ନାହିଁ ଖାଲି ଗରାଖର ଫେରିବାର ବାଟ ମୁହଁ ଖୋଲା ।

ନଳ ଏକ ସରୁ ଅତି ତାହା ଦେଇ ମଦ ଯାଏ ଘଟିକା ଭିତର,
ସୁଧୀଜନ ବିରୂବା ଉବାଚ ଅଟେ କାର୍ଯ୍ୟଟିକୁ ତ୍ୱରିତ ନ କର ।

Thursday, March 14, 2019

ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ'ରୁ ଗୀତ - 'ବ୍ରହ୍ମସମ ପ୍ରାଣସଖା ନାହିଁ ଆଉ'


ଟିତ୍ର - 'ଧୃବ ତାରା' (୧୯୦୨ରେ ଅଙ୍କିତ)
ଚିତ୍ରକର - ଅଲ୍‌ଫୋନ୍ସ୍ ମୁକା (୧୮୬୦-୧୯୩୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ବ୍ରହ୍ମସମ ପ୍ରାଣସଖା ନାହିଁ ଆଉ
,
ତା' ପଦ ଚିନ୍ତନେ ମୋର ଦିନ ଯାଉ ।

କୋଟି ଶଶୀ ପ୍ରଭାକର
ଜିଣି ଅସୀମ ସୁନ୍ଦର
ବ୍ରହ୍ମ ପାଦପଦ୍ମ ଦିଶେ ଦାଉ ଦାଉ ।

ସେ ପଦ ମୋ' ଧୃବତାରା
ବରଷଇ ସୁଧାଧାରା
ମୋ' ବିଶ୍ୱାସ-ନେତ୍ର ତହିଁ ଲାଖି ଥାଉ ।

ପ୍ରେମମୟ ହିତକାରୀ
ପାପତାପ ଭୟହାରୀ
ତା' ପ୍ରେମ ସିନ୍ଧୁରେ ପ୍ରାଣ ଅବଗାହୁ ।


ବି.ଦ୍ର. - ଏହି ଗୀତଟି ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ' ପୁସ୍ତକରୁ ନିଆ ଯାଇଛି । ବହିଟି ପ୍ରଥମେ ୧୯୨୬ ମସିହାରେ, କଟକରେ, ବିଶ୍ୱନାଥ କର ଓ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ମୁଦ୍ରକ ହେଲେ ଉତ୍କଳ ସାହିତ୍ୟ ପ୍ରେସ୍ । ଗ୍ରନ୍ଥଟି ସୃଜନିକା ସଂସ୍ଥାଙ୍କର 'ଓଡ଼ିଆ ବିଭବ' ୱେବ୍‌ସାଇଟ୍ ସୌଜନ୍ୟରୁ ମିଳି ଥିବାରୁ ଆମେ ଅନୁଷ୍ଠାନ ନିକଟରେ କୃତଜ୍ଞ ।

Tuesday, March 12, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୨ - କୁକ୍କୁରି

ଅନୁସୃଜନ - ଜ୍ୟୋତି ନନ୍ଦ


ପଞ୍ଚମ ଖ୍ରୀଷ୍ଟାବ୍ଦର ଜୈନ ପୋଥି 'ଲୋକବିଭାଗ'ର ଚିତ୍ର  (ୱିକିମିଡିଆ କମନ୍ସ୍)
ଏହି ଗ୍ରନ୍ଥରେ ଆମେ ପ୍ରଥମେ 'ଶୂନ'ର ଉଲ୍ଲେଖ ପାଉ

କଇଁଛ ଦୋହନ ପାତ୍ରେ ନ ଥାଇ
ଗଛର ତେନ୍ତୁଳି କୁମ୍ଭୀର ଖାଇ ।

ପ୍ରାଙ୍ଗଣେ ସଂସାର ସ୍ତ୍ରୀ ଶୁନବତୀ
ହଜେ କାନଫୁଲ ସେ ଅଧରାତି ।

ଶଶୁର ଶୋଇଲେ ଜାଗଇ ବହୁ
ଚୋରି କାନଫୁଲ ପାଇବୁ କାହୁଁ ?

ଦିବସରେ ବହୁ କାକକୁ ଡରେ
ରାତି ହେଲେ କାକକମାଣେ ମରେ ।

ଏହି ରୂପେ ଚର୍ଯ୍ୟା କୁକ୍କୁରି ଗାଏ
ପାଠ ଅବଧାନେ ନାହିଁ ଗୋଟିଏ ।

Sunday, March 10, 2019

ନନ୍‌ସେନ୍ସ୍ କବିତା - 'ପ୍ରେମର ପ ବର୍ଗ'

ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ଗୋଲ୍‌ଡେନ୍ ଫେଜଣ୍ଟ୍ ଆଣ୍ଡ୍ କଟନ୍ ରୋଜ୍'
ଚିତ୍ରକର - ସଙ୍ଗ୍ ବ‌ଂଶର ସମ୍ରାଟ ହୁଇଯୋଙ୍ଗ୍ (୧୦୮୨ - ୧୧୩୫)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପଡ଼ୋଶୀ ପରିକ୍ରମା ପ୍ରତୀକ୍ଷା
ପରିଚୟ ହେମପତ୍ର ପରୀକ୍ଷା
ଫୁଲାଫାଙ୍କିଆ ଫଟା କପାଳ
ଫଟୋ ଫାଣ୍ଡି ଫଲିଡ଼ଲ
ବାଇସ୍କୋପ ବାତାୟନ ବାହାନା
ବାପା ବିପଦ ବିଚରା ବଞ୍ଚନା
ଭଗାରିହସା ଭଗ୍ନ ମନୋରଥ
ଭର୍ତ୍ସନା ଭାଳେଣୀ ଭୟାର୍ତ୍ତ
ମୂର୍ଚ୍ଛା ମୃଗୀ ମୋହ ମୌନ
ମାନ୍ଦା ମନଦୁଃଖ ମଦ୍ୟପାନ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Friday, March 08, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧ - ଲୁଇ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶରୀର ବୃକ୍ଷରେ ପାଞ୍ଚଟି ଡାଳ
ଚଞ୍ଚଳ ମନରେ ପ୍ରବେଶ କାଳ ।

ମନ ଦୃଢ଼ କରି ମହାସୁଖ ପାଉ
ଗୁରୁ ପ୍ରାପତ ଉପାୟ ବତାଉ ।

ସବୁ ସମୟ ଯେ ତପସ୍ୟା କରେ
ଦୁଃଖ ଆଉ ସୁଖେ ସିଏ ତ ମରେ ।

ଫେଡ଼ି ଦେଇ ପରିପାଟୀର ଭାର
ଶୂନ୍ୟତା ଡେଣାରେ ହୁଅ ସବାର ।

ଲୁଇ ଭଣେ କରି ଅନେକ ଧ୍ୟାନ
ଦେଖିଛି ଲଭିଛି ସେ ଦିବ୍ୟ ଜ୍ଞାନ ।

Wednesday, March 06, 2019

ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ'ରୁ ଗୀତ - 'ବ୍ରହ୍ମ ଜୟ ଗାଇ ଗାଇ'


ଚିତ୍ର - 'ସ୍ୱାନ୍ ଆଣ୍ଡ୍ ଆଇରିସ୍' (୧୮୮୩)
ଚିତ୍ରକର - ଜେମ୍ସ୍ ହ୍ୱିସ୍ଲର୍ (୧୮୩୪ - ୧୯୦୩)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ବ୍ରହ୍ମ ଜୟ ଗାଇ ଗାଇ
ଚାଲ ସର୍ବେ ଚାଲ ଭାଇ
ପବିତ୍ର ଆନନ୍ଦେ ଧ୍ୟାଇ
ତାଙ୍କରି ଅମୃତ ଧାମ ।

ପ୍ରାଣଗୁରୁ ତାଙ୍କୁ ଜାଣି
ପ୍ରେମ ଭକ୍ତି ଭାବ ଆଣି
ଶୁଣି ତାଙ୍କ ବେଦବାଣୀ
ହୁଅ ସର୍ବେ ପୂର୍ଣ୍ଣକାମ ।

ବିଶ୍ୱାସେ ଦର୍ଶନ କରି
ପରମ ସୁନ୍ଦର ହରି
ତାଙ୍କ ଶ୍ରୀଚରଣ ଧରି
କର ବିନୟେ ପ୍ରଣାମ ।

ବି.ଦ୍ର. - ଏହି ଗୀତଟି ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ' ପୁସ୍ତକରୁ ନିଆ ଯାଇଛି । ବହିଟି ପ୍ରଥମେ ୧୯୨୬ ମସିହାରେ, କଟକରେ, ବିଶ୍ୱନାଥ କର ଓ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ମୁଦ୍ରକ ହେଲେ ଉତ୍କଳ ସାହିତ୍ୟ ପ୍ରେସ୍ । ଗ୍ରନ୍ଥଟି ସୃଜନିକା ସଂସ୍ଥାଙ୍କର 'ଓଡ଼ିଆ ବିଭବ' ୱେବ୍‌ସାଇଟ୍ ସୌଜନ୍ୟରୁ ମିଳି ଥିବାରୁ ଆମେ ଅନୁଷ୍ଠାନ ନିକଟରେ କୃତଜ୍ଞ ।

Monday, March 04, 2019

ପୁରୀ ଜିଲ୍ଲାରେ ପ୍ରାଥମିକ ଶିକ୍ଷା - ଶ୍ରୀଧର ବାବୁଙ୍କ କାହାଣୀ


ପୁରୀ ଜିଲ୍ଲାର ଧାନକ୍ଷେତ (ୱିକିମିଡିଆ କମନ୍ସ୍)

ଶ୍ରୀଧର ଦାସ କିଏ ଥିଲେ ଏବେ କହିଲେ ଅନେକ ଲୋକେ ଜାଣି ନ ପାରନ୍ତି । ଅନେକଙ୍କ ପାଇଁ ତାଙ୍କର ପରିଚୟ ହେଲା ସେ ଲେଖକ ଜଗନ୍ନାଥ ପ୍ରସାଦ ଦାସଙ୍କର ବାପା । ହେଲେ ଓଡ଼ିଶାର ଜନଜୀବନ ପ୍ରତି ଶ୍ରୀଧର ବାବୁଙ୍କର ବହୁଳ ଅବଦାନ ରହିଛି । ଏବେ ଯଦିଓ ସେ ଓଡ଼ିଆ ସାହିତ୍ୟରେ ତାଙ୍କର ଆତ୍ମଜୀବନୀ ‘ସୁଅ ମୁହଁର ପତର’ ପାଇଁ ଜଣାଶୁଣା, ଓଡ଼ିଆ ସମାଜ ପ୍ରତି ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଲା, କିଶୋର ପାଠକଙ୍କ ପାଇଁ ‘ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳା’ ସିରିଜ୍‌ରେ ଅନେକ ଲୋକପ୍ରିୟ ବିଦେଶୀ ବହିର ଓଡ଼ିଆରେ ସଂକ୍ଷିପ୍ତ ଅନୁବାଦ ଯୋଗେ ସାହିତ୍ୟ ସୃଷ୍ଟି କରିବା । ଏହା ଛଡ଼ା ଏ ରାଜ୍ୟରେ ଶିକ୍ଷା ବିଭାଗର ଜଣେ କର୍ମକର୍ତ୍ତା ଭାବରେ ମଧ୍ୟ ସେ ଅନେକ କିଛି ଉପାଦେୟ କାମ କରି ଯାଇ ଅଛନ୍ତି ।

ଶ୍ରୀଧର ଦାସଙ୍କର ଜନ୍ମ ୧୯୦୧ ମସିହାର ଅକ୍ଟୋବର ଚାରି ତାରିଖରେ । ପିତା ଥିଲେ ଚାଟଶାଳୀରେ ପାଠ ପଢ଼ି ଥିବା ଜଣେ ଦରିଦ୍ର ନିମ୍ନ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ଏହା ଛଡ଼ା ତାଙ୍କୁ ଜ୍ୟୋତିଷ ଓ ବଇଦ ବିଦ୍ୟା ମଧ୍ୟ କିଛିକିଛି ଜଣା ଥିଲା । ଶ୍ରୀଧର, ବାପା ଅଧ୍ୟାପନା କରୁଥିବା ଏହି ଗାଁ ସ୍କୁଲରେ ହିଁ ପାଞ୍ଚ ଛଅ ବର୍ଷ ବୟସରେ ପାଠପଢ଼ା ଆରମ୍ଭ କଲେ । ହେଲେ ବିଦ୍ୟାରମ୍ଭ କର୍ମ ହେଲା, ସ୍କୁଲରେ ପାଠପଢ଼ା ଆରମ୍ଭ କରିବାର ତିନି ଚାରି ବରଷ ପରେ ଯାଇଁ । ପରିବାରର ପୁରୋହିତ ବିକେଇ ତିହାଡ଼ି କିଛି ଇଆଡ଼ୁ ସିଆଡ଼ୁ ମନ୍ତ୍ର ପଢ଼ି ପୂଜା କଲେ । ତାହା ପରେ ତଳେ ‘ସିଧୀରସ୍ତୁ’ ଲେଖି ଦେଲେ । ଶ୍ରୀଧରଙ୍କୁ ଏହା ଉପରେ ମଡ଼ାଇବାକୁ ପଡ଼ିଲା ଆଉ ତାହା ପରେ ଗାଁର ଦିଅଁ ବିନାୟକଙ୍କ ପାଖରେ ନଡ଼ିଆ ଭୋଗ ଯାଚନା କରା ଗଲା ।

ଶ୍ରୀଧରଙ୍କ ଘରୁ ବାପାଙ୍କ ସ୍କୁଲଟି ଅଧ ମାଇଲିଏ ବାଟ । ବାପା ଥାଆନ୍ତି ଏହି ବିଦ୍ୟାଳୟରେ ଏକମାତ୍ର ଶିକ୍ଷକ । ଏହି ନି.ପ୍ରା. ଇସ୍କୁଲରେ ନାଁ ତ ଲେଖାଇ ଥାଆନ୍ତି ପଚିଶି ଜଣ ପ୍ରାୟ ଚାଟ, ହେଲେ ନିୟମିତ ପାଠ ପଢ଼ିବାକୁ ଆସନ୍ତି ମାତ୍ର ପନ୍ଦର କୋଡ଼ିଏ ଛାତ୍ରଛାତ୍ରୀ । ଶିକ୍ଷକଙ୍କ ପାଇଁ ଜିଲ୍ଲା ବୋର୍ଡ଼ରୁ ତିନି ମାସରେ ଥରେ ଛଅ ଟଙ୍କା (ମାସକୁ ଦୁଇ ଟଙ୍କା ହିସାବରେ) ଦରମା ବାବଦରେ ମିଳେ । ତହିଁରୁ ପୁରୁଣା ଆଠ ପଇସା କଟି ଯାଏ ମନିଅର୍ଡରର କମିଶନି ନିମନ୍ତେ । ଗାଁଲୋକେ ‘ସିଧା’ ଭାବରେ ଦିନକୁ ଦୁଇ ମାଣ ଚାଉଳ, କିଛି ଡାଲି, ଖଡ଼ା, ବାଇଗଣ ଓ କଖାରୁ ଆଦି କିଛି ପରିବା ଦିଅନ୍ତି । ଏହାକୁ ନେଇ ସ୍କୁଲ ଘରର ଗୋଟିଏ କୋଣରେ ବାପା ରୋଷେଇ କରନ୍ତି । ବାପା ପୁଏ ଦୁଇ ଜଣ ଖାଆନ୍ତି । ରାତିରେ ମଶାରି ପାରି ସେଇଠି ଶୁଅନ୍ତି । ସପ୍ତାହକୁ ଥରେ ଖଣ୍ଡେ ନିଜ ଘରକୁ ଯାଆନ୍ତି । ଗାଁ ଲୋକେ ଯାହା ସିଧା ଭାବରେ ଦେଇ ଥାଆନ୍ତି, ସେଥିରୁ ବଳକା ଚାଉଳତକରେ ଘର ଲୋକଙ୍କର ଖାଇବାର ଆବଶ୍ୟକତାଟି କିଛି ମାତ୍ରାରେ ପୂରଣ ହୁଏ ।

ସେତେବେଳେ ପାଠପଢ଼ାରେ ପିଲାଙ୍କୁ ବହୁତ ଦଣ୍ଡ ସହିବାକୁ ପଡ଼ୁଥିଲା । ସ୍କଲକୁ ଫି ବରଷ ତିନି ଚାରି ଥର ଶିକ୍ଷା ବିଭାଗର ସବ‌୍ଇନ୍‌ସ୍‌ପେକ୍ଟର୍ ପାଠ ପଢ଼ା ତଦାରଖ କରିବାକୁ ଆସୁଥିଲେ । ପିଲାଙ୍କର ପାଠ ପରୀକ୍ଷା କରୁଥିଲେ ଆଉ ଶିକ୍ଷକଙ୍କର କାମଦାମକୁ ସେଥିରୁ ଆକଳନ କରି ଉପରକୁ ରିପୋର୍ଟ ପଠାଉଥିଲେ । ଶ୍ରୀଧର ବାବୁ ଏହି ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ତାଙ୍କର ଏକ ସ୍ମରଣୀୟ ଘଟଣା ହେଲା ବିଲାତର ରାଜା ପଞ୍ଚମ ଜର୍ଜଙ୍କର ଦରବାର ବିଷୟକ ଉତ୍ସବ ଅନୁଷ୍ଠାନ । ପଞ୍ଚମ ଜର୍ଜ ୧୯୧୧ ମସିହାର  ଜୁନ ମାସର ବାଇଶ ତାରିଖରେ ସିଂହାସନ ଆରୋହଣ କଲେ । ସେହି ବର୍ଷ ଡିସେମ୍ବର ୧୨ ତାରିଖ ଦିନ ଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଦରବାରରେ ତାଙ୍କୁ ଭାରତ ସମ୍ରାଟ ବୋଲି ଘୋଷିତ କରାଗଲା । ଏଥି ପାଇଁ  ସେହି ଦିନ ଶ୍ରୀଧରଙ୍କ ଇସ୍କୁଲରେ ମଧ୍ୟ ଏକ ଉତ୍ସବ ଆୟୋଜିତ ହେଲା । ପିଲାମାନେ ସମସ୍ତେ ବେକର ମାଳିରେ ପଞ୍ଚମ ଜର୍ଜ ଓ ମହାରାଣୀ ମେରୀଙ୍କର ଛବି ଥିବା ଏକଏକ ପଦକ ଝୁଲାଇ ପାଖର ଏକ ଡାକବଙ୍ଗଳାକୁ ଗଲେ । ଯେହେତୁ ସେତେବେଳେ ଅନେକ ପିଲାଙ୍କର ଗଞ୍ଜି କିମ୍ବା କାମିଜ ମଧ୍ୟ ନଥିଲା, ସେଥି ପାଇଁ ମାଳିରେ ପଦକ ଝୁଲା ଯାଇଥିଲା । ଡାକବଙ୍ଗଳାକୁ ଗଲା ବେଳେ ପିଲାଏ ଏଇ ଗୀତ ବୋଲି ବୋଲି ଯାଇ ଥିଲେ -

ପଞ୍ଚମ ଜର୍ଜ ସମ୍ରାଟ ଆମ୍ଭମାନଙ୍କର
ହେ ଇଶ୍ୱର ଅତି ଯତ୍ନେ ତାଙ୍କୁ ରକ୍ଷା କର ।”

ଏହି ମହାନ ସଙ୍ଗୀତର ରଚୟିତା କିଏ, ତାହା କିନ୍ତୁ ହାୟ ଜଣା ନାହିଁ ।

ବି. ଦ୍ର. - ଏହି ଲେଖାଟିର ଉପାଦାନ ଶ୍ରୀଧର ଦାସଙ୍କର ଆତ୍ମଜୀବନୀ ‘ସୁଅ ମୁହଁର ପତର’ର କଟକସ୍ଥ ‘ମିତା ବୁକ୍ସ୍’ ୨୦୧୪ ମସିହାରେ  ପ୍ରକାଶ କରିଥିବା ଚତୁର୍ଥ ସଂସ୍କରଣରୁ ନିଆ ଯ।ଇଛି । ବହିଟି ପ୍ରଥମେ ୧୯୮୨ ମସିହାରେ ଛପା ଯାଇଥିଲା ।