Friday, August 31, 2018


ମହାତ୍ମା ଗାନ୍ଧୀଙ୍କର ଆଶ୍ରମ ଭଜନାବଳୀ - 'ଭଲବାଟ ମୋତେ ଦେଖାଅ'

କବି - ରାମକୃଷ୍ଣ ନନ୍ଦ


ଗୁଜୁରାଟର ସାବରମତି ଆଶ୍ରମର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଭଲ ବାଟ ମୋତେ ଦେଖାଅ ତୁମେ ଉଢ଼ାଳେ ଥାଇ
ଦାଉ ଧକ୍କା ଯେତେ ଆସିବ ସବୁ ଯିବି ଏଡ଼ାଇ ।

ସତ ମିଠା ବୋଲି ଦିଅ ହେ ସଦା ତୁଣ୍ଡରେ ମୋର
ଦେଶ ଦୁନିଆର କାମେ ନ ମଣେ ଆପଣା ପର ।

ଦୁଃଖୀ ରଙ୍କି ଶୋଷୀ ସକାଶେ ଝରୁ ଆଖିରୁ ପାଣି
ତାଙ୍କ ସେବା ଲାଗି ସାହସ ବଳ ଦିଅ ହେ ଆଣି ।

ସମ୍ପଦେ ନ ହୁଏଁ ବିଭୋର ବିପଦରେ ଅଧୀର
ସତ ଲାଗି ଛାତି ପାତେ ମୁଁ କଟୁ ପଛେ ମୋ' ଶିର ।

ଟଙ୍କା ସୁନା ପଉରୁଷକୁ ମନ ନ ବଳୁ ତିଳେ 
ନତ କର ସଦା ମୋ ମଥା ତୁମ ଚରଣ ତଳେ ।

Thursday, August 30, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୪

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ରକର - ଓଲାଉସ ମାଗ୍‌ନସ୍ (୧୪୯୦ - ୧୫୫୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତାଓ ଈଶ୍ୱରଠୁ ପ୍ରବୀଣ
ତାଓ ଯେମିତି ଏକ ଝରଣା ।
ସତତ ଦାନଶୀଳ, ଶୁଖିବନି କେବେ ।
ତାଓ ଯେମିତି ଏକ ଅନନ୍ତ ଶୂନ୍ୟତା,
ଭରିଅଛି ଅସୀମ ସମ୍ଭାବନାରେ ।
ଅଦୃଶ୍ୟ ତାଓ ସଦା ଜାଗ୍ରତ
ଜାଣେ ନାହିଁ, କିଏ ତାହାର ଜନ୍ମଦାତା
ତାଓ ଈଶ୍ୱରଠୁ ବି ପ୍ରବୀଣ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Wednesday, August 29, 2018

ଛଅ ଦୁଗୁଣେ ବାଆର


କଟକ ସ୍ଥିତ ଗୋରା କବର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଛଅ ଦୁଗୁଣେ ବାଆର, ମିଡିଲିଆ ଚୋର’ । ଶିକ୍ଷାବିତ ସର୍ବେଶ୍ୱର ଦାଶ ନିଜ ଗାଆଁ ବାଟ ଦେଇ ସମ୍ବଲପୁରରୁ ଆସି କଟକରେ ଟ୍ରେନିଙ୍ଗ ବିଦ୍ୟାଳୟ ସଂଲଗ୍ନ ମିଡିଲ୍ ସ୍କୁଲରେ ଯେବେ ତୃତୀୟ ଶ୍ରେଣୀରେ ନାମ ଲେଖାଇଲେ, ସେତେବେଳେ ତାଙ୍କୁ ଏହିପରି ଟାହୁଲି ଗୀତ ଅନ୍ୟ ସ୍କୁଲର ପିଲାଙ୍କଠାରୁ ଶୁଣିବାକୁ ପଡ଼ୁଥିଲା । ଏଥିକୁ ଅନ୍ୟ ଇସ୍କୁଲ ପିଲାଙ୍କୁ ମିଡିଲିଆ କଥା ଲେଉଟାନ୍ତି - ‘କଲେଜିଏଟ୍, ପାନ ବିଡ଼ି ସିଗାରେଟ୍’, ‘ମିଶନ୍ ଫେସନ୍’ । ଅବଶ୍ୟ ମିଡିଲ ସ୍କୁଲରେ ତୃତୀୟ ଶ୍ରେଣୀରୁ ଉଠି ପର ବର୍ଷ ସେଇ କଲେଜିଏଟେରେ ହିଁ ସର୍ବେଶ୍ୱର ବାବୁ ଚତୁର୍ଥ ଶ୍ରେଣୀରେ ନାମ ଲେଖେଇଲେ । ୧୯୩୧ ମସିହା ହବ ବୋଧେ । ସେ କଲେଜିଏଟ ସ୍କୁଲରେ ଯୋଗ ଦେଲା ବେଳକୁ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ପଢ଼ୁ ଥାଆନ୍ତି ୧୦ କି ୧୧ କିଲାସରେ; ଫୁଲ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସନ୍ତି, ଆଉ ଖେଳରେ ସବୁ ପୁରସ୍କାର ତକ ଉପରେ ସେ ନିଜ ନାଁ ଯେପରି ଲେଖାଇ ନେଇ ଥାଆନ୍ତି ।

କଟକରେ ସର୍ବେଶ୍ୱରଙ୍କ ପରିବାର ରହୁଥିଲେ ସାହେବଜାଦା ବଜାରରେ । ନିମଚଉଡ଼ିରୁ ଟ୍ରେନିଂ କଲେଜ ଯାଇଥିବା ରାସ୍ତା ଉପରେ ଘର, ଯାହାର ଏବର ନାମ ଭାଷାକୋଷ ସରଣୀ । ସ୍କୁଲରେ ସର୍ବେଶ୍ୱର ପିଲାବେଳରୁ ହିଁ ପ୍ରଥମ ହୁଅନ୍ତି । ତେଣୁ ମାଡ଼ଗାଳିର ତାଡ଼ନା ନ ଥାଏ । ତାହା ଛଡ଼ା ସେ ଚତୁର୍ଥ, ପଞ୍ଚମ, ଷଷ୍ଠ ଶ୍ରେଣୀରେ ମନିଟର ବି ହେଲେ । ତିନି ଥର ଲାଗଲାଗ । ଏହା ଥିଲା କଲେଜିଏଟ ବିଦ୍ୟାଳୟର ଇତିହାସରେ ଏକ ବ୍ୟତିକ୍ରମ । ସ୍କୁଲର ବାର୍ଷିକ ପୁରସ୍କାର ହିସାବରେ ବହି ହିଁ ମିଳୁଥିଲା । ସେଥିରୁ ସର୍ବେଶ୍ୱରଙ୍କୁ ମିଳିଥିବା ଗୋଟିଏ ପ୍ରାଇଜ ପୁସ୍ତକ ଥିଲା ରାମକୃଷ୍ଣ ନନ୍ଦଙ୍କ ଲିଖିତ ତୁଳସୀ ଦାସଙ୍କ ଜୀବନା ଓ ସ୍ତବକମାଳା । ପାଠ ପଢ଼ା ଛଡ଼ା ପିଲାବେଳୁ ହିଁ ଘରେ ଥିବା ‘ପିଲାଙ୍କ ମହାଭାରତ’ ଓ ‘ପିଲାଙ୍କ ରାମାୟଣ’ ଆଉ ‘’ନାବିକ ସିନ୍ଦବାଦ୍‌ର କାହାଣୀ’, ‘ଗଲିଭର୍‌ଙ୍କ କାହାଣୀ’, ‘ବାଲିରାଜା’ ଇତ୍ୟାଦି ବହି ତାଙ୍କର ପଢ଼ା ସରିଥାଏ ।

କଲେଜିଏଟେରେ ପାଠପଢ଼ା ଆରମ୍ଭ ହେବା ପରେ ବେଳେବେଳେ ସର୍ବେଶ୍ୱର ନିଜ ଭାଇନାଙ୍କ ସହିତ ଖେଳଛୁଟିରେ ନିଜ ଡେପୁଟି ମାଜିଷ୍ଟ୍ରେଟ ପିତା ଗୋପୀନାଥ ଦାଶଙ୍କ କଚେରିରେ ଥିବା ମିଶଲକୁ ଯାଆନ୍ତି । ଖାଇବା ଛୁଟି ସମୟରେ ବାପାଙ୍କ ସହ ବସି ଦୁଇ ଭାଇ ଜଳଖିଆ ଖାଆନ୍ତି । ଚାରି ପଇସାରେ ମିଳେ ପତର ଦନା ଭରତି ହେଲା ଭଳିଆ ଗୋଟେ ରସଗୋଲା । ଦୁଇ ଭାଇ ଜଳଖିଆ ଖାଆନ୍ତି ଆଉ ଈସ୍କୁଲୁ ଫେରନ୍ତି । ସମାଜର ସମ୍ପାଦକ ପଣ୍ଡିତ ଲିଙ୍ଗରାଜ ମିଶ୍ର ଥିଲେ ଗୋପୀନାଥ ମିଶ୍ରଙ୍କର କଟକରେ ପଡ଼ୋଶୀ । ସେତେବେଳେ ସେ ଲୋକ ସେବକ ମଣ୍ଡଳର ସଭ୍ୟ ମଧ୍ୟ ଥାଆନ୍ତି । ଲିଙ୍ଗରାଜ ବାବୁଙ୍କ ଦ୍ୱାରା ଲିଖିତ ଜୀବନୀ ଓ ଅନ୍ୟାନ୍ୟ ବହି ପଢ଼ି, ସର୍ବେଶ୍ୱର ଫରାସୀ, ଇତାଲୀୟ, ଓ ୠଷୀୟ ବିପ୍ଳବ ବିଷୟରେ ଜାଣିଲେ । ଏହା ଛଡ଼ା ‘ସମାଜ’ ପାଇଁ ଆସୁଥିବା ସମୀକ୍ଷା ପାଇଁ ବହିଗୁଡ଼ିକ ବି ଲିଙ୍ଗରାଜ ସର୍ବେଶ୍ୱରଙ୍କୁ ଧରାଇ ଦିଅନ୍ତି ପଢ଼ିବା ଲାଗି ।

ସେବେ ଚତୁର୍ଥ ଶ୍ରେଣୀରେ ‘ସାହିତ୍ୟ କୁସୁମ’ ବହିଟି ପଢ଼ା ହେଉଥିଲା । ପାଠ୍ୟପୁସ୍ତକଟିର ସମ୍ପାଦନା କରିଥିଲେ ମଧୁ ରାଓ । ଷଷ୍ଠ ଶ୍ରେଣୀରେ ପଢ଼ା ହୁଏ ତାଙ୍କରି ‘ସାହିତ୍ୟ ପ୍ରସଙ୍ଗ” । ପାଠରେ ଥାଏ ‘ପଦ୍ମ’, ‘ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ’, ‘ରେ ଆତ୍ମନ୍ ନିଦ୍ରା ପରିହରି’, ‘ତୁଳସୀ ସ୍ତବକ’, ‘ନଦୀ ପ୍ରତି’, ‘ସୀତା ବନବାସ’ ଇତ୍ୟାଦି କବିତା । ସେହି ଷଷ୍ଠ ଶ୍ରେଣୀରେ ୧୭୫୫ ମସିହାର ପର୍ତ୍ତୁଗାଲର ଲିସବନ ସହରକୁ ଧ୍ୱଂସ କରିଦେଇଥିବା ଭୂମିକମ୍ପ ବିଷୟରେ ପାଠ ପଢ଼ା ହେଉଥିବା ସମୟରେ ବିହାର ଭୂମିକମ୍ପ ଘଟେ ୧୯୩୪ ମସିହାରେ । ଏକ ବିଚିତ୍ର ସଞ୍ଜୋଗ । କଲେଜିଏଟ ସ୍କୁଲରେ ସର୍ବେଶ୍ୱର ୧୯୩୦ ଦଶକରେ ପଢ଼ିଲା ବେଳେ କଟକରେ ପ୍ରବଳ ମେଲେରିଆ ବ୍ୟାପୁଥିଲା । ସେ ନିଜେ ବି ଅନେକ ଥର ରୋଗ ଭୋଗିଥିବେ । ସେବେ ‘ଜାରମଲୀନ’ ଓଷଦର ମେଲେରିଆ ଚିକିତ୍ସା ପାଇଁ ନାଁ ଡାକ ଥିଲା । ରାସ୍ତାଘାଟରେ ମଡ଼ା ହୋଇଥାଏ, ‘ଜାରମଲୀନ ଜ୍ୱରର ଯମ’ ।

ଏଇ ସ୍କୁଲ ପାଠପଢ଼ା ସମୟରେ କଟକରେ ଜୋରଦାର ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା । ଏହା ସର୍ବେଶ୍ୱରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଘର ପାଖରେ ଥିବା ଗୋପାଳ ପ୍ରହରାଜଙ୍କର ଘର ଆଗ ବିସ୍ତୀର୍ଣ୍ଣ ପ୍ରାନ୍ତରେର ଦେଖା ହେଉଥିଲା କାଳୀ ପଟ୍ଟନାୟକଙ୍କ ରାସଦଳର ରାହାସ, ଉତ୍କଳଭୀମ ପଦ୍ମଚରଣହ୍କର ଶାରୀରିକ ଶକ୍ତିର ପ୍ରଦର୍ଶନ । ବେଳେବେଳେ କଲିକତିଆ କି ବମ୍ବେଇଆ କମ୍ପାନୀ ଆସି ନୀରବ ସିନେମା ବି ପ୍ରଦର୍ଶିତ କରନ୍ତି । ପରିବାର ସହିତ ଦେଖିଥିବା ‘ବେଗର୍ ମିଟ୍‌ସ୍ ବେଗର୍’ ଫିଲ୍ମଟି ସର୍ବେଶ୍ୱର ବାବୁଙ୍କର ଅନେକ ବର୍ଷ ପର୍ଯ୍ୟନ୍ତ ମନେ ଥିଲା । ବରଷକେ ଦୁଇ ତିନି ଥର ସରକସ ବାଲେ ବି ଆସନ୍ତି । ଦୁର୍ଗାପୂଜା, ତାଜିଆ ଶୋଭାଯାତ୍ରାରେ ହିନ୍ଦୁ ମୁସଲମାନ ମିଳିମିଶି ଭାଗ ନିଅନ୍ତି । ୧୯୩୧ରୁ ୧୯୩୫ ମସିହା ପର୍ଯ୍ୟନ୍ତ ଗୋପୀନାଥ ଦାଶଙ୍କ ପରିବାର କଟକରେ ଥିଲେ । ଏହା ପରେ ତାଙ୍କର ବଦଳି ହେଲା ପୁରୀକୁ । ପୁରୀରେ ସର୍ବେଶ୍ୱର ବାବୁ ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ନାମ ଲେଖାଇଲେ । ହେଲେ ତାଙ୍କର ହାଇ ସ୍କୁଲ ପାଠ ପଢ଼ା ଆଉ ଗୋଟିଏ କାହାଣୀ ।

ବି.ଦ୍ର. - ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।

Monday, August 27, 2018

ଦୁଧ ବାର୍ଲି

ସରୋଜିନୀ ଚୌଧୁରୀ


ବାର୍ଲିର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଉପକରଣ - ବାର୍ଲି ତୋଳେ, ଜଳ ପାଏ, ଦୁଧ ପାଏ, ଚିନି ବା ମିଶ୍ରି ଅନ୍ଦାଜ ମୁତାବକ । 

ପ୍ରଣାଳୀ -  ପରିଷ୍କୃତ ନିର୍ଦ୍ଦୋଷ ସୂକ୍ଷ୍ମ ବାର୍ଲିଚୂର୍ଣ୍ଣ ଏକ ତୋଳା, ଅଧ ପାଏ ଥଣ୍ଡା ଜଳରେ ମିଶାଇ, ପରେ ତହିଁରେ ପାଏ ଗରମ ଜଳ ଢାଳି ଧୀରେ ଧୀରେ ଘାଣ୍ଟିବ । ତାହାର ପରେ ଅଳ୍ପ କ୍ଷଣ ଫୁଟାଇ ସିଦ୍ଧ କରିବ ଓ କ୍ରମାଗତ ଘାଣ୍ଟୁ ଥିବ । ଏହି ସମୟରେ ଏକଉତୁରା ତଟକା ଇଷଦ୍ ଉଷ୍ଣ ଦୁଧ ପାଏ ତହିଁ ସଙ୍ଗରେ ମିଶାଇବ ଏବଂ ଆବଶ୍ୟକ ମୁତାବକ ଚିନି ଓ ମିଶ୍ରି ଯୋଗ କରିବ । ହିନ୍ଦୁ ଚିକିତ୍ସାଶାସ୍ତ୍ର ଦୁଧ ବାର୍ଲିର ପକ୍ଷପାତି ନୁହେଁ । ସେ କହେ ବାର୍ଲି ଗୋମାଂସ ପରି । ବୋଧ ହୁଏ ଏଥିର ରହସ୍ୟ ବର୍ତ୍ତମାନ ସୁଦ୍ଧା ଅଜଣା ।


ବି.ଦ୍ର. - ଦୁଧ ବାର୍ଲି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Saturday, August 25, 2018

ପାଲି ଧର୍ମପଦ (୯୦) ର ଓଡ଼ିଆ  ପଦ୍ୟାନୁବାଦ

 ୧ ଅରହନ୍ତ ବର୍ଗ


ଯୁକ୍ତରାଜ୍ୟ ଆମେରିକାର କାଲିଫର୍ଣ୍ଣିଆରେ ସ୍ଥିତ ସି ଲାଇ ବୌଦ୍ଧ ମନ୍ଦିରର ଅର୍ହତ ଉଦ୍ୟାନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେଉଁ ଜନ ପଥ ପରେ ହୋଇଣ ଚାଳିତ,
ଶୋକରୁ ରହିତ ହୋଇ ସର୍ବଥା ବିମୁକ୍ତ ।
ସର୍ବ ଗ୍ରନ୍ଥି ଛିନ୍ନ ହୋଇ ସେହି ବ୍ୟକ୍ତିଙ୍କର
କ୍ଲେଶ, ପରିତାପ ଆଦି ନ ଥାଏ ତାଙ୍କର ।୧।   

ଗତଦ୍ଧିନୋ ବିସୋକସ୍ସ ବିପ୍ପମୁତ୍ତସ୍ସ ସବ୍ୱଧି ।
ସବ୍ୱଗନ୍ଥପ୍ପହୀଣସ୍ସ ପରିଳାହୋ ନ ବିଦ୍ୟତେ ।୧।

ଗତାଧ୍ୱନୋ ବିଶୋକସ୍ୟ ବିପ୍ରମୁକ୍ତସ୍ୟ ସର୍ବଥା ।
ସର୍ବଗ୍ରନ୍ଥ ପ୍ରଣୀହସ୍ୟ ପରିଣାହୋ ନ ବିଦ୍ୟତେ ।୧।

Thursday, August 23, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୩

ଅନୁବାଦ - ଜ୍ୟୋତି ନନ୍ଦ


ଲାଓଜ଼ି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କ'ଣ କିଛି ନ କରି ଅନୁଶୀଳନ କର
ଯଦି ମହାପୁରୁଷକୁ ଅତିରିକ୍ତ ବଡ଼ କରି ବସ
ସାଧାରଣ ମଣିଷଟି ହୋଇଯାଏ ଖୁବ୍ ଛୋଟ, ଅସହାୟ ।
ଯେତେକ ସମ୍ପଦ ଅଛି ଯଦି ଅତିମୂଲ୍ୟ ତାହାର ପ୍ରଚାର,
ଲୋକେ ତ ପ୍ରଲୁବ୍ଧ ହେବେ କରିବାକୁ ଚୋରି ।
ମନରୁ ପୋଛି ଦେଇ ମୋହ
ଦୂର କରି ସମସ୍ତ ବାସନା ।
ଶିକ୍ଷା ଦେଉଥା'ନ୍ତି ଗୁରୁ ମଣିଷରେ
କେମିତି ଅକସ୍ମାତ
ସବୁଥିରୁ ରହିବ ମୁକତ ।
ସେ ବିଷୟରେ ନିଶ୍ଚିତ ଥାଆନ୍ତି ଗୁରୁ ।
ସବୁକିଛି ହୋଇବ ପ୍ରାପତ ।
ଦୀକ୍ଷା ଦେଉଥାନ୍ତି ଗୁରୁ ।
ମଣିଷ ଯେତେବେଳେ ଦ୍ୱିଧାଗ୍ରସ୍ତ ସେଇ କଥାରେ
କିଛି ନାହିଁ, ଅନୁଶୀଳନ କର ଖାଲି ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Tuesday, August 21, 2018

ଗୀତ - 'ହୃଦୟ ଭରା ମୋର ଗୀତରେ'

ଗୀତିକାର - ନାରାୟଣ ପ୍ରସାଦ ସିଂହ 

(୨୮ ମଇ, ୧୯୩୩ - ୬ ଜୁନ, ୨୦୧୮)

ରାଗମାଳାର ଚିତ୍ର - ବସନ୍ତ ରାଗିଣୀ (ୱିକିମିଡିଆ କମନ୍ସ୍)
୧୭୭୦ରେ ଅଙ୍କିତ ରାଜସ୍ଥାନର କୋଟା ଅଞ୍ଚଳର ଚିତ୍ର

ମିତରେ ମିତରେ ମିତରେ
ହୃଦୟ ଭରା ମୋର ଗୀତରେ
କେବେ ଫୁଲର ଫଗୁଣ
କେବେ ଧାରା ଶିରାବଣ
କେବେ ମାଘ ଛାତିଥରା ଶୀତରେ ।ଘୋଷା।

କେବେ ରାକା ଜୋଛନାର ରାତି
କେବେ ମଧୁମଳୟ ଚଇତି
ଅନ୍ଧାରେ କେବେ ଜାଗେ ଭୀତି
ଆଲୋକରେ ଝଲ୍‌ମଲ୍ ପ୍ରୀତି
ଭଲ ପାଇବାର ଅମୃତରେ ।୧।

କେବେ ଅବା ବିଳାସୀ ବସନ୍ତ
ଅସୁମାରି ଆଶାରେ ଅଶାନ୍ତ
ଦୁଃଖରେ କେବେ ଭାରାକ୍ରାନ୍ତ
କେବେ ଅବା ହସର ହସନ୍ତ ।
ଚହଲାଇ ଦିଏ ମୋର ଚିତ୍ତରେ ।୨।

ବି.ଦ୍ର. - ଏହି ଗୀତିକବିତାଟି ତ୍ରୈମାସିକ ସାହିତ୍ୟପତ୍ର 'ଚନ୍ଦନ'ର ୨୦୧୮ ମସିହାର ବର୍ଷା ସଙ୍ଖ୍ୟାରୁ ସଙ୍ଗୃହିତ ।