Thursday, May 31, 2018

ଆଚାର୍ଯ୍ୟ ଅଟଳ ଉପାଖ୍ୟାନ

ଜ୍ୟୋତି ନନ୍ଦ


ନାଜି ମିଥ୍ୟାପ୍ରଚାର ଭିଆଣର ନିର୍ମାତା ଜୋସେଫ ଗେବେଲ୍‌ସ୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆଚାର୍ଯ୍ୟ ଅଟଳଙ୍କ ପ୍ରସଙ୍ଗଟିକୁ ଆମର କୌଣସି ଗଣମାଧ୍ୟମ ଦେଖାଇବେ ନାହିଁ । ତାହା ବିଷୟରେ ଚର୍ଚ୍ଚା ତ ବହୁ ଦୂରର କଥା ।ଏହା ପରେ ଆମେ ଗଣମାଧ୍ୟମକୁ ଯେଉଁ 'ଗୋଦି ମିଡିଆ' ଅବା 'ପ୍ରେଷ୍ଟିଚ୍ୟୁଟ୍'  ବୋଲି ଅତ୍ୟନ୍ତ ଘୃଣାର ସହ କହୁଛୁ, ଆଉ ତାହାର ପକ୍ଷଧରମାନେ ନିଜକୁ ଗଣତନ୍ତ୍ରର ଅନିର୍ବାଯ୍ୟ 'ଚତୁର୍ଥ ସ୍ତମ୍ଭ' ବୋଲି ଆତ୍ମାଡ଼ମ୍ବର ଓ ବାଗାଡ଼ମ୍ବରରେ ଆମକୁ ଯେମିତି ମୋହଗ୍ରସ୍ତ କରି ରଖି ଅଛନ୍ତି, ତାହାର ସ୍ପଷ୍ଟ ବିଚାରଟି ଆପଣମାନେ ନିଜେ କରି ପାରିବେ ।

ସମ୍ପ୍ରତି କୋବ୍ରାପୋଷ୍ଟ ବୋଲି ଗୋଟିଏ ଗଣମାଧ୍ୟମ ସଂସ୍ଥା ଏକ ଷ୍ଟିଙ୍ଗ୍ ଅପରେସନ୍ କରିଥିଲେ, ଯାହା ଗଣମାଧ୍ୟମ ସଂସ୍ଥା ଉପରେ ଆଧାରିତ ଥିଲା, ଯାହାକୁ ଆପଣମାନେ ୟୁଟ୍ୟୁବ୍‌ରେ "କୋବ୍ରାପୋଷ୍ଟ ୧୩୬ /ପାର୍ଟ ୧/ ୨" ରେ ଦେଖିପାରିବେ । ପୁଷ୍ପ ଶର୍ମା ବୋଲି କୋବ୍ରାପୋଷ୍ଟର ଜଣେ ସାମ୍ବାଦିକ ନିଜର ବେଶ ବଦଳାଇ, ଆଚାର୍ଯ୍ୟ ଅଟଳ ନାମଧାରଣ କରି, ଭାରତର ଅଠରଟି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା, ଯାହା ମଧ୍ୟରେ ଟାଇମସ୍ ଗ୍ରୁପ୍, ଇଣ୍ଡିଆ ଟୁଡେ, ଏବିପି ଓ ଜୀ-ନେଟୱାର୍କ ଭଳି ସଂସ୍ଥା ରହିଛନ୍ତି, ସେମାନଙ୍କ ସହ କଥାବାର୍ତ୍ତା କରି ଏକ ଷ୍ଟିଙ୍ଗ୍ ଅପରେସନ୍‌କୁ ରୂପରେଖ ଦେଇଥିଲେ । ଏଇ ଷ୍ଟିଙ୍ଗ୍ ଅପରେସନ୍‌ରେ ଆଚାର୍ଯ୍ୟ ଅଟଳ ସେହି ସମସ୍ତ ଗଣମାଧ୍ୟମ ସଂସ୍ଥାର ଉଚ୍ଚପଦାଧିକାରୀଙ୍କ ସହ ଅର୍ଥ ବିନିମୟରେ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ପ୍ରଚାରପ୍ରସାର କରିବା ପାଇଁ କଥାବାର୍ତ୍ତା କରୁଥିବାର ଦେଖାଯାଉଛି । ସେଥିରେ ସମସ୍ତ ଗଣମାଧ୍ୟମର ଉଚ୍ଚ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇ ସମ୍ମତି ପ୍ରକାଶ କରୁଛନ୍ତି । ଯେଉଁ ଅର୍ଥ ବିନିମୟରେ ଏହା ସମ୍ଭବ ହେବ, ତାହାର ପରିମାଣ ବି କମ୍ ନୁହଁ । ଚାରି ପାଞ୍ଚ କୋଟି ଠୁ ଆରମ୍ଭ କରି ପାଞ୍ଚ ଶହ କୋଟି । ସମସ୍ତେ ସମ୍ମତ, ସେହି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣଟିକୁ ନିଜ ଚାନେଲ୍‌ରେ ପ୍ରଚାର କରିବା ପାଇଁ । ତାହା ଏହି ପରି:

ପ୍ରଥମ, ପ୍ରଥମେ ସଫ୍ଟ ହିନ୍ଦୁତ୍ୱ । ଅର୍ଥାତ୍ କୃଷ୍ଣ ବାଣୀ, ମହାଭାରତ ବାଣୀ, ଇତ୍ୟାଦି ଯାହା ଦର୍ଶକଙ୍କୁ ହିନ୍ଦୁ ଧର୍ମ ଆଡ଼କୁ ଆକର୍ଷିତ କରିବାରେ ସହାୟକ ହେବ । ଏହାର ପ୍ରଚାର କାର୍ଯ୍ୟକ୍ରମ ତିନି ମାସ ଧରି ଚାଲିବ ।

ଦ୍ୱିତୀୟ, ତାହା ପରର ପର୍ଯ୍ୟାୟ ଉଗ୍ର ହିନ୍ଦୁତ୍ୱ, ଯେଉଁଠି ହିନ୍ଦୁ ଧର୍ମର ଉଗ୍ରତା ଦର୍ଶକକୁ ଦେଖାଇ ଦିଆଯିବ । ଉଗ୍ର ହିନ୍ଦୁବାଦୀ ନେତାଙ୍କ ଭାଷଣ, ଯାହା ହିନ୍ଦୁ ଓ ଅଣହିନ୍ଦୁଙ୍କ ଭିତରେ ବିଭେଦ ସୃଷ୍ଟି କରି ପାରିବ, ସେହି ଭଳି କିଛି ଉଗ୍ରତା । ଏଇ ପର୍ଯ୍ୟାୟରେ ହିନ୍ଦୁ-ଅଣହିନ୍ଦୁ ବିଦ୍ୱେଷ ତଥା ପୋଲାରାଇଜ୍‌ଡ୍ ପଲିଟିକ୍‌ସ୍ କରାଯିବ ।

ତୃତୀୟ, ଶେଷ ପର୍ଯାୟରେ ବିପକ୍ଷର ନେତାମାନଙ୍କର ଚରିତ୍ର ହନନ କରାଯିବ, ଯେପରିକି ରାହୁଲ ଗାନ୍ଧୀଙ୍କୁ 'ପପ୍ପୁ', ମାୟାବତୀ ଓ ଅଖିଳେଶଙ୍କୁ 'ବୁଆ-ବବୁଆ' ଆଦିର ମାଧ୍ୟମରେ । ଏଇ ଚରିତ୍ର ହନନ କାର୍ଯ୍ୟକ୍ରମକୁ ବେଶ୍ ତୀବ୍ର କରାଯିବ, ଯାହା ଫଳରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିର୍ବାଚନରେ ତାହାର ସୁବିଧା ପାଇ ପାରିବ ।

ଅନେକ ଗଣମାଧ୍ୟମର ପ୍ରମୁଖ କର୍ମକର୍ତ୍ତାମାନେ ଆଚାର୍ଯ୍ୟ ଅଟଳଙ୍କ ସହ ଅର୍ଥ ବିନିମୟରେ ଏଇ ପ୍ରକାର 'ଡିଲ୍ରେ' ନିଜର ଉତ୍ସୁକତା ଓ ସହମତି ଦେଖାଇଛନ୍ତି । କେତେ ଜଣ ସେମାନଙ୍କ ଚାନେଲ୍ ଏଇ ପ୍ରକାର କାର୍ଯ୍ୟକ୍ରମ କରି ଆସୁ ଥିବାରୁ ଏହା ତାଙ୍କ ପାଇଁ ନୂତନ ହେବ ନାହିଁ ବୋଲି କହିଛନ୍ତି ।ଏପରି କି ଗଣମାଧ୍ୟମ ନ ହୋଇ 'ପେଟିଏମ୍' ଭଳି ଏକ ସଂସ୍ଥା ନିଜର 'ଆପ୍ସ' ମାଧ୍ୟମରେ ଏପରି କରିବା ପାଇଁ ରାଜି ହୋଇଛନ୍ତି । କଥାବାର୍ତ୍ତା ବେଳେ 'ପେଟିଏମ୍' ସଂସ୍ଥାର ସିନିଅର୍ ଭାଇସ୍ ପ୍ରେସିଡେଣ୍ଟ ସ୍ତରର ଜଣେ କର୍ମକର୍ତ୍ତା ଉତ୍ସାହ ପରବଶ ହୋଇ ଆଚାର୍ଯ୍ୟ ଅଟଳଙ୍କୁ କହିଛନ୍ତି ଯେ, ଆଗରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋଟିଏ ଫୋନକଲ୍‌ର ବିନିମୟରେ 'ପେଟିଏମ୍' ତାହାର ଜାମ୍ମୁ-କାଶ୍ମୀରର ଉପଭୋକ୍ତାଙ୍କ ସମସ୍ତ ଗଚ୍ଛିତ ତଥ୍ୟ ହସ୍ତାନ୍ତର କରି ଦେଇ ଥିଲା ।
ଆଚାର୍ଯ୍ୟ ଅଟଳଙ୍କ ଏହି ଷ୍ଟିଙ୍ଗ୍‌ରୁ ଆମକୁ ଯେଉଁ ନିଷ୍କର୍ଷଟି ଆସୁଛି, ତାହା ହେଲା ଏଇ ପ୍ରଜାତି ଭିତରେ ଏମିତି ଘୁଣ ଧରି ଗଲାଣି ଯେ, ସେମାନେ ଅର୍ଥ ବିନିମୟରେ ଯେ କୌଣସି ବିବେକକୁ ବଳିଦାନ ଦେଇ ଏକ 'ହେଞ୍ଚମ୍ୟାନ୍' ହିସାବରେ ସାଧାରଣ ଜନତାକୁ ଦିଗଭ୍ରଷ୍ଟ କରିବା ନିମନ୍ତେ ଶାର୍ପସୁଟର୍‌ର ଭୂମିକା ତୁଲାଇବା ପାଇଁ ପ୍ରସ୍ତୁତ । ଆମର ସାଧାରଣ ଲୋକେ ଯାହା ଦେଖିଲେ, ତାହାକୁ ବିଶ୍ୱାସ କରି ଯାଆନ୍ତି । ପ୍ରତିଦିନ ଆମର ନିୟମିତ କାହାଣୀଭୋଜିଟି ଯେଉଁ ସୁନ୍ଦର ଗଣମାଧ୍ୟମର ଧାରାବାହିକମାନଙ୍କରୁ ଆସେ, ସେଇଠେ ଆଜି ଯେଉଁ ଚରିତ୍ରଟି ଭଲ ଥିଲା କାଲି ଖଳ ପ୍ରକୃତିର ହୋଇ ଗଲାଣି, ଆଉ କାଲିର ଭେଲଟି ଆଜି ଭଲ,ଏଇ ପରି ଚରିତ୍ରମାନଙ୍କୁ 'ସୁ' ଆଉ 'କୁ' ଗଢ଼ିବାରେ ସେମାନେ ମାହିର୍ । ଏଇ କାମଟି ରାଜନୈତିକ ଦଳ ପାଇଁ ବି ସେମାନେ କରୁଛନ୍ତି ଅର୍ଥ ବିନିମୟରେ । ଆଜି ଗୋଟିଏ ଦଳ ଭଲ ତ ଆଉ ଅନ୍ୟ ଦଳଟିଏ ଅନ୍ୟ ଦିନ । କିନ୍ତୁ ଗଣମାଧ୍ୟମର ଅର୍ଥ ବିନିମୟରେ ଏହି ଖେଳର କୌତୁକ ଆମ ପାଇଁ କାଳ ସାଜୁଛି । ସେମାନେ ଆମ ଭିତରେ ଯେଉଁ ଧର୍ମଗତ ବିଦ୍ୱେଷଟି ତିଆରି କରୁଛନ୍ତି, ତାହାର ପରିଣାମର ଭୟଙ୍କର ରୂପ ଆପଣମାନେ ସ୍ୱଚ୍ଛ ଆଉ ସ୍ଥିର ଚିତ୍ତରେ ବୁଝି ପାରୁଥିବେ । ଆମର ଗଣମାଧ୍ୟମରେ 'ମହାକୁମ୍ଭ', 'ଧର୍ମସଙ୍କଟ', 'ଧୃତରାଷ୍ଟ୍ର', 'ମେଳା' ଆଦି ଅନେକ ନିର୍ଦ୍ଦିଷ୍ଟ ଧର୍ମବିଶେଷର ଶବ୍ଦାବଳୀର ଢେର୍ ପ୍ରଚଳନ, ଯାହା ଏକ ପ୍ରକାର ଇଚ୍ଛାକୃତ ।

ଗଣମାଧ୍ୟମ ବିଷୟକ ଏହି ଘଟଣାଟି ଅତ୍ୟନ୍ତ ଦୁଃଖଦାୟୀ । ସେମାନେ ଆମର ଭାବାବେଗ ଓ ଚିନ୍ତାଧାରାର ଉଦାରବାଦୀ ପକ୍ଷଟିକୁ ଯେମିତି ଅର୍ଥ ବିନିମୟରେ ହତ୍ୟା କରିବାକୁ ବସିଛନ୍ତି, ତାହାର ପ୍ରତିହତ କରିବାକୁ ପଡ଼ିବ । ଉଦାରବାଦଟି ଆମ ଭିତରେ ନ ରହିଲେ, ଆମେ କଥାକଥାକେ ଅସହିଷ୍ଣୁତା ପ୍ରକାଶ କରୁଥିବା । ଏଥି ପାଇଁ ଗଣମାଧ୍ୟମ ମାନେ ଆମକୁ ଯାହା କହୁଛନ୍ତି, ସେମିତି କହିବା ପାଇଁ ସେମାନେ ଅର୍ଥ ବିନିମୟରେ ନିର୍ଦ୍ଦେଶିତ । ଆମେ ସେମାନଙ୍କର ବିଚାରଠାରୁ ନିଜକୁ ଦୂରରେ ରଖି ସେମାନଙ୍କୁ ଫେସ୍‌-ଭାଲ୍ୟୁରେ ଗ୍ରହଣ ନ କରି, ନିଜର ବିଚାରବୁଦ୍ଧି ପ୍ରୟୋଗ କରି, ସେମାନଙ୍କର ଗ୍ରହଣଯୋଗ୍ୟତାକୁ ବିଚାର କରିବା ପରେ ଗ୍ରହଣ କରିବା ଆବଶ୍ୟକ ।

ଆଚାର୍ଯ୍ୟ ଅଟଳଙ୍କ ଏହି ଷ୍ଟିଙ୍ଗ୍ ଅପରେସନ୍‌ଟି ଆମର ଭାରତୀୟବୋଧକୁ ଉଜାଗର କରିବାରେ ସମର୍ଥ ହେବ ବୋଲି ମୋର ବିଶ୍ୱାସ । କଲିକତାର ଦୁଇଟି ଗଣମାଧ୍ୟମ ସଂସ୍ଥା ଯଥା 'ବର୍ତ୍ତମାନ ପତ୍ରିକା' ଓ 'ଦୈନିକ ସମ୍ବାଦ', ଆଚାର୍ଯ୍ୟ ଅଟଳଙ୍କ ଉପରବର୍ଣ୍ଣିତ ପ୍ରସ୍ତାବ ଓ ପ୍ରଲୋଭନରେ ଆଦୌ ରାଜି ହୋଇ ନ ଥିଲେ । ଏହି ଦୁଇଟି ଆଞ୍ଚଳିକ ଗଣମାଧ୍ୟମର ଅବସ୍ଥାନ ଆମକୁ ସ୍ଫଷ୍ଟ ଭାବରେ କହୁଛି ଯେ, ସବୁ କିଛି ଶେଷ ହୋଇ ଯାଇ ନାହିଁ । ଏବେ ବି ଅନ୍ଧାର ଭିତରେ ବିନ୍ଦୁଏ ଆଲୋକ ରହିଛି ।

ଆମେ ଭାରତୀୟ, ଆମେ ବିବିଧତାର ସହ ଆଲୋକର ସନ୍ଧାନୀ ।

ପ୍ରଚାର ଓ ଭବ୍ୟତାରେ ସ୍ୱୈରାଚାରୀଟିଏ କିଛି କାଳ ମହାକାଳକୁ ଅତିକ୍ରମ କରିଛି ବୋଲି ଉଚ୍ଚ କଣ୍ଠରେ କହେ । ଆଉ ତାହାର ଶହ ଶହ ଅନୁଗାମୀ ପୁଙ୍ଗାମାନେ ସେଇ କଥାକୁ କହୁ ଥାଆନ୍ତି । ମାତ୍ର ତାହା କିଛି କାଳର କଥା । ସେତିକି ସମୟର କଷ୍ଟ ଆମକୁ ସବୁ କାଳରେ ସହିବାକୁ ପଡ଼ିଛି ।

Wednesday, May 30, 2018

ଗୀତ - 'ରାଜା ଘରେ ଚାକିରି ଖଟି'

କବି - ବୈଷ୍ଣବ ପାଣି


ଜର୍ମାନୀ ଦେଶର ବାମ୍‌ବର୍ଗ ସ୍ଥିତ କାଥିଡ୍ରାଲରେ ଲଙ୍ଗଳ ଉପରେ ପାଦର ଚିହ୍ନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ରାଜା ଘରେ ଚାକିରି ଖଟି
ବରଷକେ ଜମା ଦି' ଦିନ ଛୁଟି ।

ପୋଡ଼ିଯାଉ ପୋଷାକ ପିନ୍ଧା
ସେ ଅମୂଲ ଧନ୍ଦା
ମୋଟା ଖଦୀ ସୁଖ ନ ମିଳେ ତହିଁରେ 
ସବୁଦିନ ମନ ହୁଅଇ ଘାଣ୍ଟି ।

ଇସ୍ତଫା କରି ଦାଖଲ
ମୁହିଁ ମୋର ଲାଗିବି ମୂଲ,
ସେ ହୋଇବ ଭଲ ।
ବଇଷ୍ଣବ ଭାଷେ କରି ଚାଷବାସ
ଲଙ୍ଗଳରେ ମୋର ଚିରିବି ମାଟି।

ପୋଡ଼ିଯାଉରେ ଇଙ୍ଗିରାଜୀ ଅମଳ
ହରି ନେଇ ଗଲା ଦେଶୁଁ ଟଙ୍କା ସୁନା
ଦେହରୁ ହରିଲା ଆମର ବଳ ।
ପଇସାର ପାନ ପାଞ୍ଚଟା ଛଅଟା
ଟଙ୍କାରେ ଛ' ସେର ସେର ଅଧେ ଚାଉଳ ।

ବି. ଦ୍ର. - ଏହି ଗୀତଟି ଭାରତ ଜ୍ଞାନବିଜ୍ଞାନ ସମିତି, ଓଡ଼ିଶା, ଭୁବନେଶ୍ୱର ଛପାଇଥିବା ବହି 'ଆମ ଗୀତ ଆମ ମିତ' ବହିର ୨୦୧୫ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ  ଆନୀତ । ପୁସ୍ତକଟି ପ୍ରଥମେ ୨୦୦୮ ମସିହାରେ ଛପାଯାଇଥିଲା ।

Tuesday, May 29, 2018

ବାରିପଦାରେ ଇସ୍କୁଲୁ ଜୀବନ


ମୟୁରଭଞ୍ଜ ରାଜସନ୍ତକ (ୱିକିମିଡିଆ କମନ୍ସ୍)

ସୌରୀନ୍ଦ୍ର ବାବୁ ଯେବେ ୧୯୪୭ ମସିହାରେ ସପରିବାର ନିଜର ପିତା ଦଇତାରି ବାବୁଙ୍କ ସହ ବାରିପଦା ଆସିଲେ, ସେତେବେଳେ ଛାତ୍ରଙ୍କର ସଙ୍ଖ୍ୟା ଦୃଷ୍ଟିରୁ ବାରିପଦା ଉଚ୍ଚ ବିଦ୍ୟାଳୟ ବୋଧହୁଏ ଥିଲା ଓଡ଼ିଶାର ବୃହତ୍ତମ । ଚତୁର୍ଥ ଶ୍ରେଣୀରେ ଯୋଗ ଦେଇ ପ୍ରଥମ ଦିନ ହିଁ ତାଙ୍କର ବେଞ୍ଚ ଉପରେ ଠିଆ ହୋଇ କଟାଇବାର ଅନୁଭୂତି ହୁଏ – ପିତାଙ୍କର ନୁହଁ, ପୁତ୍ରମଣିଙ୍କର । ସେବେ ଇସ୍କୁଲୁରେ ପଢ଼ୁଥିଲେ ଆଠ ଶହରୁ ଅଧିକ ଛାତ୍ର । ଚତୁର୍ଥଠାରୁ ଏକାଦଶ, ପ୍ରତ୍ୟେକ ଶ୍ରେଣୀରେ ଥିଲା ତିନୋଟି ଲେଖାଏଁ ବିଭାଗ । ସେଇ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଅବସ୍ଥାରେ ହିଁ ଦେଶ ସ୍ୱାଧୀନ ହେଲା । ହେଲେ ମୟୁରଭଞ୍ଜ କିଛି କାଳ ଭାରତରେ ଯୋଗ ନ ଦେଇ ଅଲଗା ରହିଲା ।

ଦଇତାରି ବାବୁ ହେଡ଼ମାଷ୍ଟ୍ର ହୋଇ ଆସିଥାନ୍ତି । ମାଷ୍ଟ୍ରଙ୍କ ପୁଅ ବାରିପଦା ଇସ୍କୁଲୁରେ ନାମ ଲେଖାଇବା ପର୍ଯ୍ୟନ୍ତ ସିଲିଂ ଫ୍ୟାନ ଦେଖି ନ ଥିଲେ । ସେତେବେଳେ ପ୍ରତି ଶ୍ରେଣୀରେ ଯୋଡ଼େ ଲେଖାଏଁ ଝୁଲା ପଙ୍ଖା, ଗୋଟାଏ ଲେଖେଁ ଶକତ, ବହି ଭରତି ଆଲମାରି, ବସିବା ପାଇଁ ବେଞ୍ଚର ବ୍ୟବସ୍ଥା - ପୁରାପୁରି ରାଜକୀୟ ଆୟୋଜନ । ପ୍ରତି କିଲାସରେ ଗୋଟାଏ ଲେଖାଏଁ ଶ୍ରେଣୀ ପାଠାଗାର – ଆଲମାରି ଟା ହିଁ ଲାଇବ୍ରେରି । ପ୍ରତି ଶ୍ରେଣୀରେ ଜଣେ ଶିକ୍ଷକ ଲାଇବ୍ରେରି ଦାୟିତ୍ୱରେ ଥାଆନ୍ତି । ଯେବେ ସୌରୀନ୍ଦ୍ର ବାବୁଙ୍କର ବାରିପଦା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ହେଲା, ତାଙ୍କ ଶ୍ରେଣୀ ପାଇଁ ପାଠାଗାର ଦାୟିତ୍ୱରେ ଥାଆନ୍ତି ଶ୍ୟାମସୁନ୍ଦର ଷଡ଼ଙ୍ଗୀ । ତାଙ୍କ ଠାରୁ ଯେଉଁ ପ୍ରଥମ ପୁସ୍ତକଟି ବାବୁ ପାଇଲେ, ତାହା ଥିଲା ‘ଫୁଲଚାଙ୍ଗୁଡ଼ି’ ବୋଲି କୁନି ବହିଟିଏ । ତାହା ହିଁ ତାଙ୍କ ମନରେ ପାଠକୀୟ ନିଶା ଜଗାଇଲା । ସେ ଅନ୍ୟ ବହି ସବୁ ମଧ୍ୟ ଆଣି ପଢ଼ିବାକୁ ଲାଗିଲେ । କଲିକତାର ‘ଦେବସାହିତ୍ୟ କୁଟୀର’ରୁ ବହି ମଗାଇ ପଠନ ଆରମ୍ଭ ହେଲା । ତାହା ସହ ଓଡ଼ିଆ ଓ ବଙ୍ଗଳା ରହସ୍ୟ ଉପନ୍ୟାସ ପଢ଼ାର ନିଶା ମଧ୍ୟ ଚଢ଼ିଲା । ବହି ପଢ଼ିବାରେ ତାଙ୍କର ସାଥି ଥିଲେ ଜୟକୃଷ୍ଣ ମହାପାତ୍ର ଓ ସନ୍ତୋଷ ଦାଶ ।

ସେତିକି ବେଳେ ବାରିପଦାରୁ ‘ଚନ୍ଦ୍ରିକା’ ବୋଲି ଗୋଟିଏ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରକାଶ ପାଇବାକୁ ଆରମ୍ଭ କଲା । ସମ୍ପାଦକ ଥିଲେ ମହେଶ ମହାପାତ୍ର । ଥରେ ଗୋଟିଏ ଗପ ଲେଖି ସାରି ମହେଶ ବାବୁଙ୍କ ସ୍ତ୍ରୀଙ୍କୁ ଗପଟି ଦେଇ ସୌରୀନ୍ଦ୍ର ବାବୁ ପଳାଇ ଆସିଲେ । ତାହା ବୋଧେ ତାଙ୍କର ସିରିଅସ ଲେଖକ ଜୀବନର ଆଦ୍ୟ ଉନ୍ମେଶ । ଗପଟି ତ ପ୍ରକାଶ ହେଲାନି । ହେଲେ ସମ୍ପାଦକ ଓ ନିଜ ପିତା ଇତ୍ୟାଦି ଭାଷା ଶୁଦ୍ଧ କରିବା ପାଇଁ ତାଙ୍କୁ ଉପଦେଶ ଦେଲେ ଅନୁବାଦ କରିବା ପାଇଁ । ସେଇଥିରୁ ସୌରୀନ୍ଦ୍ର ବାବୁଙ୍କର ଭାଷା ସହ ଅସଲ କସରତ ଆରମ୍ଭ ହୁଏ ।

ପାଠ ପଢ଼ା ଛଡ଼ା ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସୌରୀନ୍ଦ୍ର ଅଂଶଗ୍ରହଣ କରିବାକୁ ଲାଗିଲେ । ଅଷ୍ଟମ ଶ୍ରେଣୀରେ ଇସ୍କୁଲୁର ପ୍ରବନ୍ଧ ପ୍ରତିଯୋଗିତାରେ ଚତୁର୍ଥ ହେଲେ । ମନଟା ଖଟା ହୋଇଗଲା । ପରିଶ୍ରମ କରି ଦଶମ ଶ୍ରେଣୀରେ ହେଲେ ପ୍ରଥମ – ପୁରସ୍କାର ମିଳିଲା ‘ଗଙ୍ଗାଧର ଗ୍ରନ୍ଥାବଳୀ’ । ସେତେବେଳର ଶିକ୍ଷକମାନଙ୍କୁ ନେଇ ଗୋଟିଏ ଟାହୁଲିଗୀତର ପ୍ରଚଳନ ଥିଲା -

ମାୟାଧର ବାବୁ କାନଫୋଡ଼ିରେ ଘଡ଼େଇ,
ମାୟାଧର ବାବୁ କାନଫୋଡ଼ିରେ
ସନ୍ତୋଷ ବାବୁଙ୍କ ଟେରି. କଛା କାନି ଉଡ଼େ ଫିରିଫିରି
ଶାମବାବୁର ବାଳ ଠିଆ, ଯୋଗେଶ ବଡ଼ ବାଣ୍ଠିଆ
ଲମ୍ବୋଦର ବାବୁ ଡେଙ୍ଗା ପେଟାରେ ଘଡ଼େଇ
ମାୟାଧର ବାବୁ କାନଫୋଡ଼ି ।”

ଏହି ଗୀତ ଶୁଣି ମାୟାଧର ବାବୁ ଚିଡ଼ିଯାଆନ୍ତି ଆଉ ପିଲାମାନେ ତାଙ୍କୁ ‘ନାକ୍‌ଟିଙ୍ଗେଲ୍’ ବୋଲି ଡାକନ୍ତି । ସ୍କୁଲର ସବୁଠାରୁ ପ୍ରସିଦ୍ଧ ମାଷ୍ଟ୍ର ଥିଲେ ଖେଳଶିକ୍ଷକ ବ୍ରଜ ବାବୁ । ତାଙ୍କ ଯୋଗୁଁ ବାରିପଦାରେ ଫୁଟବଲ ଖେଳ ଲୋକପ୍ରିୟ ହୋଇପାରିଥିଲା ଓ ରାଜ୍ୟର ଏକ ଶକ୍ତିଶାଳୀ ଦଳ ଭାବରେ ଗଢ଼ି ହୋଇପାରିଥିଲା । ସେ ପିଲାଙ୍କୁ ନିୟମିତ ଖେଳ ଶ‌ିଖାନ୍ତି, ନେଇ ଡ୍ରିଲ କରାନ୍ତି । ଆଉ ସ୍କୁଲ ବେଳେ ପିଲାଙ୍କଠୁଁ ରହସ୍ୟ ଉପନ୍ୟାସ ସଙ୍ଗ୍ରହ କରିନେଇ ବସି ପଢ଼ନ୍ତି । ସବୁବେଳେ ପିଲାଙ୍କୁ ଶିଖାନ୍ତି ଫାଉଲ ଖେଳ ନ ଖେଳିବା ପାଇଁ । ପିଲାଏ ଖେଳିବାକୁ ଗଲେ ଶିକ୍ଷକଙ୍କର ପଦରଜ ସଙ୍ଗ୍ରହ କରିନେଇ ଯାଆନ୍ତି ।

ସ୍କୁଲର ଅଫିସ ଆଗରେ ଗୋଟାଏ ଅତିକାୟ ନାଗେଶ୍ୱର ଗଛ । ହତା ଭିତରେ ହେଡ଼ମାଷ୍ଟ୍ରଙ୍କର ରହିବାର ବସାର ବ୍ୟବସ୍ଥା ହୋଇଥାଏ । ବସା ଭିତରେ ଗୋଟିଏ ଅଗଣା । ଅଗଣା ଭିତରେ ଯାଉଁଳି ଆମ୍ବ-ବେଲ ଗଛ । ସେହି ଆମ୍ବର ଛାଇରେ ଖରାଦିନେ ମଶାରୀ ପାରି ଶୋଇବାର ବ୍ୟବସ୍ଥା ହୁଏ । ସହକାର ଛାଇ ତଳର ଜୀବନ ବେଶୀ ଦିନ ତିଷ୍ଠି ରହିଲା ନାହିଁ । ନାନାଦି ଆମୋଦ ସହ ସୌରୀନ୍ଦ୍ର ବାବୁଙ୍କର ସେଠି ରହୁଥିଲା ବେଳେ ବନ୍ଧୁ ହାନି ମଧ୍ୟ ହେଲା । ଶେଷକୁ ବାରିପଦା ହାଇସ୍କୁଲୁରୁ ମାଟ୍ରିକ ପାସ କରି ଏମ୍. ପି. ସି କଲେଜରେ ନାମ ଲେଖାଇଲେ । ହେଲେ ତାହା ଅନ୍ୟ ଏକ କାହାଣୀ ।

(ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ ହୋଇଥିଲା । ଲେଖାଟି ସୌରୀନ୍ଦ୍ର ବାରିକଙ୍କର ଆତ୍ମଜୀବନୀ ‘ବାଟ ଚାଲୁ ଚାଲୁ’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ଶ୍ରୀ ବାରିକଙ୍କର ଅବର୍ତ୍ତମାନରେ ୨୩ ଫେବୃଆରୀ, ୨୦୧୮ରେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ‘ସୃଜନ’ ଦ୍ୱାରା ପ୍ରକାଶିତ ।)

Monday, May 28, 2018

ପାରମ୍ପାରିକ ଭଜନ - 'ଗୁରୁ ମୋର ରଜକରାଜ'


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗୁରୁ ମୋର ରଜକରାଜ,
ଗୁରୁ ମୋର ରଜକ ରାଜ ।
ମନର ମଇଳା ଘଷି ମାଜି ଧୋଇ
ଶୁଖାଇ ରଙ୍ଗାଇ କରନ୍ତି ସଜ ।୦।

ଆତ୍ମଜ୍ଞାନ ତା'ଙ୍କ ତୁଠର ପଥର
ଚିତ୍ତ ମୋ ଅଜ୍ଞାନ ଅଟଇ ଚୀର ।
ଜ୍ଞାନ ବାକ୍ୟ ପିଟଣାରେ ପିଟିପିଟି
ବାସନାର ଦାଗ କରନ୍ତି ଦୂର ।୧।

ବୁଦ୍ଧି ମୋ'ର ମୂଢ଼ ବତୁରେ ଶଙ୍କାରେ
ନିଜାନନ୍ଦ ସଙ୍ଗ ଅଟଇ ଖରା ।
ବେଦାନ୍ତ ମାର୍ତ୍ତଣ୍ଡ ଜ୍ଞାନାଲୋକେ ଦେଖ
ମନ ମୋର ଶୁଖି ହେବ ପାପରା ।୨।

ନିଜାନନ୍ଦ ରଙ୍ଗେ ରଙ୍ଗି ଅହଙ୍କାର
ନାଶ ଯିବ ନିଶ୍ଚେ ମୁହିଁ ଜାଣିଛି ।
କହ ଭକ୍ତ ଜନେ ସିଲୁ ରାଉତର
ଏହାଠୁ ଆଉ କି ସୌଭାଗ୍ୟ ଅଛି ।୩।

Wednesday, May 23, 2018

ଉତ୍କଳ ଦୀପିକାରେ ଜନୈକ ମଧୁସୂଦନ ଦାସଙ୍କ ସମ୍ପର୍କରେ ପ୍ରକାଶିତ ଏକ ଖବର


୧୮୦୦ ମସିହାର ଆଖପାଖରେ କଲିକତାର ଏସ୍‌ପ୍ଲାନେଡ଼ ଅଞ୍ଚଳର ଚିତ୍ର (ୱିମିକିମିଡିଆ କମନ୍ସ୍)


କଟକର ଛୋଟ ଅଦାଲତର ଓକିଲ ରଘୁନାଥ ଦାସଙ୍କ ପୁତ୍ର ମଧୁସୂଦନ ଦାସ କଲିକତାକୁ ଯାଇ ସେଠାରେ ଖ୍ରୀଷ୍ଟିୟାନ ଧର୍ମ ଅବଲମ୍ବନ କରି ସେଠାରେ ଅନ୍ଧକାର କୁପରୁଁ ଉଦ୍ଧାର ପାଇ ଦୀପ୍ତମାନ ସ୍ୱର୍ଗରାଜ୍ୟରେ ଭ୍ରମଣ କରୁ ଅଛନ୍ତି । ସେଠାରୁ ବାଲେସର ସ୍କୁଲର ଚତୁର୍ଥ ମାଷ୍ଟରିରେ ନିଯୁକ୍ତ ହୋଇଯାନ୍ତି । ଏଥିପର ସେଠାକାର ରେଜଷ୍ଟରି ଏଲାକାରେ କେରାଣିଗିରିରେ ସେ ରହିଲେ । କିଛି ଟଙ୍କା ସରକାରୀ ତହବିଲରୁଁ ଖର୍ଚ୍ଚ କରିଥିବାରୁଁ ସେ ଏ କର୍ମରୁ ମାପୁଲ ହୋଇ କଲିକତା ପଳାଇଲେ । ଖ୍ରୀଷ୍ଟିୟାନ ଧର୍ମ ଅବଲମ୍ବନ କରିବା ମାତ୍ରକେ ସେହି ଧର୍ମସ୍ଥ ଏକ ସ୍ତ୍ରୀର ପାଣି ଗ୍ରହଣ କଲେ । ବୋଧହୁଏ ଏହି ଲୋଭରେ ଅନେକ ଖ୍ରୀଷ୍ଟିୟାନ ହେଉଅଛନ୍ତି ।

କିଂ କୁର୍ବନ୍ତି ନ କୁର୍ବନ୍ତି କାମିନୀ ବଶଗାନରାଂ
ଯତ୍ କାମିନ୍ୟ ପ୍ରସାଦେନ ନୃପତିର୍ଘୋଟକାୟତେ ।

ବି.ଦ୍ର. - ଏହି ପତ୍ରଟିର ବନାନ ଆଦି, ଯେପରି ମିଳିଅଛି, ସେହିପରି ଦିଆ ଯାଇଅଛି । ଏହି ଲେଖାଟି ଉତ୍କଳ ଦୀପିକାର ଅଗଷ୍ଟ ଏଗାର, ୧୮୬୬ ମସିହାର ସଂସ୍କରଣରେ ଛପାହୋଇଥିଲା । ଲେଖାଟି ସୃଜନିକା ସଂସ୍ଥାଙ୍କର ସୌଜନ୍ୟରୁ ମିଳିଅଛି । 

Monday, May 21, 2018

କବିତା - 'ମାଗୁଣି'

କବି - ଦେବହୂତି ଦେଈ


ଯୁକ୍ତରାଜ୍ୟ ଆମେରିକାର ଟେକ୍ସାସ ଠାରେ ୧୯୩୫ ମସିହାରେ  ଧୂଳି ଝଡ଼
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦିଅ ଜ୍ଞାନ ଦିଅ ଧୈର୍ଯ୍ୟ ହେ ପରମ ପିତା
ଏତିକି ମାଗୁଣି ଶ୍ରୀଚରଣେ
ପବିତ୍ର ନିର୍ମଳ ହେଉ ମୋର ଅନ୍ତରାତ୍ମା
ତବ ପଦ ତୁଳସୀ ଯେସନେ ।

ଶତ ପ୍ରଲୋଭନେ ପଡ଼ି ହୃଦୟେ ମୋହର
ନ ଘଟୁ କେବେ ହେଁ ଧୈର୍ଯ୍ୟ ଚ୍ୟୁତି
ବିଶ୍ୱ ପ୍ରାଣେ ପ୍ରାଣ ମୋର ହୋଇ ଯାଉ ଏକ
ସ୍ୱାର୍ଥ ହୋମେ ପଡ଼ୁ ପୂର୍ଣ୍ଣାହୂତି ।

ଅବଳା ହୃଦୟେ ବଳ ସାହସ ଅଭାବ,
ନଦୀ ମଧ୍ୟେ ତରଣୀ ସମାନ
ଘୂର୍ଣ୍ଣିବାୟୁ ମଧ୍ୟେ ପଡ଼ି ଘୂରଇ ଚୌଦିଗେ
କ୍ଷଣେକ୍ଷଣେ ବିପନ୍ନ ଜୀବନ ।

ଢାଳ କୃପା ବାରି ମୋର ହୃଦୁ ଚଞ୍ଚଳତା
ଭାସି ଯାଉ ହେ ପ୍ରଭୁ ଅଚିରେ
ହେଉ ପ୍ରଭୁ ଅଗ୍ରସର ଜୀବନ ମୋହର
କର୍ମପଥେ ସଦା ଧୀରେ ସ୍ଥିରେ ।

ବି.ଦ୍ର. - ଏହି ଲେଖାଟି 'ବାରୁଣୀ' ପତ୍ରିକାର ପ୍ରଥମ ବର୍ଷର ପ୍ରଥମ ସଙ୍ଖ୍ୟାରେ, ୧୩୩୧ କଳିଙ୍ଗାବ୍ଦରେ ପ୍ରକାଶିତ ହୋଇଥିଲା । ପତ୍ରିକାର ଏହି ପ୍ରତିଟି 'ସୃଜନିକା' ସଂସ୍ଥାର ସୌଜନ୍ୟରୁ ପ୍ରାପ୍ତ ହୋଇଥିବାରୁ, ଆମେ ତାଙ୍କ ନିକଟରେ କୃତଜ୍ଞ ।  

Saturday, May 19, 2018

ପାଲି ଧମ୍ମପଦ (୭୭) ର ଓଡ଼ିଆ  ପଦ୍ୟାନୁବାଦ

୨ ପଣ୍ଡିତୋବଗ୍ଗୋ (ପଣ୍ଡିତ ବର୍ଗ)


ଥାଇଲାଣ୍ଡର ବୌଦ୍ଧ ଭିକ୍ଷୁ (୨୦୦୯ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପଦେଶ ଦେବ, କରିବ ଅନୁଶାସନ,
ଅସଭ୍ୟ କାର୍ଯ୍ୟରୁ  କରିବ ଯେ ନିବାରଣ;
ସତ୍‌ପୁରୁଷମାନଙ୍କ ପ୍ରିୟ ସେ ଅଟନ୍ତି,
ଅସତ୍‌ଲୋକମାନଙ୍କ ଅପ୍ରିୟ ହୁଅନ୍ତି ।୨।  

ଓବଦେୟ୍ୟାନୁସାସେୟ୍ୟ ଅସବ୍ଭା ଚ ନିବାରୟେ ।
ସତଂ ହି ସୋ ପିୟୋ ହୋତି ଅସତଂ ହୋତି ଅପ୍ପିୟୋ ।୨।

ଅବବଦେତ୍ ଅନୁଶିଷ୍ୟାତ୍ ଅସଭ୍ୟାତ୍ ଚ ନିବାରୟେତ୍ ।
ସତାଂ ହି ସ ପ୍ରିୟୋ ଭବତି ଅସତାଂ‌ ଭବତି ଅପ୍ରିୟଃ ।୨।