Wednesday, January 31, 2018

ନିକୋନୋର ପାର୍ରାଙ୍କ କବିତା  'ମୋ କହିବା କଥାକୁ ମୁଁ ଫେରାଇ ନେବାକୁ ଚାହେଁ'


ଅନୁବାଦ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଚାଲି ଯିବା ଆଗରୁ 
ମୋର ଗୋଟିଏ ପ୍ରତ୍ୟାଶା ପୂରଣ ବାସନା ଅଛି ।
ଶ୍ରଦ୍ଧେୟ ପାଠକ
ମୋର ବହିଗୁଡିକ ପୋଡିଦିଅ।
ଯାହା କହିବାକୁ ଚାହିଁଥିଲି ଏଥିରେ ମୋଟେ ତାହା ନାହିଁ
ଯଦିଓ ଏହା ଲେଖାହେଇଥିଲା ରକ୍ତରେ
କିନ୍ତୁ ଏ ସବୁ ତାହା ନୁହଁ
ଯାହା ମୁଁ କହିବାକୁ ଚାହିଁଥିଲି ।
ଏମାନେ କେହି ମୋଠୁ ବେଶି 
ବିଷାଦବହନ କରିପାରନ୍ତି ନାହିଁ,
କିନ୍ତୁ ମୁଁ ହାରିଯାଇଛି ମୋ ଛାଇ ପାଖରେ;
ମୋ ଶବ୍ଦମାନେ ମୋ ଉପରେ ପ୍ରତିଶୋଧ ନେଉଛନ୍ତି
କ୍ଷମା କରନ୍ତୁ ପାଠକ,ପ୍ରିୟ ପାଠକ
ଯଦି ମୁଁ ଆପଣମାନଙ୍କୁ
ଉଷ୍ମ ଆଲିଂଗନରେ ବିଦାୟ ଦେଇପାରୁନାହିଁ
ଗୋଟିଏ ବିଷର୍ଣ୍ଣ ହସ ଛାଡିଦେଇ
ବାଧ୍ୟହୋଇ ବିଦାୟ ନେଉଛି ।
ହୁଏତ ଏଇ ଲେଖାଗୁଡିକର ପୂରା ମୁଁ
ମୋର ଶେଷ କଥା ଶୁଣନ୍ତୁ,
ମୁଁ ଫେରାଇ ନେବାକୁ ଚାହେଁ ମୋର ସବୁତକ କଥା ।
ପୃଥିବୀଏ ବିଷାଦ ନେଇ କୁହାଯାଇଥିବା
ମୋର କଥାଗୁଡିକୁ ମୁଁ ଫେରାଇ ନେବାକୁ ଚାହେଁ ।

Tuesday, January 30, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୦


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଅଲିଭ ତେଲ (ୱିକିମିଡିଆ କମନ୍ସ୍)


୪୬
 


ବିଲେଇ ଆଖିବୁଜି ଦୁଧ ପିଉଛି ।
ଅର୍ଥ: ଅତି ଚାଲାକିରେ କାମ କରି ଭାବିବା ଯେ କେହି କିଛି ବୁଝିପାରୁ ନାହାନ୍ତି ।


୪୭


ଚୋର ଘର ସବୁବେଳେ ଅନ୍ଧାର ନ ଥାଏ ।
ଅର୍ଥ: ଅପରାଧୀ ଦିନେ ନା ଦିନେ ଧରାପଡେ଼ ସବୁବେଳେ ଖସିଯାଇ ପାରିବ ନାହିଁ ।


୪୮


ଆଲୋ ସଖୀ
ଆପଣା ମହତ ଆପେ ରଖି ।
ଅର୍ଥ: ଦୁଷ୍ଟ ଲୋକକୁ କିଛି ଉପଦେଶ ଦେବା ବା କିଛି ସମ୍ପର୍କ ରଖିଲେ ନିଶ୍ଚେ ଅପମାନିତ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ନିଜ ସମ୍ମାନ ଜଗି ସେମାନଙ୍କ ଠାରୁ ଦୂରରେ ରହିବା ଉଚିତ ।


୪୯


ତେଲ ତେଲୁଣି ହୋଇବେ ଏକାପିଡ଼ିଆ ଖଣ୍ଡିକି ପାଣିକି ପକା ।
ଅର୍ଥ: ଦୁଇ ଜଣଙ୍କ କଳହ ମଧ୍ୟରେ ମଧ୍ୟସ୍ଥତା କରିବା ବିପଦଜନକ । ଶେଷକୁ କଳି କରୁଥିବ ଦୁଇ ବ୍ୟକ୍ତି ତୁମ ଉପରେ ସବୁ ଦୋଷ ଲଦି ଦେଇ ନିଜେ ଏକାଠି ହୋଇଯିବାର ସମ୍ଭାବନା ଥାଏ ।


୫୦


ଭୋକ ବିକଳରେ ତାଟିଆ କାମୁଡ଼ିବ ।
ଅର୍ଥ: ସ୍ୱାର୍ଥ ହାସଲ ନ ହୋଇ ପାରିଲେ ରାଗିଯିବ ।

Monday, January 29, 2018

କାଳିଯାଇ

ପଣ୍ଡିତ ଗୋଦାବରୀଶ ମିଶ୍ର


ଚିଲିକାର ମାଛଧରାଳି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

‘ଭଲ କରି ନାଆ ବୁହା, ରେ ନାଉରି !
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର ।’

ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ;
ମାମୁଁଭଣଜାର କୋଣରୁ ଆସେ ଲୋ,
ବୋହି ସୁଲୁ ସୁଲୁ ବାଆ ।

ଦିନ ଦଶ ଘଡ଼ି ହେଲାଣିଟି ଆସି,
ଖରା ମାରେ ଚାଇଁ ଚାଇଁ;
ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ,
ବେଳ ତ ପାଇବ ନାହିଁ ।

ନାଉରି ବାପୁଡ଼ା କାତ ମାରୁଅଛି,
ଉଦାସେ ଗାଉଛି ଗୀତ;
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ,
ଜଣା ନ ପଡ଼ଇ ବାଟ ।

ମାଆ ଭଉଣୀଙ୍କି, ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି;
ନାଆରେ ବସି ସେ ତାଙ୍କରି କଥା ଲୋ,
ହୁଏ ନିରନ୍ତରେ ଭାଳି ।

ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ;
ପରତେ ନୋହୁଛି ଆଉ କି ଦିନେ ଲୋ,
ଫେରି ସେ ଦେଖିବ ଯାଇ !

ନାଆ ଚାଲିଅଛି ପବନ ସମାନେ,
ମୁହୂର୍ତ୍ତେ ନ ହୁଏ ଥୟ;
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ,
ଅନାଇ ଦେଖନ୍ତା ଝିଅ ।

ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା-
‘ଦିଅରେ ମେଲାଣି ମୋତେ;
ଭେଟ ଆଉ ଦିନେ ନୋହିବ ଜୀବନେ,
ଯାଉଛି ଘୋର ବନସ୍ତେ ।’

ଶାଳିଆ ନଈ ତା’ ନିତିଦିନ ସାଥୀ,
ସୁଖେ ସେ ବୁଲଇ କୂଳେ;
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ,
ହସି ଲେଉଟଇ ଘରେ ।

କାଳିଅନ୍ଧାରୁଁ ସେ ଚାଲି ଯେ ଅଇଲା,
ଦେଖି ତ ନାହିଁଛି ତାକୁ;
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ,
ତିନି କୋଡ଼ି କୋଶେ ଡାକୁ ।

ମାଆ ଭଗବତୀ ପୀଠ କୂଳେ ତା’ର,
‘ଜଗତ ତାରିଣୀ’ ନାଆଁ,
ଡାକି କହିଥାନ୍ତି, ନୋହିଲା ଆଉ ଲୋ,
‘ସାହା ମୋ ଥିବୁଟି, ମାଆ !’

ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ,
ରହିଲା ଶାଳିଆ ଦୂରେ ।

ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆ
ଗଣ୍ଡ ତଡ଼ କଳା ପାଣି;
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,
ତିନ୍ତେ ପିନ୍ଧା ଛିଟ କାନି ।

ପାରିକୁଦ ବୋଲି ରାଇଜ ପୁଣି ସେ
ଚିଲିକା ମଝିରେ କାହିଁ;
କେମନ୍ତେ ମୂର୍ଛିଲ ଝିଅକୁ, ବାପା ହେ,
ଏତେ ଦୂରେ ଦେବା ପାଇଁ ?

ବର ବୋଲି ଯାର ଧରାଇଲ ହାତ
କି ତା’ର ଦେଖିଲ ଶିରୀ ?
ରୂପ ବିଦ୍ୟା ଆଉ ବିଭବ, ବାପା ହେ,
ତିହ୍ନିଏ ତିହ୍ନିକି ବଳି ।

ମହୀମଣ୍ଡଳେ ତ ନଥିବ କେ କାହିଁ
ମୋ ଭଳି ନିରେଖ ଜନ;
ଏ ମହାସମୁଦ୍ର ମଝିରେ, ବାପା ହେ,
କେମନ୍ତେ ବଞ୍ଚିବି ଦିନ ?

ଏଡ଼େ ହୀନିମାନ କରିବାକୁ ଯେବେ
ମନରେ ଥିଲା ବିଚାର,
ଏନ୍ତୁଡ଼ି ଶାଳେଟି, କିପାଇଁ, ବାପା ହେ,
ତଣ୍ଟି ଚିପି ନ ମାରିଲ ?

ଝିଅକୁ ନିଶ୍ଚିନ୍ତେ ଦେଇଛ ପଠାଇ
ବନସ୍ତକୁ ଜାଣୁ ଜାଣୁ;
କପାଳ ଆଦରି ଯାଉଛି, ବୋଉ ଲୋ,
ପାସୋରି ନ ଦେବୁ ମନୁଁ ।'

ନାଆ ଉଡ଼ିଯାଏ ପବନ ସମାନେ,
ନାହିଁ କ୍ଷଣେ ହୁଏ ଥୟ;
ଝିଅ ବସିଅଛି ତୁନିଟି ହୋଇ ଲୋ,
ନେତ୍ରୁ ବୋହିଯାଏ ଲୁହ ।

‘ନାଆ ଚାଲିଅଛି ପବନ ସମାନେ,
ନ ମାନେ ପାଣି ପଥର;
ତୁନି ହୁଅ, ଜାଇ, ନ କାନ୍ଦ ଆଉ ଲୋ,
ଏଇ ଦିଶିଲାଣି ଗଡ଼।’

ଏତେ ବୋଲି ବାପା ଝିଅର ଆଖିରୁ
ଦେଲେ ଲୁହଧାର ପୋଛି,
ଯେତେ ପରି ତାକୁ ବୁଝାନ୍ତି ବସି ଲୋ,
ଜାଇ ବୁଝୁ ନାହିଁ କିଛି ।

‘ଭଲ କରି ନାଆ ବୁହା, ରେ ନାଉରି,
ଝିଅକୁ ମାଡ଼ୁଛି ଡର;
ଏତେ କାଳେ ଜାଇ ନାଆରେ ବସିଛି,
ଯିବ ବୋଲି ଶାଶୂ ଘର’ ।

ଭଲ କରି ନାଆ ବାହୁଛି ନାଉରି,
ଭିଡ଼ି ମାରୁଅଛି କାତ;
ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ,
ଜଣା ନ ପଡ଼ଇ ବାଟ ।

ନାଆ ଭାସି ଆସି ଦଣ୍ଡକ ଭିତରେ
ମଝି ଗଣ୍ଡେ ହେଲା ଯାଇ;
ଥିର ହୋଇ ହେଲା ନାଉରି ଠିଆ ଲୋ,
କାତ ଆଉ ପାଉ ନାହିଁ ।

ଭାଲେରି-ଶିଖାରୁ କଳା ମେଘ ଖଣ୍ଡେ
ଉଠେଇ ଆସିଲା କାହୁଁ;
ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ,
ଖରା ନପଡ଼ଇ ଆଉ ।

ମାଡ଼ି ଆସୁଅଛି ଅତି ବେଗେ ମେଘ,
ଜଟିଆ ନାସିକ ଧରି;
ବରଷା ବତାଷି ଗରଜୁ ଅଛି ଲୋ,
ଦିନ ଦିଶେ ରାତି ପରି ।

ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,
ବୁଡ଼ିଯିବ ହାତୀ ଛତି;
ଟଳମଳ ହୋଇ ଟଳୁଛି ନାଆ ଲୋ,
ନାଉରିର ବଡ଼ ଭୀତି ।

‘ଭଲ କରି ବେଗେ ବୁହାରେ ନାଉରି,
ନାଆ ହେଲା ଟଳମଳ;
ବରଷା ବତାଷି ଗରଜି ଆସୁଛି,
ଝିଅକୁ ମାଡ଼ୁଛି ଡର ।

ବରଷା ବତାଷି ଗରଜି ଆସିଲା,
ନାଆ ନୁହେଁ ଥୟ କରି;
ଏକା ପବନକେ ପାହାଡ଼େ ଯାଇ ଲୋ,
ପିଟି ହୋଇଗଲା ଚୂରି ।

ମେଘ ଚାଲିଗଲା ମେଘର ବାଟେ ସେ,
ବତାସି ହୋଇଲା ଥିର;
ପଡ଼ିଗଲା ଖରା ନିର୍ମଳହୋଇ ଲୋ,
ପାଣି ହୁଏ କଳ କଳ ।

ବାପା ପଚାରନ୍ତି ଖୋଜି ନାଉରିରେ
‘ଝିଅ ମୋର ଗଲା କାହିଁ ?’
ବୁଜି ଆଖି ଠିଆ ନାଉରି ନିଜେ ଲୋ,
ତୁଣ୍ଡ ତା’ ଫିଟଇ ନାହିଁ ।

ଚିଲିକା ପାଣିରେ ଦୋଳୁଛି ଲହରୀ,
ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା ଜଳିଯାଉଛି ଲୋ,
ଖେଳୁଛି ସହସ୍ର ନାଆ ।

ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି,
ମନେ କି ଅଛି ତା’ ଧୋକା ?
ପାଣି ତଳେ ଛାଇ ବୁଲିଯାଉଛି ଲୋ,
ଜାଇଟି ନାହିଁକି ଏକା ।

ବାପା ଫେରି ଆସି ବୋଉଙ୍କ ଆଗରେ
କଥା ନ ପାରନ୍ତି କହି;
ଆର ଦିନ ପୁଣି ନାଉରି ଗଲା ଲୋ,
ନାଆ ସେହି ବାଟେ ବାହି ।

କେତେ ଶ ବରଷ ହେଲାଣି ସେଦିନୁଁ,
ଗଣି କି କହିବ କିଏ ?
ନାହିଁ କିଛି ଆଉ ସେକାଳ କଥାଲୋ,
ଜାଇ ରହିଅଛି ଜୀଏ ।

ବାଲୁଁ ଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ ମଣିଷ ତୁଣ୍ଡ ଲୋ,
ନ ଶୁଣାଯାଏ କାହାକୁ ?

ବରଷା ବତାସ ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି,
ଆପଦେ ବିପଦେ ଜଣା ପଡ଼ଇ ଲୋ;
ସାହା କିଏ ଥିଲା ପରି ।

ନାଉରି କେଉଟ ପାହାଡ଼ ବାଟେ ତା’
ନାଆ ନେଇ ଗଲାବେଳେ,
କାମେ ଆପଣାର ଶୁଭ ମନାସି ଲୋ,
ଜୁହାର କରଇ ଥରେ ।

ତୋଳିଲେ ପାହାଡ଼-ଶିଖେ କାଳେ ଭକ୍ତେ
ସୁନ୍ଦର ଦେଉଳଟିଏ;
ସେ ଦେଉଳେ ପୁଣି ସମୁଦ୍ରେ ସତେ ଲୋ,
ରହିବ ଦେବତା କିଏ ?

ସୂର୍ଯ୍ୟ ବୁଡ଼ିଗଲେ, ନିଶବ୍ଦ ଯେବେ
ହୁଏ ସବୁ ସଞ୍ଜବେଳେ;
ଏକାହୋଇ ଜାଇ, ଲୋକେ କହନ୍ତି ଲୋ,
ବୁଲୁ ଯେ ଥାଏ ପାହାଡ଼େ ।

ନେତ୍ରୁଁ ବୋହୁଥାଏ ଲୁହ ଦୁଇ ଧାର,
ଶୁଖି ଯାଇଥାଏ, ମୁହଁ;
ହେଲେ, ଠାରି ହାତ, କାନ୍ଦି, କାହାକୁ ଲୋ;
ନିବର୍ତ୍ତାଇ କରେ ଥୟ ।

ସେ ଯୋଗେ ନୋହୁଛି କାଳିଜାଇ ଗଣ୍ଡେ
ଏଡ଼େ ଆଉ ଝଡ଼ ବାଆ;
ତହିଁ ବୁଡ଼ିବାର ଶୁଣା ନ ଯାଏ ଲୋ,
ଯହିଁ ଯେତେ ବୁଡ଼ୁ ନାଆ ।

କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା,
କୋଟି କୋଟି ଦଣ୍ଡବତ;
ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ,
‘କାଳିଜାଇ ପରବତ’ ।

Sunday, January 28, 2018

ନିକୋନୋର ପାର୍ରାଙ୍କ କବିତା  'ମାର୍କିନ ଯୁକ୍ତରାଷ୍ଟ୍ର'

ଅନୁବାଦ - ଜ୍ୟୋତି ନନ୍ଦ

 

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ମାର୍କିନ ଯୁକ୍ତରାଷ୍ଟ୍ର
ମୁକ୍ତି ଯେଉଁଠି ମୂର୍ତ୍ତି ହୋଇ ଥାଏ ।

Saturday, January 27, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୯


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


୪୧ 

ଦାନ୍ତକୁ ଖଡ଼ା ଅଡ଼ୁଆ
ଘରକୁ ବୁଢ଼ା ଅଡ଼ୁଆ ।
ଅର୍ଥ: ବାପା ମା’ ବୁଢ଼ା ବୁଢ଼ୀ ହୋଇଗଲେ ତାଙ୍କୁ ବୋଝ ବୋଲି ଭାବିବା ।


୪୨ 

ଯେଉଁ ଘରେ ନାହିଁ ବୁଢ଼ୀ
ତା ଘର ଯାଉଛି ଉଡ଼ି ।
ଅର୍ଥ: ଘରେ ବୟସ୍କ ସ୍ତ୍ରୀ ଲୋକ ଥିଲେ ସବୁବେଳେ ଘରର ଜିିନିଷ ପତ୍ର ତଥା ମାନସମ୍ମାନ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତି ।


୪୩ 

କଣ୍ଟିଆ ଶୁଖୁଆ ପୋଇ ଖାଡ଼ିକି
ଯେତେ ହିନିମାନ କରିଛ ଶାଶୂହେ
ଥୁଆ ହୋଇଥିବ ଝିଅ ନାରୀକୁ ।

ଅର୍ଥ: ବୋହୂକୁ ସର୍ବଦା ଝିଅ ଭଳି ଦେଖିବା ଉଚିତ । ବୋହୂକୁ ଯଦି ଗଞ୍ଜଣା ଦେବେ । ତେବେ ତୁମ ଝିଅ ତା ଶାଶୂଘରେ ସେହିଭଳି ବ୍ୟବହାର ପାଇବ ।


୪୪

ହାତରେ ନ ମାରି
ଭାତରେ ମାରିବା ।
ଅର୍ଥ: କୌଣସି କଥା ସିଧା ଭାବେ ନକହି ପରୋକ୍ଷରେ ହଇରାଣ କରିବା ।

୪୫

ପୁଅ ଯଦି ଯୋଗ୍ୟ ହେଲା ଧନ କାହିଁ ପାଇଁ ସଞ୍ଚୁ
ପୁଅ ଯଦି ଅଯୋଗ୍ୟ ହେଲା ଧନ କାହିଁ ପାଇଁ ସଞ୍ଚୁ ।
ଅର୍ଥ: ପୁଅ ଯଦି ଯୋଗ୍ୟ ହେଲା ତେବେ ସେ ନିଜେ ଧନ ରୋଜଗାର କରିବ ଓ ତୁମର ସଞ୍ଚିତ ଧନକୁ ଚାହିଁବନି । ପୁଅ ଯଦି ଅଯୋଗ୍ୟ ହେଲା ତେବେ ବହୁତ କମ ଦିନରେ ତୁମର ସଞ୍ଚିତ ଧନ ନଷ୍ଟ କରି ଭିକାରୀ ହୋଇଯିବ । ତେଣୁ ଧନ ସଞ୍ଚୟରେ ମନ ନ ଦେଇ ସନ୍ତାନକୁ ସୁଶିକ୍ଷା ଦେବାରେ ଯତ୍ନ କରିବା ଉଚିତ ।

Monday, January 22, 2018

କନ୍ଧ ଦେଶକୁ ଗଲି ଯାତରା ବିକି


ଇଂ‌ରାଜ ଶାସନ ସମୟରେ ଦଶପଲ୍ଲା କରଦ ରାଇଜର ମାନଚିତ୍ର (ୱିକିମିଡିଆ କମନ୍ସ୍)


ବୈଷ୍ଣବ ପାଣି ପ୍ରଥମେ ଜଣେ ନାଟୁଆ । ତାହା ପରେ ଯାଇ ଗୋଟିଏ ଲେଖକ । ପ୍ରଥମେ ଯାତରା ଦଳଟିଏ ଆରମ୍ଭ କରି ତହିଁ ପାଇଁ ବଇ ନ ମିଳିଲାଠୁଁ ଯାଇଁ ନିଜେ ନାଟବହି ଲେଖିବା ଆରମ୍ଭ କରନ୍ତି । ଗାଁରୁ ଗାଁ, ସହରରୁ ସହର ଯାତରା ଦଳ ସହ, କଲିକତାରୁ ତିଗିରିଆ ପର୍ଯ୍ୟନ୍ତ ବୁଲି ନାଟ ପରିବେଷଣ କରିବା ଥିଲା ସେତେବେଳର ବିଧି । ଏଥି ସକାଶେ, କେତେବେଳେ ବଳଦଗାଡ଼ିରେ ତ କେବେ ପଦବ୍ରଜରେ ତ ଆଉ କେବେକେବେ ବାଷ୍ପୀୟଶକଟରେ ଯାତ୍ରା କରିବାକୁ ହେଉଥିଲା । ପାଣିଙ୍କର ନିଜର ଆତ୍ମଜୀବନୀରେ ଓଡ଼ିଶାର ଗଳିକନ୍ଦିରେ ବୁଲିବୁଲି ଯାତରା ପରିବେଷଣର ଅନେକ ବର୍ଣ୍ଣନା ଅଛି । ହେଲେ ପ୍ରାୟତଃ ସେଥିରେ ସମୟକାଳର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ ।

ଏହିପରି ବିବରଣୀରୁ ଆମେ ଅବଶ୍ୟ ଦେଶ ସ୍ୱାଧୀନ ହେବା ଆଗର ଓଡ଼ିଶାରେ ଗମନାଗମନର ପରିସ୍ଥିତି ବିଷୟରେ ବେଶ୍ କିଛି ଜାଣିବାକୁ ପାଉ । ଗୋଟିଏ ଦୀର୍ଘ ଗସ୍ତରେ ବୈଷ୍ଣବ ଆଜ୍ଞା ନରସିଂହପୁର ରାଜବାଟୀରୁ ମହାନଦୀ ଲଙ୍ଘି ଯାଆନ୍ତି କିଲ୍ଲା ଦଶପଲ୍ଲା । ରାସ୍ତା ଅତ୍ୟନ୍ତ ଦୁର୍ଗମ । ଦଳବଳ ଧରି ପାଣି ପହଞ୍ଚନ୍ତି ଦଶପଲ୍ଲାର ଗଣିଆଁରେ । ସେଠି ଥାଏ ବିରାଟ ଏକ ପୋଖରି । ତାହାରି କୂଳରେ, ଥାନା ପାଖରେ, ସେତେବେଳେ ଥାଏ ଗୋଟିଏ ଅତି ମନୋହର ପାନ୍ଥଶାଳା । ସମସ୍ତେ ସେଠି ଆପଣା ହାତରେ ରାନ୍ଧି ଖାଆନ୍ତି । ଥାନା ବାବୁଙ୍କର ଯାତରାରେ ଭାଆରି ଆଗ୍ରହ । ସେଥିକୁ ବୈଷ୍ଣବ ପାଣିଙ୍କ ଦଳର ରାଇଜ ସାରା ନାଆଁଡାକ । ବାବୁଙ୍କର ଆଗ୍ରହରୁ ସେଇଠି ଗୋଟିଏ ରାତି ଅଭିନୟ ପରିବେଷଣ କରାଗଲା ।


ରାଇଜଟି ସେ ସମୟରେ କନ୍ଧ ଓ କୋହ୍ଲ ଜନଜାତିଙ୍କର ଦେଶ । ଆଉ ବୈଷ୍ଣବ ବାବୁ ବିଶୁଦ୍ଧ ଆମିଷ ଭକ୍ଷକ । ସ୍ଥାନୀୟ ଅଧିବାସୀଙ୍କ ଠାରୁ ଅତି ଶସ୍ତାରେ ଦୁଇଟି ଛେଳି କିଣି ସେଠାରେ ତତ୍କାଳ ରନ୍ଧାଗଲା । ଖାଇପିଇ ଖବର ନେଲା ବେଳକୁ ଜଣା ପଡ଼ିଲା ଯେ, ଦଶପଲ୍ଲା ରାଜବାଟୀରେ ସେତେବେଳକୁ ରାମନବମୀ ଯାତରା ପାଇଁ ପ୍ରସ୍ତୁତି ଚାଲିଛି । ସେଠାରେ ନିଜର ଅଭିନୟ ପରିବେଷଣ କରିବାର ସୁଯୋଗ ମିଳିବନାହିଁ ବୋଲି ଆଶଙ୍କା କରି, ରାଜବାଟୀ ଉଦ୍ଦେଶ୍ୟରେ ଗସ୍ତ ବଦଳାଇ କରି, ଗଣିଆଁର ପାନ୍ଥଶାଳା ତ୍ୟାଗ କରାଗଲା ।

ଯାତରା ଦଳଟି ଯାନବାହନ ସହ ମଣିଭଦ୍ରା ପର୍ବତର ଉପତ୍ୟକା ପାର ହୋଇ ପହଞ୍ଚିଲା ଛାମୁଡ଼ିଆ ବୋଲି ଗୋଟିଏ କନ୍ଧ ଗାଁରେ । ସେଠି ମହାନଦୀର ପାଣି ତୋଳି ଆଣି ରାନ୍ଧିବା କାମ ଆରମ୍ଭ ହେଲା । ତରକାରିରେ ଜୀରା ବାଟି ଦିଆଗଲା । ସେତେବେଳକୁ ସେହି ପାଖରେ ବସିଥିବା ଜଣେ କନ୍ଧ ଲୋକ ଜୀରା ବାସନା ବାରି ରୋଷେଇରେ କଅଣ ପଡ଼ୁଛି ବୋଲି ପଚାରିଲେ । ଜୀରା କଥା ଶୁଣି ସେକଥା ଜାଣି ନାହାନ୍ତି ବୋଲି କହିଲେ । ତାଙ୍କ ଅନୁସାରେ ସେମାନେ ଗନ୍ଧ ତେଲ ବା କିରାସିନିରେ ରାନ୍ଧୁନଥିଲେ । କାଠରେ ହିଁ ସେମାନଙ୍କର ରୋଷେଇ ବଢ଼ୁଥିଲା । ସେହି କନ୍ଧ ଲୋକ ଜଣକ ଆହୁରି ମଧ୍ୟ କହିଲେ କି, ଜୀରା ଛଡ଼ା ସେ ଦିନର ରୋଷେଇରେ ବ୍ୟବହାର ହୋଇଥିବା ଅନେକ ଜିନିଷ ସେ ନୂଆ କରି ଦେଖୁଛନ୍ତି । ସେଥିକୁ ବୈଷ୍ଣବ ପାଣି ତାଙ୍କୁ ପଙ୍ଗତରେ ବସିବା ପାଇଁ ନିମନ୍ତ୍ରଣ କଲେ । ଏଥି ଉତ୍ତାରୁ ସେ ନିଜ ଗାଁକୁ ଯାଇ କେତେଗୁଡ଼ିଏ ଶୁଖିଲା ମାଛ ଆଣି ଦେଲେ । ସେତେବେଳେ ଦଶପଲ୍ଲାର କନ୍ଧମାନେ ମହାନଦୀରୁ ଧରାହୋଇଥିବା ବଡ଼ ମାଛଗୁଡ଼ିକୁ ଚୁଲିର ନିଆଁ ଓ ଧୂଆଁ ସାହାଯ୍ୟରେ ଶୁଖାଇ ରଖନ୍ତି । ସେହି ମାଛ ସେ ଦିନର ରୋଷେଇରେ ବଡ଼ କାମରେ ଆସିଲା ।


ଖାଇବା ସରିଲା ବେଳକୁ ସନ୍ଧ୍ୟା । ହାତ ଧୋଇବାକୁ ଗଲା ବେଳକୁ ଦେଖିଲେ ଯେ ହାଣ୍ଡିରେ ଆଉ ଜଳ ନାହିଁ । ଅତଏବ, ମହାନଦୀରୁ ପାଣି ଆଣିଲେ ହିଁ ହାତ ଧୋଇବାର ସମ୍ଭାବନା । କିଛି ଲୋକ ପାଣି ଆଣିବାକୁ ଗଲା ବେଳକୁ ଗୋଟିଏ ଜନ୍ତୁର ରଡ଼ି ନିକଟସ୍ଥ ପାହାଡ଼ର ମୁଣ୍ଡିଆ ଉପରୁ ଶୁଣାଗଲା । ଜନ୍ତୁ ଡରରେ କିଏ ଶଗଡ଼ ତଳେ, କିଏ ବା ମହାନଦୀର ନୋଳିଆଙ୍କ ଅଗଣାରେ, ତ ଆଉ କିଏ କନ୍ଧ ପଲ୍ଲୀରେ ରାତିଟି ବିତାଇଲେ ।

ସକାଳେ ନିତ୍ୟକର୍ମ ସାରି ବାଟରେ ସମସ୍ତେ ମିଶି ଏକାଠି ଚାଲିବାକୁ ଆରମ୍ଭ କଲା ପରେ ଆଠ-ଦଶ ଜଣଙ୍କର ଆଉ ଗୋଟିଏ ଦଳକୁ ଭେଟିଲେ । ସେମାନଙ୍କ ସହ ମିଶି ମହାନଦୀ ଓ ମଣିଭଦ୍ରା ମଝିରେ ଯାତ୍ରା କରିବା ଠିକ ହେଲା । କାରଣ ପାହାଡ଼ରେ ବାଘ ଓ ନଈରେ କିମ୍ଭିର । ବାଟରେ ଇଆଡ଼େ ସିଆଡ଼େ କନ୍ଧମାନଙ୍କର ଗାଁ । ଅନେକ ବାଟ ଗଲା ପରେ ଭୋକ ଲାଗିବାରୁ ମହାନଦୀ କୂଳର ଗୋଟିଏ ତେନ୍ତୁଳି ତୋଟାରେ ରୋଷେଇର ଆୟୋଜନ ହେଲା । ଅଠରଟି ତମ୍ବା ପଇସା ଦେଇ ଗୋଟିଏ ବଡ଼ ରୋହି ମାଛ କିଣି ଠାଆ ଟିଏର ବନ୍ଦୋବସ୍ତ ଯାଇଁ ହେଲା । ନହେଲେ ନିରୋଳା ଭାତ ଖାଇ ଉଦର ଶାନ୍ତ କରିବାକୁ ପଡ଼ିଥାଆନ୍ତା । ଖାଇବା ଦରବ କିଣିବାକୁ ସିନା ତିରୋଟ । ହେଲେ ବାଟ ସାରା ବନ୍ୟପଥରେ ବଳିଆ କୁକୁରଙ୍କର ଦଳ, ମୟୁରଙ୍କର କୁହାଟ, ହାତୀଙ୍କର ଡାକ । ଜଣେ ନାଟୁଆ ପାଇଁ ଆଉ କଅଣ ବେଶୀ ଦରକାର ?

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପାଯାଇଥିଲା । ଆଲେଖ୍ୟଟିରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା । 

Saturday, January 20, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୮


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ତୈଳଚିତ୍ର - 'ଶୁଆ ସହିତ ମହିଳା' (୧୮୬୬ ମସିହା)
ଫରାସୀ ଚିତ୍ରକର - ଗୀସ୍ତାଭ୍ କୁର୍ବେ (୧୮୧୯-୧୮୭୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


୩୬



ହାତ ବାଇଦ କୋସେ
ତୁଣ୍ଡ ବାଇଦ ସହସ୍ର କୋଶ ।

ଅର୍ଥ: ବାଜା ବଜାଇଲେ ଅଳ୍ପ ବାଟ ଯାଏ ଶୁଣାଯିବ । ଅଥଚ ଯଦି ଗୁପ୍ତ କଥା କାହାକୁ କହିଥାଅ ତେବେ ସେ କଥା ଜଣେ ଆଉ ଜଣକୁ କହିବା ଭିତରେ ବହୁତ କମ୍ ସମୟରେ ଚାରିଆଡେ଼ ବ୍ୟାପିଯାଏ ।

୩୭ 


ତୁଛାକୁ ଏତେ,
ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ।

ଅର୍ଥ: କିଛି ବି ଧନ ବା ଜ୍ଞାନ ନ ଥାଇ ବୃଥାରେ ଗର୍ବ କରିବା ।

୩୮ 


କହିଲେ କୁଳ କୁଟୁମ୍ବକୁ ଲାଜ
ନ କହିଲେ କୁଳ ଭାସିଯାଉଛି ।

ଅର୍ଥ: ଦୋଛକିରେ ରହି କେଉଁ ବାଟେ ଯିବ ସ୍ଥିର କରି ନ ପାରିବା ବା ଦୁଇ ପ୍ରକାର ଅସୁବିଧାରେ ପଡ଼ି କ’ଣ ନକରିବ ସ୍ଥିର ନକରି ପାରିବା ।

୩୯ 


ତିଳକୁ ତାଳ କରିବା ।

ଅର୍ଥ: ଛୋଟ କଥା ବା ଗଣ୍ଡଗୋଳକୁ ବଡ଼ କରି ରୂପ ଦେବା ।

୪୦.


ବୁଢ଼ା ଶୁଆ ପରି କଟର କଟର ହେବ ।

ଅର୍ଥ: ବିନା କାରଣରେ ସବୁ ବେଳେ ବକ ବକ କରିବା ।