Tuesday, October 31, 2017

ଅକ୍ଟାଭିଓ ପାଜ୍‌ ଙ୍କର କବିତା, 'ବନ୍ଧୁତା'


ଅନୁବାଦ - ଗୋର୍ବାଚୋଭ୍


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏବେ ହିଁ ସେଇ ପ୍ରତିକ୍ଷୀତ ମୁହୂର୍ତ୍ତ;
ଟେବୁଲ୍‌ ଉପରେ ବିଛେଇ ହୋଇ ପଡ଼େ,
ଅନ୍ତହୀନ ଭାବେ–
ଲ୍ୟାମ୍ପରୁ ବିଚ୍ଛୁରିତ ଆଲୋକ ରେଖା ସବୁ !
ରାତି ବଢ଼ିବା ସହ–
ଝରକାଟି ମଧ୍ୟ ବିଶାଳକାୟ ରୂପ ନିଏ;
ନାଁ, ଏବେ ଏଇଠି କେହି ବି ନାହାନ୍ତି–
ଏକ ନାମହୀନ ଉପସ୍ଥିତି,
ମୋତେ ଘେରି ପକାଏ ।।

Monday, October 30, 2017

ଅନ୍ନପୂର୍ଣ୍ଣା ଅନ୍ନ


ସରୋଜିନୀ ଚୌଧୁରୀ


ଅନ୍ନପୂର୍ଣ୍ଣା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଉପକରଣ - ଚାଉଳ ଅଧ ସେର, ପାଣି ସେରେ, ଅନ୍ନପୂର୍ଣ୍ଣା ପତ୍ର ଗୋଟିଏ ।

ପ୍ରଣାଳୀ - ହାଣ୍ଡି ଚୁଲିରେ ଚଢାଇ ପାଣି ଦେଇ ସାଧାରଣ ଭାତରନ୍ଧା ନିୟମରେ ଭାତ ରାନ୍ଧି ଗାଳି ହାଣ୍ଡିର ମୁଖ ଓ ଚାରିଆଡ଼ଟା ପରିଷ୍କାର କରି ଥୋଇ ଅନ୍ନପୂର୍ଣ୍ଣା ପତ୍ରଟି ଧୋଇ ଉକ୍ତ ଭାତ ଭିତରେ ଜାକି ଦେଇ ହାଣ୍ଡି ମୁଖ ଭଲକରି ଘୋଡ଼ାଇ ରଖିବ । ଘଣ୍ଟାକ ପରେ ସରା ଉଠାଇ ପତ୍ରଟି ଭାତ ଭିତରୁ ବାହାର କରିଦେବ । ଭାତ ବାଢ଼ିବାକୁ ଗଲେ ବେଶ ଅନୁଭବ କରିବ ଯେ ଭାତରୁ ଗୋଟିଏ ସୁଗନ୍ଧି ବାହାରୁଅଛି - ଠିକ ସୁଗନ୍ଧି ବାସିବ, ଚାଉଳ ଯେପରି ବାସେ । 


 ବି.ଦ୍ର. - ଅନ୍ନପୂର୍ଣ୍ଣା ଅନ୍ନ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

Saturday, October 28, 2017

ନିରୋ

ମାହମୁଦ ଦାରବିସ୍ 

ଅନୁବାଦ - ଜ୍ୟୋତି ନନ୍ଦ


ରୋମୀୟ ସମ୍ରାଟ ନିରୋଙ୍କର ଅବୟବର ଶଙ୍ଖମର୍ମର  ସ୍ଥାପତ୍ୟ
ରୋମର କାପିଟୋଲାଇନି ସଙ୍ଗ୍ରହାଳୟ ଠାରେ ସ୍ଥିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କ'ଣ ଚାଲିଥିବ ନିରୋଙ୍କ ମନ ଅଗଣାରେ ଯେତେବେଳେ ସେ ଦେଖୁଥିବେ ଜଳୁଛି ସାମ୍ନାରେ ଲେବାନନ୍ ? ତାଙ୍କର ଆଖିଦୁଇଟି ଉଲ୍ଲସିତ ପର୍ଯ୍ୟଟକ ଆଉ ସେ ଜଣେ ଯେମିତି ନାଚୁଥାଏ ବରଯାତ୍ରୀ ଭଳି ସେଇଭଳି ନିଜେ ଚାଲୁଛନ୍ତି: ଏଇ ପାଗଳାମୀ ମୋର ପାଗଳାମୀ, ମୁଁ ଜାଣେ ବେଶ୍, ସେମାନେ ନିଆଁ ଲଗାଇଦିଅନ୍ତୁ ସେଇ ସବୁଠି ଯାହା ମୋର ଅକ୍ତିଆର୍ ରେ ନାହିଁ । ଆଉ ଯେତେକ ଶିଶୁ ଅଭ୍ୟାସ କରିନିଅନ୍ତୁ ନିଜନିଜ ଭିତରେ ଆଉ ବନ୍ଦ କରନ୍ତୁ ଏ ପାଟିତୁଣ୍ଡ ହୋହଲ୍ଲା, ଯେତେବେଳେ ମୁଁ ସୁର ଦେଉଛି ମୋର ପ୍ରିୟ ବଂଶୀରେ !

ଏବଂ କ'ଣ ଚାଲିଥିବ ନିରୋଙ୍କ ମନ ଅଗଣାରେ ଯେତେବେଳେ ସେ ଦେଖୁଥିବେ ସାମ୍ନାରେ ଜଳୁଛି ଇରାକ୍ ? ଏହା କ'ଣ ଖୁସି କରୁଥିବ ତାଙ୍କୁ ଆଉ ସେ ଚେଇଁ ଉଠିବେ ସ୍ମୃତିକୁ, ଇତିହାସର ଅରଣ୍ୟରେ, ତାଙ୍କର ନାଆଁ ସୁରକ୍ଷିତ ଯେଉଁଠି ଜଣେ ଶତ୍ରୁ ତାଲିକାରେ, ହାମୁରାବି, ଗିଲଗାମେଶ୍ ସହ ଓ ଆବୁ ନୁଆସ୍ ସହ : ମୋ ଆଇନ୍ ରୁ ସବୁ ଆଇନ୍, ଶାଶ୍ଵତର କମଳଟି ଫୁଟିଅଛି ମୋ ଉଦ୍ୟାନରେ ଆଉ କବିତା - ମାନେ କ'ଣ ସେଇଟା ?

ଏବଂ କ'ଣ ଚାଲିଥିବ ନିରୋଙ୍କ ମନ ଅଗଣାରେ ଯେତେବେଳେ ସେ ଦେଖୁଥିବେ ସାମ୍ନାରେ ଜଳୁଛି ପାଲେଷ୍ଟାଇନ୍ ? ସେ କ'ଣ ଖୁବ୍ ଆନନ୍ଦିତ ତାଙ୍କର ନାଆଁଟି ଯେତେବେଳେ ଲେଖାହୋଇଯାଇଛି ଧର୍ମପ୍ରବର୍ତ୍ତକ ସୂଚୀରେ ଜଣେ, ଯାହାକୁ କେହି କେବେ ବିଶ୍ୱାସ କରିନି ? ଧର୍ମପ୍ରବର୍ତ୍ତକ ହତ୍ୟାର ସେ, ଈଶ୍ୱର ଯାହାକୁ ଅର୍ପିଥିଲେ ସଂଶୋଧନ କରିବାକୁ ଅସୁମାରୀ ଭୁଲ୍ ସବୁକୁ ଅପାର୍ଥିବ ପୁସ୍ତକ ପୃଷ୍ଠାରୁ:ମୁଁ ବି ଜଣେ ପ୍ରବକ୍ତା ଈଶ୍ୱରଙ୍କ !

ଏବଂ କ'ଣ ଚାଲିଥିବ ନିରୋଙ୍କ ମନ ଅଗଣାରେ ଯେତେବେଳେ ସେ ଦେଖୁଥିବେ ସାମ୍ନାରେ ଜଳୁଛି ପୃଥିବୀ ? ମୁଁ ସେଦିନର ଅଧିପତି, ଯେତେବେଳେ ଡକାଯିବ ଶେଷ ବିଚାର ପାଇଁ ସମସ୍ତ ଶବକୁ ନିଜନିଜ କବରରୁ । ତାହା ପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ ସବୁ କ୍ୟାମେରାକୁ କାରଣ ସେ ଚାହିଁବେ ନାହିଁ ଦେଖିବାକୁ ନିଜ ହାତକୁ ନିଆଁ ଭିତରେ ଏକ ଦୀର୍ଘ ଆମେରିକାନ୍ ଫିଲ୍ମର ସମାପ୍ତିରେ !

ଆବୁ ନୁଆସ୍ ଙ୍କର ଚିତ୍ର (୧୯୧୬)
ଚିତ୍ରକର - ଖାଲିଲ ଜିବ୍ରାନ

[ ଆବୁ ନୁଆସ୍ (୭୫୦-୮୧୪) ହେଉଛନ୍ତି ଜଣେ ପାରସ୍ୟର ନିଷିଦ୍ଧ କବି ଯିଏ ଯୌନତା ଓ ମଦିରା କୁ ଉପଜୀବ୍ୟ କରି କବିତା ଲେଖୁଥିଲେ।ତମେ ଥରକ ପାଇଁ ବଚିଛ,ଏଇ ଭାବଧାରାର ସେ ଜଣେ ଆଦ୍ୟସ୍ୱର । ଗିଲଗାମେଶ୍ ପୃଥିବୀର ପ୍ରଥମ ସାହିତ୍ୟ କର୍ମର ନାୟକ ]

Thursday, October 26, 2017

ଅକ୍ଟାଭିଓ ପାଜ୍‌ ଙ୍କର କବିତା 'ଆରମ୍ଭ ପୂର୍ବରୁ'

ଅନୁବାଦକ - ଗୋର୍ବାଚୋଭ୍ ପୋଥାଳ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଶବ୍ଦ ବିଭ୍ରାଟ, ଅନିଶ୍ଚିତ ସ୍ପଷ୍ଟତା ।
ଗୋଟିଏ ନୂଆ ଦିନର ଆରମ୍ଭ ।
କୋଠରୀଟେ, ଅଧା ଛାଇ, ଅଧା ଆଲୁଅ
ତା’ରି ଭିତରେ ଦୁଇଟି ଦେହ ପ୍ରସାରିତ ।
ମୋ ଭିତରେ ମୁଁ ଯେମିତି
ଦିଗହୀନ ପ୍ରାନ୍ତରରେ ହଜିଯାଏ ଏକୁଟିଆ ।
ମୁହୂର୍ତ୍ତ ସବୁ ସେମାନଙ୍କୁ କତୁରୀ ପକାନ୍ତି ।
କିନ୍ତୁ ମୋ ପାଖରେ ଶୋଇ ତୁମେ ନିଃଶ୍ୱାସ ମାରୁଥାଅ;
ନିଜ ଗଭୀରତାରେ ପୋତି ହୋଇ,
କେମିତି ଦୂର ଦୂର ହୋଇ ନିଶ୍ଚଳ, ନିଥର ବହି ଚାଲିଥାଅ ।
ଯେତେବେଳେ ତୁମକଥା ଭାବେ ତୁମେ ଅପହଞ୍ଚ,
କେବଳ ମୋ ଆଖିରେ ମୁଁ ତୁମକୁ ଛୁଏଁ,
ହାତରେ ତୁମକୁ ନିରେଖି ଦେଖେ ।
ସ୍ୱପ୍ନ ଅଲଗା କରେ ସିନା
ରକ୍ତ ଯୋଡ଼ିଦିଏ ଆମକୁ:
ଆମେ ଦୁହେଁ ଯେ ନାଡ଼ି ସ୍ପନ୍ଦନର ନଦୀଟିଏ ।
ତୁମ ଆଖିପତା ତଳେ ସୂର୍ଯ୍ୟଙ୍କ ବୀଜ ପାକଳ ହୁଏ ।
କାଳ ଖାଲି ବିସ୍ମିତ ହୁଏ, ବିସ୍ମିତ ହୁଏ ଯେ,
ପୃଥିବୀ ତଥାପି ନିଶ୍ଚିତ ନୁହେଁ: ବାସ୍ତବ ନୁହେଁ
ନିଶ୍ଚିତ ଯା’ କେବଳ ତୁମ ଦେହର ଉତ୍ତାପ ।
ତୁମ ନିଃଶ୍ୱାସରେ ଶୁଣେ ଅସ୍ତିତ୍ୱର ଜୁଆର,
ଭୁଲି ଯାଇଥିବା ଆରମ୍ଭର ପଦାଂଶ ।

Tuesday, October 24, 2017


ଏଣୁ-ତେଣୁ

ନନ୍ଦିତା ମହାନ୍ତି 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ସିନେମା ଦେଖିବା ପାଇଁ ଯାଇଥିଲି ‘ଆଇନକ୍ସ୍’ । ଅନେକ ବର୍ଷ ପରେ , ଝିଅର ବାଧ୍ୟବାଧକତାରେ । ଗେଟ ଭିତରେ ପଶୁ ପଶୁ ହିଁ ଝୁଣ୍ଟିଥିଲି ମୁଁ । ଗେଟରେ ଛିଡା ହେଇଥିବା ମହିଳା ଜଣକ ମୋର ବ୍ୟାଗ ତନଖି କରି ସେଥିରେ ଥିବା କିଛି ଚିନାବାଦାମ ଭଜା, ଦୁଇଚାରୋଟି ଚକୋଲେଟ ଓ ଛୋଟିଆ ପାଣି ବୋତଲଟିକୁ ବି କାଢ଼ି ନେଲେ । କୁଆଡ଼େ ସେଠି ସିନେମା ଦେଖିବାକୁ ହେଲେ ସାଙ୍ଗରେ କିଛି ନେଇ ଯାଇ ପାରିବନି । ଯାହା କିଣିବ ସେଇ ହଲ୍ ର ପରିସର ଭିତରୁ । ତାହା ପୁଣି ପ୍ରକୃତ ଦାମ ଠାରୁ ଆଠଦଶ ଗୁଣ ଅଧିକ ଦେଇ । 

ସିନେମା ହଲ ଭିତରେ ବସି ମୋର ମନେ ପଡୁଥିଲା ରାଉରକେଲାର ରିଙ୍ଗ ରୋଡ କଡ଼, ଦୀପକ ହଲରେ 'ଶ୍ରୀ ଜଗନ୍ନାଥ ‘ ସିନେମା ଦେଖିବା କଥା । ସେତେବେଳେ ସିନେମା ଦେଖି ଯିବାଟା ତ ଆମ ପାଇଁ କୌଣସି ପାର୍ବଣ ଠାରୁ କମ୍ ନ ଥିଲା । ବାବା ଓ ପଡ଼ୋଶୀ ମଉସା ସକାଳୁ ଯାଇ ଲାଇନି ଲଗେଇ ଟିକେଟ କାଟି ଆଣୁଥିଲେ । ମା ଓ ମାଉସୀ ଶାଢ଼ି ପିନ୍ଧିବା ପୂର୍ବରୁ ଆମେ ପିଲାମାନେ ଜାମାଯୋଡ଼ ହେଇ ଯାଇ ଛିଡ଼ା ହେଇ ପଡ଼ୁଥିଲୁ । କମଳା ରଙ୍ଗର ଟାଉନ ବସର ବିରାଟ ପେଟରେ ଗୋଟେ ଗୋଟେ ସିଟରେ ବସି ପଡ଼ୁଥିଲୁ ଆମେ । ରିଙ୍ଗ ରୋଡ଼ରେ ଧୂଆଁ ଫୋପାଡି ଧାଉଁଥିଲା ବସ୍, ଆଉ ତା ସହିତ ଆମେ ବି ଦଉଡୁଥିଲୁ । ବସ ପହଞ୍ଚିବା ଆଗରୁ ଆମେ ପହଞ୍ଚିବାକୁ ଚାହୁଁଥିଲୁ ଆମ ଗନ୍ତବ୍ୟ ସ୍ଥଳିରେ । 

ହଲ ଭିତରର ଅନ୍ଧାରିଆ ପରିବେଶ, ଧଳା ପରଦାରେ ଦେବତା ଆଉ ଅସୁରଙ୍କର ଫାଇଟିଙ୍ଗ । ମଝିରେ ମଝିରେ ଜେନା ମାଉସୀଙ୍କର ପରଦା ଉପରେ ଜଗନ୍ନାଥଙ୍କୁ ଦେଖି ବାରମ୍ବାର ଦୁଇ ହାତ ଯୋଡ଼ି ମୁଣ୍ଡରେ ମାରୁଥିବାର ବା ଅଧାଗଢା ଦିଅଁଙ୍କୁ ଦେଖି ଝରଝର କାନ୍ଦୁ ଥିବାର ଦୃଶ୍ୟ । ଇଣ୍ଟରଭାଲରେ ହଲ ଭିତରେ ବୁଲୁଥିବା ବାଦାମବାଲା ଠାରୁ ଗରମ ଗରମ ଚିନାବାଦାମ ଆଉ ବୁଟ ଭଜା ଖିଆ, ତ ଆଉ କେବେ କେବେ ଲେମ୍ବୁ ଲୁଣ ବୋଳା ପୋଡ଼ା ମକା ଖିଆ । ସିନେମା ଦେଖା ଠାରୁ ବୋଧେ ବେଶୀ ଆକର୍ଷଣୀୟ ଥିଲା ଏ ସବୁ ।

ଇଣ୍ଟର୍ମିଶନରେ ଝିଅ ଠୁଙ୍ଗାଏ ମକାଖଇ (ପପକର୍ଣ୍ଣ) ଆଣି ମୋ ହାତରେ ଧରେଇ ଦେଇ କହିଲା, "ମାମା, ପପକର୍ଣ୍ଣ... ସେଇ ମକା ମ ।“ ପାଟିରେ ଦି‘ଟା ପକେଇଲି । ସଞ୍ଚରି ଗଲା ଏକ ଖଟା-ମିଠା ଚଟପଟା ସ୍ଵାଦ ଜିଭ ସାରା । ହେଲେ ମୋର ସ୍ଵାଦଗ୍ରନ୍ଥି ସବୁ ବୋଧେ ଖୋଜୁଥିଲେ ଆଉ କିଛି । ଏଇ ଜିଭଟା ପରା ଭାରି ଦଗାଦିଆ । ଚିମୁଟି ଦେଇ, ସାଙ୍ଗେ ସାଙ୍ଗେ ଟାଣି ନେଇ ଛିଡ଼ା କରିଦେବ ଅତୀତର ସେଇ ଅର୍ଗଳି ଭିତରେ, ଯେଉଁଠି ପ୍ରବେଶ ନିଷେଧର ବୋର୍ଡ଼ ଲାଗିଥିବ । 

ବାସ୍ କେବଳ ମାନସ ଚକ୍ଷୁରେ ଦିଶିଯିବ... ସିନେମା ହଲ ସାମ୍ନାରେ, ଠେଲାଗାଡିରେ ବସିଥିବ ବିହାରୀ ବୁଢ଼ା । ମୁଣ୍ଡରେ ଠେକା ପରି ବାନ୍ଧିଥିବ ଗୋଟେ ଗାମୁଛା । ଠେଲାରେ ଗୋଟେ ପଟେ ଗଦା ହେଇଥିବ ମକା । ଆଉ ଗୋଟେ ପଟେ ଦିକ ଦିକ ହେଇ ଜଳୁଥିବ କୋଇଲା ଆଞ୍ଚ । ସିଏ ଗୋଟିଏ ଗୋଟିଏ ମକାରୁ ଚୋପା ଛଡ଼େଇ କୋଇଲା ଆଞ୍ଚରେ ପକଉଥିବ। ମଝିରେ ମଝିରେ ପାଟି କରୁଥିବ “ଭୁନା ହୁଆ ଭୁଟ୍ଟା ଲେଲୋ ବାବୁ, ଦୋ ରୁପିଏ ମେ ଏକ୍ । ପାଞ୍ଚ୍ କା ତିନ୍ ।“ ଆଞ୍ଚରୁ ହାଲକା ଧୂଆଁ ଉଠୁଥିବ । କୋଇଲା ଜଳିବାର ଆଉ ମକା ପୋଡ଼ାର ମିଶାମିଶି ସୁନ୍ଦର ବାସ୍ନା ଘୁରି ବୁଲୁଥିବ ଚାରିପଟେ । ନାକ ପଟ ଦେଇ ପେଟ ଯାଏଁ ପହଞ୍ଚି ଯାଉଥିବ । ବିହାରୀ ବୁଢ଼ା ଗୋଟେ ପୋଡ଼ା ମକା ଉପରେ ଲେମ୍ବୁ ଓ କଳାଲୁଣ ବୋଳିବ ବଡ଼ ଯତ୍ନରେତା' ପରେ ତାକୁ ମକା ଚୋପାରେ ଗୁଡେଇ ଧରେଇ ଦେବ ହାତରେ । ମକା ଚୋବାଉ ଚୋବାଉ ଆମେ କେତେବେଳେ ଯେ ଘରେ ପହଞ୍ଚି ଯିବୁ, ଜଣା ବି ପଡ଼ିବନି । 

ଅତୀତଟା ଏମିତି, ଯେଉଁଠିକି ଆଉ କେବେ ଫେରି ଯାଇ ହେବନି, ହେଲେ ମୃତ୍ୟୁ ଯାଏଁ ,ସେ ସିଏ କେବେ ପିଛା ଛାଡ଼ିବନି । ବେଳ ଅବେଳରେ ଏମିତି ଆସି ଛିଡ଼ା ହେଇଯିବ ସାମ୍ନାରେ, ବିନା ନିମନ୍ତ୍ରଣରେ, ଆ ମୋତେ ଛୁଉଁ କହି ।

Sunday, October 22, 2017

ଦୀପାବଳିର ଛବି

ଜ୍ୟୋତି ନନ୍ଦ


ଚିତ୍ରୋତ୍ତଳକ - ଅଜ୍ଞାତ

ଏଇ ଛବିଟି ସଙ୍ଗୃହିତ । ଛବିର ପ୍ରକୃତ ମାଲିକଙ୍କୁ ମୁଁ ଜାଣେନାହିଁ । ସେହି ଅଜ୍ଞାତ ଚିତ୍ରୋତ୍ତଳକଙ୍କୁ ମୁଁ କୃତଜ୍ଞତା ଜଣାଉଛି ।

ଗଲାକାଲି ଭାରତର ପ୍ରସିଦ୍ଧ ଯୋଗୀ ତଥା ଉତ୍ତର ପ୍ରଦେଶକୁ ଉର୍ବର ପ୍ରଦେଶରେ ପରିଣତ କରିବା ନିମନ୍ତେ ଦୃଢସଙ୍କଳ୍ପବଦ୍ଧ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଏକ ପୌରାଣିକ କଥାର ଭବ୍ୟ ରୂପାୟନ କରି ଅଯୋଧ୍ୟାବାସୀଙ୍କ ସହିତ ସମସ୍ତ ଭାରତକୁ ବିହ୍ୱଳ କରିଦେଇଛନ୍ତି ।
ଗଲାକାଲି ଆପଣମାନଙ୍କର ସ୍ମରଣରେ ଥିବ ଯେ, ଏହା ଏକ ଐତିହାସିକ କ୍ଷଣ ଥିଲା, ଯେତେବେଳେ ପୌରାଣିକ ମର୍ଯ୍ୟାଦାପୁରୁଷ ପ୍ରଭୂ ଶ୍ରୀରାମଚନ୍ଦ୍ର ମାତା ଜାନକୀ ଓ ଭ୍ରାତା ସୌମିତ୍ରିଙ୍କ ସହ ଚଉଦ ବର୍ଷ ବନବାସାନ୍ତେ ଇତିହାସର ସୁସଜ୍ଜିତ ପୁଷ୍ପକବିମାନରେ ଆସି ପାବନ ଅଯୋଧ୍ୟାଭୂମିରେ ପଦାର୍ପଣ କରିଥିଲେ । ଏବଂ ସେଇ ପୌରାଣିକ କ୍ଷଣକୁ ଇତିହାସର ବୈଧତା ପ୍ରଦାନ କରିବା ପାଇଁ ଯୋଗୀ ପ୍ରବର ଶ୍ରୀଯୁକ୍ତ ଆଦିତ୍ୟନାଥ ଏକ ଭବ୍ୟ ଆୟୋଜନ କରିଥିଲେ ।
ଅବଶ୍ୟ ପ୍ରଭୂ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରଦେଶର ଦ୍ୱାରଦେଶରେ ପହଞ୍ଚିବା ମାତ୍ରକେ ସେହି ବିଶେଷ କାହାଣୀର ପୁନରାବୃତ୍ତି ହୋଇଥିଲା କି ନାହିଁ, ତାହାର ସବିଶେଷ ତଥ୍ୟ ଜଣେ ସୁଦୂର ଓଡିଶାବାସୀ ହିସାବରେ ମୋ ପାଖରେ ଉପଲବ୍ଧ ନାହିଁ ।
ଆପଣଙ୍କୁ ସେଇ କାହାଣୀଟି ମନେ ପକାଇ ଦେଉଛି ।
ପିତୃସତ୍ୟ ପାଳି ପ୍ରଭୂ ଶ୍ରୀରାମଚନ୍ଦ୍ର ଯେତେବେଳେ ବନବାସରେ ବାହାରିଲେ, ସେତେବେଳେ ତାଙ୍କ ସହିତ କେବଳ ଯେ ମାତା ଜାନକୀ ଆଉ ଭ୍ରାତା ସୌମିତ୍ରୀ ବନସ୍ତକୁ ଯିବାପାଇଁ ବାହାରିଲେ ସେ କଥା ନୁହଁ, ସମଗ୍ର ଅଯୋଧ୍ୟାବାସୀ ବି ଜିଦ୍ ଧରିଲେ, ସେମାନେ ବି ବନସ୍ତକୁ ଯିବେ ନିଜ ପ୍ରଭୂଙ୍କ ସହିତ । ପ୍ରଭୂ ଅଯୋଧ୍ୟାର ସୀମାନ୍ତ ଅତିକ୍ରମ କରିବା ପୂର୍ବରୁ ସବୁ ଅଯୋଧ୍ୟାବାସୀଙ୍କୁ ଏକ ନିବେଦନ କରି କହିଥିଲେ, ପିତୃସତ୍ୟକୁ ଲଙ୍ଘି ହେବ ନାହିଁ । ଚଉଦ ବର୍ଷ ପରେ ମୁଁ ଅବଶ୍ୟ ଫେରିବି । ତେଣୁ ହେ ଅଯୋଧ୍ୟାର ନରନାରୀମାନେ, ତମେ ଏବେ ଫେରିଯାଅ । ଫେରିଯାଇ ଅଯୋଧ୍ୟାର ସେବା କର ।
ପ୍ରଭୂଙ୍କ ନିର୍ଦ୍ଦେଶ ବୋଲି କଥା । ତାହାକୁ ଅମାନ୍ୟ କରି ହେବ ନାହିଁ । ତେଣୁ ଅଯୋଧ୍ୟାର ସବୁ ନରନାରୀମାନେ ଫେରିବାକୁ ଆରମ୍ଭ କରିଥିଲେ, ପ୍ରଭୂ ଶ୍ରୀରାମଚନ୍ଦ୍ର କୀ ଜୟ, ମାତା ଜାନକୀ କୀ ଜୟ, ଶ୍ରୀ ଲକ୍ଷ୍ମଣଲାଲ୍ କୀ ଜୟ, ବୋଲି ଜୟଧ୍ୱନି ଦେଇଦେଇ ।
ଚଉଦ ବର୍ଷର ବୀରତ୍ୱର କାହାଣୀର ବନବାସ ପରେ, ଶ୍ରୀରାମଚନ୍ଦ୍ରଙ୍କୁ ପ୍ରବେଶ କରିବାକୁ ହେବ, ବ୍ୟକ୍ତିଗତ ବିପର୍ଯ୍ୟୟର ଏକ କାହାଣୀକୁ, ଆପଣ ଜାଣନ୍ତି । ଏଇ ଦୁଇଟି କାହାଣୀ ମଝିରେ ଶ୍ରୀରାମଚନ୍ଦ୍ର ପହଞ୍ଚିଗଲେ ଅଯୋଧ୍ୟାର ସୀମାନ୍ତରେ । ସେଇଠି ତାଙ୍କ ପାଇଁ ଅପେକ୍ଷା କରିରହିଥିଲା ଅପୂର୍ବ ଆଶ୍ଚର୍ଯ୍ୟଟିଏ । ଅଯୋଧ୍ୟାର ସମସ୍ତ ପ୍ରଜାକୂଳ ସମବେତ ସେଇଠି ଚଉଦ ବର୍ଷ ପରେ ପ୍ରଭୂଙ୍କୁ ସ୍ୱାଗତ କରିବା ପାଇଁ ।
ସେମାନଙ୍କର ଭିତରୁ କେତେ ଜଣଙ୍କର କଥା ।
ସେମାନେ କରଯୋଡି ଠିଆ ହେଲେ । କହିଲେ, ପ୍ରଭୂ ଆମେ ଆପଣଙ୍କୁ ଅପେକ୍ଷା କରି ରହିଛୁ, ଏଇଠି ଗତ ଚଉଦ ବର୍ଷ ହେଲା, ଏବେ ଆମ ପାଇଁ କେଉଁ ଆଜ୍ଞା ପ୍ରଭୂ ?
ପ୍ରଭୂ ଶ୍ରୀରାମଚନ୍ଦ୍ର ବିସ୍ମିତ ହେଲେ । କହିଲେ, ତମେ ?
ସେମାନେ ସେମିତି ହାତଯୋଡି କହିଲେ, ପ୍ରଭୂ ଆପଣ ନିର୍ଦ୍ଦେଶ ଦେଲେ ଅଯୋଧ୍ୟାକୁ ନିଜନିଜ କାମକୁ ଫେରିଯିବାକୁ ,ସବୁ ନରନାରୀଙ୍କୁ । ପ୍ରଭୂ ଆମେ ନର ନୁହଁ କି ନାରୀ ନୁହଁ, ତେଣୁ ଅପେକ୍ଷା କରିଛୁ ଆପଣଙ୍କୁ ଏଇଠେ ? ନିର୍ଦ୍ଦେଶ ପାଇଁ ?
ଶ୍ରୀରାମଚନ୍ଦ୍ର ଏଇ କଥାରେ ବିଗଳିତ ହୋଇଗଲେ । ପ୍ରଭୂ ଜଣେ ବିଗଳିତ ହୋଇଯିବା ମାନେ, ଜାଣିବାକୁ ହେବ ଯେ, ପୁରାଣରେ ଗୋଟିଏ ବିଶେଷ କ୍ଷଣ ଉପସ୍ଥିତ ହେଲା, ଆଉ ଏହା ପରେ ପୁରାଣ କଡ଼ ଲେଉଟାଇବ । ଏଇ ମୁହୂର୍ତ୍ତଟି ହେଉଛି ବରଦାନର ମୁହୂର୍ତ୍ତ । ପ୍ରଭୂ ଶ୍ରୀରାମଚନ୍ଦ୍ର ସେମାନଙ୍କୁ, ଅର୍ଥାତ୍ ଯେଉଁମାନେ ନର ବା ନାରୀ ନଥିଲେ ସେହି ମାନଙ୍କୁ, ବର ପ୍ରଦାନ କଲେ, ସେମାନେ କଳିକାଳରେ ସମସ୍ତ କ୍ଷମତାର ଅଧିକାରୀ ହୋଇ ସୁଖରେ କାଳ କାଟିବେ ।
ନର ବା ନାରୀ ହୋଇନଥିବା ସେଇ ଅଯୋଧ୍ୟା ପ୍ରଜା କେତେକ ସୋଲ୍ଲାସ ଚିତ୍କାର କଲେ,ପ୍ରଭୂ ଶ୍ରୀରାମଚନ୍ଦ୍ର କୀ ଜୟ ।
ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଜଟାଜୁଟ ଶୋଭିତ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ସହ ଅନ୍ୟମାନଙ୍କୁ ଏକ ପୁଷ୍ପକବିମାନ କଳ୍ପ ବ୍ୟୋମଜାନରୁ ଅବତରଣ କରାଇବା ସହ ସ୍ୱର୍ଗରୁ ପୁଷ୍ପବୃଷ୍ଟିର ଦୃଶ୍ୟଟି ଯଥେଷ୍ଟ ଦକ୍ଷତା ଓ କୁଶଳତାର ସହ ସଂରଚନା କରିଥିଲେ । ମାତ୍ର ଆମର ପୂର୍ବୋକ୍ତ ଏଇ କାହାଣୀଟି ସେଠାରେ ଘଟିଥିଲା, କି ନାହିଁ, ତାହା ଜଣାନାହିଁ । ସେଇଟି କହିବାକୁ ଗଲେ ଏକ କାହାଣୀ, କ୍ଷମତାର ଏକ ଅତୀତ କଥା ।
ତାହା ପରେ କିନ୍ତୁ ଶ୍ରୀଯୁକ୍ତ ଆଦିତ୍ୟନାଥ ଅଯୋଧ୍ୟାକୁ ଲକ୍ଷ ଲକ୍ଷ ଦୀପରେ ଝଲମଲ କରି ଦେଇଥିଲେ, ଯାହା ଅତ୍ୟନ୍ତ ନୟନାଭିରାମ ଥିଲା, ଆଉ ଈର୍ଷୁକ ମାନଙ୍କୁ ଈର୍ଷାରେ ଅନ୍ଧ କରିଦେଇଥିଲା ।
ଯଦି ଆମର ଶାସକକୂଳ ଗୋଟିଏ କାମ କରିପାରନ୍ତେ, ତାହାହେଲେ ଆମର ଆଉ କୌଣସି ଚିନ୍ତା ରହନ୍ତା ନାହିଁ । ସେଇଟା ସେତେ ବଡ କଥା ନୁହଁ । ଭାରତୀୟମାନଙ୍କ ଶରୀରରୁ ପେଟଟିକୁ ବାହାର କରି, ସେଇଠି କେବଳ ଆଖି ଆଉ କାନ କେତେ ହଳ ଅଧିକ ଯୋଡିଦେବାର କଥା ।
ଏଇ ନିର୍ଲଜ ପେଟଟି ଅଛି ବୋଲି ଲକ୍ଷଲକ୍ଷ ଦୀପାଳିରେ ଝଲମଲ ଅଯୋଧ୍ୟାର କିଛି ଈର୍ଷୁକ ଅଧିବାସୀ ତାହା ପରଦିନ ସକାଳୁ ସକାଳୁ ବାହାରି ପଡିଛନ୍ତି ଜାରକେନ୍ ମାନଙ୍କୁ ଧରି ସେଇ ପୋଡା ଦୀପାଳିରୁ ବଳିଥିବା ତେଲଟିକକୁ ସଙ୍ଗ୍ରହ କରିବାକୁ । ସେଇ ପୋଡାତେଲରେ ହୁଏତ ସେମାନଙ୍କର ଜୀବନ ସଳିତାଟି ଅଧିକ ତେଜିଆନ ହୋଇ ଜଳିପାରେ ଦିନଟିଏ ।
ଏଇ ଛବି ଝଲମଲ ଅଯୋଧ୍ୟାର ପୋଡାତେଲ ସହ ପେଟ ପୋଡିବାର ଛବିଟିଏ ।
ରକ୍ଷା, ଆମ ଓଡିଶାରେ ସେମିତି କୌଣସି ପୌରାଣିକ ବିଶିଷ୍ଟ ମୁହୂର୍ତ୍ତକୁ ଇତିହାସର ପୁଷ୍ପକ ବିମାନରେ ସଜାଇବାର ଅବକାଶ ନାହିଁ । ନ ଆସୁ କେବେ ।

ସମ୍ପାଦକୀୟ ଟୀକା

ଚିକିତ୍ସା ଅଭାବରେ ପିଲାମାନେ ଉତ୍ତରପ୍ରଦେଶର ଡାକ୍ତରଖାନାରେ ଉତ୍ତର-ଗୋଧ୍ରା ସମୟର ଗୁଜୁରାତ ଦଙ୍ଗାରେ ସଙ୍ଖ୍ୟାଲଘୁଙ୍କ ଭଳି ମରୁଥିବା ବେଳେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରି 'ତ୍ରେତୟା ଯୁଗର ଭବ୍ୟ ଦୀପାବଳୀ ପାଳିବା'ର ପୁଣ୍ୟକର୍ମ ନିଶ୍ଚିତ ଭାବରେ ଯୋଗୀଜନୋଚିତ କର୍ମଟିଏ । ଅବଶ୍ୟ ଏଭଳି ପୁଣ୍ୟ କର୍ମ ଆମର ସମାଜରେ କିଛି ନୂଆ ନୁହେଁ । ତାଜମହଲ ଗଢ଼ା ହେବା ସମୟରେ ନିଶ୍ଚିତ ଭାବରେ ପିଲା ଚିକିତ୍ସା ଅଭାବରେ ମରୁଥିବେ । କୋଣାର୍କ ଗଢ଼ାହେବା ସମୟରେ ବୋଧେହୁଏ ଅନେକ ଚଷୁଣୀମାନଙ୍କର ଥନ ଶୁଖିଥିବ, ଖଜଣା ପାଇଁ ତାଙ୍କ ମରଦମାନେ ରଜାକୁ ଯୋଗାଇଥିବା ଧାନର ଅଭାବରେ । ରାଜାଧିରାଜ କନିଷ୍କ ଚତୁର୍ଥ ବଉଧ ମହାସଭାର ମୂଖ୍ୟ ଭାବରେ ଆଲୋଚନା ପରେ ଥେରାମାନଙ୍କ ସହ ଭୁରିଭୋଜନ କଲାବେଳେ, ସେହି ମହାନୁଭାବମାନେ ଘରେ ଛାଡ଼ି ଆସିଥିବା ତାଙ୍କର ଅନେକ ଭାଇବନ୍ଧୁ କୁଟୁମ୍ବ, ନିଶ୍ଚେ ପେଟରେ ଓଦାକନା ପକେଇ ଶୋଇଥିବେ । ଦ୍ୱାପରରେ ଧର୍ମରାଜ ଯୁଧିଷ୍ଠିର ରାଜସୂୟ ଯଜ୍ଞରେ ମହଣ ମହଣ ଘିଅ ପୋଡ଼ୁଥିବା ସମୟରେ, ଅନେକ ଶିଶୁଙ୍କର ତୋଟି ପଳେ ଗୁରସ ବିନା ନିଶ୍ଚୟ ସୁଖିଥିବ । ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀ ରାମ ଅଶ୍ୱମେଧ ଯାଗ କରି ଦାନରେ ବାମୁଣ ପୋଏଙ୍କୁ ଲୁଗାରେ ପୋତି ପକଉଥିବା ବେଳେ, ନିଶ୍ଚିତ ଭାବରେ କେଉଁ ଚାଣ୍ଡାଳ ଯୁବତୀ ବଧୁର (ଶୁଦ୍ରକର?) ସ୍ତନ, ଯଉବନ ସାତସିଆ କନା ଦେଇ ବୋଧେହୁଏ ଦୁଶିଯାଉଥେବ ।

ହେଲେ ଆମେ ନା ତ୍ରେତୟା ଯୁଗରେ ବଞ୍ଚୁଛୁ, ନା ଦ୍ୱାପର ଯୁଗରେ । ଆମେ ନା ଲାଙ୍ଗୁଳା ନରସିଂହର ପ୍ରଜା, ନା ଆମେ କନିଷ୍କର ଖାତକ । ଗୋଟାଏ ହୃଦୟହୀନ, ରକ୍ତଶୋଷା ବେପାରୀ ଜାତି ସହ ଲଢ଼ିଲଢ଼ି, ଝାଳ, ରକ୍ତ, ହିଆର କୋହ ଢାଳିଢାଳି ସ୍ୱାଧୀନ ହୋଇଥିବା ଗୋଟାଏ ଜନସମୁଦ୍ର ଆମେ । ଦେଶର ସବୁଠାରେ ବଡ଼ ରାଜ୍ୟରେ, ହଜାର ହଜାର ସଙ୍ଖ୍ୟାରେ ପିଲା ଚିକିତ୍ସା ଅଭାବରେ ମରୁଥିବା ବେଳ, ଆମରି ଟଙ୍କାରେ, ଗଣତାନ୍ତ୍ରିକ ଉପାୟରେ ଭୋଟ ଜିତି ସରକାର ଗଢ଼ିଥିବା, ଗୋଟେ ବାବାଜୀ ଯଦି ଭବ୍ୟ ଦୀପାବଳୀ ପାଳନ କରୁଛି, ଆଉ ସେତେବେଳେ ଆମକୁ ତାଜମହଲ ଆଉ କନିଷ୍କ ମନେ ପଡ଼ୁଛନ୍ତି, ନୟନାଭିରାମ ରାମଙ୍କର ସ୍ମରଣ ହେଉଛି, ହେଲେ ନିଜ ପିଲାକୁ ଗୋରଖପୁରର ଡାକ୍ତରଖାନାରେ ସବୁଦିନ ପାଇଁ ହଜେଇଦେଇ ଆସିଥିବା ମା'ର ଶୁଖିଯାଇଥିବା ଆଖିର ଅନ୍ଧାରର କାଳିମାରେ ତାଜମହଲ, କୋଣାର୍କ ଓ କନିଷ୍କ ଇତ୍ୟାଦି ସବୁ ଇତିହାସର ଉଚ୍ଛିଷ୍ଟ ଲୁଚିଯାଉନାହାନ୍ତି, ତେବେ ଆମକୁ ଲଜ୍ଜା ଲାଗିବା କଥା ।

ଚିକିତ୍ସା ଅଭାବରେ ମରିଥିବା ସେଇ ପିଲାଙ୍କ ଚିତାରେ ପୋଡ଼ିଯାଉ ଆମର ବୁଦ୍ଧିଜୀବୀତ୍ତ୍ୱ, ଦାହ ହୋଇ ପାଉଁଶ ହେଉ ଆମର ହୃଦୟହୀନତା । ତାହାହେଲେ ଯାଇ ଦେଶରେ ରାମରାଜ୍ୟ ଆସିବାର ସମ୍ଭାବନା ଅଛି ।   

Friday, October 20, 2017


ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୩


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


କୋଚିଲା ଗଛ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୧୧


ଜୀବର ପାପ ପୁଣ୍ୟ ବାଣୀ
ମରଣ କାଳେ ତାହା ଜାଣି ।

ଅର୍ଥ : ମଣିଷ ଭଲ କାମ କରିଥିଲେ, ତାହାର ଶେଷ ଜୀବନ ଭଲରେ କଟେ ଓ ସୁରୁଖୁରୁରେ ଇହଲୀଳା ସମ୍ବରଣ କରେ । ନଚେତ ବହୁତ କଷ୍ଟ ପାଇଁ ଜୀବନକୁ ବୋଝ ଭାବରେ ବୋହି ଚାଲେ । ଶେଷରେ ମୃତ୍ୟୁବରଣ କରେ । ଯେତେ ବେଳକୁ ତାହା ପ୍ରତି ସମସ୍ତେ ବିମୁଖ ହୋଇ ସାରିଥାନ୍ତି ଓ ଭାବନ୍ତି ଚାଲିଯାଇଛି, ଭଲ ହେଲା ।

୧୨


ଅଧର୍ମ ବିତ୍ତ, ବଢେ଼ ବହୁତ
ଗଲା ବେଳେ ଯାଏ ମୂଳ ସହିତ ।

ଅର୍ଥ : ଜଣେ ଅଧର୍ମ କରି, ଅର୍ଥାତ, ଅନ୍ୟ ଲୋକଙ୍କୁ ଦୁଃଖ ଦେଇ ଅସତ ଉପାୟରେ ଧନ ଉପାର୍ଜନ କଲେ, ଦିନେ ତାହା ମୂଳ ପୁଞ୍ଜି ସହ ସବୁକିଛି ଚାଲିଯାଏ ଓ ସେ ଦାଣ୍ଡର ଭିକାରି ହୋଇଯାଏ । ତେଣୁ କେବେ ହେଲେ ଧର୍ମକୁ ନିଜଠାରୁ ଅଲଗା କରିବା ଉଚିତ ନୁହେଁ ।

୧୩


ଗଛ ପଛେ କୋଚିଲା ହେଉ,
ମୂଳରେ କାର୍ଯ୍ୟ ଥାଉ ।

ଅର୍ଥ : ଏହା ଏକ ପୁତ୍ର ଦ୍ୱାର ନିପିଡ଼ିତ ମା’ର ପୁଅକୁ ଅଭିଶାପ । ତାହାର ଅର୍ଥ ଗଛର ଫଳ ହୁଏତ କୋଚିଲା ଗଛ ଭଳି ତିକ୍ତ ଓ ଅଦରକାରୀ ହୋଇଥାଉ, କିନ୍ତୁ ବଞ୍ଚିକରି ଥାଉ । ପୁଅ ମୋତେ ଯେପରି କଷ୍ଟ ଦେଉଛି, ସେହି ଭଳି ସେ ତାହାର ପିଲାମାନଙ୍କ ଦ୍ୱାରା ନିର୍ଯାତିତ ହେଉ । ହେଲେ ବଞ୍ଚି କରିଥାଉ ।

୧୪


ଡର କାହାକୁ ଭୟ କାହାକୁ
ଠାକୁରେ ଅଛନ୍ତି ଚଉ ବାହାକୁ ।

ଅର୍ଥ : ଭଗବାନଙ୍କ ଉପରେ ବିଶ୍ୱାସ ରଖି ସତ୍ ପଥରେ ଚାଲିଲେ ଅସୁବିଧା ବେଳେ ଭଗବାନ ହିଁ ସାହା ହେବେ ।

୧୫


କଥା କହି ଜାଣିଲେ ସୁନ୍ଦର
ମଥା ବାନ୍ଧି ଜାଣିଲେ ସୁନ୍ଦର ।


ଅର୍ଥ : ମଣିଷ ସବୁବେଳେ ସମସ୍ତଙ୍କ ସହିତ ମଧୁର ବ୍ୟବହାର କରିବା ଉଚିତ ।