Wednesday, September 27, 2017

କଣିଆଁ ଗ୍ରାମରେ ମନୋରଞ୍ଜନ


'ବନାରସର ରାଜାଙ୍କ ସମ୍ମୁଖରେ ଅନୁଷ୍ଠିତ ରାମନଗରର ରାମଲୀଳା' (୧୮୩୪)
ଲିଥୋଗ୍ରାଫ ନିର୍ମାତା - ଜେମ୍ସ ପ୍ରିନ୍ସେପ୍ (୧୭୯୯- ୧୮୪୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଜଣେ ସ୍ୱାଧୀନଚେତା ଅମଲା ତଥା ଲେଖକ ଭାବରେ ବିଷ୍ଣୁଚରଣ ମହାନ୍ତିଙ୍କର ଓଡ଼ିଶାରେ ପରିଚିତି ଅଛି । ତାଙ୍କର ଜନମ ୧୯୨୨ ମସିହାରେ ; ଜଗତସିଂପୁରର ବାଲିକୁଦା ପାଖ କରଣ ଗାଁ କଣିଆଁରେ । ସଙ୍ଖ୍ୟାରେ ଗ୍ରାମରେ ସବୁଠୁ ବେଶୀ ଲୋକ କରଣ ଜାତିର ହେଲେ ମଧ୍ୟ, ବିଭିନ୍ନ ଜାତି ପାଟକର ଲୋକେ ସେଠାରେ ବସବାସ କରୁଥିଲେ । ବିଷ୍ଟୁଁ ବାବୁଙ୍କର ପିଲାବେଳେ, ପୂଜାପର୍ବ ଗାଁରେ ଲୋକଙ୍କର ମନୋରଞ୍ଜନର ଏକ ପ୍ରମୁଖ ଉତ୍ସ ଥିଲା । ଚବିଶ ପକ୍ଷରେ ପଚିଶ ପରବ ଛଡ଼ା, ଠାକୁର ଠାକୁରାଣୀଙ୍କ ପାଖରେ ପୂନେଇଁ, ଅମେଇସା ଓ ସଙ୍କରାନ୍ତି ଦିନ ପାଳି ଭୋଜି ହେଉଥିଲା । ବରଷକେ ଥରେ ଜଣଙ୍କର ପାଳି ପଡ଼ୁଥିଲା । ଏହା ଯୋଡ଼ା ହୋଇଥିଲା ଭାଗବତ ପାଠ ଓ ଶାସ୍ତ୍ରାର୍ଥ ସହ । ଗାଁରେ କରଣଙ୍କର ଇଷ୍ଟ ଦଧିବାମନ (ନାମ ଗଦାଧର)ଙ୍କର ନାନାଦି ଯାନିଯାତ୍ରା, ମଉଛବ ହୁଏ । ବୈଶାଖରେ ଚନ୍ଦନ ଯାତ, ଦୋଳରେ ବିମାନରେ ଗାଁ ବୁଲା, ଓ ଜମିଦାରଙ୍କ ପଡ଼ିଆରେ ଦୋଳ ମେଲଣ ତଥା ରଥଯାତରା, ବର୍ଷର ଗୋଟିଏଗୋଟିଏ ବଡ଼ ଉତ୍ସବ ଥିଲା ।

ଏହା ଛଡ଼ା ଦଶହରା ମଧ୍ୟ ଗାଁର ଏକ ବଡ଼ ପର୍ବ ଥିଲା । କରଣଙ୍କ ବୋଲିରେ ଦଶହରାର ନାମ ଲେଖନବସା । ନଇ ପଠାରେ କାଶତଣ୍ଡି ଚହଟିଲା ବେଳକୁ ବିଦେଶରେ ଖଟୁଥିବା ଗାଁର ଚାକିରିଆ ବାବୁମାନେ ଘରମୁହାଁ ହୁଅନ୍ତି । ସେତେବେଳ ପର୍ଯ୍ୟନ୍ତ ବୋହୁ ଭୁଆଷୁଣୀମାନେ ପିଲାପିଚିକା ଧରି ମିଣିପମାନଙ୍କ ସହ ଯାଇ ଭିନ୍ନ ଦେଶରେ ବସା ବାନ୍ଧିବାର ଚଳଣି ଆରମ୍ଭ ହୋଇନଥାଏ । ଗାଁର ଲୋକେ ଏଇ ଲେଖନବସା ସମୟରେ ମଞ୍ଚରେ ଉପସ୍ଥାପନା ପାଇଁ ତିଆରନ୍ତି ଏକ ଲୋକପ୍ରିୟ ନାଟକ । ସମ୍ପୂର୍ଣ୍ଣ ଭାବରେ ସ୍ଥାନୀୟ ଉଦ୍ଦ୍ୟମରେ । ଖର୍ଚ୍ଚବାର୍ଚ୍ଚ ପାଇଁ ଗାଁରୁ ଚାନ୍ଦା ଆଦାୟ ହୁଏ । ଦର୍ଶକେ କିଛି ଦିଅନ୍ତି ନାହିଁ ।

ଦଶରା ଛଡ଼ା ରଥ ଉପଲକ୍ଷେ ମଧ୍ୟ ଯାତ୍ରାର ଆୟୋଜନ କରାଯାଏ । ହେଲେ ବରାଦିଆ । କଣିଆଁରେ ସେତେବେଳେ ଦିଅଁ ଦଶମୀରେ ମନ୍ଦିରକୁ ନ ଲେଉଟି, ବାହୁଡ଼ନ୍ତି ଏକାଦଶୀରେ । ଲେଉଟାଣୀରେ ଠାକୁରେ ରହନ୍ତି ଜମିଦାରଙ୍କ ଦାଣ୍ଡରେ, ନିଶଙ୍ଖୁଡ଼ି ଭୋଗ ପାଇ । ରାତିରେ ଠାକୁରଙ୍କ ପାଇଁ ଚାଲେ ବାଦିଯାତ୍ରା । ପେଟ୍ରୋମାକସ ଆଲୁଅର ଆୟୋଜନ ହୁଏ । ନମିଳିଲେ କାର୍ବାଇଡ଼ ଗ୍ୟାସ ନାଇଟିରେ ଯାତ ଚାଲେ । ବାଛିବାଛି ଗାଁ ଲୋକେ ଠିକ କରନ୍ତି ଯାତ୍ରାଦଳ । ଭଦରନୋକଙ୍କୁ ନିମନ୍ତ ଯାଏଁ । ଗାଁର ବାକି ମଳିମୁଣ୍ଡିଆ ସାଧାରଣ ଲୋକେ ଆସନ୍ତି ଦର୍ଶକ ଭାବରେ, ଅନିମନ୍ତ୍ରିତ । ଯାତ ଲାଗେ ଦୁଇ ରାତି । ଯେଉଁ ଦଳ ଜିତେ, ପାଏ ଟିକିଏ ଅଧିକ ପାରିଶ୍ରମିକ । ବେଳେବେଳ ଦର୍ଶକମାନେ ଅଭିନୟରେ ଭାସିଯାଇ ଅଭିନେତାଙ୍କୁ ରୂପା ପଦକ ଦେବାର ଘୋଷଣା ଇତ୍ୟାଦି କରନ୍ତି ।

ଗାଁର ଝିଅବୋହୁ ମଧ୍ୟ ଯାତ ଦେଖି ଆସନ୍ତି । ବସନ୍ତି ବିନା ପରଦାରେ, ଜମିଦାରଙ୍କର ପିଣ୍ଡାରେ । ସେତେବେଳେ ମାଡ଼ ଥାଏ ବଇଷ୍ଟଁବ ପାଣି ଓ ଜଗନ୍ନାଥ ମାଆନ୍ତିଏ ଙ୍କ ବହିସବୁ ଉପରେ । ଫାରସ ସବୁ ଥାଏ ବେଶୀ ଲୋକପ୍ରିୟ । ଯେଉଁ ଦିନଗୁଡ଼ିକରେ ଯାତ୍ରା ଅଭିନୟ ହୁଏ, ଗାଁ ଦାଣ୍ଡ ରାତି ସାରା ଭିଡ଼ ରହେ । ପଡ଼େ ନାନାଦି ଦୋକାନବଜାର । ଅଭ‌ିନେତାମାନେ ସେତେବେଳେ ପିନ୍ଧୁଥାନ୍ତି ଝାଲର ଓ ଅଭ୍ର ନଗା ପୋଷାକ । ପେଟ୍ରୋମାକୁସ ନାଇଟିରେ ତାହା ଚକମକ କରେ ଅଙ୍ଗାରଘଷା ଅମାବାସ୍ୟା ରାତିର ତାରାମଖା ଆକାଶ ପରି । ନାଟ ପଡ଼ିଆ ମଝିରେ ଥାଏ କେଇ ପୁରୁଷର ପୁରୁଣା ବର ଗୋଟିଏ । ଅନେକ ଲୋକ ଗଛ ଉପରେ ଚଢ଼ିଯାଇ ଯାତ୍ରା ଦେଖନ୍ତି । ବାଣା ପରାଜୟ, କଂସ ବଧ, କର୍ଣ୍ଣ ବଧ, ବେଣୀ ସଂହାର, ପରଶୁରାମ ତଥା ଦାନୀ ହରିଶ୍ଚନ୍ଦ୍ର ଇତ୍ୟାଦି ବହି ସେତେବେଳେ ଅଭିନିତ ହେଉଥିଲା ।

ଯାନିଜାତରା ଛଡ଼ା, ସେତେବେଳେ ପାଲା ମଧ୍ୟ ବହୁତ ଜନପ୍ରିୟ ଥିଲା କଣିଆଁ ଗାଁରେ । ଦକ୍ଷିଣ ଓଡ଼ିଶାରୁ ସେତେବେଳ ପର୍ଯ୍ୟନ୍ତ ଦାସକାଠିଆ ଆମଦାନୀ ହୋଇନଥାଏ । ପାଲାବାଲେ ଆଗେ ସତ୍ୟନାରାୟଣଙ୍କର ସ୍ତୁତି କରନ୍ତି । ତାହା ପରେ ନାନାଦି ଓଡ଼ିଆ କାବ୍ୟ କବିତାରୁ ଉଦ୍ଧୃତି ଦେଇ ନିଜ ନିର୍ବାଚିତ କାହାଣୀଟିକୁ ଆଗକୁ ନିଅନ୍ତି । ସାଧାରଣ ପାଲା ସହ ବାଦୀପାଲା ମଧ୍ୟ ଲୋକପ୍ରିୟ ଥିଲା, ଯେଉଁଥିରେ ରାତି ପରେ ରାତି ଦୁଇ ଦଳ ଭିତରେ କଠିନ ପଦର ଅର୍ଥ ଆଦିକୁ ନେଇ ପ୍ରତିଯୋଗିତା ଚାଲେ । କେତେବେଳେ ଛାନ୍ଦର ପ୍ରଥମ ପଦ ବୋଲି ତାହାପର ସବୁକୁ ବୋଲିବାକୁ କୁହାଯାଏ ତ, ଆଉ କେବେ ପୂରା ଛାନ୍ଦର ଅର୍ଥ ବୁଝାଇବାକୁ ଆହ୍ୱାନ କରାଯାଏ । ସେତେବେଳେ ପାଖର ବୋରିକିନାରେ ବରଷକୁ ଥରେ ପାଲା ପ୍ରତିଯୋଗିତା ହେଉଥାଏ, ଯାହାକୁ ସ୍ଥାନୀୟ ବୋଲିରେ କୁହାହେଉଥିଲା ପୂଜା ।

ଗୋଟିପୁଅ ନାଚ ମଧ୍ୟ ସେତେବେଳ ମନୋରଞ୍ଜନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ ଥିଲା । ଦଶହରା, କୁମାର ପୂନେଇଁ, ଦୋଳ ଯାତ ଇତ୍ୟାଦି ସମୟରେ ଗୋଟିପୁଅ ନାଚ ହେବ ହିଁ ହେବ । ଏହି ସମୟରେ ମନ୍ଦିର ଓ ମଠ ଇତ୍ୟାଦିର ନିଥର ପରିବେଶ, ଗୋଟିପୁଅର ଘୁଙ୍ଗରର ତାଳରେ ଝଙ୍କୃତ ହୁଏ । ଏହା ଛଡ଼ା ଜମିଦାରିଆ ବଡ଼ନୁକ ବାହାଘରମାନଙ୍କରେ ବର ସହ ଗୋଟିପୁଅମାନେ ଯାଉଥିଲେ । କୈଶୋର ପୂର୍ବ ବୟସର ପିଲାଏ ଗୋଟିପୁଅ ବନି ଝୁଅବେଶ ହେଇ ନାଚୁଥିଲେ । ଶାଢ଼ି ପିନ୍ଧି, ଅଷ୍ଟ ଅଳଙ୍କାର ନାଇ, ବେଣୀ ପାରି, ଗୋଟିପୁଅମାନେ ଗୁରୁଙ୍କର ବେହେଲାର ତାଳେତାଳେ ନାଚୁଥିଲେ ଓ ଗାଉଥିଲେ । ତାଙ୍କ ସହିତ ଗୁରୁମାନେ ମଧ୍ୟ ଗାୟନ କରୁଥିଲେ । ବେଶଭୂଷା ସବୁର ବେତପେଡ଼ି ବୋହୁଥିବା ଗୋଟିଏ ଭାରୁଆ ଆଉ ଗୋଟିପୁଅମାନଙ୍କୁ ଧରି ଗୁରୁ ଅବଧାନ ଗମନ କରୁଥିଲେ ଗାଁରୁ ଗାଁ, ଉଛବରୁ ଉଛବ ।

ଏହି ସବୁ ପାରମ୍ପରିକ ମନୋରଞ୍ଜନର ଉପଚାର ସହ, ସେତେବେଳକୁ କଳଗାଉଁଣା ମଧ୍ୟ ଆସିସାରିଥିଲା । ଏଚ୍.ଏମ.ଭି. କମ୍ପାନୀର କଳ ଗାଉଁଣା ଉପରେ ଥିବ ମାଲିକର ସ୍ୱର ଶୁଣୁଥିବା ଗୋଟିଏ କୁକୁରର ଛବି । ସେତେବେଳ କଣିଆଁ ଭଳି ନିପଟ ମଫସଲ ଗାଁମାନଙ୍କରେ କଳଗାଉଁଣା କେବଳ ଯୋଡ଼ିଏ ଯାଗାରେ ଦେଖିବାକୁ ମିଳୁଥିଲା । ପ୍ରଥମଟି ହେଲା, ବଡ଼ବଡ଼ ଜମିଦାରିଆ ଘର । ଦ୍ୱିତୀୟଟି ହେଲା, ସରକାର ବାହାଦୁରଙ୍କର କାମରେ ବୁଲୁଥିବା ଗବର୍ଣ୍ଣମେଣ୍ଟର ଭ୍ରାମ୍ୟମାଣ କର୍ମଚାରୀମାନଙ୍କର କ୍ୟାମ୍ପ୍ । ଗଣେଷ ଓ ସରସତୀ ପୂଜାରେ କଳଗାଉଁଣା ଦିଅଁ ଓ ପିଲାଙ୍କ ଲାଗି ଜମିଦାରଙ୍କ ଘରୁ ଇସ୍କୁଲକୁ ମଗା ହୋଇ ଆସେ । ସେତେବେଳେ ଓଡ଼ିଆରେ ବରଷକୁ ଅଳପ କିଛି ନୂଆ ରେକଡ଼ ଗୀତ ହିଁ ବାହାରୁଥିଲା । ‘ଉତ୍କଳ ଜନନୀ ହୋଇ ହିନିମାନି’, ଗୌରାଙ୍ଗଚରଣ ଦାସ ଗାଇଥିବା ‘ଆଚ୍ଛା ଗୋଲଟେବୁଲ ପାଲା ଲାଗିଲାରେ’ ତଥା ଗୋକୁଳ ମହାନ୍ତି ଗାଇଥିବା ‘ଆସ କିଏ ସେ ଯିବରେ, ଆଜି ରଜା ଘର ଖାନା’ ଇତ୍ୟାଦି ସେହି ସମୟରେ ଲୋକପ୍ରିୟ କଳଗାଉଣା ଗୀତ ଥିଲା ।

ଏହା ଛଡ଼ା ପଲ୍ଲୀଜୀବନରେ ମନୋରଞ୍ଜନ ପାଇଁ ନାନା କିସମର ଲୋକ ଭରି ହୋଇଥିଲେ । କାର୍ତ୍ତିକ ଅମେଇସାରେ ଗୋଟିଏ ଭକତ କାଳ‌ୀ ମୁଖା ଓ ଘୁଙ୍ଗୁର ଲଗାଇ ଦେବୀ ବନନ୍ତି । ଢୋଲ ପେଁକାଳି ବାଜେ । ଦେବୀଙ୍କର ମୁଖାରୁ ଲୋଳଲୋଳ ଜିଭ ଝୁଲେ । ହାତରେ ଚାମର ଧରି, କାଳସୀର ପାଦ ପଡ଼େ ଢୋଲର ତାଳରେ । ତାଙ୍କୁ ଧୂପ ଦୀପ ଦେଇ ଦେଇ ସନ୍ତୁଷ୍ଟ କରାଯାଏ । ସେହିପରି ଚଇତ ମାସରେ ଚାଲେ ପାଟୁଆ ଯାତ । ମାନସିକ କରିଥିବା ଲୋକେ ଓପାସ କରି ଗାଁ ସାରା ଘରଘର ଗୀତ ଗାଇ ବୋଲନ୍ତି । ବୈଶାଖ ମାସରେ ଠାକୁରାଣୀଙ୍କର ଘଣ୍ଟକୁ ଗୋଟେ ଭକ୍ତ ମୁଣ୍ଡାଇ, ରଣପାରେ ଚାଲି, ବୁଲେ ଗାଁ ଗାଁ । ସବୁଠାରୁ ବେଶୀ କାଟତି ଥାଏ କାକଟପୁର ମଙ୍ଗଳା ଓ ଝଙ୍କଡ଼ର ସାରଳାଙ୍କର ଘଣ୍ଟର । କାର୍ତ୍ତିକ ଓ ବୈଶାଖ ମାସରେ ଆସନ୍ତି ଚକୁଳିଆ ପଣ୍ଡା ଓ ଧର୍ମ ମାସର ମାହାତ୍ମ୍ୟ ବୁଲିବୁଲି ବୁଝାନ୍ତି ।

ନଳୁଆ କେଳା ଜାତିର ଲୋକେ ଗୋଟିଏ ସ୍ଥାନରେ ଚିରସ୍ଥାୟୀ ଭାବେ ରହନ୍ତି ନାହିଁ । ଗାଁଗାଁ ବୁଲନ୍ତି । ପୁରୁଷମାନେ ନଳ ସାହାଯ୍ୟରେ ଚରେଇ ଧରନ୍ତି - ଖାଆନ୍ତି ନ ହେଲେ ପୋଷିବା ପାଇଁ ବିକିଦିଅନ୍ତି । ସେମାନେ କୁହୁକ ବି ଦେଖାନ୍ତି । ଏହି ଜାତିର ସ୍ତ୍ରୀଲୋକେ ଚିତା କୁଟାନ୍ତି ଓ ସିନ୍ଦୁର, ଗୋରଚନା ଓ ଶସ୍ତା ଗହଣା ଆଦି ଝୁଅବୋହୁମାନଙ୍କୁ ବୁଲାଇବିକନ୍ତି । ଖରାଦିନେ ଖୋରଧା ଆଡ଼ୁ ଆସନ୍ତି କୁହୁକରାଣୀ । ଦୁଇଟି କୋଡ଼ିଏ ବାଇଶ ଫୁଟ ଡେଙ୍ଗା ବାଉଁଶ ପୋତି ତା ଉପରେ ଟଙ୍ଗା ହୁଏ ଗୋଟିଏ ଦଉଡ଼ିଟିଏ । ଛୋଟ କଣି ବାଉଁଶଟିକୁ ଧରି, କୁନି ବାଳିକାଟିଏ ଚାଲେ ସେଇ ବାଣିଟି ଉପରେ । ତଳେ ବାଜୁଥାଏ ବାଜା, ତା’ ଚାଲିର ତାଳ ଦେବା ପାଇଁ ।

ମଝିରେ ମଝିରେ ନାଥ ଯୋଗୀମାନେ ଆସନ୍ତି । କେନ୍ଦରା ବଜାଇ ଗୀତ ଶୁଣାନ୍ତି । ଖରାଦିନେ ଅନେକ ଜାଗାରେ ରାମଲୀଳା ମଧ୍ୟ ହୁଏ । ମୁଖା ପିନ୍ଧି ରାବଣ ଓ ହନୁମାନ ଇତ୍ୟାଦି ଚରିତ୍ର ଅଭିନୟ କରନ୍ତି । ସେତେବେଲେ ଜଗତସିଂପୁରର ସୁଜଙ୍ଗର ରାମଲୀଣା ପ୍ରସିଦ୍ଧ ଥିଲା । ଗାଁରେ ବିଜୁଳି ନଥିଲା । ସବୁଠାରୁ ପାଖ ଚଳଚିତ୍ର ଥିଏଟରର ପରଦା ଥିଲା କାହିଁ କେତେ ଦୂରରେ, କଟକରେ । ହେଲେ ତଥାପି ମନ ଭୁଲାଇବା ପାଇଁ ସାଧନର ଅଭାବ ନ ଥିଲା । ସୁଲଭ ଥିଲା ଗୋଟିଏ ଜୀବନ୍ତ ସଂସ୍କୃତିର ଏକ ଚଳମାନ ପ୍ରବାହ ।

ବି.ଦ୍ର - ଏହି ଲେଖାଟି ଆଗରୁ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ ହୋଇଅଛି । ଲେଖାର ବ୍ୟବହୃତ ତଥ୍ୟ ଭୁବନେଶ୍ୱରର ଶିକ୍ଷାସନ୍ଧାନ ସଂସ୍ଥା ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତି କୃତ ଆତ୍ମଜୀବନୀ ‘ଆମ ପାଠପଢ଼ା ସମୟ’ରୁ ସଙ୍ଗୃହିତ ।

Tuesday, September 26, 2017

ମାଥିଉଙ୍କର ମଙ୍ଗଳ ସମାଚାର - ୨୬

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


କାନଭାସ୍ ଉପରେ ତୈଳଚିତ୍ର - 'ଯୀଶୁ ଖ୍ରୀଷ୍ଟଙ୍କର ୟେରୁଶେଲମ୍ ରେ ପ୍ରବେଶ' (୧୮୯୭)
ଚିତ୍ରକର - ଜ୍ୟାଁ ଲିଅଁ ଜିରମ୍ (୧୮୨୪-୧୯୦୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସେମାନେ ପ୍ରସ୍ଥାନ କଲାଉତ୍ତାରେ ଯୀଶୁ ଲୋକମାନଙ୍କୁ ୟୋହନଙ୍କ ବିଷୟରେ କହିବାକୁ ଲାଗିଲେ, ତୁମ୍ଭେମାନେ ବାହାର ହୋଇ ଅରଣ୍ୟ ମଧ୍ୟରେ କଣ ଦେଖିବାକୁ ଯାଇଥିଲ ? କି ବାୟୁରେ ହଲିଲା ଗୋଟିଏ ନଳ ? ତେବେ କଣ ଦେଖିବାକୁ ଯାଇଥିଲ ? କି ସୁକ୍ଷ୍ମ ବସନ ପରିହିତ କୌଣସି ମନୁଷ୍ୟକୁ  ? ଦେଖ, ଯେଉଁମାନେ ସୂକ୍ଷ୍ମ ବସନ ପିନ୍ଧନ୍ତି, ସେମାନେ ରାଜଗୃହରେ ଥାନ୍ତି । ତେଣୁ କାହିଁକି ବାହାରେ ଯାଇଥିଲ ? କି ଜଣେ ଭବିଷ୍ୟଦ୍-ବକ୍ତାଙ୍କୁ ଦେଖିବାକୁ ? ତାହା ହିଁ ପ୍ରମାଣ ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ କହୁ ଯେ, ସେ   ଭବିଷ୍ୟଦ୍-ବକ୍ତାଠାରୁ ବଡ଼ ।  ଯେହେତୁ "ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭର ଅଗ୍ରସର କରି ପଠାଉଁ, ସେ ଆଗ ଯାଇ ତୁମ୍ଭର ପଥ ପ୍ରସ୍ତୁତ କରିବ" ଯାହାଙ୍କ ବିଷୟରେ ଏହି କଥା ଲିଖିତ ଥିଲା, ସେ ଏହି ବ୍ୟକ୍ତି । ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ଯୋହନ ଡୁବକଙ୍କଠାରୁ ମହାନ୍ କେହି ସ୍ତ୍ରୀଲୋକର ଗର୍ଭରୁ ଜାତ ହୋଇ ନାହିଁ ; ତଥାପି ସ୍ୱର୍ଗରାଜ୍ୟ ମଧ୍ୟରେ ଅତି କ୍ଷୁଦ୍ର ଯେଉଁ ବ୍ୟକ୍ତି, ସେ ଯୋହନଙ୍କଠାରୁ ମହାନ । ଆଉ ଯୋହନ ଡୁବକଙ୍କ କାଳାବଧି ଏପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳାକ୍ରାନ୍ତ ହୋଇ ଆସିଅଛି, ତହିଁରେ ବିକ୍ରମୀ ଲୋକମାନେ ବଳରେ ତାହା ଅଧିକାର କରୁଛନ୍ତି । ଯେହେତୁ ସବୁ ଭବିଷ୍ୟଦ୍-ବକ୍ତା ଓ ବ୍ୟବସ୍ଥା ଯୋହନଙ୍କ ପର୍ଯ୍ୟନ୍ତ ଭବିଷ୍ୟତ୍ କଥା ପ୍ରକାଶ କରିଥିଲେ । ଆଉ ତୁମ୍ଭେମାନେ  ଯେବେ ଏହି କଥା ଗ୍ରହଣ କରିବାକୁ ସମ୍ମତ ହୁଅ, ତେବେ ଯେଉଁ ଏଲିୟଙ୍କର ଆସିବାର ଥିଲା, ସେ ଏହି ବ୍ୟକ୍ତି । ଯାହାର ଶୁଣିବାକୁ କର୍ଣ୍ଣ ଅଛି, ସେ ଶୁଣୁ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

Monday, September 25, 2017

ସମର୍ଥ ଶକ୍ତି ବାହିନୀକୁ : ସତର୍କତାର ସହ

ଜ୍ୟୋତି ନନ୍ଦ


ଚିତ୍ର - ଦି ବର୍ଥ୍ ଅଫ୍ ଭିନସ୍
ଚିତ୍ରକର - ସାନ୍ଦ୍ରୋ ବୋତିଚେଲି (ଇତାଲି : ୧୪୫୫-୧୫୧୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଏହା ଆଦ୍ୟନ୍ତ ସଙ୍ଗୃହିତ । ଯଦିଓ ଏହା ଶକ୍ତି ବାସିନୀ ନିମନ୍ତେ ଉଦ୍ଦିଷ୍ଟ, ତଥାପି ଯେତେ ଯେତେ ଶିବ ବାହିନୀ ଯେଉଁଠି ଅଛନ୍ତି ସେମାନଙ୍କୁ ପଢିବାରେ କୌଣସି ନିଷେଧାଜ୍ଞା ନାହିଁ । ସେମାନଙ୍କର ବି ଏଇ କଥା ପଢ଼ିବା ଉଚିତ ।

ଏହା ନାରୀ ମାନଙ୍କର ସମ୍ପର୍କରେ ଏକ ସରଳ କୌତୁକ । ଏମିତିରେ ଆମର ଇଣ୍ଟରନେଟ୍ ସାରା ନାରୀବାଦୀ କୌତୁକ ଭର୍ତ୍ତି ହୋଇ ରହିଛି,  ଯାହା ପୁରୁଷ ମାନଙ୍କୁ ନେଇ ଲେଖା ହୋଇଥିବା କୌତୁକ ତୁଳନାରେ ଢେର୍ ଅଧିକ ।

ପରେ କେବେ କୌତୁକର ଲୈଙ୍ଗିକ ବିଷମତା ଉପରେ କିଛି ଲେଖିବାର ଇଚ୍ଛା ରହିଛି । ମୋ ପାଇଁ ସେଇ କଥା ଭାବିଲା ବେଳକୁ ଏବେ ଏକ ପ୍ରକାର ଉନ୍ମାଦନା ଆସୁଛି । ସେଇ ବିଷୟକୁ ନେଇ ଟିକିଏ ଅଧିକ ଭାବିବାକୁ ପଡିବ । ପଢିବାକୁ ପଡିବ ।

ଆମ କୌତୁକରେ ଯେଉଁ ଚରିତ୍ରମାନେ ଆସନ୍ତି, ସେମାନେ କଦାପି ସ୍ୱତଃସ୍ଫୃର୍ତ୍ତ ନୁହନ୍ତି, ତାହା ପଛରେ କୌଣସି ନା କୌଣସି ସମାଜତାତ୍ତ୍ୱିକ ଆଉ ମନସ୍ତାତ୍ତ୍ୱିକ କାରଣ ରହିଥାଏ ।

କୌତୁକର ସେହିଭଳି ବିଚାର ପରେ । ଏବେ ସରଳ କୌତୁକ ।

ଜଣକ ପାଇଁ ନିଜକୁ ନେଇ ହେଉଥିବା କୌତୁକକୁ ସହିବା ବହୁତ ବଡ ଉଦାରତାର ପରିଚୟ । ଆଉ ନାରୀମାନେ ତ ଚିରକାଳ ଉଦାର ।ତାହା ଛଡା ଆମର ଶ୍ରଦ୍ଧେୟା ଶକ୍ତିବାହିନୀ ମାନେ ସେମାନଙ୍କର ଅମିତ ଶକ୍ତିକୁ ଏଠାରେ ଅପଚୟ କରିବାକୁ ଆଦୌ ଉଚିତ ମଣିବେ ନାହିଁ ।

ଆଉ ଥରେ କହୁଛି ଏହା ସଙ୍ଗୃହିତ । ଏହା ନାରୀମାନଙ୍କ ଉଦ୍ଦେଶ୍ୟରେ ନିବେଦିତ ।

ହଁ କଥାଟି ହେଲା ପୁରୁଷମାନଙ୍କୁ ନେଇ । ଅସଲରେ ସେମାନଙ୍କ ତୃପ୍ତ କରିବା ନିହାତି କଠିନ । କାରଣ ପୁରୁଷମାନଙ୍କର ସମସ୍ୟା ହେଲା:
ତମେ ଯଦି ସେମାନଙ୍କ ସହ ଭଲ ବ୍ୟବହାର କର, ତାହା ହେଲେ ସେମାନେ ଭାବି ନିଅନ୍ତି ଯେ, ତମେ ତାଙ୍କର ପ୍ରେମରେ ପଡିଯାଇଛ ।ଆଉ ତମେ ଯଦି ସେମାନଙ୍କ ସହ ଭଲ ବ୍ୟବହାର ନ କର, ତାହା ହେଲେ ସେମାନେ ଧରି ନେବେ ଯେ, ତମେ ଖୁବ୍ ଅହଙ୍କାରୀ ।

ତମେ ଯଦି ସୁନ୍ଦର ପୋଷାକ ପିନ୍ଧ, ତେବେ ସେମାନଙ୍କର ଦୃଢ ବିଶ୍ଵାସ ଯେ, ତମେ ମେନକା ସାଜି ସେମାନଙ୍କର ବିଶ୍ୱାମିତ୍ରସୁଲଭ ତପଶ୍ଚର୍ଯ୍ୟାକୁ ଭଣ୍ଡୁର କରିବାକୁ ବସିଛ । ଆଉ ଯଦି ତମର ପୋଷାକ ସାଧାସିଧା, ସେମାନେ କହିବେ ତମେ କେଉଁ ଗାଆଁରୁ ଅବିକା କଟକ ସହରକୁ ଦେବୀଯାତ ଦେଖିବାକୁ ଆସିଛ ।

ତମେ ଯଦି ସେମାନଙ୍କ କଥା ଉପରେ ଯୁକ୍ତି କର, ତାହା ହେଲେ ସେମାନେ କହିବେ ତମକୁ ମୁଖରା, ଆଉ ଯଦି ତମେ ସେମାନଙ୍କ କଥା ଉପରେ ଉଁ କି ଚୁଁ ନ କର ତେବେ ତମର ମୁଣ୍ଡରେ ବ୍ରେନ୍ ନାମକ ବସ୍ତୁ ରୋପଣ କରିବାକୁ ବିଧାତା ପୁରୁଷ କେମିତି କେଜାଣି ଭୂଲି ଯାଇଛନ୍ତି ।

ଯଦି ତମେ ତାହାକୁ ଭଲ ନ ପାଅ, ତେବେ ସେ ତୁମକୁ ଅଧିକାର କରିବାକୁ ଚାହିଁଥାଏ । ଯଦି ତମେ ତାହାକୁ ଏକାନ୍ତ ଭଲ ପାଇ ବସ, ତେବେ ଦେଖିବ ସେ ବେଳେବେଳେ ବାଟଟିଏ ଖୋଜୁଛି ତମକୁ ଫାଙ୍କି ଦେବାକୁ ।

ଶେଯକୁ ନ ଗଲେ ତମେ ତାହାକୁ ଭଲପାଅ ନାହିଁ, ଗଲେ ଚରିତ୍ରଟି ଏକପ୍ରକାର "ଶସ୍ତା"।

ବ୍ୟବହାରରେ ତମେ ଯଦି ତାହାକୁ ଅମୁକ ସମୁକ ବିଷୟରେ ବାରଣ କର, ତେବେ ତମ ଭିତରେ ଅଧିକରୁ ଅଧିକ ଅବାଞ୍ଛିତ ମାଆପଣ ରହିଛି, ଆଉ ଯଦି ସେମିତି ନ କର ତାହାହେଲେ ତମେ ସ୍ୱାର୍ଥପର, ଟିକିଏ ବୋଲି ଖିଆଲ୍ ରଖୁନାହଁ କାହାର ।

ତମେ ଯଦି ପରୀକ୍ଷାରେ ଭଲ କର ତେବେ ତମର ଭାଗ୍ୟରେ ପଞ୍ଚମରେ ନିହାତି ବୃହସ୍ପତି, ବା ତମେ ଦେଖିବାକୁ ଖୁବ୍ ସୁନ୍ଦରୀ, ଆଉ ଯଦି ଭଲ ନ କଲ ତାହାଲେ ସେଇ ପୁରୁଣା କଥା, ନୋ ବ୍ରେନ୍ ।

ତମେ ଯଦି ତାହାକୁ କଷ୍ଟ ଦିଅ, ମାନେ ତାହାର ଅର୍ଥ ହେଉଛି ତମେ ଖୁବ୍ ନିଷ୍ଠୁର । ଆଉ ଆର ପଟେ ସେ ଯଦି ତମକୁ କଷ୍ଟ ଦେଉଥାଏ, ତେବେ ତମେମାନେ ଏକ "ସେନସିଟିଭ୍"ପ୍ରଜାତି । ତାହା ଛଡା ତମକୁ ସବୁବେଳେ ଧରିତ୍ରୀ ସଦୃଶ ସର୍ବସଂହା ହୋଇ ରହିବା ଉଚିତ୍ ।

ହଁ ଶେଷ କଥାଟି ହେଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ତମେ ଯଦି ଏଇ ଲେଖାଟିକୁ କୌଣସି ପୁରୁଷକୁ ପଢିବାକୁ ଦେବ ସେ ହସରେ ଏଇ କଥାଗୁଡିକୁ ମିଛ ବୋଲି ଉଡେଇ ଦେବ, ଆଉ ଯଦି ନଦେଲ, ତେବେ ସେ କହିବ ଯେ ତମେମାନେ ନିହାତି ଆତ୍ମକୈନ୍ଦ୍ରିକ । ଖାଲି ଅନ୍ୟର ସମାଲୋଚନାରେ ମାହିର୍ ।

Sunday, September 24, 2017

ଇତିହାସ ଓ ସ୍ମୃତି ମଧ୍ୟରେ : ରବୀନ୍ଦ୍ର ସ୍ୱାଇଁଙ୍କ କବିତା

ଅନୁବାଦ - ବିଶ୍ୱଜିତ ଆପଟ


କବି ରବୀନ୍ଦ୍ର ସ୍ୱାଇଁ
ଫଟୋ କ୍ରେଡ଼ିଟ - ରବିନ ଏସ୍. ଗଙ୍ଗମ୍

ଆମ ଦେଶରେ ଇଂରାଜୀରେ କାହାଣୀ ଓ ଉପନ୍ୟାସ ଲେଖୁଥିବା ଭାରତୀୟ ଲେଖକମାନେ ପ୍ରାୟତଃ ସମୀକ୍ଷକୀୟ ଓ ପାଠକୀୟ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୁଅନ୍ତି । ଏଭଳି ଅବସ୍ଥାର ଫଳ ସ୍ୱରୂପ ଇଂରାଜୀରେ କବିତା ଲେଖୁଥିବା ଭାରତୀୟ ଲେଖକମାନେ ଅପେକ୍ଷାକୃତ ଭାବେ ଅଣଦେଖା ହୋଇ ରହିଯାଇଛନ୍ତି । ଦଳେ ସାହିତ୍ୟିକଙ୍କୁ ଆଉ ଦଳଙ୍କ ସହ ଯୁଝାଇବା ପାଇଁ ଏ କଥା କହୁନାହିଁ ; ଅନେକ ସମୟରେ ସେଇ ଜଣେ ସାହିତ୍ୟିକଙ୍କର ହିଁ ଗଳ୍ପ ଉପନ୍ୟାସକୁ ନେଇ ପାଠକ ତଥା ପଣ୍ଡିତ ମହଲରେ ଉତ୍ସବ ଲାଗୁଥିଲା ବେଳେ ତାଙ୍କର କାବ୍ୟିକ ରଚନା ଉପେକ୍ଷିତ ହେଉଥାଏ । ଉଦାହରଣ ସ୍ୱରୂପ, ସମ୍ପୂର୍ଣ୍ଣ ଚାଟାର୍ଜୀ ଓ ଅଞ୍ଜୁମ ହାସନଙ୍କ ଭଳି ସାହିତ୍ୟିକ ସେମାନଙ୍କର ପ୍ରଥମ ଉପନ୍ୟାସ ପ୍ରକାଶନ ପରେ ହିଁ ଲୋକଲୋଚନକୁ ଆସିଛନ୍ତି ( ଯଦି ନୈଷ୍ଠିକ କବିତାପ୍ରେମୀଙ୍କୁ ବାଦ ଦିଆଯାଏ ତାହାହେଲେ)

ଭାରତୀୟ ଇଂରାଜୀ କବିତା ତ ସାଧାରଣତଃ ଉପେକ୍ଷିତ, କିନ୍ତୁ ଭାରତର ଉତ୍ତର-ପୂର୍ବ ଭାଗରୁ ତଥା ଓଡିଶା ପରି ଅଞ୍ଚଳରୁ ଆସୁଥିବା କବିମାନେ ବିବିଧ ଐତିହାସିକ ଓ ସମାଜତାତ୍ତ୍ୱିକ କାରଣ ଯୋଗୁଁ ସାଧାରଣତଃ ପାଠକୀୟ ଧ୍ୟାନ ପାଇବାରୁ ବଞ୍ଚିତ ହୁଅନ୍ତି । ଏମିତି ଜଣେ କବି ହେଉଛନ୍ତି ରବୀନ୍ଦ୍ର କୁମାର ସ୍ୱାଇଁ, ଯାହାଙ୍କର କବିତାର ଉଚିତ ଚର୍ଚ୍ଚା ହୋଇପାରି ନାହିଁ । ତାଙ୍କ କବିତାର ଚର୍ଚ୍ଚା କେବଳ ଆଞ୍ଚଳିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଙ୍କ ପରି କବିଙ୍କର କବିତାର ଚର୍ଚ୍ଚା ଭାରତୀୟ ଇଂରାଜୀ କବିତା ଓ ଏହାର ସମୀକ୍ଷା ସାହିତ୍ୟକୁ ଋଦ୍ଧିମନ୍ତ କରିବାର ସମ୍ଭାବନା ରଖେ ।

ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ସବୁଠାରୁ ବେଶୀ ମର୍ମଭେଦୀ ଦିଗଟି ହେଉଛି ନିଜର ସାମାଜିକ ଓ ସାଂସ୍କୃତିକ ପରିବେଶକୁ ନେଇ ତାଙ୍କର ସହଜ ସରଳ ଦୃଷ୍ଟିଭଙ୍ଗୀ । ଏ ଜଗତଟି ଯେ ଉପାନ୍ତିକ, ତାହାକୁ ନେଇ ସେ କେବେ ଗମ୍ଭୀର ନୁହଁନ୍ତି । ଏଣୁ ତାଙ୍କର କବିତାରେ ତାଙ୍କ ଦୁନିଆ ଏକ ସ୍ୱଚ୍ଛନ୍ଦ ସ୍ୱପ୍ନ ପରି ଦୃଢ ପାହୁଣ୍ଡ ପକାଇ ଉତୁରି ଆସେ । ଯେମିତିକି ତାଙ୍କର ‘ଦ ପ୍ଲାଇଟ୍ ଅଫ୍ ଗଡସ୍’ କବିତାରେ ଆମେ ‘ଭକ୍ତି’ ର ଏକ ମଧୁର ଶ୍ଲେଷାତ୍ମକ ବର୍ଣ୍ଣନା ପାଉ ।

କାରଣ, ଯେତିକି ବା ଜଣା ଅଛି
ଜଣେ ନିଜ ଆଖି ଦୁଇଟିରୁ ଗୋଟିଏ
ତାଡି ଯାଚି ଦେଇଥିଲେ,
ଗୋଟିଏ ପଦ୍ମ ଅଭାବ ହେବାରୁ,
ପୂଜା ପାଇଁ ଲୋଡାଥିବା
ଶହେ ଆଠ ପଦୁଅଁ ଭିତରୁ । 

(ସ୍ୱାଇଁ ୨୦୦୮: ୧୨)




ଏ ପରିପ୍ରେକ୍ଷୀରେ ନହେଲେ ‘ସେଭିଅର୍ଡ଼୍ କର୍ଡ଼୍’ ଶୀର୍ଷକ କବିତାର ଏହି ଅଂଶ ପଢନ୍ତୁ, ଯେଉଁଥିରେ ପୁରୀରୁ ଫେରୁଥିବା ଜଣେ ତୀର୍ଥଯାତ୍ରୀଙ୍କର ଅନୁଭବ ବର୍ଣ୍ଣନା କରାଯାଇଛି ।

ଘରେ ପହଞ୍ଚି,
ତୁମେ ମୁହଁପୋତି ଜଣାଅ,
ଭଗବାନ ପୁରୀରେ ଦିଶିଲେ ନାହିଁ,
ବରଂ, ଦିଶିଲା
କଖାରୁ ଲଟାରେ ଘୋଡି ହୋଇଥିବା
ଛପର ଓ ଛାତ,
ଆଉ ଏକର ଏକର
ପଡିଆ ପଡିଥିବା ଜମି । 

(ସ୍ୱାଇଁ ୨୦୦୨: ୧୯)

କାବ୍ୟିକ ପଦ ସବୁ ଯୋଡି କୌଣସି ବିଚିତ୍ର ଦେଶୀପଣ ସୃଷ୍ଟି କରିବାର ଅପଚେଷ୍ଟା ନାହିଁ । କିନ୍ତୁ କବିତାରେ କୌଣସି ନିର୍ଦ୍ଦିଷ୍ଟ ଦେଶୀୟ, ସାଂସ୍କୃତିକ ଅନୁଭବ ଉପୁଜାଉଥିବା ଯାହା କିଛି ଫରକସବୁ ରହିଛି, ସେହି ସବୁଥିରୁ ମଧ୍ୟ କବି ଦୂରେଇ ଯିବାକୁ ଅଭିଳାଷୀ ନୁହଁନ୍ତି । ବୋଧହୁଏ ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିପଣର ଏହା ହିଁ ସବୁଠାରୁ ଆକର୍ଷକ ଆଙ୍ଗିକ ।

ଏ ଦୁଇଟି ବହିରେ ସ୍ଥାନିତ କବିତାଗୁଡିକର ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ହେଲା କବିତାଗୁଡିକ ସମୟ, ସ୍ମୃତି ଓ ଇତିହାସ ମନସ୍କ । ଭାରତରେ ଇତିହାସକୁ ନେଇ ଯେଉଁ ବିଚାର-ବିମର୍ଶ ରହିଛି ତାହା ସବୁବେଳେ ହିଁ ‘ବର୍ଣ୍ଣନା’ ବନାମ ‘ତତ୍ତ୍ୱ’ର ଢାଞ୍ଚା ନେଇଛି । ଶ୍ରୀଯୁକ୍ତ ସ୍ୱାଇଁ ନିଜ କବିତାରେ ଆମର ଅତୀତକୁ ବୁଝିବାର ପ୍ରକ୍ରିୟାକୁ ‘ଇତିହାସ’ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି ଓ ଆମର ସମସାମୟିକତାକୁ ଆମର ସାମୂହିକ ଅତୀତର ଏକ ସାକ୍ଷୀ ରୂପେ ବ୍ୟବହାର କରିଛନ୍ତି । ‘ଆନ୍ ଏମୋର୍ଫସ୍ ଟାଇମ୍’ ଶୀର୍ଷକର କବିତାର ନିମ୍ନଲିଖିତ କେତୋଟି ଧାଡିକୁ ବିଚାରକୁ ନିଅନ୍ତୁ :

ଆସନ୍ତା କାଲି ହୁଏତ
ଆଉ ଏକ ପିଲା ଲମ୍ଫ ଦେଇପାରେ
ତା’ ବାପା ତୋଳିଥିବା ଦେଉଳ ଉପରୁ ;
ଘୁଞ୍ଚି ଚାଲିଥିବା ସମୁଦ୍ରକୁ ଓ
ତା’ ମୃତ୍ୟୁର କୋଳକୁ ।

ପ୍ରମାଣ କରିବା ପାଇଁ,
ତା’ ବାପା ଯାହାକିଛି କରିଗଲେ
ବୃଥା ନଥିଲା ।

କିଛି ନହେଲେ ବି ଏହା ଟାଣି ନେଲା ତାକୁ
ବାପାଙ୍କ ପାଖକୁ
ନିଜ ଆଖିରେ ଦେଖିବା ପାଇଁ
ଏକ ବାଳକର ଉଚ୍ଚତାରୁ
କୀର୍ତ୍ତିର ତେଜ,
ମୂଲ୍ୟ ଆଦର୍ଶ ବୋଲି ଓ ବର୍ତ୍ତମାନ ବୋଲି
ଉତ୍ତରାଧିକାରରେ ପାଇଥିବା
ଜିନିଷ ସବୁ ଗହଣରେ କଳଙ୍କର ଆଭାସ
ଓ ବଞ୍ଚିବାକୁ
ଯାହା ଯେମିତି ମିଳିଥିବା ଜୀବନ ତା’ର
ଆଉ ଶେଷରେ
ସନ୍ତୋଷରେ ତେଜିବାକୁ ଜୀବନ
ବାପାଙ୍କର ଉପଯୁକ୍ତ ଦାୟାଦଟିଏ ହୋଇ । 

(ସ୍ୱାଇଁ ୨୦୦୨: ୪୯)

ଏହି ଧାଡିଟିମାନ ବାଳକ ଧର୍ମପଦର ବଳିଦାନର କଥା କୁହନ୍ତି, ଯିଏ କୋଣାର୍କରେ ସୂର୍ଯ୍ୟ ମନ୍ଦିର ଗଢ଼ିଥିବା ତା’ର ବାପା ଓ ଅନ୍ୟ ଶିଳ୍ପୀଙ୍କ ପ୍ରାଣ ରକ୍ଷା ପାଇଁ ବଙ୍ଗୋପ ସାଗରକୁ ଡେଇଁ ପଡିଥିଲା । ଆମ ଆଲୋଚନାର ସନ୍ଦର୍ଭରେ କଥା ହେଲା, ଏ ଧାଡିଗୁଡିକ ସମସାମୟିକ ଘଟଣାବଳୀର ସାକ୍ଷ୍ୟ ବହନ କରୁଥିବା ଏକ କବିତାର ଶେଷ ଅଂଶ । 



ତାଙ୍କ କବିତା ଦୈନନ୍ଦିନ ଓ ବ୍ୟକ୍ତିଗତ କଥାଗୁଡିକର ବର୍ଣ୍ଣନ କରେ । ବର୍ଣ୍ଣନାକାର (ଯିଏ କି ଅନେକ ସମୟରେ କବି ନିଜେ ହିଁସେତେବେଳେ ସଫଳ ହୁଅନ୍ତି, ଯେତେବେଳେ ସେ ସାଜନ୍ତି ପୀଢିମାନଙ୍କ ପାଇଁ ସେତୁ । ସେ ନିର୍ମାଣ କରନ୍ତି ଏପରି ଏକ ଉପସ୍ଥିତି, ଯେଉଁଥିରେ ଅତୀତ ଓ ଭବିଷ୍ୟତ ଏକାଠି ହୁଅନ୍ତି । ନିମ୍ନରେ ଦିଆଯାଇଥିବା ଉଦ୍ଧୃତିଗୁଡିକ ପଢ଼ାଯାଉ ।

ଭସେଇବା ପାଇଁ ପୁଅମାନଙ୍କର କାଗଜ ନାଆ
ବର୍ଷା ପାଣିକ କାଦୁଆ ସୁଅରେ
ଗାଁ ରାସ୍ତାରେ
ବାପାମାନେ ସଦାକାଳେ ଗରିବ ହୋଇ ରହିଥିବେ । 

(ସ୍ୱାଇଁ ୨୦୦୨: ‘ସନସ୍ ଆଣ୍ଡ୍ ଫାଦର୍ସ୍’, ୧୬)

ବାପା, ଦୁଇ ବର୍ଷ ବିତିଲାଣି
ତୁମେ ଗଲା ଦିନୁଁ,
ଆଉ ମୋ ରାତିଗୁଡା ଏବେବି
ତୁମ ଉଜ୍ଜ୍ୱଳ ମୁହଁରେ ଆଲୋକିତ ।
ମୁଁ ଏବେ ଯାଏଁ ପଚାରି ନାହିଁ ନିଜକୁ
ଏଇଟା ମୋ ଅପରାଧର ଜୁଳୁଜୁଳିଆ ପୋକ ନା
ତୁମ ସ୍ନେହର ବତୀଘର ।
ମୋ ଝିଅ ଭଲଭାବେ ଜାଣେ ତୁମକୁ,
ହେଲେ ମନେପକାଇ ପାରେନା ତୁମ ମୁହଁ ।

ତା’ ଦ୍ୱନ୍ଦ ମୋ’ଠାରେ ନାହିଁ ନିଶ୍ଚୟ,
ହେଲେ ତା’ ପ୍ରଶ୍ନ,
ତୁମେ ତାଙ୍କଠାରୁ କ’ଣ ଶିଖିଥିଲ?’
ମୋ ପାଇଁ ଏକ ଦର୍ପଣ
ମୁହଁର ଏତେ ପାଖରେ ଯେ
କିଛି ଦିଶୁ ନାହିଁ । 

(ସ୍ୱାଇଁ ୨୦୦୮ : ‘ମିରର୍ ଠୁ କ୍ଲୋଜ ଟୁ ଦ ଫେସ୍’, ୧୭)

ଶ୍ରୀଯୁକ୍ତ ସ୍ୱାଇଁଙ୍କର କବିତାବଳୀ ପ୍ରକୃତ ପକ୍ଷେ କବିତା ଲିଖନର ପ୍ରକ୍ରିୟାକୁ ନେଇ ବିଶେଷ ଭାବରେ ମନନଶୀଳ । ଏହାର ମାନେ ନୁହେଁ ଯେ ଏ ବହି ଦ୍ୱୟରେ ଥିବା କବିତାଗୁଡିକ କେବଳ କବିତା ଲିଖନ କଳା ଉପରେ ଧ୍ୟାନରତ । କବିତା ଲେଖିବା ଓ ପଢିବାର ଅନୁଭବକୁ ଆମ ଜୀବନର ବିଭିନ୍ନ ଦିଗକୁ ବୁଝିବାର ଏକ ମାଧ୍ୟମ ରୂପେ ବ୍ୟବହାର କରାଯାଇଛି । ପାଠକଙ୍କର ବିଚାର ପାଇଁ କେତୋଟି ଧାଡି ଦିଆଗଲା :

ସେମାନେ ନିଦରେ ଚିରୁଥିବେ ରାତିକୁ
ସତେକି ଏହା
ସେମାନଙ୍କୁ ଭଲ ନ ଲାଗୁଥିବା ଏକ କବିତା । 

(ସ୍ୱାଇଁ ୨୦୦୮: ‘ଅଲ୍ ଦ କ୍ରେଭିଙ୍ଗସ୍’, ୨୫)

ତୁମକୁ ନ ଡାକି ଚାଲିଆସନ୍ତି ସେମାନେ:
ଗଛରେ ଫୁଲମାନେ,
ବାକ୍ୟ ମଝିରେ ବିରାମ,
ଆଉ ବେଳେ ବେଳେ
ଲମ୍ବା ଲମ୍ବା ଅପ୍ରାସଙ୍ଗିକ ବାକ୍ୟମାନେ
ଓ ଏକ ଅବୁଝା ସ୍ତ୍ରୀ । 

(ସ୍ୱାଇଁ ୨୦୦୨: ‘ଦ ୱାଟର କୋର୍ସ’, ୨୪)

କେବେ ଦିନେ ଜଣକୁ ଘୋଷଣା କରିବାକୁ ହେବ
ସେ ଗୋଟେ ଅନାଥ କବିତାର ଏକାକୀ ପିତା । 

(ସ୍ୱାଇଁ ୨୦୦୨: ‘ୱାନ୍ ଡେ’, ୫୨)


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏହି ଉଦ୍ଧୃତାଂଶଗୁଡିକ ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ଅନ୍ୟ ଏକ ବିଶେଷ ଦିଗ ପ୍ରତି ଆଲୋକପାତ କରନ୍ତି । ସେଇଟି ହେଲା ଏପରି ଧାଡିମାନ ରଚିବାର ତାଙ୍କ କୌଶଳ ଯେଉଁ ଧାଡିଗୁଡିକ ‘ସୁସୁରସ୍ ଇନ୍ ଦ ସ୍କଲ୍’ ବା ମସ୍ତିଷ୍କର ରନ୍ଧ୍ରରେ ପ୍ରବେଶ କରିଯାଆନ୍ତି ଓ ମୁଣ୍ଡ ଭିତରେ ବସା ବାନ୍ଧନ୍ତି । ଏଠାରେ କିଛି ଉଦାହରଣ ଦେବା - 

ଅନ୍ଧକାରରେ ହିଁ ଖୋଜିହୁଏ,
ନିିଜ ପରି ଆଲୋକଟିକୁ ; 
ଯେପରି ଥାଏ,
ଅଜନ୍ମା ଭୃଣଟିଏର ଗର୍ଭରେ ।

(ସ୍ୱାଇଁ ୨୦୦୨: 'ଗ୍ରେସ୍ ଅଫ୍ ଡାର୍କନ୍ସ୍', ୧୫)

.... ଯେମିତି ତୁମେ ମୋତେ ଚାହିଁଲ
ମନେ ହେଲା ମୁଁ ହେଉଛି ବାସ୍ତବତା
ଓ ତୁମ ଚାହାଣୀ ଏହାକୁ ଦେଖିବାର
ଅନ୍ୟତମ ବାଟ । 

(ସ୍ୱାଇଁ ୨୦୦୮: ‘ମାଇ ୱେଡିଙ୍ଗ୍ ନାଇଟ୍’, ୪୭)

ଇନ୍ଦ୍ରଧନୁଗୁଡା ପିଲାଙ୍କ ପ୍ରାର୍ଥନା ଅଟନ୍ତି...
ପିଲାମାନେ ଯଦି କେବେ କାହା ପକ୍ଷରେ
ତେବେ ସେମାନେ ଦେବତାଙ୍କ ପକ୍ଷଭୁକ୍ତ
କାରଣ ଦେବଗଣ ସଦାକାଳେ ବାଳୁତ । 

(ସ୍ୱାଇଁ ୨୦୦୮ : ‘ଚିଲଡ୍ରେନ୍ସ ସିକ୍ରେଟସ୍’, ୬୬)

ମାତ୍ର କଦବାକ୍ୱଚିତ ପଦ ରଚନା ଉପରେ କବିଙ୍କର ନିୟନ୍ତ୍ରଣ ଟିକେ ଢିଲା ମନେ ହୁଏ । ଯେତେବେଳେ ଶ୍ରୀଯୁକ୍ତ ସ୍ୱାଇଁ ସମସାମୟିକ ଘଟଣା ଉପରେ ସିଧା କିଛି କହୁଛନ୍ତି (ଯେପରିକି ୧୯୯୯ ଅକ୍ଟୋବରରେ ଓଡିଶା ଉପକୂଳକୁ ମାଡିଆସିଥିବା ମହାବାତ୍ୟା ବିଷୟରେ) କବିତାଗୁଡିକ ପଥହରା ହୋଇଯାଆନ୍ତି ଓ ଏଣେତେଣେ ଧାଆନ୍ତି । କିନ୍ତୁ ସେମିତି କବିତାଗୁଡ଼ିକର ସଙ୍ଖ୍ୟା କମ । ମୋଟାମୋଟି ଭାବରେ କହିବାକୁ ଗଲେ କବିଙ୍କର କବିତାଗୁଡିକ ଖୁବ ନିଟୋଳ ଭାବରେ ଭାବରେ ଆମର ସାମ୍ପ୍ରତିକ ଅନୁଭବର କଥା କୁହନ୍ତି । 

ଗ୍ରନ୍ଥ ସୂଚୀ


ରବୀନ୍ଦ୍ର କୁମାର ସ୍ୱାଇଁ
ଶୁଷାରଶ୍ ଇନ୍ ଦ ସ୍କଲ୍
ନୂଆ ଦିଲ୍ଲୀଅଥର୍ସପ୍ରେସ୨୦୦୮ପୃଷ୍ଠା୬୮ମୂଲ୍ୟ୧୦୦ ଟଙ୍କା

ରବୀନ୍ଦ୍ର କୁମାର ସ୍ୱାଇଁ
ସେଭର୍ଡ କର୍ଡ
ନୂଆ ଦିଲ୍ଲୀଇଣ୍ଡିଆଲଗ୍ ପବ୍ଲିକେଶନସ୍ ପ୍ରାଲି., ୨୦୦୨ପୃଷ୍ଠା୭୦ମୂଲ୍ୟ୧୨୦ ଟଙ୍କା


ବିଶେଷ ଦ୍ରଷ୍ଟବ୍ୟ 


ଏହି ଲେଖାଟି ପ୍ରଥମେ 'ବିଟୁଇନ୍ ହିଷ୍ଟ୍ରୀ ଆଣ୍ଡ୍ ମେମୋରି' ଶୀର୍ଷକରେ ଇଂରାଜୀ ଭାଷାରେ ମ୍ୟୁଜ ଇଣ୍ଡିଆ ୱେବସାଇଟରେ ଛପାଯାଇଥିଲା । ଏହା ପରେ ଏହାର ଓଡ଼ିଆ ଅନୁବାଦ ଦୈନିକ ସଞ୍ଚାର ଖବର କାଗଜର ସାହିତ୍ୟ ପୃଷ୍ଠାରେ ସ୍ଥାନ ପାଇଥିଲା । ଏଥିପାଇଁ ଆମେ ଉଭୟ ସମ୍ପାଦକଙ୍କ ପାଖରେ କୃତଜ୍ଞ ।