Sunday, August 20, 2017

ବିରି ଜାଉ


ବିରି ଜାଇ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)


ସାମଗ୍ରୀ


୨୦୦ ଗ୍ରାମ  ବିରି, ଅଧ ଲିଟର ଖିର, ୧୫୦ ଗ୍ରାମ ଗୁଡ଼, ସ୍ୱାଦ ଅନୁସାରେ ଲୁଣ ।

ପ୍ରଣାଳୀ


ଚୋପା ଛଡ଼ା ବିରିକୁ କରେଇରେ ଧୀମା ଆଞ୍ଚରେ ଭାଜନ୍ତୁ । ବେଶୀ କଡ଼ା କରି ଭାଜିବେ ନାହିଁ । ଏହି ଭଜା ବିରି ଡ଼ାଲିକୁ ଗୁଣ୍ଡ କରନ୍ତୁ । ଡେକଚିରେ ଗୋଟିଏ ଗିଲାସ ପାଣି ପକାଇ ଗରମ କରନ୍ତୁ । ସେଥିରେ ଲୁଣ ଓ ଗୁଡ଼ ପକାନ୍ତୁ ପକାନ୍ତୁ । ବିରି ଚୁନାକୁ ଗିନାରେ ରଖି ସେଥିରେ ଅଳପ ଅଳପ ପାଣି ପକାଇ ଚକୁଳି ଆଣ ଭଳି କରନ୍ତୁ । ଫୁଟୁଥିବା ପାଣିରେ ବିରି ଆଣକୁ ଧିରେଧିରେ ପକାଇ ୮-୧୦ ମିନିଟ ପୁଟାନ୍ତୁ । ଖିରକୁ ଏହି ମିଶ୍ରଣରେ ପକାଇ ଦିଅନ୍ତୁ । ଖିର ବିରି ଜନ୍ତାଳ ସହ ଭଲ କରି ମିଶିଯାଇସାରିବାର ପାଞ୍ଚ ମିନିଟ ପରେ ଓହ୍ଲାଇ ଗରମଗରମ ଖାଆନ୍ତୁ । 

ପର୍ବତରେ ଧର୍ମୋପଦେଶ - ୨୧

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ୟେଲ ଠାରେ ଥିବା ଗୁଟେନବର୍ଗ ବାଇବେଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୁଣି ଯେ କେହି ତୁମ୍ଭମାନଙ୍କୁ ଆତିଥ୍ୟ ନ କରେ ଓ ତୁମ୍ଭମାନଙ୍କ କଥା ନ ଶୁଣେ, ସେହି ଘରରୁ କିଅବା ସେହି ନଗରରୁ ଚାଲିଯିବାବେଳେ ଆପଣାମାନଙ୍କର ପାଦଧୂଳି ଝାଡ଼ି ପକାଅ । ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ବରଂ ସିଦୋମ ଓ ଅମୋରା ଦେଶର ଦଶା ସହନୀୟ ହେବ ।  

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, August 19, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୪

ନୁବାଦକ - ଫକୀର ମୋହନ ସେନାପତି



ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ (ପଞ୍ଜାବୀ ହିଲ୍ସର ବିଳାସପୁର, ୧୭୪୦)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏହା ମଧ୍ୟ ବୋଲୁଥାନ୍ତି, ଅଜ୍ଞାନୀ ସକଳ । ସାଙ୍ଖ୍ୟ ଯୋଗ ଉଭୟର ଭିନ୍ନ ଭିନ୍ ଫଳ ।।
ଯେ କରେ ସନ୍ନ୍ୟାସ ଯୋଗ ଦୁଇ ଅନୁଷ୍ଠାନ । ଭିନ୍ନ ଭିନ୍ନ ରୂପେ ଫଳ ପାଏ ସେହି ଜନ ।୪।

ସାଙ୍ଖ୍ୟ ୟୋଗୌ ପୃଥଗ୍-ବାଳାଃ ପ୍ରବଦନ୍ତି ନା ପଣ୍ଡିତାଃ ।
ଏକମପ୍ୟାସ୍ମିତଃ ସମ୍ୟଗୁଭୟୋର୍ବିନ୍ଦତେ ଫନ୍ଦମ୍ ।୪।

Friday, August 18, 2017

ମହିମା ଭକ୍ତି କବିତା - 'ଭଜ ଅଲେଖ ରୂପକୁ' 


ଭକ୍ତ କବି ଭୀମ ଭୋଇ


ଆକାଶ ଗଙ୍ଗାର ଚିତ୍ର : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭଜ ଅଲେଖ ରୂପକୁ ।
ଶୂନ୍ୟବ୍ରହ୍ମେ ଚିତ୍ତ ଦେଇ ଭଜ ଅରୂପ ରୂପକୁ । ଘୋଷା ।

ଅଲେଖ ରୂପକୁ ସେହି
ନିରନ୍ତରେ ଭାବୁଥାଇ
ତା ପାଦେ ଶରଣ ମୋର ଧ୍ୟାୟି ଅରୂପାନନ୍ଦଙ୍କୁ ।୧।

ଚାରିଯୁଗେ ଚାରିବେଦେ
ନ ସେବିଲେ ସ୍ୱାମୀପାଦେ
ଛପ୍ନାକୋଟି ଜନ୍ତୁଜୀବ ଚିହ୍ନି ନ ପାରିଲେ ଯା’କୁ ।୨।

ଚାରି କର୍ମ ଚାରି ଧର୍ମ
ନ ପାଇଲେ ବ୍ରହ୍ମଜ୍ଞାନ
ଛଡଋତୁ ଦିବା ନିଶି ଅନ୍ତ ନ ପାଇଲେ ଯା’କୁ ।୩।

ସିଦ୍ଧାନ୍ତୀ ଯୋଗାନ୍ତୀ ଯୋଗୀ
ବେଦାନ୍ତୀ ନାଗାନ୍ତୀ ଭୋଗୀ
କୋଟି କୋଟି ତପ କରି ଦେଖି ନ ପାରିଲେ ଯା’କୁ ।୪।

ନବ ଲକ୍ଷ ତାରାଗଣ
ଗମି ନ ପାଇଲେ ଜ୍ଞାନ
ଚନ୍ଦ୍ର ସୂର୍ଯ୍ୟ ଚାରି ଦିଗ ନ ପାଇ ଆଦ୍ୟ ମଧ୍ୟକୁ ।୫।

ତେତିଶ କୋଟି ଦେବଗଣ
ଯୋଗୀ ଋଷି ରୁଦ୍ର ଜାଣ
ରାମକୃଷ୍ଣ ବଳଦେବ ନ ଚିହ୍ନି ସ୍ୱାମୀ ପାଦକୁ ।୬।

ଭଣିଲେ ଯେ ଭୀମକନ୍ଧ
ଅରୂପ ପୟର ବିନ୍ଦ
ଧ୍ୟାୟି ଅଛି ହୃଦଗତେ ଅଲେଖ ବ୍ରହ୍ମପାଦକୁ ।୭।

ବୈଷ୍ଣବ ପଦାବଳୀ - 'ବାସକସଜ୍ଜା ଶ୍ରୀରାଧା'

(ରାଗ - କୋମାଦୀ)


କବି - ଗୁଣମଣି ସୁତ


 
ବଙ୍ଗଳାରେ ନିର୍ମିତ ଷୋଡ଼ଶ ଶତାବ୍ଦୀର ରାଧା ମୂର୍ତ୍ତି
ୱାଲ୍ଟର୍ସ ଆର୍ଟ ମ୍ୟୁଜିଅମର ସଙ୍ଗ୍ରହ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶ୍ୟାମମଣି ଆସିବେ ମୋହର ରେ ମଣ୍ଡିଥିବି କେଳିପୁର
ଘଷିଥିବି ପରା ଘନସାର ଅଙ୍ଗେ
କେଶ କରି ଫୁଲ ଭର ରେ । (ଘୋଷା)

ଏଥୁ କି ଆଉ ମୋ ଲାଭ ରେ ସଜନୀ,
ସେ ଯେବେ ହେବେ ସୁଲଭ,
ସବୁ ଅଳଙ୍କାର ମଣ୍ଡନ୍ତି ସିନା ମୋ
ଦେହରେ ପ୍ରାଣବଲ୍ଲଭ ।୧।

ଅତର ପନୀର ସିଞ୍ଚି ରେ ସଜନୀ
ସେବତୀ ପାଖୁଡ଼ା ବିଞ୍ଚି,
ସଜାଡ଼ି ପଲଙ୍କ ଅଙ୍କେ ବସିଥିବି
ପ୍ରିୟ ପାଇଁ ଅଧେ ମୁଞ୍ଚି ।୨।

ରତନ ଦୀପ ଉଜ୍ଜ୍ୱଳ ରେ ସଜନୀ
ଦେଖି ମୁଖ ଚୁମ୍ବି ଭୋଳେ,
ଦନ୍ତେ କ୍ଷୀନ କରି ବିଡ଼ିଆ ଅଧିକ
ଭୁଞ୍ଜାଇବି ଧରି କୋଳେ ।୩।

ମୋ ନ ଆସିବାରୁ ଶେଯେ ରେ ସଜନୀ,
ନ ବସୁ ଆସି ମୋ ଶେଯେ,
ନୟନ ବେନି ବେନି କରେ ବୁଜନ୍ତେ
ବୋଲି କି ବୋଲିବି ଲାଜେ ।୪।

ଗୁଣମଣି-ସୁତ କହିଲେ ସଜନୀ,
ମନୋରଥ ମୋର ଏହି,
ଦମ୍ପତି ରସରେ ମାତି ନ ଜାଣିଲି
ରଜନୀ ଯିବାର ପାହି ।୫।

ଶବ୍ଦାର୍ଥ


ମଣ୍ଡନ୍ତି - ପିନ୍ଧନ୍ତି ବା ଖଞ୍ଜନ୍ତି
ଘନସାର - କର୍ପୁର ବା ଚନ୍ଦନ
ପନୀର - ଭୂମିରେ ସିଞ୍ଚାଯିବା ସୁବାସିତ ଜଳ
 ମୁଞ୍ଚି - ସଞ୍ଚି
କ୍ଷୀନ  - ଦନ୍ତ ଚିହ୍ନ କରି
ରସରେ - ଆନନ୍ଦରେ 

Thursday, August 17, 2017

ନଗରୀ ନାରୀ 

ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୫)


ସରଳା ଠକ୍ରାଲ (୧୯୧୪-୨୦୦୮) - ଭାରତର ପ୍ରଥମ ମହିଳା ବିମାନଚାରୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଦୁଇଟି ଚପଳ ଆଖି ତହିଁ ଚଷମା ଏକ,
ଗୋଟିଏ ଅଧର ଜବା ତଳେ ମୁକୁଳା ବେକ ।

ଦୁଇଟି ଚରଣ ଖାଲି - ବହେ ରଙ୍ଗିନୀ ଚଟୀ,
ଖଣ୍ଡିଏ ମୁକୁର ସମ ଛୋଟ ଝରଣା ଶାଟୀ ।

ଦୁଇଟି ମୃଣାଳ ବାହୁ ଅଧା ବସନହୀନ,
ଏକଇ ରେଶମୀ ବେଣୀ ହରେ ବାଟୋଇ ମନ ।

ଏସବୁ ମିଶିଲେ ହେବ ଏକ ନଗରୀ ନାରୀ,
ପୀରତି ଆକୁଳ-ସିନ୍ଧୁ ହେବ ସହଜେ ପାରି ।

ଓଡ଼ିଆ ଢ଼ମାଳି - ୩


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର



୧୭୮୯ ମସିହାରେ ଯମୁନାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନା ପତରକୁ ବନା ପତର
ମୂଲ ଲାଗୁଥିଲା ପର କ୍ଷେତର
ପିଠି ଖାଉଥିଲା ଖରା,
ଅଣ୍ଟୁ ତ ନଥିଲା କୁଣ୍ଡା ଚକୁଳି
ରୁଚୁନାହିଁ ଛେନା ବରା ।

ଅନ୍ଧ ଦେଶକୁ ଗଲି ଦର୍ପଣ ବିକି
କନ୍ଧ ହସ୍ତରେ ଦେଲି ଗୋଦାନ ଟେକି
ଜଡ଼଼ା ମଧୁରେ ଖଡ଼ା କଲି ରନ୍ଧନ
କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ
ହେ ରାଜା କି କଲ
ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ।

ଚାରି ସଖୀ ଗଲେ ଯମୁନା
ଆଣ୍ଠୁକ ପାଣିରେ ଘଟ ନ ବୁଡ଼ିଲା
ବସି କରୁଥାନ୍ତି ଭାବନା ।