Monday, June 19, 2017

ଚିଲିକାର ବିଭବ - ୧


ଡାକ୍ତର ରାଧାଚରଣ ପଣ୍ଡା


ଚିଲିକାର ମୁହାଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚିତ୍ରୋତ୍ତଳକ - ରଭୀଶ ବ୍ୟାସ

"କର୍ପୂର ଉଡ଼ିଯାଇ କନା ପଡ଼ିଛି" ବୋଲି ସମସ୍ତେ କହନ୍ତି---, କିନ୍ତୁ ସେଇ କନାରେ ଯେ କର୍ପୁରର ଗନ୍ଧ ରହିଛି, ଏକଥା ଜାଣିବାକୁ କେଇହେଲେ ଇଚ୍ଛା କରନ୍ତି ନାଇଁ--- ଏହାହିଁ ଚିନ୍ତାର ବିଷୟ !

କର୍ପୁର ଉଡ଼ିଯାଉ--- କନା ଯେତେବେଳେ ଆମହାତରେ ରହିଛି---ଚାଲ--- ପୁଣି ନୂଆ କର୍ପୂର ଆଣି ତହିଁରେ ବାନ୍ଧିବା--- ଜଣେତ କେଇ ଏପରି କର୍ପୂର ବାନ୍ଧିଥିଲା--- ଆମେ କିଆଁ ସେପରି ନବାନ୍ଧିବା ? ଏପରି ମନୋଭାବ ଆମର କାଇଁ ? 

ଆମ ଓଡ଼ିଶାର ସବୁ 'ବଡ଼' - ବଡ଼ ଠାକୂର, ବଡ଼ନଦୀ, ବଡ଼ଦାଣ୍ଡ, ବଡ଼ପଣ୍ଡା--- ଓଗେର ତା' ପଛକୁ ବଡ଼ ବନ୍ୟା, ବଡ଼ ଦୁର୍ଭିକ୍ଷ, ବଡ଼ ରୋଗ, ବଡ଼ ଗରିବ, ବଡ଼ କୂଲି--- ଇତ୍ୟାଦି, ଏସବୁ---

"ପୂର୍ବ ପୁରୁଷର ପ୍ରତିଷ୍ଠା ବିଶାଳ
ବିକି ଭାଙ୍ଗି ଖାଉଥିବା କେତେ କାଳ"? 

ଓଡ଼ିଶାର ପ୍ରକୃତି ସୁନ୍ଦରୀ - ଶୋକ ପାସୋରା ଅପସରା ଭୁବନ--- ଏବଂ ମରାଳ ମାଳିନୀ - ନୀଳାମ୍ବୁ ଚିଲିକା କହିଲେ ଆମଦେଶର ପାଠୁଆ ମାନେ କେବଳ ରାଧାନାଥଙ୍କର 'ଚିଲିକା' କାବ୍ୟଟିକୁ  ମନେ ପକାନ୍ତି --- କିନ୍ତୁ ଏ ପ୍ରକୃତି ସୁନ୍ଦରୀ ଗର୍ଭରେ ଓଡ଼ିଶାର କି ବିଭବ-ସମ୍ପଦ ରହିଛି ତା' ଜାଣିବା ପାଇଁ କେତେଜଣ - ବିଶେଷତଃ, ଓଡ଼ିଶାବାସୀ- ଇଚ୍ଛା କରନ୍ତି ? ପ୍ରତିବର୍ଷ ବହୁ ସଙ୍ଖ୍ୟକ ସ୍ଲୁଲଛାତ୍ର --- ଶିକ୍ଷକ---ଦର୍ଶକ ଆସି ଚିଲିକା ଦେଖିଯାନ୍ତି, କିନ୍ତୁ କେଇ ହେଲେ ଏହାର ବିଭବ ନେଇ କିଛି ଆଲୋଚନା ଓ ଅନୁସନ୍ଧାନ କରନ୍ତି କି ନାହିଁ ସନ୍ଦେହ । 

ଯା' ହେଉ ଏକ୍ଷଣି ଏଇ ଚିଲିକା ବିଭବ ନେଇଁ କେତେକଥା ଏଠାରେ ବର୍ଣ୍ଣନା କରିବି:- 

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

ମାର୍କସ୍ ଅରିଲସ୍ 


ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ପଞ୍ଚମ ଓ ଷଷ୍ଠ ଅଧ୍ୟାୟ


ରୋମୀୟ ସମ୍ରାଟ ଓ ସ୍ଟୟିକ ଦାର୍ଶନିକ ସେନେକା
ସପ୍ତଦଶ ଶତାବ୍ଦୀର ଅଜ୍ଞାତ ଶତାବ୍ଦୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପଞ୍ଚମ ଅଧ୍ୟାୟ


ପ୍ରହର ପରେ ପ୍ରହର ଏହା ତୁମର ଧ୍ୟେୟ ହୋଇ ରହୁ - ଜଣେ ରୋମୀୟ ଭାବରେ ତଥା ଜଣେ ମନୁଷ୍ୟ ଭାବେ, ଯାହା ଉପସ୍ଥିତ ତାହାକୁ ମାନବିକ, ନ୍ୟାୟସଙ୍ଗତ ତଥା ସ୍ୱାଧୀନ ଭାବରେ ଉଚିତ ତଥା ପ୍ରାକୃତିକ ମର୍ଯ୍ୟାଦାର ସହ ସମ୍ପାଦିତ କରିବା । ଅନ୍ୟ କୌଣସି ବ୍ୟାପାରରୁ ନିଜର ମନକୁ ମୁକ୍ତ ରଖ । ଏହା ତୁମ୍ଭେ କରିବା ନିଶ୍ଚିତ ସମ୍ଭବ, ଯଦି ତୁମ୍ଭେ ନିଜର ସମସ୍ତ କାର୍ଯ୍ୟକୁ, ନିଜ ମନରୁ ସମସ୍ତ ବାଟବଣା ଚିନ୍ତା, ତର୍କର ନିର୍ଦ୍ଦେଶରୁ ଭାବନା-ଭିତ୍ତିକ ପଳାୟନ, ପ୍ରଦର୍ଶନର କାମନା, ଆତ୍ମ ପ୍ରଶସ୍ତି ତଥା ନିଜର ସ୍ଥିତାବସ୍ଥା ସହ ଅସନ୍ତୋଷ, ଆଦିକୁ, ଦୂରେଇ ଦେଇ, ଏପରି ଭାବରେ କରିପାରିବ, ଯେପରି ସେହି କାମଟି ତୁମ୍ଭର ଜୀବନର ଅନ୍ତିମ କାର୍ଯ୍ୟ । ଦେଖ, ମନୁଷ୍ୟକୁ କେତେ କମ ଜିନିଷ ଉପରେ ପ୍ରଭୁତ୍ୱ ବଜାୟ ରଖିବା ଆବଶ୍ୟକ, ଯାହା ଫଳରେ କି ତାହାର ଜୀବନ ହୋଇପାରିବ ନୀରବ ଓ ଦିବ୍ୟ: ତାହାକୁ କେବଳ ଏହି କେତୋଟି ଉପଦେଶକୁ ଆଚରଣରେ କରିବାକୁ ପଡ଼ିବ, ଏବଂ ଦେବତାମାନେ ତାହାଠାରୁ ଆଉ କିଛି ଅଧିକର ଅପେକ୍ଷା ରଖନ୍ତି ନାହିଁ ।

ଷଷ୍ଠ ଅଧ୍ୟାୟ


ଯାଅ, ଯାଅ, ହେ ମୋର ଆତ୍ମନ୍ ! ନିଜକୁ ତିରଷ୍କୃତ ଓ ଅପମାନିତ କରିବା ନିମନ୍ତେ ! ହେଲେ ଆହୁରି ଅଳ୍ପ ସମୟ ମଧ୍ୟରେ ହିଁ ନିଜର ମହତ ରଖିବା ନିମନ୍ତେ ସମୟ ଅତିବାହିତ ହୋଇଯିବ । ମନୁଷ୍ୟର ଏକ ହିଁ ଜୀବନ, ତୁମର ଅନ୍ତ ଅତି ନିକଟରେ, ହେଲେ ତେବେ ମଧ୍ୟ ନିଜର ମହତ ପାଇଁ ତୁମ୍ଭେ ଲୋଚନ ଫେଡ଼ ନାହିଁ, କିନ୍ତୁ ନିଜର ଆନନ୍ଦକୁ ଅନ୍ୟମାନଙ୍କର ମନ ଓ ମତ ଉପରେ ନିର୍ଭରଶୀଳ କରି ରଖ । 

Sunday, June 18, 2017

ପର୍ବତରେ ଧର୍ମୋପଦେଶ - ୧୬


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନନ୍ତର ଯୀଶୁ ନାବରେ ପାରିହେଲେ, ଆଉ ନିଜ ନଗରକୁ ଆସିଲେ । ଆଉ ଦେଖ, କେତେ ଲୋକ ଜଣେ ପକ୍ଷାଘାତୀକି ଖଟ ଉପରେ ଶୁଆଇ ତାହଙ୍କ ନିକଟକୁ ଆଣିଲେ ; ତହିଁରେ ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତୀକି କହିଲେ, ହେ ପୁତ୍ର, ସୁସ୍ଥିର ହୁଅ, ତୁମ୍ଭର ପାପ ସବୁ କ୍ଷମା ହେଲା । ଏ କଥା ଶୁଣି ଥୋକାଏ ଅଧ୍ୟାପକ ମନେ ମନେ କହିଲେ, ଏହି ମନୁଷ୍ୟ ଇଶ୍ୱରଙ୍କୁ ନିନ୍ଦା କରୁଅଛି । ସେତେବେଳେ ଯୀଶୁ ସେମାନଙ୍କର ଏହି ଭାବନା ବୁଝି କହିଲେ, କାହିଁକି ମନେ ମନେ ଏମନ୍ତ କୁ ଭାବନା କରୁ ଅଛ ? ତୁମ୍ଭର ପାପସବୁ କ୍ଷମା ହେଲା, କିଅବା ତୁମ୍ଭେ ଉଠି ଚାଲ, ଏହି ଦୁଇ ମଧ୍ୟରୁ କେଉଁଟା କହିବା ସହଜ ? ପୁଣି ପୃଥିବୀରେ ପାପ ମାର୍ଜନା କରିବାକୁ ମନୁଷ୍ୟପୁତ୍ରଙ୍କର ପରାକ୍ରମ ଅଛି, ଏହା ଯେପରି ତୁମ୍ଭେମାନେ ଜାଣିବ, (ଏଥର ସେ ପକ୍ଷାଘାତୀକି କହିଲେ,) ଉଠ, ଆପଣା ଖଟ ଉଠାଇ ନିଅ, ଆଉ ଘରକୁ ଯାଅ । ଏଥିରେ ସେ ଉଠି ଆପଣା ଘରକୁ ଚାଲିଗଲା । ଲୋକ ସମସ୍ତ ଏରୂପ ଦେଖି ଭୀତ ହେଲେ, ଆଉ ଇଶ୍ୱର ମନୁଷ୍ୟକୁ ଏମନ୍ତ ପରାକ୍ରମ ଦେଇଅଛନ୍ତି, ଏଥିପାଇଁ ତାହାଙ୍କର ଧନ୍ୟବାଦ କଲେ ।

ଅନନ୍ତର ଯୀଶୁ ସେଠାରୁ ଯାଉଁ ଯାଉଁ କରସଞ୍ଚୟ ସ୍ଥାନରେ ବସିଥିବା ମାଥିଉ ନାମକ ଏକ ଜଣକୁ ଦେଖି ତାହାକୁ କହିଲେ, ଆମ୍ଭର ପଛେ ଆସ । ତହିଁରେ ସେ ଉଠି ତାହାଙ୍କର ପଶ୍ଚାତ୍ ଗମନ କଲା ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, June 17, 2017

ସୁନୀଲ ଗଙ୍ଗୋପାଧ୍ୟାୟଙ୍କ କବିତା " ଚେ ଗୁୟେଭରାଙ୍କ ପ୍ରତି "

ଅନୁବାଦକ ଜ୍ୟୋତି ନନ୍ଦ


ପାଲେଷ୍ଟିନୀୟ କେଫିୟେ ପିନ୍ଧିଥିବା ଚେ ଗୁୟେଭରା
ଚିତ୍ରକର -
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚେ, ତୁମର ମୃତ୍ୟୁ ମୋତେ ଅପରାଧି କରେ

ମୋର ଓଠ ଶୁଖିଯାଏ, ଛାତି ଭିତରଟା ଫାଙ୍କା
ଆତ୍ମାରେ ଅବିଶ୍ରାନ୍ତ ବୃଷ୍ଟିପତନର ଶବ୍ଦ
ଶୈଶବରୁ ବିଷର୍ଣ୍ଣ ଦୀର୍ଘଶ୍ୱାସ
ଚେ, ତୁମର ମୃତ୍ୟୁ ମୋତେ ଅପରାଧି କରିଦିଏ -

ବୋଲିଭିଆର ଜଙ୍ଗଲ ରେ ନୀଳ ପାଣ୍ଟାଲୁନ୍ ପିନ୍ଧା
ତୁମର ଛିନ୍ନଭିନ୍ନ ଶରୀର
ତୁମ ଖୋଲା ଛାତିର ମଝିରେ
ଝରିଯାଇଥିବା 
ଶୁଖିଲା ଧାରଟିଏ ରକ୍ତ
ଆଖି ଦୁଇଟି ଖୋଲା
ସେହି ଦୃଷ୍ଟି ଗୋଟିଏ ଗୋଲାର୍ଦ୍ଧରୁ ଛୁଟି ଆସେ ଅନ୍ୟ ଗୋଲାର୍ଦ୍ଧ 
ଚେ, ତୁମର ମୃତ୍ୟୁ ମୋତେ ଅପରାଧି କରିଦିଏ ।

ଶୈଶବ ରୁ ମଧ୍ୟ ଯୌବନ ପର୍ଯ୍ୟନ୍ତ ଦୀର୍ଘ ଦୃଷ୍ଟିପାତ - 
କଥା ଥିଲା ମୋର ବି ହତିଆର ଧରି ତମ ପାଖେ ଛିଡା ହେବା
କଥା ଥିଲା ମୋର ବି ସାରା ଜଙ୍ଗଲ କାଦୁଅ କରି ପଥର ଗୁହାରେ ଲୁଚି
ସଙ୍ଗ୍ରାମର ଚରମ ମୂହୁର୍ତ୍ତଟି ପାଇଁ ପ୍ରସ୍ତୁତ ରହିବା
କଥା ଥିଲା ମୋର ବି ରାଇଫଲର କୁନ୍ଦ ଛାତିରେ ଚାପି 
ପ୍ରବଳ ହୁଙ୍କାରରେ ଛୁଟି ଯିବା
ମୋର ମଧ୍ୟ କଥା ଥିଲା ଛିନ୍ନଭିନ୍ନ ଲାଶ୍ ଓ ଗରମ ରକ୍ତର ଫୁଆରାରେ
ଶୁଣିବାକୁ ବିଜୟ ସଙ୍ଗୀତ-
କିନ୍ତୁ ମୋର ଅନବରତ ଡେରି ହୁଏ ।

ଏତେକାଳ ମୁଁ ଏକା,ଅପମାନ ରେ ତଳକୁ ମୋର ମୁହଁ
କିନ୍ତୁ ମୁଁ ହାରି ନାହିଁ, ମାନି ନାହିଁ
ମୁଁ ଟ୍ରେନ୍ ର ଝରକା ପାଖେ, ନଦୀର ନିର୍ଜନ ରାସ୍ତାରେ, ଫାଙ୍କା ସରୁ
ଗ୍ରାମପଥରେ, ଶ୍ମଶାନ ପ୍ରାଙ୍ଗଣରେ
ଆକାଶକୁ, ବର୍ଷାକୁ, ବୃକ୍ଷକୁ, ହଠାତ୍ ଆସିଥିବା
ଧୂଳିର ଘୂର୍ଣ୍ଣିଝଡକୁ
ମୋର ଶପଥ ଶୁଣାଇଛି, ମୁଁ ପ୍ରସ୍ତୁତ,
ମୁଁ ସବୁକିଛିର ନିଜସ୍ୱ ପ୍ରତିଶୋଧ ନେବି
ମୁଁ ପୁଣି ଫେରି ଆସିବି।

ମୋର ହତିଆରହୀନ ହାତ ମୁଷ୍ଟିବଦ୍ଧ, ଆଖି ଶକ୍ତ
ମନେ ମନେ କୁହେ ବାରମ୍ବାର, ଫେରି ଆସିବି ।

ଚେ, ତୁମର ମୃତ୍ୟୁ ମୋତେ ଅପରାଧୀ କରେ ।
ମୁଁ ଏଯାଏଁ ପ୍ରସ୍ତୁତ ନୁହଁ, ଅନବରତ ଡେରି ମୋର ହୁଏ,
ମୁଁ ଏଇଲେ ସୁଡ଼ଙ୍ଗ ଭିତରେ ଅଧା ଆଲୁଅ ଛାଇରେ ।
ମୋର ଡେରି ହେଉଛି ।
ଚେ, ତୁମର ମୃତ୍ୟୁ ମୋତେ ଅପରାଧି କରେ ।


ଆର୍ଜେଣ୍ଟିନାର ଆଲ୍ଟା ଗ୍ରେସିଆଠାରେ ସ୍ଥିତ ଗୁୟେଭରାଙ୍କର ଘର

ଆର୍ଜେଣ୍ଟିନାର ବିପ୍ଳବୀ ପ୍ରଖ୍ୟାତ ଚେ ଗୁୟେଭରା ଙ୍କର ଜନ୍ମଦିନ ହେଉଛି ୧୪ ଜୁନ୍ ୧୯୨୮ ।
ବଙ୍ଗଳାର କବି ତଥା ଔପନ୍ୟାସିକ ପ୍ରଖ୍ୟାତ ସୁନୀଲ ଗଙ୍ଗୋପାଧ୍ୟାୟଙ୍କର ଏହା ଏକ ପ୍ରସିଦ୍ଧ କବିତା ।

Friday, June 16, 2017


ଗାଁରେ ପାଠ ପଢ଼ା


ଗୋପୀନାଥ ମହାନ୍ତି 


ଆମେରିକାର ଆଲାବାମା ରାଜ୍ୟର ଗୋଟିଏ ବିଦ୍ୟାଳୟର ଦୃଶ୍ୟ (୧୯୩୫ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଦିନ କେଇଟାରେ ସମସ୍ତଙ୍କ ସହିତ ମିଶି ବନ୍ଧୁତା କରି ପରି ବାବୁ ଗାଁଟାକୁ ପ୍ରଥମେ ଭେଳେଇ ନେଲେ । ତା ପରେ ଦିନେ ପିଲାମାନଙ୍କୁ କହିଲେ, “ଗୋଟାଏ ଗଣତି କଲତୁମ ଗାଁରେ କେତେ ଜଣ ଲୋକ ଚିଠି ଲେଖି ଚିଠି ପଢ଼ି ଜାଣନ୍ତି ?” ସୁମାରି ହେଲା । ଦେଖିଲାବେଳକୁ ଲେଖା ପଢ଼ା ଲୋକ ଅତି କମ୍ ।

ପରି ବାବୁ ଲୋକଙ୍କୁ ମତେଇଲେ, “ତୁମେ ପାଠ ପଢ଼ ।” ଲୋକେ କହିଲେ, “ଏ ବୁଢ଼ା ଦିନେ ଖଡ଼ି ଧରିବା ନା ଲାଭ କଣ ହେବ ?” ପରି ବାବୁ ବୁଝାଇଲେ, “ଦେଖ, ପାଠରେ ବୟସ ଧରା ହୁଏ ନାହିଁ । ତୁମେ ସାଧାରଣ ନାଁ ଦସ୍ତଖତ କରି ଜାଣିନାକେଡେ଼ ଲଜ୍ଜାର କଥା । ପଢ଼ି ଜାଣିଥିଲେ ସିନା ଦେଶ କଥା ଦଶ କଥା ଜାଣନ୍ତ । ତୁମେ ପଢ଼ତୁମେ ସବୁ ପୁରୁଖା ଲୋକଖଡ଼ି ଧରୁ ଧରୁ ପାଠ ହୋଇଯିବ ।”

ବହୁତ ଧରାଧରି କରିବା ପରେ ଠିକଣା ହେଲା ଯେ, ରାତିରେ ଲୋକେ ପଢ଼ିବାକୁ ଆସିବେ । ଦିନରେ ତ ବାର ଧନ୍ଦାରାତିରେ ଘଣ୍ଟାଏ ପଢ଼ି ଦେଇ ଯାହାର ମନ ହେବ ସେ ଆଖଡ଼ାକୁ ଚାଲିଯିବ । ସେଇଠୁ ରାତି ସ୍କୁଲ ଆରମ୍ଭ ହେଲା । ପରି ବାବୁ ନିଜେ ପଢ଼ାଇଲେ । ବୁଢ଼ା ବୁଢ଼ା ଲୋକ ଯାହାର ବାଳ ପାଚି ଗଲାଣି ଏପରି ଲୋକଙ୍କୁ ମଧ୍ୟ ନିଜେ ଯାଇ ଗୋଟେଇ ଆଣନ୍ତି । ଦିନରେ ଯାଇ ବେଳେ ବେଳେ ପଢ଼ାଇ ଦେଇ ଆସନ୍ତି । ଘର ଧନ୍ଦା ଯୋଗୁଁ ଲୋକେ ନ ଆସି ପାରିଲେ ଯାଇ ବୁଝେଇ ସୁଝେଇ ଆଣନ୍ତି ।

ଲୋକଙ୍କୁ ଭୁଲାଇ ଭୁଲାଇ ପଢ଼ାନ୍ତି । ଏଣୁ ତେଣୁ ଗପ ପଡେ଼ଭାଗବତ ପଢ଼ା ହୁଏଖବର କାଗଜ ବି ପଢ଼ା ହୁଏ । ପରି ବାବୁଙ୍କ ମତପ୍ରତି ଗାଁରେ ରାତି ସ୍କୁଲ ରହିବ ।

ଏଣେ ଗାଁ ସ୍କୁଲରେ କାମ ଚାଲିଥାଏ । ନୁଆ ମାଷ୍ଟ୍ରେ ପିଲାଙ୍କ ସଙ୍ଗେ ବଡ଼ଭାଇ ପରି ମିଶିଯାଇଥାନ୍ତି ଏତେ ଭଲ ପାଆନ୍ତି ଯେ କହିବାର ନୁହେଁ । ପିଲାଏ ମନ ଦେଇ ପାଠ ପଢ଼ନ୍ତିନୋହିଲେ ମାଷ୍ଟ୍ରଙ୍କ ମନକଷ୍ଟ ହେବ । ଯେଉଁ ଦିନ ତିନି ଚାରି ଜଣ ପିଲା ନ ଆସିବେସେ ଦିନ ମାଷ୍ଟ୍ରେ ଭାତ ଖାଆନ୍ତି ନାହିଁ । ଯାହାର ଦେହ ମୁଣ୍ଡ ହେଲେ ନିଜେ ଯାଇ ତତ୍ତ୍ୱ ନିଅନ୍ତି । ଛୋଟ ଛୋଟ ପିଲାଏ ମାଷ୍ଟରଙ୍କୁ ଖୁସି କରିବାକୁ ନିଜେ ଭଲ ବ୍ୟବହାର କରନ୍ତି । ତାଙ୍କ ମନରେ ଗର୍ବ ହୁଏ । କାରଣ ମାଷ୍ଟ୍ର ଓ ପରି ବାବୁ ବାରମ୍ବାର କହନ୍ତି – ତୁମେ ଦେଶର ଆଶା ଭରଶା । ତୁମ ଦେଶ ସେଇ ଭାରତବର୍ଷରେଯେଉଁଠି ବଡ଼ ବଡ଼ ଲୋକ ଜନ୍ମ ହୋଇ ବଡ଼ ବଡ଼ କଥା କରି ଦେଖାଇଯାଇଛନ୍ତି ।

ତୁମ ଗାଁ ହେଉଛି ଓଡ଼ିଶା ଦେଶ । ତୁମ ପୂର୍ବପୁରୁଷ ଦରିଆରେ ବୋଇତ ଭସାଇ ସାତ ସମୁଦ୍ରରୁ ହୀରା ମାଣିକ ବୋହି ଆଣୁଥିଲେ । ତୁମ ଦେହରେ ଯେଉଁ ରକ୍ତ ଅଛିତୁମ ମନରେ ଯେଉଁ ଶକ୍ତି ଅଛିତା ଆଉ କାହାରି ନାହିଁ । ତୁମେ ନିଜକୁ କାମରେ ଲଗାଇ ପାରୁନ ବୋଲି ପଡ଼ି ରହିଛ । ପିଲାଙ୍କୁ ବାରମ୍ବାର ଏପରି କହିବାରୁ ସେମାନେ ନିଜକୁ ଆଉ ହେୟ ମଣିଲେ ନାହିଁ । ସମସ୍ତଙ୍କର ଉଚ୍ଚ ଆଶା ହେଲା, କିପରି ବଡ଼ ହେବେ ।

ଏଣେ ପରି ବାବୁ ବହୁତ କଷ୍ଟ କରି ପ୍ରତି ରବିବାର ଦିନ ରାତିରେ ସେ ଗାଁ ଲୋକଙ୍କର ଗୋଟିଏ ସଭା କରନ୍ତି । ତହିଁରେ 
ସମସ୍ତେ ଆସି ଗାଁର କିପରି ମଙ୍ଗଳ ହେବ ସେ କଥା ଭାବନ୍ତି । ନ୍ୟାୟ ନିଶାପ ପଡେ଼ । ଯେତେବେଳେ କଜିଆ ଗୋଳ ହୋଇଥାଏପରି ବାବୁମାଷ୍ଟର ଓ ଅନ୍ୟାନ୍ୟ ଲୋକେ ନିଶାପ କରି କଥାଟା ତୁଟାଇଦିଅନ୍ତି । କେହି ମକଦ୍ଦମା କଥା ପକାଇଲେ ପରି ବାବୁ କହନ୍ତି, “କାହିଁକି ମକଦ୍ଦମାକୁ ଯିବଏଣେ ଘରେ ଖାଇବାକୁ ପାଉନା । ଗୋଟାଏ ଆନର ରିହରେ ଘର ବନ୍ଧା ଦେଇ ପଇସା ନେଇ ଥୋଇବ ପର ଘରେ ଏଠି ସୁନ୍ଦର ନ୍ୟାୟ ହୋଇ ପାରିବ । ଆଉ ଦୂରକୁ କାହିଁକି ଯିବ ?” ପରି ବାବୁ ଧିରେ ଧିରେ ଗ୍ରାମ ସଙ୍ଗଠନ ଆରମ୍ଭ କଲେ 

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

ମହିମା ଭକ୍ତି କବିତା - 'ମହାନିତ୍ୟ ଖେଳ ଦେଖ'


କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ମହାନିତ୍ୟ ଖେଳ ଦେଖ ଜମ୍ବୁଦ୍ୱୀପେ ହେ

ଶରୀରାର୍ଥ ପରକାଶ ବାହ୍ୟରୂପେ ହେ । ଘୋଷା।

ସତ୍ୟାଦି ଯୁଗେ ଭକତ
ଯା’ର ପାଇଁ ତପୋବନ୍ତ
ଅଶେଷ ବ୍ରହ୍ମାଣ୍ଡ ହିତେ ବିଜେ ଆପେ ହେ ।୧।

ତ୍ରେତୟା ଯୁଗରେ ତପୀ
ଭକ୍ତମାନେ ହେଲେ କପି
ସେହି ବ୍ରହ୍ମଙ୍କୁ ନିରୋପି ଆତ୍ମାସୁଖେ ହେ ।୨।

ଦ୍ୱାପର ଯୁଗକୁ ଚାହିଁ
ବ୍ରଜ ଗୋପାଳୁଣୀ ହୋଇ
ବ୍ରହ୍ମ ସଙ୍ଗେ ପ୍ରେମ ଅଙ୍ଗେ ନାରୀ ରୂପେ ହେ ।୩।

ଏ କଳି ଯୁଗରେ ଦେଖ
ଚାରି ଯୁଗ ଭକ୍ତଯାକ
ହୋଇଲେଣି ବ୍ରହ୍ମଲୋକ ପୂର୍ଣ୍ଣ ତପେ ହେ ।୪।

ଜନମି ଚାରି ଦିଗରେ
ବାଉନ ପାଟକ ଘରେ
ରହିଲେଣି ଠାବେ ଠାବେ ଧ୍ୟାୟି ଥୋକେ ହେ ।୫।

ଭଣେ ଭୀମସେନ ଭୋଇ
ସକଳେ ପାଇବେ ନାହିଁ
ସଦଜ୍ଞାନ ମୁକ୍ତିପଦ ଗୁରୁ ମୁଖେ ହେ ।୬।

Wednesday, June 14, 2017

ଗ୍ରାମ-ସଙ୍ଗଠନର ସୂଚନା


ଗୋପୀନାଥ ମହାନ୍ତି


ହଳ କରୁଥିବା ଚାଷୀଙ୍କର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପରି ବାବୁ ବି.ଏ. ଯେମିତି ପାଶ୍ କରିସାରିଲେ, ସେମିତି ତାଙ୍କ ବାପା ଧୂମ୍ ଲଗାଇଲେ, “ପରି, ଏଥର ଚାକିରୀ ଖଣ୍ଡେ କର ।”

ପରି ବାବୁ କହିଲେ, “ବାପା, ଘରେ ତୁମେ ଆଉ ବୋଉ, ମୁଁ ତ ଏକୁଟିଆ ଲୋକ । ଜମି ଜମା ଯାହା ଅଛି, ସେତକ ଭାଗ ଲଗାଇଦେଲେ ତୁମେ ତ ବର୍ଷକ ସୁଖରେ ଚଳୁଛ, ମୁଁ ଆଉ ଚାକିରୀ କାହିଁକି କରିବି ?”
ବାପା କହିଲେ, “ଚାକିରୀ କଲେ ଦରମା ଗଣ୍ଡାକ ତ ଆସିବ । ଜମିରୁ ତା କାହୁଁ ଆସିବ ? ବିନା ଚାକିରୀରେ ବାବୁଗିରି ରହିପାରିବ ନାହିଁ ।”
ପରି ବାବୁ କହିଲେ, “ସହରରେ ପାଠ ପଢ଼ି ସହର କଥା ମୁଁ ଦେଖି ଆସିଲି । ଚାକିରୀଆଙ୍କ ଅବସ୍ଥା ବାରଣ୍ଡା ଦି’କଡ଼ା । ଦରମା ପାଆନ୍ତି କମ୍, କାମ କରନ୍ତି ବେଶୀ । ମୁଁ ଠିକ୍ କରିଛି, ଚାକିରୀ କରିବି ନାହିଁ । ଅସଲ ବଡ଼ଲୋକି ମାଛ-ଭାତ ଖାଇଲେ ରହେ ନାହିଁ, ଅସଲ ବଡ଼ଲୋକି ଥାଏ ମନରେ ।”
ବାପପୁଅଙ୍କର ତର୍କ ଲାଗିଲା । ବାପ ଯହୁଁ ଦେଖିଲେ ପୁଅର ମନ ଆଉ ଆଡେ଼ ଚାଲିଛି, ସେ ବାଧ୍ୟ କଲେ ନାହିଁ । ପରି ବାବୁ ଗାଁରେ ରହିଲେ ।

ପରି ବାବୁ ପ୍ରଥମେ ଗାଁ ଚାଟଶଳୀ ପ୍ରତି ନଜର ଦେଲେ । ପୁରୁଣା ମାଷ୍ଟର ପଢ଼ାଇବାରେ ଭାରି ଫାଙ୍କି ଦିଅନ୍ତି । ତାଙ୍କ ଦ୍ୱାରା ଚଳୁ ନାହିଁ, ସେ ଖାଲି ବୋଲହାକ କରାଉଛନ୍ତି, ପାଠ ଅର୍ଥ ଖାଲି ମାଡ଼ । ତହୁଁ ଗାଁ ଲୋକଙ୍କୁ କହି ସେ ମାଷ୍ଟରଙ୍କୁ ତଡ଼ି ଦେଲେ ।

ଯେ ପର୍ଯ୍ୟନ୍ତ ନୁଆ ମାଷ୍ଟର ନ ଆସିଛନ୍ତି, ନିଜେ ଚାହାଳିରେ ବସିଲେ; ସେ ପିଲାଙ୍କ ଖେଳା ବୁଲା ବଢ଼ାଇ ଦେଲେ । ଖେଳାଇ ଖେଳାଇ ପାଠ ପଢ଼ାଇଲେ । ନାନାପ୍ରକାର ଉତ୍ସାହ ଦେଖାଇଲେ । 

ଏଣେ ପିଲାଏ ପାଠ ପଢ଼ୁଥାନ୍ତି, ତେଣେ ସ୍କୁଲ ହତାରେ ବଗିଚା କରୁଥାନ୍ତି । ଗୋଟାଏ ଗାଡ଼ିଆ ଥାଏ,- ସେଥିରେ ମାଛ ଛାଡ଼ୁଥାନ୍ତି, ମାଛ ମାରୁଥାନ୍ତି । କଣ୍ଢେଇ ଗଢ଼ି ଖରାରେ ଶୁଖାଇ ରଖୁଥାନ୍ତତି । ଅରଖ ଗଛର ପୋକ ପାଳି ପ୍ରଜାପତି କରୁଥାନ୍ତି ।

ବି.ଦ୍ର. - ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।