Sunday, March 26, 2017

ମହାନଦୀ, ସୁବର୍ଣ୍ଣପୁର ଓ ଗୋଟେ ରୂପକଥାର ପୃଥିବୀ


କେଦାର ମିଶ୍ର


ବ୍ରିଟିଶ ଅମଳର ସୋନପୁରର ମାନଚିତ୍ର 

ହେଇ ଅନାରେ ଗୋପ, ହେଇ ସେପାଖେ ଦିଶୁଛି ସୋନପୁର’’
୧୯୨୩ ମସିହା ସେପ୍ଟେମ୍ବର ମାସର ଏକ ସକାଳରେ ସମ୍ବଲପୁର ପଟୁ ଡଙ୍ଗାରେ ବସି ମହାନଦୀର କଳା ଝିମ୍ ଝିମ୍ ସୁଅରେ ଭାସି ଆସୁଥିବା ନଅ ବର୍ଷର ବାଳକ ଗୋପୀନାଥ ମହାନ୍ତି, ହଠାତ୍ ନୁଆ କରି ଆବିଷ୍କାର କରିଥିଲେ ଗୋଟେ ନୂଆ ସହରକୁ  ବାପା ଚିହ୍ନାଇଦେଇଥିଲେ – 
“ଏଇ ସୋନପୁର  ହେଇ ସେ ଦେଉଳ ଦେଖୁଛୁ ନା? ସେ ସୁବର୍ଣ୍ଣମେରୁ । ଦଣ୍ଡବତ ହ’ ୟେ ସ୍ଥାନ ରାମେଶ୍ୱର, ହେଇ ସେଠି ତେମୁହାଣି ଯେଉଁଠି ତେଲ ନଦୀ ଆସି ମହାନଦୀ ସାଙ୍ଗରେ ମିଶିଲା । ଏଇ ସେ ସୋନପୁର, କହନ୍ତି ଏଠି ସୁନା ଅଛି, ଯଯାତିକେଶରୀ ଏ ସହର ବସାଇଥିଲେ, ତାଙ୍କର ୟେ ରାଜଧାନୀ ହୋଇଥିଲା । କେତେ ପୁରୁଣା କାଳିଆ ଦେଉଳ ଦେଖିବୁ ଏଠି, ଅସଂଖ୍ୟ   ଭୁବନେଶ୍ୱରରେ ଯେତିକି ଦେଉଳ ଏଠି ସେତିକି ଦେଉଳ । କେତେ ନଇରେ ଗଲାଣି, କେତେ ଭାଙ୍ଗି ଭୁଷୁଡି ଗଲାଣି, ତଥାପି ଆହୁରି ବହୁତ ଅଛି ହେଇ ଦେଖୁଛୁ ଏ ପଥରବନ୍ଧ, ଆମ କଟକରେ ଯେମିତି, ଏଠି ସେମିତି। ...ନଈ ସେପାଖେ ପାହାଚ ପାହାଚ ହୋଇ ମହାନଦୀର ପଥର ବନ୍ଧ, ସ୍ଥାନେ ସ୍ଥାନେ ବାଙ୍କ ବୁଲିଛି, ବୁରୁଜ ବାହାରିଛି ।" 
ସୋନପୁର ବାଳକ ଗୋପୀନାଥଙ୍କୁ ଗୋଟେ ନୂଆ ସ୍ୱପ୍ନର ଭୂମି ପ୍ରଦାନ କରିଛି ମହାନଦୀ ତାଙ୍କର ଶିଳ୍ପୀ ପ୍ରାଣକୁ ଚଳଚଞ୍ଚଳ କରିଛି ଗୋପୀନାଥଙ୍କ ଅଗ୍ରଜ, ଓଡିଆ କଥା ସାହିତ୍ୟର ଅନ୍ୟତମ ମହାନ ଦିଗପାଳ କାହ୍ନୁଚରଣ- ତାଙ୍କର ବି ଜନ୍ମ ମହାନଦୀ କୁଳରେ – ସୋନପୁରରେ ଶହ ଶହ ବର୍ଷ ଧରି ସୃଜନ ଓ କ୍ଷମତାର ତଟ ଭାବରେ ସୋନପୁର ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛି ବହୁ ଲେଖକ, କବି, ଚିନ୍ତକ ଓ ଦାର୍ଶନିକ ଏହି ସହରରେ ଜନ୍ମ ନେଇଛନ୍ତି  ବହୁ ଛତ୍ରପତି ରାଜା, ଅଘୋରୀ ସନ୍ୟାସୀ, ସର୍ବତ୍ୟାଗୀ ସନ୍ଥ, ରୂପସୀ ଓ ବିଦୁଷୀ ନାୟିକା, ସୁନାର ବୋଇତ ନେଇ ଦୂର ଦେଶରୁ ଫେରୁଥିବା ବଣିକ – ଏ ସହରର ଛାତିରେ ନିଜର ସ୍ୱାକ୍ଷର ଆଙ୍କି ଯାଇଛନ୍ତି
ସୋନପୁରରେ ମହାନଦୀ ବିଶାଳାକ୍ଷୀ  ହୀରାକୁଦ ପରେ ମହାନଦୀ ଟିକେ କ୍ଷୀଣସ୍ରୋତା ତେବେ ସୋନପୁର ଜିଲାରେ ପ୍ରବେଶ କରୁ କରୁ ମହାନଦୀର ପ୍ରବାହ ବିଶାଳ ହୁଏ  ସୋନପୁର ପୂର୍ବରୁ ଜୀରା, ଭେଡେନ୍, ଅଙ୍ଗ ଓ ସୁକତେଲ ନଦୀ ମହାନଦୀରେ ମିଶୁଥିବା ବେଳେ, ସୋନପୁର ସହରରେ ଏକ ତ୍ରିବେଣୀ ସଙ୍ଗମ ସୃଷ୍ଟି କରି ମହାନଦୀ ସହ ତେଲ (ପ୍ରାଚୀନ ଶାସ୍ତ୍ରରେ ତେଲବାହ) ନଦୀ ଓ ଜୀର୍ଣ୍ଣ ନଦୀ ର ମିଳନ ଘଟିଛି ସଙ୍ଗମ ସ୍ଥଳରେ ମହାନଦୀ ସମୁଦ୍ର ପରି ପ୍ରଶସ୍ତ ତେବେ ସୋନପୁର ଓ ମହାନଦୀର ସମ୍ପର୍କ କେବଳ ସୋନପୁର ସହର ଭିତରେ ସୀମିତ ନୁହଁ ହୁମା ପରେ ପରେ ମହାନଦୀ ସୁବର୍ଣ୍ଣପୁର ଜିଲ୍ଲାର ସୀମା କୁ ଛୁଏଁ  ତାପରେ ବିନିକା । ଇତିହାସରେ ବିନିକା ବିନିତାଶ୍ୱପୁର ନାମରେ ପରିଚିତ ସୁବର୍ଣ୍ଣପୁର ସୋମବଂଶ ର ରାଜା ଯଯାତି କେଶରୀଙ୍କ ରାଜଧାନୀ ହେବା ପୁର୍ବରୁ ବିନିକା ଅଳ୍ପ ସମୟ ପାଇଁ ସୋମ ବଂଶ ର ରାଜଧାନୀ ଥିଲା । ଜନଶୃତି ଅନୁସାରେ ଗଙ୍ଗ ବଂଶର ରାଜା ଦ୍ୱିତୀୟ ଅନଙ୍ଗଭୀମ ଦେବ ଏକ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ଥିଲେ  ବ୍ୟାଧିରୁ ମୁକ୍ତି ପାଇବା ଲାଗି ସେ ତୀର୍ଥାଟନ କରୁଥିବା ସମୟରେ ବିନିକା ନିକଟବର୍ତ୍ତୀ ମହାନଦୀରେ ସ୍ନାନ କରନ୍ତେ ତାଙ୍କର ବ୍ୟାଧି ହରଣ ହୋଇଥିଲା  ଉକ୍ତ ସ୍ଥାନ ରେ ରାଜାଙ୍କ ପାପ ରହିଗଲା ବୋଲି ନିକଟସ୍ଥ ଗ୍ରାମର ନାଁ “ରହିଲା” ଓ ଉକ୍ତ ଘାଟର ନାମ “ପାପକ୍ଷୟ ଘାଟ” ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ଏହି ଘାଟରେ ହଜାର ହଜାର ଭକ୍ତ ବୁଡ଼ ପକାଇବା ସହିତ ନିକଟସ୍ଥ ପ୍ରାଚୀନ ବରଗଛର ସଙ୍କୀର୍ଣ୍ଣ ସନ୍ଧିରେ ବେଢା ବୁଲନ୍ତି ବିନିକାରୁ ସୋନପୁର ପର୍ଯନ୍ତ ମହାନଦୀକୁ ଚିତ୍ରୋତ୍ପଳା ଗଙ୍ଗା ବୋଲି କୁହାଯାଏ “କଲୌ ଚିତ୍ରୋତ୍ପଳା ଗଙ୍ଗା” ବୋଲି ଏଇଠି ବିବେଚିତ ମହାଶିବ ଗୁପ୍ତ ଯଯାତି ପ୍ରଥମ (ଖ୍ରୀ. ୮୮୫-୯୨୮) ବିନିକା ବା ରାଜଧାନୀ ବିନିତପୁରରୁ ଘୋଷିତ ତାଙ୍କର ଏକ ତାମ୍ର ଶାସନରେ ମହାନଦୀର ଚମତ୍କାର ବର୍ଣ୍ଣନା କରିଛନ୍ତି –
ମହାନଦୀ ତୁଙ୍ଗ ତରଙ୍ଗ ଭଙ୍ଗ ସ୍ଫାରୋଛଳଛୀକର ବଦଭିରାରାତ
ଯସ୍ମିନ୍ ରତାସିକ୍ତ ମଦନ୍ଗନାନାଂ ଶ୍ରାମାପନୋଦଃ କୃୟତେ ମରୁଦଭିଃ
ମହାନଦୀର ତରଙ୍ଗ ପ୍ଲାବିତ କୂଳ ରତିମଗ୍ଣ ନାୟକ ନାୟିକାଙ୍କର ବିହାର ସ୍ଥଳ ଥିଲା ବୋଲି କୁହାଯାଇଛି
ବହୁ କାହାଣୀ, କିମ୍ବଦନ୍ତି ଓ ଜନଶୃତି ର ପ୍ରବାହ ମହାନଦୀରେ ନଦୀକୁ ନେଇ ଗଢି ଉଠିଛି ଜନଜୀବନ ଓ ଜୀବନବୋଧ । ଇତିହାସ କେବଳ ନୁହଁ, ଏକ ନିରବଛିନ୍ନ ଜୀବନ ପ୍ରବାହର ସାକ୍ଷୀ ହେଉଛି ମହାନଦୀ ନଦୀ କୁଳରେ ଗଢିଉଠିଥିବା ସର୍ବ ପୁରାତନ ସହର ଭାବରେ ସୋନପୁରର ଗୁରୁତ୍ୱ ରହିଛି ସୋନପୁର ହେଉଛି ଓଡିଶାର ଏକମାତ୍ର ସହର ଯାହାର ୧୫୦୦ ବର୍ଷର ଲିଖିତ ଇତିହାସ ବିଦ୍ୟମାନ  ବୌଦ୍ଧ, ଜୈନ, ଶୈବ, ତନ୍ତ୍ର, ଅଘୋର, ମତ୍ତ ମୟୂର, ସୌର ଓ ବୈଷ୍ଣବ ମତର ମହା ସଙ୍ଗମ ଘଟିଛି ସୋନପୁର ସହରରେ ଦିନ ଥିଲା, ସୋନପୁର ର ରାମେଶ୍ୱର ମହାଶ୍ମଶାନ ଅଘୋର ତନ୍ତ୍ର ସାଧନାର ଏକ ପ୍ରସିଦ୍ଧ ପୀଠ ଥିଲା ବହୁ ଅଘୋରୀ ସାଧକ ଏହି ଶ୍ମଶାନରେ ସାଧନା କରୁଥିବାର ଦୃଶ୍ୟ ଆଜି ହୁଏତ ଆଉ ନାହିଁ । ତେବେ ତନ୍ତ୍ର ସାଧନାର ବହୁ ସ୍ମୃତି ଓ ସନ୍ତକ ମହାନଦୀର ବୁକୁରେ ଆଜି ମଧ୍ୟ ଅଲିଭା ହୋଇ ରହିଛନ୍ତି  ସୋନପୁରର ସବୁ ବାଟ ମହାନଦୀ ଘାଟରେ ସରିଥାଏ ସେମିତି ସୋନପୁରର ପ୍ରତ୍ୟେକ ବାସିନ୍ଦାଙ୍କ ସ୍ବପ୍ନ, ସୃଜନ ଓ କଳ୍ପନା ର ମହାସଙ୍ଗମ ହୁଏ ମହାନଦୀରେ  ନଦୀର ପ୍ରତ୍ୟେକ ପଥର ଓ ପ୍ରତିଟି ବାଲିପଠାର ନିର୍ଦ୍ଦିଷ୍ଟ ନାଁ ରହିଛି ସବୁ ପଥରକୁ ନେଇ ରହିଛି କାହାଣୀ ଓ କିମ୍ବଦନ୍ତି  ଯେମିତି ରାମେଶ୍ୱର ମନ୍ଦିର ସାମ୍ନାରେ ହାତୀ ପରି ଶୋଇ ରହିଥିବା ସେ ପଥର - ଲୋକ କଳ୍ପନାରେ ହାତୀ ପଥର ବଢି ପାଣିରେ ଏଇ ପଥର କେବେବି ବୁଡ଼େ ନାହିଁ ରାଜା ଘରର କେଉଁ ଦୁର୍ଦ୍ଦାନ୍ତ ହାତୀ କେତେ ଶହ ବର୍ଷରୁ କେଜାଣି ପଥର ହୋଇ ପଡି ରହିଛି ମହାନଦୀରେ । ସେମିତି ଅଛି ବାଘ ପଥର, ତମ୍ବୁ ପଥର ଓ ଆହୁରି ଅନେକ 


ସୋନପୁର ଅଷ୍ଟ ଶମ୍ଭୁ, ଅଷ୍ଟ ଚଣ୍ଡି ଓ ଅଷ୍ଟ ବିଷ୍ଣୁ ର ସହର ମହାନଦୀ କୁଳରେ ସବୁ ଦେବାଦେବୀ ଦୁଇଟି ଶ୍ମଶାନର ବନ୍ଧନୀ ଭିତରେ ସୋନପୁରର ଅସ୍ତିତ୍ୱ  ପଶ୍ଚିମ ଶ୍ମଶାନର ଅଧିପତି ଗୋକର୍ଣ୍ଣେଶ୍ୱର, ସେଠୁ ଅତି ଅଳ୍ପ ଦୂରରେ ମୁସଲମାନଙ୍କ କବରଖାନା ମୃତ୍ୟୁ ଏଠି ମଣିଷର ସଙ୍କୀର୍ଣ୍ଣ ପରିଚୟକୁ ଭାଙ୍ଗି ଦିଏ । ମଲା ପରେ ମଣିଷ ମାଟି ନଚେତ ପାଉଁଶ ! ଏକ ଉଦାର ଦାର୍ଶନିକତାର ଶ୍ମଶାନମୟୀ ସହର, ଯାହାର ଆରମ୍ଭ ଓ ସମାପ୍ତି ଶ୍ମଶାନରେ  ପୁର୍ବ ଶ୍ମଶାନର ଅଧିପତି ରାମେଶ୍ୱର ସେ ମହାସଙ୍ଗମର ମହାକାଳ ଦୁଇ ଶ୍ମଶାନର ମଝିରେ ଅନେକ ଅନେକ ଘାଟ ଓ ତୁଠ  “କୋଶଳାନନ୍ଦ” କାବ୍ୟର ମହାକବି ପଣ୍ଡିତ ଗଙ୍ଗାଧର ମିଶ୍ର ସୋନପୁରକୁ ଦ୍ବିତୀୟ ବାରାଣସୀ ବୋଲି କହିଛନ୍ତି (ତତଃ ସ୍ବର୍ଣ୍ଣପୁରୀ ପାଦୌ ପୂର୍ଣ୍ଣକାମୀ ମନୋରଥିଃ, ସାକ୍ଷାତ ବାରାଣସୀ ଯୁକ୍ତଂ ପରିତଃ ସଶିବୈଃଶିବୈଃ। ତେଣୁ ଶିବ ଓ ଶିବାଙ୍କର ବିଚରଣ ମହାନଦୀ କୁଳରେ ସବୁଠି 
ସୋନପୁରର ଘାଟ ସବୁ ବିଚିତ୍ର  ସବୁ ଘାଟ ସହ ଗୋଟେ ଗୋଟେ ମନ୍ଦିର  ଘାଟକୁ ଲାଗି କାରିଗର ପଡ଼ା ବା ସାହି ଘାଟ ଶ୍ରେଣୀ ଆରମ୍ଭ ହୁଏ ଗୋକର୍ଣ୍ଣେଶ୍ୱର ଘାଟ ରୁ ତାହା ପରେ ମତ୍ସିନ୍ଦ୍ର ଘାଟ - ବିଖ୍ୟାତ ନାଥ ଯୋଗୀ ମତ୍ସିନ୍ଦ୍ର ନାଥ ଏଠି ସାଧନା କରିଥିଲେ ବୋଲି କୁହାଯାଏ । ତା ପରେ ଧୋବା ଘାଟ, ଘୋଡା ଘାଟ, ଗୌରୀ ଘାଟ, ଦଶମତି ଘାଟ, ରାଜ ଘାଟ, ଗୋପାଲଜୀ ଘାଟ, ଖଣ୍ଡାଧୁଆ ଘାଟଟିକିରୀପଡା ଘାଟ, ତେନ୍ତୁଳି ଘାଟ, ବ୍ରାହ୍ମଣୀ ଘାଟ, ତଲପଡା ଘାଟ, ଭାଗବତ ଘାଟ, କୁମ୍ଭାର ଘାଟ, ଆମ୍ବ ଘାଟ, ପାଚେରୀ ଘାଟ ଓ ଶେଷରେ ରାମେଶ୍ୱର ଘାଟ । ସବୁ ଘାଟ ସହ ଇତିହାସ ଓ କିମ୍ବଦନ୍ତି ଯୋଡି ହୋଇ ରହିଛନ୍ତି  ପାଚେରୀ ଘାଟର ପଥର ତଳେ ଅନେକ ମୁର୍ତ୍ତି ଓ ଦେବୀ ଦେବତା ସେମିତି ରାମେଶ୍ୱର ସମ୍ମୁଖରେ ଏକ ବିଶାଳ କଳା ରଙ୍ଗର ଚଟାଣ - କାଲେଶ୍ ଟାଙ୍ଗର  ବହୁ ପ୍ରାଚୀନ ଚିତ୍ର ଓ ସ୍ଥାପତ୍ୟ ରହିଛି ସେଠି  ଲୋକଶୃତିରେ ସେଠି ତୃତୀୟ ପାଣ୍ଡବ ଭୀମଙ୍କ ପାଦଚିହ୍ନ ରହିଛି ରହିଛି ମଧ୍ୟ ସୀତା ଓ ରାମ ନିଜ ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ ଦେଇ ଥିବାର ସନ୍ତକ । ଏହି ଶିଳା କୁ ଲକ୍ଷ୍ୟ କରି “ତପସ୍ୱିନୀ” ରେ ଗଙ୍ଗାଧର ମେହେର ଲେଖିଥିଲେ  –
ମହାନଦୀ ମହାନଦୀର ମହା ପ୍ରବାହ ଆସି
ରାମେଶ୍ୱର ଶିଳା ସବୁକୁ ଦେଲେ ସଶିରେ ଗ୍ରାସି। (ଦ୍ୱିତୀୟ ସର୍ଗ)

ମହାନଦୀର ପ୍ରବାହ ଚିରି କେବେ ଦିନେ ଯବନ ଗୋଳରୁ ରକ୍ଷା କରିବାକୁ ମହାପ୍ରଭୁ ଜଗନ୍ନାଥ ଚାପରେ ବିଜେ ହୋଇ ଆସିଥିଲେ ସୋନପୁରଠୁ ଅଳ୍ପ ଦୂରରେ ଅବସ୍ଥିତ କୋଟ ସମଲାଇ ଗୁମ୍ଫାକୁ । ନିଳାଦ୍ରୀ ମହୋଦୟ ଗ୍ରନ୍ଥ ଯାହାକି ଜଗନ୍ନାଥ ମନ୍ଦିର ସେବା ପୂଜାର ଶ୍ରେଷ୍ଠ ସୂଚନା ପୁସ୍ତକ ସେଥିରେ ସୋନପୁର ସ୍ଥିତ ମହାନଦୀର ବର୍ଣ୍ଣନା କରି ଏହାକୁ ସାକ୍ଷାତ ଗଙ୍ଗା ବୋଲି ମାନ୍ୟତା ପ୍ରଦାନ କରାଯାଇଛି “ମହାନଦୀ ବିଖ୍ୟାତା ପୂର୍ବ ସାଗର ଗାମିନୀ, ବର୍ତ୍ତତେ ପୃଥିବୀନାଥ, ଗଙ୍ଗେବଃ ମୁକ୍ତିଦାୟିନୀ ‘’
ଇତିହାସ ଓ ମଣିଷ ସଭ୍ୟତାର ବିକାଶଧାରାକୁ ମହାନଦୀ ତାର ପ୍ରବାହରେ ପ୍ରତିବିମ୍ବିତ କରି ଚାଲିଛି । ସୋନପୁର ମହାନଦୀ ଗର୍ଭରେ ରହିଥିବା ଏକ ପ୍ରାଚୀନ କୁଦ “ଅସୁରଗଡ” ର ପ୍ରତ୍ନତାତ୍ତ୍ୱିକ ଖନନରୁ ସେଠାରେ ଏକ ବହୁ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଥିଲା । ଏକଦା ଏହାକୁ ଲଙ୍କାପଶ୍ଚିମ ଲଙ୍କାକାମିତାପୁର ଇତ୍ୟାଦି ନାମରେ ନାମିତ କରାଯାଇଥିବାର ପ୍ରମାଣ ମିଳିଥାଏ ସବୁ ଐତିହାସିକ ଉପାଦାନର ବିଶ୍ଲେଷଣ ତ ଚାଲିଛି ଓ ଚାଲିଥିବ, ତେବେ ମହାନଦୀ ତାହାର ଅନ୍ତହୀନ ପ୍ରବାହରେ ଶାଶ୍ୱତ କାଳର କବିତାକୁ ପ୍ରତି ମୁହୂର୍ତ୍ତରେ ନୂଆ କରି ଛନ୍ଦାୟିତ କରୁଥିବ ମହାନଦୀର ପାଣିକୁ ଛୁଇଁ ଜଣେ ସିଦ୍ଧ କବିର ବଜ୍ରବାଣୀ କେବେବି ଲିଭିବାର ନାହିଁ - ସେଦିନ ମହାନଦୀ ଜଳକୁ ଛୁଇଁ ମାଟିର ମହାକବି ଭୀମ ଭୋଇ ଲେଖିଥିଲେ -
"କହୁଛି ସଂସାରେ ସତୈଶ ଅଙ୍କରେ ସାଧନ ନୋହିଲେ ପୃଥ୍ବୀ
ନିଷ୍ଠୁର ବଚନ ସାଧୁ ସୁଜ୍ଞଜନ ଶୁଣ ଶୁଣ ମୋର ରୀତି
ବସିଥାଇ କୂଳ ମହାନଦୀ ଜଳ ଛୁଉଁ ଅଛି ସତ୍ୟ କରି
ଧର୍ମକୁ ଲଙ୍ଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ ।" (ସ୍ତୁତି ଚିନ୍ତାମଣି -୨୬ ବୋଲି )
ଭୀମ ଭୋଇଙ୍କ କବିତାରେ ମହାନଦୀ ଭିନ୍ନ ଭିନ୍ନ ରୂପ ପରିଗ୍ରହ କରିଛି । କେତେବେଳେ ସେ ମହାସତ୍ୟର ସାକ୍ଷୀ, ପୁଣି କେବେ କବିତାର ସୁତୀବ୍ର ପ୍ରବାହ ତାଙ୍କ ପ୍ରାର୍ଥନାରେ –
"ସାର ଅସାର ଦୁତିୟ ପରକାର ବାତ୍ସଲ୍ୟରେ ପଦ ବସୁ
ବରଷା ଋତୁ ରେ ମହାନଦୀ ପ୍ରାୟ ପଦ ଅର୍ଥ ବଢି ଆସୁ ।" (ସ୍ତୁତି ଚିନ୍ତାମଣି - ୩୦ ବୋଲି )
ଭୀମ ଭୋଇ ଓ ଆହୁରି ବହୁ ସନ୍ଥ ସିଦ୍ଧ କବିଙ୍କର କାବ୍ୟ ସାଧନାର ସାକ୍ଷୀ ମହାନଦୀ ସୋନପୁରର ଅନ୍ୟତମ ସନ୍ଥ କବି ତଥା "ସୁଧାସାର ଗୀତା"ର କବି ଚନ୍ଦ୍ରମଣି ଦାସ, ରାଜକବି ପ୍ରତାପରୁଦ୍ର ଦେବ, ଦାମୋଦର ମିଶ୍ର ଶାସ୍ତ୍ରୀ, ଗୋପୀନାଥ ପାଣିଗ୍ରାହୀ, ଆଦିତ୍ୟ ପ୍ରସାଦ ଗୁରୁ ଓ ଆହୁରି ଅନେକ ମହାନଦୀକୁ ନେଇ ନିଜର କାବ୍ୟ ପ୍ରେରଣାକୁ ଆବିଷ୍କାର କରିଛନ୍ତି । ସୋନପୁରର ରାଜା ପ୍ରତାପରୁଦ୍ର ଦେବ (୧୮୫୩-୧୯୦୨) ତାଙ୍କର ମହାନଦୀ ଅଷ୍ଟକମ୍ ରେ ଏହାର ଚମତ୍କାର ବର୍ଣ୍ଣନା କରିଯାଇଛନ୍ତି 
ମହାନଦୀ ରାଜାକୁ ରାଜ୍ୟଜୟର ମନ୍ତ୍ର ଦେଇଛି, ଋଷିକୁ ଦେଇଛି ମୋକ୍ଷ, ଅଘୋରୀକୁ ଜୀବନ୍ମୁକ୍ତ ହେବାର କଳା ଶିଖେଇଛି, ନର୍ତ୍ତକୀର ପାଦରେ ଛନ୍ଦ ହୋଇ ଖେଳିଛି ମହାନଦୀର ପ୍ରବାହ  ସୋନପୁରର ବୁଣାକାର ନିଜ ମଙ୍ଗାରେ ମହାନଦୀର ତରଙ୍ଗକୁ ବାନ୍ଧ ଓ ରଙ୍ଗଭେଦରେ ଜୀବନ୍ତ କରିଛି ସୋନପୁରର ଚିତ୍ରକାର ନଦୀରୁ, ତାର ଶିଳାରୁ ସଙ୍ଗ୍ରହ କରିଛି ରଙ୍ଗ  ସବୁକିଛିରେ ନଦୀ ଅଛି, ସବୁ କିଛି ନଦୀରେ ସମାହିତ ହୋଇ ଯାଇଛି  ପ୍ରଖର ବଢି ପାଣିରେ ଯେତେବେଳେ ନାଉରିଆ ମଙ୍ଗ ସମ୍ଭାଳି ପାରେ ନାଇଁ, ସେତେବେଳେ ମହାନଦୀ ତା ଲାଗି ପାଲଟି ଯାଏ ମା ଲଙ୍କେଶ୍ୱରୀ ମହାନଦୀର ଏକ ଅକାତକାତ ଗଣ୍ଡ ରହିଛି ସୋନପୁରରେ ଓ ସେଇ ଗଣ୍ଡରେ ବିରାଜିତ ଦେବୀ ଲଙ୍କେଶ୍ୱରୀ  ସେ ସ୍ୱୟଂ ମହାନଦୀ ସ୍ୱରୂପା ତାଙ୍କର ରୂପ କି ବିଗ୍ରହ ନଥିଲା ଏବେ ମହାନଦୀ ମଝିରେ ତିଆରି ହୋଇଛି ଏକ ସୁନ୍ଦର ଦେଉଳ  ମହାନଦୀ ସେଠି ଜୀବନ ଓ ଜୀବିକାର ଦେବୀ । ବହୁ ରୂପ ଓ ସ୍ୱରୂପ ରେ ମହାନଦୀକୁ ସୋନପୁର ଦେଖିଛି  ସେମିତି ସୋନପୁରକୁ ମଧ୍ୟ ମହାନଦୀ ଦେଖିଛି ବହୁ ରୂପ ଓ ଐଶ୍ୱର୍ଯ୍ୟରେ  କେବେ ସୋମବଂଶର ରାଜଧାନୀ, କେବେ ମହାରାଣୀ ଲକ୍ଷ୍ମିଂକରାଙ୍କ ବଜ୍ରଯାନ ତନ୍ତ୍ରର ତପୋଭୂମି ଭାବରେ, କେବେ ପୁଣି କିଶୋର କାହ୍ନୁଚରଣ ଓ ଗୋପୀନାଥ ମହାନ୍ତିଙ୍କ ପ୍ରେରଣାଦାୟିନୀ ଭାବରେ - ଅନେକ ଅନେକ ବର୍ଷ ପରେ ପୃଥିବୀର ଏକମାତ୍ର ସହର ଯେଉଁଠି ଜନସଂଖ୍ୟା କମି ଯାଉଥିବାର ଏକ ବିରଳ ପ୍ରତୀକ ଭାବରେ; ସୋନପୁର ଓ ମହାନଦୀ ପରସ୍ପରକୁ ନିବିଡ ଭାବରେ ଧରି ରଖିଛନ୍ତି ନିଜ ନିଜର ବାହୁ ବନ୍ଧନରେ

ପର୍ବତରେ ଧର୍ମୋପଦେଶ - ୧୦


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଲୁଥରଙ୍କର ବାଇବେଲ (୧୫୩୪ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପରର ଚର୍ଚ୍ଚା କର ନାହିଁ, ତେଣୁ ତୁମ୍ଭର ଚର୍ଚ୍ଚା ହେବ ନାହିଁ । ଯେହେତୁ ଯେପରି ଚର୍ଚ୍ଚାରେ ଚର୍ଚ୍ଚା କର, ସେପରି ତୁମର ଚର୍ଚ୍ଚା ହେବ; ଓ ଯେପରି ମାପରେ ମାପ କର, ସେପରି ମାପରେ ପରିଶୋଧ ପାଇବ । ଆଉ ଆପଣା ଆକ୍ଷରେ ଯେଉଁ କଡ଼ିକାଠ ଅଛି, ତାହା ନ ଦେଖି ତୁମ୍ଭ ଭାଇର ଚକ୍ଷୁରେ ଯେଉଁ କୁଟା ଅଛି ତାକୁ କାହିଁକି ଦେଖୁଅଛ ?  ତୁମ୍ଭ ନିଜ ଚକ୍ଷୁରେ କଡ଼ି କାଠ ଥାଉଁ ଥାଉଁ, ହେ ଭାଇ, ତୁମ୍ଭ ଚକ୍ଷୁରୁ କୁଟା ବାହାର କରିବାକୁ ଦିଅ, ଏପରି କଥା ଆପଣା ଭାଇକି କିପ୍ରକାରେ କହି ପାରିବ ?  ହେ କପଟି, ଆଗ ଆପଣା ଚକ୍ଷୁରୁ କଡ଼ି କାଠ କାଢ଼, ତହିଁରେ ଦୃଷ୍ଟି ନିର୍ମଳ ହେଲେ ତୁମ୍ଭ ଭାଇର ଚକ୍ଷୁରୁ କୁଟା କାଢ଼ି ପାରିବ । ପବିତ୍ର ବସ୍ତୁ  କୁକ୍କୁରମାନଙ୍କୁ ଦିଅ ନାହିଁ, ଓ ତୁମ୍ଭମାନଙ୍କର ମୁକ୍ତା ଘୁଷୁରି ଆଗରେ ପକାଅ ନାହିଁ; ପଛେ ସେମାନେ ଗୋଡ଼ ତଳେ ତାହା ଦଳନ୍ତି, ଓ ଫେରି ତୁମ୍ଭମାନଙ୍କୁ ବିଦାରଣ କରନ୍ତି ।   

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

Saturday, March 25, 2017

ଶ୍ରୀମଦ ଭାଗବତ - ମୋହିନୀଙ୍କ ଦ୍ୱାରା ଶଙ୍କରମୋହନ ଉପାଖ୍ୟାନ  

ଅଷ୍ଟମ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ 


ଆଲିଙ୍ଗନରତ ଇଶ୍ୱର ଓ ମୋହିନୀ
କୋଚିର ମତ୍ତନଚେରୀ ଉଆସର ଭିତ୍ତିଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶୁକ କହନ୍ତି ତୋଷମନ । ଶୁଣ ଅଭିମନ୍ୟୁ-ନନ୍ଦନ ।୧।

ଶୁକ ଉବାଚ

କୃଷ୍ଣ ଯେ ମୋହିନୀ-ସ୍ୱରୂପେ । ଅମୃତ ହରି ମୋହକଳ୍ପେ ।୨।

ଦେବଙ୍କୁ କରାଇଲେ ପାନ । ମାୟାମୋହିନୀ ଭଗବାନ ।୩।
ସେ କଥା ଶୁଣି ବିପରୀତ । ବୃଷେ ଆରୋହି ବିଶ୍ୱନାଥ ।୪।
ସକଳ ଭୂତଗଣ ମେଳେ । ଅମ୍ବିକା ଘେନି ନିଜକୋଳେ ।୫।
ଦେଖିବା ଅର୍ଥେ ଗଲ ହର । ଯହିଁ ବିଜୟେ ମାୟାଧର ।୬।
ଗୋବିନ୍ଦ ରୁଦ୍ର ଦେଖି ତୋଷେ । ଆସନେ ବସାଇ ହରଷେ ।୭।
ପୂଜିଲେ ହରଗୌରୀ ପାଦେ । ରୋମହରଷ ଗଦଗଦେ ।୮।
ସାନନ୍ଦ ସେ ହରଗଉରୀ । ହରଷେ ହସ୍ତେ ହସ୍ତ ଧରି ।୯।
ସନ୍ତୋଷ କରି କୃଷ୍ଣମନ । ବୋଲନ୍ତି ମଧୁର-ବଚନ ।୧୦।

ମହାଦେବ ଉବାଚ

 ହେ ଦେବଦେବ ଜଗଦ୍‌ବ୍ୟାପୀ । ଜଗଦୀଶ୍ୱର ବିଶ୍ୱରୂପୀ ।୧୧।

ସର୍ବ ଶରୀରେ ଆତ୍ମାରୂପେ । ତୁ ନାଥ ବସୁ ମୋହକଳ୍ପେ ।୧୨।
ସକଳ ହେତୁ ତୋ ଗୋଚର । ତୁ ନାଥ ଧର୍ମ-ନିରାକାର ।୧୩।
ନାହିଁ ତୋ ଆଦି ମଧ୍ୟ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ ।୧୪।
ଚରଣ କମଳ ତୋହର । ଚିନ୍ତନେ ଶ୍ରେୟ ପ୍ରାଣୀଙ୍କର ।୧୫।
ବିଷୟ-ସଙ୍ଗ ଦୂର କରି । ମୁନି ସନ୍ନ୍ୟାସୀ ବ୍ରହ୍ମଚାରୀ ।୧୬।
ଚିନ୍ତନ୍ତି ତୋ ଚରଣ ହୃଦେ । ଅନ୍ତେ ପଶନ୍ତି ମୋକ୍ଷପଦେ ।୧୭।
ତୁ ପୂର୍ଣ୍ଣବ୍ରହ୍ମ ସୁଧାସାର । ନିର୍ଗୁଣ ବିଶୋକ-ମନ୍ଦିର ।୧୮।
ଆନନ୍ଦ-ମାତ୍ର ନିର୍ବିକାର । ଅନ୍ୟୋନ୍ୟେ ଥାଇ ତୁ ଅନ୍ତର ।୧୯।
ବିଶ୍ୱର ହେତୁ ନିରଞ୍ଜନ । ସ୍ଥିତି ଉଦୟ ସଞ୍ଜମନ ।୨୦।
ଆତ୍ମାର ଆତ୍ମଜ୍ଞାନରୂପୀ । ଏଣୁ ଅଶେଷ-ଦେହବ୍ୟାପୀ ।୨୧।
ସୁବର୍ଣ୍ଣ-କୁଣ୍ଡଳକ ପ୍ରାୟେ । ସ୍ୱଭାବେ ଅଭେଦ ତୋ ଦେହେ ।୨୨।
ଅଜ୍ଞାନୀ ଦମ୍ଭେ ତୋରଠାରେ । ବିକଳ୍ପ ବିକଳ୍ପ ସଂସାରେ ।୨୩।
ତୁ ନିରୁପାଧି ତୋର ଗୁଣେ । ଭେଦ କରନ୍ତି ଅକାରଣେ ।୨୪।
ସଦ ଅସଦ ପରେ ସ୍ଥିତି । ପରମ ପୁରୁଷ କେ ଚିନ୍ତି ।୨୫।
ସଦ ଅସଦ ଏକ ରୂପୀ । ଅବ୍ୟୟ ଆତ୍ମା ବିଶ୍ୱବ୍ୟାପୀ ।୨୬।
ତୁ ବ୍ରହ୍ମ ହେତୁ ଚିଦାନନ୍ଦ । ଅନାଦିକନ୍ଦ ଆଦିକନ୍ଦ ।୨୭।
ପ୍ରକୃତି ପୁରୁଷ ରୂପର । କେ ସାଂଖ୍ୟେ କରନ୍ତି ବିଚାର ।୨୮।
ଅନ୍ୟେ ବଦନ୍ତି ନବଶକ୍ତି । ଯେ ଅବା ଛନ୍ତି ପାଞ୍ଚରାତ୍ରି ।୨୯।
ଅବ୍ୟୟ ଆତ୍ମତନ୍ତ୍ରରୂପୀ । ତୁ ନାଥ ଠୁଳଶୂନ୍ୟ ବ୍ୟାପୀ ।୩୦।
ମୁଁ ବ୍ରହ୍ମା ଦେବ ମୁନି ଯେତେ । ତୋ ମାୟାବଳେ ଏ ଜଗତେ ।୩୧।
ତୋ ରୂପ ନ ଜାଣନ୍ତି କେହି । ଦୁଷ୍ଟେ ଜାଣିବେ ଅବା କାହିଁ ।୩୨।
ଜଗତ ଜାତ ସ୍ଥିତି ନାଶ । ଭୂତଙ୍କ ଦେହେ ତୋ ପ୍ରକାଶ ।୩୩।
ଜୀବର ବନ୍ଧ-ମୋକ୍ଷ ବେନି । ତୁ ନାଥ କରୁ ମାୟା ଘେନି ।୩୪।
ଆକାଶେ ଯେହ୍ନେ ବାୟୁ ରହେ । ପାର୍ଥିବରେଣୁ ବହେ ଦେହେ ।୩୫।
ତୋ ଦେହେ କେହି ନ ଲାଗନ୍ତି । ଏମନ୍ତ ଈଶ୍ୱରର ଗତି ।୩୬।
ସଚରାଚର ତୋର ଦେହେ । ପବନେ ରେଣୁ ପ୍ରାୟ ରହେ ।୩୭।
ତୁ ଏ ସଂସାର-ଉପକାରୀ । ତ୍ରିଗୁଣେ ନାନାରୂପ ଧରି ।୩୮।
ଯେତେ ସାଧିଲୁ କ୍ରୀଡ଼ାଅର୍ଥେ । ସେ ରୂପେ ଦେଖିଲି ମୁଁ ତୋତେ ।୩୯।
ଏବେ ଯେ ସମୁଦ୍ର-ମନ୍ଥନେ । ଦେବ ଦାନବ ଏକମନେ ।୪୦।
ଅମୃତ ଅର୍ଥେ ଅନ୍ୟଅନ୍ୟେ । ତା ଦେଖି ଦେବେ ଦୁଃଖମନେ ।୪୧।
ତୋତେ ଚିନ୍ତିଲେ ଧ୍ୟାନ କରି । ତୁ ନାଥ ମାୟାରୂପ ଧରି ।୪୨।
ମୋହିନୀରୂପେ ଭଗବାନ । ମୋହିଲୁ ଅସୁରଙ୍କ ମନ ।୪୩।
ସେ ରୂପ ଦେଖାଅ ତୁ ମୋତେ । ଦେଖିବି ଗଉରୀ ସମେତେ ।୪୪।
ଯେ ରୂପ ପରମମଙ୍ଗଳେ । ମୁଁ ତା ଦେଖିବି କୁତୂହଳେ ।୪୫।
ଏମନ୍ତେ ରୁଦ୍ରବାଣୀ ଶୁଣି । ହସି ବୋଲନ୍ତି ଚକ୍ରପାଣି ।୪୬।


ଭଗବାନ ଉବାଚ 

ଅସୁରେ ସୁଧା ନେଲେ ବଳେ । ମୁହିଁ ଯେ ଦେବଙ୍କ ବିକଳେ ।୪୭।

ମାୟାମୋହିନୀ ରୂପ ଧରି । ଅସୁରଗଣେ ମାୟା କରି ।୪୮।
ଅମୃତ ଦେବଗଣେ ଦେଲି । ପୁଣି ସେ ରୂପ ସଂହରିଲି ।୪୯।
ଏବେ ତୁ ଦେଖିବାର ଆଶେ । ଯେବେ ମିିଳିଲୁ ମୋର ପାଶେ ।୫୦।
ସେ ରୂପ ଦେଖାଇବି ମୁହିଁ । ଯେବେ ସମ୍ଭାଳିପାରୁ ତୁହି ।୫୧।
କାମୀମାନଙ୍କ ମହାମୋହ । ପୁରୁଷ କେ ଧରିବ ଦେହ ।୫୨।
ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ ମହାରାୟେ ।୫୩।



ଶୁକ ଉବାଚ

ଏମନ୍ତ କହି ଭଗବାନ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ।୫୪।
ରୁଦ୍ର ଚାହାଁନ୍ତି ଦଶଦିଶେ । ଗଉରୀ ସଙ୍ଗେ ପ୍ରିୟବଶେ ।୫୫।

ଅଗ୍ରେ ଯେ ଅଛି ଉପବନ । ନାନା କୁସୁମେ ତରୁଘନ ।୫୬।
ତହିଁ ବିଜୟେ ଦଇତ୍ୟାରି । ଜଗମୋହିନୀ ରୂପ ଧରି ।୫୭।
କରେ କନ୍ଦୁକ ସାର ଶୋହେ । ଯେ ରୂପେ ଜଗୁଜନ ମୋହେ ।୫୮।
ନିତମ୍ବେ ବେଷ୍ଟିତ ଅମ୍ବର । କଟି-ମେଖଳା ରତ୍ନସାର ।୫୯।
ହୃଦେ କମ୍ପଇ ଘନ-କୁଚ । ହାର କାଞ୍ଚଲା ଅତି ସଞ୍ଚ ।୬୦।
ଅତି ସୁସଞ୍ଚ କ୍ଷୀଣମଝା । କି ପଟାନ୍ତର ଦେବା ଦୁଜା ।୬୧।
ସ୍ୱଭାବେ ଡମ୍ବରୁ ଆକାର । ଖଚିତ ନାନା ଅଳଙ୍କାର ।୬୨।
ଶିର ସୀମନ୍ତ ମିଣମୟେ । ନୀଳ-ଅଳକେ ମୁଖଶୋହେ ।୬୩।
ଶିରେ ସୁନ୍ଦର ଭୁରୁ ସାଜେ । ଚଞ୍ଚଳ-ଲୋଚନ ବିରାଜେ ।୬୪।
ଭାଲେ ସିନ୍ଦୂରବିନ୍ଦୁ ସାଜେ । କମଳଲୋଚନ ବିରାଜେ ।୬୫।
ହେମକୁଣ୍ଡଳ ଶୋହେ କର୍ଣ୍ଣେ । ଦଶନ ହସିତ-ବଦନେ ।୬୬।
କବରୀ ମଧ୍ୟେ ପୁଷ୍ପ ଦିଶେ । କି ଏ କନ୍ଦର୍ପ ଦେଖି ହସେ ।୬୭।
କବରୀ ଶ୍ଳଥ ଫିଟେ ବାସ । କରଇ କନ୍ଦର୍ପ ବିକାଶ ।୬୮।
ଅଳକା ତୋଳେ କାମକରେ । ସୁରଙ୍ଗ ଅଙ୍ଗୁଳି ଅଗ୍ରରେ ।୬୯।
କନ୍ଦୁକ ଦକ୍ଷକରେ ଧରି । ସେ ଲୀଳା ଲୁବ୍‌ଧେ ମୋଦଭରି ।୭୦।
ଏମନ୍ତ ରୂପ ହର ଦେଖି । ପିଛାଡ଼ି ନ ପାରନ୍ତି ଆଖି ।୭୧।
ଲୀଳା କଟାକ୍ଷେ ରୂପ ଚାହିଁ । ହୃଦୟେ ଚିତ୍ତ ନ ରହଇ ।୭୨।
ସ୍ୱଗଣ-ଗଉରୀ-ସମେତେ । ସକଳେ ଚାହାନ୍ତି ଚକିତେ ।୭୩।
ଏମନ୍ତେ ମୋହିନୀର କରେ । ଥିଲା କନ୍ଦୁକ ଖସି ଧୀରେ ।୭୪।
ତକ୍ଷଣେ ଭୂମିରେ ପଡ଼ିଲା । ପଡ଼ି ଅନେକ ଦୂର ଗଲା ।୭୫।
କନ୍ଦୁକ ଆଣିବାର ଛଳେ । ବୃକ୍ଷ-ଉହାଡ଼େ ଅତି ଖରେ ।୭୬।
ଧାମନ୍ତେ ଅଦ୍‌ଭୁତ-ଅବଳା । କୁଚରୁ ବସ୍ତ୍ର ଉଡ଼ିଗଲା ।୭୭।
ପବନେ ଉଡ଼େ ଜାନୁବାସ । ଜାନୁଯୁଗଳ ହେଲା ଦୃଶ୍ୟ ।୭୮।
ପବନେ ଉଡ଼ିଯାନ୍ତେ ବାସ । ରୂପ ଦେଖିଣ ହର ବଶ ।୭୯।
ବସ୍ତ୍ର ତୋଳନ୍ତି ବାମହସ୍ତେ । ପୀଡ଼ିତ ଲଜ୍ଜା-ଭୟ-ଚିତ୍ତେ ।୮୦।
ଅଳକା ଅଙ୍ଗୁଳିର ଅଗ୍ରେ । କପୋଳୁ ତୋଳେ ଅତି ବ୍ୟଗ୍ରେ ।୮୧।
ଏମନ୍ତ ରୂପ ତାର ଦେଖି । ଶଙ୍କର ଗଉରୀ ଉପେକ୍ଷି ।୮୨।
ମନ ବୁଡ଼ିଲା ତାର ସଙ୍ଗେ । ମଦନବାଣ ପୀଡ଼େ ଅଙ୍ଗେ ।୮୩।
ଉମା ଦେଖନ୍ତେ ଲଜ୍ଜା ଛାଡ଼ି । ଧାମନ୍ତି କାମେ ମନ ବୁଡ଼ି ।୮୪।
ହରକୁ ଦେଖି ବେଗେ ଧାଇଁ । ବୃକ୍ଷ-ଗହଳେ ସେ ଲୁଚଇ ।୮୫।
ରୁଦ୍ର ଧାଇଁଲେ ଅତି ବେଗେ । ମିଳିଲେ ବୃକ୍ଷଙ୍କର ଲାଗେ ।୮୬।
ବୃକ୍ଷକୁ ବୃକ୍ଷ ଯାନ୍ତି ଗଳି । ହସ୍ତ ଦେଖାନ୍ତି ବେଗେ ତୋଳି ।୮୭।
ଦେଖି ଧାମନ୍ତି ରୁଦ୍ର ବେଗେ । ବସନ ନାହିଁ କଟିଭାଗେ ।୮୮।
ଜଟା-କଳାପ ଅସମ୍ଭାଳ । କପୋଳୁ ଗଳେ ଶ୍ରମ ଝାଳ ।୮୯।
କରିଣୀ ଦେଖି ଯେହ୍ନେ ଗଜ । ଧାମଇଁ ଉଚ୍ଚେ ତୋଳି ଭୁଜ ।୯୦।
ରୁଦ୍ର ଧଇଲେ ତାଙ୍କୁ କୋଳେ । ଆବୋରି ବେନିଭୁଜେ ବଳେ ।୯୧।
ପୁଣି ମୋହିନୀ କରୁଁ ଗଳି । ଧାମଇଁ ଜାନୁବସ୍ତ୍ର ତୋଳି ।୯୨।
କବରୀଭାର ଫିଟି ତଳେ । ବିଞ୍ଚି ପଡ଼ନ୍ତି ଫୁଲମାଳେ ।୯୩।
ପୁଣି ଧରନ୍ତେ ହର କୋଳେ । ମୋହିନୀ ଗଳେ ଭୁଜତଳେ ।୯୪।
ମୁକୁଳା କେଶ ଅଧୋମୁଖେ । ଧାମଇଁ ବଦନ-ସୁରେଖେ ।୯୫।
ପୃଥୁ-ନିତଙ୍କ ଚଳେ ଧୀରେ । ପୁଣି ଧଇଲେ ରୁଦ୍ର କୋଳେ ।୯୬।
ଏମନ୍ତେ ବିଷ୍ଣୁମାୟା ବଳେ । ଶଙ୍କର ମଦନ ଆକୁଳେ ।୯୭।
ବଇରୀ-ବାଣେ ସେ ବିକଳେ । ପୁଣି ଧରନ୍ତି କାମଭୋଳେ ।୯୮।
ପୁଣି ପଳାନ୍ତି ଭୁଜ ତୋଳି । ରୁଦ୍ର-ଶରୀରୁ ରେତ ଗଳି ।୯୯।
ସୁରଭୀ ଅର୍ଥେ ବୃଷ ଯେହ୍ନେ । ଧାମଇଁ ଉଠିଣ ଅଜ୍ଞାନେ ।୧୦୦।
ରେତ ପଡ଼ିଲା ଯହିଁ ତହିଁ । ମୋହିନୀ ବେଶେ ମୋହ ପାଇ ।୧୦୧।
ସୁନା ରୂପା ହେଲା ତକ୍ଷଣେ । ଲତା-ଗହନ-ଘୋରବନେ ।୧୦୨।
ନଦୀ-ପର୍ବତ-ସରୋବରେ । ପଡ଼ଇ ରେତ ବୃଷ୍ଟିଧାରେ ।୧୦୩।
ଏମନ୍ତେ ବିଷ୍ଣୁମାୟା-ବଶେ । ଶଙ୍କର ଧାଇଁ ବନଦେଶେ ।୧୦୪।
ନିରାଶ ହୋଇ ନିବର୍ତ୍ତିଲେ । ଗଉରୀ ନିକଟେ ମିଳିଲେ ।୧୦୫।
ବିଷ୍ଣୁମାୟାରେ ମୋହି ମନ । ରୁଦ୍ର ହୋଇଲେ ଛନଛନ ।୧୦୬।
ଈଶ୍ୱର ଦୁଃଖ କୃଷ୍ଣ ଦେଖି । ମୋହିନୀ ଶରୀର ଉପେକ୍ଷି ।୧୦୭।
ନିଜ ମୂରତି ଧରି ହରି । ଶଙ୍କର ପାଶେ ବିଜେ କରି ।୧୦୮।
କହନ୍ତି ରୁଦ୍ର-ମୁଖ ଚାହିଁ । କୋମଳ-ବାକ୍ୟେ ଭାବଗ୍ରାହୀ ।୧୦୯।
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଦେଖିଣ ଈଶ୍ୱର-ଆରତ ।୧୧୦।

ଭଗବାନ ଉବାଚ



ହେ ଦେବଦେବ ବିଶ୍ୱନାଥ । ତୁ ହେଲୁ ମାୟାରେ ମୋହିତ ।୧୧୧।


ଅଶେଷଜନ ମାୟାବଳେ । ଭ୍ରମନ୍ତି ଅବନୀମଣ୍ଡଳେ ।୧୧୨।
ନାନା ପ୍ରକାରେ ତନୁ ଧରି । କେବା ପାରିବ ମାୟା ତରି ।୧୧୩।
ଭୋ ରୁଦ୍ର ମହିମା ତୋହର । ଅଜ୍ଞାନୀଜନେ ଅଗୋଚର ।୧୧୪।
ଯେ ବିଷ୍ଣୁମାୟା ଗୁଣମୟୀ । ସେ ମାୟା କଳି ତ ନୁହଁଇ ।୧୧୫।
ତୁ ନାଥ ନିଜ ମାୟାବଳେ । ତ୍ରିଗୁଣ ଗ୍ରାସୁ ଅନ୍ତଃକାଳେ ।୧୧୬।
ଶୁକ ଶ୍ରୀକୃଷ୍ଣପାଦ ଧ୍ୟାୟି । କହନ୍ତି ପରୀକ୍ଷିତ ଚାହିଁ ।୧୧୭।



ଶୁକ ଉବାଚ

ଶୁଣ ରାଜନ ଏକଚିତ୍ତେ । ହରଙ୍କୁ ପ୍ରବୋଧି ଏମନ୍ତେ ।୧୧୮।
ଶିବଙ୍କୁ ପ୍ରଦକ୍ଷିଣ କରି । ନିଜ ଭୁବନେ ଗଲେ ହରି ।୧୧୯।
ରୁଦ୍ର ଭବାନୀଗଣ ତୁଲେ । ନିଜ ଭୁବନେ ବିଜେ କଲେ ।୧୨୦।
ଋଷିଙ୍କ ମଧ୍ୟେ ହର ବସି । ବିଷ୍ଣୁଙ୍କ ମାୟା ପରଶଂସି ।୧୨୧।


ଈଶ୍ୱର ଉବାଚ



ଶୁଣ ଅଶେଷ ଋଷିବରେ । ବିଷ୍ଣୁର ମାୟା ଏ ଶୟଳେ ।୧୨୨।

ଅଶେଷ-ଜନ-ମନ ହରେ । କେବା ଏ ସଂସାରୁ ନିସ୍ତରେ ।୧୨୩।
ଶୁଣ ଗୋ ପ୍ରିୟେ କହି ଯାହା । ଦେଖିଲ ବିଷ୍ଣୁଙ୍କର ମାୟା ।୧୨୪।
ମୁଁ ମାୟାଧରଙ୍କର ଈଶ । ତା ମାୟା ଦେଖି କଲି ତ୍ରାସ ।୧୨୫।
ତା ମାୟାବଳେ ମୋହେ ଶିବ । ଆନ କେ ସେ ମାୟା ତରିବ ।୧୨୬।
ବିଷ୍ଣୁର ମାୟା ଅଗୋଚର । ଯହିଁ ଭ୍ରମନ୍ତି ବ୍ରହ୍ମାସୁର ।୧୨୭।
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ।୧୨୮।


ଶୁକ ଉବାଚ


ଏମନ୍ତ ଶ୍ରୀକୃଷ୍ଣ ମହିମା । କେ କହିପାରେ ଗୁଣସୀମା ।୧୨୯।
ଯେ ହରି ଜଗତ ଉଦ୍ଧରେ । କପଟେ କୂର୍ମରୂପ ଧରେ ।୧୩୦।
ତାର ଚରିତ ଶୁଣି କର୍ଣ୍ଣେ । ମୁଖେ ଗୁଣନ୍ତି ଯେବା ଜନେ ।୧୩୧।
ଯେ ଅବା ପ୍ରସ୍ତାବେ କହନ୍ତି । ଘୋର ସଂସାରୁ ତରିଯାନ୍ତି ।୧୩୨।
ଅଷ୍ଟମ ସ୍କନ୍ଧେ ହରି-ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।୧୩୩।
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ।୧୩୪।




ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଶଙ୍କରମୋହନଂ ନାମ ଦ୍ୱାଦଶୋଽଧ୍ୟାୟଃ । ।

[ଉତ୍ସ - ଓଡ଼ିଆ ୱିକିସୋର୍ସ ]

କଳାହାଣ୍ଡିର ପିଲା କାନ୍ଦୁଥିଲେ ବୁଝାଇବା ଗୀତ 


ଉତ୍ତର ଥାଇଲ୍ୟାଣ୍ଡର ପାଦାଉଙ୍ଗ ଜନଜାତିର ଶିଶୁ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆମ କୁନାବାବୁ ବନେ
କାନ୍ଦିଲେ କାନ୍ଦିବ ଦିନକେ ଛନେ
ଖେଲୁଥିବି ମନେମନେ
ମୋ କୁନା ରେ ।

ଆହାରେ ମୋ ଧନମାଲୀ
ଆମର କୁନାକୁ କେ ଦେଲା ଗାଲି ରେ
ଧନ, ରସ ବହେ ଥାଲି ଥାଲି, ମୋ ଧନରେ ।

ହାଣ୍ଡିର ଚାଉଲ ଉଣା
କୁନାର ବୁଆ ତ ଯାଇଚେ ଜୟପାଟଣାରେ
ଧନ, କୁନାକୁ ଆଣିଦେବେ ଗଣ୍ଠିର ସୁଣା,
ମୋର ପୁଅରେ ।

ତୁଇ ଖାଇଲେ ତୁନି ହୁଅନା, ମୋ ଧନରେ ।

ଆମ କୁନା ବାବୁ ବନେ
ଭୋକ ଲାଗିଗଲେ କାନ୍ଦିବ ଛନେ
ମୋ ମାଲୀରେ ।

ଧନ, ହସୁଥିବ ମନେମନେ,
ମୋ ଧନରେ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Friday, March 24, 2017

ଭାରତ ମାତା କି ଜୟ ଭାରତ ମାତା ଅସରନ୍ତି ଲୁହ

କେଦାର ମିଶ୍ର


ଜବାହରଲାଲ ନେହରୁ ଓ ରବୀନ୍ଦ୍ରନାଥ ଠାକୁର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ - କଟକ ସହରର ଇଦଗା ପଡିଆ ସମବେତ ଉତ୍କଳ ପ୍ରାୟ ପାଞ୍ଚ ଶହ ବିଶିଷ୍ଟ ନାଗରିକଙ୍କ ଆଗରେ ସେଦିନ ଚାରୋଟି ସଙ୍ଗୀତ ଗାନ କରାଯାଇଥିଲା  ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି ପ୍ରଥମ ଉତ୍କଳ ସମ୍ମିଳନୀ ରେ ଆମେ ଓଡିଆ ଜାତୀୟତା ଭାରତୀୟ ଜାତୀୟତା ଏକ ରୋମାଞ୍ଚକର ସମନ୍ୱୟ ଦେଖିବାକୁ ପାଇଲୁ ସେଦିନ ପ୍ରଥମ ଥର ଲାଗି ଭାରତକୁ ମାତା ବୋଲି ସମ୍ବୋଧନ କରି ସଂସ୍କୃତ ବଙ୍ଗଳା ଭାଷା ରେ ଦୁଇଟି ଗୀତ ଗାନ କରା ଯାଇଥିଲା । ସଂସ୍କୃତ ଗୀତଟି ଥିଲା କବିବର ରାଧାନାଥ ରାୟଙ୍କ ରଚିତ "ସର୍ବେଶାମ୍ ନୋ ଜନନୀ ଭାରତ ଧରଣୀ କଲ୍ପଲତେୟଂ ।"ଏବଂ ଏହି ଗୀତ ସହିତ ଦେଶକୁ ମା ଭାବରେ ପୂଜା କରିବାର ଜାତୀୟ ଚେତନା ବୋଧ ହୁଏ ରାଜନୈତିକ ସ୍ତରରେ ବିକଶିତ ହୋଇଥିଲା ଏହା ପୂର୍ବରୁ ଓଡିଆ ସାହିତ୍ୟରେ କୋଉଠି ହେଲେ ଦେଶ କୁ ମା ଅଥବା ଦେବୀ ଭାବରେ ଚିତ୍ରିତ କରା ଯାଇ ନାହିଁ ଦେଶ ସବୁବେଳେ "ଭାରତ ବର୍ଷ"  ଏହା ପୂଂ ଲିଙ୍ଗ ବାଚକ ଭାବରେ ବିବେଚିତ  ଉତ୍କଳ ସମ୍ମିଲନୀ, ଭାରତ ଜନନୀ ଉତ୍କଳ ଜନନୀ ଙ୍କୁ ଏକା ମଞ୍ଚରେ ଏକା ସାଙ୍ଗରେ ପ୍ରତିଷ୍ଠିତ କରୁଛନ୍ତି  

ଉତ୍କଳ ସମ୍ମିଳନୀ ପ୍ରଥମ ଅଧିବେଶନରେ ବୋଲା ଯାଇଥିବା ବଙ୍ଗାଳୀ ଗୀତଟି ଭାରତ ଜନନୀଙ୍କୁ ଲୁହ ଜରଜର କରୁଣ ଭାବରେ ବର୍ଣ୍ଣନା କରିଛି “ଜନନୀ ଦୁଖିନୀ କେନ ମଲିନ ବଦନ, ଅଶ୍ରୁ ନୀରେ ଭାସେ କେନ କମଲ ନୟନ ...”. ଉତ୍କଳ ସମ୍ମିଲନୀ ରେ ବଙ୍ଗଳା ଭାଷା ରେ ରଚିତ ଏହି ସଙ୍ଗୀତରେ ଉତ୍କଳ ଲାଗି କୌଣସି ବାର୍ତ୍ତା ନଥିବା ବେଳେ ଏଥିରେ ଭାରତ ମାତା ବ୍ୟଥା ବେଦନାକୁ ଦୂର କରି ଏକତା ସୂତ୍ର ରେ ବାନ୍ଧି ହେବାକୁ ଭାରତୀୟଙ୍କୁ ହ୍ୱାନ ଦିଆ ଯାଇଛି ରାଧାନାଥ କିନ୍ତୁ ତାଙ୍କର ଭାରତ ଗୀତିକା ରେ ଭାରତ ମାତା ଉତ୍କଳ ମାତଙ୍କୁ ଗୋଟିଏ ସୂତ୍ର ରେ ଗୁନ୍ଥିଛନ୍ତି ଆପାତତଃ ଏହାହିଁ ଓଡିଶା ଜାତୀୟ ବୌଧିକ ଜୀବନରେ ଭାରତ ମାତାର ପ୍ରଥମ ଉଦୟ ତାପରେ ମଧୁସୂଦନ ରାଓଙ୍କ ତୁହିମା "ଜନମ ଭୂମି ପବିତ୍ର ଭାରତ ଭୂମି", ଦେଶ କୁ ମାତା ରୂପରେ ପୂଜା କରିବାର ପରମ୍ପରା କୁ ପ୍ରତିଷ୍ଠା ଦେଇଛି

ଏହି ଐତିହାସିକ ପୃଷ୍ଠଭୂମି କୁ ଉଦାହରଣ ଭାବରେ ବ୍ୟବହାର କରି ଏବେ ମୂଳ ପ୍ରସଙ୍ଗକୁ ଆସିବା ଓଡିଶା ପରି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ଜାତୀୟତା ଓ ଦେଶ ବନ୍ଦନାର ପରମ୍ପରା ନିର୍ମାଣ ହୋଇଛି ସ୍ବାଧିନତା ଆନ୍ଦୋଳନ ଏହି ସବୁ ପରମ୍ପରାକୁ ଏକାଠି କରି ଏକ ସର୍ବଜନଗୃହିତ ଓ ସର୍ବଜନ ସମ୍ମତ ଏକ ଜାତୀୟତାକୁ ପୁନଃପ୍ରତିଷ୍ଠା ଦେଇଛି ଜାତୀୟତାର ନବ ନିର୍ମାଣ ପର୍ବରେ ଭାରତ ମାତାର ସଂଜ୍ଞା ନିରୂପଣ କରିବାକୁ ଯାଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କର “ଡିସ୍କଭରୀ ଅଫ ଇଣ୍ଡିଆ” ପୁସ୍ତକର ତୃତୀୟ ଅଧ୍ୟାୟ ରେ ଲେଖିଥିଲେ – “ସ୍ୱାଧିନତା ଆନ୍ଦୋଳନ ସମୟରେ ଗୋଟେ ସଭାରୁ ଆଉ ଗୋଟେ ସଭାକୁ ଘୂରିବୁଲିବା ବେଳେ ମୁଁ ଲୋକ ମାନଙ୍କୁ ଆମର ଦେଶ କଥା କହୁଥିଲି ଦେଶ କହିଲେ ଆମେ ହିନ୍ଦୁସ୍ତାନ ବା ଭାରତ ବୋଲି ବୁଝୁ ଭାରତ ସେଇ ପୁରାଣ ପ୍ରସିଦ୍ଧ ରାଜାଙ୍କ ନାମରେ ନାମିତ । ମୁଁ ଏ ଦେଶର କୃଷକ ମାନଙ୍କ ଠାରୁ ଜାଣିବାକୁ ଚାହୁଁଥିଲି ସେମାନେ ଦେଶ କୁ କେମିତି ବୁଝନ୍ତି ଏ ଦେଶର ଚାଲିଚଳଣ ଯେତେ ଅଲଗା ହେଲେ ବି ସବୁଠି କୃଷକମାନଙ୍କର ସମସ୍ୟା ଏକ  ସବୁଠି ଦାରିଦ୍ର୍ୟଋଣ ବୋଝ, ଜମିଦାରୀ, ନ୍ୟସ୍ତ ସ୍ୱାର୍ଥ, ମହାଜନୀ କାରବାରପୋଲିସ୍ ଜୁଲୁମ - ସବୁ କିଛି ବିଦେଶୀ ଶାସକର କୁଶାସନର ଫଳ“ ନେହେରୁ ପ୍ରଥମ ଥର ଲାଗି ମାନବୀୟ ସମସ୍ୟା ଓ ରାଜନୈତିକ ସଙ୍କଟ ର ଆଧାରରେ ଜାତୀୟତା ର ପ୍ରସଙ୍ଗକୁ ଆଲୋଚନା କରୁଛନ୍ତି ଧର୍ମ, ଜାତି ଓ ଅଞ୍ଚଳ ଭେଦକୁ ପୂରାପୂରି ଖାରଜ କରି କୃଷକ ଓ ଶ୍ରମିକର ଜୀବନ-ଜୀବିକା କୁ ଜାତୀୟତାର ପ୍ରଶ୍ନ ଭାବରେ ଉପସ୍ଥାପନ କରାଯାଇଛି

ସେଇ ଜାଗାରେ ନେହେରୁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ କଥା କହୁଛନ୍ତି “କୌଣସି ସଭାରେ ପହଞ୍ଚିଲା ପରେ ଲୋକେ ଭାରତ ମାତାକୀ ଜୟ ବୋଲି ସ୍ଲୋଗାନ ଦେଇ ଆମକୁ ସ୍ବାଗତ କରନ୍ତି ମୁଁ ସେମାନଙ୍କୁ ପଚାରେ- କୁହନ୍ତୁ ତ, ଏ ସ୍ଲୋଗାନର ମାନେ କଣ? କିଏ ଏଇ ଭାରତ ମାତା ? ସେମାନେ ଟିକେ ବିବ୍ରତ ଓ ଇତସ୍ତତଃ ହୁଅନ୍ତି ମୁଁ ପୁଣି ସେମାନଙ୍କୁ ସେଇ ସମାନ ପ୍ରଶ୍ନ ପଚାରେ  ଶେଷରେ ଜଣେ ଜାଠ କୃଷକ କୁହନ୍ତି- ଏଇ ଧରିତ୍ରୀ ଆମର ଭାରତମାତା ମୁଁ ପୁଣି ପଚାରେ, ଧରିତ୍ରୀ ମାନେ କଣ କେବଳ ନିଜର ଗାଁ, ନିଜର ଜିଲ୍ଲା, ନିଜର ରାଜ୍ୟ ନା ପୂରା ଭାରତ ଦେଶ ? ସେମାନେ ପ୍ରଶ୍ନାକୁଳ ଆଖିରେ ମୋତେ ଦେଖନ୍ତି ମୁଁ କହେ, "ହଁ, ଏ ମାଟି ଆମର ମାତା ଏହାର ପର୍ବତ ଓ ସମୁଦ୍ର, ଏହାର ଜଙ୍ଗଲ ଓ କ୍ଷେତ, ସବୁ ଆମର ପ୍ରିୟ । ତେବେ ସବୁଠୁ ବଡ ହେଉଛି ଏ ଦେଶର ପ୍ରତ୍ୟେକ ମଣିଷ  ଭାରତ ମାତା ହେଉଛି ଏହି ବିଶାଳ ଜଣ ସମୂହ ଆମେ ସମସ୍ତେ ଭାରତ ମାତାର ଅଂଶ ବିଶେଷ ତମେ ଯେଉଁ ମାନେ ଭାରତ ମାତା କି ଜୟ ବୋଲି ସ୍ଲୋଗାନ ଦେଉଛ, ତମେ ନିଜେ ଇ ନିଜର ଜୟକାର କରୁଛ “ ବୋଧ ହୁଏ ଭାରତମାତାର ସବୁଠୁ ସୁନ୍ଦର ସଂଜ୍ଞା ଏହାଠୁ ଅଲଗା କିଛି ହୋଇ ପାରିବ ନାହିଁ ଭାରତ ମାତା, ଏକ ମାନଚିତ୍ର, ମୂର୍ତ୍ତି ବା ପତାକା ନୁହଁ । ସେ ଏ ଦେଶର ୧୨୫ କୋଟି ଭାରତୀୟଙ୍କ ଆତ୍ମାର ପ୍ରତିମା ଏତକ ବୁଝିଗଲେ ଆମର ସବୁ ସମସ୍ୟା ତୁଟି ଯାଆନ୍ତା । ଆଜି ଆମେ ଜାତୀୟତାର ଏକ ନୂଆ ଅର୍ଥ ଓ ତତ୍ତ୍ୱ ତିଆରି କରିଛୁ ଦେଶ ଆମର, କିନ୍ତୁ ଦେଶର ସବୁ ନାଗରିକ ଆମର ନୁହନ୍ତି । ବୈଚାରିକ ଓ ରାଜନୈତିକ ମତ ବିରୋଧକୁ ଦେଶଦ୍ରୋହ ସହିତ ଯୋଡ଼ିବାର ଏକ ଜଘନ୍ୟ ଖେଳ ଏବେ ଦେଶର ଅସ୍ତିତ୍ୱକୁ ଦୋହଲାଇ ଦେଉଛି 

ଦେଶରେ ଏବେ ଦେଶପ୍ରେମର ବହୁ ଅଦ୍ଭୁତ ତତ୍ତ୍ୱ ପ୍ରଚାରିତ ହେଉଛି  ତମ ଖାଇବାରୁ ତମ ଦେଶ ପ୍ରେମ ନିର୍ଣ୍ଣୟ କରାଯିବ ତମ ଧର୍ମରୁ ତମର ଦେଶପ୍ରେମକୁ ଖୋଜାଯିବ ଜାତି ସହିତ ଦେଶପ୍ରେମର ପ୍ରଶ୍ନ ଯୋଡାଯିବ ଗୋଟେ ସମୟରେ ବ୍ରିଟିଶ ସରକାର ଯେଉଁ ଭାଗ ଭାଗ କରି ଶାସନ କରିବାର କୂଟ ଆଚରଣ କରୁଥିଲେ ଆଜି ସ୍ୱାଧିନ ଦେଶର ଭାରତ ସରକାର ସେଇ ସମାନ ପନ୍ଥା ଅବଲମ୍ବନ କରୁଛନ୍ତି  ଗୁଜରାଟ ର ଉନା ହେଉ ବା କାଶ୍ମୀର, ଦାଦ୍ରୀ ହେଉ ବା ଜେଏନୟୁ – ସବୁଠି ଦେଶପ୍ରେମକୁ ପଶାପାଲିର ଗୋଟି ଭାବରେ ଆଜି ବ୍ୟବହାର କରାଯାଉଛି କାଶ୍ମୀରରେ ଜଣେ ଯୁବକଙ୍କୁ ହତ୍ୟା କରାଗଲା  ଭାରତ ସରକାର ତାକୁ ସନ୍ତ୍ରାସବାଦୀ ବୋଲି କହୁଥିବା ବେଳେ ଲକ୍ଷ ଲକ୍ଷ କାଶ୍ମୀର ବାସୀ ତାକୁ ଜଣେ ନାୟକର ସମ୍ମାନ ଦେଉଛନ୍ତି  ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ ଅନେକ ଦିନ ଯାଏଁ କାଶ୍ମୀରରେ ହିଂସା ଲାଗି ରହିଲା ବହୁ ନିରୀହ ଲୋକ ପୋଲିସ ଗୁଳିରେ ପ୍ରାଣ ହରାଇଲେ  ଘଟଣାଟି ଯେତିକି ଜଟିଳ, ସେତିକି ସମ୍ବେଦନଶୀଳ ମଧ୍ୟ କାଶ୍ମୀର ଭିତରେ ଏକ ଭାରତ ବିରୋଧୀ ଗୋଷ୍ଠୀ ରହିଛନ୍ତି ଓ ସେମାନେ ପାକିସ୍ତାନର ସହାୟତାରେ ବଳ ପାଉଛନ୍ତି ବୋଲି ଆମେ ଜାଣୁ ତେବେ ରାସ୍ତାରେ ଯେଉଁ ହଜାର ହଜାର ଲୋକ ସେନା ଓ ପୋଲିସକୁ ବିରୋଧ କରୁଛନ୍ତି, ସେମାନେ ସମସ୍ତେ ସନ୍ତ୍ରାସବାଦୀ କି ? କେହି କେହି ତ ବଡ ଉତ୍ସାହ ର ସହ କହୁଛନ୍ତି, ପୂରା କାଶ୍ମୀରକୁ ନିପାତ କରିଦେବା ଉଚିତ 

କାଶ୍ମୀର ଯଦି ଭାରତର ଅଭିନ୍ନ ଅଙ୍ଗ, କାଶ୍ମୀରର ଜଣ ସାଧାରଣ ମଧ୍ୟ ଆମ ଜୀବନର ଅଂଶ ବିଶେଷ ସେମାନଙ୍କୁ ହତ୍ୟା କରି ଆମେ ଭାରତ ବନ୍ଦନା ଗାଇ ପାରିବା ନାହିଁ, କିମ୍ବା ଆମ ଦେଶ ଭକ୍ତି କାଶ୍ମୀରର ରକ୍ତରେ ଦିବ୍ୟ ସୁନ୍ଦର ଦିଶିବ ନାହିଁ ଭାରତମାତାର ପୂର୍ଣ୍ଣାଙ୍ଗ ଛବିକୁ ବଞ୍ଚାଇ ରଖିବାକୁ ହେଲେ କାଶ୍ମୀରର ସମସ୍ୟା ଓ ସଙ୍କଟ ସହ ପ୍ରତ୍ୟେକ ଭାରତବାସୀକୁ ସେମାନଙ୍କ ସାଙ୍ଗରେ ଛିଡା ହେବାକୁ ପଡିବ  କାଶ୍ମୀର ବନାମ ଅବଶିଷ୍ଟ ଭାରତର ଏହା ଯୁଦ୍ଧ ନୁହଁ କିମ୍ବା ଏଥି ସହ ଦେଶପ୍ରେମର କୌଣସି ସମ୍ପର୍କ ନାହିଁ ଏକ ଜଟିଳ ସମସ୍ୟାର ରାଜନୈତିକ ସମାଧାନ ଖୋଜିପାଉନଥିବା ସରକାରୀ ଦଳ ଏହାକୁ ଉଗ୍ର ଦେଶପ୍ରେମ ସହ ଯୋଡ଼ିବାର ବିକଳ ପ୍ରୟାସ କରୁଛନ୍ତି ସେହିପରି ଗୋମାଂସ ପ୍ରସଙ୍ଗ ହେଉ ବା ଜାତିର ରାଜନୀତି, ସବୁଥିରେ ଦେଶକୁ ବିଭିନ୍ନ ପରିଚୟର ଆଳ ନେଇ ଭାଗ ଭାଗ କରିବାର ଭୟଙ୍କର ଉଦ୍ୟମ ଚାଲିଛି ଭୋଟ ବେପାରୀଙ୍କ ନିଜସ୍ୱ ଲାଭ ପାଇଁ ଏବେ ଦେଶପ୍ରେମର ନୂଆ ଗଣିତ ଆମେ ପଢୁଛୁ ଦେଶପ୍ରେମ ର ଅର୍ଥ ନେହେରୁଙ୍କ ସମୁହ ଜନତା ବା ଉତ୍କଳ ସମ୍ମିଳନୀର ଏକତାବଦ୍ଧ ଜନତା ନୁହନ୍ତି । ଆଜିର ତାରିଖରେ ଦେଶପ୍ରେମ ହେଉଛି କ୍ଷମତା କେନ୍ଦ୍ର ପାଖରେ ନିଃସର୍ତ୍ତ ଆତ୍ମ ସମର୍ପଣର ଗୋଲାମୀ  ଏ କଥା ବୁଝି ପାରୁନଥିବା ଆମର ନୂଆ ଦେଶପ୍ରେମୀ ମାନେ ଜାଣି ରଖନ୍ତୁ, ଦଳୀୟ ସ୍ୱାର୍ଥ ଓ ବୈଚାରିକ ଗୋଲାମୀ ମଣିଷ ଜାତିକୁ ସଭ୍ୟ ବା ମୁକ୍ତ କରିପାରେ ନାହିଁ ଦେଶପ୍ରେମ ନାଁ ରେ ଦେଶ ଆଖିରେ ଲୁହ ଆଣୁଥିବା ଲୋକେ ନିଜ ଦେଶପ୍ରେମକୁ ଆଉଥରେ ପରଖି ଦେଖନ୍ତୁ !