Tuesday, February 14, 2017

ନଗଡା ଓ ଗୁମୁଡୁମାହା: ବିକାଶର ଦୁଇଟି ଫଟୋଗ୍ରାଫ


କେଦାର ମିଶ୍ର



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଯେଉଁମାନେ ଓଡିଶାର ଅର୍ଥନୀତି ବିଷୟରେ ଅଧ୍ୟୟନ କରନ୍ତି, ସେମାନଙ୍କ ପାଇଁ ରାଜ୍ୟଟି ଏକ ଅର୍ଥନୈତିକ ବିସ୍ମୟ । ପ୍ରାକୃତିକ ଓ ମାନବ ସମ୍ବଳ କ୍ଷେତ୍ରରେ ରାଜ୍ୟର ପ୍ରାଚୁର୍ଯ୍ୟ ରହିଥିବାବେଳେ, ମୂଳତଃ ଆମେ ଦରିଦ୍ର ଓ ପଛୁଆ ରାଜ୍ୟର ଅପଯଶ ପାଇ ଆସିଛୁ ରାଜନୈତିକ ଅସ୍ଥିରତା ଓ ଅର୍ଥନୈତିକ ଯୋଜନା ରୂପାୟନରେ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଦେଶର ଅଷ୍ଟମ ପଞ୍ଚବାର୍ଷିକ ଯୋଜନା ଯାଏଁ ଆମର ଅଭିବୃଦ୍ଧି ହାର ହାରାହାରି ଶତକଡ଼ା ଚାରି ଭାଗ ମଧ୍ୟରେ ସୀମିତ ରହିଥିଲା । ନବମ ପଞ୍ଚବାର୍ଷିକ ଯୋଜନାରୁ ଆଜି ପର୍ଯନ୍ତ ନିରନ୍ତର ଭାବରେ ଓଡିଶାର ବିକାଶ କ୍ଷେତ୍ରରେ ଅଭିବୃଦ୍ଧିର ମାତ୍ରା ତୀବ୍ରତର ହୋଇଛି ବୋଲି ଆମ ପାଖରେ ତଥ୍ୟ ରହିଛି ୧୯୯୭ ପରେ ଆରମ୍ଭ ହୋଇଥିବା ଏହି ବିକାଶ ପର୍ବ ସହିତ ଓଡିଶାର ରାଜନୈତିକ ସ୍ଥିରତା ଓ ମଜବୁତ ନେତୃତ୍ୱ ଦାୟୀ ବୋଲି କୁହାଯାଉଛି  ନବମ ରୁ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ଯାଏଁ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଆସୁଛନ୍ତି । ପାରମ୍ପରିକ ଅର୍ଥନୈତିକ ତଥ୍ୟ ଆଧାରରେ ଏହି ସମୟରେ ଓଡିଶାର ବିକାଶ ହାର ଆଖିଦୃଶିଆ ଭାବରେ ଆଗକୁ ବଢିଛି ତେବେ ରାଜ୍ୟରେ ଗଚ୍ଛିତ ଥିବା ସମ୍ବଳ ଓ ସମ୍ଭାବନା ତୁଳନାରେ ଅଭିବୃଦ୍ଧିର ହାର ସେତେବେଶୀ ଉତ୍ସାହଜନକ ନୁହେଁ । ଏହି ସମୟ ଖଣ୍ଡରେ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥାନ ଖୁବ ବେଶୀ ଆଗୁଆ ମଧ୍ୟ ନୁହେଁ


ଦେଶର ମୋଟ ଜଳସମ୍ପଦର ଶତକଡ଼ା  ଏଗାର ଭାଗ ଓଡିଶାରେ ରହିଥିବା ବେଳେ ଖଣିଜ ସମ୍ପଦର ଏକ ବହୁତ ବଡ ଅଂଶ ଓଡିଶାରେ ରହିଛି ବର୍ଷ ବର୍ଷ ଧରି ଓଡିଶା ସରକାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱକୁ ଓଡିଶାର ଏକମାତ୍ର ସମ୍ପତ୍ତି ବୋଲି ବିବେଚନା କରି ଆସିଛନ୍ତି ରାଜ୍ୟର ଖଣିଜ ସମ୍ପଦ ଅନ୍ୟ ରାଜ୍ୟକୁ ବା ଦେଶକୁ ରପ୍ତାନୀ ହୋଇ ଯାଉଥିବା ବେଳେ ଓଡିଶାରେ ଶିଳ୍ପର ବିକାଶ ଯଥେଷ୍ଟ ପଛରେ ରହିଛି ତେବେ ବିକାଶର ଧାରା ବିଶ୍ଲେଷଣ କରିବା ଆମର ଉଦ୍ଦେଶ୍ୟ ନୁହେଁ ଗତ ପଚିଶ ବର୍ଷ ଭିତରେ ଓଡିଶାରେ ଯେଉଁ ଅର୍ଥନୈତିକ ପ୍ରଗତିର ଚିତ୍ର ଆମକୁ ଦେଖାଯାଉଛି ଓ ସରକାରୀ ତଥ୍ୟରେ ଯାହା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି, ତାହାର ବାସ୍ତବତା ଖୋଜି ବାହାର କରିବା ଲାଗି ଆମେ ଚେଷ୍ଟା କରୁଛୁ  ଅର୍ଥନୈତିକ ପରିସଂଖ୍ୟାନ ଅନେକ ସମୟରେ ଯାହା ଦେଖାଏ, ଜୀବନ ଓ ଜୀବିକା କ୍ଷେତ୍ରରେ ତାହାର ପ୍ରତିଫଳନ ଦେଖିବାକୁ ମିଳେ ନାହିଁ । ତେଣୁ ପରିସଂଖ୍ୟାନ ଅନେକ ସମୟରେ ଏକ ନଥିବା ପ୍ରଗତିର ସୂଚକ ବୋଲି ମଧ୍ୟ କୁହାଯାଏ  ଓଡିଶାର ଜିଡିପିକୁ କୃଷି ଓ ପଶୁପାଳନରୁ ବଡ ଅବଦାନ ମିଳେ । ଅଥଚ ରାଜ୍ୟରେ କୃଷିର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ରାଜ୍ୟରେ ଚାଷଯୋଗ୍ୟ ଜମି କମିବା ଓ ଅଧିକରୁ ଅଧିକ କୃଷକ ସହର ଅଭିମୁଖୀ ହେବା ତାହାର ଏକ ଉଦାହରଣ


ଓଡିଶାର ବିକାଶକୁ ନେଇ ତଥ୍ୟ ଓ ବାସ୍ତବତାର ଏକ ସରଳ ସମୀକରଣ ଆମ ଆଖି ଆଗରେ ଏବେ ଝୁଲୁଛି ଗତ ସପ୍ତାହରେ ଓଡିଶାର ଦୁଇଟି ଗାଁର ଚିତ୍ରରୁ ଓଡିଶାର ବିକାଶ ତଥା ପ୍ରଗତିର ଚିତ୍ରକୁ ଆମେ ବିଶ୍ଲେଷଣ କରିବା । ଅନେକ ଦିନ ପରେ ଓଡିଶାର ଗଣମାଧ୍ୟମରେ ଆମେ ଗାଁ' ର ଛବି ଦେଖିବାକୁ ପାଇଲୁ । ଦେଶ ବା ରାଜ୍ୟ କହିଲେ କେବଳ ସହରକୁ ବୁଝୁଥିବା ଆମ ସାମ୍ବାଦିକ ମାନେ ଗାଁ' କୁ ଟିକେ ପ୍ରାଧାନ୍ୟ ଦେଇ କେତୋଟି ଚିତ୍ର ଆମକୁ ଦେଖେଇଲେ । ଅବଶ୍ୟ ଏହା ଆଗ୍ରହଜନିତ ଅଥବା ଆବଶ୍ୟକତାର ଚାପରୁ ଆସିଛି, ତାହା ଏକ ଭିନ୍ନ ପ୍ରସଙ୍ଗ । ଏବେ ସେହି ଗାଁ ଦୁଇଟିକୁ ଏବେ ଆସିବା ପ୍ରଥମ ଗାଁ ଟି ଗୁମୁଡୁମାହା କନ୍ଧମାଳ ଜିଲା ର କୁର୍ତମଗଡଠୁ ମାତ୍ର କେଇ କିଲୋମିଟର୍ ଦୂରରେ ଏହି ଗାଁ' ଏବେ ଦେଶ ସାରା ଚର୍ଚ୍ଚାର କାରଣ ପାଲଟିଛି ଏହି ଗାଁ'ର ପାଞ୍ଚ  ଜଣ ନିରୀହ ଲୋକ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି  ପୋଲିସ ଓ ମାଓବାଦୀଙ୍କ ମଧ୍ୟର ସଙ୍ଘର୍ଷର ଅସହାୟ ଶୀକାର ଭାବରେ ଏହି ନିରୀହ ଆଦିବାସୀ ଓ ଦଳିତ ଲୋକମାନେ ନିଜ ଜୀବନ ହରାଇଛନ୍ତି 


ମାନବୀୟ ଅଧିକାର ପ୍ରସଙ୍ଗକୁ ନେଇ ଏଇ ଗାଁ' ବିଷୟରେ ଚର୍ଚା କଲାବେଳେ ଆଉ ଗୋଟେ ଦୃଶ୍ୟ ଆମକୁ ବିଚଳିତ କରୁନାହିଁ ଦୃଶ୍ୟଟି ହେଉଛି କୁର୍ତମଗଡ ଓ ଗୁମୁଡୁମାହା ଗାଁ'କୁ ସଞ୍ଜୋଗ  କରୁଥିବା ରାସ୍ତା ଏହାକୁ ରାସ୍ତା ବୋଲି ନକହି ଖାଲଢିପ ଓ କାଦୁଅ ପଚପଚ ଗୋଟେ ଧରସା ବୋଲି ଆମେ କହିପାରିବା  ଜନଗଣନା ତଥ୍ୟ ଅନୁଯାୟୀ ଏହି ଗାଁ'ର ଲୋକ ସଂଖ୍ୟା ୨୦୭  ଯାହା ମଧ୍ୟରୁ ୧୦୧ ଜଣ ପୁରୁଷ ଓ ୧୦୭ ଜଣ ମହିଳା ।  ଏହା ବ୍ୟତୀତ ୩୩ ଜଣ ପିଲା ଅଛନ୍ତି ଯେଉଁ ମାନଙ୍କ ବୟସ ୦-୬ ବର୍ଷ ଭିତରେ ରାଜ୍ୟର ସାକ୍ଷରତା ହାର ଶତକଡ଼ା ୭୨.୭୮ ହୋଇଥିବାବେଳେ, ଗୁମୁଡୁମାହା ଗାଁ'ର ସାକ୍ଷରତା ହାର ମାତ୍ର ୩୦.୮୬ % ଗାଁ'ରେ ମାତ୍ର ୨୦ ଜଣ କୃଷି ଶ୍ରମିକ ହୋଇଥିବା ବେଳେ ବାକି ମାନେ ଅନ୍ୟ ଉପରେ ଆଶ୍ରିତ ଶ୍ରମିକ ପୂରା ଗାଁ' ଲୋକଙ୍କ ପାଖରେ ରୋଜଗାରର ସ୍ଥାୟୀ ପନ୍ଥା ନାହିଁ ଗାଁ'କୁ ବିଜୁଳି ନାହିଁ କିମ୍ବା ଆଖ ପାଖରେ ସ୍କୁଲ କି ଡାକ୍ତରଖାନା ନାହିଁ  ଏହି ଗାଁ'କୁ ବିକାଶ ପହଞ୍ଚିବାକୁ ଆଉ କେତେ ବର୍ଷ ଲାଗିବ,  ତାହାର ଉତ୍ତର କିଏ ଦେବ ? ଯେଉଁ ଗାଁ କୁ ସଡକ, ପାଣି, ବିଜୁଳି, ଖାଦ୍ୟ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ, ସେ ଗାଁ'କୁ ପୋଲିସ ଅତି ସହଜରେ ପହଞ୍ଚି ଲୋକଙ୍କୁ ମାରିପାରୁଛି ବିକାଶ ଠାରୁ ବହୁ ଦୂର ଅନ୍ଧାରରେ ରହିଥିବା ଗୁମୁଡୁମାହା ଭଳି ଆହୁରି ଶହ ଶହ ଗାଁ'ରେ ଏବେ ମାଓବାଦୀ ଓ ପୋଲିସର ସଙ୍ଘର୍ଷ ଭୂମି ପାଲଟି ଥିବା ବେଳେ, ବିକାଶ ସେଠି ବାଟ ଭୁଲି କେଉଁଠି ଗୋଟେ ଅଟକି ଯାଇଛି

ସେହିପରି ଚର୍ଚ୍ଚା ରେ ଥିବା ଆଉ ଏକ ଗାଁ' ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ନଗଡା ଗାଁ'  ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ ନୁହେଁ । ଯଦିଓ, ଏହି ଗାଁ'ରେ ଜୁଆଙ୍ଗ ଆଦିବାସୀମାନେ ବସବାସ କରନ୍ତି ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର ଆଗୁଆ ସୁକିନ୍ଦା ଅଞ୍ଚଳର ଏହି ଗାଁ' ରେ ଗତ ଛଅ ମାସ ଭିତରେ ଉଣେଇଶି ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି  ଓଡିଶା ସରକାର ଜଙ୍ଗଲ ପାହାଡ ଘେରା ଗୁମୁଡୁମାହାକୁ ରାସ୍ତା ସଞ୍ଜୋଗ କରିବାରେ ସିନା ବିଫଳ ହେଲେ । ହେଲେ ଶିଳ୍ପ ନଗରୀ କଳିଙ୍ଗ ନଗରଠାରୁ ମାତ୍ର ପଚାଶ କିଲୋମିଟର ଦୂର ନଗଡାକୁ ରାସ୍ତା ତିଆରି କରିବାରେ କଅଣ ସମସ୍ୟା ରହିଲା, ତାହା ବୁଝି ହେଉନାହିଁ  

ସୁକିନ୍ଦା ବ୍ଲକର କୁହିକା ଠାରୁ ନଗଡା ଯିବାକୁ ପାଦ ଚଲା ବାଟରେ ଦୁଇ ଘଣ୍ଟା ସମୟ ଲାଗେ ଏହି ଦୁର୍ଗମ ପଥ ଦେଇ ଗାଁ'ରେ ପହଞ୍ଚିବା ଆଦୌ ସମ୍ଭବ ନୁହଁ ଏକଥା ଆମେ କହୁନୁ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଗତ ତେର ଜୁଲାଇରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ସେଥିରୁ ଏହି ତଥ୍ୟ ମିଳୁଛି  ଆରତି ଆହୁଜାଙ୍କ ଚାରି ପୃଷ୍ଠାର ଏହି ଛୋଟିଆ ରିପୋର୍ଟଟି ଗୋଟିଏ ବଡ ସମସ୍ୟା ବିଷୟରେ ଆମକୁ ଚିନ୍ତିତ କରାଇ ଦେଉଛି ଯେଉଁମାନଙ୍କ ସମ୍ପତ୍ତିକୁ ଖଣିରୁ ଖୋଳି ଆମେ ବିକାଶର ଇମାରତ ଗଢିଲୁ, ସେମାନଙ୍କୁ ଆମେ ଦେଇଛୁ କଅଣ ? ଉପର, ତଳ ଓ ମଝି ନଗଡା ଗାଁ'ରେ ମୋଟ ୩୮ ଟି ପରିବାରର ୨୯୫ ଜଣ ଲୋକ ରୁହନ୍ତି ଏହା ସହିତ ଗୁହିଆଶାଳ ଗାଁ'ରେ ୨୬ ଟି ପରିବାରର ୨୪୮ ଜଣ ବାସିନ୍ଦା ଅଛନ୍ତି  ଏମାନଙ୍କ ଗାଁ'କୁ ରାସ୍ତା, ପାଣି, ବିଜୁଳି, ରାସନ ଇତ୍ୟାଦିର କୌଣସି ବ୍ୟବସ୍ଥା ନାହିଁ ପ୍ରାୟ ୮-୧୦ କିଲୋମିଟର ଚାଲି ଚାଲି ଆସିଲେ ଯାଇ ଏମାନେ ଖାଦ୍ୟ କିଣି ପାରିବେ ତେଣୁ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ ଗତ ଜୁନ ମାସରେ ମୃତ୍ୟୁବରଣ କରିଥିବା ଛଅ ଜଣ ଶିଶୁ ଅପପୁଷ୍ଟି କାରଣରୁ ହିଁ ମୃତ୍ୟୁ ବରଣ କରିଛନ୍ତି ବୋଲି ଡାକ୍ତରୀ ରିପୋର୍ଟ କହୁଛି

ଓଡିଶା ସରକାର ଜନମଙ୍ଗଳ ଯୋଜନା ମାଧ୍ୟମରେ ବାରମ୍ବାର ଲୋକଙ୍କ ଆସ୍ଥା ଭାଜନ ହେଉଛନ୍ତି ବୋଲି କୁହାଯାଉଛି  ଜନନୀ ସୁରକ୍ଷା ଯୋଜନାଠୁଁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥାତ ପିଲା ଜନ୍ମଠୁଁ ମୃତ୍ୟୁ ପର୍ଯନ୍ତ ସବୁ କ୍ଷେତ୍ରରେ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର କହି ଆସୁଛନ୍ତି ନଗଡା ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକର ବିଫଳତାକୁ ପଦାରେ ପକାଇଦେଇଛି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତଥା ପୁଷ୍ଟି ଜନିତ ସଚେତନତା ସୃଷ୍ଟି ପାଇଁ ମମତା ଯୋଜନା, ପୁଷ୍ଟି ସହାୟତା ଓ ସଚେତନତା ଯୋଜନା, ଟୀକାକରଣ, ସ୍ବାସ୍ଥ୍ୟ ପରୀକ୍ଷା ସମେତ କନ୍ୟା ସନ୍ତାନ ପାଇଁ ଆହୁରି ଅନେକ ଯୋଜନାର ଘୋଷଣା କରାଯାଇଛି ପ୍ରତି ମାସର ୧୫ ତାରିଖକୁ ରାଜ୍ୟ ସରକାର ପୁଷ୍ଟିକର ଦିବସ ଭାବରେ ପାଳନ କରି ଆସୁଛନ୍ତି । ଏହି ଦିନ ପ୍ରତି ଜିଲ୍ଲା, ବ୍ଲକ୍, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମାନକ ଅନୁଯାୟୀ ପ୍ରତି ଶିଶୁର ପୁଷ୍ଟି ପରୀକ୍ଷା ହେବା କଥା  ନଗଡା ସମେତ ରାଜ୍ୟର ଆଦିବାସୀ ବହୁଳ ଗାଁ'ଗୁଡିକରେ ଏହା ବିଲକୁଲ କାର୍ଯ୍ୟ କରୁନାହିଁ । 

ନଗଡା ଗାଁ'ର ଏହି ଦୁର୍ଦ୍ଦିନ ସହିତ ଓଡିଶାର ବିକାଶ ତଥା ଅଭିବୃଦ୍ଧିକୁ କେମିତି ବିଶ୍ଲେଷଣ କରାଯିବ ? ରାଜନୀତିରେ ସୁକିନ୍ଦାର ପ୍ରଭାବଶାଳୀ ନେତୃତ୍ୱ ରହିଆସିଛି ସୁକିନ୍ଦାର ବିଧାୟକ ଓଡିଶାର ଅନ୍ୟତମ ଶକ୍ତିଶାଳୀ ନେତା  ପୂର୍ବତନ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏହି ଅଞ୍ଚଳକୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ୱ କରି ଆସୁଥିଲେ  ଏଠାରେ ଟାଟା କମ୍ପାନୀ ବର୍ଷ ବର୍ଷ ଧରି ଖଣି ପକେଇ ବସିଛି  ଦ୍ୱିତୀୟ ଶିଳ୍ପ ବିପ୍ଳବ ପାଇଁ ଯାଜପୁର ଜିଲାର କଳିଙ୍ଗ ନଗରକୁ ପ୍ରମୁଖ ଭୂମିକା ଦିଆ ଯାଇଛି  ସରକାରୀ ଯୋଜନା ସମେତ ବେସରକାରୀ କର୍ପୋରଟ ସାମାଜିକ ଉତ୍ତର ଦାୟିତ୍ୱ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି

ତଥାପି ନଗଡାର ଏହି ଅବସ୍ଥା କାହିଁକି ? ଏହାର ଉତ୍ତର କିଏ ଦେବ ? ଓଡିଶାରେ ବିକାଶର ଏହି ଯେଉଁ ଦୁଇଟି ଫୋଟୋଗ୍ରାଫ ଆମେ ଦେଖିଲେ ତାହା କେବଳ ସଙ୍କେତ ମାତ୍ର ଏମିତି ଶହ ଶହ ନଗଡା ଓ ଗୁମୁଡୁମାହା ଓଡିଶା ସାରା ରହିଛି ସଡକ, ବିଜୁଳିପାଣି, ରାସନସ୍ୱାସ୍ଥ୍ୟ ସେବା ଭଳି ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ଆମର ବିଫଳତାକୁ ଏହି ଗାଁ'ଗୁଡିକ ଆମକୁ ଓଡିଶାର ଅସଲ ଚିତ୍ର ଦେଖାଉଛନ୍ତି  ତେବେ ଦୁର୍ଭାଗ୍ୟ ହେଉଛି, ଆମର ରାଜନୀତି ଏ ସବୁକୁ ନିରନ୍ତର ଗାଲିଚା ତଳକୁ ଫୋପାଡି ଅନାବଶ୍ୟକ ପ୍ରସଙ୍ଗ ଉପରେ ଅଧିକ ସମୟ ସାରୁଛି ଓଡିଶାର ଗଣମାଧ୍ୟମ ମଧ୍ୟ ଏହି ସବୁ ପ୍ରସଙ୍ଗକୁ ନେଇ ବେଶୀ ସଚେତନ ନୁହନ୍ତି ପ୍ରସଙ୍ଗକୁ ନେଇ ଆଜି ହୁଏତ ଗୁମୁଡୁମାହା କି ନଗଡା ଗାଁ'ର କଥା ଆମେ କହୁଛୁ । ଆଉ ଅଳ୍ପ ଦିନ ପରେ ଆମେ ଏହାକୁ ଭୁଲି ପୁଣି କେଉଁ କାଷ୍ଟିଂ କାଉଚ ବା ମନ୍ଦିର ଅବ୍ୟବସ୍ଥା ଖବର ପଛରେ ଧାଇଁବୁ ଓଡିଶାର ସାଧାରଣ ଶିଶୁ ସ୍ୱାଧୀନତାର ସତୁରୀ ବର୍ଷ ପରେ ବି ଖାଇବାକୁ ନପାଇ, ଅଖାଦ୍ୟ ଖାଇ ମରୁଥିବା ବେଳେ, ଆମେ ଆମର ଅର୍ଥନୈତିକ ଅଭିବୃଦ୍ଧିର ମିଛ ପରିସଂଖ୍ୟାନକୁ ଦେଖାଇ ଆତ୍ମତୃପ୍ତି ପାଉଥିବୁ ।

Sunday, February 12, 2017

ପର୍ବତରେ  ଧର୍ମୋପଦେଶ - ୫


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଚିତ୍ର 'ସର୍ମନ ଅନ ଦ ମାଉଣ୍ଟ' ( ୧୮୭୭)
ଦିନାମାର ଚିତ୍ରକର କାର୍ଲ ହାଇନରିଚ ବ୍ଲକ (୧୮୩୪-୧୮୯୦)

ଆହୁରି, "ତୁମ୍ଭେ କୌଣସି ମିଥ୍ୟା ରାଣ ନ କରି ପରମେଶ୍ୱରଙ୍କ ପ୍ରତି ଆପଣା ରାଣ ପାଳନ କର," ପୂର୍ବକାଳର ଲୋକଙ୍କ ପ୍ରତି ଉକ୍ତ ଏହି ବାକ୍ୟ ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, କୌଣସି ରାଣ କର ନାହିଁ, ଅର୍ଥାତ୍ ସ୍ୱର୍ଗ ନାମରେ କର ନାହିଁ, ଯେହେତୁ ତାହା ପରମେଶ୍ୱରଙ୍କ ସିଂହାସନ । ପୃଥିବୀ ନାମରେ କର ନାହିଁ, ଯେହେତୁ ତାହା ତାହାଙ୍କର ପାଦପୀଠ । ଯିରୁଶାଲମ ନାମରେ କର ନାହିଁ, ଯେହେତୁ ତାହା ମହାରାଜାଙ୍କର ନଗର । ଆପଣାର ମସ୍ତକର ରାଣରେ କର ନାହିଁ, ଯେହେତୁ ତାହାର ଗୋଟିଏ କେଶ ଧଳା କି କଳା କରିବା ତୁମ୍ଭର ସାଧ୍ୟ ନାହିଁ । ପୁଣି ତୁମ୍ଭର କଥା ହଁ, ହଁ ଅବା ନା, ନା ହେଉ, ଯେହେତୁ ଏଥିରୁ ଯାହା ଅଧିକ ତାହା ମନ୍ଦରୁ ଜନ୍ମେ । 

ଆଉ "ଚକ୍ଷୁର ପରିଶୋଧରେ ଚକ୍ଷୁ ଓ ଦନ୍ତର ପରିଶୋଧରେ ଦନ୍ତ," ଏହି ପୂର୍ବ ଉକ୍ତି ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, ଦୁଷ୍ଟଲୋକକୁ ବାଧା ଦିଅ ନାହିଁ; ପୁଣି କେହି ଯେବେ ତୁମ୍ଭର ଦକ୍ଷିଣ ଗାଲରେ ଚାପୁଡ଼ା ମାରେ, ତେବେ ତାହା ପ୍ରତି ବାମ ଗାଲ ଫେରାଇଦିଅ । କେହି ତୁମ୍ଭ ନାମରେ ଗୁହାରି କରି ତୁମ୍ଭର କୁର୍ତ୍ତା ନେବାକୁ ପାଞ୍ଚିଲେ ତାହାକୁ ଚୋଗା ମଧ୍ୟ ନେବାକୁ ଦିଅ । ପୁଣି କେହି ଏକ କୋଶ ଘେନି ଯିବା ପାଇଁ ତୁମ୍ଭଙ୍କୁ ବାଧ୍ୟ କଲେ ତାହା ସଙ୍ଗରେ ଦୁଇ କୋଶ ଯାଅ । ଯେଉଁ ଜନ ତୁମ୍ଭ ନିକଟରେ ମାଗେ, ତାହାକୁ ଦିଅ; ପୁଣି କେହି ତୁମ୍ଭଠାରୁ ଉଧାର ନେବାକୁ ପାଞ୍ଚିଲେ ତାହା ପ୍ରତି ବିମୁଖ ହୁଅ ନାହିଁ ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

ପର୍ବତରେ  ଧର୍ମୋପଦେଶ - ୪


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଷଷ୍ଠ ଶତାବ୍ବୀର ତ୍ରାଣକର୍ତ୍ତା ଯୀଶୁ
ସନ୍ଥ କାଥେରିନଙ୍କର ମଠ, ସିନାଇ ପର୍ବତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

"ତୁମ୍ଭେ ବ୍ୟଭିଚାର କର ନାହିଁ," ପୂର୍ବକାଳର ଲୋକଙ୍କ ପ୍ରତି ଉକ୍ତ ଏହି ବାକ୍ୟ ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, କେହି ଯେବେ କୌଣସି ସ୍ତ୍ରୀ ପ୍ରତି କାମଭାଗରେ ଅନାଇଥାଏ, ତେବେ ସେ ତାହା ସାଙ୍ଗରେ ମନେ ମନେ ବ୍ୟଭିଚାର କଲାଣି । ଏନିମନ୍ତେ ତୁମ୍ଭର ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବାଧା ଜନ୍ମାଏ ତେବେ ତାହା ଉପାଡ଼ି ଦୂରରେ ପକାଇଦିଅ; ଯେହେତୁ ତୁମ୍ଭର ସମସ୍ତ ଶରୀର ନରକରେ ପକାଇବା ଅପେକ୍ଷା ବରଂ ଏକ ଅଙ୍ଗର ନାଶ ହେବା ତୁମ୍ଭ ପକ୍ଷରେ ଲାଭଜନକ । କିଅବା ତୁମ୍ଭର ଦକ୍ଷିଣ ହସ୍ତ ଯେବେ ବାଧା ଜନ୍ମାଏ, ତେବେ ତାକୁ ଛେଦନ କରି ପକାଇ ଦିଅ; ଯେହେତୁ ସମସ୍ତ ଶରୀର ନରକରେ ପକାଯିବା ଅପେକ୍ଷା ବରଂ ଏକ ଅଙ୍ଗର ନାଶ ହେବା ତୁମ୍ଭ ପକ୍ଷରେ ଲାଭଜନକ । 

ଆହୁରି ଉକ୍ତି ଅଛି, "କେହି ଯେବେ ଆପଣା ସ୍ତ୍ରୀକି ପରିତ୍ୟାଗ କରିବାକୁ ଇଚ୍ଛା କରେ, ତେବେ ସେ ତାହାକୁ ଛାଡ଼ପତ୍ର ଦେଉ ।" ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ବ୍ୟଭିଚାର ଦୋଷ ବିନା ଯେ କେହି ଆପଣା ସ୍ତ୍ରୀକି ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଟାରିଣୀ କରାଏ ; ଓ ଯେଉଁ ଜନ ସେହି ତ୍ୟକ୍ତା ସ୍ତ୍ରୀକି ବିବାହ କରେ, ସେ ବ୍ୟଭିଚାର କରେ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

କିଛି ଜୀବନ ଅନେକ ମୃତ୍ୟୁ : ଗଣେଶ୍ୱର ବାବୁଙ୍କର ଜନହାନି


(ଗଣେଶ୍ୱର ମିଶ୍ରଙ୍କ ସ୍ମୃତିଚାରଣ-ମୂଳକ ପୁସ୍ତକନିଜ ଠିକଣାରୁ ସଙ୍ଗୃହିତ)


ଫଟୋ କ୍ରେଡିଟ - ୱିକିମିଡ଼ିଆ କମନ୍ସ୍


ଗଣେଶ୍ୱର ମିଶ୍ର ୧୦ ଅଗଷ୍ଟ ୨୦୧୫ ମସିହାରେ କର୍କଟ ରୋଗଗ୍ରସ୍ତ ହୋଇ ଚାଲିଗଲେ ଓଡ଼ିଶାର ସାଧାରଣ ଜୀବନରେ ତାଙ୍କୁ ଜାଣିନଥିବା ଲୋକଙ୍କର ସଂଖ୍ୟା ବହୁତ କମ ଇଂରାଜି ଭାଷା ସାହିତ୍ୟରେ ପ୍ରଶିକ୍ଷିତ ହୋଇ ବିଶ୍ୱବିଦ୍ୟାଳୟର ବେତନଭୋଗୀ ଶିକ୍ଷକ-କର୍ମଚାରୀ ହୋଇଥିଲେ ହେଁ, ଗଣେଶ୍ୱର ବାବୁ ଇଂରାଜୀ ସାହିତ୍ୟ ଚର୍ଚ୍ଚା ବା ଅଧ୍ୟାପନା ପାଇଁ ଜଣାଶୁଣା ନଥିଲେ ଯଦିଓ, ତାଙ୍କର ଇଂରାଜୀରେ କିଛି ଲେଖା ବହି ଥିଲା ତାଙ୍କର ପ୍ରସିଦ୍ଧିର କାରଣ ଥିଲା ତାଙ୍କର ଓଡ଼ିଆ ସାହିତ୍ୟ ଚର୍ଚ୍ଚା ଗପ, ଉପନ୍ୟାସ, ଭ୍ରମଣ କାହାଣୀଠାରୁ ନେଇ ଫିଚର ଲେଖନ, ଶିଶୁ ସାହିତ୍ୟ, ଅନୁବାଦ ସମ୍ପାଦନା ଆଦି କ୍ଷେତ୍ରରେ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ

ଗଣେଶ୍ୱର ବାବୁଙ୍କର ଜନ୍ମ ୧୯୪୨ ମସିହାରେ ପୁରୀ ଜିଲ୍ଲାର ଶ୍ରୀପୁରୁଷୋତ୍ତମପୁର ଗାଁରେ ସେଇଟା ଗଣେଶ୍ୱର ବାବୁଙ୍କର ମାମୁଁ ଘର ଗାଁ ନିଜ ଘର ପୁରୀ ସହରରେ ପଥୁରିଆ ସାହିରେ ପରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଭଳି ପ୍ରସିଦ୍ଧ ଅନୁଷ୍ଠାନରେ ପଢ଼ିଲେ ମାତ୍ର ତାଙ୍କର ବିଦ୍ୟାରମ୍ଭ ହୁଏ ପୁରୀରେ, ଘର ପାଖରେ ଦୟିତାପଡ଼ାସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସେହି ଇସ୍କୁଲୁରେ ୧୯୪୯ ମସିହାରେ ତାଙ୍କର ଶିଶୁଶ୍ରେଣୀରେ ନାମଲେଖା ହୋଇଥିଲା ଦୟିତାପଡ଼ା ସାହିରୁ ପଞ୍ଚମ ଶ୍ରେଣୀ ପାସ କରି ୧୯୫୪ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାଁ ଲେଖେଇଲେ ସେତେବେଳେ ଏହି ଉଚ୍ଚ ବିଦ୍ୟାଳୟରେ ନାମଲେଖାଇବା ଏକ ଗୌରବର ବିଷୟ ଥିଲା

ସେଠି ଗଣେଶ୍ୱରଙ୍କର ଅନେକ ନୂଆ ସାଙ୍ଗ ଯୁଟିଲେ ତାଙ୍କ ଭିତରେ ଗୋଟିଏ ବଡ଼ ବନ୍ଧୁ ହେଲେ ପ୍ରଫୁଲ୍ଲ ମହାନ୍ତି ନୂଆ ସାହିର ପିଲା ଗଣେଶ୍ୱର ବାବୁଙ୍କର ଇଂରାଜୀ ଭଲ ହେଉଥାଏ ତାଙ୍କର ଇଂରେଜୀ ଜ୍ଞାନ ହିଁ ବୋଧେହୁଏ ପ୍ରଫୁଲ୍ଲ ପାଇଁ ଥିଲା ମୂଖ୍ୟ ଆକର୍ଷଣ ଦୁଇ ଜଣ ଖଣ୍ଡି ଇଂରାଜୀରେ କଥା ହୁଅନ୍ତି ପରସ୍ପରର ବନ୍ଧୁବାନ୍ଧବଙ୍କ ଘର ବୁଲନ୍ତି ଥରେ ପ୍ରଫୁଲ୍ଲଙ୍କୁ ଟାଇଫଏଡ଼ ହେଲା ଗଣେଶ୍ୱର ଦେଖି ଗଲେ ପ୍ରଫୁଲ୍ଲର ଦେହ ଭଲ ହୋଇଆସୁଥାଏ ହେଲେ ଶରୀର ଦୁର୍ବଳ ଥାଏ ଜଳ ପାନ କଲେ ପାଟିରେ ଆସୁଥାଏ ଏକ ପ୍ରକାରର ତିକ୍ତ ସ୍ୱାଦ ଏହି ଦେଖାର ଅଳପ ଦିନ ପରେ ଗଣେଶ୍ୱର ବାବୁ ଖବର ପାଇଲେ ସାଙ୍ଗମାନଙ୍କ ସହ ମିଶି ଡାକତରଖାନା ଦଉଡ଼ା ହେଲା ମଧ୍ୟାହ୍ନ ହାସପାତାଳର ଖଟିଆ ଉପରେ ପ୍ରଫୁଲ୍ଲର ଦେହ ଦୁଶୁଥାଏ ଶେତବରନ ଶେତାଳିଆ ନିଥର ନିର୍ଜୀବ ପ୍ରିୟ ବନ୍ଧୁକୁ ହରାଇବାର ପ୍ରଥମ ଅନୁଭୂତି

ପୁରସ୍ତମପୁରୁ ଗାଁରେ ଥିଲେ ଜଣେ ଲୋକମଧୁ ମିଶ୍ରେ ମଜାଳିଆ ଲୋକ କଥାକଥାକେ ଦୋଅକ୍ଷରୀ କର୍ଣ୍ଣ ବକ୍ଷ ଦେଶରେ ପୁରୁଷସୁଲଭ ଅନେକ ଲୋମାବଳୀ ଗୌର ବର୍ଣ୍ଣ କ୍ଷୀଣାଙ୍ଗ ରୂପରେ ଅନେକଟା ଗଣେଶ୍ୱର ବାବୁଙ୍କର ପିତାଙ୍କ ଭଳି ବାପା ପୁଅ ମିଶିକରି ପୁଅଙ୍କର ମାମୁଁ ଘର ଗାଁକୁ ଗଲେ, ମିଶ୍ରେ ଆପଣେ ଥଟ୍ଟା ଟାହୁଲି କରନ୍ତି ନନାଙ୍କ ସହ ମଧୁର ସମ୍ପର୍କ ଥିଲା ବୋଧେ ହଠାତ ଦିନେ ମଧୁବାବୁଙ୍କ ଦାଣ୍ଡ ଘରେ ତାଙ୍କ ଶବ ଦେଖିଲେ ଶିଶୁ ଗଣେଶ୍ୱର ଦେହ ଉପରେ ମଶିଣାଟା ଘୋଡ଼ାହୋଇଥାଏ ଖାଲି ଉହୁଁକି ଦୁଶୁଥାଏ ପାଦହଳକ ଚଡ଼କରେ ଚାଲିଯାଇଥାଆନ୍ତି ମିଶ୍ରେ କିଏ ଜଣେ ଗୁଜବ ଉଡ଼େଇଥାଏ ଯେ, ଦୁତୀୟ ଥର ଚଡ଼କ ପଡ଼ିଲେ ମଧୁ ମିଶ୍ରେ ଉଠି ବସିବେ ଦ୍ୱିତୀୟ ଥର ଚଡ଼କ ପଡ଼ିଲା ନାହିଁ ମଧୁ ମିଶ୍ରେ ବି ଉଠି ବସିଲେ ନାହିଁ ଏହା ଥିଲା ଦୈବୀ ଦୁର୍ବିପାକରେ ଚିହ୍ନା ଲୋକ ମରିବାର ଗଣେଶ୍ୱର ବାବୁଙ୍କର ପ୍ରଥମ ଅନୁଭୂତି

ହେଲେ ଗଣେଶ୍ୱର ମିଶ୍ରଙ୍କର ମୃତ୍ୟୁ ସମ୍ପର୍କିତ ପ୍ରଥମ ଅନୁଭୂତି ଥିଲା ପୁରା ଛୋଟ ବେଳେ ବୟସ ସେତେବେଳେ ଚାରି ବରଷ ଖଣ୍ଡେ ହୋଇଥିବ ମାଟି ଚଟାଣ ଉପରେ ଥୁଆ ହୋଇଚି କଲେରାରେ ମରିଥିବା ଗୋଟିଏ ଶବ ମସିଣାଟିଏ ତାହା ଉପରେ ଘୋଡ଼ା ହୋଇଛି ବୟସ୍କା ଭଦ୍ରମହିଳାଟିଏ କୁହାଟ ପକାଇ ରୋଦନ କରୁଛନ୍ତି ମୋ ଗଉରୀ ମୋ ଗଉରୀକହି ଖଣ୍ଡେ ଦୂରରେ ଗଣେଶ୍ୱର ବାବୁ ଦଣ୍ଡାୟମାନ ମନେ ପଡ଼ୁଛି ଶବ ହୋଇ ଶୋଇଥିବା ସ୍ତ୍ରୀଲୋକଟି ଉପରକୁ ରାଗିକରି ଭୁଜା ଭୋଗେଇ ଫିଙ୍ଗିବାର ତାକୁ ମରିଯା ବୋଲି କହିବାର ବିକଳ ହୋଇ କାନ୍ଦୁଥିବା ବୁଢ଼ୀ ଜଣଙ୍କ ଗଣେଶ୍ୱର ମିଶ୍ରଙ୍କର ଆଇ ଗଉରୀ ହେଲା ତାଙ୍କ ଝିଅର, ଗଣେଶ୍ୱର ବାବୁଙ୍କର ମା, ନାମ

(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୪ତମ ସଂଖ୍ୟାରେ ୨୦୧୭ ମସିହାରେ ପ୍ରକାଶିତ)