Monday, January 23, 2017

ଜଙ୍ଗଲଦେବତା ନା ଜଙ୍ଗଲର ଦେବତା


ପୁଷ୍ପାଞ୍ଜଳି ଶତପଥି ଓ ସାଥୀ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆଦିବାସୀମାନେ ପାରମ୍ପରିକ ଭାବରେ ପ୍ରକୃତିର ପୂଜକ ବନଭୂମିର ବିଭିନ୍ନ ସ୍ଥାନ, ପାହାଡ଼, ପଶୁପକ୍ଷୀ, ବୃକ୍ଷଲତା ଓ ତୋଟା ଇତ୍ୟାଦି ସେମାନଙ୍କର ଦେବତା । ଏହି ପ୍ରକୃତି ପୂଜାର ଏକ ପ୍ରକୃଷ୍ଟ ଉଦାହରଣ ଭାବରେ ଆମେ ନିୟମଗିରିକୁ ନେଇପାରିବା । ନିୟମଗିରିର ଡଙ୍ଗରିଆ କନ୍ଧମାନେ ଏହି ପର୍ବତକୁ ସେମାନଙ୍କ ଦେବସ୍ଥଳୀ ଭାବରେ ଆବାହମାନ କାଳରୁ ଜ୍ଞାନ କରି ଆସିଅଛନ୍ତିଏହି ପର୍ବତର ନଈ, ଝର, ଡଙ୍ଗର, ମୁଣ୍ଡିଆ ଓ ଗଛଲତା ଗୁଡ଼ିକର ସେମାନେ ପୂଜା କରନ୍ତି । ବକ୍ସାଇଟ ଖନନ ପାଇଁ ବେଦାନ୍ତ କମ୍ପାନୀର ସତତ ଚେଷ୍ଟା ସତ୍ତ୍ୱେ ସେମାନେ ନିୟମଗିରିକୁ ଛାଡ଼ିବାପାଇଁ ରାଜି ନୁହନ୍ତି । ଡଙ୍ଗରିଆ କନ୍ଧମାନଙ୍କର ଲଢ଼େଇ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଜଙ୍ଗଲ ଅଧିକାର ଆଇନ (୨୦୦୬), ଓ ତାହାରି ଆଧାରରେ ଉଚ୍ଚତମ ନ୍ୟାୟାଳୟର ଦେଶ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ନିୟମଗିରି ସୁରକ୍ଷିତ ରହିଛି । ଆଦିବାସୀମାନଙ୍କର ଧାର୍ମିକ ବିଶ୍ୱାସ, ସଂସ୍କୃତି, ପ୍ରଥା ପରମ୍ପରାକୁ ସୁରକ୍ଷିତ ରଖିବାପାଇଁ, ସେମାନଙ୍କର ଆବାସସ୍ଥଳୀ ଓ ତତ୍ ସନ୍ନିବେଶିତ ଅଞ୍ଚଳରେ ପ୍ରଥା ଅନୁମୋଦିତ ସମସ୍ତ ଅଧିକାରର ପୂର୍ଣ୍ଣ ବ୍ୟବହାର ସହିତ ତାକୁ ସଂରକ୍ଷିତ ରଖିବା ନିମନ୍ତେ ଏହି ଆଇନ ପ୍ରାବଧାନଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । କେବଳ ନିୟମଗିରି ନୁହେଁ, ପ୍ରାୟତଃ ଆଦିବାସୀ ଅଞ୍ଚଳରେ ପ୍ରକୃତିକୁ ସୁରକ୍ଷିତ ରଖିବା ଓ ତାହାରି ସହିତ ଏକାତ୍ମ ହୋଇ ରହିବାର ଆଧ୍ୟାତ୍ମିକ ଧାରା ତଥାକଥିତ ମୁଖ୍ୟଧାରାର ହିନ୍ଦୁ ପରମ୍ପରା ଅନୁଯାୟୀ ନେଇ ମନ୍ଦିର ପ୍ରତିଷ୍ଠା ଓ ସେଥିରେ ଦେବତାଙ୍କୁ ପୂଜିବାର ଅବଧାରଣାରୁ ସମ୍ପୂର୍ଣ୍ଣ ଭିନ୍ନ । ସେକ୍ରେଡ଼୍ ଗ୍ରୋଭ୍ ର(ପବିତ୍ର ସ୍ଥଳୀ) ନାମକରଣ ଆଦିବାସୀର ନିଜସ୍ୱ ନୁହେଁ । ଓଡ଼ିଶାର ଆଦିବାସୀମାନେ ନିଜର ପ୍ରାକୃତିକ ଉପାସନାସ୍ଥଳୀକୁ ଭିନ୍ନ ଭିନ୍ନ ନାମରେ ନାମିତ କରିଥାନ୍ତି: ଏଗୁଡ଼ିକ ହେଲା - ଜାହିରା, ଜନ୍ତାଳ, ସର୍ନା, ପାଟ ବୋଡ଼ାମଶାଳ, ଇତ୍ୟାଦି । ତେବେ ଆଦିବାସୀଙ୍କ ସହିତ କର୍ମରତ ମୂଖ୍ୟଧାରାର କିଛି ଲୋକେ ଆଦିବାସୀମାନଙ୍କର ପ୍ରାକୃତିକ ଆରାଧନାସ୍ଥଳଗୁଡ଼ିକର ନାମକରଣ ଏହିପରି ଭାବରେ କରିଛନ୍ତି ।

ଆଶ୍ଚର୍ଯ୍ୟଚକିତ କଲାଭଳି ଏହି ପାରମ୍ପରିକ ପବିତ୍ର ସ୍ଥଳିଗୁଡ଼ିକର ଉନ୍ନତି ନାମରେ ଏହାକୁ ଧ୍ୱଂସ କରିବାର ଏକ ବିଧିବଦ୍ଧ ପ୍ରକ୍ରିୟା ୨୦୧୪-୧୫ ମସିହାରେ ବନବିଭାଗ ତରଫରିୁ ଆଦିବାସୀ ଅଞ୍ଚଳରେ ଆରମ୍ଭ ହୋଇଛି । ଆଦିବାସୀମାନଙ୍କର ପ୍ରାକୃତିକ ପୂଜାସ୍ଥଳୀଗୁଡ଼ିକର ଉନ୍ନତିକରଣ ସୌନ୍ଦର୍ଯ୍ୟକରଣ ପାଇଁ ଏକ ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ବନ ବିଭାଗର ତଥ୍ୟ ଅନୁସାରେ ଆମ ରାଜ୍ୟରେ ୨୧୬୧ଟି ପବିତ୍ର ସ୍ଥଳୀ ଚିହ୍ନଟ ହୋଇଛି । ୨୦୧୪ ରୁ ୨୦୧୮ ମସିହା ମଧ୍ୟରେ ଏହାର ଉନ୍ନତିକରଣ ପାଇଁ ମୋଟ ୨୦୮୭.୭୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହା ମଧ୍ୟରୁ ୨୦୨୩.୯୭ ଲକ୍ଷ ଟଙ୍କା ରାଜ୍ୟ ଯୋଜନା ପାଣ୍ଠିରୁ ଓ ୬୩.୮୧ ଲକ୍ଷ କେମ୍ପା ପାଣ୍ଠିରୁ ଖର୍ଚ୍ଚ ହେବ । ପ୍ରାରମ୍ଭିକ ପର୍ଯ୍ୟାୟ (୨୦୧୪-୧୫)ରେ ୨୦୦ଟି ପବିତ୍ରସ୍ଥଳର ସଂରକ୍ଷଣ ନିମନ୍ତେ ୪୩.୦୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ୨୦୧୫-୧୬ରେ ଆହୁରି ୩୦୦ଟି ପବିତ୍ର ସ୍ଥଳର ଉନ୍ନତିକରଣର ଯୋଜନା ହୋଇଛି । ଏହି ଯୋଜନା ଅଧିନରେ ୧୦୦ ପ୍ରକାର ସ୍ଥାନୀୟ ପ୍ରଜାତିର ବୃକ୍ଷ ରୋପଣ କରିବାର ଓ ‘ଭିତ୍ତିଭୂମି' ସ୍ଥାପନ ବ୍ୟବସ୍ଥା ରହିବ । ଉକ୍ତ ଅଞ୍ଚଳ ଚାରିପଟରେ ପଥରଖଣ୍ଡଟିମାନ ପୋତାଯାଇ ଏହାର ସୀମା ଚିହ୍ନଟ କରାଯିବ ଏହାର ଚାରିପଟେ ସବୁଜ ପାଚେରୀ ତିଆରି କରିବାର ପ୍ରସ୍ଥାବ ମଧ୍ୟ ରହିଛି । ସେଥି ସହିତ ପୂଜା କୁଟୀର ଓ ଉପାସନା ବେଦୀ ଇତ୍ୟାଦି ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବାର ଯୋଜନା ରହିଛି ।ସମଗ୍ର ଯୋଜନାଟି ଆଦିବାସୀ ଗ୍ରାମବାସୀଙ୍କ ଦ୍ୱାରା ବନ ସୁରକ୍ଷା ସମିତି ଢ଼ାଞ୍ଚାରେ କାର୍ଯ୍ୟକାରୀ ହେବ । ସେମାନେ ପବିତ୍ର ସ୍ଥଳିର ଏକ ମାନଚିତ୍ର ପ୍ରସ୍ତୁତ କରିବେ । ଗୋଟିଏ ବିକାଶ ସମିତି ଗଠନ କରାଯିବ ଯାହା ସ୍ୱୟଂ ସହାୟକ ଗୋଷ୍ଠୀ ବା ସୋସାଇଟି ରେଜିଷ୍ଟ୍ରେସନ୍ ଏକ୍ଟ ଅନୁସାରେ ପଞ୍ଜିକୃତ ହେବ । ଗ୍ରାମବାସୀମାନେ ଜଣେ ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କୁ ଏହାର ଅଧ୍ୟକ୍ଷ ଭାବରେ ବାଛିବେ । ପବିତ୍ର ସ୍ଥଳର ନାମରେ ଏକ ପାସ୍ ବୁକ୍ ଖୋଲାଯିବ । ବିକାଶ ସମିତି ପବିତ୍ର ସ୍ଥଳୀ ପାଇଁ ଏକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରି ସ୍ଥାନୀୟ ରେଞ୍ଜ ଅଫିସରଙ୍କ ନିକଟରେ ଉପସ୍ଥାପିତ କରିବେ

ମାତ୍ର ଆଦିବାସୀମାନଙ୍କର ଉପସନାର ଏକାନ୍ତ ପରିସର ମଧ୍ୟରେ ବନ ବିଭାଗର ଏହି ଯୋଜନା ମାଧ୍ୟମରେ ଅନୁପ୍ରବେଶ କେତେଦୂର ଗ୍ରହଣୀୟ, ସେ ବିଷୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିଠାରେ ଉତ୍ତର ଓଡ଼ିଶାର ଏକ ଗ୍ରାମର ଗୋଟିଏ ଉଦାହରଣ ନିଆଯାଇପାରେ । ପ୍ରଶାସନିକ ନିର୍ଦ୍ଦେଶକୁ ପାଳନ କରିବାପାଇଁ ବନ ବିଭାଗର କର୍ମଚାରୀମାନେ ଗ୍ରାମବାସୀଙ୍କ ସହିତ ସେମାନଙ୍କର ବୋଡ଼ାମଶାଳ (ପୂଜାସ୍ଥଳୀ) ବିଷୟରେ ଆଲୋଚନା କରିଥିଲେ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିକଟସ୍ଥ ଏହି ଗ୍ରାମଟି ପ୍ରାକୃତିକ ଶାଳଜଙ୍ଗଲ ମଧ୍ୟରେ ଅବସ୍ଥିତ । ଜଙ୍ଗଲ ଅଧିକାର ଆଇନ ଅଧିନରେ ସେମାନଙ୍କୁ ୨୦୧୫ ରେ ଗୋଷ୍ଠୀଗତ ଅଧିକାରପତ୍ର ମିଳିଛି । ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ସେମାନଙ୍କର ଆରଧନାସ୍ଥଳୀ ଅବସ୍ଥିତ । ବନବିଭାଗର କର୍ମକର୍ତ୍ତାମାନେ ସେଠାରେ ପାଚେରୀ ନିର୍ମାଣ କରି ସେହି ସ୍ଥାନକୁ ସୁନ୍ଦର କରିବା ପାଇଁ ଦେବଦାରୁ ଗଛ ରୋପଣ ଇତ୍ୟାଦିର ପ୍ରସ୍ଥାବ ଦେଇଥିଲେ । ଅତ୍ୟନ୍ତ ସହଜ ଭାବରେ ଗ୍ରାମବାସୀମାନେ ଉକ୍ତ ପ୍ରସ୍ଥାବକୁ ଅଗ୍ରାହ୍ୟ କରିଦେଇଥିଲେ । ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟରେ ସେମାନଙ୍କ ଦେବସ୍ଥଳୀ ମନୋରମ ଅପ୍ରାକୃତିକ କିଛି ନିର୍ମାଣ ବା ରୋପଣର ସେମାନଙ୍କର ଆଗ୍ରହ ନାହିଁ ବୋଲି ସେମାନେ କହିଥି୍ଲେ । ସେମାନଙ୍କ ଦେବତାଙ୍କ ଆସ୍ଥାନ ସ୍ଥଳରେ ଗୃହନିର୍ମାଣ ପାଇଁ ବନ ବିଭାଗର କର୍ମକର୍ତ୍ତାମାନେ ସେମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ବନବିଭାଗର ତର୍କଥିଲା ଯେ, ଠାକୁର ମେଲାରେ ରହୁଥିବା ଯୋଗୁଁ କୁକୁର, ବିଲେଇଙ୍କ ପ୍ରବେଶ ଦ୍ୱାରା ସେମାନଙ୍କ ଦେବସ୍ଥଳୀ ଅପବିତ୍ର ହୋଇଯାଇପାରେ ମାତ୍ର ତହିଁକୁ ଗ୍ରାମବାସୀମାନଙ୍କର ଅକପଟ ଉତ୍ତର ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା । ପୂର୍ଣ୍ଣ ଆସ୍ଥାର ସହିତ ସେମାନେ କହିଲେ ଯେ,ଆମର ଦେବତା କେତେବେଳେ କେଉଁ ରୂପରେ ଆସିପାରନ୍ତି, ହୁଏତ କେତେବେଳେ ସାପ ବା ବାଘ ରୂପରେ ।” ଣୁ ପୂଜାସ୍ଥଳୀକୁ ଆବଦ୍ଧ କରିବାକୁ ନେଇ ବିଲାପଘାର ଆଦିବାସୀମାନଙ୍କର କୌଣସି ଆଗ୍ରହ ନଦେଖି ବନ ବିଭାଗ ନିଜର ଉଦ୍ୟମ ବ୍ୟାହତ କଲେ

ମାତ୍ର ସମସ୍ତ ଆଦିବାସୀ ଅଞ୍ଚଳରେ ଏଭଳି ଅଭିନବ ମାତ୍ର ତର୍କସଙ୍ଗତ ନାସ୍ତିବାଚକ ଉତ୍ତର ଦେବାପାଇଁ ଗ୍ରାମବାସୀମାନେ ହୁଏତ ସେତିକି ସଚେତନ ବା ନିର୍ଭୟ ନହୋଇ ପାରନ୍ତି । ଏହି ଯୋଜନାକୁ ଚଳାଇବା ପାଇଁ ଉପରସ୍ଥରର ସରକାରୀ ନିର୍ଦ୍ଦେଶ ଆସିଛି ବୋଲି କହି ଏହାକୁ କାର୍ଯ୍ୟକାରୀ କରାଇ ନେବା ପାଇଁ ବନବିଭାଗ ଚେଷ୍ଟାକରିପାରେ । ସବୁ ସମୟରେ ସାମାଜିକ, ସାଂସ୍କୃତିକ, ଆର୍ଥିକ, ଶିକ୍ଷା ସ୍ୱାସ୍ଥ୍ୟ ଆଦି ବିଭିନ୍ନ ଯୋଜନା ଉପରସ୍ତରରେ ପ୍ରସ୍ତୁତ କରି ଆଦିବାସୀମାନଙ୍କ ଉପରେ ଲଦି ଦିଆ ଯାଇଛି। ବର୍ତ୍ତମାନ ସେମାନଙ୍କ ଧାର୍ମୀକ ପୂଜାପୀଠ ମଧ୍ୟ ସେଥିରୁ ବାଦ ଯାଉନାହିଁ । ଉନ୍ନତିକରଣ ନାମରେ ଏହା ବାହ୍ୟ ସଂସ୍କୃତିର ଅନୁପ୍ରବେଶ ମାତ୍ର । ଅବହେଳିତ ସରଳ ଆଦିବାସୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବା ପଛରେ ଯେ ସରକାରଙ୍କର କମ୍ପାନୀପ୍ରେମ ରହିଛି, ସେହି ସତ୍ୟକୁ ବୋଧେହୁଏ ଆମକୁ ସ୍ୱୀକର କରିବାକୁ ପଡ଼ିବ । ହୁଏତ ଆରଧନାସ୍ଥଳୀର ଅଧିକାର ନାମରେ ରାଜ୍ୟରେ ଆହୁରି ନିୟମଗିରିର ସୃଷ୍ଟି ହେବ ଓ କମ୍ପାନୀମାନଙ୍କର ପ୍ରବେଶକୁ ପ୍ରତିରୋଧ କରିବ, ଏହି ଆଶଙ୍କାର ଭିତ୍ତିରେ ପବିତ୍ରସ୍ଥଳର ସମନ୍ୱିତ ବିକାଶ ଯୋଜନା କାର୍ଯ୍ୟକାରୀ କରି ଉକ୍ତ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତ କରିବା ଓ ସୀମାରେଖା ଅଙ୍କନ କରିବାର ଚଞ୍ଚକତା କରାଯାଉଛି । ବନ ବିଭାଗର ଲୋକବିରୋଧି ଆଚରଣ ଆଦିବାସୀମାନଙ୍କର ଅଧିକାରକୁ ସୀମାବଦ୍ଧ (ପାଚେରୀବଦ୍ଧ) କରି କମ୍ପାନୀମାନଙ୍କର ପ୍ରବେଶ ନିମନ୍ତେ ସମ୍ଭାବ୍ୟ ସୁଯୋଗ ସୃଷ୍ଟି କରୁଛି । ତଥାପି ନିୟମଗିରିର ସୁରକ୍ଷା ପ୍ରଚେଷ୍ଟା, ଅନ୍ୟ ଆଦିବାସୀ ସମୁଦାୟଗୁଡ଼ିକୁ ସେମାନଙ୍କ ଅଧିକାର ପ୍ରତି ଜାଗ୍ରତ କରିବା ସହିତ ପରିବେଶ ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ଯେ ଅନୁପ୍ରାଣିତ କରିବ ସେଥିରେ ସନ୍ଦେହ ନାହିଁ।

ବି.ଦ୍ର. ଏହି ଲେଖାଟି ଦୈନିକ ଧରିତ୍ରୀର ୧୦ ନଭେମ୍ବର ୨୦୧୬ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ  ଛପା ହୋଇଥିଲା । 

Sunday, January 22, 2017

ମହିମା ଭକ୍ତି କବିତା - 'ନିରତେ ଭଜ ତରିବ'


କବି - ଭୀମ ଭୋଇ


ଇସଲାମୀୟ ଜପା ମାଳି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନିରତେ ଭଜ ତରିବ ଭବସଂସାରୁ ।
ନାମ ବହି ଆସୁୂଅଛି ଅଣ ଅକ୍ଷରୁ ।ଘୋଷା।

ସୁଖଭୋଗ ତେଜ୍ୟା କରି, ଭୂମି ଆସନେ ବିହରି ।
ଜନ୍ମ ମୃତ୍ୟୁକୁ ନିବାର ଏହି ଅଙ୍ଗରୁ ।୧।

କାମ, କ୍ରୋଧ, ଲୋଭ, ମୋହ, ଛନ୍ଦ, ବାଦ, ହିଂସା, ଦ୍ରୋହ ।
ଆୟତ୍ତ କରାଇ ରଖ ଜ୍ଞାନ ତତ୍ତ୍ୱରୁ ।୨।

ଖଚ ମିଛ କଥା ଛାଡ଼ ନିର୍ବେଦରେ କର ଦୃଢ଼ ।
ସେବା ଜଗି ସୁଧାପାନ ପିଅ ପୟରୁ ।୩।

ସେହିଟି ପୃଥିବୀ ଚୂଳ, ଫୁଟି ଯେସନେକ ଫୁଲ ।
ଦଶ ଅବତାର ଆତଯାତ ସେଠାରୁ ।୪।

ଚାରିଯୁଗେ ଯେହୁ ମୋକ୍ଷ, ଏତେବେଳେ ତାଙ୍କୁ ଡାକ ।
ନିଶ୍ଚଏ ତରିବ ଶ୍ରୀଗୁରୁଙ୍କ ଦୟାରୁ ।୫।

କଳି ଉତ୍ପାତ ହେଲାଣି, ଧର୍ମ ଇ଼ଜ୍ଜତ ଗଲାଣି ।
ଭଣେ ଭୀମ ଭୋଇ ତ୍ରାହି କର ନିନ୍ଦାରୁ ।୬। 

ମହିମା ଭକ୍ତି କବିତା - 'ବ୍ରହ୍ମଜ୍ଞାନ କରନ୍ତି ବିସ୍ତାର'


କବି - ଭୀମ ଭୋଇ


ଚିତ୍ର - ଦି ଗ୍ରେଟ ୱେଭ ଅଫ୍ଫ୍ କାନାଗୱା (ଉନବିଂଶ ଶତାବ୍ଦୀର ଜାପାନ)
ଚିତ୍ରକାର - କାତ୍ସୁସିକା ହୋକୁସାଇ (୧୭୬୦-୧୮୪୯)

ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର ।
ଭଗତ କେ ଅଛ ସମ୍ଭାଳି ଧର ।ଘୋଷା।

ନିଜ ନାମ ଯାହା, କହି ନୋହେ ତାହା,
ନ ବସଇ ଅକ୍ଷର ।୧।

ଶବଦ ଯେତେକ, ବେଦାନ୍ତ ତେତେକ,
ପ୍ରଚରୁଛି ସଂସାର ।୨।

ଅନାଦି ପୁରୁଷ, ଯାହାକୁ ବୋଲନ୍ତି,
ଅନ୍ତ ନାହିଁ ତାହାର ।୩।

ଗୁରୁଦେବ ସ୍ୱାମୀ, ଯେହୁ ସେ ଅଟନ୍ତି,
ସାର ଜ୍ଞାନ ଭଣ୍ଡାର ।୪।

ମହିମା ନାମଟି, ଯେଣୁ ବୋଲାଉଛି,
ଅଗାଧ ସେ ସାଗର ।୫।

ଗୁରୁ ପାଦ ଧ୍ୟାୟି, ଭଣେ ଭୀମ ଭୋଇ,
ନିଶ୍ଚେ ହେବ ଉଦ୍ଧାର ।୬।

ପର୍ବତରେ  ଧର୍ମୋପଦେଶ - ୨


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଉଥିବା ରୋମୀୟ ସମୟର ଭିତ୍ତିଚିତ୍ର (ଚତୁର୍ଥ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତୁମ୍ଭେମାନେ ପୃଥିବୀର ଲବଣ ସ୍ୱରୂପ, ପୁଣି ଲବଣ ଅସ୍ୱାଦୁ ହେଲେ ତାହା କିପ୍ରକାରେ ଲବଣହଯୁକ୍ତ ହେବ ? ତାହା କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକା ଯାଇ ମଣିଷର ପାଦ ତଳେ ଦଳିତ ହେବାର ଯୋଗ୍ୟ । ତୁମ୍ଭେମାନେ ଜଗତର ଆଲୁଅସ୍ୱରୂପ; ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ନ ପାରେ । ଲୋକେ ପ୍ରଦୀପ ଜ୍ୱଳାଇ ମାଣ ତଳେ ନ ରଖି ଦୀପରୁଖା ଉପରେ ରଖନ୍ତି ; ତହିଁରେ ସେହି ଦୀପ ଗୃହସ୍ଥିତ ସମସ୍ତ ଲୋକଙ୍କୁ ଆଲୁଅ ଦିଏ । ସେହିପରି ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କର ଆଲୁଅ ପ୍ରକାଶ ପାଉ, ତହିଁରେ ସେମାନେ ତୁମ୍ଭମାନଙ୍କ ସୁକର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ଧନ୍ୟବାଦ କରିବେ ।

ଆମ୍ଭେ ଯେ ବ୍ୟବସ୍ଥା କି ଭବିଷ୍ୟତବାକ୍ୟ ଲୋପ କରିବାକୁ ଆସିଅଛୁଁ, ଏପରି ଭାବ ନାହିଁ; ଲୋପ କରିବାକୁ ନୁହେ ମାତ୍ର ସଫଳ କରିବାକୁ ଆମ୍ଭେ ଆସିଅଛୁ । ଏହିହେତୁ ଆମ୍ଭେ ସତ୍ୟ କହୁଁ, ଯେପର୍ଯ୍ୟନ୍ତ ଆକାଶ ଓ ପୃଥିବୀର ଧ୍ୱଂସ ନ ହେବ, ସେ ପର୍ଯ୍ୟନ୍ତ ସମସ୍ତ ପୂର୍ଣ୍ଣ ନ ହେଲେ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁର ଲୋପ ହେବ ନାହିଁ । ଏ ନିମନ୍ତେ ଯେ କେହି ଏହି କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଏକ ଆଜ୍ଞା ଲଙ୍ଘନ କରି ସେହିରୂପେ ଲୋକଙ୍କୁ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ର ଗଣିତ ହେବ । କିନ୍ତୁ ଯେ ତାହାସବୁ ପାଳନ କରି ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ପ୍ରଧାନରୂପେ ଗଣିତ ହେବ । ଆଉ ଆମ୍ଭେ ତୁମ୍ଭମାନଙ୍କୁ କହୁଅଛୁଁ, ଅଧ୍ୟାପକ ଓ ଫାରୁଶି ଲୋକଙ୍କ ଅପେକ୍ଷା ତୁମ୍ଭମାନଙ୍କର ଧାର୍ମିକପଣ ଅଧିକ ନୋହିଲେ ତୁମ୍ଭେମାନେ କେବେହେଁ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

ଓଡ଼ିଆ ସିନେମା ଗୀତ - 'ସାବି ସାବି ତୁ ତ ମୋର ନାଲିପାନ ବିବି'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=FeWZ5fL4KHA&spfreload=10


ନାଲିପାନ ବିବି ସହ ନାଲିପାନ ରଜା
ଲୁଇସ କାରୋଲଙ୍କର 'ଆଲିସ ଇନ ୱଣ୍ଡରଲ୍ୟାଣ୍ଡ'




Saturday, January 21, 2017

ମହିମା ଭକ୍ତି କବିତା - 'ଅକ୍ଷୟ ଅନନ୍ତ ହେ'


କବି - ଭୀମ ଭୋଇ


ୠଷିଙ୍କ ସହ ଶୁକ ମୁନି (୧୭୫୭, ରାଜସ୍ଥାନ)
ଫଟେ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅକ୍ଷୟ ଅନନ୍ତ ହେ, ଅଜ୍ଞାନରେ ମୁଁ ତ ଦିନହରି ।

ମାୟା ମୋହ ରୂପ ମଣି ମହାସୁଖ
ଭୁଲୁଅଛି ଚିତ୍ତ ବଳିକରି । ଘୋଷା ।

ଭୂଷଣ୍ଡ ଯେ ପକ୍ଷୀ ବେଦ ଶାସ୍ତ୍ର ବାଛି

() ଅକ୍ଷରକୁ ଚିତ୍ତେ ଧରି ।

ହୃଦପଦ୍ମେ ଜପ କରି ଏକରୂପ
ରହିଛି ବଟେ ଆସନ କରି ।୧।

ଅଗସ୍ତି ପୁରୁଷ ଜ୍ଞାନ ଉପଦେଶ
ସହସ୍ର ଯୁଗ ସାଧନା କରି ।
ପାରି ହେଲେ ଦ୍ୱନ୍ଦୁ ପିଇ ସପ୍ତ ସିନ୍ଧୁ
ଅଣାକାରଙ୍କର ଆଜ୍ଞାକାରୀ ।୨।

ବାଲମିକ ମୁନି ବାଳୁତ କାଳରୁ
ଅବଧୂତ ଦୀକ୍ଷା ଆଶ୍ରେ କରି ।
ଭଜି ଏକାକ୍ଷର ଫିଟିଲା ତିମିର
ତେଣୁ କରି ହେଲେ ବ୍ରହ୍ମଚାରୀ ।୩।

ଶୁକଦେବ ମୁନି ହେଲେ ବ୍ରହ୍ମଜ୍ଞାନୀ
ମାତୃଗର୍ଭ ଜ୍ଞାନ ହେତୁ କରି ।
ମାୟାରୁ ବାହାର ହେଲେ ଯୋଗେଶ୍ୱର
ସିଦ୍ଧମୁନି ଭାବେ ଗଲେ ତରି ।୪।

ମାରକଣ୍ଡ ଯତି ପ୍ରଳୟ ଉତ୍ପତ୍ତି
ଭାସି ଯାଉଥିଲେ ଭବବାରି ।
ଆଣ୍ଟେ ଦେଲେ ଡାକ ରଖ ହେ ଅଲେଖ
ରଖିଲ ଧ୍ରୁବମଣ୍ଡଳ ପୁରି ।୫।

ଦେଖି ଏହୁ ନ୍ୟାୟ କମ୍ପୁଅଛି ଦେହ
ବାୟୁର ଘାତରେ ତୃଣ ପରି ।
ବୋଲେ ଭୀମ ହୀନ ପାମର ଅଜ୍ଞାନ
ପାରିକର ଭବସିନ୍ଧୁ ବାରି ।୬।

ଓଡ଼ିଆ ସିନେମା ଗୀତ - 'ମା କାଳୀଜାଇ ଲୋ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=aqTBXQrrQeA



କାଳିଜାଇରୁ ଚିଲିକାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍