Friday, October 28, 2016

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୯



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ଚୀନ ଦେଶର ଗୁଆଙ୍ଗଝୋ ସହରର ସାର୍ବଜନୀନ ବସ ବ୍ୟବସ୍ଥା
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ 

ଏହିପରି ଚତୁର୍ଦିଗ ରୁ ଯଦି ପ୍ରଯୁକ୍ତିବିଦ୍ୟାର ସମୀକ୍ଷା ନକରାଯାଏ, ତାହେଲେ କେବଳ ପରିବେଶ ବିଷୟରେ ଚିନ୍ତା ବ୍ୟକ୍ତ କରି ପରିବେଶକୁ ମଧ୍ୟ ସୁରକ୍ଷିତ କରାଯାଇପାରିବ ନାହିଁ । ମୋଟରଗାଡ଼ିର ବର୍ତ୍ତମାନ ସଂଖ୍ୟାକୁ କମେଇବାର ବା ଅଧା କରିବାର ସ୍ପଷ୍ଟ ନୀତି ଗ୍ରହଣ ନକଲେ ଦିଲ୍ଲୀର ପ୍ରଦୂଷଣକୁ ରୋକିହେବ ନାହିଁ । କେତେ ପ୍ରକାରର ଯନ୍ତ୍ର ଅଛି ଯାହାର ବହୁଳତା ହେଉଛି ବିନାଶକାରୀ ଓ ସ୍ୱଳ୍ପତା ନିରାପଦ । ମୋଟରଗାଡ଼ିକୁ ହିଁ ଧରାଯାଉ । ମନୁଷ୍ୟ ଓ ପ୍ରଯୁକ୍ତିବିଦ୍ୟାର ଗୋଟିଏ ଅନୁପାତ ରହିବା ଦରକାର । ଦଶହଜାର ଲୋକଙ୍କ ବସତିରେ ଦୁଇ ତିନୋଟି ମୋଟର କାର ଯଥେଷ୍ଟ ହେବା ଉଚିତ । ଏହା ପଞ୍ଚାୟତ ଅଧିନରେ ରହିବ ଓ ବିଶେଷ ପରିସ୍ଥିତିରେ ଲୋକେ ଏହାକୁ ବ୍ୟବହାର କରିବେ । ଲୋକଙ୍କର ସାଧାରଣ ଦୈନନ୍ଦିନ କାର୍ଯ୍ୟ ପାଇଁ ସେମାନେ ବସ ଓ ସାଇକେଲ ବ୍ୟବହାର କରିବେ । ଉଚ୍ଚଶ୍ରେଣୀର ଲୋକେ କାହିଁକି ବସରେ ଯାତ୍ରା କରିବେ ନାହିଁ ? ସେମାନେ ଯଦି କରିବେ ତାହେଲେ ବସର ବ୍ୟବସ୍ଥା ବଢ଼ିଆ ହୋଇଯିବ ।

ପଚାଶ ବର୍ଷ ଧରି ଚୀନରେ ଏହିପରି ବ୍ୟବସ୍ଥା ଥିଲା
, ଏବେ ମଧ୍ୟ ଆଂଶିକ ଭାବରେ ରହିଛି । ଏଥିପାେଇଁ ଚୀନ ଭାରତଠାରୁ ବେଶୀ ସମୃଦ୍ଧ ହୋଇଛି । ଗତ ପଚାଶ ବର୍ଷ ଭିତରେ ଚୀନର ପ୍ରଯୁକ୍ତିବିଦ୍ୟା ନୀତି ଭାରତର ପ୍ରଯୁକ୍ତିବିଦ୍ୟା ନୀତିଠାରୁ ବିଲକୁଲ ଭିନ୍ନ ଥିଲା । ପ୍ରଫେସରମାନ ବିଶ୍ୱବିଦ୍ୟାଳୟକୁ ଓ ବଜାରକୁ ବସରେ ଯାଉଥିଲେ । ସେଥିପାଇଁ ଚୀନରେ ଭାରତ ଅପେକ୍ଷା ଶିକ୍ଷାର ପ୍ରସାର ବେଶୀ ହୋଇଛି । ପଞ୍ଚମ ବେତନ କମିଶନ ପରେ ଦିଲ୍ଲୀର ସବୁ ପ୍ରଫେସର ନୂଆ କାର କିଣିଲେଣି । ତେଣୁ ଭାରତରେ ଆଉ ଶିକ୍ଷାର ପ୍ରସାର ଘଟିବ ନାହିଁ । 

ଯଦି ଅଳ୍ପ କାର ରହିବ ତାହାର ପ୍ରଯୁକ୍ତିବିଦ୍ୟା ଅଲଗା ହେବ । ସେଥିରେ ଚାରିଜଣ ଆରାମରେ ବସିପାରିବେ ଓ ଗ୍ରାମ୍ୟ ସଡ଼କରେ ଚାଲିପାରିବ । ଛୋଟ ମାରୁତି ଗାଡ଼ି ହେଲା ଜଣକିଆ ମୋଟରଗାଡ଼ି । ଏହାର ଦର୍ଶନ ହେଉଛି ଜଣଙ୍କ ପାଇଁ ଗୋଟିଏ ଗାଡ଼ି । ୟୁରୋପ-ଆମେରିକାରେ ଜଣ ପ୍ରତି ବା ଦୁଇ-ତିନିଜଣରେ ଗୋଟିଏ ଗାଡ଼ି ସମ୍ଭବ ହୋଇପାରୁଛି । କିନ୍ତୁ ବିକାଶଶୀଳ ଦେଶମାନଙ୍କରେ ଏହା ବିଷମତା ସୃଷ୍ଟି କରେ । ଘରୁଆ ଡ୍ରାଇଭର ରଖି ବଡ଼ଗାଡ଼ିରେ ବସିବା ଧନୀ ଓ ମଧ୍ୟବିତ୍ତ ମଧ୍ୟରେ ବିଷମତା ସୃଷ୍ଟି କରେ । ଜଣକିଆ ଗାଡ଼ି ଉଚ୍ଚମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ମଧ୍ୟରେ ବିଷମତା ସୃଷ୍ଟି କରେ । ଏହା ତୁଳନାରେ ଟାକ୍ସି କମ ବିଷମତା ସୃଷ୍ଟି କରେ । ଏସବୁ ଅଲଗା ଅଲଗା ପ୍ରଯୁକ୍ତିର ଢାଞ୍ଚା ।

ପଣ୍ଡିତ ନେହେରୁଙ୍କ ସମୟରେ ଛୋଟ ମୋଟର ଗାଡ଼ି କଳ୍ପନା ଥିଲା । ଏହି ଯୋଜନାକୁ ଲୋକପ୍ରିୟ କରିବା ପାଇଁ କୁହାଗଲା ଯେ ପ୍ରଯୁକ୍ତିବିଦ୍ୟାରେ ସୁଧାର କରି ଛୋଟ ଓ ଶସ୍ତା ଗାଡ଼ି ଭାରତରେ ପ୍ରଚଳନ କରାଯିବ, ଏହା ହେବ ଜନତା ଗାଡ଼ି (ପିପୁଲସ କାର) । ସେହି ଯୋଜନାରୁ ବାହାରିଲା ମାରୁତି କାର । ଏହାକୁ ଜନତା ଗାଡ଼ି କହିବା, କିମ୍ବା ଅଳ୍ପ ଆୟବାଲାଙ୍କ କାର କହିବା ଭାରତର ଜନସାଧାରଣଙ୍କ ପ୍ରତି ଉପହାସ ।

ଇଞ୍ଜିନ ଚାଳିତ ସବୁ ଗାଡ଼ିକୁ ଅଟୋମୋବିଲ କୁହାଯାଏ । କିନ୍ତୁ ଯନ୍ତ୍ରର ଡିଜାଇନ୍ଗୁଡ଼ିକ ଅଲଗା ହେଉଥିବାରୁ ସୂକ୍ଷ୍ମ ଅର୍ଥରେ ସେଗୁଡ଼ିକୁ ଅଲଗା ଅଲଗା ପ୍ରଯୁକ୍ତିବିଦ୍ୟା ବୋଲି ମଧ୍ୟ କୁହାଯାଏ । ପ୍ରତ୍ୟେକର ଅଲଗା ‘ପେଟେଣ୍ଟ’ ହୁଏ । ଆମେ ଯେତେ ପ୍ରକାରର ଗାଡ଼ିର ଉଲ୍ଲେଖ କଲୁ, ସେଗୁଡ଼ିକର ଅଲଗା ଅଲଗା ସାମାଜିକ ପ୍ରଭାବ ଅଛି । ବସ, ଟାକ୍ସି ଓ ମାରୁତି କାର ସମାଜକୁ ଭିନ୍ନ ଭିନ୍ନ ଭାବରେ ପ୍ରଭାବିତ କରନ୍ତି । ବସ ସର୍ବସାଧାରଣଙ୍କର ବାହନ ହୋଇପାରିବ । ଏହା ବିଷମତା ସୃଷ୍ଟି କରେନାହିଁ । ମାରୁତି କାର ବା ବ୍ୟକ୍ତି କିମ୍ବା ପାରିବାରିକ ମାଲିକାନା ଉଦ୍ଦେଶ୍ୟରେ ତିଆରି ଗାଡ଼ି ବେଶୀ ବିଷମତା ସୃଷ୍ଟି କରେ । ଟାକ୍ସି ଉଦ୍ଦେଶ୍ୟରେ ତିଆରି ମୋଟର ଗାଡ଼ି ଅପେକ୍ଷାକୃତ କମ ବିଷମତା ସୃଷ୍ଟି କରିବ । ଉପରୋକ୍ତ ତିନୋଟି ଯାକର ମୂଳ ବୈଜ୍ଞାନିକ ସୂତ୍ର ଏକ ରକମର ହେଲେ ମଧ୍ୟ ସାମାଜିକ ଓ ବ୍ୟାପାରିକ ଉଦ୍ଦେଶ୍ୟ ଅଲଗା ରକମର । 

ତେଣୁ ପ୍ରଯୁକ୍ତିବିଦ୍ୟା କହିଲେ କେବଳ ବିଜ୍ଞାନକୁ ବୁଝାଏ ନାହିଁ । ବୈଜ୍ଞାନିକ ନିୟମକୁ କେଉଁ ସାମାଜିକ ବା ବ୍ୟାପାରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ତାକୁ ନେଇ ଏହା ଅଲଗା ଅଲଗା ହୋଇଯାଏ । ଯାତ୍ରୀବାହୀ ବସ ଓ ମାରୁତି କାର ଦୁଇଟି ଭିନ୍ନ ଜିନିଷ । ପରମାଣୁ ବୋମା ଓ ପରମାଣୁ ବିଦ୍ୟୁତର ଉତ୍ପାଦନ ପ୍ରଣାଳୀରେ ବହୁତ ସାମଞ୍ଜସ୍ୟ ଅଛି । ତେଣୁ ଗୋଟିଏ ଦେଶ ଯଦି ପରମାଣୁ ବିଜୁଳି ଉତ୍ପାଦନ କରୁଛି ତାହା ବିଷୟରେ ସନ୍ଦେହ ହୁଏ ଯେ ପରମାଣୁ ବୋମା ତିଆରି ମଧ୍ୟ ଚାଲିଥିବ । ବୋମା ଓ ବିଜୁଳି ଦୁଇଟି ଭିନ୍ନ ପ୍ରଯୁକ୍ତିବିଦ୍ୟା । ଅବଶ୍ୟ ଏ କ୍ଷେତ୍ରରେ କହିହେବ ନାହିଁ ଯେ ବୋମା ଧ୍ୱଂସକାରୀ ଓ ବିଜୁଳି ନିର୍ଦ୍ଦୋଷ । ପରମାଣୁ ବିଜୁଳି ଗୋଟିଏ ଅସ୍ତ୍ର ନୁହେଁ । ହେଲେ ତାହାର ଉତ୍ପାଦନ ପ୍ରଣାଳୀ ଏତେ ବିଷାକ୍ତ ଯେ ଶିଳ୍ପୋନ୍ନତ ଦେଶମାନେ ମଧ୍ୟ ଏହାକୁ ବନ୍ଦ କରିଦେବା ପାଇଁ ଚିନ୍ତା କରୁଛନ୍ତି ।

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୮



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ସେଣ୍ଟ ରୋଲେକ୍ସ କେମିକାଲ ୱର୍କସ ର ଚିତ୍ରର ଫଟୋ
କଳାକାର - ଡ଼ି.ଓ. ହିଲ୍ (୧୮୩୧)


ଉପରୋକ୍ତ ଦ୍ୱନ୍ଦ୍ୱର ଆଉ ଏକ ଉଦାହରଣ ହେଉଛି ପରିବେଶ ଆନ୍ଦୋଳନ । ଗତ ଦୁଇ ତିନି ଦଶକ ମଧ୍ୟରେ ପରିବେଶ ଆନ୍ଦୋଳନକାରୀମାନେ ପରିବେଶର ଧ୍ୱଂସ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଦାୟୀ କରିଛନ୍ତି । ଆଧୁନିକ ଶିଳ୍ପ ବ୍ୟବସ୍ଥାର ସେମାନେ ଅନେକ ସମାଲୋଚନା କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେମାନେ ଏହି ପ୍ରଯୁକ୍ତିବିଦ୍ୟାର ମୁଖ୍ୟ ଧାରାକୁ ବିରୋଧ କରନ୍ତି ନାହିଁ । ଏହି ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଶିଳ୍ପ-ବ୍ୟବସ୍ଥାର ସେମାନେ ବିରୋଧୀ ନୁହନ୍ତି । ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ କାରଖାନା ବା ଶିଳ୍ପ ଆଖପାଖର ପରିବେଶ ନଷ୍ଟ କରିବ ବୋଲି ସେମାନେ ଘୋର ପ୍ରତିବାଦ କରନ୍ତି । 

ବିଭିନ୍ନ ପରିବେଶ ଆନ୍ଦୋଳନକାରୀ ସମୂହମାନଙ୍କୁ ଯୋଡ଼ିକରି ଦେଖିଲେ ଜଣାପଡ଼ିବ ଯେ ପ୍ରଚଳିତ ଶିଳ୍ପ ବ୍ୟବସ୍ଥା ଓ ପ୍ରଯୁକ୍ତିବିଦ୍ୟାର ଧାରାକୁ ବିରୋଧ କରିବା ଦରକାର । କିନ୍ତୁ ସେମାନେ ବିକଳ୍ପ କଥା ଚିନ୍ତା କରିପାରନ୍ତି ନାହିଁ । ବିକାଶଶୀଳ ଦେଶମାନଙ୍କର ଅଧିକାଂଶ ପରିବେଶ ଆନ୍ଦୋଳନକାରୀ ସଙ୍ଗଠନ ସରକାରୀ କିମ୍ବା ବିଦେଶୀ ଅନୁଦାନ ବହୁ ପରିମାଣରେ ପାଆନ୍ତି । ସେମାନଙ୍କର ଜୀବନର ସ୍ତର ବହୁତ ଉଚ୍ଚରେ । ତେଣୁ ବୋଧହୁଏ ପ୍ରଚଳିତ ବ୍ୟବସ୍ଥାର ପ୍ରତ୍ୟକ୍ଷ ବିରୋଧ କରିବା ସେମାନଙ୍କ ପାଖରେ ସମ୍ଭବ ନୁହେଁ । 

ଦିଲ୍ଲୀର ଗୋଟିଏ ପ୍ରସିଦ୍ଧ ପରିବେଶ ଆନ୍ଦୋଳନକାରୀ ସଙ୍ଗଠନ ମୋଟରଗାଡ଼ି ଓ ଦୁଇଚକିଆ ଯାନମାନଙ୍କର ଅଧିକ ସଂଖ୍ୟା ଓ ତହିଁରୁ ନିର୍ଗତ ଧୂଳିଧୂଅାଁ ଯୋଗୁଁ ଦିଲ୍ଲୀ ସମ୍ପୂର୍ଣ୍ଣ ପ୍ରଦୂଷିତ ହେଉଛି ବୋଲି ପ୍ରଚାର ଆରମ୍ଭ କରିଥିଲେ । ଦିଲ୍ଲୀରେ ବେମାରୀ ଓ ମୃତ୍ୟୁର ସଂଖ୍ୟା ଏଥିଯୋଗୁଁ ଉଲ୍ଲେଖନୀୟ ଭାବରେ ବଢ଼ିଥିବାର ତଥ୍ୟଗତ ପ୍ରମାଣ ସେମାନେ ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରଚାର କଲେ । ଶେଷରେ ଦିଲ୍ଲୀ ସରକାରଙ୍କୁ ବାଧ୍ୟ ହୋଇ ଆଇନ କରିବାକୁ ପଡ଼ିଲା ଯେ ପୁରୁଣା ଗାଡ଼ି ମୋଟର ସ୍କୁଟର ଆଦିକୁ ରାସ୍ତାରେ ଚାଲିବା ପାଇଁ ଅନୁମତି ଦିଆଯିବ ନାହିଁ, କାରଣ ପୁରୁଣାମାନେ ହିଁ ବେଶୀ ପ୍ରଦୂଷଣ କରନ୍ତି । କିନ୍ତୁ ପରିବେଶ ଆନ୍ଦୋଳନକାରୀମାନେ କେବେ ମଧ୍ୟ କହିଲେ ନାହିଁ ଯେ, ଦିଲ୍ଲୀରେ ଗାଡ଼ିମୋଟର ସଂଖ୍ୟାକୁ ଅଧା କିମ୍ବା ଏକ ତୃତୀୟାଂଶ ପର୍ଯ୍ୟନ୍ତ କମେଇ ଦିଆଯାଉ । 

ସବୁ ଗାଡ଼ି ପ୍ରଦୂଷଣ କରନ୍ତି । କଲିକତା, ମାନ୍ଦ୍ରାଜ ଓ ବମ୍ବେଇର ଗାଡ଼ି ସଂଖ୍ୟା ମିଶାଇଲେ ଯାହା, ଏକା ଦିଲ୍ଲୀରେ ତାଠାରୁ ବେଶୀ ଗାଡ଼ି ଚାଲିଛି । ରାସ୍ତାଗୁଡ଼ିକରେ ମଣିଷ ଚାଲିବାର ଜାଗା ନଥାଏ । ନିର୍ଦ୍ଧିଷ୍ଟ ସମୟମାନଙ୍କରେ ଏକ ବିଭତ୍ସ ଦୃଶ୍ୟ ରାସ୍ତାମାନଙ୍କରେ ଦେଖାଯାଏ । ପେଁ ପାଁ ଧଡଧଡର କୁତ୍ସିତ ରଡ଼ି ଆକାଶ ଓ ପବନକୁ କମ୍ପାଇ ଦିଏ । ଯାହାପାଖରେ ନିଜର ଶୀତତାପ ନିୟନ୍ତ୍ରିତ ନୂଆ ମୋଟର ଗାଡ଼ି ନଥାଏ ସେ ନିଜକୁ ବୋଝେଇ ମାଲର ଗୋଟିଏ ଅଂଶ ବୋଲି ଧାରଣା କରେ । ମୋଟରଗାଡ଼ିଗୁଡ଼ିକର ସଂଖ୍ୟାକୁ କମେଇଦେଲେ ପବନ କେତେ ସ୍ୱଚ୍ଛ, ରାସ୍ତା କେତେ ଖୋଲା ଓ ଆକାଶ କେତେ ସୁନ୍ଦର ଦିଶନ୍ତା । କିନ୍ତୁ ଆମ ବନ୍ଧୁମାନେ କେବଳ ପୁରୁଣା ଗାଡ଼ିମାନଙ୍କୁ ହଟେଇବା ଆନ୍ଦୋଳନ କଲେ । ମାଲିକମାନେ ନୂଆ ମୋଟରଗାଡ଼ି କିଣନ୍ତୁ । 

ଦେଶବ୍ୟାପୀ ଏହା କଦାପି ସମ୍ଭବ ନୁହେଁ । ଦିଲ୍ଲୀରୁ ପୁରୁଣା ଗାଡ଼ି କାନପୁରକୁ ଯିବ ଓ କାନପୁରର ପୁରୁଣାଗାଡ଼ି କଟକକୁ ଆସିବ । ମୋଟରଗାଡ଼ିକୁ ଉତ୍ସାହିତ କରାଯାଉଛି । ବିକାଶଶୀଳ ଦେଶମାନଙ୍କରେ ଏତେ କ୍ରୟ ଶକ୍ତି ନାହିଁ ଯେ ସମସ୍ତେ ନୂଆ ଗାଡ଼ି ବ୍ୟବହାର କରିବେ । ନୂଆ ସ୍କୁଟରଟିଏ ମଧ୍ୟ କିଣିହୁଏ ନାହିଁ । ଆଇନ କଲେ ମଧ୍ୟ କାର୍ଯ୍ୟକାରୀ ହେବ ନାହିଁ । ତେବେ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଭଲ ସେମାନେ ଆଇନ ଫଳରେ ପୁରୁଣା ଗାଡ଼ି ବିକ୍ରି କରିଦେବେ । ସଞ୍ଜୋଗର ଗୋଟିଏ ତ୍ରିଭୁଜ ସୃଷ୍ଟି ହେଲା । ପୁରୁଣା ଗାଡ଼ି ବନ୍ଦ କରିବା ପାଇଁ ଆଇନ ହେଲା  । 

ପଞ୍ଚମ ବେତନ ଆୟୋଗର ସୁପାରିଶ ପରେ ଦରମା ହୁ ହୁ ହୋଇ ବଢ଼ିଲା । ବିଦେଶୀ କମ୍ପାନୀମାନେ ଉଦାରୀକରଣ ନୀତିଦ୍ୱାରା ଆକୃଷ୍ଟ ହୋଇ ଭାରତରେ ଗୁଡ଼ିଏ ନୂଆ ବ୍ରାଣ୍ଡ ଓ ମଡେ଼ଲର ମୋଟରଗାଡ଼ି ଉତ୍ପାଦନ ଆରମ୍ଭ କରିସାରିଥିଲେ । ପ୍ରଫେସରମାନେ ମାରୁତି କିଣିଲେ, ଅଫିସରମାନେ ଏଷ୍ଟିମ୍ କିଣିଲେ । ଧନୀ ଲୋକମାନଙ୍କୁ ମାରୁତିରେ ଚଢ଼ିବାକୁ ଲାଜ ଲାଗିଲା । ତେଣୁ ସେମାନେ ସବୁଠୁ ଦାମିକା ଗାଡ଼ିର ବରାଦ କଲେ । ବ୍ୟଙ୍ଗାତ୍ମକ ଭାବରେ ଆମେ କହିପାରିବା ଯେ ପରିବେଶ ଆନ୍ଦୋଳନ ମୋଟରଗାଡ଼ି ଓ ସ୍କୁଟର କମ୍ପାନୀମାନଙ୍କର ବିକ୍ରି ବଢ଼ାଇଦେଲା । ସତେ ଯେପରି ଏହା ହେଉଛି ସଂସାରର ଲୀଳା । ଗୋଟିଏ ଭଲ ଉଦ୍ଦେଶ୍ୟ ଏକ ମନ୍ଦ ଉଦ୍ଦେଶ୍ୟ ସାଙ୍ଗରେ ଯୋଡ଼ି ହୋଇଯାଉଛି ।
ଉପରୋକ୍ତ ଉଦାହରଣରୁ ପରିବେଶ ଆନ୍ଦୋଳନକାରୀମାନଙ୍କର ଦୃଷ୍ଟିକୋଣ ସ୍ପଷ୍ଟ ହୋଇଯାଉଛି । ସେମାନେ ପ୍ରଚଳିତ ପ୍ରଯୁକ୍ତିବିଦ୍ୟା କିମ୍ବା ତାହା ଉପରେ ଆଧାରିତ ବିକାଶ ପ୍ରଣାଳୀକୁ ଅସ୍ୱୀକାର ନକରି ଭାବୁଛନ୍ତି ଯେ ସତର୍କତା ଅବଲମ୍ବନ କଲେ, କିମ୍ବା ଯନ୍ତ୍ରମାନଙ୍କରେ ସାମାନ୍ୟ ସୁଧାର କରିଦେଲେ ପରିବେଶ ସୁରକ୍ଷିତ ହୋଇଯିବ । ଅସଲ କଥା ସେମାନେ ପରିବେଶ ବ୍ୟତୀତ ଅନ୍ୟାନ୍ୟ ଦିଗକୁ ପରୀକ୍ଷା କରୁନାହାନ୍ତି । ଗୋଟିଏ ପଟେ ଯେଉଁ ଯନ୍ତ୍ର ପରିବେଶ ଧ୍ୱଂସ କରୁଛି, ସେହି ଯନ୍ତ୍ର ଗରିବ ଶ୍ରେଣୀର ଆର୍ଥିକ ଶୋଷଣ କରୁଛି ଓ ସେହି ଯନ୍ତ୍ର ସମାଜ ଓ ସଂସ୍କୃତିକୁ ବିଭତ୍ସ କରିପକାଉଛି ।

Wednesday, October 26, 2016

ଭାରତୀୟ ଜାତୀୟ ଆନ୍ଦୋଳନର ଏକ ଗୀତ


(ଆଇ.ପି.ଟି.ଏ. ର ଏକ ଗୀତର ଓଡ଼ିଆ ଅନୁବାଦ)


ଭାରତୀୟ ଜାତୀୟ କଙ୍ଗ୍ରେସର ପ୍ରଥମ ଅଧିବେଶନର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ରକତର ଦିନ ଭୁଲନାରେ ବନ୍ଧୁ ରକତର ଦିନ ଭୁଲନା
ଆନନ୍ଦ ଦିବସେ ଆମ ପାଇଁ ଲୁହ ବୁନ୍ଦାଏ ଢ଼ାଳିବା ଭୁଲନା ।

ବ୍ୟାଧ ଯେ ତୋଳିଛି ପ୍ରତି ବୃନ୍ତରୁ ପୁଷ୍ପକଳିକା ଆଜି
ମରୂଦ୍ୟାନରେ କୁସୁମର ଚାରା ପୋତିବା ଆଜି ଯେ ଭୁଲନା ।

ଜାଲିୱାନାବାଗଠାରେ ଗୁଳି ଖାଇ ଶୋଇ ଯେ ପଡ଼ିଛୁ ଆମେ
ନିଃସଙ୍ଗ ଏହି କବରରେ ବନ୍ଧୁ ପ୍ରଦୀପ ଜାଳିବା ଭୁଲନା ।

ହିନ୍ଦୁ ଆଉ ମୁସଲମାନର ରକତ ବହୁଛି ଆଜି
ଶୋଣିତନଦୀରେ ପୋଷାକ ତୁମର ଧୋଇବାକୁ ସାଙ୍ଗ ଭୁଲନା ।

କିଏଯେ ସଢୁଛି କଏଦରେ କିଏ ଶୋଇଛି ସମାଧି ଭିତରେ
ସଙ୍ଗାତମାନଙ୍କ ପାଇଁ ମୋର ମିତ ଲୁହ ଢାଳିବାକୁ ଭୁଲନା ।

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୭



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ଚାଷ ଜମିର ସାମୁହିକିକରଣ ପାଇଁ ଜାରୀ ଏକ ପୋଷ୍ଟର
ତାସକେଣ୍ଟ, ଉଜବେକିସ୍ଥାନ, ୧୯୩୩
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଯଦି ଗୁରୁତର ଭାବରେ କେହି ଏହାର କାରଣଗୁଡ଼ିକୁ ଖୋଜିବେ, ତାହେଲେ ପ୍ରଯୁକ୍ତିବିଦ୍ୟା ଗୋଟିଏ ପ୍ରଧାନ କାରଣ ବୋଲି ଜଣାପଡ଼ିବ । ଯେଉଁ ପ୍ରଯୁକ୍ତି ବିଦ୍ୟାକୁ ସାମ୍ରାଜ୍ୟବାଦୀ ଦେଶମାନେ ତାଙ୍କର ପୁଞ୍ଜିବାଦୀ ସମାଜକୁ ଓ ବୁର୍ଜୁଆ ଶ୍ରେଣୀକୁ ଐଶ୍ୱର୍ଯ୍ୟଶାଳୀ କରାଇବା ପାଇଁ ବିକଶିତ କଲେ ଓ ବ୍ୟବହାର କଲେ, ସେହି ପ୍ରଯୁକ୍ତିବିଦ୍ୟାକୁ ଧରି ସୋଭିଏତ୍ ଋଷର କମ୍ୟୁନିଷ୍ଟମାନେ ଏକ ସମୃଦ୍ଧ ସାମ୍ୟବାଦୀ ସମାଜ ଗଠନ କରିବାର ଲକ୍ଷ୍ୟ ଧାର୍ଯ୍ୟ କଲେ । ଏଥିପାଇଁ ପରିସ୍ଥିତି ଅନୁକୁଳ ନଥିଲା । ତେଣୁ ଏକଛତ୍ରବାଦୀ ଶାସନର ଦରକାର ହେଲା । ବିପ୍ଳବରେ ମିଳିଥିବା ବିଜୟର ଉତ୍ସାହକୁ ଦ୍ୱିଗୁଣିତ କରି ସେମାନେ ସୋଭିଏତ ଋଷକୁ ପୃଥିବୀର ସର୍ବାଧିକ ଶିଳ୍ପୋନ୍ନତ ଦେଶ ରୂପେ ଗଢ଼ିବାର ସଂକଳ୍ପ କଲେ । ଅଳ୍ପ ସମୟ ଭିତରେ ସେମାନେ ଯୁଦ୍ଧର ପ୍ରଯୁକ୍ତିବିଦ୍ୟାରେ ଆମେରିକାର ସମକକ୍ଷ ହୋଇଗଲେ । କିନ୍ତୁ ପରେ ପରେ ସେମାନଙ୍କର କାମର ଦୃଢ଼ତା କମି ଆସିଲା । 

କାରଣ ଆଧୁନିକତମ ପ୍ରଯୁକ୍ତିବିଦ୍ୟାକୁ ନିରନ୍ତର ଅଧିକ କ୍ଷମତାଶୀଳ କରିବା ନିମନ୍ତେ ତାତ୍ତ୍ୱିକ ଓ ପ୍ରୟୋଗାତ୍ମକ ଅନୁସନ୍ଧାନ କାର୍ଯ୍ୟରେ ଅମାପ ପରିମାଣର ଅର୍ଥ ଆବଶ୍ୟକ । ଏତେ ପୁଞ୍ଜି ସାମ୍ୟବାଦୀ ଦେଶମାନେ ଆଣିବେ କେଉଁଠୁ ? ଯୁଦ୍ଧ ଓ ପ୍ରତିରକ୍ଷାର ଶିଳ୍ପ ଗୁଡ଼ିକରେ ଅତ୍ୟଧିକ ପୁଞ୍ଜି ଲଗାଇ ଦେବାପରେ ଜୀବନ ଉପଯୋଗୀ ଶିଳ୍ପମାନଙ୍କରେ ଲଗାଇବା ପାଇଁ ସେମାନଙ୍କର ପୁଞ୍ଜି ନଥିଲା । ଆଧୁନିକ ଶିଳ୍ପର ସର୍ବାଙ୍ଗୀନ ଓ ତୀବ୍ର ବିକାଶ ପାଇଁ ଶସ୍ତା ଶ୍ରମ, କଞ୍ଚାମାଲ ଓ ବଜାର ଯୋଗାଉଥିବା ଏକ ବିଶାଳ ଔପନିବେଶିକ ଭୂଖଣ୍ଡ ଦରକାର । ତାହା ସେମାନଙ୍କର ନଥିଲା । 

ପୂର୍ବ ୟୁରୋପର କମ୍ୟୁନିଷ୍ଟ ଦେଶମାନଙ୍କୁ ଉପନିବେଶ କରିବାର ଚେଷ୍ଟା ମଧ୍ୟ ବିଫଳ ହେଲା । କାରଣ ସେମାନେ ପ୍ରତିରୋଧ କଲେ । ପରିଣାମ ହେଲା ଯେ ଏତେ ବଡ଼ ସୋଭିଏତ ସଙ୍ଘ ଭିତରେ କେବଳ ମସ୍କୋ ଓ ଲେନିନଗ୍ରାଡ଼ ଭଳି ସହରର ଆଖପାଖରେ ଆଧୁନିକ ସମୃଦ୍ଧିର ଦ୍ୱୀପମାନ ତିଆରି ହେଲା । କିନ୍ତୁ ନଗର ଓ ଗ୍ରାମ ମଧ୍ୟରେ ପ୍ରଭେଦ ବଢ଼ିଗଲା । ଗୋରା ଚମଡ଼ାର ୟୁରୋପୀୟ ବଂଶର ଲୋକମାନେ ବାସ କରୁଥିବା ଅଞ୍ଚଳ ତୁଳନାରେ ଏସୀୟ ବଂଶର ଲୋକେ ବାସ କରୁଥିବା ଗଣରାଜ୍ୟମାନଙ୍କରେ ଆଧୁନିକ ଶିଳ୍ପର ପ୍ରଗତି ବହୁତ ନଗଣ୍ୟ ମାତ୍ରାରେ ହେଲା । ପୂର୍ବ ୟୁରୋପର ଦେଶମାନେ ଓ ଏସୀୟ ଗଣରାଜ୍ୟମାନେ ଅନୁଭବ କଲେ ଯେ ସେମାନଙ୍କୁ ଉପନିବେଶ ଭଳି ବ୍ୟବହାର କରାଯାଉଛି । ତେଣୁ ଗୋଟିଏ ପରେ ଗୋଟିଏ ଅଞ୍ଚଳ ବିଦ୍ରୋହ କରି ବିଚ୍ଛିନ୍ନ ହେବାକୁ ଚାହିଁଲା । 

କମ୍ୟୁନିଷ୍ଟ ପାର୍ଟିର ଏକଛତ୍ରବାଦୀ ଶାସନ ତଳେ ଶ୍ରେଣୀଗତ ବୈଷମ୍ୟକୁ ବହୁ ପରିମାଣରେ ନିୟନ୍ତ୍ରିତ କରାଯାଇଥିଲା । କିନ୍ତୁ ଆଞ୍ଚଳିକ ବୈଷମ୍ୟ ଆଧୁନିକ ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟାର ପ୍ରତ୍ୟକ୍ଷ ପରିଣାମ ଥିଲା । ଷ୍ଟାଲିନଙ୍କ ଶାସନ ଆରମ୍ଭରେ ହିଁ କୃଷି କ୍ଷେତ୍ରରେ ଆଧୁନିକ ବୈଜ୍ଞାନିକ କୌଶଳକୁ ପ୍ରବେଶ କରାଇବାର ଯଜ୍ଞରେ ତିରିଶଲକ୍ଷ କୃଷକଙ୍କ ଜୀବନର ଆହୁତି ଦିଆଯାଇଥିଲା । ସୋଭିଏତ୍ ଋଷର ସ୍ଥାପନା ସମୟରେ ବହୁ ନିୟୁତ ସଂଖ୍ୟକ ଛୋଟ ଓ ମଧ୍ୟମ ଧରଣର ଚାଷୀ ଥିଲେ । ଜମିଦାରମାନଙ୍କର ଆଧିପତ୍ୟରୁ ମୁକ୍ତ ହେବା ଉଦ୍ଦେୃଶ୍ୟରେ ସେମାନେ କମ୍ୟୁନିଷ୍ଟ ବିପ୍ଳବର ସହଯୋଗୀ ହୋଇଥିଲେ । ସେମାନଙ୍କର ଭାଗୀଦାରୀ ଫଳରେ ହିଁ ଗ୍ରାମାଞ୍ଚଳମାନଙ୍କରେ ବିପ୍ଳବର ବିଜୟ ହୋଇପାରିଥିଲା । କୃଷିରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପୂର୍ଣ୍ଣ ପ୍ରୟୋଗ କରିବା ପାଇଁ ଷ୍ଟାଲିନ ଯେତେବେଳେ ଚାଷୀମାନଙ୍କଠାରୁ ଜମି ଛଡ଼ାଇ ସରକାରୀ ଫାର୍ମମାନଙ୍କର ଗଠନ କରିବସିଲେ ସେତେବେଳେ ଉକ୍ତ କୃଷକମାନେ ଏହାର ପ୍ରବଳ ବିରୋଧ କରିଥିଲେ । 

ତିରିଶି ଲକ୍ଷ କୃଷକଙ୍କର ଏହି ଗଣହତ୍ୟା ଏକ ପ୍ରସିଦ୍ଧ ଐତିହାସିକ ଘଟଣା । ମନେ ରଖିବାକୁ ହେବ ଯେ ବିଚାର ଦୃଷ୍ଟିରୁ ଷ୍ଟାଲିନ ମୋଟେ ଜନ-ବିରୋଧୀ ନଥିଲେ । ଲୁଣ୍ଠନକାରୀ ସମ୍ରାଟମାନଙ୍କ ସାଙ୍ଗରେ ତାଙ୍କର ତୁଳନା ହୋଇପାରିବ ନାହିଁ । ସାମ୍ୟବାଦୀ ସ୍ପପ୍ନ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଆଧୁନିକ ବୈଜ୍ଞାନିକ କୌଶଳର ପ୍ରୟୋଗ କରିବା ପାଇଁ ସଂକଳ୍ପବଦ୍ଧ ଥିଲେ । ପ୍ରଯୁକ୍ତିବିଦ୍ୟା ବିଷୟକ ଭ୍ରାନ୍ତିର ସେ ଶିକାର ହୋଇଥିଲେ । ଯେତେବେଳେ ସୋଭିଏତ ଋଷର ସମୃଦ୍ଧି ବଢ଼ି ଚାଲିଥିଲା, ସେତେବେଳେ ଆଧୁନିକ ବୈଜ୍ଞାନିକ କୌଶଳକୁ ଏହାର ଏକ ମୁଖ୍ୟ କାରଣ ବୋଲି ବିଦ୍ୱାନମାନେ ମତ ଦେଉଥିଲେ । କିନ୍ତୁ ତାସର ଘର ପରି ଏହା ଭୁଷୁଡ଼ି ଯିବା ପରେ ଏହି ବିଫଳତା ପଛରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଥିଲା କି ନାହିଁ, ଏହାର ଚର୍ଚ୍ଚା ହେଉନାହିଁ । 

ତେଣୁ ଏତେ ବଡ଼ ସଙ୍କଟ ଆସିବା ପରେ ମଧ୍ୟ କମ୍ୟୁନିଷ୍ଟମାନେ ତାଙ୍କର ପୂର୍ବ ଧାରଣାଗୁଡ଼ିକୁ ବଦଳାଇ ନାହାନ୍ତି । ବେଳେ ବେଳେ ମନେହୁଏ ଯେ ସେମାନେ ସାମ୍ୟବାଦକୁ ଛାଡ଼ିବାକୁ ପ୍ରସ୍ତୁତ ହେବେ, କିନ୍ତୁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ମୋହକୁ ଛାଡ଼ିପାରିବେ ନାହିଁ । ଉଦାରୀକରଣ ଓ ଜଗତୀକରଣ ମାଧ୍ୟମରେ ବିଶ୍ୱ ପୁଞ୍ଜିବାଦର ଅବାଧ ଜୟଯାତ୍ରା ଦେଖି କମ୍ୟୁନିଷ୍ଟମାନଙ୍କର ମନ ଛଟପଟ ହେଉଛି ସତ, କିନ୍ତୁ ଉତ୍ସାହ ଉଦ୍ଦିପନା ସହ ସେମାନେ ତାକୁ ବିରୋଧ କରିପାରୁ ନାହାନ୍ତି । କାରଣ ଉଦାରୀକରଣ ଓ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଅନୁପ୍ରବେଶକୁ ବାଧା ଦେବା ଅର୍ଥ ହେଉଛି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଅଟକାଇଦେବା । ଉଦାରୀକରଣ ଓ ବହୁଦେଶୀୟ କମ୍ପାନୀ ବ୍ୟତୀତ ଏତେ କମ୍ପ୍ୟୁଟର, ଏତେ ମୋବାଇଲି ଫୋନ ଭାରତକୁ କିପରି ଆସିଥାନ୍ତା ? ଏହି ତର୍କ ଆଗରେ କମ୍ୟୁନିଷ୍ଟମାନଙ୍କ ମୁହଁ ବନ୍ଦ ହୋଇଯାଉଛି ।

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୬



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ଖଣିରେ କାର୍ଯ୍ୟରତ ଗ୍ରୀକ ଦାସ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ଯେଉଁ ଦେଶମାନେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଅଦ୍ଭୂତପୂର୍ବ ଉନ୍ନତି ଘଟାଇଛନ୍ତି, ସେମାନଙ୍କୁ ଏବେ ସାମ୍ରାଜ୍ୟବାଦୀ କହିଲେ ହୁଏତ ସେମାନେ ଆପତ୍ତି କରିବେ । କିନ୍ତୁ ପଚାଶ ବର୍ଷ ବା ଶହେ ଦେଢ଼ ଶହ ବର୍ଷ ପୂର୍ବେ ସେମାନେ ନିର୍ବିବାଦୀୟ ଭାବରେ ସାମ୍ରାଜ୍ୟବାଦୀ ଥିଲେ । ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଭାବଶାଳୀ ରୂପ ସେଇ ସମୟରେ ବାହାରିଲା । ସେମାନେ ଏପରି ବୈଜ୍ଞାନିକ କୌଶଳର ଅନୁସନ୍ଧାନ କଲେ ଯାହାଦ୍ୱାରା ବଡ଼ ବଡ଼ ସାମ୍ରାଜ୍ୟର ଆର୍ଥିକ ଓ ରାଜନୈତିକ ନିୟନ୍ତ୍ରଣ କରିପାରିବେ । ସାମ୍ରାଜ୍ୟର ସବୁ ବଜାରକୁ ଜିନିଷ ପଠାଇ ପାରିବେ । ତଥା ସାମ୍ରାଜ୍ୟର ସବୁ କୋଣରୁ ନିଜର ଦରକାରୀ ଜିନିଷ ଆଣିପାରିବେ, ଇତ୍ୟାଦି । ବିଜ୍ଞାନର ତାତ୍ତ୍ୱିକ ଆବିଷ୍କାରଗୁଡ଼ିକ ଏଥିପାଇଁ ସାହାଯ୍ୟକାରୀ ହେଲା । 

କମ୍ପାନୀମାନେ ଓ ସରକାରମାନେ ଖର୍ବ ଖର୍ବ ପରିମାଣର ଟଙ୍କା ଖର୍ଚ୍ଚ କରି ଶ୍ରେଷ୍ଠ ଏବଂ ବିଚକ୍ଷଣ ବୈଜ୍ଞାନିକମାନଙ୍କୁ ଅର୍ଥଲାଭ ଓ ପ୍ରତିଷ୍ଠାର ଲୋଭ ଦେଖାଇ ଏହି କାର୍ଯ୍ୟରେ ଲଗାଇଲେ । ବୈଜ୍ଞାନିକମାନେ ଗବେଷଣାଦ୍ୱାରା ଶୋଷଣ ଓ ଶାସନର ଯନ୍ତ୍ରଗୁଡ଼ିକୁ ଅଦ୍ଭୁତ ଭାବରେ କ୍ଷମତାଶୀଳ କରିଦେଲେ । କମ୍ପାନୀମାନେ ଓ ଶାସକମାନେ ଏହି ଅତି କ୍ଷମତାସମ୍ପନ୍ନ ଯନ୍ତ୍ରମାନଙ୍କୁ ବ୍ୟବହାର କରି ସାରା ପୃଥିବୀକୁ କିଣିନେଲେ । ବୈଜ୍ଞାନିକମାନେ ଗବେଷଣାର ସୁବିଧା ପାଇଁ ଆନନ୍ଦିତ । ସେମାନେ ଜାଣନ୍ତି ନାହିଁ, ଓ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ ଯେ ସେମାନଙ୍କ ଦ୍ୱାରା ଉଦ୍ଭାବିତ ଯନ୍ତ୍ରଗୁଡ଼ିକ କିପରି ଶୋଷଣ ଓ ଧ୍ୱଂସ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି । ସେମାନଙ୍କ ଭିତରୁ ଅଧିକାଂଶ ସରଳ ଭାବରେ ବିଶ୍ୱାସ କରିନିଅନ୍ତି ଯେ ଏହି ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ମନୁଷ୍ୟ ସମାଜ ଅଧିକ ସଭ୍ୟ ଓ ସୁଖୀ ହେଉଛି । ବିଶ୍ୱବିଦ୍ୟାଳୟ ଓ ସଞ୍ଚାର ମାଧ୍ୟମ ଏହି ମିଥ୍ୟା ଧାରଣାକୁ ଅହରହ ପ୍ରଚାରିତ କରୁଛନ୍ତି ।

ଆଧୁନିକ ପ୍ରଯୁକ୍ତିବିଦ୍ୟାର ନିର୍ମାଣ ଓ ବ୍ୟବହାର ସାଙ୍ଗରେ ସାମାଜିକ ପ୍ରତିଷ୍ଠା ଓ ଧନର ସଞ୍ଜୋଗ ରହିଛି । ଯେମିତି ଆଜିକାଲି କମ୍ପ୍ୟୁଟର ଓ ଇଲେକ୍ଟ୍ରୋନିକ-ମନୋରଞ୍ଜନ ସାଙ୍ଗରେ ପଇସା ଓ ପ୍ରତିଷ୍ଠାର ଆକାଂକ୍ଷା ମେଧାବୀ ଯୁବକଯୁବତୀମାନଙ୍କର ଥାଏ । ଯେଉଁମାନେ ଆଦର୍ଶବାଦୀ ଓ ସମାଜର କଲ୍ୟାଣ ଚାହାନ୍ତି, ସେମାନେ ମଧ୍ୟ ଏହିସବୁ କ୍ଷେତ୍ରରେ ଜୀବିକା ପାଇଁ ପ୍ରବେଶ କରୁଛନ୍ତି । ଯେଉଁ କାମରୁ ଆମେ ଉପାର୍ଜନ କରୁ ତାହାର ସପକ୍ଷର ଯୁକ୍ତିଗୁଡ଼ାକୁ ଶୀଘ୍ର ଗ୍ରହଣ କରିନେଉ । ତେଣୁ ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ଲୋକେ ଆଧୁନିକ ବିଜ୍ଞାନ ସପକ୍ଷରେ ଥିବା ଭ୍ରାନ୍ତିଗୁଡ଼ିକର ସହଜରେ ଶିକାର ହୁଅନ୍ତି । 

ସବୁ ଯୁଗରେ କିଛି ଭ୍ରାନ୍ତି ଓ ଅନ୍ଧବିଶ୍ୱାସ ଥାଏ । ଗ୍ରୀକ ଓ ରୋମାନ ସଭ୍ୟତାର ଉତ୍କର୍ଷ ସମୟରେ ସେଇ ସମୟର ମହାପଣ୍ଡିତ ଓ ପ୍ରଗତିଶୀଳ ଲୋକମାନେ ଦାସପ୍ରଥାକୁ ଏକ ସ୍ୱାଭାବିକ ନିୟମ ଭାବରେ ଗ୍ରହଣ କରୁଥିଲେ । ନାରୀକୁ ପୁରୁଷ ତୁଳନାରେ ଅଯୋଗ୍ୟ ବୋଲି ଭାବିବାର ବଦ୍ଧମୂଳ ଧାରଣା ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ୟୁରୋପୀୟ ଦେଶମାନଙ୍କରେ ଥିଲା । ମଧ୍ୟଯୁଗରେ ବହୁଦେଶର ଜ୍ଞାନୀ ଓ ଦାର୍ଶନିକମାନେ ମଧ୍ୟ ମନୁଷ୍ୟାକୃତିର ଈଶ୍ୱରଟିଏ ଅଛି ବୋଲି ଧରିନେଉଥିଲେ । ଆମେ ମଧ୍ୟ ଅନେକ କଥାକୁ ପ୍ରଶ୍ନ ନକରି ଧରିନେଉ । ପ୍ରତ୍ୟେକ ଯୁଗରେ ଏପରି କିଛି କଥା ଥାଏ । ଆଧୁନିକ ଯୁଗର ମହାନ ଭ୍ରାନ୍ତି ହେଉଛି ପ୍ରଯୁକ୍ତିବିଦ୍ୟା ବିଷୟରେ ।

ଯୁଗଭ୍ରାନ୍ତି କାରଣରୁ କାର୍ଲ ମାର୍କ୍ସ ସବୁ ମାନବୀୟ ଘଟଣାକୁ ଶ୍ରେଣୀ ସ୍ୱାର୍ଥଦ୍ୱାରା ପ୍ରଭାବିତ ବୋଲି ଶିକ୍ଷା ଦେଲେ । କିନ୍ତୁ, ପ୍ରଯୁକ୍ତିବିଦ୍ୟାକୁ ଶ୍ରେଣୀ ସ୍ୱାର୍ଥର ଊଦ୍ଧ୍ୱର୍ରେ ରଖିଲେ । କମ୍ୟୁନିଷ୍ଟ ଆନ୍ଦୋଳନକୁ ଦୁନିଆରେ ଏତେ ବଡ଼ ସଫଳତା ମିଳିବା ସତ୍ତ୍ୱେ ସୋଭିୟତ୍ ଋଷ ଓ ପୂର୍ବ ୟୁରୋପର କମ୍ୟୁନିଷ୍ଟ ସରକାରଗୁଡ଼ିକ ଯଥେଷ୍ଟ ପୂର୍ବାଭାସ ନଦେଇ ହଠାତ୍ ଭୁଷୁଡ଼ି ପଡ଼ିଲେ । ବଞ୍ଚି ରହିଥିବା କମ୍ୟୁନିଷ୍ଟ ଦଳମାନେ ପୁଞ୍ଜିବାଦର ବିକଳ୍ପ ଖୋଜିବା ଛାଡ଼ିଦେଲେ । ଏହି ଦୁଃଖାନ୍ତକ ମହାନ ଐତିହାସିକ ଘଟଣାର ଏ ପର୍ଯ୍ୟନ୍ତ କୌଣସି ବିଶ୍ୱାସଯୋଗ୍ୟ ବିଶ୍ଳେଷଣ ହୋଇନାହିଁ । 

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୫



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


୧୯୧୦ ମସିହାର ଫୋର୍ଡ ମଡେଲ ଟି ଗାଡ଼ି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


କିନ୍ତୁ ୟୁରୋପ-ଆମେରିକା ଚାହାନ୍ତି ଯେ ଆମର ଯନ୍ତ୍ରପାତିର ପରିମାଣ ବଢ଼ୁ । ତାହା ହେଲେ ସେମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରି ବଢ଼ିଚାଲିବ । ସେମାନେ ଯେତେବେଳେ ଆମ ଦେଶକୁ ଆସିବେ, ସେମାନଙ୍କର ଯାତାୟତର ସୁବିଧା ପାଇଁ, ସେମାନଙ୍କର ରହଣି ଓ ମନୋରଞ୍ଜନ ପାଇଁ, ସେମାନେ ତାଙ୍କ ଦେଶର କଥା କହିଲେ ଆମେ ତାହାର ଉତ୍ତର ଦେବାପାଇଁ, ସେମାନେ ଡାକରା ଦେଲେ ଆମେ ଶୀଘ୍ର ତାଙ୍କ ପାଖରେ ପହଞ୍ଚି ଯିବା ପାଇଁ, ଆମ ଦେଶରେ ସେମାନଙ୍କର ବ୍ୟାପାରର ପରିଚାଳନା ପାଇଁ - ଏସବୁ ପାଇଁ ଆମ ଦେଶରେ ମଧ୍ୟ ଅତ୍ୟାଧୁନିକ ଯନ୍ତ୍ରପାତିର ପ୍ରଚଳନ ହେବା ଆବଶ୍ୟକ । ଅଳ୍ପ ଲୋକ ତାହାର ସୁବିଧା ପାଇବେ ସତ । ସେଥିରେ କଅଣ ହୋଇଗଲା ? ଦେଶକୁ ଆଧୁନିକତା ଆସିଯିବ - ଏହା ଆମ ସନ୍ତୋଷର ବିଷୟ ନୁହେଁ କି? ଏହାକୁ ଅଗ୍ରାଧିକାର ଦେବାକୁ ହେବ । 

ପଇସା ନିଅ ହେଲେ ଆମେ ଆମ କଞ୍ଚା ମାଲ ଓ ମାନବ ଶ୍ରମକୁ ଶସ୍ତାରେ ବିକି ଦେବା; ବୀମା, ବନ୍ଦର ଓ ଖଣିମାନଙ୍କର ମାଲିକାନା ବିଦେଶୀଙ୍କ ହାତରେ ସମର୍ପି ଦେବା; ଋଣ ଉପରେ ଋଣ କରିବା; ଅନ୍ୟାନ୍ୟ ସବୁ କାର୍ଯ୍ୟରେ ଖର୍ଚ୍ଚକାଟ କରିବା । ‘ଅନ୍ୟାନ୍ୟ ସବୁ ଖର୍ଚ୍ଚ’ କହିଲେ ତାହା ଭିତରେ ଶିକ୍ଷା ଅଛି, ସ୍ୱାସ୍ଥ୍ୟ ଅଛି ଓ କର୍ମନିଯୁକ୍ତି ଅଛି । ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଣିବା ଉଦ୍ଦେଶ୍ୟରେ ଆମେ ମାଗଣା ଶିକ୍ଷାଦାନର ବ୍ୟବସ୍ଥାକୁ ବନ୍ଦ କରିଦେବା । କର୍ମନିଯୁକ୍ତି କ୍ଷେତ୍ରରେ ନିର୍ମମ ହୋଇ ଛଟେଇ କରିବା, କାରଣ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଶ୍ରମିକମାନଙ୍କୁ ଦରକାର କରେନାହିଁ । ଗରିବ ଦେଶରେ ଆଧୁନିକ ଓ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଚଳନ ବଢ଼ାଇବାକୁ ହେଲେ ସେଥିପାଇଁ ଉପରୋକ୍ତ ମୂଲ୍ୟ ଦେବାକୁ ପଡ଼ିବ । ଆପଣ ପ୍ରସ୍ତୁତ ତ?

ଯେଉଁମାନେ ମୂଲ୍ୟ ଦେବାପାଇଁ କୁଣ୍ଠାବୋଧ କରିବେ, ସେମାନେ ସ୍ପଷ୍ଟ ଭାବରେ ଜାଣିଯିବା ଉଚିତ ଯେ ଆମେ ଯାହାକୁ ଆଧୁନିକ ବା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବୋଲି କହୁଛୁ, ତାହାର ଏକ ସାମ୍ରାଜ୍ୟବାଦୀ ଚରିତ୍ର ରହିଛି । କେଉଁଠାରେ ଓ କେଉଁ ଅବସ୍ଥାରେ ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପକୁ ଆମେ ସାମ୍ରାଜ୍ୟବାଦୀ ବୋଲି କହିବା? ଏହାର ତିନୋଟି ଲକ୍ଷଣ ଅଛି:

ପ୍ରଥମ, ସାମ୍ରାଜ୍ୟବାଦୀ ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକ୍ଷେତ୍ର ଅତି ବିଶାଳ । ଗୋଟିଏ ଛୋଟ ସମାଜ, କ୍ଷୁଦ୍ର ଅଞ୍ଚଳ କିମ୍ବା ସୀମିତ ପୁଞ୍ଜି କାରବାରର ପରିଧି ଭିତରେ ଏହାକୁ କାର୍ଯ୍ୟକାରୀ କରାଇଲେ ଲାଭଦାୟକ ହେବନାହିଁ । ଏହାର କାର୍ଯ୍ୟକ୍ଷେତ୍ର ଅନ୍ତଃରାଷ୍ଟ୍ରୀୟ କିମ୍ବା ବିଶ୍ୱବ୍ୟାପୀ ହୋଇଥାଏ । ଆଧୁନିକ ଶିଳ୍ପରୁ ଯେଉଁ ପ୍ରଚଣ୍ଡ ଲାଭ ମିଳୁଥିବାର ସୂଚନା ମିଳେ ଓ ଯେଉଁ ଲାଭକୁ ନେଇ ଶିଳ୍ପୋନ୍ନତ ଦେଶମାନେ ସମୃଦ୍ଧ ହେଉଛନ୍ତି, ତାହା କେବଳ ଏହି ବିଶାଳ କାର୍ଯ୍ୟ ପରିଧି ଯୋଗୁଁ ସମ୍ଭବ ହୁଏ । ଜାପାନର ଇଲେକ୍ଟେ୍ରାନିକ ଯନ୍ତ୍ରଗୁଡ଼ିକର ଉତ୍ପାଦନ, କିମ୍ବା ଆମେରିକାର ଫୋଡ କମ୍ପାନୀର ମୋଟର ଗାଡ଼ି ଉତ୍ପାଦନ ଯଦି କେବଳ ସେହି ଦେଶର ଲୋକଙ୍କ ପାଇଁ ସେହି ଦେଶ ଭିତରେ ହେବ, ତାହା ହେଲେ ଜାପାନ କିମ୍ବା ଆମେରିକା ଶିଳ୍ପ ସମୃଦ୍ଧ ହୋଇପାରିବ ନାହିଁ ।

ଦ୍ୱିତୀୟ, ଏହାର ସଞ୍ଚାଳନ କେନ୍ଦ୍ର ବହୁ ସହସ୍ର କିଲୋମିଟର ଦୂରରେ ଥାଇପାରେ । ମୁଖ୍ୟ ସଞ୍ଚାଳକ ଓ ମାଲିକମାନଙ୍କର ଶାରୀରିକ ଉପସ୍ଥିତି ସୁଦୂରବର୍ତ୍ତି ଶାଖାମାନଙ୍କରେ ଦରକାର ହୁଏନାହିଁ । ଶହେଟି ଶିଳ୍ପ ପ୍ରତିଷ୍ଠାନ ପାଇଁ ଗୋଟିଏ ମାଲିକ ଯଥେଷ୍ଟ । ଯେଉଁ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହା ସମ୍ଭବ ହେଉଛି, ତାହା ଶିଳ୍ପରେ ସାମ୍ରାଜ୍ୟବାଦ ସୃଷ୍ଟି କରୁଛି ।

ତୃତୀୟ, ଚିରକାଳ ପାଇଁ ଓ ସାରା ବିଶ୍ୱ ପାଇଁ ଗଚ୍ଛିତ ହୋଇଥିବା ପ୍ରାକୃତିକ ସମ୍ପଦଗୁଡ଼ିକ କୌଣସି ଏକ ସ୍ଥାନ ବା କାଳ ପାଇଁ ଏତେ ବେଶୀ ବ୍ୟବହାର କରାଯିବ ଯେ ଅନ୍ୟାନ୍ୟ ସ୍ଥାନମାନେ ଓ ଭବିଷ୍ୟତ ବଂଶଧରମାନେ ସେଗୁଡ଼ିକର ଉପଯୋଗରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଯିବେ । ଗୋଟିଏ କ୍ଷମତା ସମ୍ପନ୍ନ ଦେଶ ନିଜର ପ୍ରାକୃତିକ ସମ୍ପଦକୁ ବ୍ୟବହାର ନକରି ପ୍ରଯୁକ୍ତି ବିଦ୍ୟା ବଳରେ ଦୂରଦୂରାନ୍ତର ପ୍ରାକୃତିକ ସମ୍ପଦମାନଙ୍କୁ ଟାଣିଆଣି ପାରିବ ଓ ଶେଷୋକ୍ତ ଅଞ୍ଚଳକୁ ରିକ୍ତ କରିଦେଇପାରିବ । ଆଧୁନିକ ପ୍ରଯୁକ୍ତିବିଦ୍ୟାର ଏକ ଅପୂର୍ବ ଶକ୍ତି ହେଉଛି ଜିନିଷଗୁଡ଼ିକୁ ଟାଣିଆଣି ଠୁଳ କରିଦେବା । କିନ୍ତୁ ଏହା କ’ଣ ଏକ ମଙ୍ଗଳକାରୀ ଶକ୍ତି?

ରାଉରକେଲା ଆଳିକ ଇଞ୍ଜିନିୟରିଂ କଲେଜର ପ୍ରଫେସର ଓ ବୈଜ୍ଞାନିକ ରାଜେଶ ସିହ୍ନା କହନ୍ତି ଯେ ପାରମ୍ପରିକ କୃଷି ଛଡ଼ା ଅନ୍ୟ କୌଣସି ପ୍ରଯୁକ୍ତି ବିଦ୍ୟା ନାହିଁ ଯାହା ମୌଳିକ ସମ୍ପଦର ସୃଷ୍ଟି କରିପାରେ ବା ତାହାକୁ ବହୁଗୁଣିତ କରିପାରେ । ମୌଳିକ ପଦାର୍ଥଗୁଡ଼ିକୁ ଏକତ୍ରିତ କରି ତହିଁରୁ ଯାହା ବି ତିଆରି ହୁଏ, ଏହି ନିର୍ମାଣ ପ୍ରକ୍ରିୟାରେ ମୌଳିକ ପଦାର୍ଥଗୁଡ଼ିକର ବହୁତ ଅଂଶ ନଷ୍ଟ ହୋଇଯାଏ । ଏହିପରି ଭାବରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପୃଥିବୀର ପ୍ରାକୃତିକ ସମ୍ପଦର ଲୋପ ହେବାରେ ସାହାଯ୍ୟ କରେ । ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏକତ୍ରୀକରଣର କାର୍ଯ୍ୟରେ ଲାଗିଯାଏ ଓ ତାହାର ଗତି ଏତେ ତୀବ୍ର ହୁଏ ଯେ, ଯାନ୍ତ୍ରିକ ଗତିର ବେଗ ଯେ ଅତ୍ୟନ୍ତ ଚମତ୍କାର ଏଥିରେ ଦ୍ୱିମତ ହେବାର କିଛି ନାହିଁ । କିନ୍ତୁ ସମୟ ଓ ଦୂରତାକୁ ଆଧୁନିକ ମଣିଷ ଜୟ କରିଛି ବୋଲି କହିବା ଏକ ମିଥ୍ୟା ଆସ୍ଫାଳନ । ଆଧୁନିକ ବୋଲାଉଥିବା ଭଦ୍ରଲୋକମାନେ ତାଙ୍କ ନିଜ ଜୀବନକୁ ଅନୁଧ୍ୟାନ କରି କହନ୍ତୁ ଦେଖି ।

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୪



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ଢାକାରେ ସାଇକଲ ରେକେସା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗାନ୍ଧୀଜୀଙ୍କର ଚରଖାନୀତିକୁ ବହୁତ ସମାଲୋଚନା କରାଯାଏ । କରାଯିବା ଉଚିତ ମଧ୍ୟ । ଗାନ୍ଧିବାଦୀ ନୀତିରେ ଉନ୍ନତିର ଆବଶ୍ୟକତା ଅଛି ଓ ତାହା ଆଲୋଚନା ସମାଲୋଚନା ମାଧ୍ୟମରେ ହୋଇପାରିବ । କିନ୍ତୁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବିଷୟରେ ଗାନ୍ଧୀଙ୍କର ଯେଉଁ ବ୍ୟବହାରିକ ଆପତ୍ତି ଥିଲା ତାହାର ଖଣ୍ଡନ ଆଧୁନିକତାବାଦୀ ମାନେ କରିପାରି ନାହାନ୍ତି । ଏସିଆ ଓ ଆଫ୍ରିକାର ଦେଶମାନେ ସ୍ୱାଧୀନ ହେବାର ବହୁପୂର୍ବରୁ ଗାନ୍ଧୀ ଦୃଢ଼ତାର ସହ କହିଥିଲେ ଯେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏହି ଦେଶମାନଙ୍କୁ ସମୃଦ୍ଧ କରିପାରିବ ନାହିଁ । ପୃଥିବୀର ସବୁ ଦେଶ ଓ ସବୁ ଲୋକଙ୍କୁ ୟୁରୋପ ଓ ଆମେରିକାର ଜୀବନ ସ୍ତରକୁ ନିଆଯିବାର ଅର୍ଥ ହେଉଛି ଯେ ପୃଥିବୀ ପୃଷ୍ଠରୁ ଉପନିବେଶବାଦକୁ ହଟେଇ ମହାକାଶରେ ଥିବା ଗ୍ରହ ନକ୍ଷତ୍ରକୁ ଯାଇ ସେଠାରେ ପୃଥିବୀର ଉପନିବେଶ ସ୍ଥାପନ କରିବା । 

ଗାନ୍ଧିଜୀ ତାଙ୍କ ନିଜ ଭାଷାରେ ଠିକ୍ ଏହି କଥା କହିଛନ୍ତି । କେବଳ ଉପନିବେଶବାଦ ମାଧ୍ୟମରେ ହିଁ ଧନର ଏପରି ଏକତ୍ରୀକରଣ ସମ୍ଭବ । ଏହାର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି ଯେ ବିଶ୍ୱରୁ ଯଦି ଆର୍ଥିକ ଉପନିବେଶବାଦକୁ ପୂରାପୂରି ହଟେଇ ଦିଆଯିବ, ତା’ହେଲେ ୟୁରୋପ-ଆମେରିକାର ସମୃଦ୍ଧି ଭୁଷୁଡ଼ି ପଡ଼ିବ । କଳ୍ପନା କରନ୍ତୁ ଯେ ଏସିଆ, ଆଫ୍ରିକା ଓ ଲାଟିନ-ଆମେରିକାର ଦେଶମାନେ ଆଉ ପାଶ୍ଚାତ୍ୟ ଦେଶୀୟ କମ୍ପାନୀମାନଙ୍କର ଜିନିଷଗୁଡ଼ିକୁ କିଣିବେ ନାହିଁ, କିମ୍ବା ନିଜର କଞ୍ଚାମାଲ ସେମାନଙ୍କୁ ବିକ୍ରୟ କରିବେ ନାହିଁ । ତାହା ହେଲେ ତାଙ୍କର କେଉଁ ବିଜ୍ଞାନ ସେଠିକାର ପ୍ରଚଳିତ ସମୃଦ୍ଧି ଓ ଜୀବନସ୍ତରକୁ ରକ୍ଷା କରିବ ?

ଆମେ ଆଧୁନିକତାବାଦୀମାନେ ଯଦି ଗାନ୍ଧୀଙ୍କର ଉପରୋକ୍ତ ଯୁକ୍ତିର ଖଣ୍ଡନ କରିପାରିବା ନାହିଁ, ତାହା ହେଲେ ତର୍କ ଅନୁଯାୟୀ ଆମକୁ କହିବାକୁ ହେବ ଯେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ହେଉଛି ଏକ ସାମ୍ରାଜ୍ୟବାଦୀ ବିଜ୍ଞାନର ପରିଣାମ ମାତ୍ର । ଅଣସାମ୍ରାଜ୍ୟବାଦୀମାନେ ଏହାର ସିଧା ଲାଭ ଉଠାଇପାରିବେ ନାହିଁ । ସାମ୍ରାଜ୍ୟବାଦର ଆବଶ୍ୟକତାଗୁଡ଼ିକୁ ପୂରା କରିବା ପାଇଁ ବିଭିନ୍ନ ବୈଜ୍ଞାନିକ କୌଶଳଗୁଡ଼ିକର ଉଦ୍ଭାବନ ହେଉଛି, ତେଣୁ ଏକ ସାମ୍ରାଜ୍ୟବାଦୀ ଓ ଉପନିବେଶବାଦୀ ସମ୍ପର୍କର ଢାଞ୍ଚା ଭିତରେ ହିଁ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ । ଗୋଟିଏ ନିର୍ଦ୍ଧିଷ୍ଟ ପରିସ୍ଥିତି ବା ଉଦ୍ଦେଶ୍ୟକୁ ନେଇ ତିଆରି ହୋଇଥିବା ପ୍ରଯୁକ୍ତିବିଦ୍ୟା ଏକ ଭିନ୍ନ ପରିସ୍ଥିତି ବା ଉଦ୍ଦେଶ୍ୟର କାର୍ଯ୍ୟକୁ ସମ୍ପାଦିତ କରିପାରିବ ନାହିଁ । ନିମ୍ନଲିଖିତ ଉଦାହରଣଟି ଏହାକୁ ସ୍ପଷ୍ଟ କରିଦେଇପାରିବ । 

ସାଇକେଲ୍ ଚାଳିତ ରିକ୍ସା ଏକ ନିର୍ଦ୍ଧିଷ୍ଟ ପରିସ୍ଥିତିରୁ ଉପୁଜିଥିବା ପ୍ରଯୁକ୍ତିବିଦ୍ୟା । ଗରିବ ଦେଶର ଛୋଟ ସହର ମାନଙ୍କରେ ବାସ କରୁଥିବା ମଧ୍ୟବିତ୍ତ ଭଦ୍ରଲୋକଙ୍କ ପାଇଁ ଏହା ଉଦ୍ଧିଷ୍ଟ । ଏହାକୁ ପ୍ରଚଳିତ କରାଇବା ସକାଶେ ଏପରି ଏକ ସମାଜ ଦରକାର ଯେଉଁଠି ମଧ୍ୟବିତ୍ତଙ୍କ ପାଖେ ପାଖେ ଗୋଟିଏ ଅତି ଦରିଦ୍ର ଶ୍ରେଣୀ ରହିଥିବ । ଯଦି କେବେ ଏହି ଭେଦ ସମାପ୍ତ ହୋଇଯିବ ତାହା ହେଲେ ରିକ୍ସାର ପ୍ରଚଳନ ବନ୍ଦ ହୋଇଯିବ । ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କୁ ସମାନ ଭାବରେ ଉପକୃତ କରେ ନାହିଁ । ଜଣକୁ ଭଦ୍ରଲୋକ କରାଏ, ଅନ୍ୟ ଜଣକୁ ରିକ୍ସାବାଲା କରାଏ । ଉଭୟଙ୍କର ବୈଷମ୍ୟ ଉପରେ ରିକ୍ସା ତିଷ୍ଠି ରହିଛି । ଆଧୁନିକ ପ୍ରଯୁକ୍ତି ବିଦ୍ୟା ଠିକ ଏହି ରିକ୍ସା ପରି । କେତେକ ଦେଶକୁ ବିକଶିତ ଓ ଶିଳ୍ପୋନ୍ନତ କରିଛି, ଅନ୍ୟ ସମସ୍ତଙ୍କୁ ‘ବିକାଶଶୀଳ’ କରି ରଖିଛି ।

ଆମେ ପ୍ରତିଦିନ ଖବରକାଗଜରେ ପଢ଼ୁଛୁ ଯେ ଧନୀ ଓ ଶିଳ୍ପୋନ୍ନତ ଦେଶମାନେ ଗରିବ ବିକାଶଶୀଳ ଦେଶମାନଙ୍କରେ ବଜାର ଖୋଜୁଛନ୍ତି । ଯେଉଁଠି ପ୍ରଚୁର କଞ୍ଚା ମାଲ ଓ ମାନବ ଶ୍ରମ ଶସ୍ତାଦାମରେ ମିଳିପାରୁଛି, ଯେଉଁମାନେ ନିଜର ବିକାଶ ପାଇଁ ଆଧୁନିକ ଯନ୍ତ୍ରପାତି ଚାହାନ୍ତି, ଯେଉଁଠି ବିଦେଶରୁ ଭୋଗ୍ୟ ବସ୍ତୁମାନ କିଣି ନିଜ ଜୀବନ ସ୍ତରକୁ ବଢ଼ାଇ ଚାଲିଥିବା ଏକ ନବ୍ୟଧନିକ ଶ୍ରେଣୀ ଓ ନବ୍ୟ-ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ହେଲେଣି, ଏହିପରି ଦେଶମାନେ ୟୁରୋପ- ଆମେରିକାର ଦୃଷ୍ଟିରେ ଉକ୍ରୃଷ୍ଟ ବଜାର ବୋଲି ପରିଗଣିତ ହେଉଛନ୍ତି । 

ୟୁରୋପ-ଆମେରିକା ହେଉଛନ୍ତି ଧନର ସମ୍ରାଟ ଓ ସାରା ଦୁନିଆର ବଜାର ଉପରେ ତାଙ୍କର ଆଧିପତ୍ୟ ଅଛି । ସେସବୁର ପରିଚାଳନା ଓ ନିୟନ୍ତ୍ରଣ ପାଇଁ ଯେତେ ନୂଆ ନୂଆ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ ହେଉଛି, ତାହା ଆମେ କରିପାରିବା ନାହିଁ । କାରଣ ଆମର ଏତେ ବଡ଼ ବଜାର ନାହିଁ କିମ୍ବା ଏତେ ଧନ ନାହିଁ । ତେଣୁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବାକୁ ହେଲେ ଆମକୁ ମୁଖ୍ୟତଃ କିଣିବାକୁ ପଡ଼ିଥାଏ । ତେଣୁ ଆମର ମୋଟ ଯନ୍ତ୍ରପାତି ଧନୀ ଦେଶ ତୁଳନାରେ ବହୁତ କମ । ଆମେରିକାରେ ମୁଣ୍ଡପିଛା ଯେତିକି ଯନ୍ତ୍ରପାତି ଆମ ଦେଶରେ ତାହାର ଶହେ ଭାଗରୁ ଗୋଟିଏ ଭାଗ ମଧ୍ୟ ହେବନାହିଁ । ଆଧୁନିକ ଯନ୍ତ୍ରର ବହୁଳତା ଯଦି ଉନ୍ନତିର ଲକ୍ଷଣ ହୁଏ, ତାହା ହେଲେ ଆମେ କେବେ ମଧ୍ୟ ୟୁରୋପ-ଆମେରିକା ଭଳି ‘ଉନ୍ନତ’ ହୋଇପାରିବା ନାହିଁ । ଆମେ ସାଇକେଲ ରିକ୍ସାର ଭଦ୍ରଲୋକ ହୋଇପାରିବା ନାହିଁ ।