Sunday, September 11, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧



ଶେଷାବତାର ପାତଞ୍ଜଳି
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

କି ବିଚିତ୍ର ପୁର ଏହି ନର କଳେବର 
ପ୍ରାସାଦ ପ୍ରାକାର ଦୂରେ ସଜ୍ଜିତ ସୁନ୍ଦର ।

ସଞ୍ଜୋଯିତ ଯଥା ସ୍ଥାନେ ଏକାଦଶ ଦ୍ୱାର
ଘେରି ରହିଅଛି ପୁଣି ସପତ ପ୍ରକାର 

ଯଥା ସ୍ଥାନେ ସୁଶୋଭିତ ଗଭୀର ପରିଖା
ମଣିପୁର ଆଦି ନାମେ କେତେ ଅଟ୍ଟାଳିକା ।

କେତେ କନ୍ଦି, କେତେ ଯନ୍ତ୍ର, କେତେ ଗୁପ୍ତ ସ୍ଥାନ
ତରୁ ଲତା ଆଚ୍ଛାଦିତ ସୁଚାରୁ ଉଦ୍ୟାନ ।

ରହିଛନ୍ତି ପ୍ରତି ଦ୍ୱାରେ ସୁଚତୁର ଦ୍ୱାରୀ
ଜାଣ କି କିଏ ଏ ଦେହ ଅଧିକାରୀ ?

ସେ ଚୈତନ୍ୟମୟ ଆତ୍ମା ଏଥି ଅଧିପତି 
ନାହିଁ ଯା'ର କ୍ଷୟ ବୃଦ୍ଧି ବିନାଶ ଉତ୍ପତ୍ତି ।
ଦେହ ଅଭ୍ୟନ୍ତରେ ଯା'ର ହେଲେ ହେଁ ନିବାସ 
ଆଦିତ୍ୟ ପରାଏ ନିତ୍ୟ ପ୍ରତ୍ୟକ୍ଷ ପ୍ରକାଶ ।

ସର୍ବଭୂତେ ଏକ ଆତ୍ମା ଦୃଢ଼ ମନେ ଧରି 
ବ୍ରହ୍ମଧ୍ୟାନ କରେ ଯେହୁ ମୋହ ପରିହରି ।

ଏ ଜୀବନେ ମୁକ୍ତ, ସେହୁ ପଡ଼େ ନାହିଁ ଶୋକେ,
ଅକ୍ଷୟ କୈବଲ୍ୟ ଭୁଞ୍ଜେ ଗଲେ ପରଲୋକେ ।

ଭାବେ କଦାଚିତେ ଆଉ ନ  ଲଭେ ଉତ୍ପତ୍ତି 
ପରମବ୍ରହ୍ମରେ ମିଳେ, ପାଏ ମୋକ୍ଷ ଗତି ।

ନର ଦେହ ନୁହେଁ ଏକା ଆତ୍ମାର ନିବାସ,
ସର୍ବତ୍ର ସମାନ ଆତ୍ମା ବିଶ୍ୱେ ପରକାଶ । (ନ.ଉ. ୨।୨। ୨୮-୨୯)

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୪


ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି 


ଫଟୋ କ୍ରେଡିଟ୍ - ୱିକିମିଡ଼ିଆ କମନ୍ସ୍

ବ୍ରହ୍ମାର୍ପଣଂ ବ୍ରହ୍ମ ହବିର୍ବ୍ରହ୍ମାଗ୍ନୌ ବ୍ରହ୍ମଣାହୁତମ୍ ।
ବ୍ରହ୍ମୈବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମସମାଧିନା ।୨୪।

ଶ୍ରୁବାଦି ପାତ୍ର ସର୍ବବ୍ରହ୍ମ । ଘୃତାଦି ବହନୀୟ ବ୍ରହ୍ମ ।।
ଅବଳ ବ୍ରହ୍ମ ହୋତା ବ୍ରହ୍ମ । ଯଜ୍ଞୀୟ-କାର୍ଯ୍ୟ ସର୍ବ ବ୍ରହ୍ମ ।।
ଯେ ମଣେ ଏହି ସର୍ବ ବ୍ରହ୍ମ । ସେ ଲୋକ ପ୍ରାପ୍ତ ହୁଏ ବ୍ରହ୍ମ ।୨୪।   

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୫



କଳାକାର - ବ୍ରାୟାନ୍ ପାଇକ୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ସର୍ବଭୂତେ ଦେଖେ ଯେହୁ ଆତ୍ମା ନିତ୍ୟ ଏକ
ସେହି ନଚିକେତ, ମୁନି ଜ୍ଞାନୀ ସୁବିବେକ ।

ଶୁଦ୍ଧୋଦକେ ମିଶିଗଲେ ଯଥା ଶୁଦ୍ଧୋଦକ 
ହୁଏ ଏକ ରୂପ ଆଉ ନ ରହେ ପୃଥକ ।

ଏକୀଭୂତ ହୁଏ ତଥା ବ୍ରହ୍ମେ ସେହି ଜନ
ସର୍ବତ୍ର ଦେଖେ ଯେ ଏକ ଆତ୍ମା-ସନାତନ । (ନ.ଉ. ୨।୧।୨୮)

Saturday, September 10, 2016

କେନ୍ଦ୍ରପଡ଼ାର ହଳିଆ ଗୀତ - 'ହଡ଼ା ତ ବଳଦକୁ ଅସନ ଛାଟିଆ'


ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶଙ୍କର  'ଲୋକବାଣୀ ସଞ୍ଚୟନ' 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ହଡ଼ା ତ ବଳଦକୁ ଅସନ ଛାଟିଆ 
ଗୋରୀ ତ ମାଇପକୁ ଯ।ଉଁଳି ମାଠିଆ
ମୁଣ୍ଡର ମାଠିଆ ଲୋ ଏଣିକି ତେଣିକି
କାଖର ମାଠିଆ ଲୋ ଯାଉଚି ପାଣିକି 

ଫୁଲ ତ ଗହଳରେ ନ ବୁଡ଼ଇ ମାଠିଆ 
ସୋଲ ଗହଳରେ ନାଗିଲା ଗୋଡ଼ର ଝୁଣ୍ଟିଆ 
ପତ୍ର ତ ଗହଳରେ ନ ପଡ଼ଇ ଦୃଷ୍ଟି
ଫଳ ତ ଗହଳରେ ନ ଗଳଇ ଛୁଞ୍ଚି ହୋ ।

ହରିର ଅର୍ଜୁନର ଯେ ଲାଗିଲା ବିବାଦୀ 
ଶରର ସାଗର ବନ୍ଧ ଯେ ବାନ୍ଧିଲେ ବାଳାନିଧି 
ତୁରେ ଅରଜୁନ ମାଉସୀପୁଅ ଭାଇ
ତୋ ବନ୍ଧ ଉପରେ ଯେ ଚାଲିଯିବି ମୁହିଁ ।

ଦଶଦ୍ୱୀପ ମାଡ଼ି ହନୁ ଚାଲଇ ଦମକାଇ 
ଭରା ନ ସହିଲୁରେ ଭାଇରେ ଅର୍ଜୁନ 
ଅର୍ଜୁନ ରୁଧିର ଗଲା ବହି ।

ଅବିନ୍ଧା ଶର ଥିଲା, ରୁଧିର ନୁହେଁ ଭାଇ 
ନାଗି ଲୁଣି ପାଣିକି ମର୍କଟ 
ମର୍କଟ ହେଙ୍ଗୁଳା ଗଲା ବହି ଗୋ । 

Friday, September 09, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୪


ତିବ୍ବତୀୟ ଯମ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ପର୍ବତ ଦୁର୍ଗମ ଶିଖେ ବରଷିଲେ ବାରି
ନାନା ଧାରେ ବହେ ସ୍ରୋତ ନାନା ଦିଗଚାରୀ ।

ଗିରିପଦେ ନିମ୍ନଦେଶେ ଧାଏଁ ଛିନ୍ନ ଭିନ୍ନ 
ନାଶଯାଏ ଅବଶେଷେ ହୁଏ ନାହିଁ ଲୀନ ,

ତେସନ ଅସଂଖ୍ୟ ଦେହେ ନାନା ଅଭିମୁଖେ 
ଭ୍ରମଇ ସେ ନର ଚିର ଜନ୍ମ-ମୃତ୍ୟୁ-ଦୁଃଖେ ।

ଦେଖେ ଯେ ବିଭିନ୍ନ ଦେହେ ବ୍ରହ୍ମ ଭେଦାଭେଦ 
ଲଭେ ନାନା ଯୋନି, ସହେ ଅସରନ୍ତି ଖେଦ । (ନ.ଉ. ୨।୧।୨୮) 

Thursday, September 08, 2016

ପଠାଣି ସାମନ୍ତ


(ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥ କାବ୍ୟତୀର୍ଥଏମ୍.ଆଇ..ଏସ୍.)


ପଠାଣି ସାମନ୍ତ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତୁମ୍ଭର ଜନ୍ମଦିନଗଣେଶ ଚଉଠିଶ୍ରୀପଞ୍ଚମୀସ୍କୁଲଛୁଟିଓଷା ପର୍ବ ଆଦି କେଉଁଦିନକେଉଁ ମାସର କେତେ ତାରିଖଏହା ସବୁ ପାଞ୍ଜି ନଥିଲେ ଜାଣିପାରନ୍ତ କି ପାଞ୍ଜିରେ ବର୍ଷକଯାର୍କର ଦିନବାରତିଥିସଂକ୍ରାନ୍ତିପୁନିଅଁଅମାସ୍ୟା ପୁଣି ଚନ୍ଦ୍ରଗ୍ରହଣସୂର୍ଯ୍ୟପରାଗ ସବୁ ଗଣାହୋଇ ଲେଖା ଥାଏ । ଏବେ ପାଞ୍ଜି ଛପାବହି ହୋଇ ବାହାରୁଛି । ଆଗେ ତାଳପତ୍ର ପୋଥିରେ ଚଳୁଥିଲା । ଏବେ ମଧ୍ୟ ଗାଁମାନଙ୍କରେ ଜ୍ୟୋତିଷ ନାୟକମାନେ ଘରକୁ ଘର ବୁଲି କାଖରୁ ଆପଣା ତାଳପତ୍ର ପାଞ୍ଜି ବିଡ଼ାଟି କାଢ଼ି ଓଷାବାରସଂକ୍ରାନ୍ତି ବା କୌଣସି ନିମିତ୍ତକୁ ଶୁଭଦିନ ବିଚାରି କହନ୍ତି । ମାତ୍ର ତାଙ୍କର ପାଞ୍ଜି ଅସଲ ପାଞ୍ଜି ନୁହେଁ। ସେ ଛପାପାଞ୍ଜିରୁ କେତେକ ସାର ସାର କଥା ଟିପି ରଖିଥାନ୍ତି । ବଡ଼ ଛାପାପାଞ୍ଜି ଜଣେ ଜଣେ ବଡ଼ ଜ୍ୟୋତିଷ ପଣ୍ଡିତ ଗଣନା କରିଥାନ୍ତି । ସେପରି ପାଞ୍ଜି ଆମ୍ଭ ଦେଶରେ ଏବେ ଦୁଇ ତିନିଟା ଚଳୁଛି । ସେସବୁ ପାଞ୍ଜିଠାରୁ ପଠାଣ ସାମନ୍ତଙ୍କ ପାଞ୍ଜି ଶୁଦ୍ଧ । ଆଉ ପାଞ୍ଜିକାରମାନେ ତାଙ୍କରିଠାରୁ ଶିଖି ପାଞ୍ଜି ତୋଳୁଛନ୍ତି । ସେ ପଠାଣି ସାମନ୍ତ କିଏ ଜାଣିଛ?  ସେ ଜ୍ୟୋତିଷ୍କରେ ଜଣେ ବଡ଼ପଣ୍ଡିତ ଥିଲେ । କିନ୍ତୁ ସେ ଜ୍ୟୋତିଷ ନାୟକ ନଥିଲେସେ ଜଣେ କ୍ଷତ୍ରିୟ ରାଜପୁତ୍ର । ତାଙ୍କର ପୂରା ନାମ ଥିଲା ସାମନ୍ତ ଶ୍ରୀ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର । କଟକର ପ୍ରାୟ ୨୦ କ୍ରୋଶ ପଶ୍ଚିମରେ ମହାନଦୀର ଦକ୍ଷିଣକୁ ଖଣ୍ଡପଡ଼ା ବୋଲି ଗୋଟିଏ ଗଡ଼ଜାତ ଅଛି । ସେହି ରାଜ୍ୟର ଆଗ ରାଜା ଥିଲେ ଶ୍ରୀ ନଟବର ସିଂହ ଭ୍ରମରବର ରାୟ । ତାଙ୍କର ସେ କକେଇ ବା ଦାଦା ସାମନ୍ତ ଥିଲେ । ତାଙ୍କର ଜନ୍ମ ଆଜକୁ ୮୫ ବର୍ଷ ହେବ । ପନ୍ଦର ବର୍ଷ ତଳେ ତାଙ୍କର କାଳ ହୋଇଅଛି ।

ବାପାମା’ଙ୍କର ଅପ୍ରତ୍ୟାଶି ଥିବାରୁ ତାଙ୍କର ଡାକ ନାମ ହୋଇଥିଲା ‘ପଠାଣି’ । ପଠାଣି ସାମନ୍ତ ପିଲାଦିନେ ଖଡ଼ିପାଠ ଆରମ୍ଭ କରି ତହୁଁ ପୋଥିରୁ ନାନା ଛନ୍ଦଗୀତ ପୁରାଣ ଆଉ ରାମାୟଣମହାଭାରତ ପଢ଼ିଥିଲେ । ତାଙ୍କର ବାପା ଶ୍ୟାମବନ୍ଧୁ ସାମନ୍ତ ଜ୍ୟୋତିଷରେ ଜଣେ ଭାରି ପଣ୍ଡିତ ଥିଲେ । ଆପଣା ପୁଅକୁ ତାହା ସେ ଉତ୍ତମରୂପେ ଶିଖାଇଥିଲେ ଆଉ ଆକାଶର ସାନ-ବଡ଼ ତାରାମାନ ଚିହ୍ନାଇ ଦେଇଥିଲେ । ମାତୃଭାଷାରେ ଭଲ ଜ୍ଞାନ ହୋଇଯିବା ପରେ ସାମନ୍ତ ଜଣେ ଦୁଇଜଣ ବ୍ରାହ୍ମଣ ପଣ୍ଡିତଙ୍କ ପାଖରେ ସଂସ୍କୃତ ପଢ଼ିଥିଲେ । ତାଙ୍କର ବୁଦ୍ଧି ଏପରି ପ୍ରଖର ଥିଲା ଯେ,ବେଳେବେଳେ ପଣ୍ଡିତଙ୍କୁ ଅସାଧ୍ୟ ପ୍ରଶ୍ନ ପଚାରି ବାଉଳା କରିପକାଉଥିଲେ । ଏହିପରି ପଢ଼ୁ ପଢ଼ୁ ସେ କାବ୍ୟ ନାଟକଅଳଙ୍କାରସ୍ମୃତିକର୍ମକାଣ୍ଡ ଆଦି ବହୁତ ଶାସ୍ତ୍ରରେ ପଣ୍ଡିତ ହୋଇଥିଲେ । ଏସବୁ ଶାସ୍ତ୍ର ଅପେକ୍ଷା ସେ ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ହୋଇ ଆଶ୍ଚର୍ଯ୍ୟ ଫଳ ଦେଖାଇଥିଲେ । ଜ୍ୟୋତିଷ ବିଷୟରେ ଯେଉଁଠି ଯେତେ ପୋଥି ଥିଲାସବୁ ଖୋଜି ଲୋଡ଼ି ଆଣି ସେ ପଢ଼ିଥିଲେ । ତୁମ୍ଭେମାନେ ମନେ କରୁଥିବଆଜିକାଲିକା ଛପାବହି ପରି ବହିଖଣ୍ଡମାନ ଧରି ସୁଖରେ ପଢ଼ି ଚାଲିଯାଉଥିଲେତାହା ନୁହେଁ । ତାଙ୍କର ଦେହକଟା ଯାକ ତାଳପତ୍ର ପୋଥିରୁ ପଢ଼ା । ତାଳପତ୍ର ଲେଖକ ଛଡ଼ା କାଗଜ କଲମ କେବେ ଧରୁ ନଥିଲେ । ତାଳପତ୍ରରେ ବଡ଼ ବଡ଼ ଅଙ୍କମାନ ମଧ୍ୟ ସେ କଷିପକାଉଥିଲେଅଙ୍କ କଷିବାରେ ତାଙ୍କର ମନ ଏତେ ଟାଣ ଥିଲା ଯେକାହିଁରେ କିଛି ନଲେଖି ମଧ୍ୟ ବଡ଼ ବଡ଼ ଅଙ୍କ ସମସ୍ତ କଷି ଚଞ୍ଚଳ ଫଳ କହିଦେଉଥିଲେ ଏହି ଗୁଣରୁ ସେ ଶେଷକାଳକୁ କ’ଣ କରିଥିଲେତଳେ କହୁଛି ଶୁଣି ।

ପିଲାଦିନରେ ପଠାଣି ସାମନ୍ତ ଆଉ ପିଲାଙ୍କ ପରି ଧୂଳିଖେଳ ନକରି ଆକାଶକୁ ଚାହିଁ ଉଡ଼ନ୍ତା ଶାଗୁଣା ବା ଆଉ ପକ୍ଷୀ ଦେଖିଲେ କେତେଟା ଉଡ଼ୁଛନ୍ତି ବୋଲି ଜାଣିବାକୁ ବଡ଼ ସୁଖ ପାଉଥିଲେ । ବଡ଼ ମେଘ ବର୍ଷିଲାବେଳେ ତାହାର ମୋଟା ମୋଟା ଧାର ସେହିପରି ଗଣି ଖୁସି ହେଉଥିଲେ । ଏହି କୌତୁକରେ ସେ ବାଣ ଦେଖିବାକୁ ମଧ୍ୟ ଭାରି ସୁଖ ପାଉଥିଲେ । ବାଣଟାଏ ମଲେ ତାହା ପର୍ବତ ଉପରୁ କେତେ ଦୂରକୁ ଗଲା ଏବଂ କେତେ ଦୂରରେ ଯାଇ ପଡ଼ିଲାତାହା ହିସାବ କରି ଲୋକଙ୍କୁ କହିଦେଉଥିଲେକେତେବେଳେ ବା ଆପେ ଟିପି ରଖୁଥିଲେ । ଏହି ଅଭ୍ୟାସ ତାଙ୍କର ଏତେ ବଢ଼ିଥିଲା ଯେଶେଷକ ବାଟରେ ଗୋଟାଏ ଦେଉଳ କି ଗଛ କି କୋଠା ଦେଖିଲେ ତାହା କେତେ ଉଚ୍ଚ ମନେ ମନେ କଷି ଯାହା କହିଦେଉଥିଲେ,ମାପିଲାବେଳକୁ ଠିକ୍ ସେୟା ହେଉଥିଲା । ଖାଲି କ’ଣ ଏତିକି ସେ ଗଣନା କରୁଥିଲେ ରାତିରେ ଆକାଶକୁ ଏକ ଆଖିରେ ଚାହିଁ ରହିଥାନ୍ତି । କେଉଁ ଦିନ କେଉଁ ନକ୍ଷତ୍ର କେତେ ସ୍ଥାନ ଛାଡ଼ିଛିକେତେ ଉଠିଛି ବା ତଳକୁ ଆସିଛିକେଉଁ ଦିନ ଚନ୍ଦ୍ରର କେତେ କଳା ବଢ଼ିଛି ବା ଛିଡ଼ିଡ଼ିକେଉଁ ଗ୍ରହର କେତେବେଳେ ଉଦୟ ବା ଅସ୍ତ୍ର ହେଲାଏହାକୁ ଦେଖୁ ଦେଖୁ ଦିନେ ଦିନେ ତାଙ୍କର ରାତି ପାହି ଯାଉଥିଲା । ପ୍ରତିଦିନ ବେକ ଭାଙ୍ଗି ଆଖିରୁ ପାଣି ମାରି ଏହିପରି ଦେଖି ଦେଖି ତାଙ୍କର ମାସେ ନୁହେଁକି ବର୍ଷେ ନୁହେଁଏକାଧାରାକେ କୋଡ଼ିଏ ବର୍ଷ ବିତି ଯାଇଥିଲା । ବେଳେବେଳେ ସେ ରାତିରେ ଖଟ ଉପରେ ଚିତି ହୋଇପଡ଼ି ଚାଳ ଭତର କଣାରେ ଗ୍ରହ ନକ୍ଷତ୍ରକୁ ଚାହିଁ ସେମାନଙ୍କର ଗତି ସ୍ଥିତି ଆଦି ବୁଝୁଥିଲେ । ଏହି କେତକେ ବର୍ଷ କାଳ ଦେଖି ଦେଖି ଯାହା ସେ ଅଙ୍କ କଷି ଫଳ ବାହାର କରୁଥିଲେ । ପୁରୁଣା ଜ୍ୟୋତିଷ ପୋଥିର ଅଙ୍କ ସଙ୍ଗେ ତାହା ନ ମିଳିବାରୁ ପୁରୁଣା ପେୋଥି ସହିତ ସବୁ ବିଷୟ ଥରେ ମିଳାଇଯିବାକୁ ତାଙ୍କର ଆଗ୍ରହ ହେଲା । କୋଟିନିଧି ପରି ଯେଉଁ ନୂତନ ତତ୍ତ୍ୱଟିମାନ ସେ ପାଇଲେତାକୁ ଶ୍ଳୋକରେ ନିଜେ ରଚନା କରି ତାଳପତ୍ର ଖେଦାରେ ଟିପି ରଖୁଥିଲେ । ଏହିପରି କୋଡ଼ିଏ ବର୍ଷର ଟିପା ଶ୍ଳୋକମାନ ମିଶି ପଛକୁ ଗୋଟିଏ ବଡ଼ ପୋଥି ପରି ହୋଇଗଲା । ସେଗୁଡ଼ିକ ପୁରୁଣା ପୋଥିର ମାର୍ଗରେ ସଜାଇ ଯେଉଁ ନୂଆ ଜ୍ୟୋତିଷ ଗ୍ରନ୍ଥ କଲେତାହାର ନାମ ‘ସିଦ୍ଧାନ୍ତ ଦର୍ପଣ’ । ପୁରୁଣା ଗ୍ରନ୍ଥ ଖଣ୍ଡିର ନାମ ଥିଲା ‘ସିଦ୍ଧାନ୍ତଶିରୋମଣି’ । ଆଜିକୁ ଆଠଶ ବର୍ଷ ତଳେ ଭାସ୍କରାଚାର୍ଯ୍ୟ ବୋଲି ଜଣେ ଦକ୍ଷିଣର ଜ୍ୟୋତିଷ ପଣ୍ଡିତ ରଚନା କରିଥିଲେ । ଏହି ଆଚାର୍ଯ୍ୟଙ୍କ ପରେ ଆଜିଯାଏଁ ଆମ ଦେଶରେ ‘ସିଦ୍ଧାନ୍ତ ଦର୍ପଣ’ ପରି ଜ୍ୟୋତିଷ ଗ୍ରନ୍ଥ ଆଉ କେହି ଲେଖିନାହାନ୍ତି । ଏ ଗ୍ରନ୍ଥ ଯେତେବେଳେ ଦେବନାଗରୀ ଅକ୍ଷରରେ ଛପା ହୋଇ ଚାରିଆଡ଼କୁ ଗଲାତାକୁ ଦୂର ଦେଶର ପଣ୍ଡିତମାନେ ପଢ଼ି ଆଚମ୍ବିତ ହୋଇଗଲେ । ଭାରତବର୍ଷ ଯାକ ତାଙ୍କର ପ୍ରଶଂସା ହୋଇଗଲା ବିଲାତରେ ମଧ୍ୟ ତାଙ୍କର ଖୁବ୍ ନାମ ହେଲା । ସେ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଯେଉଁଦିନ ଯେତେବେଳେ ହେବ ବୋଲି କହି ଦେଉଥିଲେଠିକ୍ ସେହି ଦିନ ସେତିକିବେଳେ ଘଟିବାର ଦେଖି ସାହେବମାନେ ଆଶ୍ଚର୍ଯ୍ୟ ହୋଇଗଲେ । ବଡ଼ଲାଟ୍ ସାହେବ ତାଙ୍କର ଏପରି ଯୋଗ୍ୟତା ଥିବାର ଶୁଣି ତାଙ୍କୁ ‘ମହାମହୋପାଧ୍ୟାୟ’ ପଦ ଦେଇଥିଲେ। ମୃତ୍ୟୁ ପୂର୍ବରୁ ଅଳ୍ପକାଳ ମାସକୁ ଟ୫୦ ସରକାରୀ ବୃତ୍ତି ପାଇଥିଲେ ।

ଏହି ‘ସିଦ୍ଧାନ୍ତ ଦର୍ପଣ’ ଗ୍ରନ୍ଥର ସୂତ୍ର ଧରି ସେ ଯେଉଁ ପାଞ୍ଜି ପ୍ରଥମେ ଛପାଇଲେସେହି ପାଞ୍ଜି ଶୁଦ୍ଧ ବୋଲି ସମସ୍ତେ ଜାଣିଲେ ଏବଂ ଫଳ ଘଟିବା ଦେଖି ମଧ୍ୟ ବୁଝି ପାରିଲେ । ଏବେ ତାଙ୍କର ମଧ୍ୟମ ପୁତ୍ର ଗଦାଧର ସିଂହ ତାଙ୍କ ଅନ୍ତେ ପାଞ୍ଜି କରୁଅଛନ୍ତି ।

ଆଶ୍ଚର୍ଯ୍ୟର କଥା ଯେଆଜି କାଲି ଆକାଶର ଗ୍ରହ ନକ୍ଷତ୍ରତତ୍ତ୍ୱ ପଣ୍ଡିତମାନେ ନଜରନଳୀ ବା ଦୂରବୀକ୍ଷଣରେ ଦେଖି ଯାହା ଠିକ୍ କରି କହିପାରୁ ନାହାନ୍ତିତାହାକୁ ସାମନ୍ତ ଖଣ୍ଡେ ମାପ କାଠି ଧରି ନିଜ ଆଖିରେ ଦେଖି କହିଦେଉଥିଲେ । ସେ ମାପ କାଠି ବାମ ମାନଯନ୍ତ୍ର ତାଙ୍କର ନୂଆ ଭିଆଣ । ସେଥିରେ ଦେଖି ଯେଉଁ ଅନ୍ତରା କଳା ବା ଅଂଶ ଆଦି କାଢ଼ି ହିସାବ କରି ସେ ଯେଉଁ ଫଳ କହିଅଛନ୍ତି ତାହା ବିଲାତରେ ନଜର ନଳୀରେ ଦେଖି ସାହେବମାନେ ଯାହା କିଛି କହିଅଛନ୍ତିତାହା ସହିତ ମୁଣ୍ଡାମୁଣ୍ଡି ସମାନ । ଏପରି ମହାତ୍ମା ଆମ୍ଭ ଦେଶରେ ଜନ୍ମିଥିବାରୁ ଆମ୍ଭ ଦେଶ ଧନ୍ୟ ହୋଇଅଛି । ଯାହା ଯୋଗରେ ଦେଶ ଧନ୍ୟ ହୁଏଆଉ କୁଳ ପବିତ୍ର ହୁଏସେହି ସିନା ବଡ଼ଲୋକ ।

ପଠାଣି ସାମନ୍ତ ଭାରି ନିଷ୍ଠାପର ଓ ଆଚାରବନ୍ତ ଲୋକ। ଶୌଚ ଆଉ ପୂଜା ହୋମରେ ତାଙ୍କ ଆଗରେ ପୁରୋହିତ ବ୍ରାହ୍ମଣ ବି ମାନ ହେବେନାହିଁ । ତାଙ୍କ ଆଖିରେ ଟିକିଏ ଦୋଷ ସୁହାଯାଏ ନାହିଁ । ସେପରି ନିର୍ମଳଚଳିତ୍ର ଲୋକ ଆଉ ଦେଖାଯାଉ ନାହାନ୍ତି । ପୁରୁଷୋତ୍ତମରେ ପିଣ୍ଡରୁ ପ୍ରାଣ ଗଲେ ତାଙ୍କର ସଦ୍ଗତି ହେବ ବୋଲି କହୁ ଦିନର ବାଞ୍ଛା ଥିଲା । ଶେଷ କାଳକୁ ସେ ଆଗରୁ ଦିନ ଅନୁମାନ କରି ପୁରୀକୁ ଯାଇଥିଲେ ଏବଂ ବଡ଼ ଦେଉଳରେ ଜଗନ୍ନାଥଙ୍କୁ ଦର୍ଶନ କରି ମେଲାଣି ମାଗିଥିଲେ ସେତିକି ଯାହା ଦର୍ଶନତହିଁର ପ୍ରାୟ ୧୨ ଦିନରେ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇଥିଲା ।


ବି.ଦ୍ର. ଏହି ଲେଖାଟି ୧୯୨୦ ମସିହାରେ ପ୍ରକାଶିତ ପଞ୍ଚାମୃତ ପତ୍ରିକାର ପ୍ରଥମ ଭାଗର ପ୍ରଥମ ସଂଖ୍ୟାରେ ଛପା  ହୋଇଥିଲା ।

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୩


ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି 


ପଞ୍ଚ ଯଜ୍ଞ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଗତସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତଚେତସଃ ।
ୟଜ୍ଞାୟାଚରତଃ କର୍ମ ସମଗ୍ରଂ ପ୍ରବିଲୀୟତେ ।୨୩।

ଯେ ଲୋକ କାମନା ଶୂନ୍ୟ ରାଗାଦିରୁ ମୁକ୍ତ । ଈଶ୍ୱର ସେବାରେ ଯୁକ୍ତ ଥାଏ ଯାର ଚିତ୍ତ ।।
ସେ ଲୋକ ଯଜ୍ଞରେ କର୍ମ କଲେକ ଯୋଜନ । ତାହା କର୍ମଫଳ ସର୍ବ ହୁଏ ବିନାଶନ ।୨୩।