Friday, July 15, 2016

ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୪


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 



ଫଟୋ କ୍ରେଡ଼ିଟି - ୱିକିମିଡ଼ିଆ କମନସ୍


ପୃଥିବୀରେ ଆଗାମୀ ୫୦ବର୍ଷ ମଧ୍ୟରେ ବହୁ ଅଦ୍ଭୁତପୂର୍ବ ଘଟଣାମାନ ଘଟିବାକୁ ଯାଉଛି । ଆଜି ସୋମାଲିଆ ଇଥିଓପିଆରେ ଯାହା ସବୁ ଘଟୁଛି ସେହିପରି ଘଟଣା ଭାରତର ବହୁ ଅଞ୍ଚଳରେ ମଧ୍ୟ ଘଟିବ । କିନ୍ତୁ ଏକଥା ଭାବନ୍ତୁ ନାହିଁ ଯେ, ସେହି ଘଟଣାରେ ଦେଶ ଓଲଟପାଲଟ ହୋଇଯିବ ବା ଆଉ ଏକ ମହାବାତ୍ୟା ସୃଷ୍ଟି ହୋଇଯିବ । ଏହି ସବୁ ଅଦ୍ଭୁତପୂର୍ବ ଘଟଣା ଯୋଜନାବଦ୍ଧ ଭାବରେ ଘଟିବାକୁ ଯାଉଥିବାରୁ କିଛି ଓଲଟପାଲଟ ହୋଇଯିବାର ଆଶଙ୍କା ନାହିଁ । ଏକଥା ମଧ୍ୟ ନୁହେଁ ଯେ କେବଳ ମଣିଷକୁ ମାରିବା ପାଇଁ ଏହା କରାଯାଉଛି ବରଂ ଏବେ ମଣିଷକୁ ହତ୍ୟା କରାଯାଉଛି ବିକାଶ ପାଇଁ । ବିକାଶ ପାଉଁ ହେଉଥିବା ଯୋଜନାରେ ଏହା ସ୍ୱତଃପ୍ରବୃତ୍ତ ଭାବେ ଘଟୁଛି । ସେଥିପାଇଁ ମନୁଷ୍ୟର ଯେଉଁ ମନ ବୁଦ୍ଧି ଅଛି ତାହାକୁ ଅନାହାର ଓ ଗଣହତ୍ୟା ପରି ଘଟଣାଗୁଡ଼ିକ ପ୍ରତି ସମ୍ବେଦନଶୂନ୍ୟ କରିଦିଆଯାଉଛି । ବୁଦ୍ଧିଜୀବୀମାନଙ୍କୁ ମଧ୍ୟ ହିସବୁ ଘଟଣା ପ୍ରତି ଉଦାସୀନ କରିଦିଆଯାଉଛି ।

ବ୍ରାଜିଲର ରିୟୋ ଦ ଜେନେରୋ ନଗରୀରେ ଯେତେବେଳେ ବିଶ୍ୱ ଧରିତ୍ରୀ ସମ୍ମିଳନୀ ଆୟୋଜିତ ହେଲା, ତାହାପୂର୍ବରୁ ସେହି ନଗରୀକୁ ସର୍ବାଙ୍ଗ ସୁନ୍ଦର କରାଗଲା । ଯେଉଁଠାରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ହେବ, ସେଠାରେ ମହାନଗରକୁ ସଫା ସୁତୁରା ତଥା ପରିସ୍କାର ତ କରିବାକୁ ହେବ । ହେଲେ ଏହି ମଉକାରେ ରିୟୋରେ ଥିବା ବସ୍ତିମାନଙ୍କୁ ମଧ୍ୟ ପୁରାପୁରି ଧ୍ୱଂସ କରିଦିଆଗଲା । ଯେଉଁମାନେ ବସ୍ତି ଧ୍ୱଂସ କରିବାକୁ ଯାଇଥିଲେ, ସେମାନେ ସେଠାକାର ବସ୍ତି ଗୁଡ଼ିକରେ ଅଳିଆରୁ ଖାଦ୍ୟ ସଂଗ୍ରହ କରୁଥିବା ପିଲାମାନଙ୍କୁ ମଧ୍ୟ ଗୁଳି କରି ସଫା କରିଦେଲେ । ରାସ୍ତାରେ ବୁଲୁଥିବା ବୁଲା କୁକୁରଗୁଡ଼ିକୁ ଯେପରି ଗୁଳି କରି ମାରିଦିଆଯାଏ, ସେହିପରି ମଣିଷ ପିଲାମାନଙ୍କୁ ମଧ୍ୟ ମାରି ସଫା କରିଦିଆଗଲା ।

ଏସବୁ ଆଜି ଛୋଟ ଛୋଟ ଆକାରରେ ଘଟାଯାଉଛି । କିନ୍ତୁ ଆଗାମୀ ୫୦ବର୍ଷ ମଧ୍ୟରେ ଏହିପରି ଘଟଣା ବହୁ ବଡ଼ ଆକାରରେ ଘଟିବ । ଯେଉଁଠାରେ ବିକାଶର ଧାରା ଏଭଳି ନିର୍ମମ ଢଙ୍ଗରେ ଚାଲିପାରୁଛି, ସେଠାକାର ରାଜନୀତି ଓ ପ୍ରଶାସନର ଚରିତ୍ର ସହଜରେ ଅନୁମାନ କରାଯାଇପାରେ । ଏହା କେବଳ ଅନୁମାନର କଥା । ପ୍ରଶାସନ କିପରି ଚାଲିବ ? ରାଜନୀତି କିପରି ଚାଲିବ ? ଗଣତନ୍ତ୍ରର ସ୍ଥିତି ହେବ ? ଏ ପ୍ରଶ୍ନ ସବୁ ପଚାରିବ କିଏ ? କହିବା ବାହୁଲ୍ୟ ଯେ, ହିଭଳି ବିକାଶ ପ୍ରକ୍ରିୟାରେ ଗଣତନ୍ତ୍ରର କୌଣସି ଭବିଷ୍ୟତ ନଥାଏ । ତେଣୁ ଅନ୍ୟ ପ୍ରକାରର ଶାସନ ପଦ୍ଧତିକୁ ହୁଏତ ଗଣତନ୍ତ୍ରର ନାମ ଦେଇ ଦିଆଯାଇପାରେ ।

ଆଧୁନିକ ସଭ୍ୟତାରେ ଯେତେ ସବୁ ଶିଳ୍ପ ଉଦ୍ୟୋଗ ଚାଲିଛି, ତାହା ମୌଳିକ ଆଧାର ହେଉଛି ଖଣି ଭିତରେ ଥିବା କଞ୍ଚାମାଲ, ଯାହାକି ଭୂଗର୍ଭରୁ ବାହାରିଥାଏ । ଏବେ ବୈଜ୍ଞାନିକମାନେ ସେମାନଙ୍କ ଗବେଷଣାଲବ୍ଧ ଜ୍ଞାନରୁ ଯେଉଁ ସୂଚନା ପାଇଛନ୍ତି, ସେଥିରୁ ଏକଥା ସ୍ପଷ୍ଟ ହୋଇଯାଇଛି ଯେ, ଯେଉଁ ପେଟ୍ରୋଲ, କୋଇଲା, ୟୁରାନିୟମ, ଲୁହା ଆଦି ଖଣିଜ ଦ୍ରବ୍ୟ ମହଜୁଦ୍ ଅଛି, ତାହା ଶେଷ ହେବା ପାଇଁ ୫୦ବର୍ଷରୁ ଅଧିକ ସମୟ ଲାଗିବ ନାହିଁ । ଭାବି ନିଆଯାଉ ଯେ ଦୁଇଶହ ବର୍ଷ ଲାଗିବ । ଏହାଠାରୁ ଆଉ ଅଧିକ ଦିନ ଚାଲିବା ଭଳି ତ ଭଣ୍ଡାର ନାହିଁ । ଏହି ଭଣ୍ଡାର ଶେଷ ହୋଇଯିବା ପୂର୍ବରୁ ହିଁ ଏଠାରେ ଥିବା ଖଣିଜ ଦ୍ରବ୍ୟର ଅଭାବ ଅନୁଭୂତ ହେବ । ଯଦି ଜନସଂଖ୍ୟାର ଅଭିବୃଦ୍ଧିକୁ ନଜରରେ ରଖି ଜଣେ ଖଣିଜ ଦ୍ରବ୍ୟକୁ ହିସାବ କରେ, ତେବେ ଦେଖାଯିବ ଯେ ୨୦୨୦ ମସିହା ପରେ ବିକାଶର ଦର ଆପେ ଆପେ କମ ହୋଇଯାଇଥିବ । ଫଳରେ ପାଶ୍ଚାତ୍ୟ-ବିକାଶ ପଦ୍ଧତି ଶିଳ୍ପ ସଭ୍ୟତା ତିଷ୍ଠି ରହିବା ଅସମ୍ଭବ ହୋଇପଡ଼ିବ ।

ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ୨୦୩୦ରୁ ୨୦୫୦ ମସିହା ପରେ ଏହି ଶିଳ୍ପ ସଭ୍ୟତା ତିଷ୍ଠିପାରିବ ନାହିଁ । ସେତେବେଳେ ବିଶ୍ୱର ସବୁ ଲୋକଙ୍କୁ ଖାଦ୍ୟ ଯୋଗାଇବା ପରି ଧାନଚାଉଳ ଉତ୍ପାଦନ କରାଯାଇପାରିବ ? ସଂଖ୍ୟାର ହିସାବରେ କେହି ଏହାର ସକାରାତ୍ମକ ଉତ୍ତର ଦେଇପାରିବେ ନାହିଁ । ଏପରି ସମୟ ଖୁବ୍ ଶୀଘ୍ର ଆସି ପହଞ୍ଚିବ ଯେତେବେଳେ କି ଏହି ପ୍ରଶ୍ନଟି ପଚରାଯିବ ଯେ ଆମେ ପଛକୁ ଫେରୁଛୁ କି ? ଜର୍ମାନୀ, ଆମେରିକା, ବ୍ରିଟେନ୍ ଫ୍ରାନ୍ସର ଲୋକମାନେ ଏକଥା ଚାହିଁବେ ଯେ ସେମାନଙ୍କ ଦେଶର ଆଜିର ଦିନରେ ପ୍ରାପ୍ତ ସମୃଦ୍ଧି କ୍ଷୁର୍ଣ୍ଣ ହୋଇଯାଉ । ସେମାନେ ଚାହିଁବେ ଯେ ସେମାନଙ୍କ ସ୍ଥିତି ଆହୁରି ତଳକୁ ଖସିଯାଉ?

Thursday, July 14, 2016


ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୩


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 





ଆଦିବାସୀମାନଙ୍କର ବୁଦ୍ଧି ଏତେ ପ୍ରଖର ହୋଇନଥିବାରୁ ରାଜତନ୍ତ୍ର ବିକାଶତନ୍ତ୍ର ସେମାନଙ୍କୁ ସବୁକଥାରେ ହତୋତ୍ସାହିତ କରିବାରେ ସଫଳ ହୋଇଯାଏ। ସେମାନେ ଛନ୍ଦକପଟ କଥା କମ୍ ବୁଝନ୍ତି। ସେମାନଙ୍କ ମନରେ ଏପରି ଶଙ୍କା ମଧ୍ୟ ଥାଏ ଯେ ସେମାନେ ସେମାନଙ୍କ କାର୍ଯ୍ୟ ବା ଆଚରଣ ଦ୍ୱାରା ରାଷ୍ଟ୍ରର ବିକାଶରେ ବା ଅନ୍ୟ ବର୍ଗର ବିକାଶରେ ବାଧା ଦେଉ ନାହାନ୍ତି ତ !

ଏହି ପୁଞ୍ଜିବାଦୀ ବିକାଶ ରୂପୀ ରାକ୍ଷସ ବଡ଼ ମାୟାବୀ । ସେ ଏଭଳି ଚାଲାକିରେ ହସି ହସି ଲୋକଙ୍କୁ ବିଷ ଦିଏ ଯେ ଲୋକଙ୍କୁ ଲାଗେ ଯେମିତି ତାଙ୍କୁ ଅମୃତ ମିଳୁଛି। ସିଏ ଯେତେବେଳେ ଶୂଳୀରେ ଚଢ଼ାଏ ଲୋକଙ୍କୁ ଲାଗେ ଯେମିତି ସିଏ ଜୀବନ ଦାନ କରୁଛି । ଯେଉଁମାନେ ସବୁ ଏହି ବିକାଶ ପାଇଁ ବାସହରା ହୁଅନ୍ତି ସେମାନେ ସବୁ କୁଆଡ଼େ ଯାଆନ୍ତି ତାହା ହିସାବ ମିଳେନା । ଏଥିରେ ଜଣେ ବ୍ୟକ୍ତି ହୁଏତ ଧନୀ ହୋଇଯାଇପାରେ, କିନ୍ତୁ ଦଶ ଜଣ ବ୍ୟକ୍ତି ବାସ୍ତୁହରା ହୋଇ କାଙ୍ଗାଳ ହୋଇଯାଆନ୍ତି । ଯେଉଁ ଅଞ୍ଚଳରେ ଏପରି ଘଟଣା ଘଟେ ସେ ଅଞ୍ଚଳର ପଛୁଆପଣ ବଢ଼ି ବଢ଼ି ଯାଏ। ରାଉରକେଲାରେ ଯେଉଁମାନଙ୍କୁ ବାସ୍ତୁହରା କରିଦିଆଗଲା, ସେମାନେ ସବୁ ଜଙ୍ଗଲର ଆଭ୍ୟନ୍ତରକୁ ଚାଲିଗଲେ । ସେହିପରି କୋଇଲାଖଣିକୁ ଚଳାଇବା ବାଲା ସମସ୍ତେ ବାହାରୁ ଆସିଲେ । ସ୍ଥାନୀୟ ଲୋକମାନଙ୍କୁ ଦଳି ଦିଆଯାଏ । ସେମାନଙ୍କର ରେକର୍ଡ଼ ବା ଇତିହାସ କିଛି ଲେଖା ହୋଇ ରହେନା । କେବଳ ବିକାଶର ଜୟ ଜୟକାର ଚାଲେ ।

ରାଷ୍ଟ୍ରୀୟତାର ଅବଧାରଣା ହେଉଛି ଯେ ଯିଏ ଯେଉଁଠାରେ ଜନ୍ମଗ୍ରହଣ କରେ, ସେହି ସ୍ଥାନ ଉପରେ ତା’ର ସମ୍ପୂର୍ଣ୍ଣ ଅଧିକାର ଥାଏ । ଯଦି ଭାରତ ଉପରେ ଭାରତୀୟମାନଙ୍କର ଅଧିକାର ଅଛି, ତେବେ କାଶ୍ମୀର ଉପରେ କାଶ୍ମୀରବାସୀଙ୍କର ଅଧିକାର ରହିବା ଉଚିତ । ସିଙ୍ଗ୍ରୋଲିରେ ଝାଡ଼ଖଣ୍ଡରେ, ନର୍ମଦା ଘାଟିରେ ଥିବା ଜଙ୍ଗଲ ଉପରେ ସେଠାକାର ବନବାସୀମାନଙ୍କର ଆତ୍ମନିର୍ଣ୍ଣୟର ଅଧିକାର ରହିବା କଥା। ଛୋଟନାଗପୁରରେ ପ୍ରଚୁର ଖଣିଜଦ୍ରବ୍ୟ ରହିଛି । ତାହା ଉପରେ ସେଠାକାର ମୂଳ ଆଦିବାସୀଙ୍କର ଅଧିକାର ରହିବା ଉଚିତ । ସେଠାକାର ଖଣିଜ ଦ୍ରବ୍ୟର ବ୍ୟବହାର ସ୍ଥାନୀୟ ଆଦିବାସୀମାନଙ୍କର ଅନୁମତି ନିୟମ ମୁତାବକ ହେବା ଆବଶ୍ୟକ। ସିଙ୍ଗ୍ରୋଲିର କୋଇଲାକୁ ସ୍ଥାନୀୟ ଲୋକଙ୍କର ବିନା ଅନୁମତିରେ ବ୍ୟବହାର କରାଯିବା ସାମ୍ରାଜ୍ୟବାଦ ଅଟେ । କୌଣସି ଏକ ସ୍ଥାନରେ ଥିବା ସମ୍ପତ୍ତିକୁ ଚାଲାକ ଲୋକମାନେ ନିଜ ସୁବିଧା ପାଇଁ ନିଜ ଅକ୍ତିଆରକୁ ନେଇ ନିଅନ୍ତି ଆଉ ସ୍ଥାନୀୟ ଲୋକେ କାଙ୍ଗାଳ ହୋଇଯାଆନ୍ତି । ଅବଶ୍ୟ ବିସ୍ଥାପିତ ପରିବାରଗୁଡ଼ିକର କେତେଜଣ ସଦସ୍ୟଙ୍କୁ କିଛି କିଛି କାମ ଦେବାର ଔପଚାରିକତା ଦେଖାଇ ଦିଆଯାଏ । କିନ୍ତୁ ବାସ୍ତବରେ ଯାହା ହୁଏ ତାହା ହେଉଛି ବାହାରୁ ଆସିଥିବା ଲୋକେ ମାଲିକ ହୋଇଯାନ୍ତି ଓ ସ୍ଥାନୀୟ ଲୋକେ ପିଅନ ବା ଚପରାସୀ ହିଁ ହୁଅନ୍ତି ।

ଏହି ଅଞ୍ଚଳକୁ ଦେଖାଇ କୁହାଯାଏ ଯେ ଏହା ହେଉଛି ଆଧୁନିକ ବିକାଶର ମନ୍ଦିର ବା ତୀର୍ଥସ୍ଥାନ। ଏକଥା ନେହେରୁ ନିଜେ କହିଥିଲେ । ଗୋଟିଏ ସ୍ଥାନରେ ରହୁଥିବା ଜନବସତିକୁ ଭାଙ୍ଗିରୁଜି ନିର୍ମାଣ କରାଯାଇଥିବା ନୂତନ ଢାଞ୍ଚାକୁ କୁହାଗଲା ତୀର୍ଥସ୍ଥାନ, ମନ୍ଦିର । ଆଧୁନିକତାର ତୀର୍ଥସ୍ଥଳଠାରୁ ଅଧିକ ମାୟାବୀ ଆଉ କ’ଣ ହୋଇପାରେ ? ଏହି ହେଉଚି ବିଶ୍ୱବ୍ୟବସ୍ଥା ଓ ଏହି ହେଉଛି ବିକାଶ । ମୃତ୍ୟୁକୁ ଅମୃତର ସଂଜ୍ଞା ଦିଆଯାଉଛି। ସମାଜର ମୁଖପାତ୍ର ସାଜିଥିବା ଶିକ୍ଷିତ ଲୋକେ କହନ୍ତି ଯେ, ସିଙ୍ଗ୍ରୋଲି ହେଉଛି ତୀର୍ଥସ୍ଥଳ । ଯେତେବେଳେ ସେମାନେ ପ୍ରମାଣପତ୍ର ଦେଉଛନ୍ତି, ପାଠଶାଠ ପଢ଼ିନଥିବା ଜନତା ଏହାକୁ ଆଉ ବିନାଶ ବୋଲି କିପରି କହିବ ?

ତେବେ ଭାରତ ପରି ଦେଶରେ ଯେଉଁ ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀ ଅଛନ୍ତି, ସେମାନଙ୍କ ମଧ୍ୟରେ ବିନାଶକୁ ବିକାଶ ବୋଲି ମନେ କରୁନଥିବା ଲୋକ ମଧ୍ୟ ଅଛନ୍ତି । ଯଦି ବୁଦ୍ଧିଜୀବୀ ଗୋଷ୍ଠୀର ଏକ ଅଂଶ ଦୃଢ଼ ଭାବରେ ଏପରି ବିକାଶକୁ ଅସ୍ୱୀକାର କରିବ ତେବେ ଅନ୍ୟମାନେ ମଧ୍ୟ ଏହାକୁ ଖରାପ କହିବା ଆରମ୍ଭ କରିବେ। ଯଦି ସମସ୍ତେ ଏହାକୁ ଖରାପ କହିବା ଆରମ୍ଭ କରିବେ ତାହା ହେଲେ ଏହାକୁ ବଦଳା ଯାଇ ପାରିବ। ଅସ୍ତ୍ରଶସ୍ତ୍ର, ବୋମା, ସତ୍ୟାଗ୍ରହ ଏସବୁର ଦାୟିତ୍ୱ ନେବ ସମୟ। ମଣିଷର ବୁଦ୍ଧି, ବିବେକ, ହୃଦୟ ତଥା ମସ୍ତିଷ୍କ ଯଦି ସତ କହିବା ଆରମ୍ଭ କରିବ, ତାହା ହେଲେ ଅନ୍ୟ କାର୍ଯ୍ୟଟି ସମୟ ତଥା ଇତିହାସ କରିଦେବ। ବୁଦ୍ଧିଜୀବୀମାନଙ୍କର କାର୍ଯ୍ୟ ହେଉଛି ସତ୍ୟକୁ ପ୍ରକାଶ କରାଇବା । ବାକି କାର୍ଯ୍ୟ ଇତିହାସ କରିବ । ଯେଉଁଠାରେ ବୁଦ୍ଧିଜୀବୀମାନେ ସତ୍ୟକୁ ଉଦ୍ଘାଟନ କରିପାରନ୍ତି ନାହିଁ, ସେଇଠି ଇତିହାସ ମଧ୍ୟ ଅଟକି ଯାଏ ।

Wednesday, July 13, 2016

ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୨


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ବିକାଶର କେବଳ ଗୋଟିଏ ନୁହେଁ; ଏହାର ବହୁ ରୂପ ଆମେ ଆଜିପର୍ଯ୍ୟନ୍ତ ଦେଖି ସାରିଲେଣି। ଏହି ତଥାକଥିତ ବିକାଶ ଯୋଜନାଗୁଡ଼ିକ ବଡ଼ ବଡ଼ ବନ୍ଧ ନିର୍ମାଣ ଯୋଗୁଁ ଲୋକଙ୍କୁ ଆଖିବୁଜି ବିସ୍ଥାପିତ କରିବାଟା ମଧ୍ୟ ଏହାର ଏକ ସ୍ୱରୂପ। ଏକ ମୋଟାମୋଟି ହିସାବରୁ ଜଣାପଡ଼ିଛି ଯେ ଭାରତରେ ହିପରି ଭାବରେ ଅଢ଼େଇରୁ ତିନିକୋଟି ପର୍ଯ୍ୟନ୍ତ ଲୋକ ବିସ୍ଥାପିତ ହୋଇସାରିଲେଣି । ଏମାନେ ସବୁ କୁଆଡ଼େ ଗଲେ, କେଉଁଠି ରହିଲେ ଓ କ’ଣ କରୁଛନ୍ତି ତାହା ଚିନ୍ତା ଏହି ବିକାଶର କର୍ଣ୍ଣଧାରମାନଙ୍କୁ ପ୍ରଭାବିତ କରୁଥିବା ପରି ମୋଟେ ଦେଖାଯାଉ ନାହିଁ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ବିସ୍ଥାପିତ ହେଉଥିବା ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ ଦୁର୍ବଳ ଶ୍ରେଣୀର ଲୋକ। ଯେଉଁମାନେ କି ଏହା ବିରୁଦ୍ଧରେ ବେଶୀ କିଛି କହି ବି ପାରନ୍ତିନି। ମେଧା ପାଟେକର ଙ୍କ ପରି ନେତୃତ୍ୱ ତ ଆଉ ସବୁ ଜାଗାରେ ମିଳେ ନାହିଁ। ଏହା କେଉଁଠି କେଉଁଠି ହୁଏତ ମିଳିଯାଏ।

ସ୍ୱାଧୀନ ଭାରତରେ ଏଯାବତ୍ ଯେତେଗୁଡ଼ିଏ ବଡ଼ ବଡ଼ ଯୋଜନା ହୋଇଛି ସେଥିରୁ କେଉଁ ଗୋଟିକରେ ବି ଆଦିବାସୀମାନଙ୍କର ସାମହିକ କଲ୍ୟାଣ ହୋଇନାହିଁ। ଏହା ଏକ ନିଷ୍ଠୁର ବିଡ଼ମ୍ବନା ଯେ, ଆଦିବାସୀ ଅଞ୍ଚଳରେ ଯେତେବେଳେ କୌଣସି କଲ୍ୟାଣକାରୀ କାର୍ଯ୍ୟ କରାଯାଉଛି, ସେତେବେଳେ ପ୍ରଥମେ ସେ ଅଞ୍ଚଳର ଆଦିବାସୀମାନଙ୍କୁ ସେଠାରୁ ହଟାଇ ଦିଆଯାଉଛି। ଅର୍ଥାତ, ଆଦିବାସୀମାନଙ୍କର ବିନାଶ କରିବା ଆଧୁନିକ ବିକାଶଧାରାର ଏକ ସର୍ତ୍ତ ହୋଇଯାଇଛି। ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇ ଦେଶରେ ଯେଉଁ ଯୋଜନାଗୁଡ଼ିକ ହୋଇଛି ତାହାକୁ ସମୀକ୍ଷା କଲେ ଏହି କଥାଟି ସ୍ପଷ୍ଟ ହୋଇଯାଉଛି। ନର୍ମଦା ପରିଯୋଜନାରେ ବିସ୍ଥାପିତ ଆଦିବାସୀ ତଥା ବନବାସୀଙ୍କ ପକ୍ଷରୁ ଚାଲିଥିବା ସଙ୍ଘର୍ଷ ପ୍ରଥମ ନୁହେଁ। ତେବେ ଏହା ହେଉଛି ପ୍ରଥମ ଙ୍ର୍ଷ ଯାହା ଆଡ଼କୁ ରାଷ୍ଟ୍ର ତଥା ବିଶ୍ୱର ଧ୍ୟାନ ଆକୃଷ୍ଟ ହେଲା। ନର୍ମଦା ବନ୍ଧ ଯେତେବେଳେ ସମ୍ପୂର୍ଣ୍ଣ ହୋଇଯିବ ସେତେବେଳେ କେତେଗୁଡ଼ିଏ ରାଜ୍ୟରେ ଥିବା ବିସ୍ତୃତ ଆଦିବାସୀ ଅଞ୍ଚଳ ଜଳମଗ୍ନ ହୋଇଯିବ । ଏହାକୁ ନେଇ ନର୍ମଦା ବଞ୍ଚାଅ ଆନ୍ଦୋଳନ ଦେଶବ୍ୟାପୀ ଚେତନା ସୃଷ୍ଟି କରିବା ସହିତ ବିସ୍ଥାପନ ଉପରେ ଚର୍ଚ୍ଚା କରାଯିବାରେ ଏକ ବାତାବରଣ ସୃଷ୍ଟି ହୋଇପାରିଛି। କିନ୍ତୁ ଏହାକୁ ଦେଖି ଆମେ କହିପାରିବା ନାହିଁ ଯେ ଆଦିବାସୀମାନଙ୍କର ସୁରକ୍ଷା ପାଇଁ ସାରା ଦେଶରେ ଏକ ଅନୁକୂଳ ବାତାବରଣ ତିଆରି ହୋଇଗଲାଣି। କାରଣ ଭାରତର ଅଧିକାଂଶ ଶିକ୍ଷିତ ନାଗରିକ ଆଦିବାସୀ ବିରୋଧୀ ।

ରୋଜା ଲକ୍ସଜେମ୍ବର୍ଗ ଙ୍କର ଏହି କଥାଟି ପ୍ରତି ଏପର୍ଯ୍ୟନ୍ତ କୌଣସି ବୁଦ୍ଧିଜୀବୀଙ୍କର ଧ୍ୟାନ ଯାଇନାହିଁ ଯେ ପୁଞ୍ଜିବାଦୀ ବ୍ୟବସ୍ଥାକୁ ବଞ୍ଚାଇ ରଖିବା ପାଇଁ ସବୁବେଳେ ଏକ ପ୍ରାକ୍-ପୁଞ୍ଜିବାଦୀ ଆର୍ଥିକ କ୍ଷେତ୍ର ନିର୍ମାଣର ଆବଶ୍ୟକତା ଥାଏ, ଯେଉଁଠାରୁ ପୋଷଙ୍ଗ୍ରହ କରି ପୁଞ୍ଜିବାଦ ସବଳ ହୋଇଥାଏ। ଭାରତ ପରି ଏକ ବିକାଶଶୀଳ ଦେଶରେ ଆମେ ଏକଥା ସ୍ପଷ୍ଟ ଦେଖିପାରିବା ଯେ ଦେଶର ଗୋଟିଏ ଭାଗକୁ ବିକଶିତ କରିବା ପାଇଁ ଅନ୍ୟ କେତେକ ଅଞ୍ଚଳକୁ ଠିକ୍ ସେହିପରି ଶୋଷଣ କରାଯାଉଛି, ଯେପରିକି ସାମ୍ରାଜ୍ୟବାଦୀ ଦେଶମାନେ ସେମାନଙ୍କ ଉପନିବେଶଗୁଡ଼ିକୁ ପଦଦଳିତ କରି ତାଙ୍କୁ ଶୋଷଣ କରୁଥିଲେ। ଶୋଷଣ କରିବା ପାଇଁ ସବୁବେଳେ ସେହି ଅଞ୍ଚଳକୁ ଚିହ୍ନଟ କରାଯାଏ ଯେଉଁଠାରେ ଆଦିବାସୀ ବା ସେହିପରି ସମ୍ପ୍ରଦାୟର ଲୋକ ରହିଥାଆନ୍ତି। ଆଉ ସେହି ସବୁ ଅଞ୍ଚଳର ବିକାଶ କରାଯାଏ ଯେଉଁ ସବୁ ଅଞ୍ଚଳରେ ସମ୍ଭ୍ରାନ୍ତବର୍ଗ ବା ଜାତିର ଲୋକ ରହନ୍ତି ବା ଭବିଷ୍ୟତରେ ଆସି ରହିବେ। ଏହି ନିୟମର ବ୍ୟତିକ୍ରମ ହୁଏତ କେଉଁଠି କେମିତି ହେଉଥିବ କିନ୍ତୁ ତାକୁ ଖୋଜି ପାଇବାଟା ଏକ ଦୂରୁହ ବ୍ୟାପାର।


ଆଦିବାସୀଙ୍କ ବିଷୟରେ ଗୋଟିଏ କଥା ଜାଣିବା ନିହାତି ଜରୁରୀ। ଯେଉଁ ଗୋଷ୍ଠୀ ବା ସମୂହଙ୍କୁ ରାଜତନ୍ତ୍ର ବିକାଶତନ୍ତ୍ରର ଅତ୍ୟାଚାରର ମୁକାବିଲା କରିବାକୁ ପଡ଼ିଥାଏ ସେମାନଙ୍କ ମଧ୍ୟରେ ସବୁଠାରୁ ଦୁର୍ବଳ ଗୋଷ୍ଠୀ ହେଉଛନ୍ତି ଆଦିବାସୀ । ହରିଜନଙ୍କ ପରି ସେମାନଙ୍କୁ ଅପମାନିତ ହେବାକୁ ପଡ଼େ ନାହିଁ ତଥାପି ହରିଜନଙ୍କ ତୁଳନାରେ ସେମାନେ ଅଧିକ ଦୁର୍ବଳ। ବିଶେଷକରି ଯେତେବେଳେ ଆଦିବାସୀମାନଙ୍କୁ ଅଣଆଦିବାସୀଙ୍କ ଭିତରେ ବା ପାଖାପାଖି ସଂଖ୍ୟାଲଘୁ ହୋଇ ରହିବାକୁ ହୋଇଥାଏ, ସେଠାରେ ତ ସେମାନେ ପୁରାପୁରି ଦୁର୍ବଳ ହୋଇଥାଆନ୍ତି। ଝାଡ଼ଖଣ୍ଡ ଆନ୍ଦୋଳନର ବାହାରେ ଆଉ କେଉଁଠାରେ ମଧ୍ୟ ସେମାନଙ୍କର ପ୍ରତିରୋଧ-ଶକ୍ତି ଦୃଷ୍ଟିରେ ପଡ଼ୁନାହିଁ। ତେଣୁ ସେମାନଙ୍କ ଜୀବନ ସହିତ ଖେଳିବା ଭାରି ସହଜ ହୁଏ।

Tuesday, July 12, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୦



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସ୍ୱର୍ଗଭୋଗ ନୁହେଁ ନିତ୍ୟ, ଜାଣଇ ମୁଁ ଭଲେ 
ଲଭଇ ମାନବ ଯାହା ନିଜ କର୍ମଫଳେ ।

ବ୍ରହ୍ମପଦ ନିତ୍ୟ ସତ୍ୟ ସୁଧ୍ରୁବ ଶାଶ୍ୱତ
ନୁହେଁ ସେ ଅଧ୍ରୁବ କର୍ମ ସାଧନେ ପ୍ରାପତ ।

ନଚିକେତା ଅଗ୍ନି ଯେ ମୁଁ କଲି ଆରାଧନା 
ଇଷ୍ଟକ ବେଦୀରେ କରି ସାଦରେ ସ୍ଥାପନା ।

ବହୁତ ଅନିତ୍ୟ ଦ୍ରବ୍ୟ ଦେଇ ଉପହାର
ମିଳିଛି ସେ ଫଳେ ମତେ ଯମ ଅଧିକାର ।

ମର୍ତ୍ତ୍ୟଭୋଗ ତୁଳନାରେ ଚିର ଯମପଦ 
ଯଥାର୍ଥ ନୁହେଁ ଏ ନିତ୍ୟ ଶାସ୍ୱତ ସମ୍ପଦ । (ନ.ଉ. ୧।୨।୧୨) 

ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ବର୍ତ୍ତମାନ ଭିତରେ ଭବିଷ୍ୟତ ସଂକ୍ରାନ୍ତୀୟ କେତେ ସଙ୍କେତ ସବୁବେଳେ ଲୁଚି ରହିଥାଏ। ଅଧିକାଂଶ ସମୟରେ ଆମେ ଏହାକୁ ଠିକ ଭାବରେ ଚିହ୍ନିପାରି ନଥାଉ। ହେଲେ ଆମେ ସତର୍କତାର ସହିତ ଲକ୍ଷ୍ୟ କଲେ ଏହାକୁ ଚିହ୍ନି ପାରିବାରେ ସେପରି ବେଶୀ କିଛି ସମସ୍ୟା ହେବନାହିଁ। ଯଦି ଆମେ ବିଶ୍ୱରେ ଚାଲିଥିବା ପ୍ରଗତି ଓ ମନୁଷ୍ୟ ଜାତିର ସଙ୍କଟ ସମ୍ବନ୍ଧିତ ଘଟଣାଗୁଡ଼ିକୁ ଦେଖିବା ତେବେ ଏକ ଭବିଷ୍ୟବାଣୀ ମଧ୍ୟ ଦେଇପାରିବା ଯେ ଆଗାମୀ ପଚାଶ ବର୍ଷ ମଧ୍ୟରେ ପୃଥିବୀରେ ଏକ ବହୁତ ବଡ଼ ଧରଣର ପରିବର୍ତ୍ତନ ସଙ୍ଗଠିତ ହେବାକୁ ଯାଉଛି। ବହୁ ଅସମ୍ଭବ ଘଟଣାମାନ ଘଟିପାରେ। ଏଥିରୁ ଗୋଟିଏ ଘଟଣା ହେଉଛି ଯେ ଭାରତ ବା ଏସିଆ, ଆଫ୍ରିକା ଲାଟିନ୍ ଆମେରିକାର ଅନ୍ୟାନ୍ୟ ଦେଶଗୁଡ଼ିକରେ ଅଦ୍ଭୁତପୂର୍ଣ୍ଣ ଗଣହତ୍ୟା ସଙ୍ଗଠିତ ହେବ। ଏହି ଗଣହତ୍ୟା ଗୁଳିଗୋଳା ବିନିମୟ ବା ରାସାୟନିକ ଅସ୍ତ୍ରର ପ୍ରୟୋଗ ଯୋଗୁଁ ହେବନାହିଁ, ବରଂ ଏହା ବିକାଶ କରିବା ତଥା ବିକଶିତ ହେବା କଥାକୁ ନେଇ ଘଟିବ। କାରଣ ସେକଥା ନହେଲେ ବିକାଶ ସମ୍ପ୍ରତି ଆଉ ଆଗକୁ ଯାଇପାରିବ ନାହିଁ।

ଆମେ ୧୯୮୪ରେ କଳାହାଣ୍ଡିକୁ ଦେଖିଲୁ। ବର୍ତ୍ତମାନ ଭାରତର ଅତି କମରେ ପାଞ୍ଚୋଟି ବିଶାଳ ଅଞ୍ଚଳ ଅନାହାର କବଳିତ ହୋଇସାରିଛନ୍ତି। ଯେପରିକି ବିହାରର ପଲାମୁ ଅଞ୍ଚଳ । ଯେତେବେଳେ ବି ସେହିସବୁ ଅଞ୍ଚଳର ପାଣିପାଗରେ ସାମାନ୍ୟ ଅନିୟମିତତା ଜନିତ ମରୁଡ଼ି ପରିସ୍ଥିତି ଦେଖାଦିଏ, ସେତେବେଳେ ଅନାହାର ତଥା ପଳାୟନର ଘଟଣାମାନ ଆରମ୍ଭ ହୋଇଯାଏ। ବିହାରରେ ମଧ୍ୟ କେବଳ ପଲାମୁ ଅଞ୍ଚଳ ଭିତରେ ହିଁ ଅନାହାର ମୃତ୍ୟୁ ସମସ୍ୟା ସୀମିତ ହୋଇ ରହିନାହିଁ ବରଂ, ଏକ ବିଶାଳ ଭୂଖଣ୍ଡ ଏହାର କବଳରେ ରହିଛି। ମୂଳକଥା ହେଲା ଯେଉଁ ଅଞ୍ଚଳରେ ଅନାହାର ଓ ଭୋକ ବିଷୟରେ ସମ୍ବେଦନଶୀଳ ଥିବା ଲୋକ ପହଞ୍ଚି ଲୋକଲୋଚନକୁ ଆଣିବା କାର୍ଯ୍ୟ କରନ୍ତି ନାହିଁ, ସେ ପର୍ଯ୍ୟନ୍ତ ସେଠାକାର ଅନାହାର ବିଷୟରେ କେହି କିଛି ଜାଣିପାରି ନଥାନ୍ତି। କେହି ଯଦି ଉଦ୍ୟମ କରିବ ତେବେ ସେ ଅନାହାର କବଳିତ ଅଗଣିତ ଅଞ୍ଚଳ ବିଷୟରେ ଜାଣିପାରିବ ଓ ଜଣାଇପାରିବ।

ଏପରି କାହିଁକି ଘଟୁଛି? ପଲାମୁରେ ହିଁ କାହିଁକି ଅନାହାର ସୃଷ୍ଟି ହେଉଛି? କଳାହାଣ୍ଡି, ବଳାଙ୍ଗିର ଅନ୍ୟ ଜିଲ୍ଲାମାନଙ୍କରେ ଏହି ଅନାହାର କାହିଁକି ଏତେ ପରିମାଣରେ ଦେଖିବାକୁ ମିଳୁଛି? ଚାରିବର୍ଷ ତଳେ ମନମୋହନ ସିଂହ ନରସିଂହ ରାଓଙ୍କର ପ୍ରଥମ ବଜେଟ ଉପସ୍ଥାପିତ ହୋଇଥିଲା। ଏହାପରେ କେନ୍ଦ୍ର ସରକାର ନିର୍ଣ୍ଣୟ ନେଲେ ଯେ, ଯେପର୍ଯ୍ୟନ୍ତ ସରକାରଙ୍କ ସ୍ଥିତି ଉପରେ କୌଣସି ଆଞ୍ଚ ଆସିନାହିଁ, ସେ ପର୍ଯ୍ୟନ୍ତ ଅନାହାର ପ୍ରପୀଡ଼ିତ ଅଞ୍ଚଳର ଭୋକିଲା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ସହାୟତା ପ୍ରଦାନ କରାଯାଉଥିଲା, ତାକୁ କାଣ୍ଟଛାଣ୍ଟ କରାଯିବ। ଦେଶର ପ୍ରଗତି ପାଇଁ ଆର୍ଥିକ ସଞ୍ଚୟ ଦ୍ୱାରା ପୁଞ୍ଜି ସଙ୍ଗ୍ରହ କରିବାକୁ ହେବ। ତେଣୁ କେନ୍ଦ୍ର ସରକାର ପକ୍ଷରୁ ଖର୍ଚ୍ଚକାଟ କରିବାକୁ ହେବ। ସେଥିପାଇଁ ଅନାହାର କ୍ଲିଷ୍ଟ ଅଞ୍ଚଳରେ ଯେତିକି ଅର୍ଥ ଖର୍ଚ୍ଚ ହେଉଥିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ତାକୁ କେଉଁ କାଳରୁ ପ୍ରାୟତଃ ବନ୍ଦ କରିଦିଆଯାଇଛି।

ଦେଶରେ ବହୁ ମରୁଡ଼ିଗ୍ରସ୍ତ ଅଞ୍ଚଳ ଅଛି। ଆପଣମାନେ ଜାଣନ୍ତି, ଜିଲ୍ଲାପାଳ ଜାଣନ୍ତି ମୁଖ୍ୟମନ୍ତ୍ରୀ ମଧ୍ୟ ଜାଣନ୍ତି। କିନ୍ତୁ ଯେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସେ ଅଞ୍ଚଳକୁ ଗସ୍ତ କରିନାହାନ୍ତି, ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ଗୋଟିଏ ପଇସା ବି ସେଠାରେ ଖର୍ଚ୍ଚ ହେବନାହିଁ। କାରଣ ବିକାଶ-ନୀତି ଲାଗୁ କରିବା ପାଇଁ ଖର୍ଚ୍ଚକାଟ କରିବାକୁ ହେବ। ଯେଉଁମାନେ ଆୟକର ଓ ସମ୍ପତ୍ତିକର ଦେଉଛନ୍ତି ସେମାନଙ୍କୁ ତ ଅଧିକରୁ ଅଧିକ ରିହାତି ଦେବାକୁ ହିଁ ହେବ। ସେମାନଙ୍କ କ୍ଷେତ୍ରରେ ଆଉ ପଇସା ବଞ୍ଚାଇବା କଥା ଚିନ୍ତା କରାଯିବାର ଆବଶ୍ୟକତା ନାହିଁ।


ମନେ ରଖିବାକୁ ହେବ ଯେ ଏସବୁ ପଦକ୍ଷେପ ବିନା ବିଚାରରେ କରାଯାଉ ନାହିଁ। ଅନାହାର ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ତଥା ଶିକ୍ଷା ଉପରେ ହେଉଥିବା ଖର୍ଚ୍ଚକୁ କାଟିଦବା କ’ଣ ବିକାଶ ପାଇଁ ଏତେ ଜରୁରୀ? ଏହା ନକରି କ’ଣ ବିକାଶର ରଥକୁ ଆଗକୁ ନେଇହେବ ନାହିଁ? ସାହୁକାର ସାଜିଥିବା ଦେଶ ଏବଂ ଆମକୁ ବିକାଶର ମାର୍ଗ ବତାଉଥିବା ଅନ୍ତଃରାଷ୍ଟ୍ରୀୟ ସଂସ୍ଥାମାନଙ୍କର କ’ଣ ଏଇଆ ଉପଦେଶ ଯେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଖର୍ଚ୍ଚକୁ କମ୍ କର?

Monday, July 11, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୧ ଯମକ ବଗ୍ଗ 




ଅସାରେ ସାରମତିନୋ ସାରେ ଚାସାରଦସ୍ୱିନୋ 
ତେ ସାରଂ‌ ନାଧିଗଚ୍ଛନ୍ତି ମିଥ୍ୟାସଂକଳ୍ପଗୋଚରାଃ । 

ଅସାର ବସ୍ତୁକୁ ଯିଏ ମଣେ ସାର ବୋଲି  
ସାର ବସ୍ତୁକୁ ପୁଣି ଦେଖେ ଅସାର ଭଳି ।

ମିଥ୍ୟା ସଂକଳ୍ପରେ ସେହୁ ବଶୀଭୂତ ହୋଇ 
ସାର ବସ୍ତୁକୁ କଦାପି ନ ପାଇ ପାରଇ ।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୯



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଆତ୍ମତତ୍ତ୍ୱ ଲାଭେ ତବ ବଳିଛି ଯେ ମତି 
ନୁହଇ କେବଳ ତର୍କେ ଏହାର ତୃପତି ।

ବ୍ରହ୍ମ ଆତ୍ମା ବେନି ମଧ୍ୟେ ନାହିଁ ଭେଦାଭେଦ 
ଯେ ଆଚାର୍ଯ୍ୟ ଜାଣନ୍ତି ଏ ଗୁଢ଼ ସାର ବେଦ ।

ତାଙ୍କ ଉପଦେଶେ ପୁରେ ଏହି ଅଭିଳାଷ 
ପୂର୍ଣ୍ଣ ଆତ୍ମଜ୍ଞାନ ଯେବେ ଅନ୍ତରେ ପ୍ରକାଶ ।

ପ୍ରିୟତମ ଧନ୍ୟ ତୁମ୍ଭେ, ଧନ୍ୟ ସତ୍ୟ ଧୃତି 
ନାନାଲୋଭେ ନ ଟଳିଲ, ତୁମ୍ଭେ ଏକା କୃତି ।

ନଚିକେତ ! ତୁମ୍ଭ ପରି ତତ୍ତ୍ୱ-ଅଭିଳାଷେ 
ଶ୍ରଦ୍ଧାବନ୍ତ ଶିଷ୍ୟ ବହୁ ଆସନ୍ତୁ ମୋ ପାଶେ । (ନ.ଉ. ୧।୨। ୧୨)