Wednesday, January 27, 2016

ସାଲବେଗ ଭଜନ - କାଳିଆ ଧନ


ଗାୟକ - ଶ୍ରୀ ରଘୁନାଥ ପାଣିଗ୍ରାହୀ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=2W5iHPm0v3U


ଫଟୋ କ୍ରେଡ଼ିଟ୍ - ୱିକମିଡ଼ିଆ କମନସ୍ 






Tuesday, January 26, 2016

ଉପଦେଶ ସାର ଶ୍ଲୋକ ୨୮, ୨୯ ଏବଂ ୩୦



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୨୮


କି‌ଂ ସ୍ୱରୂପମିତ୍ୟାତ୍ମଦର୍ଶନେ ।
ଅବ୍ୟୟାଭବାପୂର୍ଣ୍ଣ ଚିତ୍ ସୁଖମ୍ ।୨୮।

ପଦଚ୍ଛେଦ


କିଂ ସ୍ୱରୂପମ୍ ଇତି - ମୋର ସ୍ୱରୂପ କଅଣ
ଆତ୍ମ ଦର୍ଶନେ -  ଆତ୍ମଦର୍ଶନ ଦ୍ୱାରା 
ଅବ୍ୟୟ - ଅବ୍ୟୟ 
ଅଭବ - ଜନ୍ମ ରହିତ 
 ଆପୂର୍ଣ୍ଣ ଚିତ୍ ସୁଖମ୍ - ପରିପୂର୍ଣ୍ଣ ଚିତ୍ ସୁଖ  

ପଦ୍ୟାନୁବାଦ 


 କିପରି ସ୍ୱରୂପ ମୋହର
କରିଲେ ଏପରି ବିଚାର ।।
ଚୈତନ୍ୟ ଅଜନ୍ମା ଅବ୍ୟୟ ।
ଆତ୍ମାର ହୁଏ ପରିଚୟ।।
ସୁଖରୂପୀ ଆନନ୍ଦ ପୂର୍ଣ୍ଣ । 
ଆତ୍ମାର ଏପରି ଦର୍ଶନ ।। 

ଶ୍ଲୋକ ୨୯ 


ବନ୍ଧମୁକ୍ତ୍ୟତୀତଂ ପରଂ ସୁଖମ୍  ।
ବୀନ୍ଦତୀହ ଜୀବସ୍ତୁ ଦୈବିକଃ ।୨୯।

ପଦଚ୍ଛେଦ


ବନ୍ଧମୁକ୍ତ୍ୟତୀତଂ - ବନ୍ଧ ଓ ମୋକ୍ଷରୁ ଉର୍ଦ୍ଧ୍ୱରେ  
ପରମ୍ - ସର୍ବଶ୍ରେଷ୍ଠ   
 ସୁଖମ୍ - ସୁଖ
ବୀନ୍ଦତି - ପାଏ
ଇହ - ଏହିଠାରେ 
ଜୀବଃ - ଜୀବ
ତୁ - ବିରଳତାର ସୂଚକ ଶବ୍ଦ 
ଦୈବିକଃ - ଦୈବୀଗୁଣଯୁକ୍ତ 


ପଦ୍ୟାନୁବାଦ   


ଏ ସଂସାରେ ବିରଳ ନର 
ଦୈବିକ ଗୁଣେ ବଳିଆର 
ହୋଇ ଲଭନ୍ତି ଶ୍ରେଷ୍ଠ ସୁଖ 
         ବନ୍ଧନ ମୋକ୍ଷରୁ ଅତୀତ । ୨୯।


ଶ୍ଲୋକ ୩୦


 ଅହମପେତକଂ ନିଜବିଭାନକମ୍ ।
 ମହଦିଦଂ ତପୋ ରମଣ ବାଗିୟମ୍ । ୩୦।

ପଦଚ୍ଛେଦ


                                                             ଅହମ ପେତକମ୍ - ଅହଂକାର ରହିତ 
ନିଜ ବିଭାନକମ୍ - ସ୍ୱପ୍ରକାଶ ରୂପ 
ମହତ୍ - ଶ୍ରେଷ୍ଠ 
ଇଦମ୍ - ଏହି
ତପଃ - ତପସ୍ୟା 
ରମଣବାକ୍ - ରମଣଙ୍କର ବାଣୀ
ଇୟମ୍ 


ପଦ୍ୟାନୁବାଦ 


ଅହଂକାରକୁ ଦୂର କରି ।
ମହତ ତପ ଯେ ଆଚରି ।।
ସ୍ୱପ୍ରକାଶରେ ପ୍ରକଟଇ ।
ରମଣ ମହାୠଷି କହି ।।

Sunday, January 24, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ (ଦ୍ୱିତୀୟ ଅଧ୍ୟାୟ : ଶ୍ଲୋକ ୫୪ - ୫୮)


ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି



ଫଟୋ କ୍ରେଡ଼ିଟ୍ - ୱିକିିମିଡ଼ିଆ କମନସ୍ 

ଅର୍ଜୁନ ଉବାଚ


ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ ।
ସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍ । ୫୪।

ପୁଚ୍ଛିଲ ଫାଲ୍ଗୁନୀ ମୋତେ ବୋଲ ଭଗବାନ । ସ୍ଥିତପ୍ରଜ୍ଞ ଲୋକଙ୍କର କେମନ୍ତ ଲକ୍ଷଣ ।।
କେମନ୍ତ ତାହାଙ୍କ ବାକ୍ୟ ଅବସ୍ଥିତି । ପୁଣି ସେହି ଲୋକଙ୍କର କେଉଁଠାକୁ ଗତି ।୫୪।

ଶ୍ରୀ ଭଗବାନ ଉବାଚ 


ପ୍ରଜହାତି ୟଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ । ୫୫।

ସର୍ବପ୍ରକାର ମନୋଗତ । ବାସନା ତେଜନ୍ତି ଯେ ପାର୍ଥ ।।
ଯା ଆତ୍ମା ନିଜେ ପରିତୁଷ୍ଟ । ସେ ସ୍ଥିତପ୍ରଜ୍ଞରେ ଆକୃଷ୍ଟ । ୫୫।

ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।
ବୀତରାଗଭୟକ୍ରୋଧଃ ସ୍ଥିତିଧୀର୍ମୁନିରୁଚ୍ୟତେ । ୫୬।

ଯେ ନୋହେ ଦୁଃଖରେ କାତର । ସୁଖକୁ ନ କରେ ଆଦର ।।
ଭୟ କ୍ରୋଧରେ ନୁହେ ବଶ । ସେ ସ୍ଥିତପ୍ରଜ୍ଞ ଯେ ଅବଶ୍ୟ । ୫୬।

ଯଃ ସର୍ବତ୍ରାନଭିସ୍ନେହସ୍ତତ୍ତତ୍ ପ୍ରାପ୍ୟ ଶୁଭାଶୁଭଂ ।
ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । ୫୭।

ପୁତ୍ର ମିତ୍ର ଲୋକ ପ୍ରତି ଯେବା ସ୍ନେହହୀନ । କୁଶଳ କଥାରେ ନୁହେ ଆନନ୍ଦିତ ମନ । 
ପ୍ରତିକୁଳ ବିଷୟକୁ ନିନ୍ଦା ଯେ ନ କରେ । ସେହି ଲୋକ ସ୍ଥିତପ୍ରଜ୍ଞ ଜାଣ ପୃଥିବୀରେ । ୫୭।

ୟଦା ସଂହରତେ ଚାୟଂ ଦ୍ଦ୍ୱର୍ମୋଽଙ୍ଗାନୀବ ସର୍ବଶଃ ।
ଇନ୍ଦ୍ରୀୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । ୫୮।

ନିଜ ଅଙ୍ଗକୁ କର୍ମ ଯେହ୍ନେ । ସଙ୍କୋଚ କରେ କ୍ଲେଶ ବିନେ ।।
ତେହ୍ନେ ବିଷୟ ଇନ୍ଦ୍ରିଗଣ । ଯେ ଲୋକ କରେ ସମ୍ବରଣ ।।
ତା ଜ୍ଞାନ ଅଚଳ ହେ ପାର୍ଥ । ସେ ସ୍ଥିତପ୍ରଜ୍ଞରେ ବିଖ୍ୟାତ । ୫୮। 

Saturday, January 23, 2016

ମଧୁସୂଦନ ରାଓ କୃତ ବର୍ଣ୍ଣବୋଧ - ୩


(ଅଷ୍ଟମ ସଂସ୍କରଣ - ୧୯୦୧ ମସିହା)



ୠ କାର 

ପୃଷ୍ଠା ୧୨


ପଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଧଳାବୃଷ ବୁଲୁଅଛି । କଳାମୃଗ ଜଳ ପିଉଅଛି । କୃଷକ ଘରଣୀ ଗୃହ ଲିପୁଅଛି ।  ଗାଈକୁ ତୃଣ ଦିଅ ।

କୃଷିକାରୀ ହିତକାରୀ ଅଟେ ପୃଥିବୀର । 
କୃଷିକରି ପାଳୁଅଛି ମାନବ ଶରୀର ।

ଏ କାର
ପୃଷ୍ଠା ୧୩


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଛେଳିଛୁଆଟିକି ଦେଖ । ମେଷଛୁଆଟିକି ରଖ । ଗାଡ଼ିରେ ଲଗାଅ ଅଖ । ପାକଲାବେଲକୁ ଚାଖ । ନଡ଼ିଆତେଲ ଲଗାଅ । କେଶବର ଲୁଗା ମଗାଅ । ଲେଖାପଢ଼ାରେ ଦିଅ ମନ । ହେଳା ନ କର ଶିଶୁଗଣ । ଖେଳା କର ହେ ପଢ଼ା ସାରି । ଦେଖିବ ଆସ ଶୁଆ ସାରୀ । 

ଐକାର
ପୃଷ୍ଠା - ୧୪

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ମଥାରେ ତୈଳ ଲଗାଅ । ଛେଳି ଶୈଳ ଉପରେ ଚରୁଅଛି । କୈଳାସର ଶୈଶବକାଳରେ ତାହାର ପିତା ମରିଗଲେ । ଭୈରବ ଛତା ଧରିଅଛି । ବୈଶାଖ ମାସେ ବଡ଼ ଖରା । ଅତି ତପତ ହୁଏ ଧରା । 

Friday, January 22, 2016

ସିଂହପୁରରେ ପିଲାଦିନ ଓ ପାଠପଢ଼ା - ୧

(ଶ୍ରୀ ନିଶାକର ଦାସ କୃତ ଆତ୍ମଜୀବନୀ 'ଖରସୁଆଁରୁ କୁଲାବିରି'ରୁ ସଂଗୃହିତ)

ବାଙ୍ଗାଲୋର ନିକଟର ଏକ ଦଳିତ ବିଦ୍ୟାଳୟ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । କୋରାପୁଟର ମାଳ ଅଞ୍ଚଳରେ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ ସମୟ ସେ କାମ କରି ଆସିଛନ୍ତି । ଜାତିରେ ପାଣ ବୈଷ୍ଣବ । ଖରସୁଆଁ ନଇକୂଳ ସିଂହପୁର ଗାଁରେ । ବାପାଙ୍କର ନାମ ଭାଇଗି ଦାସ । ବୋଉଙ୍କର ନାମ ସର ଦେଈ । ବାପା ମାନେ ଥିଲେ ଚାରି ଭାଇ । ମାତ୍ର ଭାଇମାନେ ନିଜ ନିଜ ବିଭାଘରର ଅଳପ ସମୟ ଭିତରେ  ଭାଗ ଭାଗ ହୋଇ ଅଲଗା ରହିବାକୁ ଲାଗିଲେ ।  ନିଶାକର ଆଜ୍ଞାଙ୍କର କୂଳର ବୃତ୍ତିଥିଲା ପୁରୋହିତ କାମ କରିବା । ଜାତି ଭାଇଙ୍କର ଘରେ ବିବାହ ଓ ଶ୍ରାଦ୍ଧାଦି କର୍ମ କରି ବାପା ଓ ଦାଦା ମାନେ କୁଟୁମ୍ବ ପୋଷୁଥିଲେ । ତାହା ଛଡ଼ା ମଜୁରୀ ଲାଗିବା ଉପାର୍ଜନର ଆଉ ଏକ ବାଟ ଥିଲା । ତୁଳସୀ ଗଛରୁ ମାଳି କାଟି ଓ ତାକୁ ରଙ୍ଗ କରି ବିକିରି କରିବା ମଧ୍ୟ ଆୟର ଆଉ ଗୋଟିଏ ବାଟ ଥିଲା ।

ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା ନିମନ୍ତେ ବଡ଼ ଭାଇ (ଦିଜବର ଦାସ), ମଝିଆଁ ଭାଇ (ଭାସ୍କର ଦାସ) ଓ ସାନ ନିଶାକରଙ୍କୁ ଜଣେ ଅବଧାନଙ୍କ ପାଖକୁ ପଠାଇଲେ । ବଡ଼ ନିଜେ ଦାଦାମାନଙ୍କ ଦ୍ୱାରା ଅକ୍ଷର ଜ୍ଞାନ ପ୍ରାପ୍ତ ହୋଇଥିଲେ ଓ କେବଳ ପୋଥି ଓ ଭାଗବତ ଇତ୍ୟାଦି ପଢ଼ିପାରୁଥିଲେ । ମଝିଆଁ ଓ ସାନ ମାତ୍ର ପାଠ ପଢ଼ିଲେ ଅବଧାନଙ୍କ ପାଖରେ । ଅକ୍ଷର ଶିଖିବା ପାଇଁ ନିର୍ଘାତ ମୋଟା ମାଟି ଖଡ଼ିରେ ଭୂଇଁ ଉପରେ ବର୍ଣ୍ଣମାଳାର ଅଭ୍ୟାସ କରିବାକୁ ପଡ଼ୁଥିଲା । ପରେ ଭାଇ ଦୁଇଜଣ ଗାଁର ଇସ୍କୁଲ୍ ରେ ପଢ଼ିବାକୁ ଗଲେ । ସେ ପର୍ଯ୍ୟନ୍ତ ପାଣ କଣ୍ଡରା ସାହିର ପିଲାମାନେ ସାଧାରଣତଃ ବିଦ୍ୟାଧ୍ୟୟନ କରୁନଥିଲେ ।

ବଡ଼ ଭାଇ ଅବଧାନଙ୍କୁ ତାଙ୍କ ପାଉଣା ଦେଉଥିଲେ । ଦୁଇ ବରଷ ଅବଧାନଙ୍କ ପାଖରେ ପଢ଼ି ଇସ୍କୁଲକୁ ଗଲା ବେଳକୁ ବୟସ ଟିକିଏ ଗଡ଼ି ଯାଇଥିଲା । ସେଠାରେ ପାଠ ପଢ଼ା ମାଗଣା ନଥିଲା । ଇସ୍କୁଲ୍ ରେ ମଧ୍ୟ ପାଉଣା ଦେବାକୁ ପଡ଼ୁଥିଲା । ଏହା ଛଡ଼ା ବହି, ଖାତା ଇତ୍ୟାଦିର ଖର୍ଚ୍ଚ ମଧ୍ୟ ଥିଲା । ଦାଦା, ମା ଓ ଭାଇ ମାନେ ନି଼ଜ ନିଜ ଆୟରୁ କିଛି କିଛି ଦେବାରୁ ଦୁଇ ଭାଇଙ୍କର ପାଠ ପଢ଼ା ଖର୍ଚ୍ଚ ଉଠୁଥିଲା । ନିଶାକର ବାବୁ ପିଲା ବେଳେ ବହୁତ ଚଗଲା ଥିଲେ । ମାତ୍ର ଅବଧାନେ ଓ ଇସ୍କୁଲ୍ ର ମାଷ୍ଟର ମାନେ ଛୁଇଁ କରି ତାଙ୍କୁ ବାଡ଼ଉ ନଥିଲେ, ଜାତିଗତ ଭେଦଭାବ ଓ ଅସ୍ପୃଶ୍ୟତା କାରଣରୁ । ନିଶାକର ବାବୁ ଓ ତାଙ୍କ ପରି ଦଳିତ ଜାତିମାନର ଅନ୍ୟ ପାଠପଢ଼ୁଆ ପିଲାମାନେ ସବର୍ଣ୍ଣ ଶ୍ରେ‌ଣୀର ପିଲାଙ୍କଠାରୁ ଅଲଗା ହୋଇ ବସୁଥିଲେ । ଅବଧାନେ ମାଡ଼ ମାରିଲା ବେଳେ ଦଳିତ ଜାତିର ପିଲାଙ୍କୁ ବେତ ଫିଙ୍ଗି ମାରୁଥିଲେ, ଛୁଇଁଲେ ଜାତି ଚାଲିଯିବ, ସେହି ଭୟରେ । ବେତ ଫିଙ୍ଗିଲା ବେଳେ ତାହା ଦଳିତ ପିଲାଙ୍କ ଜାମାରେ ଲାଗିଗଲେ ସେହିଟି ମାରା ହେଇଯାଏ ଓ ତାକୁ ଅଲଗା ରଖିବାକୁ ହୁଏ । କିଛି ସବର୍ଣ୍ଣ ଲୋକ ଦଳିତ ପିଲାଙ୍କର ଛାଇକୁ ମଧ୍ୟ ଡେଇଁ କରିଯାଉଥିଲେ ; କାଳେ ମାରା ହୋଇଯିବେ, ସେହି ଭୟରେ । ଛୁଆଁ ଅଛୁଆଁ ଭାବ ସର୍ବ ବ୍ୟାପି ଥିଲା, ଇସ୍କୁଲ୍ ଓ ଗାଁ ଦାଣ୍ଡରେ ତ ଥିଲା – ଯାନିଯାତ୍ରାରେ ମଧ୍ୟ ଥିଲା । ଦଳିତ ପିଲା ପାଲା, ଯାତ୍ରା ଇତ୍ୟାଦି ଦେଖିବାକୁ ଗଲେ ଦୂରରେ ବସି ଦେଖିବାକୁ ହୁଏ । ନଈ ତୁଠରେ ମଧ୍ୟ ଗାଧୋଇବାରେ ବାରଣ ଥିଲା – ନଦୀର ଉପର ମୁଣ୍ଡରେ ଦଳିତମାନେ ଗାଧୋଇବା ମନାଥିଲା ଏହି ଛୁଆଁ ଅଛୁଆଁ ଭେଦଭାବ କାରଣରୁ । ଏହି ମନୋଭାବ ବିଭିନ୍ନ ଦଳିତ ଜାତି ମଧ୍ୟରେ ବି ଥିଲା - ପାଣ ଜାତିର ଲୋକେ କଣ୍ଡରା ଜାତିର ଲୋକଙ୍କୁ ଛୁଉଁ ନଥିଲେ । କଣ୍ଡରା ଜାତିର ଲୋକେ ଗୋଖା ଜାତିର ଲୋକଙ୍କୁ ଛୁଉଁ ନଥିଲେ ଇତ୍ୟାଦି । 

ସକାଳେ ଭାଇଙ୍କ ସହିତ ଲୁଣ ଲଗାଇ ପଖାଳ ଭାତ ଖାଇ ଇସ୍କୁଲ୍ ଯାଆନ୍ତି ନିଶାକର ବାବୁ । ସେ ପଖାଳରେ ଭାତ କମ ଥାଏ ; ତୋରାଣି ଥାଏ ଅଧିକ । ଇସ୍କୁଲ୍ ରୁ ଅନେକ ସମୟରେ ବଡ଼ ପାସ୍ କହି, ବାହାରକୁ ଯାଇ, ନଇକୁଳରେ ସାଙ୍ଗ ପିଲାମାନଙ୍କ ସହିତ ଖେଳନ୍ତି । ହେଲେ ଡ଼ର ଥାଏ କାଳେ ଭାଇ ବା ଦଦା ମାନଙ୍କ ହାବୁଡ଼େ ପଡ଼ିଯିବେ ବୋଲି । ଚଣା ସମୟରେ ଚଣା ବିଲରୁ ଓପାଡ଼ି ଜଳଖିଆ କାମ ଚଳେ । ସନ୍ଧ୍ୟା ବେଳକୁ ମଝିଆ ଭାଇ ତାଙ୍କର ସିଲଟ ଇତ୍ୟାଦି ନେଇ ଘରକୁ ଆସନ୍ତି । ବେଳେ ବେଳେ ଏଥିସବୁ ଲାଗି ନିଶାକର ବାବୁ ମାଡ଼ ଗାଳି ମଧ୍ୟ ଖାଆନ୍ତି । ସେ ପାଠ ପଢ଼ାରେ ମନ ନ ଦେଇ ଗୀତ ଶିଖିବା, ପାଲା ଦେଖିବା ଇତ୍ୟାଦି କାମରେ ସମୟ ଅତିବାହିତ କରୁଥିଲେ, ହେଲେ ସାତ ବର୍ଷ ବୟସରେ ନିଶାକର ବାବୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଉଠିଯାଇଥିଲେ । ମାତ୍ର ଖାଦ୍ୟ ଓ ଅର୍ଥଭାବରୁ ଶେଷକୁ ପାଠ ପଢ଼ାରେ ଡ଼ୋରି ହନ୍ଧା ହେଲା । 

Thursday, January 21, 2016

ସମ୍ବଲପୁରୀ ପିଲାଙ୍କ ଗୀତ - ଆ'ରେ ଜହ୍ନମାମୁଁ 


କବି - ବିରଞ୍ଚି ମଲ୍ଲିକ

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଆରେ ଜହ୍ନମାମୁଁ ଚାଲିଆ
ବାବୁ ଆମର୍ ସୁନାପିଲା ଖାଇଦେବା ଭାତଦୁରା ।
ସୁନା ଥାଲିଆରେ ରୁପା ଥାଲିଆ ।
ନନାଘରେଁ ଘିନିଦେବେ ରୁପାର୍ ଥାଲି ଗିନା ରେ 
ମାମୁଁ ଘରେ ଆନିଦେବେ ସୁନାମାଲି ସୁନାରେ ।
ପିନ୍ଧିଦେବା ପେଁଟ୍ କୁର୍ତା ଲାଲ୍ ମୁଜା କଲା ଜୋତା 
ଟରୋ ଟରୋ ନର୍ଦିଯିବା ଦେଖିଆ । ୧।

ମାଇଁ ଦେବେ ହୁରୁମ୍ ଲଡୁ ଖଜା ପିଠାପନାରେ ।
ବାବୁ ଆମର୍ ଖାଇଦେବା ତତାପନାରେ 
ସୁରୁମାମୁଁ ବୁହିନେବା ଖନ୍ଦ୍ ଗୁରା କରିଥିବା 
ଦେଖଉଥିବା ଖୁଲିଁ ଛୁଆ ଚଁଟିଆ ।୨।

ଆଜା ଆଇ ଭୁର୍ତ୍ତୌଥିବେ ଦେଖେଇ ଘୁଡ଼ାହାତୀରେ 
କକା କାକୀ ବୁଝଉଥିବେ ଇଟା ସେଟା ଫାଁକିରେ ।
ପିଲାଭିଲିଁ ଖେଲୁଥିବା ଦୁଲିପଟା ଦୁଲୁଥିବା 
ମାଆଁ ବୁଆର୍ ଗେଲହା ପୁଅ କାଲିଆ । ୩।


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ମୂଳ ରଚନା 'ସେନ୍ଦୁର୍ ଫରୁଆ' ସଙ୍କଳନରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।