Saturday, April 18, 2020

ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଙ୍କ ପ୍ରସିଦ୍ଧ ଅଭିଭାଷଣ 'ମୋର ଏକ ସ୍ୱପ୍ନ ଅଛି'

ଅନୁବାଦକ - ଶ୍ରୀମନ୍ତ ମହାନ୍ତି


ଏକ ପ୍ରେସ୍ କନ୍ଫରେନ୍ସ୍‌ରେ ମାର୍ଟିନ ଲୁଥର କିଙ୍ଗ (୧୯୬୪ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ମୁଁ ଆପଣଙ୍କ ସହ ମିଶି ଅତ୍ୟନ୍ତ ଖୁସି । ଆଜିର ଦିନ ଆମ ଜାତିର ଇତିହାସରେ ମୁକ୍ତି ପାଇଁ ମହାନ ଆବେଗ ପ୍ରକାଶର ଦିନ ଭାବେ ଲେଖାଯିବ ।

ଶହେ ବର୍ଷ ତଳେ, ଜଣେ ମହାନ୍ ଆମେରିକୀୟ, ଯାହାଙ୍କର ପ୍ରତୀକାତ୍ମକ ଛାୟା ତଳେ ଆମେ ଆଜି ରୁଣ୍ଢ ହୋଇଛେ, ମୁକ୍ତିର ଘୋଷଣାପତ୍ରରେ ସନ୍ତକ କରିଥିଲେ । ସେହି ମହାନ୍ ଘୋଷଣା, ଅନ୍ୟାୟର ନିଆଁରେ ଜଳି ପୋଡ଼ି ମରୁଥିବା ଲକ୍ଷ ଲକ୍ଷ ନିଗ୍ରୋ ଦାସମାନଙ୍କ ପାଇଁ ବତୀଘର ହୋଇ ଆଶାର ଆଲୋକ ଦେଖାଇ ଥିଲା । ସେମାନଙ୍କର ବନ୍ଧନର ଲମ୍ବା ରାତିକୁ ଭାଙ୍ଗିବା ପାଇଁ ଏହା ଆନନ୍ଦର ସୂର୍ଯ୍ୟାଲୋକ ଭଳି ଆସିଥିଲା ।
ମାତ୍ର ଶହେ ବର୍ଷ ପରେ ମଧ୍ୟ ଆଜି ବି ନିଗ୍ରୋ ମୁକ୍ତ ନୁହେଁ । ନିଗ୍ରୋର ଜୀବନ ଜାତିଗତ ବୈଷମ୍ୟର ବନ୍ଧନରେ । ଏବେ ବି ସେମାନେ ଗୋଡ଼ ହାତ ବାନ୍ଧି ହୋଇ ଦୁଃଖରେ ପଡ଼ି ରହିଛନ୍ତି । ଶହେ ବର୍ଷ ପରେ ମଧ୍ୟ ଭୌତିକ ପ୍ରାଚୁର୍ଯ୍ୟର ବିରାଟ ମହାସାଗରର ମଝିରେ ନିଗ୍ରୋ ଦାରିଦ୍ର୍ୟର ଏକ ନିସଙ୍ଗ ଦ୍ୱିପରେ ଜୀବନ କାଟୁଛି । ଶହେ ବର୍ଷ ପରେ ମଧ୍ୟ ଆମେରିକାର ସମାଜର କୌଣସି ଏକ କୋଣରେ ନିଗ୍ରୋ ଏବେ ବି ଅସହାୟ ହୋଇ ପଡ଼ି ରହିଛି । ନିଜ ମାଟିରେ ସେ ନିଜକୁ ନିର୍ବାସିତ ମନେ କରୁଛି । ସେଥିପାଇଁ ଆମେ ଏଠାକୁ ଆସିଛୁ  –  ଏହି ଲଜ୍ୟାଜନକ ପରିସ୍ଥିତିର ପରିବର୍ତ୍ତନ ପାଇଁ ।

ଯେତେବେଳେ ଆମ ପ୍ରଜାତନ୍ତ୍ରର ନିର୍ମାତାମାନେ ସମ୍ବିଧାନ ଓ ସ୍ୱାଧୀନତାର ଘୋଷଣାପତ୍ରର ମନ୍ତ୍ରମୁଗ୍ଧ ଶବ୍ଦମାନ ଲେଖିଥିଲେ, ସେମାନେ ଏକ ପ୍ରତିଶୃତି ଦେଇ ଯାଇଥିଲେ, ଯାହାର ଦାୟାଦ ହେଉଛନ୍ତି ପ୍ରତ୍ୟେକ ଆମେରିକୀୟ । ଏହି ପ୍ରତିଶୃତି ଥିଲା ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କର ହଁ ଉଭୟ କଳା ଓ ଗୋରା ବ୍ୟକ୍ତିଙ୍କର ଜୀବନ, ସ୍ୱାଧୀନତା ଓ ଆନନ୍ଦରେ ବଞ୍ଚିବାର ଅଧିକାରକୁ ସୁରକ୍ଷିତ ରଖାଯିବ ।

ଆଜି ଏହା ସ୍ପଷ୍ଠ ଯେ, ଆମେରିକା ତାର ନାଗରିକମାନଙ୍କର ବର୍ଣ୍ଣକୁ ନେଇ ଏହି ପ୍ରତିଶୃତିକୁ ରକ୍ଷା କରିପାରି ନାହିଁ । ନିଜେ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବା ବଦଳରେ ଆମେରିକା ନିଗ୍ରୋମାନଙ୍କୁ ଏକ ମିଛ ବ୍ୟାଙ୍କ ଚେକ୍ ଦେଇଛି, ଯାହା ଅର୍ଥାଭାବରୁ ଫେରି ଆସିଛି ।

କିନ୍ତୁ ଆମେ ବିଶ୍ୱାସ କରିବାକୁ ମନା କରିଦେଇଛୁ ଯେ, ନ୍ୟାୟର ବ୍ୟାଙ୍କ ଦେବାଳିଆ ହୋଇଯାଇଛି । ଆମେ ବିଶ୍ୱାସ କରିବାକୁ ମନା କରିଦେଇଛୁ ଯେ, ଏହି ଜାତିର ସୁଯୋଗର ବିରାଟ ଛାତ ତଳେ ଅର୍ଥର ଅଭାବ ରହିଛି । ଏବଂ ସେଥି ପାଇଁ ଆମେ ଏହି ଚେକ୍‌କୁ ଭଙ୍ଗାଇବା ପାଇଂ ଆସିଛୁ । ଏହି ଚେକ୍ ଆମକୁ ମୁକ୍ତିର ପ୍ରାଚୁର୍ଯ୍ୟ ଓ ନ୍ୟାୟର ସୁରକ୍ଷା ଦେବ । ଆଜିର ଚରମ ଆବଶ୍ୟକତାଗୁଡ଼କୁ ଆମେରିକାକୁ ମନେପକାଇ ଦେବାକୁ ଆମେ ଏହି ପବିତ୍ର ସ୍ଥାନକୁ ଆସିଛୁ । 

ବର୍ତ୍ତମାନ ସମୟ ଆସିଛି, ଗଣତନ୍ତ୍ରର ଶପଥ ନେବା ପାଇଁ । ବର୍ତ୍ତମାନ ସମୟ ଆସିଛି, ଅନ୍ଧାରରୁ ବାହାରି ଆସିବାର ଦୁଃସ୍ଥ ବିଭାଜନର ଉପତ୍ୟକାରୁ ଆଲୋକଭରା ଜାତିଗତ ନ୍ୟାୟର ପଥକୁ ଆସିବାର । ବର୍ତ୍ତମାନ ସମୟ ଆସିଛି, ଜାତିଗତ ଅନ୍ୟାୟର ଚୋରାବାଲିରୁ ଦେଶକୁ ଉଦ୍ଧାର କରି ଭାତୃତ୍ୱର ଶକ୍ତ ଚଟାଣ ଉପରେ ଠିଆ କରିବାର । ବର୍ତ୍ତମାନ ସମୟ ଆସିଛି, ଇଶ୍ୱରଙ୍କ ପ୍ରତ୍ୟେକ ସନ୍ତାନଙ୍କୁ ପ୍ରକୃତ ନ୍ୟାୟ ଦେବାର ।

ସ୍ୱାଧୀନତା ଓ ସମାନତାର ଶୀତଳ ବସନ୍ତ ପବନ ନ ବୋହିବା ପର୍ଯ୍ୟନ୍ତ ନିଗ୍ରୋମାନଙ୍କର ଯଥାର୍ଥ ଅସନ୍ତୋଷର ଝାଳୁଆ ବୈଶାଖୀ ଶେଷ ହେବ ନାହିଁ । ୧୯୬୩ ଶେଷ ନୁହେଁ, ଆରମ୍ଭ ମାତ୍ର । ନିଗ୍ରୋମାନେ ନାଗରିକତାର ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମେରିକାରେ ଶାନ୍ତି କିମ୍ବା ସ୍ଥିରତା ରହିବ ନାହିଁ । ନ୍ୟାୟର ଉଜ୍ଜଳ ଆଲୋକ ଉଦ୍‌ଭାସିତ ନ ହେବା ପର୍ଯ୍ୟନ୍ତ, ବିଦ୍ରୋହର ଘୂର୍ଣ୍ଣିଝଡ଼ରେ ଦେଶର ମୂଳଭିତ୍ତି ଦୋହଲୁଥିବ ।

ମୁଁ କିନ୍ତୁ ମୋ ଲୋକଙ୍କୁ କିଛି କଥା କହିବାକୁ ନିଶ୍ଚୟ ଚାହିଁବି, ଯେଉଁମାନେ ନ୍ୟାୟର ପ୍ରାସାଦର ଦ୍ୱାରଦେଶରେ ଦଣ୍ଡାୟମାନ । ଆମେ ଆମ ନ୍ୟାର୍ଯ୍ୟ ସ୍ଥାନ ପାଇବା ପାଇଁ ଯେପରି କିଛି ଭୂଲ କରି ନ ବସୁ । ସ୍ୱାଧୀନତାର ତୃଷ୍ଣା ମେଣ୍ଟାଇବା ପାଇଁ ଯେପରି ଆମେ ଘୃଣାର ନର୍ଦ୍ଦମା ପାଣିକୁ ପିଇ ନଦେଉ । ଆମେ ଯେପରି ସବୁବେଳେ ଆମ ସଙ୍ଗ୍ରାମକୁ ଉଚ୍ଚତର ଆତ୍ମସମ୍ମାନ ଓ ଶୃଙ୍ଖଳାର ସହ ଚଳାଇ ରଖୁ । ଯେପରି ଆମ ସୃଜନଶୀଳ ପ୍ରତିବାଦ ଶାରୀରିକ ହିଂସାକୁ ଖସି ନଆସେ । ଶାରୀରିକ ବଳ ସହ ଆତ୍ମିକ ବଳକୁ ମିଶାଇ ଆମେ ଯେପରି ଆମର ଗାରିମାକୁ ଉଚ୍ଚରୁ ଉଚ୍ଚତରକୁ ନେଇ ଯିବୁ । 

 ସ୍ୱାଧୀନତା ଓ କାମ ପାଇଁ ସଙ୍ଗଠିତ ପ୍ରସିଦ୍ଧ ୱାଶିଂଟନ୍ ରାଲି
୧୯୬୩ ମସିହାରେ କିଙ୍ଗ୍ ଙ୍କ ଦ୍ୱାରା ଆୟୋଜିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଗ୍ରୋ ସମ୍ପ୍ରଦାୟ ଭିତରେ ଯେଉଁ ଚମତ୍କାର ନୂଆ ବୀରତ୍ୱ ଦେଖାଦେଇଛି, ତାହା ସମସ୍ତ ଗୋରା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଠି ନ କରୁ । ଅନେକ ଗୋରା ଭାଇମାନେ ବୁଝିଲେଣି ଯେ ସେମାନଙ୍କ ଭବିଷ୍ୟତ ଆମ ଭବିଷ୍ୟତ ସହ ବନ୍ଧା । ସେମାନେ ବୁଝିଲେଣି ଯେ, ସେମାନଙ୍କର ସ୍ୱାଧୀନତା ଆମ ସ୍ୱାଧୀନତା ସହ ଅଙ୍ଗାଙ୍ଗୀ ଭାବେ ଜଡିତ, ଆମେ ଏକାକୀ ଚାଲି ପାରିବୁ ନାହିଁ ।

ଆମେ ଚାଲିଛୁ, ସେଥିପାଇଁ ସବୁବେଳେ ଆଗକୁ ଚାଲିବା ପାଇଁ ଆମକୁ ଶପଥ କରିବାକୁ ହେବ । ଆମେ ପଛକୁ ଫେରି ପାରିବୁ ନାହିଁ । ନାଗରିକ ଅଧିକାର ପାଇଁ ଉତ୍ସଗୀକୃତମାନଙ୍କୁ ସେମାନେ ପ୍ରଶ୍ନ କରୁଛନ୍ତି, “ତୁମେ କେବେ ସନ୍ତୁଷ୍ଣ ହେବ?” । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ନିଗ୍ରୋମାନେ ପୋଲିସର ଅକଥନୀୟ ଅତ୍ୟାଚାରର ଶୀକାର ହେଉଥିବେ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ଆମ ଶରୀର ବୁଲିବୁଲି ରାସ୍ତାକଡ଼ର ପାନ୍ଥଶାଳାରେ ଓ ସହରର ଯାତ୍ରୀଘରେ ରହିବାକୁ ନ ପାଇ କ୍ଲାନ୍ତିରେ ଭାଙ୍ଗି ପଡୁଥିବ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ଆମର ପିଲାମାନଙ୍କୁ କେବଳ ଗୋରାମାନଙ୍କ ପାଇଁକହି ସେମାନଙ୍କର ବ୍ୟକ୍ତିତ୍ୱକୁ ବିବସ୍ତ୍ର କରାଯାଉଥିବ ଏବଂ ଆତ୍ମସମ୍ମାନକୁ ଲୁଣ୍ଠନ କରାଯାଉଥିବ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ମିସିସିପିର ଜଣେ ନିଗ୍ରୋ ଭୋଟ ଦେବାରୁ ବଞ୍ଚିତ ହେଉଥିବ ଏବଂ ନ୍ୟୁୟର୍କର ଜଣେ ନିଗ୍ରୋ ଭାବୁଥିବ ଯେ ତାର ଭୋଟ ଦେବାର କିଛି ଅର୍ଥ ନାହିଁ । 

ନା ନା ଆମେ ସନ୍ତୁଷ୍ଟ ନୋହୁଁ । ଆମେ ସନ୍ତୁଷ୍ଟ ନୋହୁଁ ଯେ ପର୍ଯ୍ୟନ୍ତ ନ୍ୟାୟ ପାଣି ପରି ବୋହି ନ ଆସିଛି, ଯେ ପର୍ଯ୍ୟନ୍ତ ଉଚିତ୍ ଅଧିକାର ଖର ସ୍ରୋତ ଭଳି ବୋହି ନ ଆସିଛି ।

ମୁଁ ଭୂଲି ନାହିଁ ଯେ, ଆପଣମାନଙ୍କ ମଧ୍ୟରୁ ଅନେକ ଲମ୍ବା ବିଚାରର ପ୍ରକ୍ରିୟା ପରେ ଏଠାକୁ ଆସିଛନ୍ତି । ଅନେକ କାରାଗାରର କାଳ କୋଠରୀରୁ ନିକଟରେ ଫେରିଛନ୍ତି । ଅନେକ ଏପରି ଅଞ୍ଚଳରୁ ଆସିଛନ୍ତି, ଯେଉଁଠି ମୁକ୍ତିର ଅନ୍ୱେଷଣ ପାଇଁ ଆପଣ ପୋଲିସର ଅତ୍ୟାଚାରରେ ହତବାକ ଓ ନିର୍ଯ୍ୟାତନାର ଝଡରେ କ୍ଷତାକ୍ତ ହୋଇଛନ୍ତି । ନୂତନ ନୂତନ ଅତ୍ୟାଚାର ଆପଣଙ୍କୁ ମହିମାନ୍ୱିତ କରିଛି । ଅନର୍ଜିତ ଦୁଃଖ-ଦୁର୍ଦଶାରୁ ମୁକ୍ତିର ବିଶ୍ୱାସ ସହ ଆମକୁ କ୍ରମାଗତ ଭାବେ କାର୍ଯ୍ୟ କରିଯିବାକୁ ହେବ ।


କୃଷ୍ଣକାୟ ଆମେରିକୀୟ ବିପ୍ଳବୀ ମାଲକମ୍ ଏକ୍ସ୍‌ଙ୍କ ସହ କିଙ୍ଗ (୧୯୬୪ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଏବେ ଆଉ ନୈରାସ୍ୟର ଉପତ୍ୟାକାରେ ଆମେ ଲୋଟିବାନି । ଆଜି ମୁଁ ଆପଣମାନଙ୍କୁ, ମୋର ବନ୍ଧୁମାନଙ୍କୁ କହିବି ଯଦିଓ ବର୍ତ୍ତମାନ ଆମେ ବହୁ ଅସୁବିଧା ଭୋଗୁଛେ, ତଥାପି ମୋର ଏକ ସ୍ୱପ୍ନ ଅଛି । ଏହି ସ୍ୱପ୍ନ ଆମେରିକୀୟ ସ୍ୱପ୍ନ ସହ ଗଭୀର ଭାବେ ଯୁକ୍ତ ।

ମୋର ଏକ ସ୍ୱପ୍ନ ଅଛି ଯେ ଦିନେ ଏ ଜାତି ଉଠିବ ଏବଂ ତାର ବିଶ୍ୱାସର ପ୍ରକୃତ ଅର୍ଥରେ ଜୀଇବ : ଆମେ ଏହି ସ୍ୱତଃସିଦ୍ଧ ସତ୍ୟକୁ ତୋଳିଧରୁ ଯେ ସବୁ ମଣିଷ ଜନ୍ମଗତ ଭାବେ ସମାନ

ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ଜର୍ଜିଆର ଲାଲ ପାହାଡ଼ ଉପରେ ପୂର୍ବତନ ଦାସଙ୍କର ସନ୍ତାନମାନେ ଓ ପୂର୍ବତନ ଦାସ-ମାଲିକଙ୍କର ସନ୍ତାନମାନେ ଭାତୃତ୍ୱର ମେଜ ଚାରିପାଖେ ଏକାଠି ବସିବାକୁ ସମର୍ଥ ହେବେ ।
ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ଅନ୍ୟାୟ ଓ ଅତ୍ୟାଚାରର ଉତ୍ତାପରେ ସନ୍ତୁଳିତ ମିସିସିପି ରାଜ୍ୟ ନ୍ୟାୟ ଓ ମୁକ୍ତିର ମହାସାଗରରେ ପରିଣତ ହେବ ।

ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ମୋର ଚାରିଜଣଯାକ ସନ୍ତାନ ଏପରି ଏକ ଦେଶରେ ବାସ କରିବେ, ଯେଉଁଠି ସେମାନଙ୍କୁ ନିଜର ବର୍ଣ୍ଣକୁ ନେଇ ନୁହେଁ, ବରଂ ସେମାନଙ୍କର ଚରିତ୍ରକୁ ନେଇ ମୂଲ୍ୟାୟିତ କରାଯିବ ।

ମୋର ଆଜି ଏକ ସ୍ୱପ୍ନ ଅଛି ।
ମୋର ଏକ ସ୍ୱପ୍ନ ଅଛି ଯେ, ଭୟଙ୍କର ବର୍ଣ୍ଣବାଦ ଥିବା ଅଲାବାମାରେ ହିଁ ଦିନେ ଛୋଟଛୋଟ କଳା ଶିଶୁମାନେ ଗୋରା ଶିଶୁମାନଙ୍କ ସହ ହାତ ଧରାଧରି ହୋଇ ଭାଈ-ଭଉଣୀ ଭାବେ ଖେଳି ପାରିବେ ।

ମୋର ଆଜି ଏକ ସ୍ୱପ୍ନ ଅଛି ।

ମୋର ଏକ ସ୍ୱପ୍ନ ଅଛି ଯେ ଦିନେ ସମସ୍ତ ଉପତ୍ୟାକା ଉପରକୁ ଉଠିବ ଏବଂ ପ୍ରତ୍ୟେକ ପାହାଡ, ପର୍ବତ ନୀଚ ହେବ, ଉଚ୍ଚା-ନୀଚ୍ଚା ସ୍ଥାନ ସବୁ ସମାନ ହେବ ଓ ଅଙ୍କାବଙ୍କା ରାସ୍ତା ସବୁ ସିଧା ହେବ ଏବଂ ଇଶ୍ୱରଙ୍କ ଯଶ ପ୍ରଦର୍ଶିତ ହେବ ଓ ସବୁ ମଣିଷ ଏକାଠି ଏହାକୁ ଦେଖିବେ ।

ଏହା ହେଉଛି ଆମର ଆଶା । ଏହା ବିଶ୍ୱାସ ଯେ, ଏହି ବିଶ୍ୱାସ ନେଇ ମୁଁ ଦକ୍ଷିଣକୁ ଫେରିଯିବି । ଆମେ ନୈରାଶ୍ୟର ପାହାଡ଼କୁ ଭାଙ୍ଗି ଆଶାର ପଥର ନିର୍ମାଣ କରି ପାରିବୁ । ଏହି ବିଶ୍ୱାସକୁ ନେଇ ଆମ ଜାତିର କଦାକାର କର୍କଶ ସ୍ୱରକୁ ଭାତୃତ୍ୱର ସୁନ୍ଦର ସଙ୍ଗୀତରେ ପରିଣତ କରି ଦେଇ ପାରିବୁ । ଏହି ବିଶ୍ୱାସକୁ ନେଇ ଆମେ ଏକାଠି କାମ କରି ପାରିବୁ, ଏକାଠି ପ୍ରାଥନା କରି ପାରିବୁ, ଏକାଠି ସଙ୍ଘର୍ଷ କରି ପାରିବୁ, ଏକାଠି ବନ୍ଦୀଶାଳାକୁ ଯାଇ ପାରିବୁ, ଏକାଠି ମୁକ୍ତି ପାଇଁ ଠିଆ ହୋଇ ପାରିବୁ ଏହା ଜାଣି ଯେ ଆମେ ଦିନେ ମୁକ୍ତ ହେବୁ ।

ଦିନ ଆସିବ, ଦିନ ଆସିବ, ଯେତେବେଳେ ଇଶ୍ୱରଙ୍କ ସମସ୍ତ ସନ୍ତାନମାନେ ନୂଆ ଅର୍ଥ ସହ ଗାଇବାକୁ ସମର୍ଥ ହେବେ:
ମୁଁ ଗାଏ ମୋର ଏ ଦେଶ, ମୁକ୍ତିର ମଧୁର ମାଟିବାପା ମୋର ମରିଥିଲେ ଯହିଁ, ପବିତ୍ର ସେହି ମାଟିପ୍ରତିଟି ପାହାଡର ଉହାଡରୁ 
ଭାସି ଆସୁ ସ୍ୱାଧୀନତାର ଗୀତି ।

କୋଲୋରାଡୋର ବରଫାବୃତ ପଥରରୁ ଭାସିଆସୁ ସ୍ୱାଧୀନତାର ଗୀତି ।

କାଲିଫର୍ଣ୍ଣିଆର ତରଙ୍ଗମୟ ମାଳ ଅଞ୍ଚଳରୁ ଭାସିଆସୁ ସ୍ୱାଧୀନତାର ଗୀତି ।

କେବଳ ସେତିକି ନୁହେଁ,
ଜର୍ଜିଆର ପର୍ବତରୁ ଭାସିଆସୁ ସ୍ୱାଧୀନତାର ଗୀତି ।
ଟେନ୍ସେସିର ଲୁକ୍‌ଆଉଟ୍ ପର୍ବତରୁ ଭାସିଆସୁ ସ୍ୱାଧୀନତାର ଗୀତି ।

ଭାସିଆସୁ ସ୍ୱାଧୀନତାର ଗୀତି । 

ଏବଂ ଯେତେବେଳେ ଏହା ଘଟିବ ଓ ଆମେ ଯେତେବେଳେ ସ୍ୱାଧୀନତାର ଗୀତିକୁ ଭାସିଆସିବାକୁ ଦେବା ଯେତେବେଳେ ଆମେ ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପଡ଼ା, ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସହରରୁ ଏହି ସ୍ୱାଧୀନତାର ଗୀତିକୁ ଭାସିଆସିବାକୁ ଦେବା, ଆମେ ସେହି ଦିନକୁ ତ୍ୱରାନ୍ୱତି କରିବା ଯେଉଁ ଦିନ ଇଶ୍ୱରଙ୍କ ସମସ୍ତ ସନ୍ତାନ କଳା ଓ ଗୋରା, ଇହୁଦି ଓ ଅଣ-ଇହୁଦି, ପ୍ରୋଟେଷ୍ଟାଣ୍ଟସ୍ ଓ କ୍ୟାଥଲିକ୍ ହାତରେ ହାତ ମିଳାଇ ପୁରୁଣା ସେହି ନିଗ୍ରୋ ଭାବାବେଗର ଗୀତ ଗାଇବେ:

ଶେଷରେ ମୁକ୍ତ ! ଶେଷରେ ମୁକ୍ତ ! ଧନ୍ୟବାଦ ହେ ସର୍ବଶକ୍ତିମାନ ଭଗବାନ, ଶେଷରେ ଆମେ ମୁକ୍ତ !


ଆମେରିକାର ଆଟଲାଣ୍ଟା ସ୍ଥିତ ମାର୍ଟିନ ଲୁଥର କିଙ୍ଗ ଙ୍କର ସମାଧି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅନୁବାଦକୀୟ ଟୀକା: ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ମହାନ୍ ନାଗରିକ ଅଧିକାର ଯୋଦ୍ଧା । ଆମେରିକାର ବର୍ଣ୍ଣବୈଷମ୍ୟବାଦ ବିରୋଧୀ ସଙ୍ଗ୍ରାମରେ ତାଙ୍କର ଭୂମିକା ଅବିସ୍ମରଣୀୟ । ଅହିଂସା ଓ ମାନବବାଦର ସାଧକ ମାର୍ଟିନ ଲୁଥର ନାଗରିକ ଅଧିକାରକଳା ଲୋକଙ୍କର ସମାନ ଅଧିକାରଭିଏତ୍‌ନାମ୍ ଯୁଦ୍ଧ ବିରୋଧୀ ଆନ୍ଦୋଳନ ତଥା ଶ୍ରମଜୀବୀ ଦରିଦ୍ର ଲୋକଙ୍କର ସ୍ୱରକୁ ଦୃଢ଼ତାର ସହ ଉତ୍ତୋଳିତ କରିଥିଲେ । ଏପ୍ରିଲ ୪୧୯୬୮ରେ ସେ ମାତ୍ର ୩୯ ବର୍ଷ ବୟସରେ ଜଣେ ଅଜଣା ଆତତାୟୀର ଗୁଳିରେ ପ୍ରାଣ ହରାଇଥିଲେ । ମ୍ୟାଟିନ ଲୁଥରଙ୍କ ଉପରୋକ୍ତ ବକ୍ତବ୍ୟ ସେ ଅଗଷ୍ଟ ୨୮୧୯୬୩ରେ ୱାସିଙ୍ଗଟନ୍‌ର ଲିଙ୍କନ ମେମୋରିଆଲ୍‌ରେ ଅନୁଷ୍ଠିତ ନିଯୁକ୍ତି ଓ ମୁକ୍ତି ସମାବେଶରେ ଏକାଠି ହୋଇଥିବା ଦୁଇ ଲକ୍ଷ ଜନତାଙ୍କୁ ଦେଇଥିଲେଯାହାକୁ ଆଜି ମଧ୍ୟ ବିଶ୍ୱର ଅନ୍ୟତମ ଉତ୍କୃଷ୍ଟ ବକ୍ତବ୍ୟ ଭାବେ ଗ୍ରହଣ କରାଯାଏ । ଏଥିରେ ସେ ଏକ ନ୍ୟାୟ ଓ ସମତାପୂର୍ଣ୍ଣ ଆମେରିକାର ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ ।

Friday, March 13, 2020

ଗଙ୍ଗାଧର ବଳଙ୍କ ହାଇସ୍କୁଲ ଶିକ୍ଷା

ଶୈଲେନ ରାଉତରାୟ 


କେନ୍ଦୁଝରର ଗୁଣ୍ଡିଚାଘାଗି ଜଳପ୍ରପାତ (ୱିକିମିଡିଆ କମନ୍ସ୍)

ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଗଙ୍ଗାଧର ବଳଙ୍କର ହାଇସ୍କୁଲ ପାଠ ପଢ଼ା ଆରମ୍ଭ ହୁଏ କେନ୍ଦୁଝରର ଗିବ୍ସନ୍ ହାଇସ୍କୁଲରେ, ୧୯୪୨ ମସିହାର ଜାନୁଆରୀ ମାସରେ ଏବେ ଅବଶ୍ୟ ଏହି ଉଚ୍ଚ ବିଦ୍ୟାଳୟଟି ଗଡ଼ର ଭୁତପୂର୍ବ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କ ନାମାନୁସାରେ ନାମିତ ହାଇସ୍କୁଲଟି ସାନ୍ତରାପୁର ଶାସନର ଦକ୍ଷିଣକୁ ବଡ଼ଦାଣ୍ଡ ସହ ଯୋଡ଼ୁଥିବା ମୂଖ୍ୟ ରାସ୍ତାର ପାଖରେ ସ୍କୁଲର ପଶ୍ଚିମ ଦିଗରେ ଗଡ଼ର ଡାକ୍ତରଖାନା ତହିଁର ଚିକିତ୍ସକମାନଙ୍କର ଆବାସଗୁଡ଼ିକ  

ସ୍କୁଲଟି ଗୋଟିଏ ବଡ଼ ଖୋଲାମେଲା ଜେଗାରେ ତିଆରି ହୋଇଥିଲା । ସ୍କୁଲ ପରିସର ଭିତରେ ଥିଲା ଗୋଟିଏ ସୁନ୍ଦର ଫୁଲ ବଗିଚା । ଉଦ୍ୟାମ ମଧ୍ୟରେ ଭ୍ରମଣ କରିବା ପାଇଁ ସିମେଣ୍ଟର ରାସ୍ତାଟିଏ ବି ନିର୍ମିତ ଥିଲା । ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିଲା । ବିଦ୍ୟାଳୟଟିରେ ଦୁଇଟି ଛାତ୍ରାବାସ ଥିଲା, ଯାହା ସେବେ ‘ନ୍ୟୁ ହଷ୍ଟେଲ’ ଓ ‘ଓଲ୍‌ଡ଼୍ ହଷ୍ଟେଲ୍ ଭାବରେ’ ପରିଚିତ ଥାଆନ୍ତି । ଗଙ୍ଗାଧର ଆସି ନ୍ୟୁ ହଷ୍ଟେଲରେ ରହିଲେ ।

ସେତେବେଳେ ସମୁଦାୟ କେନ୍ଦୁଝର ଗଡ଼ରେ ଗୋଟିଏ ବୋଲି ହାଇସ୍କୁଲ ଭାବରେ ବିଦ୍ୟାଳୟଟିର ନାଁଡାକ ଥାଏ   ଆନନ୍ଦପୁରରେ ଥାଏ ଗୋଟିଏ ମଧ୍ୟ-ଇଂରାଜୀ ବିଦ୍ୟାଳୟ । ତାହା ସହ ଦେଓଗାଁ ଓ ଚମ୍ପୁଆଠାରେ ଥାଏ ଦୋଟି ମଧ୍ୟ-ଭର୍ଣ୍ଣାକୁଲାର ଇସ୍କୁଲ । ଏହା ଛଡ଼ା କେନ୍ଦୁଝର ରାଜ୍ୟ ସାରା ସେବେ ଥାଏ ହାତଗଣତି କେତୋଟି ନିମ୍ନ-ପ୍ରାଥମିକ ଓ ଉଚ୍ଚ-ପ୍ରାଥମିକ ସ୍କୁଲଟିମାନ ।  

ଯେଉଁ ଛାତ୍ରମାନେ ମଧ୍ୟ-ଭର୍ଣ୍ଣକୁଲାର ସ୍କୁଲରୁ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଆସୁଥିଲେ, ସେମାନେ ସିଧାସଳଖ ଅଷ୍ଟମ ଶ୍ରେଣୀରେ ଯୋଗ ଦେଇପାରୁ ନଥିଲେ । ସେମାନଙ୍କୁ ଆବଶ୍ୟକୀୟ ଇଂରାଜୀ ଶିଖିବା ପାଇଁ ଆଉ ଥରେ ସପ୍ତମ ଶ୍ରେଣୀରେ ବରଷେ କଟାଇବାକୁ ପଡ଼ୁଥିଲା । ଇଂରାଜୀରେ ଦକ୍ଷତା ଦେଖାଇଲେ ଯାଇ ସେମାନେ ଅଷ୍ଟମ ଶ୍ରେଣୀକୁ ଉଠୁଥିଲେ । କାରଣ ସେବେ ହାଇସ୍କୁଲରେ କେବଳ ସଂସ୍କୃତ ଭଳି ଭାଷାକୁ ଛାଡ଼ି ଦେଲେ ଗଣିତ, ଇତିହାସ ଆଦି ବାକି ସବୁ ବିଷୟ ଇଂରାଜୀରେ ପଢ଼ା ହେଉଥିଲା । ଅଷ୍ଟମ ଓ ନବମ ଶ୍ରେଣୀରେ ସଂସ୍କୃତ ପଢ଼ା ହେଉଥିଲା । ପ୍ରାୟ ପ୍ରତିବର୍ଷ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହେଉଥିଲା ।

ବିଦ୍ୟାଳୟରେ ନାମ ଲେଖାଇବାର କିଛି ସପ୍ତାହ ଭିତରେ ତ୍ରୈମାସିକ ପରୀକ୍ଷାରେ ପ୍ରଥମ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଦରମା ଛାଡ଼ କରିଦେଲେ । ମାସିକିଆ ତିନି ଟଙ୍କାର ବୃତ୍ତିର ମଧ୍ୟ ତାଙ୍କ ପାଇଁ ବ୍ୟବସ୍ଥା ହେଲା । ଗଙ୍ଗାଧର ନିଜ ଶ୍ରେଣୀରେ ପ୍ରଥମ ହେଉଥିବାରୁ ଓ ଜଣେ ଶୃଙ୍ଖଳିତ ଚାଟ ଭାବରେ ନାଁ କରିଥିବାରୁ ସ୍କୁଲର ବାର୍ଷିକ ପୁରସ୍କାର ବିତରଣୀ ସଭାଗୁଡ଼ିକରେ ନାନା ପୁରସ୍କାର ଲାଭ କରୁଥିଲେ । ତାଙ୍କୁ ଏଥି ପାଇଁ ଭଲଭଲ ବହିସବୁ ପୁରସ୍କାର ଆକାରରେ ମିଳୁଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ଚନ୍ଦ୍ରଶେଖର ମହାପାତ୍ରଙ୍କର ‘ସାମନ୍ତ ଚନ୍ଦ୍ରଶେଖର’ ଓ ‘ଛାତ୍ର ସହଚର’ ବହି ଦିଓଟି ଗଙ୍ଗାଧରଙ୍କ ଉପରେ ବହୁତ ଭଲ ପ୍ରଭାବ ପକାଇଲା ବୋଲି ସେ ନିଜ ଆତ୍ମଜୀବନୀରେ କୁହନ୍ତି ।

ଜଣେ ଭଲ ଛାତ୍ର ଭାବରେ ତାଙ୍କୁ ଦଶମ ପରଠାରୁ ନିଜ ତଳ ଶ୍ରେଣୀର ଛାତ୍ରମାନଙ୍କୁ ପଢ଼ାଇବାର ସୁଯୋଗ ମିଳିଲା । ସେବେ ଟିଉସନର ପ୍ରଚଳନ ସେତେ ବେଶି ନ ଥିଲା । ବିଦ୍ୟାଳୟର ଶିକ୍ଷକମାନେ ଗୃହଶିକ୍ଷକ ଭାବରେ କାମ କରିବାକୁ ଅସମ୍ମାନଜନକ ବୋଲି ମଣୁଥିଲେ । ପିଲାମାନେ ପାଠପଢ଼ାରେ କିଛି ଅସୁବିଧା ନେଇ ଶିକ୍ଷକମାନଙ୍କ ପାଖରେ ପହଞ୍ଚିଲେ ସେମାନେ ସ୍ନେହଭରେ ସେସବୁ ଦିଗରେ ସାହାଯ୍ୟ କରୁଥିଲେ । ସେଥି ପାଇଁ କିଛି ପାଉଣା ଦେବାକୁ ହେଉ ନଥିଲା । କେହି କେହି ଗରୀବ ପିଲା କଦବା କ୍ୱଚିତ ଚିଉସନ କରୁଥିଲେ ।

ଏକାଦଶ ଶ୍ରେଣୀରେ ପଢ଼ିଲା ବେଳେ ଗଙ୍ଗାଧରଙ୍କର ଅଜା ଚାଲିଗଲେ । ତାହାର କିଛି ବର୍ଷ ପୂର୍ବରୁ ଆଇ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାମୁଁ ଘରେ ରହି ପାଠପଢ଼ୁଥିବା ମାତୃହୀନ ଗଙ୍ଗାଧରଙ୍କର ପାଇଁ ଅଜାଙ୍କର ବିୟୋଗ ଥିଲା ଏକ ବଡ଼ ଧକ୍କା । ହେଲେ ଆଗକୁ ପଢ଼ିବାକୁ ହେଲେ ମେଟ୍ରିକ ପରୀକ୍ଷାର ଘାଟି ଯେ ଟପିବାକୁ ପଡ଼ିବ, ସେ କଥା ଭାବି ସେ ନିଜ ଛାତିକୁ ପଥର କରି କଠିନ ପରିଶ୍ରମ କରିବାକୁ ଲାଗିଲେ । 

ସେତେବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ହାଇସ୍କୁଲମାନ ତାହା ସହିତ ଅନୁବନ୍ଧିତ ହୋଇ ସାରି ଥାଆନ୍ତି । ଯଦିଓ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବାକୁ ଥିଲା, ଗଙ୍ଗାଧର କିନ୍ତୁ  ଇଂରାଜୀ ଭାଷାରେ ଲିଖିତ ହଲ୍ ଆଣ୍ଡ୍ ନାଇଟ୍‌ସ୍, କେ.ପି ବସୁ ଓ ଜେ.ସି. ଚକ୍ରବର୍ତ୍ତୀ ଆଦିଙ୍କର ଗଣିତ ବହି ତଥା ଡଡଲି ଷ୍ଟାମ୍ପ୍‌ଙ୍କର ଭୂଗୋଳ ବହି ଆଦି ପଢ଼ି ମେଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । 

୧୯୪୫ ସାଲର ମାର୍ଚ୍ଚ ମାସରେ ପରୀକ୍ଷା ହେଲା । କଟକ ଟ୍ରେନିଂ ମହାବିଦ୍ୟାଳୟର ମହେଶଚନ୍ଦ୍ର ପ୍ରଧାନ ପରୀକ୍ଷା କେନ୍ଦ୍ରର ତତ୍ତ୍ୱାବଧାରକ ହୋଇ ଆସିଥିଲେ ସେହି ବରଷ । କିଛି ମାସ ପରେ ସମାଜ ଖବରକାଗଜର ପୃଷ୍ଠାରେ ଫଳ ବାହାରିଲା । ଗଙ୍ଗାଧର ହୋଇଥିଲେ କେନ୍ଦୁଝର ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ । 

ବି.ଦ୍ର.- ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଅଛି । ଆଲେଖ୍ୟଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍ ଆତ୍ମଲିପିରୁ ସଙ୍ଗୃହିତ  ବହିଟିର ପ୍ରଥମ ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ  

Wednesday, March 11, 2020

ଗାନ୍ଧୀଜୀଙ୍କର ଆଶ୍ରମ ଭଜନାବଳୀ - 'ଯେଉଁଠାରେ ଖାଲି ଲୁହ ପ୍ରଭୁ ହେ'


କବି - ଅଜ୍ଞାତ


ଦଙ୍ଗୀପୀଡ଼ିତ ନୂଆଖାଲିରେ ୧୯୪୬ ମସିହାରେ ଉତ୍ତୋଳିତ ଗାନ୍ଧୀଜୀଙ୍କ ଚିତ୍ର
ଫଟୋ କ୍ରେଡ଼ିଟ -ୱିକିମିଡିଆ କମନ୍ସ୍

ଯେଉଁଠାରେ ଖାଲି ଲୁହ ପ୍ରଭୁ ହେ !
ସେହିଠାରେ ମୋତେ ନିଅ ।
ଆଜୀବନ ଯିଏ କାନ୍ଦୁଛି ଖାଲି
ପୋଛିବି ତା ଆଖି ଲୁହ, ପ୍ରଭୁ ହେ ।

ଜୀବନକୁ ଯିଏ ମଣିଅଛି ଭାର
ଚିରଦିନ ମୁଦା ହରସ ଦୁଆର
ଜୀବନ ମରଣ ଭେଦ ନ ବୁଝିଣ
ବଞ୍ଚିବା ତା ଦୁର୍ବିସହ, ପ୍ରଭୁ ହେ ।୧।

ସେହିଆଡ଼େ ମୋତେ ନିଅ ଭଗବାନ
ସେହିଆଡ଼େ ମୋତେ ନିଅ
ପୋଛିବି ମୁଁ ତା'ର ସଜଳ ଆଖିର ଲୁହ ।
କହିବି ତାହାରେ ଡାକି
ଶୁଣ ହେ ଦୁଃଖର ସାଥୀ
ଆମ ଭଗବାନ ଦେଇଛି ଯେ ଦାନ
ମୋଠାରୁ ତା କାଢ଼ି ନିଅ ସାଥି ହେ
ମୋତେ ତୁମ ଲୁହ ଦିଅ ।୨।

Monday, March 09, 2020

ଗଙ୍ଗାଧର ବଳଙ୍କ ମାଧ୍ୟମିକ ଶିକ୍ଷା

ଶୈଲେନ ରାଉତରାୟ 


କେନ୍ଦୁଝର ଗଡ଼ଜାତର ପତାକା (ୱିକିମିଡିଆ କମନ୍ସ୍)

ପ୍ରଥମେ ପ୍ରଥମେ ପାଠପଢ଼ାରେ ଅମନଯୋଗୀ ଥିଲେ ହେଁ ନାନାଦି କାରଣରୁ ତୃତୀୟ ଶ୍ରେଣୀ ପାଠ ସାରିଲା ବେଳକୁ ଗଙ୍ଗାଧର ବଳ ଜଣେ ଭଲ ଛାତ୍ରରେ ପରିଣତ ହୋଇ ସାରିଥିଲେ । ତୃତୀୟ ଶ୍ରେଣୀ ପର ବୃତ୍ତି ପରୀକ୍ଷାରେ ଭଲ ଫଳ କରିବାରୁ ସେ ଆନନ୍ଦପୁର ମଧ୍ୟଇଂରାଜୀ ବିଦ୍ୟାଳୟକୁ ପଢ଼ିବାକୁ ଗଲେ । ଏହା ୧୯୩୦ ଦଶକର ମଧ୍ୟ ଭାଗର କଥା । ସେବେ ଆନନ୍ଦପୁର ଏମ୍‌.. ସ୍କୁଲର ପ୍ରଧାନଶିକ୍ଷକ ଥାଆନ୍ତି ଯାଜପୁରର ଦୟାନିଧି ପଣ୍ଡା । ଉତ୍ତମ ପଢ଼ାପଢ଼ି, ପିଲାମାନଙ୍କର ଚରିତ୍ର ନିର୍ମାଣ ଓ ବିଦ୍ୟାଳୟରେ ଶୃଙ୍ଖଳା ପ୍ରତି ତାଙ୍କର ନିରନ୍ତର ନିଘା ଥାଏ । ପାଠ ବାହାରେ ପଢ଼ାପଢି କରିବାରେ ପିଲାମାନଙ୍କର ଆଗ୍ରହ ତିଆରିବା ପାଇଁ ସେ ଇସ୍କୁଲୁରେ ଆରମ୍ଭ କରିଥାଆନ୍ତି ଗୋଟିଏ ପାଠାଗାର । 

ସେ ରବିବାର ଦିନ ସନ୍ଧ୍ୟାରେ ନିଜ ସହ ପିଲାମାନଙ୍କୁ ବସାଇ ଓଡ଼ିଶାର ପୁରାତନ କାବ୍ୟସମ୍ଭାରରୁ କିଛିକିଛି ସେମାନଙ୍କ ସହ ଆଲୋଚନା କରୁଥିଲେ । ସୁବିଧା ଦେଖି ବାହାରୁ ଜ୍ଞାନୀ ଲୋକମାନଙ୍କୁ ଡାକି ଆଣୁଥିଲେ ଛାତ୍ରମାନଙ୍କ ସହ କଥୋପକଥନ ପାଇଁ । ସ୍କୁଲରେ ବିଶ୍ୱମ୍ଭର ଦାଶ, ଦାଶରଥି ଦାଶ, କୃପାସିନ୍ଧୁ ସାମନ୍ତରାୟ, ଲୋକନାଥ ମିଶ୍ର ଓ ବାଳକୃଷ୍ଣ ମିଶ୍ର ଆଦି ଶିକ୍ଷକମାନେ ସେହି ସମୟରେ ସ୍କୁଲଟିରେ ଶିକ୍ଷାଦାନ କରୁଥିଲେ । ଅର୍ଥାତ୍, ଗଡ଼ଜାତ ଅଞ୍ଚଳରେ ମଧ୍ୟ ସ୍କୁଲ ସ୍ତରରେ ଶିକ୍ଷକତା ୧୯୩୦ ଦଶକ ପର୍ଯ୍ୟନ୍ତ ଦୁଇ ତିନୋଟି ତଥାକଥିତ ଉଚ୍ଚ ଜାତିର ପୁରୁଷମାନଙ୍କର ହିଁ ହସ୍ତମୁଦିମାହାଲ ଥିଲା । 

ପରୀକ୍ଷାରେ ଭଲ ମାର୍କ ରଖି ଗଙ୍ଗାଧର ଆନନ୍ଦପୁର ସ୍କୁଲରେ ନିଜ ଶ୍ରେଣୀରେ ପ୍ରଥମ ହେବାକୁ ଲାଗିଲେ । କ୍ରମେ ତାଙ୍କୁ ଶ୍ରେଣୀରେ ମନିଟରର ଦାୟିତ୍ତ୍ୱ ମିଳିବାକୁ ଲାଗିଲା । ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ନୀତିଶିକ୍ଷା ଗୋଟିଏ ପାଠ୍ୟ ବିଷୟ ଭାବରେ ସେବେ ଥିଲା । ସେଥିରେ ମହାପୁରୁଷମାନଙ୍କର ଜୀବନୀ ପିଲାମାନେ ପାଠ କରୁଥିଲେ । ଛାତ୍ରାବାସରେ ଦୁଇ ଓଳି ଯାକ ପ୍ରାର୍ଥନାର ବ୍ୟବସ୍ଥା ଥିଲା । ପିଲାଏ ମଧୁସୂଦନ ରାଓଙ୍କର ପ୍ରସିଦ୍ଧ ବ୍ରାହ୍ମସଙ୍ଗୀତ ‘ଅଖିଳ ବ୍ରହ୍ମାଣ୍ଡ ପତି’ ଗାୟନ କରୁଥିଲେ । 

ଚତୁର୍ଥରୁ ସପ୍ତମ ପର୍ଯ୍ୟନ୍ତ ମଧୁସୂଦନଙ୍କର ‘ସାହିତ୍ୟ କୁସୁମ’ ଓ ‘ସାହିତ୍ୟ ପ୍ରସଙ୍ଗ’ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା । ଷଷ୍ଠ ଶ୍ରେଣୀ ବେଳକୁ କୁଳମଣି ଦାଶଙ୍କ ଲିଖିତ ‘ସାହିତ୍ୟସୁଧା’ ଗଙ୍ଗାଧରବାବୁଙ୍କର ଶ୍ରେଣୀରେ ପାଠ୍ୟ ହେଲା । ଏହି ବିଦ୍ୟାଳୟଟିରେ ସେବେ ଡିବେଟିଂ ସୋସାଇଟିଏ ବି ଥିଲା । ତାହା ସହ ବେଳେବେଳେ ସଙ୍ଗୀତ ପ୍ରତିଯୋଗିତା ପିଲାମାନଙ୍କ ଭିତରେ ଅନୁଷ୍ଠିତ ହେଉଥିଲା । ପିଲାଏ ଏ ସବୁଥିରେ ଛାନ୍ଦଚମ୍ପୂ ଆଦି ପାରମ୍ପରିକ ଓଡ଼ିଶୀ ପ୍ରବନ୍ଧ ଓ ପାଠବହିର ଗୀତ ଗାଉଥିଲେ । ସ୍କୁଲର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ପଡ଼ିଆଟିରେ ଫୁଟବଲ, ଭଲିବଲ, ଟେନିସ ଆଦି ଖେଳାଯିବାର ସୁବିଧା ସ୍କୁଲ ତରଫରୁ କରାଯାଇଥିଲା । 

ପିଲାମାନେ ନଈକୂଳ ପଠାରେ ବିଦ୍ୟାଳୟ ତରଫରୁ ବଗିଚାଟିଏ ତିଆରି କରି ପନିପରିବା ଚାଷ କରୁଥିଲେ । ଏଥିରୁ ତ କିଛି ବାହାରୁଥିଲା । ଅଧିକ ଆବଶ୍ୟକୀୟ ପରିବା ଓ ବଜାରସଉଦା ପୂଝାରୀ ଓ ଛାତ୍ରାବାସର ଟହଲିଆଙ୍କୁ ନେଇ ମେସ ମ୍ୟାନେଜର କିଣି ଆଣୁଥିଲେ । ଛାତ୍ରାବାସରେ ପ୍ରତି ମାସରେ ଜଣେ ମେସ ମ୍ୟାନେଜର ଭାବରେ ନିର୍ବାଚିତ ହେଉଥିଲେ । ସେ ପିଲାଙ୍କଠାରୁ ଆଦାୟ ହୋଇଥିବା ଚାଉଳ, ବଗିଚାରୁ ଆଦାୟ ପରିବା ତଥା କିଣାଯାଇଥିବା ପନିପରିବା ଓ ସଉଦା ଭଣ୍ଡାରଘରେ ଯତ୍ନର ସହ ରଖୁଥିଲେ । ତାହା ସହ ସବୁ ପିଲାଙ୍କର ଚାଉଳ ହିସାବ, ଟଙ୍କା ଓ ବଜାରର ହିସାବ ବି ରଖୁଥିଲେ । ଛାତ୍ରାବାସରେ ସପ୍ତାହକୁ ଥରେ ଆମିଷ ରନ୍ଧା ଯାଉଥିଲା । 

ସେବେ ମଧ୍ୟଇଂରାଜୀ ପାଠ ସମୟରେ ପିଲାଏ ଯୋତା ବା ଚପଲ ଜାଣୁ ନ ଥିଲେ । ଲୁଗା ଓ ହାଫ୍ ସାର୍ଟ୍ ଥିଲା ଛାତ୍ରମାନଙ୍କର ସାଧାରଣ ପୋଷାକ । ସ୍କାଉଟରେ ଥିବା ପିଲାଏ ଯାହା ଆବଶ୍ୟକ ବେଳେ ପ୍ୟାଣ୍ଟ ପିନ୍ଧୁଥିଲେ । କାଠି କଲମରେ ପିତ୍ତଳ ବା ସୀସାର ନିବ୍ ଲଗାଇ ବ୍ୟବହାର କରାଯାଉଥିଲା । ଜେ.ବି.ଡ଼ି. କାଳି ଟାବଲେଟକୁ ଗୁଣ୍ଡ କରି, ଦୁଆତରେ ପାଣି ସହ ମିଶାଇ କାଳି ତିଆରି କରିବାକୁ ହେଉଥିଲା । ପରୀକ୍ଷା ଦିନ କାଳି ତିଆରିବାର ଦାୟିତ୍ତ୍ୱ ଥିଲା ସ୍କୁଲର ଦପ୍ତରି ଶଙ୍କରଙ୍କର । ସେ ହାଣ୍ଡିଏ କାଳି ତିଆରି କରିବେ । ପିଲାଏ ନିଜନିଜ ଦୁଆତରେ ସେହି କାଳିକୁ ଆଣି ପରୀକ୍ଷା ଖାତାରେ ଉତ୍ତର ଲେଖିବେ । ଏହି ପରି ପାଠ ପଢ଼ୁ ପଢ଼ୁ ସପ୍ତମ ଶ୍ରେଣୀ ଶେଷ ହୋଇଗଲା । ୧୯୪୨ ମସିହାର ଆରମ୍ଭରେ ଗଙ୍ଗାଧର ଯାତ୍ରା କଲେ କେନ୍ଦୁଝରର ଗିବସନ୍ ହାଇସ୍କୁଲରେ ମାଟ୍ରିକ ପାଠପଢ଼ା ଆରମ୍ଭ କରିବା ପାଇଁ ।  

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଅଛି । ଆଲେଖ୍ୟଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀଶିକ୍ଷାବିତ୍ ଆତ୍ମଲିପିରୁ ସଙ୍ଗୃହିତ ବହିଟିର ପ୍ରଥମ ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ  

Friday, March 06, 2020

ଓଡ଼ିଆ ଭଜନ - 'ଏହି କଥାରେ ମୋ ମନ'

କବି - ବନମାଳି ଦାସ

ଗାୟକ - ରାଧାମଣି ମହାପାତ୍ର


୧୮୮୦ରୁ ୧୯୧୦ ମସିହାରେ ପୁରୀରେ ଅଙ୍କିତ ପଟଚିତ୍ର (ୱିକିମିଡିଆ କମନ୍ସ୍)

ମହାପ୍ରଭୁ ଏହି କଥାରେ ମୋ ମନ
ନିତି ଦେଖୁଥିବି ନୀଳାଦ୍ରିମଣ୍ଡପେ କଞ୍ଜସୁନ୍ଦର ବଦନ । ଘୋଷା ।

ଅଞ୍ଜଳିରେ ଜଳ ପିଇ ପିନ୍ଧୁଥିବି ବକଳ କରି ବସନ
ଶଚୀପତି ପଦ ତୁଚ୍ଛ ମଣୁଥିବି ଥିଲେ ତୁମ୍ଭ ସନ୍ନିଧାନ । ୧ ।

ଲୋଭୀ ହୋଇଥିବି ଅର୍ଦ୍ଧଚନ୍ଦ୍ରମୁଖ ଚନ୍ଦନଲାଗି ବେଳକୁ
ଧୀରେ ଚାହୁଁଥିବି ବିପୁଳ ଭୁଜକୁ ସୁଭଦ୍ରା କାମପାଳକୁ । ୨ ।

ଅବକାଶମାନଙ୍କରେ ମୋ ଲାଳସ ହୋଇଥିବ ଅହର୍ନିଶ
ତେତେବେଳେ ଡୋଳେ ହେଳେ ନ ଦେଖିବି ବ୍ରହ୍ମା ରୁଦ୍ର ଦିନଈଶ । ୩ ।

ନିତି ବଦନଚନ୍ଦ୍ରକୁ ଚାହିଁ ମୁହିଁ ତାପତ୍ରୟକୁ ନାଶିବି
ବୋଲେ ବନମାଳୀ ଜନ୍ତୁପତି ଭୟ ଲୋକକୁ ଚାହିଁ ହସିବି । ୪ ।

Sunday, February 16, 2020

ଗଙ୍ଗାଧର ବଳଙ୍କ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ


ବ୍ରିଟିଶ ଅମଳର ଉତ୍ତର ଓଡ଼ିଶାର ଗଡ଼ଜାତଗୁଡ଼ିକର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଓ ଗବେଷକ ଗଙ୍ଗାଧର ବଳଙ୍କ ନିଜର ପୈତୃକ ଗ୍ରାମ ହେଲା ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ଓସ୍ତପାଳ ଗାଁ । ଟମକା ପାହାଡ଼ ଗାଁର ନୈୠତ କୋଣ ଆଡ଼କୁ, ଛଅ ସାତ କିଲୋମିଟର ଦୂରରେ । ବାପାଙ୍କର ନାମ ହେଲା ନନ୍ଦକିଶୋର ଶା ଓ ମାତାଙ୍କର ନାମ ଉଷା ଦେଈ । ଘଟଣାକ୍ରମରେ ସେ ବଡ଼ ହୁଅନ୍ତି ମାମୁଁ ଘରେ । ମାମୁଁ ଘର ଗାଁ ହେଲା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବ୍‌ଡିଭିଜନ୍‌ର ପୁରୁଣିଆଁ । ସ୍ୱାଧୀନତା ପୂର୍ବର କେନ୍ଦୁଝର ଗଡ଼ଜାତରେ ହିଁ ତାଙ୍କର ଛାତ୍ରଜୀବନର ଉନ୍ମେଷ ଘଟେ ।

ଗଙ୍ଗାଧରଙ୍କର ଜନ୍ମ ହେଲା ୧୩୩୪ ସାଲର ଭାଦ୍ରବ ମାସର ପୂର୍ଣ୍ଣମୀ ତିଥିରେ । ପ୍ରମାଣପତ୍ର ଅନୁସାରେ ଜନ୍ମ ତାରିଖଟି ହେଲା ୧୦ ଅଗଷ୍ଟ, ୧୯୨୭ । ଜନ୍ମ ହେଲା ନିଜ ଗାଁରେ । ହେଲେ ସେ ଦୁନିଆକୁ ଆସିବା ପରେ ମାଙ୍କର ଦେହ ଭାଙ୍ଗି ଗଲା । ଓସ୍ତପାଳରେ ସେବେ ଚିକିତ୍ସାର କୌଣସି ସୁବିଧା ନ ଥିବାରୁ ତାଙ୍କ ଅଜା ମାପିଲାଙ୍କୁ ପୁରୁଣିଆଁ ନେଇ ଆସିଲେ । ହେଲେ ମାତ୍ର କିଛି ମାସ ପରେ ଗଙ୍ଗାଧରଙ୍କ ମା ଆରପାରିକୁ ଚାଲିଗଲେ । ଅଜା ଆଇ ମାମୁଁ ମାଇଁ ଙ୍କର ସ୍ନେହ ଓ ଆକଟ ଭିତରେ ସେ ବଡ଼ ହେଲେ ।

ଗାଁର ସ୍କୁଲଟି ଥାଏ ଦକ୍ଷିଣ ଦିଗରେ, ନାଳ କୂଳକୁ । ସେହି ଅଞ୍ଚଳର ପାଞ୍ଚଟି ଗ୍ରାମର ଛାତ୍ରମାନେ ଆସି ସେଠାରେ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟଟିର ଚାରିପାଖେ ପାଚେରି ନ ଥିଲା । ସ୍କୁଲକୁ ଜଗିଥିଲା ଶକତ ମଜଭୁତ ବାଡ଼ଟିଏ; ତା’ ମଧ୍ୟରେ ଜାମୁକୋଳିର ଗଛଟିମାନ । ସ୍କୁଲର ବୋର୍ଡ଼ିଂଟି ଥିଲା ଗଉଡ଼ ସାହିକୁ ଲାଗିଥିବା ବରଗଛ ନିକଟରେ । ପୂର୍ବ-ପଶ୍ଚିମ ଦିଗରେ ଲମ୍ବାଳିଆ ହୋଇ ଚାଳଘରଟିଏ ସ୍କୁଲଗୃହ ଭାବରେ ବ୍ୟବହୃତ ହେଉଥିଲା । ସ୍କୁଲ ଫାଟକଠୁଁ ନେଇ ଚାଳଟି ପର୍ଯ୍ୟନ୍ତ ବିଭିନ୍ନ ଫୁଲଗଛ ଲଗା ହୋଇଥିଲା । ପଶ୍ଚିମ ଭାଗରେ ଥିଲା ଶିଶୁ ଓ ପ୍ରଥମ ଶ୍ରେଣୀ । ପୂର୍ବ ଭାଗରେ ଥିଲା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ । ଦୁଇଟି ଯାକ ଭାଗରେ ଶିକ୍ଷକମାନଙ୍କର ବ୍ୟବହାର ପାଇଁ ଥିଲା ଗୋଟେ ଲେଖାଏଁ ମେଜ, ଚଉକି, ଟୁଲ୍ ଓ କାଠ ଷ୍ଟାଣ୍ଡ ଉପରେ କଳାପଟା ।

ଶିଶୁ ଶ୍ରେଣୀରେ ପିଲାଙ୍କ ପାଠ୍ୟସାମଗ୍ରୀ ଭିତରେ ସିଲଟ, ଖଡ଼ି, ଖଡ଼ି ରଖିବା ପାଇଁ ଗୋଟିଏ ଛୋଟ କଳାମୁଣି, ବହି, କାଠି ଓ ପୋଡ଼ାକୟାଁ ମଞ୍ଜି ରହୁଥିଲା । ଏ ସବୁତକ କନା ବସ୍ତାନିରେ ବନ୍ଧା ଯାଉଥିଲା । ଉଚ୍ଚ ଶ୍ରେଣୀମାନଙ୍କରେ ବହିଖାତା ଓ ସିଲଟଖଡ଼ି ଆଦି ସହ କାଳିଦୁଆତ, ନିବ୍ ଲଗା କଲମ, ଇଞ୍ଚପଟା, ପେନ୍‌ସିଲ୍ ଓ ରବର ଆଦି ପିଲାଏ ବ୍ୟବହରା କରୁଥିଲେ । ପିଲାଏ ନିଜେ କାଗଜ ଆଣି, ବାଲି କାଗଜର ମଲାଟ ଦେଇ, ଖାତା ବାନ୍ଧୁଥିଲେ । ସ୍କୁଲ ଆରମ୍ଭରେ ହେଉଥିଲା ପ୍ରାର୍ଥନା । ତାହା ପରେ ଯେଝା ସ୍ଥାନରେ ଚାଟମାନେ ଚଟେଇ ପକାଇ ବସିଯାଉଥିଲେ । ଶିଶୁ ଶ୍ରେଣୀର ପିଲାମାନେ ସଙ୍ଖ୍ୟା ଡାକୁଥିଲେ । ପ୍ରଥମ ଶ୍ରେଣୀର ପିଲାମାନେ ପଣିକିଆ, ସଂଶ୍ଲେଷଣ ଓ ବିଶ୍ଲେଷଣ ଡାକୁଥିଲେ । ଉଭୟ ଶିଶୁ ଓ ପ୍ରଥମ ଶ୍ରେଣୀର ପିଲାଏ ଫଳା ଡାକିବା ସମୟରେ ଆବୃତ୍ତି ମଧ୍ୟ କରୁଥିଲେ । ପ୍ରାଥମିକ ଶ୍ରେଣୀମାନଙ୍କରେ ଖାତାରେ ଦୁଇଟିକିଆ ଗାର ପକାଇ ପିଲାଏ ନିଇତି ହସ୍ତାକ୍ଷର ଲେଖୁଥିଲେ । ତାହା ପର ଦିନ ତାହାକୁ ଶିକ୍ଷକଙ୍କ ନୀରିକ୍ଷଣ ପାଇଁ ଜମା ଦେବାକୁ ହେଉଥିଲା ।

ପଢ଼ା ଶେଷରେ ଖେଳ ଓ ବଗିଚା କାମ ପିଲାମାନେ କରୁଥିଲେ । ସ୍କୁଲର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ସେତେବେଳେ ଅପେକ୍ଷାକୃତ ଭାବରେ ଅଧିକ ବୟସର ପିଲାମାନେ ପଢ଼ୁଥିଲେ । ସେମାନେ ଚାଷବାସ ଉତ୍ତମ ରୂପେ କରିପାରୁଥିବାରୁ ତାଙ୍କର କୃଷି ଅଭ୍ୟାସ ପାଇଁ ସ୍କୁଲର ବଗିଚାଟି ଉତ୍ତମ ରୂପେ ବ୍ୟବହୃତ ହେଉଥିଲା । ସେମାନେ ତେଣ୍ଡାରେ ପାଣି ବାହି ୠତୁ ଅନୁସାରେ ପରିବା ଚାଷ କରୁଥିଲେ । ବର୍ଷାଦିନେ ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, ଗୁଆଁର, ସାରୁ ଓ ବାଇଗଣ ଚାଷ ହେଉଥିଲା । ସେହିପରି ପିଲାମାନେ ଶୀତ ଦିନେ ପାତାଲ୍‌ଘଁଟା, କୋବି, ଲଙ୍କା, ଫିରିକି ଓ କୋଶଳା ଆଦି ଉତରାଉଥିଲେ ।

ସ୍କୁଲ ହତା ଭିତରେ ଥାଏ ଗୋଟିଏ ବୃହତକାୟ ଜରଗଛ ବା ୟୁକାଲିପ୍‌ଟ୍ସ୍ ବୃକ୍ଷ । ମାସର ପନ୍ଦର ତାରିଖ ଦିନ ମାଷ୍ଟ୍ରେ ଦରମା ଆଣିବା ପାଇଁ ଆନନ୍ଦପୁର ଗଲେ, ପିଲାଙ୍କର ମଉଜ । ସେଦିନ ନ ଫେରିଲେ ତାହା ପର ଦିନ ବି ପିଲାଙ୍କର ଆନନ୍ଦ ଉତ୍ସବ ଜାରି ରହେ । ଖାଲି ଯାହା କିଛି ବଡ଼ ଚାଟ ଜରଗଛ ଉପରେ ଚଢ଼ି ମାଷ୍ଚ୍ରଙ୍କର ଫେରନ୍ତା ବାଟକୁ ପାଳି କରି ଅନିସା କରି ରହନ୍ତି, ଯେପରି ଧରା ନ ପଡ଼ନ୍ତି ।

ଗଙ୍ଗାଧର ବାବୁଙ୍କର ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାରେ ସେପରି ବିଶେଷ କିଛି ଆଗ୍ରହ ନ ଥିଲା । ତାଙ୍କର ବିଶେଷତଃ ଗଣିତ ଓ ମାନସାଙ୍କ ଆଦି ପ୍ରତି ଭାରି ଡର ଥିଲା । କିନ୍ତୁ ଦ୍ୱିତୀୟ ଶ୍ରେଣୀକୁ ଗଲା ପରେ ସାହିତ୍ୟ, ରଚନା, ଇତିହାସ ଓ ଭୂଗୋଳ ଆଦି ବିଷୟ ପ୍ରତି ତାଙ୍କର ଧୀରେଧୀରେ ଆଗ୍ରହ ଜନ୍ମିଲା । ହସ୍ତାକ୍ଷର ମଧ୍ୟ ସୁଧୁରି ଆଦର୍ଶସ୍ଥାନୀୟ ହେବାକୁ ଆରମ୍ଭ କଲା । ଏଥିରେ କୃଷ୍ଣଚନ୍ଦ୍ର ବଳ ନାମକ ଜଣେ ନୂଆ ଆଦର୍ଶ ହେଡ଼ ପଣ୍ଡିତଙ୍କର ଭୂମିକା ଥିଲା ଗୁରୁତ୍ତ୍ୱପୂର୍ଣ୍ଣ । ସେ ପିଲାଙ୍କୁ ଭଲ ତ ପାଉଥିଲେ । ତାହା ସହ ବୈଜ୍ଞାନିକ ପ୍ରଣାଳୀରେ ଶିକ୍ଷାଦାନ କରୁଥିଲେ । ତାଙ୍କ ପ୍ରଭାବରୁ ଗଙ୍ଗାଧରଙ୍କ ପରି ଅନେକ ଶିକ୍ଷାରେ ଅନାଗ୍ରହୀ ପିଲା ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ଲାଗିଲେ । ଗଙ୍ଗାଧର ନିଜେ ତୃତୀୟ ଶ୍ରେଣୀ ଶେଷ ବୃତ୍ତି ପରୀକ୍ଷାରେ ଭଲ କରି ଆନନ୍ଦପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଲେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସ‌ଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ ।

Saturday, February 08, 2020

କଲେଜିଏଟ୍ ସ୍କୁଲ୍‌ରେ ବିଦ୍ୟାଧର


ଶୈଲେନ ରାଉତରାୟ


୨୦୧୩ ମସିହାରେ ଉତ୍ତୋଳିତ ରେଭେନ୍ସା କଲେଜିଏଟ୍ ସ୍କୁଲ୍‌ର ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍
ଚିତ୍ରୋତ୍ତଳକ - କମଳାକାନ୍ତ


୧୯୩୦ ଡିସେମ୍ବର ମାସରେ ପର ସମୟର ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ର ପ୍ରଥମେ କଟକ ଆସିଲେ ମାଇନର ବୃତ୍ତି ପରୀକ୍ଷା ଦେବା ପାଇଁ । ସେ ବୃତ୍ତି ପାଇଲେ ନାହିଁ । ଏଣେ ଆଗକୁ କିପରି ପଢ଼ିବେ ସେ ନେଇ ତାଙ୍କର ଭାଳେଣି ପଡ଼ିଲା । ୧୯୩୦ ଦଶକର ଆରମ୍ଭରେ ଅବିଭକ୍ତ କଟକର ଜିଲ୍ଲାରେ ଥାଏ ଛଅଟି ଉଚ୍ଚ ବିଦ୍ୟାଳୟ । ସେଥି ମଧ୍ୟରୁ ପାଞ୍ଚଟି କଟକ ସହର ଭିତରେ । ଷଷ୍ଠଟି ଥାଏ କୁଜଙ୍ଗରେ । କଟକରେ ରହି ପଢ଼ିବା ପାଇଁ ମାସକୁ ଆଠରୁ ଦଶ ଟଙ୍କା ଖର୍ଚ୍ଚ ହେଉଥିଲା । ଗୋଟିଏ ସଙ୍ଗତିସମ୍ପନ୍ନ ଶାସନୀ ବ୍ରାହ୍ମଣ ପରିବାରର ସନ୍ତାନ ହୋଇଥିଲେ ହେଁ କେବଳ ଚାଷ ଉପରେ ନିର୍ଭର କରି ଚଳୁଥିବାରୁ ତାଙ୍କର ଗାର୍ଜନମାନେ କଟକରେ ତାଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲାଇବା ଅବସ୍ଥାରେ ନଥିଲେ ।

ସେହି ସମୟରେ ବିଦ୍ୟାଧର ଶୁଣିଲେ ଯେ ତାଙ୍କୁ ସ୍ନେହ କରୁଥିବା ତାଙ୍କ ମାଇନର ସ୍କୁଲର ଜଣେ ପୂର୍ବତନ ହେଡ଼ମାଷ୍ଟର ଗୋଟିଏ ବ୍ରାହ୍ଣଣ ମେସ୍‌ରେ ରହି ପି.ଏଲ୍. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସେଠି ତାଙ୍କରି ଉଦ୍ୟମରେ ରିହାତିରେ ରହି ପଢ଼ିବା ପାଇଁ ଠିକ୍ ହେଲା । ଏହି ମେସ୍‌ଟି କିଛି ଦିନ ଗଙ୍ଗମନ୍ଦିର ଗଳିରେ ବୁଲା ସାହୁଙ୍କ ଘରେ ଓ ତାହା ପରେ କାଜିବଜାର ଛକରେ ଚାଲିଥିଲା । ୧୯୩୩ ମସିହା ନଭେମ୍ବରରୁ ସେ ରହିଲେ ତାଙ୍କ ବଡ଼ ଭାଇଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଅକ୍ଷୟ କୁମାର ଦାଶଙ୍କ ଯୋବ୍ରା ସ୍ଥିତ ସରକାରୀ ବାସଭାବନରେ, ତାଙ୍କ ପରିବାର ସହ, ଘରର ଜଣେ ହୋଇ । ଅକ୍ଷୟ ବାବୁ ମଧ୍ୟ ଜାତିରେ ବ୍ରାହ୍ମଣ । ସେ ସେହି ସମୟରେ କଟକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁ ଥାଆନ୍ତି । ତାଙ୍କର ପରେ କେନ୍ଦ୍ରାପଡ଼ା ବଦଳି ହୋଇଯିବାରୁ ବିଦ୍ୟାଧର ହାଇ ସ୍କୁଲ ପଢ଼ାର ଶେଷ ଚାରି ମାସ ଖଣ୍ଡେ ସମୟ ରହିଲେ କାଠଯୋଡ଼ି ଛାତ୍ରାବାସରେ ।

୧୯୩୨ ମସିହା ଜାନୁଆରୀ ମାସରେ ନିଜ ଦଦେଇଙ୍କ ସହିତ ଯାଇ ସେ କଲେଜିଏଟ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ । ସେବେ କଟକ ନଗରର ସବୁଠୁ ଭଲ ସ୍କୁଲ ଥିଲା ଏଇ ସରକାରୀ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟ । କେବଳ କଟକର ନୁହଁ, ପୂରା ଓଡ଼ିଶାର ସବୁଠାରୁ ଭଲ ଉଚ୍ଚ ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନଟିକୁ ଗଣା ହେଉଥିଲା । କାଠଯୋଡ଼ି ନଈ କୂଳର ଏହି ସ୍କୁଲର କୋଠାରେ ହିଁ ୧୮୬୮ରୁ ୧୯୨୧ ପର୍ଯ୍ୟନ୍ତ ରେଭେନ୍ସା କଲେଜ ଚାଲିଥିଲା । ବିଦ୍ୟାଧର ବାବୁ ଛାତ୍ର ଥିବା ବେଳ ସ୍କୁଲଟିର ପରିବେଶ ଶୃଙ୍ଖଳିତ ଥିଲା । ଶିକ୍ଷକମାନେ ପ୍ରାୟତଃ ଉଚ୍ଚ ଉପାଧିସମ୍ପନ୍ନ, ଦକ୍ଷ ଓ ଶିକ୍ଷାଦାନରେ ଆଗ୍ରହୀ ଥିଲେ । ବିଦ୍ୟାଧର କଲେଜିଏଟ୍‌ରେ ପଢ଼ିବା ସମୟର ଚାରି ବର୍ଷ ଯାକ ବିଶ୍ୱମ୍ଭର ମିଶ୍ର ପ୍ରଧାନ ଶିକ୍ଷକ ଥିଲେ ।

ଅଷ୍ଟମରୁ ଏକାଦଶ ଯାଏଁ ଚାରୋଟି ଯାକ ଶ୍ରେଣୀରେ ଇତିହାସ, ଭୂଗୋଳ, ଗଣିତ, ବୀଜଗଣିତ, ଜ୍ୟାମିତି, ତ୍ରିକୋଣମିତି ଓ ମେନ୍‌ସୁରେସନ୍ ଆଦି ବିଷୟ ପଢ଼ା ହେଉଥିଲା । ପାଠ୍ୟପୁସ୍ତକଗୁଡ଼ିକ ଥିଲା ଇଂରାଜୀରେ ଲିଖିତ । ସେଗୁଡ଼ିକ ପ୍ରାୟତଃ କଲିକତାର ବଙ୍ଗଭାଷୀ ଶିକ୍ଷକ ଓ ଅଧ୍ୟାପକଙ୍କ ଦ୍ୱାରା ଲିଖିତ ଥିଲା । ଆଲଜେବ୍ରା ପାଇଁ ଜେ.ପି. ବସୁ, ଗଣିତ ପାଇଁ ଜେ.ସି. ଚକ୍ରବର୍ତ୍ତୀ, ମେନ୍‌ସୁରେସନ୍ ପାଇଁ ଜି.ବି. ମିତ୍ର, ଟ୍ରିଗୋନୋମେଟ୍ରି ପାଇଁ ଏଲ୍.କେ. ମିତ୍ର, ଜ୍ୟାମିତି ପାଇଁ ଶାରଦା ଗାଙ୍ଗୁଲି, ଭୂଗୋଳ ପାଇଁ ଜେ.ଏନ୍. ଘୋଷ, ଭାରତ ଇତିହାସ ପାଇଁ ଆର୍‌.ଡ଼ି. ବାନାର୍ଜୀ ତଥା ଇଂଲଣ୍ଡ ଇତିହାସ ପାଇଁ ଏଲ୍.କେ. ମୁଖାର୍ଜୀଙ୍କ ବହିମାନ ସେବେ ଓଡ଼ିଶା ଡିଭିଜନର ଉଚ୍ଚ ବିଦ୍ୟାଳୟମାନଙ୍କରେ ଚଳୁଥିଲା । ଅର୍ଥାତ୍, ସେହି ସ୍ତରରେ ପାଠ୍ୟପୁସ୍ତକ ଲିଖନର ବ୍ୟବସାୟ ଥିଲା ବଙ୍ଗାଳୀ ଉଚ୍ଚଜାତିର ପୁରୁଷ (ବିଶେଷତଃ ବ୍ରାହ୍ମଣ ଓ କାୟସ୍ଥ ଜାତିର) ମାନଙ୍କର ହସ୍ତମୁଦି ମାହାଲ । ଏହା ବ୍ୟତୀତ ଇଂରାଜୀ ସାହିତ୍ୟ ଓ ବ୍ୟାକରଣ ବହି ସବୁର ଲେଖକ ପ୍ରାୟତଃ ସବୁ ଇଂରେଜ ହିଁ ଥିଲେ । ସେବେ ମାନେ ବହିର ପ୍ରଚଳନ ନ ଥିଲା । ଖାଲି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପଛ ଦଶ ବର୍ଷର ପ୍ରଶ୍ନପତ୍ର ଟେଷ୍ଟପେପର ଆକାରରେ ମିଳୁ ଥିଲା ; କିନ୍ତୁ ସେଥିରେ ଉତ୍ତର ରହୁ ନ ଥିଲା ।

କଲେଜିଏଟ୍‌ ସ୍କୁଲରେ ପଢ଼ିବା ବେଳେ ପର ସମୟର ପ୍ରଖ୍ୟାତ ଅଧ୍ୟାପକ ଶ୍ରୀରାମଚନ୍ଦ୍ର ଦାଶ ବିଦ୍ୟାଧରଙ୍କ ବ୍ୟାଚ୍‌ର ସହପାଠୀ ଥିଲେ । ବିଦ୍ୟାଧର ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ଏକାଦଶ ଅର୍ଥାତ୍ ଶେଷ ଶ୍ରେଣୀ ର ଛାତ୍ର ଥିଲେ । ଫୁଟବଲ ଖେଳାଳୀ ଭାବରେ ଓ ଜଣେ ନେତୃତ୍ୱବାନ ପିଲା ବୋଲି ତାଙ୍କର ଖ୍ୟାତି ଥିଲା । ବିଦ୍ୟାଧର ବାବୁଙ୍କ କହିବା ଅନୁସାରେ ବହୁତ କଷ୍ଟ ସହି ସେ କଲେଜିଏଟରେ ପାଠ ପଢ଼ିଥିଲେ । ହେଲେ ମାଟ୍ରିକ ପାସ୍ କରିବା ପୂର୍ବରୁ ସେ ସାଇକେଲଟିଏ କିଣି କଟକରେ ଯାଆସ କରୁଥିଲେ, ଯେତେବେଳେ ଶୂନଗାଡ଼ି ଥିଲା ଯୌତୁକଯୋଗ୍ୟ ଏକ ଲୋଭନୀୟ ଚିଜ଼ । ହାଇସ୍କୁଲରେ ବିଦ୍ୟାଧର ନିୟମିତ ରାଙ୍କ୍ ରଖୁଥିଲେ । ବିଦ୍ୟାଳୟର ପତ୍ରିକାରେ ନିୟମିତ ଲେଖାଲେଖି କରି ସେ ନିଜ ଲେଖକୀୟ ଜୀବନର ଏହିଠାରେ ମୂଳଦୁଆ ପକାଇଲେ । ୧୯୩୬ ମସିହା ଫେବୃଆରୀରେ ସେ ମାଟ୍ରିକ ପରୀକ୍ଷାରେ ବସିଲେ । ସେହି ବର୍ଷର ଅପ୍ରେଲରେ ଫଳ ବାହାରିଲା । ବହୁତ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ସେ ଉତ୍ତୀର୍ଣ୍ଣ ହେଲେ ଆଉ ମାସକୁ ପନ୍ଦର ଟଙ୍କିଆ ଓଡ଼ିଶା ଡିଭିଜନାଲ ବୃତ୍ତି ପାଇଲେ । ଉଚ୍ଚ ଶିକ୍ଷା ପାଇଁ ବାଟ ଫିଟିଗଲା ।

ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ । ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।