Sunday, February 16, 2020

ଗଙ୍ଗାଧର ବଳଙ୍କ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ


ବ୍ରିଟିଶ ଅମଳର ଉତ୍ତର ଓଡ଼ିଶାର ଗଡ଼ଜାତଗୁଡ଼ିକର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଓ ଗବେଷକ ଗଙ୍ଗାଧର ବଳଙ୍କ ନିଜର ପୈତୃକ ଗ୍ରାମ ହେଲା ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ଓସ୍ତପାଳ ଗାଁ । ଟମକା ପାହାଡ଼ ଗାଁର ନୈୠତ କୋଣ ଆଡ଼କୁ, ଛଅ ସାତ କିଲୋମିଟର ଦୂରରେ । ବାପାଙ୍କର ନାମ ହେଲା ନନ୍ଦକିଶୋର ଶା ଓ ମାତାଙ୍କର ନାମ ଉଷା ଦେଈ । ଘଟଣାକ୍ରମରେ ସେ ବଡ଼ ହୁଅନ୍ତି ମାମୁଁ ଘରେ । ମାମୁଁ ଘର ଗାଁ ହେଲା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବ୍‌ଡିଭିଜନ୍‌ର ପୁରୁଣିଆଁ । ସ୍ୱାଧୀନତା ପୂର୍ବର କେନ୍ଦୁଝର ଗଡ଼ଜାତରେ ହିଁ ତାଙ୍କର ଛାତ୍ରଜୀବନର ଉନ୍ମେଷ ଘଟେ ।

ଗଙ୍ଗାଧରଙ୍କର ଜନ୍ମ ହେଲା ୧୩୩୪ ସାଲର ଭାଦ୍ରବ ମାସର ପୂର୍ଣ୍ଣମୀ ତିଥିରେ । ପ୍ରମାଣପତ୍ର ଅନୁସାରେ ଜନ୍ମ ତାରିଖଟି ହେଲା ୧୦ ଅଗଷ୍ଟ, ୧୯୨୭ । ଜନ୍ମ ହେଲା ନିଜ ଗାଁରେ । ହେଲେ ସେ ଦୁନିଆକୁ ଆସିବା ପରେ ମାଙ୍କର ଦେହ ଭାଙ୍ଗି ଗଲା । ଓସ୍ତପାଳରେ ସେବେ ଚିକିତ୍ସାର କୌଣସି ସୁବିଧା ନ ଥିବାରୁ ତାଙ୍କ ଅଜା ମାପିଲାଙ୍କୁ ପୁରୁଣିଆଁ ନେଇ ଆସିଲେ । ହେଲେ ମାତ୍ର କିଛି ମାସ ପରେ ଗଙ୍ଗାଧରଙ୍କ ମା ଆରପାରିକୁ ଚାଲିଗଲେ । ଅଜା ଆଇ ମାମୁଁ ମାଇଁ ଙ୍କର ସ୍ନେହ ଓ ଆକଟ ଭିତରେ ସେ ବଡ଼ ହେଲେ ।

ଗାଁର ସ୍କୁଲଟି ଥାଏ ଦକ୍ଷିଣ ଦିଗରେ, ନାଳ କୂଳକୁ । ସେହି ଅଞ୍ଚଳର ପାଞ୍ଚଟି ଗ୍ରାମର ଛାତ୍ରମାନେ ଆସି ସେଠାରେ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟଟିର ଚାରିପାଖେ ପାଚେରି ନ ଥିଲା । ସ୍କୁଲକୁ ଜଗିଥିଲା ଶକତ ମଜଭୁତ ବାଡ଼ଟିଏ; ତା’ ମଧ୍ୟରେ ଜାମୁକୋଳିର ଗଛଟିମାନ । ସ୍କୁଲର ବୋର୍ଡ଼ିଂଟି ଥିଲା ଗଉଡ଼ ସାହିକୁ ଲାଗିଥିବା ବରଗଛ ନିକଟରେ । ପୂର୍ବ-ପଶ୍ଚିମ ଦିଗରେ ଲମ୍ବାଳିଆ ହୋଇ ଚାଳଘରଟିଏ ସ୍କୁଲଗୃହ ଭାବରେ ବ୍ୟବହୃତ ହେଉଥିଲା । ସ୍କୁଲ ଫାଟକଠୁଁ ନେଇ ଚାଳଟି ପର୍ଯ୍ୟନ୍ତ ବିଭିନ୍ନ ଫୁଲଗଛ ଲଗା ହୋଇଥିଲା । ପଶ୍ଚିମ ଭାଗରେ ଥିଲା ଶିଶୁ ଓ ପ୍ରଥମ ଶ୍ରେଣୀ । ପୂର୍ବ ଭାଗରେ ଥିଲା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ । ଦୁଇଟି ଯାକ ଭାଗରେ ଶିକ୍ଷକମାନଙ୍କର ବ୍ୟବହାର ପାଇଁ ଥିଲା ଗୋଟେ ଲେଖାଏଁ ମେଜ, ଚଉକି, ଟୁଲ୍ ଓ କାଠ ଷ୍ଟାଣ୍ଡ ଉପରେ କଳାପଟା ।

ଶିଶୁ ଶ୍ରେଣୀରେ ପିଲାଙ୍କ ପାଠ୍ୟସାମଗ୍ରୀ ଭିତରେ ସିଲଟ, ଖଡ଼ି, ଖଡ଼ି ରଖିବା ପାଇଁ ଗୋଟିଏ ଛୋଟ କଳାମୁଣି, ବହି, କାଠି ଓ ପୋଡ଼ାକୟାଁ ମଞ୍ଜି ରହୁଥିଲା । ଏ ସବୁତକ କନା ବସ୍ତାନିରେ ବନ୍ଧା ଯାଉଥିଲା । ଉଚ୍ଚ ଶ୍ରେଣୀମାନଙ୍କରେ ବହିଖାତା ଓ ସିଲଟଖଡ଼ି ଆଦି ସହ କାଳିଦୁଆତ, ନିବ୍ ଲଗା କଲମ, ଇଞ୍ଚପଟା, ପେନ୍‌ସିଲ୍ ଓ ରବର ଆଦି ପିଲାଏ ବ୍ୟବହରା କରୁଥିଲେ । ପିଲାଏ ନିଜେ କାଗଜ ଆଣି, ବାଲି କାଗଜର ମଲାଟ ଦେଇ, ଖାତା ବାନ୍ଧୁଥିଲେ । ସ୍କୁଲ ଆରମ୍ଭରେ ହେଉଥିଲା ପ୍ରାର୍ଥନା । ତାହା ପରେ ଯେଝା ସ୍ଥାନରେ ଚାଟମାନେ ଚଟେଇ ପକାଇ ବସିଯାଉଥିଲେ । ଶିଶୁ ଶ୍ରେଣୀର ପିଲାମାନେ ସଙ୍ଖ୍ୟା ଡାକୁଥିଲେ । ପ୍ରଥମ ଶ୍ରେଣୀର ପିଲାମାନେ ପଣିକିଆ, ସଂଶ୍ଲେଷଣ ଓ ବିଶ୍ଲେଷଣ ଡାକୁଥିଲେ । ଉଭୟ ଶିଶୁ ଓ ପ୍ରଥମ ଶ୍ରେଣୀର ପିଲାଏ ଫଳା ଡାକିବା ସମୟରେ ଆବୃତ୍ତି ମଧ୍ୟ କରୁଥିଲେ । ପ୍ରାଥମିକ ଶ୍ରେଣୀମାନଙ୍କରେ ଖାତାରେ ଦୁଇଟିକିଆ ଗାର ପକାଇ ପିଲାଏ ନିଇତି ହସ୍ତାକ୍ଷର ଲେଖୁଥିଲେ । ତାହା ପର ଦିନ ତାହାକୁ ଶିକ୍ଷକଙ୍କ ନୀରିକ୍ଷଣ ପାଇଁ ଜମା ଦେବାକୁ ହେଉଥିଲା ।

ପଢ଼ା ଶେଷରେ ଖେଳ ଓ ବଗିଚା କାମ ପିଲାମାନେ କରୁଥିଲେ । ସ୍କୁଲର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ସେତେବେଳେ ଅପେକ୍ଷାକୃତ ଭାବରେ ଅଧିକ ବୟସର ପିଲାମାନେ ପଢ଼ୁଥିଲେ । ସେମାନେ ଚାଷବାସ ଉତ୍ତମ ରୂପେ କରିପାରୁଥିବାରୁ ତାଙ୍କର କୃଷି ଅଭ୍ୟାସ ପାଇଁ ସ୍କୁଲର ବଗିଚାଟି ଉତ୍ତମ ରୂପେ ବ୍ୟବହୃତ ହେଉଥିଲା । ସେମାନେ ତେଣ୍ଡାରେ ପାଣି ବାହି ୠତୁ ଅନୁସାରେ ପରିବା ଚାଷ କରୁଥିଲେ । ବର୍ଷାଦିନେ ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, ଗୁଆଁର, ସାରୁ ଓ ବାଇଗଣ ଚାଷ ହେଉଥିଲା । ସେହିପରି ପିଲାମାନେ ଶୀତ ଦିନେ ପାତାଲ୍‌ଘଁଟା, କୋବି, ଲଙ୍କା, ଫିରିକି ଓ କୋଶଳା ଆଦି ଉତରାଉଥିଲେ ।

ସ୍କୁଲ ହତା ଭିତରେ ଥାଏ ଗୋଟିଏ ବୃହତକାୟ ଜରଗଛ ବା ୟୁକାଲିପ୍‌ଟ୍ସ୍ ବୃକ୍ଷ । ମାସର ପନ୍ଦର ତାରିଖ ଦିନ ମାଷ୍ଟ୍ରେ ଦରମା ଆଣିବା ପାଇଁ ଆନନ୍ଦପୁର ଗଲେ, ପିଲାଙ୍କର ମଉଜ । ସେଦିନ ନ ଫେରିଲେ ତାହା ପର ଦିନ ବି ପିଲାଙ୍କର ଆନନ୍ଦ ଉତ୍ସବ ଜାରି ରହେ । ଖାଲି ଯାହା କିଛି ବଡ଼ ଚାଟ ଜରଗଛ ଉପରେ ଚଢ଼ି ମାଷ୍ଚ୍ରଙ୍କର ଫେରନ୍ତା ବାଟକୁ ପାଳି କରି ଅନିସା କରି ରହନ୍ତି, ଯେପରି ଧରା ନ ପଡ଼ନ୍ତି ।

ଗଙ୍ଗାଧର ବାବୁଙ୍କର ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାରେ ସେପରି ବିଶେଷ କିଛି ଆଗ୍ରହ ନ ଥିଲା । ତାଙ୍କର ବିଶେଷତଃ ଗଣିତ ଓ ମାନସାଙ୍କ ଆଦି ପ୍ରତି ଭାରି ଡର ଥିଲା । କିନ୍ତୁ ଦ୍ୱିତୀୟ ଶ୍ରେଣୀକୁ ଗଲା ପରେ ସାହିତ୍ୟ, ରଚନା, ଇତିହାସ ଓ ଭୂଗୋଳ ଆଦି ବିଷୟ ପ୍ରତି ତାଙ୍କର ଧୀରେଧୀରେ ଆଗ୍ରହ ଜନ୍ମିଲା । ହସ୍ତାକ୍ଷର ମଧ୍ୟ ସୁଧୁରି ଆଦର୍ଶସ୍ଥାନୀୟ ହେବାକୁ ଆରମ୍ଭ କଲା । ଏଥିରେ କୃଷ୍ଣଚନ୍ଦ୍ର ବଳ ନାମକ ଜଣେ ନୂଆ ଆଦର୍ଶ ହେଡ଼ ପଣ୍ଡିତଙ୍କର ଭୂମିକା ଥିଲା ଗୁରୁତ୍ତ୍ୱପୂର୍ଣ୍ଣ । ସେ ପିଲାଙ୍କୁ ଭଲ ତ ପାଉଥିଲେ । ତାହା ସହ ବୈଜ୍ଞାନିକ ପ୍ରଣାଳୀରେ ଶିକ୍ଷାଦାନ କରୁଥିଲେ । ତାଙ୍କ ପ୍ରଭାବରୁ ଗଙ୍ଗାଧରଙ୍କ ପରି ଅନେକ ଶିକ୍ଷାରେ ଅନାଗ୍ରହୀ ପିଲା ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ଲାଗିଲେ । ଗଙ୍ଗାଧର ନିଜେ ତୃତୀୟ ଶ୍ରେଣୀ ଶେଷ ବୃତ୍ତି ପରୀକ୍ଷାରେ ଭଲ କରି ଆନନ୍ଦପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଲେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସ‌ଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ ।

Saturday, February 08, 2020

କଲେଜିଏଟ୍ ସ୍କୁଲ୍‌ରେ ବିଦ୍ୟାଧର


ଶୈଲେନ ରାଉତରାୟ


୨୦୧୩ ମସିହାରେ ଉତ୍ତୋଳିତ ରେଭେନ୍ସା କଲେଜିଏଟ୍ ସ୍କୁଲ୍‌ର ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍
ଚିତ୍ରୋତ୍ତଳକ - କମଳାକାନ୍ତ


୧୯୩୦ ଡିସେମ୍ବର ମାସରେ ପର ସମୟର ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ର ପ୍ରଥମେ କଟକ ଆସିଲେ ମାଇନର ବୃତ୍ତି ପରୀକ୍ଷା ଦେବା ପାଇଁ । ସେ ବୃତ୍ତି ପାଇଲେ ନାହିଁ । ଏଣେ ଆଗକୁ କିପରି ପଢ଼ିବେ ସେ ନେଇ ତାଙ୍କର ଭାଳେଣି ପଡ଼ିଲା । ୧୯୩୦ ଦଶକର ଆରମ୍ଭରେ ଅବିଭକ୍ତ କଟକର ଜିଲ୍ଲାରେ ଥାଏ ଛଅଟି ଉଚ୍ଚ ବିଦ୍ୟାଳୟ । ସେଥି ମଧ୍ୟରୁ ପାଞ୍ଚଟି କଟକ ସହର ଭିତରେ । ଷଷ୍ଠଟି ଥାଏ କୁଜଙ୍ଗରେ । କଟକରେ ରହି ପଢ଼ିବା ପାଇଁ ମାସକୁ ଆଠରୁ ଦଶ ଟଙ୍କା ଖର୍ଚ୍ଚ ହେଉଥିଲା । ଗୋଟିଏ ସଙ୍ଗତିସମ୍ପନ୍ନ ଶାସନୀ ବ୍ରାହ୍ମଣ ପରିବାରର ସନ୍ତାନ ହୋଇଥିଲେ ହେଁ କେବଳ ଚାଷ ଉପରେ ନିର୍ଭର କରି ଚଳୁଥିବାରୁ ତାଙ୍କର ଗାର୍ଜନମାନେ କଟକରେ ତାଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲାଇବା ଅବସ୍ଥାରେ ନଥିଲେ ।

ସେହି ସମୟରେ ବିଦ୍ୟାଧର ଶୁଣିଲେ ଯେ ତାଙ୍କୁ ସ୍ନେହ କରୁଥିବା ତାଙ୍କ ମାଇନର ସ୍କୁଲର ଜଣେ ପୂର୍ବତନ ହେଡ଼ମାଷ୍ଟର ଗୋଟିଏ ବ୍ରାହ୍ଣଣ ମେସ୍‌ରେ ରହି ପି.ଏଲ୍. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସେଠି ତାଙ୍କରି ଉଦ୍ୟମରେ ରିହାତିରେ ରହି ପଢ଼ିବା ପାଇଁ ଠିକ୍ ହେଲା । ଏହି ମେସ୍‌ଟି କିଛି ଦିନ ଗଙ୍ଗମନ୍ଦିର ଗଳିରେ ବୁଲା ସାହୁଙ୍କ ଘରେ ଓ ତାହା ପରେ କାଜିବଜାର ଛକରେ ଚାଲିଥିଲା । ୧୯୩୩ ମସିହା ନଭେମ୍ବରରୁ ସେ ରହିଲେ ତାଙ୍କ ବଡ଼ ଭାଇଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଅକ୍ଷୟ କୁମାର ଦାଶଙ୍କ ଯୋବ୍ରା ସ୍ଥିତ ସରକାରୀ ବାସଭାବନରେ, ତାଙ୍କ ପରିବାର ସହ, ଘରର ଜଣେ ହୋଇ । ଅକ୍ଷୟ ବାବୁ ମଧ୍ୟ ଜାତିରେ ବ୍ରାହ୍ମଣ । ସେ ସେହି ସମୟରେ କଟକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁ ଥାଆନ୍ତି । ତାଙ୍କର ପରେ କେନ୍ଦ୍ରାପଡ଼ା ବଦଳି ହୋଇଯିବାରୁ ବିଦ୍ୟାଧର ହାଇ ସ୍କୁଲ ପଢ଼ାର ଶେଷ ଚାରି ମାସ ଖଣ୍ଡେ ସମୟ ରହିଲେ କାଠଯୋଡ଼ି ଛାତ୍ରାବାସରେ ।

୧୯୩୨ ମସିହା ଜାନୁଆରୀ ମାସରେ ନିଜ ଦଦେଇଙ୍କ ସହିତ ଯାଇ ସେ କଲେଜିଏଟ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ । ସେବେ କଟକ ନଗରର ସବୁଠୁ ଭଲ ସ୍କୁଲ ଥିଲା ଏଇ ସରକାରୀ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟ । କେବଳ କଟକର ନୁହଁ, ପୂରା ଓଡ଼ିଶାର ସବୁଠାରୁ ଭଲ ଉଚ୍ଚ ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନଟିକୁ ଗଣା ହେଉଥିଲା । କାଠଯୋଡ଼ି ନଈ କୂଳର ଏହି ସ୍କୁଲର କୋଠାରେ ହିଁ ୧୮୬୮ରୁ ୧୯୨୧ ପର୍ଯ୍ୟନ୍ତ ରେଭେନ୍ସା କଲେଜ ଚାଲିଥିଲା । ବିଦ୍ୟାଧର ବାବୁ ଛାତ୍ର ଥିବା ବେଳ ସ୍କୁଲଟିର ପରିବେଶ ଶୃଙ୍ଖଳିତ ଥିଲା । ଶିକ୍ଷକମାନେ ପ୍ରାୟତଃ ଉଚ୍ଚ ଉପାଧିସମ୍ପନ୍ନ, ଦକ୍ଷ ଓ ଶିକ୍ଷାଦାନରେ ଆଗ୍ରହୀ ଥିଲେ । ବିଦ୍ୟାଧର କଲେଜିଏଟ୍‌ରେ ପଢ଼ିବା ସମୟର ଚାରି ବର୍ଷ ଯାକ ବିଶ୍ୱମ୍ଭର ମିଶ୍ର ପ୍ରଧାନ ଶିକ୍ଷକ ଥିଲେ ।

ଅଷ୍ଟମରୁ ଏକାଦଶ ଯାଏଁ ଚାରୋଟି ଯାକ ଶ୍ରେଣୀରେ ଇତିହାସ, ଭୂଗୋଳ, ଗଣିତ, ବୀଜଗଣିତ, ଜ୍ୟାମିତି, ତ୍ରିକୋଣମିତି ଓ ମେନ୍‌ସୁରେସନ୍ ଆଦି ବିଷୟ ପଢ଼ା ହେଉଥିଲା । ପାଠ୍ୟପୁସ୍ତକଗୁଡ଼ିକ ଥିଲା ଇଂରାଜୀରେ ଲିଖିତ । ସେଗୁଡ଼ିକ ପ୍ରାୟତଃ କଲିକତାର ବଙ୍ଗଭାଷୀ ଶିକ୍ଷକ ଓ ଅଧ୍ୟାପକଙ୍କ ଦ୍ୱାରା ଲିଖିତ ଥିଲା । ଆଲଜେବ୍ରା ପାଇଁ ଜେ.ପି. ବସୁ, ଗଣିତ ପାଇଁ ଜେ.ସି. ଚକ୍ରବର୍ତ୍ତୀ, ମେନ୍‌ସୁରେସନ୍ ପାଇଁ ଜି.ବି. ମିତ୍ର, ଟ୍ରିଗୋନୋମେଟ୍ରି ପାଇଁ ଏଲ୍.କେ. ମିତ୍ର, ଜ୍ୟାମିତି ପାଇଁ ଶାରଦା ଗାଙ୍ଗୁଲି, ଭୂଗୋଳ ପାଇଁ ଜେ.ଏନ୍. ଘୋଷ, ଭାରତ ଇତିହାସ ପାଇଁ ଆର୍‌.ଡ଼ି. ବାନାର୍ଜୀ ତଥା ଇଂଲଣ୍ଡ ଇତିହାସ ପାଇଁ ଏଲ୍.କେ. ମୁଖାର୍ଜୀଙ୍କ ବହିମାନ ସେବେ ଓଡ଼ିଶା ଡିଭିଜନର ଉଚ୍ଚ ବିଦ୍ୟାଳୟମାନଙ୍କରେ ଚଳୁଥିଲା । ଅର୍ଥାତ୍, ସେହି ସ୍ତରରେ ପାଠ୍ୟପୁସ୍ତକ ଲିଖନର ବ୍ୟବସାୟ ଥିଲା ବଙ୍ଗାଳୀ ଉଚ୍ଚଜାତିର ପୁରୁଷ (ବିଶେଷତଃ ବ୍ରାହ୍ମଣ ଓ କାୟସ୍ଥ ଜାତିର) ମାନଙ୍କର ହସ୍ତମୁଦି ମାହାଲ । ଏହା ବ୍ୟତୀତ ଇଂରାଜୀ ସାହିତ୍ୟ ଓ ବ୍ୟାକରଣ ବହି ସବୁର ଲେଖକ ପ୍ରାୟତଃ ସବୁ ଇଂରେଜ ହିଁ ଥିଲେ । ସେବେ ମାନେ ବହିର ପ୍ରଚଳନ ନ ଥିଲା । ଖାଲି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପଛ ଦଶ ବର୍ଷର ପ୍ରଶ୍ନପତ୍ର ଟେଷ୍ଟପେପର ଆକାରରେ ମିଳୁ ଥିଲା ; କିନ୍ତୁ ସେଥିରେ ଉତ୍ତର ରହୁ ନ ଥିଲା ।

କଲେଜିଏଟ୍‌ ସ୍କୁଲରେ ପଢ଼ିବା ବେଳେ ପର ସମୟର ପ୍ରଖ୍ୟାତ ଅଧ୍ୟାପକ ଶ୍ରୀରାମଚନ୍ଦ୍ର ଦାଶ ବିଦ୍ୟାଧରଙ୍କ ବ୍ୟାଚ୍‌ର ସହପାଠୀ ଥିଲେ । ବିଦ୍ୟାଧର ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ଏକାଦଶ ଅର୍ଥାତ୍ ଶେଷ ଶ୍ରେଣୀ ର ଛାତ୍ର ଥିଲେ । ଫୁଟବଲ ଖେଳାଳୀ ଭାବରେ ଓ ଜଣେ ନେତୃତ୍ୱବାନ ପିଲା ବୋଲି ତାଙ୍କର ଖ୍ୟାତି ଥିଲା । ବିଦ୍ୟାଧର ବାବୁଙ୍କ କହିବା ଅନୁସାରେ ବହୁତ କଷ୍ଟ ସହି ସେ କଲେଜିଏଟରେ ପାଠ ପଢ଼ିଥିଲେ । ହେଲେ ମାଟ୍ରିକ ପାସ୍ କରିବା ପୂର୍ବରୁ ସେ ସାଇକେଲଟିଏ କିଣି କଟକରେ ଯାଆସ କରୁଥିଲେ, ଯେତେବେଳେ ଶୂନଗାଡ଼ି ଥିଲା ଯୌତୁକଯୋଗ୍ୟ ଏକ ଲୋଭନୀୟ ଚିଜ଼ । ହାଇସ୍କୁଲରେ ବିଦ୍ୟାଧର ନିୟମିତ ରାଙ୍କ୍ ରଖୁଥିଲେ । ବିଦ୍ୟାଳୟର ପତ୍ରିକାରେ ନିୟମିତ ଲେଖାଲେଖି କରି ସେ ନିଜ ଲେଖକୀୟ ଜୀବନର ଏହିଠାରେ ମୂଳଦୁଆ ପକାଇଲେ । ୧୯୩୬ ମସିହା ଫେବୃଆରୀରେ ସେ ମାଟ୍ରିକ ପରୀକ୍ଷାରେ ବସିଲେ । ସେହି ବର୍ଷର ଅପ୍ରେଲରେ ଫଳ ବାହାରିଲା । ବହୁତ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ସେ ଉତ୍ତୀର୍ଣ୍ଣ ହେଲେ ଆଉ ମାସକୁ ପନ୍ଦର ଟଙ୍କିଆ ଓଡ଼ିଶା ଡିଭିଜନାଲ ବୃତ୍ତି ପାଇଲେ । ଉଚ୍ଚ ଶିକ୍ଷା ପାଇଁ ବାଟ ଫିଟିଗଲା ।

ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ । ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Saturday, January 18, 2020

ପଲ୍ କାରୁସ୍‌ଙ୍କର 'ବୁଦ୍ଧ ଗାଥା' ୪୪ - ଗୋପନୀୟତା ଓ ପ୍ରକଟ

ଅନୁବାଦକ - ସୁଜାତା ମିଶ୍ର


ମଥୁରା ଶୈଳୀରେ ନିର୍ମିତ ବୁଦ୍ଧ ପ୍ରତିମା 

ବୁଦ୍ଧ କହିଲେ: ''ହେ ଶିଷ୍ୟଗଣ! ତିନୋଟି ପଦାର୍ଥ ଗୋପନୀୟତା ଆବଶ୍ୟକ କରେ । ସେଗୁଡ଼ିକ ହେଲା ପ୍ରେମ ପ୍ରସଙ୍ଗ, ସାଧୁଙ୍କ ବିବେକ ଓ ସତ୍ୟପଥର ସମସ୍ତ ବିକାର ।''

''ହେ ଶିଷ୍ୟଗଣ !  ପ୍ରେମରତ ସ୍ତ୍ରୀମାନେ ଗୋପନୀୟତା ଚାହାନ୍ତି । ହେ ଶିଷ୍ୟଗଣ ! ଯେଉଁ ସାଧୁମାନେ ଜାଣନ୍ତି ଯେ, ସେମାନେ ବିଶେଷ ବିଭୂତିର ଅଧିକାରୀ, ସେମାନେ ମଧ୍ୟ ସେ ସବୁର ଗୋପନୀୟତା ଚାହାନ୍ତି ଓ ପ୍ରଚାରଠାରୁ ଦୂରେଇ ରହିଥା'ନ୍ତି । ହେ ଶିଷ୍ୟଗଣ ! ଯେଉଁ ମନୁଷ୍ୟମାନେ ସତ୍ୟପଥରେ ଚାଲୁ ଚାଲୁ ଭ୍ରଷ୍ଟ ହୁଅନ୍ତି ଅବା ବିକାରଗ୍ରସ୍ତ ହୋଇଥା'ନ୍ତି, ସେମାନେ ମଧ୍ୟ ଗୋପନୀୟତା ଚାହାନ୍ତି ଏବଂ ପ୍ରଚାରଠାରୁ ଦୂରେଇ ରହନ୍ତି ।

''ହେ ଶିଷ୍ୟଗଣ ! ତିନୋଟି ବସ୍ତୁ ସଂସାରରେ ପ୍ରକାଶମୟ ଅଟନ୍ତି ଯାହାଙ୍କୁ ଗୁପ୍ତ ରଖାଯାଇପାରେନା । ସେହି ତିନୋଟି ବସ୍ତୁ କ'ଣ ? 

''ହେ ଶିଷ୍ୟଗଣ ! ଚନ୍ଦ୍ର ସାରା ସଂସାରକୁ ଆଲୋକିତ କରେ, ଏଣୁ ଏହାକୁ ଗୁପ୍ତ ରଖାଯାଇ ପାରେନା । ସେହିପରି ସୂର୍ଯ୍ୟ ଏବଂ ତଥାଗତଙ୍କ ନିବେଦିତ ସତ୍ୟ ଯାହା ସାରା ସଂସାରକୁ ଆଲୋକିତ କରୁଛି ତାହାକୁ ମଧ୍ୟ ଘୋଡ଼ାଇ ରଖାଯାଇ ପାରେନା । ଏହି ତିନୋଟି ବସ୍ତୁ ସଂସାରକୁ ଆଲୋକିତ କରୁଥିବାରୁ ହେ ଶିଷ୍ୟଗଣ ଏମାନଙ୍କୁ ଘୋଡ଼ାଇ ରଖାଯାଇ ପାରେନା । ଏମାନଙ୍କର କୌଣସି ଗୋପନୀୟତା ହିଁ ନଥାଏ ।'' 

ବି.ଦ୍ର ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

Tuesday, January 07, 2020

ଯେଉଁମାନେ କୁଳପତି ବନି ପାରିଲେ ନାହିଁ


ଶୈଲେନ ରାଉତରାୟ


ଜଗତସିଂପୁରର ଓଡିଶୋସ୍ଥ ଏକ ବିଦ୍ୟାଳୟର ଫାଟକର ଚିତ୍ର
(ଫଟୋ କ୍ରେଡ଼ିଟ୍ - ପ୍ରୀତିରଞ୍ଜନ ତ୍ରିପାଠୀ: ୱିକିମିଡିଆ କମନ୍ସ୍ ସୂତ୍ରରୁ ପ୍ରାପ୍ତ)

ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ର ନିଜ ଜୀବନରେ ବହୁତ କିଛି କଲେ । ଜଗତସିଂପୁରର ଗୋଟିଏ ଛୋଟ ଗାଁରୁ ବାହାରି ଆଉ କିଏ ଅଧିକ ବା କଅଣ କରି ପାରନ୍ତା । ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍ସ୍‌ରୁ କୃଷି ଅର୍ଥନୀତିରେ ପିଏଚ୍‌ଡ଼ି ଉପାଧି, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପଦ, ସବୁକିଛି ସେ ପାଇଲେ । ଶାସନୀ ବାମୁଣ ପରିବାର, ପୁଣି ଦେଢ଼ ବାଟିଏ ସମ୍ପତ୍ତିର ମାଲିକଙ୍କ ଖାନଦାନି ଭାବରେ ତାଙ୍କର ଆଗକୁ ମାଡ଼ି ଯିବାରେ ମେରିଟ୍ ନିଶ୍ଚିତ ଭାବରେ ଦାୟୀ ଥିଲା । ହେଲେ ସେତେ ମେରିଟ୍ ଆଉ ଅନେକ ପିଲାଙ୍କର ନ ଥିଲା । ସେମାନେ କୁଳପତି ବନି ପାରିଲେ ନାହିଁ । ଆସନ୍ତୁ ସେମାନଙ୍କ ଭିତରୁ ତିନି ଜଣଙ୍କୁ ଟିକିଏ ଟିକିଏ ଜାଣିବା ।

ବିଦ୍ୟାଧର ବାବୁଙ୍କ ସାନ ବେଳେ ଜଣେ ଖଣ୍ଡାୟତ ଜାତିର ପିଲା ତାଙ୍କ ସାଙ୍ଗ ଥିଲେ । ତାଙ୍କ ନାଁ ହେଲା ହରିଆ ଜେନା । ବାପା ରାମ ଜେନା ମୁଲ ଲାଗି ପରିବାର ପାଳୁଥିଲେ । ଦିନେ ପାଗଳ ହୋଇ ସେ ଘର ଛାଡ଼ି ଚାଲି ଗଲେ । ହରିଆଙ୍କ ମା ପେଟ ପୋଷିବା ପାଇଁ ବିଦ୍ୟାଧରଙ୍କ ଘରବାଡ଼ି ଓଳାନ୍ତି, ଜାଳ ଆଣି ଦିଅନ୍ତି, ରୋଷେଇ ପାଇଁ ଜିନିଷପତ୍ର ସଜିଲ କରିଦିଅନ୍ତି, ଧାନ ଉଷାଁନ୍ତି ଓ ଶୁଖାନ୍ତି । ଏତକ କରି ପ୍ରତି ସନ୍ଧ୍ୟାରେ ତାଙ୍କୁ ଶ୍ରମର ମୂଲ୍ୟ ମିଳେ ଅଧ କିଲେ ଚାଉଳ ଆଉ ବର୍ଷକୁ କେତୋଟି ଟଙ୍କା ।

ପ୍ରାଥମିକ ବିଦ୍ୟାଳୟରେ ହରିଆ ବିଦ୍ୟାଧରଙ୍କ ସହ ପଢ଼ୁ ନ ଥିଲେ । ହେଲେ ଘରେ ଥିଲା ବେଳେ ସେ ଥିଲେ ତାଙ୍କର ଚିର ସାଥୀ । ଦୁଇ ଜଣଙ୍କୁ ଆଠ ନଅ ବର୍ଷ ହୋଇଥିବା ବେଳେ ଦିନେ ଦୁହେଁ ଯାକ ମିଶି ଘର ପାଖ ପୋଖରୀ ପାଖରେ କିଆକନ୍ଦା କାଢ଼ୁଥିଲେ । ସେତେବେଳେ ସେମାନଙ୍କୁ ପାଗଳା କୁକୁରଟିଏ ଗୋଡ଼ାଇଲା ଆଉ ହରିଆଙ୍କୁ କାମୁଡ଼ି ଦେଲା । ହେଲେ ଜଳାତଙ୍କ ହେବା ପୂର୍ବରୁ ବିଚରା ହରିଆ ବିନା ଚିକିତ୍ସାରେ ବୋଧହୁଏ ବସନ୍ତରେ ଚାଲିଗଲା । କାରଣ ତା’ର ମେରିଟ୍ ନ ଥିଲା ।

ବିଦ୍ୟାଧରଙ୍କର ଆଉ ଜଣେ ସାଙ୍ଗ ଥିଲେ ଧଡ଼ି ମହାଳିକ । ସେ ପଢ଼ୁଥିଲେ ବିଦ୍ୟାଧରଙ୍କର ଉପର ଶ୍ରେଣୀରେ । ସେ ଅତି ଭଲ ଛାତ୍ର ଥିଲେ । ବିଶେଷତଃ ଗଣିତ ଓ ମାନସାଙ୍କ ତାଙ୍କର ବେଶ୍ ହେଉ ଥିଲା । ସେ କେଉଟ ଜାତିର ପିଲା । ତାଙ୍କ ବାପା ଚୁଡ଼ାକୁଟା, ଶୁଖୁଆ ବିକା ଆଦି କୌଳିକ ବୃତ୍ତି ଅନୁସରଣ କରି ପରିବାର ପ୍ରତିପୋଷଣ କରୁଥିଲେ । ଯେହେତୁ ଅସବର୍ଣ୍ଣ, ସେଥି ପାଇଁ ତାଙ୍କର ମେରିଟ୍ ଆଦୌ ନ ଥିଲା । ତେଣୁ ସେ ପ୍ରାଥମିକ ଶିକ୍ଷା ପରେ ଆଉ ଆଗକୁ ପଢ଼ି ପାରିଲେ ନାହିଁ । ସେ ବି ନିଜ ପରିବାର ପୋଷିବା ପାଇଁ ଚୁଡ଼ା କୁଟି, ଶୁଖୁଆ ବିକି, ଚାଷ କରି ଚଳିଲେ । କୁଳପତି ବନି ପାରିଲେ ନାହିଁ । କାରଣ ତାଙ୍କର ମେରିଟ୍ ନ ଥିଲା ।

ବୃନ୍ଦାବନ ସାହୁ ବୋଲି ଜଣେ ଶୁଣ୍ଢି ପିଲା ବି ବିଦ୍ୟାଧରଙ୍କ ସାଙ୍ଗ ଥିଲେ । କଲ୍ୟାଣପୁର ଗାଁରେ ସ୍କୁଲ ପାଖରେ ତାଙ୍କର ଗୋଟେ ଦୋକାନ ଥିଲା । ପାଠପଢ଼ୁଆ ଜାତିର ପିଲା ନୁହନ୍ତି ତ ! ଏଣୁ ବିଦ୍ୟାଧର ବାବୁ ତାଙ୍କ ଆତ୍ମଜୀବନୀରେ କହିବା ଅନୁସାରେ ବୃନ୍ଦାବନଙ୍କର ପାଠପଢ଼ାରେ ମନ ଲାଗୁ ନ ଥିଲା । ସେ ସାନ ବେଳୁଁ ହିଁ ଦୋକାନରେ ବସି ଗୁରୁଜନମାନଙ୍କୁ ବ୍ୟବସାୟ ଚଳାଇବାରେ ସାହାଯ୍ୟ କରୁଥିଲେ । ଜୀବନଯାକ ସେ ସେହିପରି ଗୋଟିଏ ଛୋଟ ଦୋକାନ ଚଳାଇ ପରିବାର ପାଳିଲେ । ତାଙ୍କର ବି ମେରିଟ୍ ନ ଥିଲା । ସେ ମଧ୍ୟ ବିଚରା କୁଳପତି ବନି ପାରିଲେ ନାହିଁ ।

ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।

Wednesday, December 11, 2019

ପଲ୍ କାରୁସ୍‌ଙ୍କର 'ବୁଦ୍ଧ ଗାଥା' - ୬୪

ଅନୁବାଦକ - ସୁଜାତା ମିଶ୍ର


ମାରଙ୍କର ସିଦ୍ଧାର୍ଥଙ୍କ ଉପରେ ଆକ୍ରମଣ (ଦ୍ୱିତୀୟ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ୍ ୟ ୱିକିମିଡିଆ କମନ୍ସ୍

ଜଣେ ବ୍ୟକ୍ତି ଜନ୍ମରୁ ଅନ୍ଧ ଥିଲେ । ସେ କହିଲେ, 'ମୁଁ ପ୍ରକାଶ ଓ ରୂପ ରଙ୍ଗର ସଂସାର ଅଛି ବୋଲି ମାନେ ନାହିଁ । ହାଲୁକା ଓ ଚମତ୍କାର ରଙ୍ଗ ଏପରି କିଛି ନାହିଁ । ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଏପରି କିଛି ନାହିଁ । କେହି ଏସବୁକୁ ଦେଖି ନାହାନ୍ତି ।'

ତାଙ୍କ ବନ୍ଧୁମାନେ ତାଙ୍କୁ ବୁଝାସୁଝା କଲେ ମାତ୍ର ସେ ନିଜ କଥାରେ ଅଟଳ ରହିଲେ । ତାଙ୍କର ଆପତ୍ତି ଥିଲା, 'ତୁମେ ଯାହା କହୁଛ ଯେ ତୁମେ ଦେଖୁଛ ତାହା ଭ୍ରମ ଅଟେ । ଯଦି ରଙ୍ଗ ବୋଲି କିଛି ଥାଆନ୍ତା, ତେବେ ମୁଁ ତାକୁ ଛୁଇଁ ପାରନ୍ତି । ତାହାର କୌଣସି ବାସ୍ତବତା ନାହିଁ ଏବଂ ତାହା ସତ୍ୟ ନୁହେଁ । ପ୍ରତ୍ୟେକ ବାସ୍ତବିକ ବସ୍ତୁର ଓଜନ ଥାଏ କିନ୍ତୁ ତୁମେ ଯେଉଁଠାରେ ରଙ୍ଗ ଦେଖୁଛ, ସେଠାରେ ମୋତେ କୌଣସି ରଙ୍ଗ ଅନୁଭବ ହେଉନାହିଁ ।'

ସେହି ସମୟରେ ଜଣେ ଚିକିତ୍ସକ ଏହି ଜନ୍ମାନ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ଆସିଲେ । ସେ ଚାରିଗୋଟି ଚୂର୍ଣ୍ଣକୁ ମିଶାଇ ଗୋଟିଏ ଲେପ ତିଆରି କରି ଜନ୍ମାନ୍ଧ ବ୍ୟକ୍ତିଙ୍କ ଡୋଳାରେ ଲଗାଇଲେ ଏବଂ ଚାପରେ ତାଙ୍କ ଉପର ଆବରଣଟି ତରଳି ଯାଇ ବାହାରି ଯାଇଥିଲା ଏବଂ ତାଙ୍କର ଦେଖିବାର ଶକ୍ତି ଫେରିଆସିଲା ।

ତଥାଗତ ସେହି ଚିକିତ୍ସକ ପରି ଅଟନ୍ତି । ଅହଂ ରୂପକ ବିଚାର ଏକ ଭ୍ରମ ଅଟେ ଏବଂ ଚାରି ଚୂର୍ଣ୍ଣ ହିଁ ଚାରୋଟି ଆର୍ଯ୍ୟ ସତ୍ୟ ଅଟେ ।

ବି.ଦ୍ର - ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

Tuesday, December 03, 2019

ପଞ୍ଚପଲ୍ଲୀରେ ମାଇନର ଶିକ୍ଷା

ଶୈଲେନ ରାଉତରାୟ


ଜଗତସିଂହପୁରର ଗୋରଖନାଥ ମନ୍ଦିର ପ୍ରାଙ୍ଗଣର ଏକ ଦୃଶ୍ୟ (ୱିକିମିଡିଆ କମନ୍ସ୍)

ପଞ୍ଚପଲ୍ଲୀ ବୋଇଲେ ନାରଦିଆଟିକରପଡ଼ାଗୋବିନ୍ଦପୁରପାଣିଏଣ୍ଡୁଳା ଓ ପାଟଣା ପାଞ୍ଚଟି ପଲ୍ଲୀ ମିଶି ବିରାଟ ଗୋଟିଏ ଗାଁ । ବିଦ୍ୟାପୁର ମିଶ୍ରଙ୍କ ଜଗତସିଂପୁର ପାଖ ଛୋଟିଆ ବ୍ରାହ୍ମଣ ଶାସନଟିରୁ କିଛି ୧୮-୨୦ କିଲୋମିଟର ଦୂରରେତଳମାଳରେସମୁଦ୍ରଠାରୁ ମାତ୍ର ଦଶ ବାର କିଲୋମିଟର ବାଟ ଛଡ଼ାରେ । ସେବେ ଦୁଇ ଗାଁ ଭିତରେ ଯାତାୟତ କରିବା ପାଇଁ ରାସ୍ତାଘାଟ କିଛି ନ ଥିଲା । ବିଲ ଓ ଗାଁ ଗୋହିରୀ ଆଦି ବାଟରେ ଯା’ଆସ କରିବାକୁ ପଡ଼େ । ବିଷ୍ଣୁପୁର ଜମିଦାରୀରେ ଥିବା ଏଇ ଗ୍ରାମଟିରେ ବିଦ୍ୟାଧରଙ୍କର ଜଣେ ପିଉସୀ ବାହା ହୋଇଥିଲେ । ଗାଁରେ ହାଟଟିଏ ବି ନ ଥିଲା । ଏରସମା ଥାନା ଓ ଡାକଘର ଅଧୀନରେ ଥିବା ଏଇ ଗ୍ରାମଟିରୁ ଏରସମାକୁ ଯିବା ପାଇଁ ବର୍ଷା ଦିନେ ହୁଲି ଡଙ୍ଗାରେ ଯାତ୍ରା କରିବାକୁ ହେଉଥିଲା । ଗାଁଟି ଜଣାଶୁଣା ଥାଏ ସେ ଅଞ୍ଚଳର ପ୍ରସିଦ୍ଧ ଦିଅଁ ଗ୍ରାମେଶ୍ୱରଙ୍କ ଯୋଗୁଁ ।

୧୯୨୯ ମସିହାର ଫେବ୍ରୁଆରି ମାସରେ ବିଦ୍ୟାଧରଙ୍କ ପାଟନାରେ ଇଞ୍ଜିନିୟରିଂ ପଢ଼ୁଥିବା ଭାଇ ଯକ୍ଷ୍ମା ରୋଗରେ ଚାଲିଗଲେ । ମରିବାର କିଛି ମାସ ଆଗରୁ ସେ ବିହାରରୁ ଗାଁକୁ ଚାଲି ଆସି ଘରେ ଚିକିତ୍ସା କରାଉଥିଲେ । ସେହି ବର୍ଷଟି ଥାଏ ବିଦ୍ୟାଧରଙ୍କର ପଞ୍ଚମ ଶ୍ରେଣୀ । ସେ ପଢ଼ୁଥିବା ବିଦ୍ୟାଳୟଟିରେ ମାଷ୍ଟ୍ରମାନଙ୍କର ହେଳା ଯୋଗୁଁ କିଛି ପାଠ ପଢ଼ା ହେଉ ନ ଥିଲା । ତାହା ସହ ଘରେ ରୋଗୀଣାଆସନ୍ନମୃତ୍ୟୁ ଲୋକଟିଏ ଥିବାରୁ ସମସ୍ତଙ୍କର ମନସ୍ତାପ । ପଞ୍ଚମ ଶ୍ରେଣୀ ଶେଷ ହେବାର ପର ବର୍ଷର ଫେବୃଆରୀରେ ହିଁ ଭାଇ ଜଣଙ୍କ ଚାଲିଗଲେ । ଏହି ପରିସ୍ଥିତିରେ ବିଦ୍ୟାଧରଙ୍କର ବାପାମା ତାଙ୍କୁ ମାଇନର ପାସ ପରେ ଆଉ କେଉଣସି ସ୍କୁଲରେ ନାଁ ଲେଖାଇବା ଦିଗରେ ବେଶୀ ମନଯୋଗ ଦେଲେ ନାହିଁ ।

ଏଣେ ପାଠ ପଢ଼ା ମାରା ହେବା ଭୟରେ ବିଦ୍ୟାଧରଙ୍କର ମନ କଷ୍ଟ । ପଞ୍ଚମ ଶ୍ରେଣୀ ପାଠ ସାରି ସେ ଖାଲି ଗାଁରେ ବୁଲୁ ଥାଆନ୍ତି । ନିଜ ଗାଁରେ ଆଗକୁ ପାଠ ପଢ଼ିବାକୁ ଆଉ ସ୍କୁଲ ନ ଥାଏ । ଏହି ସମୟରେ ପଞ୍ଚପଲ୍ଲୀ ଗାଁର ତାଙ୍କର ପିଉସୀପୁଅ ଭାଇ ଜଗନ୍ନାଥ ମିଶ୍ର ଶିକ୍ଷା ବର୍ଷ ଆରମ୍ଭ ହେବାର ପାଞ୍ଚ ମାସ ଖଣ୍ଡେ ପରେ ବିଦ୍ୟାଧରଙ୍କର ଗାଁକୁ ଆସି ଥାଆନ୍ତି । ସେବେସେବେ ଦୁଇ ତିନି ବର୍ଷ ଆଗରୁ ଜଗନ୍ନାଥଙ୍କ ଗାଁରେ ମାଇନର ଇସ୍କୁଲଟିଏ ଖୋଲା ଯାଇ ଥାଏ । ସ୍କୁଲଟି ୧୯୨୮ ମସିହାରେ ସରକାରୀ ଅନୁମୋଦନ ବି ପାଇଯାଇ ଥାଏ । ସେ ବିଦ୍ୟାଧରଙ୍କର ମା’ଙ୍କୁ ପଞ୍ଚପଲ୍ଲୀ ଗ୍ରାମେ‌ଶ୍ୱର ମାଇନର ସ୍କୁଲରେ ପିଲାଟିର ନାଁ ଲେଖାଇବା ପାଇଁ ପ୍ରବର୍ତ୍ତାଇଲେ । ଶେଷକୁ ସେ ରାଜି ହେବାରୁ ବିଦ୍ୟାଧର ଯାତ୍ରା କଲେ ପଞ୍ଚପଲ୍ଲୀକୁ ଜଗନ୍ନାଥଙ୍କ ସହ ।

ସେବେ ଇସ୍କୁଲ ବର୍ଷ ଆରମ୍ଭ ହେଉଥାଏ ସାଲର ଆରମ୍ଭରେ । ନାଁ ଲେଖାଇବାକୁ ଦୁଇ ଭାଇ ବିଦ୍ୟାଳୟଟିରେ ପହଞ୍ଚିଲା ବେଳକୁ ଶିକ୍ଷାବର୍ଷର ପଞ୍ଚମ ମାସ ଚାଲିଲାଣି । ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଦୁଇ ସପ୍ତାହ ମାତ୍ର ବାକି ଥାଏ । ଏଣେ ବିଦ୍ୟାଙ୍କର ଗାଁ ଇସ୍କୁଲରେ ଆଦୌ ଇଂରାଜୀ ପଢ଼ା ହେଉ ନ ଥିଲା । ରୋଗୀଣା ଭାଇ ଯାହା କେତୋଟି ଶବ୍ଦ ଶିଖାଇ ଦେଇଥିଲେ ତାଙ୍କୁ । ଶିକ୍ଷା ବର୍ଷର ପାଖାପାଖି ଅଧା ବିତିଯାଇ ଥିବାରୁ ଓ ଆବଶ୍ୟକୀୟ ଇଂରାଜୀ ଜଣା ନ ଥିବାରୁ ବିଦ୍ୟାଧରଙ୍କର ନାଁ ଲେଖା ହେଲା ଆଉ ଥରେ ପଞ୍ଚମ ଶ୍ରେଣୀରେ । ଖରାଛୁଟିରେ ସେ ରହିଲେ ପିଉସୀ ଘରେତାହା ପରେ ଇସ୍କୁଲୁର ବୋର୍ଡ଼ିଂରେ ।

ପଞ୍ଚପଲ୍ଲୀ ଗ୍ରାମେଶ୍ୱର ବିଦ୍ୟାଳୟଟି ଗଢ଼ି ଉଠିଥାଏ ଗ୍ରାମେଶ୍ୱର ଦିଅଁଙ୍କ ଚନ୍ଦନ ପୋଖରୀର ଉତ୍ତର ଆଡ଼ର ଦୁଇ ଗୁଣ୍ଠ ଜମି ଉପରେ । ଏଇ ଜମି ଉପରେ ଦୁଇ ସାହାଲା ଛପରଘରରେ ସ୍କୁଲ ଚାଲୁଥାଏ । ଗୋଟିଏ ଖଞ୍ଜା ଦମ୍ଭ ଭାବରେ ତିଆରି କରାଯାଇଥିଲା । ସେଥିରେ ଥାଏ ଚାରୋଟି କୋଠରୀ । ସେଥିରୁ ଦୁଇଟି ବଡ଼ ବଖରାରେ ବେଞ୍ଚ ଓ ଡେସ୍କ ପଡ଼ି ପାଠପଢ଼ା ହୁଏ । ଏଇ ଦମ୍ଭ ଖଞ୍ଜାଟିର ଅନ୍ୟ ଦୁଇଟି କୋଠରୀରେ ସ୍କୁଲର ବୋର୍ଡ଼ିଂ ଚାଲୁଥିଲା । ସେଠି ରହୁଥିଲେ ପିଲାଏ ଓ ଶିକ୍ଷକମାନେ । ଶ୍ରେଣୀଗୃହଗୁଡ଼ିକ ମଧ୍ୟ କ୍ଲାସ୍ ସରିଲେ ରହିବା ପାଇଁ ବୋର୍ଡ଼ିଂ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲା । ଅନ୍ୟ ଖଞ୍ଜାଟି ଦୁଇଟି କୋଠରି ଧରି ଚାଳିଆଟିଏ ମାତ୍ରବଖରା ଦୁଇଟି ମଧ୍ୟରେ କାନ୍ଥିନିଟିଏ । ଏଇ ଦୁଇ ସାହାଲା ଘର ଆଗରେ ଛୋଟ ଚାଳିଆ ଘରଟିଏରେ ପିଲା ଓ ଶିକ୍ଷକମାନଙ୍କ ପାଇଁ ରୋଷେଇ ହେଉଥିଲା ।

ବିଦ୍ୟାଳୟଟିରେ ଚାରୋଟି ଶ୍ରେଣୀ ଥାଏ – ଚତୁର୍ଥପଞ୍ଚମଷଷ୍ଠ ଓ ସପ୍ତମ । ଚାରୋଟି ଯାକରେ ସମୁଦାୟ ଶହେ ପାଖାପାଖି ଛାତ୍ରଛାତ୍ରୀ ଜଣିଏ ବି ନ ଥାଆନ୍ତି । ଶିକ୍ଷକଙ୍କ ସଙ୍ଖ୍ୟା ଚାରି । ହେଡ଼ ମାଷ୍ଟର ଆଇ.ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଜଣେ ନାଟକପ୍ରିୟ ଲୋକ ଥିଲେ । ଦ୍ୱିତୀୟ ଓ ତୃତୀୟ ଶିକ୍ଷକ ଦୁଇ ଜଣ ଯାକ ମାଟ୍ରିକ ପରେ ଶିକ୍ଷକ ଟ୍ରେନିଂ ପ୍ରାପ୍ତ ଓ ଚତୁର୍ଥ ଶିକ୍ଷକ ଜଣଙ୍କ ମାଇନର ପାସ କରି ଗୁରୁ ଟ୍ରେନିଂ ପାଇଥିଲେ । ସ୍କୁଲଟି ସରକାରୀ ଅନୁମୋଦନ ପାଇ ଥିଲେ ହେଁ କିଛି ସରକାରୀ ସହାୟତା ପାଉ ନ ଥିଲା । ପିଲାମାନେ ଦେଉଥିବା ବେତନ ଓ ଚାନ୍ଦା ଦ୍ୱାରା ଅତି ଦୁଃସ୍ଥ ଭାବରେ ବିଦ୍ୟାଳୟଟି ଚଳୁଥିଲା । ଗାଁଟିର ସବୁଠାରୁ ଧନୀ ଉଦି ମହାପାତ୍ର ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଥିଲେ । ନୂଆ ହେଲେ ହେଁ ସ୍କୁଲଟିରେ ନିୟମିତ ପଢ଼ାପଢ଼ି ହେଉଥିଲା । ଏହା ସହ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଇତ୍ୟାଦି ଉତ୍ସବ ଭଲ ଭାବରେ ପାଳିତ ହେଉଥିଲା । ବିଦ୍ୟାଧର ପରିଶ୍ରମ କରି ନିଜ ଶ୍ରେଣୀରେ ପ୍ରଥମ ହେବାକୁ ଆରମ୍ଭ କଲେ । ମଧୁସୂଦନ ରାଓଙ୍କର ‘ସାହିତ୍ୟ ପ୍ରସଙ୍ଗ’ ସେ ଯାଏଁ ସ୍କୁଲରେ ପଢ଼ା ହେଉଥାଏ ।

ସ୍କୁଲ ହତାକୁ ଲାଗି ଛପଣ ଜମିଦାରୀ କଚେରିର ବାଡ଼ଟି ଥାଏ । ଆଉ ଟିକିଏ ମାତ୍ର ଦୂରରେ ମୁସଲମାନ ବସ୍ତିଟିଏ । ଏଇ ପଡ଼ାର ବରଗଛ ତଳେ ଜଣେ ପୀରଙ୍କ ଆସ୍ଥାନ । ପୀରଙ୍କ ପାଖରେ ମୁଣ୍ଡିଆ ମାରିବା ଓ ଗାଁର ଦଣ୍ଡାମୁଣ୍ଡ ପଡ଼ିଆରେ ଡୁ ଡୁ ଖେଳିବା ଇସ୍କୁଲିଆ ପିଲାଙ୍କର ନିତିଦିନିଆ ଅଭ୍ୟାସ । ମାଇନର ପଢ଼ାର ଶେଷ ବର୍ଷ ମାତ୍ର ଚଉଦ ବରଷ ବୟସରେ ବିଦ୍ୟାଧରଙ୍କର ବିବାହ ଅନୁଷ୍ଠିତ ହେଲା । ୧୯୩୧ ମସିହା ଡିସେମ୍ବର ମାସରେ ମାଇନର ପରୀକ୍ଷା କଟକରେ ହେଲା । ସେ ପରୀକ୍ଷାରେ ଭଲ କଲେ । ହେଲେ ବୃତ୍ତି ମିଳିଲା ନାହିଁ । ତଥାପି ସେ ହାଇ ସ୍କୁଲ ପାଠ ପାଇଁ ଯାତ୍ରା କଲେ କଟକ ।

ବିଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।

Saturday, November 16, 2019

୧୯୨୦ ଦଶକର ଜଗତସିଂହପୁରରେ ପ୍ରାଥମିକ ଶିକ୍ଷା


ଶୈଲେନ ରାଉତରାୟ


ଜଗତସିଂହପୁର ଜିଲ୍ଲାର ଏକ ଗ୍ରାମ୍ୟ ପୋଖରୀ (ୱିକିମିଡିଆ କମନ୍ସ୍)

୧୯୨୦ ଦଶକର ମଝାମଝି ବିଦ୍ୟାଧର ମିଶ୍ର ପାଠ ପଢ଼ା ଆରମ୍ଭ କଲେ ଜଗତସିଂପୁର ପାଖ ନିଜ ଗାଁର ଏକ ନିମ୍ନପ୍ରାଥମିକ ଇସ୍କୁଲୁରେ । ସେଠି ତିନି ବର୍ଷ ପଢ଼ି ବି ବିଶେଷ କିଛି ଶୈକ୍ଷଣିକ ଲାଭ ନ ହେବାରୁ ସେବେ କଟକରେ ରେଭେନ୍ସାରେ ପଢ଼ୁଥିବା ତାଙ୍କ ବଡ଼ ଭାଇ ତାଙ୍କ ନାଁ ଲେଖାଇଦେଲେ ପାଖର ଆଉ ଏକ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲଟିର ଅବସ୍ଥାନ ଗୋଟିଏ ଭଲ ଯାଗାରେ ଥିଲା । ବିଦ୍ୟାଳୟ ପାଖରେ ଥିଲା ଏକ ବିରାଟ ବଡ଼ ବରଗଛ । ସେଇ ଗଛଟି ଆସ୍ଥାନ ଥିଲା ନାଗା ଗୋସେଇଁ ଠାକୁରଙ୍କର । ସ୍କୁଲ ଚାରିଆଡ଼େ ଏକ ବଡ଼ ପଡ଼ିଆ ଓ ଜଣେ ଜମିଦାରଙ୍କର ଆମ୍ବ ତୋଟାଟିଏ । ପିଲାମାନେ ପଡ଼ିଆରେ, ତୋଟାରେ ଓ ବରଗଛ ତଳେ ଆନନ୍ଦ ମନରେ ଖେଳନ୍ତି । ତୋଟାରେ ଥିବା ଜାମୁ ଗଛରୁ ପ୍ରଚୁର ପରିମାଣରେ କୋଳି ତୋଳି ଖିଆ ଯାଏ ।

ଏଇ ସ୍କୁଲଟିରେ ହେଡ଼ ପଣ୍ଡିତ ଥିଲେ ଆନନ୍ଦଚନ୍ଦ୍ର ସାହୁ, ଭାଇଙ୍କର ସାଙ୍ଗ ଜଣେ । ସେ ସାଙ୍ଗର ସାନ ଭାଇର ବ୍ୟକ୍ତିଗତ ଜତ୍ନ ନେବାକୁ ରାଜି ହେବାରୁ ଦ୍ୱିତୀୟ ଶ୍ରେଣୀର ଛାତ୍ର ଭାବରେ ବିଦ୍ୟାଧର ସେଠି ଦାଖଲ ହେଲେ । ଆନନ୍ଦଚନ୍ଦ୍ର ଜାତିରେ ଥିଲେ ଶୁଣ୍ଢି । ତାଙ୍କର ପରିବାର ବଡ଼ ଥିଲା । ହେଲେ କୁଟୁମ୍ବଟି ଚାଷବାସ ସହ ଖୁଚୁରା ଦୋକାନଟିଏର ଆୟ ଓ ତହିଁ ସହିତ ଆନନ୍ଦ ବାବୁଙ୍କର ମାଷ୍ଟ୍ରାମୀର ଦରମା ଓ ତାଙ୍କ ମହାଜନିରୁ ପ୍ରାପ୍ତ ସୁଧକୁ ମିଶାଇ ସୁବିଧାରେ ଚଳିଯାଉ ଥିଲେ । ଆନନ୍ଦଚନ୍ଦ୍ର ମାଇନର ପଢ଼ା ସାରି ‘ଗୁରୁ ପ୍ରଶିକ୍ଷଣ’ ପ୍ରାପ୍ତ ଥିଲେ । ସାଙ୍ଗ ସହିତ ହୋଇଥିବା ବୁଝାମଣା ଅନୁଯାୟୀ ଆନନ୍ଦ ବାବୁ ବିଦ୍ୟାଧରଙ୍କୁ ଗଣିତ ଓ ମାନସାଙ୍କ ବ୍ୟକ୍ତିଗତ ଭାବରେ ବୁଝାଇ ଦେବାକୁ ଆରମ୍ଭ କଲେ । ଏହା ସହ ଭୂଗୋଳ, ସାହିତ୍ୟ ଓ ପ୍ରକୃତି ପାଠ ଆଦି ପଢ଼ାଇ ଦେଲେ । ଏହି ପରି ଗଣିତ ଓ ଭାଷା ଆଦି ବିଷୟରେ ବିଦ୍ୟାଧରଙ୍କର ଗୋଟିଏ ଭଲ ମୂଳଦୁଆ ପଡ଼ିଗଲା । ହେଲେ ତୃତୀୟ ଶ୍ରେଣୀରେ ସେ ବୃତ୍ତି ପାଇଲେ ନାହିଁ । ଦୁଇ ଜଣଙ୍କୁ ମିଳିବାର ଥିଲା ବୃତ୍ତି ଆଉ ବିଦ୍ୟାଧର ବିଚରା ରହିଲେ ତୃତୀୟ ସ୍ଥାନରେ । ବିଦ୍ୟାଧରଙ୍କର ତ ମନ ଖରାପ ହେଲା ହିଁ, ହେଲେ ଆନନ୍ଦଚନ୍ଦ୍ର ବି ବହୁତ ଦୁଃଖିତ ହେଲେ ଏତେ ପରିଶ୍ରମ କରି ପିଲାଟି ବୃତ୍ତି ନ ପାଇବାରୁ ।

ଆନନ୍ଦ ସାହୁଙ୍କ ପାଖରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ପଡ଼ି ସାରିବା ପରେ ବିଦ୍ୟାଧର ପୁଣି ଲେଉଟିଲେ ନିଜ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ପାଇଁ । ଏଠି ସେପରି କିଛି ନାଁ ଲେଖା ହୋଇ ନ ଥିଲା । ସାହି ପିଲାଙ୍କ ସହ ସେ ମନକୁମନ ପଢ଼ିବା ପାଇଁ ସ୍କୁଲଟିକୁ ଯିବାକୁ ଆରମ୍ଭ କଲେ । ଏଠି ହେଡ଼ ପଣ୍ଡିତ ଥିଲେ ନାରାୟଣ ମିଶ୍ର, ବିଦ୍ୟାଧରଙ୍କର ପରିବାରର ନିକଟ ସମ୍ପର୍କୀୟ । ଆନନ୍ଦଚନ୍ଦ୍ରଙ୍କ ପରି ସେ ମଧ୍ୟ ମାଇନର ପାସ୍ କରି ଗୁରୁ ଟ୍ରେନିଂ ପାଇ ଥିଲେ । ଥିଲେ ବହୁକୁଟୁମ୍ବୀ, ହେଲେ ପରିବାର ପ୍ରତିପାଳନ ପାଇଁ ସେହି ଭାବରେ ଜମିବାଡ଼ି ମଧ୍ୟ ଥିଲା । ନାରାୟଣ ବାବୁ ସମ୍ପତ୍ତି, ପଦ ଓ ନିଜ ଚରିତ୍ର ବଳରେ ଗାଁର ଜଣେ ନାଁକରା ମାମଲତକାର ଥିଲେ । ମାମଲତକାରି କରି ପରିବାରର ଜମିବାଡ଼ିର ପରିମାଣ ମଧ୍ୟ ବଢ଼ାଇ ଥିଲେ । ହେଲେ ନୂଆ କରି ଧରୁଥିବା ଜମି କିଣା ହେଉଥିଲା ନିଜ ଚାରି ଭାଇଙ୍କ ନାଁରେ, ଏକାନ୍ନବର୍ତ୍ତୀ ପରିବାରର ଧର୍ମ ରକ୍ଷା କରି ।

ମାମଲତକାରୀ, ଘରର ମୂରବୀ ପଣିଆ, ଚାଷବାସ ଏ ସବୁ ଗୁରୁତ୍ୱପୂର୍ଣ୍ଣ କାମ ସାରିଲା ବେଳକୁ ମିଶ୍ର ଆଜ୍ଞାଙ୍କୁ ଆଉ ପାଠ ପଢ଼ାଇବା ପାଇଁ ବେଶି ଫୁରୁସତ ମିଳୁ ନ ଥିଲା । ନାରଣ ବାବୁ ବାକି ସବୁ କାମ ଟିକିଏ ଟିକିଏ ବଢ଼େଇ ଦେଇ ହଲିହଲି ବିଦ୍ୟାଳୟକୁ ଆସନ୍ତି ଦିନ ବାରଟା ବେଳକୁ । ଦୁଇ ଘଣ୍ଟା ଖଣ୍ଡେ ରହି ପୁଣି ଦିନ ଦି ପହରକୁ ଅନ୍ୟ ପାଇଟିରେ ଚାଲି ଯାଆନ୍ତି । ତାଙ୍କୁ ଅନୁସରଣ କରି ଅନ୍ୟ ଶିକ୍ଷକମାନେ ବି ସ୍କୁଲକୁ ଆସିବାରେ ବିଳମ୍ବ କରନ୍ତି । ଏଣୁ ପିଲାଙ୍କର ସବୁ ଦିନେ ରଜ ମଉଜ ।

ଦିନ ଦଶଟା ବେଳକୁ ପ୍ରାୟ ସମସ୍ତ ଚାଟ ଇସ୍କୁଲକୁ ଚାଲି ଆସନ୍ତି । ବିଦ୍ୟାଳୟ ପାଖ ବରଗଛ ମୂଳରେ ଶିକ୍ଷକମାନଙ୍କୁ ଅପେକ୍ଷା କରି ଖେଳ ଜମେ । ଏହି ପରି ଭାବେ କିଛି ପାଠ ନ ପଢ଼ି ବିଦ୍ୟାଧର ଓ ଅନ୍ୟ ଛାତ୍ରମାନଙ୍କର ସମୟ କଟୁଥାଏ । ସେବେ ବୃତ୍ତି ପରୀକ୍ଷା ଛଡ଼ା ଅନ୍ୟ କୌଣସି କେନ୍ଦ୍ର ପରୀକ୍ଷା ହେଉ ନ ଥିଲା । କେହି ପିଲା ଫେଲ ହେଉ ନ ଥିଲେ । ସ୍କୁଲରେ ନାଁ ଲେଖାଇଥିବା ସମସ୍ତଙ୍କୁ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣପତ୍ର ଅବଲୀଳାକ୍ରମେ ମିଳିଯାଉଥିଲା । ଏହି ପରି ଭାବେ ଆନନ୍ଦରେ କାଳାତିପାତ କୁରଥିବା ସମୟରେ ବିନା ମେଘରେ କୁଳିଶପାତ ହେଲା । ବିଦ୍ୟାଧର ପଞ୍ଚମ ଶ୍ରେଣୀରେ ପାଠପଢ଼ା ସାରୁଥିବା ସମୟରେ ପାଟନାରେ ଇଞ୍ଜିନିଅରିଂ ପଢ଼ୁଥିବା ତାଙ୍କ ଅତି ପ୍ରିୟ ବଡ଼ ଭାଇ ଯକ୍ଷ୍ମା ରୋଗରେ ଚାଲିଗଲେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ହୋଇଥିଲା । ପ୍ରବନ୍ଧଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।