Friday, November 15, 2019

ଦୁର୍ଗା ଦାସଙ୍କ ସ୍କୁଲ ପଢ଼ାର ଇତିବୃତ୍ତ

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ଶୁଭାଷୀଶ ପାଣିଗ୍ରାହୀ (ୱିକିମିଡିଆ କମନ୍ସ୍)

ଉତ୍ତର ବାଲେଶ୍ୱରର ଭୋଗରାଇ ଅଞ୍ଚଳର ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା ଦାସଙ୍କର ଜନ୍ମ ଛୋଟ ଗାଁ ତଲାଡ଼ିର ଏକ ଦାସ କରଣ ପରିବାରରେ । ସେ ସମୟରେ ଗାଁଟିରେ କରଣ ପାଞ୍ଚ ଘର, ଦୁଇଟି ପରିବାର ବ୍ରାହ୍ମଣ ଜାତିର ଆଉ ବାକି ସମସ୍ତେ ବଣିଆ । ୧୯୨୧ ମସିହାରେ ଦୁର୍ଗା ବାବୁଙ୍କର ଜନ୍ମ ବେଳକୁ ସମୁଦାୟ ୩୦-୪୦ଟି ପରିବାର ଓ ଦୁଇଶହ ଖଣ୍ଡେ ଜନସଙ୍ଖ୍ୟା ର ଗ୍ରାମଟିଏ ଥାଏ ବଙ୍ଗ ଓଡ଼ିଶା ସୀମାର ଗାଁ ଏଇ ତଳିଆଡ଼ି ବା ତଳାଡ଼ି ।

ଦୁର୍ଗା ଛୋଟ ପିଲାଟିଏ ହୋଇଥିଲା ବେଳେ ହିଁ ବାପା ତ୍ରୈଲୋକ୍ୟ ଦାସ ଆରପାରିକୁ ଚାଲିଯାଇ ଥାଆନ୍ତି । ବଡ଼ ବାପା କୁଶଧ୍ୱଜ ବି ଆଉ ନ ଥାଆନ୍ତି । ବାପା ଥିଲେ ରାଜ ବଇଦ ଓ କୁଶଧ୍ୱଜ ଥିଲେ ଅମିନ । ଏପରି ପରିସ୍ଥିତିରେ ୧୯୩୦-୩୨ ମସିହାରେ ବଡ଼ ବାପା (କୁଶଧ୍ୱଜଙ୍କ ପୁଅ) ପ୍ୟାରୀମୋହନ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ଜେଲ ଚାଲି ଗଲେ । ଘରେ ଅନେକ ପିଲାପିଲି । ସେ ସମୟରେ ଘରର ଆର୍ଥିକ ଅବସ୍ଥା ନ କହିଲେ ଭଲ । ଦୁର୍ଗାଙ୍କ ମାଁ ଗାଁର ଅନ୍ୟ ଲୋକଙ୍କ ଘରେ ଧାନ କୁଟି କିଛି ଅର୍ଜନ କରନ୍ତି । ଘରେ ଖାଦ୍ୟ ବୋଇଲେ ଖୁଦ, କୁଣ୍ଡା ଓ ଜାଉ ।?

ସେଇ ଦଶ ଏଗାର ବର୍ଷ ବୟସରେ ହିଁ ଦୁର୍ଗା ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରି ଥାଆନ୍ତି । ପରିବାରର ଅବସ୍ଥା ଦୃଷ୍ଟିରୁ ଘରେ ରହି ପାଢ଼ ପଢ଼ିବା ଆଉ ସମ୍ଭବ ଲାଗୁ ନ ଥାଏ । ସ୍କୁଲର ପ୍ରଧାନଶିକ୍ଷକ ଥାଆନ୍ତି କ୍ଷେତ୍ରମୋହନ ମହାନ୍ତି । ଅର୍ଥାତ ଜଣେ କରଣ ଜାତି ଭାଇ । ସେ ଗାଁ ପାଖ ମନ୍ଦାରି ଗ୍ରାମର ମହେନ୍ଦ୍ର ସାହୁଙ୍କ ଘରେ ରହୁ ଥାଆନ୍ତି ଆଉ ତାଙ୍କର ପୁଅକୁ ଘରେ ପଢ଼ାଉ ଥାଆନ୍ତି । ମହାନ୍ତି କରଣେ ଦାସେ କରଣଙ୍କୁ ନେଇ ସାହୁଙ୍କ ଘରେ ରଖିଲେ, ପଢ଼ିବାରେ ସୁବିଧା ହେବ ବୋଲି । ଦୁର୍ଗା ପଢ଼ୁ ଥାଆନ୍ତି ନିଜ ଗାଁର ପ୍ରାଥମିକ ସ୍କୁଲରେ ହିଁ । ହେଲେ ଘରକୁ ଆସୁ ନ ଥାଆନ୍ତି କି ଘରର କିଛି ଖବର ନ ଥାଏ ତାଙ୍କ ପାଖରେ ।

ଯଥା ଶୀଘ୍ର ସେଠାରୁ ପାଠ ପଢ଼ା ସରେ । ସେବକୁ ତାଙ୍କ ନିଜ ସାନ ପିଉସା ସୁରେନ୍ଦ୍ରନାଥ ମହାନ୍ତି ପ୍ରଧାନଶିକ୍ଷକ ପଦରେ ନିଯୁକ୍ତ ଥାଆନ୍ତି ସେହି ଅଞ୍ଚଳର କଖଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟରେ । ତାହା ପାଖରେ ଥିବା ଝକଝକି ସ୍କୁଲର ପ୍ରଧାନ ଶିକ୍ଷକ ଥାଆନ୍ତି ସୁରେନ୍ଦ୍ର ବାବୁଙ୍କର ବନ୍ଧୁ ଜଣେ । ତାଙ୍କୁ କୁହାବୋଲା କରି ପୁତୁରାଟିର ନା ଲେଖାଯାଏ ଝକଝକି ଇସ୍କୁଲୁରେ । ସେତେବେଳେ ସେ ରହନ୍ତି କୃଷ୍ଣମୋହନ ପାଳଙ୍କ ଘରେ । ସେଠି ପାଠ ସରିଲା ପରେ ପିଉସା ତାଙ୍କୁ ଆଣନ୍ତି, ନିଜ ପାଖକୁ, କଖଡ଼ାର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ । ସେଠି ସେ ରହନ୍ତି କଖଡ଼ାର କାୟସ୍ଥ ପଡ଼ାରେ, ଜମିଦାର ରାୟ ବାହାଦୁର ମନ୍ମଥନାଥ ବାବୁଙ୍କ ଘରେ । କାୟସ୍ଥମାନେ ହେଲେ ବଙ୍ଗଦେଶ ଓ ହିନ୍ଦୁସ୍ତାନର କରଣମାନଙ୍କର ସମଧର୍ମା ଜାତିବିଶେଷ ।

ଦୁର୍ଗାଙ୍କର ୧୯୩୮ ମସିହାରେ ମଧ୍ୟ ଇଂରାଜୀ ପାଠ ସରିବାର କିଛି ସମୟ ପରେ, ତାଙ୍କ ବଡ଼ ବାପା ପୁଅ ଭାଇ ପ୍ୟାରୀମୋହନ ଗାଁକୁ ଆସନ୍ତି ବ୍ରତଘର ପାଇଁ । ସେତେବେଳେ ସେ ରହୁଥାଆନ୍ତି ବାଲେଶ୍ୱରର ଚିଡ଼ିଆପୋଲ ପାଖ ପ୍ରିୟ ସରକାରଙ୍କ ଘରେ, ମାମା ତୁଳସୀ ଦାସ ଘୋଷଙ୍କ ସହ । ମାମା ତୁଳସୀ ଦାସ ଥିଲେ ପ୍ରିୟ ବାବୁଙ୍କ ମାମୁଁ । ‘ଘୋଷ’ କାୟସ୍ଥ ଅର୍ଥାତ୍ ବଙ୍ଗାଳୀ କରଣମାନଙ୍କର ଏକ ସାଙ୍ଗିଆ ବିଶେଷ । ବୋଇଲେ ପ୍ରିୟ ସରକାର ମଧ୍ୟ କାୟସ୍ଥ ହିଁ ହୋଇଥିବେ । ଅର୍ଥାତ୍ ଓଡି଼ଆ କରଣ ହାଇସ୍କୁଲ ପାଠ ପଢ଼ିବାକୁ ବାଲେଶ୍ୱର ସହରକୁ ଯ।ଇ ରହିଲେ ବଙ୍ଗାଳୀ କରଣଙ୍କ ଘରେ ଚାରି ବର୍ଷ ।

ଆଜିକାଲି ଯେତେବେଳେ ଆମେ ଉଚ୍ଚ ଜାତିର ଗରୀବ ଲୋକେ କିପରି ନିଜ ଶିଙ୍ଘରେ ମାଟି ତାଡ଼ି ମଣିଷ ହୋଇଚନ୍ତି ଓ ହୁଅନ୍ତି, ସେହି କଥନିକା ଗୁଡ଼ିକ କହୁ, ସେତେବେଳେ ଆମେ ଭୁଲି ଯ।ଉ ଯେ ସଙ୍ଗତିସମ୍ପନ୍ନ ଜାତିର ସବଳମାନଙ୍କର ଶକ୍ତି ସେହି ଜାତିର ଦୁର୍ବଳମାନଙ୍କର ମଧ୍ୟ କାମରେ ଆସେ । ଧରନ୍ତୁ ୧୯୨୧ ମସିହାରେ ଭୋଗରାଇରେ ଦଳିତ ଜାତିରେ ଜନ୍ମ ଜଣେ ଭୂମିହୀନ ବା ନାମମାତ୍ର ଚାଷୀ ପରିବାରର ପିଲାଚିଏ ଯଦି ଦୁର୍ଗା ବାବୁଙ୍କ ଭଳି ୟାତା ଘରେ ରହି ପଢ଼ିବାକୁ ଚାହିଁ ଥାଆନ୍ତେ, ସେ କଅଣ କରି ଥାଆନ୍ତେ ? ଅତଏବ୍, ମୂଳରୁ ଜାତି ବ୍ୟବସ୍ଥାର ଅର୍ଥ ହିଁ ହେଲା ସବଳର ନିଜ ସପକ୍ଷରେ ସ୍ଥାନ ସଂରକ୍ଷଣ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟିର'ରେ ଛପାଯାଇଥିଲା । ପ୍ରବନ୍ଧଟିରେ ବ୍ୟବହୃତ ଉପାଦାନଗୁଡ଼ିକ ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା ଦାସଙ୍କର ଆତ୍ମଜୀବନୀ ‘ଅମୃତ ସ୍ୱାକ୍ଷର: ଜୀବନ-ସଙ୍ଗ୍ରାମ ଓ ସ୍ମୃତି ଅନୁଭୂତି’ ରୁ ଆହରିତ । ବହିଟିର ବ୍ୟବହୃତ ସଂସ୍କରଣଟି ବାଲେଶ୍ୱରର ସୁବର୍ଣ୍ଣଶ୍ରୀ ପ୍ରକାଶନୀ ଛାପିଥିବା ୨୦୧୨ ମସିହାର ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ବହିଟି ପ୍ରଥମେ ୧୯୮୭ ମସିହାରେ ଛପାଯାଇଥିଲା ।

Monday, October 07, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୪ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତ୍ରିଶରଣ ବୋଲି ନାବ ତିଆରିଲି ତହିଁ ଆଠଗୋଟି ଘର,
ଭସାଇଣ ଦେଖେ କରୁଣା ଶୂନ୍ୟତା ଦେହ ତ ଜୁର ନିଜର ।

ସ୍ୱପ୍ନ ଆଉ ମାୟା ଜାଣି ଏ ଜୀବନ ଭବନଦୀ ସନ୍ତରିଲି,
ନଈ ମଝିଟାରେ କାହିଁ ବଡ଼ ଢେଉ ମଗନ କରିଲା ଖାଲି ।

ଦେହ ନଉକାରେ ପଞ୍ଚ ତଥାଗତ ଛିଡ଼ା ହୋଇଲେଣି ଆସି,
ଏଥର କାହ୍ନୁପା ନିଶ୍ଚେ ଛିଣ୍ଡାଇବ ମାୟା ମୋହ ବନ୍ଧା ରସି ।

ଗନ୍ଧ ରସ ଆଉ ପରଶଟି ଥାଉ ନିଦ୍ରାହୀନ ସ୍ୱପ୍ନ ପରି,
ଚିତ୍ତ-କର୍ଣ୍ଣଧାର ମାଗେ ଶୂନ୍ୟତା କାହ୍ନୁ ସଙ୍ଗମେ ଯାଏ ଚଳି ।

Tuesday, October 01, 2019

ଓଡ଼ିଆ ବ୍ରାହ୍ମ କୀର୍ତ୍ତନ - 'ଗାଅ ଆନନ୍ଦେ ସର୍ବେ ଗାଅ ଗାଅ'

ସଙ୍କଳକ - ବିଶ୍ୱନାଥ କର


କଲିକତାସ୍ଥ ବ୍ରାହ୍ମ ନବଦେବାଳୟର ଚିତ୍ର (୨୦୧୭ ମସିହାରେ ଉତ୍ତୋଳିତ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଗାଅ ଆନନ୍ଦେ ସର୍ବେ ଗାଅ ଗାଅ
ଏକମାତ୍ର ପରମାତ୍ମା ବ୍ରହ୍ମାଣ୍ଡ ବିଧାତା,
ଏକମାତ୍ର ପ୍ରଭୁ ଗୁରୁ ବନ୍ଧୁ ପିତାମାତା ।
ଏକମାତ୍ର ପରିଦ୍ରାତା ପବିତ୍ର ମହାନ,
ଏକମାତ୍ର ସର୍ବସାକ୍ଷୀ ମଙ୍ଗଳନିଦାନ ।

ଏକମାତ୍ର ହିତକାରୀ ଅଗତିର ଗତି,
ଏକମାତ୍ର ପ୍ରାଣସ୍ୱାମୀ ସର୍ବଲୋକପତି ।
ଏକମାତ୍ର ଆଦିଶକ୍ତି ଅଖିଳାକାରଣ,
ଏକପାତ୍ର ଶାନ୍ତିଦାତା ପତିତପାବନ ।

ଏକମାତ୍ର ଅଦ୍ୱିତୀୟ ଅନନ୍ତ ଅପାର,
ଏକମାତ୍ର ସର୍ବବ୍ୟାପୀ ବ୍ରହ୍ମ ନିରାକାର ।
ଏକମାତ୍ର ସନାତନ ସ୍ୱୟମ୍ଭୁ ଈଶ୍ୱର,
ଏକମାତ୍ର ସତ୍ୟଜ୍ୟୋତି ଅମୃତସାଗର ।

ଏକମାତ୍ର ଅନ୍ତର୍ଯ୍ୟାମୀ ଅଧମତାରଣ,
ଏକମାତ୍ର କୃପାସିନ୍ଧୁ କାତରଶରଣ ।
ଏକମାତ୍ର ଭୟହାରୀ ଭବକର୍ଣ୍ଣଧାର,
ଏକମାତ୍ର ଜଗନ୍ନାଥ ଜୀବନ ଆଧାର ।

ଏକମାତ୍ର ଧର୍ମରାଜ ସର୍ବଶକ୍ତିମୟ,
ଏକମାତ୍ର ସୁଧାସିନ୍ଧୁ ଆନନ୍ଦ-ଆଳୟ ।
ଏକମାତ୍ର ଜ୍ଞାନମୟ ଜାଗ୍ରତବିଧାତା,
ଏକମାତ୍ର ନ୍ୟାୟକାରୀ ନ୍ୟାୟଦଣ୍ଡଦାତା ।

ବିକମାତ୍ର ନିଷ୍କଳଙ୍କ ପାଷଣ୍ଡଦଳନ,
ଏକମାତ୍ର ମୋକ୍ଷସେତୁ ନିତ୍ୟ ନିରଞ୍ଜନ ।
ଏକମାତ୍ର ମୃତ୍ୟୁଞ୍ଜୟ ପ୍ରତ୍ୟକ୍ଷଦେବତା
ଏକମାତ୍ର ଭଗବାନ ଭୁବନକରତା ।

ଏକମାତ୍ର ପ୍ରାଣେଶ୍ୱର ପରମସୁନ୍ଦର,
ଏକମାତ୍ର ଭକ୍ତସଖା ଭକ୍ତମନୋହର ।
ଏକମାତ୍ର କୃପାସିନ୍ଧୁ କଳୁଷଭଞ୍ଜନ,
ଏକମାତ୍ର ସିଦ୍ଧିଦାତା ସଙ୍କଟବାରଣ ।

ଏକମାତ୍ର ପୁଣ୍ୟ-ସୂର୍ଯ୍ୟ ବିଭୁ ଜଗଦ୍‌ଗୁରୁ,
ଏକମାତ୍ର ଭକତର ବାଞ୍ଛାକଳ୍ପତରୁ ।
ଏକମାତ୍ର ପ୍ରେମଚନ୍ଦ୍ର ହୃଦୟ ଆକାଶେ,
ଏକମାତ୍ର ପ୍ରାଣସଖା ସଦା ଦୁଃଖୀ ପାଶେ ।

ଏକମାତ୍ର ବିଶ୍ୱବନ୍ଦ୍ୟ ବିଘ୍ନବିନାଶନ,
ଏକମାତ୍ର ଅନ୍ନ ଧନ ସମ୍ପଦକାରଣ ।
ଏକମାତ୍ର ଆଦିକବି ଆଦିଚିତ୍ରକର,
ଏକମାତ୍ର ପ୍ରକାଶକ ନିଜ ସ୍ୱରୂପର ।

ଏକମାତ୍ର ଘୋର ମୋହ ରାତ୍ରିବିନାଶନ,
ଏକମାତ୍ର ଭକ୍ତହୃଦ–ପଦ୍ମର ତପନ ।
ଏକମାତ୍ର ନିର୍ବିକାର ନିଖିଳ-ଆଶ୍ରୟ,
ଏକମାତ୍ର ଦର୍ପହାରୀ ଦୀନଦୟାମୟ ।

ଏକମାତ୍ର ବୁଦ୍ଧିଦାତା ଦୁର୍ବଳର ବଳ,
ଏକମାତ୍ର ଗତି ଆଶା ଭରସା କେବଳ ।
ଏକମାତ୍ର ଚିଦାନନ୍ଦ ପୂର୍ଣ୍ଣ ପରମେଶ,
ଏକମାତ୍ର ପ୍ରଜାପତି ଅନାଦି ଅଶେଷ ।

ଏକମାତ୍ର ଅତୀନ୍ଦ୍ରିୟ ବାଙ୍‌ମନ-ଅତୀତ,
ଏକମାତ୍ର ମହାରାଜ ବ୍ରହ୍ମାଣ୍ଡସେବିତ ।
ଏକମାତ୍ର ଶାସ୍ତିଦାତା ପାଷାଣ୍ଡଦଳନ,
ଏକମାତ୍ର ରୋଗଦ୍ୱାରା ସନ୍ତାପହରଣ ।

ଏକମାତ୍ର ବିଶ୍ୱଲକ୍ଷ୍ମୀ ବ୍ରହ୍ମାଣ୍ଡଜନନୀ,
ଏକମାତ୍ର ଭକ୍ତପ୍ରାଣ ହୃଦସ୍ପର୍ଶମଣି ।
ଏକମାତ୍ର ମହାଶକ୍ତି ମହାଭୟଙ୍କରୀ,
ଏକମାତ୍ର ଜଗଦମ୍ବା ରାଜରାଜେଶ୍ୱରୀ

ଏକମାତ୍ର ରିପୁକୁଳ–ସଂହାରକାରିଣୀ,
ଏକମାତ୍ର ପୁଣ୍ୟପ୍ରେମ–ସତ୍ୟପ୍ରସବିନୀ ।
ଏକମାତ୍ର ନିତ୍ୟନବ ନିତ୍ୟପୁରାତନ,
ଏକମାତ୍ର ଇଷ୍ଟଦେବ ଭୁବନମୋହନ ।

ଏକମାତ୍ର ସର୍ବଶ୍ରୟ ଇହ ପରଲୋକେ,
ଏକମାତ୍ର ପ୍ରାଣାରାମ ଦୁଃଖେ ତାପେ ଶୋକେ ।
ଏକମାତ୍ର ରସସିନ୍ଧୁ ଲୀଳାମୟ ହରି,
ଏକମାତ୍ର ଯାର ନାମେ ପାପୀ ଯାଏ ଡରି । 

Thursday, September 19, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୩ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ



ଚେସ୍ ଖେଳର ଭାରତୀୟ ଆଦିରୂପ 'ଚତୁରଙ୍ଗ' (ୱିକିମିଡିଆ କମନ୍ସ୍)

ଚାଲେ ଆମ ଚେସ୍ ଖଳ ସବୁ ଦିନ କରୁଣା ପିଣ୍ଡାରେ
ଭବବଳ ଥିଲା ବାଜି, ଜିତି ଗଲି ଗୁରୁଙ୍କ କୃପାରେ ।

ଦୁଇମୁଖୀ ଚାଲ୍ ଦେଲି, ହୋଇଗଲା ରାଜା କିସ୍ତି ମାତ,
କପାଳରେ ଲେଖା ଅଛି ଏଇ ଏବେ ଜୀନପୁର ସତ ।

ଗଜବର ପ୍ରଥମରେ ଆକ୍ରମିଲା ସୈନୀକ ସମୂହ,
ରଣକ୍ଷେତ୍ରୁ ନିମିଷକେ ପାଞ୍ଚ ଜଣ ହୋଇଗଲେ ଦାହ ।

ରାଜନକୁ ଅବଶେଷେ ମନ୍ତ୍ରୀ ଦ୍ୱାରା କରି ଦେଲି ଗ୍ରାସ,
ଭବବଳ ଜିତି ଗଲି ନାହିଁ ମୋର ଆଉ କିଛି ଆଶ ।

ଗୁରୁ ଦିଏ ଜ୍ଞାନ ଆଗ କାହ୍ନୁପାଦ ଦାନ ଯେ ଚଳାଇ,
ଚଉଷଠି ବଖରା ଏଠି ସାବଧାନେ ଗଣିବ ଗୋସାଇଁ ।

Tuesday, September 10, 2019

ବାଣପୁରରେ ପିଲାଦିନ ପାଠପଢ଼ା


ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)


ଅଠର ବର୍ଷ ବୟସରେ ଗୋଦାବରୀଶ ମିଶ୍ର ନିଜର ଜାତକକୁ ଚିରି ଫୋପାଡ଼ି ଦେଇ ଥିଲେ । ଏଣୁ ତାଙ୍କୁ କେବେବି ନିଜର ପ୍ରକୃତ ବୟସ ଜଣା ନ ଥିଲା । ହେଲେ ଆନୁମାନିକ ହିସାବରେ ତାଙ୍କର ଜନ୍ମ ୧୮୮୬ ମସିହାରେ, ସେବେର ଓଡ଼ିଶା ଡିଭିଜନର ସୀମାନ୍ତ ବାଣପୁର ଅଞ୍ଚଳରେ । ଯେପରି ଜନ୍ମର ସମୟ ବିଷୟରେ ଧାରଣାର ସ୍ଥିରତା ନ ଥିଲା, ସେହିପରି ନାମର ଭିତ୍ତିଟି ମଧ୍ୟ ଥିଲା ଦୋଦୁଲ୍ୟମାନ । ୧୮୮୪ କି ୧୮୮୫ ସାଲରେ ଗୋଟିଏ ଗୋଦାବରୀ ସ୍ନାନ ଯୋଗ ପଡ଼ିଥିଲା । ତାହାରି ଅନୁସାରେ ବାପାମା ତାଙ୍କ ନାମ ରଖିଥିଲେ ଗୋଦାବରୀ । ଏଇଟି ଯେ ଗୋଟିଏ ନଦୀର ନାମ ନଦର ନୁହେଁ, ତାହା ତାଙ୍କୁ ଜଣା ନ ଥିଲା ବୋଧହୁଏ । ପରେ ସ୍କୁଲରେ ପଢ଼ିଲା ବେଳେ ପରିଦର୍ଶନ ପାଇଁ ଗୋଦାବରୀଙ୍କ ବିଦ୍ୟାଳୟକୁ ଥରେ ଆସିଥାଆନ୍ତି ମଧୁସୂଦନ ରାଓ । ସେ ହିଁ ଗୋଦାବରୀ ନାମଟିକୁ ବଦଳାଇ ଗୋଦାବରୀଶ କଲେ ।

ବ୍ରାହ୍ମଣ ହେଲେ ହେଁ ଗୋଦାବରୀଶଙ୍କ ବାପା ବଡ଼ ପଣ୍ଡିତ ନ ଥିଲେ । ହେଲେ ଜଣେ ୠଷିପ୍ରତିମ ଲୋକ ଭାବରେ ସେ ଖଣ୍ଡମଣ୍ଡଳରେ ଜଣାଶୁଣା ଥିଲେ । ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହର ଆଦର୍ଶକୁ ଗ୍ରହଣ କରି, ସେ ଆଜିର କମେଇକୁ କାଲିକୁ ରଖୁ ନ ଥିଲେ । ନୁଖୁରା ମୁଣ୍ଡରେ ଜଟା, ଦିହରେ ମୁଣ୍ଡରେ ତେଲ ବାଜେନା । ଜାମାଯୋଡ଼ ବୋଇଲେ ଧୋଇଶୁଖେଇ ପିନ୍ଧୁଥିବା ଖଣ୍ଡେ ଗେରୁଆ ଲୁଗା । ସେ ବଗଳାମୁଖୀ ମନ୍ତ୍ରରେ ଲୋକଙ୍କୁ ଝାଡ଼ି ତାଙ୍କର ଜର ଓ ବସନ୍ତ ଆଦି ବ୍ୟାଧି ଭଲ କରୁଥିଲେ ଗୋଦାବରୀଶଙ୍କ ପରିବାରରେ ବାପାଙ୍କ ଛଡ଼ା ଥିଲେ ମା ଓ ଅନ୍ଧୁଣୀ ଜେଜିମା । ଯେତେବେଳେ ଗୋଦାବରୀଶଙ୍କୁ ଦଶ ବରଷ ବୟସ, ଆଉ ଗୋଟିଏ ଛୋଟ ଝିଅଟିଏ ଯୋଡ଼ି ହେଲେ ପରିବାରରେ ।

ଘରେ ଏଣେ ସମ୍ପତ୍ତିବାଡ଼ି ବୋଇଲେ ଅଢ଼େଇ ଏକର ଚାଷ ଜମି । ଏଣେ ସବୁବେଳେ ଟାଣଟୁଣ ଅବସ୍ଥା । ଅନେକ ଦିନ ଚୁଲି ଜଳେନା । ତାହାରି ଭିତରେ ଦିନେଦିନେ ହଠାତ ବାପା କୌଣସି ଗ୍ରାମାଗତ ଅଭାବୀ ଦୂରଦେଶୀଙ୍କୁ ଘରକୁ ଖାଇବା ପାଇଁ ଡାକି ଆଣନ୍ତି । ସେଦିନ ଚୁଲି ଜଳିଥିଲେ ସୁଦ୍ଧା ଘରଲୋକଙ୍କୁ ଅର୍ଦ୍ଧାହାର ବା ଅନାହାର ରେ ରହିବାକୁ ହୁଏ । ଗାଈ ଖିର ଦେଉଥିଲେ, ଦୁହାଁ ହୋଇସାରିଲା ପରେ ଖିରଟିକକ ଗୋଦାବରୀ ପିଅନ୍ତି । ଭାତ ରନ୍ଧା ହେଲେ ତାହା ଉପରେ ପ୍ରାୟତଃ ବାପ ପୁଅ ଙ୍କର ନାଁ ଲେଖାଥାଏ । ଗୋଦାବରୀଙ୍କ ବୋଉ ଓ ଜେଜିମାଆ ପ୍ରାୟତଃ ଭାତର ପେଜ ଓ ମାଣ୍ଡିଆ ଜାଉ ଖାଆନ୍ତି । ଘରର ମହିଳାମାନଙ୍କ ଭାଗ୍ୟରେ ଅନ୍ନଭୋଜନ କରିବାର ଭାଗ୍ୟ କେବଳ ଉତ୍ସବଅନୁଷ୍ଠାନର ଦିନମାନଙ୍କରେ ଘଟେ ।

ତାଙ୍କ ନିଜ କହିବା ଅନୁସାରେ ଗୋଦାବରୀଶ ପିଲାବେଳେ ଭଲ ପଢ଼ାପଢ଼ି କରୁ ନ ଥିଲେ । ଏଣୁ ଶିକ୍ଷକଙ୍କ ଠାରୁ ଅନେକ ମାଡ଼ ମଧ୍ୟ ଖାଉଥିଲେ । ଅବଧାନଙ୍କ ପାଖରେ ବସିଲା ବେଳେ ଗୋଦାବରୀଶ ବହି ଧରି ବେଶି ସମୟ ଧ୍ୟାନ ଦେଇ ପାରନ୍ତି ନାହିଁ । ଶିକ୍ଷକଙ୍କ ମୁହଁରୁ ଯାହା ଶୁଣନ୍ତି, ସେଇତକ ହିଁ କେବଳ ଯାହା ମନେ ରହେ । ପିଲାଦିନର ଅବଧାନ ଥିଲେ ଗିରିଧାରୀ ମହାନ୍ତି । କଡ଼ା ମାଷ୍ଟର । ବେତ ବ୍ୟବହାର କରିବାରେ କୋତେଇ ନାଇଁ । ହେଲେ ଏଣେ ନଦୀରେ ପାଣି ବେଶି ଥିଲେ କାନ୍ଧରେ ବସେଇ ପାର କରାଇ ଦିଅନ୍ତି । ଖରାଦିନେ ବାଟର ବାଲି ଅଧିକ ତାତି ଗଲେ ଗୋଦାବରୀଙ୍କୁ ପିଠିରେ ଲାଉ କରି ନିଅନ୍ତି ।

ସ୍କୁଲଶିକ୍ଷା ସରିବା ପର୍ଯ୍ୟନ୍ତ ବି ତିନୋଟି ‘ସ’ ଓ ଦୁଇଟି ‘ଇ’ ବିଷୟରେ ଗୋଦାବରୀଶଙ୍କ ଜ୍ଞାନ ଥିଲା ଶଙ୍କାକୁଳ । ହେଲେ ତଥାପି ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଥିଲେ । ଯଦିଓ ଏଇ ପରୀକ୍ଷାରେ ସେ ‘କେଉଟ’ର ସ୍ତ୍ରୀଲିଙ୍ଗ ‘କେଉଟୀ’ ବୋଲି ଲେଖିଥିଲେ । ସେ ପାଠ ପଢ଼ିଲା ବେଳେ, ନିମ୍ନପ୍ରାଥମିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ତଥା ଉଚ୍ଚପ୍ରାଥମିକ ପରୀକ୍ଷା କିଛି ଅଂଶରେ ମୌଖିକ ଭାବରେ ଅନୁଷ୍ଠିତ ହେଉଥିଲା । ସେତେବେଳେ ମଧ୍ୟ-ଓଡ଼ିଆ ଓ ମଧ୍ୟ-ଇଂରାଜୀ, ଏହିପରି ଦୁଇଟି ପ୍ରକାରର ମାଧ୍ୟମିକ ବିଦ୍ୟାଳୟ ଚାଲୁଥିଲା । ମଧ୍ୟ-ଓଡ଼ିଆ ପରୀକ୍ଷା ବେଳକୁ ପ୍ରଶ୍ନ ଓ ଉତ୍ତର ଯୋଡ଼ିକ ଯାକ ହୋଇଯାଇଥିଲା ଲିଖିତ । ମଧ୍ୟ-ଓଡ଼ିଆ ପରୀକ୍ଷାରେ କିନ୍ତୁ ଗୋଦାବରୀ ଦ୍ୱିତୀୟ ଶ୍ରେଣୀ ପାଇଲେ ।

ଯେଉଁ ବର୍ଷ ଗୋଦାବରୀ ମଧ୍ୟ-ଓଡ଼ିଆ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେବେଠୁଁ ହିଁ ବାଣପୁର ମଧ୍ୟ-ଓଡ଼ିଆ ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ ହେଲା । ବାପାଙ୍କର ଇଚ୍ଛା ଥିଲା ଗୋଦାବରୀ ଇଂରେଜୀ ପାଠ ପଢ଼ି ଓକିଲ ହେବେ ଓ ପୁରୀ ସହରରେ ଓକିଲାତି କରିବେ । ସେ ସମୟରେ ଅବଶ୍ୟ ବାଣପୁରରେ ଇଂରାଜୀ ପାଠୁଆଙ୍କ ସଙ୍ଖ୍ୟା ବେଶି ନ ଥିଲା । ପୁରୀରେ ହରିହର ମିଶ୍ରେ ଥିଲେ ଏକମାତ୍ର ଓଡ଼ିଆ ଓକିଲ । ଆଉ ସେ ପର୍ଯ୍ୟନ୍ତ ପୂରା ବାଣପୁରରେ କେବଳ ଜଣେ ଲୋକ ଏଣ୍ଟ୍ରାନ୍ସ୍ (ଏବର ମାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୋରଧା କଚେରିରେ କିରାଣୀ କାମ କରୁଥାଆନ୍ତି ; ତ ତାଙ୍କର ଖାତିର କାହିଁରେ କଅଣ । ହେଲେ ଦରିଦ୍ର ବାମୁଣ ପୁଅଟି ପାଇଁ ସେତେବେଳେ ଏଣ୍ଟ୍ରାନ୍ସ ପାଇଁ ପଢ଼ା ଥିଲା, ଆକାଶ କଇଁଚ ଚିଲିକା ମାଛ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପାଯାଇଥିଲା । ଏଥି ନିମନ୍ତେ ଉପାଦାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ର କଟକସ୍ଥ ପ୍ରକାଶକ ଗ୍ରନ୍ଥମନ୍ଦିର ୨୦୧୪ ମସିହାରେ ଛାପିଥିବା ପୁନଃମୁଦ୍ରଣରୁ (୨୦୦୧ ସାଲରେ ପ୍ରକାଶିତ ପରିମାର୍ଜିତ ଦଶମ ସଂସ୍କରଣର ପ୍ରତି) ସଙ୍ଗୃହିତ ।

Thursday, August 08, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୨ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦୃଢ଼ ହସ୍ତେ ଧରା ନାଡ଼ିର ତରୁ
ବାଜେ ଅନାହତ ବୀର ଡମ୍ବରୁ ।

କାହ୍ନୁ ଯୋଗାଚାର ସାଧନ କରେ
ଏକାକାର ଘୁରେ ଦେହ ନଗରେ ।

ପାଦେ ଆଳି କାଳି ନୂପୁର ବାଜେ
ଚାନ୍ଦ ସୂରୁଜ କାନଫୁଲ ସାଜେ ।

ଭସ୍ମସାର କରି ଷଡ଼ରିପୁକୁ
ମୋକ୍ଷ ମୁକ୍ତାହାର ପିନ୍ଧେ ଗଳାକୁ ।

ମାରିଣ ଶାଶୁ ଓ ନଣନ୍ଦ ଶାଳୀ
ମାୟା ହାଣି ଦେଖ କାହ୍ନୁ କାପାଳୀ ।

Monday, August 05, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୧ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କାଳର ଶକତ ଖୁଣ୍ଟି ଓପାଡ଼ି
ବ୍ୟାପକ ବିବିଧ ବନ୍ଧନ ତାଡ଼ି ।

ସହଜ ନଳିନୀ କୁଞ୍ଜେ ପ୍ରବେଶ
ମାତାଲ କାହ୍ନୁ ଯେ ତୃପ୍ତ ହରଷ ।

ଯେଉଁ ପରି ହସ୍ତୀ ହସ୍ତୀନୀ ରମେ
କାମ କଳଧ୍ୱନୀ ଜଳ ବର୍ଷଣେ ।

ଷଡ଼ଗତି ସବୁ ସ୍ୱଭାବେ ଶୁଦ୍ଧ
ଭାବାଭାବେ କିଛି ନାହିଁ ବିରୁଦ୍ଧ ।

ଦଶଦିଶେ ରଖି ଦଶ ରତନ
ବିଦ୍ୟା-କରୀକୁ କରଇ ଦମନ ।