Saturday, September 08, 2018

ମହାତ୍ମା ଗାନ୍ଧୀଙ୍କର ଆଶ୍ରମ ଭଜନାବଳୀ - 'ନମୋ ନିରଞ୍ଜନ'

କବି - ଗୋପବନ୍ଧୁ ଦାସ


ଚିତ୍ର - 'ମୋନ୍‌ଫେଲ୍ଡ୍'
ଚିତ୍ରକର - କାର୍ଲ ହାଗ୍‌ମାଇଷ୍ଟର (୧୮୪୮-୧୯୩୩)

ନମୋ ନିରଞ୍ଜନ ନିଖିଳ ନିଦାନ
ବ୍ୟାପ୍ତ ସର୍ବ ଚରାଚରେ ।
ପ୍ରଭୁ ଦୟାମୟ ମଙ୍ଗଳ ଆଳୟ 
ଜୟ ଜଗଦୀଶ ହରେ ।୧।

ନମୋ ନିରାକାର ସର୍ବ ବିଶ୍ୱାଧାର
ବ୍ୟକ୍ତ ବାହ୍ୟ ଅଭ୍ୟନ୍ତରେ ।
ପ୍ରଭୁ ବିଶ୍ୱପତି ଅଗତିର ଗତି
ଜୟ ଜଗଦୀଶ ହରେ ।୨।

ଧରି ତୁମ୍ଭ ବଳ ବହଇ ଅନିଳ
ଅନ୍ତରୀକ୍ଷେ ନିରନ୍ତରେ
ଆଦେଶେ ଉଦଧି ନ ଲଙ୍ଘେ ଅବଧି
ଜୟ ଜଗଦୀଶ ହରେ ।୩।

ତବ ଦିବ୍ୟ ଜ୍ୟୋତି ପରକାଶେ ନିତି
ଗ୍ରହ ତାରା ନୀଳାମ୍ବରେ
ତବ ପୁଣ୍ୟ ହାସେ କୁସୁମ ବିକଶେ
ଜୟ ଦଗଦିଶ ହରେ ।୪।

ପ୍ରକାଶି କରୁଣା ଯେ ପୁଣ୍ୟ ପ୍ରେରଣା
ଦେଇଅଛ ମୋ ଅନ୍ତରେ ।
କର ତାହା ସିଦ୍ଧି କରୁଣାବାରିଧି
ଜୟ ଜଗଦୀଶ ହରେ ।୫।

Thursday, September 06, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୫

ଅନୁବାଦ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଟକି ରୁହ କେନ୍ଦ୍ରବିନ୍ଦୁରେ
ଦାଓ ଜନ୍ମ ଦିଏ ଭଲ ଆଉ ମନ୍ଦ
ଦାଓ ଏକ ଉପତ୍ୟକା
ତେବେ ଶୁଣ, କେନ୍ଦ୍ରକୁ ଆସିଛ ଯଦି, 
ଯାହା ନିଏ ନାହିଁ ପକ୍ଷ କାହାର
ଗୁରୁର ନାହିଁ କିଛି ପକ୍ଷ ଏମିତିରେ
ସେ ସନ୍ଥ ଆଉ ପାପୀକୁ ଏକାଠି ସ୍ୱାଗତ କରୁଥାନ୍ତି ।

ଦାଓ ଏକ ଶୂନ୍ୟତା
ଏକ ବିରଳ ଶୂନ୍ୟତା
ଯେତେ ବେଶି ଆଞ୍ଜୁଳାରେ ନେବ ସେତେ ବେଶି ବଢ଼େ
ବାଚାଳ ଯେତେ ବେଶି ହେବ
ସେତେ କମ୍ ପାଇବ ତାହାକୁ ।
ମୃଦୁବାକ୍ ହୋଇଯାଅ ତମେ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Tuesday, September 04, 2018


ତିରିଶ ଦଶକର ପୁରୀରେ ପଢ଼ାପଢ଼ି


୧୯୨୮ ମସିହାର ପୁରୀର ବଡ଼ଦାଣ୍ଡର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


୧୯୩୫ ମସିହାରେ ସର୍ବେଶ୍ୱର ଦାଶଙ୍କର ଡେପୁଟି ବାପାଙ୍କର ପୁରୀ ବଦଳି ହେଲା । ସେ ପୁରୀର ଟ୍ରେଜେରି ଅଫିସର ଭାବରେ ଜଏନ କଲେ । ସେତେବେଳେ ଜାନୁଆରୀ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେଉଥାଏ । ସର୍ବେଶ୍ୱର ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ଯୋଗ ଦେଲେ । ତାହା ସହ ରାମକୃଷ୍ଣ ପାଠାଗାରର ସଦସ୍ୟ ମଧ୍ୟ ବନିଲେ । ପିଲାବେଳଠୁଁ ସେ ଇଂରାଜୀରେ ଆଗ୍ରହୀ ଥିଲେ । ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ ।

ସପ୍ତମ ଶ୍ରେଣୀରେ ତାଙ୍କର ପାଖ-ସିଟ୍ ବସା ସାଙ୍ଗ ଥିଲେ, ରବୀନ୍ଦ୍ର କୁମାର ମିତ୍ର । ତାଙ୍କଠାରୁ ବଙ୍ଗଳା ଲେଖିପଢ଼ି ଶିଖିଲେ ଓ ବହୁତ ବଙ୍ଗଳା ବହି, ଯଥା, ‘ଯଖେର ଧନ’, ‘ଆବାର ଯଖେର ଧନ’ ପରି ରୋମାଞ୍ଚକର ପୁସ୍ତକ ତଥା ‘ମୌଚାକ’ ଆଦି ବଙ୍ଗଳା ପତ୍ରିକା ପଢ଼ା ଆରମ୍ଭ ହେଲା । ପୁରୀରେ ଦାଶଙ୍କ ନନା ‘ବ୍ରହ୍ମବିଦ୍ୟା’ ପତ୍ରିକାଟି ମଗାଉ ଥାଆନ୍ତି । ତାହା ମଧ୍ୟ ନିୟମିତ ପଢ଼ା ହୁଏ । ଅଷ୍ଟମ ଶ୍ରେଣୀର ଆରମ୍ଭରେ ଏହି ପତ୍ରିକାର ସମ୍ପାଦକ କୁଳଦାପ୍ରସାଦ ମଲ୍ଲିକ ପୁରୀ ଆସି ଜିଲ୍ଲା ସ୍କୁଲ ହଲରେ କୁହୁକ ଲଣ୍ଠନ ସହିତ ‘ଯୁଗେ ଯୁଗେ ଭାରତ’ ଶୀର୍ଷକରେ ଗୋଟିଏ ବତ୍କୃତା ଦେଲେ । ଏହି ହଲଟି ବର୍ତ୍ତମାନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କଲେଜ ହଲ ନାମରେ ନାମିତ । କୁହୁକ ଲଣ୍ଠନ (ମାଜିକ୍ ଲାଣ୍ଟର୍ନ) ବୋଇଲେ, ସେହି ଯନ୍ତ୍ରଟି ଭିତରେ ଚିତ୍ରଟିଏ ରଖି ଭିତର ଦୀପଟି ଜାଳିବାକୁ ପଡ଼େ । ତାହା ପରେ ଆଗରେ ରଖା ହୋଇଥିବା ପରଦାଟି ଉପରେ ସେହି ଚିତ୍ରଟି ବଡ଼ ଆକାରରେ ଦେଖାଯାଏ ।

ଯୁଗେ ଯୁଗେ ଭାରତ’ ବତ୍କୃତାଟିରେ ମଲ୍ଲିକ ବାବୁ ଭାରତୀୟ ସନ୍ଥ ପରମ୍ପରା ବିଷୟରେ ବିଷଦ ଆଲୋଚନା କଲେ । ଏହା ସର୍ବେଶ୍ୱରଙ୍କ ଉପରେ ପ୍ରଭାବ ପକାଇଲା । ଏହା ପରେ ସେ ରାମକୃଷ୍ଣ ମିଶନ ପ୍ରତି ଆକର୍ଷଣ ଅନୁଭବ କରି ତାହାର ପୁରୀରେ ଥିବା ଗ୍ରନ୍ଥାଗାରର ସଦସ୍ୟ ବନିଲେ । ସେଠି ଥିବା ଧର୍ମ ଓ ଆଧ୍ୟାତ୍ମିକତା ବିଷୟର ବହିମାନ, ଯଥା ରାମକୃଷ୍ଣ ଓ ବିବେକାନନ୍ଦଙ୍କ ଜୀବନୀ ଇତ୍ୟାଦି ପଢ଼ିବାକୁ ଲାଗିଲେ । ଏହା ସହ ଲାଇବ୍ରେରିକୁ ଆସୁଥିବା ‘ମଡର୍ଣ୍ଣ ରିଭ୍ୟୁ’ ଆଉ ‘ଇଣ୍ଡିଆନ ରିଭ୍ୟୁ’ ପରି ପତ୍ରିକା ମଧ୍ୟ ପଢ଼ିବା ଆରମ୍ଭ ହେଲା ।

ଘରେ ବେଦ, ଉପନିଷଦ, ଗୀତା ଓ ଭାଗବତ ଇତ୍ୟାଦି ଥାଏ । ମୂଳ ଉପନିଷଦ ସହିତ ସଂସ୍କୃତ ଓ ବଙ୍ଗଳା ଟୀକା ଓ ଅନୁବାଦ ମଧ୍ୟ ଥାଏ । କିଛି ବୁଝା ପଡ଼େ । କିଛି ପଡ଼େନି । ହେଲେ ପଢ଼ା ଜାରି ରହେ । ଘରେ ଅନେକ ସମୟରେ ଓଡ଼ିଆ ଭାଗବତର ପାରାୟଣ ଶୁଣିବାକୁ ମିଳେ । ସର୍ବେଶ୍ୱର ବାବୁଙ୍କ ନନା ତ ଘରକୁ ‘ଷ୍ଟେଟ୍ସ୍‌ମ୍ୟାନ୍’ ଖବରକାଗଜ ମଗାଉଥିଲେ । ୧୯୩୬ ମସିହାର ଡିସେମ୍ବର ମାସରୁ ତାହା ମଧ୍ୟ ପଢ଼ିବାକୁ ଛାତ୍ର ସର୍ବେଶ୍ୱର ଆରମ୍ଭ କଲେ । ଏହା ଛଡ଼ା ଘରେ ଥିବା ‘ବୋଉ’, ‘ଗୋବର ଗୋଟେଇ’ ଓ ‘ମଲା ଜହ୍ନ’ ପରି ଓଡ଼ିଆ ଉପନ୍ୟାସ ତଥା କେତେକ ସଂସ୍କୃତ ନାଟକ ଯଥା ‘ବିକ୍ରମୋର୍ବଶୀୟମ’ର ଓଡ଼ିଆ ଅନୁବାଦ, ରାଧାନାଥ ଓ ମଧୁସୂଦନ ଗ୍ରନ୍ଥାବଳୀ ତଥା ଗଙ୍ଗାଧର ମେହେରଙ୍କର ଲେଖା ମଧ୍ୟ ସେ ପଢ଼ିଲେ ।

ଘର ପାଖରେ ରହୁଥାଆନ୍ତି ପୁରୀ ଜିଲ୍ଲା ସ୍କୁଲର ଯୁବ ଇଂରାଜୀ ଶିକ୍ଷକ ପିତାମ୍ବର କର । ଇଂରାଜୀ ସାହିତ୍ୟ ପଠନ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଗଭୀର ଆଗ୍ରହ ଥିଲା । ତାଙ୍କଠାରୁ ଆଣି ଐତିହାସିକ ନାଟକ ଲେଖୁଥିବା ବଙ୍ଗାଳୀ ନାଟ୍ୟକାର ଦ୍ୱିଜେନ୍ଦ୍ର ଲାଲ ରାୟଙ୍କର ଗ୍ରନ୍ଥାବଳୀ, ଗିରିଷ ଘୋଷଙ୍କର ନାଟକମାନ ପଢ଼ିଲେ । ଏହା ସହ ନାନୀ ପଦ୍ମାବତୀ ଦେବୀଙ୍କ ଠାରୁ ଆଣି ବଙ୍କିମଚନ୍ଦ୍ର ଗ୍ରନ୍ଥାବଳୀ, ନିରୂପମା ଦେବୀ ଓ ଅନୁରୂପା ଦେବୀଙ୍କ ଲେଖା, ଇଶ୍ୱରଚନ୍ଦ୍ରଙ୍କ ଜୀବନୀ ତଥା ଶରତଚନ୍ଦ୍ରଙ୍କ ଉପନ୍ୟାସମାଳା ବି ପଢ଼ା ହେଲା ।

ଏସବୁ ମାନବିକ ମୂଲ୍ୟବୋଧର ସୂକ୍ଷ୍ମ ଚେତନା ତାଙ୍କ ଭିତରେ ସୃଷ୍ଟି କଲା । ନବମ କି ଦଶମ ଶ୍ରେଣୀରେ ପଢ଼ା ଆରମ୍ଭ ହେଲା ରବି ଠାକୁରଙ୍କର କବିତା, ଯାହା ତାଙ୍କର କିଶୋର ପ୍ରାଣରେ ସୃଷ୍ଟି କଲା ଭାବର ପ୍ଲାବନ । ‘ଗୀତାଞ୍ଜଳି’ ଗୋଟିଏ ସନ୍ଧ୍ୟାରେ ସାରିଦେଲେ । ଠାକୁରଙ୍କ ପ୍ରଭାବରେ ଆରମ୍ଭ କଲେ ବଙ୍ଗାଳି ଭାଷାରେ କବିତା ଲେଖା । ନାନୀଙ୍କ ଘରେ ବଙ୍ଗାଳୀ ବହି ଛଡ଼ା ଅନେକ ଓଡ଼ିଆ ବହି, ଯଥା କାଳିନ୍ଦୀ ପାଣିଗ୍ରାହୀଙ୍କର ‘ମୁକ୍ତାଗଡ଼ର କ୍ଷୁଧା’, ‘ଅମର ଚିତା’ ଆଦି ମଧ୍ୟ ଥିଲା । ସେଗୁଡ଼ିକ ବି ପଢ଼ା ହେଲା । ସେତେବେଳେ ମାୟାଧର ମାନସିଂହଙ୍କର ‘ଧୂପ’ ଚହଳ ସୃଷ୍ଟି କରିଥାଏ । ହେଲେ ରକ୍ଷଣଶୀଳମାନେ ବହିଟି ଉପରେ ନାକ ଟେକୁଥାଆନ୍ତି । ଏଣୁ ବହିଟି ପଢ଼ା ହେଲା ଘରର ଛାତ ଉପରେ, ଲୁଚିଲୁଚି । ଏମିତି ପଢ଼ିପଢ଼ି ଯେଉଁ ୠଚିଟି ତିଆରି ହେଲା, ତାହା ପରେ ନିର୍ମାଣ କଲା ବିଦଗ୍ଧ ସାହିତ୍ୟ ଶିକ୍ଷକ ସର୍ବେଶ୍ୱର ଦାଶଙ୍କୁ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।

Sunday, September 02, 2018

ପୋଟଳ ସିଝା

ସରୋଜିନୀ ଚୌଧୁରୀ


ପୋଟଳ ଲତା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଉପକରଣ - ପୋଟଳ ଅଧ ସେର, ଘିଅ ବଡ଼ ପଳେ, ଅଦା ଅଧ ଗିରେ, ପିଆଜ ଚାରିଟା, ଲୁଣ ଅଧ ତୋଳେ, ଗୋଲମରିଚ ଚାରି କି ପାଞ୍ଚ ପୁଞ୍ଜା । 

ପ୍ରଣାଳୀ -  ପୋଟଳର ଚୋପା ଛଡ଼ାଇ ଡାଲିରେ କି ଝୋଳ ତରକାରି ସଙ୍ଗରେ ସିଝାଅ । ଅଦା ଏବଂ ପିଆଜର ଚୋପା ଛଡ଼ାଇ ବିରି ବା କୋଳଥ ଆକାରରେ, ଅର୍ଥାତ ଖୁବ୍ ଛୋଟ କରି, କାଟ । ଅଦାକୁ ଧୋଇ ନେବ । ପିଆଜ ଧୋଇବାର ଦରକାର ନାହିଁ । ଗୋଲମରିଚ ଚୁରି ରଖ । ସିଦ୍ଧ ପୋଟଳକୁ ବାହାର କରି ଚକଟ । ମଞ୍ଜି ଯଦି ଶକ୍ତ ହୋଇ ଯାଇ ଥିବ ତେବେ ତାହାକୁ ସ୍ୱତନ୍ତ୍ର କରି ରଖ (ଅବଶ୍ୟ ରୁଚି ଅନୁଯାୟୀ) । ଚକଟା ପୋଟଳରେ ଘିଅ ପିଆଜ ଆଦି ମିଶାଇ ଖାଇବାକୁ ଦେବ ।

ଗୁଣାଗୁଣ - ପୋଟଳ କଟୁ-ତିକ୍ତ-ମଧୁର ରସ, ଉଷ୍ଣବୀର୍ଯ୍ୟ, ଲଘୁପାକ, ଅଗ୍ନିବର୍ଦ୍ଧକ, ସ୍ୱିଗ୍ଧ, ସାରକ, ପାଚକ, ରୁଚିକର, ଶୁକ୍ରବର୍ଦ୍ଧକ ଏବଂ କଫ, ପିତ୍ତ, କଣ୍ଡୁ, କୁଷ୍ଠ, ଜ୍ୱର, ଦାହ, କାଶ, କୃମି, ରକ୍ତ ଓ ତ୍ରିଦୋଷ ପକ୍ଷରେ ଉପକାରକ ।

ବି.ଦ୍ର. - ପୋଟଳ ସିଝା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Friday, August 31, 2018


ମହାତ୍ମା ଗାନ୍ଧୀଙ୍କର ଆଶ୍ରମ ଭଜନାବଳୀ - 'ଭଲବାଟ ମୋତେ ଦେଖାଅ'

କବି - ରାମକୃଷ୍ଣ ନନ୍ଦ


ଗୁଜୁରାଟର ସାବରମତି ଆଶ୍ରମର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଭଲ ବାଟ ମୋତେ ଦେଖାଅ ତୁମେ ଉଢ଼ାଳେ ଥାଇ
ଦାଉ ଧକ୍କା ଯେତେ ଆସିବ ସବୁ ଯିବି ଏଡ଼ାଇ ।

ସତ ମିଠା ବୋଲି ଦିଅ ହେ ସଦା ତୁଣ୍ଡରେ ମୋର
ଦେଶ ଦୁନିଆର କାମେ ନ ମଣେ ଆପଣା ପର ।

ଦୁଃଖୀ ରଙ୍କି ଶୋଷୀ ସକାଶେ ଝରୁ ଆଖିରୁ ପାଣି
ତାଙ୍କ ସେବା ଲାଗି ସାହସ ବଳ ଦିଅ ହେ ଆଣି ।

ସମ୍ପଦେ ନ ହୁଏଁ ବିଭୋର ବିପଦରେ ଅଧୀର
ସତ ଲାଗି ଛାତି ପାତେ ମୁଁ କଟୁ ପଛେ ମୋ' ଶିର ।

ଟଙ୍କା ସୁନା ପଉରୁଷକୁ ମନ ନ ବଳୁ ତିଳେ 
ନତ କର ସଦା ମୋ ମଥା ତୁମ ଚରଣ ତଳେ ।

Thursday, August 30, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୪

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ରକର - ଓଲାଉସ ମାଗ୍‌ନସ୍ (୧୪୯୦ - ୧୫୫୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତାଓ ଈଶ୍ୱରଠୁ ପ୍ରବୀଣ
ତାଓ ଯେମିତି ଏକ ଝରଣା ।
ସତତ ଦାନଶୀଳ, ଶୁଖିବନି କେବେ ।
ତାଓ ଯେମିତି ଏକ ଅନନ୍ତ ଶୂନ୍ୟତା,
ଭରିଅଛି ଅସୀମ ସମ୍ଭାବନାରେ ।
ଅଦୃଶ୍ୟ ତାଓ ସଦା ଜାଗ୍ରତ
ଜାଣେ ନାହିଁ, କିଏ ତାହାର ଜନ୍ମଦାତା
ତାଓ ଈଶ୍ୱରଠୁ ବି ପ୍ରବୀଣ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Wednesday, August 29, 2018

ଛଅ ଦୁଗୁଣେ ବାଆର


କଟକ ସ୍ଥିତ ଗୋରା କବର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଛଅ ଦୁଗୁଣେ ବାଆର, ମିଡିଲିଆ ଚୋର’ । ଶିକ୍ଷାବିତ ସର୍ବେଶ୍ୱର ଦାଶ ନିଜ ଗାଆଁ ବାଟ ଦେଇ ସମ୍ବଲପୁରରୁ ଆସି କଟକରେ ଟ୍ରେନିଙ୍ଗ ବିଦ୍ୟାଳୟ ସଂଲଗ୍ନ ମିଡିଲ୍ ସ୍କୁଲରେ ଯେବେ ତୃତୀୟ ଶ୍ରେଣୀରେ ନାମ ଲେଖାଇଲେ, ସେତେବେଳେ ତାଙ୍କୁ ଏହିପରି ଟାହୁଲି ଗୀତ ଅନ୍ୟ ସ୍କୁଲର ପିଲାଙ୍କଠାରୁ ଶୁଣିବାକୁ ପଡ଼ୁଥିଲା । ଏଥିକୁ ଅନ୍ୟ ଇସ୍କୁଲ ପିଲାଙ୍କୁ ମିଡିଲିଆ କଥା ଲେଉଟାନ୍ତି - ‘କଲେଜିଏଟ୍, ପାନ ବିଡ଼ି ସିଗାରେଟ୍’, ‘ମିଶନ୍ ଫେସନ୍’ । ଅବଶ୍ୟ ମିଡିଲ ସ୍କୁଲରେ ତୃତୀୟ ଶ୍ରେଣୀରୁ ଉଠି ପର ବର୍ଷ ସେଇ କଲେଜିଏଟେରେ ହିଁ ସର୍ବେଶ୍ୱର ବାବୁ ଚତୁର୍ଥ ଶ୍ରେଣୀରେ ନାମ ଲେଖେଇଲେ । ୧୯୩୧ ମସିହା ହବ ବୋଧେ । ସେ କଲେଜିଏଟ ସ୍କୁଲରେ ଯୋଗ ଦେଲା ବେଳକୁ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ପଢ଼ୁ ଥାଆନ୍ତି ୧୦ କି ୧୧ କିଲାସରେ; ଫୁଲ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସନ୍ତି, ଆଉ ଖେଳରେ ସବୁ ପୁରସ୍କାର ତକ ଉପରେ ସେ ନିଜ ନାଁ ଯେପରି ଲେଖାଇ ନେଇ ଥାଆନ୍ତି ।

କଟକରେ ସର୍ବେଶ୍ୱରଙ୍କ ପରିବାର ରହୁଥିଲେ ସାହେବଜାଦା ବଜାରରେ । ନିମଚଉଡ଼ିରୁ ଟ୍ରେନିଂ କଲେଜ ଯାଇଥିବା ରାସ୍ତା ଉପରେ ଘର, ଯାହାର ଏବର ନାମ ଭାଷାକୋଷ ସରଣୀ । ସ୍କୁଲରେ ସର୍ବେଶ୍ୱର ପିଲାବେଳରୁ ହିଁ ପ୍ରଥମ ହୁଅନ୍ତି । ତେଣୁ ମାଡ଼ଗାଳିର ତାଡ଼ନା ନ ଥାଏ । ତାହା ଛଡ଼ା ସେ ଚତୁର୍ଥ, ପଞ୍ଚମ, ଷଷ୍ଠ ଶ୍ରେଣୀରେ ମନିଟର ବି ହେଲେ । ତିନି ଥର ଲାଗଲାଗ । ଏହା ଥିଲା କଲେଜିଏଟ ବିଦ୍ୟାଳୟର ଇତିହାସରେ ଏକ ବ୍ୟତିକ୍ରମ । ସ୍କୁଲର ବାର୍ଷିକ ପୁରସ୍କାର ହିସାବରେ ବହି ହିଁ ମିଳୁଥିଲା । ସେଥିରୁ ସର୍ବେଶ୍ୱରଙ୍କୁ ମିଳିଥିବା ଗୋଟିଏ ପ୍ରାଇଜ ପୁସ୍ତକ ଥିଲା ରାମକୃଷ୍ଣ ନନ୍ଦଙ୍କ ଲିଖିତ ତୁଳସୀ ଦାସଙ୍କ ଜୀବନା ଓ ସ୍ତବକମାଳା । ପାଠ ପଢ଼ା ଛଡ଼ା ପିଲାବେଳୁ ହିଁ ଘରେ ଥିବା ‘ପିଲାଙ୍କ ମହାଭାରତ’ ଓ ‘ପିଲାଙ୍କ ରାମାୟଣ’ ଆଉ ‘’ନାବିକ ସିନ୍ଦବାଦ୍‌ର କାହାଣୀ’, ‘ଗଲିଭର୍‌ଙ୍କ କାହାଣୀ’, ‘ବାଲିରାଜା’ ଇତ୍ୟାଦି ବହି ତାଙ୍କର ପଢ଼ା ସରିଥାଏ ।

କଲେଜିଏଟେରେ ପାଠପଢ଼ା ଆରମ୍ଭ ହେବା ପରେ ବେଳେବେଳେ ସର୍ବେଶ୍ୱର ନିଜ ଭାଇନାଙ୍କ ସହିତ ଖେଳଛୁଟିରେ ନିଜ ଡେପୁଟି ମାଜିଷ୍ଟ୍ରେଟ ପିତା ଗୋପୀନାଥ ଦାଶଙ୍କ କଚେରିରେ ଥିବା ମିଶଲକୁ ଯାଆନ୍ତି । ଖାଇବା ଛୁଟି ସମୟରେ ବାପାଙ୍କ ସହ ବସି ଦୁଇ ଭାଇ ଜଳଖିଆ ଖାଆନ୍ତି । ଚାରି ପଇସାରେ ମିଳେ ପତର ଦନା ଭରତି ହେଲା ଭଳିଆ ଗୋଟେ ରସଗୋଲା । ଦୁଇ ଭାଇ ଜଳଖିଆ ଖାଆନ୍ତି ଆଉ ଈସ୍କୁଲୁ ଫେରନ୍ତି । ସମାଜର ସମ୍ପାଦକ ପଣ୍ଡିତ ଲିଙ୍ଗରାଜ ମିଶ୍ର ଥିଲେ ଗୋପୀନାଥ ମିଶ୍ରଙ୍କର କଟକରେ ପଡ଼ୋଶୀ । ସେତେବେଳେ ସେ ଲୋକ ସେବକ ମଣ୍ଡଳର ସଭ୍ୟ ମଧ୍ୟ ଥାଆନ୍ତି । ଲିଙ୍ଗରାଜ ବାବୁଙ୍କ ଦ୍ୱାରା ଲିଖିତ ଜୀବନୀ ଓ ଅନ୍ୟାନ୍ୟ ବହି ପଢ଼ି, ସର୍ବେଶ୍ୱର ଫରାସୀ, ଇତାଲୀୟ, ଓ ୠଷୀୟ ବିପ୍ଳବ ବିଷୟରେ ଜାଣିଲେ । ଏହା ଛଡ଼ା ‘ସମାଜ’ ପାଇଁ ଆସୁଥିବା ସମୀକ୍ଷା ପାଇଁ ବହିଗୁଡ଼ିକ ବି ଲିଙ୍ଗରାଜ ସର୍ବେଶ୍ୱରଙ୍କୁ ଧରାଇ ଦିଅନ୍ତି ପଢ଼ିବା ଲାଗି ।

ସେବେ ଚତୁର୍ଥ ଶ୍ରେଣୀରେ ‘ସାହିତ୍ୟ କୁସୁମ’ ବହିଟି ପଢ଼ା ହେଉଥିଲା । ପାଠ୍ୟପୁସ୍ତକଟିର ସମ୍ପାଦନା କରିଥିଲେ ମଧୁ ରାଓ । ଷଷ୍ଠ ଶ୍ରେଣୀରେ ପଢ଼ା ହୁଏ ତାଙ୍କରି ‘ସାହିତ୍ୟ ପ୍ରସଙ୍ଗ” । ପାଠରେ ଥାଏ ‘ପଦ୍ମ’, ‘ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ’, ‘ରେ ଆତ୍ମନ୍ ନିଦ୍ରା ପରିହରି’, ‘ତୁଳସୀ ସ୍ତବକ’, ‘ନଦୀ ପ୍ରତି’, ‘ସୀତା ବନବାସ’ ଇତ୍ୟାଦି କବିତା । ସେହି ଷଷ୍ଠ ଶ୍ରେଣୀରେ ୧୭୫୫ ମସିହାର ପର୍ତ୍ତୁଗାଲର ଲିସବନ ସହରକୁ ଧ୍ୱଂସ କରିଦେଇଥିବା ଭୂମିକମ୍ପ ବିଷୟରେ ପାଠ ପଢ଼ା ହେଉଥିବା ସମୟରେ ବିହାର ଭୂମିକମ୍ପ ଘଟେ ୧୯୩୪ ମସିହାରେ । ଏକ ବିଚିତ୍ର ସଞ୍ଜୋଗ । କଲେଜିଏଟ ସ୍କୁଲରେ ସର୍ବେଶ୍ୱର ୧୯୩୦ ଦଶକରେ ପଢ଼ିଲା ବେଳେ କଟକରେ ପ୍ରବଳ ମେଲେରିଆ ବ୍ୟାପୁଥିଲା । ସେ ନିଜେ ବି ଅନେକ ଥର ରୋଗ ଭୋଗିଥିବେ । ସେବେ ‘ଜାରମଲୀନ’ ଓଷଦର ମେଲେରିଆ ଚିକିତ୍ସା ପାଇଁ ନାଁ ଡାକ ଥିଲା । ରାସ୍ତାଘାଟରେ ମଡ଼ା ହୋଇଥାଏ, ‘ଜାରମଲୀନ ଜ୍ୱରର ଯମ’ ।

ଏଇ ସ୍କୁଲ ପାଠପଢ଼ା ସମୟରେ କଟକରେ ଜୋରଦାର ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା । ଏହା ସର୍ବେଶ୍ୱରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଘର ପାଖରେ ଥିବା ଗୋପାଳ ପ୍ରହରାଜଙ୍କର ଘର ଆଗ ବିସ୍ତୀର୍ଣ୍ଣ ପ୍ରାନ୍ତରେର ଦେଖା ହେଉଥିଲା କାଳୀ ପଟ୍ଟନାୟକଙ୍କ ରାସଦଳର ରାହାସ, ଉତ୍କଳଭୀମ ପଦ୍ମଚରଣହ୍କର ଶାରୀରିକ ଶକ୍ତିର ପ୍ରଦର୍ଶନ । ବେଳେବେଳେ କଲିକତିଆ କି ବମ୍ବେଇଆ କମ୍ପାନୀ ଆସି ନୀରବ ସିନେମା ବି ପ୍ରଦର୍ଶିତ କରନ୍ତି । ପରିବାର ସହିତ ଦେଖିଥିବା ‘ବେଗର୍ ମିଟ୍‌ସ୍ ବେଗର୍’ ଫିଲ୍ମଟି ସର୍ବେଶ୍ୱର ବାବୁଙ୍କର ଅନେକ ବର୍ଷ ପର୍ଯ୍ୟନ୍ତ ମନେ ଥିଲା । ବରଷକେ ଦୁଇ ତିନି ଥର ସରକସ ବାଲେ ବି ଆସନ୍ତି । ଦୁର୍ଗାପୂଜା, ତାଜିଆ ଶୋଭାଯାତ୍ରାରେ ହିନ୍ଦୁ ମୁସଲମାନ ମିଳିମିଶି ଭାଗ ନିଅନ୍ତି । ୧୯୩୧ରୁ ୧୯୩୫ ମସିହା ପର୍ଯ୍ୟନ୍ତ ଗୋପୀନାଥ ଦାଶଙ୍କ ପରିବାର କଟକରେ ଥିଲେ । ଏହା ପରେ ତାଙ୍କର ବଦଳି ହେଲା ପୁରୀକୁ । ପୁରୀରେ ସର୍ବେଶ୍ୱର ବାବୁ ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ନାମ ଲେଖାଇଲେ । ହେଲେ ତାଙ୍କର ହାଇ ସ୍କୁଲ ପାଠ ପଢ଼ା ଆଉ ଗୋଟିଏ କାହାଣୀ ।

ବି.ଦ୍ର. - ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।