Monday, August 27, 2018

ଦୁଧ ବାର୍ଲି

ସରୋଜିନୀ ଚୌଧୁରୀ

ବାର୍ଲିର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଉପକରଣ - ବାର୍ଲି ତୋଳେ, ଜଳ ପାଏ, ଦୁଧ ପାଏ, ଚିନି ବା ମିଶ୍ରି ଅନ୍ଦାଜ ମୁତାବକ । 

ପ୍ରଣାଳୀ -  ପରିଷ୍କୃତ ନିର୍ଦ୍ଦୋଷ ସୂକ୍ଷ୍ମ ବାର୍ଲିଚୂର୍ଣ୍ଣ ଏକ ତୋଳା, ଅଧ ପାଏ ଥଣ୍ଡା ଜଳରେ ମିଶାଇ, ପରେ ତହିଁରେ ପାଏ ଗରମ ଜଳ ଢାଳି ଧୀରେ ଧୀରେ ଘାଣ୍ଟିବ । ତାହାର ପରେ ଅଳ୍ପ କ୍ଷଣ ଫୁଟାଇ ସିଦ୍ଧ କରିବ ଓ କ୍ରମାଗତ ଘାଣ୍ଟୁ ଥିବ । ଏହି ସମୟରେ ଏକଉତୁରା ତଟକା ଇଷଦ୍ ଉଷ୍ଣ ଦୁଧ ପାଏ ତହିଁ ସଙ୍ଗରେ ମିଶାଇବ ଏବଂ ଆବଶ୍ୟକ ମୁତାବକ ଚିନି ଓ ମିଶ୍ରି ଯୋଗ କରିବ । ହିନ୍ଦୁ ଚିକିତ୍ସାଶାସ୍ତ୍ର ଦୁଧ ବାର୍ଲିର ପକ୍ଷପାତି ନୁହେଁ । ସେ କହେ ବାର୍ଲି ଗୋମାଂସ ପରି । ବୋଧ ହୁଏ ଏଥିର ରହସ୍ୟ ବର୍ତ୍ତମାନ ସୁଦ୍ଧା ଅଜଣା ।

ବି.ଦ୍ର. - ଦୁଧ ବାର୍ଲି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Saturday, August 25, 2018

ପାଲି ଧର୍ମପଦ (୯୦) ର ଓଡ଼ିଆ  ପଦ୍ୟାନୁବାଦ

 ୧ ଅରହନ୍ତ ବର୍ଗ

ଯୁକ୍ତରାଜ୍ୟ ଆମେରିକାର କାଲିଫର୍ଣ୍ଣିଆରେ ସ୍ଥିତ ସି ଲାଇ ବୌଦ୍ଧ ମନ୍ଦିରର ଅର୍ହତ ଉଦ୍ୟାନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେଉଁ ଜନ ପଥ ପରେ ହୋଇଣ ଚାଳିତ,
ଶୋକରୁ ରହିତ ହୋଇ ସର୍ବଥା ବିମୁକ୍ତ ।
ସର୍ବ ଗ୍ରନ୍ଥି ଛିନ୍ନ ହୋଇ ସେହି ବ୍ୟକ୍ତିଙ୍କର
କ୍ଲେଶ, ପରିତାପ ଆଦି ନ ଥାଏ ତାଙ୍କର ।୧।   

ଗତଦ୍ଧିନୋ ବିସୋକସ୍ସ ବିପ୍ପମୁତ୍ତସ୍ସ ସବ୍ୱଧି ।
ସବ୍ୱଗନ୍ଥପ୍ପହୀଣସ୍ସ ପରିଳାହୋ ନ ବିଦ୍ୟତେ ।୧।

ଗତାଧ୍ୱନୋ ବିଶୋକସ୍ୟ ବିପ୍ରମୁକ୍ତସ୍ୟ ସର୍ବଥା ।
ସର୍ବଗ୍ରନ୍ଥ ପ୍ରଣୀହସ୍ୟ ପରିଣାହୋ ନ ବିଦ୍ୟତେ ।୧।

Thursday, August 23, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୩

ଅନୁବାଦ - ଜ୍ୟୋତି ନନ୍ଦ

ଲାଓଜ଼ି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କ'ଣ କିଛି ନ କରି ଅନୁଶୀଳନ କର
ଯଦି ମହାପୁରୁଷକୁ ଅତିରିକ୍ତ ବଡ଼ କରି ବସ
ସାଧାରଣ ମଣିଷଟି ହୋଇଯାଏ ଖୁବ୍ ଛୋଟ, ଅସହାୟ ।
ଯେତେକ ସମ୍ପଦ ଅଛି ଯଦି ଅତିମୂଲ୍ୟ ତାହାର ପ୍ରଚାର,
ଲୋକେ ତ ପ୍ରଲୁବ୍ଧ ହେବେ କରିବାକୁ ଚୋରି ।
ମନରୁ ପୋଛି ଦେଇ ମୋହ
ଦୂର କରି ସମସ୍ତ ବାସନା ।
ଶିକ୍ଷା ଦେଉଥା'ନ୍ତି ଗୁରୁ ମଣିଷରେ
କେମିତି ଅକସ୍ମାତ
ସବୁଥିରୁ ରହିବ ମୁକତ ।
ସେ ବିଷୟରେ ନିଶ୍ଚିତ ଥାଆନ୍ତି ଗୁରୁ ।
ସବୁକିଛି ହୋଇବ ପ୍ରାପତ ।
ଦୀକ୍ଷା ଦେଉଥାନ୍ତି ଗୁରୁ ।
ମଣିଷ ଯେତେବେଳେ ଦ୍ୱିଧାଗ୍ରସ୍ତ ସେଇ କଥାରେ
କିଛି ନାହିଁ, ଅନୁଶୀଳନ କର ଖାଲି ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Tuesday, August 21, 2018

ଗୀତ - 'ହୃଦୟ ଭରା ମୋର ଗୀତରେ'

ଗୀତିକାର - ନାରାୟଣ ପ୍ରସାଦ ସିଂହ 

(୨୮ ମଇ, ୧୯୩୩ - ୬ ଜୁନ, ୨୦୧୮)

ରାଗମାଳାର ଚିତ୍ର - ବସନ୍ତ ରାଗିଣୀ (ୱିକିମିଡିଆ କମନ୍ସ୍)
୧୭୭୦ରେ ଅଙ୍କିତ ରାଜସ୍ଥାନର କୋଟା ଅଞ୍ଚଳର ଚିତ୍ର

ମିତରେ ମିତରେ ମିତରେ
ହୃଦୟ ଭରା ମୋର ଗୀତରେ
କେବେ ଫୁଲର ଫଗୁଣ
କେବେ ଧାରା ଶିରାବଣ
କେବେ ମାଘ ଛାତିଥରା ଶୀତରେ ।ଘୋଷା।

କେବେ ରାକା ଜୋଛନାର ରାତି
କେବେ ମଧୁମଳୟ ଚଇତି
ଅନ୍ଧାରେ କେବେ ଜାଗେ ଭୀତି
ଆଲୋକରେ ଝଲ୍‌ମଲ୍ ପ୍ରୀତି
ଭଲ ପାଇବାର ଅମୃତରେ ।୧।

କେବେ ଅବା ବିଳାସୀ ବସନ୍ତ
ଅସୁମାରି ଆଶାରେ ଅଶାନ୍ତ
ଦୁଃଖରେ କେବେ ଭାରାକ୍ରାନ୍ତ
କେବେ ଅବା ହସର ହସନ୍ତ ।
ଚହଲାଇ ଦିଏ ମୋର ଚିତ୍ତରେ ।୨।

ବି.ଦ୍ର. - ଏହି ଗୀତିକବିତାଟି ତ୍ରୈମାସିକ ସାହିତ୍ୟପତ୍ର 'ଚନ୍ଦନ'ର ୨୦୧୮ ମସିହାର ବର୍ଷା ସଙ୍ଖ୍ୟାରୁ ସଙ୍ଗୃହିତ ।

Sunday, August 19, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୨

ଅନୁବାଦ - ଜ୍ୟୋତି ନନ୍ଦ

ଲାଓଜ଼ି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଯେତେବେଳେ ସରିଯାଏ କାମ
ଯେତେବେଳେ ସରିଯାଏ କାମ
ଗୁରୁ ତାହାକୁ ଭୁଲି ଯାଆନ୍ତି ।
ଲୋକମାନେ ଯେତେବେଳେ କେଉଁଠି କେଉଁଠି
ସୌନ୍ଦର୍ଯ୍ୟ ଦେଖନ୍ତି;
ଆଉ କିଛି ମନେହୁଏ ତାଙ୍କର ଖୁବ୍ ଅସୁନ୍ଦର ।

ଲୋକେ ଯେତେବେଳେ କାହାକୁ କାହାକୁ ଭଲ କହନ୍ତି
ରହିବା ଆଉ ନ ରହିବା ଜଣେ ତିଆରି କରେ ଆରକୁ
ଜଟିଳତା ଆଉ ସହଜତା ଜଣେ ଆରଜଣକୁ ସମର୍ଥନ କରେ
ହସ୍ର ଆଉ ଦୀର୍ଘ ଚିହ୍ନାଏ ଜଣେ ଆରଜଣକୁ ।

ଉଚ୍ଚ ଆଉ ନୀଚ୍ଚ ପରସ୍ପର ଉପରେ ନିର୍ଭର କରନ୍ତି;
ଆଗ ଆଉ ପଛ ଅନୁସରଣ କରୁଥା'ନ୍ତି ଜଣେ ଆରଜଣକୁ ।
ଗୁରୁ ତାଙ୍କର ନିର୍ଦ୍ଧାରିତ କାମ କରୁ ଥାଆନ୍ତି, କିଛି ନ କରି;
ଦୀକ୍ଷା ଦେଉ ଥାଆନ୍ତି ସେ, ପଦେ କଥା ନାହିଁ,
ଯେତେବେଳେ କିଛି ଜାଗ୍ରତ ହୁଏ ସେ ଜଗାଇଦିଅନ୍ତି;
ଯେତେବେଳେ କିଛି ଅବଲୁପ୍ତ ହେବାକୁ ବସେ, ସେ ପୋଛି ଦିଅନ୍ତି;
ଯାହା ଅଛି, ତାହାକୁ ବିସର୍ଜି ଦେବାକୁ ତାଙ୍କର ନାହିଁ କିଛି ଦ୍ୱିଧା ।

ପ୍ରତ୍ୟାଶା ନାହିଁ ,କାମ ଖାଲି ତାଙ୍କର
ଯେତେବେଳେ କାମଶେଷର ଘଣ୍ଟା ବାଜେ
ସେ ଭୁଲିଯାଇଥାନ୍ତି କାମ;
ଏଥି ପାଇଁ ବଞ୍ଚିଥାଏ ତାଙ୍କ ଅବଦାନ ଓ
ସ୍ୱୟଂ ଗୁରୁ ନିଜେ ଚିରକାଳ ।

ଅନ୍ୟ କିଛି ନିଶ୍ଚେ ମନ୍ଦ ମନେ ହେବ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Friday, August 17, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧

ଅନୁବାଦ - ଜ୍ୟୋତି ନନ୍ଦ

ଗଧ ଉପରେ ଲାଓଜ଼ି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଦାଓ କ'ଣ ?
ଦାଓ ହେଉଛି ତାହା ଯାହାକୁ ଶବ୍ଦରେ ବନ୍ଧା ଯାଏନା
କେବେ ହେଲେ ତାହାର ନାମକରଣ ନାହିଁ
ସେଥିରେ ଜମା ଧରା ପଡ଼ିବନି ଅସଲ ତାଓ ।

ଶବ୍ଦ ଭିତରେ ଅଛି, ପାଇଯିବ ସୀମିତକୁ,
ଅସୀମ ସେଇଠୁ ଓହ୍ଲାଇ ଆସେ ଧରା ଦିଏ ନାହିଁ
ଯଦିବା ମୁକ୍ତ ହୁଅ ବାସନାରୁ
ତେବେ ରହସ୍ୟକୁ ଭେଟିବ
ଯଦି ବାସନା ସହ ସହବାସ କର
କେବଳ ପାଇବ ପ୍ରକାଶ୍ୟ ।

ରହସ୍ୟ ଆଉ ପ୍ରକାଶ୍ୟ ଉତ୍ସ ତ ଗୋଟିଏ
ଏଇ ଉତ୍ସର ନାମ ଅନ୍ଧକାର
ଅନ୍ଧକାର ଭିତରେ ଅନ୍ଧକାର
ମୂଳମନ୍ତ୍ର ସବୁକିଛିକୁ ବୂଝାଏ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Wednesday, August 15, 2018

ସୋନପୁରରେ ଇସ୍କୁଲ ପଢ଼ା

 ସୋନପୁରର ସୂବ୍ରର୍ଣ୍ଣମେରୁ ମନ୍ଦିର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୧୯୨୩ ମସିହାର ସେପ୍ଟେମ୍ବର ମାସରେ, ନଅ ବର୍ଷ ବୟସରେ, ପ୍ରଥମ କରି ଗୋପୀ ବିଦ୍ୟାଳୟର ଖୁଆଡ଼ରେ ପଶିଲେ । ସେ ପୁଣି ନିଜ ଗାଁ ନାଗବାଲିରେ ନୁହେଁ । କେଉଁ ପଛିମରେ ଯାଇଁ ସୋନପୁର ରାଇଜର ‘ଦି ସୋନପୁର ମହାରାଜା ହାଇ ଇଙ୍ଗ୍ଲିଶ୍ ସ୍କୁଲ’ ରେ । ଛୋଟ କରି କହିଲେ ଇସ୍କୁଲଟିର ନାମ – ଦି ସୋନପୁର ଏମ୍.ଆର୍.ଏଚ୍.. ସ୍କୁଲ । ସେତେବେଳେ ବିଦ୍ୟାଳୟଟିରେ ଅଢ଼େଇ ଶହ ଆଡ଼କୁ ବିଦ୍ୟାର୍ଥୀ । ଗୋପୀବାବୁଙ୍କର ନିଜ ଶ୍ରେଣୀରେ ପାଖାପାଖି ତିରିଶ ଜଣ ଛାତ୍ର । ତାଙ୍କ ନାମ ଲେଖାଗଲା ଛଅ ଶ୍ରେଣୀରେ । ସେତେବେଳେ ଶିଶୁ ଶ୍ରେଣୀ ଥିଲା । ଅର୍ଥାତ, ତାହା ଏବେକାର ପଞ୍ଚମ ଶ୍ରେଣୀ ହବ । ଶ୍ରେଣୀରେ ବସିଲା କ୍ଷଣି ବହିର ମଲାଟରେ ଲେଖି ବସିଲେ,

ଦି ଗ୍ରାସ୍ ଇଜ୍ ଗ୍ରୀନ୍
ଦି ରୋଜ୍ ଇଜ୍ ରେଡ଼୍
ଦିସ୍ ବୁକ୍ ଇଜ୍ ମାଇନ୍
ଟିଲ୍ ଆଇ ଆମ୍ ଡେଡ଼୍”

ନିଜ ବହିଗୁଡ଼ିର ମାଲିକାନା ସାବ୍ୟସ୍ତ କରିବା ପାଇଁ ଏପରି ହରଫନାମା ତ ଅବଶ୍ୟ କର୍ତ୍ତବ୍ୟ ।

ସେବେ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯିବାକୁ ପଡ଼ୁଥାଏ ସମ୍ବଲପୁର । କାରଣ ପାଟନା ବିଶ୍ୱବିଦ୍ୟାଳୟ ନିୟନ୍ତ୍ରିତ କରୁଥିବା ମାଟ୍ରିକ ପରୀକ୍ଷା ପାଇଁ ପଶ୍ଚିମ ଓଡ଼ିଶାରେ ସେତେବେଳେ ସମ୍ବଲପୁର ଠାରେ ହିଁ ଥାଏ କେନ୍ଦ୍ର । ପାସ୍ କରିବା କୁଆଡ଼େ ଭାରୀ କଷ୍ଟ । ସେତେବେଳେ ସୋନପୁର ଏମ୍.ଆର୍.ଏଚ୍.. ସ୍କୁଲରୁ ଦୁଇ ଚାରି ବର୍ଷରେ ଜଣେ ଅଧେ ମାଟ୍ରିକ ପାଶ କରୁ ଥାଆନ୍ତି । ଏଣୁ ସ୍କୁଲରେ ମାଟ୍ରିକ ପାସ କରି ନ ଥିବା ଅନେକ ଶିକ୍ଷକ ଥିଲେ । ହେଲେ ସେଇମିତି, ଏଫ୍.. ଆଉ ବି.. ପାସ କରିଥିବା ଆଚାର୍ଯ୍ୟ ବି ଥିଲେ । ହେଡ଼ମାଷ୍ଟର ଗୌରମୋହନ ଭଟ୍ଟାଚାର୍ଯ୍ୟ ଥିଲେ ସବୁଠାରୁ ଅଧିକ ଶିକ୍ଷିତ – ଏମ୍.. ପାସ୍ । ନିଜର ବିଗତ ଜୀବନରେ ଥିଲେ ବଙ୍ଗଳାର ଜଣେ ଗୁରୁତ୍ୱପୂର୍ଣ୍ଣ ସନ୍ତ୍ରାସବାଦୀ ବିପ୍ଳବୀ । କପିଳ ବାବୁ ଓ ଦାମୋଦର ଶାସ୍ତ୍ରୀ ଓଡ଼ିଆ ପଢ଼ାଉଥିଲେ ସ୍କୁଲଟିରେ । ଅକ୍ଷୟ ବାବୁ ଇଂରାଜୀ, ମହେଶ୍ୱର ସୁବୁଦ୍ଧି ଅଙ୍କ, ସୋମନାଥ ଦାନୀ ଭୂଗୋଳ ଓ ଆଦିତ୍ୟ ଗୁରୁ ସଂସ୍କୃତ ପଢ଼ାଉ ଥିଲେ ।

କଦବାକ୍ୱଚିତ କ୍ଲାସକୁ ପ୍ରସନ୍ନ ବାବୁ ‘ଦି ଅମୃତ ବଜାର ପତ୍ରିକା’ ଓ ଅକ୍ଷୟ ବାବୁ ‘ଦି ଇଙ୍ଗ୍ଲିଶମ୍ୟାନ” ଇଂରାଜୀ ଦୈନିକପତ୍ରିକାଟିମାନ ଆଣନ୍ତି । ପିଲାଙ୍କ ପାଇଁ ଏହା ବୈଚିତ୍ର୍ୟର ବିଷୟ ଥିଲା । କେବଳ ପାଠ ପଢ଼ାଇବା ଛଡ଼ା ଶିକ୍ଷକମାନେ ଉତ୍ସାହ ଦେଉ ଥିଲେ । ପିଲାଙ୍କର ଦିନଚର୍ଯ୍ୟା ଉପରେ ନିଘା ରଖୁଥିଲେ । ଶ୍ରେଣୀ ବାହାରେ ପାଠର ଆଲୋଚନା ମଧ୍ୟ କରୁଥିଲେ । ଲାଇବ୍ରେରୀରୁ ବହି ନେଇ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ । ଗୋପୀଙ୍କ ପାଇଁ ଲାଇବ୍ରେରୀଟି ଥିଲା ଏକ କିମିଆରାଇଜ । ଓଡ଼ିଆ, ଇଂରାଜୀ, ଯାହା ବହି ପାଇଲେ, ନେଇ ପଢ଼ୁଥିଲେ । ବୟସରେ ସବୁଠାରୁ ସାନ ହୋଇ ମଧ୍ୟ ପାଠାଗାରଟିର ସବୁଠାରୁ ବେଶୀ ବ୍ୟବହାର ସେ ହିଁ କରୁଥିଲେ ।

ଇସ୍କୁଲରେ ସେତେବେଳେ ମାଇନର ସ୍କୁଲର ଚାରି କିଲାସରେ ସାଧାରଣ ଲୋକଙ୍କର ପିଲାଏ ପ୍ରାୟ ନ ଥିଲେ କହିଲେ ଚଳେ । ଯିଏ ବି ଥିଲେ ସେମାନେ ସମସ୍ତେ ରାଜକର୍ମଚାରୀଙ୍କର ପିଲାପିଚିକା । ନ ହେଲେ ସଙ୍ଗତିସମ୍ପନ୍ନ ପରିବାରର ସନ୍ତାନ । ସେମାନଙ୍କ ମଧ୍ୟରୁ ନୀଳାମ୍ବର, ଗୋପୀଙ୍କର ସହପାଠୀ ରହିଲେ ରେଭେନ୍ସାରେ ଏମ୍.. ପଢ଼ିବା ପର୍ଯ୍ୟନ୍ତ । ପରେ ସେ ବନିଲେ ସୋନପୁର ରାଜ୍ୟର ପ୍ରଥମ ଏମ.. ଓ ନିୟୋଜିତ ହେଲେ ବଲାଙ୍ଗୀର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ । ସାରା ଜୀବନ ସେଇଠି ଶିକ୍ଷକତା କରି କାଟିଦେଲେ । ସୋନପୁର ମହାନଦୀ ତଟର ସହର ହୋଇ ଥିବାରୁ, ଇସ୍କୁଲର ପିଲାଏ ପ୍ରାୟତଃ ସନ୍ତରଣପଟୁ ଥିଲେ - ଭଲ ଦଉଡ଼ୁ ମଧ୍ୟ ଥିଲେ । ହେଲେ ଗୋପୀଙ୍କର ପିଲାବେଳୁ ନିଶା ଥିଲା ପଢ଼ା; ଉଭୟ ପାଠ ପଢ଼ା ଓ ପାଠ୍ୟ ବହିର୍ଭୁତ ପୁସ୍ତକର ପଠନପାଠନ । ବାର୍ଷିକ ପରୀକ୍ଷାରେ ସେ ହିଁ ପ୍ରାୟତଃ ପ୍ରଥମ ହୁଅନ୍ତି । ଡାକରେ କବିଭୂଷଣ ସ୍ୱପ୍ନେଶ୍ୱର ଦାସଙ୍କର ‘ସାଧନା’ ନିୟମିତ ଆସୁଥାଏ । ତାହା ମଧ୍ୟ ନିୟମିତ ପଢ଼ା ହୁଏ । ସୋନପୁର ଇସ୍କୁଲ ଲାଇବ୍ରେରୀର ବହି, ଶିକ୍ଷକମାନଙ୍କ ଅଧିନରେ ଭାଷା ଶିକ୍ଷା, ଆଖପାଖରେ ସାହିତ୍ୟର ପରିବେଶ – ସୋନପୁରରେ ଏମିତି ମିଳିମିଶି ଯେଉଁ ମୂଳଦୁଆଟି ଗଢ଼ି ହେଲା, ତାହା ପରେ ରୂପ ନେଲା ଓଡ଼ିଆ ସାହିତ୍ୟର ଏକ ସୁଉଚ୍ଚ ଅଟ୍ଟାଳିକାରେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ଯାଇ ଥିଲା । ଆଲେଖ୍ୟଟି ଗୋପୀନାଥ ମହାନ୍ତିଙ୍କର ଆତ୍ମଜୀବନୀ ‘ସ୍ରୌତସ୍ୱତୀ’ର ପ୍ରଥମ ଭାଗରୁ ସଙ୍ଗୃହିତ । ବ୍ୟବହାର କରାଯାଇଥିବା ସଂସ୍କରଣଟି ବହିର ୧୯୯୭ ମସିହାରେ କଟକର ପ୍ରକାଶନ ସଂସ୍ଥା ବିଦ୍ୟାପୁରୀଙ୍କ ଦ୍ୱାରା ପ୍ରକାଶିତ ଦ୍ୱିତୀୟ ସଂସ୍କରଣ । ପୁସ୍ତକଟି ପ୍ରଥମେ ୧୯୯୨ ମସିହାର ଅଗଷ୍ଟ ମାସର କୋଡ଼ିଏ ତାରିଖରେ ଛପା ଯାଇଥିଲା ।