Monday, August 13, 2018

ପାଲି ଧର୍ମପଦ (୮୯) ର ଓଡ଼ିଆ  ପଦ୍ୟାନୁବାଦ

୧୪ ପଣ୍ଡିତ ବର୍ଗ


ଚିତ୍ର - 'ବୋଧିସତ୍ତ୍ୱଙ୍କର ଦନ୍ତ' (ୱିକିମିଡିଆ କମନ୍ସ୍)
ଚିତ୍ରକର - ଅବନୀନ୍ଦ୍ରନାଥ ଠାକୁର (୧୮୭୧-୧୯୫୧)

ଯେଉଁମାନଙ୍କର ଚିତ୍ତ ସମ୍ବୋଧି ଅଙ୍ଗରେ
ଅଭ୍ୟସ୍ତ ହୋଇଣ ଅଛି ଉତ୍ତମ ରୂପରେ ।।
ଯେଉଁମାନେ ଗ୍ରହଣ ନ କରି କିଛି ମାତ୍ର
ଅପରିଗ୍ରହରେ ସଦା ରହିଥା'ନ୍ତି ରତ ।।
ଦ୍ୟୁତିମାନ ଯେ, ଯାହାର ଚିତ୍ତମଳ କ୍ଷୀଣ ।
ସେମାନେ ଏଲୋକେ ଲଭନ୍ତି ପରିନିର୍ବାଣ ।୧୪।
  
ଯେସଂ ସମ୍ବୋଧି-ଅଙ୍ଗେସୁ ସମ୍ମା ଚିତ୍ତଂ‌ ସୁଭାବିତଂ ।
ଆଦାନପଟିନିସ୍ସଗ୍ଗେ ଅନୁପାଦାୟ ଯେ ରତା ।
ଖୀଣାସବା ଜୁତୀମନ୍ତୋ ତେ ଲୋକେ ପରିନିବ୍ବୁତା ।୧୪।

ୟେଷାଂ ସମ୍ବୋଧ୍ୟଙ୍ଗେଷୁ ସମ୍ୟକ୍ ଚିତ୍ତଂ ସୁଭାବିତମ୍ ।
ଆଦାନପ୍ରତିନିଃସର୍ଗାନ୍ ଅନୁପାଦାୟ ୟେ ରତାଃ ।
କ୍ଷୀଣାସ୍ରବା ଜ୍ୟୋତିଷ୍ମନ୍ତଃ ତେ ଲୋକେ ପରିନିର୍ବୃତାଃ ।୧୪।

Saturday, August 11, 2018

କଲରା ଖଟା

ପ୍ରସନ୍ନ କୁମାରୀ ଦେବୀ


ଫଟୋ କ୍ରେଡ଼ିଟ - ୱିକିମି଼ଡିଆ କମନ୍ସ୍

ଆବଶ୍ୟକ - କଲରାକୁ ଲମ୍ବା ଲମ୍ବା କରି ଚାରି ଫାଳ କରି କାଟି ଧୋଇ ରଖ । ଦୁଇଟି ବିଲାତି ବାଇଗଣ (୧୦୦ ଗ୍ରାମ୍‌ର) ବା ସାମାନ୍ୟ ତେନ୍ତୁଳି ରସ ଦୁଇ ଚାମଚ, ଗୁଡ଼, ଆବଶ୍ୟକୀୟ ଲୁଣ ଓ ହଳଦୀ ।  ମସଲା ପାଇଁ ଦୁଇ ଚାମଚ ଜୀରା, ଦୁଇଟି ଲଙ୍କା, ଅଧ ଚାମଚେ ମେଥି, ଏକ ଚାମଚ ଧନିଆକୁ ସାମାନ୍ୟ ଭାଜି ଗୁଣ୍ଡ କରି ରଖ । ତେଲ ପାଞ୍ଚ ଚାମଚ ।

ପ୍ରଣାଳୀ - କଲରାକୁ ତେଲ ଦେଇ, ଲୁଣ ହଳଦୀ ପକାଇ, କରେଇରେ ଧିମା ଜାଳରେ ଘୋଡ଼ାଇ କରି ଭାଜ । କଲରା ସିଝି ଗଲେ ସେଥିରେ ଟମାଟକଟା  ପକାଇ ପୁଣି ଘୋଡ଼ାଇ କରି ଚୁଲିରେ ରଖ । ଟମାଟୋ ନରମିଗଲେ ସେଥିରେ ଗୁଡ଼ ପକାଅ ଓ ଭଜା ମସଲା ଗୁଣ୍ଡ ପକାଇ ଗୋଳାଇ ଚୁଲିରୁ ଓହ୍ଲାଅ ।

ଆଉ ଏକ ପାତ୍ରରେ ତେଲ ଓ ଫୁଟଣ ଦେଇ କଲରାଖଟାକୁ ବଘାରି ଦିଅ । ସାମାନ୍ୟ ଥଣ୍ଡା ହେଲେ ବ୍ୟବହାର କର ।

Thursday, August 09, 2018

ଲାଉପତ୍ର ବରା

ପ୍ରସନ୍ନ କୁମାରୀ ଦେବୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପକରଣ - କିଛି କଅଁଳ ଲାଉ ପତ୍ର (୮/୧୦ଟା). ୪/୫ଟା ଆଳୁ ସିଝା, ୧ଟି ପିଆଜ ଅଳ୍ପ ଅଦା, ୨ଟି କଞ୍ଚାଲଙ୍କା କଟା, ୧ ଚାମଚ ଗରମ ମସଲାଗୁଣ୍ଡ ଓ କିଛି ତେଲ ।

ପ୍ରଣାଳୀ - ଲାଉପତ୍ର ସବୁକୁ ଭଲ ଭାବେ ଧୋଇ କରି ରଖ । ସିଝା ଆଳୁକୁ ଲୁଣ ଓ ଗରମ ମସଲା ଗୁଣ୍ଡ ଦେଇ ଚକଟି ରଖ । କରେଇରେ ତେଲ ଦେଇ ପିଆଜ, ଅଦା ଓ କଞ୍ଚା ଲଙ୍କା କଟା ପକାଇ ଅଳ୍ପ ଭାଜି ଦେଇ ଆଳୁ ଚକଟାକୁ ବଘାରି ଦିଅ । ସେଇ ଆଳୁକୁ ଛୋଟ ଛୋଟ ଗୁଳା କରି ଲାଉ ପତ୍ରରେ ରଖି ସେହି ପତ୍ରକୁ ଚାରି ପାଖରୁ ଭାଙ୍ଗି ତାୱାରେ ତେଲ ଦେଇ ଧୀର ଜାଳରେ ଲେଉଟାଇ କରି ଭାଜ ।  ମଧ୍ୟାହ୍ନ ଭୋଜନ ବେଳେ ଏଇ ଭଳି ଚଟକ ଖାଦ୍ୟ ପ୍ରତି ଭାରି ଆଗ୍ରହ ସୃଷ୍ଟି ହୁଏ ।

Tuesday, August 07, 2018

ପାଲି ଧର୍ମପଦ (୮୮) ର ଓଡ଼ିଆ  ପଦ୍ୟାନୁବାଦ

୧୩ ପଣ୍ଡିତ ବର୍ଗ


ଶ୍ରୀଲଙ୍କାର ପୋଲ୍ଲନରୱାଠାରେ ସ୍ଥିତ ବୁଦ୍ଧମୂର୍ତ୍ତି (ୱିକିମିଡିଆ କମନ୍ସ୍)

ଯାହାଙ୍କର ଇଚ୍ଛା ସେହି ଆନନ୍ଦ ବିରଳ
ହୋଇ ଅକିଞ୍ଚନ ତ୍ୟାଗି ସୁଖ ଯେ ସକଳ
ସେହି ପଣ୍ଡିତମାନେ ନିଜର ଚିତ୍ତକ୍ଲେଶ
ପରିଷ୍କାର କରିବାଟି ହୁଅଇ ଉଚିତ ।୧୩।

ତତ୍ରାଭିରତିମିଚ୍ଛେୟ୍ୟ ହିତ୍ୱା କାମେ ଅକିଞ୍ଚନୋ ।
ପରିୟୋଦପେୟ୍ୟ ଅତ୍ତାନଂ ଚିତ୍ତକ୍ଳେସେହି ପଣ୍ଡିତୋ ।୧୩।

ତତ୍ରାଭିରତିମିଚ୍ଛେତ୍ ହିତ୍ୱା କାମାନ୍ ଅକିଞ୍ଚନଃ ।
ପର୍ୟ୍ୟବଦାପୟେତ୍ ଆତ୍ମାନଂ ଚିତ୍ତକ୍ଳେଶୈଃ ପଣ୍ଡିତଃ ।୧୩।

Sunday, August 05, 2018

ବିରିର ପାୟସ

ପ୍ରସନ୍ନ କୁମାରୀ ଦେବୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆବଶ୍ୟକ - ଚୋପାଛଡ଼ା ବିରି ୨୦୦ ଗ୍ରାମ୍, ଅରୁଆ ଚାଉଳ ୧୦୦ ଗ୍ରାମ୍, ଘିଅ ଚାରି ଚାମଚ, ଚିନି ୨୦୦ ଗ୍ରାମ୍, ଦୁଇଟି ଗୁଜୁରାତି, ୧/୪ ଜାଇଫଳ (ଏକ ଜାଇଫଳର ଚାରି ଭାଗରୁ ଭାଗେ), ଅଧ ଲିଟର କ୍ଷୀର ।

ପ୍ରଣାଳୀ - ବିରି ଓ ଚାଉଳକୁ କରେଇରେ ଅଳ୍ପ ଉଷୁମ କଲା ପରେ ତାକୁ ହାତ ଗ୍ରାଇଣ୍ଡରରେ ଚିକ୍କଣ ଭାବେ ଚୂନା (ପାଉଡର) କରିଦିଅ । କରେଇରେ ଘିଅତକ ଦେଇ ଚୂନାକୁ ଧୀର ଜାଳରେ ଭାଜ । ଏହି ଭଜାର ରଙ୍ଗ ବାଦାମୀ ହୋଇଗଲେ ଏଥିରେ ଚିନି ପକାଇ ଦୁଧତକ ଗରମ କରି ଏକ ଲିଟର ପାଣି ଢାଳି ଦିଅ ଓ କିଛି ସମୟ ଫୁଟାଅ । ଯଦି କ୍ଷୀର କମ୍ ଲାଗେ ବା ଚୂନା ଭଲ ଭାବେ ସିଝି ନ ଥାଏ ତେବେ ଆଉ ଏକ କପ୍ ଗରମ ପାଣି ସେଥିରେ ଦେଇ ପାର । ବହଳିଆ ହୋଇ ଗଲେ ଓହ୍ଲାଇ ଜାଇଫଳ ଓ ଗୁଜୁରାତି ଗୁଣ୍ଡ ଦେଇ ଦିଅ । ଏଥିରେ ମଧ୍ୟ କିଛି ପରିମାଣରେ ଦୁଧସର ମିଶା ଯାଇ ପାରେ ।

ଏହା ଅଧିକ ଗୁରୁପାକ ଖାଦ୍ୟ । କିନ୍ତୁ ଖାଇଲେ ଅତ୍ୟନ୍ତ ସୁସ୍ୱାଦୁ ଲାଗେ ।

Friday, August 03, 2018

ପାଲି ଧର୍ମପଦ (୮୭) ର ଓଡ଼ିଆ  ପଦ୍ୟାନୁବାଦ

୧୨ ପଣ୍ଡିତ ବର୍ଗ


ବୌଦ୍ଧ ସୂତ୍ର-ସାହିତ୍ୟ (ୱିକିମିଡିଆ କମନ୍ସ୍)

କଣ୍ହଂ ଧମ୍ମଂ ବିପ୍ପହାୟ ସୁକ୍କଂ ଭାବେଥ ପଣ୍ଡିତୋ ।
ଓକା ଅନୋକଂ ଆଗମ୍ମ ବିବେକେ ଯତ୍ଥ ଦୂରମଂ ।୧୨।

କୃଷ୍ଣଂ ଧର୍ମ୍ମଂ ବିପ୍ରହାୟ ଶୁକ୍ଳଂ ଭାବୟେତ ପଣ୍ଡିତଃ ।
ଓକାତ୍ ଅନୋକମ୍ ଆଗମ୍ୟ ବିବେକେ ୟତ୍ର ଦୂରମମ୍।୧୨।

ଅନ୍ଧକାରପୂର୍ଣ୍ଣ ପଥ କରି ପରିତ୍ୟାଗ
ଆଲୋକିତ ପଥେ ବିଚରଣ କରେ ପ୍ରାଜ୍ଞ ।
କାମନାର ଘର ନାଶି ହୋଇ ଗୃହହୀନ
ଦୁଷ୍କର ବିବେକାନନ୍ଦ ଝୁରେ ତା'ର ମନ ।୧୨।

Wednesday, August 01, 2018

ହରଡ଼ ଡାଲିର ଚଟଣି

ସରୋଜିନୀ ଚୌଧୁରୀ


ହରଡ଼ ଡାଲି: ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ପ୍ରଣାଳୀ - ହରଡ଼ ଡାଲି ଏକବାରେ ସିଝି ପାଣି ସଙ୍ଗରେ ଘାଣ୍ଟି ହୋଇ ଯିବା ପୂର୍ବରୁ ଛାଣି ରଖ । ଏହି ଯୁଷ ଖୁବ୍ ଉପକାରୀ । ଡାଲି କୌଣସି ଚଟକା ପାତ୍ରରେ ଥଣ୍ଡା ହେବାକୁ ଦିଅ । ଥଣ୍ଡା ହେଲେ ଚକଟି, ଲୁଣ ଟିକେ, ଅଦା କଟା, ପିଆଜ କଟା, ଘିଅ, କାଗଜିଲେମ୍ବୁ ରସ ଦେଇ ଗୋଳାଇ ଗୋଲ ଗୋଲ କରି ଖାଇବାକୁ ଦିଅ ।  


ଗୁଣାଗୁଣ - ହରଡ଼ କଷାୟ-ମଧୁର ରସ, ଗୁରୁପାକ, ରୁକ୍ଷ, ମଳ-ରୋଧକ, କଫ-ପିତ୍ତନାଶକ, ଅଳ୍ପ ବାୟୁବର୍ଦ୍ଧକ, ରୁଚିକାରକ ଏବଂ ଜ୍ୱର, ଗୁଳ୍ମ, ମୁଖବ୍ରଣ, କାଶ, ବାନ୍ତି, ହୃଦରୋଗ ଓ ଅର୍ଶ ରୋଗରେ ଉପକାରକ ।

ବି.ଦ୍ର. - ହରଡ଼ ଡାଲିର ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।