Tuesday, July 24, 2018

ନାଓମି ଶିହାଵ ନାୟଙ୍କର କବିତା 'ଅଦୃଶ୍ୟ ହବାର କଳା'

ଅନୁବାଦ - ଅବିନାଶ ଦାସ ଚୌଧୁରୀ


୧୮୧୯ ମସିହାରେ ଅଙ୍କିତ ଶାଳ ଡେମ୍ଫର ଛବି

ଯେବେ ସେ ପଚାରିବେ କି ତୁମକୁ 
ଆଗରୁ କେବେ ଭେଟିଚନ୍ତି କି ନାହିଁ ?
ମନା କରିଦିଅ ।


ଯଦି ସେ ତୁମକୁ କୌଣସି ଭୋଜିକୁ ନିମନ୍ତ୍ରଣ କରନ୍ତି,
ତେବେ ଆଗ ଭାବି ନିଅ, ଭୋଜିରେ କ'ଣ ହୁଏ,
ଉତ୍ତର ଦେବା ଆଗରୁ:
କେହି ଜଣେ ଉଚ୍ଚ ସ୍ୱରରେ ତୁମ ସହିତ କଥା ହେବାକୁ ଚେଷ୍ଟା କରିବେ ଯେ,
ସେ କେବେ ଗୋଟିଏ କବିତା ଲେଖିଥିଲେ;
ତେଲରେ ଉବୁଡୁବୁ ତରକାରି ଥିବ ପାପରା ଖଲିପତ୍ରରେ;
ତା' ପରେ ଉତ୍ତର ଦିଅ।

ଯଦି ସେ କୁହନ୍ତି ଭେଟଘାଟ କରିବାକୁ,
ପଚାର, କାହିଁକି ?

ଭାବନି ଯେ, ତାଙ୍କ ପ୍ରତି ସ୍ନେହ କମି ଯାଇଚି ତୁମର ।
ତୁମେ କିଛି ସ୍ମରଣ କରୁଚ,
ଯାହା ଖୁବ ଜରୁରୀ ଭୁଲିବାକୁ । 
ଗଛ । ମନ୍ଦିରର ଘଣ୍ଟି ।
କହି ଦିଅ, ଏକ ନୂଆ ଆଶୟ ଅଛି,
ଯାହା କେବେ ଶେଷ ହବ ନାଇଁ ।

ତେଜରାତି ଦୋକାନରେ କିଏ ଚିହ୍ନିଗଲେ
ଧୀରେ ମୁଣ୍ଡ ଟୁଙ୍ଗାରି କୋବି ହେଇଯାଏ ।
ଯାହାକୁ ଦଶ ବର୍ଷରେ ଦେଖି ନାହଁ,
ଯଦି ସେ ଘରକୁ ଆସେ,
ତେବେ ଜୀବନର ସବୁ କଥା ଗାଇ ଦିଅ ନାହିଁ;
କେବେ ହେଲେ ସ୍ୱର ମିଳିବନି ତୁମମାନଙ୍କର ।

ନିଜକୁ ପତ୍ର ଭାବି ଚଲା ବୁଲା କର ।
ଜାଣି ନିଅ, ତୁମେ କଉ ମୁହୂର୍ତ୍ତରେ ଝୁଣ୍ଟି ଯାଇ ପାର ।
ତା' ପରେ ସ୍ଥିର କର, କ'ଣ କରିବ ନିଜ ସମୟର।

Sunday, July 22, 2018

ଇଲିଶି ଶୁଖୁଆ 

ପ୍ରସନ୍ନ କୁମାରୀ ଦେବୀ


ଇଲିଶି ମାଛର ୧୮୦୪ ମସିହାରେ ଅଙ୍କିତ ଚିତ୍ର (ୱିକିମିଡିଆ କମନ୍ସ୍)

ସାମଗ୍ରୀ: ପାଞ୍ଚ ଛଅ ଖଣ୍ଡ କଟା ଇଲିସି ଶୁଖୁଆ, ତେଲ ଚାରି ଚାମଚ, ରସୁଣ ଛଅ ସାତ କୋଲା, ଦୁଇ ଚାମଚ ଶୋରିଷ, ଗୋଟିଏ କଞ୍ଚା ଲଙ୍କା, ଲେମ୍ବୁର ୧/୮ ଖଣ୍ଡର ରସ ।

ପ୍ରଣାଳୀ: ରସୁଣ, ଶୋରିଷ ଓ କଞ୍ଚା ଲଙ୍କାକୁ ଚିକ୍କଣ କରି ବାଟି ଦିଅନ୍ତୁ । ଶୁଖୁଆକୁ କାତି ଛଡ଼ାଇ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ତିନି ଚାରି ଥର ଧୋଇ ଦେଲେ ଏଥିରୁ ଲୁଣ କିଛି ବାହାରି ଯିବ । ତାହା ପରେ ହଳଦୀ ଗୋଳାଇ କରେଇରେ ତେଲ ଦେଇ ଧୀର ଜାଳରେ ଭାଜନ୍ତୁ । ଭଜା ବାଦାମି ରଙ୍ଗ ହୋଇ ଆସିଲେ ସେଗୁଡ଼ିକୁ କାଢ଼ି ବଟା ମସଲା ଗୋଳାଇ ପଲମରେ ଗୋଟି ଗୋଟି କରି ଭାଜନ୍ତୁ । ଏଥିରେ ଲୁଣ ପକାଇବେ ନାହିଁ । ମସଲାରେ ଲେମ୍ବୁ ରସ ପକାଇ ସେଥିରେ ଏଇ ଭଜା ଇଲିଶି ମାଛକୁ ପକାଇ ଦଶ ମିନିଟ ରଖି ତାହା ପରେ ପଲମରେ ଅଳ୍ପ ତେଲ ଦେଇ ଭାଜିବେ । ଗରମ ଥିବା ଅବସ୍ଥାରେ ଖାଇବେ ।

Friday, July 20, 2018

ୱ୍ଵେଣ୍ଡି କୋପ୍‌ଙ୍କର କବିତା 'ଫୁଲ'

ଅନୁବାଦକ - ଅବିନାଶ ଦାସଚୌଧିୁରୀ


ଚିତ୍ର - ମର୍ଣ୍ଣିଙ୍ଗ ଗ୍ଲୋରି (ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଙ୍କିତ)
ଚିତ୍ରକର - ସୁଜୁକି କୀତ୍ସୁ (୧୭୯୬ - ୧୮୫୮)

କିଛି ପୁରୁଷ ସେ ବିଷୟରେ ମନେ କରନ୍ତି ନାହିଁ ।
ତୁମେ କରିଥିଲ । ତୁମେ ଆସିଥିଲ,
ଆଉ ହୁଏତ କିଣି ଦେଇ ଥିଲ ମୋ ପାଇଁ 
ଫୁଲ ।

କିନ୍ତୁ, କିଛି ଗୋଳମାଳ ହୋଇ ଯାଇ ଥିଲା ।
ଦୋକାନ ବନ୍ଦ ଥିଲା । କିମ୍ବା, ତୁମ ମନରେ ଆଶଙ୍କା ଥିଲା -
ଆମ ଭଳିଆ ମନର
କଳ୍ପନା ଯାହା ଆମେ ନିରନ୍ତର ବୁଣୁଥାଉ । ତୁମେ ମନେ କରିଲ,
ମୋତେ ହୁଏତ ତୁମ ଫୁଲ ଭଲ ଲାଗିବ ନାହିଁ । ସେତେବେଳେ,
ହସିଦେଇ ଆଲିଙ୍ଗନ କରିଥିଲି ତୁମକୁ ମୁଁ ସେ କଥାରେ;
ଏବେ, ମୁଁ କେବଳ ହସି ପାରିବି ।

ହେଲେ, ଦେଖ; 
ସେ ଯେଉଁ ଫୁଲ ତୁମେ ପ୍ରାୟତଃ କିଣି ଦେଇ ଥିଲ,
ସେ, ଏ ପର୍ଯ୍ୟନ୍ତ ରହିଛି ।

Thursday, July 19, 2018

ପାଲି ଧର୍ମପଦ (୮୫) ର ଓଡ଼ିଆ  ପଦ୍ୟାନୁବାଦ

୧୦ ପଣ୍ଡିତ ବର୍ଗ


ଗୌହାଟିର ଶୁକ୍ଳେଶ୍ୱର ଘାଟରୁ ବ୍ରହ୍ମପୁର ତୀରରେ ସୂର୍ଯ୍ୟାସ୍ତର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅନ୍ୟପାରକୁ ଗମନ କରିଥିବା ଲୋକ
ମଣିଷଙ୍କ ମଧ୍ୟେ ତା'ଙ୍କ ସଙ୍ଖ୍ୟା ଯେ ଅଳପ ।
ବାକି ରହିଗଲେ ଜାଣ ଅନ୍ୟ ଯେଉଁ ଜନ
ତୀରଦେଶରେ କେବଳ କରନ୍ତି ଧାବନ ।୧୦। 

ଅପ୍ପକା ତେ ମନୁସ୍ୱେସୁ ଯେ ଜନା ପାରଗାମିନୋ ।
ଅଥାୟଂ ଇତରା ପଜା ତୀରମେବାନୁଧାବତି ।୧୦। 

ଅଳ୍ପକାଃ ତେ ମନୁଷ୍ୟେଷୁ ୟେ ଜନାଃ ପାରଗାମିନଃ ।
ଅଥେୟମ ଇତରା ପ୍ରଜା ତୀରମେବାନୁଧାବତି ।୧୦।

Tuesday, July 17, 2018

ପ୍ରେମ : ଦୁଇଟି ସଂକ୍ଷିପ୍ତ ବିଚାର

ଜ୍ୟୋତି ନନ୍ଦ


କାମଦେବ (ୱିକିମିଡିଆ କମନ୍ସ୍)


ଆମେ ଅଧିକାଂଶ ସମୟରେ ପ୍ରେମ କହିଲେ ପ୍ରକୃତରେ ନିଜର ଆଧିପତ୍ୟକୁ ଜାହିର୍ କରିବାର ଅଥବା ନିଜର ଆନୁଗତ୍ୟକୁ ପ୍ରତିଷ୍ଠିତ କରିବାର ପ୍ରବଣତା ତଥା ନିଜର ଭାଗ୍ୟକୁ ନିଜେ ନିର୍ଦ୍ଧାରଣ କରୁଥିବାର ଏକ ସକ୍ରିୟ କାରକ ହିସାବରେ ଅନ୍ୟର ସମ୍ମାନଜନକ ସହମତକୁ ବୁଝିଥାଉ ।


ପ୍ରେମ ସବୁବେଳେ ଶ୍ରଦ୍ଧା ବା ବିସ୍ମୟ, ସମବେଦନା ଅବା କରୁଣା । ଜଣେ ହୁଏତ ଏହି ପରି ଦୁଇ ଜଣ ସମର୍ଥଙ୍କ ମଧ୍ୟରେ ଅବିଶ୍ୱାସ୍ୟ ପ୍ରେମର ମାନବିକ ଟ୍ରାଜେଡ଼ିର କଥା କହି ପାରେ । ମାତ୍ର ସେହି ଟ୍ରାଜେଡ଼ିର ଅସଲ ସ୍ଥିତିଟି ଅନ୍ୟତ୍ର, ଉଦାହାରଣ ସ୍ୱରୂପ ଆଧୁନିକତାର ଆତ୍ମା ପ୍ରେମକୁ ସମସ୍ତ ମର୍ଯ୍ୟାଦାର ଉପରେ ଓ ପ୍ରେମରେ ପଡ଼ିବାର କାମନାକୁ ସମ୍ମାନୀତ ହେବାର କାମନାର ଉପରେ ଏକ ଆସ୍ଥାନରେ ରଖିଥାଏ ।

ଆମେ ସବୁବେଳେ ଅତି ସହଜରେ ଯେତେବେଳେ ଆମର ଇଚ୍ଛା ହେବ ସେତେବେଳେ 'ପ୍ରେମ' ଶବ୍ଦଟିକୁ ବ୍ୟବହାର କରିଥାଉ ।

ଅଧିକାଂଶ ସମୟରେ ଲାଗେ ଯେମିତି ଆମର ସମ୍ପର୍କରେ କେଉଁଠି ଶୂନ୍ୟ ସ୍ଥାନଟିଏ ଦେଖିଲେ, ତାହାକୁ ଖୁବ ଶୀଘ୍ର ପୂରଣ କରିବା ପାଇଁ ଆମ ପାଖରେ ପ୍ରସ୍ତୁତ ହୋଇ ରହିଥାଏ ଏଇ ଚମତ୍କାର ଶବ୍ଦଟି, 'ପ୍ରେମ' । ଶୂନ୍ୟସ୍ଥାନଟି ମାନ ପୂରଣ କରିବା ପାଇଁ ଏହାଠୁ ବଳି ଭଲ ଶବ୍ଦ ଆମ ପାଖରେ ନାହିଁ । ତେଣୁ ଶୂନ୍ୟସ୍ଥାନଟିର ସ୍ୱରୂପଟି କ'ଣ ଆମେ ବୁଝୁ ବା ନ ବୁଝୁ ତାହା ମାକ୍ରୋ ନା ମାଇକ୍ରୋ ତାହାର ବିଶେଷ ତର୍ଜମା ନ କରି ଆମେ 'ପ୍ରେମ'ର ବାଉଁଶ ପୋଲଟିଏ ହଠାତ ଗଢ଼ି ସାମ୍ନାର ଖାଲ ଖମାକୁ ଅତିକ୍ରମ କରି ଖସି ଯାଉ ।

ପ୍ରେମ ଯେହେତୁ ଏକ ଆବେଗର ପରିମାପକ, ସେ ଦୃଷ୍ଟିରୁ ଏହାକୁ ମାକ୍ରୋ ଭଳି ଧରି ନେଇ ଆମେ କୌଣସି ଜଟିଳତା ଭିତରକୁ ପ୍ରବେଶ ନ କରିବାର ସହଜ ବାଟଟିକୁ ବାଛି ନେଉଛୁ । ଆମ ଭିତରେ ଯେଉଁ ସରଳ ତର୍କ ରହିଛି ତାହା ହେଉଛି, ଯଦି ଆମେ ଆବେଗକୁ ଟିକିନିଖି ବିଚାର କରି ବସୁ, ତେବେ ସେହି ଆବେଗଟି କେତେ ପରିମାଣର ଆଉ ଆବେଗ ହୋଇ ରହିବ ? ପ୍ରେମିକ ଆଉ ପ୍ରେମିକା ଭିତରେ ଯଦି ଜଣକର ମୁଣ୍ଡଟି ଅସଜଡା ରୁବ୍ୟିକ୍ କ୍ୟୁବ୍ ଆଉ ଆର ଜଣକର ମୁଣ୍ଡଟି ଯଦି ବ୍ଲାକବୋର୍ଡ଼ ହୋଇ ଥିବ, ତେବେ ଆମେ ସେହି ପ୍ରେମ କାହାଣୀଟିରେ କେତେ ପ୍ରେମ ଦେଖି ପାରିବା ? ପ୍ରେମ କ'ଣ ଗୋଟିଏ ଜଟିଳ ପାଟିଗଣିତ, ଯାହାର ଏକ ନିଷ୍କର୍ଷରେ ପାଇଁ ଆମକୁ ଦିସ୍ତା ପରେ ଦିସ୍ତା କାଗଜ ଦରକାର ହେବ ?

ମୋର ଜଣେ ସାଙ୍ଗ ଦିସ୍ତାଏ କାଗଜ ପରିମିତ ଖଣ୍ଡିଏ ପ୍ରେମ ପତ୍ର ଲେଖି ତାହାର ପ୍ରେମିକାକୁ ଦେବାର ମୁଁ ପ୍ରତ୍ୟକ୍ଷ କରିଛି ।  ମୋର ସେହି ବିଶିଷ୍ଠ ପ୍ରେମପତ୍ର ଲିଖନରେ ଖୁବ୍ ଅଳ୍ପ ଭୂମିକା ଥିଲା । ନା, ମୁଁ ସେହି ବନ୍ଧୁଙ୍କ ପ୍ରେମପତ୍ର ରଚନାର ମୌଳିକତାକୁ ଅପମିଶ୍ରଣ କରି ନାହିଁ, ନିଜର ଯତ୍‌ଚକିଞ୍ଚିତ ସାହିତ୍ୟ ପ୍ରତିଭାର ସହଯୋଗ ଦେଇ ନାହିଁ ବା ମଝିରେ ମଝିରେ ସେଇ ପ୍ରେମପତ୍ରକୁ ଶୁଣି ଉତ୍ସାହବ୍ୟଞ୍ଜକ ଦୁଇ ଶବ୍ଦ କେବେ କହି ନାହିଁ । ମୋର ଭୂମିକାଟି ଏକ ବାଧକର ।

ମୁଁ ବାରମ୍ବାର ବନ୍ଧୁକୁ କହିଛି ଯେ, ଏହା ବଦଳରେ ଫରାସୀ ରାଷ୍ଟ୍ର ବିପ୍ଳବ ଉପରେ ଧ୍ୟାନ ଦେଲେ ପ୍ରଥମ ଶ୍ରେଣୀଟି ମିଳିବା ଥୟ । ମୋ'ର ବାଧକ ପଣଟି ବନ୍ଧୁକୁ ଉତ୍ସାହିତ କରିଛି । ମୁଁ ନୀରବରେ ସେହି ଐତିହାସିକ ପ୍ରେମପତ୍ର ଲେଖନକୁ ଲକ୍ଷ୍ୟ କରିଛି । ଟେବୁଲଲ୍ୟାମ୍ପ ତଳେ କ୍ଲିପ୍ ବୋର୍ଡ଼ ଉପରେ ପୃଷ୍ଠା ପରେ ପୃଷ୍ଠାର ବଦଳି ଯାଉଥିବା ପ୍ରେମପତ୍ରର ମଝିରେ ସେହି ଲେଖକର ବେପରୁଆ ଦୃଷ୍ଟିର ବର୍ଚ୍ଛାମାନ ମୋତେ ଭୋଗିବାକୁ ହୋଇଛି । ମୁଁ ଯେମିତି ସେତେବେଳେ ସେହି ସମୟର ପ୍ରେମ ଚୋପରା, ଆକ୍ଷରିକ ଅର୍ଥରେ ପରିବେଶକୁ ଧୂମ୍ରପାନରେ ପ୍ରଦ୍ୟୁଷିତ କରିବା ମୋର ଅଧିକାର । ତାହା ପରେ ଦିନେ ବନ୍ଧୁ ଉଠିଲେ ତାଙ୍କ ଟେବୁଲଲ୍ୟାମ୍ପ ପାଖରୁ । ମୁଁ ବି ଥିଲି ଟିକିଏ ଦୂରରେ ସେତେବେଳେ ।  ଆସି ମୋ କାନ୍ଧରେ ହାତ ପକାଇଲେ ସେ । କହିଲେ,ହେଲା । ପୂରା ଦିସ୍ତାଏ । ଦେଖ୍ ।

ପ୍ରେମରେ ସଫଳ ଅନେକ କାହାଣୀ ମୁଁ ପଢ଼ିଛି । ପ୍ରେମିକ ପ୍ରେମିକା ମାନଙ୍କର ବାଧକହୀନ ସମୟରେ ଆକାଶୀ ଉଡ଼ାଣ ଦେଖିଛି, କଳ୍ପନା କରିଛି । କିନ୍ତୁ ଏଇ ଗୋଟିଏ ଥିଲା ମୋର ଜଣେ ପ୍ରେମପତ୍ର ଲେଖକର ସଫଳତାର ଝଲମଲ ଦୃଶ୍ୟଟିଏ ସ୍ୱଚକ୍ଷୁରେ ଦେଖି ପାରିବାର ଏକମାତ୍ର ବିରଳ ଅବସର ।

ପ୍ରେମର ଦେବତା, କ୍ୟୁପିଡ଼ (ୱିକିମିଡିଆ କମନ୍ସ୍)

କହିବାର କଥା ହେଉଛି ଏଠାରେ ଏକ ପ୍ରେମପତ୍ରର ବାଧକ ପରି ସମସ୍ତ ପ୍ରେମରେ ବାଧକଟି ଯେତିକି ଯେତିକି ଦୁର୍ଦ୍ଦାନ୍ତ ହେବ, ପ୍ରେମ କାହାଣୀଟି ସେତିକି ସେତିକି ଆକର୍ଷଣୀୟ ହେବ । ଠିକ୍ ଯେମିତି ଗୋଟିଏ ଗୋଇନ୍ଦାର ଦକ୍ଷତା ଅପରାଧିର ଚତୁରତା ଉପରେ ସାଧାରଣତଃ ନିର୍ଭର କରୁଥାଏ । ଅପରାଧିର ଚତୁରପଣର ଗୋଲକଧନ୍ଦା ହେଉଛି, ଆମ ଗୋଇନ୍ଦା କାହାଣୀର ସାମଗ୍ରିକ ଶିଳ୍ପ କର୍ମ, ସୌଷ୍ଠବ ।

ପ୍ରେମର ଏହି ବାଧକତତ୍ତ୍ୱକୁ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି, ପ୍ରେମ ଭଳି ସବୁ କ୍ଷେତ୍ରରେ ବାଧକକୁ ବୁଝିବା ଆଉ ବାଧକକୁ ଅତିକ୍ରମ କରିବାର ପନ୍ଥା ଓ ସାହସ ସଞ୍ଚୟ କରିବା ।

ଦୁଃଖର କଥା, ଆପଣମାନେ ଦୟା କରି ଏହାକୁ କାହାକୁ ଆକ୍ଷେପ ବା ନିଜ ଦେହକୁ ନ ନେଲେ କହିବି, ବାଧକତତ୍ତ୍ୱର ନିହାତି କୁପୋଷଣ ଯୋଗୁ ଆମର ପ୍ରେମ ଓ ଆମର ସବୁ ପ୍ରେମ କଥା ଓ ଅନ୍ୟାନ୍ୟ କଥା ମାନ ସାହିତ୍ୟିକ ଦୁରାବସ୍ଥା ଭୋଗୁଛନ୍ତି । ଆମର ଚରିତ୍ରମାନେ ସବୁବେଳେ ସତ୍, ନଷ୍ଟାଲଜିଆ ଗ୍ରସ୍ତ । ସେମାନଙ୍କୁ ସେହି ଚିରାଚରିତ ଶଗଡ଼ଗୁଳାରୁ ବାହାର କରି ଆଣିବାକୁ ପଡ଼ିବ । ତାହା ହେଲେ ଆମେ ବିବିଧତା ଦେଖିବା । ବୈଚିତ୍ର୍ୟକୁ ଅନୁଭବ କରିବା । ଏହା ଲେଖିବାର ଉଦ୍ଦେଶ୍ୟ କଦାପି ନୁହଁ ଯେ, ଆମ ପ୍ରେମ କଥାରେ ସବୁଆଡ଼ କେବଳ ଅନ୍ଧାର ହିଁ ଅନ୍ଧାର ।

ନିୟତି ଆଉ କାଳକୁ ବାଧକ ହିସାବରେ ଆମ କାହାଣୀରେ ଆଉ କେତେ ମାକ୍ରୋ-ମାନେଜମେଣ୍ଟ କରି ଆମେ ସନ୍ତୁଷ୍ଟ ରହିବା ? ଏମିତିରେ ଆମ ସାହିତ୍ୟରେ ଆବେଗ ଆଉ କେବଳ ଲୋଡ଼ିବାପଣକୁ ନେଇ କବି ରମାକାନ୍ତଙ୍କ ବିଖ୍ୟାତ ଶୃତଲିଖନଟି ଆମ ସାମ୍ନାରେ ଉପଲବ୍ଧ, 'ଶ୍ରୀରାଧା' । ମୋର ବିଚାରରେ 'ଶ୍ରୀରାଧା'ରେ ଯେଉଁ ପ୍ରେମକାହାଣୀଟି ଆମକୁ ବିହ୍ୱଳ କରି ଏତେ ଦିନ ରଖି ଆସିଛି, ସେଥିରେ 'ବାଧକତତ୍ତ୍ୱ'ଟି ଅର୍ଥାତ୍ ଆଣ୍ଟାଗୋନିଷ୍ଟଟି କେତେ ସ୍ପଷ୍ଠ, ଆଉ କେତେ ପ୍ରାଞ୍ଜଳ ? ଏହାର ସବିଶେଷ ବିଚାର ଆପଣମାନଙ୍କର ।

"ସଖୀ ବେଦନା କାହାରେ ବଲେ,
ତୋମରା ଯେ ବଲୋ ଭାଲୋବାସା ଭାଲୋବାସା,
ସଖୀ ଭାଲୋବାସା କାରେ କୟେ ?"

ଆପଣମାନେ ଅସହମତି ବ୍ୟକ୍ତ କରି ପାରନ୍ତି, କିନ୍ତୁ ମୋର ବିଚାରରେ ଆସନ୍ତାକାଲି 'ଶ୍ରୀରାଧା'ର ପୁନର୍ମୂଲ୍ୟାୟନ ହେବ ଆଉ 'ଶ୍ରୀରାଧା' ରହିବେ ନାହିଁ । କବି ରମାକାନ୍ତ ନିଶ୍ଚୟ ରହିବେ, ତାଙ୍କର 'ସପ୍ତମ ଋତୁ' ଓ ଅନ୍ୟାନ୍ୟ ଆଗର କୃତି ସହ ।

ପ୍ରେମକୁ ବୁଝିବାକୁ ହେଲେ ଆମକୁ ପ୍ରେମର ବାଧକତତ୍ତ୍ୱକୁ ବେଶି ବୁଝିବାକୁ ହେବ । ଯେଉଁ ଦୁଇଟି ସଂକ୍ଷିପ୍ତ ବିଚାର ସହ ଏଇ ଲେଖାଟି ଆରମ୍ଭ ହୋଇଅଛି, ସେଥିରେ ଆପଣ ଦେଖିବେ ପ୍ରେମର ବାଧକପଣକୁ ବେଶି ଉଜାଗର କରା ଯାଇଛି । ସେଇ ଦୁଇଟି ବିଚାର ବିଶିଷ୍ଠ ଆମେରିକାନ୍ ମନସ୍ତତ୍ତ୍ୱବିତ୍ ଥମାସ୍ ସାସ୍‌ଙ୍କ ପୁସ୍ତକ 'ଦି ସେକେଣ୍ଡ ସିନ୍'ରୁ ଉଦ୍ଧାର କରା ଯାଇଛି । କବିଗୁରୁ ରବୀନ୍ଦ୍ର ଏକଦା ଲେଖିଛନ୍ତି:

"ସଖୀ ଭାବନା କାହାରେ ବଲେ"

ସବୁ ବିଚାର ସତ୍ତ୍ୱେ ଆମେ କବିଗୁରୁଙ୍କ ଭଳି ପୁଣି ଫେରିବା ଗ୍ରାଉଣ୍ଡ ଜିରୋକୁ । ପ୍ରେମ କହିଲେ କ'ଣ ବୁଝିବା ଆମେ ?

Sunday, July 15, 2018

ପୋଇ ଶାଗ

ପ୍ରସନ୍ନ କୁମାରୀ ଦେବୀ


ପୋଇ ଶାଗ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାମଗ୍ରୀ - ବଡ଼ ପୋଇ ପତ୍ରରୁ ୧୦୦ ଗ୍ରାମ, ଦୁଇଟା ଆଳୁ, ଅଧ କପ ନଡ଼ିଆ କୋରା, ଦୁଇ ତିନିଟା କଞ୍ଚା ଲଙ୍କା, ଏକ ଚାମଚ ଜୀରା, ଶୋରିଷ, ଅଧ ଚାମଚ ଫୁଟଣ, ବଡ଼ ଚାମଚରେ ଦୁଇ ଚାମଚ ତେଲ ଓ ପରିଣାମ ଅନୁସାରେ ଲୁଣ ।

ପ୍ରଣାଳୀ - ପ୍ରଥମେ ପୋଇପତ୍ରକୁ ଭଲ ଭାବେ ଧୋଇ ଗୁଣ୍ଡ ଗୁଣ୍ଡ କରି କାଟି ଦିଅନ୍ତୁ । ଆଳୁର ଚୋପା ଛଡ଼ାଇ ସରୁ ସରୁ କରି କାଟି ପାଣିରେ ଧୋଇ କରି ରଖନ୍ତୁ । କଡ଼େଇରେ ତେଲ ଦେଇ ଫୁଟଣ ଓ କଞ୍ଚା ଲଙ୍କା ଫୁଟାଇଲା ପରେ ଆଳୁ, ନଡ଼ିଆ କୋରା ଓ ଶାଗକୁ ପକାଇ ଖରଡ଼ି ଦିଅନ୍ତୁ । ଲୁଣ ପକାନ୍ତୁ ।  ଶାଗ ସିଝିଲା ପର୍ଯ୍ୟନ୍ତ ଭାଜନ୍ତୁ ।

Friday, July 13, 2018

ପାଲି ଧର୍ମପଦ (୮୪) ର ଓଡ଼ିଆ  ପଦ୍ୟାନୁବାଦ

୯ ପଣ୍ଡିତ ବର୍ଗ


ସିକ୍କିମରେ ସ୍ଥିତ ବୁଦ୍ଧ ପାର୍କରେ ଶାକ୍ୟମୁନିଙ୍କର ପ୍ରତିମା (ୱିକିମିଡିଆ କମନ୍ସ୍)

ନିଜ ଆଉ ପର ପାଇଁ ପୁତ୍ର, ରାଷ୍ଟ୍ର, ଧନ,
ନ ଇଚ୍ଛି, ଅଧର୍ମ ବିତ୍ତେ ନ ବଳାଏ ମନ;
ଏହି ପରି ଯେହୁ କରେ ଅଟେ ସେହି ନର,
ଶୀଳବାନ, ପ୍ରଜ୍ଞାବାନ, ଧାର୍ମିକ ପ୍ରବର ।୯।

ନ ଅତ୍ତହେତୁ ନ ପରସ୍ସହେତୁ ନ ପୁତ୍ତମିଚ୍ଛେ ନ ଧନଂ ରଟ୍ଠ‌ଂ ।
ନ ଇଚ୍ଛୟେ' ଧମ୍ମେନ ସମିଦ୍ଧିମତ୍ତନୋ ସ ସୀଳବା ପଞ୍ଞବା ଧମ୍ମିକୋସିୟା ।୯।

ନ ଆତ୍ମହେତୋଃ ନ ପରସ୍ୟ ହେତୋଃ ନ ପୁତ୍ରମିଚ୍ଛେତ୍ ନ ଧନଂ ନ ରାଷ୍ଟ୍ରମ୍ ।
ନ ଇଚ୍ଛେଦଧର୍ମ୍ମେଣ ସମୃଦ୍ଧିମାତ୍ମନଃ ସ ଶୀଳବାନ୍ ପ୍ରଜ୍ଞାବାନ୍ ଧାର୍ମିକଃ ସ୍ୟାତ୍ ।୯।