Thursday, July 12, 2018

ଦେଉଳତୋଳା କଥା

ଜ୍ୟୋତି ନନ୍ଦ


ହୁମାୟୁଁପୁର ଗୁମ୍‌ଟି (ୱିକିମିଡିଆ କମନ୍ସ୍)

ଈଶ୍ୱର କରନ୍ତୁ ଭାରତବର୍ଷ ଆଉ ଗୋଟିଏ ମନ୍ଦିର ଆଉ ମସଜିଦ ବିବାଦ ଭଳି ବିବାଦର ସାମ୍ନା କେବେ ନ କରୁ ।
ମନ୍ଦିର-ମସଜିଦ୍ ବିବାଦ ଆମର ସାମାଜିକ ଜୀବନକୁ ତଥା ଆମର ରାଜନୈତିକ ଜୀବନକୁ କେଉଁ ପରି ଆଉ କେତେ ମାତ୍ରାରେ ପ୍ରଭାବିତ କରି ଆସିଛି ତାହା ଆମେ ସମସ୍ତେ ଜାଣୁ । ତେଣୁ 'ଅଉର୍ ଏକ୍ ଧକ୍କା ଦୋ' ଭଳି କୌଣସି ଗୈରିକବସ୍ତ୍ରାବୃତ୍ତା ସାଧ୍ୱୀର ରଣହୁଙ୍କାରରୁ ଆମେ ସବୁବେଳେ ଢେର୍ ଦୂରରେ ରହିବୁ ଆମର ପ୍ରିୟ ତ୍ରିରଙ୍ଗା ତଳେ ।
ଦୟାକରି ଏଇ ଲେଖା ଉପରେ କୌଣସି ବିଭେଦକାରୀ ବା ଉତ୍ତେଜନାପ୍ରବଣ ବିଦ୍ୱେଷମୂଳକ ବା ଅସହିଷ୍ଣୁତାମୂଳକ ମନ୍ତବ୍ୟ ଦେବେ ନାହିଁ ବୋଲି ଅନୁରୋଧ କରୁଛି ।
ପ୍ରସଙ୍ଗଟି ଆମର ବିବିଧତାକୁ ନେଇ ।
ଚିତ୍ରଟି ଦିଲ୍ଲୀର ସଫଦରଜଙ୍ଗ୍ ଏନକ୍ଲେଭ୍‌ର ହୁମାୟୁନପୁର ନାମକ ଗାଆଁରେ ଗୋଟିଏ ପରିତ୍ୟକ୍ତ ମସଜିଦ୍ । ମସଜିଦ୍‌ଟି ଭାରତର ତୁଗଲକ୍ ବଂଶର ଶାସନ କାଳର ।
ଇଣ୍ଡିଆନ ଏକ୍ସପ୍ରେସ୍‌ରେ ପ୍ରକାଶିତ ଶ୍ରୀମୟୀ ସୌମ୍ୟା ଲେଖାନୀଙ୍କର ଗତ ମଇ ଚାରିତାରିଖ ଦୁଇ ହଜାର ଅଠରର ଏକ ବିବରଣୀର ଆଧାରରେ ଏହି ଲେଖାଟି ପ୍ରସ୍ତୁତ ।
ଏହି ପରିତ୍ୟକ୍ତ ମସଜିଦ୍‌ଟିକୁ ଦୁଇ ମାସ ତଳେ ଗୈରିକ ରଙ୍ଗରେ ରଙ୍ଗିନ କରି ସେଠାରେ ଭଗବାନ ଶିବଙ୍କ ମୂର୍ତ୍ତି ସ୍ଥାପନା କରା ଯାଇଛି ।
ସଚରାଚର ସଂସାରର ବିଷପାନକାରୀ ଶଙ୍କର ମହାଦେବଙ୍କ ଏହିଭଳି ପୂଜାର୍ଚ୍ଚନା ପାଇଁ ଏକ ପରିତ୍ୟକ୍ତ ମସଜିଦ୍‌କୁ ବାଛି ତାହାକୁ ମନ୍ଦିରରେ ବଦଳାଇ ଦେବା ପଛରେ ଆମର ଭକ୍ତି ଓ ବିଶ୍ୱାସର ପରିମାଣ କେତେ ଆଉ ସମାଜର ସଂହତିରେ ବିଷ-ବିକ୍ଷେପଣଟି କେତେ, ତାହାର ପରିମାଣର ବିଚାର ଆପଣମାନଙ୍କର ।
ପୂରାତତ୍ତ୍ୱ ବିଭାଗର ସିଟିଜେନ୍ ଚାର୍ଟର୍ ବା ଜନସାଧାରଣଙ୍କର ପ୍ରାଚୀନ ସ୍ଥାପତ୍ୟ ସମ୍ବନ୍ଧୀୟ ଯେଉଁ ଆବଶ୍ୟକୀୟ ବ୍ୟବହାର ତଥା ଆଚରଣବିଧିଟି ରହିଛି, ତାହା ଅନୁସାରେ ସେମାନେ କୌଣସି ସ୍ଥାପତ୍ୟକୁ କୌଣସି ରଙ୍ଗରେ ରଙ୍ଗାଇ ପାରିବେ ନାହିଁ ତଥା ସ୍ଥାପତ୍ୟଟି ଯେଉଁ ଭଳି ରହିଛି ସେହି ଭଳି ସ୍ୱାଭାବିକତାରେ ଅବିକୃତ ରଖିବାକୁ ଚେଷ୍ଟା କରିବେ ।
ଏଠାରେ ତାହାର ବିରୁଦ୍ଧାଚରଣ କରା ଯାଇଛି । ଗୈରିକ ରଙ୍ଗରେ ରଙ୍ଗିନ କଲା ପରେ ତାହା ନିକଟରେ ସେହି ବିଶେଷ ରଙ୍ଗପ୍ରେମୀ ରାଜନୈତିକ ଦଳର ମାନନୀୟ ବିଧାୟକଙ୍କ ନାଆଁ ବି ଲିପିବଦ୍ଧ ହୋଇ ରହିଛି ।
ଏହା ଭାରତୀୟ ମହାନ ପରମ୍ପରା, ଯାହା ବହୁଳବାଦ ଉପରେ ଆଧାରିତ ତାହାର ବିରୁଦ୍ଧାଚରଣ କରୁଛି । ଏହା ସଙ୍ଖ୍ୟାବଳର ଅଂହକୁ ସୂଚିତ କରୁଛି ।

ସମାଜକୁ ବିଭେଦ ଆଉ ବିଦ୍ୱେଷରେ ଭାଗଭାଗ କରି ଆମର ଭାରତୀୟତାର ସଂହତିକୁ ବିପନ୍ନ କରୁଥିବା ଏହି ଜାତୀୟ ସମସ୍ତ ଉପଚାରକୁ ଆମକୁ ପ୍ରତିହତ କରିବାକୁ ହେବ ।

ଆମେ ଆମର ତ୍ରିରଙ୍ଗା ତଳେ ସମସ୍ତେ ଏକାଠି ଶେଷ ଯାଏଁ ।
କାହାକୁ ଆଘାତ କାହିଁକି ? ଅସୂୟା କାହିଁକି ?
ଆଉ ଥରେ ଲେଖୁଛି, ସଂସାରଯାକର ବିଷପାନ କରି ନୀଳକଣ୍ଠ ସାଜିଥିବା ଦେବତାର ଉପାସନା ବେଳେ ଆମକୁ ସେହି ଦେବତାଠୁ କିଛି ଶିଖିବା ନିତାନ୍ତ ଆବଶ୍ୟକ ।
କାମନା କରୁଛି ଆମେ କଦାପି ଆଉ ଏକ ମନ୍ଦିର-ମସଜିଦ ବିବାଦର ମୂଳଦୁଆ ପକାଇବା ନାହିଁ । ଏବଂ ଯେତେବେଳେ ନିଜର ଦୁଇ ହାତରେ ତାଳି ମାରି ନିତାନ୍ତ ଅଶୋଭନୀୟ ଭାବରେ ମଞ୍ଚରୁ ଅନବରତ ମିଛ, ନିଜର ଅସଫଳତାକୁ ଏଡ଼ାଇବା ପାଇଁ ଇତିହାସର ନିର୍ବାଚିତ ଉଲ୍ଲେଖ ଓ ଧାର୍ମିକ ବିଭେଦର ଯେଉଁ ସୁକ୍ଷ୍ମ 'ଟୁ ନେସନ୍ ଥିଓରି'ର ରାଜନୈତିକ ବଖାଣ ଚାଲିଛି, ତାହାକୁ ଏବଂ ତାହାର କ୍ଷମତାସୀନ ଅହଙ୍କାରକୁ ପ୍ରତିହତ କରିବା ପାଇଁ ଜଣେ ଭାରତୀୟ ହିସାବରେ ଆମକୁ ସତର୍କ ରହିବାକୁ ପଡ଼ିବ ।
ଆମେ ସାଧାରଣ ଶକ୍ତିହୀନ ଲୋକ ସେମାନଙ୍କର ପ୍ରଚାରର ଭେଳିକିରେ ଆଛନ୍ନ ହୋଇଯାଉ । ଆମକୁ ବୁଝିବାକୁ ହେବ, ସେମାନେ ନିଜ ଛାତିରେ ନିଜ ଦଳର ଚିହ୍ନଟିଏ ଖଞ୍ଜି ଅତ୍ୟନ୍ତ ପ୍ରଭାବୀ ଭାଷାରେ ଯେଉଁ ଅଭିନୟଟି କରି ଚାଲିଛନ୍ତି, ତାହା ଅସଲରେ କ'ଣ ? କେବଳ ଅନ୍ୟର ଅସଫଳତାର ବିସ୍ତୃତ ଆଲୋଚନାର ଶ୍ଳେଷରେ ଆମେ ଆମୋଦିତ ହେଉଥିବା, କିନ୍ତୁ ତାହା କେବେ ହେଲେ ସେହି ପ୍ରଭାବୀ ବକ୍ତା ଜଣକର ସଫଳତାର ନିୟାମକ ବୋଲି ବିଚାର୍ଯ୍ୟ ନୁହଁ । ମାନେ ଅନ୍ୟର ସମାଲୋଚନାରେ ମୁଁ ଯେତେ ମୁଖର, ତାହା ସମାନ ଭାବରେ ମୁଁ କ'ଣ କରିଛି ବୋଲି କହିବ ନାହିଁ ।

ତେଣୁ ଆମକୁ ଆମର ଏହି ପୋଷାକପ୍ରିୟ ଅଭିନେତାର ରାଜନୈତିକ ଭାଷଣକୁ ଏକ ଅଭିନୟାଂଶ ବା 'ପରଫର୍ମେଟୋରୀ ପାର୍ଟ ଅଫ୍ ପଲିଟିକ୍ସ' ବୋଲି ଧରି ନେଇ ହାତତାଳି ଦେବାକୁ ପଡ଼ିବ । ଅଭିନୟଟିକୁ ମୁଣ୍ଡକୁ ନେଲେ ସବୁ ଅସୁବିଧା । ସବୁ ବିଚାରରେ ବିଭ୍ରାନ୍ତି ।

ଆମ ମୁଣ୍ଡରେ କେବଳ ଗୋଟିଏ ଆକୁମାରୀ ହିମାଳୟର ଭାରତବର୍ଷଟିଏ ତାହାର ସମସ୍ତ ବିବିଧତା ସହିତ ରହିବା ବାଞ୍ଛନୀୟ, ଯାହା ଆମର ଏକମାତ୍ର ଦେବସ୍ଥାନ ।

Monday, July 09, 2018

ଆର୍ସିର ଗପ ଓ ଗପର ଆର୍ସି

କେଦାର ମିଶ୍ର


ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ


ଗୋଟେ ଗପ ଦେଖିଲେ କେମିତି ଲାଗିବ ଗପ ନୁହଁ ତ କିଛି କଥା । ଗୋଟେ ଅଦ୍ଭୁତ ଗପୁଡ଼ି ଝିଅ ଓ ଗୋଟେ ଅଚିହ୍ନା ପୁଅର କଥା । ହଁତା ଭିତରେ ଅଛି ଗୋଟେ ରାସ୍ତାଅନେକ କୋଳାହଳ ଓ ଧୂସର ଜୀବନର ଗୋଟେ ଅସଜଡ଼ା ମାନଚିତ୍ର । ଗୋଟେ ଗପକୁ ଦେଖିବା ଓ ସେ ଗପର ପ୍ରେମରେ ପଡ଼ିଯିବାଗୋଟେ ପ୍ରକାର କୁହୁକ ଅନୁଭବ ହୋଇପାରେ । 

ପ୍ରାୟ ଦେଢ଼ ଘଣ୍ଟା ଧରି ଏ ଯେଉଁ ଗପଟିକୁ ମୁଁ ଦେଖିଲି ଗପ ଦେଖିଲିଶୁଣି ନାଇଁସେ ଗପର ଲେଖକ କିଏ ବିଶ୍ଵାସ କରନ୍ତୁ ଫ୍ରାଞ୍ଜ କାଫକା ଯଦି ଓଡ଼ିଆ ଜାଣିଥା'ନ୍ତେ, ସେ ଗପଟିକୁ ଠିକ ଏମିତି ଇ ଲେଖିଥା'ନ୍ତେ । କିମ୍ବା ବୋରହେସନିର୍ମଳ ବର୍ମା କି ମଣ୍ଟୋହୋଇ ପାରେ ଆମର ଜଗଦୀଶ ମହାନ୍ତି କି ସତ୍ୟ ମିଶ୍ର । ନା, ଏ ଗପ ଅକ୍ଷରରେ ଲେଖା ହୋଇନାହିଁଲେଖା ହୋଇଛି ଦୃଶ୍ୟରେ ।

ଦୃଶ୍ୟ ପରେ ଦୃଶ୍ୟ ଦେଇ ଗପଟି ଗତିଶୀଳ ହେଉଛି । ଝିଅଟି ଗପୁଛିପୁଅଟି ଶୁଣୁଛି ।

ଦୁଇଟି ବୋଲି ଚରିତ୍ର । ମଝିରେ ପାଞ୍ଚ ମିନିଟ ଲାଗି ଆଉ ଗୋଟେ ଚରିତ୍ର ଆସୁଛନ୍ତି ଓ ମିଳେଇ ଯାଉଛନ୍ତି ।

ତେବେ ଏ ଗପରେ ସବୁଠୁ ବଡ ଚରିତ୍ର ହେଉଛି ରାସ୍ତା । ରାସ୍ତାର କୋଳାହଳଡ୍ରୋଜରକ୍ରେନରୋଲରଟ୍ରକବସଟ୍ରେନ ଇତ୍ୟାଦିର କାନଫଟା ଚିତ୍କାର ଏ ଗପରେ ବହୁତ ବଡ଼ ଜାଗା ମାଡ଼ି ବସିଛନ୍ତି । କଥା ଅପେକ୍ଷା କୋଳାହଳ ବେଶୀ ଅର୍ଥପୂର୍ଣ୍ଣ ଲାଗୁଛି । ତା'ରି ଭିତରେ ଅଛି ଗୋଟେ ଅଚିହ୍ନା ଚଢ଼େଇର କାକଳି । ଅଛି ମୋବାଇଲ ଗେମ୍‌ର ଟିକ୍ ଟିକ୍ ମୋନୋଟୋନି । ଏ ଗପର ବଡ଼ ଚରିତ୍ର ହେଉଛି ରାସ୍ତା ।ଗୋଟେ ଜାଗାରେ ସେ ଗପୁଡ଼ି ଝିଅ କହୁଛି - “ଏ ରାସ୍ତା ଦିନକୁ ଦିନ ମୋଟା ହୋଇଯାଉଛି ଓ ଯେମିତି ଅନେକଙ୍କୁ ଗିଳି ପକାଉଛି।"

ଏଇଟା ରାସ୍ତାର ଗପ । ଯେମିତି କି, ' ରାସ୍ତା ଇ ତିଆରି କରିଛି ଏହାର ସାମାଜିକ ଇତିହାସ । ରାସ୍ତା ବାରମ୍ବାର ଜୀବନ ପରି ଲମ୍ବି ଯାଉଛି ଗୋଟେ ଅଚିହ୍ନା ସହର ଆଡ଼କୁ । ରାସ୍ତା ଆମକୁ କହୁଛି, ଗୋଟେ ଯାଯାବର ଜୀବନ କାହାଣୀ ।

ଓଡ଼ିଆ ଭାଷାରେ ଏମିତି ଗୋଟେ ଗପ ଆପଣ ହୁଏତ ଦେଖି ନ ଥିବେ । ସାହିତ୍ୟ ତୁଳନାରେ ଗୋଟେ ଦୃଶ୍ୟ-ମାଧ୍ୟମ ଭାଷାର ପ୍ରୟୋଗକୁ କେତେ ଅଧିକ ଶକ୍ତିଶାଳୀ କରିପାରେ, ତାର' ଅନୁଭବ ଆମ ପାଖରେ ବହୁତ କମ । ନିହାତି ଶସ୍ତା ଓ ଧାରକରା ସିନେମାର ପ୍ରଭାବହୀନ ପରମ୍ପରା ସହିତ ଅଭ୍ୟସ୍ତ ଓଡ଼ିଆ ଦର୍ଶକ ଲାଗି ଏଇଟା ଗୋଟେ ଅଭିନବ ଅନୁଭବ ।

ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

'ହେଲୋ ଆର୍ସି' ବୋଲି ଗୋଟେ ସିନେମା ଦେଖି ସାରିଲା ପରେ ମୋତେ ଲାଗିଲାମୋ' ଭାଷାର ସାମର୍ଥ୍ୟ କେତେ । କେତେ ଦମଦାର ଓ ଓଜନଦାର ହୋଇପାରେ ଓଡିଆ ଭାଷାର ପ୍ରାଣଶକ୍ତି । ଏଇ ସିନେମାରେ ଓଡିଆ ଭାଷାର ସର୍ବାଧିକ ଶକ୍ତି ଓ ସୃଜନଶୀଳତା ଫୁଟି ଉଠିଛି । ଗୋଟେ ସିନେମାବହୁ ଦିନ ପରେ ମୋତେ ସ୍ଥିର ଓ ଅବାକ କରିଦେଲା । ମୁଁ ସେ ରାସ୍ତାରେ ଏବେ ବି ଅଛି ଯେମିତି । ମୁଁ ଏବେ ବି ଘାରି ହେଉଛିସେ ଆର୍ସି ବୋଲି ଝିଅଟା କିଏ ସେ କଣ ରାଉରକେଲା-ରାଜଗାଙ୍ଗପୁର ରାସ୍ତାରେ ଗରାଖ ଖୋଜୁଥିବା ଗୋଟେ ଝିଅ ନା ଶିଳ୍ପାୟନର ଦାନବ ପଞ୍ଝାରେ ନିଜର ଅସ୍ତିତ୍ଵ ହରାଇଥିବା ଗୋଟେ ଯାଯାବର ଆତ୍ମା । ସେମିତି ସେ ହତାଶିଆ ହସ ହସୁଥିବା ପୁଅଟି କିଏ ସେ ବି କଣ ଆର୍ସିର ମାତ୍ର ଗୋଟିଏ ରାତିର ପ୍ରେମିକ କି ଗରାଖ ନା ସେ ବି ଠିକଣା ହଜେଇ ଦେଇଥିବା ଗୋଟେ ଉଦବାସ୍ତୁ ଗାଁ'ର ପ୍ରାଣ ଅଦ୍ଭୁତ ଘଟଣାକ୍ରମ ଓ ଏକ ଶେଷହୀନ ପରିଣତି ଥିବା ଏ' ସିନେମାର କାହାଣୀଆମ ସମୟର ଓଡିଆ ଭାଷାକୁ ମେଞ୍ଚାଏ ଖୋଲା ପବନ ଦେଇଛି । ଆପଣ କହି ପାରନ୍ତିଏଇଟା ଆଧୁନିକ ଓଡିଆ ଭାଷାର ଗରିମା । ଏଇଟା ଇ ସମକାଳୀନ ଓଡିଆ ଜୀବନର ପ୍ରତିଛବି । ଆମ ପିଲା ଏଇ ଭାଷାଏଇ ଜୀବନବୋଧଏଇ ଯାଯାବର ଲକ୍ଷ୍ୟହୀନତା ଓ ଏଇ ପ୍ରକାର ସ୍ଵାଧୀନତାକୁ ନେଇ ବଞ୍ଚୁଛନ୍ତି । ଦୁର୍ଭାଗ୍ୟକ୍ରମେ ଆମର କଳା ଓ ସାହିତ୍ୟ ଏ ପ୍ରକାର ଭାଷାକୁ ବୁଝିବାରେ ଏକ ପ୍ରକାର ଅସମର୍ଥ ।

ଆର୍ସି ବୋଲି ଏ ଯେଉଁ କୋଡ଼ିଏ-ଏକୋଇଶ ବର୍ଷର ଝିଅଟି ନିଜ କଥା ଗପି ଚାଲିଛିସେ ନିଜ ଜୀବନ ସଙ୍ଘର୍ଷର କଥା କହୁଛି । ତା' ସହିତ ସେ ନିଜ ସ୍ଵାଧୀନ ଜୀବନର ରାହା ବିଷୟରେ ମଧ୍ୟ ସଚେତନ । ଠୋ ଠୋ କଥାବେପରୁଆ ଚାହାଣୀନୈତିକତା ଓ ସାମାଜିକ ଅଙ୍କୁଶକୁ ଫୁଃ କରି ଉଡ଼େଇ ଦେବାର ସାହସ ଓ ଜୀବନକୁ ନିଜ ସର୍ତ୍ତରେ ବଞ୍ଚିବାର ଦୃଢ଼ତା ଆର୍ସିକୁ ଅଲଗା କରି ଗଢ଼ିଛି । ସିନେମାରେ ସେ କେବଳ ନାୟିକା ନୁହଁସେ ଆମ ସମୟ ଓ ସମାଜର ଗୋଟେ ଅନମନୀୟ ଅଂଶ । ଗତ ପଚିଶ–ତିରିଶ ବର୍ଷ ଭିତରେ କୌଣସି ଓଡ଼ିଆ ସିନେମା ଏତେ ଗହନକୁ ଯାଇ ନିଜ ସମୟର କଥା କହିଥିବାରମୁଁ କାଇଁ ଦେଖିନି ।

ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

ଏ ସିନେମାରେ କୌଣସି ପ୍ରଶ୍ନର ଉତ୍ତର ନାଇଁ । ପ୍ରଶ୍ନ ପରେ ପ୍ରଶ୍ନର ବୋଝ ଲଦି ଆପଣ ବି ପାଲଟି ଯାଇ ପାରନ୍ତି, ' ରାସ୍ତାର ଗୋଟେ ଅସହାୟ ଚରିତ୍ର । ଓଡିଆ ସିନେମାରେ ବହୁ ଦିନ ପରେ କିଛି ଗୋଟେ ଆଚ୍ଛନ୍ନ କଲା । ନିଜ ଭିତରର ଆତ୍ମାକୁ କିଛି ସମୟ ଲାଗି ଝୁଣିଝାଣି ଦେଇଗଲା ଆର୍ସି । ସିନେମାରେ ଆଉ କଣ ଅଛିକହିବା ଦରକାର ନାଇଁ । ସିନେମାରେ ଗୋଟେ ପାଗଳ କଲା ପରି ଗପ ଅଛି । ପ୍ରବଳ ଉତ୍କଣ୍ଠା ଅଛି । ପ୍ରତ୍ୟେକ ସଂଳାପ ଭାଷା ଓ ଭାବକୁ ସାବଲୀଳ ଭାବରେ ଯୋଡ଼ିବାରେ ସଫଳ ହେଉଛନ୍ତି । ଦୃଶ୍ୟଶବ୍ଦଭାଷା ଓ ଭାବ ଏଇ ଚାରୋଟି ଯାକ ବିଭବ ମିଶି ଗୋଟେ ଜମାଣିଆଁ ମୂର୍ଚ୍ଛନା ତିଆରି କରିଛନ୍ତି ଏ ସିନେମାରେ ।

ପ୍ରାୟ ଦୃଶ୍ୟ ସ୍ପଷ୍ଟ ଓ କ୍ୟାମେରାର ଦୃଷ୍ଟି ଏକ ପ୍ରକାର ସ୍ଥିର । ଯେମିତି କ୍ୟାମେରା ଗୋଟେ ଜାଗାରେ ଗପ ଦେଖିବାକୁ ଅଟକି ଯାଇଛି । ଏ ସିନେମାରେ କ୍ୟାମେରାମେନ ବି ଗୋଟେ କବି । ଧୂସର ଓ ବିବର୍ଣ୍ଣ ଉପତ୍ୟକାର କବି । ଚିତ୍ର ଓ ଶବ୍ଦର ଏତେ ଚମତ୍କାର ସଙ୍ଗମକେଉଁ ଓଡିଆ ସିନେମାରେ ମୁଁ ଶେଷ ଥର ଲାଗି ଦେଖିଥିଲିମୋର ମନେ ନାହିଁ । ଏ ସିନେମାର ପ୍ରଭାବ ନିଜ ରକ୍ତରେ ବହୁ ଦିନ ଧରି ଅନୁଭବ କରିବାକୁ ଜଣେ ସମ୍ବେଦନଶୀଳ ଦର୍ଶକ ବାଧ୍ୟ ହେବ । ଅଭିନୟରେ ମୁଁ ତ କେବେ କଳ୍ପନା କରି ନ ଥିଲିପ୍ରକୃତି ମିଶ୍ର ଏମିତି କିଛି କରି ପାରିବେ । ସେମିତି ପାର୍ଥନୂଆ ଅଭିନେତା । ହେଲେ ଅଭିନୟରେ ଗୋଟେ ଗାମ୍ଭୀର୍ୟ ଅଛି । ମୁହଁରେ ହସ ଓ ବିଷାଦଭରା ଗୋଟେ ବିରଳ ମାନଚିତ୍ର ତିଆରି କରିଛନ୍ତି ପାର୍ଥ । ଏଠି ଅଭିନୟର ଗୋଟେ ଅଲଗା ଇଲାକା ତିଆରି ହୋଇଛି । ନାଟକ ନାଇଁ କି ସଂଳାପରେ ଅଯଥା ଉତ୍ତେଜନା ନାଇଁ । କେବଳ ସଠିକ ଭାବରେସଠିକ ସମୟରେ କଥା କହିପାରିବାର ଯାଦୁକରୀ ଇ, ' ସିନେମାର ସବୁଠୁ ସାର୍ଥକ ଅଭିନୟ । ତିନୋଟି ଯାକ ଚରିତ୍ର ଏତେ ସ୍ଵାଭାବିକ ଓ ସହଜ ଯେସେମାନେ ଏଠିସେଠିସବୁଠି ଆମ ସହ କଥା ହୋଇ ପାରିବେ ।

ଏତେ ସବୁ ଯାଦୁକରୀ ଦେଖେଇଥିବା ସେ ଅସଲ କଥାକାରଟି କାଇଁ ଏତେ ସବୁକୁ ସାର୍ଥକ ଓ ସଫଳ ଭାବରେ ତୁଲାଇ ପାରିଥିବା ଏ ସିନେମାର ଅସଲ ନାୟକ କେଉଁଠି ଆଃସେ ବହୁ ଦୂର ଆକାଶରେ ଏବେ ଗୋଟେ ଅସ୍ପଷ୍ଟ ତାରା । ସେଇ ଆକାଶରେ ଥାଇ ସେ ଆମକୁ ଆର୍ସିର ଗପ ଦେଖାଉଛନ୍ତି । “ହେଲୋ ଆର୍ସି” ର ସଂଳାପକାର ଓ ନିର୍ଦ୍ଦେଶକ ସ୍ଵର୍ଗତ ସମ୍ବିତ ମହାନ୍ତିହଜି ଯାଇଥିବା ଗୋଟେ ଜିନିୟସ । ଏତେ ଚମତ୍କାର ସିନେମା ଗଢ଼ିଥିବା ଲୋକଟା ସିନେମା ସରିଲା ପରେ ଆଉ ଏ ପୃଥିବୀରେ ନାଇଁ । ମରିବା ଆଗରୁ ଏଇଟା ସମ୍ବିତଙ୍କର ପ୍ରଥମ ଓ ଅନ୍ତିମ ସିନେମା । କଳାର ଇତିହାସରେ ଅନେକ ବିସ୍ମୟ ତିଆରି ହୁଏ । ଓଡିଆ ଦୃଶ୍ୟକଳାର ଇତିହାସରେ ସମ୍ବିତ ମହାନ୍ତି ସେମିତି ଏକ ବିସ୍ମୟ ।

'ହେଲା ଆର୍ସି' ଚଳଚିତ୍ରର ନିର୍ଦ୍ଦେଶକ ସମ୍ବିତ ମହାନ୍ତି
ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

ମୁଁ ଯଦି ଏ ସିନେମାକୁ ଏତେ ଚମତ୍କାର ଓ ସୁନ୍ଦର ବୋଲି କହୁଛିତା' ହେଲେ ଏହାକୁ ଦେଖିବା ଲାଗି ସିନେମା ହଲରେ ଭିଡ଼ ହେବ ନାହିଁ କାହିଁକି ଆମ ସମୟରେ ଏ ପ୍ରଶ୍ନ ସବୁଠୁ ମାରାତ୍ମକ । ଭଲ ସିନେମା ଓ ଲୋକପ୍ରିୟ ସିନେମା ଭିତରେ ସମୟକ୍ରମେ ଗୋଟେ ବଡ଼ ଖାଇ ତିଆରି ହୋଇ ଯାଇଛି । ଭଲ ସିନେମା ପୁରଷ୍କାର ପାଇବସମୀକ୍ଷକମାନଙ୍କର ଆଦର ପାଇବହେଲେ ତାକୁ ଟିକେଟ କିଣି କେହି ଦେଖିବାକୁ ଯିବେ ନାହିଁ । କାରଣ କଣ ଆମ ସମୟରେ ଚାଲୁ ଓ ଶସ୍ତା ନିଶାର ପ୍ରଭାବ ଆପେ ଆପେ ତିଆରି ହୋଇ ନାହିଁ । କିଛି ବେପାରୀ ଜାଣିଶୁଣି ଶସ୍ତା ନିଶା ସହିତ ଆମ ସମାଜକୁ ଅଭ୍ୟସ୍ତ କରିଛନ୍ତି । ସେମାନଙ୍କ ଫାନ୍ଦ କାଟି ନୂଆ କିଛି କରିବା ସହଜ ନୁହେଁ ।

ସମ୍ବିତ ମହାନ୍ତିଙ୍କ ପରି ସିନେମା ନିର୍ମାତାମାନେ ଗୋଟେ ପ୍ରକାର ବିକଳ୍ପ ତିଆରି କରନ୍ତି । ଚାଲୁ ଓ ଶସ୍ତା ମନୋରଞ୍ଜନର ଏଇ କଳାତ୍ମକ ବିକଳ୍ପକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ଵ ଆମେ ନେଇ ପାରିବା କି ଗୋଟେ ଭଲ ସିନେମା ଲାଗି ସମଝଦାର ଦର୍ଶକ ହେବାର ସାମାଜିକ କର୍ତ୍ତବ୍ୟ ତୁଲାଇବାରେ ଆମେ ଟିକେ ଆଗୁସାର ହେବା କି ଭଲ ସିନେମା ତିଆରି ହେବା ଯେତିକି ଜରୁରୀଭଲ ସିନେମାକୁ ନିଜର କରିବାର ଆଗ୍ରହ ମଧ୍ୟ ସେତିକି ଆବଶ୍ୟକ । 'ହେଲୋ ଆର୍ସି' ଆମ ଆଗରେ ଗୋଟେ ଭଲ ବିକଳ୍ପ ଠିଆ କରେଇଛି । ତାକୁ ଭଲ ପାଇବା ଓ ତାକୁ ଆଗକୁ ବଢ଼ାଇବାର ଦାୟିତ୍ଵ ଆମର ।

ଶେଷରେ ଏତିକି କହିବିସମ୍ବିତ ମହାନ୍ତିଙ୍କ ‘ହେଲୋ ଆର୍ସି’ ଆମ ସମୟର ଇତିହାସରେ ଗୋଟେ ମାଇଲଖୁଣ୍ଟ ହୋଇ ଠିଆ ହୋଇଥିବ ଆଗାମୀ ବହୁତ ବହୁତ ବର୍ଷ ଧରି । ହୁଏତ ସମ୍ବିତ ମହାନ୍ତି ବଞ୍ଚିଥିଲେତାଙ୍କଠୁ ଆଉ କିଛି ଭଲ ସିନେମା ଆମେ ଆଶା କରିଥା'ନ୍ତେ । ହେଲେ ଏ ସିନେମାପୁଣି ଥରେ ଭଲ ସିନେମାର ବାଟ ଫିଟାଇବାରେ ସହାୟକ ହେବ ବୋଲି ଆମେ ଆଶା କରିବା ।

Sunday, July 08, 2018

ହର୍ହେ ଲୁଇସ ବୋର୍ହେସ୍‌ଙ୍କର 'ଆଇନା ଓ ମୁଖା'

ଅନୁବାଦ - ଜ୍ୟୋତି ନନ୍ଦ


ଆଇସଲ୍ୟାଣ୍ଡୀୟ ଯୋଦ୍ଧା (ସପ୍ତଦଶ ଶତାବ୍ଦୀର ଚିତ୍ର)

କ୍ଲୋଷ୍ଠାର୍ଫର ଯୁଦ୍ଧ ଶେଷ, ନରୱେ ହାରି ଯାଇଛି । ଆୟାରଲାଣ୍ଡର ମହାରାଜ ତାଙ୍କର ସଭାକବି ସହ ଖୁସି ଗପ କରୁଛନ୍ତି । କହିଲେ, "ଏତେ ବଡ଼ ଗୋଟିଏ ବିଜୟ ହେଲା, ଏ କଥା ଯଦି ଭାଷାରେ ଲେଖା ନ ହୁଏ ତେବେ ଏହାର ଯେତିକି ସଫଳତା ଅଛି ସବୁ ହଜି ଯିବ ।ଆମର ଏଇ ବିଜୟକୁ ନେଇ ମୁଗ୍ଧତାର ସହ ଗୋଟିଏ ସ୍ତ୍ରୋତ୍ର ରଚନା କର ।ମୁଁ ଚାହିଁବି ତମେ ମୋ ଜୟକାହାଣୀର ଗୀତ ବି ଗାଅ । ମୁଁ ହେବି ଈନିସ୍ ଆଉ ତମେ ହେବ ମୋର ଭର୍ଜିଲ୍ । ତମ ଭିତରେ କ'ଣ ଏତିକି ସାମର୍ଥ୍ୟ ରହିଛି ଯାହା ଆମ ଦି' ଜଣଙ୍କୁ ଅମର କରିଦେଇ ପାରିବ ?"

"ହଁ ମହାରାଜ", ଚାରଣକବି କହିଲେ ।" ମୁଁ ଓଲାନ୍ । ବାରୋଟି ଶୀତଋତୁ ମୁଁ ଅଳଙ୍କାର ଶାସ୍ତ୍ର ଚର୍ଚ୍ଚା କରିଛି । ମୁଖସ୍ଥ କରିଛି ପ୍ରକୃତ କବିତାରେ ଗଢ଼ି ଉଠିଥିବା ତିନି ଶହ ଷାଠିଏ ଉପାଖ୍ୟାନ । ବୀଣାର ତାରରେ ବାନ୍ଧିଛି ଉଲଷ୍ଟାର୍ ଆଉ ମୁନଷ୍ଟାର୍‌ର ଚକ୍ର ଗୁଡ଼ିକୁ ।ଆମ ଭାଷାରେ ଥିବା ପ୍ରାଚୀନ ଶବ୍ଦ, ଆଉ ଜଟିଳ ରୂପକର ବ୍ୟବହାର କରି ସୂତ୍ରଗୁଡ଼ିକୁ ଭଲ ଭାବରେ ସାଧିଛି । ଲେଖାର ଚାବିକାଠି ମୋ ନଖଦର୍ପଣରେ । ମୁଁ ବେଶ୍ ଦକ୍ଷ । ଯେଉଁ ସବୁ ରୀତିରହସ୍ୟ ଦଳେ ସାଧାରଣଙ୍କ ଠାରୁ ଅଲଗା ଏକ ଅଭିନ୍ନ ଦୃଷ୍ଟି ହୋଇ ଶିଳ୍ପକୁ ରକ୍ଷା କରିଥାଏ, ମୁଁ ଆୟତ୍ତ କରିଛି । ଆପ୍ୟାୟନ କରି ପାରିବି ପ୍ରେମକୁ, ଗାଭୀତସ୍କରକୁ, ଭ୍ରମଣକୁ, ଯୁଦ୍ଧକୁ । ଆୟାରଲାଣ୍ଡର ରାଜପ୍ରାସାଦର ସକଳ ପୌରାଣିକ ଭାଷ୍ୟକୁ, ବଂଶ ଇତିହାସକୁ ମୁଁ ଜାଣେ । ମୁଁ ଆୟତ୍ତ କରିଛି ବୈଧ ଫଳିତ ଜ୍ୟୋତିଷୀ ବିଦ୍ୟା, ଗଣିତ, କମାଣନୀତି, ଓ ବୃକ୍ଷଶକ୍ତି । ଯେତେକ ସାଧାରଣ ପ୍ରତିଯୋଗିତାରେ ମୁଁ ପରାସ୍ତ କରିଛି ସବୁ ପ୍ରତିଦ୍ୱନ୍ଦୀଙ୍କୁ । ପ୍ରହସନ ରଚନାରେ ମୁଁ ଦକ୍ଷ, ଏହା ଚମଡ଼ାକୁ ଦୁର୍ବଳ କରିଦେଇ ପାରେ, କୁଷ୍ଠରୋଗୀକୁ ବି । ମୁଁ ଜାଣିଛି କେମିତି ତଲବାର୍ ବୁଲାଇବାକୁ ହେବ, ଆପଣଙ୍କ ଯୁଦ୍ଧ ତାହାର ପ୍ରମାଣ । ମୁଁ କେବଳ ଗୋଟିଏ କଥାରେ ଅଜ୍ଞ ରହିଛି ଏ ଯାଏଁ, ଆପଣ ଯେତେବେଳେ ମୋତେ ପୁରସ୍କୃତ କରନ୍ତି ସେତେବେଳେ କେମିତି ଆପଣଙ୍କୁ ଧନ୍ୟବାଦ ଜଣାଇବା ଉଚିତ ।"

ରାଜା ତ ସହଜେ କ୍ଳାନ୍ତ ହୋଇ ଯାଆନ୍ତି ଏଇମିତି ଦୀର୍ଘ ବକ୍ତୃତାରେ, ବିଶେଷରେ ବାହାରୁ କିଏ ଜଣେ କହିଲେ, ଏବେ ସ୍ୱସ୍ତି ନିଃଶ୍ୱାସ ମାରି କହିଲେ, "ଏ ସବୁ ମୁଁ ଭଲ ଜାଣେ । କହୁଥିଲି ସମ୍ପ୍ରତି ନାଇଟିଙ୍ଗେଲ୍ ଗୀତ ଗାଉଛି ଇଂଲଣ୍ଡରେ । ବର୍ଷା ଆଉ ବରଫ ପଡ଼ିବା ଶେଷ ହୋଇ ଯାଇଛି, ଦକ୍ଷିଣ ଦେଶରୁ ଫେରିଛି ନାଇଟିଙ୍ଗେଲ୍, ଠିକ୍ ଏତିକି ବେଳେ ଦରବାରରେ ସମସ୍ତଙ୍କ ସାମ୍ନାରେ ସବୁ ଚାରଣକବିଙ୍କ ଉପସ୍ଥିତିରେ ତମକୁ ତମର ସ୍ତ୍ରୋତ୍ର ଗୁଡିକୁ ପଢ଼ିବାକୁ ପଡ଼ିବ । ବର୍ଷଟିଏ ସମୟ ତମକୁ ଦେଉଛି । ତମେ ତମର ପ୍ରତିଟି ଶବ୍ଦ ଭାଷା ପରିମାର୍ଜନ କରିବ ।ଆଉ ପୁରସ୍କାର, ଏ ଯାଏଁ ଆମ ରାଜପ୍ରଥା ହିସାବରେ ତମେ ଯାହା ଜାଣିଛ ତାହାଠାରୁ କମ୍ ହେବ ନାହିଁ, ଏପରିକି ତାହା ତମର ବିନିଦ୍ର ରଜନୀ ସମୂହକୁ ଆଦୌ ନିରୁତ୍ସାହ କରିବ ନାହିଁ ।"

"ମହାରାଜ, ଆପଣଙ୍କର ଶ୍ରୀମୁଖ ଦେଖିବାଠାରୁ ଅଧିକ ବଡ଼ ପୁରସ୍କାର କିଛି ନାହିଁ" । କବି କହିଲେ । ସେ କବି ବି ଜଣେ ସଭାସଦ । ମୁଣ୍ଡ ତଳକୁ କଲେ, ଉପରକୁ ମୁଣ୍ଡ ଉଠାଇଲେ ଆଉ ସେହି ଫାଙ୍କରେ ଝଲସି ଉଠିଥିଲା ଗୋଟିଏ ଦୁଇଟି ସ୍ତବକ କାବ୍ୟର ।

ବର୍ଷଟିଏ ଘୁରି ଆସିଲା, ବର୍ଷଟି ଥିଲା ମହାମାରିର ଆଉ ବିପ୍ଳବର, କବି ତାଙ୍କର ରଚିତ ସ୍ତୋତ୍ର ଉପହାର ଦେଲେ । ପାଣ୍ଡୁଲିପିକୁ ନ ଦେଖି ଧିରେ ଅଥଚ ମନ୍ଦ୍ରିତ କଣ୍ଠରେ କାବ୍ୟପାଠ କଲେ କବି । ମୁଣ୍ଡ ହଲାଇ ସମ୍ମତି ଜଣାଉଥିଲେ ରାଜା ନିଜ ସିଂହାସନରୁ । ତାଙ୍କର ଅଭିବ୍ୟକ୍ତିକୁ ଅନୁକରଣ କରୁଥିଲେ ସମସ୍ତ ସଭାସଦ । ଏପରିକି ଝରକା ବାହାରେ ଜମା ହୋଇଥିଲେ ସେତେବେଳେ ଯେଉଁମାନେ, ଗୋଟିଏ ବର୍ଣ୍ଣ ନ ବୁଝି ପାରିବା ସତ୍ତ୍ୱେ ବି, ସେମାନେ ନିଜନିଜର ମୁଣ୍ଡ ହଲାଇ ସମର୍ଥନ ଜଣାଉ ଥିଲେ । ଶେଷରେ ରାଜା କହିଲେ, 

"ମୁଁ ତମର ପରିଶ୍ରମକୁ ସ୍ୱୀକାର କରୁଛି । ଏହା ଆଉ ଏକ ବିଜୟ । ତମେ ପ୍ରତିଟି ଶବ୍ଦର ପ୍ରକୃତ ଅର୍ଥ ଦେଇଛ, ପ୍ରତିଟି ବାସ୍ତବ ଅସ୍ତିତ୍ୱର ବିଶେଷଣକୁ ପ୍ରାଚୀନ କବିଙ୍କ ରୀତି ଅନୁସାରେ ପ୍ରୟୋଗ କରିଛ । ତମର ସ୍ତ୍ରୋତ୍ରରେ ଏମିତି କିଛି କଳ୍ପନା ନାହିଁ ଯାହା ଧୃପଦୀ ଲେଖକଙ୍କ ଲେଖାରେ ନ ଥିଲା । ଯୁଦ୍ଧ ହେଉଛି ମଣିଷର ସୁନ୍ଦର ବୁଣାକାରୀଟିଏ, ଆଉ ରକ୍ତ ହେଉଛି ତରବାରୀର ପାନୀୟ । ସମୁଦ୍ର ତାହାର ଦେବଦେବୀ ଓ ମେଘମାଳା ତାହାର ଭବିଷ୍ୟ କହିବାରେ ସନ୍ତୁଷ୍ଟ । ସୁଦକ୍ଷ ଭାବରେ ବ୍ୟବହାର କରିଛ ଶ୍ଳୋକ, ଅନୁପ୍ରାସ, ଧ୍ୱନୀସାମ୍ୟ ତାହାର ସାଦୃଶ୍ୟ, ପରିମିତି; ସୁଚାରୁ ଭାବେ ବ୍ୟବହାର କରିଛ ଅଳଙ୍କାର, ନାନାବିଧ ଚାତୁର୍ଯ୍ୟମୟ ବାକମୟତା । ଯଦି ଆୟାରଲାଣ୍ଡର ସମସ୍ତ ସାହିତ୍ୟ ଧ୍ୱଂସ ହୋଇଯାଏ - ଧ୍ୱଂସ ହେଉ - ତେବେ ତମର ଧୃପଦୀ ଗୀତରୁ ଏହାର ଅବିକଳ ପୁନର୍ନିମାଣ ସମ୍ଭବ । ତିରିଶ ଜଣ ଲେଖକ ପ୍ରତ୍ୟକେ ବାର ଥର ଲେଖାଏଁ ତମର କାବ୍ୟର ଅନୁଲିପି ପ୍ରସ୍ତୁତ କରିବେ ।"

ସମସ୍ତେ ଚୁପ୍ । ରାଜା କହି ଚାଲିଥିଲେ, "ସବୁ ଭଲ, ତେବେ ଯେମିତି କିଛି ବି ଘଟିନାହିଁ । ଆମର ଶିରାଧମନୀରେ ରକ୍ତ ଆଉ ଟିକିଏ ଜୋରରେ ବହୁ ନାହିଁ । ଆମର ହାତ ଧନୁଶର ଖୋଜୁ ନାହିଁ । ଭୟରେ କାହାର ମୁହଁ ନୀଳ ପଡ଼ିନି । କେହି ଗର୍ଜନ କରୁନି ଯୁଦ୍ଧ ପାଇଁ ଅଥବା ଛାତି ପାତି ଦେଉ ନାହିଁ କେଉଁ ଭାଇକିଂ ସାମ୍ନାରେ । ବର୍ଷଟିଏ ଶେଷ ହେବା ଆଗରୁ, କବି, ଆମେ ଆଉ ଗୋଟିଏ ପ୍ରଶଂସା ଶୁଣିବାକୁ ଚାହିଁବୁ । ଆମ ସମ୍ମତିର ସୂଚକ ହିସାବରେ ଗ୍ରହଣ କର ଏହି ଦର୍ପଣ, ଦର୍ପଣଟି ରୂପାରେ ।

"ଧନ୍ୟବାଦ, ମୁଁ ବୁଝିଲି ମହାରାଜ", କହିଲେ ଚାରଣକବି ।

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆକାଶରେ ନକ୍ଷତ୍ରମାନେ ସେମାନଙ୍କର ଉଜ୍ଜଳ କକ୍ଷପଥରେ । ଆଉ ଥରେ ସାକ୍ସୋନ୍ ଅରଣ୍ୟରେ ନାଇଟିଙ୍ଗେଲ୍‌ର ଗୀତ, କବି ଫେରିଆସନ୍ତି ହାତରେ ତାଙ୍କର ସଦ୍ୟ ପାଣ୍ଡୁଲିପି,ସଦ୍ୟ ପାଣ୍ଡୁଲିପିଟି ପୂର୍ବ ଅପେକ୍ଷା ଆକାରରେ ଛୋଟ।ସ୍ମୃତିରୁ ଗାଇଯାଉନଥିଲେ କବି ଆଗ ଭଳି, ପାଣ୍ଡୁଲିପି ଦେଖିଦେଖି ପଢୁଥିଲେ,ଅନେକ ପରିମାଣରେ ଦ୍ୱିଧାଗ୍ରସ୍ତ ଥିଲେ କବି ଏଥର।କେତୋଟି ଅନୁଚ୍ଛେଦକୁ ସେ ବାଦ୍ ଦେଇଥିଲେ ସେଥିରୁ, ଯେମିତି ସେ ଏଗୁଡିକୁ ବୁଝିପାରି ନାହାଁନ୍ତି ବା ସେଗୁଡିକୁ ଅପବିତ୍ର କରିବାକୁ ଚାହୁଁ ନାହାଁନ୍ତି।କାବ୍ୟଟି ବିସ୍ମୟକର ଥିଲା।ଏଥିରେ ଯୁଦ୍ଧର ବର୍ଣ୍ଣନା ନଥିଲା,ଏହାହିଁ ଥିଲା ଏକ ଯୁଦ୍ଧ।ଏଇ ଯୁଦ୍ଧ ଭଳି କୋଳାହଳ ଜଣେ ଭିନ୍ନ ଦେବତାର ସଂଗ୍ରାମ।ଗୋଟିଏ ପଟରେ ତିନିଜଣ,ଆର ପଟରେ ଜଣେ,ଆୟାରଲାଣ୍ଡର ତଳସ୍ତରର ଧର୍ମୀୟ ଦେବତା,ଏଲଡର୍ ଏଡା ଆରଂଭ ହେବା ପରେ ଶହଶହ ବର୍ଷ ଧରି ଯେଉଁମାନେ ଯୁଦ୍ଧ ଚଳାଇ ଯାଇଛନ୍ତି।କାବ୍ୟର ଆଙ୍ଗିକଟି ମୋଟେ ଅଦ୍ଭୁତ ନଥିଲା।ଏକ ବଚନ ବିଶେଷ୍ୟଟି ବହୁବଚନର କ୍ରିୟାପଦକୁ ପରିଚାଳନା କରୁଥିଲା।ପଦାନ୍ୱୟୀ ଅବ୍ୟୟଟି ସାଧାରଣ ପ୍ରଥା ଠାରୁ ଭିନ୍ନ ଥିଲା,ଯେମିତି ଅଜଣା।ଯାବତୀୟ କର୍କଶତା ବଦଳି ଯାଇଛି ମଧୁରତାରେ।ରୂପକ ଗୁଡିକ ମୁକ୍ତ ବା ମନେହେଉଥିଲା ଯେମିତି ସେମାନେ ମୁକ୍ତ।

ରାଜା ନିଜ ଚାରିପଟରେ ବେଢ଼ି ରହିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ କିଛି କଥା ବିନିମୟ କଲେ । ତାହା ପରେ ଚାରଣକବିଙ୍କୁ କହିଥିଲେ, "ତମର ପ୍ରଥମ କାବ୍ୟ ସମ୍ପର୍କରେ ଏତିକି କୁହାଯାଇ ପାରିବ ଯେ, ଏଯାଏଁ ଆୟାରଲାଣ୍ଡରେ ଯାହା ଲେଖା ହୋଇ ରହିଛି, ଏହା ସେସବୁର ଏକ ସଂକ୍ଷିପ୍ତ ସାର । ଏହା ସେସବୁଠାରୁ ଭିନ୍ନ, ଯେମିତି ଆଗରୁ ଯାହା ଘଟି ଯାଇଛି, ତାହା ତୁଳନାରେ କିଛି ନୁହଁ ହୋଇ ବାହାରି ଆସିଛି ଏଇଟି । ସ୍ତମ୍ଭିତ କରୁଛି, ଦୃଷ୍ଟି ଆକର୍ଷଣ କରୁଛି, ବିସ୍ମୟକାରୀ । ଅଜ୍ଞାନୀମାନେ ଏହାର ଯଥାଯୋଗ୍ୟ ମୃଲ୍ୟ ଦେବେ ନାହିଁ, ସମସ୍ତ ବିଜ୍ଞାନୀ ମାନେ ବି, ସେମାନଙ୍କ ମଧ୍ୟରୁ ମାତ୍ର କେତେଜଣଙ୍କୁ ବାଦ୍ ଦେଇ । ଏହାର ଗୋଟିଏ ଅନୁଲିପି ହାତୀଦାନ୍ତର ଗହଣାବାକ୍ସରେ ରଖାଯିବ । ଆଉ ଯେଉଁ କଲମରୁ ଏହି ମହାନ କର୍ମଟି ବିରଚିତ, ସେଥିରୁ ଅଧିକ ଉଚ୍ଚମାନର ମହିମାମଣ୍ଡିତ ସୃଜନକର୍ମର ଆଶା ଓ ଅପେକ୍ଷା ରଖୁଛୁ।" ସ୍ମିତ ହାସ୍ୟ ଖେଳାଇ ରାଜା ପୁଣି କହିଲେ, "ଆମେମାନେ ହେଲୁ ଉପକଥାର ମଣିଷ । ସ୍ମରଣ କରିବା ଶ୍ରେୟସ୍କର ଯେ. ଭଲ ଉପକଥାକୁ ତିନୋଟି ସଙ୍ଖ୍ୟା ପ୍ରଭାବିତ କରିଥାଆନ୍ତି ।"

"ଡାହାଣୀର ତିନୋଟି ଉପହାର, ତ୍ରୟୀ , ଆଉ ପ୍ରଶ୍ନାତୀତ ଟ୍ରିନିଟି (ପିତା,ପୁତ୍ର ଓ ପବିତ୍ର ଆତ୍ମା, ଖ୍ରୀଷ୍ଟାନ୍‌ଙ୍କ ଟ୍ରିନିଟି)", ସାହସ ବାନ୍ଧି କହିଥିଲେ କବି ଜଣକ ଆସ୍ତେ ।

ରାଜା କହିଲେ, "ଆମର ସ୍ୱୀକୃତି ସ୍ୱରୂପ ଏହି ସ୍ମାରକୀଟି ପ୍ରଦାନ କରା ଯାଉଛି, ନିଅ, ଏହା ସୁନାରେ ତିଆରି ମୁଖାଟିଏ" ।

"ଧନ୍ୟବାଦ, ବୁଝିପାରିଲି", କହିଥିଲେ ଚାରଣ କବି।

ବର୍ଷପୂର୍ତ୍ତି ପୁଣି ଲେଉଟି ଆସିଲା । ରାଜପ୍ରାସାଦର ରକ୍ଷୀମାନେ ଦେଖିଲେ କବି ସାଥିରେ ଆଣି ନାହାନ୍ତି କୌଣସି ପାଣ୍ଡୁଲିପି । ରାଜା ବିସ୍ମିତ । ଚାରଣ କବି ଭିନ୍ନ ମଣିଷଟିଏ । ସମୟ ବ୍ୟତୀତ ଅନ୍ୟ କିଛି ତାହାର ଛାପ ଯେମିତି ଛାଡ଼ିଯାଇଛି ତାଙ୍କ ଉପରେ, ଢେର୍ ବଦଳି ଯାଇଛି ତାଙ୍କର ବୈଶିଷ୍ଟ୍ୟ । ତାଙ୍କର ଆଖି ଦୁଇଟି ଯେମିତି କେଉଁ ସୁଦୂର ଦିଗବଳୟରେ ନିବଦ୍ଧ ରହିଛି ବା ହୁଏତ ସେ ଅନ୍ଧ । ରାଜାଙ୍କ ସହ କିଛି ଏକାନ୍ତ ବାର୍ତ୍ତାଳାପର ଅନୁମତି ପ୍ରାର୍ଥନା କରିଥିଲେ କବି । କ୍ରୀତଦାସମାନେ କକ୍ଷ ପରିତ୍ୟାଗ କରିଥିଲେ ।

"ତମେ କ'ଣ ଗୀତ ଲେଖିନ", ପଚାରିଲେ ରାଜା ।
"ହଁ" କବିଙ୍କ ଉତ୍ତରଟି ବେଶ୍ କରୁଣ ।" ତାହା କରିବାରେ ପ୍ରଭୂ ଯୀଶୁଙ୍କ ନିଷେଧ ଅଛି ଯେ!"
"ଆଉ ଥରେ କହି ପାରିବ ?"
"ମୋର ସାହସ ନାହିଁ"
"ତମକୁ ସାହସ ଦେଉଛି, ଯେତିକି ଲୋଡ଼ାଯିବ", ରାଜା କହିଲେ।

ଚାରଣ କବି କବିତାଟିକୁ ଆବୃତ୍ତି କଲେ।କବିତାଟି ମାତ୍ର ଗୋଟିଏ ପଂକ୍ତିରେ ଲିଖିତ ।

ଉଚ୍ଚଗଳାରେ ନୁହଁ, ଖୁବ୍ ଆସ୍ତେ ଆଉ ଥରେ ପଢ଼ିଲେ କବିତାକୁ କବି । ରାଜା ଆଉ କବି ଦୁଇ ଜଣ ଏହାକୁ ଆସ୍ୱାଦନ କରିଥିଲେ, ଯେମିତି ଏଇଟି ଗୋଟିଏ ଗୋପନ ପ୍ରାର୍ଥନା ଅବା ଗୋଟିଏ ଈଶ୍ୱର-ଦ୍ରୋହ । ରାଜା ଯେମିତି କବିଙ୍କ ଭଳି ନିଜର ସନ୍ତ୍ରାସକୁ ଅତିକ୍ରମ କରି ବାହାରି ଆସିଛନ୍ତି । ଉଭୟେ ପରସ୍ପରକୁ ଦେଖିଲେ, ଖୁବ୍ ବିଷନ୍ନ ।

ରାଜା କହିଲେ, "ଯୌବନରେ ନୌକାରେ ପାଲଟାଣି ଯାତ୍ରା ଆରମ୍ଭ କରିଥିଲି ସୂର୍ଯ୍ୟାସ୍ତକୁ । ଗୋଟିଏ ଦ୍ୱୀପରେ ଦେଖିଲି ରୂପେଲି ଡାହାଳ କୁକୁର ଦଳ, ଯେଉଁମାନେ ଝାମ୍ପି ପଡ଼ୁଥିଲେ ସୁନେଲି ଭାଲୁମାନଙ୍କ ଉପରକୁ ମରଣ ଭଳି । ଆଉ ଏକ ଦ୍ୱୀପରେ ଆମେ ନିଜକୁ ଭୁଞ୍ଜାଉଥିଲୁ ଜାଦୁ ଆପେଲ୍‌ର ସୁବାସ । ତୃତୀୟଟିରେ ଦେଖିଲୁ କାନ୍ଥ ନିଆଁର । ସବୁଠାରୁ ଦୂରବର୍ତ୍ତି ଦ୍ୱୀପରେ ଦେଖିଲୁ ଗୋଟିଏ ଅର୍ଦ୍ଧ ବୃତ୍ତାକାର ଝୁଲନ୍ତ ନଈଟିଏ ଆକାଶକୁ ଚିରି ଏପାରି ସେପାରି ଯାହାର ଜଳଧାରାରେ ଚାଲିଛନ୍ତି ମାଛ ଓ ବୋଇତ । ଏଗୁଡିକ ବିସ୍ମୟକର, ତମ କବିତା ସହ ଏହାର ତୁଳନା ନାହିଁ, ଏହି ସମସ୍ତ ତମର କବିତାରେ ସମାହିତ । କେଉଁ ସମ୍ମୋହନୀ ତମକୁ ଅଯାଚିତ ଅର୍ପଣ କରି ବସିଛି ଏ ସମସ୍ତ ?"

"ଉଷାକାଳରେ ଶବ୍ଦର କିଚିରିମିଚିରିରେ ଉଠି ପଡ଼ିବା ପରେ କିଛି ହେଲେ ବୁଝି ପାରିଲି ନାହିଁ" କହିଲେ ଚାରଣ କବି ।" ସେଇ ଶବ୍ଦ ସବୁ ଗୋଟିଏ କବିତା । ମନେହେଲା ପାପ କରିଛି, ଏଇ ଗୋଟିକ ପାପ, ସମ୍ଭବତଃ ହୋଲି ଘୋଷ୍ଟ ଏହାକୁ କ୍ଷମା କରିବ ନାହିଁ ।"

"ସେହି ଗୋଟିକୁ ଆସ ଆମେ ଦୁଇଜଣ ଭାଗବାଣ୍ଟି ନେବା", ଫିସଫିସ୍ କରି କହିଥିଲେ ରାଜା ।" ସୌନ୍ଦର୍ଯ୍ୟକୁ ଜାଣିବା ପାପ । ଏହି ଉପହାରଟି ମଣିଷ ପାଇଁ ନିଷିଦ୍ଧ । ଆମକୁ ଏହାର ଉପଯୁକ୍ତ ପ୍ରାୟଶ୍ଚିତ୍ତ କରିବାକୁ ହେବ । ଆଗରୁ ମୁଁ ତମକୁ ଦେଇଛି ରୂପାର ଦର୍ପଣ ଆଉ ସୁନାର ମୁଖାଟିଏ । ଏଇ ନିଅ ମୋର ତୃତୀୟ ଉପହାର । ଏଇଟି ମୋର ଶେଷ" ।

କବିଙ୍କ ଡାହାଣ ହାତରେ ରାଜା ରଖି ଦେଇଥିଲେ ନିଜ ଶାଣରେ ଚକଚକ ଛୁରୀଟିଏ । ତାହା ପରେ ।

କବିଙ୍କ ବିଷୟରେ ଆମର ସବା ଶେଷ ସମ୍ବାଦ, ରାଜପ୍ରାସାଦ ଛାଡ଼ିଲା ପରେ କବି ଆତ୍ମଘାତୀ ହେଲେ, ଆଉ ସେଇ ରାଜା ଜଣକ ଯାହାର ସମଗ୍ର ଆୟାରଲାଣ୍ଡ ଥିଲା ଏକଦା ରାଜ୍ୟକ୍ଷେତ୍ର, ତାହା ଚାରିପଟେ ଘୁରି ବୁଲୁଥିଲେ ଭିକାରିଟିଏ ହୋଇ; ଆଉ କହିବା ବାହୁଲ୍ୟ, କେବେ ହେଲେ ସେ ଆଉ ଥରେ ପାଠ କରି ନାହାନ୍ତି ସେହି କବିତାଟିକୁ ।

ହୋଟେଲରେ ବୋର୍ହେସ୍ (୧୯୬୯ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

[ ଏଇ ଆଲିଗୋରିଟି ବିଶ୍ୱବିଖ୍ୟାତ ହର୍ହେ ଲୁଇ ବୋର୍ହେସ୍‌ଙ୍କ ବିରଚିତ । ତାଙ୍କର ପୁସ୍ତକ 'ଦି ବୁକ୍ ଅଫ୍ ସାଣ୍ଡ୍'ରୁ ଗୃହିତ ଏଇ ଆଲିଗୋରିଟି ବିଶ୍ୱ ସାହିତ୍ୟରେ ଅତ୍ୟନ୍ତ ଚର୍ଚ୍ଚିତ ।

ଆଲିଗୋରିର ଆଖ୍ୟାନ ଭାଗରେ ସାଧାରଣତଃ ଦୁଇଟି କଥା ରହିଥାଏ, ପ୍ରଥମେ ଗୋଟିଏ ସୁଦୃଢ଼ ଆଖ୍ୟାନର ଦୃଶ୍ୟମାନ ପ୍ରଭାମଣ୍ଡଳ, ଆଉ ଦ୍ୱିତୀୟଟି ଏକ ରୂପକାତ୍ମକ ଆଭାସ । ଉଭୟେ ନିଜ ନିଜ ସ୍ଥିତିରେ ସ୍ୱତନ୍ତ୍ର ଆଉ ସେହି ସ୍ୱାତନ୍ତ୍ର୍ୟର ଅଧିଷ୍ଠାନରେ ରହି ଥାଆନ୍ତି ।ଆଖ୍ୟାନ ଓ ରୂପକ ପରସ୍ପରର ଯଥାଯଥ ପରିପୂରକ ହୋଇ ପାରିଲେ ଗୋଟିଏ ଆଲିଗୋରିର ସଫଳତାର ପ୍ରତିପାଦିତ ହୋଇଥାଏ ।

ହର୍ହେ ଲୁଇସ୍ ବୋର୍ହେସ୍‌ଙ୍କ ଏଇ ଆଲିଗୋରିଟିରେ ସୃଜନକ୍ରିୟାର ପ୍ରକାରଭେଦକୁ ସ୍ପଷ୍ଟ ଭାବରେ କୁହା ଯାଇଛି । ଏଠାରେ ଦୁଇଟି ଚରିତ୍ର ଯଥା ଏକ ରାଜା ଓ ଏକ ଚାରଣ କବି ନିଜର ଆଖ୍ୟାୟିକାରେ ଯେମିତି ସାରସ୍ୱତ ସୃଜନର ମୌଳିକ ପ୍ରଶ୍ନଗୁଡ଼ିକର ଏକ ବିଚାରୋତ୍ତେଜକ ଲେଖ ପ୍ରସ୍ତୁତ କରିଛନ୍ତି ।

ରାଜା ନିଜର ମହିମାନ୍ୱିତ ରାଜପଣ ସତ୍ତ୍ୱେ ଆମର ସମଗ୍ର ପାଠକ କୂଳର ପ୍ରତିଭୂ ଆକାରରେ ଅବସ୍ଥାପିତ, ଆଉ ଚାରଣ କବିଟି ଯାବତୀୟ ସୃଜନଲେଖାର ପ୍ରତୀକ ।

ଆଖ୍ୟାନଟିରେ ରାଜା କବିଙ୍କୁ ତିନୋଟି ଉପହାର ଦେଇ ଆମର ସାମଗ୍ରିକ କୃତିକୁ ତିନୋଟି ବିଶିଷ୍ଟ ବିଭାବରେ ବର୍ଗୀକରଣ କରିଛନ୍ତି ।ତାହାର ନିଷ୍କର୍ଷକୁ ତର୍ଜମା କଲେ ଜଣାଯିବ ଯେ, ଜଣକର ଲେଖା ଦର୍ପଣ ସୁଲଭ ଅର୍ଥାତ୍ ତାହାର ଲେଖାରେ କେବଳ ଅତୀତର ଲେଖନ କର୍ମ, ଅର୍ଥାତ୍ ଆଗରୁ ଯେତେ ଯାହା ଲେଖା ଯାଇଛି, ତାହାର କେବଳ ପ୍ରତିଫଳନ ହିଁ ଘଟିଥାଏ । ଏଇ ଜାତୀୟ ଲେଖା କେବଳ ପୁନରାବୃତ୍ତି । ସୁନେଲି ମୁଖା ପିନ୍ଧି ଯେଉଁ ଲେଖକଟି ତାହାର ଲେଖା ସମ୍ପାଦନ କରିଥାଏ, ତାହା ଅତୀତର କ୍ଳାନ୍ତିକର ଚର୍ବିତଚର୍ବଣ ନ ହୋଇ, ନୂତନ ଭାବ ଓ ଘଟଣାର ସଞ୍ଚାର କରାଇ ଥାଏ ପାଠକ ପାଖରେ । ଶେଷ ପର୍ଯ୍ୟାୟର ଲେଖକଟି ନିଜର ଲେଖାରେ ମଗ୍ନ ଯେଉଁଠି ଲେଖା ଓ ଲେଖକ ଭିତରେ କୌଣସି ଫରକ ରହେ ନାହିଁ, ଯାହାକୁ ଅନ୍ୟ ଭାବରେ କହିଲେ ଜଣେ ଲେଖକର ସୌନ୍ଦର୍ଯ୍ୟତାତ୍ତ୍ୱିକ ଆତ୍ମହନନ, ଯେଉଁଠି ଲେଖାଟି ହୁଏତ ରହିପାରେ, ମାତ୍ର ପାଠକ ଆଉ ଲେଖକ ଅପହୃତ ହୋଇଯାଇ ଥାଆନ୍ତି, ତେଣୁ ବୋର୍ହେସ୍‌ଙ୍କ ଏହି ଆଖ୍ୟାନାନୁଯାୟୀ ଛୁରିକାପ୍ରାପ୍ତି ।

ଆପଣମାନେ ଆମ ଲେଖାର ଲେଖକକୁ ନିଜ ବିଚାରରେ କେଉଁ ପୁରସ୍କାର ଦେବେ, ତାହା ଆପଣମାନଙ୍କର ଏକାନ୍ତ ବ୍ୟକ୍ତିଗତ ନିର୍ଣ୍ଣୟ । ମାତ୍ର ଏଠାରେ ଏଇ ପୁରସ୍କାରଟିରେ ଅବଶ୍ୟ ଆପଣମାନଙ୍କର ପଦ୍ମବିଭୂଷଣ ବା କୌଣସି ଦୈବୀକ ଶୃତଲିଖନର ଯଥେଷ୍ଠ ସମ୍ମାନମୁଦ୍ରାର ପାରିତୋଷିକ ହେବା ଭଳି ନମନୀୟତାର ଅବସର ବୋର୍ହେସ୍ ଆମକୁ ଦେଇ ନାହାନ୍ତି । ଆମକୁ ବାଛିବାକୁ ହେବ ରୁପେଲି ଦର୍ପଣ ବା ସୁନେଲି ମୁଖା ବା ଏକ ଧାରୁଆ ଛୁରୀ, ଏଇ ତିନୋଟିରୁ ଗୋଟିଏ ।

ମୋର ନିଜର ବ୍ୟକ୍ତିଗତ ପସନ୍ଦ ନୂଆ ଶାଣ ଦିଆ ଚକମକ ଛୁରୀ।

ହର୍ହେ ଲୁଇସ୍ ବୋର୍ହେସ୍‌ଙ୍କ 'ଦି ବୁକ୍ ଅଫ୍ ସାଣ୍ଡ୍', ଯେଉଁଥିରୁ ଏଇ ଆଖ୍ୟାନଟି ଗୃହିତ ହୋଇଛି, ତାହା ଏକ ଅତ୍ୟନ୍ତ ପ୍ରଭାବଶାଳୀ କ୍ଷୁଦ୍ର କଳେବରର ପୁସ୍ତକ । ମୋର ସାମର୍ଥ୍ୟ ଥିଲେ ମୁଁ ଏହାର ଏକ ଅନୁବାଦ (ପୁଣି ମୋ ସାମର୍ଥ୍ୟ ଅନୁସାରେ) ପ୍ରସ୍ତୁତ କରି ସମସ୍ତ ପାଠକଙ୍କୁ ବିନା ମୂଲ୍ୟରେ ବିତରଣ କରି ଥାଆନ୍ତି ।

ଏହି ଆଖ୍ୟାନଟିର ଅନୁବାଦ ବିଶିଷ୍ଟ କବି ଓ ସିନେମା ଗୀତିକାର ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ସମ୍ବାଦର କେଉଁ ଏକ ସଙ୍ଖ୍ୟାରେ କରିଛନ୍ତି ବୋଲି ଗତ ପନ୍ଦର ତାରିଖ ଦିନ ସମ୍ଭ୍ରାନ୍ତ ଗଳ୍ପ ପତ୍ରିକା 'କଥା'ର ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ହିସାବରେ ସମ୍ବୋଧନ କଲାବେଳେ କହିଛନ୍ତି, ଯାହା ମୋ ଦୃଷ୍ଟିକୁ ଆସି ନାହିଁ ।

ଏଇ ଅନୁବାଦର ତୃଟିଭାଗ ମୋର, ଏକାନ୍ତ ଭାବରେ ମୋର । ଶ୍ରୀଯୁକ୍ତ ଛୋଟରାୟକୃତ ଅନୁବାଦଟି ଯଦି ଆପଣଙ୍କ ଦୃଷ୍ଟିକୁ ଆସେ, ତାହାକୁ ଅବଶ୍ୟ ପଢ଼ିବେ, କାରଣ ଜଣେ ଲୋକପ୍ରିୟ ଗୀତିକାରଙ୍କର ଶବ୍ଦ ଯୋଜନାର ଲାଳିତ୍ୟ ଆଉ କାହାର କେଉଁଠୁ ଆସିବ ?

ନେପାଳର ପାରମ୍ପରିକ ଖୁକ୍ରି ଛୁରି

Friday, July 06, 2018

ପାଲି ଧର୍ମପଦ (୮୩) ର ଓଡ଼ିଆ  ପଦ୍ୟାନୁବାଦ

୮ ପଣ୍ଡିତ ବର୍ଗ


ଭିକ୍ଷୁରୂପୀ ବୁଦ୍ଧ (୧୯୧୪ ମସିହାରେ ଅଙ୍କିତ)
ଚିତ୍ରକର - ଅବନୀନ୍ଦ୍ରନାଥ ଠାକୁର (୧୮୭୧ - ୧୯୫୧)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସର୍ବତ୍ର କାମନାତ୍ୟାଗ କରେ ସତ୍‌ପୁରୁଷ ।
ନ କହଇ କେବେ କିଛି ହୋଇ କାମବଶ ।।
ସୁଖ ଅବା ଦୁଃଖ ଦ୍ୱାରା ସ୍ପୃଷ୍ଟ ଯେବେ ହେଲେ ।
ଉଚ୍ଚନୀଚ ଆକାର ସେ ନ ଦେଖାଏ ଭଲେ ।୮।

ସବ୍ୱତ୍ଥ ବେ ସପ୍ପୁରିସା ଚଜନ୍ତି ନ କାମକାମା ଲପୟନ୍ତି ସନ୍ତୋ ।
ସୁଖେନ ଫୁଟ୍ଠା ଅଥବା ଦୁଖେନ ନୁ'ଚ୍ଚାବଚଂ ପଣ୍ଡିତା ଦସ୍ସୟନ୍ତି ।୮।

ସର୍ବତ୍ର ବୈ ସତ୍‌ପୁରୁଷାଃ ତ୍ୟଜନ୍ତି ନ କାମକାମା ଲପନ୍ତି ସନ୍ତଃ ।
ସୁଖେନ ସ୍ପୃଷ୍ଟା ଅଥବା ଦୁଃଖେନ ନୋଚ୍ଚାବଚଂ ପଣ୍ଡିତାଃ ଦର୍ଶୟନ୍ତି ।୮।  

Wednesday, July 04, 2018

ହାର୍ଟା ମ୍ୟୁଲର୍‌ଙ୍କର 'ଆମ ଘରଲୋକେ' 

ଅନୁବାଦକ - ଜ୍ୟୋତି ନନ୍ଦ


ଚତୁର୍ଦ୍ଦଶ ଶତାବ୍ଦୀର ଜେରିକୋ ନଗରୀର କାନ୍ଥଗୁଡ଼ିକର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆମ ମାଆର ଗଳାରେ ସମସ୍ୟା । ଚିଁ ଚିଁ କରି କଥା କହେ ।

ଜେଜେମାର ଆଖିରେ ମୋତିଆବିନ୍ଦୁ ବଢ଼ିବଢ଼ି ସେ ଅନ୍ଧ । ତାହାର ଗୋଟିଏ ପଟ ଆଖିରେ ଧୂସର ପରଳ ଆଉ ଆରଟି ନୀଳାଭ ।
ଜେଜେବାପାଙ୍କ ସ୍କୃଟାଲ୍ ହାର୍ନିଆ ।

ଅନ୍ୟ ଜଣେ ନାରୀର ଗର୍ଭରୁ ଆଉ ଗୋଟିଏ ସନ୍ତାନକୁ ଜନ୍ମ ଦେଇଛନ୍ତି ଆମ ବାପା । ସେହି ଅନ୍ୟ ନାରୀଜଣକୁ ମୁଁ ଚିହ୍ନି ନାହିଁ, ସେହି ସନ୍ତାନଟିର ବି କିଛି ଖବରଅନ୍ତର ମୋ ପାଖରେ ନାହିଁ । ଖାଲି ଏତିକି ଜାଣେ ଯେ, ସେ ମୋ ଠୁ ବୟସରେ ଟିକିଏ ବଡ଼, ଆଉ ସେଇଥି ପାଇଁ ଲୋକେ କୁହାକୁହି ହୁଅନ୍ତି, ଆମ ବାପା ଅସଲରେ ଆଉ ଜଣେ କିଏ ।

ବଡ଼ଦିନ ଆସିଗଲେ ଆମ ବାପା ସେହି ସନ୍ତାନକୁ ଉପହାର କିଣି ଦିଅନ୍ତି ଆଉ ଆଉ ଆମ ମାଆକୁ କହନ୍ତି, ସେଇ ଆର ସନ୍ତାନର ବାପ ଅସଲରେ ଅନ୍ୟ ଆଉ ଜଣେ କିଏ ।

ପ୍ରତି ନୂଆ ବର୍ଷରେ ଡାକପିଅନ ଆସି ଶହେ 'ଲୁଇ' ନୋଟରେ ଭରା ଖାମ୍‌ଟିଏ ମୋ' ହାତକୁ ବଢ଼ାଇ ଦେଇ କହେ, ସାନ୍ତାକ୍ଲସ୍ ପଠେଇଛି । ତଥାପି ମାଆ କହେ, ନା, ଆମର ଆଉ ଅନ୍ୟ କିଏ ବାପା କେଉଁଠି ନାହାଁନ୍ତି ।

ଲୋକେ କହନ୍ତି, ଆମ ଜେଜେମା ଆମ ଜେଜେବାପାକୁ ଢେର୍ ଜମିଜମାର ମାଲିକ ବୋଲି ବାହା ହୋଇଥିଲା, ହେଲେ ତାହାର ଅସଲ ପ୍ରେମିକ ଥିଲା ଆଉ ଜଣେ, ଆଉ ସେ ତାହାର ପ୍ରେମିକକୁ ବାହା ହୋଇଥିଲେ ବେଶ୍ ଭଲ କରିଥା'ନ୍ତା, କାରଣ ଆମ ଜେଜେବାପା ଆମ ଜେଜେମାଆ ଭିତରେ ଆତ୍ମୀୟ ସମ୍ପର୍କଟି ଏତେ ନିବିଡ଼ ଥିଲା ଯେ, ଏଇ ବିବାହ ଟି ପ୍ରାୟତଃ ଏକ ନିଷିଦ୍ଧ ପର୍ଯ୍ୟାୟର ଥିଲା ।

ଲୋକେ ଆହୁରି ମଧ୍ୟ କୁହାକୁହି ହେଉଥିଲେ, ଆମ ଅଜା କୁଆଡେ ଆମ ମାଆର ସତରେ ବାପା ନୁହଁ । ଆଉ ଆମ ମାଆର ସତ ବାପା ଅସଲରେ ଆଉ ଜଣେ, ସେଇ ଆର ଜଣକ ପୁଣି ଆମ ମାଆର ସତ ବାପା ବୋଲି ଲୋକଟି ନୁହଁ । ସେଇ ଆର ଜଣକ ଅସଲରେ 'ଆଉ ଜଣେ' ।

ଆଉ ଏଇ କାରଣରୁ ଅପର ଏକ ସନ୍ତାନର ଜେଜେବାପା ଅସଲରେ ଆମର ସତ ଜେଜେବାପା, ଆଉ ଲୋକେ କହନ୍ତି, ଆମ ଜେଜେବାପା ଅସଲରେ ଅନ୍ୟ ଗୋଟିଏ ସନ୍ତାନର ଜେଜେବାପା । ଗୋଟିଏ 'ଅନ୍ୟ ଏକ' ସନ୍ତାନ ନୁହଁ, 'ଅନ୍ୟ ଏକ' ଅପର ସନ୍ତାନ । ଲୋକେ ପୁଣି କହନ୍ତି, ଆମ ଜେଜେମାଆର ମାଆ ଖୁବ୍ କମ୍ ବୟସରେ ପ୍ରାଣତ୍ୟାଗ କରିଥିଲେ, ଧରି ନିଆଯାଉ ଥଣ୍ଡା ଲାଗି, କିନ୍ତୁ ତାହା ଜମାରୁ ସ୍ୱାଭାବିକ ମୃତ୍ୟୁ ନ ଥିଲା । ସେଇଟି ଥିଲା ଆତ୍ମହତ୍ୟା ।

ଆଉ ଦଳେ ପାଦେ ଆଗେଇ ଯାଇ କହୁଥିଲେ, ରୋଗରେ ପଡ଼ି ମରଣ ନ ଥିଲା ଏଇଟି, ଏଇଟି ଥିଲା ହତ୍ୟା ।

ସ୍ତ୍ରୀ ମଲା ପରେ ଆମ ଜେଜେବାପାଙ୍କ ବାପା ଆଉ ଡେରି ନ କରି ଆଉ ଗୋଟିଏ ବାହା ହୋଇ ପଡ଼ିଲେ । ତାଙ୍କର ସେଇ ପତ୍ନୀର ଆଗରୁ ପିଲାଟିଏ ଥିଲା ଆଉ ସେଇ ପିଲାଟି ଯାହା ଔରସରୁ ତାହା ସହିତ ତାଙ୍କର ବିବାହ ସମ୍ପର୍କ ନ ଥିଲା । ତେବେ ସେଇ ଗର୍ଭଧାରଣ ସମୟରେ ସେ ପୁଣି ଅବିବାହିତା ନ ଥିଲେ । ଆମ ଜେଜେବାପାର ବାପାଙ୍କ ସହ ବିବାହ ମଣ୍ଡପରେ ବସିବା ପରେ ତାଙ୍କର ଆଉ ଗୋଟିଏ ସନ୍ତାନ ହୁଏ । ଲୋକେ କହନ୍ତି, ଏଇ ସନ୍ତାନର ସତ ବାପା ଆଉ ଜଣେ କିଏ, ଆମ ଜେଜେବାପାଙ୍କ ବାପା ନୁହନ୍ତି ।

ବର୍ଷ ପରେ ବର୍ଷ ଧରି ଲଗାତାର ଆମ ବାପା ଆଉ ଗୋଟିଏ ଛୋଟ ସହରକୁ ଯାଆନ୍ତି ପ୍ରତି ଶନିବାର ଦିନ, ସେଇ ସହରଟି ଜଳବାୟୁ ପରିବର୍ତ୍ତନକାରୀଙ୍କ ପସନ୍ଦର ସହର ।

ଲୋକେ କହନ୍ତି ସେଇ ଛୋଟ ସହରରେ ଅନ୍ୟ ଜଣେ ନାରୀ ସହିତ ତାଙ୍କର ସମ୍ପର୍କ ଥିଲା ।

ସେହି ସହରରେ ପ୍ରକାଶ୍ୟରେ ଆମ ଜେଜେବାପାଙ୍କ ବାପାକୁ ଅନ୍ୟ ଗୋଟିଏ ଶିଶୁର ହାତ ଧରି ଯିବା ଆସିବାର ଦେଖା ଯାଇଛି, ଏପରିକି ସେଇ ଶିଶୁଟି ସହ ସେ ଆଉ ଗୋଟିଏ ଭାଷାରେ କଥାବାର୍ତ୍ତା କରୁଥିଲେ ସେ ।

ତେବେ ସେଇ ଆର ନାରୀଟି ସହ କେବେ ହେଲେ ତାଙ୍କୁ କେହି କେବେ ଦେଖି ନାହିଁ । ଲୋକେ କହନ୍ତି, ଆର ନାରୀଟି ସ୍ୱାସ୍ଥ୍ୟକେନ୍ଦ୍ରର ଦାରୀ ଛଡା ଆଉ କିଛି ହେବା ସମ୍ଭବ ନୁହଁ, ଯେହେତୁ ତାହାକୁ ସାଥିରେ ନେଇ ପ୍ରକାଶ୍ୟରେ ବାହାରିବାର ଆଦୌ ଦେଖା ଯାଇନି ଆମ ଜେଜେବାପାଙ୍କ ବାପାଙ୍କୁ ।

ଲୋକେ କହନ୍ତି, ନିଜ ଗାଆଁ ବାହାରେ ଯେଉଁ ଲୋକର ଆଉ ଗୋଟିଏ ସ୍ତ୍ରୀ ଥାଏ, ଆଉ ଗୋଟିଏ ସନ୍ତାନ ଥାଏ, ସେ ଘୃଣାର ପାତ୍ର, ଆଉ ଏହା ଅନାଚାରଠୁ ଭଲ କାମ ନୁହଁ । କହିବାକୁ ଗଲେ, ଅନାଚାରଠୁ ଆହୁରି ଅଧିକ ଘୃଣିତ କାମ ।

(ରୋମାନିଆ ଜନ୍ମିତ ହାର୍ଟା ମୁଲର ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ୨୦୦୯ ମସିହାରେ ପାଇଛନ୍ତି । 
ଏଇ ସରଳ କାହାଣୀଟିରେ ଚରିତ୍ରଟିର ଅଳ୍ପ କିଛି ବାସ୍ତବତାର ତଥ୍ୟ ସହ ଭରପୂର କଳ୍ପନାର ନିର୍ମାଣଜନିତ ଯନ୍ତ୍ରଣାରେ ବଞ୍ଚିବାର କଥା ରହିଛି ।)

Monday, July 02, 2018

ପାଲି ଧର୍ମପଦ (୮୨) ର ଓଡ଼ିଆ  ପଦ୍ୟାନୁବାଦ

୭ ପଣ୍ଡିତ ବର୍ଗ


ଫଟୋ କ୍ରେଡ଼ିଟ୍ -  ୱିିକିମିଡିଆ କମନ୍ସ୍

ଗମ୍ଭୀର ସର ଯେ ଆବିଳତା ବିରହିତ
ରହିଥାଏ ଯେହୁପରି ପ୍ରସନ୍ନ ଓ ଶାନ୍ତ ।

ଧର୍ମ ବିଷୟ ଶ୍ରବଣେ ଯେ ପଣ୍ଡିତଗଣ,
ହୁଅନ୍ତି ସେ ସେହି ପରି ଅତୀବ ପ୍ରସନ୍ନ ।  

ଯଥାପି ରହଦୋ ଗମ୍ଭୀରୋ  ବିପ୍ପସନ୍ନୋ ଅନାବିଳେ ।
ଏବଂ ଧମ୍ମାନି ସୁତ୍ୱାନ ବିପ୍ପସୀଦନ୍ତି ପଣ୍ଡିତା ।୭।

ୟଥା ହ୍ରଦୋ ଗମ୍ଭୀରୋ ବିପ୍ରସନ୍ନଃ ଅନାବିଳାଃ ।
ଏବଂ ଧର୍ମ୍ମାନ୍ ଶୃତ୍ୱା ବିପ୍ରସୀଦନ୍ତି ପଣ୍ଡିତାଃ ।୭।

Sunday, July 01, 2018

ଲାଲୋନ୍ ଫକୀରଙ୍କର ଗୋଟିଏ ଗୀତ

ଉପସ୍ଥାପନା ଓ ଟୀକା - ଜ୍ୟୋତି ନନ୍ଦ

ଗାୟନ - ଅନୁଶେଃ ଆନାଦିଲ

ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=DDHaR_hrxt8


ଲାଲୋନ ଶାହ (୧୭୭୨-୧୮୯୦) ଙ୍କର ଏକ ଚିତ୍ର (୧୮୮୯ ମସିହାରେ ଅଙ୍କିତ)
ଚିତ୍ରକର - ଜ୍ୟୋତିରିନ୍ଦ୍ରନାଥ ଠାକୁର (୧୮୪୯-୧୯୨୫)

ତୋମାର ଘରେ ବାସ୍ କରେ କାରା
ଓ ମନ୍ ଜାନ ନା
ତୋମାର୍ ଘରେ ବସତ୍ କରେ କୟ ଜନା
ମନ୍ ଜାନ ନା
ତୋମାର୍ ଘରେ ବସତ କରେ କୟ ଜନା ?

ଏକ ଜନାୟ ଛବି ଆଙ୍କେ ଏକ ମନେ
ଓ ରେ ମନ
ଆରେକ ଜନାୟ ବସେ ବସେ ରଙ୍ଗ ମାଖେ
ଓ ଆବାର ସେଇ ଛବିଖାନା ନଷ୍ଟୋ କରେ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ଏକ ଜନାୟ ସୁର୍ ତୋଲେ ଏକ ତାରେ
ଓ ମନ, ଆରେକ ଜନ ମନ୍ଦିରାତେ ତାଳ ତୋଲେ
ଓ ଆବାର ବେସୁରା ସୁର୍ ଧରେ ଦେଖୋ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ରସ ଖାଇୟା ହଇୟା ମାତ୍, ଏ ଦେଖୋ
ହାତ୍ ଫସକେ ଯାୟ ଘୋଡ଼ାର ଲାଗାମ୍
ସେଇ ଲାଗାମ ଖାନା ଧରେ ଦେଖୋ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ଟୀକା - ଲାଲୋନ୍ ଫକୀର ବା ମହାତ୍ମା ଲାଲୋନ ପ୍ରତିବେଶୀ ରାଜ୍ୟର ଜଣେ ରହସ୍ୟବାଦୀ ବାଉଲ କବି । ତାଙ୍କର ସମୟକାଳ ହେଉଛି ୧୭୭୨ ଖ୍ରୀଷ୍ଟାବ୍ଦରୁ ୧୮୯୦ ଖ୍ରୀଷ୍ଟାବ୍ଦ । ଲାଲୋନ ଫକୀର ରବୀନ୍ଦ୍ରନାଥ, କାଜି ନଜରୁଲ୍‌ଙ୍କ ଲେଖାକୁ ବିଶେଷ ଭାବରେ ପ୍ରଭାବିତ କରିଛନ୍ତି । ଆମେରିକୀୟ କବି ଆଲେନ୍ ଜିନସବର୍ଗ ଲାଲୋନ୍ ଫକୀରଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି । ଲାଲୋନଙ୍କ ଗୀତ ଉଭୟ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସମାନ ପରିମାଣରେ ଅଦ୍ଭୁତ ଭାବରେ ଲୋକପ୍ରିୟ । ସେଠାରେ ବର୍ତ୍ତମାନ ପ୍ରଜନ୍ମର ଲୋକଗୀତି ଶିଳ୍ପୀମାନେ ତଥା ଏ ଦିଗରେ ପ୍ରସ୍ତୁତ ବ୍ୟାଣ୍ଡ୍‌ମାନେ ସେମାନଙ୍କର ପରିବେଷଣରେ ଲାଲୋନ-ଗୀତିକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଲାଲୋନ-ଗୀତି ନିଶ୍ଚିତ ଭାବରେ ଶ୍ରୁତି ମଧୁର କିନ୍ତୁ ଯଦି ତାହାକୁ ଆମେ ଖାଲି କବିତା ଆକାର ପଢ଼ିବା, ତେବେ ଲାଗିବ ଯେମିତି ଲାଲୋନ ଫକୀର ଆମ ସମୟର ପ୍ରବୀଣ ମରମି କବିଟିଏ । ଏହାର ମାଧୁର୍ଯ୍ୟକୁ ଅବିକଳ ରଖିବା ପାଇଁ ଅନୁବାଦ କରିବାରୁ କ୍ଷାନ୍ତ ରହୁଛି । ଆଶା ଆପଣଙ୍କୁ ବଙ୍ଗଳାଭାଷାର ଏଇ ଗୀତଟିକୁ ବୁଝିବାରେ ସେମିତି କଷ୍ଟ ହେବନାହିଁ  ।