Wednesday, June 13, 2018

ବନଫୁଲଙ୍କର 'ନିମଗଛ' 

ଅନୁବାଦ - ଜ୍ୟୋତି ନନ୍ଦ


ବନଫୁଲ
(ୱିକିନାଓ)

କିଏ ଛାଲ ଖଣ୍ଡେ ଛେଲି ଗରମପାଣିରେ ସିଝେଇ ବସିଲାଣି ।
ପାଛିଆଏ ପତ୍ରମାନଙ୍କୁ ଛିଣ୍ଡେଇ ସାରି ଶିଳରେ ବାଟୁଛି କିଏ ।
କିଏ ବା ଭାଜୁଛି ଗରମ ତେଲରେ ବସି ଚୁଲିମୁଣ୍ଡରେ ।
ଯାଦୁ, କାଛୁ, କୁଣ୍ଡିଆ ର ସବୁ ଜାଗା ଅଜାଗାରେ ବୋଳାଯିବ  ।
ଚର୍ମରୋଗର ଅବ୍ୟର୍ଥ ମହୌଷଧ ।

କଅଁଳ ପତ୍ରକୁ ଅନେକେ ଖାଆନ୍ତି ।
ଏମିତି କଞ୍ଚା କଞ୍ଚା,
ଅବା ସୋରିଷ ତେଲରେ ଚକା ଚକା ବାଇଗଣ ଭଜା ସହ ।
ଯକୃତକୁ ଭାରି ପଦାର୍ଥ ସିଏ ।

ଏପରିକି କଅଁଳି ଡାଳ ପତ୍ରକୁ ଭାଙ୍ଗି ଚୋବାନ୍ତି କେତେକ, ଦାନ୍ତମାନ ବଜ୍ର ହେବ ।
କବିରାଜ ମାନେ ପଞ୍ଚମୁଖ ପ୍ରଶଂସାରେ ।
ଘର ପାଖରେ ଚାରାଟିଏ ଦେଖିଲେ ବିଜ୍ଞ ଜନେ ଭାରି ଖୁସି ହୁଅନ୍ତି,
କହନ୍ତି, ଥାଉ, କାଟନି, ନିମଗଛର ହାଉଆ ଦେହକୁ ହିତ ।

କାଟନ୍ତିନି କେହି, ଯତ୍ନ ବି ନିଅନ୍ତିନି।
ଆବର୍ଜନା ଜମି ଆସୁଥାଏ ଚାରିପାଶ ।
ନାଲି ପାଟକନା ବାନ୍ଧିଦିଏ କିଏ, ସେ ବି ଆଉ ଏକ ଆବର୍ଜନା ।

ହଠାତ୍ ଦିନେ ଜଣେ ନୂଆ କୁଣିଆ ଆସିଲେ ।
ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଲେ ନିମଗଛକୁ ।
ଛାଲ ଛେଲିଲେ ନାହିଁ,
ପତ୍ର ଛିଣ୍ଡେଇଲେ ନାହିଁ,
ଡାଳ ବି ଭାଙ୍ଗିଲେ ନାହିଁ ।

ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଥିଲେ ଖାଲି, କିଛି ଘଡ଼ି ।
କହି ଉଠିଲେ, ବାଃ କି ସୁନ୍ଦର ପତ୍ର,
ହାଲୋଳ କଲା ଭଳିକା ରୂପ ଦେଖ,
ପେନ୍ଥା ପେନ୍ଥା ଫୁଲ କି ଅପୂର୍ବ,
ଯେମିତି ପଞ୍ଝାଏ ତାରା ଓହ୍ଲାଇ ଆସିଛନ୍ତି ସବୁଜ ପାରାବାରକୁ ଅବିକା ।
ବାଃ ।

କିଛି କ୍ଷଣ ବିହ୍ୱଳ ହୋଇ ଚାଲିଗଲେ କୁଣିଆ ।
କବିରାଜ ନୁହଁନ୍ତି, କବି ସିଏ।
ନିମଗଛଟିର ମନ ବଳିଛି,
କୁଣିଆ ସାଙ୍ଗରେ ଚାଲିଯାଆନ୍ତା କି !

ପାରିଲାନି ।
ମାଟିର ଢେର୍ ଗହୀରକୁ କାହିଁ କେତେ ଦୂର,
 ମାଡ଼ି ଯାଇଛି ତାହାର ଅମାନିଆ ଚେରଯାକ ।
ଘର ପଛରେ ଆବର୍ଜନାସ୍ତୁପ ସବୁକୁ ସାଥିକରି ଛିଡ଼ା ହୋଇ ରହିଲା ସେ ।
ଆଉ ଏପଟେ,  ଘର ଭିତରେ,
ଯାବତୀୟ ଗୃହକର୍ମନିପୁଣା ଲକ୍ଷ୍ମୀବନ୍ତ ବୋହୁଟିର ଦଶା ସମାନ ।

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
(ଡାକ୍ତର ବଲାଇଚାନ୍ଦ ମୁଖୋପାଧ୍ୟାୟ (୧୮୯୯-୧୯୭୯) ଓରଫ ବନଫୁଲ ପ୍ରତିବେଶୀ ବଙ୍ଗଳା କଥା ସାହିତ୍ୟର ଜଣେ ସମ୍ମାନାସ୍ପଦ ଜନପ୍ରିୟ ଉଚ୍ଚାରଣ । ତାଙ୍କର ଅନେକ କାହାଣୀ ବଙ୍ଗଳାରେ ଚଳଚ୍ଚିତ୍ରାୟିତ ହୋଇ ଦର୍ଶକ ମାନଙ୍କର ଅମାପ ଲୋକପ୍ରିୟତା ଲାଭ କରିଅଛି, ଯାହା ଏବେ ବି ଅର୍ଜନ କରିବାକୁ ସମର୍ଥ । ହଁ, ଯଦି କେବେ କେଉଁଠି ପଦ୍ମଭୂଷଣକୁ ଲେଖକର ମାନଦଣ୍ଡ ବୋଲି ବିଚାର କରାଯାଉଥାଏ, ତେବେ ସେମାନଙ୍କ ପାଇଁ ଏହି ତଥ୍ୟଟି ଗୁରୁତ୍ୱପୂର୍ଣ୍ଣ ହେବ ଯେ, ବନଫୁଲ ବି ଜଣେ "ପଦ୍ମଭୂଷଣ" ।)

Monday, June 11, 2018

ପଲ୍ କାରୁସ୍‌ଙ୍କର ୭୫ତମ 'ବୁଦ୍ଧ ଗାଥା' - 'ଅଛୁଆଁ' 

ଅନୁବାଦକ - ସୁଜାତା ମିଶ୍ର


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେତେବେଳେ ଭଗବତ ଶ୍ରାବସ୍ତୀର ଜେତବନରେ ବାସ କରୁଥିଲେ, ସେ ଭିକ୍ଷା ପାତ୍ର ନେଇ ଭିକ୍ଷା ପାଇଁ ଜଣେ ବ୍ରାହ୍ମଣ ପୁରୋହିତର ଘରକୁ ଗଲେ । ସେତେବେଳେ ସେଠାରେ ହୋମ କୁଣ୍ଡରେ ଆହୁତିର ଅଗ୍ନି ଜଳୁଥିଲା । ଏବଂ ପୁରୋହିତ କହିଲେ: "ହେ ଲଣ୍ଡିତ ମସ୍ତକଧାରୀ ! ସେହିଠାରେ ଠିଆ ହୁଅ । ହେ ତୁଚ୍ଛ ସନ୍ୟାସୀ, ତୁମେ ଅଛୁଆଁ ଅଟ ।"

ଭଗବତ ଉତ୍ତର ଦେଲେ: "ଅଛୁଆଁ କିଏ ଅଟେ ?"

"ଅଛୁଆଁ ସେହି ମନୁଷ୍ୟ ଯିଏ କ୍ରୋଧୀ, ଯେ ଘୃଣାକୁ ବହନ କରେ, ଯିଏ ଧୂର୍ତ୍ତ ଓ ଛଳନାକାରୀ, ଯିଏ ଭ୍ରମକୁ ଜାବୁଡ଼ି ଧରେ ଓ କପଟୀ ଅଟେ ।

"ଯିଏ ଧନ ଲୋଭୀ ଏବଂ କଳହପ୍ରିୟ, ଯେ ଦୁଷ୍ଟ ଭାବନା ପୋଷଣ କରେ, ଯିଏ ଇର୍ଷାଳୁ, ଭ୍ରଷ୍ଟ, ନିର୍ଲଜ ଏବଂ ଅନିଷ୍ଟ କରିବାକୁ ଡରେ ନାହିଁ, ସେ ହିଁ ଅଛୁଆଁ ଅଟେ । 

"ଜନ୍ମରୁ କେହି ଅଛୁତ ହୁଏ ନାହିଁ, ନା' ଜନ୍ମରୁ ବ୍ରାହ୍ମଣ ହୁଏ । ନିଜ କର୍ମ ଯୋଗୁଁ ହିଁ କେହି ଅଛୁତ କିମ୍ବା କେହି ବ୍ରାହ୍ମଣ ହୋଇଥାଏ ।"

ବି.ଦ୍ର - ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

Saturday, June 09, 2018

ପୋଇ ଶାଗର ପତର ପୋଡ଼ା

ସରୋଜିନୀ ଚୌଧୁରୀ


ପୋଇ ଶାଗ (ୱିକିମିଡିଆ କମନ୍ସ୍)

ପ୍ରଣାଳୀ - ପୋଇର ଶାଗ ଓ ନରମ ନରମ ଡଙ୍ଗ ଚୁନେଇ କାଟି ଧୋଇ ଚିକ୍କଣ ସୋରିଷବଟା ଓ ତେଲ ଲୁଣ ମିଶାଇ କଦଳୀ ବା ଖଲି ପତ୍ର ଦୁଇ ପ୍ରସ୍ତ କରି ତହିଁରେ ରଖ ।  କଦଳୀ ପତ୍ର ହୋଇଥିଲେ ପଟୁକାରେ ବାନ୍ଧି ପୁଟୁଳା କରିବ; କିନ୍ତୁ ଖଲି ପତ୍ର ହୋଇଥିଲେ କାଠି ମାରି ପତରର ଲମ୍ବ ଭାଗରେ ବନ୍ଦ କରିବ । ମଲା ନିଆଁରେ ପୋଡ଼ିବ । ବାହାର କରି ଭଲ କରି ଝାଡ଼ିଝୁଡ଼ି ଉପରର ପତ୍ରଟା ବାହାର କରି ପକାଅ । 

ମଲା ନିଆଁରେ ପୋଡ଼ିବ । ବାହାର କରି ଭଲ କରି ଝାଡ଼ିଝୁଡ଼ି ଉପରର ପତ୍ରଟା ବାହାର କରି ପକାଅ ।

ଗୁଣାଗୁଣ - ପୋଇ ସ୍ନିଗ୍ଧ, ଶୀତଳ, ପିଚ୍ଛିଳ, ଗୁରୁପାକ, ମଳଭେଦକ, ଆଳସ୍ୟଜନକ, ପୁଷ୍ଟିଜନକ, ଶୁକ୍ରକାରକ, ନିଦ୍ରାବର୍ଦ୍ଧକ, ବାତପିତ୍ତନାଶକ ଓ ଶ୍ଲଷ୍ମାକାରକ ।

ବି.ଦ୍ର. - ପୋଇ ଶାଗର ପତର ପୋଡ଼ା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Thursday, June 07, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୫

ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଜୈନ ସିଦ୍ଧଚକ୍ର ମହାଯନ୍ତ୍ର (ୱିକିମିଡିଆ କମନ୍ସ୍)


୭୧ 

ଅଙ୍ଗୁଳି ପ୍ରବେଶରୁ ବାହୁ ପ୍ରବେଶ ।
ଅର୍ଥ: କୌଣସି ବ୍ୟକ୍ତିକୁ ଦୟାଳୁ ଟିକିଏ ସୁବିଧା ଦେଲେ ଅଧିକ ସୁବିଧା ଦାବି କରିବା ।

୭୨ 

ସତ୍ୟ ହିଁ ଧବ
ମୃତ୍ୟୁ ହିଁ ଧୃବ ।
ଅର୍ଥ: ମୃତ୍ୟୁ ଜୀବନର ଅନ୍ତିମ ସତ୍ୟ ଭଳି, ସତ୍ୟ ସବୁ ହେଲେ ଚିରନ୍ତନ ।

୭୩ 

ବାପ ରାଣ ଢିଙ୍କି ଗିଳି ।
ଅର୍ଥ: ସାମର୍ଥ୍ୟ ନ ଥିବା ଲୋକ ଦ୍ୱାରା କୌଣସି କାର୍ଯ୍ୟକୁ ଜବରଦସ୍ତ କରାଇବା ।

୭୪ 

ପଣ୍ଡିତ ପୁଅ ମଣିଷ ମାରିଲେ ଦୋଷ ନାହିଁ ।
ଅର୍ଥ: ପ୍ରତିପତ୍ତି ଥିବା ଲୋକ ଦୋଷ କଲେ ତାହାକୁ ନ ଧରିବା ।

୭୫

ଅରକ୍ଷିତକୁ ଦଇବ ସାହା ।
ଅର୍ଥ: ଯାହାର କେହି ନାହିଁ ତାହାକୁ ଭଗବାନ ନିଶ୍ଚୟ ସହାୟ ହୁଅନ୍ତି ।

Tuesday, June 05, 2018

'ଉତ୍କଳ ଦୀପିକା'ରେ ପ୍ରକାଶିତ ନରମାଂସ ଭକ୍ଷଣ ସମ୍ପର୍କୀୟ ଏକ ଖବର


ନରମାଂସ ଭକ୍ଷଣ ସମ୍ପର୍କରେ ଥିଓଡର୍ ଡି ବ୍ରାଏ (୧୫୨୮-୧୫୯୮)ଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଦ୍ୟ ଆମ୍ଭମାନଙ୍କ ଶ୍ରୁତି ଗୋଚରରେ ଆସିଲା ଯେ ମାହାଙ୍ଗା ଗ୍ରାମରେ କେତେକ ଦିନହେଲା ଗୋଟିୟେ ଅନାହାର ପୀଡ଼ିତ ସ୍ତ୍ରୀଲୋକ ଜାତିରେ ଗୁଡ଼ିଆଣୀ ପ୍ରବେଶ କରିଅଛି । ତାହାର ଗୋଟିଏ ପାଦ ଅନ୍ୟ ପାଦାପେକ୍ଷା ଛୋଟ ଅଟେ ଓ ମୁଖ ଅତି ବକ୍ର ରୂପେ କୁତ୍ସିତ ଓ କିଞ୍ଚିତ୍ ଭୟଙ୍କର ଓ ତାହାର ଅବସ୍ଥା ଅତି ଘୃଣାକର । ମନୁଷ୍ୟ ମାଂସ ଭକ୍ଷଣରେ ତାହାର ଅତ୍ୟନ୍ତ ପ୍ରି୍ତୀ । ଅନ୍ନ ଭୋଜନ ପାଉଥିଲେ ମଧ୍ୟ ସେ ଶ୍ମଶାନକୁ ଯାଇ ମୃତ ପିଣ୍ଡ ମୃତ୍ତିକା ମଧ୍ୟରୁ ବାହାର କରି କଞ୍ଚା ମାଂସ ଭୋଜନ କରେ । ଏକଦା ଗୋଟିୟେ ଅଳ୍ପ ବୟସ୍କ ସୁନ୍ଦରୀ ବାଳିକା ଦାଣ୍ଡରେ ବୁଲୁଥିଲା । ସେ ରାକ୍ଷାସୀ ତାକୁ ଦେଖି ତାହାଠାରୁ ଦୃତଗତିରେ ଆସି ତାହାର ଶରୀରରୁ ଦୁଇ ପୁଳା ମାଂସ କାମୁଡ଼ି ଖାଇଲା । ବାଳିକା ଉଚ୍ଚ ସ୍ୱରରେ ରୋଦନ କରନ୍ତେ କେତେକ ଜଣ ଗ୍ରାମବାସୀ ଦଉଡ଼ି ଆସି ବାଳିକାକୁ ରକ୍ଷାକଲେ । ଓ ରାଜଦଣ୍ଡ କିମ୍ବା ସ୍ତ୍ରୀ ହତ୍ୟା ଦୋଷଭୟରେ ସେ ରାକ୍ଷାସୀର ପ୍ରାଣନାଶ ନ କରି ତାକୁ ଯକ୍ଷ୍ଠିରେ ଯଥୋଚିତ ପ୍ରହାର ପ୍ରଦାନ କଲେ । ତାହାର ଏରୂପ କଦାଚାର ନିମନ୍ତେ ପୂର୍ବେ ଥରେ ତାହା ଶରୀରରେ ତପ୍ତ ଲୋହଦ୍ୱାରା ଛେଁକା ଦିଆଯାଇଥିଲା । ଏ ତ କଞ୍ଚା ଡାହାଣୀ ନୁହେଁ କାରଣ ତାହାହେଲେ କେବଳ ରକ୍ତପାନ କରନ୍ତା, ଏ ଗୋଟିଏ ଯୋଗିନୀ ପ୍ରବେଶ ହୋଇଅଛି, ଏହାକୁ ପ୍ରହାର ନ କରି ଛେନାପଣା ଇତ୍ୟାଦି ଦେଲେ ମଙ୍ଗଳ ହେବ । 

 ବି.ଦ୍ର. - ଏହି ପତ୍ରଟିର ବନାନ ଆଦି, ଯେପରି ମିଳିଅଛି, ସେହିପରି ଦିଆ ଯାଇଅଛି । ଏହି ଲେଖାଟି ଉତ୍କଳ ଦୀପିକାର ଅଗଷ୍ଟ ଏଗାର, ୧୮୬୬ ମସିହାର ସଂସ୍କରଣରେ ଛପାହୋଇଥିଲା । ଲେଖାଟି ସୃଜନିକା ସଂସ୍ଥାଙ୍କର ସୌଜନ୍ୟରୁ ମିଳିଅଛି ।

Sunday, June 03, 2018

ବୈଷ୍ଣବ ପଦାବଳୀ - 'ସଖୀ ପ୍ରତି ଶ୍ରୀରାଧା'

(ରାଗ-ଭୈରବୀ । ତାଳ-ଆଠତାଳି)


ରାଧା ଓ କୃଷ୍ଣ (ୱିକିମିଡିଆ କମନ୍ସ୍)

ଶ୍ୟାମ ସମ କମନୀୟ ନାହିଁ ଆଉ
ତା' ବାହୁଭିଡ଼ାରେ ମୋର ଦିନ ଯାଉ ।ଘୋଷା।

କି ସୁନ୍ଦର ପୀତପଟ ତ୍ରିଭଙ୍ଗ ମୂରଲୀ ନଟ,
ତା' ଶିର ମୁକୁଟ ଦିଶେ ଦାଉ ଦାଉ ।୧।

ଆଳି ମଙ୍ଗଳାକୁ ଜଣା, ଥିଲେ ନ ଥିଲେ କରୁଣା,
ନୟନ ସମ୍ପତ୍ତି ମୋର ଜୀଇ ଥାଉ ।୨।

ପଡ଼ିଗଲେ ତା' ନଜରେ, ମଦନ ମାଦକ ଶରେ,
ନାରୀ ହୃଦୟରୁ ଖସି ପଡ଼େ ହାଉ ।୩।

ନିନ୍ଦିଲେ ନିନ୍ଦନ୍ତୁ ଜନେ, ତା' ପଛେ ମୁଁ ବନେ ବନେ,
ଶିରେ ଘେନି ବୁଲୁଥିଲି ତା' କଠାଉ ।୪।

କବିରବି ଭାଷେ ରସେ, ମନପଥ ରତିତ୍ରାସେ,
ତା' ପ୍ରେମ ସାଗରେ ଚିତ୍ତ ବୁଡ଼ି ଯାଉ ।୫।

Friday, June 01, 2018

କୁଜି ଗେଣ୍ଡାର ସୁରୁଆ

ସରୋଜିନୀ ଚୌଧୁରୀ


ଜାପାନୀ କଳାକାର କାତ୍ସୁସିକା ହୋକୁସାଇ (୧୭୬୦-୧୮୪୯)ଙ୍କ ଦ୍ୱାରା ଅଙ୍କିତ ଗେଣ୍ଡାର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ସାମଗ୍ରୀ - ଗେଣ୍ଡା ପାଞ୍ଚ ସାତ ଗଣ୍ଡା, ଜଳ ଦେଢ଼ ପା', ତେଜପତ୍ର ଖଣ୍ଡେ, ଧନିଆପତ୍ର ଦୁଇଟା, ଲୁଣ ଅଧଚିମୁଟେ, ଡାଲଚିନି ଖଣ୍ଡେ ।

ପ୍ରଣାଳୀ - ଗେଣ୍ଡା ଛଡ଼ାଇ ଥଲଥଲିଆ ଅଂଶଟା କାଢ଼ି ଧୋଇ ନିଅ । ଗୋଟିଏ ଛୋଟ ହାଣ୍ଡିରେ ଦେଢ଼ ପା'  ପାଣି ଦିଅ । ଗେଣ୍ଡାର ମାଂସତକ, ତେଜପତ୍ର, ଧନିଆ ପତ୍ର, ଡାଲଚିନି ଦିଅ । ହାଣ୍ଡି ଢାଙ୍କି ଚୁଲିରେ ବସାଆ । ଖୁବ ମୃଦୁ ମୃଦୁ ଜାଳ ଦିଅ । କୋଡ଼ିଏ ମିନିଟ ପରେ ଓହ୍ଲାଇ ଆସ୍ତେ ରସଟି ନିଗାଡ଼ି ନେଇ ଲୁଣ ମିଶାଇ ଉଷୁମ ଉଷୁମ ଖାଇବାକୁ ଦେବ ।  

ବି.ଦ୍ର. - କୁଜି ଗେଣ୍ଡାର ସୁରୁଆ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।