Sunday, May 13, 2018

ମାଥିଉଙ୍କର ମଙ୍ଗଳ ସମାଚାର - ୩୨

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ସନ୍ଥ ପୀଟରଙ୍କର ବାସିଲିକାରେ ସ୍ଥାନିତ ସୂର୍ଯ୍ୟ ଦେବତା ହିଲିଓସ୍‌ ରୂପୀ ଯୀଶୁ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତେତେବେଳେ ଜଣେ ଭୂତଗ୍ରସ୍ତ ଅନ୍ଧ ଓ ଘୁଙ୍ଗା ମନୁଷ୍ୟ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାକୁ ସୁସ୍ଥ କଲେ, ତହିଁରେ ସେହି ଘୁଙ୍ଗା କଥା କହିଲା ଆଉ ଦେଖିବାକୁ ପାଇଲା । ଏଥିରେ ସମସ୍ତେ ଚମତ୍କାର ଜ୍ଞାନ କରି କହିଲେ, ଏ କି ସେହି ଦାଉଦ-ସନ୍ତାନ ?  ମାତ୍ର ଫାରୁଶିମାନେ ତାହା ଶୁଣି କହିଲେ, ଏଇଟା କେବଳ ଭୂତଗଣର ରାଜା ବାଲଜିବୁବ୍ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ । ଯୀଶୁ ସେମାନଙ୍କର ମାନସ ଜାଣି ସେମାନଙ୍କୁ କହିଲେ, କୌଣସି ରାଜ୍ୟ ଆପଣା ବିପକ୍ଷରେ ଭିନ୍ନ ହେଲେ ବିଛିନ୍ନ ହୁଏ; ପୁଣି ଯେ କୌଣସି ନଗର କି ଅବା ପରିବାର ଆପଣା ବିପକ୍ଷରେ ଭିନ୍ନ ହୁଏ, ତାହା ସ୍ଥିର ରହି ପାରିବ ନାହିଁ । ଶୟତାନ ଯେବେ ଶୟତାନକୁ ବାହାର କରେ ସେ ତ ଆପଣା ବିପକ୍ଷରେ ଭିନ୍ନ ହୁଏ; ତେବେ ତାହାର ରାଜ୍ୟ କି ପ୍ରକାରେ ସ୍ଥିର ରହିବ ?  ଆଉ ଆମ୍ଭେ ଯେବେ ବାଲଜିବୁବ୍ ଦ୍ୱାରା ଭୂତମାନଙ୍କୁ ଛଡ଼ାଉଁ, ତେବେ ତୁମ୍ଭମାନଙ୍କର ସନ୍ତାନମାନେ କାହା ଦ୍ୱାରା ଛଡ଼ାନ୍ତି ?  ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ । ପୁଣି ଆମ୍ଭେ ଯେବେ ଇଶ୍ୱରଙ୍କ ଆତ୍ମା ଦ୍ୱାରା ଭୂତମାନଙ୍କୁ ଛଡ଼ାଉଁ, ତେବେ ଈଶ୍ୱରଙ୍କ ରାଜତ୍ୱ  ଅବଶ୍ୟ ତୁମ୍ଭମାନଙ୍କର ସନ୍ନିକଟ ହେଲାଣି । ଯେହେତୁ କେହି ପ୍ରଥମେ ବଳବାନ୍ ମନୁଷ୍ୟକୁ ନ ବାନ୍ଧିଲେ କି ପ୍ରକାରେ ତାହାର ଘରେ ପ୍ରବେଶ କରି ଧନ ଲୁଟି ପାରେ ? ବାନ୍ଧିଲେ ତେବେ ସେ ତାହାର ଘର ଲୁଟି କରି ପାରିବ । ଯେ କେହି ଆମ୍ଭର ସପକ୍ଷ ନୁହେ, ସେ ଆମ୍ଭର ବିପକ୍ଷ; ପୁଣି ଯେ ଆମ୍ଭ ସହିତ ସାଉଣ୍ଟାଇ ନାହି, ସେ ବିଞ୍ଚି ପକାଏ ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

Friday, May 11, 2018

ପଲ୍ କାରୁସ୍‌ଙ୍କର 'ବୁଦ୍ଧ ଗାଥା' - ୬୯

ଅନୁବାଦକ - ସୁଜାତା ମିଶ୍ର


ଜାପାନର ନିହୋଞ୍ଜି ମନ୍ଦିରରେ ସ୍ଥାପିତ ତଥାଗତ ବୁଦ୍ଧଙ୍କର ପ୍ରତିମା (ୱିକିମିଡିଆ କମନ୍ସ୍)

କୌଶାମ୍ବୀରେ ଜଣେ ବ୍ରାହ୍ମଣ ରହୁଥିଲେ । ସେ ଥିଲେ ବେଦଗୁଡ଼ିକର ଜ୍ଞାତା ଏବ‌ଂ ବିବାଦପ୍ରିୟ । ଶାସ୍ତ୍ରାର୍ଥରେ ତାହାକୁ ନିଜର ସମକକ୍ଷ ନ ପାଇ ସେ ହାତରେ ଜଳୁଥିବା ଏକ ମଶାଲ ନେଇ ଚାଲୁଥିଲେ ଏବଂ ଏହି ଆଶ୍ଚର୍ଯ୍ୟ ଆଚରଣର କାରଣ ପଚାରିବାରୁ ସେ ଉତ୍ତର ଦିଅନ୍ତି: "ସଂସାର ଏତେ  ଅନ୍ଧକାରପୂର୍ଣ୍ଣ ଯେ ଯେଉଁ ପର୍ଯ୍ୟନ୍ତ ସମ୍ଭବ ତାକୁ ଆଲୋକ ଦେଖାଇବା ପାଇଁ ମୁଁ ଏହି ମଶାଲ ନେଇ ଚାଲୁୁଛି ।"

ରାସ୍ତାରେ ବସିଥିବା ଜଣେ ସନ୍ୟାସୀ ଏପରି କଥା ଶୁଣି କହିଲେ: "ମିତ୍ର । ଯଦି ତୁମର ଆଖି ଦିନର ସର୍ବବ୍ୟାପ୍ତ ପ୍ରକାଶକୁ ମଧ୍ୟ ଦେଖି ପାରୁନାହିଁ, ତେବେ ସଂସାରକୁ ଅନ୍ଧକାରପୂର୍ଣ୍ଣ କୁହ ନାହିଁ । ତୁମର ମଶାଲ ସୂର୍ଯ୍ୟଙ୍କ ପ୍ରତାପ ତୁଳନାରେ ବ୍ୟର୍ଥ ଅଟେ । ଅନ୍ୟର ହୃଦୟକୁ ଆଲୋକିତ କରିବା ପାଇଁ ତୁମର ସଂକଳ୍ପ ବ୍ୟର୍ଥ ଅଟେ କାରଣ ଏହା ଅହଂକାର ଛଡ଼ା ଆଉ କିଛି ନୁହେଁ ।"

ବ୍ରାହ୍ମଣ ପଚାରିଲେ : "ସେହି ସୂର୍ଯ୍ୟ କେଉଁଠାରେ ? ଯାହା କଥା ତୁମେ କହୁଛ ? ସନ୍ୟାସୀ ଉତ୍ତର ଦେଲେ: "ତଥାଗତଙ୍କ ପ୍ରଜ୍ଞା, ଚିତ୍ତର ସୂର୍ଯ୍ୟ ଅଟେ । ଏହାର ଦୀପ୍ତି ଦିନ ଓ ରାତିରେ ସର୍ବଦା ଅଦ୍ଭୁତ ଅଟେ । ଯାହାର ବିଶ୍ୱାସ ପ୍ରବଳ, ତାଙ୍କର ନିର୍ବାଣ ପଥରେ କେବେ ମଧ୍ୟ ପ୍ରକାଶର ଅଭାବ ହୋଇ ନ ଥାଏ ଏବଂ ନିରନ୍ତର ଆନନ୍ଦକୁ ସ‌େ ଉତ୍ତରାଧିକାରୀ ସୂତ୍ରରେ ପାଇବେ ।"

ବି.ଦ୍ର - ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

Wednesday, May 09, 2018

ବିରି ଡାଲିର ଚଟଣି

ସରୋଜିନୀ ଚୌଧୁରୀ


ବିରି ଡାଲି (ୱିକିମିଡିଆ କମନ୍ସ୍)

ପ୍ରଣାଳୀ - ଅନେକ ସମୟରେ ବିରି ଡାଲି କରିବାକୁ ଯାଇ ଦେଖାଯାଏ ଯେ ଡାଲି  ମିଶୁ ନାହିଁ । ଫଳଫଳିଆ ବିରି ଡାଲି ଗୁଡ଼ାକ ଖାଇବାକୁ ମଧ୍ୟ ଦିଆ ଯ।ଇ ପାରେ ନାହିଁ; ସେ ସ୍ଥଳରେ କ'ଣ କରାଯିବ ? ଯୁଷଟା ସ୍ୱତନ୍ତ୍ର ରଖି ଡାଲିଗୁଡ଼଼ିକ ଛାଙ୍କି ଦେଇ ଶିଳରେ ବାଟିନିଅ । ବଟାଅଦା, ଲଙ୍କା, ଘିଅ, ଗୋଲମରିଚାଗୁଣ୍ଡା ଦେଇ ଓ ଅଳ୍ପ ଟିକେ ଲୁଣ ମିଶାଇ ଖାଇବାକୁ ଦେବ । ଗୋଲମରିଚ ବଦଳରେ ବଟା ପିଆଜ ଦେଇ ପାର । 

ଗୁଣାଗୁଣ - ବିରି ମଧୁର ରସ, ଶୀତଳ, ସ୍ନିଗ୍ଧ, ଗୁରୁପାକ, ରୁଚିକର, ବଳକାରକ, ପୁଷ୍ଟିଜନକ, ଶୁକ୍ରବର୍ଦ୍ଧକ, ସନ୍ତପର୍ଣ, ମଳଭେଦକ, ମୂତ୍ରକାରକ, ସ୍ତନ୍ୟବର୍ଦ୍ଧକ, ମେଦୋବର୍ଦ୍ଧକ, କଫ-ପିତ୍ତକାରକ, ରକ୍ତପିତ୍ତର ପ୍ରକୋପକ ଏବଂ ବାୟୁରୋଗ, ଅର୍ଶ, ଶୂଳ ଓ ବାତଜଶ୍ୱାସ ରୋଗରେ ହିତକର ।

ବିରିର ଯୁଷ ବଡ଼ ଉପକାରି । ସ୍ଥାନାନ୍ତରରେ ଏହାର ବିବରଣୀ ଦିଆଯିବ । 
ବି.ଦ୍ର. - ବିରି ଡାଲିର ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Tuesday, May 08, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୩


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଏକ ଭାରତୀୟ ଗ୍ରାମର ଦୃଶ୍ୟ (୧୯୨୦ ମସିହାରେ ଉତ୍ତୋଳିତ): ୱିକିମିଡିଆ କମନ୍ସ୍




କ୍ଷୀର ଯେବେ ଖାଇ ବସିବ
ସଙ୍ଗେ ଥିବ ଗାଈ ।
କଳି ଯଦି କରି ବସିବ
ସଙ୍ଗେ ଥିବ ଭାଇ ।

ଅର୍ଥ: ଅସୁବିଧା ସୁବିଧାରେ ନିଜ ମା’ ପେଟର ଭାଇ ହିଁ ସବୁବେଳେ ତୁମ ସଙ୍ଗରେ ରହିବ । ତେଣୁ ଭାଇ ପ୍ରତି କେବେ ବିମୁଖ ହେବା ଉଚିତ ନୁହେଁ ।

୬୨ 

ପଙ୍କ ଭିତରେ ପଦ୍ମ ।

ଅର୍ଥ: ଅତି ଖରାପ ପରିବେଶ ମଧ୍ୟରୁ ଏକ ବିରଳ ବ୍ୟକ୍ତିତ୍ୱର ଆବିର୍ଭାବ ହେବ ।

୬୩ 

ତତେ ମୁଁ ଯେ ଦେଖିପାରେ,
ଉଅାଁସ ରାତିରେ ଉକୁଣି ମାରେ ।

ଅର୍ଥ: କାହାର ଉନ୍ନତିରେ ଇର୍ଷା ବା ଅସହିଷ୍ଣୁତା ପ୍ରକାଶ କରିବା ।

୬୪

ଭାଇର ଭାତ, ଭାଉଜ ହାତ
ପଖାଳ କଂସାଏ ଦିଅନ୍ତି ସଙ୍ଗାତ
ହୋଇଛି ଗୋବର ହାତ ।

ଅର୍ଥ: କୌଣସି ବ୍ୟକ୍ତିକୁ କଥାରେ ଭଳେଇ ଦେଇ କିଛି ନ ଦେଇ ବିଦା କରିଦେବା ।

୬୫

ଚାଲି ନଜାଣି ବାଟର ଦୋଷ ।

Saturday, May 05, 2018

ଜଗମୋହନ ଲାଲାଙ୍କ ଦ୍ୱାରା 'ଉତ୍କଳ ଦୀପିକା'କୁ 

୧୮୬୬ ମସିହାରେ ପ୍ରେରିତ ସମ୍ପାଦକଙ୍କୁ ପତ୍ର 


ସେଫିଲ୍‌ଡ଼୍‌ଠାରେ ସୋସିଆଲ ସାଇନ୍ସ କଙ୍ଗ୍ରେସଠାରେ ସାର୍ ମାକୋଞ୍ଜି କର୍ସେଟ୍‌ଜିଙ୍କର ଅଭିଭାଷଣ
ଅଭିଭାଷଣର ବିଷୟ ଓ ସମୟ - ଭାରତରେ ଶିକ୍ଷା, ୧୮୬୫ ମସିହା
'ଇଲୁଷ୍ଟ୍ରେଟେଡ଼ ଲଣ୍ଡନ ନିଉଜ' ପତ୍ରିକାର ୧୮୬୫ ମସିହାର ୧୧ ଅକ୍ଟୋବର ସଂସ୍କରଣରୁ ଆନୀତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ମହାଗ୍ରାମ ଈସ୍କୁଲ ଓ ଶ୍ରୀଯୁତ୍ ଢେଙ୍କାନାଳର ରାଜାବାହାଦୁର -
ମାନ୍ୟବର ଶ୍ରୀଯୁତ୍ ଶ୍ରୀ ଉତ୍କଳ ଦୀପିକା ସମ୍ପାଦକ ମହାଶୟ ସମୀପେଷୁ ।

ଆମ୍ଭ ନିବାସଭୂମି ମହାଗ୍ରାମ କି ଯାହା ମାହାଙ୍ଗା ନାମରେ ସଚରାଚର ବିକ୍ଷାତ ଅଛି । ସେଠିକାର ଗୋଟିଏ ଇଙ୍ଗରାଜୀ ବଙ୍ଗୋତ୍କଳ ଈସ୍କୁଲ ଗଲ ଦୁଇ ବର୍ଷରୁ ସ୍ଥାପନ ହୋଇଥିବାର ଆପଣଙ୍କୁ ମଧ୍ୟ ଗୋଚର ଥିବ ।  ଆମ୍ଭମାନଙ୍କର ବିଦ୍ୟୋତ୍ସାହୀ ଗଭରମେଣ୍ଟରୁ ମାସିକ ଟ୨୦ଙ୍କା ଏ ଈସ୍କୁଲ ନିମନ୍ତେ ସାହାଯ୍ୟ ଦାନ ମିଳୁଅଛି । ମାତ୍ର ଗ୍ରାମସ୍ଥ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଯେ ଏ ଈସ୍କୁଲ ସକାଶେ ମାସିକ ଟ୨୦ଙ୍କା ଚାନ୍ଦା ଆପଣା ମଧ୍ୟରେ କରିଥିଲେ ତାହା କେତେକ ମାସ ସମ୍ପୂର୍ଣ୍ଣ ଅସୁଲ ହୋଇଥିଲା ତଦନନ୍ତର ଚାନ୍ଦା କ୍ରମେ କ୍ରମେ ନ୍ୟୁନ ହୋଇ ଅତି କଷ୍ଟରେ ଅସୁଲ ହେବାରୁ ଈସ୍କୁଲ ଦୁରାବସ୍ଥାରେ ପତିତ ହେବାର ଦେଖି ଆମ୍ଭେ କତିପୟ ବିଦେଶୀୟ ଧନାଢ଼୍ୟ ମହାଶୟଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କରିଥିଲୁଁ ମାତ୍ର ସେମାନେ ଆମ୍ଭ ପ୍ରାର୍ଥନାରେ କର୍ଣ୍ଣପାତ ସୁଦ୍ଧା ନ କଲେ ।

ଅନନ୍ତର ଶ୍ରୀଯୁତ ଶ୍ରୀ ଢେଙ୍କାନାଳାଧିପତି ରାଜା ବାହାଦୁରଙ୍କର ବିଦ୍ୟାନୁରାଗ ଓ ଦାନ‌ଶୀଳତା ବିଷୟ ଶ୍ରବଣ କରି ତାଙ୍କ ଛାମୁରେ ପ୍ରାର୍ଥନା କଲା ମାତ୍ରକେ ରାଜା ବାହାଦୁର ଅତି ଅନୁଗ୍ରହପୂର୍ବକ ମାସିକ ଟ୩ଙ୍କା ଲେଖାଏଁ ଚାନ୍ଦା ଓ ଈସ୍କୁଲ ଗୃହ ନିର୍ମାଣାର୍ଥେ ଟ୧୦ଙ୍କା ଦାନ କରିଅଛନ୍ତି । ଏହା ଦ୍ୱାରା ଯେ ସେ ଆମ୍ଭଙ୍କୁ ଓ ଆମ୍ଭ ଗ୍ରାମସ୍ଥ ଲୋକଙ୍କୁ କି ପର୍ଯ୍ୟନ୍ତ ଆନନ୍ଦିତ ଓ କୃତକାର୍ଯ୍ୟ କରିଅଛନ୍ତି ତାହା ବର୍ଣ୍ଣନାତୀତ । ଏମନ୍ତେ ଆମ୍ଭେ ନିଷ୍କପଟ ଚିତ୍ତ ଓ ସରଳ ହୃଦୟରେ ତାଙ୍କୁ ସହଶ୍ର ସହଶ୍ର ଧନ୍ୟବାଦ ପ୍ରଦାନ କରୁ ଅଛୁଁ ।

ଯଦ୍ୟପି ଏହି ପରି ଉତ୍କଳବାସୀ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ବିଦ୍ୟାପ୍ରଚାର ସକାଶେ ମୁଦ୍ରାଦାନ ଓ ଯତ୍ନ କରନ୍ତେ ତେବେ ଅବଶ୍ୟ ଅଳ୍ପ କାଳ ମଧ୍ୟରେ  ଉତ୍କଳ ଦେଶର ଗୌରବ ବୃଦ୍ଧି ହୋଇ ସଭ୍ୟ ଦେଶ ମଧ୍ୟରେ ଗଣନୀୟ ହୁଅନ୍ତା ଏଥିରେ ସନ୍ଦେହ ନାହିଁ । ଅତଏବ ବିଦ୍ୟାର ଉନ୍ନତି ଓ ପ୍ରଚାର ବିଷୟରେ ସମସ୍ତଙ୍କୁ କାୟମନବାକ୍ୟେ ବହୁ ଯତ୍ନ କରିବାର ଉଚିତ ।

ଉପରୋକ୍ତ ବିଷୟ ସର୍ବସାଧାରଣଙ୍କ ଗୋଚରାର୍ଥେ ନିବେଦନ ପତ୍ର ଆପଣ ଅନୁଗ୍ରହପୂର୍ବକ ଆପଣଙ୍କ ପତ୍ରିକାରେ ପ୍ରକାଶ କରି ଆମ୍ଭଙ୍କୁ ବାଧିତ କରିବା ହେବେ ।

ମୁ---କଟକ                                                                                         ଶ୍ରୀ ଜଗମୋହନ ଲାଲ
ତା୭ରିଖ ମାହେ ଅଗସ୍ତ ସ୍ନ ୧୮୬୬ ମସିହା                                                     ଈସ୍କୁଲ ସେକ୍ରେଟରୀ

ବି.ଦ୍ର. - ଏହି ପତ୍ରଟିର ବନାନ ଆଦି, ଯେପରି ମିଳିଅଛି, ସେହିପରି ଦିଆ ଯାଇଅଛି । ଏହି ଲେଖାଟି ଉତ୍କଳ ଦୀପିକାର ଅଗଷ୍ଟ ଏଗାର, ୧୮୬୬ ମସିହାର ସଂସ୍କରଣରେ ଛପାହୋଇଥିଲା । ଲେଖାଟି ସୃଜନିକା ସଂସ୍ଥାଙ୍କର ସୌଜନ୍ୟରୁ ମିଳିଅଛି । 

Thursday, May 03, 2018

ବୈଷ୍ଣବ ପଦାବଳୀ - 'ବାତ୍ସଲ୍ୟ'

କବି - ଜଗବନ୍ଧୁ ସିଂହ


ବଳରାମଙ୍କର ସହ ବାଳକୃଷ୍ଣଙ୍କର ଚିତ୍ର (ୱିକିମିଡିଆ କମନ୍ସ୍)


ଦଧିମନ୍ଥା ଧ୍ୱନି ଶୁଣି ଧୀରେ ଆସେ ନୀଳମଣି଼
ସଙ୍ଗେ ଆସେ ଭାଇ ବଳରାମ

ଯଶୋମତୀ ଦେଖି ସୁଖ ମରମେ ପାଇଣ ସୁଖ
ଚୁମ୍ୱଇ ଶ୍ରୀ ଚନ୍ଦ୍ରମା ବଦନ । ୧।

ବୋଲେ ଶୁଣ ଯଦୁମଣି ଦେବି ମୁଁ ସର ଲବଣୀ
ଖାଇ ନାଚ ବାବୁ ମୋର ଆଗେ

ଚାହିଁ ଜନନୀ ବଦନ ଗେଲେ ବୋଲଇ ବଚନ
କର ପାତି ନବନୀତ ମାଗେ । ୨।

ଦେଏ ମା' ଦେଏ ମା' ବୋଲି ଅଳି କରେ ବନମାଳୀ
ଆଗେ ଦେଲେ ପଛେ ମୁଁ ନାଚିବି

ନ ଦେଲେ ନାଚିବି ନାହିଁ ଯାଉଛି ଯିବି ପଳାଇ
ଆଉ ତୋ' ଘରକୁ ନ ଆସିବି । ୩।

ଏମନ୍ତ ଅଝଟ ବାଣୀ ଶୁଣି ମୋଦେ ନନ୍ଦରାଣୀ
କର ଭରି ଦେଲେ ନବନୀତ ।

ମୁଖେ ନବନୀତ ଭରି ନାଚେ ନାନା ରଙ୍ଗେ ହରି
ଢଳି ଢଳି ଗାଏ ରଙ୍ଗେ ଗୀତ । ୪।

କଟିରେ ବାଜେ କିଙ୍କିଣୀ ଶ୍ରୀପଦେ ନୂପୁର ଧ୍ୱନି
କିଣି କିଣି ବାଜିଲା ସଘନ ।

କିଣି ନେଲା ରାଣୀ ମନ ମନ୍ଥନ ଦଣ୍ଡ ଛାଡ଼ିଣ
କରତାଳି ଦିଏ ଘନ ଘନ । ୫।

ନାଚ ଦେଖି ନନ୍ଦରାଣୀ ବୋଲେ ଦେଖ ଲୋ ରୋହିଣୀ
ଆନନ୍ଦରେ ହେଲେ ଗଦ ଗଦ ।

ଦୀନ ଜଗବନ୍ଧୁ ବୋଲେ ମହା ପୁଣ୍ୟ କରିଥିଲେ
ମିଳେ ସିନା ଏ ଶିରୀ ସମ୍ପଦ । ୬।

ଶବ୍ଦାର୍ଥ

ସୁରପତି ଇନ୍ଦ୍ର 

ଇଷିତେ ଅନାୟାସରେ

Tuesday, May 01, 2018

ମଇ ଦିବସ ଉପଲକ୍ଷରେ କବିତା - 'ହୁଅ ଆଗୁସାର'

ବିପ୍ଲବୀ କବି ମନମୋହନ ମିଶ୍ର ( ୧୯୨୦ - ୨୦୦୦)


ନୈରାଜ୍ୟବାଦୀ ସମାଜବାଦର ଚିହ୍ନ (ୱିକିମିଡିଆ କମନ୍ସ୍)

ହୁଅ ଆଗୁସାର, ହୁଅ ଆଗୁସାର
ହୁଅ ଆଗୁସାର, ହୁଅ ଆଗୁସାର,
ବାଜେ ତୂର୍ଯ୍ୟ; ଜାଗେ ସୂର୍ଯ୍ୟ
ନବୀନ ଉଷାର ।

ଆରେ ଦୂର୍ମଦ ଜାତି
ଦେଶ ଦେଶାନ୍ତରେ, ମୁକତି ମନ୍ତ୍ରରେ
ଧରଣୀ ପଡ଼ୁଛି ଫାଟି,
ଭାତ ଲୋଡ଼ି ପାଇଲୁ ଯେବେ ଗୁଳି, ଲାଠି
ଜମି ଲୋଡ଼ି ପାଇଲୁ ତୁ ମଶାଣୀର ମାଟି
ଧମନୀରେ ତୋର ରକ୍ତର ତାତି
ଏବେ କି କରିନି ପୁକାର ।

ହୁଅ ଆଗୁସାର, ହୁଅ ଆଗୁସାର
ହୁଅ ଆଗୁସାର, ହୁଅ ଆଗୁସାର,
ବାଜେ ତୂର୍ଯ୍ୟ; ଜାଗେ ସୂର୍ଯ୍ୟ
ନବୀନ ଉଷାର ।

କମାଣର ଭୋଜ ଲାଗି ଖୋଜେ 
ତୋତେ ଆମେରିକା
ହେବୁ କି ବଣିଆ ଗଣିକା,
ହେବୁ କିରେ କିଣା ବିକା;
ଆରେ ଦୁର୍ମଦ ଜାତି
ମୋର ଜନମ ମାଟି,
କୋରିଆ, ମାଳୟ, ଇନ୍ଦୋଚୀନ
କଲୋନୀର ଜନତାର ଅଗ୍ରଜ ଚୀନ
ମୁକ୍ତିର ରକ୍ତ ଶିଖା,
ଶତ ସଂସ୍କୃତି ଶାଳିନୀ ଜନନୀ
ମନ୍ଦିର, ମୀନାର ବିନ୍ଧାଣି ଜନନୀ
ମୁକତି ପାଗଳ ଶତ ଭାଷା ବାଣୀ
ମୁଖରିତ ଦରବାର ।

ହୁଅ ଆଗୁସାର, ହୁଅ ଆଗୁସାର
ହୁଅ ଆଗୁସାର, ହୁଅ ଆଗୁସାର,
ବାଜେ ତୂର୍ଯ୍ୟ; ଜାଗେ ସୂର୍ଯ୍ୟ
ନବୀନ ଉଷାର,
ହୁଅ ଆଗୁସାର, ହୁଅ ଆଗୁସାର ।